Category: ଅପରାଧ

  • ଛାତ୍ରର ଆକ୍ରମଣରେ ଇଂରାଜୀ ଅଧ୍ୟାପକଙ୍କ ମୃତ୍ୟୁ

    ଛାତ୍ରର ଆକ୍ରମଣରେ ଇଂରାଜୀ ଅଧ୍ୟାପକଙ୍କ ମୃତ୍ୟୁ

    ଜଣେ ଛାତ୍ରର ଆକ୍ରମଣରେ ଝାରସୁଗୁଡ଼ା ଜିଲା ପିକେଏସ୍‌ଏସ୍ ସ୍ନାତକ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଅମିତ କୁମାର ବାରିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଅଧ୍ୟାପକ ଓ ଶିକ୍ଷାବିତ୍ ମହଲ‌େ‌ର ଉଦ୍‌ବେଗ ପ୍ରକାଶ ପାଇଛି। ବେସରକାରୀ ଅନୁଦାନ ଓ ଅଣ ଅନୁଦାନ (+୨ ଓ +୩) ମହାବିଦ୍ୟାଳୟ ତଥା ସଂସ୍କୃତ ଶିକ୍ଷାନୁଷ୍ଠାନ କର୍ମଚାରୀ ସଂଘ ପକ୍ଷରୁ ଅମିିତଙ୍କ ଆତ୍ମାର ସଦ୍‌ଗତି କାମନା କରି ଶୋକସଭା ପାଳନ କରାଯାଇଛି।

    ସଂଘର ସଭାପତି ଡ. ଦେବବିଜୟ ମିଶ୍ର କହିଛନ୍ତି ଯେ, ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ଅମିତ ନିଯୁକ୍ତି ପାଇ ଦୀର୍ଘ ୧୫ ବର୍ଷ ଧରି ସ୍ବଳ୍ପ ଦରମାରେ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରିଆସୁଥିଲେ। ଏତେଦିନ କାମ କଲା ପରେ ମଧ୍ୟ ସେ ସରକାରୀ ଅନୁଦାନରୁ ବଞ୍ଚିତ ଥିଲେ। ତାଙ୍କ ଘରେ ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ସରକାରଙ୍କ ନିୟମ ଅନୁସାରେ ଆମେ ୨୦୧୯ରୁ ଅନୁଦାନ ପାଇବାକୁ ଯୋଗ୍ୟ ହୋଇଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ଅନୁଦାନ ନୀତିରୁ ବଞ୍ଚିତ। ଅନୁଦାନ ଦାବିରେ ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣା ଜାରି ରହିଛି। ସରକାରଙ୍କ ସହ ବାରମ୍ବାର ଆଲୋଚନା ପରେ ବି ନିଷ୍କର୍ଷ ବାହାରିପାରୁନି। ଆସନ୍ତା ନଭେମ୍ବର ମାସ ଭିତରେ କୌଣସି ପଦକ୍ଷେପ ନନେଲେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ, ସରକାର ସେଥିପାଇଁ ଦାୟୀ ରହିବେ।

  • ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ,ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି

    ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ,ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି

    ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଗାଁରେ ଅଭାବନୀୟ ଘଟଣା ଦେଖାଦେଇଛି।ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ଘଟଣା ପରେ ଫ୍ଲାଗମାର୍ଚ୍ଚ କଲା ପୋଲିସ, ପାଟଖଣ୍ଡା ଯାତ୍ରା ପାଇଁ ସହରରେ ଲାଗିଲା ୧୪୪ ଧାରା। ସୋମବାର ଅନୁଷ୍ଠିତ ଛତର ଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି। ପରେ ବିବାଦ ଗଣ୍ଡଗୋଳର ରୂପ ଧାରଣ କରିଥିବା ବେଳେ ଏଥିରେ ୧୫ରୁ ଅଧିକ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ପାଟଖଣ୍ଡା ଯାତ୍ରା ପାଇଁ ବଙ୍ଗୋମୁଣ୍ଡା ସହରରେ ଆଜିଠାରୁ ୨୬ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଥିବା ଟିଟିଲାଗଡ଼ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ସୁଚନା ୍ନୁଯାୟୀ ଗତ କାଲି ବଙ୍ଗୋମୁଣ୍ଡା ଗାଁରେ କୌଣସି କଥାକୁ ନେଇ ଆଦିବାସୀ ଏବଂ ଦଳିତ ଗୋଷ୍ଠୀଙ୍କ ମଧ୍ୟରେ ସଙ୍ଘର୍ଷ ହୋଇଥିଲା। ପରିସ୍ଥିତି ଏମିତି ଥିଲା ଯେ ବଙ୍ଗୋମୁଣ୍ଡା ଗାଁରେ ଗୋଟିଏ ପ୍ରକାର ଦଙ୍ଗା ପରିସ୍ଥିତି ହେଇଥିଲା । ଆଦିବାସୀ ଗୋଷ୍ଠୀର ଲୋକ ହାତରେ ଠେଙ୍ଗା ବାଡ଼ି ଧରି ଥାନା ଘେରାଓ କରିଥିଲେ. ପୋଲିସ ସେମାନଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ବୁଝିନଥିଲେ।ପରେ ସେମାନେ ରାସ୍ତା ରୋକ କରିଥିଲେ। ତେବେ ପୋଲିସ ଗତକାଲି ଉଭୟ ଗୋଷ୍ଠୀର 5 ଜଣଙ୍କୁ ରାତିରେ ଘରୁ ଉଠାଇ ଥାନାରେ ଅଟକ ରଖିଥିବା ଜଣା ପଡିଛି।ଅନ୍ୟ ପକ୍ଷରେ ଗାଁରେ ହେବାକୁ ଥିବା ପାଟଖଣ୍ଡା ଯାତ୍ରା ଶାନ୍ତି ଶୃଙ୍ଖଳାରେ ହେଉ ବୋଲି ଟିଟିଲାଗଡ଼ ଉପଜିଲ୍ଲାପାଳ ମାଜିଷ୍ଟ୍ରେଟ ଭାବେ ୧୪୪ ଧାରା ଜାରି କରିଛନ୍ତି।କୌଣସି ଜନସାଧାରଣ ବୈଠକ, ରେଲି, ଶୋଭାଯାତ୍ରା, ରାସ୍ତା ରୋକ, ଆନ୍ଦୋଳନ, ୫ ରୁ ଅଧିକ ଲୋକ ରୁଣ୍ଡ ହୋଇ ବୁଲିବା,ମାରଣାସ୍ତ୍ର ଧରିବା ଭଳି ଦେଖିଲେ ପୋଲିସ କାର୍ଯ୍ୟନୁଷ୍ଠାନ ନେବାକୁ ଆଦେଶ ଦିଆଯାଇଛି।

  • ମା’ଙ୍କ ମନ୍ଦିରରୁ ସୁନା ଅଳଙ୍କାର ସହ ଟଙ୍କା ଲୁଟ

    ମା’ଙ୍କ ମନ୍ଦିରରୁ ସୁନା ଅଳଙ୍କାର ସହ ଟଙ୍କା ଲୁଟ

    ବିଳମ୍ବିତ ରାତିରେ ମାଙ୍କ ମନ୍ଦିରରୁ ଲୁଟିନେଲେ ଲୁଟେରା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ । ରାଜନଗରରେ ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ସାତଭାୟାର ପଞ୍ଚୁବରାହୀ ମନ୍ଦିରରୁ ଆସିଛି ଚୋରି ଅଭିଯୋଗ । ମା ଙ୍କ ସୁନା,ରୂପା ଅଳଙ୍କାର ସହ ହୁଣ୍ଡିରୁ ଟଙ୍କା ଲୁଟିନେଇଛନ୍ତି ଦୃବୁତ୍ତ। ମନ୍ଦିରରୁ ଏଭଳି ପ୍ରଥମଥର ଚୋରିକୁ ନେଇ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଆଲୋଡନ । ପୁର୍ବରୁ କେବେ ଏ ଭଳି ଅଘଟଣ ଘଟିନଥିବା ବେଳେ ପ୍ରଥମ ଥର ଚୋରି ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବା ପାଇଁ ମିଳିଛି ।

    ତେବେ ଘଟଣା ସ୍ଥଳରେ ରାଜନଗର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି | ସାତଭାୟାରେ ସମୁଦ୍ର କୂଳରେ ମା ଙ୍କ ମନ୍ଦିର ଥିବା ବେଳେ ସମୁଦ୍ର କୂଳ ଲଙ୍ଘିବାରୁ ସାତଭାୟା ବାସୀଙ୍କ ସହ ମା ପଞ୍ଚୁବରାହୀଙ୍କୁ ବାଗପଟିଆ କୁ ସ୍ଥାନାନ୍ତରିତ କରାଯାଇଥିଲା ।

