Category: ରାଜ୍ୟ ଖବର

  • ଜାଣିବା ବାହାନଗା ରୁଟରେ ଆଜି ଓ କାଲି ପାଇଁ କେଉଁ ଟ୍ରେନ୍ ବାତିଲ

    ଜାଣିବା ବାହାନଗା ରୁଟରେ ଆଜି ଓ କାଲି ପାଇଁ କେଉଁ ଟ୍ରେନ୍ ବାତିଲ

    ଶୁକ୍ରବାର ବାଲେଶ୍ୱର ବାହାନଗା ନିକଟରେ ଟ୍ରେନ୍ ଦୁର୍ଘଟଣା ପରେ ସେହି ରୁଟ୍‌ରେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି । ତଥାପି ସବୁ ଟ୍ରେନ୍ ଚଳାଚଳ ହୋଇପାରି ନାହିଁ । ମାଲବାହୀ ଗାଡ଼ି ଓ କିଛି ପାସେଞ୍ଜର ଟ୍ରେନ୍ ଚଳାଚଳ ଆରମ୍ଭ କରିଛି । ଆଜି ଓ କାଲି ଦୁଇ ଦିନି ପାଇଁ କିଛି ଟ୍ରେନ୍ ବାତିଲ ରହିଥିବା ସୂଚନା ଦେଇଛି ରେଳ ବିଭାଗ ।

    ଟ୍ରେନ୍ ଟ୍ରାଜେଡି ପରେ ଟ୍ରେନ୍ ଅପେକ୍ଷାରେ ଥିବା ଅନ୍ୟ ଯାତ୍ରୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ବାହାନଗାରେ ଯୁଦ୍ଧକାଳୀନ ଭିତ୍ତିରେ ଅର୍ଥାତ୍ ଦୀର୍ଘ ୫୦ ଘଣ୍ଟା ନନଷ୍ଟମ ମରାମତି କାମ ହୋଇଥିଲା । ଶେଷରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲେ ସୁଦ୍ଧା ସବୁ ଟ୍ରେନକୁ ଏଯାଏ ଅନୁମତି ମିଳିନାହିଁ । କେବଳ କିଛି ମାଲବାହୀ ଗାଡ଼ି ଏବଂ ପାସେଞ୍ଜର ଟ୍ରେନ୍ ସେହି ରୁଟରେ ଚଳାଚଳ ଆରମ୍ଭ କରିଛି । ଆଜି ଓ କାଲି ଦୁଇଦିନ ଯାଏ ୭୪ଟି ଟ୍ରେନକୁ ବାତିଲ କରାଯାଇଛି ।

    ହାୱଡ଼ା-ସିକନ୍ଦରାବାଦ ଫଲକନାମା, ଭୁବନେଶ୍ୱର-ହାୱଡା ଜନଶତାବ୍ଦୀ,ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ,ଶାଲିମାର-ପୁରୀ ଧଉଳି ଏକ୍ସପ୍ରେସ ସହ ଶାଲିମାର-ହାଇଦ୍ରାବାଦ ଇଷ୍ଟକୋଷ୍ଟ,ହାୱଡା-ଭୁବନେଶ୍ୱର ଜନଶତାବ୍ଦୀ,ଶାଲିମାର-ଚେନ୍ନାଇ କରମଣ୍ଡଳ ସହ ଶାଲିମାର-ପୁରୀ ଜଗନ୍ନାଥ ଏକ୍ସପ୍ରେସ ଭଳି ଟ୍ରେନ୍ ଗୁଡ଼ିକୁ ବାତିଲ୍ କରାଯାଇଛି ।

    ସେହିପରି ଆସନ୍ତାକାଲି ପାଇଁ କିଛି ଟ୍ରେନ୍ ବାତିଲ କରାଯାଇଛି । ଭୁବନେଶ୍ୱର-ହାୱଡା ଜନଶତାଦ୍ଦୀ,ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ,ପାଟନା-ପୁରୀ ଓ ସିଆଲ୍ ଦା-ପୁରୀ ଦୂରନ୍ତ ଏକ୍ସପ୍ରେସ, ପୁରୀ-ଆନନ୍ଦବିହାର ହୋଇଛି । ସେହିପରି ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ,ରିଷିକେଶ-ପୁରୀ ଏକ୍ସପ୍ରେସ ବାତିଲ ରହିଛି । ଦୁର୍ଘଟଣା ଘଟିଥିବା ଅଞ୍ଚଳରେ ଏବେ ଟ୍ରେନର ହାରାହାରି ବେଗ ଘଣ୍ଟାପ୍ରତି ୨୦ କିଲୋମିଟର ଭିତରେ ହିଁ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

    ଗତ ୨ ତାରିଖରେ ଟ୍ରେନ୍ ଦୁର୍ଘଟଣା ପରେ ନନଷ୍ଟପ୍ ମରାମତି କାମ ହୋଇଥିଲା । ପ୍ରଥମେ ମାଲବାହୀ ଟ୍ରେନ୍ ଓ ପରେ ପରେ କିଛି ପାସେଞ୍ଜର ଟ୍ରେନ୍ ପରୀକ୍ଷାମୂଳକ ଭାବେ ଚଳାଚଳ କରୁଛି । ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ମଧ୍ୟ ସେହି ରୁଟ୍‌ରେ ଗଲାଣି । ଆଉ କିଛି ଦିନ ମଧ୍ୟରେ ସବୁ ଟ୍ରେନ୍ ଚଳାଚଳ କରିବ । କିନ୍ତୁ ଦୁର୍ଘଟଣାସ୍ଥଳରେ ଟ୍ରେନର ଗତି ନିୟନ୍ତ୍ରଣାଧୀନ ରହିବ ।

