Category: ରାଜ୍ୟ ଖବର

  • ପାହାଡରୁ ଖସିଲା ବିରାଟକାୟ ଖଣ୍ଡ, ଯାତାୟାତ ଠପ

    ପାହାଡରୁ ଖସିଲା ବିରାଟକାୟ ଖଣ୍ଡ, ଯାତାୟାତ ଠପ

    ହଠାତ୍ ପାତାଳ ଗଙ୍ଗା ଅଞ୍ଚଳର ଆକାଶ ଧୂଳି ଧୁଆଁରେ ଭରିଗଲା। ଯାତାୟାତ ଠପ ହୋଇଗଲା। ଲୋକଙ୍କ ମଧ୍ୟରେ ଦେଖାଦେଲା ଭୟ। ପ୍ରକୃତିର କୋପ ଦେଖିଲା ଉତ୍ତରାଖଣ୍ଡ। ପାହାଡ ଉପରୁ ବିରାଟକାୟ ଅଂଶ ଖସିପଡିଲା ତଳକୁ, ଯାହାର ଦୃଶ୍ୟ ଲୋମଟାଙ୍କୁରା ଥିଲା। ପର୍ବତମାଳିନୀ ଉତ୍ତରଖଣ୍ଡ ରାଜ୍ୟରୁ ଆସିଛି ଏମିତି ଏକ ଦୃଶ୍ୟ। ଚମୋଲି ଜିଲ୍ଲା ପାତାଳ ଗଙ୍ଗା ବଦ୍ରୀନାଥ ନାସନାଲ ହାଇୱେରେ ଥିବା ସୁଡଙ୍ଗ ଉପରେ ଏହି ଭୟଙ୍କର ଭୂସ୍ଖଳନ ହୋଇଛି। ଭୂସ୍ଖଳନ ଫଳରେ ଏହି ଅଞ୍ଚଳର ଏକ ବଡ ଅଂଶରେ ଧୂଳି, ଧୂଆଁର ଲହଡି ଭାଙ୍ଗିଥିଲା।

    ଏହି ଭୂସ୍ଖଳନ ଫଳରେ ରାସ୍ତାର ଦୁଇ ପାର୍ଶ୍ବରେ ବହୁ ଗାଡି ଅଟକି ରହିଛି। ତେବେ, ଏତିକି ସୌଭାଗ୍ୟ କି, ଏଥିରେ କେହି ମୃତାହତ ହୋଇ ନାହାନ୍ତି। ହେଲେ ଭୂସ୍ଖଳନ ପାଇଁ ଜୋଶୀମଠ- ବଦ୍ରୀନାଥ ହାଇୱେକୁ ବନ୍ଦ କରିଛି ପ୍ରଶାସନ। ମୌସୁମୀ ଆସିବା ପରେ ଉତ୍ତରାଖଣ୍ଡରେ ଭାରି ବର୍ଷା ହେଉଛି। ଏହାର ପ୍ରଭାବରେ ଅନେକ ପାହାଡ ଉପରେ ପଥରଖଣ୍ଡ ସବୁ ବିପଦସଙ୍କୁଳ ଅବସ୍ଥାରେ ରହିଛି। କେତେବେଳେ କେଉଁ ପାହାଡରୁ ଭୂସ୍ଖଳନ ହେବ ତାହା କହିହେଉନାହିଁ। ସେପଟେ ବର୍ଷା ପାଇଁ ନଦୀରେ ସବୁ ବର୍ଷା ଜଳର ସୁଅ ଛୁଟୁଛି। ତେଣୁ ସରକାର ଆଲର୍ଟ ମୋଡରେ ରହିଛି। ତେବେ ମୌସୁମୀ କାଳରେ ଉତ୍ତରାଖଣ୍ଡରେ ପାହାଡରୁ ସ୍ଖଳନ, ନଦୀରେ ବନ୍ୟାଜଳ ପ୍ରବାହ ଏକ ସାଧାରଣ ଘଟଣା।

