Category: ରାଜ୍ୟ ଖବର

  • ନବରଙ୍ଗପୁର: ବରିଷ୍ଠ କିରାଣିଙ୍କୁ ସିଡିପିଓ ଠେଲିଦେବା ଘଟଣା,ଆକ୍ସନକୁ ଅପେକ୍ଷା

    ନବରଙ୍ଗପୁର: ବରିଷ୍ଠ କିରାଣିଙ୍କୁ ସିଡିପିଓ ଠେଲିଦେବା ଘଟଣା,ଆକ୍ସନକୁ ଅପେକ୍ଷା

    ନବରଙ୍ଗପର ଜିଲ୍ଲା ଡାବୁଗାଁ ସିଡିପିଓଙ୍କ ଦାଦାଗିରି । ଜଣେ ବୟସ୍କ କିରାଣିଙ୍କୁ ଚୌକିରୁ ଠେଲିଦେଇଥିବା ଅଭିଯୋଗ ହୋଇଛି । ଘଟଣାକୁ ଅତି ଗୁରୁତର ସହ ନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଘଟଣାର ତଦନ୍ତ ଜାରି ରଖିଛନ୍ତି ।

    ସୂଚନା ଅନୁସାରେ ଚଳିତ ମାସର ଦରମାକୁ ନେଇ ସରକାରୀ ଅଫିସରେ ପାଟିତୁଣ୍ଡ ହୋଇଥିଲା । ଜଣେ ବୟସ୍କ କିରାଣିଙ୍କୁ ଚୌକିରୁ ତଳକୁ ଗଡ଼ାଇ ଦେଇଛନ୍ତି ନବରଙ୍ଗପର ଜିଲ୍ଲା ଡାବୁଗାଁ ସିଡିପିଓ । ଏବେ ଏହି ଭିଡିଓ ଭାଇରାଲ୍ ପରେ ନିନ୍ଦା କରାଯିବା ସହ ବେଶ୍ ସମାଲୋଚନାର ଶିକାର ହୋଇଛନ୍ତି ସିଡିପିଓ । ନବରଙ୍ଗପର ଜିଲ୍ଲା ଡାବୁଗାଁ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ଏଭଳି ଘଟଣା ଘଟିଛି । ଡାବୁଗାଁ ସିଡିପିଓ କାର୍ଯ୍ୟାଳୟରେ କାର୍ଯ୍ୟରତ ବୟସ୍କ କିରାଣି ସନ୍ତୋଷୀ ମିଶ୍ରଙ୍କୁ ସିଡିପିଓ ଓଫିସରୁ ବାହାରିଯିବା ପାଇଁ କୁହାଯିବା ସହ ତାଙ୍କୁ ଧକ୍କା ମରାଯାଉଛି । ଚୌକିକୁ ଠେଲିଦେବାରୁ ବରିଷ୍ଠ କିରାଣି ସନ୍ତୋଷୀ ସିଟ୍‌ରୁ ତଳକୁ ପଡ଼ିଯାଇଥିଲେ । ଏହି ଭିଜୁଆଲ୍ ଏବେ ସମସ୍ତଙ୍କ ନିକଟରେ ଘୁରିବୁଲୁଛି ।

    ସେପଟେ, ବରିଷ୍ଠ କିରାଣି ସନ୍ତୋଷ ମିଶ୍ର କହିଛନ୍ତି ଯେ ଗତ ମାସର ଇଏଲ ଦରମା କରିବାକୁ ସେ ସିଡିପିଓଙ୍କୁ କହିଥିଲେ। ସିଡିପିଓ ଗୀତାଞ୍ଜଳି ମହାରଣା ରାଗିଯାଇ ତାଙ୍କୁ ଗାଳିଗୁଲଜ କରିଥିଲେ । ଏଥିସହ ତାଙ୍କୁ ଅଫିସରୁ ପଳାଇଯିବା ପାଇଁ କହି ଧକ୍କା ମାରିଥିଲେ । ପୂର୍ବରୁ ଧମକଚମକ ଦେଉଥିବା ବେଳେ ଏବେ ମାଡ଼ ମାରିଛନ୍ତି ଯାହା ସମସ୍ତେ ଦେଖିଲେ । ଦରମା କରୁନାହାଁନ୍ତି, କହିଲେ ମୋତେ ମାଡ଼ ମାରୁଛନ୍ତି । ଜିଲ୍ଲାପାଳଙ୍କ ନିକଟରେ ଏ ନେଇ ଅଭିଯୋଗ କରିବି ବୋଲି କହିଛନ୍ତି ସନ୍ତୋଷୀ ।

