Category: ରାଜ୍ୟ ଖବର

  • ଜୀବନ ଯୁଦ୍ଧରେ ଦମୟନ୍ତୀ…କେବେ ଛାତ୍ରୀ, କେବେ ଅଟୋବାଲି ଦିଦି

    ଜୀବନ ଯୁଦ୍ଧରେ ଦମୟନ୍ତୀ…କେବେ ଛାତ୍ରୀ, କେବେ ଅଟୋବାଲି ଦିଦି

    ସକାଳେ ଅଙ୍ଗନୱାଡି ଦିଦି, ଅଙ୍ଗନବାଡି ସରିଲେ ଅଟୋ ଚାଳିକା । ପୁଣି ରାତି ହେଲେ ନିଜର ପାଠପଢ଼ା । କେନ୍ଦୁଝର ସହର ବଡ଼ଡେରା ଗ୍ରାମର ଦମୟନ୍ତୀ ନାଏକଙ୍କ ସଂଘର୍ଷମୟ କାହାଣୀ ନାରୀ ସମାଜ ପାଇଁ ଜ୍ବଳନ୍ତ ଉଦାହରଣ ।

    ସାହରପଡା ବ୍ଲକ କଟୁପଡ଼ା ଗାଁରେ ଜନ୍ମିତ ଦମୟନ୍ତୀଙ୍କୁ ଯେତେବେଳେ ମାତ୍ର ୧୫ ବର୍ଷ ହୋଇଥିଲା ସେତେବେଳେ ବଡ଼ଡେରା ଗାଁର ପଦ୍ମଲୋଚନ ନାଏକଙ୍କ ସହିତ ତାଙ୍କର ବିବାହ ହୋଇଥିଲ । ସ୍ବାମୀ ଜଣେ ଟେଲର ମିସ୍ତ୍ରୀ ହୋଇଥିବାରୁ ସ୍ୱାମୀଙ୍କୁ ଟେଲର କାମରେ ସହାୟତା କରୁଥିଲେ ଦମୟନ୍ତୀ । କିନ୍ତୁ ଆଜିକାଲି ଟେଲରର ଚାହିଦା କମି ଯିବାରୁ ଘର ଚଳିବା କଷ୍ଟକର ହେଲା । ତେଣୁ, ୨୦୦୯ ମସିହାରେ ଦମୟନ୍ତୀ ଗାଁ ଅଙ୍ଗନବାଡିରେ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି ପାଇଲେ । ନିଯୁକ୍ତି ପାଇବା‌ ପ‌ରେ ଦମୟନ୍ତୀଙ୍କର ପାଠ ପଢ଼ିବାକୁ ଇଚ୍ଛା ହେଲା । ତେଣୁ ସେ ୨୦୧୧ ମସିହାରେ ମାଛଗଡ ମହାବିଦ୍ୟାଳୟରୁ ଯୁକ୍ତ ଦୁଇରେ ଉତ୍ତୀର୍ଣ୍ଣ ହେଲେ । ଏହାପରେ ପୁଣି ତାଙ୍କର ପାଠ ପଢ଼ାରେ ଡୋରୀ ଲାଗିଥିଲା । କିନ୍ତୁ, ଅଙ୍ଗନବାଡି ଦିଦି ଭାବେ ଯେତିକି ଦରମା ମିଳୁଥିଲା ସେତିକିରେ ପିଲାଙ୍କୁ ପାଠ ପଢ଼ାଇ ଘର ଚଳିବା କଷ୍ଟକର ଥିଲା । ତେଣୁ ଦମୟନ୍ତୀ ଏକ ଅଟୋ କିଣି ନିଜେ ଚଲାଇବା ପାଇଁ ନି‌ଷ୍ପତ୍ତି ନେଲେ, ଆଉ ଫାଇନାନ୍ସ କରି ଅଟୋ କିଣିଲେ । ପ୍ରଥମେ ଜଣେ ଡ୍ରାରଇଭର ରଖିଥିଲେ ହେଲେ ନିଜେ ଅଟୋ ଚଲାଇବା ଶିଖିଯିବା ପରେ ଏବେ ନିଜେ ସହର ସାରା ଅଟୋ ଚଳାଇ ରୋଜଗାର କରୁଛନ୍ତି । ଦମୟନ୍ତୀ କୁହନ୍ତି, ପାଠ ପଢ଼ିବା ବୟସରେ ବିବାହ ହୋଇ ଯାଇଥିଲା । ଏହାପରେ ପରିବାର ଚଳାଇବା ପାଇଁ ଅଙ୍ଗନବାଡି ଦିଦି ଚାକରି କରିଥିଲି। କିନ୍ତୁ ସେଥିରୁ ମିଳୁଥିବା ଦରମାରେ ଘର ଚଳିପାରୁ ନଥିଲା । ଯେଉଁଥିପାଇଁ ଅଟୋଟିଏ କିଣି ଚଲାଉଛି ।

