Category: ରାଜ୍ୟ ଖବର

  • ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା

    ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା

    ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୨୨ ଶସ୍ୟ ବର୍ଷର ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହା ଦ୍ୱାରା ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀ ଉପକୃତ
    ହେବେ । ରାଜ୍ୟର ୭ ଲକ୍ଷ ୭୫ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ୨୫ ପ୍ରତିଶତ ବୋନସ୍‌ ଓ ୪୦ ହଜାର କେନ୍ଦୁପତ୍ର ବନ୍ଧାଳି ଓ ସାମୟିକ କର୍ମଚାରୀଙ୍କୁ ୫ ପ୍ରତିଶତ ପ୍ରୋତ୍ସାହନ ରାଶି, ଏହିପରି ମୋଟ ୫୬.୨୩ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ ।

    ୨୦୨୨ ଶସ୍ୟ ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ କେନ୍ଦୁପତ୍ର ତୋଳାଳିଙ୍କୁ ଏକ ହଜାର ଟଙ୍କା ଏବଂ ବନ୍ଧାଳି ଓ ସାମୟିକ କର୍ମଚାରୀଙ୍କୁ ୧୫ ଶହ ଟଙ୍କା ଲେଖାଏଁ, ଏହିପରି ମୋଟ ୮୩.୩୪ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୭ ଲକ୍ଷ ୭୫ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ଏକ ହଜାର ଟଙ୍କା ଆର୍ଥିକ ସହାୟତା, ପାଣି ବୋତଲ ପାଇଁ ୨୦୦ ଟଙ୍କା ଏବଂ ଚପଲ ପାଇଁ ୧୬୦ ଟଙ୍କା, ଏହିପରି ଭାବେ ପ୍ରତ୍ୟେକ କେନ୍ଦୁପତ୍ର ତୋଳାଳିଙ୍କୁ ୧୩୬୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ପର୍ଯ୍ୟାୟରେ ମଧ୍ୟ ୪୦ ହଜାର କେନ୍ଦୁପତ୍ର ବନ୍ଧାଳି ଏବଂ ସାମୟିକ କର୍ମଚାରୀଙ୍କୁ ପ୍ରତ୍ୟେକ ୧୫୦୦ ଟଙ୍କାର ସହାୟତା ରାଶି, ଏହିପରି ମୋଟ ୧୧୧.୨୧ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା ।

    ତୃତୀୟ ପର୍ଯ୍ୟାୟକୁ ମିଶାଇ ୨୦୨୨ ଶସ୍ୟବର୍ଷ ପାଇଁ କେନ୍ଦୁପତ୍ର ହିତାଧିକାରୀମାନଙ୍କୁ ବୋନସ, ପ୍ରୋତ୍ସାହନ ରାଶି ଓ ଆର୍ଥିକ ସହାୟତା ବାବଦକୁ ଦିଆଯାଇଥିବା ମୋଟ ସହାୟତା ପରିମାଣ ୨୫୦.୭୮ କୋଟି ଟଙ୍କା ହେବ । ଯାହା କି ଗୋଟିଏ ଫସଲ ବର୍ଷରେ ସର୍ବକାଳୀନ ରେକର୍ଡ ।

    ସୂଚନାଯୋଗ୍ୟ ଯେ, ୨୦୨୧ ମସିହା ପାଇଁ ୨୦୨୨ ମସିହାରେ କେନ୍ଦୁପତ୍ର ତୋଳାଳିଙ୍କୁ ୧୧୮. ୮୩ କୋଟି ଟଙ୍କାର ବୋନସ ଓ ସହାୟତା ପ୍ରଦାନ କରାଯାଇଥିଲା ।

  • ପାଟ୍ରୋଲିଂରେ ଯାଇଥିବା ୪ ବନ କର୍ମଚାରୀଙ୍କୁ ଭାଲୁ ଆକ୍ରମଣ

    ପାଟ୍ରୋଲିଂରେ ଯାଇଥିବା ୪ ବନ କର୍ମଚାରୀଙ୍କୁ ଭାଲୁ ଆକ୍ରମଣ

    ଜଣେ ବନ କର୍ମଚାରୀଙ୍କୁ ଭାଲୁ ଆକ୍ରମଣ କରି ମାରିଦେବା ଘଟଣା ନୂଆପଡା ଜିଲ୍ଲା କୋମନା ରେଞ୍ଜରେ ଆତଙ୍କ ସୃଷ୍ଟି କରିଛି । ମୃତକ ହେଲେ ଫରେଷ୍ଟ ୱାଚର ସନ୍ତୋଷ କୁମାର ଦୁଣ୍ଡି।