  • କରଞ୍ଜିଆ ଗ୍ରାମରେ ଜବରଦଖଲ ଉଚ୍ଛେଦ, ଦୋକାନ ଘର ସହ ଭାଙ୍ଗିଲା ପାଚେରୀ

    କରଞ୍ଜିଆ ଗ୍ରାମରେ ଜବରଦଖଲ ଉଚ୍ଛେଦ, ଦୋକାନ ଘର ସହ ଭାଙ୍ଗିଲା ପାଚେରୀ

    ଚମ୍ପୁଆ ଥାନା ଅଧୀନ କରଞ୍ଜିଆ ଗ୍ରାମରେ ହୋଇଥିବା ସରକାରୀ ଜମି ଜବରଦଖଲକୁ ଉଚ୍ଛେଦ କରିଛି ପ୍ରଶାସନ। ଗ୍ରାମର ଦୁର୍ଗା ପୂଜା ପଡିଆରୁ ଜବରଦଖଲ ଉଚ୍ଛେଦ କରିଛି ଚମ୍ପୁଆ ତହସିଲ ପ୍ରଶାସନ। ଦୁଇଟି ଦୋକାନ ଘର ଓ ପାଚେରୀ ଉପରେ ଚାଲିଲା ବୁଲଡଜର। ସୂଚନା ଅନୁସାରେ ଏହି ଗ୍ରାମର ଦୂର୍ଗାପୂଜା ପଡ଼ିଆ ଜବରଦଖଲ ନେଇ ଉଚ୍ଚନ୍ୟାୟାଳୟରଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଏହି ପଦକ୍ଷେପ ନେଇଛନ୍ତି। ପ୍ରଶାସନର ଏହି ଉଚ୍ଛେଦରେ ଜମିରେ ଥିବା ଗ୍ରାମର ରଞ୍ଜନ ଚୈଧୁରୀଙ୍କ ଔଷଧ ଦୋକାନ, ଶଙ୍କର୍ଷଣ ଦାସଙ୍କ ବାଇକ୍ ଗ୍ୟାରେଜ ଓ ସୁଷମା ଗିରି ନିର୍ମାଣ କରୁଥିବା ପାଚେରୀ ଭାଙ୍ଗି ଦିଆଯାଇଛି। ଏହି ଉଚ୍ଛେଦ ସମୟରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜବରଦଖଲ ହଟାଯିବା ସମୟରେ ଚମ୍ପୁଆ ତହସିଲଦାର, ଅତିରିକ୍ତ ତହସିଲଦାର ଉପସ୍ଥିତ ରହିଥିଲେ।

  • ପରିବା ବଜାରରେ ମହଙ୍ଗା ମାଡ଼, କଲବଲ ଖାଉଟି

    ପରିବା ବଜାରରେ ମହଙ୍ଗା ମାଡ଼, କଲବଲ ଖାଉଟି

    ସବୁଠି ପରିବା ଦରରେ ନିଆଁ । ଅନେକ ପରିବା ଦର ଶହେ ପାଖାପାଖି । ପାଞ୍ଚସହ ଟଙ୍କାରେବି ପୁରୁନି ପରିବା ବ୍ଯାଗ। ବଜାରକୁ ଗଲେ ଗ୍ରାହାକଙ୍କୁ କନ୍ଦାଉଛି ପରିବା ଦର । ସେହିଭଳି ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ଦର ମଧ୍ୟ ବେଶ ଉଚ୍ଚା ରହିଛି । ୟୁନିଟ ୧ ହାଟରେ ପୋଟଳ ୬୦, ବାଇଗଣ ୫୦, ଭେଣ୍ଡି ୭୦, ବିନ୍ସ ୧୮୦, ଟମାଟୋ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି । ଦର ଆହୁରି ମାସେରୁ ଅଧିକ ସମୟ ଏଭଳି ରହିବ ବୋଲି ବ୍ୟବସାୟୀ ଆକଳନ କରୁଛନ୍ତି । ସେପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି, ଦର ବୃଦ୍ଧି ନେଇ ବିଭିନ୍ନ ବଜାର ଓ ମଣ୍ଡିରେ ଯାଂଚ କରାଯାଉଛି । ମୁନାଫାଖୋର୍ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

