Category: ରାଜ୍ୟ ଖବର

  • ଗାଡ଼ି ଧକ୍କାରେ ବାଘର ମୃତ୍ୟୁ

    ଗାଡ଼ି ଧକ୍କାରେ ବାଘର ମୃତ୍ୟୁ

    ଅଜଣା ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ । ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ ଗ୍ରାମ ମୁଖ୍ୟ ରାସ୍ତା ନିକଟରେ ଗତକାଲି ରାତି ପ୍ରାୟ ୨ ଟା ସମୟରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଗୁରୁତର ବାଘକୁ ତୁରନ୍ତ ଭଞ୍ଜନଗର ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାଘଟିର ମୃତ୍ୟୁ ହୋଇଥିଲା। ବାଘଟିର ବୟସ ୪ରୁ ୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି।

    ତେବେ କଲରାପତରିଆ ବାଘର କେମିତି ଦୁର୍ଘଟଣା ହେଲା, କେଉଁ ଗାଡ଼ି ଧକ୍କାରେ ତା’ର ଜୀବନ ଗଲା ତାହାର ତଦନ୍ତ କରୁଛି ବନ ବିଭାଗ। ଆଜି ଭଞ୍ଜନଗର ନର୍ସରୀରେ ମୃତ ବାଘଟିର ବ୍ୟବଚ୍ଛେଦ ହେବା ପରେ ସେଠାରେ ହିଁ ତାକୁ ପୋତି ଦିଆଯିବ । ଏନେଇ ଉପରିସ୍ଥ ଅଧିକାରୀଙ୍କ କୌଣସି ମତାମତ ମିଳି ପାରିନି। 

  • ଏଣିକି ନିଜ ପଞ୍ଚାୟତରେ ମିଳିବ ମଧୁବାବୁ ଭତ୍ତା ଘୋଷଣା କଲେ ୫-ଟି ସଚିବ

    ଏଣିକି ନିଜ ପଞ୍ଚାୟତରେ ମିଳିବ ମଧୁବାବୁ ଭତ୍ତା ଘୋଷଣା କଲେ ୫-ଟି ସଚିବ

    ଫାଇଭ ଟି ସଚିବ ଭି. କେ ପାଣ୍ଡିଆନ୍ କଟକ ଜିଲ୍ଲା ଗସ୍ତରେ । ଆଜି ପ୍ରଥମେ ସେ ଆଠଗଡ଼ ମିନି ଷ୍ଟାଡିୟମରେ ପହଞ୍ଚି ସାଧାରଣ ଜନତାଙ୍କୁ ଭେଟି ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ନିଜ ସମ୍ବୋଧନରେ ଫାଇଭ ଟି ସଚିବ କହିଛନ୍ତି, ଚାଷୀଙ୍କ ସମସ୍ୟା ସମାଧାନକୁ ଗୁରୁତ୍ବ ଦିଆଯିବ । ୮ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଖୁସି ଖବର ପାଇବେ । ମନ୍ଦିର, ମସଜିଦ ଓ ଚର୍ଚ୍ଚ କାମ ୭ ଦିନ ମଧ୍ୟରେ ଶେଷ ହେବ । ୧୬ ତାରିଖ ସୁଦ୍ଧା ଏଥିପାଇଁ ପ୍ରଥମ କିସ୍ତି ପାଇବେ । ଫାଇଭ୍ ଟି ସଚିବ କହିଛନ୍ତି, ସରକାରୀ କାର୍ଯ୍ୟକ୍ରମକୁ ନିଜ କାମ ଭଳି ଭାବ । ସେମିତି ଭାବିଲେ ଓଡ଼ିଶାର ଉନ୍ନତି ଦୌଡିବ ।

