Category: ରାଜ୍ୟ ଖବର

  • ପୂର୍ବତନ ପୁଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ

    ପୂର୍ବତନ ପୁଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ

    ପୂର୍ବତନ ପୁଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ଏନେଇ ତାଙ୍କ ଭାଇ ତଥା ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ର ସୂଚନା ଦେଇଛନ୍ତି । ଶରତ ମିଶ୍ର ଡେଙ୍ଗୁରେ ଆକ୍ରାନ୍ତ ଥିଲେ। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶରତ ମିଶ୍ରଙ୍କ ମୃତ୍ୟୁ ହୋଇଛି ।

    ୧୯୫୯ ବ୍ୟାଚ୍‌ର ଅବସରପ୍ରାପ୍ତ IPS ଅଫିସର ଥିଲେ ଶରତ ମିଶ୍ର।ନିଜର ସାହିତ୍ୟକୃତି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଶରତ ମିଶ୍ର । ସେ ଜଣେ ମେଳାପି ଏବଂ ଅମାୟିକ ବ୍ୟକ୍ତି ଥିଲେ । ଦୀର୍ଘ ଦିନ ଧରି Raw ପାଇଁ କାମ କରିଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ପୋଲିସ କମିଶନରଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଶେଷ ଦର୍ଶନ କରିଛନ୍ତି

  • ‘ଡ୍ରିଙ୍କ ଫ୍ରମ ଟ୍ୟାପ’ର ଜଳ ଯେଉଁମାନଙ୍କର ଆକ୍ବାଗାର୍ଡ ରହିଛି ସେହିମାନେ ହିଁ ପିଇ ପାରୁଛନ୍ତି

    ‘ଡ୍ରିଙ୍କ ଫ୍ରମ ଟ୍ୟାପ’ର ଜଳ ଯେଉଁମାନଙ୍କର ଆକ୍ବାଗାର୍ଡ ରହିଛି ସେହିମାନେ ହିଁ ପିଇ ପାରୁଛନ୍ତି

    ଜଳ ହିଁ ଜୀବନ । ଏହାକୁ ହୃଦୟଜ୍ଞମ କରି ରାଜ୍ୟ ସରକାର ‘ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପର ଆରମ୍ଭ କରିଛନ୍ତି। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ, କୌଣସି ବ୍ୟକ୍ତି ପାନୀୟ ଜଳ ପାଇଁ ହନ୍ତସନ୍ତ ନ ହୁଅନ୍ତି। ସିଧାସଳଖ ଟ୍ୟାପ୍ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଇବାର ବ୍ୟବସ୍ଥା କରାଯାଇଛି। ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜର ଜିଲ୍ଲାର ରାଇରଙ୍ଗପୁର,ଚମ୍ପୁଆ, ବୀରମିତ୍ରପୁର, ରାଜଗାଙ୍ଗପୁର,ନିମାପଡ଼ା ୫ ଟି ପୌରାଞ୍ଚଳ ପାଇଁ ୨୪ ଘଣ୍ଟିଆ ‘ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାର ଲୋକାର୍ପିତ କରିଛନ୍ତି।

    ଏହି କାର୍ଯ୍ୟକ୍ରମ ପାଇଁ ମଧ୍ୟ ବହୁ ଅର୍ଥ ବ୍ୟୟ କରାଯାଇଛି। ତଥାପି ଲୋକେ ଶୁଦ୍ଧ ପାଣି ପାଇପାରୁନାହାନ୍ତି। ଟ୍ୟାପରୁ ବାହାରୁ ଥିବା ପାଣି ପାଉଡର ମିଶା ପରି ଦେଖିବାକୁ ମିଳୁଛି। ଏହାକୁ ପାଟିକୁ ନେବା ଲୋକଙ୍କ ପକ୍ଷରେ ଅସମ୍ଭବ ହୋଇପଡିଛି। କେବଳ ଯେଉଁମାନଙ୍କର ଆକ୍ବାଗାର୍ଡ ରହିଛି ସେହି ମାନେ ହିଁ ଏହି ଟ୍ୟାପ ପାଣି ପିଇ ପାରୁଛନ୍ତି ବୋଲି ଅଭିଯୋଗ କରାଯାଉଛି।

    ଅନ୍ୟପଟେ ଡ୍ରିଙ୍କ ଫ୍ରମ ଟ୍ୟାପ ଜଳଯୋଗାଣ କାର୍ଯ୍ୟକ୍ରମରେ ଅଧିକାରୀ ମାନେ ଦାବି କରିଥିଲେ କି ଲୋକଙ୍କୁ ବିଶୁଦ୍ଧ ଜଣ ଯୋଗାଣ କରାଯାଉଛି। ଏଥିସହ ଏହି ଯୋଜନାରେ କାର୍ଯ୍ୟ କରୁଥିବା ଜଳସାଥୀ କହିଥିଲେ କି ସେମାନେ ଘର ଘର ବୁଲି ଲୋକଙ୍କୁ ଜଳର ମହତ୍ବ ବୁଝାଇବା ସହ କିପରି ଅଜଥା ଜଳ ନଷ୍ଟ କରା ନ ଯାଏ ସେଥି ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଉଛୁ ବୋଲି କହିଛନ୍ତି।