  • ବିଜେପୁର ଅଭିଯୋଗ ଶୁଣାଣିରେ ୭୮ ମାମଲା ପଞ୍ଜିକୃତ

    ବିଜେପୁର ଅଭିଯୋଗ ଶୁଣାଣିରେ ୭୮ ମାମଲା ପଞ୍ଜିକୃତ

    ବଦଳିଛି ସରକାର। ହେଲେ ବଦଳିନି ବ୍ୟବସ୍ଥା। ପୁରୁଣା ସରକାର ଅମଳର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ନୂଆ ସରକାର ଜାରି ରଖିଛନ୍ତି। ଏହିକ୍ରମରେ ବରଗଡ଼ ଜିଲ୍ଲା ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ଶିକ୍ଷା, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ଧାନ ବିକ୍ରୀ, ଭତ୍ତା , ରାସ୍ତା ନିର୍ମାଣ ଆଦି ସମାସ୍ୟା ଅଧାରିତ ସମୁଦାୟ ୭୮ ଗୋଟି ଅଭିଯୋଗର ଶୁଣାଣି ହୋଇଛି। ସେଥିରୁ ୬୬ଟି ବ୍ୟକ୍ତିଗତ ଏବଂ ୧୨ ଟି ସାମୁହିକ ସମସ୍ୟାର ଅଭିଯୋଗ ଶୁଣାଣି କରାଯାଇଛି। ଲୋକଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ହେଲେ ଏହି ଅଭିଯୋଗ ଶୁଣାଣି ଶିବିରକୁ ଆସିଥିବା ଲୋକଙ୍କ ମଧ୍ୟରେ ଶିବିରର ବ୍ୟବସ୍ଥାକୁ ନେଇ କେତେକାଂଶରେ ଅସନ୍ତୋଷ ଦେଖିବାକୁ ମିଳିଛି

    ଉକ୍ତ ଶିବିରରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ , ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ପଦ୍ମପୁର ଉପଜିଲ୍ଲାପାଳ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ ।

  • ଏକାଥରେ ୧୨ ଛାତ୍ରୀ ଅସୁସ୍ଥ, ସମସ୍ତ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି

    ଏକାଥରେ ୧୨ ଛାତ୍ରୀ ଅସୁସ୍ଥ, ସମସ୍ତ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି

