Category: ରାଜ୍ୟ ଖବର

  • ବାରିପଦା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଅଡୁଆରେ ରାମଚନ୍ଦ୍ର

    ବାରିପଦା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଅଡୁଆରେ ରାମଚନ୍ଦ୍ର

    ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ୱ ସହାୟକ । ଅଡୁଆରେ ମୟୂରଭଞ୍ଜ ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ୱ ସହାୟକ ରାମଚନ୍ଦ୍ର ସେନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ । ଏକକାଳୀନ ବିଭିନ୍ନ ସ୍ଥାନରେ ଛାପା ମାରିଛି ବିଭାଗ ।

    କୁଳିଅଣା ବ୍ଲକ୍ ପଢ଼ିଆରୀପୁରସ୍ଥିତ ୪ ମହଲା କୋଠା, ରଘୁନାଥଗଞ୍ଜରେ ଥିବା ୩ ମହଲା କୋଠା, ଉପଜିଲ୍ଲାପାଳଙ୍କ ଅଫିସ, ରାମଚନ୍ଦ୍ରଙ୍କ ଶ୍ୱଶୁର ଘର ଏବଂ ଶାମାଖୁଣ୍ଟା ବ୍ଲକ ଅଧୀନ ଖଣ୍ଡିଆସ୍ଥିତ ବାସଭବନ ଓ ସମଖୁଣ୍ଟା ତହସିଲଦାରଙ୍କ କାର୍ଯ୍ୟାଳୟ ସମେତ ସେନଙ୍କ ପୁଅଙ୍କ ଅଫିସ୍ ରୁମରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ।

    ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିଲେ ରାମଚନ୍ଦ୍ର ସେନ । ତାଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିବା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା । ଶେଷରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ସର୍ଚ୍ଚ ୱାରେଣ୍ଟ ଜାରି କରିବା ପରେ ରେଡ୍ କରିଛି ଟିମ୍ । ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ୫ ଡିଏସପି, ୭ ଇନ୍ସପେକ୍ଟରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।

  • ପୁରୀ: ୨୦ ତାରିଖରେ ରଥଯାତ୍ରା, ଦର୍ପଦଳନ ରଥ ଅଖରେ ଫାଟ

    ପୁରୀ: ୨୦ ତାରିଖରେ ରଥଯାତ୍ରା, ଦର୍ପଦଳନ ରଥ ଅଖରେ ଫାଟ

    ଆସନ୍ତା ୨୦ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ରଥ କାମ ଶେଷ ପର୍ଯ୍ୟାୟରେ ଥିବାବେଳେ ରଥ ଅଖରେ ଫାଟ ଦେଖାଦେଲାଣି ।


    ଦେବଦଳନ ରଥ ଅଖରେ ଫାଟ ଦେଖାଦେବା ପରେ ଟେନସନ ବଢ଼ିଛି । ରଥ ଅଖରେ ଫାଟ ଅଧିକ ଦିଶୁଛି । ଫାଟ ଥିବାରୁ ଅଖଟି ଦୁର୍ବଳ ଥିବା ଜଣାପଡ଼ିଛି । ସେପଟେ, ଅଖରେ ଥିବା ବଟମ୍ ପ୍ୟାକିଂ ଓ କ୍ଲାମ୍ପ୍ ଫିଟିଂ କରାଯାଇଛି । ଖୁବଶୀଘ୍ର ଦେବଦଳନ ରଥ ମରାମତି କାମ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି ମହାରଣା ସେବକ ।

    ଏହା ଏକ ସାଧାରଣ ଘଟଣା ବୋଲି ସେମାନେ କହିଛନ୍ତି । ଏହାଦ୍ବାରା କୌଣସି ଅସୁବିଧା ହେବ ନାହିଁ ବୋଲି ଦଇତାପତି ସେବାୟତମାନେ କହିଛନ୍ତି । ରଥ ଯାଞ୍ଚ କମିଟି ତଦାରଖ କରିବା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କୁହାଯାଉଛି । ୨୦ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏହାପୂର୍ବରୁ ସୁଭଦ୍ରାଙ୍କ ରଥକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଲାଣି। ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସୁଧାରିବାକୁ ପଦକ୍ଷେପ ନେବା ଲାଗି ସାଧାରଣରେ ଦାବି ହୋଇଛି ।

    ସେପଟେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି । କଳା,ଧଳା,ନାଲି,ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଗତକାଲି ତ୍ରୟୋଦଶୀ ତିଥିରେ ଶ୍ରୀଜିଉଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହୋଇଥିଲା । ଏବେ ରଥ ଖଳାରେ ଚିତ୍ରକର ସେବକ ରଙ୍ଗ କାର୍ଯ୍ୟ ଜାରି ରଖିଥିବା ବେଳେ ଆଜି ପାର୍ଶ୍ବଦେବଦେବୀ ଲଗାଯିବା ସହ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।

  • କେନ୍ଦୁଝର: ଚମ୍ପୁଆ ରେଞ୍ଜରେ ଏକର ଏକର ଧାନ ଫସଲ ନଷ୍ଟ କଲେ ହାତୀପଲ

    କେନ୍ଦୁଝର: ଚମ୍ପୁଆ ରେଞ୍ଜରେ ଏକର ଏକର ଧାନ ଫସଲ ନଷ୍ଟ କଲେ ହାତୀପଲ

    କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ବଢୁଛି ହାତୀପଲଙ୍କ ଉପଦ୍ରବ । କେତେବେଳେ ଫସଲ ତ ଆଉ କେତେବେଳେ ନଷ୍ଟ କରୁଛନ୍ତି ଘରଦ୍ୱାର । ବେଳେବେଳେ ହାତୀ ଆକ୍ରମଣରେ ଜୀବନ ହରାଉଛନ୍ତି ଲୋକେ । ଗାଁ ନିକଟ ଜଙ୍ଗଲରେ ହାତୀପଲ ଡେରା ପକାଇଥିବାରୁ ଭୟଭୀତ ଅଛନ୍ତି ସ୍ଥାନୀୟ ଲୋକେ ।

    କୁଗୁରୁବାର ଅଞ୍ଚଳରେ ବୁଲୁଛନ୍ତି ୨୨ଟି ହାତୀ । ଗାଁ ଲୋକେ ଖରାଟିଆ ଧାନ ଫସଲ କରି ଚିନ୍ତାରେ । କାରଣ ନଷ୍ଟ ହେଉଛି ଏକର ଏକର ଧାନଫସଲ । ବିଲରେ ଧାନ ଖାଇବା ସହ ଦଳ ଚକଟି ଏହାକୁ ସମ୍ପୂର୍ଣ୍ଣ ନଷ୍ଟ କରିଛନ୍ତି ହାତୀ । କେବଳ ଏତିକି ନୁହଁ, ଖରାଦିନ ଥିବାରୁ ଆମ୍ବ, ପଣସ ଖାଇବା ପାଇଁ ଗଛ ଭାଙ୍ଗି ଦେଉଛନ୍ତି । ଗାଁ ନିକଟ ଜଙ୍ଗଲରେ ଡେରା ପକାଇଛନ୍ତି ହାତୀ ପଲ । କେଉଁ ମୁହୂର୍ତ୍ତରେ ଗାଁ ଭିତରେ ପଶିବେ ସେ ନେଇ ଭୟଭୀତ ଅଛନ୍ତି ଲୋକେ ।

    ଗାଁ ନିକଟରେ ହାତୀ ପଲ ଥିବାରୁ ସେମାନଙ୍କ ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । ତୁରନ୍ତ ସେମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି ।