    ସକାଳ ୯ଟାରୁ ଗୋଟାଏ ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ରରେ ଛୋଟଛୋଟ ପିଲାଙ୍କ ପାଠପଢ଼ା କଥା ବୁଝିବା ପରେ ଗୋଟାଏରୁ ୨ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଘର ବୁଲି ସରକାରଙ୍କ ବିଭିନ୍ନ ଯୋଜନାର ଦାୟିତ୍ୱ ତୁଲାଇଥାନ୍ତି । ଏହାପରେ ଘରକୁ ଫେରି ପରିବାର କଥା ବୁଝିବା ପରେ ପୁଣ ଅପରାହ୍ନ ୪ଟାରୁ ଅଟୋ ଧରି କେନ୍ଦୁଝର ସହରକୁ ବାହାରି ଆସନ୍ତି । ସହରରେ ବିଭିନ୍ନ ଛକରେ ଯେଉଁ ଗ୍ରାହକ ମିଳିଥାନ୍ତି, ତାଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାନ୍ତି । ପ୍ରତ୍ୟେକ ଦିନ ଦମୟନ୍ତୀ ଅଟୋ ଚଲାଇ ୧୦୦୦ ଟଙ୍କା ଭଳି ରୋଜଗାର କରନ୍ତି । ଅଙ୍ଗନବାଡି ଦିଦି ଭାବେ ଯେତିକି ଦରମା ପାଆନ୍ତି, ତା’ର ଚାରି ଗୁଣା ଏବେ ଅଟୋରୁ ରୋଜଗାର କରିବା ପରେ ପରିବାର ଆର୍ଥିକ ସ୍ଥିତି ବଦଳିଛି ଏବଂ ଭଲରେ ଚଳୁଛନ୍ତି ଦମୟନ୍ତୀ । ତେବେ ଆର୍ଥିକ ସ୍ଥିତି ବଦଳିବା ପରେ ଦମୟନ୍ତୀ ପୁଣି ପାଠ ପଢ଼ିବାକୁ ମନ ବଳାଇଲେ । ପୁଅ ବିଏସି ପଢ଼ୁଥିବା ବେଳେ ସେ ନିଜେ ବିଏ ପଢ଼ିବା ପାଇଁ ମନ କଲେ । ତେଣୁ ଦୁଇ ବର୍ଷ ତଳେ ସେ ପିପିଳିଆର ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟରେ ଯୁକ୍ତି ତିନି ରାଜନୀତି ବିଜ୍ଞାନ ସମ୍ମାନରେ ନାମ ଲେଖାଇଛନ୍ତି । ଚଳିତ ବର୍ଷ ଦମୟନ୍ତୀଙ୍କର ଶେଷ ବର୍ଷ ପାଠପଢ଼ା । ଏପରି ସାହସିକତା ପାଇଁ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ମଧ୍ୟ ମିଳିଥାଏ ।

    ପରିବାର ବୋଝ ମୁଣ୍ଡାଇବାକୁ ଯାଇ ଆଜି ଦମୟନ୍ତୀ ଯାହା କରୁଛନ୍ତି ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ । ସମାଜରେ ଲୋକ କଣ କହିବେ ଭାବି ପଛରେ ରହିଯାଉଥିବା ମହିଳାଙ୍କ ପାଇଁ ଦମୟନ୍ତୀ ହେଉଛନ୍ତି ଉଦାହରଣ ।

  • ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

    ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

    ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ଅଡୁଆ ବଢୁଛି । ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ସନ୍ଦେହ ଘେରକୁ ଆସିଥିବା ଲାକ୍ରାଙ୍କ ପାଇଁ ଆଉ ଟିକେ ଟେନସନ ବଢିଛି । କାହିଁକି ନା ଏବେ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ । ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

    ବୀରେନ୍ଦ୍ର ଲାକ୍ରା ଜଣେ ଡିଏସପି ହୋଇଥିବାରୁ କ୍ରାଇମବ୍ରାଞ୍ଚର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ । ଜଣେ ଡିଆଇଜି ପାହ୍ୟାର ଅଧିକାରୀଙ୍କୁ ଏହି ଦାୟିତ୍ୱ ଦିଆଯିବ ବୋଲି ହାଇକୋର୍ଟ କହିଛନ୍ତି । ପୂର୍ବରୁ ତଦନ୍ତ କରୁଥିବା କମିଶନରେଟ ପୋଲିସ, ତଦନ୍ତର ସମସ୍ତ କାଗଜପତ୍ର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।

    ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ତାଙ୍କ ବାନ୍ଧବୀ ମାନଜିତ ଟେଟେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ହାଇକୋର୍ଟରେ ମାମଲା ରୁଜ୍ଜୁ କରିଛନ୍ତି ମୃତ ଆନନ୍ଦ ଟପ୍ପୋଙ୍କ ବାପା । ୨୦୨୨ ଫେବ୍ରୁଆରୀ ୨୮ ତାରିଖ ଦିନ ପ୍ରାୟ ୧୨ଟାରେ ଭୁବନେଶ୍ୱର ଇନଫୋସିଟି ଥାନା ଇନ୍ଫୋସିଟିର ଆୟୁଷ ରେଡିୟମ୍ ଫ୍ଲାଟ୍‌ ନମ୍ବର ୪୦୧ରେ ବେକରେ ଲୁଗା ବାନ୍ଧି ଆନନ୍ଦ ଆତ୍ମହତ୍ୟା କରିଥିଲେ । ଏ ନେଇ ବୀରେନ୍ଦ୍ର, ମୃତକଙ୍କ ବାପାଙ୍କୁ ଫୋନ୍ ମାଧ୍ୟମରେ ସୂଚନା ଦେଇଥିଲେ । ମୃତକଙ୍କ ବେକରେ ୨ଟି ଦାଗ ରହିଥିଲା। ସେ ୧୦ ଦିନ ପୂର୍ବରୁ ବିବାହ କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।

