Category: ରାଜ୍ୟ ଖବର

  • ଅଧରାତିରେ ଗାଁକୁ ପଶିଲା ବାଘ ,ଭୟରେ ଗ୍ରାମବାସୀ

    ଅଧରାତିରେ ଗାଁକୁ ପଶିଲା ବାଘ ,ଭୟରେ ଗ୍ରାମବାସୀ

    ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମ ପଞ୍ଚାୟତର ଯୋଡିପଥର ଗ୍ରାମକୁ ବାଘ ପଶି ଆସିବାର ଦୃଶ୍ୟ ଏବେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି । ଫଳରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରମବାସୀ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅଧିନସ୍ଥ ଚନ୍ଦ୍ରଗିରି ବନାଞ୍ଚଳ ର ଚାନ୍ଦିପୁଟ ନିକଟରେ ରହିଛି ଲକ୍ଷାରୀ ଅଭୟାରଣ୍ୟ । ଭାଇରାଲ ହେଉଥିବା ଭିଡିଓ ରେ ଦୃଶ୍ୟମାନ ହେଉଥିବା ବନ୍ୟଜନ୍ତୁ ଟି ବିରାଡ଼ି ଜାତୀୟ ପଶୁ ଏବଂ ଶରୀର ଲମ୍ବା , ଲାଞ୍ଜ ମଧ୍ୟ ଲମ୍ବା ଥିବା viral। ଯାହା ଫଳରେ ଏହା ଛୋଟିଆ ବାଘ ବୋଲି କୁହାଯାଉଛି।  ସୁଚନା ଅନୁଯାୟୀ , ଚାନ୍ଦିପୁଟ ଇନ୍ଦିରା ସୃତି ମହାବିଦ୍ୟାଳୟ ନିକଟବର୍ତ୍ତୀ ଯୋଡିପଥର ଗ୍ରାମରେ କିଛି କଲେଜ ପଢୁଆ ପିଲା ମାନେ ଘର ଭଡ଼ା ନେଇ ରହୁଥିବା ବେଳେ ଗତ ୨୭ ତାରିଖ ରାତିରେ ପ୍ରାୟ ୧୧:୪୫ ସମୟରେ ଦୁଇ ଜଣ ଛାତ୍ର ବାହାରକୁ ବାହାରିଥିଲେ । ସେହି ସମୟରେ ଗ୍ରାମ କୋଠ ଘର ନିକଟରୁ ପ୍ରଥମେ ଛେଳି ଗୁହାଳ ଏବଂ ପରେ କୁକୁଡ଼ା ଘର ନିକଟକୁ ଏକ ବନ୍ୟଜନ୍ତୁ ଛପି ଛପି ଆସିଥିଲା । ଯାହା ବାଘ ଭଳି ଦିଶୁଥିବା ଜାଣି ଦୁଇ ଜଣ ଛାତ୍ର ଭୟରେ ଲୁଚି ଦୂରରୁ ନିଜ ମୋବାଇଲ ରେ ଏହି ଭିଡିଓ ଉତ୍ତୋଳନ କରିଥିଲେ ।

    ଅନ୍ୟପକ୍ଷରେ ଯୋଡିପଥର ଗ୍ରାମ ଓ ଆଖପାଖ ଅଞ୍ଚଳରେ ଏ ପର୍ଯ୍ୟନ୍ତ କୌଣସି ପଶୁ କିମ୍ବା କୁକୁଡ଼ା କ୍ଷତି ହୋଇନାଥିବା ଗ୍ରାମବାସୀ କହିଛନ୍ତି । କିନ୍ତୁ ବାଘ ଆସିବା ଘଟଣା ସମସ୍ତ ଙ୍କୁ ବିଚଳିତ କରିଥିବା ବେଳେ ସଂନ୍ଧ୍ୟା ହେଲେ ଘରୁ ବାହାରକୁ ବାହାରୁ ନାହାନ୍ତି ଗ୍ରାମବାସୀ ।