  • ଅସହ୍ୟ ତାତିରେ ଜଳୁଛି ଓଡ଼ିଶା,୨୩ରେ ଛୁଇଁପାରେ ମୌସୁମୀ

    ଅସହ୍ୟ ତାତିରେ ଜଳୁଛି ଓଡ଼ିଶା,୨୩ରେ ଛୁଇଁପାରେ ମୌସୁମୀ

    ରାଜ୍ୟରେ ତାତି ଥମିବାର ନାଁ ନେଉନି । ପଶ୍ଚିମ ଓଡ଼ିଶା ସମେତ ସମଗ୍ର ଓଡ଼ିଶା ଏବେ ଜଳୁଛି । ସମ୍ବଲପୁର, ଝାରସୁଗୁଡ଼ା ଓ ସୋନପୁର ଭଳି ସ୍ଥାନରେ ତାପମାତ୍ର ୪୫ ଡିଗ୍ରି ଟପିଲାଣି । ଉପକୂଳ ଓଡ଼ିଶାର ବହୁ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ରାଜଧାନୀ ଭୁବନେଶ୍ବରର ତାପମାତ୍ରା ବଢୁଥିବା ବେଳେ ଆହୁରି ୪ ଦିନ ଏପରି ପାଗ ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରଜ ପର୍ବ ସରିଥିବା ବେଳେ ମୌସୁମୀ ଓଡ଼ିଶା ଛୁଇଁବାରେ ବିଳମ୍ବ କରିଛି । ହେଲେ ଚଳିତବର୍ଷ ମୌସୁମୀ ଓଡ଼ିଶା ଛୁଇଁବାରେ ବିଳମ୍ବ ହୋଇଛି ।

    ରାଜ୍ୟସାରା ତାତି ଯୋଗୁ ଜନଜୀବନ ଏକପ୍ରକାର ଠପ୍‌ ହୋଇଯାଇଛି । ରାତିର ତାପମାତ୍ରା ମଧ୍ୟ ଅସହ୍ୟ ହୋଇପଡ଼ିଛି । ତାତି ଏବେ କମିବାର ନାହିଁ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଆସନ୍ତା ୧୯ ତାରିଖ ଯାଏ ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ ବୋଲି ବିଭାଗ କହିଛି । ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନ ପାଇଁ ଅଂଶୁଘାତ ୱାର୍ଣ୍ଣିଂ ଜାରି କରାଯାଇଛି ।

    ଅନ୍ୟପଟେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ମଧ୍ୟ ରହିଛି । ଆସନ୍ତା ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ସ୍ବାଭାବିକ ଠାରୁ ୪ରୁ ୭ ଡିଗ୍ରୀ ଯାଏ ଅଧିକ ରହିବ । ଦିନରେ ତାପମାତ୍ରା ଅଧିକ ରହୁଥିବା ବେଳେ ରାତିରେ ମଧ୍ୟ ଏଥିରୁ ନିସ୍ତାର ମିଳିବ ନାହିଁ ବୋଲି ସୂଚନା ମିଳିଛି । ସେପଟେ ରାଜ୍ୟରେ ୨୩ ତାରିଖ ପୂର୍ବରୁ ‌ମୌସୁମୀ ଛୁଇଁବା ସମ୍ଭାବନା ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ଆଜି ରାଜଧାନୀ ସମେତ ଉପକୂଳ ଓଡ଼ିଶାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରିରହିବ । ଆସନ୍ତାକାଲି ତାତି କିଛି ମାତ୍ରାରେ କମିବ ଓ ୧୯ ତାରିଖ ସୁଦ୍ଧା ତାପମାତ୍ରା ୩୯ ଡିଗ୍ରୀ ତଳକୁ ଖସି ଆସିବ ବୋଲି ପାଣିପାଗ ବିଭାଗ କହିଛି ।

