Category: ରାଜ୍ୟ ଖବର

  • ଦବିଲା ରାସ୍ତା, ଫସିଲା ସିମେଣ୍ଟ ବୋଝେଇ ଟ୍ରକ

    ଦବିଲା ରାସ୍ତା, ଫସିଲା ସିମେଣ୍ଟ ବୋଝେଇ ଟ୍ରକ

    ସୁବର୍ଣ୍ଣପୁର ଜିଲ୍ଲା ରାମପୁର ସହର ଏକ ସିମେଣ୍ଟ ଗୋଦାମ ସମ୍ମୁଖରୁ ଫସିଛି ସିମେଣ୍ଟ ବୋଝେଇ ଟ୍ରକ l ସୁବର୍ଣ୍ଣପୁର ବରପାଲି ଡୁଙ୍ଗୁରିପାଳି ମୁଖ୍ୟ ରାସ୍ତାର ରାମପୁର ସହର ଠାରେ ରାସ୍ତା ଦବି ଯିବାରୁ ମୁଖ୍ୟ ରାସ୍ତା ଉପରେ ଦୀର୍ଘ୍ୟ ସମୟ ହେବ ଫସି ରହିଛି ସିମେଣ୍ଟ ବୋଝେଇ ଟ୍ରକ l ମୁଖ୍ୟ ରାସ୍ତା ଉପରେ ସିମେଣ୍ଟ ବୋଝେଇ ଟ୍ରକ ଫସି ଥିବାରୁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି l ସିମେଣ୍ଟ ଗୋଦାମ ଭିତରକୁ ଟ୍ରକ ଯାଇଥିବା ସମୟରେ ରାସ୍ତା ଦବି ଯିବାରୁ ରାସ୍ତାର ଉଭୟ ପଟରେ ଯାନବାହନ ଅଟକି ରହିଛି l ଘଟଣା ସ୍ଥଳରେ ରାମପୁର ପୋଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରୁଛି l

  • ଶ୍ରୀଜଗନ୍ନାଥ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ

    ଶ୍ରୀଜଗନ୍ନାଥ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ

    ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ସରୋବରଠାରେ ଥିବା ନୂତନ ଜଗନାଥ ମନ୍ଦିର ଓ ରୋଷେଇଘର ନିର୍ମାଣ ପାଇଁ ଆଜି ବିଧାୟକ ଆକାଶ ଦାସ ନାୟକ ଶିଳାନ୍ୟାସ କରିଛନ୍ତି । ପାଖାପାଖି ଦେଢ଼ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମନ୍ଦିରଟି ଏକ ବର୍ଷ ଭିତରେ ସମ୍ପୂର୍ଣ ହେବ ବୋଲି ବିଧାୟକ ସୂଚନା ଦେଇଛନ୍ତି । ପୂର୍ବତନ ବିଧାୟକ ଅଶୋକ ବଳଙ୍କ ଉଦ୍ୟମରେ 5ଟି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଏହି ମନ୍ଦିର କାର୍ଯ୍ୟ ପାଇଁ ସରକାରଙ୍କ ତରଫରୁ ଅନୁଦାନ ଦିଆଯାଇଥିଲା । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ପୌରଧ୍ୟକ୍ଷା ସଂଗୀତା ପିଙ୍ଗୁଆ, କାଉନସିଲର, ଅଶୋକ ରାଉତ, ରବୀନ୍ଦ୍ର ରାଉତଙ୍କ ଏବଂ ପୂଜକ ପୀତବାସ ପତି ଶର୍ମା ଉପସ୍ଥିତ ରହିଥିଲେ ।

  • କବିତା ମହୋତ୍ସବ,ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କୁ ‘ଜୟ ରାଷ୍ଟ୍ର କବିତା’ ସମ୍ମାନ

    କବିତା ମହୋତ୍ସବ,ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କୁ ‘ଜୟ ରାଷ୍ଟ୍ର କବିତା’ ସମ୍ମାନ