    ଗତକାଲି ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ୪ ବନ କର୍ମଚାରୀ ପାଟ୍ରୋଲିଂରେ ଯାଇଥିଲେ। ଭାଲୁଟି ସେମାନଙ୍କୁ ଆକ୍ରମଣ କରିଥିଲା। ପ୍ରଥମେ ଫରେଷ୍ଟର ଗୋପାଳ ମହାନନ୍ଦ ଓ ୱାଚର ସନ୍ତୋଷ କୁମାର ଡୁଣ୍ଡିଙ୍କୁ ଭାଲୁଟି ଜଙ୍ଗଲ ଭିତରକୁ ଟାଣି ନେଇଥିଲା। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଫରେଷ୍ଟ ଗାର୍ଡ଼ ଶଶଧର ସାଣୀ ଓ ସାଗର ଠେଲା ଗୁରୁତର ଆହତ ହୋଇଥିଲେ। ଗାଁ ଲୋକଙ୍କ ସହାୟତାରେ ବନ ଓ ଅଗ୍ନିଶମ କର୍ମଚାରୀମାନେ ପ୍ରଥମେ ଗୁରୁତ ଅବସ୍ଥାରେ ଶଶଧର ଓ ସାଗରଙ୍କୁ ଉଦ୍ଧାର କରିଥିଲେ। ପରେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ନୂଆପଡ଼ା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ସନ୍ତୋଷଙ୍କର ମୃତ୍ୟୁ ଘଟିଛି।

    ଗୁରୁତର ଥିବା ଫରେଷ୍ଟର ଗୋପାଳ ମହାନନ୍ଦ ଓ ଫରେଷ୍ଟ ଗାର୍ଡ ଶଶିଧର ଟାଣିଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି । ପ୍ରୋଟେକସନ୍ ଗାର୍ଡ ସାଗର ଠେଲାଙ୍କୁ ନୂଆପଡା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ସୁରକ୍ଷା ଦାବିରେ କୋମନା ମେଡିକାଲ ସମ୍ମୁଖରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ପରେ କୋମନା ବିଡିଓ, କୋମନା ତହସିଲଦାର ବୁଝାସୁଝା କଲା ପରେ ଆନ୍ଦୋଳନ ପ୍ରତ୍ୟାହୢତ ହୋଇଥିଲା। ତେବେ ଏନେଇ ବନବିଭାଗର ପ୍ରତିକ୍ରିୟା ମିଳିପାରିନି ।

  • ପୋଲକୁ ପୂରିନି ୧୫ ବର୍ଷ, ଭୁଷୁଡି ଧୂଳିସାତ

    ପୋଲକୁ ପୂରିନି ୧୫ ବର୍ଷ, ଭୁଷୁଡି ଧୂଳିସାତ

    ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ରସୁଲପୁର ବ୍ଲକ ନିକଟରେ ଏକ ପୋଲ ଭୁଷୁଡି ପଡିବା ଦ୍ବାରା ଯାତାୟତ ବାଧାପ୍ରାପ୍ତ ହୋଇଛି । ଜାତୀୟ ରାଜପଥର ଏହି ରାସ୍ତାରେ ଗାଡି ଚଳାଚଳ କରୁଥିବା ସମୟରେ ଆଜି ସକାଳୁ ଏକ ବଡ଼ ଶବ୍ଦ ହୋଇଥିଲା । ସ୍ଥାନୀୟ ଲୋକେ ଆସି ଦେଖିଲା ବେଳକୁ ପୋଲଟି ଧସି ଯାଇଛି । ତେବେ ସୌଭାଗ୍ୟବଶତଃ ଏହି ସମୟରେ ପୋଲ ଦେଇ କେହି ଯାତାୟାତ ବା କୌଣସି ଗାଡି ଯାଇନଥିବାରୁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି । ତେବେ ପୋଲ ଧସିବା ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ବ୍ରିଜ୍‌ ଭୁଷୁଡ଼ିବା ଯୋଗୁଁ ଗାଡ଼ି ଚଳାଚଳକୁ ବନ୍ଦ କରି ଦିଆଯାଇଛି ।

