Category: ରାଜ୍ୟ ଖବର

  • ଗାଡ଼ି ଭଡାରେ ନେଲେ, ପରେ ମିଳିଲା ଗାଡି ମାଲିକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ

    ଗାଡ଼ି ଭଡାରେ ନେଲେ, ପରେ ମିଳିଲା ଗାଡି ମାଲିକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ

    ବାଦାମ ପାହାଡ଼ ଥାନା ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟ ଦେହ ଉଦ୍ଧାର କରିଛି ପଶ୍ଚିମବଙ୍ଗ ପୋଲିସ । ସମ୍ପୃକ୍ତ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ, ମୟୁରଭଞ୍ଜ ଜିଲ୍ଲା ବାଦାମ ପାହାଡ଼ ଥାନା ଦେଓଗାଁର ଏସ୍ କେ ଆଫରଜଙ୍କ ବୋଲେରୋ ଗାଡିକୁ ସୋମବାର ନିଜ ଗାଁର ପପୁ ଓ ତାଙ୍କ ସାଙ୍ଗ ମିଶି ଜାମସେଦପୁର ଯିବେ କହି ଭଡ଼ାରେ ନେଇଥିଲେ । ପରେ ଗାଡ଼ି ଭଡ଼ା ନେଇଥିବା ପପୁ ଓ ଅନ୍ୟ ଯୁବକ କୌଣସି ମାମଲାକୁ ନେଇ ଷଢେ଼ଇକଳା କୋର୍ଟକୁ ଯାଇଥିଲେ । ପରେ ଆଫ୍ରଜ ଗାଡ଼ି ନେଇ ଜାମସେଦପୁରକୁ ଯାଇଥିଲେ ବୋଲି ଘର ଲକୋକଙ୍କୁ ଫୋନ୍ ଯୋଗେ ଜଣାଇଥିଲେ । ପରବର୍ତ୍ତୀ ସମୟରେ ଆଫ୍ରଜର ମୋବାଇଲ୍ ସୁଇଜ୍ ଅଫ୍ ହୋଇ ଯାଇଥିଲା । ତେବେ ମଙ୍ଗଳବାର ସକାଳ ସମୟରେ ପଶ୍ଚିମବଙ୍ଗର ପୋଲିସ ବାଗମୁଡି ଥାନା ଠାରୁ ୫ କି.ମି ଦୂର ଲୋୟର ଡେମ୍ ନିକଟ ରାସ୍ତା ତଳକୁ ଖସିପଡିଥିବା ବୋଲେରୋ ସମେତ ଆଫ୍ରଜର ମୃତ୍ୟଦେହ ଉଦ୍ଧାର କରିଥିଲା। ତେବେ ଘଟଣାର ପାରିପାର୍ଶ୍ବିକ ସ୍ଥିତିରୁ ଆଫ୍ରଜକୁ ଯୋଜନାବଦ୍ଧ ହତ୍ୟା କରାଯାଇଛି ବୋଲି ଅନୁମାନ କରାଯାଉଅଛି ।

    ଘଟଣାସ୍ଥଳରେ ମୃତ୍ୟକର ମୋବାଇଲ୍ ଫୋନ୍ ମଧ୍ୟ ମିଳିପାରି ନାହିଁ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ପରେ ମୃତ୍ୟ ଦେହକୁ ବାଗମୁଡି ପୋଲିସ ପୁରୁଲିଆ ମୂଖ୍ୟ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇ ବୁଧବାର ଘର ଲୋକଙ୍କୁ ହସ୍ତାନ୍ତର କରିଥିବା ବାଗମୁଡି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ବାଦାମ ପାହାଡ଼ ଥାନା ଅଧିକାରୀ ଅମ୍ବିକା ଦାସ୍ ଦେଓଗାଁରେ ପହଞ୍ଚି ମୃତ୍ୟକଙ୍କ ପରିବାରକୁ ପଚରାଉଚରା କରି ଘଟଣାର ଅଧିକ ତଦନ୍ତ ଚଳାଇଛନ୍ତି । ତେବେ ଗାଡ଼ି ଭଡ଼ା ନେଇଥିବା ପପୁ ଓ ତାଙ୍କ ସାଥୀର କୌଣସି ପତ୍ତା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ତେଣୁ ଆଫ୍ରଜ୍ କୁ ଯୋଜନାବଦ୍ଧ ହତ୍ୟା କରାଯାଇଛି ବୋଲି ପରିବାର ଅଭିଯୋଗ କରିଛନ୍ତି l

  • ବିଜେଡିର ବିଶାଳ ଜନ ସଂପର୍କ ପଦଯାତ୍ରା

    ବିଜେଡିର ବିଶାଳ ଜନ ସଂପର୍କ ପଦଯାତ୍ରା

    ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର କିଶୋର ନଗର ବ୍ଲକ ରେ ଜିଜେଡି ର ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଠମଲ୍ଲିକ ମା ମାହେଶ୍ୱରୀ ମାଟିର ପୁଅ ତଥା ବର୍ତମାନର ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ନେତୃତ୍ଵରେ କିଶୋର ନଗର ବ୍ଲକର ଦୋହଲି ଛକ ଠାରେ ଏକତ୍ର ହୋଇ ଅସଂଖ୍ୟ ବିଜୁ ଜନତା ଦଳର ନେତା ଓ କାର୍ମକର୍ତ୍ତା ।

