Category: ରାଜ୍ୟ ଖବର

  • ରାଜ୍ୟରେ ନିଆଁ ବର୍ଷା, ଅସହ୍ୟ ତାତି ସହ ଗୁଳୁଗୁଳି

    ରାଜ୍ୟରେ ନିଆଁ ବର୍ଷା, ଅସହ୍ୟ ତାତି ସହ ଗୁଳୁଗୁଳି

    ରାଜ୍ୟରେ ନିଆଁ ବର୍ଷା । ଅସହ୍ୟ ତାତି ସହ ଗୁଳୁଗୁଳି । ଆଜି ଦିନ ୧୧.୩୦ ସୁଦ୍ଧା ୩ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍ ହୋଇଛି । ସମ୍ବଲପୁର ଓ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେଠାରେ ତାପମାତ୍ରା ଥିଲା ୪୨.୬ ଡିଗ୍ରୀ । ହୀରାକୁଦରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୩୯.୮ ଡିଗ୍ରୀ, କେନ୍ଦୁଝରରେ ୩୯ ଡିଗ୍ରୀ ରେକର୍ଡ କରାଯାଇଛି । ଗୋପାଳପୁରରେ ୭୯ ପ୍ରତିଶତ ଆର୍ଦ୍ରତା ରେକର୍ଡ ହୋଇଥିବା ବେଳେ ପୁରୀରେ ୭୬% ଆର୍ଦ୍ରତା ରେକର୍ଡ କରାଯାଇଛି । ଝାରସୁଗୁଡ଼଼ାରେ ସବୁଠୁ ଅଧିକ ତାତି ଥିବାବେଳେ ୨୬ ପ୍ରତିଶତ ଆର୍ଦ୍ରତା ଥିବା ସୂଚନା ମିଳିଛି ।

    ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସିଭିୟର ହିଟଓ୍ବେଭ୍ ପାଇଁ ପଶ୍ଚିମ ଓଡ଼ିଶାକୁ ଆଲର୍ଟ କରାଯାଇଛି । ସେହିପରି ୧୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ଆହୁରି ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଜାରି ରହିବ । ଦିନବେଳା ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତଳି ହେ ରାଜ୍ୟବାସୀ ।

    ସେପଟେ, କାଳବୈଶାଖୀ ଜନିତ ଝଡ଼ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ ଜିଲ୍ଲାରେ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଥିବା ବେଳେ ୯ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କୋରାପୁଟ, ମାଲକାନଗିରି, କେନ୍ଦୁଝର,ମୟୂରଭଞ୍ଜ,ବାଲେଶ୍ୱର,ଭଦ୍ରକ ଭଳି ୬ଟି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ଘୂର୍ଣ୍ଣିଝଡ଼ ହୋଇପାରେ । ଏଥିସହ ୯ଟି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ଝଡ଼ବର୍ଷା କିମ୍ବା ବଜ୍ରପାତ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

  • ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପାଇଁ ଜଗନ୍ନାଥ ସେନା ପକ୍ଷରୁ ଦାବି

    ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପାଇଁ ଜଗନ୍ନାଥ ସେନା ପକ୍ଷରୁ ଦାବି

    ମଙ୍ଗଳବାର ଘୋଷଯାତ୍ରା ପାଇଁ ବେଶ୍ ଚଳଚଞ୍ଚଳ ରହିଛି ଶ୍ରୀକ୍ଷେତ୍ର ପୁରୀ । ମହାପ୍ରଭୁ ପ୍ରାୟ ୧୨ ଦିନ ଯାଏ ଶ୍ରୀମନ୍ଦିର ରତ୍ନ ସିଂହାସନ ଛାଡ଼ି ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ଏଭଳି ସ୍ଥିତିରେ କିଛି ଦାବି ଉପସ୍ଥାପନ କରିଛି ଜଗନ୍ନାଥ ସେନା । ରତ୍ନଭଣ୍ଡାର କାର୍ଯ୍ୟ ମରାମତି ପାଇଁ ଏହା ପ୍ରକୃଷ୍ଠ ସମୟ । ତେଣୁ ଏହି ସମୟରେ ପ୍ରତ୍ନତତ୍ତ୍ୱ ବିଭାଗ, ଶ୍ରୀମନ୍ଦିର ଭିତରେ ସମସ୍ତ କାର୍ଯ୍ୟର ତଦାରଖ କରିପାରିବ ।