    ଏଥିସହ ସେ କହିଛନ୍ତି, ବୟସ୍କ ଓ ଭିନ୍ନକ୍ଷମ ମଧୁବାବୁ ଭତ୍ତା ନିଜ ପଞ୍ଚାୟତରୁ ପାଇବେ । ବ୍ୟାଙ୍କ ଯିବାକୁ ପଡିବନି । ଅଗଷ୍ଟ ୧୫ ତାରିଖରୁ ଏହା ଲାଗୁ ହେବ । ଆଠଗଡ଼ ପରେ ନରସିଂହପୁର ହସ୍ପିଟାଲରେ ଡାଇଲିସିସ ସେଣ୍ଟର ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ପରେ ସାଧାରଣ ଜନତାଙ୍କୁ ଭେଟି ଅଭିଯୋଗପତ୍ର ଗ୍ରହଣ କରିବେ । ଏହାପରେ ଚୌଦ୍ୱାରରେ ପହଞ୍ଚି ଗୋପବନ୍ଧୁ ନୋଡାଲ ହାଇସ୍କୁଲ ଖେଳ ପଡ଼ିଆରେ ଅଞ୍ଚଳବାସୀ ତାଙ୍କୁ ଭେଟିବେ । ନିଶ୍ଚିନ୍ତକୋଇଲି କୁଳିଆରେ ସାଧାରଣ ସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ବି ରହିଛି । ସେଠାରୁ କଟକ ସହର ଉପର ବାଲିଯାତ୍ରା ପଡ଼ିଆରେ ପହଞ୍ଚି କଟକ ଜିଲ୍ଲାର କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ଫାଇଭ୍ ଟି ସଚିବ ଭି କେ ପାଣ୍ଡିଆନ ।

  • ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ଜରୁରୀ ନୁହେଁ

    ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ଜରୁରୀ ନୁହେଁ

    କିଛି ସ୍କୁଲରେ ପ୍ରଧାନ ଶିକ୍ଷକ ଆଧାର ଦାବି କରିବା ଦୃଷ୍ଟିକୁ ଆସିଛି । ଏଥିପାଇଁ ସବୁ ପ୍ରଧାନ ଶିକ୍ଷକଙ୍କୁ ଅବଗତି ପାଇଁ DEOଙ୍କୁ ଗଣଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

    ରାଜ୍ୟର କିଛି ସ୍କୁଲରେ ପିଲାମାନଙ୍କର ନାମଲେଖା ସମୟରେ ଆଧାର କାର୍ଡ ଦାବି କରାଯାଇଥିଲା । ହେଲେ ଏଣିକି ନାମଲେଖା ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ । ଆଧାର କାର୍ଡ ଥାଉ ବା ନଥାଉ ସ୍କୁଲରେ ନାମ ଲେଖାଇ ପାରିବେ। ନାମଲେଖା ସମୟରେ ଆଧାର କାର୍ଡ ବାଧ୍ୟତାମୂଳକ ବୋଲି କିଛି କିଛି ସ୍କୁଲର ପ୍ରଧାନଶିକ୍ଷକ କହିଥିଲେ । ତେବେ ଏହି ପ୍ରସଙ୍ଗ ଦୃଷ୍ଟିକୁ ଆସିବା ପରେ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ନାମଲେଖା ପରେ ଛାତ୍ରଛାତ୍ରୀ ଆଧାର ପ୍ରସ୍ତୁତ କରି ଜମା କରିପାରିବେ ।

    ଅନ୍‌ଲାଇନ୍‌ରେ କେମିତି କରିବେ ଆଧାର ଅପଡେଟ୍‌…

    UIDAIର ଅଫିସିଆଲ୍‌ ୱେବ୍‌ସାଇଟ୍‌କୁ ଯାଆନ୍ତୁ
    ଏହାପରେ ‘My Aadhaar’ ମେନ୍ୟୁକୁ ଯାଆନ୍ତୁ
    Update Your Aadhaar’ ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ
    ଏହାପରେ ‘Update demographics data online’ ଚୟନ କରି ‘Proceed to update Aadhaar’ ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ
    ଆପଣଙ୍କର ଆଧାର କାର୍ଡ ନମ୍ବର ଦେବା ପରେ captcha ଭେରିଫିକେସନ୍‌ କରନ୍ତୁ
    ଏହାପରେ ‘Send OTP’ ଦେଇ ‘Update Demographics Data’ ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ। ଏହାପରେ ଅପଡେଟ୍‌ ଡିଟେଲ୍ସ ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ
    ନୂଆ ତଥ୍ୟ ଦେଇ ସଠିକ୍‌ ପ୍ରମାଣପତ୍ରର ସ୍କାନ୍‌ କପି ଅପ୍‌ଲୋଡ୍‌ କରନ୍ତୁ ଓ ଏହା ସଠିକ୍‌ କି ନାହିଁ ଅପଲୋଡ୍‌ ପୂର୍ବରୁ ଯାଞ୍ଚ କରି ନିଅନ୍ତୁ
    ଶେଷରେ OTP ଦେଇ ଅପଡେଟ୍‌ କରନ୍ତୁ