    ତେବେ ଅନ୍ୟ ସବୁ ଯୋଜନା ପରି ଏହି ଯୋଜନା କେବଳ ଅର୍ଥ ହଡପ ପାଇଁ ମାଧ୍ୟମ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କାରଣ ଜଳସାଥି ବାଇଟ ଦେବା ବେଳେ ବଡ ବଡ କଥା କହୁଥିବା ବେଳେ କିନ୍ତୁ ସେମାନଙ୍କୁ କୌଣସି ଗ୍ରାମରେ ଦେଖିବାକୁ ପାଉ ନାହାନ୍ତି ଲୋକେ ବୋଲି ଅଭିଯୋଗ ହେଉଛି।

  • ଭୁବନେଶ୍ବର ସାଂସଦଙ୍କ ପାଇଁ ପ୍ରତିବନ୍ଧକ ହେବ ନି ତ କେନ୍ଦ୍ର?

    ଭୁବନେଶ୍ବର ସାଂସଦଙ୍କ ପାଇଁ ପ୍ରତିବନ୍ଧକ ହେବ ନି ତ କେନ୍ଦ୍ର?

    ପ୍ରଶାସନିକ ଚାକିରି ଛାଡି ରାଜନୀତିରେ ପାଦ ଥାପିଥିଲେ। ପ୍ରଥମ ନିର୍ବାଚନରେ ମଧ୍ୟ ବିଜୟୀ ହେଲେ। ଲୋକଙ୍କ ଭରସା ସହ ବିରୋଧୀଙ୍କ ସମ୍ମାନ ତ ପାଇଲେ ହେଲେ ଦଳୀୟ କର୍ମୀଙ୍କ ଦ୍ବାରା ହୋଇପାରିଲେ ନାହିଁ ଗ୍ରହଣୀୟ। ଦଳରେ କଣଠେଁସ ହୋଇ ରହିଯାଇଛନ୍ତି। ତଥାପି ହରାଇ ନାହାନ୍ତି ଧୈର୍ଯ୍ୟ କି ସାହସ। ଏକଲା ଚଲୋ ନୀତିରେ ଲୋକଙ୍କ ସହ ମିଶୁଛନ୍ତି। ସେମାନଙ୍କ ସୁବିଧା ଅସୁବିଧାରେ ଠିଆ ହେଉଛନ୍ତି ଓ ଯଥା ସମ୍ଭବ ଲୋକଙ୍କ ସମସ୍ୟାର ସମାଧାନ କରୁଛନ୍ତି। ସେ ଯେଉଁଠିକୁ ଯାଉଛନ୍ତି, ଲୋକେ ସ୍ବତପ୍ରବୃତ୍ତ ଭାବେ ତାଙ୍କୁ ଭେଟିବାକୁ ଧାଉଁଛନ୍ତି। ବିଭିନ୍ନ ଜିଲ୍ଲାରେ ତାଙ୍କ ପାଇଁ ହେଉଥିବା ଜନସମାଗମ ଦେଖି ସେ ହିଁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଯୋଗ୍ୟ ବୋଲି ଲୋକେ ଚର୍ଚ୍ଚା କରୁଥିଲେ।

    ଆଉ ସବୁ ଚର୍ଚ୍ଚା ଏବେ ଚର୍ଚ୍ଚାରେ ରହିଯିବ ବୋଲି ନୂଆ ଚର୍ଚ୍ଚା ହେଲାଣି। ଏତେ ସବୁ କହିବା ପରେ ଆପଣମାନେ ନିଶ୍ଚିତ ଜାଣିସାରିଥିବେ ଆମେ କାହା ବିଷୟରେ କହୁଛୁ। ହଁ ଭୁବନେଶ୍ବର ସାଂସଦ ତଥା ଡେୟାରିଂ ଲେଡି ଅପରାଜିତା ଷଡଙ୍ଗୀ। ରାଜ୍ୟ ଦଳୀୟ କର୍ମୀଙ୍କ ସହ ତାଙ୍କର ଯତିପାତ ପଡେନି। ରାଜ୍ୟ ବିଜେପିର ସବୁ ବଡ ନେତା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥକ ବୋଲି ରାଜନୀତିରେ ରୁଚି ରଖୁଥିବା ଲୋକେ କୁହନ୍ତି। ତେଣୁ ରାଜ୍ୟ ବିଜେପି ତାଙ୍କୁ କୌଣସି କାର୍ଯ୍ୟକ୍ରମକୁ ଡାକେନି କି ସେ କୌଣସି କାର୍ଯ୍ୟକ୍ରମର ଆୟୋଜନ କଲେ ସେଠିକୁ ଦଳୀୟ କର୍ମୀ ଯାଆନ୍ତିନି। ୪ ବର୍ଷ ଧରି ସେ ଏକାକୀ ଜନସମର୍ଥନ ଜୁଟାଇଚାଲିଛନ୍ତି ନିଜ ପାଇଁ ତଥା ରାଜ୍ୟ ବିଜେପି ପାଇଁ।