    ଅନ୍ୟ ଏକ ରାସ୍ତା ଦେଇ ଗାଡ଼ିମଟର ଯାତାୟତ କରୁଛି । ପ୍ରତିଦିନ ଶହଶହ ଲୋକ ଓ ଗାଡ଼ି ମଟର ବାଲେଶ୍ୱରରୁ ଭୁବନେଶ୍ୱର ଏହି ବ୍ରିଜ ଦେଇ ଯିବା ଆସିବା କରିଥାନ୍ତି । ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ୨୦୦୭-୦୮ରେ ଏହି ପୋଲଟି ତିଆରି ହୋଇଥିଲା । ପୋଲଟି ସେତିକି ମଜବୁତ ଭାବେ ତିଆରି ହୋଇନଥିବାରୁ ଆଜି ସକାଳେ ପୋଲଟି ଭୁଷୁଡୁ ପଡ଼ିଛି । ନିମ୍ନମାନର କାମ ଯୋଗୁଁ ପୋଲଟି ଭୁଷୁଡ଼ି ପଡ଼ିଥିବା ଜଣାପଡ଼ିଛି । ଏନଏଚଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ଜେପି ବର୍ମା କହିଛନ୍ତି, ନିର୍ମାଣଗତ ତ୍ରୁଟି ପାଇଁ ଯାଜପୁର ରସୁଲପୁର NH-୧୬ରେ ଥିବା ବ୍ରିଜ୍ ଭୁଷୁଡ଼ି ପଡ଼ିଛି । ନିର୍ମାଣଗତ ତ୍ରୁଟିର ଅନୁଧ୍ୟାନ ପାଇଁ ବିଶେଷଜ୍ଞ କମିଟି ଆସୁ ପହଞ୍ଚିଛି । ଏଥିପାଇଁ ବିଶେଷଜ୍ଞ କମିଟିର ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ । ୨୦୦୮ ମସିହାରେ ଏହି ବ୍ରିଜ୍ ନିର୍ମାଣ ହୋଇଥିଲା, ଏହା ୫୦ ବର୍ଷ ରହିବା କଥା । ହେଲେ ବ୍ରିଜଟି ଅଳ୍ପ ଦିନରେ ଭୁଶୁଡ଼ି ପଡ଼ିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

  • ନଳକୂପ ଖନନରେ ବ୍ୟାପକ ଅନିୟମିତତା ଅଭିଯୋଗ, ତାତିଲେ ଗ୍ରାମବାସୀ

    ନଳକୂପ ଖନନରେ ବ୍ୟାପକ ଅନିୟମିତତା ଅଭିଯୋଗ, ତାତିଲେ ଗ୍ରାମବାସୀ

    ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅର୍ନ୍ତଗତ ସାଉଡି ପଞ୍ଚାୟତରେ ସରକାରୀ ଯୋଜନାରେ ବ୍ୟାପକ ହେରଫେର ଓ ଦୁର୍ନୀତି ଅଭିଯୋଗ । ବାରଣ ସତ୍ତ୍ୱେ ତରବରିଆ ଭାବେ ରାତାରାତି ପାଇପ ବସାଇବାକୁ ନେଇ ତାତିଲେ ଲୋକେ । ସୂଚନା ଅନୁଯାୟୀ, ସାଉଡି ପଞ୍ଚାୟତର ପାଞ୍ଚ ନମ୍ବର ୱାର୍ଡର ବିରେନ ଛକ ଠାରେ ଲୋକଙ୍କ ପାନୀୟ ଜଳ ସମସ୍ୟା ଦୂର କରିବାକୁ ଏକ ଗଭୀର ନଳକୂପ ଖନନ ପାଇଁ ସରକାରୀ ଅନୁମତି ମିଳିଥିଲା ।