  • ଜୀବନ ହାରିବାକୁ ନଦୀକୁ ଡେଇଁ ୫ କିମି ଦୂରରୁ ମହିଳା ଉଦ୍ଧାର

    ଜୀବନ ହାରିବାକୁ ନଦୀକୁ ଡେଇଁ ୫ କିମି ଦୂରରୁ ମହିଳା ଉଦ୍ଧାର

    ପାରିବାରିକ କଳହରୁ ମହାନଦୀକୁ ଡେଇଁ ମହିଳାଙ୍କ ଜୀବନ ହାରିବା ଉଦ୍ୟମ ପଣ୍ଡ। ଭାସି ଭାସି ୫ କିଲୋମିଟର ଦୂରରୁ ସୁରକ୍ଷିତ ଉଦ୍ଧାର। ଏପରି ଘଟଣା ଘଟିଛି ପାରାଦୀପ ନେହେରୁବଙ୍ଗଳା ଅଞ୍ଚଳରେ। ମତ୍ସ୍ୟଜୀବୀମାନେ ଭାସି ଯାଉଥିବା ମହିଳାଙ୍କୁ ଉଦ୍ଧାର କରି ପରିବାର ଜିମା ଦେଇଛନ୍ତି। ତେବେ ମହିଳାଙ୍କର ପାରିବାରିକ ସମସ୍ୟା ଥିବାରୁ ସେ ଏପରି ଚରମ ପଦକ୍ଷେପ ନେଇଥିବା ଜଣା ପଡିଛି। ଭୁତୁମୁଣ୍ଡାଇ ଅଞ୍ଚଳର ଜନୈକ ମହିଳା ପାରିବାରିକ କଳହରେ ଅତିଷ୍ଠ ହୋଇ ଭୁତୁମୁଣ୍ଡାଇ ପୋଲରୁ ଡେଇଁ ପଡି ଜୀବନ ହାରିବାକୁ ଚାହିଁଥିଲେ। କିନ୍ତୁ ମହାନଦୀର ପ୍ରଖର ସୁଅ ତାଙ୍କୁ ବୋହି ନେଇଥିଲା ଭୁତୁମୁଣ୍ଡାଇଠାରୁ ୫ କିଲୋମିଟର ଦୂର ନେହେରୁବଙ୍ଗଳା ମୁହାଣ ଯାଏ। ମୁହାଣ ନିକଟରେ କିଛି ମତ୍ସ୍ୟଜୀବୀଙ୍କ ନଜରକୁ ଆସିଥିଲେ ମହିଳା ଜଣକ। ମତ୍ସ୍ୟଜୀବୀମାନେ ତୁରନ୍ତ ମହିଳାଙ୍କୁ ଉଦ୍ଧାର କରି ସାଷ୍ଟାଙ୍ଗ କରିଥିଲେ ଓ ତାଙ୍କଠାରୁ ତାଙ୍କ ଠିକଣା ବୁଝି ତାଙ୍କ ଘରରୁ ପଠାଇଥିଲେ। ବର୍ତମାନ ମହାନଦୀରେ ପ୍ରଖର ବନ୍ୟାଜଳ ପ୍ରବାହିତ ହେଉଛି। ବିଭିନ୍ନ ସମୟରେ ବହୁ ଅଘଟଣ ମଧ୍ୟ ଘଟୁଛି ପାଣିରେ ବୁଡି। କିନ୍ତୁ ଏଠି ମହିଳା ଜୀବନ ହାରିବାକୁ ଯାଇ ଦୀର୍ଘ ୫ କିଲୋମିଟର ଭାସି ମଧ୍ୟ ଜୀବିତ ରହିଛନ୍ତି। ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏହାକୁ ଦେଖି ସ୍ଥାନୀୟ ଲୋକେ କହୁଛନ୍ତି, ରଖେ ହରି ମାରେ କିଏ…

  • ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ଶୁଭାଶିଷ ତାଳପତ୍ର

    ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ଶୁଭାଶିଷ ତାଳପତ୍ର

    ଜଷ୍ଟିସ ଶୁଭାଶିଷ ତାଳପତ୍ର ଆଜି ଓଡ଼ିଶା ଉଚ୍ଚନ୍ୟାୟାଳୟର ୩୩ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଶପଥପାଠ କରାଇଛନ୍ତି।

    ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ଶୁଭାଶିଷ ତାଳପତ୍ର। ହାଇକୋର୍ଟ ପରିସରରେ ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି। ସୁପ୍ରିମକୋର୍ଟ କଲେଜିୟମ ମୁଖ୍ୟବିଚାରପତି ଭାବେ ତାଙ୍କ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲେ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଜଷ୍ଟିସ ତଲାପତ୍ରଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବର୍ତ୍ତମାନ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟଗ୍ରହଣ କରିଛନ୍ତି । ଜଷ୍ଟିସ ଶୁଭାଶିଷ ତାଳପତ୍ର ୩୩ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି।

    ୨୦୨୨ ଜୁନ୍ ୧୦ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ଜଷ୍ଟିସ ଶୁଭାଶିଷ ତାଳପତ୍ର ୧୯୬୧ ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁର ଠାରେ ଜନ୍ମ ଗ୍ରହଣ କରିଥିଲେ। ୨୦୧୧ ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୩ ସେପ୍ଟେମ୍ବର ୧୩ରେ ତ୍ରିପୁରାରେ ନୂତନ ହାଇକୋର୍ଟ ପ୍ରତିଷ୍ଠା ହେବା ପରେ ତ୍ରିପୁରା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ।

    ସୂଚନାନୁଯାୟୀ , ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ ସୁପ୍ରିମକୋର୍ଟ କଲେଜିୟମ। ଜଷ୍ଟିସ ତାଳପତ୍ର ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବିଚାରପତି ରୂପେ ଅବସ୍ଥାପିତ ଅଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼, ବିଚାରପତି ସଂଜୟ କିଷନ କୌଲ ଓ ବିଚାରପତି ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ ଅଗଷ୍ଟ ୨୦୨୩ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌.ମୁରଲୀଧରଙ୍କ ଅବସର ଯୋଗୁଁ ମୁଖ୍ୟ ବିଚାରପତି ପଦ ଖାଲି ହେଉଥିବାରୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିଯୁକ୍ତିର ଆବଶ୍ୟକତାକୁ ନେଇ ପ୍ରସ୍ତାବରେ ଉଲ୍ଲେଖ କରିଥିଲେ।

  • ଖୁବଶୀଘ୍ର କଳାହାଣ୍ଡିକୁ ଉଡ଼ିବ ବିମାନ

    ଖୁବଶୀଘ୍ର କଳାହାଣ୍ଡିକୁ ଉଡ଼ିବ ବିମାନ

    ଓଡ଼ିଶା ପାଇଁ ଆଉ ଏକ ଖୁସି ଖବର। ରାଜ୍ୟର ଆଉ ଏକ ବିମାନ ବନ୍ଦରରୁ ବିମାନ ଉଡାଣ ନେଇ ଡିଜିସିଏ ପକ୍ଷରୁ ଅନୁମତି ମିଳିଛି ।

    କଳାହାଣ୍ଡିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି । ଏହା ସହିତ କଳାହାଣ୍ଡିର ପରିଚୟ ମଧ୍ୟ ବଦଳିଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ କଳାହାଣ୍ଡି ନୂଆ ପରିଚୟ ପାଇଛି । କଳାହାଣ୍ଡିବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ବହୁ ପ୍ରତିକ୍ଷିତ ଉତ୍କେଲା ଏୟାରପୋର୍ଟରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ‘ଉଡ଼ାନ୍’ ଯୋଜନାରେ ଏହାର ଭିଭିଭୂମି ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବାବେଳେ DGCA ବିମାନ ଉଡ଼ାଣ ନିମନ୍ତେ ଗ୍ରୀନ ସିଗ୍ନାଲ ଦେଇଛନ୍ତି। ଏହା’ସହ ବିମାନ ଚଳାଚଳ ପାଇଁ DGCA ଲାଇସେନ୍ସ ପ୍ରଦାନ କରିଛନ୍ତି।