    ତେଣୁ ରତ୍ନଭଣ୍ଡାର ମରାମତିରେ କୌଣସି ପ୍ରତିବନ୍ଧକ ନାହିଁ । ଖୁବଶୀଘ୍ର ମରାମତି ଓ ଗଣତି ପାଇଁ ଦାବି ହୋଇଛି । ଭକ୍ତମାନଙ୍କ ପାଇଁ ଧର୍ମ,ଅର୍ଥ,କାମ,ମୋକ୍ଷ ଚାରି ଦୁଆର ଖୋଲାଯାଉ ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛି ଜଗନ୍ନାଥ ସେନା । ସ୍ୱଚ୍ଛ ରଥଯାତ୍ରା ଅଭିଯାନରେ ଶ୍ରୀଜଗନ୍ନାଥ ସେନା ସାମିଲ ହେବ । ଏଥିସହ ରଥଯାତ୍ରା ସମୟରେ ସମୁଦ୍ରକୂଳ ସଫାସୁତୁରା ରଖିବାକୁ ପ୍ରତିଶ୍ରୁତି ଦେଇଛି ଜଗନ୍ନାଥ ସେନା ।

    ଏହି ଦାବିଗୁଡ଼ିକ ସହ ରୁପାଇଟା ଶ୍ରୀମନ୍ଦିରକୁ ଫେରିବା, ଦଶଅବତାର ମୂର୍ତ୍ତି ସିଂହଦୁଆରେ ଲାଗିବା, ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟର ଡିପିଆର ପ୍ରକାଶ କରିବା, ରଥଚକ ଦାନ କରିବା, ପବିତ୍ର ପୁରୀ ଗର୍ବ ଆମରୀ ଲେଖିବା ବଦଳରେ ପବିତ୍ର ପୁରୀ ଗୌରବ ଆମରୀ ଲେଖିବା ଭଳି ଦାବି ପୂରଣ ପାଇଁ କହିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।

  • ଘୋଷଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି, ଟ୍ରାଫିକ ନିୟନ୍ତ୍ରଣ ପାଇଁ ସୁବ୍ୟବସ୍ଥା

    ଘୋଷଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି, ଟ୍ରାଫିକ ନିୟନ୍ତ୍ରଣ ପାଇଁ ସୁବ୍ୟବସ୍ଥା

    ଆସନ୍ତା ମଙ୍ଗଳବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ । ଭକ୍ତଙ୍କ ପ୍ରବଳ ଭିଡ଼ ଜମିବ । ସେମାନଙ୍କ ସୁରକ୍ଷା କେମିତି ହେବ ସେ ନେଇ ପୂର୍ବ ପ୍ରସ୍ତୁତି ହୋଇଛି । ପୁରୀରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସୁବ୍ୟବସ୍ଥା କରାଯାଇଛି । ଏଥିପାଇଁ ୪୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି । ୨୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ ପୁରୀବାସୀଙ୍କ ସହଯୋଗରେ ଟ୍ରାଫିକ ଭଲ ଭାବେ ନିୟନ୍ତ୍ରଣ ହେବ ବୋଲି ଆଶା ରହିଛି । ସ୍ଥାନୀୟ ଲୋକଙ୍କ ସହଯୋଗରେ ରଥଯାତ୍ରା ଭଲଭାବରେ ଶେଷ ହେବା ବୋଲି କହିଛି ପ୍ରଶାସନ । ଭଲ୍ୟୁଣ୍ଟିଅର ଭାବେ ପ୍ରତି ସାହିରେ ଜଣେ ସ୍ଥାନୀୟ ଲୋକଙ୍କୁ ମୁତୟନ କରାଯିବ । ସାତସାହିବାସୀଙ୍କ ପାଇଁ ସେମିତି କୌଣସି କଟକଣା ନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