    ବିକାଶର ବାର୍ତ୍ତା ନେଇ ଶ୍ଲୋଗାନ ଦେଇ ଦୋହଲି ଛକ ଠାରୁ ଶୋଭାଯାତ୍ରାରେ ବାହାରିଥିଲେ ବିଜେଡିର ନେତା ଓ କ୍ରମିମାନେ । ଦୋହଲି, ବଣିଆ ଦୋହଲି, ଭିମିପୁର୍ ହୋଇ କଦଳୀ ମୁଣ୍ଡା ବାଟେ ନଗର ପରିକ୍ରମା କରିବା ପରେ କଦଳୀ ମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ଏଥିରେ ଜିଲ୍ଲା ମହିଳା ସଭାନେତ୍ରୀ ବିଦ୍ୟୁତଲତା ପ୍ରଧାନ, କିଶୋର ନଗର ବ୍ଲକ ବିଧାୟକଙ୍କ ପ୍ରତିନିଧି କାଳନ୍ଦି ଚରଣ ପ୍ରଧାନଙ୍କ ସମେତ ଏସଂଖ୍ୟ ଜନସାଧାରଣ ଏଥିରେ ଯୋଗ ଦେଇଥିଲେ ।

  • ପୌରପାଳିକା ପକ୍ଷରୁ ଗୀତାଞ୍ଜଳି ସ୍ଵିଟ ଓ ସ୍ନାକ୍ସ୍ ସିଲ୍

    ପୌରପାଳିକା ପକ୍ଷରୁ ଗୀତାଞ୍ଜଳି ସ୍ଵିଟ ଓ ସ୍ନାକ୍ସ୍ ସିଲ୍

    କେନ୍ଦୁଝର ସହରର ଜାମୁହୋତା ସ୍ଥିତ ପ୍ରସିଦ୍ଧ ଗୀତାଞ୍ଜଳି ସ୍ଵିଟ ଓ ସ୍ନାକ୍ସ୍ ସିଲ କରାଯାଇଛି । କେନ୍ଦୁଝରଗଡ ପୌରପାଳିକା ପକ୍ଷରୁ ଏହି ସିଲ କରାଯାଇଥିବା ଜଣାପଡ଼ିଛି । ଜାମୁହୋତା ସ୍ଥିତ ଆଉଟଲେଟ ଓ ପ୍ରସ୍ତୁତ ୟୁନିଟକୁ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା, ଖାଦ୍ୟ ପ୍ରସ୍ତୁତ ହେଉଥିବା ସ୍ଥାନ ପରିଷ୍କାର ପରିଚଛନ୍ନତା ନଥିବା ଯୋଗୁଁ ଏହି ସିଲ୍ ହୋଇଥିବା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ମଧୁସ୍ମିତା ସାମନ୍ତରାଏ ପ୍ରକାଶ କରିଛନ୍ତି । ପରିଷ୍କାର ପରିଚ୍ଛନ୍ନ ନେଇ ଅଭିଯୋଗ ପରେ ଆଜି ପୌରପାଳିକା ଅଧିକାରୀ ଟାଉନ ପୋଲିସ ସହଯୋଗରେ ନିଜେ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ଏହାପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସହ ଗୀତାଞ୍ଜଳି ସ୍ଵିଟ ଓ ସ୍ନାକ୍ସ୍ ମାଲିକଙ୍କୁ ସମସ୍ତ କାଗଜପତ୍ର ପୌରପାଳିକାରେ ଜମା କରିବା ପାଇଁ କୁହାଯାଇଛି । ଏନେଇ ଗୀତାଞ୍ଜଳି ମାଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ପରବର୍ତୀ ଯାଞ୍ଚ ସରିବା ପର୍ଯ୍ୟନ୍ତ ଉକ୍ତ ୟୁନିଟ ସିଲ୍ ରହିବ ବୋଲି ପୌରପାଳକା ପକ୍ଷରୁ କୁହାଯାଇଛି ।

  • ଆଜିଠୁ ଗଡ଼ିବ ‘ଲକ୍ଷ୍ମୀ’ ବସ୍‌

    ଆଜିଠୁ ଗଡ଼ିବ ‘ଲକ୍ଷ୍ମୀ’ ବସ୍‌

    ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଅଧିକ ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଏକ ଐତିହାସିକ ପଦକ୍ଷେପ, ଗୁରୁବାର ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ବଣ୍ଡାଘାଟିରୁ (ଲୋକେସନ୍‌‌ ଏକ୍ସସିବୁଲ ମଲ୍ଟିମୋଡାଲ ଇନିସେଟିଭ୍‌‌) LAccMI ‘ଲକ୍ଷ୍ମୀ’ ଯୋଜନାରେ ବସ୍‌‌ ଚଳାଚଳ ସେବାର ଶୁଭାରମ୍ଭ କରିବେ। ଏହି ବସ୍‌‌ଗୁଡ଼ିକ ପଞ୍ଚାୟତରୁ ବ୍ଲକ ଓ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଗମନାଗମନ କରିବାର ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ସକାଳ ପ୍ରାୟ ୧୧ଟାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର୍‌ ଯୋଗେ ଜିଲ୍ଲା ସଦର ଷ୍ଟାଡିୟମ୍‌ ନିକଟ ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚିବେ। ପରେ ସେଠାରେ ଆୟୋଜିତ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପତାକା ଦେଖାଇ ବସ୍‌ ସେବାକୁ ଶୁଭାରମ୍ଭ କରିବେ। ଏହାସହ ବସ୍‌ଯୋଗେ ଏମ୍‌ଭି ୩କୁ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

    ଏହି ଯୋଜନାର ଶୁଭାରମ୍ଭ ହେଲେ ଅନେକ ଗାଁ ଓ ପଞ୍ଚାୟତକୁ ଜିଲ୍ଲା ସଦର ମହକୁମାରୁ ସିଧାସଳଖ ଉନ୍ନତମାନର ବସ୍‌ ସେବା ମିଳି ପାରିବ। ଯେଉଁ ଗ୍ରାମଗୁଡ଼ିକୁ ବ୍ଲକ୍‌ ସଦରରୁ ବସ୍‌ ସେବା ନଥିଲା, ସେହି ଗ୍ରାମଗୁଡ଼ିକୁ ଲୋକେ ଅତି ଆରାମରେ ଯାତାୟତ କରି ପାରିବେ। ଅନେକ ଗ୍ରାମରେ ବସ ସେବା ନଥିବା ବେଳେ ଲୋକେ ଅନେକ ଦୂର ଚାଲି ଚାଲି କିମ୍ବା ଅନ୍ୟ ଗାଡିରେ ଅଧିକ ଭଡ଼ା ଦେଇ ଆସିବାକୁ ପଡ଼ୁଥିଲା। ସେହି ଗ୍ରାମବାସୀଙ୍କ ପାଇଁ ବର୍ତ୍ତମାନ ବ୍ଲକ ସଦରର ଦୂରତା କମିବା ସହ ସ୍ୱଳ୍ପ ଭଡ଼ାରେ ଉତ୍ତମ ସରକାରୀ ବସ୍‌ ସେବାର ସୁଯୋଗ ମିଳିବ।

