Category: ରାଜ୍ୟ ଖବର

  • ମୃତଦେହ ଚିହ୍ନଟରେ ସମସ୍ୟା,ହେବ ଡିଏନଏ ଟେଷ୍ଟ

    ମୃତଦେହ ଚିହ୍ନଟରେ ସମସ୍ୟା,ହେବ ଡିଏନଏ ଟେଷ୍ଟ

    ବାହାନଗା ଟ୍ରେନ୍ ଟ୍ରାଜେଡିକୁ ବିତିଛି ୩ ଦିନ। ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ, ରେଳ ଚଳାଚଳ ମଧ୍ୟ ସ୍ୱାଭାବିକ ହେବାରେ ଲାଗିଛି। କିନ୍ତୁ ମୃତଦେହ ଚିହ୍ନଟିକରଣ ଓ ହସ୍ତାନ୍ତରରେ ଦେଖାଦେଇଛି ସମସ୍ୟା। ଏବେ ମଧ୍ୟ ଅନେକ ମୃତଦେହ ପଡିରହିଛି, ଯାହାକୁ ଚିହ୍ନଟ କରାଯାଇନାହିଁ। ଏହା ବର୍ତ୍ତମାନ ସ୍ଥିତିରେ ସବୁଠାରୁ ବଡ ସମସ୍ୟା ହୋଇ ଠିଆ ହୋଇଛି।
    ସେପଟେ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି। ଭୁବନେଶ୍ୱ ଏମସ ସହ ଅନ୍ୟାନ୍ୟ ହସ୍ପିଟାଲରେ ସମ୍ପର୍କୀୟମାନେ ମୃତଦେହ ନେବାକୁ ଅପେକ୍ଷା କରିଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଛି। ତଥାପି ମଧ୍ୟ ଗୋଟିଏ ମୃତଦେହ ପାଇଁ ଏକାଧିକ ଦାବିଦାର ରହୁଛନ୍ତି, ଯାହା ପ୍ରଶାସନ ପାଇଁ ଚ୍ୟାଲେଂଜ ପାଲଟିଛି। ଗୋଟିଏ ମୃତଦେହ ପାଇଁ ଏକାଧିକ ଦାବିଦାର ଥିବାରୁ ମୃତଦେହ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ କରିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ବିଏମସି କମିଶନର ଅମୃତ କୁଲାଙ୍ଗେ କହିଛନ୍ତି।

    କୁଲାଙ୍ଗେଙ୍କ କହିବା ଅନୁଯାୟୀ, ଭୁବନେଶ୍ୱରକୁ ୧୭୦ଟି ମୃତଦେହ ଆସିଥିଲା। ସେଥିମଧ୍ୟରୁ ୫୦ରୁ ଅଧିକ ମୃତଦେହ ଚିହ୍ନଟୀକରଣ ହୋଇସାରିଛି। ଏହି ମୃତଦେହ ଗୁଡ଼ିକ ପଠାଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। କିନ୍ତୁ ସବୁଠାରୁ ବଡ ସମସ୍ୟା ହେଉଛି କି, ଦୁର୍ଘଟଣାର ତିନି ଦିନ ବିତିଯାଇଥିଲେ ମଧ୍ୟ ଅନେକ ମୃତଦେହକୁ ଚିହ୍ନଟ କରାଯାଇ ପାରିନି। କାରଣ ସେସବୁ ମୃତଦେହ ଏମିତି ସ୍ଥିତିରେ ରହିଛି କି, ତାହାକୁ ଚିହ୍ନଟ କରିବା ସମ୍ଭବ ହେଉନାହିଁ। ତେଣୁ ଚିହ୍ନଟ କରିବାରେ ସମସ୍ୟା ଦେଖାଦେଇଛି।

    ଦୁର୍ଘଟଣାକୁ ୩ ଦିନ ବିତିଗଲାଣି। ତେଣୁ ମୃତଦେହ ପଚିବାର ଆଶଙ୍କା ସୃଷ୍ଟି ହେଲାଣି। ଏଥିପାଇଁ ଦିଲ୍ଲୀରୁ ଆସିଥିବା ସ୍ୱତନ୍ତ୍ର ଡାକ୍ତରୀଦଳ ମୃତଦେହରେ ବିଭିନ୍ନ କେମିକାଲ ଦେଇ ସଂରକ୍ଷିତ ରଖିଛନ୍ତି। ଏହାସହ ଆହତମାନଙ୍କ ଚିକିତ୍ସା ଯୁଦ୍ଧକାଳୀନ ଭତ୍ତିରେ କରାଯାଉଛି।

  • ଦୁର୍ଘଟଣାର କାରଣ ନୁହେଁ ସିଗନାଲ ସମସ୍ୟା: ରେଳବାଇ ବୋର୍ଡ

    ଦୁର୍ଘଟଣାର କାରଣ ନୁହେଁ ସିଗନାଲ ସମସ୍ୟା: ରେଳବାଇ ବୋର୍ଡ

    ବାହାନଗା ରେଳ ଦୁର୍ଘଟଣାକୁ ନେଇ ରେଲୱେ ବୋର୍ଡ ପକ୍ଷରୁ ରବିବାର ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ସେଦିନ କେମିତି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଥିଲା, ତାହା କହିଥିଲେ ବୋର୍ଡ ସଦସ୍ୟ ଜୟା ବର୍ମା ସିହ୍ନା।