    ସୂଚନା ଅନୁସାରେ, ଗତମାସରେ ଡିଜିସିଏ ଟିମ୍ କଳାହାଣ୍ଡିର ଉତକେଲା ବିମାନ ବନ୍ଦର ଆସି ବିମାନ ଉଡାଣ ପାଇଁ ସ୍ଥିତି ଅନୁଧ୍ୟାନ କରି ଯାଇଥିଲେ । ପରବର୍ତ୍ତୀ ସମୟରେ ସେଠାରେ ଉଡାଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଖୁସି ପ୍ରକାଶ କରିବା ସହ ଖୁବ୍‌ଶୀଘ୍ର ଭବାନୀପାଟଣାରୁ ଭୁବନେଶ୍ୱରକୁ ବିମାନ ଉଡ଼ିବ ବୋଲି ଟ୍ବିଟରେ ଉଲ୍ଲେଖ କରିଛନ୍ତି। ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ ହେବ ପରେ ରାଜ୍ୟରେ ଯୋଗାଯୋଗ, ବାଣିଜ୍ୟ ଓ ପର୍ଯ୍ୟଟନ ମଧ୍ୟ ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

  • ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା:୪୩.୬୨ ପ୍ରତିଶତ ପାସ୍ 

    ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା:୪୩.୬୨ ପ୍ରତିଶତ ପାସ୍ 

    ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ । ୧୩୧୦ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୪୩୩ ପିଲା କୃତକାର୍ଯ୍ୟ ହୋଇଛନ୍ତି। ଜୁଲାଇ ୩ ତାରିଖରେ ମାଟ୍ରିକ ସପ୍ଲିମେଣ୍ଟାରୀ ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ୮୦ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧ଟାରେ ସରିଥିଲା। ଦ୍ୱିତୀୟ ସିଟିଂରେ ଷ୍ଟେଟ୍ ଓପନ ସ୍କୁଲ ପରୀକ୍ଷା କରାଯାଇଥିଲା। ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଛାତ୍ରଛାତ୍ରୀଙ୍କୁ ସିଧା ଯୁକ୍ତ ଦୁଇରେ ନାମ ଲେଖାଇବାକୁ ସୁଯୋଗ ମିଳିବ ବୋଲି ସୂଚନା ଦିଆଯାଇଥିଲା। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୬୭୭୮ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ୮୧୯୫ ଛାତ୍ରଛାତ୍ରୀ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେଇଥିଲେ। ବୋର୍ଡ ୱେବସାଇଟରେ ଉଭୟ ରେଜଲ୍ଟ ଉପଲବ୍ଧ ଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ କରି ନଥିବା ଏବଂ ପରୀକ୍ଷା ଅବେଦନ ନ କରିଥିବା ପିଲା ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲେ । ଏଥିରେ ସମୁଦାୟ ୧ ହଜାର ୩୧୦ ଜଣ ପିଲା ଫର୍ମ ଫିଲପ କରିଥିଲେ । ସେଥିରୁ ୪୩୩ ଜଣ ପିଲା ପାସ୍ କରିଛନ୍ତି । ସମୁଦାୟ ପରୀକ୍ଷା ଦେଇଥିଲେ ୯୫୦ ପରୀକ୍ଷାର୍ଥୀ ।

  • ଭବାନୀପାଟଣା ରେଳଷ୍ଟେସନ ସାମିଲ ହେଲା ଅମୃତ ଭାରତ ଯୋଜନାରେ

    ଭବାନୀପାଟଣା ରେଳଷ୍ଟେସନ ସାମିଲ ହେଲା ଅମୃତ ଭାରତ ଯୋଜନାରେ

    ଅମୃତ ଭାରତ ଷ୍ଟେସନ ଅନ୍ତର୍ଗତ ସାରା ଦେଶରେ ୫୦୮ ରେଳ ଷ୍ଟେସନର ରୂପାନ୍ତରଣ ମଧ୍ୟରେ ଓଡ଼ିଶାର ଭବାନୀପାଟଣା ରେଳଷ୍ଟେସନ ସ୍ଥାନ ପାଇଛି l ୨୬ କୋଟି ୩ଲକ୍ଷ ବ୍ୟୟ ରେ ଅତ୍ୟଧୁନିକ ରେଳ ଷ୍ଟେସନରେ ପରିଣତ ହେବ ଏହି ରେଳ ଷ୍ଟେସନl ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କଂନଫ୍ରେନ୍ସ ମାଧ୍ୟମରେ ପୁନଃ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି l

