Category: ରାଜ୍ୟ ଖବର

  • ଏକ କିଲୋରୁ ଅଧିକ ଧଳାଜହର ଜବତ କଲା ଏସଟିଏଫ

    ଏକ କିଲୋରୁ ଅଧିକ ଧଳାଜହର ଜବତ କଲା ଏସଟିଏଫ

    ରାଜଧାନୀରେ ଧଳା ଜହର। ଧଳା ଜହର  ସହ ସ୍ପେସାଲ ଟାସ୍କ ଫୋର୍ସ ହାତରେ ବେପାରୀ। ଶନିବାର ସଂଧ୍ୟା ସମୟରେ ଭୁବନେଶ୍ୱରର ୟୁନିଟ ୮ ଅଞ୍ଚଳରେ ନିଶା କାରବାର ଚାଲିଥିବା ସୂଚନା ପାଇ ଏସଟିଏଫ କମିଶନରେଟ ପୋଲିସ ସହଯୋଗରେ ବିପୁଳ ପରିମାଣର ନିଷିଦ୍ଧ ଡ୍ରଗ୍ସ ଜବତ କରିବା ସହ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଚିତ୍ତରଞ୍ଜନ ସାହୁ ୟୁନିଟ ୮ରେ ରହୁଥିବା ବେଳେ ତାର ଘର ଢେଙ୍କାନାଳ।

    ସୂଚନା ଅନୁଯାୟୀ, ରାଜଧାନୀର ୟୁନିଟ-୮ରେ ବିପୁଳ ଡ୍ରଗ୍ସ କାରବାର ଚାଲିଥିବା ସୂଚନା ମିଳିଥିଲା ଏସଟିଏଫକୁ। ସୂଚନା ଆଧାରରେ ଏସଟିଏଫ ଓ କମିଶନରେଟ ପୋଲିସର ମିଳିତ ଟିମ ଚଢାଉ କରି ୧କେଜି ୧୦୭ ଗ୍ରାମର ବ୍ରାଉନ ସୁଗାର ଜବତ କରିଥିଲା ଚିତ୍ତରଞ୍ଜନ ସାହୁଠାରୁ। ଏତେ ପରିମାଣର ନିଷିଦ୍ଧ ଡ୍ରଗ୍ସକୁ ନେଇ ପୋଲିସ ବିଭିନ୍ନ ପ୍ରଶ୍ନ କରିଥିବା ବେଳେ ଅଭିଯୁକ୍ତ ତାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲା। ତେଣୁ ପୋଲିସ ତାକୁ ଗିରଫ କରିଥିଲା। ଏସଟିଏଫ ଏନଡିପିଏସ ଆକ୍ଟ ୧୯୮୫ରେ ଏକ ମାମଲା ରୁଜୁ କରିଛି ଓ ଅଭିଯୁକ୍ତକୁ କୋର୍ଟରେ ହାଜର କରିଛି।

    ଏସଟିଏଫ ପକ୍ଷରୁ ନିଶା କାରବାର ଉପରେ ନିୟନ୍ତ୍ରଣ ପାଇଁ ଏକ ସ୍ପେସାଲ ଅଭିଯାନ ଜାରି ରହିଛି। ଏହି ଅଭିଯାନ ଅନ୍ତର୍ଗତ ୨୦୨୦ରୁ ବର୍ତ୍ତମାନ ମଧ୍ୟରେ ଏସଟିଏଫ ୬୯ କେଜି ବ୍ରାଉନ ସୁଗାର/ହେରୋଇନ, ୨୦୨ ଗ୍ରାମ କୋକିନ ଓ ୧୧୩ କ୍ୟୁଣ୍ଟାଲ ଗଞ୍ଜେଇ, ୭୫୦ ଗ୍ରାମର ଅଫିମ ଜବତ କରିଛି। ଏଥିସହ ନିଷିଦ୍ଧ ନିଶା କାରବାର ମାମଲାରେ ୧୬୮ରୁ ଅଧିକ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିବାରେ ସଫଳ ହେଲାଣି।

  • ଘଟିଲା ବିରଳ ଘଟଣା, ମଣିଷର ଛାଇ ହେଲା ଉଭାନ

    ଘଟିଲା ବିରଳ ଘଟଣା, ମଣିଷର ଛାଇ ହେଲା ଉଭାନ

    ସାଧାରଣତଃ ଖରାରେ ବାହାରକୁ ଗଲେ କିମ୍ୱା କେଉଠି ଠିଆ ହୋଇଥିଲେ ଆମ ସହ ଆମର ଛାଇ ମଧ୍ୟ ଦେଖାଯାଏ । କିନ୍ତୁ ଭାବନ୍ତୁ ଯେ ଆପଣଙ୍କୁ ଆପଣଙ୍କ ଛାଇ ଦେଖାଯିବନାହିଁ । ତେବେ ଆପଣ ଏହାକୁ ବିଜ୍ଞାନ କି ଅନ୍ଯ କୌଣସି କାରଣ ବୋଲି ଭାବିବେ ।କଣ ଏଭଳି ହେବ ସମ୍ଭବ ? ଆଜି ଭୁବନେଶ୍ୱରରେ ମଧ୍ଯ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିବ । ଯଦିଓ ଏହା ଏକ କୌତୁହଳପୂର୍ଣ୍ଣ ଓ ଅନନ୍ୟ ଘଟଣା କିନ୍ତୁ ଏହା ବାସ କିଛି ସମୟ ପାଇଁ କିଛି ଅଂଶରେ ଘଟିବ। ଯାହା ସୂଚନା ମିଳିଛି ଏହାର ପ୍ରଭାବ ପ୍ରାୟ ଦେଢ଼ ମିନିଟ୍ ପର୍ଯ୍ୟନ୍ତ ଚାଲିବ।