    ତାଙ୍କ ବ୍ୟକ୍ତିତ୍ବ, ଦକ୍ଷତା, କାର୍ଯ୍ୟ ପାଇଁ ଲୋକେ ମଧ୍ୟ ତାଙ୍କୁ ଆଦର କରୁଛନ୍ତି। ଅନେକ କହୁଛନ୍ତି ଅପରାଜିତା ହିଁ ହେବେ ୫ ପାଳିର ମୁଖ୍ୟମନ୍ତ୍ରୀ ନବୀନଙ୍କ ବିକଳ୍ପ। ହେଲେ ଧର୍ମେନ୍ଦ୍ର ଓଡିଶାରୁ ନିର୍ବାଚନ ଲଢିବା ଘୋଷଣା କରିବା ପରେ ଏହି ଚର୍ଚ୍ଚାରେ ଭଟ୍ଟା ପଡିଗଲାଣି ଯେମିତି। ଏବେ ଜନରବ ଶୁଣିବାକୁ ମିଳୁଛି କି, ମାଡମ ଅପରାଜିତାଙ୍କ ପଥରେ କଣ୍ଟା ହୋଇ ଉଭା ହୋଇଛନ୍ତି ଧର୍ମେନ୍ଦ୍ର ସାର। ଅପରାଜିତାଙ୍କ ଜନପ୍ରିୟତାକୁ ଦେଖି କାଳେ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଦେବ ସେଥିପାଇଁ ୧୫ ବର୍ଷର ପରାଜୟକୁ ପାସୋରି ଓଡିଶାରୁ ଲଢିବାକୁ ଚାହୁଁଛନ୍ତି। ହାରିଲେ ବି ପରବାୟ ନାହିଁ। ଅନ୍ୟ କୌଣସି ରାଜ୍ୟରୁ କେନ୍ଦ୍ରୀୟ ନେତୃତ୍ବ ତାଙ୍କୁ ସଂସଦକୁ ନେବା ବ୍ୟବସ୍ଥା କରିବେ। କେନ୍ଦ୍ରୀୟ ନେତୃତ୍ବଙ୍କ ସୁନା ପୁଅ ତ ସେ।

    ତାଙ୍କ ମୁଣ୍ଡରେ ରହିଛି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଭୟ ହାତ। ହେଲେ ବର୍ତ୍ତମାନ ମାଡମଙ୍କ ପ୍ରତି ଥିବା ଜନସମର୍ଥନକୁ ଦେଖି, ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ହୁଏତ ଜିତି ଯାଇ ପାରନ୍ତି। ଏପରି ହେଲେ ତ କଥା ସରିଲା। ଧର୍ମେନ୍ଦ୍ରଙ୍କର ଦୀର୍ଘ ବର୍ଷରୁ ନବୀନଙ୍କ ସ୍ଥାନ ନେବାକୁ ଯେଉଁ ସ୍ବପ୍ନ ଅଛି ସେ ସବୁ ସ୍ବପ୍ନରେ ହିଁ ରହିଯିବ କାଳେ ବୋଲି କିଛି ଲୋକଙ୍କ ଭିତରେ ଚର୍ଚ୍ଚା। ଖାଲି ଅପରାଜିତାଙ୍କ ପତ୍ତା କାଟିବାକୁ ଏମନ୍ତ କାର୍ଯ୍ୟ। ଆହୁରି ଶୁଣିବାକୁ ମିଳୁଛି, ମୁକୁ ଭାଇଙ୍କର ଶଙ୍ଖ ମୁଖିଆଙ୍କ ସହ ରହିଛି ଭିତିରି ସମ୍ପର୍କ। ଉପରେ ସରକାରକୁ ଆକ୍ରମଣ କରୁଥିଲେ ମଧ୍ୟ ଭିତରେ ନବୀନଙ୍କ ବଡ ଫ୍ୟାନ। ଅପରାଜିତା ମୁଖ୍ୟମନ୍ତ୍ରୀ ଭାବେ ନ ଜିତିଲେ ବି ଶଙ୍ଖଦଳ ପାଇଁ ଚ୍ୟାଲେଞ୍ଜ ହୋଇପାରନ୍ତି।

    ସେମିତି ବି ରାଜ୍ୟରେ ବିଜେଡି ଓ ବିଜେଡି ମୁଖିଆଙ୍କ ପ୍ରତି ଜନସମର୍ଥନ ହ୍ରାସ ପାଇଲାଣି। ବିଭିନ୍ନ ସ୍ଥାନରେ ଦଳରେ ଦେଖାଦେଲାଣି ଅନ୍ତର୍କନ୍ଦଳ। ଗୋଟିଏ ସ୍ଥାନରୁ ଶଙ୍ଖ ଦଳରେ ବହୁ ଆଶାୟୀ। ଯିଏ ଟିକେଟରୁ ବାଦ ପଡିବ ସେ ଗୃହଭେଦୀ ବିଭୀଷଣ ନ ହେଲେ ବି ଭୋଟ ଡାଇଭର୍ଟରେ ନ ଲାଗିବ ଏକଥାକୁ କିଏ ଏଡାଇବ । ଆଗାମୀ ନିର୍ବାଚନରେ କଣ ହେବ ତାକୁ ନେଇ ନିଜେ ଦଳ ମୁଖିଆ ମଧ୍ୟ ସନ୍ଦିହାନ। ଏପରି ସ୍ଥିତିରେ ଅପରାଜିତା ପ୍ରାର୍ଥୀ ହେଲେ ବିଜେଡି ହୋଇଯିବ ଘାଇଲା।

    ସେଥିପାଇଁ ମୁକୁ ଭାଇଙ୍କ ଏଣ୍ଟ୍ରୀ ଏକ ସିକ୍ରେଟ ଷ୍ଟ୍ରାଟେଜି ବୋଲି ଲୋକେ କୁହାକୁହି ହେଉଛନ୍ତି। ତେବେ ଏହି ଚର୍ଚ୍ଚାରେ କେତେ ସତ୍ୟତା ଅଛି କିଏ ଜାଣେ? ହେଲେ ଯଦି ଏହି ଚର୍ଚ୍ଚା ସତ ହୋଇଥାଏ ଅପରାଜିତା କରିବେ କଣ?