  • ରାଇରଙ୍ଗପୁର: ଯଶୀପୁରରେ ହାତୀ ଦାନ୍ତ ବିକ୍ରି ବେଳେ ମାଡ଼ିବସିଲା ବନ ବିଭାଗ

    ରାଇରଙ୍ଗପୁର: ଯଶୀପୁରରେ ହାତୀ ଦାନ୍ତ ବିକ୍ରି ବେଳେ ମାଡ଼ିବସିଲା ବନ ବିଭାଗ

    ମଣିଷ ଓ ହାତୀ ଲଢ଼େଇରେ କେତେବେଳେ କାହାର ଜୀବନ ଯାଉଛି । ହାତୀ ଆକ୍ରମଣରେ ମଣିଷର ମୃତ୍ୟୁ ହେଉଥିବା ବେଳେ କେତେବେଳେ ନିଜ ସ୍ୱାର୍ଥ ପୂରଣ ପାଇଁ ହାତୀ ଶିକାର କରୁଛି ମଣିଷ । ହାତୀ,ମଣିଷ ଲଢ଼େଇ ପ୍ରାୟତଃ ଦୈନନ୍ଦିନ ଘଟଣା ପାଲଟିଲାଣି । ଏବେ ଯଶୀପୁରରୁ ୪ଟି ହାତୀ ଦାନ୍ତ ଜବତ ପରେ ବନ ବିଭାଗ ଘଟଣାକୁ ନେଇ ଖୋଳତାଡ଼ ଜାରି ରଖିଛି ।

    ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ବଢ଼ିବାରେ ଲାଗିଛି । ଶିକାରୀ, ମାଫିଆ, ଦଲାଲମାନେ ବନ୍ୟଜନ୍ତୁ ଶିକାର କରି ନିଜର ସ୍ୱାର୍ଥ ପୂରଣ କରୁଛନ୍ତି । ଶିମିଳିପାଳ ଅଭୟାରଣ୍ୟରେ ଅବାଧରେ ପଶୁ ଶିକାର ହେଉଥିବା ବେଳେ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ୪ଟି ହାତୀ ଦାନ୍ତ ଜବତ କରିଛି ବନ ବିଭାଗ । ଏଭଳି ମୂଲ୍ୟବାନ ଜିନିଷର ବିକ୍ରି ପାଇଁ ଡିଲ୍ ହେଉଥିବା ବେଳେ ଅଭିଯୁକ୍ତମାନଙ୍କୁ ଧରିଛି ବନ ବିଭାଗ ।

    ହାତୀ ଦାନ୍ତ ବିକ୍ରି ପାଇଁ ଯୋଜନା ଚାଲିଥିବା ଖବର ପାଇଥିଲା ବନ ବିଭାଗ । ତେଣୁ ବିଳମ୍ବ ନକରି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ଉପନିର୍ଦେଶକ ସମ୍ରାଟ ଗଉଡ଼ାଙ୍କ ନେତୃତ୍ୱରେ ଏକ ଟିମ୍ ରେଡ୍ କରିଥିଲା । ଉତ୍ତର ଶିମିଳିପାଳର ଉପନିର୍ଦେଶକ ସାଇ କିରଣ, ରାଇରଙ୍ଗପୁର ବନଖଣ୍ଡର କିଛି ଅଧିକାରୀ ଯଶୀପୁର ଅଞ୍ଚଳରେ ଅତର୍କିତ ଚଢ଼ାଉ କରିଥିଲେ । ଘଟଣାସ୍ଥଳରୁ ୪ଟି ହାତୀ ଦାନ୍ତ ଜବତ କରାଯାଇଥିଲା । ସେଠାରୁ ୫ ଜଣଙ୍କୁ ଗିରଫ କରିଥିଲା ଟିମ୍ । ଗିରଫ ଅଭିଯୁକ୍ତମାନେ ଦାଶାଇ ସିଂ, ମଣ୍ଡା ସିଂ, ମନମୋହନ ହେମ୍ବ୍ରମ, ମନ୍ତ୍ରୀ ସିଂ ଓ ନର୍ସିଂ ସିଂ । ସେମାନେ ସମସ୍ତେ ଯଶୀପୁର ଥାନା ଶିମିଳିପାଳ ବଫର ଅଞ୍ଚଳ ଚାକିଡ଼ି ଗାଁର ବାସିନ୍ଦା । ସେମାନଙ୍କ ଠାରୁ ୫ଟି ମୋବାଇଲ, ଦୁଇଟି ବାଇକ୍ ମଧ୍ୟ ମିଳିଥିଲା ।