    ମେ ୨୧ ତାରିଖ ଅର୍ଥାତ ଆଜି ରାଜଧାନୀ ଭୁବନେଶ୍ୱର ଓ ମେ ୨୨ରେ କଟକର ଲୋକମାନେ ‘ଶୂନ୍ୟ ଛାୟା ଦିବସ’କୁ ଅନୁଭବ କରିପାରିବେ । ଏହି ଦିବସରେ କାହାର ଛାଇ ଦେଖାଯିବନି । ମଧ୍ୟାହ୍ନ ୧୧.୪୩ ସମୟରେ ସମସ୍ତେ ଏହି ଶୂନ୍ୟ ଛାୟାକୁ ଦେଖିପାରିବେ । ବର୍ଷର ୩୬୫ ଦିନ ମଧ୍ୟରୁ କେବଳ ଦୁଇ ଦିନ ସୂର୍ଯ୍ୟ ଠିକ୍ ପୂର୍ବ ଦିଗରେ ଉଦୟ ହୋଇ ଠିକ୍ ପଶ୍ଚିମ ଦିଗରେ ଅସ୍ତ ଯାଆନ୍ତି । ଫଳରେ ସେହିଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଠିକ୍ ଆମର ମୁଣ୍ଡ ଉପରେ ରହିଥାନ୍ତି । ତେଣୁ ସେହି ସମୟରେ ଆମେ ଆମର ଛାଇକୁ ଦେଇପାରି ନଥାଉ । ତେବେ ଆସନ୍ତା ଜୁନ ମାସ ୨୨ ତାରିଖରେ ରାଜ୍ୟର ବାରିପଦାରେ ଏହି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିବ ।

    ଏ ବାବଦରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟରିୟମର ଡେପୁଟି ଡାଇରେକ୍ଟର ଶୁଭେନ୍ଦୁ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ କହିଛନ୍ତି, ଦିନ ବିତିବା ସହିତ ସମୟାନୁସାରେ ଅକ୍ଷାଂଶ ଧୀରେଧୀରେ ବଢ଼ିବାକୁ ଲାଗିଥାଏ । ଉତ୍ତରାୟନ ଓ ଦକ୍ଷିଣାୟନ ପାଇଁ ବର୍ଷକୁ ଆମେ ଦୁଇଥର ଶୂନ୍ୟ ଛାୟା ଦିବସ ପାଳନ କରିଥାଉ । ଏହା ଗୋଟିଏ ଅଞ୍ଚଳରେ ଏକା ଥରକେ ଦେଖାନଯାଇ ଅଲଗା ଅଲଗା ଅଞ୍ଚଳରେ ଭିନ୍ନ ଭିନ୍ନ ସମୟରେ ଦେଖାଯାଇଥାଏ ।

  • ଗୋରୁ ବୋଝେଇ ମିନି ଟ୍ରକ୍ ଜବତ, ୨୨ ଗୋରୁ ଉଦ୍ଧାର

    ଗୋରୁ ବୋଝେଇ ମିନି ଟ୍ରକ୍ ଜବତ, ୨୨ ଗୋରୁ ଉଦ୍ଧାର

    କେନ୍ଦୁଝର ଜିଲ୍ଲାରେ ଗୋରୁ ଚାଲାଣ ବଢ଼ିବାରେ ଲାଗିଛି । ଏଥିରେ ରୋକ୍ ଲଗାଇବା ପାଇଁ କୌଣସି ଉଦ୍ୟମ ହେଉନାହିଁ । ସ୍ଥାନୀୟ ଲୋକେ ଏ ଦିଗରେ ପଦକ୍ଷେପ ନେଉଥିବା ବେଳେ ପୋଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିଛି ।

    ତୁରୁମୁଙ୍ଗା ଥାନା ଜାତୀୟ ରାଜପଥ ୪୯ ନମ୍ବର, ଖିରେଇଟାଙ୍ଗିରି ନିକଟରୁ ଗୋରୁ ବୋଝେଇ ମିନି ଟ୍ରକ୍ ଜବତ ହୋଇଛି । ଗାଡ଼ିରୁ ୨୨ ଗୋରୁ ଉଦ୍ଧାର କରାଯାଇଛି । ୨ଟି ଗୋରୁ ଗୁରୁତର ଆହତ ହୋଇଛନ୍ତି । ଗୋଟିଏ ଗାଡ଼ି ଜବତ ହୋଇଥିବା ବେଳେ ଘଟଣାସ୍ଥଳରେ ଅନ୍ୟ ୩ଟି ଟ୍ରକ୍ ପଳାଇବାରେ ସକ୍ଷମ ହୋଇଛି । ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି ।