  • ୧୦ ବର୍ଷର କୁନିଝିଅ ୧୦ ବର୍ଷ ହେଲା ଖାଇନାହାନ୍ତି ଭାତ

    ୧୦ ବର୍ଷର କୁନିଝିଅ ୧୦ ବର୍ଷ ହେଲା ଖାଇନାହାନ୍ତି ଭାତ

    ଭଦ୍ରକ ଜିଲ୍ଲା ଭଣ୍ଡାରପୋଖରୀରୁ ଆସିଛି ଏକ ଅଦ୍ଭୁତ ଖବର। କେବଳ ମୁଢି ଖାଇ ବଞ୍ଚିଛନ୍ତି। ଖାଲି ବଞ୍ଚି ନାହାନ୍ତି, ବରଂ ସମ୍ପୂର୍ଣ୍ଣ ସୁସ୍ଥ ଓ ସବଳ ରହିଛନ୍ତି। ସବୁଠାରୁ ମଜାଦାର କଥା ହେଉଛି, ଝିଅ ଭାତ ଖାଉନଥିବାରୁ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ତାଙ୍କ ପାଇଁ ମୁଢିର ବ୍ୟବସ୍ଥା କରାଯାଇଛି। ବୟସ ୧୦ବର୍ଷ ,ନାଁ ଲଷ୍ମୀପ୍ରିୟା ଭଣ୍ଡାରିପୋଖରୀ ବ୍ଲକ୍‌ ମାଳଦା ପଞ୍ଚାୟତର ଚତୁର୍ଭୁଜପୁର ଗାଁ। ଏହି ଗାଁର ମକରା ମାଝୀ ଓ କମଳିନୀଙ୍କ ସାନ ଝିଅ ହେଉଛନ୍ତି ଲକ୍ଷ୍ମୀପ୍ରିୟା। ଜନ୍ମ ପରେ ମାଆ କ୍ଷୀର ଖାଉଥିଲେ। ଧୀରେ ଧୀରେ ଲକ୍ଷ୍ମୀପ୍ରିୟା ବଢ଼ିଲେ। ଝିଅ ବଢ଼ିଲା ପରେ ଭାତ, ଡାଲି, ରୁଟି ଓ ଅନ୍ୟାନ୍ୟ ଖାଦ୍ୟ ଖାଇବାକୁ ଦେଇଥିଲେ ମାଆ। ହେଲେ ସେଥିପ୍ରତି ତାଙ୍କର ସାମାନ୍ୟତମ ରୁଚି ନଥିଲା। ଭାତ ଓ ଡାଲି ବଦଳରେ ପାଖରେ ଥିବା ମୁଢି ଖାଇଥିଲେ। ଯେଉଁଥିପାଇଁ ବାପା-ମାଆ ଅଡୁଆରେ ପଡ଼ି ଯାଇଥିଲେ।

    ମୁଢିଠାରୁ ଦୂରେଇବା ପାଇଁ ଲକ୍ଷ୍ମୀପ୍ରିୟାଙ୍କୁ ନେଇ ତାଙ୍କ ବଡ଼ ଭଉଣୀଙ୍କ ଘରେ ଛାଡ଼ି ଦେଇଥିଲେ ପରିବାର ଲୋକ। ସେଠାରେ ତାଙ୍କୁ ଭାତ ଓ ଅନ୍ୟାନ୍ୟ ତରକାରି ଖାଇବାକୁ ଦିଆଯାଇଥିଲା। ହେଲେ ସେ ଖାଇନଥିଲେ। ତା’ପରେ ପରିବାର ଲୋକେ ଲକ୍ଷ୍ମୀପ୍ରିୟାଙ୍କୁ ତାଙ୍କ ମାଉସୀ ଓ ପିଉସୀଙ୍କ ଘରେ ଛାଡ଼ିଥିଲେ। ସେଠାରେ ମଧ୍ୟ ଭାତ ଓ ତରକାରୀ ଖାଇନଥିଲେ ଲକ୍ଷ୍ମୀପ୍ରିୟା। କେବଳ ମୁଢି ଖାଇବାକୁ ମାଗିଥିଲେ। ତେଣୁ ବାଧ୍ୟ ହୋଇ ଲକ୍ଷ୍ମୀପ୍ରିୟାଙ୍କୁ ମୁଢି ଖାଇବାକୁ ଦେଇଥିଲେ।