    ଏହି ଯୋଜନା ପାଇଁ ବଜେଟ୍‌‌ରେ ସରକାର ୩ ହଜାର ୧୭୮ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ସେହିଭଳି ଗତ ମାସ ୧୫ ତାରିଖରେ ରାଜ୍ୟ କ୍ୟାବିନେଟ୍‌‌ ବୈଠକରେ ଲକ୍ଷ୍ମୀ ଯୋଜନା ପାଇଁ ୩ ହଜାର ୧୭୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳର ୬ଟି ଜିଲ୍ଲା ମାଲକାନଗିରି, ନବରଙ୍ଗପୁର,କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳରେ ବସ୍‌‌ ଚଳାଚଳ କରିବ। ଏହି ବସ୍‌ ଯୋଜନାରେ ଛୋଟ ପିଲାଠାରୁ ଆରମ୍ଭ କରି ଚାଷୀ, ବ୍ୟବସାୟୀ, ମିଶନ୍ ଶକ୍ତି ମା’ମାନେ ଉପକୃତ ହେବେ। ସ୍କୁଲ କଲେଜର ପିଲାମାନେ ସେମାନଙ୍କ ଶିକ୍ଷାନୁଷ୍ଠାନକୁ ଯାଇପାରିବେ। ଚାଷୀ ତାର ଉତ୍ପାଦିତ ଦ୍ରଦ୍ୟକୁ ନେଇ ବଜାରରେ ବିକ୍ରିବଟା କରିପାରିବ। ବ୍ୟବସାୟୀମାନେ ସୁରୁଖୁରୁରେ ବ୍ୟବସାୟ କରିପାରିବେ। ରୋଗୀମାନେ ଡାକ୍ତରଖାନାରେ ସୁବିଧାରେ ପହଞ୍ଚିପାରିବେ।

  • ବିକାଶର ବାର୍ତା ଘରେ ଘରେ ପହଞ୍ଚାଇବା ଲକ୍ଷରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

    ବିକାଶର ବାର୍ତା ଘରେ ଘରେ ପହଞ୍ଚାଇବା ଲକ୍ଷରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

    ଘରେ ଘରେ ପହଂଚିବ ବିକାଶର ବାର୍ତ୍ତା। ଏହି ଉକ୍ତିର ସାର୍ଥକତା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ଦୁଇ ତାରିଖରୁ ଅକ୍ଟୋବର 11 ତାରିଖ ଯାଏଁ ସାରା ଓଡିଶାରେ ଜନ ସମ୍ପର୍କ ପଦଯାତ୍ରା ଜାରି ରହିଛି। ଏହି ପରିପେକ୍ଷୀରେ ପାଟକୁରା ବିଜେଡି ପକ୍ଷରୁ ଗରଦପୁର ବ୍ଲକରେ ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଯାଇଛି । ଗରଦପୁରରେ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲଙ୍କ ନେତୃତ୍ୱରେ କଳାବୁଦା ଛକରୁ ବିଶାଳ ବାଇକ ରାଲି ହେବ। ପରେ ଗରଦପୁର ବ୍ଲକ ଛକରୁ ଜନସମ୍ପର୍କ ପଦଯାତ୍ରା ବାହାରିଥିଲା। ବିଜୁ ଜନତା ଦଳର ନେତା,କର୍ମୀ ଓ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିକାଶର ବାର୍ତା ଘରେ ଘରେ ପହଞ୍ଚାଇ ଥିଲେ।ପାଖାପାଖି ଆଠ ହଜାରରୁ ଉର୍ଧ୍ଵ ମହିଳା ଓ ପୁରୁଷ ଏହି ପଦଯାତ୍ରାରେ ଯୋଗ ଦେଇଥିଲେ ।ପଟକୁରା ବିଜେଡିର 6 ଟି ଜୋନର ଜିଲ୍ଲା ପରିଷଦ ସଭ୍ୟ। ସମସ୍ତ ଦଳୀୟ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ରାଜ୍ୟ ବିଜେଡି ଯୁବ ସମ୍ପାଦକ ଦୀପକ ମହାପାତ୍ର, ଜିଲ୍ଲା ମହିଳା ବିଜେଡି ସଭାପତି ରୋଷ୍ନା ସାହୁ, ବରିଷ୍ଟ ନେତା ମନୀନ୍ଦ୍ର ରଥ, ଦେବାଶିଷ ଆଚାର୍ଯ୍ୟ, ରାଜ୍ୟ ବିଜେଡି ମହିଳା ସମ୍ପାଦିକା ମଞ୍ଜୁବାଳା ଜେନା ପ୍ରମୁଖ ଯୋଗ ଦେଇଥିଲେ. ସଂଜୟ ଅଗ୍ରୱାଲଙ୍କ ପ୍ରତି ବିପୁଳ ପରିମାଣ ପାଟକୁରା ବାସିଙ୍କ ସମର୍ଥନ ଦେଖିବାକୁ ମିଳିଛି ।

  • ୨୨ କୋଟି ୫୦ ହଜାର ଟଙ୍କାର ପ୍ରକଳ୍ପକୁ ଶୁଭଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

    ୨୨ କୋଟି ୫୦ ହଜାର ଟଙ୍କାର ପ୍ରକଳ୍ପକୁ ଶୁଭଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