  • ଛାତ୍ରୀ ଦୁଷ୍କର୍ମ ମାମଲା: କଲେଜ ଅଧ୍ୟାପକଙ୍କ ସମ୍ପୃକ୍ତି ଆଣିଲା ବିଜେପି

    ଛାତ୍ରୀ ଦୁଷ୍କର୍ମ ମାମଲା: କଲେଜ ଅଧ୍ୟାପକଙ୍କ ସମ୍ପୃକ୍ତି ଆଣିଲା ବିଜେପି

    କେନ୍ଦ୍ରାପଡା ଛାତ୍ରୀ ଦୁଷ୍କର୍ମ ମାମଲାକୁ ବିତିଲାଣି ଏକ ସପ୍ତାହରୁ ଅଧିକ ଦିନ। ଏଯାଏଁ ପୋଲିସ ହାତ ଖାଲି। ସେପଟେ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ପୋଲିସର ସ୍ଥାଣୁତା ଉପରେ ପ୍ରଶ୍ନ ଉଠାଇଛି ବିଜେପି। ଯାହାକୁ ନେଇ ଗତ ୨୧ ତାରିଖରେ ପାଟକୁରା ବେଜେପି ନେତା ତେଜେଶ୍ବର ପରିଡାଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଛାତ୍ରୀ ପଢୁଥିବା କଲେଜର ଜନୈକ ଅଧ୍ୟାପକ ଏହି ଘଟଣାରେ ସମ୍ପୃକ୍ତ ଥିବା ସହ ତଦନ୍ତକୁ ଦିଗହରା କରିବାକୁ ମସୁଧା କରୁଥିବା ଅଭିଯୋଗ ଆଣୁଛି ବିଜେପି। ତେଣୁ ଉକ୍ତ ଅଧ୍ୟାପକଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ବିଜେପି ପକ୍ଷରୁ ଦାବି ହୋଇଛି। ପୋଲିସ ମାମଲାରେ କାହାରିକୁ ଗିରଫ କରିନଥିବାକୁ ନେଇ ବିଜେପି ଅସନ୍ତୋଷ ବ୍ୟକ୍ତ କରିବା ସହ ଏହି ଘଟଣାକୁ ଚାପି ଦେବାକୁ ପ୍ରଶାସନ ତଥା ସରକାର ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଏହା ବ୍ୟତୀତ କଲେଜ ପରିସର ଛାତ୍ରୀଙ୍କ ପାଇଁ ସୁରକ୍ଷିତ ନ ଥିବା ତଥା ଅସାମାଜିକ ତତ୍ତ୍ବଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ କରିଥିଲା ବିଜେପି। ଏଥିସହ ପରିସରରୁ ମଦ ବୋତଲ ଉଦ୍ଧାର କରି ବିକ୍ଷୋଭରେ ପ୍ରଦର୍ଶନ କରି ସରକାର ବିରୋଧରେ ବିଜେପି ପକ୍ଷରୁ ନାରା ଦିଆଯାଇଥିବା ଅଭିଯୋଗ ହୋଇଛି।

    ଏହି ଘଟଣାକୁ ନେଇ କଲେଜ ଅଧ୍ୟକ୍ଷଙ୍କୁ ଭେଟି ଆଲୋଚନା କରିଥିଲା ବିଜେପି। ସେପଟେ ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରିଛନ୍ତି କଲେଜ ଅଧ୍ୟକ୍ଷ। ଏହାକୁ ଏକ କପୋଳକଳ୍ପିତ ପ୍ରସଙ୍ଗ କହିବା ସହ ସେହି ଦିନ ଉକ୍ତ ଛାତ୍ରୀ କଲେଜକୁ ଆସିନଥିବା ତଥା କଲେଜରେ +୩ର ସେମିନାର ଚାଲିଥିବା କହିଛନ୍ତି ଅଧ୍ୟକ୍ଷ। ତେବେ କଲେଜରେ ବହୁ ସମସ୍ୟା ଥିବା ମଧ୍ୟ କହିବାକୁ ଭୁଲି ନାହାନ୍ତି।

    ଏଠାରେ କହିରଖୁ କି, କେନ୍ଦ୍ରାପଡା ପାଟକୁରାର ଏକ କଲେଜରେ ଗତ ୧୭ ତାରିଖରେ ଫ୍ରେସର୍ସ ପାର୍ଟି ହୋଇଥିଲା। ଏଥିରେ ମୃଦ୍ୟୁ ପାନୀୟରେ ନିଶା ମିଶାଇ ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରାଯାଇଥିବା ଛାତ୍ରୀଙ୍କ ପରିବାର ପକ୍ଷରୁ କୁଦାନଗରୀ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଛାତ୍ରୀଙ୍କ ମେଡିକାଲ ମାଇନା ମଧ୍ୟ କରିଥିଲା। ତେବେ ଏହି ଘଟଣାରେ ବିଜେପି ନେତା ତେଜେଶ୍ବରଙ୍କ ଏଣ୍ଟ୍ରୀକୁ ଶସ୍ତା ଲୋକପ୍ରିୟତା ପାଇଁ ପ୍ରୟାସ ବୋଲି କୁହାଯାଉଛି।