    ଘଟଣା ସମ୍ପର୍କରେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ସୁବାସ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ଗତ ତିନି ବର୍ଷ ମଧ୍ୟରେ ଚନ୍ଦ୍ରଗିରି ବନାଞ୍ଚଳରେ ବାଘ ଥିବା କୌଣସି ରେକର୍ଡ ନାଁହି । ତେବେ ମୋବାଇଲ ରେ ଭାଇରାଲ ହେଉଥିବା ଭିଡିଓରେ ବାଘ କି ଆଉ କେଉଁ ବନ୍ୟ ଜନ୍ତୁ ତାହା ତଦନ୍ତ ପରେ ସ୍ପଷ୍ଟ ଜଣାପଡ଼ିବ ବୋଲି କହିଛନ୍ତି।

  • ନାବାଳିକାକୁ ଅଶ୍ଲୀଳ ବ୍ୟବହାର କରିଥିବା ମିକ୍ସଚର ମେସିନ ଡ୍ରାଇଭର ହତ୍ୟା ଘଟଣାରେ ଦୁଇ ଗିରଫ

    ନାବାଳିକାକୁ ଅଶ୍ଲୀଳ ବ୍ୟବହାର କରିଥିବା ମିକ୍ସଚର ମେସିନ ଡ୍ରାଇଭର ହତ୍ୟା ଘଟଣାରେ ଦୁଇ ଗିରଫ

    କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ହୋଇଥିବା ହତ୍ୟା ଘଟଣାରେ ଦୁଇ ଗିରଫ। ଉଭୟ ମୃତକଙ୍କୁ ପିଟିପିଟି ହତ୍ୟା କରିଥିବା ହୋଇଥିଲା ଅଭିଯୋଗ। ସୂଚନା ମୁତାବକ, ସ୍ଥାନୀୟ ରାସ୍ତା କାମରେ ମୃତକ ଝାରଖଣ୍ଡର ନିରୁପାଲ ମହାତ ମିକ୍ସଚର ମେସିନ ଡ୍ରାଇଭର ଭାବେ କାମ କରୁଥିଲେ। ସେ ସ୍ଥାନୀୟ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବାରମ୍ବାର ଅଶ୍ଳୀଳ ବ୍ୟବହାର କରିଆସୁଥିଲେ। ଶନିବାର ଦିନ ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କ ଅଶ୍ଳୀଳ ଫୋଟ ଉଠାଇଥିଲେ। ନାବାଳିକା ଜଣକ ବାପାଙ୍କ ଆସିବା ପରେ ସବୁକଥା ତାଙ୍କୁ କହିଥିଲେ । ଏଥିରେ ନାବାଳିକାଙ୍କ ବାପା ଓ ଦାଦା ଉତକ୍ଷିପ୍ତ ହୋଇ ଠିକା କ୍ୟାମ୍ପରେ ପହଞ୍ଚି ଡ୍ରାଇଭରଙ୍କୁ କାଠ ଫାଳିଆରେ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଠିକା କ୍ୟାମ୍ପ କର୍ମଚାରୀଙ୍କ ସୂଚନାରେ ରାଇକିଆ ପୋଲିସ ରବିବାର ପ୍ରାଥମିକ ପଦକ୍ଷେପ ନେବା ସହ ନାବାଳିକା, ତାଙ୍କ ବାପା ଓ ଦାଦାଙ୍କୁ ପଚରା ଉଚରା କରିଥିଲା ଓ ପରେ ସେମାନଙ୍କୁ ଗିରଫ କରିଛି।

  • NTVTI ତାଲିମ ପ୍ରହସନ: ଜମି ହରାଇଥିବା ୩୦ରୁ ଉର୍ଦ୍ଧ ଯୁବକ-ଯୁବତୀ ବେକାର, ସୁବର୍ଣ୍ଣରେଖା ବନ୍ଦରରେ ବଢୁଛି ଛଟେଇ

    NTVTI ତାଲିମ ପ୍ରହସନ: ଜମି ହରାଇଥିବା ୩୦ରୁ ଉର୍ଦ୍ଧ ଯୁବକ-ଯୁବତୀ ବେକାର, ସୁବର୍ଣ୍ଣରେଖା ବନ୍ଦରରେ ବଢୁଛି ଛଟେଇ