    ଏହି ପରିପ୍ରେକ୍ଷୀରେ ଭବାନୀପାଟଣା ରେଳ ଷ୍ଟେସନ ଠାରେ ଆୟୋଜିତ ସଭାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ, ପଦ୍ମଶ୍ରୀ ପଟ୍ଟlୟତ ସାହୁ, ସମ୍ବଲପୁର ରେଳ ଡିଭିଜନ ଚି଼ଫ ମେକାନିକାଲ ଇଂଜିନିୟର କେପି ସିଂ, କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତି ପ୍ରମୁଖ ମଂଚାସୀନ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରେଳମନ୍ତ୍ରୀ ଅଷ୍ପିନ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇବା ସହ ଭବାନୀପାଟଣା ରେଳ ଷ୍ଟେସନର ବିକାଶ ହେଲେ ଯାତ୍ରୀ ମାନଙ୍କ ସୁବିଧା ସହ ସ୍ଥାନୀୟ ଅଞ୍ଚଳରେ ସାମାଜିକ, ଆର୍ଥିକ ବିକାଶ ସହ ବ୍ୟାପାର ଓ ବାଣିଜ୍ୟ ବୃଦ୍ଧି ପାଇବ ବୋଲି ମତ ପ୍ରକାଶ କରିଥିଲେ l

    ଏହି ଷ୍ଟେସନ ର ପୁନଃ ବିକାଶ ଓ ଆଧୁନିକରଣ ରେ ଷ୍ଟେସନ ମଧ୍ୟରେ ସ୍ମାର୍ଟ ପାର୍କ, ମଲ୍ଟି ଲେବଲ ପାର୍କିଙ୍ଗ ସୁବିଧା,ଯାତ୍ରୀ ମାନଙ୍କ ପାଇଁ ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ତାନ ଦ୍ୱାର, ଲିଫ୍ଟ, ଆସ୍କାଲେଟର, ଟ୍ରlଭେଲେଟର, ୱେଟିଂଗ ହଲ, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା, ସପିଙ୍ଗ ଜୋନ, ଫୁଡ ପ୍ଲାଜ଼ା, କିଡ୍ସ ପ୍ଲେ ଏରିଆ, ଟିଫିନ ଓ ଚା ଷ୍ଟଲ, ଖବରକାଗଜ ଓ ମ୍ୟାଗାଜିନ ଷ୍ଟଲ, ଆଧୁନିକ ଶୌଚାଳୟ, ଯାତ୍ରୀ ସୂଚନା କେନ୍ଦ୍ର ଆଦିର ବ୍ୟବସ୍ଥା କରାଯିବl ଏହା ସହ ବର୍ତ୍ତମାନ ଥିବା ପ୍ରବେଶ ଦ୍ୱାରକୁ ସୁନ୍ଦର ଓ ଅତ୍ୟଧୁନିକ ଭାବେ ନିର୍ମାଣ କରାଯିବl ଆଗାମୀ ଦିନରେ ବିଶାଖାପାଟଣା ରୁ ରାୟଗଡା ଟ୍ରେନ ଓ ହାୱାଡା ରୁ ଟିଟିଲାଗଡ଼ ଆସୁଥିବା ଇସ୍ପାତ ଟ୍ରେନ ଭବାନୀପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ଯୋଜନା ଥିବା କହିଛନ୍ତି ସାଂସଦ ବସନ୍ତ ପଣ୍ଡା ଲ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ରେଳ ଅଧିକାରୀ ଏସ ବୁଢ଼ା, ବିଜେନ୍ଦ୍ର ମିନା, ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷl ସଂଯୁକ୍ତା ବେହେରା ଓ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l

  • ଯୁଦ୍ଧକାଳୀନ ଭିତ୍ତିରେ ଭୁବନେଶ୍ବର ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ

    ଯୁଦ୍ଧକାଳୀନ ଭିତ୍ତିରେ ଭୁବନେଶ୍ବର ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ

    ଚାଲିଛି ଭୁବନେଶ୍ବର ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ। ଯାହାପାଇଁ ରେଳଯାତ୍ରୀ ଏବେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷାରେ ଠିଆ ହେବାକୁ ଜାଗା ଅଛି ନା ବସିବାକୁ ଯାହାଫଳରେ ଯାତ୍ରୀମାନଙ୍କୁ ଭିଜିବାକୁ ପଡ଼ୁଛି। ଏଭଳି ସମସ୍ୟା ନଜରକୁ ଆସିବା ପରେ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି।