    ଗୋରୁ ଚାଲାଣ ନେଇ ପୂର୍ବରୁ ସୂଚନା ପାଇଥିଲା ଖିରେଇଟାଙ୍ଗିରୀ ନିକଟରେ ଥିବା ତୁରୁମୁଙ୍ଗା ଥାନା ପୋଲିସ । ଗୋଟିଏ ଗାଡ଼ି ଜବତ ହୋଇଥିବା ବେଳେ ଅନ୍ୟ ଗାଡ଼ି ଫେରାର୍ ହେବା ନେଇ ପ୍ରଶ୍ନ ଉଠିଛି । ପୂର୍ବରୁ ଅନେକ ଥର ଏପରି ଗୋରୁ ଚାଲାଣ ଘଟଣା ସାମ୍ନାକୁ ଆସିଛି । ତେବେ ପୋଲିସର ଅବହେଳା ଏଥିପାଇଁ ଦାୟୀ । ଗୋରୁ ଦଲାଲମାନଙ୍କ ସହ ପୋଲିସର ଭିତିରି ସମ୍ପର୍କ ରହିଛି । ପୋଲିସକୁ କିଛି ଆର୍ଥିକ ଫାଇଦା ମିଳୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଗୋରୁ ଚାଲାଣ ବଢ଼ିବାରେ ଲାଗିଛି । ଏଭଳି ଅଭିଯୋଗ କରିବା ସହ ଗୋରୁ ଚାଲାଣ ବନ୍ଦ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

  • ମହୁମାଛି ନେଲା ସରପଞ୍ଚଙ୍କ ଜୀବନ, ଚିକିତ୍ସାଧୀନ ଅବସ୍ଥାରେ ସନତ’ଙ୍କ ମୃତ୍ୟୁ

    ମହୁମାଛି ନେଲା ସରପଞ୍ଚଙ୍କ ଜୀବନ, ଚିକିତ୍ସାଧୀନ ଅବସ୍ଥାରେ ସନତ’ଙ୍କ ମୃତ୍ୟୁ

    ମୃତ୍ୟୁ କେତେବେଳେ କେମିତି ଆସିବ କେହି ଜାଣିନାହାଁନ୍ତି । ବେଳେବେଳେ ମୃତ୍ୟୁ ଏମିତି ଆସେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଆଉ ବେଳେ ବେଳେ ମଣିଷ ମୃତ୍ୟୁମୁଖରୁ ବି ବଞ୍ଚିଯାଏ । ବିମାନ ଦୁର୍ଘଟଣାରେ ଶିଶୁ ବଞ୍ଚିଯାଉଥିବା ବେଳେ ଯୁବକଯୁବତୀ, ବରିଷ୍ଠ ଲୋକ କିନ୍ତୁ ମରିଯାଆନ୍ତି ଯାହା ସମସ୍ତଙ୍କୁ ନିହାତି ଆଶ୍ଚର୍ଯ୍ୟ କରିଥାଏ । ମର୍ମନ୍ତୁଦ ଦୁର୍ଘଟଣାରେ ମଣିଷ ବଞ୍ଚିଯାଏ ହେଲେ ବିଛା କାମୁଡ଼ିଲେ ଲୋକେ ମରିଯାଆନ୍ତି । ତେଣୁ ବିଧିର ବିଧାନ ଅନୁସାରେ ଆମକୁ ଦୁନିଆରୁ ବିଦାୟ ନେବାକୁ ହୋଇଥାଏ । ଏବେ ଏମିତି ଏକ ଘଟଣା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକରୁ ଆସିଛି ।

    ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ କୁଡୁତାଇ ପଞ୍ଚାୟତ ସରପଞ୍ଚ ସନତ କୁମାର ପ୍ରଧାନ । ତାଙ୍କ ମୃତ୍ୟୁକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଆଜ୍ଞା ତାଙ୍କର ମୃତ୍ୟୁ କିପରି ହେଲା ଜାଣିଛନ୍ତି । ସୂଚନା ଅନୁସାରେ ସରପଞ୍ଚ ସନତ କୁମାର ପ୍ରଧାନ ବିଲରେ କାମ କରୁଥିଲେ । ବିଲରେ କାମ କରୁଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଭୁବନେଶ୍ୱରର ଏକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସରପଞ୍ଚଙ୍କ ମୃତ୍ୟୁ ଘଟିଛି । ସରପଞ୍ଚଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

    ଘଟଣା ନିହାତି ଆଶର୍ଯ୍ୟଜନକ । ଏଭଳି ଏକ ଘଟଣା ଘଟିଯିବ, ମହୁମାଛି ଆକ୍ରମଣରେ ସରପଞ୍ଚଙ୍କ ଜୀବନ ଚାଲିଯିବ କେହି କେବେ ସ୍ୱପ୍ନରେ ବି ଭାବିନଥିଲେ । କିନ୍ତୁ ଯାହା ଭାଗ୍ୟରେ ଥିଲା ତାହା ନିଶ୍ଚିତ ଘଟିବ । ସରପଞ୍ଚଙ୍କ ଏଭଳି ମୃତ୍ୟୁକୁ ନେଇ ପରିବାରରେ ଶୋକାକୁଳ ପରିବେଶ ବି ଦେଖିବାକୁ ମିଳିଛି । ସବୁଦିନ ପାଇଁ ସେ ଆରପାରିକୁ ଚାଲିଯାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ବେଶ୍ ଲୋକପ୍ରିୟ ଥିଲେ ସରପଞ୍ଚ ସନତ କୁମାର ।

  • ଅର୍ଡର କରିଥିଲେ ଲାପଟପ୍, ଆସିଲା ପାଉଡର ପ୍ୟାକେଟ୍

    ଅର୍ଡର କରିଥିଲେ ଲାପଟପ୍, ଆସିଲା ପାଉଡର ପ୍ୟାକେଟ୍

    କେନ୍ଦୁଝର ଜିଲ୍ଲାରେ ବଡ଼ ଧରଣର ଠକେଇର ଶିକାର ହୋଇଛନ୍ତି ଯୁବକ । ଲାପଟପ୍ ଅର୍ଡର କରିଥିଲେ ହେଲେ ତାଙ୍କ ନିକଟକୁ ଆସିଛି ପାଉଡର ପ୍ୟାକେଟ୍ ଯାହାକୁ ନେଇ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