    ସୁବର୍ଣ୍ଣରେଖା ବନ୍ଦରରେ ନିଯୁକ୍ତି ଆଳରେ ଟାଟା କମ୍ପାନୀ ଉପରେ ଲାଗିଲା ଠକେଇ ଅଭିଯୋଗ । କମ୍ପାନୀର ଚାକିରୀ ନାଁରେ ଖର୍ଚ୍ଚାନ୍ତରେ ପଡିଲେ ଜମିହରାଙ୍କ ପରିବାର । ଆରମ୍ଭରୁ ବିବାଦ ଭିତରେ ଛନ୍ଦି ହୋଇପଡ଼ିଥିବା ସୁବର୍ଣ୍ଣରେଖା ବନ୍ଦର ନାଁ ରେ ଆସିଲା ପୁଣି ଏକ ସଙ୍ଗୀନ ଅଭିଯୋଗ। ସୂଚନାଯୋଗ୍ୟ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅଧିନସ୍ଥ ଚୌମୁଖ ଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର କାର୍ଯ୍ୟ ଦୀର୍ଘ ଦିନରୁ ଚାଲୁଅଛି । ସୁବର୍ଣ୍ଣରେଖା ବନ୍ଦରରେ ସ୍ଥାନୀୟ ନିଯୁକ୍ତି ଆଳରେ ଜେ.ଏନ.ଟି.ଭି.ଟି.ଆଇ(JNTVTI) ତାଲିମ ସାଜିଲା ଏକ ପ୍ରହସନ । ଜମିହରାଙ୍କ ଜମି ଅଧିଗ୍ରହଣ ପରେ ବନ୍ଦରରେ ଚାକିରି ର ପ୍ରଲୋଭନ ଦେଖାଇ ଅର୍ଥ ଶୋଷଣ କରୁଥିବା ହୋଇଛି ଅଭିଯୋଗ । ଦିନକୁ ଦିନ ବନ୍ଦରରେ ଛଟେଇ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଭଳି ନିଯୁକ୍ତି ନାଁରେ ପ୍ରହସନ ସ୍ଥାନୀୟ ବେକାରୀ ଯୁବକ ଯୁବତୀ ମାନଙ୍କ ମଧ୍ୟରେ କମ୍ପାନୀ ପ୍ରତି ଅସନ୍ତୋଷର ମାତ୍ରା ବଢିବାରେ ଲାଗିଛି। ଜମିହରା ପରିବାର ସଦସ୍ୟ JNTVTI ତାଲିମ ପରେ ନିଯୁକ୍ତି ନ ପାଇ ସୁବର୍ଣ୍ଣରେଖା ବନ୍ଦର କତୃପକ୍ଷଙ୍କ ସହ ବାରମ୍ବାର ଆଲୋଚନାରେ ବିଫଳ ହେବା ପରେ, ଆଜି ୩୦ରୁ ଉର୍ଦ୍ଧ ତାଲିମପ୍ରାପ୍ତ ବେକାର ଯୁବକ ଯୁବତୀ ବାଲିଆପାଳ ବ୍ଲକ ପରିସରରେ ଅନୁଷ୍ଠିତ ଜନଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଥିଲେ। ଜମିହରାଙ୍କ ପାଇଁ ମାଗଣା ତାଲିମ କହି ନିଆଯାଇଥିବା ଅର୍ଥରାଶିକୁ ଫେରେଇବା ପାଇଁ ସରକାରଙ୍କୁ ମଧ୍ୟ ନିବେଦନ କରିଛନ୍ତି

  • ଟ୍ରାକ୍ଟର ଓଲଟି ଯୁବ ଚାଷୀଙ୍କ ମୃତ୍ୟୁ

    ଟ୍ରାକ୍ଟର ଓଲଟି ଯୁବ ଚାଷୀଙ୍କ ମୃତ୍ୟୁ

    ଚାଷ କାମ କରୁଥିବା ବେଳେ ଟ୍ରାକ୍ଟର ଓଲଟି ଯୁବଚାଷୀଙ୍କ ମୃତ୍ୟୁ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅଧୀନ ନୂଆଁ ଟାଙ୍ଗଣ ଗାଁରେ । ସୂଚନା ଅନିଯାୟୀ ଗ୍ରାମର ଧୋବା ସାହୁ ନାମକ ଜଣେ ଯୁବଚାଷୀ ନିଜ ଜମିରେ ଧାନ ଚାଷ ପାଇଁ ଟ୍ରାକ୍ଟର ନେଇ କାଦ କରୁଥିବା ସମୟରେ କୌଣସି କାରଣରୁ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।ଫଳରେ ଚାଳକ ଧୋବା ସାହୁ ଟ୍ରାକ୍ଟର ଭିତରେ ଚାପିହୋଇ ଶ୍ୱାସରୁଦ୍ଧ ହୋଇ ଯାଇଥିଲେ ।