    ବୋର୍ଡ ପକ୍ଷରୁ କୁହାଯାଇଛି, ବାହାନଗା ବଜାର ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଷ୍ଟେସନ ଦେଇ ୪ଟି ଲାଇନ ଯାଇଛି। ସେଥିରୁ ଦୁଇଟି ମୁଖ୍ୟ ଲାଇନ ଥିବା ବେଳେ ସେ ଦୁଇଟି ମଝିରେ ରହିଛି। ଦୁଇ ମୁଖ୍ୟ ଲାଇନର କଡ଼ରେ ରହିଛି ଦୁଇଟି ଲୁପ୍ ଲାଇନ। ଦୁର୍ଘଟଣା ଘଟିବା ଦିନ ଉଭୟ ଲୁପ୍ ଲାଇନରେ ଦୁଇଟି ଲୁହା ପଥର ବୋଝେଇ ମାଲଗାଡ଼ି ଛିଡ଼ା ହୋଇଥିଲେ।

    ସେହି ସମୟରେ ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଚେନ୍ନାଇରୁ ହାୱଡା ଅଭିମୁଖେ ଯାଉଥିଲା ଓ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ହାୱଡା ପଟରୁ ଆସୁଥିଲା। ଉଭୟ ଟ୍ରେନ ପାଇଁ ଦୁଇଟି ଯାକ ମୁଖ୍ୟ ଲାଇନରେ ଗ୍ରୀନ୍ ସିଗ୍‌ନାଲ ଦିଆଯାଇଥିଲା। କରମଣ୍ଡଳ ଏକ୍ସପ୍ରେସ ଘଣ୍ଟାପ୍ରତି ୧୨୮ କିଲୋମିଟର ବେଗରେ ଯାଉଥିବା ବେଳେ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ଘଣ୍ଟାପ୍ରତି ୧୨୬ କିଲୋମିଟର ବେଗରେ ଯାଉଥିଲା। ଉଭୟ ଟ୍ରେନର ଘଣ୍ଟା ପ୍ରତି ବେଗ ୧୩୦ କିମି । ତେଣୁ କେହି ଅଧିକ ବେଗରେ ଯାଉ ନଥିଲେ ।

    ବୋର୍ଡ ସଦସ୍ୟ ଜୟା ବର୍ମା ସିହ୍ନା ଆହୁରି କହିଛନ୍ତି, କୌଣସି କାରଣରୁ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ଏହା ଏକ ଲୁପ୍‌ଲାଇନରେ ଥିବା ଲୁହା ପଥର ବୋଝେଇ ଟ୍ରେନ୍‌କୁ ଧକ୍କା ଦେଇଥିଲା। ହେଲେ ସେଥିରେ ଲୁହା ପଥର ଲୋଡ ହୋଇଥିବାରୁ ତାହା ହଲଚଲ ହୋଇନଥିଲା। କିନ୍ତୁ କରମଣ୍ଡଳର ବଗିଗୁଡ଼ିକ ଧକ୍କା ପରେ ଏଣେତେଣେ ପଡ଼ିଥିଲା। କରମଣ୍ଡଳର କିଛି ବଗି ଯାଇ ତୃତୀୟ ଲାଇନରେ ପଡ଼ିଥିଲା ଯେଉଁଥିରେ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ଆସୁଥିଲା। କରମଣ୍ଡଳର କିଛି ବଗି ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସର କିଛି ବଗିରେ ମାଡ଼ ହୋଇଥିଲା। ତେବେ କାବଳ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ଅନ୍ୟ ଟ୍ରେନଗୁଡ଼ିକ ଦୁର୍ଘଟଣାର ଶିକାର ହୋଇନାହାନ୍ତି।

    ସିହ୍ନା ଆହୁରି କହିଛନ୍ତି କି, ସିଗ୍‌ନାଲ ସମସ୍ୟା ଥିବା ଜଣାପଡ଼ିଛି। କିନ୍ତୁ ଏହାକୁ ସିଗନାଲ ଫେଲ୍ୟୁଅର ବୋଲି କହିବା ଠିକ୍ ନୁହେଁ।ସବିଶେଷ ତଥ୍ୟ ତଦନ୍ତ ପରେ ଜଣାପଡ଼ିବ। ତେବେ ଏସବୁ କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୂରା ତଦନ୍ତ ରିପୋର୍ଟ ନଆସିଲା ପର୍ଯ୍ୟନ୍ତ କିଛି କୁହାଯାଇପାରିବ ନାହିଁ।

    ଏଠାର ସୂଚନାଯୋଗ୍ୟ, ରେଳୱେ ବୋର୍ଡର ପ୍ରେସମିଟ ପୂର୍ବରୁ ବାହାନଗାରେ କ୍ୟାମ୍ପ କରି ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରୁଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଛି। ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ ପରିବର୍ତ୍ତନ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଆଉ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।

  • ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ନବୀନଙ୍କ ସହାୟତା ରାଶି ଘୋଷଣା

    ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ନବୀନଙ୍କ ସହାୟତା ରାଶି ଘୋଷଣା

    ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ପରେ ସହାୟତା ରାଶି ଘୋଷଣା ହୋଇଛି । ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ । ସେହିପରି,ଗୁରୁତର ଆହତ ହୋଇଥିଲେ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ । ଏଥିସହ ସମସ୍ତ ଆହତଙ୍କ ଚିକିତ୍ସା ମାଗଣାରେ କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । କେବଳ ଓଡ଼ିଶାବାସୀଙ୍କ ପାଇଁ ଉପଲବ୍ଧ ହେବ । ଯଦି ଓଡ଼ିଆ ହୋଇଥିବେ, ଓଡ଼ିଶାର ବାସିନ୍ଦା ହୋଇଥିବେ ତେବେ ଘୋଷଣା ଅନୁସାରେ ସହାୟତା ରାଶି ମିଳିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ସହାୟତା ରାଶି ଦିଆଯିବ ।

    ବାହାନଗା ରେଳ ଦୁର୍ଘଟଣାକୁ ନେଇ ସମସ୍ତେ ଚିନ୍ତିତ । ସବୁଠି ଶୋକର ଛାୟା, ସମସ୍ତେ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଶୁକ୍ରବାର ରାତିରେ ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା ।

    ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି । ଅନେକ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ୧୧୭୫ ଆହତଙ୍କ ଚିକିତ୍ସା ଜାରି ରହିଛି । ଏଯାଏ ପାଖାପାଖି ୮୦୦ ଜଣଙ୍କୁ ଡିସଚାର୍ଜ କରାଯାଇଛି । ସମସ୍ତଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ସେପଟେ, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ମଧ୍ୟ ରହିଛି ।

  • ଭୁବନେଶ୍ୱର: ରାସ୍ତା ମଝିରେ ଅଘଟଣ, CNG ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍

    ଭୁବନେଶ୍ୱର: ରାସ୍ତା ମଝିରେ ଅଘଟଣ, CNG ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍

    ରାସ୍ତା ମଝିରେ ଅଘଟଣ । CNG ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହୋଇଛି । ଭୁବନେଶ୍ୱର NH-16 ପଳାଶୁଣୀ ଓଭର୍ ବ୍ରିଜ୍ ଉପରେ ଚଳନ୍ତା ଟ୍ୟାଙ୍କରରୁ ଏହି ଗ୍ୟାସ୍ ଲିକ୍ ହୋଇଛି ।

    ସୂଚନା ଅନୁସାରେ ଫିଲିଂ ଷ୍ଟେସନକୁ ଯାଉଥିଲା କମ୍ପାନୀ ଟ୍ୟାଙ୍କର । ତେବେ ଯାଉଥିବା ବେଳେ ରାସ୍ତାରେ ଗାଡ଼ିରୁ ଗ୍ୟାସ୍ ଲିକ୍ ହେଉଥିଲା କିନ୍ତୁ ଡ୍ରାଇଭର ଜାଣିନଥିଲେ । ଗ୍ୟାସ୍ ଲିକ୍ ହେଉଥିବା ନେଇ ଅନ୍ୟ ଗାଡ଼ି ଡ୍ରାଇଭର ସୂଚନା ଦେଇଥିଲେ । ପଳାଶୁଣୀ ରାସ୍ତାରେ ଗାଡ଼ି ଅଟକାଇଥିଲେ ଡ୍ରାଇଭର । ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଞ୍ଚିଥିଲା ।

    ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ପାଣି ପକାଯାଇ ଗ୍ୟାସ୍ ନିୟନ୍ତ୍ରଣ କରାଯାଇଥିଲା । ଏହାପରେ ଏକ୍ସପର୍ଟ ଟିମ୍ ଗ୍ୟାସ୍ ଲିକ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଥିଲେ । ଗ୍ୟାସ୍ ଭଲବ ବନ୍ଦ ପରେ ଟ୍ୟାଙ୍କରକୁ ଅନ୍ୟତ୍ର ପଠାଇଯାଇଛି । ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ଅଞ୍ଚଳରେ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି ଲୋକେ । କାରଣ ଗ୍ୟାସ୍ ଲିକ୍ ହୋଇ ଚାରିଆଡକୁ ବ୍ୟାପିଥିଲେ ନିଆଁ ଲାଗିଯାଇଥାନ୍ତି । ସ୍ଥାନୀୟ ଲୋକେ ବହୁତ ସମସ୍ୟା ଭୋଗିଥାନ୍ତେ । ତେବେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାରୁ ତାହା ଏବେ ନିୟନ୍ତ୍ରଣାଧୀନ ରହିଛି ।