    ଚାଲିଥିଲା ସ୍କୁଲ୍ , ଏକାଥରେ ଅସୁସ୍ଥ ହେଲେ ୯ମ ଶ୍ରେଣୀ ଓ ଦଶମ ଶ୍ରେଣୀରୁ ମିଶାଇ ୧୨ ଛାତ୍ରୀ । ସମସ୍ତ ଛାତ୍ରୀଙ୍କୁ ଭର୍ତି କରାଯାଇଛି ଡାକ୍ତରଖାନା ରେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଘଷିପୁରା ବ୍ଲକ କେଶଦୁରାପାଳ ଜନମଙ୍ଗଳ ହାଇସ୍କୁଲ ଠାରେ । ପାଖାପାଖି ଦିନ ୧୧ଟା ସୟରେ କ୍ଲାସ୍ ଚାଲିଥିବାବେଳେ ୯ମ ଓ ୧୦ମ ଶ୍ରେଣୀ ରୁ ଜଣକ ପରେ ଜଣେ ୧୨ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହେବା ସହ ଏକା ସାଙ୍ଗରେ କାନ୍ଦି ଉଠିଲେ ଛାତ୍ରୀ ମାନେ । ତେବେ ବିଦ୍ୟାଳୟ ଶିକ୍ଷକ ମାନେ ତୁରନ୍ତ ଛାତ୍ରୀ ମାନଙ୍କୁ ନିକଟସ୍ଥ କେଶଦୁରପାଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।ସେଠାରୁ ପୁଣିଥରେ ସମସ୍ତ ଛାତ୍ରୀ ଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ମୁଖ୍ଯ ଚିକିତ୍ସାଳୟ ଠାରେ ଭର୍ତ୍ତି କରାଯାଇଛି l ଗତ ଶନିବାର ଦିନ ଠିକ୍ ଏହିଭଳି ଅସୁସ୍ଥ ଅବସ୍ଥାରେ ୨-୩ ଜଣ ଛାତ୍ରୀ ମେଡିକାଲ ରେ ଭର୍ତି ହୋଇ ସୁସ୍ଥ ହେବାପରେ ଘରକୁ ଫେରିଥିବାବା ବେଳେ ଆଜି ପୂନର୍ବାର ଏଭଳି ଘଟଣା ଘଟିବା ପରେ ଚିନ୍ତା ବ୍ଯକ୍ତ କରିଛନ୍ତି ଅଭିଭାବକ । ତେବେ ଛାତ୍ରୀ ଙ୍କ ସେଭଳି କିଛି ବିଶେଷ ସ୍ବାସ୍ଥଗତ ସମସ୍ଯା ନଥିବା କହିଛନ୍ତି ମେଡିକାଲ ସୁପରିଟେଣ୍ଡେଣ୍ଟ l

  • ଝାଡାବାନ୍ତିରେ ୧ ମୃତ୍ୟୁ ୫ ଗୁରୁତର

    ଝାଡାବାନ୍ତିରେ ୧ ମୃତ୍ୟୁ ୫ ଗୁରୁତର

    ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ମେଡିକାଲେରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଡ଼ିମିରିଗୁଡା ପଞ୍ଚାୟତର ଭଟାଙ୍ଗପଦର ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିତ୍ର ସୁନାଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ କ୍ଷିତ ସୁନା ଓ ନୁନୁଗୁଡା ସୂର୍ଯ୍ୟ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ଅନ୍ୟ ତିନିଜଣ ମହିଳା ଗ୍ରାମରେ ଚିକିତ୍ସିତ ହେଉଛନ୍ତି। ମୃତକ ଚିତ୍ର ସୁନା ଗୋଟିଏ ଦିନ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ନିଜ ଘରେ ହିଁ ମୃତ୍ୟୁ ବରଣ କରିଥିବାଳେ ଅନ୍ୟ ଦୁଇ ଯୁବକଙ୍କୁ ଅଧିକ ଚିକିତ୍ସା ପାଇଁ ପ୍ରଥମେ ଅମ୍ବାଦଳା ଓ ପରେ ରାୟଗଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗ୍ରାମରେ ଡାକ୍ତରୀ ଟିମ ପହଞ୍ଚି ଆକ୍ରାନ୍ତଙ୍କୁ ଔଷଧ ପ୍ରଦାନ କରିବା ସହ ସଚେତନତା କରା ଯାଇଥିବା ଜଣାପଡ଼ିଛି। ଗ୍ରାମରେ ପ୍ୟାପିଥିବା ଝାଡାଵନ୍ତିର କାରଣ ଦୂଷିତ ପାଣି ବୋଲି ଜଣାପଡ଼ିଥିବା ବେଳେ ପ୍ରଶାସନ ତରଫରୁ ଟ୍ୟାଙ୍କରର ଯୋଗେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି।