  • ବାହାନଗା ଦୁର୍ଘଟଣାକୁ ନେଇ ଫିଜିକାଲ୍ ଟାମ୍ପରିଂ ସନ୍ଦେହ: ଖୋର୍ଦ୍ଧା DRM

    ବାହାନଗା ଦୁର୍ଘଟଣାକୁ ନେଇ ଫିଜିକାଲ୍ ଟାମ୍ପରିଂ ସନ୍ଦେହ: ଖୋର୍ଦ୍ଧା DRM

    ସମସ୍ତଙ୍କୁ ସ୍ତବ୍ଧ କରିଦେଲା ବାହାନଗା ଟ୍ରେନ୍ ଦୁର୍ଘଟଣା । ଆଖି ପିଛୁଳାକେ ଗଲା ଶହଶହ ଜୀବନ । ସାମାନ୍ୟ ତ୍ରୁଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହେଲା କରମଣ୍ଡଳ ଏକ୍ସପ୍ରେସ୍ । ଏବେ ବି ଜୀବନ ଯୁଦ୍ଧରେ ଅନେକ ଯାତ୍ରୀଙ୍କ ସଂଘର୍ଷ ଜାରି । ସେପଟେ କାହିଁକି ଏବଂ କିପରି ଏତେବଡ଼ ଦୁର୍ଘଟଣା ଘଟିଲା ତାର କାରଣ ଖୋଜୁଛି ରେଳ ବିଭାଗ ।

    କିଏ ପ୍ରକୃତ ଦୋଷୀ । ରେଳ ଡ୍ରାଇଭରଙ୍କ ଭୁଲ୍ ନା ସିଗନାଲ୍ ତ୍ରୁଟି । ଟେକନିକାଲ ଇସ୍ୟୁ ନା ଷ୍ଟେସନ ଷ୍ଟାଫଙ୍କ ଅବହେଳା ସେ ନେଇ ଚାଲିଛି ଖୋଳତାଡ଼ । ଏଭଳି ସ୍ଥିତିରେ ବିସ୍ଫୋରକ ବୟାନ୍ ରଖିଛନ୍ତି ଖୋର୍ଦ୍ଧା ଡିଆରଏମ୍ ରିଙ୍କେଶ ରାୟ । ଫିଜିକାଲ୍ ଟାମ୍ପରିଂ ଯଦି ନହୁଏ ତେବେ ସିଗ୍ନାଲରେ କୌଣସି ଗଡ଼ବଡ଼ ହେବନି । ଏହା ଟେକ୍ନିକାଲ ଇସ୍ୟୁ ନୁହଁ ବୋଲି ରୋକଠୋକ୍ କହିଛନ୍ତି ଡିଆରଏମ୍ । ପ୍ରି କଣ୍ଡିସନ ଠିକ୍ ଥିଲେ ଗ୍ରୀନ୍ ସିଗନାଲ ହେବ । ମେନ୍ ଲାଇନରେ ଥିଲା ଗ୍ରୀନ୍ ସିଗନାଲ । ଯଦି କୌଣସି ତ୍ରୁଟି ଥାଏ ତେବେ ରେଡ୍ ଲାଇଟ୍ ଜଳିବ । କେବେ ଗ୍ରୀନ୍ ସିଗ୍ନାଲ ହେବ ନାହିଁ ବୋଲି ଡିଆରଏମ୍ କହିଛନ୍ତି ।

    ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍ ଯାଉଥିବା ମେନ୍ ଲାଇନରେ ଗ୍ରୀନ୍ ସିଗନାଲ ଥିଲା । ଏହା ଡାଟା ଲକ୍‌ରୁ ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ଡିଆରଏମ୍ । ଏହି କାରଣରୁ ସିଗନାଲକୁ ଫିଜିକାଲି ଟାମ୍ପରିଂ କରାଯାଇଥିବା ସେ ସନ୍ଦେହ କରିଛନ୍ତି । ଏଭଳି ଗଡବଡ ଯୋଗୁଁ ଏତେ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଗଲା ବୋଲି କହିଛନ୍ତି ଖୋର୍ଦ୍ଧା ଡିଆରଏମ୍ ।

    ଗତ ୨ ତାରିଖ ଅର୍ଥାତ ଶୁକ୍ରବାର ସନ୍ଧ୍ୟାରେ ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । କରମଣ୍ଡଳ ଏକ୍ପପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇ ୨୭୫ ଜଣଙ୍କର ମୃତ୍ୟୁ ଘଟିଲା । ଏବେ ଶହଶହ ଲୋକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି । କିଛି ଲୋକ ସୁସ୍ଥ ହେବା ପରେ ମେଡିକାଲରୁ ଡିସଚାର୍ଜ କରାଯାଇଛି । ଏବେ ମୃତଦେହ ଚିହ୍ନଟ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଉଛି ।