  • ଦୁର୍ଘଟଣାର ମୂଳ କାରଣ ଜଣାପଡିଛି: ରେଳ ମନ୍ତ୍ରୀ

    ଦୁର୍ଘଟଣାର ମୂଳ କାରଣ ଜଣାପଡିଛି: ରେଳ ମନ୍ତ୍ରୀ

    ବାଲେଶ୍ୱର ବାହାନଗା ବଜାର ଷ୍ଟେସନ ନିକଟରେ ହୋଇଥିବା ଟ୍ରେନ ଦୁର୍ଘଟଣା ପାଇଁ ଦେଶ ବ୍ୟାପୀ ରେଳମନ୍ତ୍ରୀଙ୍କ ବିରୋଧରେ ତେଜୁଛି ଅସନ୍ତୋଷ। କାରଣ ଖୋଜି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ସହ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଉଛି। ଏହାରି ଭିତରେ ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଛି ବୋଲି ରବିବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି। ମନ୍ତ୍ରୀ କହିଛନ୍ତି କି, ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ ପରିବର୍ତ୍ତନ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଆଉ ଏଥିପାଇଁ ଦାୟୀ ବ୍ୟକ୍ତିର ଚିହ୍ନଟିକରଣ ସରିଛି।
    ରେଳ ମନ୍ତ୍ରୀ ଆହୁରି କହିଛନ୍ତି କି, ଏହି ଦୁର୍ଘଟଣାର ତଦନ୍ତ ଶେଷ ହୋଇଯାଇଛି। ରେଳ ସେଫ୍ଟି କମିଶନର ତଦନ୍ତ କରିଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତିରେ କିଛି କହିବା ଠିକ ହେବ ନାହିଁ। ଆମେ ସମସ୍ତେ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିବା। ତେବେ ଦୁର୍ଘଟଣାର କାରଣ ଜଣାପଡ଼ିଛି। ଏହି ଘଟଣା ପାଇଁ ଦାୟୀ ଥିବା ଲୋକଙ୍କ ଚିହ୍ନଟ କରାଯାଇଛି।

    କବଚର ଏହି ଦୁର୍ଘଟଣା ସହିତ କିଛି ସଂପର୍କ ନାହିଁ। ଏହି ଘଟଣା ପୂରା ଅଲଗା। ଏଥିରେ ପଏଣ୍ଟ ମେସିନର କଥା ଆସୁଛି। ଇଲେକ୍ଟ୍ରୋନିକ ଇଣ୍ଟରଲକିଂର କଥା ଆସୁଛି। ଇଲେକ୍ଟ୍ରୋନିକ ଇଣ୍ଟରଲକିଂରେ ପରିବର୍ତ୍ତନ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଯେଉଁମାନେ ଏଥିପାଇଁ ଦାୟୀ ତାହା ତଦନ୍ତ ରିପୋର୍ଟ ଆସିବା ପରେ ଜଣାପଡ଼ିବ।

    ସେହିପରି ମନ୍ତ୍ରୀ କହୁଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ତାଙ୍କ ନିର୍ଦ୍ଦେଶ ମୁତାବକ ମରାମତି କାମ ଜୋରସୋରରେ ଚାଲିଛି। ଗୋଟିଏ ଟ୍ରାକର ମରାମତି କାମ ପ୍ରାୟ ଶେଷ ହୋଇଯାଇଛି। ବିଦ୍ୟୁତୀକରଣ କାମ ମଧ୍ୟ ଜୋରସୋରରେ ଚାଲିଛି। ଆଜି ଗୋଟିଏ ଟ୍ରାକକୁ ସ୍ୱାଭାବିକ କରିବାକୁ ପ୍ରୟାସ କରାଯାଉଛି।


    ଦୁର୍ଘଟଣାଗ୍ରସ୍ତ ଟ୍ରେନଗୁଡ଼ିକର ବଗିଗୁଡ଼ିକୁ ରେଳ ଧାରଣାରୁ ହଟାଇ ଦିଆଯାଇଛି। ସମସ୍ତ ମୃତଦେହର ଉଦ୍ଧାର କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଅପରେସନ ତ୍ୱରିତ ବେଗରେ ଚାଲିଛି। ବୁଧବାର ସକାଳ ସୁଦ୍ଧା ପୁନରୁଦ୍ଧାର କାର୍ଯ୍ୟ ଶେଷ କରି ଏହି ରୁଟ୍‌ରେ ଟ୍ରେନ ଚଳାଚଳ ସ୍ୱାଭାବିକ କରିବାକୁ ଚେଷ୍ଟା ଜାରି ରହିଛି।

    ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣାସ୍ଥଳରେ କ୍ୟାମ୍ପ କରି ଅଛନ୍ତି ଓ ପୁନରୁଦ୍ଧାର କାର୍ଯ୍ୟକୁ ନିଜେ ତଦାରଖ କରୁଛନ୍ତି।