    ଯୋଡ଼ା ପୌରପାଳିକା ଅନ୍ତର୍ଗତ ପଶ୍ଚିମ ଯୋଡ଼ା ସେଗ୍ରୀକେସନ ଅଞ୍ଚଳରେ ରୁହନ୍ତି ଚୌଧୁରୀ ମହାନ୍ତ । ସେ ଚଳିତମାସ ୧୪ ତାରିଖରେ ଅମାଜନ ନାମକ ସଂସ୍ଥା ଠାରୁ ଅନଲାଇନରେ ଅର୍ଡର କରିଥିଲେ ଏକ୍ ଲାପଟପ୍ । ଏହାର ମୂଲ୍ୟ ଥିଲା ୫୬ ହଜାର ୯୯୦ ଟଙ୍କା । ତେବେ ଶୁକ୍ରବାର ଡେଲିଭରୀ ଯୁବକ ଦ୍ଵାରା ଘରକୁ ପ୍ୟାକିଂ ହୋଇ ଏକ ପ୍ୟାକେଟ୍ ଆସିଥିଲା । ଲାପଟପ୍ ଆସିଲା ଜାଣି ପ୍ୟାକେଟ୍ ରିସିଭ୍ କରିଥିଲେ ଚୌଧୁରୀ ମହାନ୍ତ ।

    ହେଲେ ଖୋଲିଲା ପରେ କିନ୍ତୁ ହୋସ୍ ଉଡ଼ିଗଲା । ପ୍ୟାକେଟ୍ ଭିତରୁ ଏମିତି କ’ଣ ବାହାରିଲା ସେ ଆଶ୍ଚର୍ଯ୍ୟ ହୋଇଗଲେ । ଲାପଟପ୍ ବଦଳରେ ବାହାରିଲା ମିଷ୍ଟର ହ୍ୱାଇଟର ଦୁଇ କିଲୋ ଡିଟରଜେଣ୍ଟ ପାଉଡର । ଏହାଦେଖି ହତୋତ୍ସାହ ହୋଇପଡ଼ିଲେ ଚୌଧୁରୀ ମହାନ୍ତ ।

    ଏ ନେଇ ଯୋଡ଼ା ଥାନାରେ ଡେଲିଭରୀ କମ୍ପାନୀ ଅମାଜନ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ଚୌଧୁରୀ । ଅନଲାଇନରେ ଗ୍ରାହକମାନେ ଘରେ ବସି ସବୁ ପ୍ରକାର ଜିନିଷ ପାଇପାରୁଛନ୍ତି । ଏଭଳି ଘଟଣା ନିହାତି କମ୍ପାନୀ ଉପରୁ ଧୀରେ ଧୀରେ ବିଶ୍ୱାସ ତୁଟାଉଛି ।

  • ୨୦୨୪ ସାଧାରଣ ନିର୍ବାଚନ ପାଇଁ ସଜବାଜ ହେଉଛି ରାଜ୍ୟ ବିଜେପି

    ୨୦୨୪ ସାଧାରଣ ନିର୍ବାଚନ ପାଇଁ ସଜବାଜ ହେଉଛି ରାଜ୍ୟ ବିଜେପି

    ଭାରତୀୟ ଜନତା ପାର୍ଟି ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ କିପରି ଭାବେ ପଡ଼ିଆକୁ ଓହ୍ଲାଇବ ସେ ନେଇ ରଣନୀତି ପ୍ରସ୍ତୁତ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଶନିବାର ଏନେଇ ସୂଚନା ମିଳିଛି । ରଣନୀତି ଅନୁସାରେ ରାଜ୍ୟର ୧କୋଟି ପରିବାର ପାଖରେ କେମିତି ପହଞ୍ଚିବ, ସେଥିପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛି। ଆସନ୍ତା ଏକ ମାସ ଭିତରେ ଓଡ଼ିଶାରେ ଏହାର ମୂଳଦୁଆ ପକାଇବାକୁ ଦଳ ଲକ୍ଷ୍ୟ ରଖିଛି। ସେଥିପାଇଁ ପ୍ରତି ବୁଥରେ ୨୦୦ରୁ ୨୫୦ ଲୋକଙ୍କ ପାଖକୁ ଯାଇ ମହାଜନସମ୍ପର୍କ ଅଭିଯାନ କରିବ।

    ସେହିପରି ମଣ୍ଡଳ ସ୍ତରରେ ୪ଜଣିଆ ଟିମ୍ ରହିବେ। ପ୍ରଦେଶ କାର୍ଯ୍ୟକାରିଣୀ, ଜିଲ୍ଲା ଓ ମଣ୍ଡଳ ବୈଠକ କରାଯିବାର କାର୍ଯ୍ୟକ୍ରମ ରହିଛି । ମେ ୨୫ ପୂର୍ବରୁ ସବୁ ଜିଲ୍ଲା ଓ ମଣ୍ଡଳ କାର୍ଯ୍ୟ ଓ ସମିତି ବୈଠକ ଶେଷ ହେବ। ସବୁ କାର୍ଯ୍ୟ ସମିତି ବୈଠକରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଯୋଡ଼ାଯିବ । ମେ ୨୯ରେ ବର୍ଷ ପୂର୍ତିର ଲୋକଙ୍କୁ ବାର୍ତା ଦିଆଯିବ । ତୃଣମୂଳସ୍ତରରେ କାମ ଆରମ୍ଭ କରାଯିବା ନେଇ ରଣନୀତି ପ୍ରସ୍ତୁତ ହେଉଛି ।