    ଲକ୍ଷ୍ମୀପ୍ରିୟାଙ୍କ ମାଆ କମଳିନୀ କହିଛନ୍ତି, ଆମେ ଗରିବ ଲୋକ। ପ୍ରତି ଦିନ ମୁଢି କେଉଁଠୁ ଆଣିବୁ? ଯେଉଁଦିନ ଘରେ ମୁଢି ନଥିବ, ତାକୁ ଭାତ ଖାଇବାକୁ ଦେଲେ ସେ ଖାଇବ ନାହିଁ। ଲୁଣ ଓ ଚିନିକୁ ପାଣି କରି ପିଇଦେଇ ରହିଯିବ। ଯେତେ କହିଲେ ମଧ୍ୟ ଭାତ ଖାଇବନାହିଁ। ଦିନେ କି ଦୁଇ ଦିନ ନୁହେଁ, ଦରକାର ପଡ଼ିରୁ ଦୁଇରୁ ତିନି ପର୍ଯ୍ୟନ୍ତ ସେ ଲୁଣ ଓ ଚିନି ପାଣି ପିଇ ରହି ଯିବ ବୋଲି କମଳିନୀ କହିଛନ୍ତି। ସେପଟେ ଲକ୍ଷ୍ମୀପ୍ରିୟାର ବୟସ ବଢିବା ସଙ୍ଗେ ସଙ୍ଗେ ଅଭ୍ୟାସରେ ପରିବର୍ତ୍ତନ ହେଉନଥିବାରୁ ପରିବାର ଲୋକେ ତାଙ୍କ ଡାକ୍ତରୀ ପରୀକ୍ଷା କରିଥିଲେ। ହେଲେ ଲକ୍ଷ୍ମୀପ୍ରିୟା ସଂପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିବା ପରେ ତାଙ୍କ ମୁଢି ଖିଆ ଅଭ୍ୟାସ ଅବ୍ୟାହତ ରହିଛି।

    ଲକ୍ଷ୍ମୀପ୍ରିୟାଙ୍କୁ ଏବେ ୧୦ ବର୍ଷ ହେଲାଣି। ସେ ଚତୁର୍ଭୁପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ଅନ୍ୟ ପିଲାଙ୍କ ପରି ସ୍କୁଲ ଯାଉଛନ୍ତି। ପାଠ ପଢ଼ୁଛନ୍ତି। ହେଲେ ମଧ୍ୟାହ୍ନ ଭୋଜନ ଖାଉନାହାନ୍ତି। ତା’ ବଦଳରେ ସ୍କୁଲ ପକ୍ଷରୁ ତାଙ୍କୁ ମୁଢି ଖାଇବାକୁ ଦେଉଛନ୍ତି। ତା’ ସାଙ୍ଗକୁ ଫଳ, ବିସ୍କୁଟ୍‌ ଓ ପାଉଁରୁଟି ଆଦି ମଧ୍ୟ ଖାଇବାକୁ ଦିଆଯାଉଛି।

  • ଆଜିଠୁ +2 ପ୍ରଥମ ପର୍ଯ୍ୟାୟ ନାମ ଲେଖା ଆରମ୍ଭ

    ଆଜିଠୁ +2 ପ୍ରଥମ ପର୍ଯ୍ୟାୟ ନାମ ଲେଖା ଆରମ୍ଭ

    
    
    
    
    

    ଆଜିଠୁ ଆରମ୍ଭ ହେବ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା। ସକାଳ ୯ରୁ ୫ଟା ଯାଏ ନାମଲେଖା ଚାଲିବ। ଚଳିତବର୍ଷ ୪ ଲକ୍ଷ ୭୨ ହଜାର ୨୭୯ ପିଲା ଆବେଦନ କରିଥିବା ବେଳେ  ପ୍ରଥମ ପର୍ଯ୍ୟାୟରେ  ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ୪ ଲକ୍ଷ ୧୨ ହଜାର ୩୬୮ ଜଣ । କଳାରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮ ଜଣ, ବାଣିଜ୍ୟରେ ୨୫ ହଜାର ୧୬୮ ଓ ବିଜ୍ଞାନରେ ୧ଲକ୍ଷ ୨୧ ହଜାର ୨୩ ଜଣ ମନୋନୀତ ହୋଇଛନ୍ତି। ବାକି ୫୯ ହଜାର ୯୧୧ ପିଲା ଦ୍ୱିତୀୟ ଓ ସ୍ପଟ୍ ଆଡ଼ମିଶନ ପାଇଁ ରହିଯାଇଛନ୍ତି।13 ତାରିଖ ଯାଏଁ ଚାଲିବ ପ୍ରଥମ ପର୍ଯ୍ୟାୟ ନାମ ଲେଖା ତେବେ ଜୁଲାଇ ୧୯ ରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ। ୨୦ ରୁ ୨୨ ଯାଏ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ। ଏଥର ସ୍ପଟ୍ ସିଲେକ୍ସନ ପାଇଁ ଛାତ୍ରଛାତ୍ରୀସମସ୍ତ କଲେଜରେ ଆବେଦନ କରିପାରିବେ। ।ଏହାରି ଭିତରେ ଗତକାଲି ପ୍ରକାଶ ପାଇସାରିଛି କଟ୍ ଅଫ୍ ତାଲିକା।

  • ଯାଜପୁର: ୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଥାନା ଏସଆଇ

    ଯାଜପୁର: ୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଥାନା ଏସଆଇ

    ଅଡୁଆରେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଏସଆଇ ନିର୍ମଳ କୁମାର ସେନାପତି । ଲାଞ୍ଚ ନେଇ ସେ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଛନ୍ତି । ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ ।