  • ଟ୍ରେନ ଦୁର୍ଘଟଣା: ରାଜ୍ୟ ସରକାରଙ୍କ ରିପୋର୍ଟ୍ ଦାଖଲ

    ଟ୍ରେନ ଦୁର୍ଘଟଣା: ରାଜ୍ୟ ସରକାରଙ୍କ ରିପୋର୍ଟ୍ ଦାଖଲ

    ବାହାନଗା ବଜାର ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣାର ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର। ଏହି ତ୍ରିମୁଖୀ ଦୁର୍ଘଟଣାରେ ବେଙ୍ଗାଲୁରୁ- ହାଓଡ଼ା ଏକ୍ସପ୍ରେସ, କରମଣ୍ଡଲ ଏକ୍ସପ୍ରେସ ଏବଂ ବାଲେଶ୍ବର ଜିଲ୍ଲାର ବାହାନଗା ବଜାର ଷ୍ଟେସନରେ ସାମଗ୍ରୀ ଟ୍ରେନ ମଧ୍ୟରେ ଟକ୍କର ହୋଇଥିଲା। ଦୁଇଟି ଟ୍ରେନର ୧୭ଟି ବଗି ଡି-ରେଲ୍ ହୋଇ ଗୁରୁତର କ୍ଷତିଗ୍ରସ୍ତ ହୋଇଛି ।
    ରିପୋର୍ଟରେ ଆହୁରି କୁହାଯାଇଛି କି,ସମସ୍ତ ଆହତ ଓ ମୃତ ଯାତ୍ରୀ ଉଦ୍ଧାର ହୋଇଛନ୍ତି। ଦୁର୍ଘଟଣାରେ ୨୭୫ ପ୍ରାଣହାନୀ ଘଟିଥିବା ବେଳେ ୧୧୭୫ ଆହତ ହୋଇଛନ୍ତି। ସେମାନଙ୍କୁ ସୋରୋ, ବାଲେଶ୍ବର, ଭଦ୍ରକ ଏବଂ କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ୩୩୬ଙ୍କୁ ମୁକ୍ତ କରାଯାଇଛି ଓ ୩୮୨ ଚିକିତ୍ସିତ ହେଉଛନ୍ତି। ୮୮ଟି ମୃତଦେହ ସେମାନଙ୍କ ଆତ୍ମୀୟଙ୍କୁ ହସ୍ତାନ୍ତର କରାଯାଇଛି।
    ଉଦ୍ଧାର କାର୍ଯ୍ୟ ସମ୍ପର୍କରେ କୁହାଯାଇଛି କି, ଉଦ୍ଧାର କାର୍ଯ୍ୟରେ ୯ NDRF ଦଳ, ୫ ODRAF ୟୁନିଟ୍ ଏବଂ ୨୪ ଅଗ୍ନିଶମ ସେବା ଏବଂ ଜରୁରୀକାଳୀନ ୟୁନିଟ୍ ନିୟୋଜିତ ଅଛନ୍ତି । ରାତି ସମୟରେ ଉଦ୍ଧାର କାର୍ଯ୍ୟ ପାଇଁ ଟାୱାର ଆଲୋକ ବ୍ୟବସ୍ଥା କରାଯାଇଥିଲା । ପାରାମେଡିକାଲ୍ କର୍ମଚାରୀଙ୍କ ସହିତ ୧୦୦ରୁ ଅଧିକ ମେଡିକାଲ୍ ଟିମ୍ ଔଷଧ ସହିତ ଚିକିତ୍ସା ପାଇଁ ଏକତ୍ରିତ ହୋଇଥିଲେ। ୨୦୦ରୁ ଅଧିକ ଆମ୍ବୁଲାନ୍ସ ଡାକ୍ତରଖାନା ସ୍ଥାନାନ୍ତର କରିବାରେ ନିୟୋଜିତ ଥିଲେ।
    ସେହିପରି ବିଭିନ୍ନ ଷ୍ଟେସନରେ ଫସି ରହିଥିବା ଯାତ୍ରୀମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା | ୩୦ଟି ବସ୍ ଅଟକି ରହିଥିବା ଯାତ୍ରୀମାନଙ୍କ ପରିବହନ ପାଇଁ ନିୟୋଜିତ ଥିଲା।
    ସରକାର ଆହତଙ୍କ ପାଇଁ ମାଗଣା ଚିକିତ୍ସା ବ୍ୟବସ୍ଥା କରିଛନ୍ତି। ଘରୋଇ ଡାକ୍ତରଖାନାରେ ମଧ୍ୟ ଚିକିତ୍ସା ବ୍ୟବସ୍ଥା କରାଯାଇଛି।
    ମାନ୍ୟବର ମନ୍ତ୍ରୀ, ରାଜସ୍ୱ ଏବଂ ରେଲୱେ ଡିଏମ୍, ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ଏସିଏସ୍ ସର୍ଚ୍ଚ, ଉଦ୍ଧାର ଏବଂ ରିଲିଫ୍ ଅପରେସନ୍ ଉପରେ ନଜର ରଖିବା ପାଇଁ ଦୁର୍ଘଟଣାସ୍ଥଳରେ ଅଛନ୍ତି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସହାୟତା ପାଇଁ ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ଅଛନ୍ତି।

    ପରିବହନ ମାନ୍ୟବର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ପୁରୀ ଏବଂ କଟକରୁ କୋଲକାତାକୁ ମାଗଣା ବସ୍ ସେବା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସମସ୍ତ ଖର୍ଚ୍ଚ ଭରଣା ହେବ।
    ପ୍ରଧାନମନ୍ତ୍ରୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ମାନ୍ୟବର ରେଳବାଇ ମନ୍ତ୍ରୀ ତଥା ମାନ୍ୟବର ଶିକ୍ଷାମନ୍ତ୍ରୀଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି। ସେ ବାଲେଶ୍ୱରର ଜିଲ୍ଲା ହେଡକ୍ୱାର୍ଟର ହସ୍ପିଟାଲରେ ଆହତ ଯାତ୍ରୀଙ୍କୁ ଭେଟିଥିଲେ।
    ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କ ପରିଦର୍ଶନ: ଓଡିଶାର ମାନ୍ୟବର ରାଜ୍ୟପାଳ ପରିଦର୍ଶନ କରିଛନ୍ତି।
    ଦୁର୍ଘଟଣା ସ୍ଥଳ, ସୋରୋ ଏବଂ ବାଲେଶ୍ବରରେ CHCରେ ଆହତ ଯାତ୍ରୀଙ୍କୁ ଭେଟିଥିଲେ ।
    ମୁଖ୍ୟମନ୍ତ୍ରୀ ମଧ୍ୟ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରି ବାଲେଶ୍ବର ଜିଲ୍ଲା ହେଡକ୍ୱାର୍ଟର ହସ୍ପିଟାଲରେ ଆହତ ଯାତ୍ରୀଙ୍କୁ ଭେଟିଥିଲେ।
    ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପରିସ୍ଥିତିର ଆକଳନ କରିବାକୁ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ମୁଖ୍ୟ ସଚିବ ମାନ୍ୟବର ମୁଖ୍ୟମନ୍ତ୍ରୀ ତାମିଲନାଡୁ ସହିତ ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ଆଲୋଚନା କରିଥିଲେ। କର୍ଣ୍ଣାଟକ ଏବଂ ତାମିଲନାଡୁର ମନ୍ତ୍ରୀ ତଥା ବରିଷ୍ଠ ଅଧିକାରୀମାନେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି।