    ଜବତ ହାତୀଦାନ୍ତ ଗୁଡ଼ିକର ଓଜନ ୬ କେଜିରୁ ଅଧିକ ହେବ । ହାତୀଗୁଡ଼ିକ ମଧ୍ୟମ ବୟସ୍କର ହୋଇଥିବା ଅନୁମାନ କରାଯାଉଛି । ଦୁଇଟି ହାତୀକୁ ଶିମିଳିପାଳ କୋର ଏରିଆରେ ଶିକାର କରାଯାଇଛି । ତେବେ ଏମାନଙ୍କ ସଂପୃକ୍ତି ଅଛି ନା ନାହିଁ ସେ ନେଇ ତଦନ୍ତ ଜାରି ରହିଛି ।


  • ରତ୍ନବେଦୀରେ ମହାବାହୁ, ପୁଣି ଲୀଳାଖେଳ ଆରମ୍ଭ, ଆଜି ବାହାରିବ ନୀଳାଚଳ ଅବଢ଼ା

    ରତ୍ନବେଦୀରେ ମହାବାହୁ, ପୁଣି ଲୀଳାଖେଳ ଆରମ୍ଭ, ଆଜି ବାହାରିବ ନୀଳାଚଳ ଅବଢ଼ା

    ଶେଷରେ ଶ୍ରୀମନ୍ଦିରରେ ବିଜେ କରିଛନ୍ତି ମହାବାହୁ । ନୀଳଦ୍ରି ବିଜେ ସହ ବିଶ୍ୱପ୍ରସିନ୍ଧ ରଥଯାତ୍ରା ଶେଷ ହୋଇଛି । ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିଜେ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର,ଦେବୀ ସୁଭଦ୍ରାଙ୍କ ସମେତ ଶ୍ରୀସୁଦର୍ଶନ ।

    ଗତକାଲି ଘୋଷଯାତ୍ରାର ଅନ୍ତିମ ଦିନରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ସେମାନଙ୍କ ଠାରୁ ରସଗୋଲା ଓ ଚୁଡ଼ାଘଷା ଭୋଗ ଖାଇବା ପରେ ସନ୍ଧ୍ୟାରେ ନୀଳକନ୍ଦରକୁ ବିଜେ କରିଥିଲେ ମହାପ୍ରଭୁ । ଶ୍ରୀସୁଦର୍ଶନ,ଦେବୀ ସୁଭଦ୍ରା,ମହାପ୍ରଭୁ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଜଣଙ୍କ ପରେ ଜଣେ ଶ୍ରୀମନ୍ଦିରକୁ ବିଜେ କରିଥିଲେ । ଏହି ଅପୂର୍ବ ଦୃଶ୍ୟ ଦେଖି ବିଭୋର ହୋଇଥିଲେ ଶ୍ରଦ୍ଧାଳୁ । ରଥରେ ଶ୍ରୀଜଗନ୍ନାଥଙ୍କ ବନ୍ଦାପନା ପରେ ମା’ଲକ୍ଷ୍ମୀଙ୍କ ବନ୍ଦାପନା ଭିତରଚ୍ଛ ମହାପାତ୍ର କରିଥିଲେ । ଏହାପରେ ଦେବୀ ଲକ୍ଷ୍ମୀ ସିଂହଦ୍ୱାର ହୋଇ ଭଣ୍ଡାର ଘରକୁ ବିଜେ କରିଥିଲେ । ମହାପ୍ରଭୁ ପହଞ୍ଚିବା ପରେ ସିଂହଦ୍ୱାରକୁ ଫିଟାଇ ଦିଆଯାଇଥିଲା। ମା’ଲକ୍ଷ୍ମୀଙ୍କ ସହ ଦେବଦାସୀ ଆସି ଦରଜା ବନ୍ଦ ଓ ଫିଟାଇବା କାର୍ଯ୍ୟ କରିଥିଲେ । ଦେବଦାସୀ ପରମ୍ପରା ଏବେ ପ୍ରଚଳନ ନଥିବାରୁ ପ୍ରତିହାରୀ ଓ ଗୋଚ୍ଛିକାର ସେବକମାନେ ଏହି ନୀତି ସମ୍ପନ୍ନ କରିଥିଲେ ।