    ସାମାଜିକ ସଂଗଠନ “ଜୟରାଷ୍ଟ୍ର ଚାରିଟେବୁଲ ଟ୍ରଷ୍ଟ” ପକ୍ଷରୁ ତୃତୀୟ ରାଷ୍ଟ୍ରବାଦୀ କବିତା ମହୋତ୍ସବ ସ୍ଥାନୀୟ ଡେରାବିଶ ଗୁହାଳ ସିଂ ସ୍ଥିତ ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ସତ୍ୟନିଷ୍ଠା ଭାବନା ଓ ଶୃଙ୍ଖଳିତ ଆଚରଣ ପୂର୍ବକ ଦେଶ ହିତରେ କାର୍ଯ୍ୟ କରିବା ଉଚିତ୍ ବୋଲି ଉତ୍ସବରେ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ କବି ସୁରେଶ ନାୟକ ମତବ୍ୟକ୍ତ କରିଥିଲେ | କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଡକ୍ଟର ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କୁ “ଜୟ ରାଷ୍ଟ୍ର କବିତା ସମ୍ମାନ” ପ୍ରଦାନ କରାଯାଇଥିଲା | ସମ୍ମାନ ସ୍ଵରୂପ ଟ୍ରଫି, ଉତ୍ତରୀୟ ଓ ୫ ହଜାର ଟଙ୍କା ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଥିଲା | ଏହି ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ କବି ସମ୍ମିଳନୀରେ ୧୩ ଜଣ ରାଷ୍ଟ୍ରବାଦୀ କବି ସ୍ବରଚିତ କବିତା ପାଠ କରିଥିଲେ | କବି ମାନଙ୍କୁ “ମମତା ସିହ୍ନା ସ୍ମାରକୀ” ସମ୍ମାନରେ ସମ୍ମାନିତ କରାଯାଇଥିଲା l

    ରାଷ୍ଟ୍ରବାଦୀ କହିଲେ କେବଳ ରାଷ୍ଟ୍ର ନୁହେଁ ଏ ଦେଶ ମାଟି ସମାଜ କୁ ନେଇ ରାଷ୍ଟ୍ର | କବିତା ପାଠ ଉତ୍ସବରେ ଏକ ନିର୍ଦ୍ଧିଷ୍ଟ ବିଷୟବସ୍ତୁ ଉପରେ ଆଲୋଚନା କରିବା ଉତ୍ସାହ ଜନକ ବୋଲି କହିଥିଲେ | ବିଶିଷ୍ଟ ପ୍ରାବନ୍ଧିକ ଦାସ ବେନହୁର ଉତ୍ସବକୁ ଉଦଘାଟନ କରି ରାଷ୍ଟ୍ର ଓ ବ୍ୟକ୍ତିର ସମ୍ପର୍କକୁ ବାଖ୍ୟା କରିଥିଲେ |

    ଯୁବ ଗାଳ୍ପିକ ମାତୃଦତ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ବିରେନ୍ଦ୍ର ଦାସ, ମାନସ ତ୍ରିପାଠୀ, ରିନାରାଣୀ ଦାସ, ନମିତା ଜେନା, ବିକାଶ ସ୍ଵାଇଁ ପ୍ରମୁଖ ପରିଚାଳନା କରିଥିଲେ | ପ୍ରଜ୍ଞା ପରିମିତା ଆଚାର୍ଯ୍ଯ ଦ୍ଵିବେଦୀ ଓ ସମାଜସେବୀ ରୀତା ରାୟ କବିତା ପାଠୋତ୍ସବ ସଂଯୋଜନା କରିଥିଲେ | ଡାକ୍ତର ରମାନାଥ ମହାନ୍ତି, ସଚିନନ୍ଦନ ଦାସ, ଡାକ୍ତର ବିରେନ୍ଦ୍ର ଦାସ, ଅକ୍ଷୟ କୁମାର ପାଣି, ଡକ୍ଟର ସର୍ବେଶ୍ଵର ସେଣ, ନିମନ୍ତ୍ରିତ କବି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ | ଏହି ଅବସରରେ ବିରଜା ରାଉତରାୟଙ୍କ ପୁସ୍ତକ ନୂଆ ଜନ୍ହ ଉଇଁଛି ଉନ୍ମୋଚିତ ହୋଇଥିଲା | ଶେଷରେ ଅନୁଷ୍ଠାନର ସମ୍ପାଦକ ପଙ୍କଜ ସିହ୍ନା ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ଶେଷ କରିଥିଲେ |

  • ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସୁଛନ୍ତି ଆଜି ଓଡ଼ିଶା

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସୁଛନ୍ତି ଆଜି ଓଡ଼ିଶା

    ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଆସୁଛନ୍ତି । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ରାଷ୍ଟ୍ରପତି ଅପରାହ୍ନ ୫ଟାରେ ଭୁବନେଶ୍ବର ପହଞ୍ଚିବେ । ପରେ ନୀଳାଦ୍ରି ବିହାର ଗସ୍ତ କରି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରି,ପରେ ରାଜଭବନ ଯାଇ ସେଠାରେ ରାତ୍ରି ଯାପନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି(୪ ଡିସେମ୍ବର ୨୦୨୪) ରାଷ୍ଟ୍ରପତି ପୁରୀ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ସକାଳ ୯ଟା ୪୫ରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରୁ ଶ୍ରୀମନ୍ଦିର ଯାଇ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିବେ। ପରେ ନୌସେନା ଦିବସ ଅବସରରେ ପୁରୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୂଚନା ଅନୁଯାୟୀ ଶେଷ ଥର ପାଇଁ ଗତ ଜୁଲାଇ ମାସରେ ଓଡ଼ିଶା ଆସିଥିଲେ ରାଷ୍ଟ୍ରପତି । (୬ ଜୁଲାଇ ୨୦୨୪) ରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଦ୍ରୌପଦୀ ମୁର୍ମୁ ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେଇଥିଲେ । ଏହାପରେ ରାଜଭବନରେ ରାତ୍ରୀଯାପନ କରିବା ପରେ ସେ ଜୁଲାଇ ୭ରେ ପୁରୀ ଯାଇ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇଥିଲେ । ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରଥ ଦଉଡି ଛୁଇଁ ମହାପ୍ରଭୁଙ୍କ ଆଶିଷ ନେଇଥିଲେ ।

  • ସୀମାରେ ଅଟକିଲା ଆଳୁ ଗାଡ଼ି, ହୋଇପାରେ ଆଳୁ ସଙ୍କଟ,ଚିନ୍ତାରେ ରାଜ୍ୟ ସରକାର

    ସୀମାରେ ଅଟକିଲା ଆଳୁ ଗାଡ଼ି, ହୋଇପାରେ ଆଳୁ ସଙ୍କଟ,ଚିନ୍ତାରେ ରାଜ୍ୟ ସରକାର

    ପୁଣି ଓଡିଶା ସୀମାରେ ଅଟକିଲା ଆଳୁ ବୋଝେଇ ଟ୍ରକ। ପଶ୍ଚିମବଙ୍ଗ ବେଲଦାରେ ଶତାଧିକ ଆଳୁ ଟ୍ରକ ଅଟକି ରହିଥିବା ଦେଖିବାକୁ ମିଳିଛି । ଗତକାଲି ରାତିରୁ ଆଳୁ ଟ୍ର ଗୁଡିକ ଅଟକି ରହିଛି । ଗାଡିକୁ ଜଗି ରହିଛନ୍ତି ପଶ୍ଚିମବଗଂ ପୋଲିସ ।ଗତ କାଲି ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନବାନ୍ନାରେ ଗୁରୁତ୍ୱ ପୁର୍ଣ ବୈଠକ ଡାକି ଥିଲେ ।ଆଳୁ ଏବଂ ପିଆଜର ମୂଲ୍ୟ ବୃଦ୍ଧି ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେବା ପରେ ବଙ୍ଗ ପ୍ରଶାସନ କାର୍ଯ୍ୟ ନୁଷ୍ଠାନ ଆରମ୍ଭ କରିଛି।

    ବୁଧବାର ରାତିରୁ ପଶ୍ଚିମ ମେଦିନୀପୁର ଜିଲ୍ଲାର ସମସ୍ତ ନାକା ଯାଞ୍ଚ କରାଯାଇଛି। ଯେଉଁ କାରଣରୁ ଆନ୍ତ ରାଜ୍ୟ ସୀମା ଦେଇ ଆଳୁ ଅନ୍ୟ ରାଜ୍ୟକୁ ଚାଲାଣ ବନ୍ଦ କରାଯାଇଛି । କାରଣ ଦିନକୁ ଦିନ ବଜାରରେ ଆଳୁ ଏବଂ ପିଆଜ ମୂଲ୍ୟରେ ବୃଦ୍ଧିକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପଶ୍ଚିମବଗଂ ର ବେଲଦା ପାଖରେ ଶତାଧିକ ଗାଡି ଅଟକ ରଖା ଯାଇଛି ।