    ବିଜେପିର କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ବରୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

  • କଳାହାଣ୍ଡିରେ ବିକାଶର ବିଗୁଲ ଫୁଙ୍କିଲେ ୫-ଟି ସଚିବ

    କଳାହାଣ୍ଡିରେ ବିକାଶର ବିଗୁଲ ଫୁଙ୍କିଲେ ୫-ଟି ସଚିବ

    • ୫-ଟି ସଚିବଙ୍କ କଳାହାଣ୍ଡି ଗସ୍ତର ଦ୍ବିତୀୟ ଦିନ
    • ପିପଳ ନଳା ଜଳସେଚନ ପ୍ରକଳ୍ପର ଉନ୍ନତି ଓ ପର୍ଯ୍ୟଟନର ବିକାଶ ପାଇଁ ଏକ ମାସ ମଧ୍ୟରେ ଡିପିଆର
    • ମା ଇନ୍ଦ୍ରାବତୀ ମନ୍ଦିର ଓ ମ୍ୟୁଜିଅମ କମ୍ଫଲେକ୍‌ସ ପାଇଁ ଆଉ ୧୪ କୋଟି
    • ମା ମାଣିକେଶ୍ବରୀଙ୍କ ମନ୍ଦିରର ପୁନର୍ବିକାଶ ପାଇଁ ଏକ ସପ୍ତାହ ମଧ୍ୟରେ ଖର୍ଚ୍ଚ ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ
    • ଥୁଆମୁଳ-ରାମପୁରରେ ହେବ ଯୁକ୍ତ ୩ ଡିଗ୍ରୀ କଲେଜ ।

    ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି କଳାହାଣ୍ଡି ଗସ୍ତର ଦ୍ବିତୀୟ ଦିନରେ ଅନେକ ପ୍ରକଳ୍ପ ପରିଦର୍ଶନ କରି ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି । ପ୍ରଥମେ ସେ ପିପଳ ନଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ସେଠାରେ ଏହାର ଉନ୍ନତି ପାଇଁ ସ୍ଥାନୀୟ ଲୋକ ଓ ବିଭାଗୀୟ ଇଂଜିନିଅର ମାନଙ୍କ ସହ ଆଲୋଚନା କରିଥିଲେ । ପିପଳ ନଳାର ଜଳସେଚନ କ୍ଷମତାର ବୃଦ୍ଧି ତଥା ଏଠାରେ ଏକ ପର୍ଯ୍ୟଟନ ବିକାଶ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସେ ନିଷ୍ପତ୍ତି ନେଇଥିଲେ । ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଏକ ମାସ ମଧ୍ୟରେ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

    ଏହାପରେ ସେ ଥୁଆମୁଳ-ରାମପୁର ଯାଇ ସେଠାରେ ସାଧାରଣ ଲୋକ ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ସେଠାରେ ଏକ ଯୁକ୍ତ-୩ ଡିଗ୍ରୀ କଲେଜ ସ୍ଥାପନ କରାଯିବ ବୋଲି ଘୋଷଣା କରିଥିଲେ । ଏହାଦ୍ବାରା ସ୍ଥାନୀୟ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାର ବିକାଶ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ । ଭଟଙ୍ଗପଦର ହାଇସ୍କୁଲ ପଡିଆରେ ସେ ସ୍ଥାନୀୟ ଛାତ୍ରଛାତ୍ରୀ ଓ ମିଶନ ଶକ୍ତି ଗୋଷ୍ଠୀର ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ବୁଝିଥିଲେ ଏବଂ ଏହାର ସମାଧାନ ପାଇଁ ସ୍ଥାନୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

    କଳାହାଣ୍ଡିର ଥୁଆମୁଳ-ରାମପୁର ଠାରେ ପ୍ରସିଦ୍ଧ ମା ମାଣିକେଶ୍ବରୀ ମନ୍ଦିର ପରିଦର୍ଶନ କରି ସେ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସ୍ଥାନୀୟ ଜନସାଧାରଣ ଓ ମନ୍ଦିର କମିଟି ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ଏହାର ପୁନର୍ବିକାଶ ଉପରେ ଗୁରୁତ୍ବ ଆରୋପ କରିଥିଲେ । ଏଥିପାଇଁ ଖର୍ଚ୍ଚ ଏକ ଆକଳନ କରି ଏକ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ ।

    କଲମପୁର ମିନି ଷ୍ଟାଡିଅମ ଠାରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଷ୍ଟାଡିଅମର ଅଧିକ ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

    ଏହାପରେ ଶ୍ରୀ ପାଣ୍ଡିଆନ ମଙ୍ଗଳପୁର ବ୍ୟାରେଜ ଠାରେ ଇନ୍ଦ୍ରାବତୀ ପାର୍କ ଓ ମ୍ୟୁଜିଅମ ପରିଦର୍ଶନ କରିଥିଲେ । ସେଠାରେ ମା ଇନ୍ଦ୍ରାବତୀଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ମଧ୍ୟ ଦେଖିଥିଲେ। ଏହି ମନ୍ଦିର ଓ ମ୍ୟୁଜିଅମ ପାଇଁ ଆହୁରି ଅତିରିକ୍ତ ୧୪ କୋଟି ଟଙ୍କା ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ ଥିଲେ । ଏହାପରେ ସେ ଇନ୍ଦ୍ରାବତୀ ଦକ୍ଷିଣ କେନାଲର ଲାଇନିଂ କାମ ବୁଲି ଦେଖିଥିଲେ। ଏହି କାମ ଠିକ୍‌ ସମୟରେ ଶେଷ କରିବାକୁ ସେ ବିଭାଗୀୟ ଇଂଜିନିଅର ମାନଙ୍କୁ ପରାମର୍ଶ ଦେଇଥିଲେ ।