  • ଚୋରା ମଦ କାରଖାନା ବେପାରୀ ଧରାପଡ଼ିଲେ ଅବକାରୀ ବିଭାଗ ହାତରେ

    ଚୋରା ମଦ କାରଖାନା ବେପାରୀ ଧରାପଡ଼ିଲେ ଅବକାରୀ ବିଭାଗ ହାତରେ

    ସବୁଠି ଏବେ ମହାମାୟା ଦୁର୍ଗା ପୂଜାର ଆସର । ଏହି ସୁଯୋଗକୁ ହାତଛଡ଼ା କରୁ ନାହାଁନ୍ତି କିଛି ଅସାଧୁ ଲୋକ । କେହି ନକଲି ମିଠା ବିକ୍ରି କରୁଛନ୍ତି ତ ଆଉ କେହି ନକଲି ମଦ। ଏଭଳି ଏକ ନକଲି ଚୋରା ମଦ କାରଖାନା ବେପାରୀ କୁ ଧରିବାରେ ସଫଳ ହୋଇଛି ସମ୍ବଲପୁର ଅବକାରୀ ବିଭାଗ। ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଓ କେନ୍ଦୁଝର ଅବକାରୀ ବିଭାଗ ମିଳିତ ଚଡ଼ାଉ କରି ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ନକଲି ବିଦେଶୀ ମଦ ଜବତ କରିଛନ୍ତି ।ସୁଚନା ଅନୁୟାୟୀ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ତୁରୁମୁଙ୍ଗା ଗ୍ରାମର ସୁଦର୍ଶନ ସାହୁ ନିଜ ଘରେ ଦୀର୍ଘଦିନ ଧରି ନକଲି ଚୋରା ମଦ କାରଖାନା କରି କାରବାର ଚଳାଇ ଆସୁଥିଲା। ବିଭିନ୍ନ ସାମଗ୍ରୀ କଲିକତାରୁ ଆଣି ନିଜ ଘରେ ତିଆରି କରି ବିକ୍ତି କରୁଥିଲା। ଏନେଇ ସ୍ଥାନୀୟ ଅବକାରୀ ବିଭାଗ ସୂଚନା ପାଉନଥିବା ବେଳେ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଏହି ଖବର ପାଇ ଗତକାଲି ସୁଦର୍ଶନ ଘରେ ଚଢ଼ାଉ କରିଥିଲା। ତାଙ୍କ ଘରେ ଚଢ଼ାଉ କଲା ବେଳେ ସ୍ପିରିଟ ୫୭୦ ଲିଟର, ନକଲି ମଦ ୩୪ ଲିଟର, ନକଲି ମଦ ବୋତଲ ୫୮ଟି( ଆଇବି, ରୟାଲ ଷ୍ଟାଗ, ନମ୍ବର ୱାନ) ଖୋଲା ବୋତଲ ୨୧୨ଟି, ଠିପି ୩୪୭୧ଟି, ୪୮୧୫ଟି ନକଲି ଷ୍ଟିକର, ସିଲିଂ ମେସିନ ଦୁଇଟି, ୫ସହ ଲିଟର ଯାର ଦୁଇଟି ସହ ବହୁ ଆନୁସଙ୍ଗିକ ଉପକରଣ ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ।

    ଅଭିଯୁକ୍ତ ସୁଦର୍ଶନ ସାହୁ ଉକ୍ତ ସମସ୍ତ ନକଲି ଚୋରା ମଦ ସ୍ଥାନୀୟ ଅଞ୍ଚଳରେ ନବିକି ବାହାର ଜିଲ୍ଲା ତଥା ରାଜ୍ୟକୁ ବିକୁଥିବା ଅବକାରୀ ବିଭାଗକୁ ଜଣାଇଛି। ଅଭିଯୁକ୍ତ ସୁଦର୍ଶନକୁ କୋର୍ଟ ଚାଲାଣ କରାଯାଇଛି।ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକଟର ଧନଞ୍ଜୟ ପାତ୍ରଙ୍କ ତତ୍ବାବଧାନରେ କେନ୍ଦୁଝର ଅବକାରୀ ବିଭାଗ ସବ୍ ଇନ୍ସପେକ୍ଟର ଗିରିଜା ନନ୍ଦନ ଜେନାଓ ଅନ୍ୟ କର୍ମଚାରୀ ମାନେ ମିଶି ଏହି ଚଢ଼ାଉ କରିଥିଲେ। ଆଗାମୀ ଦିନରେ ଅବକାରୀ ଗୁଇନ୍ଦା ବିଭାଗ ଡ୍ରଗ୍ସ ମାଫିଆ ମାନଙ୍କ ଉପରେ ନଜର ରଖିଥିବା ବେଳେ ଯଥାଶୀଘ୍ର ଧରିବେ ବୋଲି ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।