    ମାନ୍ୟବର ମୁଖ୍ୟମନ୍ତ୍ରୀ ୨ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରର ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜୀବ ଭବନଙ୍କ କାର୍ଯ୍ୟାଳୟରେ ମୁଖ୍ୟ ସଚିବ, ବିକାଶ କମିଶନର, 5 ଟି ସଚିବ, ସଚିବ ପରିବହନ ଏବଂ ସଚିବ I & PR ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। ହେଲ୍ପଲାଇନ ନମ୍ବର: ବାଲେଶ୍ୱରରେ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଖୋଲାଯାଇଛି ।ଟେଲିଫୋନ୍ ନମ୍ବର -06782-262286 ।

  • ରେଳସେବା ବାଧାପ୍ରାପ୍ତ ପରେ କୋଲକାତାକୁ ମାଗଣା ବସ୍ ସେବା ଆରମ୍ଭ

    ରେଳସେବା ବାଧାପ୍ରାପ୍ତ ପରେ କୋଲକାତାକୁ ମାଗଣା ବସ୍ ସେବା ଆରମ୍ଭ

    ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ରେଳ ସେବା ବାଧାପ୍ରାପ୍ତ ହୋଇଛି । ସେଥିପାଇଁ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କୋଲକାତାକୁ ମାଗଣା ବସ୍ ସେବା ଆରମ୍ଭ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପୁରୀ, ଭୁବନେଶ୍ୱର ଓ କଟକରୁ କୋଲକାତାକୁ ମାଗଣା ବସ୍ ସେବା ଯୋଗାଇ ଦିଆଯିବ । ଏ ନେଇ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ବହନ କରାଯିବ । ବାଲେଶ୍ୱର ରୁଟରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଏହି ସେବା ଜାରି ରହିବ ବୋଲି ରାଜ୍ୟ ସରକାର କହିଛନ୍ତି ।

    ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ବାଲେଶ୍ୱର ରୁଟରେ ସମସ୍ତ ଟ୍ରେନ୍ ଚଳାଚଳ ଏବେ ବନ୍ଦ ରହିଛି । କୋଲକାତା ଯାଆସ କରିବାକୁ ଲୋକେ ହଇରାଣ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ୩ଟି ସହରରୁ କୋଲକାତାକୁ ମାଗଣା ବସ୍ ସେବା ଯୋଗାଇ ଦିଆଯାଇଛି ।

    ସେପଟେ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ୨୮୮ ନୁହଁ, ୨୭୫ । ଗଣନାରେ ସାମାନ୍ୟ ତ୍ରୁଟି ଥିଲା କିନ୍ତୁ ପରେ ମୃତ୍ୟୁ ସଂଖ୍ୟା ୨୭୫ ବୋଲି ଜିଲ୍ଲାପାଳ ଫାଇନାଲ୍ ରିପୋର୍ଟ ଦେଇଛନ୍ତି । ମୃତଦେହ ଦୁଇ ଥର ଗଣନା ଯାଇଥିବାରୁ ପ୍ରଥମେ ତ୍ରୁଟି ହୋଇଥିଲା । ଭଲ ଭାବେ ଯାଞ୍ଚ ପରେ ଜିଲ୍ଲାପାଳ ରିପୋର୍ଟ ଦେଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ୨୭୫ଟି ମୃତଦେହ ମଧ୍ୟରୁ ୮୮ଟି ଚିହ୍ନଟ କରାଯାଇଥିବା ବେଳେ ୭୮ଟିକୁ ସଂପୃକ୍ତ ପରିବାରଗୁଡ଼ିକୁ ହସ୍ତାନ୍ତର କରାଯାଇଛି। ଆଉ ୧୦ଟି ମୃତଦେହ ହସ୍ତାନ୍ତର କରିବା ପ୍ରକ୍ରିୟା ଜାରି ରହିଛି । ୧୮୭ଟି ମୃତଦେହ ଏଯାଏ ଚିହ୍ନଟ ହୋଇପାରିନି । ସେଗୁଡ଼ିକ ମଧ୍ୟରୁ ୧୭୦ଟିକୁ ଭୁବନେଶ୍ୱର ଅଣାଯାଇଛି । ସେଗୁଡ଼ିକୁ ଏମ୍‌ସ ଓ ଅନ୍ୟ ହସ୍ପିଟାଲରେ ରଖାଯାଇଥିବା ନେଇ ସୂଚନା ମିଳିଛି । ୮୫ଟି ଆମ୍ବୁଲାନ୍ସରେ ମୃତଦେହଗୁଡ଼ିକୁ ଭୁବନେଶ୍ୱର ଅଣାଯାଇଛି ।