    ଆମପାଣି ଠାରେ ପ୍ରସିଦ୍ଧ ବୁଢାରାଜା ମନ୍ଦିର ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ ପୂର୍ଜାର୍ଚ୍ଚନା କରିଥିଲେ ଏବଂ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ 15 ଦିନ ମଧ୍ୟରେ ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଡୋକ୍ରିଚାଞ୍ଚରା ଓ ଗୁଡହାଣ୍ଡି ଠାରେ ସ୍ଥାନୀୟ ଲୋକ ଓ ବନ କମିଟି ସଦସ୍ୟ ମାନଙ୍କ ସହ ଆଲୋଚନା କରି ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ପଦକ୍ଷପ ନେବାକୁ ଡିଏଫଓଙ୍କୁ ପରାମର୍ଶ ଦେଇଥିଲେ। ଏଥିପାଇଁ ଏକ ମାସ ମଧ୍ୟରେ DPR ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ ।

    ଧରମଗଡରେ ମା ଭଣ୍ଡାରଘରଣୀ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ଏବଂ ଏହା ଅଧିକ ଉନ୍ନତି ପାଇଁ ପ୍ରସ୍ତାବ ଆହ୍ଵାନ ଦେଇଥିଲେ। ଗମ୍ଭାରୀଗୁଡା ଠାରେ ଯଶୋଦା ଅନନ୍ତ ଆଶ୍ରମ ପରିଦର୍ଶନ କରି ସେଠାରେ ଅନ୍ତେବାସୀଙ୍କ ସହ ଆଲୋଚନା କରି ଆଶ୍ରମର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଯଶୋଦା ଆଶ୍ରମ ରେ Dinning hall, computer room, library ,ଓ ପାର୍କ ର ବିକାଶ କରାଯିବ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ । ଏହାପରେ 5T ସଚିବ ଯଶୋଦା ଆଶ୍ରମ ଅନ୍ତେବାସୀଙ୍କ ସହିତ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ ।

    ଏହାପରେ ସେ ଧରମଗଡ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ, ପଞ୍ଚାୟତ କଲେଜ, କଲ୍ୟାଣ ମଣ୍ଡପ ଆଦି ପରିଦର୍ଶନ କରି ସ୍ଥାନୀୟ ଲୋକ, ମିଶନ ଶକ୍ତି ସଦସ୍ୟା ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରି ସେ ସବୁ ସ୍ଥାନର ଅଧିକ ବିକାଶ ପାଇଁ ସେମାନଙ୍କ ଠାରୁ ମତାମତ ଗ୍ରହଣ କରିଥିଲେ ।

  • ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

    ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

    ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ତିନି ରଥ ନିର୍ମାଣ ବେଶ୍ ଆଗେଇ ଚାଲିଛି । ସମୟ ଅନୁଯାୟୀ ସଠିକ୍ ସମୟରେ ସବୁ କାର୍ଯ୍ୟ କରାଯାଉଛି । ତେବେ ତିନି ରଥର ସମ୍ପୂର୍ଣ ଅଖ ଚକ ସଂଯୋଗ ହୋଇ ସାରିଛି । ଭୋଇ ସେବକ ମାନେ ଏହି କାର୍ଯ୍ୟ ସମ୍ପାଦନ କରିଥଲେ । ତେବେ ରଥ ଖଳାରେ ଚାରି ନାହାକା ଓ ଗର ଗରା କାର୍ଯ୍ୟ ଚାଲୁ ରହିଛି । ତିନି ରଥର ଦୁଇଟି ଲେଖାଁଏ ୨୦ ଫୁଟିଆ ଆଗଆଣି, ପଛଆଣି “ଦଣ୍ଡା ମୁହାଁଟି”ର ଅନୁକୂଳ ପୂଜା ପରେ ବିନ୍ଧ କାମ ଆରମ୍ଭ ହୋଇ ଶେଷ ହୋଇଛି । ଏହି ଦଣ୍ଡାମୁହାଁଟି ତିନି ରଥର ପାଞ୍ଚ ଦଣ୍ଡାରେ ଆଗ ଏବଂ ପଛ ଭାଗରେ ସଂଯୋଗ ହେବ, ପ୍ରତି ଦଣ୍ଡା ମୁହାଁଟିରେ ପାଞ୍ଚୋଟି ଲେଖାଁଏ ବିନ୍ଧ କରାଯାଇଛି । ତିନି ରଥର ୧୨ଟି ଲେଖାଁଏ ଭୂଇଁ ଚଉତାର ବିନ୍ଧ ଅନୁକୂଳ ପୂଜା ମୁଖ୍ୟ ମହାରଣାଙ୍କ ଦ୍ୱାରା ସମ୍ପନ୍ନ ପରେ ତିନି ରଥର ମହାରଣା ମାନେ ପ୍ରତି ଚଉତାର ଦୁଇ ପାର୍ଶ୍ଵରେ ଦୁଇଟି ଲେଖାଁଏ ବିନ୍ଧ କାର୍ଯ୍ୟ ଶେଷ କରିଛନ୍ତି ।