    ପୁରୀ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ୍ ନିୟନ୍ତ୍ରଣକୁ ୩ ଭାଗରେ ବିଭକ୍ତ କରାଯାଇଛି । କୁମ୍ଭାରପଡ଼ା ଥାନାରେ ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି । ସେହିପରି ଟୁରିଷ୍ଟ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବାକୁ ଥିବାବେଳେ କୋଣାର୍କ ଆଡ଼ୁ ଆସୁଥିବା ଗାଡ଼ି ତାଳବଣିଆରେ ରହିବ । ତାଳବଣିଆର ୬ ପାର୍କିଂ ପ୍ଲେସରେ ରହିବ ୪ ଚକିଆ ଗାଡ଼ି । ବ୍ରହ୍ମଗିରି ଆଡ଼ୁ ଆସୁଥିବା ଗାଡ଼ି ଲୋକନାଥ ମନ୍ଦିର ପାଖେ ରହିବ ବୋଲି କହିଛି ପ୍ରଶାସନ ।

    ସେହିପରି ଆମ୍ବୁଲାନ୍ସ ପାଇଁ ଇ-କରିଡର ବ୍ୟବସ୍ଥା ଓ ଜରୁରୀ ସେବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ୟବସ୍ଥା ହୋଇଛି । ସ୍ବର୍ଗଦ୍ବାରକୁ ଆସୁଥିବା ଲୋକଙ୍କ ପାଇଁ ବ୍ୟବସ୍ଥା ହୋଇଛି । ସେହିପରି ଦୁଇ ଚକିଆ ଗାଡ଼ି ଜଗନ୍ନାଥବଲଭ ପାର୍କିଂରେ ରହିବାକୁ ନିଷ୍ପତ୍ତି ହୋଇଛି । ମାଟିତୋଟା କ୍ରିକେଟ୍ ଫିଲ୍ଡ, ମଶାଣି ଚଣ୍ଡୀରେ ରହିବ ସବୁ ବାଇକ୍ । ଭିନ୍ନକ୍ଷମ ଓ ବୟସ୍କଙ୍କ ପାଇଁ ମାଗଣା ଇ-ଯାନ ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ତଥା ସାହାଯ୍ୟ ଓ ସହଯୋଗ ପାଇଁ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛି ପୋଲିସ ।

  • ଯାଜପୁର: ପୋଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା, ଆରଟିଆଇ କର୍ମୀଙ୍କ ବିକ୍ଷୋଭ

    ଯାଜପୁର: ପୋଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା, ଆରଟିଆଇ କର୍ମୀଙ୍କ ବିକ୍ଷୋଭ

    ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଦୁର୍ନୀତିକୁ ବିରୋଧ କରୁଥିବା ସୂଚନା ଅଧିକାର କର୍ମୀଙ୍କ ଉପରେ ଆକ୍ରମଣ ପରେ ଜୋରଦାର ବିରୋଧ ହୋଇଛି । ପୋଲିସ ଜାଣିଶୁଣି ରାଜନୈତିକ ଚାପରେ ସୂଚନା ଅଧିକାର କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ଅଭିଯୋଗ ହୋଇଛି ।

    ପୋଲିସ ଉପରେ ରାଜନୈତିକ ଚାପ ରହୁଛି । ଦୁର୍ନୀତି ବିରୋଧରେ ଆନ୍ଦୋଳନ କଲେ କି ପ୍ରତିବାଦ କଲେ ଆକ୍ସନ ନେଉଛି ପୋଲିସ । ବିନା କାରଣରେ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି । ପୂର୍ବରୁ ଦୁର୍ନୀତି ବିରୋଧରେ ଲଢ଼େଇ କରୁଥିବା ଆରଟିଆଇ କର୍ମୀ ସୀମାନ୍ତ ପାତ୍ରଙ୍କ ସମେତ ବହୁ କର୍ମୀଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇଛି । ଏବେ ଧର୍ମଶାଳାର ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