    ରାଜ୍ୟରେ ଆଳୁର ମୂଲ୍ୟ ହ୍ରାସ ନହେବାରୁ ରାଜ୍ୟରେ ଉତ୍ପାଦିତ ଆଳୁକୁ ଗ୍ରାହକଙ୍କୁ ଅଧିକ ମୂଲ୍ୟରେ କିଣିବାକୁ ପଡୁଛି। ତେଣୁ ଆଳୁ ଦର ହ୍ରାସ ପାଇଁ , ପଶ୍ଚିମ ବଙ୍ଗ ସରକାର ଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆ ଯାଇଛି। ପଶ୍ଚିମ ବଙ୍ଗ ବିଭିନ୍ନ ଅଞ୍ଚଳରେ, ବେଲଦା ପୋଲିସ୍ ଷ୍ଟେସନର ଶ୍ୟାମପୁରା ଜାତୀୟ ରାଜପଥ, ଦାନ୍ତୁନ ପୋଲିସ୍ ଷ୍ଟେସନର ବାମନପୁକୁର ଏବଂ ସୋନାକୋନିଆ ପୋଲିସ୍ ନାକା ଚେକ୍ ପୋଷ୍ଟ ଖରାଗପୁର ଅତିରିକ୍ତ ପୋଲିସ୍ ଅଧୀକ୍ଷକ ସନ୍ଦୀପ ସେନ୍, ବେଲଦାର ଏସଡିପିଓ ରିପନ୍ ବଲ୍ ଚନ୍ଦ୍ରକୋନାରୁ ଆଳୁ ଟ୍ରକ ଗୁଡିକ ଓଡିଶା ଯାଉଥିବାବେଳେ ଆଳୁରେ ଭର୍ତ୍ତି ହୋଇଥିବା ଟ୍ରକ ଗୁଡ଼ିକୁ ପୁନର୍ବାର ପଶ୍ଚିମ ବଙ୍ଗ ଚନ୍ଦ୍ରକୋନାକୁ ପଠାଯାଇଥିଲା ।

  • କଣ ମହିଳାମାଙ୍କ ପାଇଁ ସୁରକ୍ଷିତ ନୁହେଁ କି ସେମାନଙ୍କ ଘର,କ’ଣ କହୁଛି ମିଳିତ ଜାତିସଂଘର ରିପୋର୍ଟ?

    କଣ ମହିଳାମାଙ୍କ ପାଇଁ ସୁରକ୍ଷିତ ନୁହେଁ କି ସେମାନଙ୍କ ଘର,କ’ଣ କହୁଛି ମିଳିତ ଜାତିସଂଘର ରିପୋର୍ଟ?

    ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ ୨୦୨୩ ମସିହାରେ ୫୧ ହଜାରରୁ ଅଧିକ ମହିଳାଙ୍କୁ ହତ୍ୟା ସେମାନଙ୍କ ପରିବାର ସଦସ୍ୟ କିମ୍ବା ସହଯୋଗୀ କରିଛନ୍ତି । ରିପୋର୍ଟ ଅନୁଯାୟୀ ଗତ ବର୍ଷ ପ୍ରତିଦିନ ହାରାହାରି ୧୪୦ ଜଣ ମହିଳାଙ୍କୁ ସେମାନଙ୍କ ପରିବାର ସଦସ୍ୟ କିମ୍ବା ସହଯୋଗୀ ହତ୍ୟା କରିଛନ୍ତି ।ଏହାର ଗୋଟିଏ ବର୍ଷ ପୂର୍ବରୁ ୨୦୨୨ ମସିହାରେ ସାରା ବିଶ୍ୱରେ ଏହି ଭଳି ପ୍ରାୟ ୪୯ ହଜାର ମହିଳାଙ୍କୁ ହତ୍ୟା କରାଯାଇଥିଲା । ଏଭଳି ହତ୍ୟାକାଣ୍ଡ ଆଫ୍ରିକୀୟ ଦେଶଗୁଡିକରେ ସର୍ବାଧିକ ସଂଖ୍ୟା ରେକର୍ଡ କରାଯାଇଛି । ତା’ପରେ ଏସିଆର ନମ୍ବର । ରିପୋର୍ଟରେ କୁହାଯାଇଛି ଯେ ମହିଳା ଏବଂ ବାଳିକାମାନଙ୍କ ପାଇଁ ସବୁଠାରୁ ଅସୁରକ୍ଷିତ ସ୍ଥାନ ପାଲଟିଛି ସେମାନଙ୍କ ଘର । ଏହି ରିପୋର୍ଟ ପ୍ରସ୍ତୁତ କରୁଥିବା ବିଶେଷଜ୍ଞମାନେ ୧୧୨ ଦେଶରୁ ପ୍ରାପ୍ତ ତଥ୍ୟକୁ ବିଶ୍ଳେଷଣ କରିଛନ୍ତି।