    ଯୁଦ୍ଧକାଳୀନ ଭିତ୍ତିରେ ପ୍ରବେଶପଥର ପ୍ରଥମ ବିଲଡିଂ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୪ ମାର୍ଚ୍ଚ ସୁଦ୍ଧା ୪ ମହଲା ବିଶିଷ୍ଟ ଏହି ବିଲଡିଂ କାମ ଶେଷକରି ଯାତ୍ରୀଙ୍କୁ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା କହିଛନ୍ତି। ୩୮୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟେସନ କାମ ୨୦୨୫ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ରେଳ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି। ବିଶ୍ବସ୍ତରୀୟ ହେବାକୁ ଥିବା ଏହି ଷ୍ଟେସନରେ ବିମାନବନ୍ଦର ପରି ସୁବିଧା ଉପଲବ୍ଧ ହେବ।

    ରେଳ ଷ୍ଟେସନ୍‌ର ଦୁଇପାର୍ଶ୍ବ, ଯଥା ମାଷ୍ଟରକ୍ୟାଣ୍ଟିନ ଓ କଟକ ରୋଡ ପାର୍ଶ୍ବରେ ଥିବା ପ୍ରବେଶପଥର ବିକାଶ କରାଯିବ। ଉଭୟ ପାର୍ଶ୍ବରେ ଷ୍ଟେସନ ଭିତରକୁ ପ୍ରବେଶ ଲାଗି ଦୁଇଟି ବାଟ ରହିବ ଏବଂ ବାହାରକୁ ଆସିବା ଲାଗି ଯାତ୍ରୀଙ୍କ ଲାଗି ଗୋଟିଏ ବାଟ ରହିବ। ଷ୍ଟେସନ୍‌ରେ ଦୈନିକ ଯେପରି ୧ ଲକ୍ଷ ୪୩ ହଜାର ୪୫ଜଣ ରେଳଯାତ୍ରୀ ଚଳପ୍ରଚଳ ହୋଇପାରିବେ, ସେନେଇ ସୁବିଧା ଉପଲବ୍ଧ ରହିବ।

    ଏଥିସହ ପ୍ରତିଦିନ ଷ୍ଟେସନ୍‌ରୁ ୭୭ ହଜାର ୫୮୧ ଯାତ୍ରୀଙ୍କ ଯିବା ଲାଗି ବ୍ୟବସ୍ଥା ହେବ। ଷ୍ଟେସନକୁ ସଂଯୋଗ କରୁଥିବା ଫୁଟ୍‌ ଓଭରବ୍ରିଜ୍‌ଗୁଡ଼ିକର ଓସାର ଅଧିକ ରହିବ। ଫଳରେ ଯାତ୍ରୀମାନେ ସୁରୁଖୁରରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ। ମୁଖ୍ୟ ପ୍ରବେଶପଥ ବିଲଡିଂ ୧୧ ମହଲା ବିଶିଷ୍ଟ କରାଯିବ।

    ପ୍ରଥମ ପର୍ଯ୍ୟାୟରେ ଗ୍ରାଉଣ୍ଡ ଫ୍ଲୋର୍‌ ସହ ୪ ମହଲା କାମ ମାର୍ଚ୍ଚ ସୁଦ୍ଧା ଶେଷ କରି ଯାତ୍ରୀଙ୍କ ଅସୁବିଧା ଦୂର କରିବା ଦିଗରେ ପଦକ୍ଷେପ ନିଆଯାଉଥିବା ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।