  • ବିଜେଡିର କର୍ମୀ ସମାବେଶରେ ଉଡିଲା ଚେୟାର

    ବିଜେଡିର କର୍ମୀ ସମାବେଶରେ ଉଡିଲା ଚେୟାର

    ବିଜେଡିର ପରାଜୟ ପରେ କର୍ମୀଙ୍କ ମଧ୍ୟରେ ଥିବା ଅସନ୍ତୋଷ ସାମାନ୍ୟ ଘଟଣାରେ ବିସ୍ଫୋରଣର ରୂପ ନେଉଛି। ଯେମିତି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ। ଦୋମୁହାଣୀ ପଂଚାୟତରେ ବିଜେଡିର କର୍ମୀ ସମାବେଶ ବେଳେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି । ବିଜେଡିର ପରାଜୟ ପରେ କର୍ମୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ। ପରାଜୟ ପରେ ନେତୃମଣ୍ଡଳୀଙ୍କର ମଧ୍ୟ ଦେଖାମିଳୁନାହିଁ। କର୍ମୀଙ୍କ ଏତେ ସବୁ ପରିଶ୍ରମ ପରେ ସେମାନଙ୍କୁ ନା ସାନ୍ତ୍ବନା ଦିଆଯାଇଛି, ନାହିଁ ପରାଜୟର ସମୀକ୍ଷା କରୁଛି ଦଳ। ଫଳ ପ୍ରକାଶର ଏକ ମାସ ପରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଦୋମୁହାଣୀରେ ଏକ ଧନ୍ୟବାଦ ସମାବେଶ ଅନୁଷ୍ଠିତ ହୋଇଥିଲା। ବ୍ୟାନରରେ ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଫଟୋ ଥିଲା। ସମାବେଶ ପାଇଁ ଦଳର ପ୍ରାୟ ପାଞ୍ଚଶହରୁ ଉର୍ଦ୍ଧ୍ବ କର୍ମୀ ଏକାଠି ହୋଇଥିଲେ। ସଭା ଆରମ୍ଭ ହୋଇଥିଲେ ମଧ୍ୟ ଆରୁଖଙ୍କ ଦର୍ଶନ ନ ଥିଲା। ଯାହାକୁ ନେଇ ତାତିଥିଲେ କର୍ମୀ। ପରସ୍ପର ମଧ୍ୟରେ ଆରମ୍ଭ ହୋଇଥିଲା କଥା କଟାକଟି। ଯାହା ପରବର୍ତ୍ତୀ ସମୟରେ ଉଗ୍ରରୂପ ଧାରଣା କରିଥିଲା । କର୍ମୀଙ୍କ ମଧ୍ୟରେ ପରସ୍ପରକୁ ଠେଲା ପେଲା, ଗାଳିଗୁଲଜ ସହ ଚେୟାର ଫିଙ୍ଗା ଫୋପାଡା ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେଉଁ ଭିଜୁଆଲ୍ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଖଣ୍ଡଯୁଦ୍ଧ ଖବର ପାଇଁ ପୋଲିସ ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ତେବେ ଏ ସମ୍ପର୍କରେ ବିଜୁଜନତା ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

  • ବନମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ ଉପରେ ଗୁରୁତ୍ୱାରୋପ

    ବନମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ ଉପରେ ଗୁରୁତ୍ୱାରୋପ

    ଜଙ୍ଗଲ ନଷ୍ଟ କରି ମଣିଷ ପ୍ରକୃତି ସହ ଖେଳିଛି। ଯାହାକୁ ନେଇ ପ୍ରକୃତି ରାଣୀ କ୍ଷୁବ୍ଧ। ରଚୁଛି ବିଭୀଷିକା। କେତେବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ତ ପୁଣି କେତେବେଳେ ଅନାବୃଷ୍ଟି, ଆଉ କେତେବେଳେ ବର୍ଷା ବିତ୍ପାତ, ବନ୍ୟା, ବାତ୍ୟାରେ ମଣିଷ କାକୁସ୍ଥ ହୋଇଯାଇଛି। ଏପରି ସମୟରେ ତାର ଚେତା ପସିଛି। ପୁଣି ପ୍ରକୃତିର ତୁଷ୍ଟିକରଣ ପାଇଁ ଅଣ୍ଟା ଭିଡିଛି। ବୃକ୍ଷ ରୋପଣ ଉପରେ ଦିଆଯାଉଛି ଜୋର। ତେଣୁ ବୃକ୍ଷ ରୋପଣକୁ ପ୍ରୋତ୍ସାହିତ କରିବାକୁ ବନମହୋତ୍ସବ ପାଳନ ହେଉଛି। ଏହି ଅବସରରେ କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ ତତ୍ତ୍ଵାବଧାନରେ ପାଟରଙ୍ଗା ପଞ୍ଚାୟତ ଅରଣ୍ୟ ମଦନା ପଡିଆ ଠାରେ ୭୫ତମ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି। ଯାଜପୁର ରୋଡ ରେଞ୍ଜର ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୦୦୦ରୁ ଊର୍ଦ୍ଧ୍ବ ବିଭିନ୍ନ କିସମର ଗଛ ରୋପଣ କରାଯାଇଛି। ବୃକ୍ଷ ବିନା ବଞ୍ଚିବା ଅସମ୍ଭବ। ମା ଯେମିତି ଗୋଟିଏ ପିଲା ପାଇଁ ଗୁରୁତ୍ବ ବହନ କରିଥାଏ, ସେହିଭଳି ଗଛ ପ୍ରତ୍ୟେକ ମଣିଷ ପାଇଁ ପ୍ରାଣଦାତ୍ରୀ ସଦୃଶ। ଏଭଳି ପରାମର୍ଶ ଦେଇ ବିଧାୟକ ସମସ୍ତଙ୍କୁ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ନିବେଦନ କରିଛନ୍ତି।

    ସେହିପରି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ‌କାଣ୍ଡସର ଜୟ ଜଗନ୍ନାଥ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବୃକ୍ଷ ରୋପଣ ସପ୍ତାହ ଚାଲିଥିବା ବେଳେ କାଣ୍ଡସର ଗ୍ରାମ ପଞ୍ଚାୟତରେ ବୃକ୍ଷରୋପଣ କରାଯାଇଛି। ସଭାପତି ଅନନ୍ତ ବାରିକ ଓ ସାଧାରଣ ସମ୍ପାଦକ ସୁଧାକର ସାହୁଙ୍କ ତତ୍ବାବଧାନରେ ଅନୁଗୋଳ ଜିଲ୍ଲାର ବରିଷ୍ଠ ସମାଜ ସେବୀ ଚିନ୍ମୟୀ ଦାସ, ଜୟ ଜଗନ୍ନାଥ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟଗଣ, ଗ୍ରାମ୍ୟ ଉନ୍ନୟନ କମିଟି ସଦସ୍ୟଙ୍କ ସହଯୋଗରେ କାଣ୍ଡସର ଗ୍ରାମ ପଞ୍ଚାୟତର ବହୁ ସ୍ଥାନରେ ବୃକ୍ଷ ରୋପଣ କରାଯାଇଛି। ସମ୍ପ୍ରତି ଦେଖାଦେଇଥିବା ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟାର ସମାଧାନ ବୃକ୍ଷ ହିଁ କରି ପାରିବ ବୋଲି ମତ ଦେଇଛନ୍ତି ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିଗଣ।

    କେନ୍ଦ୍ରାପଡାର ରାଜନଗର ବନଖଣ୍ଡ ଅଧୀନସ୍ଥ ଗୁପ୍ତି ରେଞ୍ଜ କାର୍ଯ୍ୟାଳୟରେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ରାଜନଗର ଡିଏଫଓ , ତହସିଲଦାର ଓ ସମସ୍ତ ରେଞ୍ଜର, ଫରେଷ୍ଟରଙ୍କ ସହ ଶତାଧିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଜ ଉଦବୋଧନରେ ଆମ ଜୀବନରେ ଗଛର ମହତ୍ବ ସମ୍ପର୍କରେ ଅବଗତ କରାଇଥିଲେ।