  • ଇଟାରେ ଛେଚି ବାପାକୁ ମାରିଲା ମାନସିକ ବିକୃତ ପୁଅ

    ଇଟାରେ ଛେଚି ବାପାକୁ ମାରିଲା ମାନସିକ ବିକୃତ ପୁଅ

    ଦିନ ଥିଲା ପୁଅ ଗୁଜୁରାଟ ଯାଉଥିଲା, ରୋଜଗାର କରି ପରିବାର ପାଇଁ ପଇସା ପଠେଇବା ସହ ସମସ୍ତ କଥା ବୁଝୁଥିଲା। ହେଲେ ଆଜି ସେ ନୃଶଂସତାର ସବୁ ସୀମା ଟପିଯାଇଛି। ଯେଉଁ ବାପାର ଖୁସି ପାଇଁ ହସିହସି ଦାଦନ ଖଟିବାକୁ ପଛଉ ନ ଥିଲା ଆଜି ସେ ସେହି ବାପଙ୍କୁ ଇଟାରେ ଛେଚି ମାରିଦେଇଛି। ହେଲେ ପାରିବାରିକ କଳହ ବା ସମ୍ପତ୍ତି ଲୋଭରୁ ନୁହେଁ। ମାନସିକ ବିକୃତି ଘଟିବା ପରେ ଏତେ ବଡ ଏକ ପାପ କରିଛି ପୁଅ।

    ଯାଜପୁର ଜିଲ୍ଲା କୋରେଇ ଥାନା ଅଧୀନ ତାହାରପୁର ପଞ୍ଚାୟତର ନିମମୁଣ୍ଡୁଳି ଗ୍ରାମରେ ଘଟିଛି ଏପରି ହୃଦୟବିଦାରକ ଘଟଣା। ଗ୍ରାମର ୬୫ ବର୍ଷୀୟ ବେଲ ଖଟୁଆଙ୍କ ଦୁଇ ପୁଅ ଭିତରୁ ବଡ ପୁଅ ବିବାହ ପରେ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଅଲଗା ରହୁଥିଲା। ବେଲଙ୍କ ସହ ରହୁଥିଲେ ସ୍ତ୍ରୀ ଓ ସାନ ପୁଅ କାର୍ତ୍ତିକ। କାର୍ତ୍ତିକ ଥିଲେ ଭାରି ବୁଝିବା ସୁଝିବା ପିଲା। ବାପା ବେଲଙ୍କ ଉପରେ କାନ୍ଥ ଖସି ପଡିବା ପରେ ସେ ବିଛଣା ଲଗା ହୋଇପଡିଲେ। ପରିବାର ପ୍ରତିପୋଷଣ ପାଇଁ କାର୍ତ୍ତିକ ସୁଦୂର ଗୁଜରାଟ ଯାଇ ସେଠାରେ ଦାଦନ ଖଟୁଥିଲେ। କିନ୍ତୁ କଣ ହେଲା କେଜାଣି କାର୍ତ୍ତିକଙ୍କର ମାନସିକ ବିକୃତି ଘଟିଲା। ତେଣୁ ସେ ଗାଁକୁ ଫେରି ଆସିଲା। ପୁଅର ଏ ଅବସ୍ଥାକୁ ନେଇ ମାଙ୍କ ଆଖିରୁ ଲୁହ ଶୁଖୁ ନ ଥିଲା। ପୁଅର ଆରୋଗ୍ୟ କାମନା କରି ଗାଁର ସବୁ ମନ୍ଦିରରେ ମୁଣ୍ଡ କୋଡିଥିଲେ। ହେଲେ ମା ଘରେ ନ ଥିବା ବେଳେ ରୋଗାକ୍ରାନ୍ତ ବାପାଙ୍କୁ ଇଟାରେ ଛେଚି ଦେଇଥିଲା କାର୍ତ୍ତିକ। ପ୍ରବଳ ରକ୍ତସ୍ରାବ ହୋଇ ବେଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