    ଦିନକୁ ଦିନ ବଦଳୁଛି ଚନ୍ଦବାଲି ନିର୍ବାଚନ ମଣ୍ଡଳୀର ଚିତ୍ର। ରାଜ୍ୟ ସରକାରଙ୍କ ଅନୁଦାନରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ।୫ଟି ସଚିବ ଭି କେ ପଣ୍ଡିଆନଙ୍କ ଚନ୍ଦବାଲି ଗ୍ରସ୍ତ ସମୟରେ ଚନ୍ଦବାଲି ନିର୍ବାଚନ ମଣ୍ଡଳୀବାସୀ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଆହୁରି କିଛି ଦାବି ରଖିଥିଲେ ।ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଓଡ଼ିଶା ,ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଶୁଭ ଦେଇଛନ୍ତି । ଚନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪୫ଟି ପଞ୍ଚାୟତର ୬୯୮ଟି ପ୍ରକଳ୍ପ ପାଇଁ ୨୨କୋଟି ୫୦ ହଜାର ଟଙ୍କା ବ୍ୟୟବରାଦ ହୋଇଛି । ଚନ୍ଦବାଲିର ମା କାଳୀ ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ବ୍ୟାମକେଶ ରାୟ ,ଉପଜିଲ୍ଲାପାଳ ମନୋଜ ପାତ୍ର, ବିଡ଼ିଓ ଅସିତ ମହାନ୍ତି, ତହସିଲଦାର ସୁଶାନ୍ତ ସୁତାରଙ୍କ ସମେତ ବ୍ଲକର ସମସ୍ତ ସରକାରୀ କର୍ମଚାରୀ ,ସମାଜସେବୀ, ବିଭିନ୍ନ ପଞ୍ଚାୟତର ମହିଳା ମହାସଙ୍ଗର ସମ୍ପାଦିକା, ସଭାନେତ୍ରୀ, ଏମ ବି କେ , ସି ଆର ପି ପ୍ରମୁଖ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ଚନ୍ଦବାଲି ପ୍ରତି ରାଜ୍ୟ ସରକାରଙ୍କ ଏତେ ପରିମାଣର ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଚାନ୍ଦବାଲି ବାସୀ ।

  • ଭଦ୍ରକରେ ମାତିଛନ୍ତି କୋଇଲା ମାଫିଆ

    ଭଦ୍ରକରେ ମାତିଛନ୍ତି କୋଇଲା ମାଫିଆ

    କୋଇଲା ମାଫିଆଙ୍କ ଦୌରାତ୍ମ୍ଯରେ ଅତିଷ୍ଠ ହେଲେଣି ସାଧାରଣ ଜନତା। ଶେଷରେ ଏସପିଙ୍କ ହୋଇଛନ୍ତି ଦ୍ବାରସ୍ଥ। ଭଦ୍ରକ ବ୍ଲକ ଅନ୍ତର୍ଗତ ଜଗଦଲପୁର ପଞ୍ଚାୟତ ଅଧୀନ ଭଞ୍ଜ ସାହିରେ ଦେଖିବାକୁ ମିଳିଛି କୋଇଲା ମାଫିଆଙ୍କ ଆତଙ୍କ। ରାତି ୧୧ଟା ପରେ ଲୋକଙ୍କର ଘରୁ ବାହାରିବା ହୋଇପଡିଲାଣି ଅସମ୍ଭବ। କୋଇଲା ଚୋରାଚାଲାଣକାରୀ ଗାଁ ରାସ୍ତା ଦେଇ ୧୦ ଚକିଆ ୧୨ ଚକିଆ ଭାରିଯାନରେ କୋଇଲା ଚାଲାଣ କରିବା ସହ ଅନଲୋଡ କରୁଛନ୍ତି ଭଞ୍ଜସାହିରେ। ଭାରିଯାନର ଦ୍ରୁତ ଓ ଘନ ଘନ ଆତଯାତରେ ଲୋକେ ଘରୁ ବାହାରୁନାହାନ୍ତି ଭୟରେ। ଗାଡି ଚାପରେ ଅଞ୍ଚଳରେ କୁକୁରଙ୍କୁ ଦେଖିବାକୁ ମିଳୁନି। ଏହାକୁ ସ୍ଥାନୀୟ ଲୋକେ ବିରୋଧ କଲେ ମାରଣାସ୍ତ୍ର ଦେଖାଇ ଧମକ ଚମକ ଦିଆଯାଉଛି ବୋଲି ଅଭିଯୋଗ କରୁଛନ୍ତି ସ୍ଥାନୀୟ ବାସିନ୍ଦା। ଏନେଇ ଲୋକଙ୍କ ଅଭିଯୋଗ କ୍ରମେ ସ୍ଥାନୀୟ ସରପଞ୍ଚ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଛନ୍ତି ଓ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି। ଶୁଣନ୍ତୁ କଣ କହୁଛନ୍ତି ସରପଞ୍ଚ।

    ତେବେ ଏଭଳି ଘଟଣାକୁ ନେଇ ପୂର୍ବରୁ ଅନେକ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି ଏବଂ କିଛି ମାଫିଆ ଗିରଫ ହୋଇ କୋର୍ଟ ଚାଲାଣ ମଧ୍ୟ ହୋଇଛନ୍ତି । କିନ୍ତୁ ସବୁ ପରେ ବି କଣ ପାଇଁ ବନ୍ଦ ହୋଇପାରୁନି ଚୋରା କୋଇଲା କାରବାର? କିଏ ମାଫିଆଙ୍କୁ ଦେଉଛି ଅଭୟ? କାହିଁକି ପୋଲିସ କୋଇଲା ଚୋରା କାରବାର ଉପରେ ଲଗାଇ ପାରୁନି ରୋକ ? ଏପରି ଅନେକ ପ୍ରଶ୍ନ ସାଧାରଣରେ ସୃଷ୍ଟି ହେଉଛି ?ତେବେ ଏସପିଙ୍କ ଦୃଷ୍ଟି ଆକର୍ଷଣ ପରେ ଦେଖିବାକୁ ବାକି ରହିଲା କେବେ କୋଇଲା ମାଫିଆ ରାଜ ଭଦ୍ରକରୁ ହଟୁଛି?