    ଖବର ପାଇ ଭଞ୍ଜନଗର ଅଗ୍ନିଶମ ବିଭାଗ ପହଂଚି ଟ୍ରାକ୍ଟର କୁ ଉଠାଇ ଧୋବାଙ୍କୁ ଉଦ୍ଧାର କରିଥିଲେ କିନ୍ତୁ ସେତେବେଳ କୁ ଧୋବାଙ୍କ ପ୍ରାଣ ଚାଲି ଯାଇଥିଲା । ତାରାସିଙ୍ଗି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଥିଲେ । ତେବେ ଘଟଣାକୁ ନେଇ ଅଞ୍ଚଳରେ ଏକ ପ୍ରକାର ଶୋକର ଛାୟା ଖେଳି ଯାଇଛି । ତେବେ ବର୍ଷା ନଥିବା କାରଣରୁ ଚାଷ କାର୍ଯ୍ୟ ହୋଇ ପାରିନଥିଲା ଜମିରେ ଜଳ ଶୁଖିଯିବ ଚିନ୍ତା କରି ରାତିରେ ତର ବରିଆ ଭାବେ ଚାଷ କାର୍ଯ୍ୟ କରୁଥିବା ବେଳେ ଏଭଳି ଘଟଣା ଘଟିଥିବା ନେଇ ଆଲୋଚନା ହୋଇଛି ।

  • ପଶ୍ଚିମ ଓଡ଼ିଶାରେ ଧୂମଧାମରେ ପାଳନ ହେଉଛି ସମ୍ବଲପୁରି ଦିନ୍

    ପଶ୍ଚିମ ଓଡ଼ିଶାରେ ଧୂମଧାମରେ ପାଳନ ହେଉଛି ସମ୍ବଲପୁରି ଦିନ୍

    ଆଜି ହେଉଛି ଅଗଷ୍ଟ ୧ ତାରିଖ । ସାରା ପଶ୍ଚିମ ଓଡ଼ିଶାରେ ଧୂମଧାମରେ ପାଳନ ହେଉଛି ସମ୍ବଲପୁରି ଦିନ । ଏହି କ୍ରମରେ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜନ୍ମସ୍ଥାନ ସୁବର୍ଣ୍ଣପୁରରେ ମଧ୍ୟ ଜୋରସୋରରେ ପାଳନ ହେଉଛି ସମ୍ବଲପୁରୀ ଦିନ । ଦିନ ତମାମ ସମ୍ବଲପୁରୀ ତାଳେ ତାଳେ ନାଚି ଗାଈ ମସଗୁଲ ଅଂଚଳବାସୀ । ଦିନ ସାରା ବିଭିନ୍ନ ସ୍ଥାନରେ ସମ୍ବଲପୁରୀ ନାଚ, ଗୀତ ସହ ସମ୍ବଲପୁରି ବସ୍ତ୍ର ପରିଧାନ କରି ମସଗୁଲ ଅଛନ୍ତି ଅଂଚଳବାସୀ ।

    ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କୁ ମନେ ପକାଇବା ପାଇଁ 2013 ମସିହା ଅଗଷ୍ଟ ୧ ତାରିଖରୁ ପାଳନ ହେଉଛି ସମ୍ବଲପୁରି ଦିନ । ସ୍ଥାନୀୟ ବ୍ଲକ ଛକ ଠାରେ ଆଜି ପାଳିତ ହୋଇଥିବା ସମ୍ବଲପୁରୀ ଦିନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ଦିନରେ ସମ୍ବଲପୁରୀ ଦିନକୁ ଅଧିକ ପ୍ରଚାର ପ୍ରସାର କରିବା ସହିତ ବିଶ୍ୱ ଦରବାରରେ ପହଂଚାଇବାକୁ ଅନୁରୋଧ କରିଥିଲେ । ପରେ ସମ୍ବଲପୁରୀ ଗୀତର ତାଳେ ତାଳେ ନାଚିଥିଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ।

    ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ କଳାକାର ଯୋଗ ଦେଇ ନୃତ୍ୟ ଗୀତ ପରିବେଷଣ କରିବା ସହିତ ସମ୍ବଲପୁରୀ ଦିନ ପାଳନ କରିଥିଲେ । ଆଜି ସକାଳୁ ଜିଲ୍ଲାରେ ବର୍ଷା ଲାଗି ରହିଥିଲେ ମଧ୍ୟ ସମ୍ବଲପୁରି ଦିନ ଉତ୍ସବ ପାଳନରେ କୌଣସି ପ୍ରକାର ବାଧା ସୃଷ୍ଟି କରିପାରି ନାହିଁ ।

  • ଚାନ୍ଦବାଲି ପୋଲିସ ପ୍ରଶାସନ ପକ୍ଷରୁ ଆମ ପୋଲିସ ବୈଠକ ।

    ଚାନ୍ଦବାଲି ପୋଲିସ ପ୍ରଶାସନ ପକ୍ଷରୁ ଆମ ପୋଲିସ ବୈଠକ ।

    ଚାନ୍ଦବାଲି ଥାନା ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ଆମ ପୋଲିସ ବୈଠକ ଅନୁଷ୍ଟିତ ହୋଇଯାଇଛି । ଚାନ୍ଦବାଲି ଉପଖଣ୍ଡ ପୋଲିସ ଆରକ୍ଷୀ ଦେବୀ ଶଙ୍କର ପ୍ରତାପଙ୍କ ଅଧ୍ୟକ୍ଷତାରେ ଚାନ୍ଦବାଲି ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ପୂର୍ବତନ ପ୍ରାଧ୍ୟାପକ କୈଳାଶ ପ୍ରଧାନ ଓ ଚାନ୍ଦବାଲି ଥାନା ଅଧ୍ଵନରେ ଥିବା ସମସ୍ତ ବରିଷ୍ଟ ନାଗରିକ ମାନଙ୍କୁ ନେଇ ଏକ ଆମ ପୋଲିସ ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବରିଷ୍ଠ ନାଗରିଙ୍କ ସୁରକ୍ଷା ପାଇଁ ପୋଲିସ ଅଧିକାରୀ ମାନେ ସେମାନଙ୍କୁ ପ୍ରଶିକ୍ଷଣ ଦେବା ସହ ବିଭିନ୍ନ ନିରାପତା ଉପରେ ସୂଚନା ପ୍ରଦାନ କରିଥିଲେ । ଏଥିସହ ପୋଲିସ ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ ।

  • ଅଗଷ୍ଟ ୧ ତାରିଖରୁ ଖୋଲିବ ଭିତରକନିକା

    ଅଗଷ୍ଟ ୧ ତାରିଖରୁ ଖୋଲିବ ଭିତରକନିକା

    ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଅଗଷ୍ଟ ୧ ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅପରପକ୍ଷରେ ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ବନବିଭାଗ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସୁଚନା ଅନୁଯାୟୀ କୁମ୍ଭୀର ପ୍ରଜନନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ୟ୍ଯନ୍ତ ୩ ମାସଧରି ବନ୍ଦ ରହିଥିଲା ଭିତରକନିକା । ଏହି ସମୟରେ କୁମ୍ଭୀର ହିଂସ୍ର ରହୁଥିବା ରୁ ପର୍ୟ୍ୟଟକ ଙ୍କ ସୁରକ୍ଷା କୁ ଦୃଷ୍ଟି ରେ ରଖି ଭିତରକନିକା ବନ୍ଦ ରହିଥାଏ । ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ଙ୍କ ସହ ଭିତରକନିକା ଉପରେ ନିର୍ଭରକରୁଥିବା ବୋଟ , ହୋଟେଲ , ଟ୍ରାଭେଲ୍ ଏଜେନ୍ସି , ଛୋଟ ବ୍ୟବସାୟ , ଟିୟୁରିଷ୍ଟି ଗାଇଡ଼ ମାନେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏବଂ ଟିୟୁରିଷ୍ଟି ଗାଇଡ଼ ମାନଙ୍କୁ ସ୍ବତନ୍ତ୍ର ଟ୍ରେନିଂ ଦିଆଯାଇଛି ।