  • ରତ୍ନବେଦୀ ଛାଡି ସ୍ନାନବେଦୀରେ ତିନି ଦିଅଁ

    ରତ୍ନବେଦୀ ଛାଡି ସ୍ନାନବେଦୀରେ ତିନି ଦିଅଁ

    ଆଜି ଦେବ ସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ରତ୍ନବେଦୀ ଛାଡି ସ୍ନାନବେଦୀକୁ ଓହ୍ଲାଇ ଆସିଲେଣି ଠାକୁର । ବର୍ଷକରେ ଥରେ ପ୍ରତ୍ୟେକ୍ଷ ସ୍ନାନଯାତ୍ରା ଦେଖିବାର ସୌଭାଗ୍ୟପ୍ରାପ୍ତି ହୁଏ ଭକ୍ତଙ୍କୁ। ସେଥିଲାଗି ଆଜି ବଡଦାଣ୍ଡରେ ଅପେକ୍ଷା କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ରାତି ୨ଟାରୁ ଦଇତାପତି ନିଯୋଗ ତରଫରୁ ଆରମ୍ଭ ହୋଇଥିଲା ନୀତିକାନ୍ତି। ଭୋର ପ୍ରାୟ ୪ଟା୪୫ରେ ମଙ୍ଗଳାର୍ପଣ ନୀତି ପରେ ଆରମ୍ଭ ହୋଇଥିଲା ପହଣ୍ଡି ।

    ପ୍ରଥମେ ସୁଦର୍ଶନ ପରେ ବଡ଼ଠାକୁର, ଦେବୀ ସୁଭଦ୍ରାଙ୍କ ଏବଂ ଶେଷରେ ସ୍ନାନବେଦୀକୁ ଧାଡି ପହଣ୍ଡିରେ ବିଜେ କରିଥିଲେ କଳାଠାକୁର। ସେପଟେ ଅପରାହ୍ନ ପ୍ରାୟ ୨ଟାରେ ହେବ ଗଜାନନ ବେଶ । ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସରିଛି । ସଠିକ ସମୟରେ ଗଜାନନ ବେଶରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ, ସେଵାୟତ ଓ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ଯୋଗୁଁ ଶୃଙ୍ଖଳିତ ଭାବରେ ନୀତି ଚାଲୁ ରହିଛି ।

    ଅନ୍ୟପଟରେ ପ୍ରଚଣ୍ଡ ଗୁଳୁଗୁଳି ସତ୍ତ୍ୱେ ବଡଦାଣ୍ଡରେ ପ୍ରତୀକ୍ଷା କରିଛନ୍ତି ଶ୍ରଦ୍ଧାକୁ । ଭକ୍ତିମୟ ପରିବେଶ ମଧ୍ୟରେ ଜୟ ଜଗନ୍ନାଥ ଧ୍ଵନିରେ ଗଗନ ପବନ ପ୍ରକମ୍ପିତ ହେଉଛି । ମରିଚିକୋଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଲମ୍ବିଛି ସ୍ୱତନ୍ତ୍ର ବ୍ୟାରିକେଡ । ଭକ୍ତଙ୍କ ପାଇଁ ପ୍ରଶାସନ ତରଫରୁ ପାନୀୟ ଜଳର ସୁବିଧା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ଅଗ୍ନିଶମ ବିଭାଗ ପକ୍ଷରୁ ଜଳସିଞ୍ଚନ,ଧାଡି ଭିତରେ ପାଣି ବଣ୍ଟନର ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୬୦ ପ୍ଲାଟୁନ ଫୋର୍ସ, ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ସ୍ନାନଯାତ୍ରା।

  • ଦେଶର ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ଠାରୁ ଭୟଙ୍କର ବାହାନଗା ଦୁର୍ଘଟଣା

    ଦେଶର ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ଠାରୁ ଭୟଙ୍କର ବାହାନଗା ଦୁର୍ଘଟଣା

    ବାହାନଗା ରେଳ ଦୁର୍ଘଟଣାରେ ଅଦ୍ୟାବଧି ମୃତ୍ୟୁ ସଂଖ୍ୟା ୨୮୮ ଥିବାବେଳେ ବଗି ତଳେ କିଛି ଯାତ୍ରୀ ଦବି ରହିଥିବା ସନ୍ଦେହ ରହିଛି । ଏଥିସହ ଅନେକ ଯାତ୍ରୀଙ୍କ ସ୍ଥିତି ଗମ୍ଭୀର ରହିଛି । ତେଣୁ ଏହି ସଂଖ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ସଂଖ୍ୟା ୩୫୦ ଛୁଇଁବାର ଆଶଙ୍କା କରାଯାଉଛି । ଏହାକୁ ଚଳିତ ଦଶନ୍ଧିର ସବୁଠାରୁ ବଡ଼ ରେଳ ଦୁର୍ଘଟଣା କୁହାଯାଉଛି । ତେବେ ୪୨ ବର୍ଷ ତଳେ ବିହାରରେ ହୋଇଥିବା ରେଳ ଦୁର୍ଘଟଣା ଭାରତ ରେଳ ସେବା କ୍ଷେତ୍ରରେ ସବୁଠାରୁ ବଡ଼ ଦୁର୍ଘଟଣା ଥିଲା । ସେହିପରି ବିଭିନ୍ନ ସମୟରେ ବହୁ ରେଳ ଦୁର୍ଘଟଣା ଦେଖିବାକୁ ମିଳିଛି ।