  • ପ୍ରଶାସନ ନ ଶୁଣିବାରୁ ନିଜେ କାଠପୋଲ ତିଆରି କଲେ ଗ୍ରାମବାସୀ

    ପ୍ରଶାସନ ନ ଶୁଣିବାରୁ ନିଜେ କାଠପୋଲ ତିଆରି କଲେ ଗ୍ରାମବାସୀ

    ରାସ୍ତା ନିର୍ମାଣ ପାଇଁ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ରାଜନେତା ପ୍ରଶାସନ ନ ଶୁଣିବାରୁ ନିଜେ କାଠପୋଲ ତିଆରି କଲେ ଗ୍ରାମବାସୀ। ଏହି ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡ଼ା ବ୍ଲକ ଅଧିନସ୍ଥ ତେଲେଙ୍ଗାପଦର ଗ୍ରାମ ପଞ୍ଚାୟତ ର କର୍ଡାପଙ୍ଗା , ଢେପାଗୁଡି ଓ ପାତାରାଡି ଏଭଳି ଅନେକ ଗାଁ ଗୁଡିକୁ ସଂଯୋଗ ହୋଇଥିବା ରାସ୍ତା ନିର୍ମାଣ ଫେଲ୍ ମାରିଥିବା ଦେଖିବାକୁ ମିଳୁଛି।

    ଏହିଭଳି କାର୍ଯ୍ୟକାରୀ ଠିକାଦାର ମାନଙ୍କ ମଧୁଚନ୍ଦ୍ରିକା ଥିବା ରୁ ଆଜି ପର୍ଯ୍ୟନ୍ତ କୌଣସି ରାସ୍ତା ନିର୍ମାଣ କିମ୍ବା ମରାମତି ପାରିଲା ନାହିଁ ଯାହାରି ଫଳରେ ଅଞ୍ଚଳ ବାସୀ ନାହିଁ ନଥିବା ଦୁର୍ଦ୍ଦଶାରୁ ଅସୁବିଧା ସମୁଖୀନ ହେଉଥିବା ଅଭିଯୋଗ ହେଇଛି। ସରକାରଙ୍କ ମାଳ ମାଳ ଯୋଜନା ଲୋକ ଙ୍କ ପାଇଁ ନା ଠିକାଦାର ପ୍ରଶାସନ ପାଇଁ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହି ଦିଗରେ ଏହି ଅଞ୍ଚଳରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ସଠିକ୍ ଭାବରେ ହେଇନଥିବା ମଧ୍ୟ ଅଭିଯୋଗ ହେଉଛି।

    ଏଣୁ ବାଧ୍ୟ ହୋଇ ଗ୍ରାମ ବାସୀ ଏକ ତ୍ରୀତ ହୋଇ କାଠ ପୋଲ ନିର୍ମାଣ କରୁଥିବା ଦେଖିବାକୁ ମିଳୁଛି। ଏହି ଦୃଶ୍ୟ ରାୟଗଡ଼ା ଜିଲ୍ଲା ର କାର୍ଡାପଙ୍ଗା ଗ୍ରାମ କୁ ଯିବା ରାସ୍ତା। ଏହି କ୍ଷେତ୍ରରେ ଫୁଲବାଣୀ ଜିଲ୍ଲା କୋଟଗଡ଼ ବ୍ଳକ ଦୁର୍ଗାପଙ୍ଗା ଗ୍ରାମ ପଞ୍ଚାୟତ ଏନ୍ ହେଚ ରାସ୍ତା ଠାରୁ ପ୍ରାୟ ୧ କିମି ଦୂରରେ ଏହି ନାଳ । ସେହିପରି ଏନ୍ ହେଚ ରାସ୍ତା ଦୁର୍ଗାପଙ୍ଗା ଗ୍ରାମ ପଞ୍ଚାୟତ ଠାରୁ ପ୍ରାୟ ୭ ଖଣ୍ଡ ଗ୍ରାମ କୁ ସଂଯୋଗ ହୋଇଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ସମସ୍ତ ଗାଁ ଲୋକେ ଏକତ୍ର ହୋଇ ନିଜ ନିଜ ପଇସା ଚାନ୍ଦା ଆଦାୟ କରି ଟ୍ରାକ୍ଟର ସାହାଯ୍ୟ ରେ ବଡ଼ ବଡ଼ କାଠ କୁ ଟାଣି ପୋଲ ନିର୍ମାଣ ନିମନ୍ତେ ଅର୍ଥ ବ୍ୟୟ କରିଥିବା ମଧ୍ୟ କହିଛନ୍ତି।

