Category: ମୁଖ୍ୟ ଖବର

  • ପ୍ରେମୀଯୁଗଳଙ୍କୁ ‘ଓୟୋ’ ବାରଣ

    ପ୍ରେମୀଯୁଗଳଙ୍କୁ ‘ଓୟୋ’ ବାରଣ

    ଓୟୋ ଏହାର ଛେକ-ଇନ୍ ନୀତିରେ ବଡ଼ ପରିଵର୍ତନ ଆଣିଛି I କୌଣସି ଅବିବାହିତ ଯୋଡ଼ିଙ୍କୁ ରହିବା ଅନୁମତି ନ ଦେବାକୁ କମ୍ପାନି ନିଷ୍ପତ୍ତି ନେଇଛି I କୌଣସି ଦମ୍ପତ୍ତି ଓୟୋ ହୋଟେଲ୍ ରେ ରହିବାକୁ ସେମାନଙ୍କୁ କାଗଜପତ୍ର ଦେଖାଇବାକୁ ପଡିବ I ଉତ୍ତରପ୍ରଦେଶର ମିରଟ କମ୍ପାନି ଏହାର ପରୀକ୍ଷଣ ଆରମ୍ଭ କରିଛି I ପ୍ରତ୍ୟକ୍ଷ ଭାବେ ରହିବାକୁ ଆସୁଥିବା କିମ୍ବା ଅନ୍ଲାଇନ୍ ରେ ବୁକିଂ କରିଥିବା ଦମ୍ପତିମାନଙ୍କୁ ସମ୍ପର୍କର କାଗଜପତ୍ର ମଗାଯିବ I କମ୍ପାନି ଏହାର ସହଯୋଗୀ ହୋଟେଲମାନଙ୍କୁ ଏ ସମ୍ପର୍କରେ ଜଣାଇ ଦେଇଛି I

    ଏହି ନୀତିକୁ ମିରଟରେ ତତ୍କାଳ ଲାଗୁ କରାଯାଇଛି I ସେଥିରୁ ଯେଉଁ ପତିକ୍ରିୟା ମିଳିବ ସେହି ଆଧାରରେ ଏହି ନିଷ୍ପତିକୁ ଅନ୍ୟ ସହରଗୁଡିକରେ କମ୍ପାନି ଲାଗୁ କରିପାରେ ବୋଲି କୁହାଯାଉଛି I ଅବିବାହିତ ଯୋଡ଼ିଙ୍କୁ ଓୟୋରେ ରହିବା ଅନୁମତି ନେଇ ମିରଟରେ ନାଗରିକ ସମାଜ ପ୍ରତିବାଦ କରୁଥିଲା I ଏହି ଅଭ୍ୟାସ ବିରୋଧରେ ଗ୍ରହଣ କରିବାକୁ ଦାବି କରାଯାଉଥିଲା I ଅନ୍ୟାନ୍ୟ ସହରର ବାସିନ୍ଦାମାନେ ମଧ୍ୟ ସମାନ ଦାବି କରୁଛନ୍ତି I

    ଓୟୋକୁ ନେଇ ଲୋକମାନଙ୍କ ମନରେ ଥିବା ଧାରଣାକୁ ବଦଳାଇବା ଏବଂ ତାହାକୁ ପରିବାର, ଛାତ୍ର-ଛାତ୍ରୀ,ବ୍ୟବସାୟ, ଧର୍ମ ଓ ଯାତ୍ରୀମାନଙ୍କ ପାଇଁ ଏକ ସୁରକ୍ଷିତ ରହଣି ସ୍ଥଳରେ ପରିଣତ କରିବା ଲାଗି କମ୍ପାନି ଏହି ପଦକ୍ଷେପ ନେଇଛି I ଓୟୋ ବ୍ରାଣ୍ଡକୁ ବ୍ୟବହାର କରି ବେଆଇନ କାର୍ଯ୍ୟ କରୁଥିବା ହୋଟେଲଗୁଡିକ ବିରୋଧରେ ମଧ୍ୟ କାର୍ଯ୍ୟନୁଷ୍ଠାନ ନିଆଯାଉଛି I