    ସ୍ଥାନୀୟ ଅଞ୍ଚଳ ସମୁଦ୍ର କୂଳିଆ ହୋଇଥିବାରୁ ଏଠାରେ ଲୁଣି ପାଣି ମିଳିଥାଏ । ତେଣୁ, ନଳକୂପକୁ ଅଧିକ ଗଭୀର ଭାବେ ଖନନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ, ଠିକାଦାର ଉପରଠଉରିଆ ଭାବେ ବିନା ଗ୍ରାମବାସୀ ଓ ୱାର୍ଡମେମ୍ବରଙ୍କ ଉପସ୍ଥିତିରେ ୩-୪ ଦିନରେ ଖନନ ଓ ପାଇ ପୋତା କାମ ସାରିଦେଇଛନ୍ତି । ତା ଉପରେ ପୁଣି ୪୯୫ ଫୁଟ ପର୍ଯ୍ୟନ୍ତ ଖନନ ଓ ପାଇପ ବିଛା ଯାଇଥିବା ବେଳେ ୯୦୦ ଫୁଟ ଗଭୀରତାର ବିଲ କରାଯାଇଥିଲା । ଏପରି ଅନିୟମିତତାକୁ ନେଇ ବିଜେପି ସରପଞ୍ଚ ଧରଣୀଧର ମଲ୍ଲିକଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ କିଛି ସୁଫଳ ମିଳିନଥିଲା । ତେଣୁ ବାଧ୍ୟ ହୋଇ ୱାର୍ଡ ସଭ୍ୟ ଦୋଣାଙ୍କ ନେତୃତ୍ବରେ ଗ୍ରାମର ବହୁ ଲୋକେ ବିଡିଓ ବିନୋଦ କୁମାର ପଣ୍ଡାଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ନଳକୂପ ବସାଯାଇଥିଲେ ମଧ୍ୟ ଲୁଣା ପାଣି ପାଇଁ ଏହା ଗ୍ରାମବାସୀଙ୍କ କୌଣସି କାମରେ ଆସିପାରିବ ନାହିଁ । ତେଣୁ, ବିଲ ଅର୍ଥ ରିଲିଜ ନକରିବାକୁ ଦାବି ହୋଇଛି ।

  • ବିଭିନ୍ନ ଦଫା ଦାବି ନେଇ ଆନ୍ଦୋଳନ କୁ ଓହ୍ଲାଇଲେ ‘ହୋ’ ସମାଜ

    ବିଭିନ୍ନ ଦଫା ଦାବି ନେଇ ଆନ୍ଦୋଳନ କୁ ଓହ୍ଲାଇଲେ ‘ହୋ’ ସମାଜ

    () ବିଭିନ୍ନ ଦଫା ଦାବି ନେଇ ଆନ୍ଦୋଳନ କୁ ଓହ୍ଲାଇଲେ ‘ହୋ’ ସମାଜ । ମୟୁରଭଞ୍ଜ ଜିଲ୍ଲା ତିରିଙ୍ଗ ବ୍ଲକର ସତାଧିକ ହୋ ସମ୍ପ୍ରଦାୟର ଲୋକେ ଏକ ରାଲି ମାଧ୍ୟମ ରେ, ବିଭିନ୍ନ ପ୍ରକାର ଦାବି ନେଇ ତିରିଙ୍ଗ ବ୍ଲକ BDO ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ହୋ ଭାଷାଭାଷୀ ବହୁଳ MTL ଅଙ୍ଗନବାଡି ଗୁଡିକୁ “ମୁଣ୍ଡା” ପରିବର୍ତ୍ତେ “ହୋ” କରିବା, ତିରିଙ୍ଗ ବ୍ଲକ SSD ବିଦ୍ୟାଳୟ ଗୁଡିକରେ ହୋ ଭାଷାରେ MLE ଶିକ୍ଷକ ନିଯୁକ୍ତି, ହୋ ଭାଷା କୁ ସମ୍ବିଧାନ ର ଅଷ୍ଟମ ଅନୁସୂଚି ରେ ସାମିଲ ତଥା ଓଡିଶା ରେ “ହୋ” ଭାଷା କୁ ଦ୍ଵିତୀୟ ରାଜ ଭାଷା ମାନ୍ୟତା ପ୍ରଦାନ ଭଳି ରହିଥିବା ବେଳେ ଆଗାମୀ ଦିନରେ ସରକାର ଏଥି ପ୍ରତି ଧ୍ୟାନ ନଦେଲେ ଆନ୍ଦୋଳନ ଜୋରଦାର୍ ହେବ ବୋଲି ଚେତାବନି ଦେଇଛନ୍ତି ହୋ ସମ୍ପ୍ରଦାୟର ଲୋକେ । ଆନ୍ଦୋଳନରେ ବୀର୍ଷା କାଣ୍ଡେକାଲ, ଯୁବ ନେତା ଜଲେନ ବାର୍ଦା, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତୀ, ମନୋରଞ୍ଜନ ତିରିଆ, ଯେମାମଣି ଷୁଣ୍ଢି,ମଟକା ବିରୁଆ, ପାର୍ବତୀ ବିରୁଆ, ପୂର୍ଣ୍ଣିମା ପୂର୍ତୀ ପ୍ରମୁଖ ସାମିଲ ହୋଇଥିଲେ ।