  • ପୁରୀ: ଭୋଜି ଖାଇ ଫେରୁଥିଲେ,ବସ୍ ଧକ୍କାରେ ଗଲା ଜୀବନ

    ପୁରୀ: ଭୋଜି ଖାଇ ଫେରୁଥିଲେ,ବସ୍ ଧକ୍କାରେ ଗଲା ଜୀବନ

    ପୁରୀରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ବସ୍ ଧକ୍କାରେ ୩ ଜଣଙ୍କ ଜୀବନ ଯାଇଛି । ପୁରୀ ଓଁକାରେଶ୍ୱର ମନ୍ଦିର ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

    ପୁରୀ ଯାଇ ଜୀବନ ହାରିଲେ ୩ ଜଣ । ମୃତକ ୩ ଜଣ ଗଞ୍ଜାମ ଜିଲ୍ଲା ବାସିନ୍ଦା । ମୃତକମାନେ ଛତ୍ରପୁରର ସତ୍ୟରଞ୍ଜନ ଦାସ ଏବଂ ତାଙ୍କ ସ୍ତ୍ରୀ ଗାୟତ୍ରୀ ଏବଂ ହାଡ଼ଗୋଡ଼ିଆ ସାହିର ରାକେଶ ନନ୍ଦ । ନିର୍ବନ୍ଧ ଭୋଜି ଖାଇବା ପାଇଁ ସମସ୍ତେ ଓଁକାରେଶ୍ୱର ମନ୍ଦିର ଯାଇଥିଲେ । ଭୋଜି ଖାଇ ଖୁସି ମନରେ ଫେରୁଥିଲେ ।

    ତେବେ ରାସ୍ତା ଉପରକୁ ଚଢ଼ୁଥିବା ବେଳେ ଆସିଲା ବିପଦ । ଓଁକାରେଶ୍ୱର ମନ୍ଦିର ନିକଟରେ ସମସ୍ତଙ୍କୁ ଧକ୍କା ଦେଇଥିଲା ବସ୍ । ଏହି ବସ୍ ଧକ୍କାରେ ସମସ୍ତଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ନେଇ ପରିବାର ସମେତ ପୁରା ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି ।

  • କେନ୍ଦୁଝର: ଦାବି ପୂରଣ ପାଇଁ କେନ୍ଦୁପତ୍ର କର୍ମଚାରୀ ସଂଘର ବିକ୍ଷୋଭ

    କେନ୍ଦୁଝର: ଦାବି ପୂରଣ ପାଇଁ କେନ୍ଦୁପତ୍ର କର୍ମଚାରୀ ସଂଘର ବିକ୍ଷୋଭ

    କେନ୍ଦୁଝର ଜିଲ୍ଲାରେ କେନ୍ଦୁପତ୍ର କର୍ମଚାରୀ ସଂଘର ଆନ୍ଦୋଳନ । ପ୍ରଶାସନର ଅବହେଳା ପରେ ସେମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଛନ୍ତି । ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପୁରୁଷ ଓ ମହିଳା କର୍ମଚାରୀମାନେ ପ୍ରତିବାଦ କରିଛନ୍ତି ।

    କେବେ ଦାବି ପୂରଣ ହେବ ଆଉ କେବେ ସମସ୍ୟାର ସମାଧାନ ହେବ । ବିଭିନ୍ନ ଦାବିରେ ଆଜି ଆନ୍ଦୋଳନକୁ ଓହ୍ଲାଇଛି କେନ୍ଦୁପତ୍ର କର୍ମଚାରୀ ସଂଘ । ପ୍ରତିବାଦରେ ସେମାନେ କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ମଧ୍ୟ ଘେରାଉ କରିଥିଲେ । ହାତରେ ପ୍ଲାକାର୍ଡ ଧରି କାଳିପଡ଼ିଆ ଠାରୁ ଶୋଭାଯାତ୍ରାରେ ବାହାରିଥିଲେ ଆନ୍ଦୋଳନକାରୀ । ନିଜର ହକ୍ ପାଇଁ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି । ଶହ ଶହ ପୁରୁଷ ଓ ମହିଳା ଏଥିରେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

    କେନ୍ଦୁପତ୍ର କର୍ମଚାରୀଙ୍କୁ ବୋନସ ପ୍ରଦାନ କରିବାକୁ କହିଛି ସଂଘ । ଦୀର୍ଘ ୫ ବର୍ଷ ହେଲା ସେମାନେଙ୍କୁ ସର୍ବନିମ୍ନ ମଜୁରୀ ମିଳିନଥିବା ଅଭିଯୋଗ ହୋଇଛି । କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର କରିବାକୁ କହିଛି ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ । ଏ ନେଇ କେନ୍ଦୁଝର ଜିଲ୍ଲା ଡିଭିଜନ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ଆନ୍ଦୋଳନକାରୀ ।

    ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା କେନ୍ଦୁପତ୍ର କର୍ମଚାରୀ । ଦାବି ପୂରଣ ନହେଲେ ଆସନ୍ତାଦିନରେ ଆନ୍ଦୋଳନ ଜୋରଦାର କରିବାକୁ ସେମାନେ ଚେତାବନୀ ଦେଇଛନ୍ତି ।

  • ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ସରନ୍ୟା, ମିସ୍ ଟିନ୍ ସୁପର ଗ୍ଲୋବ-୨୦୨୩ରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି

    ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ସରନ୍ୟା, ମିସ୍ ଟିନ୍ ସୁପର ଗ୍ଲୋବ-୨୦୨୩ରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି

    ପୁଣି ନ୍ୟାଶନାଲ ଷ୍ଟେଜରେ ଚମକିଲେ ଓଡିଆ । ତେଲେଙ୍ଗାନାର ହାଇଦ୍ରାବାଦ ଠାରେ ଅନୁଷ୍ଠିତ ମିସ୍ ଟିନ୍ ସୁପର ଗ୍ଲୋବ-୨୦୨୩ ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ୫୨ ଜଣ ପ୍ରତିନିଧି ଭାଗ ନେଇଥିଲେ । ଆଉ ଏହି ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଓଡିଆ ଝିଅ ସରନ୍ୟା ସାମନ୍ତରାୟ ଶୀର୍ଷ ସ୍ଥାନ ଅଧିକାର କରି କେନ୍ଦ୍ରାପଡାକୁ ଗୌରବନିତ କରିବା ସହ ବେଷ୍ଟ ନ୍ୟାସନାଳ କଷ୍ଟ୍ୟୁମ୍ ଆୱର୍ଡ ପାଇଛନ୍ତି ।

    ସରନ୍ୟା ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ରାମନଗରର ପ୍ରଶାନ୍ତ ସାମାନ୍ତରାୟ ଓ ମୋନାଲିଶା ରାଜଗୁରୁଙ୍କ ଝିଅ । ସେ ନିକଟରେ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୱାର୍ଲ୍ଡ ବିୟୁଟି ପ୍ୟାଜେଣ୍ଟରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି । ସରନ୍ୟା ଭୁବନେଶ୍ୱର ସ୍ଥିତ ରାମ ମନ୍ଦିର ନିକଟ ସେଣ୍ଟ ଜୋସେଫ ସ୍କୁଲରେ ନବମ ଶ୍ରେଣୀରେ ପଢୁଛନ୍ତି । ପିଲା ବେଳୁ ଅଭିନୟ ପ୍ରତି ୠଚି ରଖିଥିବା ସରନ୍ୟା ଭବିଷ୍ୟତରେ ନୃତ୍ୟୁ, ଅଭିନୟ ଓ ପ୍ରଶାସନିକ ସେବାରେ ଯୋଗ ଦେବେ ବୋଲି କୁହିଛନ୍ତି ସରନ୍ୟା ।

  • ବାହାନଗା ପରେ ବରଗଡ଼, ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ

    ବାହାନଗା ପରେ ବରଗଡ଼, ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ

    ବାହାନଗା ଦୁଃଖ ନଯାଉଣୁ ପୁଣି ଆଉ ଏକ ରେଳ ଦୁର୍ଘଟଣା ଘଟିଛି । ବରଗଡ଼ ଜିଲ୍ଲା ମେଣ୍ଢାପାଲି ନିକଟରେ ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଟ୍ରେନ୍ ଲାଇନଚ୍ୟୁତ ହେବାରୁ ୫ଟି ଡବା ଓଲଟି ପଡ଼ିଛି । ତେବେ ଏଥିରେ କେହି ମୃତାହତ ହୋଇନାହାଁନ୍ତି ।

    ମାଲବାହୀ ଟ୍ରେନଟି ବରଗଡ଼ ଜିଲ୍ଲା ଡୁଙ୍ଗୁରୀରୁ ଚୂନପଥର ନେଇ ଏସିସି ସିମେଣ୍ଟ କାରଖାନା ଯାଉଥିଲା । ଆଜି ସକାଳେ ଯାଉଥିବା ବେଳେ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଥିଲା । ସେପଟେ ଦୁର୍ଘଟଣା ସହ ଭାରତୀୟ ରେଳ ବିଭାଗର କୌଣସି ସମ୍ପର୍କ ନାହିଁ ।

    ଏଭଳି କହିଛି ପୂର୍ବତଟ ରେଳବାଇ । ମାଲବାହୀ ଟ୍ରେନଟି ଏକ ଘରୋଇ ସିମେଣ୍ଟ କମ୍ପାନୀର । ଟ୍ରେନ୍ ଚଲାଇବା ପାଇଁ ଯାହା କିଛି ଭିତ୍ତିଭୂମିର ଆବଶ୍ୟକତା ରହିଛି ତାହା ସିମେଣ୍ଟ କମ୍ପାନୀ କରିଛି । ସେହି କମ୍ପାନୀ ଭିତ୍ତିଭୂମିର ରକ୍ଷଣାବେକ୍ଷଣ କରୁଥିବା ନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

    ଗତ ୨ ତାରିଖରେ ବାହାନଗାରେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟି ୨୭୫ ଜଣଙ୍କ ମୃତ୍ୟୁ ଘଟିଛି । ଅନେକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା ମଧ୍ୟ ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ସରିଛି । ପରୀକ୍ଷାମୂଳକ ଭାବେ ଟ୍ରେନ୍ ଟ୍ରାକରେ ଗଡ଼ିଛି । ଏଭଳି ସ୍ଥିତିରେ ପୁଣି ରେଳ ଦୁର୍ଘଟଣାକୁ ନେଇ ଚିନ୍ତା ବଢୁଛି ।