    ଅପରପକ୍ଷରେ ପର୍ଯ୍ୟଟକ ଙ୍କୁ ଭିତରକନିକା କୁ ସ୍ବାଗତ କରିବା ପାଇଁ ବନବିଭାଗ ପ୍ରସ୍ତୁତ ହୋଇଥିବା ବେଳେ ଲୁଣା ନର୍ସରୀ , ସେଲ୍ଫି ପଏଣ୍ଟ , ବିଳାସପୂର୍ଣ୍ଣ ଏସି ରେଷ୍ଟୁରାଣ୍ଟ , ବୋଟ ଲାଇବ୍ରେରୀ, ବ୍ୟାଟେରୀ ବୋଟ ଆଦିର ସୁବିଧା ରହିଛି | ଭିତରକନିକାରେ ଥିବା କଟେଜ୍ ରିନୋଭେସନ କରିବା ସହ 2ଟି ନୂତନ ବ୍ୟାଟେରୀ ଚାଳିତ ଗାଡି ସାମିଲ ହୋଇଛି । ତେବେ ଉଦ୍ୟାନକୁ ଜଳପଥ ଦେଇ ପ୍ରବେଶ କରିବା ପାଇଁ ହେଲେ ଗୁପ୍ତି , ଖୋଳା , ଚାନ୍ଦବାଲି ଏବଂ ସ୍ଥଳପଥ ଦେଇ ଭିତରକନିକା ଡାଙ୍ଗମାଳ ମୁଖ୍ୟ ଫାଟକ ଦେଇ ପର୍ଯ୍ୟଟକ ଭିତରକୁ ପ୍ରବେଶ କରି ପାରିବେ । ପ୍ରବେଶ କରିବା ପାଇଁ ପରିଚୟପତ୍ର କୁ ବାଧ୍ୟତାମୂଳକ କରାଯାଥିବା କହିଛନ୍ତି ରେଞ୍ଜ ଅଫିସର ମାନସ ଦାସ ।

    ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବା ପାଇଁ ବନବିଭାଗ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ବେଳେ ପର୍ୟ୍ୟଟକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

  • ଏଣିକି କମିବ ବର୍ଷା

    ଏଣିକି କମିବ ବର୍ଷା

    ଲଘୁଚାପ ଓ ସକ୍ରିୟ ମୌସୁମୀ ପ୍ରଭାବରେ ଗତ କିଛି ଦିନ ଦେଲା ରାଜ୍ୟରେ ବର୍ଷା ଲାଗି ରହିଥିବାବେଳେ ଆସନ୍ତାକାଲିଠାରୁ ଏହାର ପ୍ରଭାବ କମିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୭ରୁ ୮ ତାରିଖ ମଧ୍ୟରେ ଆହୁରି ବର୍ଷା ପରିମାଣ କମିବ । ୫ ତାରିଖ ସକାଳ ପର୍ଯ୍ୟନ୍ତ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲାକୁ ବର୍ଷା (୭ ରୁ ୧୧ ସେ.ମି.) ବର୍ଷା ନେଇ ପାଣିପାଗ କେନ୍ଦ୍ର ହଳଦିଆ ସତର୍କତା ଜାରି କରିଛି। ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ାରେ ସର୍ବାଧିକ ୬୫.୪ ମି.ମି., ବାଲେଶ୍ବରରେ ୫୫.୫ ମି.ମି., ଚାନ୍ଦବାଲିରେ ୪୧.୪ ମି.ମି., ରାଉରକେଲାରେ ୪୦.୩ ମି.ମି., କଟକରେ ୨୨.୪ ମି.ମି., କେନ୍ଦୁଝରରେ ୧୩.୭ ମି.ମି., କୋରାପୁଟରେ ୧୯.୬ ମି.ମି., ଛତ୍ରପୁରରେ ୧୮.୬ମି.ମି., ଯାଜପୁରରେ ୨୦.୨ ମି.ମି. ବର୍ଷା ହୋଇଛି। ବର୍ଷା ଯୋଗୁଁ ଭଦ୍ରକ ଓ ବାଲେଶ୍ବରରେ ବନ୍ୟା ସ୍ଥିତି ଉପୁଜିଛି। ଗତ ଚାରି ଦିନରେ ରାଜ୍ୟରେ ସ୍ବାଭାବିକରୁ ଅଧିକ ବର୍ଷା ହୋଇଛି।