    ମିଳିତ ଜାତିସଂଘର ସଂସ୍ଥା ଉନାଇଟେଡ ନେସନ ଅଫିସ ଅନ୍ ଡ୍ରଗ୍ସ ଆଣ୍ଡ କ୍ରାଇମ ଏବଂ ଉଏଏନ ବୁମଏନ ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ଏହି ଅନୁଯାୟୀ ୨୦୨୩ ମସିହାରେ ସମଗ୍ର ବିଶ୍ୱରେ ପ୍ରାୟ ୮୫ ହଜାର ମହିଳାଙ୍କୁ ହତ୍ୟା କରାଯାଇଥିଲା। ଏଥିମଧ୍ୟରୁ ପ୍ରାୟ୬୦ ପ୍ରତିଶତ ହତ୍ୟାକାଣ୍ଡ ପରିବାର ସଦସ୍ୟ କିମ୍ବା ସେମାନଙ୍କ ସହଯୋଗୀ କରିଥିଲେ। ଏହାର ଅର୍ଥ ହେଉଛି ପ୍ରତ୍ୟେକ ଦିନ ପ୍ରାୟ ୧୪୦ ମହିଳାଙ୍କୁ ସେମାନଙ୍କ ପରିବାର ସଦସ୍ୟ କିମ୍ବା ସହଯୋଗୀ ହତ୍ୟା କରିଥିଲେ।

    ଏଭଳି ହତ୍ୟାକାଣ୍ଡ ମଧ୍ୟରୁ ଆଫ୍ରିକୀୟ ଦେଶଗୁଡିକରେ ପ୍ରାୟ ୨୧ ହଜାର ୭୦୦ ହତ୍ୟାକାଣ୍ଡ ରେକର୍ଡ କରାଯାଇଥିଲା | ଏହି ଭଳି ହତ୍ୟାରେ ଆଫ୍ରିକା ଦେଶ ବିଶ୍ବରେ ପ୍ରଥମ | ଏସିଆରେ ଏଭଳି ହତ୍ୟାକାଣ୍ଡ ସାଢେ ୧୮ ହଜାର ରେକର୍ଡ କରାଯାଇଛି | ଏହା ଛଡା ଆମେରିକା ରେ ଆଠ ହଜାର ତିନିଶହ,ୟୁରୋପ ରେ ୨୩ ଶହ ଏବଂ ତିନି ଶହ ହତ୍ୟା ରେକର୍ଡ ହୋଇଛି ୟୁରୋପରେ ୨୩ ଶହ ଏବଂ ଏସୀୟ ଦେଶଗୁଡିକରେ ୩୦୦ ରେକର୍ଡ କରାଯାଇଛି |

    ଅନ୍ୟପକ୍ଷରେ ଯଦି ଆମେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ହୋଇଥିବା ହତ୍ୟାକାଣ୍ଡର ପାର୍ଥକ୍ୟକୁ ଦେଖିବା ତେବେ କେବଳ ୧୧.୮ ପ୍ରତିଶତ ପୁରୁଷଙ୍କୁ ସେମାନଙ୍କ ପରିବାର ସଦସ୍ୟ କିମ୍ବା ସହଯୋଗୀମାନେ ହତ୍ୟା କରିଛନ୍ତି କିନ୍ତୁ ମହିଳାମାନଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୬୦.୨ ପ୍ରତିଶତ ଅଟେ।