    ସୂଚନା ଅନୁସାରେ ସୁକିନ୍ଦା ମୁଖ୍ୟ ରାଜପଥରୁ ଏକ ବାଲି ବୋଝେଇ ହାଇୱା ଜବତ କରିଥିଲେ ସୁକିନ୍ଦା ତହସିଲଦାର । ଏହି ଗାଡ଼ିକୁ ସେ ସୁକିନ୍ଦା ଥାନାରେ ଜିମା ଦେଇଥିଲେ । ଏହି ଘଟଣାରେ ସୁକିନ୍ଦା ପୋଲିସ ଏକ ମାମଲା ରୁଜ୍ଜୁ କରିଥିଲା । ବାଲି ଗାଡ଼ି ଡ୍ରାଇଭର ମନୋହରପୁର ଗାଁର ପ୍ରକାଶ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ସେହି ବାଲି ବୋଝେଇ ଗାଡ଼ି ଥାନାରୁ ଖଲାସ କରିବା ପାଇଁ ଗାଡ଼ି ମାଲିକଙ୍କ ଠାରୁ ଲାଞ୍ଚ ନେଉଥିଲେ ସୁକିନ୍ଦା ଥାନା ଏସ୍‌ଆଇ ନିର୍ମଳ ସେନାପତି । ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଛନ୍ତି । ଏହି ଘଟଣାରେ ସୁକିନ୍ଦା ଥାନା ଏସ୍‌ଆଇ ନିର୍ମଳ ସେନାପତିଙ୍କ ଘରେ ଚଢ଼ାଉ କରିବା ପରେ ତାଙ୍କୁ କଟକ ନିଆଯାଇଛି ।

    ରାଜ୍ୟରେ ଲାଞ୍ଚ କାରବାର ବଢ଼ିବାରେ ଲାଗିଛି । ପିଅନ, କ୍ଲର୍କ ଠାରୁ ଆରମ୍ଭ କରି ବହୁ ଅଧିକାରୀ ଲାଞ୍ଚ ନେଉଥିବା ଅଭିଯୋଗ ଆସୁଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଗିରଫ ହେଲେଣି । କେଉଁଠି କୋଟିପତି ପିଅନ ତ ଆଉ କେଉଁଠି କୋଟିପତି ଅଧିକାରୀ ଭିଜିଲାନ୍ସ ଜାଲରେ ପଡୁଛନ୍ତି । ଭିଜିଲାନ୍ସ ବିଭାଗ ଲାଞ୍ଚଖୋର ଅଧିକାରୀଙ୍କ ବିରୋଧରେ ଏହି ଅଭିଯାନ ଜାରି ରଖିଛି ।

  • ସକ୍ରିୟ ହେଲା ମୌସୁମୀ,ଆଜିଠୁ ରାଜ୍ୟରେ ବଢିବ ବର୍ଷା

    ସକ୍ରିୟ ହେଲା ମୌସୁମୀ,ଆଜିଠୁ ରାଜ୍ୟରେ ବଢିବ ବର୍ଷା

    ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ବାୟୁମଣ୍ଡଳର ୧.୫ କିମି ରୁ ୭.୬ କିଲୋମିଟର ଉଚ୍ଚତା ମଧ୍ୟରେ ସକ୍ରିୟ ରହିଛି। ଅନ୍ୟପକ୍ଷରେ ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ବିକାନିରରୁ ବାହାରି ଚୁରୁ, ଗୁନା, ସିଦ୍ଧି, ଅମ୍ବିକାପୁର ମଧ୍ୟ ଦେଇ ଓଡ଼ିଶାର ବାଲେଶ୍ୱରରୁ ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାର କିଛି ଅଞ୍ଚଳରେ ଆଜି ସକାଳୁ ବର୍ଷା ଲାଗିରହିଛି ଏବଂ ଦୁର୍ବଳ ହୋଇପଡ଼ିଥିବା ମୌସୁମୀ ପୁନର୍ବାର ସ୍ୱାଭାବିକ ସ୍ଥିତିକୁ ଫେର ଆସିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

    ଯାହାଫଳରେ ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ ଓ ବିସ୍ତୃତି । ଅତି ପ୍ରବଳ ବର୍ଷା ପାଇ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କନ୍ଧମାଳ ଏବଂ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି। ସେହିଭଳି କାଲି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୧୪ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବା ନେଇ ଆକଳନ କରାଯାଇଛି।

    ସେପଟେ ଚଳିତ ମୌସୁମୀ ସିଜିନ୍ ଜୁନ୍ ୧ରୁ ଜୁଲାଇ ୫ ତାରିଖ ମଧ୍ୟରେ ରାଜ୍ୟରେ ୧୭୬.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୨୫୫.୮ ମିଲିମିଟର ବର୍ଷା ହେବା କଥା । ତେଣୁ ଏଥର ସ୍ବାଭାବିକ ବର୍ଷାଠାରୁ ୩୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ଆସନ୍ତା ୫ ଦିନ ବର୍ଷା ନିଅଣ୍ଟିଆ ବର୍ଷାକୁ ଭରଣା କରିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ଏହି ସମୟ ମଧ୍ୟରେ ଟୁଇନ୍ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆକାଶ ମେଘାଛନ୍ନ ରହିବା ସହ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ଅସରାଏ, ଦୁଇଅସରା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