  • ବୋଲ ମାନିଲା ନାହିଁ ପାଟ୍ରୋଲିଂ ବୋଟ!, ନାକେଦମ ପୁଲିସ

    ବୋଲ ମାନିଲା ନାହିଁ ପାଟ୍ରୋଲିଂ ବୋଟ!, ନାକେଦମ ପୁଲିସ

    ଦୀଘାରେ ବଡ଼ ଅଘଟଣ । ସମୁଦ୍ରରେ ପୋଲିସ ବୋଟିଂ କରୁଥିବା ବେଳେ ବୋଟରୁ ପଡିଲେ ପୋଲିସ କର୍ମଚାରୀ । ଦୀର୍ଘ ସମୟଧରି ସମୁଦ୍ରରେ ବୁଲିଲା ବୋଟ । ଆୟତ୍ତ କରିବାକୁ ନାକେଦମ ହେଲା ପୋଲିସ । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘା ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ଼ ଜମିଛି । ନୂଆବର୍ଷ ରାତିରୁ ପର୍ଯ୍ୟଟକଙ୍କ ଭିଡ଼ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୁରୁଣା ଦୀଘା ପାଖରୁ ଓଡ଼ିଶା ସୀମାନ୍ତ ଉଦୟପୁର ପର୍ଯ୍ୟନ୍ତ ପୋଲିସ ପ୍ରେଟ୍ରୋଲିଂ ବୋଟ କୁ ପ୍ରଶାସନ ପକ୍ଷରୁ ନିୟୋଜିତ କରାଯାଇଛି । ପୋଲିସ ପ୍ରେଟ୍ରୋଲିଂ କରୁଥିବା ବେଳେ ହଠାତ କୌଣସି କାରଣରୁ କର୍ମଚାରୀ ଜଣଙ୍କ ବୋଟରୁ ତଳେ ପଡିଯାଇଥିଲେ କିନ୍ତୁ ବୋଟ ଟି ଚାଲୁ ରହିଥିଲା । ପ୍ରାୟ ୧ ଘଣ୍ଟା ହେବ ବୋଟ ଟି ଏକା ଏକା ସମୁଦ୍ରରେ ବୁଲୁଥିବା ବେଳେ ବୋଟ ଟିକୁ ଆୟତ୍ତ କରିବା ପାଇଁ ପୋଲିସର ଅନ୍ୟ ବୋଟ ଗୁଡିକୁ ନାକେଦାମ ହେବାକୁ ପଡିଥିଲା । ବୋଟରେ ଥିବା ପୋଲିସ କର୍ମଚାରୀ ଜଣଙ୍କ ଗୁରୁତର ହେବାରୁ ତାଙ୍କୁ ନିକଟବର୍ତି ଦୀଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

  • ଥରହର ମଥୁରାନଗରୀ କମ୍ପୁଛି ମେଦିନୀ, କଂସ ମହାରାଜଙ୍କ ଆଦେଶରେ ଉପସ୍ଥିତ ହେଲେ କେନ୍ଦ୍ରମନ୍ତ୍ରୀ

    ଥରହର ମଥୁରାନଗରୀ କମ୍ପୁଛି ମେଦିନୀ, କଂସ ମହାରାଜଙ୍କ ଆଦେଶରେ ଉପସ୍ଥିତ ହେଲେ କେନ୍ଦ୍ରମନ୍ତ୍ରୀ

    ଧନୁଯାତ୍ରା ମହୋତ୍ସବ ପାଇଁ ଉତ୍ସବ ମୁଖର ବରଗଡ଼ ସହର । ଧନୁଯାତ୍ରା ମହୋତ୍ସବରେ ଦୈବବାଣୀ ଶୁଣି ମହାରାଜା କଂସ ଭୟଭୀତ । ପିତା ଉଗ୍ରସେନ ମହାରାଜାଙ୍କୁ ଗାଦିଚ୍ୟୁତ କରିବା ପରେ କଂସ ମହାରାଜାଙ୍କୁ କରାଯାଇଛି ରାଜଭିଷେକ । ଏହାପରେ ଭଉଣୀ ଦେବକୀ ଓ ରାଜା ବସୁଦେବଙ୍କୁ କାରାଗାରରେ ବନ୍ଦୀ କରିଛନ୍ତି । କାରାଗାରରେ ଦେବକୀଙ୍କ ଅଷ୍ଟମ ଗର୍ଭରେ ଜନ୍ମ ହୋଇଛନ୍ତି ଗୋଲକ ବିହାରୀ ଶ୍ରୀକୃଷ୍ଣ । ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ରାଜା ବସୁଦେବ ଗୋପପୁର ଯାତ୍ରା କରିଛନ୍ତି ଓ ସେଠାରୁ ବିଜୁଳି କନ୍ୟାକୁ ନେଇ ମଥୁରାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ରାଜା ବସୁଦେବ । ବିଜୁଳି କନ୍ୟାର ଦୈବବାଣୀକୁ ନେଇ ଭୟଭୀତ ହୋଇଛନ୍ତି ମହାରାଜା କଂସ । ଦୁର୍ମିଳାସୁରକୁ ବଧ କରିଛନ୍ତି ମହାରାଜା କଂସ ।