    ଏହାର ପ୍ରତିବାଦରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନଙ୍କ ନେତୃତ୍ୱରେ ବାହାରିଥିଲା ପ୍ରତିବାଦ ଶୋଭାଯାତ୍ରା । କିଆନାଳୀ ଛକରୁ ଜିଲ୍ଲାପାଳ ଅଫିସ ଯାଏ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଶତାଧିକ ଆରଟିଆଇ କର୍ମୀ । ବିନା କାରଣରେ ଏଭଳି ପଦକ୍ଷେପକୁ ନିନ୍ଦା କରାଯାଇଛି । ପୋଲିସର ଏଭଳି ଉଦ୍ୟମ ବନ୍ଦ ହେବା ଆବଶ୍ୟକ ବୋଲି ବିକ୍ଷୋଭକାରୀ କହିଛନ୍ତି । ଏ ନେଇ ସେମାନେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

  • ଯାଜପୁର: ଦାବି ପୂରଣ ପାଇଁ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

    ଯାଜପୁର: ଦାବି ପୂରଣ ପାଇଁ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

    ରାଜ୍ୟସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଆନ୍ଦୋଳନ । ଦାବି ପୂରଣ କର ନଚେତ ଆମେ ଆନ୍ଦୋଳନରୁ ଓହରିବୁ ନାହିଁ । ଗ୍ରେଡ୍ ପେ ୪୨୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ସେମାନେ ଦାବିକରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

    ଯାଜପୁର ଜିଲ୍ଲାରେ ଅମଲା ମଞ୍ଚ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ । ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଦରମା ନିର୍ଦ୍ଧାରଣ କରାଯାଉ । ଏଥିସହ ବେସିକ ଦରମା ୧୯୦୦ରୁ ୪୨୦୦କୁ ବୃଦ୍ଧି କରିବା ପାଇଁ ଜିଦ୍ ଧରିଛି ରାଜ୍ୟ ଅମଲା ସଂଘ । ରାଜ୍ୟ ଅମଲା ସଂଘର ଆହ୍ୱାନକ୍ରମେ ଗତ ୧ ତାରିଖରୁ ସାରା ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି । ସେମାନଙ୍କ ଆନ୍ଦୋଳନ ଯୋଗୁଁ ଯାଜପୁର ଜିଲ୍ଲାରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଜିଲ୍ଲାପାଳ ଅଫିସ ପରିସରରେ ସେମାନେ ଜୋରଦାର ପ୍ରତିବାଦ କରିଛନ୍ତି ।

    ବାରମ୍ବାର ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦିଆଯାଉଛି । ହେଲେ ଏଯାଏ ଦାବି ପୂରଣ ହେଉନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି । ତେଣୁ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।

  • ଯାଜପୁର: ରାଜନୈତିକ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ୫ ଗୁରୁତର

    ଯାଜପୁର: ରାଜନୈତିକ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ୫ ଗୁରୁତର

    ଯାଜପୁର ବ୍ଳକ୍ ଏରବାଙ୍କ ଅଞ୍ଚଳରେ ଗଣ୍ଡଗୋଳ । ରାଜନୈତିକ ଶତ୍ରୁତାକୁ ନେଇ ଆକ୍ରମଣ । ଯାଜପୁର ଜିଲ୍ଲାର ୩୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବିନୋଦ କୁମାର ମାଝିଙ୍କ ପରିବାରକୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