  • ଅଭିନବ ଉପାୟରେ ରଜ ପାଳନ କରୁଛି ଜୟ ଓଡ଼ିଶା

    ଅଭିନବ ଉପାୟରେ ରଜ ପାଳନ କରୁଛି ଜୟ ଓଡ଼ିଶା

    ଓଡ଼ିଶାର ଏହି ଗଣପର୍ବ ପାଇଁ ଉତ୍ସବମୁଖର ସାରା ରାଜ୍ୟ। ଗାଁଠୁ ସହର ସବୁଠି ଏହି କୃଷିଭିତ୍ତିକ ପର୍ବ ପାଳନ ପାଇଁ ଆୟୋଜନ ହୋଇଛି ବିଶେଷ କାର୍ଯ୍ୟକ୍ରମ। ଏହାରି ଭିତରେ ରାଜଧାନୀର ଭିନ୍ନ ଭିନ୍ନ ବସ୍ତି ବାସିନ୍ଦାଙ୍କ ନିକଟରେ ସିଧାସଳଖ ପହଞ୍ଚି ଅଭିନବ ଉପାୟରେ ରଜକୁ ପାଳନ କରୁଛି ଜୟ ଓଡ଼ିଶା ସଂଗଠନ। ରଜର ୩ଦିନ ବ୍ୟାପୀ ଭୁବନେଶ୍ୱରର ପ୍ରାୟ ୧୨ଟି ବସ୍ତି ଅଞ୍ଚଳରେ ସଂଗଠନର କର୍ମକର୍ତ୍ତା ପହଞ୍ଚି ସେମାନଙ୍କ ସହ ପାଳନ କରିଛନ୍ତି ରଜ।  ଏହି ଅବସରରେ ଛୋଟ ପିଲାଙ୍କ ପାଇଁ ନୃତ୍ୟ ଗୀତ ସହିତ ବିଭିନ୍ନ ରୋମାଞ୍ଚକର ଖେଳ ପ୍ରତିଯୋଗିତା କରି , ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ  କରାଯାଉଛି।

    ଏଥିସହ ସେମାନଙ୍କ ମଧ୍ୟରୁ ଜଣଙ୍କୁ ରଜ କୁଇନ ମୁକୁଟ ପିନ୍ଧା ଯାଉଛି। ଏହି କାର୍ଯ୍ୟକ୍ରମରେ ଛୋଟ ପିଲାଙ୍କ ବ୍ୟତୀତ ସମସ୍ତ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଖୁବ୍ ଉପଭୋଗ କରୁଛନ୍ତି। ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ, ସଂଗଠନର ସଦସ୍ୟ ମାନେ ଉପସ୍ଥିତ ରହି ଏହାର ସୁପରିଚାଳନା କରୁଛନ୍ତି। ବସ୍ତି ବାସିନ୍ଦାଙ୍କ ମନରେ ପୁଲକ ଭରିଦେବା ସହ  ଛୋଟ ପିଲା ମାନଙ୍କ ମୁହଁରେ ହସ ଫୁଟାଇବାକୁ ତଥା ପିଲାଙ୍କ ଅନ୍ତର୍ନିହିତ ଗୁଣକୁ ଲୋକଲୋଚନକୁ ଆଣିବା ଦିଗରେ ଏକ ଛୋଟ ପ୍ରୟାସ ବୋଲି କହିଛନ୍ତି ଆୟୋଜକ।

    ତେବେ ରାଜ୍ୟର ଏହି ଗଣପର୍ବ ଧୀରେ ଧୀରେ ତାର ଗରିମା ହରାଇ ବସୁଥିବା ବେଳେ ଏହି ପରି ଆୟୋଜନ ଆମ ଆଗାମୀ ପିଢିକୁ ତାର ସଂସ୍କୃତି ଓ ଐତିହ୍ୟ ସହ ଜୋଡି ରଖିବାରେ ସହାୟକ ହେବ ନିଶ୍ଚିତ।

    ଭିଡିଓ ଦେଖିବାକୁ କ୍ଲିକ କରନ୍ତୁ ଏହି ଲିଙ୍କରେ

  • ବ୍ରହ୍ମପୁର: କେମିତି ମଲେ MKCG ଛାତ୍ରୀ ? ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

    ବ୍ରହ୍ମପୁର: କେମିତି ମଲେ MKCG ଛାତ୍ରୀ ? ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

    ବ୍ରହ୍ମପୁର MKCG ମେଡିକାଲ କଲେଜରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ତାଙ୍କ ନାଁ ସୁଭାନୀ ପଟ୍ଟନାୟକ । ସେ ପିଜି ପ୍ରଥମ ବର୍ଷ ଚର୍ମ ବିଭାଗର ଛାତ୍ରୀ ଥିଲେ । ତାଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ । ସେ ହଷ୍ଟେଲରେ ରହୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ତେଣୁ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଦେଖାଦେଇଛି ।

    ଆଜି ସକାଳେ ସାଙ୍ଗମାନେ ହସ୍ପିଟାଲ ଯିବା ପାଇଁ ବାହାରିବା ବେଳେ ତାଙ୍କ ରୁମ୍ ବନ୍ଦ ଥିବା ଦେଖିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଛାତ୍ରୀ ସୁଭାନୀଙ୍କ ବାପାଙ୍କ ବୟାନ ରେକର୍ଡ କରିଛି ପୋଲିସ । ବାପାଙ୍କ ସୂଚନା ଆଧାରରେ ସୁଭାନୀଙ୍କର ମାଇଗ୍ରେନ ସମସ୍ୟା ଥିବା କଥା କହିଛି ପୋଲିସ । ସେଥିପାଇଁ ଛାତ୍ରୀଜଣକ ଔଷଧ ଖାଉଥିଲେ । ଔଷଧର ଓଭରଡୋଜ ଯୋଗୁଁ ସମସ୍ୟା ହୋଇଥାଇପାରେ ବୋଲି ବାପା ଆଶଙ୍କା କରୁଛନ୍ତି । ତେବେ, ସୁଭାନୀ ଜଣେ ଡାକ୍ତରୀ ଛାତ୍ରୀ ହୋଇଥିବାରୁ ଓଭରଡୋଜ କେମିତି ନେଲେ, ସେ ନେଇ ପ୍ରଶ୍ନ ଉଠିଛି ।

    ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏଥିସହ ସୁଭାନୀଙ୍କ ହଷ୍ଟେଲ ରୁମ୍‌ ମଧ୍ୟ ଯାଞ୍ଚ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ସତ୍ୟାସତ୍ୟା ଜଣାପଡ଼ିବ ବୋଲି ପୋଲିସ କହିଛି ।

  • ଯାଜପୁର: ବୁଣାକାରମାନଙ୍କୁ ପ୍ରଶଂସା, ହସ୍ତତନ୍ତ ଶିଳ୍ପର ବିକାଶ ନେଇ CSଙ୍କ ପ୍ରତିଶ୍ରୁତି

    ଯାଜପୁର: ବୁଣାକାରମାନଙ୍କୁ ପ୍ରଶଂସା, ହସ୍ତତନ୍ତ ଶିଳ୍ପର ବିକାଶ ନେଇ CSଙ୍କ ପ୍ରତିଶ୍ରୁତି

    ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଦିନିକିଆ ଯାଜପୁର ଜିଲ୍ଳା ଗସ୍ତ । ଗୋପାଳପୁର ଏବଂ ଚକଗୋପାଳପୁର ଗାଁରେ ଥିବା ବିରଜା ହସ୍ତତନ୍ତ ଉତ୍ପାଦକ କମ୍ପାନୀ ପରିଦର୍ଶନ କରିବା ସହ ସଦସ୍ୟମାନଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟ ସଚିବ ।

    ଯାଜପୁର ଜିଲ୍ଲା ଗସ୍ତ କରି ରସୁଲପୁର ବ୍ଲକ୍ ଅଧୀନ ଗୋପାଳପୁର ଓ ଚକଗୋପାଳପୁର ଗାଁ ଯାଇଥିଲେ ମୁଖ୍ୟ ଶାସନ ସଚିବ । ଜାତୀୟ କୃଷି ଓ ଗ୍ରାମ୍ୟ ଊନ୍ନୟନ ବ୍ୟାଙ୍କ ନାବାର୍ଡର ସହାୟତା, ସଦସ୍ୟସଦସ୍ୟାଙ୍କ ଅଂଶଧନ ରାଶି ବିନିଯୋଗରେ ନିର୍ମିତ ତଥା ନେତାଜୀ ଯୁବକ ସଂଘ ଦ୍ୱାରା ପରିଚାଳିତ ବିରଜା ହସ୍ତତନ୍ତ ଉତ୍ପାଦକ କମ୍ପାନୀ ବୁଲି ଦେଖିଥିଲେ ସିଏସ । ଉତ୍ପାଦକ କମ୍ପାନୀର ଆନୁସଙ୍ଗିକ ଭିତ୍ତିଭୂମି ସୁଦୃଢ଼ୀକରଣ ଦିଗରେ ବୁଣାକାର, ଜିଲ୍ଲାପାଳ ଏବଂ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