    ଗ୍ରାମବାସୀ କାର୍ତ୍ତିକକୁ ଅଟକ ରଖିଥିଲେ ଓ ବଡ ପୁଅ ଗଣେଶର ଅଭିଯୋଗକ୍ରମେ ପୋଲିସ କାର୍ତ୍ତିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ପୁଅକୁ ପୋଲିସ ଗିରଫ କରିବା ପରେ ମା’ଙ୍କ ଅବସ୍ଥା ନକହିଲେ ଭଲ। କଣ କରିବେ, କେମିତି ପୁଅକୁ ଜେଲରୁ ମୁକୁଳେଇବେ ତାକୁ ନେଇ ଚିନ୍ତାରେ। ଗୋଟିଏ ପଟେ ଅର୍ଥାଭାବ, ଅନ୍ୟପଟେ ପୁଅର ମାନସିକ ସ୍ଥିତି । ତେଣୁ ମା ଗୁହାରି କରୁଛି ପୁଅର ମାନସିକ ସ୍ଥିତି ଭଲ ନ ଥିବାରୁ ତାର ମାନସିକ ଚିକିତ୍ସା କରାଇଲେ ସେ ଭଲ ହୋଇପାରନ୍ତା ।

  • କିନ୍ନରଙ୍କୁ ବ୍ଲାକମେଲ କରିବା ପଡିଲା ମହଙ୍ଗା

    କିନ୍ନରଙ୍କୁ ବ୍ଲାକମେଲ କରିବା ପଡିଲା ମହଙ୍ଗା

    କିନ୍ନରଙ୍କ ସହ ପ୍ରେମ ବିବାହ କରି ଶାରୀରିକ ସମ୍ପର୍କ ରଖି ବ୍ଲାକମେଲ କରିବା ମହଙ୍ଗା ପଡିଲା l ଏକ କିନ୍ନରଙ୍କ ସହ ବିବାହିତ ଯୁବକଙ୍କ ପ୍ରେମ କାହାଣୀ କୁ ନେଇ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଚର୍ଚ୍ଚାର ବିଷୟ ପାଲଟିଛି l କିନ୍ନର ଙ୍କ ସହ ଇନଷ୍ଟାଗ୍ରାମରେ ପ୍ରଥମେ ପ୍ରେମ ପରେ ବିବାହ ଆଉ ତାପରେ ଶାରୀରିକ ସମ୍ପର୍କ ରଖି ବ୍ଲାକମେଲ କରିବା ପଡିଲା ମହଙ୍ଗା l ସୂଚନା ମୁତାବକ ଜଗତସିଂହପୁର ଥାନା ଅଂଚଳର କିନ୍ନର ନନ୍ଦିନୀ ନାଥ ଶର୍ମାଙ୍କ ସହ ଖୋର୍ଦ୍ଧା ଜିଲ୍ଲା ବାଣପୁର ସାହସ ପୁର ଗ୍ରାମର ଦୀପକ ମାଝୀ ନାମକ ଯୁବକ ତିନି ବର୍ଷ ତଳେ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ l ତେବେ ନନ୍ଦିନୀ ଙ୍କ କହିବା ଅନୁଯାୟୀ ଗତ ଜାନୁୟାରୀ ରେ ଦୀପକ ମାଝୀ ତାଙ୍କୁ ବିବାହ କରିଥିଲେ l ନନ୍ଦିନୀ ଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ସମୟରେ ତାଙ୍କ ଅଜାଣତରେ ଅଶ୍ଳୀଳ ଭିଡିଓ ସାଇତି ରଖିଥିଲେ l ଏହି କ୍ରମେ ନନ୍ଦିନୀ ଙ୍କ ଠାରୁ ହଜାର ହଜାର ଟଙ୍କା ଦେବା ପାଇଁ ଦୀପକ ଵାଧ୍ଯ କରୁଥିଲେ l ଟଙ୍କା ନ ଦେଲେ ତା ଆଶ୍ଳୀଳ ଭିଡିଓ ଭାଇରଲ କରିଦେବାକୁ ଧମକ ଦେଉଥିଲେ l ନନ୍ଦିନୀଙ୍କୁ ଦୀପକ ଏକାକାଳୀନ ପଚାଶ ହଜାର ଟଙ୍କା ଦାବୀ କରିଥିଲେ l ନନ୍ଦିନୀ ନ ଦେବାରୁ ଦୀପକ ମାଝୀ ନନ୍ଦିନୀ ଙ୍କ ଆଶ୍ଳୀଳ ଭିଡିଓ ତାଙ୍କ ପାଖକୁ ଏବଂ ନନ୍ଦିନୀ ଙ୍କ ପରିବାରର ସମ୍ପର୍କକୀୟ ଙ୍କ ପାଖକୁ ଛାଡି ଦେଇଥିଲେ l ଏହାକୁ ନେଇ କିନ୍ନର ନନ୍ଦିନୀ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି l

    ଅଭିଯୋଗ ଆଧାର ରେ ଗତ ୧୬ ତାରିଖ ରେ ବାଣପୁର ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦୀପକ ମାଝୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l