    ତିନି ରଥ ଚାଳିକୁ ପ୍ରଥମ ପର୍ଯ୍ୟାୟରେ ଯୋଗାଇ ଦିଆ ଯାଇଥିବା ୨୦ ଫୁଟିଆ ୮ଟି ଲେଖାଁଏ “୧୪ ନାହାକା” କାଠରେ ତିନି ରଥ ମହାରଣା ମାନେ ସେଥିରେ ଆଠ ଅଂଶୀ କୋଣ ବିଶିଷ୍ଟ ନାହାକା ନିର୍ମାଣ ଶେଷ କରିଛନ୍ତି । ତିନି ରଥର ଚାରି ନାହାକା ନିର୍ମାଣ ପାଇଁ ତିନି ରଥ ଚାଳିକୁ ରଥ ଆମୀନ ପ୍ରଥମ ପର୍ଯ୍ୟାୟରେ ଭୋଇ ସେବକଙ୍କ ମାଧ୍ୟମରେ ଦୁଇଟି ଲେଖାଁଏ ୨୦ ଫୁଟିଆ ଧଉରା କାଠ ଯୋଗାଇ ଦେଇଥିଲେ । ଚାରି ନାହାକାର ଚଉପଟ କାଯ୍ୟ ତିନି ରଥର ମହାରଣା ମାନେ ଆରମ୍ଭ କରିଛନ୍ତି । “ଗରଗରା” ନିର୍ମାଣ ପାଇଁ ତିନି ରଥର ଚାଳିକୁ ରଥ ଆମୀନ ଭୋଇ ସେବକଙ୍କ ମାଧ୍ୟମରେ ଦୁଇଟି ଲେଖାଁଏ ୨୦ ଫୁଟିଆ ଧଉରା କାଠ ଯୋଗାଇ ଦେଇଥିଲେ । କରତି ସେବକ ସେଗୁଡିକର ମୁଣ୍ଡ କରତି କଲାପରେ ତିନି ରଥର ମହାରଣା ମାନେ ଗରଗରାର ଚଉପଟ କାଯ୍ୟ ଆରମ୍ଭ କରିଛନ୍ତି।

    ଆଜି କରତି ସେବକ ମାନେ ନନ୍ଦିଘୋଷ ରଥର ୪୦ ଫୁଟିଆ ପୋଲ ଗୟଳର ଦୁଇପାର୍ଶ୍ଵ ଚିତା କାର୍ଯ୍ୟ ଶେଷ କରି ଚିରଟ ପାଇଁ ମାପ ଚିହ୍ନ ଦେଇଛନ୍ତି । ତିନି ରଥର ରୂପକାର ସେବକ ମାନେ ରଥର ଗୁଜ ଗୁଡିଜାରେ ରୂପ ଖୋଦେଇ ସହ ରୂପରେ ଅଳଙ୍କାର ତଥା ରୁପାର ପଲିସ କାର୍ଯ୍ୟ ଜାରୀ ରଖିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ଦଣ୍ଡା ପାଇଁ ଦଣ୍ଡା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି । ତାଳଧ୍ୱଜ ରଥର ଓଝା ସେବକ ମାନେ ତାଳଧ୍ୱଜ ରଥର ଦଣ୍ଡା ପାଇଁ ‘ଅଗପାତେଳି’ରୁ ୪୨ଟି ଏବଂ ‘ଚଉରସ’ କଣ୍ଟାରୁ ୩୫ଟି, ମୋଟ ୭୭ଟି କଣ୍ଟା ନିର୍ମାଣ କରୁଥିବା ବେଳେ ଦର୍ପଦଳନ ରଥର ଓଝା ସେବକ ମାନେ ‘ଅଗ ପାତେଳି’ରୁ ୩୬ ଗୋଟି ଏବଂ ‘ଚଉରସ’ କଣ୍ଟାରୁ ୩୦ଟି ମୋଟ ୬୬ ଗୋଟି ଏବଂ ନନ୍ଦିଘୋଷ ରଥ ଦଣ୍ଡା ପାଇଁ ଓଝା ସେବକ ମାନେ ‘ଅଗପାତେଳି’ରୁ ୪୮ ଟି ଏବଂ ‘ଚଉରସ’ କଣ୍ଟାରୁ ୪୦ଟି ମିଶାଇ ମୋଟ ୮୮ ଗୋଟି କଣ୍ଟା ଆବଶ୍ୟକ ଅନୁଯାୟୀ ନିର୍ମାଣରେ ଲାଗିଛନ୍ତି ।

  • ସାବଧାନ…ଆସୁଛି କାଳବୈଶାଖୀ, ମାରିବ ବିଜୁଳି…ପଡିବ ଘଡଘଡି

    ସାବଧାନ…ଆସୁଛି କାଳବୈଶାଖୀ, ମାରିବ ବିଜୁଳି…ପଡିବ ଘଡଘଡି

    A rotating supercell thunderstorm moves across northeast Colorado. The dynamics, microphysics, and societal impacts of severe thunderstorms are one of the key research areas at the National Center for Atmospheric Research.