  • ଭୁଶୁଡିଲା ପୋଲ,ଯାତାୟତ ବାଧାପ୍ରାପ୍ତ

    ଭୁଶୁଡିଲା ପୋଲ,ଯାତାୟତ ବାଧାପ୍ରାପ୍ତ

    ଧସିଲା ପୋଲ , ଯାତାୟତ ବାଧାପ୍ରାପ୍ତ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ରସୁଲପୁର ବ୍ଲକ ନିକଟରେ। ଜାତୀୟ ରାଜପଥର ଏହି ରାସ୍ତାରେ ଗାଡି ଚଳାଚଳ କରୁଥିବା ସମୟରେ ଆଜି ସକାଳୁ ଏକ ବଡ଼ ଶବ୍ଦ ହୋଇଥିଲା। ସ୍ଥାନୀୟ ଲୋକେ ଆସି ଦେଖନ୍ତିତ ପୋଲ ଧସି ଯାଇଛି। ତେବେ ସୌଭାଗ୍ୟବଶତ ଏହି ସମୟରେ ପୋଲ ଦେଇ କେହି ଯାତାୟାତ ବା କୌଣସି ଗାଡି ଯାଇ ନଥିବାରୁ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଛି। ତେବେ ପୋଲ ଧସିବା ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ବ୍ରିଜ୍‌ ଭୁଶୁଡ଼ି ଯୋଗୁ ଗାଡ଼ି ଚଳାଚଳକୁ ବନ୍ଦ କରି ଦିଆଯାଇଛି। ଅନ୍ୟ ଏକ ରାସ୍ତା ଦେଇ ଗାଡ଼ିମଟର ଯାତାୟତ କରୁଛି। ପ୍ରତିଦିନ ଶହଶହ ଲୋକ ଓ ଗାଡ଼ି ମଟର ବାଲେଶ୍ୱରରୁ ଭୁବନେଶ୍ୱର ଏହି ବ୍ରିଜ ଦେଇ ଯିବା ଆସିବା କରିଥାନ୍ତି। ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ୨୦୦୭-୦୮ରେ ଏହି ପୋଲଟି ତିଆରି ହୋଇଥିଲା। ଆଜି ସକାଳେ ପୋଲଟି ଭୁଶୁପଡ଼ିଥିଲା। ନିମ୍ନମାନର କାମ ଯୋଗୁ ପୋଲଟି ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ଏନଏଚଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ଜେପି ବର୍ମା କହିଛନ୍ତି, ନିର୍ମାଣଗତ ତ୍ରୁଟି ପାଇଁ ଯାଜପୁର ରସୁଲପୁର NH-୧୬ରେ ଥିବା ବ୍ରିଜ୍ ଭୁଶୁଡ଼ି ପଡ଼ିଛି। ନିର୍ମାଣଗତ ତ୍ରୁଟିର ଅନୁଧ୍ୟାନ ପାଇଁ ବିଶେଷଜ୍ଞ କମିଟି ଆସୁଛି। ଏଥିପାଇଁ ବିଶେଷଜ୍ଞ କମିଟିର ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ। ୨୦୦୮ ମସିହାରେ ଏହି ବ୍ରିଜ୍ ନିର୍ମାଣ ହୋଇଥିଲା, ଏହା ୫୦ ବର୍ଷ ରହିବା କଥା। ହେଲେ ବ୍ରିଜଟି ଅଳ୍ପ ଦିନରେ ଭୁଶୁଡ଼ି ପଡ଼ିଲା।