    ଏହି ରାସ୍ତା ନିର୍ମାଣ କରିବା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ, ଜିଲ୍ଲା ପର୍ଯ୍ୟନ୍ତ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କୋୖଣସି ପ୍ରଶାସନ କର୍ମଚାରୀ କିମ୍ବା ରାଜନେତା ମାନେ ମଧ୍ୟ ପ୍ରତିଶ୍ରୁତି ଦେଇ ଏହି ପର୍ଯ୍ୟନ୍ତ କୌଣସି ପ୍ରକାରେ କାମରେ କର୍ଣ୍ଣପାତ ନ କରିଥିବା ଅଭିଯୋଗ ହେଇଛି।

  • ଗାଁକୁ କାମ ମାଁ କୁ ସମ୍ମାନ କେବଳ ପ୍ରହସନ

    ଗାଁକୁ କାମ ମାଁ କୁ ସମ୍ମାନ କେବଳ ପ୍ରହସନ

    ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ । ଗାଁକୁ ରାସ୍ତା ନଥିବାରୁ ଆସିପାରିଲା ନାହିଁ ଆମ୍ବୁଲାନସ୍ । ଦୀର୍ଘ ୧ କିଲୋମିଟର ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହ ଆଶାକର୍ମୀ ଗର୍ଭବତୀଙ୍କୁ ବୋହିଥିଲେ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଶାମୁକାନାଣ୍ଡି ପଞ୍ଚାୟତ ପଠାନଡିହି ଗାଁରେ । ଗାଁର ବିଗୁରୁ ବିରୁଆଙ୍କ ସ୍ତ୍ରୀ ସବିତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ସେମାନେ ଆଶାକର୍ମୀଙ୍କୁ ଖବର ଦେଇଥିଲେ । ଆଶାକର୍ମୀ ଆମ୍ବୁଲାନସକୁ ଜଣାଇବା ପରେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନସ୍ କୁମପଦା ଗାଁରେ ଅଟକି ରହିଥିଲା । କୌଣସି ଉପାୟ ନପାଇଁ ପରିବାର ସଦସ୍ୟଙ୍କ ସହ ଆଶାକର୍ମୀ ବନ୍ଦିତା, ଖଟିଆର ଗୋଟିଏ ପାର୍ଶ୍ଵ ଧରି ଗର୍ଭବତୀଙ୍କୁ ଭରାନାଳ ପାର୍ କରି ୧ କିଲୋମିଟର ଦୂରରେ ଥିବା ଆମ୍ବୁଲାନସ୍ ପାଖକୁ ନେଇଥିଲେ ।

    ଗର୍ଭବତୀଙ୍କୁ କେଶଦୁରାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସବିତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ପ୍ରସବ ପରେ ଉଭୟ ମା ଓ ଛୁଆ ସୁସ୍ଥ ଥିବା କହିଛନ୍ତି ଆଶାକର୍ମୀ ।

  • ବିଷଧର ସାପଙ୍କ ଆଡ୍ଡାସ୍ଥଳୀ ଅଙ୍ଗନବାଡ଼ି କେନ୍ଦ୍ର

    ବିଷଧର ସାପଙ୍କ ଆଡ୍ଡାସ୍ଥଳୀ ଅଙ୍ଗନବାଡ଼ି କେନ୍ଦ୍ର

    ସଦ୍ୟ ନିର୍ମାଣ ହୋଇଥିବା ଅଙ୍ଗନବାଡି କେନ୍ଦ୍ରର କନଷ୍ଟ୍ରକସନ କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ । ଅଙ୍ଗନବାଡି କେନ୍ଦ୍ରରୁ ବାହରୁଛି ବିଷଧର ସାପ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । କାରଣ ତାଙ୍କର କୁନି କୁନି ପିଲାମାନଙ୍କୁ ଭରସା କରି ଅଙ୍ଗନଓ୍ବାଡି ପଠାଇ ଦେଉଛନ୍ତି । ହେଲେ ଅଙ୍ଗନଓ୍ବାଡିରେ ରହୁଥିବା ସାପ କେତେବେଳେ କଣ ଅଘଟଣ ଘଟାଇବ ତାହା କହିବା ଅନିଶ୍ଚିତ । ଅଭିଯୋଗ ହେଉଉଛି ନିମ୍ନ ନାମର କାର୍ଯ୍ୟ ପାଇଁ ଅଳ୍ପ ଦିନରେ ଅଙ୍ଗନଓ୍ବାଡିର ଚଟାଣ ଫାଟି ଆଁ କରିବା ସହିତ କାନ୍ଥ ଗୁଡିକ ମଧ୍ୟ ଜରାଜୀର୍ଣ୍ଣ ହୋଇଗଲାଣି । ତେଣୁ ଏହାର ସୁଯୋଗ ନେଇ ସାପ ମାନେ ତା ଭିତରେ ବସା ବାନ୍ଧିବା ଆରମ୍ଭ କଲେଣି ।

    ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସିଙ୍ଗାରପଲ୍ଲି ପଞ୍ଚାୟତର ନୂଆ କରି ତିଆରି ହୋଇଥିବା ଯୋଡାସାହି ଅଙ୍ଗନୱାଡ଼ି କେନ୍ଦ୍ରରୁ ଆସିଛି ଏହି ଦୃଶ୍ୟ । ଅଙ୍ଗନୱାଡ଼ିର ଚଟାଣ ଖୋଳି ହୋଇଯାଇଥିବା ବେଳେ ମିସ୍ତ୍ରୀ ତାର ମରାମତି କରିବାକୁ ଆସିଥିଲେ । ଏହି ସମୟରେ ଖୋଳା ଚଟାଣ ଭିତରେ ଦୁଇଟି ବିଷଧର ସାପ ଦେଖିବାକୁ ପାଇଥିଲେ । ସାପ ଦେଖ କାର୍ଯ୍ୟରତ ଶ୍ରମିକ ମାନେ ଭୟଭୀତ ହୋଇଯାଇଥିଲ । ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ଭିତ୍ତିପ୍ରସ୍ତର ଠାରୁ ଆରମ୍ଭ କରି ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ପାଇଁ ପାଣି ଭଳି ଟଙ୍କା ବୁହାଉଛନ୍ତି । ହେଲେ ସ୍ଥାନୀ ପ୍ରଶାସନିକ ଉଦାସୀନତା ସହିତ ନେତା ଆଉ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏପରି ନିମ୍ନ ମାନର କାର୍ଯ୍ୟ ଦେଖିବାକୁ ମିଳୁଛି । ଯାହକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି ।

  • ସିକିମରେ ଓଡ଼ିଆ ଛାତ୍ରଙ୍କ ମିଳୁନି ପତ୍ତା

    ସିକିମରେ ଓଡ଼ିଆ ଛାତ୍ରଙ୍କ ମିଳୁନି ପତ୍ତା

    ସିକିମ୍‌ ବନ୍ୟାରେ ଓଡ଼ିଶାର ୭ଜଣ ଇଂଜିନିୟରିଂ ଛାତ୍ର ନିଖୋଜ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟ‌‌ରେ ଢେଙ୍କାନାଳର ୩ଜଣ ଥିବା ବେଳେ ଚୌଦ୍ବାର ଓ ଭୁବନେଶ୍ବରରୁ ୨ଜଣ ଲେଖାଏଁ ଛାତ୍ର ଥିବା ଜଣାଯାଇଛି। ସୂଚନାନୁସାରେ, ଏହି ୭ଜଣ ଯାକ ଗତ ସୋମବାର ଦିନ ସିକିମ୍‌ ଓ ଗ୍ୟାଙ୍ଗଟକ୍‌ ବୁଲିବାକୁ ଯାଇଥିଲେ। କିନ୍ତୁ ସେଠାରେ ଅଚାନକ ପ୍ରଳୟଙ୍କରୀ ବନ୍ୟାରେ ସେମାନେ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ସଂପର୍କରେ ପରିବାରଲୋକଙ୍କୁ କୌଣସି ଖୋଜ୍‌ ଖବର ମିଳିପାରୁନାହିଁ। ଢେଙ୍କାନାଳ ଜିଲ୍ଲାର ନିଖୋଜ ଛାତ୍ରମାନେ ହେଲେ, ସଦର ଥାନା ଅନ୍ତର୍ଗତ ଅଙ୍କରାନ୍ତିପୁର ଗ୍ରାମର ପ୍ରମୋଦିନୀ ଜେନା ଓ ନିର୍ମଳ ଜେନା ଏବଂ ସିମିନଇ ଗ୍ରାମର ଅକ୍ଷୟ କୁମାର ସିଂହଙ୍କ ପୁଅ ଚନ୍ଦ୍ରଶେଖର ସିଂହ। ଚନ୍ଦ୍ରଶେଖର ଗତ ସୋମବାର ରାତିରେ ଶେଷଥର ଲାଗି ପରିବାର ସହ ଫୋନ୍‌ରେ କଥା ହୋଇଥିଲେ। କିନ୍ତୁ ତା’ ପରଠାରୁ ଆଉ ତାଙ୍କର ଫୋନ୍‌ ଲାଗୁନାହିଁ।