  • ଓଡିଶା ବିକାଶରେ ବିଜେଡି ସାଜିଛି ବଡ ବାଧକ: ବିଜେପି

    ଓଡିଶା ବିକାଶରେ ବିଜେଡି ସାଜିଛି ବଡ ବାଧକ: ବିଜେପି

    ଅପାର ସମ୍ଭାବନା ଥିବା ଓଡିଶାରେ ଆଜି ବିକାଶ ବାଧାପ୍ରାପ୍ତ ହୋଇଛି । ଶିଳ୍ପ, କୃଷି, ଜଳସେଚନ କେଉଁଥିରେ ବି ବିକାଶ ହେଉନାହିଁ । ସ୍ୱାସ୍ଥ୍ୟ, ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟରେ ବିଜେଡି ସରକାରର ଅପାରଗତା କାରଣରୁ ପାଖାପାଖି ୧.୫ କୋଟି ଓଡିଆ ଆଜି ଅନ୍ୟତ୍ର ଦାଦନ ଖଟିବାକୁ ଯାଇଛନ୍ତି । ଦାଦନମାନଙ୍କ ପାଇଁ ଓଡିଶାରେ କଡା ଆଇନ ନଥିବାରୁ ଏଭଳି ସ୍ଥିତି ଉପୁଜିଛି ଏବଂ ଦାଦନ ଶ୍ରମିକମାନେ ଅକଥନୀୟ ଅତ୍ୟାଚାରର ଶିକାର ହେଉଛନ୍ତି । କରୋନା ସଂକଟ ସମୟରେ ରାଜ୍ୟକୁ ଫେରିଥିବା ଦାଦନ ଶ୍ରମିକଙ୍କ ତଥ୍ୟ ଜାଣିଶୁଣି ରଖିଲେ ନାହିଁ ସରକାର । ୨୫ଲକ୍ଷ ଗଣତି ପରେ ତାଲିକା ପ୍ରସ୍ତୁତ ବନ୍ଦ ହୋଇଗଲା । ସାରା ରାଜ୍ୟରେ ଏହି ସମସ୍ୟା ଉତ୍କଟ ହୋଇପଡିଥିବାବେଳେ ବିଶେଷ ଭାବେ ବଲାଙ୍ଗୀର, ନୂଆପଡା, କଳାହ।।ଣ୍ଡି ଜିଲ୍ଲାରୁ ସର୍ବାଧିକ ଦାଦନ ଖଟିବାକୁ ଯାଉଛନ୍ତି । ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବାହାର ରାଜ୍ୟର ଦଲାଲ୍‌ମାନେ କଂଟାବାଞ୍ଜି, ଟିଟିଲାଗଡ, ବଲାଙ୍ଗୀର, ଭବାନୀପାଟଣା ଆଦି ଅଂଚଳରେ ମାସ ମାସ ଧରି ହୋଟେଲରେ ରହି ବେଆଇନ ଭାବେ ଦାଦନ ର‌୍ୟାକେଟକୁ ବାସ୍ତବ ରୂପ ଦେଉଛନ୍ତି । ଦାଦନ ସମସ୍ୟାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ସାମାନ୍ୟ ଚିନ୍ତା ନାହିଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।


    ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି ବଲାଙ୍ଗୀରଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି ଯେ, ରାଜ୍ୟରେ ଗଣତନ୍ତ୍ର ବିପଦରେ ପଡିଥିବାବେଳେ ପଂଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡୁ ପଡିଛି । ମୁଖ୍ୟମନ୍ତ୍ରୀଙ୍କ ଦେଖା ମିଳୁନାହିଁ । ଓଡ଼ିଶାରେ କିଏ ସରକାର ଚଳାଉଛି ତାହା ଜାଣିହେଉନାହିଁ । ଓଡ଼ିଶାର ମନ୍ତ୍ରୀ, ବିଧାୟକଙ୍କ ବାକ୍‌ଶକ୍ତି ହରାଇବା ସହ ସେମାନଙ୍କୁ ଗୃହ ବନ୍ଦୀ କରି ରଖାଯାଉଛି । ଓଡ଼ିଶାରେ ସ୍ଥାଣୁ ଓ ଅଦୃଶ ସରକାର ଚାଲିଛି । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଯେଉଁଠି ଅଦୃଶ ସେ ସରକାର ଆଉ ଚାଲିବ ନାହିଁ । ଗୃହବନ୍ଦୀ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ସିକ୍ୟୁରିଟି ଗାର୍ଡ ତାଗିଦ୍ କରୁଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଓଡିଶାରେ ଏକ ରାଜନୈତିକ ସରକାର ସ୍ଥାପନ କରବାକୁ ଚାହୁଁଛି ବିଜେପି । ସେହି ପରିବର୍ତନର ଦାୟିତ୍ୱ ଏଥର ସାଧାରଣ ଲୋକେ ନେବେ ବୋଲି ଶ୍ରୀ ସାମଲ କହିଛନ୍ତି ।