  • ମହିଳାଙ୍କୁ ଗଣ ଦୁଷ୍କର୍ମ କରି ହତ୍ୟା ଅଭିଯୋଗ, ଦୁଇ ଯୁବକ ଗିରଫ

    ମହିଳାଙ୍କୁ ଗଣ ଦୁଷ୍କର୍ମ କରି ହତ୍ୟା ଅଭିଯୋଗ, ଦୁଇ ଯୁବକ ଗିରଫ

    ମହିଳାଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ଯା ଅଭିଯୋଗ । ଏଭଳି ଏକ ଲଜ୍ଜା ଜନକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ଫାଣ୍ଡି ଅନ୍ତର୍ଗତ ଆହାରପଡା ଫିଲଡ୍ ସାହିରେ । ଗତକାଲି ବାଉଁଶ ବୁଦା ନିକଟରୁ ଜଣେ ମହିଳାଙ୍କ ମୃତ ଦେହ ମିଳିଥିଲା ।ଯାହାକୁ ନେଇ ମହିଳାଙ୍କ ପୁଅ ତାଙ୍କ ମାକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ତେବେ ଆଜି ପୋଲିସ 2 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।ସୁଚନା ଅନୁଯାୀୟୀ ମୃତ ମହିଳା ଜଣକ ହଳଦୀ ବଟା ମୁଣ୍ଡା ସାହିର ରାଇମଣି ମୁଣ୍ଡା । ରାଇମଣି ହଳଦିବଟା ଗ୍ରାମକୁ ନିଜର ଦିଅର ସୁକୁରା ମୁଣ୍ଡାର ସୁଦ୍ଧି କ୍ରିୟାରେ ଯୋଗଦେବାକୁ ଯାଇଥିଲେ । ସେଠାରୁ ରାଇମଣି ଘରକୁ ନ ଫେରିବାରୁ ତାଙ୍କର ପରିବାର ଲୋକେ ବହୁ ଖୋଜା ଖୋଜି କରବା ପରେ ଏକ ବାଉଁଶ ବୁଦା ନିକଟରୁ ରାଇମଣିଙ୍କ ମୃତଦେହ ଠାବ କରାଯାଇଥିଲା । ଏନେଇ ପରିବାର ଲୋକେ ଥାନାରେ ଲିଖିତ ଅଭଇଯୋଗ ପରେ ପୋଲିସ 2 ଜଣଙ୍କୁ ଅଟକ ରଖିଥିଲେ୍ । ତେବେ ଆଜି 2 ଜଣ ଙକ୍ୁ କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛିି । ଦୁଇ ଅଭିଯୁକ୍ତ ହେଲେ ଆହାରପଡା ଫିଲଡ୍ ସାହିର ‌ଲେପା ମୁଣ୍ଡା (୪୫) ଓ ରହିବୁ ମୁଣ୍ଡା (୪୩)।