    ଆକ୍ରମଣରେ ବିନୋଦଙ୍କ ପରିବାରର ୩ ଜଣ, ଗ୍ରାମରକ୍ଷୀ ଏବଂ ବିପକ୍ଷ ଗୋଷ୍ଠୀର ଜଣେ ଗୁରୁତର ଆହତ ହୋଇଛନ୍ତି । ରାଜନୈତିକ ପୂର୍ବ ଶତ୍ରୁତାକୁ ନେଇ ଜିଲ୍ଲା ପରିଷଦ ସଭ୍ୟଙ୍କୁ ବିପକ୍ଷ ଗୋଷ୍ଠୀର କିଛି ଲୋକ ରାସ୍ତାରେ ଥଟ୍ଟାମଜା କରିଥିଲେ । ତେବେ ଘଟଣା ଗ୍ରାମରକ୍ଷୀଙ୍କ ଜରିଆରେ ସମାଧାନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ଯୁକ୍ତିତର୍କ ଶେଷ ସୀମାରେ ପହଞ୍ଚିବା ପରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପରିବାର ଉପରେ ୩୦ରୁ ଅଧିକ ଲୋକ ସଂଘବଦ୍ଧ ଆକ୍ରମଣ କରିଥିଲେ ।

    ଏଥିରେ ତାଙ୍କ ସାନ ଭାଇ ପ୍ରଶାନ୍ତ,ବଡ଼ବାପା ନାରାୟଣ ଓ ବାପା ବୀର କିଶୋରଙ୍କ ସହ ଗ୍ରାମରକ୍ଷୀ ସୁରେନ୍ଦ୍ର ମଲ୍ଲିକ ଗୁରୁତର ହୋଇଥିଲେ । ଆକ୍ରମଣକାରୀଙ୍କ ପକ୍ଷରୁ ବ୍ରଜ କିଶୋର ମଲ୍ଲିକ ମଧ୍ୟ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

  • ମାହାଙ୍ଗା: ବରାହୀପୁରରେ ଶ୍ୱାସରୁଦ୍ଧ ହୋଇ ଶିଶୁର ମୃତ୍ୟୁ !

    ମାହାଙ୍ଗା: ବରାହୀପୁରରେ ଶ୍ୱାସରୁଦ୍ଧ ହୋଇ ଶିଶୁର ମୃତ୍ୟୁ !

    କାର୍‌ ଭିତରେ ଶ୍ୱାସରୁଦ୍ଧ ହୋଇ ୫ ବର୍ଷୀୟ ଶିଶୁର ଜୀବନ ଯାଇଛି । କଟକ ଜିଲ୍ଲା ମାହାଙ୍ଗା ଥାନା ବରାହୀପୁରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବରାହୀପୁର ଗାଁର ସୁବାସ ଚନ୍ଦ୍ର ସ୍ୱାଇଁଙ୍କ ଘର ଆଗରେ ଏହି କାର୍‌ ଥିବାବେଳେ ଅଘଟଣ ଘଟିଛି । ସୁବାସଙ୍କ ପାଞ୍ଚ ବର୍ଷୀୟ ପୁଅ ସତ୍ୟବ୍ରତ, କାର୍‌ ଚାବି ଆଣି ଡୋର୍‌ ଖୋଲିଥିଲା । ଗାଡ଼ି ଭିତରେ ପଶିବା ପରେ ଆଉ ବାହାରିପାରି ନଥିଲା । ଶିଶୁଟି ସେଇ କାର୍‌ ମଧ୍ୟରେ ପଡ଼ିଯାଇଥିବା ବେଳେ ଅସହ୍ୟ ଗରମ ଯୋଗୁଁ ମୃତ୍ୟୁ ହୋଇଥିଲା ।

    ସେପଟେ, ଶିଶୁକୁ ନପାଇ ଘର ଲୋକ ବହୁ ଖୋଜାଖୋଜି କରିଥିଲେ । ଅପରାହ୍ଣ ୨ଟା ବେଳେ କାର୍ ଭିତରେ ଶିଶୁ ପଡ଼ିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ । ଅଚେତ ଅବସ୍ଥାରେ କାର୍‌ ମଧ୍ୟରୁ ଉଦ୍ଧାର କରି ମାହାଙ୍ଗା ମେଡିକାଲ ନେଇଥିଲେ । ହେଲେ ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ମାହାଙ୍ଗା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ମାହାଙ୍ଗା ଥାନା ପୋଲିସ । ଏଥିସହ ଶବ ବ୍ୟବଚ୍ଛେଦ କରାଇଛି ପୋଲିସ । ସାମାନ୍ୟ ଅସାବଧାନତା ହେତୁ ଶିଶୁଟିର ଜୀବନ ଚାଲିଗଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେଣୁ କୁହାଯାଏ ମୃତ୍ୟୁ କେତେବେଳେ ଓ କିପରି ଆସିବ କେହି ଜାଣନ୍ତି ନାହିଁ । ଶିଶୁର ମୃତ୍ୟୁ ଏଭଳି ସ୍ଥିତିରେ ଘଟିବ ବୋଲି ପରିବାର ଲୋକେ ବିଶ୍ୱାସ କରିପାରୁ ନାହାଁନ୍ତି ।