    ପ୍ରଥମ ରାଜନୈତିକ ଦଳ ଭାବେ ବିଜେପି ଦେଶରେ ମହିଳାଙ୍କ ୩୩% ସଂରକ୍ଷଣ ପାଇଁ ଐତିହାସିକ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ସମ୍ଭବ ହୋଇଛି । ଭାରତ ବର୍ଷର ଗଣତନ୍ତ୍ରର ଏହି ମହାଅବସରରେ ଆମେ ସମସ୍ତେ ଏହି ଯୁଗାନ୍ତକାରୀ ନିଷ୍ପତିର ସାକ୍ଷୀଭାବରେ ଗର୍ବ ଅନୁଭବ କରୁଛେ । ମୋଦିଜୀ ୭୫ଲକ୍ଷ ଭଉଣୀ, ମାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସିଲିଣ୍ଡର ଯୋଗାଇବାର ନିଷ୍ପତି ନେଇଛନ୍ତି । ଦେଶର ୧୦କୋଟି ୭୫ଲକ୍ଷ ଭଉଣୀମାନେ ବିନା ମୂଲ୍ୟରେ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ପାଇଛନ୍ତି । ଉଜ୍ଜ୍ୱଳା ଯୋଜନାରେ ରାଜ୍ୟର ୫୩ ଲକ୍ଷ ହିତାଧିକାରୀ ଅଛନ୍ତି । କରୋନା ମହାମାରୀ ସଂକଟ ସମୟରେ ଦେଶରେ ୮୦କୋଟି ଲୋକ ଓ ଓଡିଶାରେ ୩କୋଟି ୨୫ଲକ୍ଷ ଲୋକଙ୍କୁ ୨୮ମାସ ଧରି ମାଗଣା ରାସନ ପ୍ରଦାନ କରିଛନ୍ତି ମୋଦିଜୀ । ମୋଦିଜୀଙ୍କ ପାଇଁ ଭାରତରେ ୫୨କୋଟି ବ୍ୟାଙ୍କ ଆକାଉଂଟ ଖୋଲିବାରେ ମହିଳାମାନେ ସକ୍ଷମ ହୋଇଛନ୍ତି । ପୂର୍ବଦ୍ୟୋୟର ବିକାଶକୁ ଗୁରୁତ୍ୱ ଦେଉଥିବା ମୋଦି ସରକାର ଗତ ୯ବର୍ଷ ଧରି ପୂର୍ବାଂଚଳ ଓ ବିଶେଷ ଭାବେ ଓଡିଶାର ବିକାଶକୁ ସର୍ବାଧିକ ପ୍ରାଧାନ୍ୟ ଦେଇଥିବାରୁ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।


    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୯ବର୍ଷରେ ୧୮ଲକ୍ଷ ୮୩ହଜାର କୋଟି ଟଙ୍କା ଓଡ଼ିଶାର ବିକାଶ, ଗରୀବ କଲ୍ୟାଣ ଏବଂ ଜଳସେଚନ, ପର୍ଯ୍ୟଟନ ବିକାଶ, ଜାତୀୟ ରାଜପଥର ଓ ରେଳପଥ ଉନ୍ନତୀକରଣ ଏବଂ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର କ୍ରିୟାନ୍ୱୟନ ପାଇଁ ଓଡ଼ିଶାକୁ ଦେଇଛନ୍ତି । ମୋଦିଜୀଙ୍କ ଐତିହାସିକ ମାଇନିଂ ପଲିସି ପାଇଁ ଓଡ଼ିଶା ସରକାରଙ୍କୁ ପ୍ରତି ବର୍ଷ ୫୦ହଜାର କୋଟି ଟଙ୍କାର ଖଣି ରାଜସ୍ୱ ମିଳୁଛି । ଓଡିଶା ଧନୀ, ଓଡ଼ିଶାର ଲୋକ ଗରୀବ । ଓଡ଼ିଶାରେ ଖଣିଜସମ୍ପଦ, ଜଙ୍ଗଲ ସମ୍ପଦ, ପର୍ଯ୍ୟଟନ ବିକାଶ କ୍ଷେତ୍ରରେ କୌଣସି ବିକାଶ ହୋଇନାହିଁ । କିନ୍ତୁ ଦୁର୍ନୀତି, ଅତ୍ୟାଚାର ଓ ବ୍ୟଭିଚାରୀ ରାଜ୍ୟ ସରକାର ଏହି ଟଙ୍କାକୁ ଓଡିଶା ତଥା ଓଡିଶାବାସୀଙ୍କ ବିକାଶ କାର୍ଯ୍ୟରେ ନଲଗାଇ ବ୍ୟାପକ ମାତ୍ରାରେ ହଡପ୍ କରିଛନ୍ତି । ଏଥିରୁ ବଲାଙ୍ଗୀର ଜିଲ୍ଲା ମଧ୍ୟ ବାଦ୍ ପଡିନାହିଁ । ବଲାଙ୍ଗୀର ଜିଲ୍ଲା ପାଇଁ ଆସିଥିବା ହଜାର ହଜରା କୋଟି କୋଟି ଟଙ୍କା ବାଟମାରଣା ହୋଇଛି । ଓଡ଼ିଶାର ବିକାଶ ପାଇଁ ମୋଦିଜୀ ହାତ ଖୋଲା କରି ଟଙ୍କା ଦେଉଛନ୍ତି କିନ୍ତୁ ନବୀନ ସରକାର ସେହି ଟଙ୍କାରେ କୌଣସି ବିକାଶ କାର୍ଯ୍ୟ କରି ନାହାନ୍ତି । ବିନା ପିସିରେ କୈାଣସି କାର୍ଯ୍ୟ ହେଉନାହିଁ । ‘୫-ଟି ଦୁର୍ନୀତିର ଗନ୍ତାଘର ସାଜିଛି’ । ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟ ଦୁର୍ନୀତି, ଭ୍ରଷ୍ଟାଚାର ବିଜେଡି ସରକାରର ଅସଲ ମୁଖା ଖୋଲି ଦେଇଛି । ଓଡିଶା ବିକାଶରେ ବଡ ବାଧକ ସାଜିଛି ବିଜେଡି ବୋଲି ଶ୍ରୀ ସାମଲ କହିଛନ୍ତି ।