    ଶ୍ରୀମନ୍ଦିର ଭିତରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ କରିବା ବେଳେ ଜୟବିଜୟ ଦ୍ୱାର ବନ୍ଦ ହୋଇଥିଲା । ପରେ ଦ୍ୱାର ଖୋଲାଯାଇ ଠାକୁର ଭଣ୍ଡାର ଅଭିମୁଖେ ନିଆଯାଇଥିଲା । ଭଣ୍ଡାର ଘରକୁ ମୁହଁ କରି ଭଣ୍ଡାର ଦ୍ୱାର ଠାରେ ବିଜେ କରିଥିବା ଦେବୀ ଲକ୍ଷ୍ମୀଙ୍କ ପାଖରେ ଠାକୁର ବିଜେ କରିଥିଲେ । ବନ୍ଦାପନା ଓ ରସଗୋଲା ଭୋଗ ଏହି ସମୟରେ ହୋଇଥିଲା । ଘସା ବିଡିଆ ମଣୋହି ପରେ ଠାକୁର ରତ୍ନ ସିଂହାସନକୁ ବିଜେ କରିଥିବା ବେଳେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ଼ ଜମିଥିଲା ।

    ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଣି ଲୀଳାଖେଳ ଆରମ୍ଭ ହୋଇଛି । ବିଳମ୍ବିତ ରାତିରେ ରୁନ୍ଧା କାର୍ଯ୍ୟ ଶେଷ କରାଯାଇଥିଲା । ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ଅବକାଶ,ଅନ୍ୟାନ୍ୟ ନୀତି ସମ୍ପାଦନ ହୋଇଥିବା ବେଳେ ଅନ୍ୟାନ୍ୟ ନୀତିକାନ୍ତି ଜାରି ରହିଛି । ଗୋପାଳବଲ୍ଲଭ ଭୋଗ ପରେ ଆଜି ନୀଳାଚଳ ଅବଢ଼ା ବାହାରିବ । ଶ୍ରୀମନ୍ଦିରରୁ ଏହି ମହାପ୍ରସାଦ ପାଇ ଭକ୍ତ ଓ ସେବାୟତମାନେ ନିଜକୁ ଧନ୍ୟ ମନେ କରିବେ ।

  • ଯାଜପୁର: ସ୍ୱର୍ଗତ ଅନାଦି ଚରଣ ଦାସଙ୍କ ସ୍ମୃତିଚାରଣ, ମନେ ପକାଇଲେ ଅବଦାନ

    ଯାଜପୁର: ସ୍ୱର୍ଗତ ଅନାଦି ଚରଣ ଦାସଙ୍କ ସ୍ମୃତିଚାରଣ, ମନେ ପକାଇଲେ ଅବଦାନ

    ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ସ୍ୱର୍ଗତ ଅନାଦି ଚରଣ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ମୃତି ସଂସଦ ପକ୍ଷରୁ ଏହି ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ।

    ଏହି ଶ୍ରଦ୍ଧାଞ୍ଜଳି ସଭାକୁ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଉଦଘାଟନ କରିଥିଲେ । ଏଥିରେ ପୂର୍ବତନ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ, ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର, ପୂର୍ବତନ ସାଂସଦ ଅଞ୍ଚଳ ଦାସ,ବରିଷ୍ଠ ବିଜେପି ନେତା ରମେଶ ସାମଲ ଯୋଗ ଦେଇଥିଲେ ।

    ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ବରିଷ୍ଠ ରାଜନେତା ଶିଶିର ନାୟକ, ସନ୍ତୋଷ ନନ୍ଦ, ସିପିଆଇ ନେତା ମଳୟ ପଣ୍ଡା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଜିଲ୍ଲା ସମେତ ରାଜ୍ୟର ବହୁ ବରିଷ୍ଠ ନେତା ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସ୍ୱର୍ଗତ ଦାସଙ୍କ କାର୍ଯ୍ୟ ଦକ୍ଷତା ଓ ଜିଲ୍ଲା ପ୍ରତି ଥିବା ଅବଦାନକୁ ମନେ ପକାଇଥିଲେ ।

  • ଯାଜପୁର: DEOଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା, ବ୍ୟକ୍ତିତ୍ୱ ଓ ଦକ୍ଷତା ସମ୍ପର୍କରେ ଆଲୋଚନା

    ଯାଜପୁର: DEOଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା, ବ୍ୟକ୍ତିତ୍ୱ ଓ ଦକ୍ଷତା ସମ୍ପର୍କରେ ଆଲୋଚନା

    ଯାଜପୁର ଦେବୀଦ୍ୱାରସ୍ଥିତ ବିରଜା ଉଚ୍ଚ ବିଦ୍ୟାଳୟ ପରିସରରେ ମାଧ୍ୟମିକ ସ୍କୁଲ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଓସ୍ତା ସଂଘର ସଭାପତି ସୁନନ୍ଦ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ।

    କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୂଲେଖ ବନ୍ଦୋବସ୍ତର ଅତିରିକ୍ତ ଆୟୁକ୍ତ ଅକ୍ଷୟ କୁମାର ମଲ୍ଲିକ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ସ୍କୁଲ ଓ ଗଣଶିକ୍ଷା ବିଭାଗର ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ବିଶ୍ୱାଳ ଯୋଗଦେଇଥିଲେ । ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।