  • ପୂର୍ବତନ ଯୋଗାଣ ଅଧିକାରୀଙ୍କ ଘରୁ ଆୟ ବହିର୍ଭୂତ ୨୬୮% ସମ୍ପତ୍ତି ଠାବ

    ପୂର୍ବତନ ଯୋଗାଣ ଅଧିକାରୀଙ୍କ ଘରୁ ଆୟ ବହିର୍ଭୂତ ୨୬୮% ସମ୍ପତ୍ତି ଠାବ

    ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରୁ ଆୟ ଠାରୁ ୨୬୮%ରୁ  ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଏହାର ଯଥେଷ୍ଠ ପ୍ରମାଣ ପାଇବା ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ  ଶନିବାର ଗିରଫ କରିଛି ଭିଜିଲାନ୍ସ। ଏନେଇ ଭିଜିଲାନ୍ସ ପକ୍ଷରୁ ଦିଆଯାଇଛି ବିସ୍ତୃତ ବିବରଣୀ।

    ତଥ୍ୟ ଅନୁସାରେ,  ବ୍ରଜେନ୍ଦ୍ର ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଭୁବନେଶ୍ୱରର ନାମୀ ଦାମୀ ଅଞ୍ଚଳରେ ମୋଟ୍ ୫ଟି କୋଠା ରହିଛି। ଭୀମଟାଙ୍ଗୀ ହାଉସିଂ କଲୋନୀ ଓ ଶିଶୁପାଳଗଡ଼ରେ ତାଙ୍କର ଗୋଟିଏ ଲେଖାଏ ଦୁଇ ମହଲା କୋଠା ଥିବା ବେଳେ ରାଜାରାଣୀ କଲୋନୀ ପାଖରେ ଦୁଇଟି ତିନି ମହଲା ବିଶିଷ୍ଟ କୋଠା ଅଛି। ସେହିଭଳି ଲୁଇସ ରୋଡ୍‌ର ଗ୍ୟାରେଜ ଛକରେ ତାଙ୍କର ଆଉ ଗୋଟିଏ ତିନି ମହଲା କୋଠା ଅଛି।

    ଏହା ବ୍ୟତୀତ ତାଙ୍କର ୭ଟି ପ୍ଲଟ ବା ଜମି ରହିଛି। ଏଥିରୁ ୨ଟି ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ଥିବା ବେଳେ ଅନ୍ୟ ୫ଟି ନିଜ ଗ୍ରାମ ନିମାପଡ଼ା ଅଞ୍ଚଳରେ ରହିଛି। ପୁରୀ ଜିଲ୍ଲା ନିମାପଡ଼ାର ସୁନୁଗରଡ଼ିରେ ଗ୍ରାମରେ ତାଙ୍କର ଏକ ଫାର୍ମ ହାଉସ ରହିଛି। ଏହା ସହ ନିମାପଡ଼ା ବଜାରରେ ତାଙ୍କର ଏକ ମାର୍କେଟ କମ୍ପ୍ଲେକ୍ସ ଅଛି, ଯେଉଁଥିରେ ୧୦ଟି ଦୋକାନ ଅଛି।