    ରାଜ୍ୟରେ ଏକ ମହିଳା, ଯୁବ, ସୈନିକ, ଛାତ୍ର, କୃଷକ, ଶିଳ୍ପ ବିରୋଧୀ ଶାସନ ଚାଲିଛି । ଛାତ୍ରମାନଙ୍କୁ ଭୟ କରୁଥିବା ବିଜେଡି ସରକାର ଛାତ୍ର ସଂସଦ ନିର୍ବାଚନ କରିବାକୁ ଭୟ କରୁଛି । ୨୩ ବର୍ଷ ଶାସନରେ ଗୋଟିଏ ଇଂଚ ଜମିକୁ ଜଳସେଚିତ କରିପାରିଲେ ନାହିଁ ଶାସକ ବିଜେଡି । ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ମୋଦି ସରକାର ଅନେକ କୃଷକକଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟାନ୍ୱୟନ କରିଛନ୍ତି । ଧାନର ଏମ୍‌ଏସ୍‌ପି କ୍ୱିଂଟାଲ ପ୍ରତି ୧୩୧୦ ଟଙ୍କାରୁ ୨୧୮୩ ଟଙ୍କାକୁ ବୃଦ୍ଧି କରିଛନ୍ତି ମୋଦି ସରକାର । ପିଏମକିଷାନ ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରୁଛନ୍ତି ମୋଦି ସରକାର । ମାତ୍ର ରାଜ୍ୟର ଅଗଣିତ ଚାଷୀ ଭାଇଭଉଣୀଙ୍କୁ ଏ ସମସ୍ତ ସୁବିଧା ପାଇବାରୁ ବଂଚିତ ରଖୁଛନ୍ତି ରାଜ୍ୟ ସରକାର । ଏପରିକି କଟନୀ ଛଟନୀ, ଅବ୍ୟବସ୍ଥିତ ଧାନ ମଣ୍ଡି, ଅଭାବୀ ବିକ୍ରୀର ଶିକାର ହୋଇ ଚାଷୀକୁଳ ହନ୍ତସନ୍ତ ହେଉଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ସାମଲ କହିଛନ୍ତି ।


    ଓଡ଼ିଶାରେ ନିର୍ବାଚିତ ସରକାର ଅଛି ବୋଲି ଲୋକେ ଅନୁଭବ କରୁନାହାନ୍ତି । ଏହା ଗଣତନ୍ତ୍ର ପ୍ରତି ବିପଦ ଆଣିଦେଇଛି । ବିଜେପି ଶାସନକୁ ଆସିଲେ ୫ ବର୍ଷ ଭିତରେ ସବୁ ସମସ୍ୟାର ସମାଧାନ କରାଯିବ । ବିଶେଷ ଭାବେ ଶିକ୍ଷକ, ଡାକ୍ତର ଅଭାବକୁ ଦୁର କରାଯାଇ ଶିକ୍ଷା ଓ ସ୍ୱାସ୍ଥ୍ୟବସ୍ଥାକୁ ସୁଦୃଢ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।


    ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ, ବରିଷ୍ଠ ନେତା କେ.ଭି.ସିଂହଦେଓ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋପାଳଜୀ ପାଣୀଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
    ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସୋନପୁର, ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରେ ସ୍ୱାଗତ କରାଯିବା ପରେ ରାଜ୍ୟ ସଭାପତି ଶ୍ରୀ ସାମଲ ପଦଯାତ୍ରାରେ ଯାଇ କଳସରେ ମାଟି ସଂଗ୍ରହ କରିଥିଲେ । ଏହା ପରେ ଶ୍ରୀ ସାମଲ କାର୍ଯ୍ୟକର୍ତା ବୈଠକରେ ଯୋଗ ଦେଇ ଦଳୀୟ କାର୍ଯ୍ୟ ସମୀକ୍ଷା କରିଥିଲେ ।

  • ଦେହ ବ୍ୟବସାୟର ଗରାଖ ସାଜିଛି ଖାକି ପୋଷାକ ଧାରୀ

    ଦେହ ବ୍ୟବସାୟର ଗରାଖ ସାଜିଛି ଖାକି ପୋଷାକ ଧାରୀ

    ଖାକି ପୋଷାକ ଧାରୀ ସାଜିଛି ଦେହବ୍ୟବସାୟୀର ଗରାଖ । କଥା ଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପଦ୍ମପୁର ଉପ କାରାଗାରରେ କାର୍ଯ୍ୟରତ ଜେଲ ୱାଡର ଦେହ ବ୍ୟବସାୟରେ ଲିପ୍ତ ଥିବା ପଦ୍ମପୁର ପୋଲିସ ସୂଚନା ଦେଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତିଭୂଷଣ ଭୋଇଙ୍କ ନେତୃତ୍ୱରେ ଏକ ଟିମ ପଦ୍ମପୁର କଲେଜ ରୋଡ ସ୍ଥିତ ରିଜେନସି ଲଜରେ ଚଢାଉ କରିଥିଲେ ।

    ଏହି ଚଢାଉରେ ଜଣେ ଦେହଜିବୀ ଓ ଜଣେ ଗରାଖ କୁ ଠାବ କରିଥିଲା ପୋଲିସ । ତଦନ୍ତରୁ ଜଣା ପଡିଛୀ କି ଗରାଖ ଜଣକ ପଦ୍ମପୁର ଉପକାରାଗାରାର ଜଣେ କର୍ମଚାରୀ । ପଦ୍ମପର ପୋଲିସ ଉକ୍ତ ମାମଲାରେ ଦେହଜିବୀ, ଗରାଖ ଓ ଲଜ ମ୍ୟାନେଜର କୁ ଗିରଫ କରିଥିବା ଉପଖଣ୍ଡ ପୋଲିସ ଅଧିକାରି ସୂଚନା ଦେଇଛନ୍ତି ।ଏବଂ ଉକ୍ତ ଅଞ୍ଚଳରେ ଯେତିକି ବଡ ବଡ ରେଷ୍ଟୁରେଣ୍ଟ,ହୋଟେଲ ଲଜ୍ ରହିଛି ସେ ଗୁଡିକ ମଧ୍ୟ ଯାଞ୍ଚ କରାଯିବା ନେଇ ସୂଚନା ଦେଇଛନ୍ତି।