  • ନଭେମ୍ବରରେ କମିବ ପେଟ୍ରୋଲ ଦର

    ନଭେମ୍ବରରେ କମିବ ପେଟ୍ରୋଲ ଦର

    ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହଠାତ୍‌ ହ୍ରାସ ଘଟିଛି। ଏମିତିକି ଅକ୍ଟୋବର ମାସରେ, ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟରେ ୧୧ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ଅନ୍ୟପକ୍ଷରେ ଆମେରିକୀୟ ଡବ୍ଲ୍ୟୁଟିଆଇର କ୍ରୁଡ୍‌ ମୂଲ୍ୟରେ ମଧ୍ୟ ପ୍ରାୟ ୯ ପ୍ରତିଶତ ହ୍ରାସ ହୋଇଛି। ଅଶୋଧିତ ତୈଳ ମୂଲ୍ୟରେ ଏହି ହ୍ରାସ ଧାରା ଆଗକୁ ଜାରି ରହିବାର ବେଶ ସମ୍ଭାବନା ରହିଛି। ଅକ୍ଟୋବର ମାସରେ ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୭୫ ଡଲାରରେ ପହଞ୍ଚିପାରେ। ଏହାର ପ୍ରଭାବରେ ନଭେମ୍ବର ମାସରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିପାରେ। ବିଶେଷଜ୍ଞଙ୍କ ଅନୁଯାୟୀ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ହେତୁ ପେଟ୍ରୋଲ ମୂଲ୍ୟ ୭ ଟଙ୍କା କମିପାରେ। ଯାହାଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୦ ଟଙ୍କା ସ୍ତରକୁ ଆସିଯିବ। ଅକ୍ଟୋବର ମାସରେ ଉପସାଗରୀୟ ରାଷ୍ଟ୍ରଗୁଡିକରେ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ୧୧ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ସେପ୍ଟେମ୍ବର ୨୯ରେ, ବ୍ରେଣ୍ଟ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୯୫.୩୧ ଡଲାର ଥିଲା। ଯାହା ବର୍ତ୍ତମାନ ବ୍ୟାରେଲ ପିଛା ୮୪.୪୮ ଡଲାର ରହିଛି। ଗତ ଦୁଇ ଦିନ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟରେ ୬ ପ୍ରତିଶତ ହ୍ରାସ ଘଟିଛି। ଅନ୍ୟପକ୍ଷରେ ଆମେରିକାର ତୈଳ ମୂଲ୍ୟରେ ମଧ୍ୟ ୮ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨୯ରେ ଡବ୍ଲ୍ୟୁଟିଆଇ ମୂଲ୍ୟ ବ୍ୟାରେଲ ପିଛା ୯୦.୭୯ ଡଲାର ଥିଲା, ଯାହା ବର୍ତ୍ତମାନ ବ୍ୟାରେଲ ପିଛା ୮୨.୭୯ ଡଲାରରେ କାରବାର କରୁଛି।

  • ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବଢୁଛି ଜଳକାର ଜଳସ୍ତର

    ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବଢୁଛି ଜଳକାର ଜଳସ୍ତର

    ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ନଦୀର ମଥାନୀଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳସ୍ତର। ମଙ୍ଗଳବାର ରାତିଠୁ ଲାଗିରହିଛି ବର୍ଷା । ମୁଣ୍ଡରେ ବର୍ଷା ଯୋଗୁଂ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ଯା ଆଶଙ୍କା ସୃଷ୍ଟି ହେଲାଣି। ନଦୀକୂଳିଆ ବାସିନ୍ଦାଙ୍କ ଭିତରେ ଦେଖାଦେଲାଣି ଭୟର ବାତାବରଣ। ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର। ବର୍ତ୍ତମାନ ଧାନ ରୁଆ କାମ ଚାଲିଥିବାରୁ ଯଦି ବନ୍ୟା ହୁଏ ତାହାହେଲେ ଚାଷୀର ସବୁ ପରିଶ୍ରମ ବନ୍ୟାରେ ବୋହିଯିବା ଓ ତଳି ପଚିଯିବା ଅଶଙ୍କାରେ ବସ୍ତା ବ୍ଲକ ୭ଟି ପଞ୍ଚାୟତ ଓ ବାଲିଆପାଳ ବ୍ଲକ ୨୮ ପଞ୍ଚାୟତ, ସଦର‌ ବ୍ଲକର ୨ ଟି ପଞ୍ଚାୟତର ଚାଷୀ। ସେପଟେ ବନ୍ୟା ପାଣି ବିଭିନ୍ନ ତଳିଆ ଅଞ୍ଚଳରେ ଭରିବାରେ ଲାଗିଲାଣି। ଲୋକେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇଗଲାଣି। ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ୨ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଯାହା ଲୋକଙ୍କୁ ଆତଙ୍କିତ କରିଦେଇଛି।