    ଗୋପାଳପୁରର ହସ୍ତତନ୍ତ କାରୁକାର୍ଯ୍ୟ ଅତି ପୁରାତନ । ପ୍ରାୟ ୨ ହଜାର ବୁଣାକାର ଘରେଘରେ ବିଭିନ୍ନ ପ୍ରକାର ବସ୍ତ୍ର ତିଆରି କରୁଛନ୍ତି । ଟସର ସୂତାରେ ନିର୍ମିତ ହେଉଛି ଶାଢ଼ୀ,ଷ୍ଟଲ,ଲୁଙ୍ଗି,ବେଡସିଟ୍‌,ଶାଲ,ଧୋତି ଏବଂ ବିଭିନ୍ନ ପ୍ରକାରର ବସ୍ତ୍ର ।

    ଖାଣ୍ଟି ଟସର ଓ ସୂତାରେ ତିଆରି ହେଉଛି ଆକର୍ଷଣୀୟ ବସ୍ତ୍ର । ବୁଣାକାରମାନଙ୍କ ଟସର ହସ୍ତତନ୍ତ ସାମୁହିକ କଳାର ବିକାଶ, କମ୍ ଖର୍ଚ୍ଚରେ କମ୍ ସମୟ ମଧ୍ୟରେ ଅଧିକ ଉତ୍ପାଦନ କରାଯାଇପାରୁଛି । ଏବେ ସୁକିନ୍ଦା ଟସର ଉତ୍ପାଦନ କେନ୍ଦ୍ରରୁ କିଭଳି ଟସର ଯୋଗାଇ ଦିଆଯାଇପାରିବ ସେ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି ।

    ନାବାର୍ଡ ପକ୍ଷରୁ କମ୍ପାନୀକୁ ୫୦ ଲକ୍ଷ ଟଙ୍କା ଅନୁଦାନ ରାଶି ଦିଆଯାଇଛି । କମ୍ପାନୀ ତରଫରୁ ବିଭିନ୍ନ ପ୍ରକାର ଟ୍ରେନିଂ ଯେପରିକି ରଙ୍ଗ ଦେବା, ଡିଜାଇନ କରିବା, ସିଲାଇ ନେଇ ୧୫୦ ଜଣଙ୍କୁ ତାଲିମ ଦିଆଯାଇଛି ।

    ସେମାନଙ୍କ ମଧ୍ୟରୁ ୯୦ ଜଣଙ୍କୁ କମ୍ପାନୀରେ ନିଯୁକ୍ତି ମିଳିଛି । ବିରଜା ହସ୍ତତନ୍ତ ଉତ୍ପାଦକ କମ୍ପାନୀକୁ ସୁଦୃଢ଼ୀକରଣ ପାଇଁ ଟସର ଅଭାବ ପୂରଣ,ବିପଣନ ବ୍ୟବସ୍ଥା, କାର୍ଯ୍ୟକ୍ଷେତ୍ରକୁ ବୃଦ୍ଧି କରାଇବା,ସାମୁହିକ ସହାୟକ କେନ୍ଦ୍ର କାର୍ଯ୍ୟକାରିତା କରିବା ଦିଗରେ ଜିଲ୍ଳାପାଳ ଗୁରୁତ୍ୱାରୋପ କରିଛନ୍ତି ।

    ଯାଜପୁର ଜିଲ୍ଲାରେ ହସ୍ତତନ୍ତ ଶିଳ୍ପର ବିକାଶ ହେଉଥିବାରୁ ବୁଣାକାରମାନଙ୍କୁ ବେଶ୍ ପ୍ରଶଂସା କରିଥିଲେ ମୁଖ୍ୟ ଶାସନ ସଚିବ । ଉଭୟ ଗାଁର ବୁଣାକାରମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାବଲମ୍ବୀ କରିବା ଦିଗରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବେ ବୋଲି ସିଏସ୍ କହିଛନ୍ତି ।

  • ଆଜି ରଜ ସଂକ୍ରାନ୍ତି, ଧୁମଧାମରେ ରଜ ପର୍ବ ପାଳିତ

    ଆଜି ରଜ ସଂକ୍ରାନ୍ତି, ଧୁମଧାମରେ ରଜ ପର୍ବ ପାଳିତ

    ଆଜି ରଜ ପର୍ବର ଦ୍ୱିତୀୟ ଦିନ ମାନେ ରଜ ସଂକ୍ରାନ୍ତି । ଓଡ଼ିଆ ପରମ୍ପରା ଅନୁସାରେ ସବୁଠି ଧୁମଧାମରେ ପାଳିତ ହେଉଛି ରଜ ମହୋତ୍ସବ । ଆଜି ଦ୍ୱିତୀୟ ଦିନରେ ଘରେ ପିଠାପଣାର ଆସର । ପ୍ରସ୍ତୁତ ହୋଇଛି ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ।