    କାର୍ଯ୍ୟକ୍ରମରେ ଜିଲ୍ଲାର ବ୍ଳକ୍ ଶିକ୍ଷାଧିକାରୀମାନଙ୍କ ସମେତ ବିଭିନ୍ନ ଶିକ୍ଷକ ସଂଗଠନର ଶିକ୍ଷକଶିକ୍ଷୟିତ୍ରୀ, କର୍ମଚାରୀ ସଙ୍ଘର କର୍ମକର୍ତ୍ତା ଉପସ୍ଥିତ ଥିଲେ । ରଞ୍ଜନ ଗିରିଙ୍କ ବ୍ୟକ୍ତିତ୍ୱ ଓ ତାଙ୍କ ଦକ୍ଷତା ସମ୍ପର୍କରେ ସମସ୍ତେ ଆଲୋଚନା କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରିଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ପୁଷ୍ପଗୁଚ୍ଛ, ମାନପତ୍ର ପ୍ରଦାନ କରାଯାଇଥିଲା ।

  • ଝାରପଡ଼ା: ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ

    ଝାରପଡ଼ା: ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ

    ଭୁବନେଶ୍ୱର ଝାରପଡ଼ା ଗୁଳିମାଡ଼ ଘଟଣାରେ ପୋଲିସକୁ ସଫଳତା ମିଳିଛି । ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥାକୁ ଗିରଫ କରିଛି ପୋଲିସ । ଗତ ବୁଧବାର ଗାଡ଼ି ସାଇଡ୍ କରିବାକୁ ନେଇ ବଚସା ପରେ ଗୁଳିକାଣ୍ଡ ଘଟିଥିଲା । ସେହିଦିନ ଠାରୁ ଫେରାର୍ ଥିଲା ମୁଖ୍ୟ ଅଭିଯୁକ୍ତ ।

    ବୁଧବାର ରାତିରେ ଝାରପଡ଼ା ଜଗନ୍ନାଥନଗର ଲେନ୍ ୱାନ୍ ପ୍ରଜାପତି ମଣ୍ଡପରେ ବିବାହ ଭୋଜିର ଆୟୋଜନ ହୋଇଥିଲା । ସେଠାରେ ଭୋଜି ଖାଇ ରିଙ୍କୁ ଜେନା ଏକ କାରରେ ଫେରୁଥିବା ବେଳେ ଅନ୍ୟ ଏକ କାରରେ ଥିବା ପ୍ରଭାତ ମାର୍ଥାଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଗାଡ଼ି ସାଇଡ୍ କରିବାକୁ ନେଇ ବଚସା ପରେ ଗୁଳିମାଡ଼ କରିଥିଲା ପ୍ରଭାତ ଏବଂ ତାଙ୍କ ସହଯୋଗୀ । ଘଟଣାରେ ରିଙ୍କୁ ଏବଂ ତାଙ୍କ ବାପା ଶିଖର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

    ପୋଲିସ ରାଜା ସାହୁ ଓ ଦିବାକର କଳସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପ୍ରଭାତ ଓ ଅନ୍ୟ ଜଣେ ସହଯୋଗୀ ଚମ୍ପଟ ମାରିଥିଲା । ଘଟଣାସ୍ଥଳରୁ ୨ଟି ବନ୍ଧୁକ ଓ ୯ଟି ଖୋକା ଜବତ କରାଯାଇଥିଲା । ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଥିଲା ପୋଲିସ । ପୋଲିସ ଏବେ ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥା ଏବଂ ତାର ଅନ୍ୟ ଜଣେ ସହଯୋଗୀଙ୍କୁ ଗିରଫ କରିଛି । ଏହି ମାମଲାରେ ଗିରଫ ସଂଖ୍ୟା ଏବେ ୪ରେ ପହଞ୍ଚିଛି । କର୍ପୋରେଟର ଶ୍ରୀଧର ଜେନାଙ୍କ ଭାଇ ଶିଖର ଓ ପୁତୁରା ରିଙ୍କୁ । ଗିରଫ ପ୍ରଭାତ ଗତ ପୌର ନିର୍ବାଚନରେ ବିଜେପିର କର୍ପୋରେଟର ପ୍ରାର୍ଥୀ ଥିଲେ ।

  • ସରିଲା ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ଆଜି ମହାବାହୁଙ୍କ ନୀଳାଦ୍ରି ବିଜେ