    ବ୍ୟାଙ୍କ ଓ ବୀମା ଜମା ବାବଦକୁ ବ୍ରଜେନ୍ଦ୍ର କୁମାର ନାୟକ ୧ କୋଟି ୫୦ ଲକ୍ଷ ଟଙ୍କା ରଖିଛନ୍ତି। ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି ଓ ୩ଟି ଦୁଇ ଚକିଆ ଗାଡ଼ି ଅଛି। ଏହା ବାଦ୍ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍ ଛକ ଠାରେ ଥିବା ୟୁକୋ ବ୍ୟାଙ୍କ୍ ଲକରରେ ୬୪୪ ଗ୍ରାମ ଓଜନର ଗହଣା ଆଜି ଜବତ କରିଛି ଭିଜିଲାନ୍ସ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬୫ଲକ୍ଷ ଟଙ୍କା ହେବ।

  • ରାୟଗଡ଼ା: ଅମ୍ବାଦଳା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

    ରାୟଗଡ଼ା: ଅମ୍ବାଦଳା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

    ବାହାନଗା ଦୁର୍ଘଟଣା ପର ଠାରୁ ରେଳ ବିଭାଗରେ ଅଘଟଣ ଘଟିବାରେ ଲାଗିଛି । କେଉଁଠି ନା କେଉଁଠି ରେଳ ବିଭାଗରେ ସମସ୍ୟା ଦେଖାଦେଉଛି । ଆଜି ପୁଣି ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଷ୍ଟେସନ ନିକଟରେ ବେଦାନ୍ତର ବକ୍ସାଇଟ୍ ବୋଝେଇ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଏହି ଟ୍ରେନ୍ ଲାଞ୍ଜିଗଡ଼ ବେଦାନ୍ତ ପ୍ଲାଣ୍ଟକୁ ଯାଉଥିବା ବେଳେ ତିନିଟି ବଗି ରେଳ ଧାରଣରୁ ଖସି ପଡ଼ିଛି ।

    ଷ୍ଟେସନ ନିକଟରେ ବଗି ଲାଇନଚ୍ୟୁତ୍ ଯୋଗୁଁ ରେଳ ଯାତାୟାତ ବ୍ୟାହତ ହୋଇଥିଲା । ଦୁର୍ଘଟଣାରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି । ତେବେ ପ୍ରତିଦିନ କିଛିନା କିଛି ଟ୍ରେନ୍ ଦୁର୍ଘଟଣା ଘଟୁଛି । କେଉଁଠି ବଗି ଲାଇନଚ୍ୟୁତ ତ ଆଉ କେଉଁଠି ଇଞ୍ଜିନ ଓ ବଗି ଅଲଗା ହେଉଛି । ଏଭଳି କ୍ରମାଗତ ଟ୍ରେନ୍ ଦୁର୍ଘଟଣା ଯାତ୍ରୀଙ୍କୁ ଅଡୁଆରେ ପକାଇଛି । ରେଳରେ ଯାତ୍ରା କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି ଯାତ୍ରୀ । ସେମାନଙ୍କ ଭୟ ଓ ଆତଙ୍କ ଦୂର କରିବା ପାଇଁ ରେଳ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ହୋଇଛି । ସେପଟେ, ଦୁର୍ଘଟଣାଗ୍ରସ୍ତ ମାଲବାହୀ ଟ୍ରେନକୁ ଖୁବଶୀଘ୍ର ଲାଇନ ଉପରକୁ ଆଣିବା ପାଇଁ ଉଦ୍ୟମ ଜାରି ରହିଛି ।

    ଜୁନ୍ ୨ ତାରିଖରେ ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣା ଘଟିଥିଲା । ଏସସିବିରେ ଚିକିତ୍ସିତ ଜଣେ ବାହିରୀ ଯାତ୍ରୀଙ୍କ ଆଜି ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୧ ଛୁଇଁଛି । ବିଭିନ୍ନ ମେଡିକାଲରେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ସେମାନଙ୍କ ମଧ୍ୟରୁ କେହି କେହି ଜୀବନ ହାରୁଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି ।