  • ପାଠ ପ୍ଲସ ଟୁ, କିନ୍ତୁ ଦେଖୁଥିଲେ ରୋଗୀ

    ପାଠ ପ୍ଲସ ଟୁ, କିନ୍ତୁ ଦେଖୁଥିଲେ ରୋଗୀ

    ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତା ବାବୁଲ କ୍ଲିନିକରୁ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାଙ୍କୁ ଗିରଫ କରିଛି ଦିଗପହଣ୍ଡି ପୁଲିସ। ଗିରଫ ଯୁବକଙ୍କ ଘର ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁର ବୋଲି ଜଣାପଡ଼ିଛି। ସାନଖେମୁଣ୍ଡି ଓ କଟକର ରାଣୀହାଟରେ ଥିବା ଘରୋଇ କ୍ଲିନିକରେ ପୁଲିସ ଯାଞ୍ଚ କରିବା ସହ ନକଲି ଡାକ୍ତରଙ୍କ କଟକ ଭଡ଼ା ଘରେ ମଧ୍ୟ ତଦନ୍ତ କରିଛି।

    ଅଭିଯୋଗ ଅନୁସାରେ, ନକଲି ଡାକ୍ତର ଶୁଭ୍ରଜିତ ନିଜକୁ ଜଣେ ଅଭିଜ୍ଞ ଡାକ୍ତର ଭାବେ ବୋର୍ଡ ମାରି ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତ।ରେ ତାଙ୍କର ଏକ ଘରୋଇ କ୍ଲନିକ ଥିବାବେଳେ କଟକ ରାଣୀହାଟରେ ମଧ୍ୟ ତାଙ୍କର ଏକ ଘରୋଇ କ୍ଲନିକ ରହିଛି। ଶନିବାର ଦିନ ସେ ଡେଙ୍ଗାଉସ୍ତ।କୁ ରୋଗୀ ଦେଖିବାକୁ ଆସୁଥିବା ବେଳେ ଅନ୍ୟ ଦିନମାନଙ୍କରେ ରାଣୀହାଟରେ ଥିବା କ୍ଲିନିକରେ ରୋଗୀଙ୍କୁ ଦେଖୁଥିଲେ। ପ୍ରତି ରୋଗୀ ପିଛା ୩୦୦ ଟଙ୍କା ଫିସ୍‌ ନେଉଥିଲେ। ପ୍ରତିଦିନ ତାଙ୍କ ପାଖରେ ରୋଗୀଙ୍କର ଭିଡ଼ ଜମୁଥିଲା।

    କିଛି ଦିନ ତଳେ ଡେଙ୍ଗାଉସ୍ତ।ରେ ରହୁଥିବା ଜଣେ ବୃଦ୍ଧାଙ୍କୁ ଜ୍ୱର ହୋଇଥିଲା। ପରିବାର ଲୋକେ ବୃଦ୍ଧାଙ୍କୁ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ। ସେ ବୃଦ୍ଧାଙ୍କର ଚିକିତ୍ସା କରିଥିଲେ। ହେଲେ ବୃଦ୍ଧାଙ୍କ ଦେହ ଆଦୌ ଭଲ ହୋଇ ନଥିଲା। ବରଂ ଅଧିକ ଗୁରୁତର ହୋଇଥିଲା। ଏନେଇ ପରିବାର ଲୋକେ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିଲେ। ପରେ ବୃଦ୍ଧାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ନେଇଥିଲେ। ସେଠାରେ ବୃଦ୍ଧାଙ୍କର କିଡ୍‌ନୀ ଖରାପ ଥିବା ଜଣାପଡ଼ିଥିଲା। ହେଲେ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡା ଏନେଇ ବୃଦ୍ଧାଙ୍କ ପରିବାରକୁ କିଛି କହି ନଥିଲେ। ବରଂ ବାର ବାର ମେଡିସିନ୍ ଲେଖି ଚାଲିଥିଲେ। ଉପଯୁକ୍ତ ଚିକିତ୍ସା ନ କରିବାରୁ ବୃଦ୍ଧାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଏନେଇ ବୃଦ୍ଧାଙ୍କ ପରିବାର ଲୋକେ ବ୍ରହ୍ମପୁର ଏସପିଙ୍କ ନିକଟରେ ଶୁଭ୍ରଜିତ ପଣ୍ଡାଙ୍କ ନାଁରେ ଅଭିଯୋଗ କରିଥିଲେ। ବ୍ରହ୍ମପୁର ଏସପି ଏକ ଟିମ୍‌ ଗଠନ କରି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ।