  • ନକଲି ପରୀକ୍ଷାର୍ଥୀଙ୍କ ସହ ଅଧ୍ୟାପକ ଗିରଫ

    ନକଲି ପରୀକ୍ଷାର୍ଥୀଙ୍କ ସହ ଅଧ୍ୟାପକ ଗିରଫ

    ପରୀକ୍ଷାର୍ଥୀ ଛାତ୍ର। ହେଲେ ପରୀକ୍ଷା ଦେଉଛନ୍ତି ଛାତ୍ରୀ। କଥାଟା ଶ୍ରୁତି କଟୁ ନିଶ୍ଚିତ। ପରୀକ୍ଷାରେ କା’ର ବ୍ୟବସ୍ଥା ଶୁଣିଥିବେ। ହେଲେ ଲିଙ୍ଗଗତ ପାର୍ଥକ୍ୟର ବି ବ୍ୟବସ୍ଥା ରହିଛି ଏହା କାହିଁ କେଉଁଠି ଶୁଣା ନଥିଲା। ହେଲେ ଏହା ସମ୍ଭବ ହୋଇଛି ଯାଜପୁର ଜିଲ୍ଲାରେ। ଜିଲ୍ଲାର ବଡ଼ଚଣା ବ୍ଲକ ସାଉଡିଆ ସ୍ଥିତ ରତ୍ନାକର ସଂସ୍କୃତ ମହାବିଦ୍ୟାଳୟରେ ଏପରି ଅସମ୍ଭବ କାର୍ଯ୍ୟ ପାଇଁ ରହିଛି ସମସ୍ତ ବ୍ୟବସ୍ଥା। ଯାହା ସାମ୍ନାକୁ ଆସିବା ପରେ ପ୍ରକୃତ ପରୀକ୍ଷାର୍ଥୀଙ୍କ ସହ ଦୁଇ ନକଲି ପରୀକ୍ଷାର୍ଥୀ ଓ ଜଣେ ଅଧ୍ୟାପକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଚନ୍ଦ୍ରପୁର ଥାନା ପୋଲିସ । ସୂଚନା ଅନୁଯାୟୀ ରତ୍ନାକର ସଂସ୍କୃତ ମହାବିଦ୍ୟାଳୟରେ ଯୁକ୍ତ ୩ ପରୀକ୍ଷା ଚାଲିଥିଲା। ପିଲାମାନେ ପରୀକ୍ଷା ଦେବାରେ ବ୍ୟସ୍ତ ଥାନ୍ତି। ହଠାତ୍ ପରୀକ୍ଷା ପରିଦର୍ଶନରେ ଆସି ପହଞ୍ଚିଲେ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପ୍ରାଧ୍ୟାପକ ଡ ଶ୍ରୀନିବାସ ପଣ୍ଡା। ପଣ୍ଡା ସମସ୍ତ ପରୀକ୍ଷାର୍ଥୀଙ୍କ ଯାଞ୍ଚ କରୁଥିବା ବେଳେ ପାଇଥିଲେ କି ଦୁଇ ପୁରୁଷ ପରୀକ୍ଷାର୍ଥୀଙ୍କ ବଦଳରେ ଦୁଇ ମହିଳା ପରୀକ୍ଷା ଦେଉଛନ୍ତି। ଏହା ପରେ ସେ ଚୁପଚାପ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ କଲେଜରେ ପହଞ୍ଚି ପରୀକ୍ଷା ପରିଚାଳନାରେ ଥିବା ଅଧ୍ୟାପକ ରାମକୃଷ୍ଣ ଶତପଥୀ, ଦୁଇ ନକଲି ପରୀକ୍ଷାର୍ଥୀ ଓ ପ୍ରକୃତ ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି।

  • ହୋମଗାର୍ଡଙ୍କ ପରେ ଏଏସଆଇ ଦୁଷ୍କର୍ମ ଅଭିଯୋଗରେ ଗିରଫ

    ହୋମଗାର୍ଡଙ୍କ ପରେ ଏଏସଆଇ ଦୁଷ୍କର୍ମ ଅଭିଯୋଗରେ ଗିରଫ

    ମୟୂରଭଞ୍ଜ ଖାକି ହେବାରେ ଲାଗିଛି କଳଙ୍କିତ। ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ଲୋକଙ୍କ ସରଳତାର ସୁଯୋଗ ନେଇ ରକ୍ଷକ ସାଜୁଛି ଭକ୍ଷକ। ଶିଶୁ ଓ ମହିଳାଙ୍କୁ ସୁରକ୍ଷା ଦେବା ବଦଳରେ ସେମାନଙ୍କ ଶୋଷଣ ଖୋଦ ପୋଲିସ କରୁଥିବାର ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଜିଲ୍ଲାର ଜାମଦା ଥାନା କର୍ମଚାରୀଙ୍କ ବିରୋଧରେ ଆସୁଛି ଦୁଷ୍କର୍ମ ପରି ଜଘଣ୍ୟ ଅଭିଯୋଗ। ଥାନାରେ କାର୍ଯ୍ୟରତ ଏ.ଏସ୍.ଆଇ. ଆନନ୍ଦ ମାଝିଙ୍କ ନାମରେ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆଣିଲେ ପୀଡିତାଙ୍କ ପିଉସୀ । ଏଏସଆଇ ବାବୁ ପୀଡିତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ତାଙ୍କ ସହ ସମ୍ପର୍କ ସ୍ଥାପନ କରିବା ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହେଉଛି। ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଆନନ୍ଦ ମାଝିଙ୍କୁ ଗିରଫ କରି କୋର୍ଟ ଫରଓ୍ବାଡ କରିଛି । ଏଠାରେ କହି ରଖୁଛୁ କି, ଦିନକ ତଳେ ଏହି ଥାନାର ଜଣେ ହୋମଗାର୍ଡ ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ। ଏବେ ଏ.ଏସ୍.ଆଇ. ଗିରଫ ହୋଇଛନ୍ତି। ତାଙ୍କ ବିରୋଧରେ ପୋସ୍କୋ ଆକ୍ଟରେ ମାମଲା ରୁଜୁ ହୋଇଛି। ଗୋଟିଏ ଥାନାରୁ ଦୁଇ ଦୁଇ ଜଣ ଖାକିବର୍ଦ୍ଦିଧାରୀଙ୍କ ବିରୋଧରେ ଏପରି ମାମଲା ସାମ୍ନାକୁ ଆସିବା ପରେ ନୀରିହ ଆଦିବାସୀ ମହିଳାଙ୍କ ସୁରକ୍ଷା ଓ ସମ୍ମାନ ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।