    ପ୍ରଚଣ୍ଡ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଛି । କିନ୍ତୁ ଏହାରି ଭିତରେ ଆଶ୍ୱସ୍ତିକର ଖବର ଆସିଛି । ଆସନ୍ତା କାଲି ଅର୍ଥାତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ତାପମାତ୍ରା କମିବ ।

    ସମୁଦ୍ର ପତନ ଠାରୁ ୦.୯ କିଲୋମିଟର ଉଚ୍ଚତାରେ ଛତିଶଗଡ଼ ଉପର ଦେଇ ପଶ୍ଚିମ ବିହାରରୁ ଉତ୍ତର ତେଲେଙ୍ଗାନା ପର୍ଯ୍ୟନ୍ତ ଏକ ଲଘୁଚାପ ଲାଇନ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ୨୧ ତାରିଖ ରବିବାର ମଧ୍ୟାହ୍ନ ସୁଦ୍ଧା ଉତ୍ତର, ଦକ୍ଷିଣ, ଆଭ୍ୟନ୍ତର, ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୩୦-୪୦ରୁ ଆରମ୍ଭ ହୋଇ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଏଥିସହ ବଜ୍ରପାତ, ଘଡ଼ଘଡ଼ି ସହ ଘୂର୍ଣ୍ଣିଝଡ଼ ବା କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି ।

  • ହାଇ ଡେଫିସିଟ ଡ୍ରୋନ କ୍ୟାମେରାରେ ରହିବ ରାଜଧାନୀ

    ହାଇ ଡେଫିସିଟ ଡ୍ରୋନ କ୍ୟାମେରାରେ ରହିବ ରାଜଧାନୀ

    ସାବଧାନ! ରାଜଧାନୀ ଉପରେ ରହିବ ପୋଲିସର ଆଖି। କମିଶନରେଟ ପୋଲିସ, ରାଜଧାନୀକୁ ଅପରାଧ ମୁକ୍ତ କରିବାକୁ ତଥା ରାସ୍ତାକୁ ନିୟନ୍ତ୍ରିତ କରିବା ଲକ୍ଷ୍ୟରେ ଆକାଶ ମାର୍ଗରୁ ଡ୍ରୋନ ଜରିଆରେ ରଖିବ ନଜର। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ। 

    ଭୁବନେଶ୍ୱର ଡିସିପି କହିଛନ୍ତି କି, ରାଜ୍ୟ ରାଜଧାନୀର  ଗଳି କନ୍ଦିରେ ବୁଲୁଥିବା ସନ୍ଦିଗ୍ଧ ଗାଡି ଓ ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ ଏପରି ବ୍ୟବସ୍ଥା ହେବାକୁ ଯାଉଛି। ଏହା ଡ୍ରୋନ ଦ୍ୱାରା ପାଟ୍ରୋଲିଂ ହେବ। ଆକାଶରେ ଏହି ଡ୍ରୋନ ୫ଶହ ମିଟର ଉଚ୍ଚରେ ରହି ମାଟି ଉପରେ ନଜର ରଖିବ। ଆଗକୁ ନିୟୋଜିତ କରିବାକୁ ଥିବା ଡ୍ରୋନ ହାଇ ଡେଫିନେସନ କ୍ୟାମେରା ଖଚିତ ହେବା ସହ ଏହା ୫ କିମି ପରିଧି  ଭିତରେ ହେଉଥିବା ହରକତକୁ କ୍ୟାପଚର କରିବା ମୁଖ୍ୟତଃ ରାଜଧାନୀରେ ବିଭିନ୍ନ ପର୍ବ ପର୍ବାଣୀ, ଆନ୍ଦୋଳନ, ରାଲି ପରି ବିଭିନ୍ନ ଜନ ଗହଳି ସୃଷ୍ଟିକାରୀ ଘଟଣାକ୍ରମରେ ପୋଲିକୁ ସହାୟକ ହେବ ବୋଲି ପ୍ରତୀକ ସିଂହ କହିଛନ୍ତି।

    ସେ ଆହୁରି କହିଛନ୍ତି କି, ବର୍ତ୍ତମାନ କମିଶନରେଟ ପୁଲିସ ପାଖରେ ଗୋଟିଏ ଡ୍ରୋନ ରହିଛି। ଆବଶ୍ୟକ ପଡ଼ିଲେ ଆହୁରି ଡ୍ରୋନ ଅଣାଯାଇ ବ୍ୟବହାର କରିବାର ବ୍ୟବସ୍ଥା କରାଯିବ। ଏଥିପାଇଁ କର୍ମଚାରୀଙ୍କୁ ଟ୍ରେନିଂ ଦିଆଯାଉଛି। ରାଜଧାନୀରେ ହକି ଓ ଫୁଟବଲ ଇଭେଣ୍ଟ ଡ୍ରୋନକୁ ବ୍ୟବହାର କରାଯାଇପାରିବ। କଣ୍ଟ୍ରୋଲ ରୁମ୍‌ରେ ବସି ଇଭେଣ୍ଟ ଉପରେ ନଜର ରଖାଯାଇପାରିବ। ୨୦୨୪ ନିର୍ବାଚନ ସମୟରେ ଡ୍ରୋନ କ୍ୟାମେରା ବ୍ୟବହାର କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।

    ଏପରି ହେଲେ ଭୁବନେଶ୍ୱରର ରାସ୍ତା ଘାଟ ଓ ଗଳି କନ୍ଦିରେ କୌଣସି ଘଟଣା ଘଟିଲେ ଡ୍ରୋନ ଉପରେ ନଜର ରଖିଥିବା କଣ୍ଟ୍ରୋଲ ରୁମକୁ ତୁରନ୍ତ ସୂଚନା ମିଳିବ ଓ ସଠିକ ସମୟରେ ସନ୍ଦିଗ୍ଧ ବ୍ୟକ୍ତିକୁ କାବୁ କରିବାରେ ପୋଲିସ ସଫଳ ହୋଇପାରିବ ବା ବଡ ଧରଣର ଅଘଟଣକୁ ଏଡାଇ ପାରିବ ବୋଲି ଆଶା କରାଯାଉଛି।