    ଜଳବାୟୁ ପରିବର୍ତ୍ତନ କାରଣରୁ ଦେଖାଦେଉଥିବା ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଲୋକେ ମଧ୍ୟ କିଞ୍ଚିତ ସଚେତନ ହୋଇଛନ୍ତି। ତେଣୁ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବହୁ ସଂଖ୍ଯାରେ ସାଧାରଣ ଜନତା ମଧ୍ୟ ସାମିଲ ହେଉଛନ୍ତି। ହେଲେ ଗୋଟିଏ କଥା, ଖାଲି ଗଛ ଲଗାଇ ଦେଲେ ହେବ ନାହିଁ। ଲଗାଯାଇଥିବା ଗଛର ଉପଯୁକ୍ତ ଯତ୍ନ ନେଇ ସେସବୁକୁ ବଞ୍ଚାଇ ରଖିବାର ଆବଶ୍ୟକତା ରହିଛି।

  • ଅପେକ୍ଷାରେ ରଥ, ପଥ, ଭକ୍ତ ଓ ଜଗନ୍ନାଥ

    ଅପେକ୍ଷାରେ ରଥ, ପଥ, ଭକ୍ତ ଓ ଜଗନ୍ନାଥ

    ରାତି ନ ପାହୁଣୁ ବଡଦାଣ୍ଡରେ ଜନସମୁଦ୍ରଙ୍କ ଉତାଙ୍ଗ ଲହଡି। ଶ୍ରୀମନ୍ଦିର ଆଗରେ ପତୀକ୍ଷାରେ ତିନି ରଥ। ପ୍ରତୀକ୍ଷାରେ ଭକ୍ତ, ପ୍ରତୀକ୍ଷାରେ ବଡଦାଣ୍ଡ। ସମସ୍ତଙ୍କ ମଧ୍ୟରେ ଉତ୍ସାହ। ଆଜି ସମସ୍ତଙ୍କ ପ୍ରାଣର ବାନ୍ଧବ ରତ୍ନସିଂହାସନ ଛାଡି ଓହ୍ଲାଇ ଆସିବେ ବଡଦାଣ୍ଡକୁ। ହେବେ ରଥାରୁଢ। ଉତ୍କଣ୍ଠାରେ ସମସ୍ତଙ୍କ ଆଖି ଲାଖିଛି ସିଂହଦ୍ବାର ଉପରେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ନେଇ ଆଜି ବିଜେ କରିବେ ଜନ୍ମବେଦୀକୁ । ତାଙ୍କ ଏହି ଯାତ୍ରାର ପ୍ରତିଟି ମୁହୂର୍ତ୍ତ ହେବ ଭକ୍ତଙ୍କର। ଜାତି, ଧର୍ମ, ବର୍ଣ୍ଣର ବାଛ ବିଚାର ଭୁଲି ସମସ୍ତେ ଆଜି ଉତ୍କଳ ସମ୍ରାଟଙ୍କ ପ୍ରଜା। ପ୍ରତିଟି ମୁହୂର୍ତ୍ତ ଆଜି ଲାଗୁଛି ଯୁଗ ପରି। ତଥାପି ଉତ୍କଣ୍ଠାର ହେଉନି ଅନ୍ତ। ମହାପ୍ରଭୁଙ୍କ ନୀତିକାନ୍ତି ପରେ ସେ ରଥାରୁଢ ହେଲେ ଭକ୍ତ ତାର ଭକ୍ତି ନୈବେଦ୍ୟ ଅର୍ପଣ କରି ଭକ୍ତିର ଭାବରେ ତିନିଠାକୁରଙ୍କୁ ଟାଣି ନେବ ମାଉସୀ ମା ମନ୍ଦିରକୁ।