  • ସୁଲତାଙ୍କୁ ପଦଚ୍ୟୁତ କରିବା ପରେ ବିଜେଡିର ମହିଳା ସଶକ୍ତିକରଣ ଉପରେ ଉଠିଲା ପ୍ରଶ୍ନ

    ସୁଲତାଙ୍କୁ ପଦଚ୍ୟୁତ କରିବା ପରେ ବିଜେଡିର ମହିଳା ସଶକ୍ତିକରଣ ଉପରେ ଉଠିଲା ପ୍ରଶ୍ନ

    ମହିଳା ସଶକ୍ତିକରଣ ଓ ନାରୀ ପ୍ରଗତିର ନାରା ଦେଇ ରାଜ୍ୟରେ ନବୀନ ପଟ୍ଟନାୟକ ଲଗାତର ପାଞ୍ଚ ପାଞ୍ଚ ଥର ଶାସନ ଗାଦିକୁ ଆସିଛନ୍ତି। ନିକଟରେ ରାଜ୍ୟ ବିଧାନସଭା ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକଙ୍କୁ ଚୟନ କରି ସରକାର ମହିଳାଙ୍କୁ ପ୍ରାଧାନ୍ୟ ଦେଉଥିବା କହି ପିଠି ଥାପୁଡାଉଛନ୍ତି। କିନ୍ତୁ ବିଜେଡିର ରାଜ୍ୟସଭା ମୁଖ୍ୟ ସଚେତକ ପଦରୁ ସୁଲତା ଦେଓଙ୍କୁ ବିଦା କରିବା ପରେ ବିଜେଡି ନାରୀ ବିରୋଧୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି। ଏହି ପଦକ୍ଷେପକୁ ଲୋକେ ନିକଟରେ ବିଜେଡି ପକ୍ଷରୁ ଆୟୋଜିତ ଜନସମ୍ପର୍କ ପଦଯାତ୍ରା ସହ ଯୋଡିଛନ୍ତି। ପଦଯାତ୍ରା କାଳରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇ ସୁଲତା ବିଜେଡି ଉତ୍ତରୀୟ ପକାଇବାକୁ ନେଇ ନବୀନ ଓ ତୃତୀୟ ମହଲା ଖପ୍ପା ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ତାଙ୍କୁ ମୁଖ୍ୟ ସଚେତକ ପଦରୁ ହଟାଇ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ସେହି ଦାୟିତ୍ବ ଦିଆଯାଇଛି ବୋଲି କୁହାଯାଉଛି। ଶୁଣିବାକୁ ମିଳିଛି, ସେଦିନ ନବୀନ ବସିଥିବା ମଞ୍ଚ ଉପରକୁ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ପ୍ରଥମେ ଆସି ଶଙ୍ଖ ବ୍ୟାଚ ପିନ୍ଧାଇବାକୁ ଚାହିଁ ଥିଲେ। କିନ୍ତୁ ନବୀନ ଏହାକୁ ବାରଣ କରିବା ସହ ବିରକ୍ତି ପ୍ରକାଶ କରିଥିଲେ। ହେଲେ ତାଙ୍କ ବିରକ୍ତିକୁ ବେଖାତିର କରି ଶ୍ରୀମୟୀ ନିଜ କାମ ଜାରି ରଖିଥିଲେ। ଏହା ପରେ ସୁଲତା ନିଜକୁ ଯେମିତି ସମ୍ଭାଳି ପାରି ନ ଥିଲେ। ହାତରେ ଶଙ୍ଖ ଉତ୍ତରୀୟ ଧରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚି ଯାଇଥିଲେ। ଏଥିସହ ଉତ୍ତରୀୟ ନବୀନଙ୍କ ବେକରେ ପକାଇସାରି ସଗର୍ବରେ ଫଟୋ ପୋଜ ଦେଇଥିଲେ। ହେଲେ ସେତେବେଳକୁ ମୁଖ୍ୟମନ୍ତ୍ରୀଙ୍କ ମୁହଁର ଭାବରେ ଆସିଥିଲା ବ୍ୟାପକ ପରିବର୍ତ୍ତନ। ମୁହଁ ବିକୃତ କରିବା ସହ ଅଙ୍ଗରକ୍ଷୀଙ୍କୁ ସେସବୁ ବାହାର କରିବାକୁ ଠାରିଥିଲେ। ସେମାନେ ନିର୍ଦ୍ଦେଶ ପାଳନ କରିବା ପୂର୍ବରୁ ହିଁ ବିରକ୍ତିର ସହ ଉତ୍ତରୀୟକୁ ଟାଣି ଓଟାରି ବାହାର କରିଦେଲେ ବିଜେଡି ସୁପ୍ରିମୋ। ସବୁ କିଛି ଥିଲା ଅନ କ୍ୟାମେରା। ଆଉ ରାଜ୍ୟ ବ୍ୟାପୀ ଦେଖିଥିଲେ ଶଙ୍ଖପତିଙ୍କ ବ୍ୟବହାର ଓ ଦୁଇ ନେତ୍ରୀଙ୍କ ଆସ୍ପର୍ଦ୍ଧା । ଆହୁରି ଶୁଣିବାକୁ ମିଳିଛି କି, ୩ ତାରିଖରେ ଉଭୟଙ୍କୁ ଫୋନରେ ଅଧିକାରୀଙ୍କ ପକ୍ଷରୁ କରାଯାଇଥିଲା ବହେ ଟ୍ୟୁସନ। ଏଥିରେ ମନ ଭରିଲାନି ବୋଧେ ସଙ୍ଗେ ସଙ୍ଗେ ବିଜେଡି ରାଜ୍ୟ ସଭା ମୁଖ୍ୟ ସଚେତକ ପଦରୁ ସୁଲତାଙ୍କୁ କରାଗଲା ବିଦା। ତେବେ ଏପରି ପଦକ୍ଷେପକୁ ନେଇ ବିଜେଡି ତଥା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିରୋଧୀଦଳିଆ ଏକ ପ୍ରତିକୂଳ ମାହୋଲ ସୃଷ୍ଟିକରିବାରେ ଲାଗିଛନ୍ତି। ମହିଳା ସଶକ୍ତିକରଣର ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ତଥା ତାଙ୍କ ଦଳ ଜଣେ ମହିଳା ପ୍ରତି ସାମାନ୍ୟତମ ବ୍ୟତିକ୍ରମରେ ପ୍ରତିଶୋଧପରାୟଣ ହୋଇପାରୁଛି ତାକୁ ଚାଲିଛି ଟିକ୍କା ଟିପ୍ଣୀ। ଏହି ଘଟଣା ସହ ମୟୂରଭଞ୍ଜର ଆଦିବାସୀ ମହିଳା ତଥା ସ୍ବୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ମିତ୍ର ଭାରତୀ ସିଂଙ୍କୁ ଯୋଡୁଛନ୍ତି।