  • ଟ୍ରେନ ଟ୍ରାଜେଡ଼ିର ସିବିଆଇ ତଦନ୍ତକୁ ସ୍ୱାଗତ କରିଛି ବିଜେଡି

    ଟ୍ରେନ ଟ୍ରାଜେଡ଼ିର ସିବିଆଇ ତଦନ୍ତକୁ ସ୍ୱାଗତ କରିଛି ବିଜେଡି

    ଟ୍ରେନ ଟ୍ରାଜେଡ଼ିର ସିବିଆଇ ତଦନ୍ତକୁ ସ୍ୱାଗତ କରିଛି ବିଜେଡି । ଦଳର ଉପ ସଭାନେତ୍ରୀ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲିକ ପ୍ରତିକ୍ରିୟା ରଖି କହିଛନ୍ତି ଭଲ ହୋଇଛି ସିବିଆଇକୁ ତଦନ୍ତ ଭାର ଦିଆ ଯାଇଛି । ଯିଏ ଦୋଷୀ ସେ ଦଣ୍ଡ ପାଇବ । ସିବିଆଇ ତଦନ୍ତ ହେଲେ ତ ଲୋକଙ୍କ ଜୀବନ ଫେରି ଆସିବିନି କିନ୍ତୁ ତଦନ୍ତ ହେଲେ ଦୋଷୀ ଧରା ପଡ଼ିବ । ସିବିଆଇ ତଦନ୍ତ କରୁଛନ୍ତି ଠିକ ଜିନିଷ ଧରା ପଡ଼ିବ । ଯେଉଁମାନେ ସମ୍ପୃକ୍ତ ଥିବେ ସେମାନେ ସାମ୍ନାକୁ ଆସିବେ । ନିଶ୍ଚିତ ଭାବେ କିଛି ଭୁଲ ଭଟକା ଯୋଗୁ ଏହି ଘଟଣା ଘଟିଛି ତେଣୁ ଆମେ ସିବିଆଇ ତଦନ୍ତକୁ ସ୍ୱାଗତ କରୁଛୁ ।
    ମଲିକ ଆଗକୁ ଆହୁରି କହିଛନ୍ତି କି, କୌଣସି ମୃତ୍ୟୁ ଲୁଚା ଯାଇନି । ଆମେ ପ୍ରାଣ ପ୍ରଣେ ଉଦ୍ୟମ କରି ସବୁ ଡେଡ଼ ବଡ଼ି ବାହାର କରିଛୁ । ତଥ୍ୟ ଲୁଚେଇ ଆମର କଣ ଲାଭ ହେବ ଯେ ଆମେ ଲୁଚେଇବୁ । ସମସ୍ତେ ତନ ତନ କରି ଦେଖିଛିନ୍ତି । କେଉଁଠି କିଛି ଲୁଚା ଯାଇନି ।


    ରାଜନୀତି କରିବାର ଇଏ ସମୟ ନୁହେଁ । ଅନେକ ଲୋକ ଚିକିତ୍ସିତ ହେଉଛନ୍ତି। ଅନେକ ଲୋକଙ୍କ ଜୀବନ ଯାଇଛି। ଏହି ସଙ୍କଟ ସମୟରେ ସେମାନଙ୍କ ସହ ଛିଡା ହେବାର ଇଏ ସମୟ । ରାଜନୀତି କରିବା ପାଇଁ ବହୁତ ସମୟ ଅଛି। ଯେଉଁମାନେ ଏଇ ଘଟଣାକୁ ନେଇ ରାଜନୀତି କରୁଛନ୍ତି ସେମାନେ ଆଗ ଆହତ ଓ ମୃତ୍ୟୁ ବ୍ୟକ୍ତିଙ୍କ ପରିବାର ସହ ଯାଇକି ଛିଡ଼ା ହୁଅନ୍ତୁ ଆଉ ସାନ୍ତ୍ୱନା ଦିଅନ୍ତୁ । କହିବା ବଦଳରେ ଯାଇ କି କିଛି କରନ୍ତୁ । ଘଟଣା କୁ ନେଇ ରାଜନୀତି ନ କରନ୍ତୁ ବୋଲି ଭାବବିହ୍ୱଳ କଣ୍ଠରେ କହିଛନ୍ତି ମନ୍ତ୍ରୀ ମଲିକ ।


    ଏହା ପୂର୍ବରୁ ରାଜ୍ୟ କଂଗ୍ରେସ ପକ୍ଷରୁ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା। ଏଥିସହ ପିସିସି ସଭାପତି ଶରତ ପଟ୍ଟନାୟକ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ସହ କ୍ଷତି ପୂରଣ ୧୦ ରୁ ୧୫ ଲକ୍ଷ କରିବା, ଓ ଗୁରୁତର ଆହତ ତଥା ପଙ୍ଗୁଙ୍କୁ ବି ଚାକିରି ଦେବା ପାଇଁ ଦାବି ହୋଇଥିଲା। ଏବେ ଦେଶରେ ରେଳ ବିଭାଗରେ ଲକ୍ଷେ ଚାଳିଶ ହାଜର ପଦବୀ ଖାଲି ଅଛି, ତାହା ପୂରଣ କରାଯାଉନି। ଟ୍ରାକ୍ ନବୀକରଣ ହେଉନି। ରେଳ ମନ୍ତ୍ରୀ ସିବିଆଇକୁ ତଦନ୍ ଭାର ଦେଇ ଚାଲାକି ଦେଖାଉଛନ୍ତି। ସିବିଆଇ ତଦନ୍ତ କେବଳ ଅପରାଧିକ ମାମଲାରେ ହୁଏ । ତା ମାନେ ଏହି ମନ୍ତ୍ରାଳୟର କିଛି ଗୋଟେ ଅପରାଧିକ ଘଟଣା ହେଉଥିଲା। ଏଠି ନିଶ୍ଚୟ ଅପରାଧ ହୋଇଛି। ନହେଲେ କାହିଁକି, ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ବୋଲି ପ୍ରଶ୍ନ କରିଥିଲେ ପଟ୍ଟନାୟକ।