    ସରିଲା ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ଆଜି ମହାବାହୁଙ୍କ ନୀଳାଦ୍ରି ବିଜେ

    ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ୧୨ ଦିନର ମାନବୀୟ ଲୀଳାଖେଳା ଶେଷ କରିଛନ୍ତି ମହାବାହୁ । ଆଜି ସିଂହଦ୍ୱାରରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରକୁ ବିଜେ କରିବେ । ରଥାରୂଢ଼ ଠାକୁର ଗୋଟି ପହଣ୍ଡିରେ ରତ୍ନସିଂହାସନକୁ ଫେରିବେ । ଏତେ ଦିନ ଧରି ଅଭିମାନ କରି ରହିଥିବା ମା’ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ମହାପ୍ରଭୁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

    ଗତକାଲି ବିଳମ୍ୱିତ ରାତିରେ ଅଧର ନୀତି ଶେଷ ହୋଇଥିଲା । ଆଜି ସକାଳୁ ସକାଳୁ ନୀତିକାନ୍ତି ଆରମ୍ଭ ହୋଇଛି । ଆଜି ଭୋର ୪ଟାରେ ତିନି ରଥରେ ମଙ୍ଗଳ ଆଳତି ପରେ ସାଢ଼େ ୪ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୫ଟାରେ ଅବକାଶ ନୀତି ପରେ ସକାଳ ସାଢ଼େ ୫ଟାରେ ବେଶ ଶେଷ ହୋଇଛି । ସେହିପରି ସାଢ଼େ ୬ଟାରେ ଗୋପାଳବଲ୍ଲଭ, ୭ଟାରୁ ୮ଟା ସକାଳଧୂପ ମଧ୍ୟ ଦିଆଯାଇଛି ।

    ଦିନ ୧୧ଟା ୪୫ରୁ ୧୨ଟା ଭିତରେ ମଇଲମ ଓ ବେଶ ଏବଂ ୧୨ଟା ୧୫ରେ ସଂଧ୍ୟା ଆଳତି ହେବ । ସେହିପରି ସାଢ଼େ ୧୨ଟାରୁ ସାଢ଼େ ଗୋଟାଏ ସଂଧ୍ୟାଧୂପ ନୀତି ଅନୁଷ୍ଠିତ ହେବ । ଅପରାହ୍ଣ ସାଢ଼େ ଗୋଟାଏରୁ ସାଢ଼େ ୩ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସାଢ଼େ ୩ଟାରେ ସିଂହାସନ ମାଜଣା କରାଯିବ ।

    ଅପରାହ୍ଣ ୩ଟା ୫୦ରେ ପୁଷ୍ପାଞ୍ଜଳି ପରେ ଅପରାହ୍ଣ ୪ଟାରେ ପହଣ୍ଡି ଆରମ୍ଭ ହେବ । ରାତି ୧୦ଟା ସୁଦ୍ଧା ପହଣ୍ଡି ଶେଷ ପରେ ରୁନ୍ଧା କାର୍ଯ୍ୟ ସମାପନ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି । ରାତି ସାଢ଼େ ୧୨ଟା ସୁଦ୍ଧା ରୁନ୍ଧା ସରିବା ପରେ ଗୋଟାଏରୁ ଦଇତାପତି ସର୍ବାଙ୍ଗ, ଶ୍ରୀମୁଖ ଖଣ୍ଡୁଆ, ଚାରମାଳ ଫିଟା ନୀତି ଅନୁଷ୍ଠିତ ହେବ । ରାତି ସାଢ଼େ ୨ଟାରେ ସୁଦର୍ଶନ ସିଂହାସନକୁ ବିଜେ କରିବେ ମହାବାହୁ । ୪ଟା ୪୫ରେ ବଡ଼ସିଂହାର ଭୋଗ ହୋଇ ସକାଳ ୫ଟାରେ ରାତ୍ର ପହୁଡ଼ ହେବ ।

  • ବାଲେଶ୍ୱର: ବଢୁଛି ପରିବା ଦର, କମୁଛି ଚାହିଦା, ଗ୍ରାହକ ଛାନିଆ

    ବାଲେଶ୍ୱର: ବଢୁଛି ପରିବା ଦର, କମୁଛି ଚାହିଦା, ଗ୍ରାହକ ଛାନିଆ

    ଏବେ ପରିବା ଦର ଆକାଶ ଛୁଆଁ । ଦରକୁ ନେଇ ଉଭୟ ଦୋକାନୀ ଓ ଗ୍ରାହକ ଚିନ୍ତାରେ ପଡ଼ିଛନ୍ତି । ଦର ଅଧିକ ଥିବାବେଳେ ଲୋକେ ଆବଶ୍ୟକତା ଠାରୁ କମ୍ ପରିବା କିଣିବାକୁ ବାଧ୍ୟ ହେଉଛନ୍ତି । ବାଲେଶ୍ୱର ସହର ନୂଆ ବଜାର ପରିବା ମାର୍କେଟ ଏବେ ଖାଁ ଖାଁ ଲାଗୁଛି ।