  • ଖୁବଶୀଘ୍ର ସ୍ପେଶାଲ ଡ୍ରାଇଭ୍, ପାଇନଥିବା ହିତାଧିକାରୀ ପାଇବେ BSKY କାର୍ଡ

    ଖୁବଶୀଘ୍ର ସ୍ପେଶାଲ ଡ୍ରାଇଭ୍, ପାଇନଥିବା ହିତାଧିକାରୀ ପାଇବେ BSKY କାର୍ଡ

    ଆସନ୍ତା ୬ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପେଶାଲ ଡ୍ରାଇଭ କରିବେ । ଯେଉଁମାନେ BSKY କାର୍ଡ ପାଇନାହାଁନ୍ତି,ସେମାନଙ୍କୁ କାର୍ଡ ମିଳିବ ବୋଲି କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । କନ୍ଧମାଳ ଦାରିଙ୍ଗବାଡ଼ି ମିନି ଷ୍ଟାଡିଅମରେ ଲୋକଙ୍କୁ ଏଭଳି ସୂଚନା ଦେଇଛନ୍ତି 5T ସଚିବ । ଲୋକଙ୍କ ସମସ୍ୟା ଓ ସୁଖଦୁଃଖ ବୁଝିବା ପାଇଁ 5T ସଚିବଙ୍କୁ କନ୍ଧମାଳ ପଠାଇଥିଲେ ମୁଖ୍ୟମନ୍ତ୍ରୀ ।

    ହିତାଧିକାରୀଙ୍କ ନିକଟରୁ ଯେତିକି ଦରଖାସ୍ତ ମିଳିଛି ସେସବୁ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଭିକେ ପାଣ୍ଡିଆନ୍ । ଜଳସେଚନ କାମ ଶେଷ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଜଗନ୍ନାଥ ମନ୍ଦିର,ମା’ମନ୍ଦିର,କମ୍ୟୁନିଟି ସେଣ୍ଟର,ସାଇବାବା ମନ୍ଦିର,ହନୁମାନ ମନ୍ଦିର, ଚର୍ଚ୍ଚ ଏବଂ ମସଜିଦର ଉନ୍ନତି ପାଇଁ ଦାବିପତ୍ର ଦେଇଛନ୍ତି ସେଠିକାର ବାସିନ୍ଦା । ଖୁବଶୀଘ୍ର ଏ ନେଇ ଖୁସି ଖବର ମିଳିବ ବୋଲି କହିଛନ୍ତି ଭିକେ ପାଣ୍ଡିଆନ ।

    ଦାରିଙ୍ଗବାଡ଼ିର ଘରେ ଘରେ ପାନୀୟ ଜଳ ପହଞ୍ଚାବାକୁ ୧୧୨ କୋଟି ମଞ୍ଜୁର କରିଛନ୍ତି ସରକାର । ଆସନ୍ତା ଡିସେମ୍ବର ଅର୍ଥାତ୍ ୬ ମାସ ମଧ୍ୟରେ ହସ୍ପିଟାଲ ରୂପାନ୍ତର କାର୍ଯ୍ୟ ସରିବ । 5T ସ୍କୁଲ ରୂପାନ୍ତର, ପର୍ଯ୍ୟଟନ କ୍ଷେତ୍ରର ବିକାଶ, ବସଷ୍ଟାଣ୍ଡ ଓ ୩ଟି ସେତୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିବେ । ଦାରିଙ୍ଗବାଡ଼ି ଓଡ଼ିଶାର ସବୁଠାରୁ ସୁନ୍ଦର ଜାଗା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମଧୁବାବୁ ଭତ୍ତା ପାଇଁ ଆଉ ଦୂର ବ୍ୟାଙ୍କକୁ ଯିବାକୁ ପଡ଼ିବ ନାହିଁ । ତେଣୁ ଏହାକୁ ପଞ୍ଚାୟତରେ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଲୋକଙ୍କ ସହ ହାତ ମିଳାଇ ସେଲ୍ଫି ନେଇଥିଲେ 5T ସଚିବ ଭି.କେ.ପାଣ୍ଡିଆନ ।