    ଯାଜପୁର ବ୍ଲକ୍ ସାହାସପୁର ପଞ୍ଚାୟତରେ ଏହି ପର୍ବର ଟିକେ ନିଆରା ଅନୁଭୂତି । ଗାଁର ମୁରବୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଛି ମଉଜ କାର୍ଯ୍ୟକ୍ରମ । ରଜ ଦୋଳି,ପୁଚି ଖେଳ,ଦୌଡ଼ି ଡିଆଁ,ହୁଳହୁଳି,କାନ୍ଦଣା ଗୀତ, କବାଡ଼ି, ଲୁଡୁ ଓ ତାସ୍ ଭଳି ଖେଳ ଆୟୋଜନ କରାଯାଇଛି ।

    ଖେଳ ମାଧ୍ୟମରେ ରଜ ପରମ୍ପରାକୁ ମନେ ପକାଇବା ଏବଂ ନୂତନ ପିଢ଼ିଙ୍କୁ ଓଡ଼ିଆ ପରମ୍ପରା ସମ୍ପର୍କରେ ଅବଗତ କରିବା ପାଇଁ ଏଭଳି ନିଆରା ଉଦ୍ୟମ କରିଛନ୍ତି ପଞ୍ଚାୟତବାସୀ ।

    ଉପକୂଳ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ଗଣପର୍ବ ରଜ । ଏଥିପାଇଁ ଘରେ ଘରେ ପିଠା,ମିଠାର ଆସର । ଏହା ସାଙ୍ଗକୁ ତାସ,ଲୁଡୁ, ଦୋଳି ଖେଳ ସହ ବିଭିନ୍ନ ପ୍ରକାର ପାନର ସ୍ୱାଦ । ରଜ ଦୋଳି ଖେଳି ବେଶ୍ ମଉଜ କରୁଛନ୍ତି କୁଆଁରୀ ।

    ଯାଜପୁର ଦଶରଥପୁର ବ୍ଲକ୍ ମଙ୍ଗଳପୁରରେ କେବିକେ ଗ୍ରୁପ କଳାକାରଙ୍କ ପକ୍ଷରୁ ମହା ଆଡ଼ମ୍ବରରେ ପାଳିତ ହୋଇଛି ରଜ ମଉଜ । ଏହି ଅବସରରେ ନାଚଗୀତ ସହ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇବାର ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି । ଆଜି ରଜ ପର୍ବର ଦ୍ୱିତୀୟ ଦିନ ।

    ଘରେ ଘରେ ପାଳିତ ହେଉଛି ରଜ ସଂକ୍ରାନ୍ତି । ଆସନ୍ତାକାଲି ରଜ ଉତ୍ସବ ବିଦାୟ ନେବ । ଗାଁଠୁ ସହର ସବୁଠି ରଜ ମହୋତ୍ସବର ମାହୋଲ ।

  • ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ

    ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ

    ଚିନ୍ତା ବଢାଉଛି ହାତୀ ମୃତ୍ୟୁହାର । ଅନେକ ସମୟରେ ଖାଦ୍ୟ ଜଙ୍ଗଲି ପଶୁମାନେ ଗାଁ ଅଭିମୁଖେ ଚାଲି ଆସୁଥିବା ବେଳେ ବ୍ୟାପକ କ୍ଷତି ମଧ୍ୟ କରୁଛନ୍ତି । ହେଲେ ସବୁଠୁ ଦୁଖର କଥା ହେଉଛି ଗାଁ ମୁହାଁ ହେଉଥିବା ଅନେକ ପଶୁଙ୍କ ଅକାଳରେ ବିୟୋଗ ହୋଇଯାଉଛି । ଆଜି ସେମିତି ଏକ ଦୁଖଦ ଖବର ଆସିଛି ବୌଦ୍ଧ ଜିଲ୍ଲା କଣ୍ଟାମଲ ରେଂଞ୍ଜ ଅନ୍ତର୍ଗତ ବରଗାଁ ପଞ୍ଚାୟତରୁ । ସେଠାରେ ଥିବା ଘୁଚାଙ୍ଗି ଜଙ୍ଗଲ ନିକଟରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି ।