  • ଭୁବନେଶ୍ୱର: ପାଣି ପାଇପ ଲାଇନ ଖୋଳୁ ଖୋଳୁ ଫାଟିଲା ଗେଲ ଇଣ୍ଡିଆର ଗ୍ୟାସ ପାଇପ ଲାଇନ

    ଭୁବନେଶ୍ୱର: ପାଣି ପାଇପ ଲାଇନ ଖୋଳୁ ଖୋଳୁ ଫାଟିଲା ଗେଲ ଇଣ୍ଡିଆର ଗ୍ୟାସ ପାଇପ ଲାଇନ

    ଭୁବନେଶ୍ବର ସୈନିକ ସ୍କୁଲ ମୁଖ୍ୟ ଫାଟକ ସମ୍ମୁଖରେ ୱାଟକୋ ପାଣି ପାଇପ୍ କାମ କରୁଥିବା ବେଳେ ବିସ୍ଫୋରଣ ହୋଇଛି । ଜେସିବି ଖୋଳିବା ସମୟରେ ମଝିରୁ ଫାଟିଥିଲା ଗେଲ୍ ଇଣ୍ଡିଆର ଗ୍ୟାସ୍ ପାଇପ୍ ଲାଇନ୍ । ଫଳରେ ଦୀର୍ଘ ୧ ଘଣ୍ଟା ଧରି ପାଇପ୍‌ରୁ ଗ୍ୟାସ୍ ଲିକ୍ ହୋଇ ଚାରିଆଡ଼େ ବ୍ୟାପିଥିଲା ।

    ଏନେଇ ଗେଲ୍ ଇଣ୍ଡିଆ ଅଧିକାରୀମାନେ ଏମର୍ଜେନ୍ସୀ ରେସପନ୍ସ ଭେହିକିଲ ଡାକି ପାଇପ୍ ଲାଇନ୍ ମରାମତି କରିବା ସହ ସ୍ଥାନୀୟ ଲୋକେ ମୈତ୍ରୀବିହାର ପୋଲିସକୁ ଖବର ଦେଇଥିଲେ । ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ୱାଟକୋର ଅବହେଳା ଯୋଗୁଁ ଏପରି ଘଟଣା ଘଟିଥିବା କିଛି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ।

  • ପରିବାର ନିୟୋଜନ ଅପରେସନ ବେଳେ ଡାକ୍ତର ପରିସ୍ରା ନାଡ଼ିକୁ କାଟି ଦେଲେ ତା’ ପରେ …….

    ପରିବାର ନିୟୋଜନ ଅପରେସନ ବେଳେ ଡାକ୍ତର ପରିସ୍ରା ନାଡ଼ିକୁ କାଟି ଦେଲେ ତା’ ପରେ …….

    ଡାକ୍ତରଙ୍କ ଅବହେଳା ଯୋଗୁ ଚାଲିଗଲା ମୋ ଝିଅର ଜୀବନ ମୁ ଏବେ କେମିତି ବଞ୍ଚିବି ‘ମୋ ଝିଅକୁ ମାରିଦେଲେ। ପରିବାର ନିୟୋଜନ ଅପରେସନ ବେଳେ ଡାକ୍ତର ପରିସ୍ରା ନାଡ଼ିକୁ କାଟି ଦେବାରୁ ମୋ ଝିଅ ମରିଗଲା। ମୋ ଝିଅକୁ ମୋତେ ଆଣିଦିଅ। ସେ ଝିଅ ନଥିଲା, ସେ ମୋ ପୁଅ ଥିଲା। ମୁଁ ଏବେ ତା’ପୁଅକୁ କିପରି ମଣିଷ କରିବି।’ ଏପରି କହି ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଆଗରେ କାନ୍ଦି କାନ୍ଦି ଗଡ଼ିଯାଉଛନ୍ତି ଜଣେ ବୃଦ୍ଧ। ପରିବାର ନିୟୋଜନ ଅପରେସନ ପରେ ତାଙ୍କ ଝିଅର ମୃତ୍ୟୁ ଘଟିଛି। ନ୍ୟାୟ ମାଗିବା ପାଇଁ ଜିଲ୍ଲାପାଳଙ୍କ ନିକଟକୁ ଆସିଛନ୍ତି।

    ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ମୃତ ମହିଳା ଜଣଙ୍କ ହେଲେ ଜୟନ୍ତୀ ବେଜ। ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅନ୍ତର୍ଗତ ରାଉତରାୟପୁର ହୃଷିକେଶ ବେଜଙ୍କ ଝିଅ ଜୟନ୍ତୀ ବେଜ ଦୁଇ ବର୍ଷ ପୂର୍ବରୁ ଔପଦା ଗଡ଼ସାହିର ଯଶୋବନ୍ତ ବାରିକଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ। ଉଭୟ ଦମ୍ପତ୍ତିଙ୍କର ଏକ ଶିଶୁ ପୁତ୍ର ମଧ୍ୟ ଅଛି। ପୁଅ ସହିତ ଜୟନ୍ତୀ ବାପା ଘର ରାଉତରାପୁରରେ ରହୁଥିଲେ। ବରପଦାରେ ପରିବାର ନିୟୋଜନ ଅପରେସନ ପାଇଁ କ୍ୟାମ୍ପ କରାଯାଇଥିଲା। ଜୟନ୍ତୀ ସେଠାରେ ପରିବାର ନିୟୋଜନ ଅପରେସନ କରିବାକୁ ସ୍ଥିର କରିଥିଲେ।

    ଅଭିଯୋଗ ଅନୁସାରେ, ଜୟନ୍ତୀ ଆଶାକର୍ମୀଙ୍କ ପରାମର୍ଶ ନେଇ ଗତ ୨୫ ତାରିଖରେ ବରପଦାରେ ହୋଇଥିବା ଶିବିରରେ ଅପରେସନ କରିଥିଲେ। ଅପରେସନ ପରେ ସେହିଦିନ ଘରକୁ ଫେରିଥିଲେ। ଘରକୁ ଫେରିବାର କିଛି ସମୟ ପରେ ଜୟନ୍ତୀଙ୍କ ପେଟ ଫୁଲାଇ ଦେଇଥିଲା। ପରିବାର ଲୋକେ ତାଙ୍କୁ ଆଗରପଡ଼ା ହସପିଟାଲରେ ଭର୍ତ୍ତି କରିଥିଲେ।

    ଜୟନ୍ତୀଙ୍କ ଅବସ୍ଥା ଗୁରୁତର ହେବାରୁ ଆଗରପଡ଼ା ଡ଼ାକ୍ତର ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ। ସେଠାରେ ଜୟନ୍ତୀଙ୍କ ପେଟରେ ପାଣି ଜମିଥିବା ଡ଼ାକ୍ତର କହିଥିଲେ। ମାଇନର ଅପରେସନ କରି କଟକ ରେଫର କରିଥିଲେ। କଟକରେ ଜୟନ୍ତୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ୨୭ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଜୟନ୍ତୀଙ୍କର ମୃତ୍ୟୁ ହୋଇଥିଲା।

    ଡ଼ାକ୍ତରଙ୍କ ଖାମଖିଆଲି ନୀତି ତଥା ଭୁଲ୍‌ ଅପରେସନ ଯୋଗୁ ଜୟନ୍ତୀଙ୍କୀର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଦୋଷୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି। ଭଦ୍ରକ ରୁରାଲ ଥାନାରେ ଏତଲା ଦେବା ସହିତ ଜିଲ୍ଲାପାଳ ନିକଟରେ ନ୍ୟାୟ ମାଗିଛନ୍ତି।