  • ୧୭୦ ମୃତଦେହ ଚିହ୍ନଟ, କରମଣ୍ଡଳ ଡ୍ରାଇଭର ଜୀବିତ

    ୧୭୦ ମୃତଦେହ ଚିହ୍ନଟ, କରମଣ୍ଡଳ ଡ୍ରାଇଭର ଜୀବିତ

    ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୭୫ । ଏଯାଏ ୧୭୦ ଜଣଙ୍କ ମୃତଦେହ ଚିହ୍ନଟ ସରିଛି । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ମୃତ ଶରୀର ନେବାକୁ ଆସୁଥିବା ଲୋକଙ୍କୁ ରାଜ୍ୟ ସରକାରଙ୍କ ଖର୍ଚ୍ଚ ଓ ସହଯୋଗରେ ମୃତ ଶରୀର ପଠାଯାଉଛି । ସ୍ଥାନୀୟ ଲୋକଙ୍କ ସହଯୋଗ,ରାଜ୍ୟ ସରକାର, ପ୍ରଶାସନ ତତ୍ପରତା ଏବଂ ପାଖାପାଖି ଜିଲ୍ଲାର ଭିତ୍ତିଭୂମିକୁ ବ୍ୟବହାର କରି ଅନେକ ଜୀବନ ରକ୍ଷା କରାଯାଇଛି ।

    ଦୁର୍ଘଟଣାସ୍ଥଳରେ ବାରମ୍ବାର ଯାଞ୍ଚ ହୋଇଛି । ମୃତ ଶରୀରଗୁଡ଼ିକୁ କିଛି ଦିନ ପର୍ଯ୍ୟନ୍ତ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ଅନେକ ଲୋକଙ୍କ ଜୀବନ ଚାଲିଯାଇଥିବାରୁ ମୃତଦେହ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି ହେଉଛି । ଦୁର୍ଘଟଣାରେ ଶରୀର ଅଧିକ କ୍ଷତିଗ୍ରସ୍ତ ହୋଇଯାଇଥିବାରୁ ମୃତ ଶରୀର ଚିହ୍ନିବା କଷ୍ଟସାଧ୍ୟ ହେଉଛି । ମୃତଦେହ ଚିହ୍ନଟ ପରେ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି ।

    ସେପଟେ, ଆହତମାନଙ୍କ ଚିକିତ୍ସା ଠିକ୍ ଭାବେ ଚାଲିଥିବା ବେଳେ ସେମାନଙ୍କ ପାଇଁ ରକ୍ତର ଅଭାବ ନାହିଁ । କାରଣ ରାଜ୍ୟରେ ସ୍ୱତଃପ୍ରବୃତ୍ତ ଭାବେ ରକ୍ତ ଦେଇ ଚାଲିଛନ୍ତି । ସମସ୍ତଙ୍କ ସହଯୋଗ ଯୋଗୁଁ ପ୍ରାୟ ୧୨ ଶହ ଲୋକଙ୍କ ଜୀବନ ବଞ୍ଚିଗଲା ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି । ସ୍ଥାନୀୟ ଲୋକ, ଅଗ୍ନିଶମ ବାହିନୀ,ଓଡ୍ରାଫ୍ ଟିମଙ୍କ କାମ ସବୁବେଳେ ପ୍ରଶଂସନୀୟ ହୋଇ ରହିବ । ଦୁର୍ଘଟଣାସ୍ଥଳରେ ଆସ୍କା ଲାଇଟ ଏବଂ ବିଭିନ୍ନ ଲାଇଟ୍ ଲଗାଇବା ଦ୍ୱାରା ଉଦ୍ଧାର କାର୍ଯ୍ୟରେ ବେଶ୍ ସହାୟକ ହୋଇଥିଲା ବୋଲି କହିଛନ୍ତି SRC ସତ୍ୟବ୍ରତ ସାହୁ ।

    ସେପଟେ ଦୁର୍ଘଟଣା ପରେ ମେଡିକାଲ ବ୍ୟବସ୍ଥାକୁ ସଙ୍ଗେ ସଙ୍ଗେ ଆକ୍ଟିଭ କରାଯାଇଥିଲା । ପୁଣି ସମସ୍ତଙ୍କ ସାହାଯ୍ୟ ଏବଂ ସହଯୋଗରେ ଶହ ଶହ ଲୋକଙ୍କ ଜୀବନ ରକ୍ଷା ପାଇଲା ବୋଲି କହିଛନ୍ତି ଶିଳ୍ପ ସଚିବ ।