    ୧୯୮୧ ଜୁନ ୬ରେ ବିହାରର ମାନସୀ-ସହରାସା ରେଳ ଦୁର୍ଘଟଣାକୁ ଦେଶର ସବୁଠାରୁ ବଡ଼ ଦୁର୍ଘଟଣା କୁହାଯାଏ। ମାନସୀ-ସହରାସା ରେଳ ଯାତ୍ରା ସମୟରେ ବାଗମତୀ ନଦୀକୁ ଖସିପଡିଥିଲା। ଟ୍ରେନର ୯ଟି ବଗି ପଡିଥିଲା ପାଣିରେ। ଏଥିରେ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ବାଗମତୀ ରେଳ ଦୁର୍ଘଟଣା ପରେ ଆସେ ୧୯୯୫ ଅଗଷ୍ଟ ୨୦ର ଦୁର୍ଘଟଣା।

    https://twitter.com/i/status/1664955553745887244

    ୟୁପିର ଫିରୋଜାବାଦ ନିକଟରେ ପୁରୁଷୋତ୍ତମ ଏକ୍ସପ୍ରେସ ରେଳ ଧାରଣାରେ ଠିଆ ହୋଇଥିବା କାଳିନ୍ଦୀ ଏକ୍ସପ୍ରେସ୍ ଉପରକୁ ମାଡ଼ଯାଇଥିଲା। ଏଥିରେ ୩୫୦ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୧୯୯୮ ନଭେମ୍ବର ୨୬ରେ ଜମ୍ମୁତବୀ ସିୟାଲଦହ ଏକ୍ସପ୍ରେସ ପଞ୍ଜାବ ଖତ୍ରାରେ ଫ୍ରଣ୍ଟିୟର ଗୋଲ୍ଡେନ ଟେମ୍ପୁଲ ମେଲ ଧାରଣାରୁ ୩ ବଗି ତଳକୁ ଖସିପଡିଥିଲା। ଏଥିରେ ୨୧୨ ମୃତ୍ୟୁ ହୋଇଥିଲା ।

    ୨ ଅଗଷ୍ଟ ୧୯୯୯ରେ ଗୈସଲ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବ୍ରହ୍ମପୁତ୍ର ମେଲ ଉତ୍ତର ସୀମାନ୍ତ ରେଳୱେର କାଟିହାର ଡିଭିଜନର ଗୈସଲ ଷ୍ଟେସନରେ ଠିଆ ହୋଇଥିବା ଅବଧ ଆସାମ ଏକ୍ସପ୍ରେସକୁ ଧକ୍କା ଦେବାରୁ ୨୮୫ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୬ରେ ପୁଖରିଆରେ ଇନ୍ଦୋର-ରାଜେନ୍ଦ୍ର ନଗର ଏକ୍ସପ୍ରେସର ୧୪ ବଗି ଟ୍ରାକରୁ ଖସିପଡିଥିଲା। ଫଳରେ ୧୫୨ ପ୍ରାଣହାନୀ ଘଟିଥିଲା। ୨୦୦୨ରେ ଗୟା, ବିହାରଠାରେ ଧାବା ନଦୀକୁ ହାୱାଡା-ରାଜଧାନୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଖସି ପଡ଼ିବାରୁ ୧୪୦ ଜଣଙ୍କ ମୃତ୍ୟୁ ହୋଇଥିଲା।

  • ବାହାନଗୀ ଟ୍ରେନ୍ ଦୁର୍ଘଟଣା; ସବୁଠି ଶୋକ, ସମବେଦନା

    ବାହାନଗୀ ଟ୍ରେନ୍ ଦୁର୍ଘଟଣା; ସବୁଠି ଶୋକ, ସମବେଦନା

    ବାଲେଶ୍ୱର ବାହାନଗୀ ଟ୍ରେନ୍ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ନବୀନଙ୍କୁ ପ୍ରସ୍ତାବ ଦେଇଛନ୍ତି । ଦୁର୍ଘଟଣାରେ ମୃତାହତ ଲୋକଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଆହତ ଲୋକଙ୍କ ଉଦ୍ଧାର ଏବଂ ଚିକିତ୍ସା କ୍ଷେତ୍ରରେ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ପ୍ରସ୍ତାବ ଦେଇଥିଲେ । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଦେଇଛନ୍ତି ।

    ବାଲେଶ୍ୱର ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି । ବିଶ୍ୱନେତାଙ୍କ ଠାରୁ ଆରମ୍ଭ କରି କ୍ରୀଡ଼ାବିତ ଓ ଅଭିନେତା ଶୋକ ପ୍ରକାଶ କରିଛନ୍ତି । ଘଟଣାକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗଭୀର ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି । ଏ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବଗତ କରାଇଛନ୍ତି । ୟୁରୋପିଆନ ୟୁନିଅନ୍ ଅଧ୍ୟକ୍ଷ ଚାର୍ଲସ ମିସେଲ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ, ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ ୱେନ୍ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।

    ସେପଟେ ଅଭିନେତା ସଲମାନ ଖାନ୍,ବିବେକ ଅଗ୍ନିହୋତ୍ରୀ, ଜୁନିଅର ଏନଟିଆର, କ୍ରୀଡ଼ାବିତ୍ ବିରାଟ କୋହଲି ମଧ୍ୟ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।