  • ଟମାଟୋ ସହ ଡାଲିଚାଉଳ ଦର ମଧ୍ୟ ଆକାଶ ଛୁଆଁ

    ଟମାଟୋ ସହ ଡାଲିଚାଉଳ ଦର ମଧ୍ୟ ଆକାଶ ଛୁଆଁ

    କିଛି ଦିନ ହେବ କିଲୋ ପିଛା ୨୦୦-୩୦୦ ଦାମରେ ବିକ୍ରି ହେଉଛି ଟମାଟୋ। କେବଳ ଟମାଟୋ ନୁହେଁ,ଅନ୍ୟ ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଶସ୍ୟ ଜାତୀୟ ଖାଦ୍ୟ ପଦାର୍ଥର ଦରଦାମ୍ ମଧ୍ୟ ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁସାରେ, ଗୁରୁବାର ଟମାଟୋର ହାରାହାରି ମୂଲ୍ୟ କିଲୋ ପିଛା ୧୪୦ ଟଙ୍କା ରହିଛି, କିନ୍ତୁ ଗତ ବର୍ଷ ଏହି ସମୟରେ ଟମାଟୋ ମୂଲ୍ୟ ମାତ୍ର ୩୪ ଟଙ୍କା ଥିଲା। ଉତ୍ତରପ୍ରଦେଶର ବୁଲନ୍ଦସରରେ ସର୍ବାଧିକ ଟମାଟୋ ମୂଲ୍ୟ ୨୫୭ ଟଙ୍କା ହୋଇଥିବାବେଳେ ଦିଲ୍ଲୀରେ ୨୧୩ ଟଙ୍କା ଏବଂ ମୁମ୍ବାଇରେ ୧୫୭ ଟଙ୍କା ବିକ୍ରି ହେଉଛି।ଦେଶର ଉତ୍ତର ଭାଗରେ ମୌସୁମୀ ବର୍ଷା ଶୀଘ୍ର ଆସିଯିବାରୁ ଟମାଟୋ ମୂଲ୍ୟ ବୃଦ୍ଧି ପାଇଛି ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।କେବଳ ଆଳୁକୁ ବାଦ୍ ଦେଲେ ଅନ୍ୟ ସବୁ ସାମଗ୍ରୀ ଦର ବୃଦ୍ଧି ସାଧାରଣ ଜନତାକୁ ଚିନ୍ତାରେ ପକାଇଛି।

    ଗୁରୁବାର ଚାଉଳର ଖୁଚୁରା ମୂଲ୍ୟ ଗତ ବର୍ଷ କିଲୋଗ୍ରାମ ପିଛା ୩୭ ଟଙ୍କା ଥିବାବେଳେ ଏଥର ୪୧ ଟଙ୍କା ରହିଛି। ହରଡ଼ ଡାଲିର ମୂଲ୍ୟ ସର୍ବାଧିକ ୨୮% ବୃଦ୍ଧି ହୋଇଛି, ଚାଉଳ (୧୦.୫%%), ବିରି ଡାଲି ଏବଂ ଆଟା (ପ୍ରତ୍ୟେକ ୮%) ବୃଦ୍ଧି ପାଇଛି ବୋଲି ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଏହି ସପ୍ତାହରେ ସଂସଦକୁ କହିଛି। ୨୦୨୨-୨୩ ଫସଲ ବର୍ଷ ପାଇଁ କୃଷି ମନ୍ତ୍ରଣାଳୟର ତୃତୀୟ ଅଗ୍ରୀମ ଆକଳନ ଅନୁଯାୟୀ ଗତ ଫସଲ ବର୍ଷରେ ୪୨.୨ ଲକ୍ଷ ଟନ୍ ତୁଳନାରେ ହରଡ଼ ଡାଲି ଉତ୍ପାଦନ ୩୪.୩ ଲକ୍ଷ ଟନ୍। ତେଣୁ ସ୍ୱାଭିବକ ହରଡ଼ ଡାଲି ଦର ବୃଦ୍ଧି ଘଟିଛି ବୋଲି ମନ୍ତ୍ରଣାଳୟ ଏହା କହିଛି।

    ପନିପରିବା ମଧ୍ୟରେ ମନ୍ତ୍ରଣାଳୟ କହିଛି ଯେ, ଦେଶରେ ଆଳୁର ହାରାହାରି ଖୁଚୁରା ମୂଲ୍ୟ ଗତ ବର୍ଷ ତୁଳନାରେ ପ୍ରାୟ ୧୨% କମ୍ ଥିବାବେଳେ ପିଆଜର ମୂଲ୍ୟ ପ୍ରାୟ ୫% ଅଧିକ ରହିଛି। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ମୂଲ୍ୟ ମନିଟରିଂ ସେଲ୍ ଅନୁଯାୟୀ, ଗୁରୁବାର ହରଡ଼ ଡାଲିର ହାରାହାରି ଖୁଚୁରା ମୂଲ୍ୟ କିଲୋ ପ୍ରତି ୧୩୬ ଟଙ୍କା ରହିଛି, ଯାହା ଗତ ବର୍ଷ ୧୦୬.୫୦ ଟଙ୍କା ଥିଲା। ସେହିପରି ବିରି ଡାଲି ଦର ୧୦୬.୫୦ରୁ ୧୧୪ ଟଙ୍କାକୁ ବୃଦ୍ଧି ପାଇଛି। ଗତ ବର୍ଷ ୧୧୧ ଟଙ୍କା ତୁଳନାରେ ମୁଗ ଡାଲିର ବର୍ତ୍ତମାନ କିଲୋଗ୍ରାମର ମୂଲ୍ୟ ୧୨୦ ଟଙ୍କା ରହିଛି।