    ସାତ ଦିନ ପୂର୍ବରୁ ପରିବା ଦର ଠିକ୍ ଥିଲା । ଖାଉଟି ପରିବା କିଣିବାକୁ ନୂଆ ବଜାର ପରିବା ମାର୍କେଟରେ ଭିଡ଼ ଜମାଉଥିଲେ । ହେଲେ ଏବେ ମାର୍କେଟ ଏକପ୍ରକାର ଶୂନଶାନ୍ । ସପ୍ତାହକ ପରେ ବଦଳିଛି ମାର୍କେଟର ରୂପ । କାହିଁକି ନା ପରିବା ଦର ନ କହିବା ଭଲ । ପକେଟରୁ ଟଙ୍କା ସରୁଛି ମାତ୍ର ବ୍ୟାଗ୍ ଭରୁନି । ପୂର୍ବରୁ କେଜି କେଜି ଆଣୁଥିବା ଖାଉଟି ଏବେ ପରିବା କିଲେ ଆଣିବା ପାଇଁ ମୁହଁ ବୁଲାଉଛନ୍ତି ।

    ନୂଆ ବଜାର ପରିବା ମାର୍କେଟରେ ସବୁବେଳେ ଗ୍ରାହକଙ୍କ ଭିଡ ଜମିଥାଏ । ହେଲେ ଏବେ ଗ୍ରାହକଙ୍କୁ ଅପେକ୍ଷା କରି ବସୁଛନ୍ତି ଦୋକାନୀ । ହଠାତ୍ ପରିବା ଦର ହୁହୁ ହୋଇ ବଢ଼ିଯାଇଛି ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ବିଲାତି ବାଇଗଣ କେଜି ୯୦ ଟଙ୍କା, ବିନ୍ସ କିଲୋ ୨୦୦ ଟଙ୍କା, ଫୁଲ କୋବି ଗୋଟା ୬୦ ଟଙ୍କା ଥିବାବେଳେ ବନ୍ଧାକୋବି ଗୋଟାର ଦାମ୍ ରହିଛି ୨୫ ଟଙ୍କା । ପେପସିକମ୍ କିଲୋ ପିଛା ୨୦୦ ଟଙ୍କା ଥିବାବେଳେ ଅନ୍ୟାନ୍ୟ ପନିପରିବା ଦର ଶୁଣି ଗ୍ରାହକ ଛାନିଆ ।

    ନୂଆ ବଜାର ପରିବା ମାର୍କେଟରେ ସପ୍ତାହକ ପୂର୍ବରୁ ଦର ବହୁତ କମ୍ ରହିଥିଲା । ଗ୍ରାହକ ବି ପନିପରିବା କିଣିବାକୁ ଆଗ୍ରହୀ ଥିବାବେଳେ ଦୋକାନୀଙ୍କ ଭଲ ବ୍ୟବସାୟ ହେଉଥିଲା । ଏବେ କିନ୍ତୁ ପରିବା ଦର ୪ ଗୁଣା ବଢ଼ିଯାଇଥିବାରୁ ଦୋକାନୀଙ୍କ ଭୟ ବ୍ୟବସାୟ ହେଉନି । ତେଣୁ ସେମାନେ ଗ୍ରାହକଙ୍କୁ ଅନାଇ ବସିଛନ୍ତି ।

  • ବୌଦ୍ଧ: ବନ ବିଭାଗ ପକ୍ଷରୁ ମହିଳା ଗୋଷ୍ଠୀଙ୍କୁ ଖଲି ଦନା ତିଆରି ମେସିନ ପ୍ରଦାନ

    ବୌଦ୍ଧ: ବନ ବିଭାଗ ପକ୍ଷରୁ ମହିଳା ଗୋଷ୍ଠୀଙ୍କୁ ଖଲି ଦନା ତିଆରି ମେସିନ ପ୍ରଦାନ

    ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ହେବ । ପାହାଡ଼ିଆ ଅଞ୍ଚଳରେ ରହୁଥିବା ଆଡ଼େନିଗଡ଼ ପଞ୍ଚାୟତର କଣ୍ଡରା ଗାଁର ବିକାଶ ହେବ । ଜିଲ୍ଲାର ମହିଳାମାନେ ସ୍ୱାବଲମ୍ବୀ ହେବେ । ସେଥିପାଇଁ ଏହି ଗାଁର ମା ପିତାବଲୀ ମହିଳା ସ୍ୱୟଂ ସହାୟକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର ।

    ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ହରଭଙ୍ଗା ବ୍ଲକ ଚାରିଛକ ଫରେଷ୍ଟ ବଙ୍ଗଳାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମା ପିତାବଲୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଖଲି ଦନା ତିଆରି ମେସିନ ଯୋଗାଇ ଦିଆଯାଇଛି । ବୌଦ୍ଧ ଜିଲାପାଳ ସତ୍ୟରଞ୍ଜନ ସାହୁ ଯୋଗଦେଇ ସେମାନଙ୍କୁ ମେସିନ ପ୍ରଦାନ କରିଥିଲେ । ବୌଦ୍ଧ ବନ ବିଭାଗ ପକ୍ଷରୁ ମହିଳା ଗୋଷ୍ଠୀଙ୍କ ପାଇଁ ଏଭଳି ଏକ ପଦକ୍ଷେପ ନିଆଯାଇଛି ।

    ମହିଳାମାନେ କିପରି ସ୍ୱାବଲମ୍ବୀ ଏବଂ ସଶକ୍ତ ହୋଇପାରିବେ ସେ ନେଇ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଡିଏଫଓ ଦେବପ୍ରିୟ କମ୍ପ,ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱନୀ ମେହେର,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତିକାନ୍ତି ବଳିୟାର ସିଂ, ବିଡିଓ ହରଭଙ୍ଗା ସ୍ୱପ୍ନିତା ନାୟକ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କଁହର,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ପୁରୁଣା କଟକ ରେଞ୍ଜର ନିହାର ମଳିକଙ୍କ ସମେତ ବନ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ମା ପିତାବଲୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପାହାଡ଼ ନାମକ ଏକ ଏନଜିଓ ସଂସ୍ଥା ସାହାଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ଖଲି ଦନା ପ୍ରସ୍ତୁତି ନେଇ ମହିଳାମାନଙ୍କୁ ତାଲିମ ପ୍ରଦାନ କରିବାକୁ କହିଛି ଏହି ଏନଜିଓ ସଂସ୍ଥା ।

  • ବୌଦ୍ଧ: ପାଖେଇ ଆସୁଛି ‘ଦେଶଜ’ଉତ୍ସବ, ଧୁମଧାମରେ ଆୟୋଜନ ଲକ୍ଷ୍ୟ

    ବୌଦ୍ଧ: ପାଖେଇ ଆସୁଛି ‘ଦେଶଜ’ଉତ୍ସବ, ଧୁମଧାମରେ ଆୟୋଜନ ଲକ୍ଷ୍ୟ

    ଆସନ୍ତା ମାସରେ ବୌଦ୍ଧ ଜିଲ୍ଲାରେ ଲୋକ ସଙ୍ଗୀତ ଉତ୍ସବ ‘ଦେଶଜ’ ଆୟୋଜିତ ହେବ । ଏଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ନେଇ ବୌଦ୍ଧ ଟାଉନ୍ ହଲରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

    କେଇଟା ଦିନ ପରେ ଲୋକ ସଙ୍ଗୀତ ଉତ୍ସବ ‘ଦେଶଜ’ ଆୟୋଜିତ ହେବ । ବୌଦ୍ଧ ଜିଲ୍ଲାର ବେଶ୍ ଲୋକପ୍ରିୟ ଲୋକସଙ୍ଗୀତ ଉତ୍ସବ ଦେଶଜ ୮ ଓ ୯ ତାରିଖରେ ଦୁଇଦିନ ଧରି ଚାଲିବ । ରାଜ୍ୟର ବିଭିନ୍ନ ଜିଲ୍ଲୀରୁ ସଙ୍ଗୀତଜ୍ଞ ଏବଂ କଳାକାରମାନେ ଏଥିରେ ଯୋଗଦେବେ । ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ହେବାକୁ ଥିବା ଏହି ଉତ୍ସବ ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

    ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିବାଳା ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକନ୍ତି ବଳିୟାର ସିଂହ ସାମିଲ ହୋଇ ଉତ୍ସବ ଆୟୋଜନ ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ମଧ୍ୟ ସାମିଲ ହୋଇଥିଲେ ।

    ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲାରେ ଆୟୋଜନ କରାଯାଉଛି । ଚଳିତଥର ଏହାକୁ ବେଶ୍ ଧୁମଧାମରେ ଆୟୋଜନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେପଟେ, ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯିବାକୁ ବୈଠକରେ ଆଲୋଚନା ହୋଇଛି ।