  • ଯୁବକଙ୍କୁ ପିଟି ପିଟି ହତ୍ୟା, ଅଭିଯୋଗ ଆଣିଲେ ପରିବାର ଲୋକେ

    ଯୁବକଙ୍କୁ ପିଟି ପିଟି ହତ୍ୟା, ଅଭିଯୋଗ ଆଣିଲେ ପରିବାର ଲୋକେ

    ପୁଣି ରାଜଧାନୀର ନିଶା ନିବାରଣ କେନ୍ଦ୍ର ନାଁରେ ଆସିଲା ହତ୍ୟା ଅଭିଯୋଗ। କେନ୍ଦ୍ରରେ ନିଶା ଛାଡିବାକୁ ଆସିଥିବା ଅନ୍ତେବାସୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ହେଲା ଅଭିଯୋଗ। ଏନେଇ ଥାନାର ଦ୍ୱାରସ୍ଥ ମୃତକଙ୍କ ପରିବାର। ସୂଚନା ମୁତାବକ, ରାଜଧାନୀ କ୍ୟାପିଟାଲ ଥାନା ଅଧୀନ ଶିଶୁ ଭବନ ନିକଟବର୍ତ୍ତି ଝରଣା ବସ୍ତୀରେ ୪୧ ବର୍ଷୀୟ ଛବି ନାୟକଙ୍କ ପରିବାର ରହୁଥିଲେ। ଛବିଙ୍କ ମାତ୍ରାଧିକ ନିଶା ସେବନକୁ ନେଇ ତାଙ୍କ ସ୍ତ୍ରୀ ଅତିଷ୍ଟ ହୋଇ ପଡିଥିଲେ। ତେଣୁ ଧଉଳି ଅଞ୍ଚଳରେ ଥିବା ସ୍ବୀକାର ନିଶା ନିବାରଣ କେନ୍ଦ୍ରରେ ତିନି ମାସ ତଳେ ତାଙ୍କୁ ଛାଡିଥିଲେ ସ୍ତ୍ରୀ ଝୁନୁ।

    ଏହାରି ଭିତରେ ଯେତେବେଳେ ବି ସେ କେନ୍ଦ୍ରକୁ ଫୋନ କରି ସ୍ବାମୀଙ୍କ ସହ କଥା ହେବାକୁ ଚାହୁଁଥିଲେ ସେମାନେ କଥା ହେବାକୁ ଦେଉନଥିଲେ। ହଠାତ୍ ଗତକାଲି ରାତି ୩ଟାରେ କେନ୍ଦ୍ରରୁ ଝୁନୁଙ୍କୁ ଫୋନ କରି କୁହାଯାଇଥିଲା କି ଛବିଙ୍କର ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖା ଦେଇଛି। ଆମେ ଶ୍ରୀ ହସ୍ପିଟାଲ ନେଉଛୁ ଆପଣ ଆସନ୍ତୁ। ସେ ସେଠାରେ ପହଞ୍ଚିବା ବେଳକୁ ପୁଣି କୁହାଯାଇଥିଲା କ୍ୟାପିଟାଲ ହସ୍ପିଟାଲ ନେଇ ଆସିଛୁ, ଏଠିକି ଆସନ୍ତୁ। କ୍ୟାପିଟାଲ ହସ୍ପିଟାଲରେ ଝୁନୁ ଯାଇ ଦେଖନ୍ତି ତାଙ୍କ ସ୍ବାମୀଙ୍କ ମରଶରୀର ପଡିଥିଲା। ଛବିଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ନିଶା ନିବାରଣ କେନ୍ଦ୍ର ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ଛବିଙ୍କୁ କେନ୍ଦ୍ରରେ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହେଉଛି।

    ଏହି ଅଭିଯୋଗ ସହ ଉକ୍ତ କେନ୍ଦ୍ରରେ ଅନ୍ତେବାସୀଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାରର ଗୁମର ଖୋଲିଛନ୍ତି ସେଠାରେ କିଛି ଦିନ ପୂର୍ବେ ରହିଥିବା ଛବିଙ୍କ ସାନ ଶଳା। ଖାଇବା ପିଇବାକୁ ଦିଆ ଯାଉ ନ ଥିବା ସହ ଛୋଟ ଛୋଟ ଭୁଲ ପାଇଁ ପାଇପରେ ଗୋରୁ ଗାଈ ପରି ମାଡ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଘଟଣାରେ ପୋଲିସ ତଦନ୍ତ କରିବ ଓ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଜୋନ ଟୁ (୨)ଏସିପି ଗିରିଜା ଚକ୍ରବର୍ତ୍ତୀ।

    ତେବେ ଏଠାରେ ଗୋଟିଏ କଥା ବୁଝା ପଡୁ ନାହିଁ। ବାରମ୍ବାର ରାଜଧାନୀର ବିଭିନ୍ନ ନିଶା ନିବାରଣ କେନ୍ଦ୍ର ବିରୋଧରେ ଏପରି ବହୁ ଅଭିଯୋଗ ହେଉଛି। ବହୁ ଅନ୍ତେବାସୀଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି। ଏପରି କେନ୍ଦ୍ର କେବଳ ଅର୍ଥ ଉପାର୍ଜନର ମାଧ୍ୟମ ହୋଇଛି ବୋଲି ଅଭିଯୋଗ ସହ ଅନେକ କେନ୍ଦ୍ରର ଲାଇସେନ୍ସ ନ ଥିବା ମଧ୍ୟ କୁହାଯାଉଛି। ଏପରି ଅଭିଯୋଗ ସତ୍ତ୍ବେ ପୋଲିସ ଏହି ଦିଗରେ କାହିଁକି କୌଣସି ପଦକ୍ଷେପ ନେଉନାହିଁ ତାକୁ ନେଇ ଠିଆ ହେଉଛି ପ୍ରଶ୍ନବାଚୀ ।