    ଖୋଳତାଡ ବେଳେ ଶୁଭ୍ରଜିତଙ୍କୁ ୨୦୨୦ ମସିହା ଫ୍ରେବୃଆରୀ ମାସରେ ତେଲେଙ୍ଗାନା ପୁଲିସ ଗିରଫ କରିଥିବା ଜଣାପଡ଼ିଥିଲା। ନିଜକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ବୋଲି କହି ଡାକ୍ତର ସମ୍ମିଳନୀରେ ଯୋଗଦେଇଥିବାରୁ ପୁଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଥିଲା। ବ୍ରହ୍ମପୁର ଏସପି ଏହା ଜାଣିବା ପରେ ଅଧିକ ଖୋଳତାଡ଼ ଆରମ୍ଭ କରିଥିଲେ।

    ଗତକାଲି ଶନିବାର ଶୁଭ୍ରଜିତ ଡେଙ୍ଗାଉସ୍ତ।ରେ ଥିବା କ୍ଲିନିକ ଯାଇ ଛକିକୁ ରହିଥିଲା ପୁଲିସ। ଶୁଭ୍ରଜିତ କ୍ଲିନିକରେ ପହଞ୍ଚିବା ପରେ ରଙ୍ଗେ ହାତେ ତାଙ୍କୁ ଧରିଥିଲା। ପୁଲିସର ଏକ ଟିମ୍‌ ତାଙ୍କର କ୍ଲନିକରେ କାଗଜ ପତ୍ର ଯାଞ୍ଚ କରିଥିଲା। ପରେ ଶୁଭ୍ରଜିତଙ୍କୁ ନେଇ ପୁଲିସ ଟିମ୍ କଟକର ରାଣୀହାଟରେ ଥିବା କ୍ଲନିକକୁ ଆସିଥିଲେ। ସେଠାରେ ମଧ୍ୟ ପୁଲିସ କାଗତପତ୍ର ଯାଞ୍ଚ କରିଥିଲା। ଶୁଭ୍ରଜିତ ଯୁକ୍ତ ଦୁଇ ପାସ କରିଥିବା ଜଣାପଡ଼ିଥିଲା।

    ନିଜକୁ ଦିଲ୍ଲୀ, ଭୁବନେଶ୍ୱର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଭିଜ୍ଞ ଡାକ୍ତର କହି ଚିକିତ୍ସା କରୁଥିଲେ ଶୁଭ୍ରଜିତ ପଣ୍ଡା। ପୂର୍ବରୁ ଫେବୃଆରୀ ୨୦୨୦ ମସିହାରେ ତେଲେଙ୍ଗାନା ପୁଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ। ନିଜକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ କହିଥିବା ବେଳେ ଡାକ୍ତର ସମ୍ମିଳନୀକୁ ଯାଇ ନିଜକୁ ଡାକ୍ତର କହିଥିବା ବେଳେ ଗିରଫ ହୋଇଥିଲେ। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା ଶୁଭ୍ରଜିତ ପଣ୍ଡାଙ୍କର ମାତ୍ର ୨୪ ଦିନ ତଳେ ବାହାଘର ହୋଇଥିଲା।

  • ସାରାରାଜ୍ୟରେ ଲାଗି ରହିବ ବର୍ଷା

    ସାରାରାଜ୍ୟରେ ଲାଗି ରହିବ ବର୍ଷା

    ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ଦିନ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ବାୟୁମଣ୍ଡଳର ମଧ୍ୟଭାଗ ପର୍ୟ୍ୟନ୍ତ ବ୍ୟାପିଥିବା ବେଳେ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହାର ପ୍ରଭାବରେ ରାଜ୍ୟରେ କେତେକ ଜିଲ୍ଲାରେ ବର୍ଷା ଜାରି ରହିଛି। କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା ।

    ଏଥିସହ ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଏନେଇ ପାଣିପାଗ ବିଭାଗ ରାଜ୍ୟ‌ର ଅଧିକାଂଶ ଜିଲ୍ଲାରେ ସୋମବାର ଦିନ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି । ଆସନ୍ତା ୧୮ ତାରିଖ ଆଡ଼କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିଯୋଗୁଁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ନେଇ ସତର୍କ ସୂଚନା ଜାରି କରାଯାଇଛି।