    ମିଳିଥିବା ସୂଚନା ମୁତାବକ ବଣୁଆ ହାତୀଟି ଜଙ୍ଗଲ ଛାଡି ଖାଦ୍ୟ ଅନୁସନ୍ଧାନରେ ଜଙ୍ଗଲ ଛାଡି ଗାଁ ଅଭିମୁଖେ ଆସୁଥିତା । ହେଲେ ବାଟରେ ଥିବା ୧୧ କେଭି ବିଦ୍ୟୁତ ତାର ସେହି ହାତୀର ମୃତ୍ୟୁର କାରଣ ପାଲଟିଥିଲା । ଖବର ପାଇ ବନ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ କିଭଳି ଓ କେଉଁ ପରିସ୍ଥିତିରେ ହାତୀଟିର ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ଜଣାପଡିବ ।

  • ଖୁବଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ, ୧୮ରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ବର୍ଷା !

    ଖୁବଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ, ୧୮ରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ବର୍ଷା !

    ମୌସୁମୀ ଓଡ଼ିଶା ଛୁଇଁବାରେ ବିଳମ୍ବ । କୁହାଯାଉଥିଲା ଜୁନ୍ ପ୍ରଥମ ସପ୍ତାହରେ ଏହା ଓଡ଼ିଶା ଛୁଇଁବ । ହେଲେ ଏଥିରେ ଏବେ ବିଳମ୍ବ ହେଲାଣି । ଆସନ୍ତା ୧୮ ତାରିଖରୁ ୨୧ ତାରିଖ ମଧ୍ୟରେ ରାଜ୍ୟକୁ ମୌସୁମୀ ଏଣ୍ଟ୍ରି କରିପାରେ ।

    ମୌସୁମୀ ଅଗ୍ରସର ନେଇ ଏବେ ପାଗ ପୁରା ଅନୁକୂଳ ରହିଛି । ଆସନ୍ତାକାଲି ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ସ୍ଥଳଭାଗ ଛୁଇଁବା ପରେ ସ୍ପଷ୍ଟ ସୂଚନା ମିଳିବ । ଓଡ଼ିଶାକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବ ଯାହାର ପ୍ରଭାବରେ ୧୮ରୁ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହେବ । ବର୍ଷା ଆରମ୍ଭ ପରେ ରାଜ୍ୟ ପାଣିପାଗରେ ଧୀରେ ଧୀରେ ପରିବର୍ତ୍ତନ ହେବ ।

    ସେପଟେ ୧୮ ତାରିଖ ଯାଏ ଯାଏ ପଶ୍ଚିମ ଓଡ଼ିଶାରେ ସିଭିୟର ହିଟୱେଭ ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସ୍ବାଭାବିକ ଠାରୁ ୬.୫ ଡିଗ୍ରୀ ଉପରେ ପାରଦ ରହିବା ନେଇ ପୂର୍ବାନୁମାନ କରିଛି ବିଭାଗ । ବୌଦ୍ଧ,ବଲାଙ୍ଗିର,ସୋନପୁର, ସମ୍ବଲପୁର,ବରଗଡ଼,ଝାରସୁଗୁଡ଼ାକୁ ସତର୍କତା ଜାରି କରାଯାଇଛି । ୧୬ ତାରିଖରୁ ଉପକୂଳରେ ବି ତାତି ବଢ଼ିବ । ତେଣୁ ପ୍ରବଳ ତାତି ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିବ । ଦିନ ସହ ରାତି ତାପମାତ୍ରାରେ ବୃଦ୍ଧି ଘଟିବ । ତାତି ବଢ଼ିବା ଆଶଙ୍କା ଥିବାରୁ ସମ୍ବଲପୁର,ବରଗଡ଼,ଝାରସୁଗୁଡ଼ା,ବଲାଙ୍ଗିର ଓ ବୌଦ୍ଧକୁ ଚେତାବନୀ ଦିଆଯାଇଛି । ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୪.୫ ଡିଗ୍ରୀ ଉପରେ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।