  • ବାଲେଶ୍ୱର: ୬ ଡକାୟତକୁ ଧରିଲା ସିଂଲା ପୋଲିସ, ମାରଣାସ୍ତ୍ର ବି ଜବତ

    ବାଲେଶ୍ୱର: ୬ ଡକାୟତକୁ ଧରିଲା ସିଂଲା ପୋଲିସ, ମାରଣାସ୍ତ୍ର ବି ଜବତ


    ବାଲେଶ୍ୱର ଜିଲ୍ଲା ସିଂଲା ପୋଲିସକୁ ସଫଳତା । ଜିଲ୍ଲାରୁ ଚୋରି, ଡକାୟତି, ହତ୍ୟା ଭଳି ଅପରାଧ ହ୍ରାସ କରିବାକୁ ପୋଲିସ ଅଭିଯାନ ଚଳାଇଥିବା ବେଳେ ଏବେ କିଛିଟି ସଫଳତା ମିଳିଛି । ଆସନ୍ତା ଦିନରେ ଅଭିଯାନ ଜାରି ରହିବ ଏବଂ ଅପରାଧିକ କାର୍ଯ୍ୟକଳାପରେ ରୋକ୍ ଲାଗିବ ବୋଲି ଆଶା କରାଯାଉଛି ।

    ଡକାୟତି ଯୋଜନା କରୁଥିଲେ ହେଲେ ଏହା ଫେଲ୍ ମାରିଛି । ପୋଲିସ ଡକାୟତମାନଙ୍କୁ ଗିରଫ କରିଛି । ଡକାୟତି ଯୋଜନା ଚାଲିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ସିଂଲା ପୋଲିସର ଏକ ଟିମ୍ ରେଡ୍ କରିଥିଲା ।

    ସିଂଲା ଥାନା ପାଉଁଶକୁଲି ଫୁଟବଲ ପଡ଼ିଆ ନିକଟରେ ୭ ଜଣ ଡକାୟତି ପାଇଁ ପ୍ଲାନ୍ କରୁଥିବା ବେଳେ ଚଢ଼ାଉ ହୋଇଥିଲା । ଘଟଣାସ୍ଥଳରୁ ୬ ଜଣଙ୍କୁ ଧରିଥିଲା ଟିମ୍ । ହେଲେ ଜଣେ ଚମ୍ପଟ ମାରିବାରେ ସଫଳ ହୋଇଥିଲା । ସେମାନଙ୍କ ଠାରୁ ଗୋଟିଏ କାର୍, ୨ଟି ବାଇକ୍ ଏବଂ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି ।

    ଗିରଫ ଅଭିଯୁକ୍ତମାନଙ୍କ ଘର ସିଂଲା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୋଲି ସୂଚନା ମିଳିଛି । ପୂର୍ବରୁ ସେମାନଙ୍କ ନାଁରେ ଏକାଧିକ ମାମଲା ରହିଥିବା ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବସ୍ତା ଏସଡିପିଓ ।


  • ୨୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସିନ୍ଧିମାଳ ରାଜସ୍ୱ ନିରୀକ୍ଷକ

    ୨୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସିନ୍ଧିମାଳ ରାଜସ୍ୱ ନିରୀକ୍ଷକ

    ଆଉ ଜଣେ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ। ମାଲକାନଗିରି ଜିଲା ସିନ୍ଧିମାଳ ରାଜସ୍ୱ ନିରୀକ୍ଷକ ସିମାଞ୍ଚଳ ସାହୁଙ୍କୁ କାବୁ କରିଛି ଭିଜିଲାନ୍ସ। ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ କାବୁ କରିଛି ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା। ଏହା ପରେ ତାଙ୍କର ଦୁଇଟି ସ୍ଥାନ ଉପରେ ଚାଲିଛି ରେଡ।  

    ସୂଚନା ଅନୁଯାୟୀ, ମାଲକାନଗିରି ଏୟାର ଷ୍ଟ୍ରିପ ପାଇଁ ଅଧିଗ୍ରହଣ କାର୍ଯ୍ୟ ଚାଲିଛି। ଜଣେ ଜମି ମାଲିକଙ୍କ ୧.୫ ଡିସମିଲ ଜମିକୁ ଏୟାର ଷ୍ଟ୍ରିପ ପାଇଁ ସରକାର ଅଧିଗ୍ରହଣ କରିବା ସହ ଏଥି ବାବଦକୁ ମହିଳାଙ୍କୁ କମ୍ପେନସେସନ ଦିଆଯାଇଛି। କିନ୍ତୁ ମହିଳା  ସେହି ଜମିର ବିଭାଜନ କରିବାକୁ ଆରଆଇ ସାହୁଙ୍କ ସହ ଯୋଗାଯୋଗ କରିଥିଲେ। ଏହି କାମ ଲାଗି ସେ ମହିଳାଙ୍କଠାରୁ ୨୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ମହିଳା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