  • ରାଜ୍ୟ-ସ୍ତରୀୟ ମେହେର ସମ୍ମିଳନୀ ଉଦଘାଟିତ

    ରାଜ୍ୟ-ସ୍ତରୀୟ ମେହେର ସମ୍ମିଳନୀ ଉଦଘାଟିତ

    ବରଗଡ ଜିଲ୍ଲା ବରପାଲିଠାରେ ରାଜ୍ୟ ସ୍ତରୀୟ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ତଥା ମେହେର (ଭୁଲିଆ) ସମାଜର ରାଜ୍ୟ-ସ୍ତରୀୟ ମହାସଭାକୁ ରାଜ୍ୟ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ରାଜ୍ୟ ସଭାପତି ବୈଶମ୍ପାୟନ ମେହେର ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଜେପୁର ବିଧାୟକ ସନତ କୁମାର ଗଡତିୟା, ବରଗଡ଼ ବିଧାୟକ ଅଶ୍ଵିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନୀହାର ରଞ୍ଜନ ମହାନନ୍ଦ ଯୋଗ ଦେଇଥିଲେ। ଡକ୍ଟର ଶୁକ ମୁନି ମେହେର ସଭାର ଆଭିମୁଖ୍ୟ ଏବଂ ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ମୋହନ ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଡାକ୍ତର ସୁବାସ ମେହେର। ଏହି ଅବସରରେ, ‘ମେହେର ଶତାବ୍ଦୀ ସୌରଭ’ ନାମକ ସ୍ମରଣିକା ଉନ୍ମୋଚନ କରିଥିଲେ ଅତିଥିଗଣ।

    ମଧ୍ୟାହ୍ନ ଅଧିବେଶନରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଆସିଥିବା କବି ଓ ଲେଖକମାନଙ୍କ ପୁସ୍ତକ ସବୁକୁ ଉନ୍ମୋଚନ କରାଯାଇଥିଲା । ସନ୍ଧ୍ୟାରେ ବିଶିଷ୍ଟ ବାଗ୍ମୀ କୃଷ୍ଣ କେଶବ ଷଡ଼ଙ୍ଗୀ ମେହେର ସାହିତ୍ୟ ଆଲୋଚନା କରିବା ସହ ଗଙ୍ଗାଧର ସଙ୍ଗୀତ ଉପରେ ଆଧାରିତ ଗଙ୍ଗାଧର ଗୀତି କାର୍ଯ୍ୟକ୍ରମକୁ ରୀନା ଦାଶ ଓ ରବୀନ୍ଦ୍ର ପଣ୍ଡା ପରିଚାଳନା କରିଥିଲେ । ଏହାସହ, ସୁନ୍ଦରଗଡର କଳାକାରମାନଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ମହାସଭାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସହସ୍ରାଧିକ ସଭ୍ୟ-ସଭ୍ୟା ଯୋଗ ଦେଇଛନ୍ତି ।

  • ଦୁଇ ଲକ୍ଷ ଟଙ୍କା ନେବାପରେ କମିଟିକୁ ଭୁଆଁ ବୁଲାଇଲେ ମାଲିକ,ଠକିବା ଅଭିଯୋଗରେ ଥାନାର ଦ୍ବାରସ୍ଥ ହେଲା କମିଟି

    ଦୁଇ ଲକ୍ଷ ଟଙ୍କା ନେବାପରେ କମିଟିକୁ ଭୁଆଁ ବୁଲାଇଲେ ମାଲିକ,ଠକିବା ଅଭିଯୋଗରେ ଥାନାର ଦ୍ବାରସ୍ଥ ହେଲା କମିଟି

    ଯାତ୍ରା କମିଟିକୁ ଠକିବା ଅଭିଯୋଗରେ କମିଟିର ସଦସ୍ଯ ମାନେ ଯାତ୍ରା ପାର୍ଟି ଗାଡି ଗୁଡିକୁ ଅଟକ ରଖିବା ସହ ନ୍ଯାୟ ପାଇଁ ଥାନାର ଦ୍ବାରସ୍ଥ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଭେଲୋରା ଗ୍ରାମରେ ଘଟିଛି ଏଭଳି ଘଟଣା । ସୂଚନା ଅନୁଯାୟୀ ଭେଲୋରା ଯାତ୍ରା କମିଟିର ସଦସ୍ଯ ମାନେ ଗତ ବର୍ଷ ତୁଳସୀ ଗଣନାଟ୍ଯର ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ଯାତ୍ରା ପାଂଇ ୨ ଲକ୍ଷ ଟଙ୍କା ଅଗ୍ରୀମ ଦେଇ ଥିଲେ। ମାତ୍ର ଅନନ୍ତ ଧଳ ସେମାନଙ୍କୁ ଆଜି କାଲି କହି ତାରିଖ ଘୁଞ୍ଚାଇବା ସହ ଯାତ୍ରା ଦେଇ ନଥିଲେ । ଭେଲୋରା ଯାତ୍ରା କମିଟିର ସଦସ୍ଯ ମାନେ ବାରମ୍ବାର ତାଙ୍କୁ ଟଙ୍କା ଫେରସ୍ତ ପାଂଇ ନିବେଦନ କରିଥିଲେ ମଧ୍ଯ ସେ କିଛି ଶୁଣିନଥିଲେ ।