  • ଦେବୀ ନଦୀରେ ବୁଡ଼ିଯାଇ ଜଣେ କାଉଡ଼ିଆ ନିଖୋଜ

    ଦେବୀ ନଦୀରେ ବୁଡ଼ିଯାଇ ଜଣେ କାଉଡ଼ିଆ ନିଖୋଜ

    ଜଗତସିଂହପୁର ଜିଲ୍ଲା ଆଳି ପିଙ୍ଗଳ ନିକଟ କେତକେଶ୍ୱର ଘାଟରେ ବଡ଼ ଧରଣ ଅଘଟଣ ଘଟିଛି । ଦେବୀ ନଦୀରେ ବୁଡ଼ିଯାଇ ଜଣେ କାଉଡ଼ିଆ ନିଖୋଜ ହୋଇଯାଇଛନ୍ତି । ଶୈବପୀଠ ଲାଗି ପାଣି ଆଣିବାକୁ ବୁଡ଼ମାରିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ପାଣିଭାର ପାଇଁ ଦୁଇ ଜଣ କାଉଡ଼ିଆ ବୁଡ଼ମାରିବା ବେଳେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକ ଏହା ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ହେଲେ ଅନ୍ୟ ଜଣେ କାଉଡ଼ିଆ ଏବେ ବି ନିଖୋଜ ରହିଛନ୍ତି ।

  • ଆଜିଠୁ ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂ ବନ୍ଦ,ଚିନ୍ତାରେ ଗ୍ରାହକ

    ଆଜିଠୁ ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂ ବନ୍ଦ,ଚିନ୍ତାରେ ଗ୍ରାହକ

    ମାର୍କେଟ୍‌ ବିଲ୍ଡିଂରେ ଚାଲିଥିବା ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ବିବାଦକୁ ବିଏମ୍‌ସି ସମାଧାନ କରିପାରି ନାହିଁ। ପ୍ରତିଶ୍ରୁତି ମୁତାବକ ଉଠାଦୋକାନୀଙ୍କୁ ସେଠାରୁ ଉଠାଇ ପାରିନଥିବାରୁ ସୋମବାରଠାରୁ ମାର୍କେଟ୍‌ ବିଲ୍ଡିଂ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ସେଣ୍ଟ୍ରାଲ ମାର୍କେଟ୍‌ ବ୍ୟବସାୟୀ ସଂଘ ଘୋଷଣା କରିଛି। ପୂର୍ବରୁ ଏ ନେଇ ନିଷ୍ପତ୍ତି ହେବା ସହ ବିଏମ୍‌ସିକୁ ୩ ଦିନ ସମୟ ଦିଆଯାଇଥିଲା।

    କିନ୍ତୁ ବିଏମ୍‌ସି ଭ୍ରୂକ୍ଷେପ କରି ନଥିବାରୁ ଏଭଳି ଚରମ ନିଷ୍ପତ୍ତି ନିଆଯାଇଥିବା ସଂଘ କହିଛି। ପ୍ରାୟ ୧୬୫ ବ୍ୟବସାୟୀ ଆସନ୍ତାକାଲି ସକାଳୁ ଦୋକାନ ବନ୍ଦ କରି ମାର୍କେଟ୍‌ ବିଲ୍ଡିଂ ପରିସରରେ ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି ସେଣ୍ଟ୍ରାଲ ମାର୍କେଟ୍‌ ସଂଘ ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା। ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମଠାରୁ ଆରମ୍ଭ କରି ଡ୍ରେସ୍‌, ଶାଢ଼ି, ଚପଲ ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଏହି ମାର୍କେଟ୍‌ରେ ଶସ୍ତା ଦରରେ ମିଳୁଥିବାରୁ ଏଠାରେ ବର୍ଷ ସାରା ଭିଡ଼ ଜମିଥାଏ। ଏହାର ବିପରୀତ ପାର୍ଶ୍ବରେ ୧ ନମ୍ବର ହାଟ ରହିଥିବାରୁ ଉଭୟ ବଜାରରେ କିଣାକିଣି କରିବାକୁ କେବଳ ସହରବାସୀ ନୁହନ୍ତି ବରଂ ଗ୍ରାମାଞ୍ଚଳର ଲୋକ ମଧ୍ୟ ପସନ୍ଦ କରିଥାନ୍ତି। ଏବେ ଏହି ମାର୍କେଟ୍‌ କେତେ ଦିନ ପର୍ଯ୍ୟନ୍ତ ବନ୍ଦ ହେବ, ସେ ନେଇ ନିଶ୍ଚିତ ନଥିବାରୁ ଗ୍ରାହକମାନେ ଚିନ୍ତାରେ ପଡ଼ିଛନ୍ତି।