    ଅଭିଯୋଗ ଆଧାରରେ ମହିଳା ଲାଞ୍ଚ ଟଙ୍କା ସାହୁଙ୍କୁ ଦେଉଥିବା ବେଳେ ପୂର୍ବରୁ ସେଠାରେ ଜଗି ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ ମାଡି ବସିଥିଲେ। ଏଥିସହ ତାଙ୍କ ନିକଟରୁ ଟଙ୍କା ଜବତ କରିଥିଲେ। ଏହା ପରେ ତାଙ୍କର ଦୁଇଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ। ଏହି ମାମଲାରେ କୋରାପୁଟ ଭିଜିଲାନ୍ସ ଥାନାରେ ସାହୁଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ଭିଭିଲାନ୍ସ ସାହୁଙ୍କ ସମ୍ପତ୍ତିକୁ ନେଇ ଖୋଳତାଳ ଚଳାଇଛି। ଚଢାଉ ପରେ ଅଧିକ ତଥ୍ୟ ହସ୍ତଗତ ହେବ।

    ଏହା ପୂର୍ବରୁ ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଜୁନ ଶେଷ ଭାଗରେ ଗିରଫ କରିଥିଲା ଭିଜିଲାନ୍ସ। ତାଙ୍କ ନିକଟରୁ ତାଙ୍କ ଆୟର ୫୦୬ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ହୋଇଥିଲା। ସେହିପରି  ୨୬ ଜୁନରେ ଡିଗପହଣ୍ଡି ଫରେଷ୍ଟ ରେଞ୍ଜର  କାହ୍ନୁ ଚରଣ ପଟ୍ଟନାୟକଙ୍କ ଗାଡିରୁ ୧.୫ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏହି ମାମଲାରେ ତାଙ୍କର ୩ଟି ସ୍ଥାନ ଉପରେ ହୋଇଥିଲା ଚଢାଉ। ଏଥିରେ ତାଙ୍କ ନିକଟରୁ ୫ ଲକ୍ଷ ଠାବ କରିଥିଲା ତଦନ୍ତକାରୀ ସଂସ୍ଥା। ତା ପରଦିନ, ଅର୍ଥାତ୍ ୨୭ ଜାନୁଆରୀରେ ଦେଓଗଡ ରିମୋଲ ବ୍ଲକ ଆକାଉଣ୍ଟାଣ୍ଟ ୬୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ।

  • ଡିଏନଗ୍ରୁପ ଉପରେ ଆୟକର ରେଡ

    ଡିଏନଗ୍ରୁପ ଉପରେ ଆୟକର ରେଡ

    ରିୟଲ୍ ଇଷ୍ଟେଟ୍ ବ୍ୟବସାୟ ପ୍ରତିଷ୍ଠାନ ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗ ପକ୍ଷରୁ ବଡ଼ ଧରଣର ରେଡ୍ ହୋଇଛି । ଭୁବନେଶ୍ୱର ଆଇଆରସି ଭିଲେଜସ୍ଥିତ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ସମେତ ୨୫ ରୁ ଅଧିକ ଜାଗାରେ ଆଜି ବଡ଼ି ସକାଳୁ ଏକକାଳୀନ ଚଢ଼ାଉ ଚାଲିଛି । ୟୁନିଟ୍-୪ରେ ଭଡ଼ାରେ ରହୁଥିବା ସଂସ୍ଥାର ଜଣେ କର୍ମଚାରୀଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ଜବତ ହୋଇଥିବା କୁହାଯାଉଛି । ଡିଏନ ଗ୍ରୁପ୍ ଦ୍ୱାରା ଟିକସ ଫାଙ୍କି ଅଭିଯୋଗରେ ଏହି ରେଡ୍ ହେଉଥିବା ଅଫିସିଆଲ୍ ସୂତ୍ର କହୁଥିବା ବେଳେ ଏହା ପଛରେ ରାଜନୀତି ଥିବା ଚର୍ଚ୍ଚା ହେଉଛି ।

    ସୂଚନା ଅନୁଯାୟୀ, ଆୟକର ଟିମ୍ ଭୁବନେଶ୍ୱର ସମେତ ରାଜ୍ୟ ଓ ରାଜ୍ୟ ବାହାରର ୨୫ ରୁ ଅଧିକ ଜାଗାରେ ଏକକାଳୀନ ଚଢ଼ାଉ କରିଛନ୍ତି । ସେମାନେ ସଂସ୍ଥାର ଆୟ ବ୍ୟୟ କାଗଜପତ୍ର ଯାଞ୍ଚ କରିବା ସହ ଠିକ୍ ଭାବରେ ଆୟକର ଦିଆଯାଉଛି ନା ନାହିଁ ଯାଞ୍ଚ କରୁଛନ୍ତି । ଭୁବନେଶ୍ୱରରେ ଆଇଆରସି ଭିଲେଜ୍ ସ୍ଥିତ ଡିଏନ ଗ୍ରୁପ୍ ର ମୁଖ୍ୟ କାର୍ଯ୍ୟାଳୟ, ଘାଟିକିଆସ୍ଥିତ ବିପୁଳ ଗାର୍ଡେନ୍ ରେ ରହୁଥିବା ସଂସ୍ଥାର ମାଲିକ ଜଗଦୀଶ ପ୍ରସାଦ ନାୟକ, ନିର୍ଦ୍ଦେଶକ ରତ୍ନମାଳା ସ୍ୱାଇଁ ଓ କିଛି ଅଧିକାରୀଙ୍କର ଘର ଏବଂ ୟୁନିଟ୍-୪ ସ୍ଥିତ ବିଏସଏନଏଲ କଲୋନୀରେ ଭଡ଼ାରେ ରହୁଥିବା ଜଣେ କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରେ ଚଢ଼ାଉ ଚାଲିଛି ।

    ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚନ୍ଦ୍ରଶେଖରଙ୍କ ଘରୁ ତିନି ଟ୍ରଙ୍କ୍ ଏବଂ ଗୋଟିଏ ଆଟାଚ୍ ଭର୍ତ୍ତି ଟଙ୍କା ଆୟକର ଅଧିକାରୀମାନେ ଜବତ କରିଛନ୍ତି । ଏଥିରେ ୩୦ କୋଟି ଟଙ୍କା ଅଛି । ତେବେ ଆୟକର ବିଭାଗର ଅଧିକାରୀମାନେ ଏ ସମ୍ପର୍କରେ କିଛି କହିନାହାନ୍ତି । ଖୋଳତାଡ଼ ଜାରି ରହିଥିବାରୁ ସୂଚନା ଦେବାକୁ ସେମାନେ ମନା କରିଛନ୍ତି ।

  • ଭିତରକନିକା: ଗଣନା ଶେଷ, ଗତବର୍ଷ ପରି ଏଥର ମଧ୍ୟ ୧୨୨ କୁମ୍ଭୀର ବସା

    ଭିତରକନିକା: ଗଣନା ଶେଷ, ଗତବର୍ଷ ପରି ଏଥର ମଧ୍ୟ ୧୨୨ କୁମ୍ଭୀର ବସା

    ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ କୁମ୍ଭୀର ବସା ଗଣନା ଶେଷ ହୋଇଛି । କନିକା ରେଞ୍ଜରେ ସର୍ବାଧିକ ବସା ଚିହ୍ନଟ କରିଛି ବନ ବିଭାଗ । ଏବେ କୁମ୍ଭୀରଙ୍କ ପ୍ରଜନନ ଋତୁ ଚାଲିଥିବା ବେଳେ ସେମାନଙ୍କ ସୁରକ୍ଷା ପ୍ରତି ନଜର ରଖିଛି ଟିମ୍ ।

    ଗତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ୧୨୨ଟି କୁମ୍ଭୀର ବସା ଗଣନା ହୋଇଥିଲା । ଚଳିତବର୍ଷ ମଧ୍ୟ ସମାନ ସଂଖ୍ୟକ ବସା ଚିହ୍ନଟ କରାଯାଇଛି । କନିକା ରେଞ୍ଜରେ ସର୍ବାଧିକ ୧୦୭ଟି ବସା ରହିଛି ।

    କନିକା ରେଞ୍ଜର ଭିତରକନିକା,ରଗଡ଼ାପାଟିଆ,ଡାଙ୍ଗମାଳ,ସାଉଥ୍ ମହିଁଷାମଡ଼ା,ନର୍ଥ ମହିଁଷାମଡ଼ା ଏବଂ କାଳିଭଞ୍ଜଡିଆରେ ଏହି ବସା ଚିହ୍ନଟ ହୋଇଥିବା ବନାଞ୍ଚଳ ଅଧିକାରୀ କହିଛନ୍ତି । ସେହିପରି ରାଜନଗରରେ ୧୨ଟି, ଗହୀରମଥାରେ ଗୋଟିଏ ଏବଂ ମହାକାଳପଡ଼ାରେ ୨ଟି କୁମ୍ଭୀର ବସା ଚିହ୍ନଟ ହୋଇଛି । ଗତବର୍ଷ ତୁଳନାରେ କନିକା ରେଞ୍ଜରେ କୁମ୍ଭୀର ବସା କମିଥିବା ବେଳେ ରାଜନଗର ରେଞ୍ଜରେ ବୃଦ୍ଧି ଘଟିଛି ।

    ସେପଟେ,ଏବେ ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଚାଲିଛି । ତେଣୁ ପ୍ରତିବର୍ଷ ଭଳି ଚଳିତବର୍ଷ ମେ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ପ୍ରଜନନ ପ୍ରକ୍ରିୟା ଜାରି ରହିବ । ଏହି ସମୟରେ ମା’ ବଉଳା କୁମ୍ଭୀରମାନେ ନଦୀର ଜୁଆର ଠାରୁ ୫ ଫୁଟ ଦୂରତାରେ ନଦୀ ପଠାରେ ବସା ବାନ୍ଧିଥାନ୍ତି । ଏହି ସମୟରେ କୁମ୍ଭୀର ଅଧିକ ହିଂସ୍ର ଥାଏ । ତେଣୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ମେ ପହିଲାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସ ଭିତରକନିକା ବନ୍ଦ ରହିଛି ।