    ଯେଉଁଠି ୯ ଦିନ ବ୍ୟାପୀ ମହାପ୍ରଭୁ ମାଉସୀ ଗୁଣ୍ଡିଚାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବେ । ପ୍ରତି ବର୍ଷ ପରି ଚଳିତ ରଥଯାତ୍ରା ହେଉଥିଲେ ମଧ୍ୟ ଏଥିରେ ରହିଛି ସାମାନ୍ୟ ବ୍ୟତିକ୍ରମ। ୫୩ ବର୍ଷ ପରେ ଆସିଛି ଏହି ବ୍ୟତିକ୍ରମ। ଗୋଟିଏ ଦିନରେ ମହାପ୍ରଭୁଙ୍କ ନେତ୍ରୋତ୍ସବ, ନବଯୌବନ ଦର୍ଶନ, ଶ୍ରୀଗୁଣ୍ଡିଚା ଯାତ୍ରା। ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ବେଶ ପରେ ହେବ ତିନି ଠାକୁରଙ୍କ ପହଣ୍ଡି ବିଜେ। ସମୟ ଅଭାବରୁ ଚଳିତ ବର୍ଷ ଭକ୍ତ ନବଯୌବନ ଓ ନେତ୍ରୋତ୍ସବ ଦର୍ଶନରୁ ବଞ୍ଚିତ ହୋଇଛନ୍ତି, ଯାହାକୁ ନେଇ ଭକ୍ତ ମନରେ ଦୁଃଖ। ତଥାପି ଅପେକ୍ଷା ମହାବାହୁଙ୍କୁ ପହଣ୍ଡି ବିଜେକୁ। ପ୍ରାୟ ଅପରାହ୍ନ ୫ଟାରେ ରଥଟଣା ଆରମ୍ଭ ହେବ, ଯାହା ସୋମବାର ସୁଦ୍ଧା ଶେଷ ହେବ।

  • ଟଙ୍କା ହଡପ ଅଭିଯୋଗରେ ଦୁଇ ସରକାରୀ କର୍ମଚାରୀଙ୍କୁ ୪ ବର୍ଷ ଜେଲଦଣ୍ଡ

    ଟଙ୍କା ହଡପ ଅଭିଯୋଗରେ ଦୁଇ ସରକାରୀ କର୍ମଚାରୀଙ୍କୁ ୪ ବର୍ଷ ଜେଲଦଣ୍ଡ

    କର୍ମଚାରୀ ମାନଙ୍କ ଟଙ୍କା ହଡ଼ପ କରିବା ଏବଂ ବେନିୟମ ଭାବେ ଜିପିଏଫ ଟଙ୍କା ଉଠାଇବା ଅଭିଯୋଗରେ ଆଜି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଦୁଇ ସରକାରୀ କର୍ମଚାରୀଙ୍କୁ ୪ ବର୍ଷ ଲେଖାଏଁ ଜେଲଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ ଦୋଷୀମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ଜରିମାନା ଅନାଦେୟ ସ୍ଥଳେ ସେମାନଙ୍କୁ ଅଧିକ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ରାୟ ଦେଇଛନ୍ତି। ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ପାଲଝର ଫାର୍ମର ତତ୍କାଳୀନ ଅଧୀକ୍ଷକ ନରେନ୍ଦ୍ର କୁମାର ଦଳାଇ ଏବଂ ବରିଷ୍ଠ କିରାଣୀ ସୁଧୀର କୁମାର ରାଉତ। ଗତ ୨୦୦୧ରୁ ୨୦୦୩ ମସିହା ମଧ୍ୟରେ ୧୪ କର୍ମଚାରୀଙ୍କ ଜିପିଏଫର ମାସିକ କିସ୍ତି ୨ ଲକ୍ଷ ୧୧ ହଜାର ୭୨୪ ଟଙ୍କା ଦୁଇ ଅଭିଯୁକ୍ତ ହଡପ କରି ନେଇଥିଲେ। ଏଭଳି ଭାବେ ସେମାନେ ଆତ୍ମସାତ କରିଥିବା ଜଣା ପଡିଥିଲା । ୧୨ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।