    ଆଗକୁ ଏଭଳି ବଡ଼ ଘଟଣା ଘଟିଲେ ଆମକୁ ଏହି ଅଭିଜ୍ଞତା ଅନେକ ସହାୟକ ହେବ । ଦୁଇଟି ଟ୍ରେନରେ ପ୍ରାୟ ୧୫୦୦ ଲୋକ ଥିଲେ । ସେମାନଙ୍କୁ ଅନ୍ଧାର ଭିତରେ କମ୍ ସମୟରେ ଉଦ୍ଧାର କରିବା ବଡ଼ ଚ୍ୟାଲେଞ୍ଜ ଥିଲା । ସେଥିପାଇଁ ୨୭୫ ଲୋକଙ୍କ ଜୀବନ ଚାଲିଗଲା ବୋଲି କହିଛନ୍ତି ଶିଳ୍ପ ସଚିବ ।

    ସେପଟେ ଭଗବାନଙ୍କ କୃପାରୁ କରମଣ୍ଡଳ ଏକ୍ସପ୍ରେସ ଡ୍ରାଇଭର ଏବେ ବି ଜୀବିତ ଅଛନ୍ତି । ଆହତ ପରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସେ ଜୀବିତ ଅଛନ୍ତି । କରମଣ୍ଡଳ ଏକ୍ସପ୍ରେସ ଡ୍ରାଇଭର କଟକ ୪୨ ମୌଜା ନହରପଡ଼ା ଗାଁ ବାସିନ୍ଦା ।

  • ବାହାନଗା ଦୁର୍ଘଟଣା ପରେ ନନଷ୍ଟପ୍ ମରାମତି, ଟ୍ରାକରେ ଗଡ଼ିଲା ଟ୍ରେନ୍

    ବାହାନଗା ଦୁର୍ଘଟଣା ପରେ ନନଷ୍ଟପ୍ ମରାମତି, ଟ୍ରାକରେ ଗଡ଼ିଲା ଟ୍ରେନ୍

    ଦୀର୍ଘ ୫୦ ଘଣ୍ଟାରୁ ଅଧିକ ସମୟ । ନନଷ୍ଟପ୍ ମରାମତି ପରେ ଶେଷରେ ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳରେ ଗଡ଼ିଛି ଟ୍ରେନ୍ । ଉଭୟ ଅପ୍ ଓ ଡାଉନ୍ ଲାଇନରେ ପରୀକ୍ଷାମୂଳକ ଭାବେ ରେଳ ଚଳାଚଳ ଆରମ୍ଭ ହୋଇଛି । ପାସେଞ୍ଜର ଏବଂ ମାଲବାହୀ ଟ୍ରେନ୍ ଟ୍ରାକରେ ଗଡ଼ିଛି । ଗତକାଲି ଉଭୟ ଟ୍ରାକରେ ମାଲବାହୀ ଟ୍ରେନ୍ ଚଳାଚଳ କରିଥିଲା । ବାଲେଶ୍ୱର ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ଜୋରସୋରରେ ମରାମତି ଚାଲିଥିଲା ।

    ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଥିଲା । ବିଦ୍ୟୁତ ଖୁଣ୍ଟି ଓ ରେଳଧାରଣା ମରାମତି କାମ ଜୋରସୋରରେ କରାଯାଇଥିଲା । ଏହି କାର୍ଯ୍ୟରେ ଏକ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ । ଦୁର୍ଘଟଣା ପରେ କ୍ଷତିଗ୍ରସ୍ତ ଧାରଣା ଏବଂ ୨୧ଟି କ୍ଷତିଗ୍ରସ୍ତ ବଗି ହଟାଯାଇଥିଲା । ୩୦ରୁ ଅଧିକ ବିଦ୍ୟୁତ୍ ଖୁଣ୍ଟି ଭାଙ୍ଗିଥିବା ବେଳେ ତାର ଗୁଡ଼ିକ ଛିଣ୍ଡି ଯାଇଥିଲା । ଏବେ ନୂଆ ବିଦ୍ୟୁତ୍ ଖୁଣ୍ଟି ଲାଗିଛି । ଏଥିସହ ରେଳ ଲାଇନ୍ ମରାମତି କାମ ସମ୍ପୂର୍ଣ୍ଣ ହୋଇଛି ।

    ଗତ ୨ ତାରିଖରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ହୋଇଥିଲା । କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୨୭୫ ଜଣଙ୍କ ମୃତ୍ୟୁ ଘଟିଛି । ଅନେକ ଯାତ୍ରୀ ଏବେ ବି ଗୁରୁତର ଅଛନ୍ତି । ସେମାନଙ୍କ ଚିକିତ୍ସା ଜାରି ରହିଛି । ସରକାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଶବ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ସେପଟେ, ଘଟଣାର CBI ତଦନ୍ତ ଜାରି ରହିଛି ।

    ଆଉ ଏକ ଖବର ଯାହା ଆପଣମାନଙ୍କୁ ଆଶ୍ଚର୍ଯ୍ୟ କରିବ । ୪୮ ଘଣ୍ଟା ପରେ ଜଣେ ଯୁବକଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ଦୁର୍ଘଟଣାସ୍ଥଳ ଠାରୁ କିଛି ଦୂରରେ ତାଙ୍କୁ ଉଦ୍ଧାର କରାଯାଇଛି । ଛିଟିକି ପଡ଼ିଥିବା ବଗିତଳେ ସେ ଫସି ରହିଥିଲେ । ରେଲୱେ ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଉଦ୍ଧାର ଯୁବକ ଆସାମ ଅଞ୍ଚଳର ଧୋଲାଲ ବୋଲି ସୂଚନା ମିଳିଛି ।

  • ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ରାଜ୍ୟ କଂଗ୍ରେସ

    ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ରାଜ୍ୟ କଂଗ୍ରେସ

    ବାହାନଗା ରେଳ ଦୁର୍ଘଟଣା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାୟୀ କରି ତାଙ୍କ ଇସ୍ତଫା ଦାବି କରିଛି ରାଜ୍ୟ କଂଗ୍ରେସ। ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଦାବି ଉପସ୍ଥାପନ କରିଛି ପ୍ରଦେଶ କଂଗ୍ରେସ । ରେଳ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ, ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ସହ କ୍ଷତି ପୂରଣ ୧୦ରୁ ୧୫ ଲକ୍ଷ ଟଙ୍କା ଓ ଗୁରୁତର ଆହତ ଓ ପଙ୍ଗୁ ହୋଇଥିବା ଯାତ୍ରୀଙ୍କୁ ବି ଚାକିରି ଦେବା ପାଇଁ ଦାବି କରିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ।


    ପଟ୍ଟନାୟକ କହିଛନ୍ତି କି, ଦେଶର ରେଳ ବିଭାଗରେ ଲକ୍ଷେ ଚାଳିଶ ହାଜର ପଦବୀ ଖାଲି ଅଛି, ତାହା ପୂରଣ କରାଯାଉନି। କଂଗ୍ରେସ ସମୟରେ ୨୦୧୨ରେ ଆଣ୍ଟି କୋରିଜନ ସିଷ୍ଟମ ହୋଇଥିଲା । ବିଜେପି ସରକାର ଆସିବା ପରେ କେବଳ ଏହାର ନାମ ବଦଳାଇ କବଚ କରିଦେଲା । ହେଲେ ମାତ୍ର ୨ ପ୍ରତିଶତ ଏହି ବ୍ୟବସ୍ଥା ଲାଗୁ ହୋଇଛି। ପୂର୍ବତଟ ରେଳବାଇରେ ଟଙ୍କାଏ ଖର୍ଚ୍ଚ ହୋଇନାହିଁ । ଏ ସମ୍ପର୍କରେ ସିଏଜି ମଧ୍ଯ ରିପୋର୍ଟ୍ ପ୍ରଦାନ କରିଥିଲେ ବି ଏହାକୁ ଚପାଇ ଦେଇଛି । ଟ୍ରାକ୍ ନବୀକରଣ ହେଉନି ବୋଲି ପଟ୍ଟନାୟକ କହିଛନ୍ତି।

    ରେଳ ମନ୍ତ୍ରୀ ସିବିଆଇକୁ ତଦନ୍ତ ଦେଇ ଚାଲାକି ଦେଖାଉଛନ୍ତି। ସିବିଆଇ ତଦନ୍ତ କେବଳ ଅପରାଧିକ ମାମଲାରେ ହୁଏ । ତାମାନେ ଏହି ମନ୍ତ୍ରାଳୟରେ କିଛି ଗୋଟେ ଅପରାଧିକ ଘଟଣା ହେଉଥିଲା। ଏଠି ନିଶ୍ଚୟ ଅପରାଧ ହୋଇଛି। ନହେଲେ କାହିଁକି, ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି?


    ଆଗକୁ ସେ ଆହୁରି କହିଛନ୍ତି କି, ସୋରୋ ଡାକ୍ତରଖାନାରେ ୧୦ ଜଣ ଡାକ୍ତର ଆବଶ୍ଯକ ଅଛନ୍ତି, ହେଲେ ସେଠାରେ କାର୍ଯ୍ୟରତ ମାତ୍ର ୩ ଅଛନ୍ତି । ବାଲେଶ୍ବରରେ ରାତି ଡ୍ୟୁଟି ପାଇଁ ଡାକ୍ତର ନଥିଲେ । ରାଜ୍ଯରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ। ବିଭିନ୍ନ ହସ୍ପିଟାଲରେ ଡ଼ାକ୍ତରଙ୍କ ସହ ନର୍ସଙ୍କର ବି ଘୋର ଅଭାବ ରହିଛି। ରାଜ୍ୟ ସରକାର ଯେଉଁ ତତ୍ପରତା ଦେଖାଇବା କଥା ତାହା ଆମେ ଦେଖିବାକୁ ପାଇଲୁ ନାହିଁ ବୋଲି କହି ଉଦବେଗ ପ୍ରକାଶ କରିଛନ୍ତି ଶରତ ପଟ୍ଟନାୟକ।
    ରେଳ ଦୁର୍ଘଟଣାକୁ ନେଇ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଦୁର୍ଘଟଣାର ହୃଦୟ ବିଦାରକ ଦୃଶ୍ୟ ବର୍ଣ୍ଣନା କରୁଥିବା ବେଳେ ତାଙ୍କ ଆଖି ଲୁହରେ ଛଳ ଛଳ ହୋଇଯାଇଥିଲା। ଶେଷରେ ପ୍ରଦେଶ କଂଗ୍ରେସ ପକ୍ଷରୁ ମୃତକଙ୍କ ପ୍ରତି ନୀରବ ପ୍ରାର୍ଥନା କରାଯାଇଛି।