    ଏହା ପରେ କମିଟିର ସଦସ୍ଯ ମାନେ ବାଧ୍ଯ ହୋଇ ତାଙ୍କ ନିକଟକୁ ଯାଇ ଟଙ୍କା ଫେରସ୍ତ ପାଂଇ ଦାବି କରିବାରୁ ମାଲିକ ଜଣଙ୍କ ଗୁଣ୍ତା ଲଗାଇ ମାରି ଦେବାର ଧମକ ଦେଇ ଥିଲେ । ଭୟରେ କମିଟିର ସଦସ୍ଯ ମାନେ ଫେରି ଆସିବା ପରେ ଅନନ୍ତ ତୁଳସୀ ଗଣନାଟ୍ଯ ବଦଳରେ ନାଟ୍ଯ ସମ୍ରାଟ ପୃଥ୍ବୀରାଜ ନେବା ପାଂଇ କହିଥିଲେ । ଯଦି ଯାତ୍ରା ପାର୍ଟି ନନେବ ତାହାଲେ ଅଗ୍ରୀମ ୨ ଲକ୍ଷ ଟଙ୍କା ଆଉ ମିଳିବନି ବୋଲି ଧମକ ଦେଇ ଥିଲେ । କମିଟିର ସଦସ୍ଯ ମାନେ କୌଣସି ଉପାୟ ନପାଇ ନାଟ୍ଯ ସମ୍ରାଟ ପୃଥ୍ବୀରାଜ ନେବା ପାଂଇ ଚୁକ୍ତି କରିଥିଲେ ।

    ଗତ ନଭେମ୍ବରରେ ତିନିଦିନ ଧରି ଭେଲୋରା ତାରିଣୀ ପଡିଆରେ ଯାତ୍ରା ପରିବେଷଣ ପାଇଁ ଧାର୍ଯ୍ଯ କରାଗଲା ମାତ୍ର ଉକ୍ତ ମାଲିକ ଜଣଙ୍କ ପୂଣି ୪ ଲକ୍ଷ ଟଙ୍କା ଅଗ୍ରୀମ ଦେବା ପାଇଁ କହିବାରୁ କମିଟିର ସଦସ୍ଯ ମାନେ ପୂଣି ୪ ଲକ୍ଷ ଟଙ୍କା ଅଗ୍ରୀମ ଦେଇ ଥିଲେ। ତେବେ ଯାତ୍ରା ପାର୍ଟି ପହଞ୍ଚିବା ପରେ ଅତ୍ଯନ୍ତ ନିମ୍ନ ମାନର ସାଜସଜ୍ଯା ଏବଂ ଜଣେ ହେଲେବି ଭଲ କଳାକାର ନଥିବାରୁ ୩ ଦିନରେ ୨ ଲକ୍ଷର ବି ଟିକେଟ ବିକ୍ରି ହେଲାନାହିଁ,ଫଳରେ ୬ ଲକ୍ଷ ଟଙ୍କା ଯାତ୍ରା ପାର୍ଟି ମାଲିକ ନେଇ ସାରିଥିବା ବେଳେ କମିଟି ସଦସ୍ଯ କେମିତି ଟଙ୍କା ଫେରି ପାଇବେ ସେନେଇ ଏବେ ଚିନ୍ତାରେ, ଏନେଇ କମିଟି ର ସଦସ୍ଯ ମାନେ ଯାତ୍ରା ମାଲିକକୁ ଫୋନ କରିବାରୁ ସେ କୌଣସି କଥା ନବୁଝି ଗାଳିଗୁଲଜ କରିବା ସହ ଧମକ ଦେଉଥିବା ଅଭିଯୋଗ କରିଛନ୍ତି କମିଟିର ସଦସ୍ଯ ମାନେ । ପରେ କୌଣସି ଉପାୟ ନପାଇ ବାଧ୍ଯ ହୋଇ କମିଟିର ସଦସ୍ଯ ମାନେ ଯାତ୍ରା ପାର୍ଟି ଗାଡି ଗୁଡିକୁ ଅଟକ ରଖିଛନ୍ତି

  • ଖଣି କମ୍ପାନୀରେ IT ରେଡ୍‌,ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ

    ଖଣି କମ୍ପାନୀରେ IT ରେଡ୍‌,ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ

    ଖଣି କମ୍ପାନୀରେ ବଡ଼ଧରଣର ଆୟକର ବା (IT) ରେଡ୍ । ଏସ୍.ଏନ୍ ମହାନ୍ତି ଗ୍ରୁପର ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। କେନ୍ଦୁଝର ଜିଲ୍ଲା ଯୋଡ଼ା, ବଡ଼ବିଲ ଓ ଭୁବନେଶ୍ୱର ସମେତ ୮ଟି ସ୍ଥାନରେ ଏହି ରେଡ୍ କରାଯାଇଛି। ଟିକସ ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ଜଣାଯାଇଛି।ମିଳିଥିବା ସୂଚନା ଅନୁଯାୟୀ ବଡ଼ବିଲରେ ଥିବା କମ୍ପାନୀ ଅଫିସ, ଭୁବନେଶ୍ୱରରେ ଥିବା ଘର ଓ କର୍ପୋରେଟ ଅଫିସରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ତେବେ ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ୬ଟି ଟିମ୍‌ ଏହି ଚଢ଼ାଉରେ ସାମିଲ ହୋଇଥିବାବେଳେ, ଆଜି ଭୋରରୁ ଏହି ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ନଗଦ ଟଙ୍କା ଓ ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି ।

  • ମୃତ ଦାଦନ ପରିବାରକୁ ସହଯୋଗର ହାତ ବଢ଼ାଇଲେ ସରପଞ୍ଚ

    ମୃତ ଦାଦନ ପରିବାରକୁ ସହଯୋଗର ହାତ ବଢ଼ାଇଲେ ସରପଞ୍ଚ

    ଚାନ୍ଦବାଲି ବ୍ଳକ ଖେରଙ୍ଗ ପଞ୍ଚାୟତ ପଳାଶପୁର ଗ୍ରାମର ମୃତ ଦାଦନ ଶ୍ରମିକ ସିଦ୍ଧାର୍ଥ ରାଉତଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ବିଜେଡ଼ି ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳ ସହ ବାଲେଶ୍ଵରର’ଆପଣ ଏକା ନୁହଁନ୍ତି’ ସ୍ବଛାସେବୀ ସଙ୍ଗଠନ ।

    ଚାନ୍ଦବାଲି ବ୍ଳକ ଖେରଙ୍ଗ ପଞ୍ଚାୟତ ପଳାଶପୁର ଗ୍ରାମର ଅଭିରାମ ରାଉତଙ୍କ ପୁଅ ସିଦ୍ଧାର୍ଥ ରାଉତ ସୁଦୁର ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ଠିକାଦାରଙ୍କ ଆକ୍ରୋଶର ଶିକାର ହୋଇଥିଲେ। । ତିନି ବର୍ଷ ବିନା ଦରମାରେ ବେଠି ଖଟାଇବା ପରେ ଦରମା ଟଙ୍କା ମାଗିବାରୁ ଚଳିତ ମାସ ୧୦ ତାରିଖ ଦିନ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିଲା । ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।ଉକ୍ତ ଖବର ପ୍ରସାରିତ ହେବାପରେ ବାଲେଶ୍ଵର ଖାଇରାର ‘ଆପଣ ଏକା ନୁହଁନ୍ତି’ ସ୍ୱଛାସେବୀ ଟ୍ରଷ୍ଟର ସଭ୍ୟବୃନ୍ଦ ଖେରଙ୍ଗ ସରପଞ୍ଚଙ୍କ ସହାୟତାରେ ସିଦ୍ଧାର୍ଥଙ୍କ ଘରେ ପହଞ୍ଚିଥିଲେ ।

    ସେଠାରେ ତାଙ୍କ ବୃଦ୍ଧ ପିତାମାତାଙ୍କୁ ଭେଟି ଭଲମନ୍ଦ ପଚାରି ବୁଝିବା ସହ ଆର୍ଥିକ ସହାୟତା ବାବଦରେ ତାଙ୍କ ପରିବାରକୁ ରାସନ ସାମଗ୍ରୀ, କମ୍ବଳ, ଲୁଗାପଟା ଆଦି ପ୍ରଦାନ କରିଥିଲେ । ଗରିବ ତଥା ଅସହାୟ ଅଭିରାମଙ୍କ ପରିବାରକୁ ଆର୍ଥିକ, ନ୍ୟାୟିକ ସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଥିବା ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳଙ୍କ ଉଦ୍ୟମକୁ ‘ଆପଣ ଏକା ନୁହଁନ୍ତି’ ଟ୍ରଷ୍ଟର ସମ୍ପାଦକ ସୁଶାନ୍ତ କୁମାର ବେହେରା ପ୍ରସଂଶା କରିଥିଲେ ।