    କମ୍ପୁଛି ମେଦିନୀ, ଥରହର ମଥୁରାନଗରୀ । ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବରେ ଦ୍ବିତୀୟ ରଜନୀରେ ଉଦଘାଟିତ ହୋଇଛି ରଙ୍ଗମହଲ । ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ରଙ୍ଗମହଲକୁ ଉଦଘାଟନ କରିଛନ୍ତି । ସେପଟେ ମହାରାଜା କଂସ ଦିଗବିଜୟରେ ବାହାରି ଟ୍ରାଫିକ ନିୟମ ଅବମାନନା କରିଥିବା ପ୍ରଜାଙ୍କୁ ଦେଇଛନ୍ତି ଦଣ୍ଡ । ରାଜଦରବାର ଓ ରଙ୍ଗମହଲରେ ଦୁଲଦୁଲି ବାଜା, ଘଣ୍ଟ, ଶଙ୍ଖ, ରସର କେଲି, ସମ୍ବଲପୁରୀ, ଆଦିବାସୀ ନୃତ୍ୟ ବାଦ୍ୟର ତାଳେ ତାଳେ ଝୁମିଛନ୍ତି ଦର୍ଶକ ଓ କଳାକାର । ସେପଟେ ରାଜଦରବାରରେ କାରାଗାରରେ ଶ୍ରୀକୃଷ୍ଣ ଜନ୍ମ, ଶ୍ରୀକୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗୋପପୁର ଯାତ୍ରା, ଉଗ୍ରସେନଙ୍କ ସହ ଭେଟ, ବିଜୁଳି କନ୍ୟା ସହ ମଥୁରାକୁ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

    ଧନୁଯାତ୍ରା ମହୋତ୍ସବର ଦ୍ବିତୀୟ ରଜନୀରେ ମହାରାଜା କଂସ ହାତୀ ପିଠିରେ ବସି ପାତ୍ର ମନ୍ତ୍ରୀଙ୍କ ସହ ମଥୁରା ନଗର ପରିଭ୍ରମଣ କରିଥିଲେ । ମହାରାଜା କଂସ ବିନା ହେଲିମେଟ ରେ ବାଇକ୍ ଚଳାଚଳ କରୁଥିବା ବ୍ୟକ୍ତି ମାନଙ୍କୁ ତାଗିଦ କରି ଫାଇନ କାଟିବା ସହ ଦିଗବିଜୟ ସମୟରେ ମହାରାଜା କଂସ ପ୍ରଜାଙ୍କୁ ଦଣ୍ଡଦେବା ଦୃଶ୍ୟ ବେଶ ଆକର୍ଷଣୀୟ ହୋଇଥିଲା । ସେପଟେ ମଥୁରାନଗରୀରେ ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟନ ହୋଇଥିଲା । ଧନୁଯାତ୍ରା ମହୋତ୍ସବ ରାଜଦରବାରରେ କଂସ ମହାରାଜଙ୍କ ନିମନ୍ତ୍ରଣ ରକ୍ଷା କରି ରାଜକୀୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍,ମନ୍ତ୍ରୀ ରବି ନାରାୟଣ ନାୟକ,ବିଧାୟକ ଇରାସିସ ଆଚାର୍ଯ୍ୟ, ଅଶ୍ଵିନୀ ଷଡଙ୍ଗୀ, ନିହାର ମହାନନ୍ଦ, ସନତ ଗଡତିଆ । ଉଦଘାଟନ ପରେ ମହାରାଜା କଂସ ରଙ୍ଗମହଲ ପରିଚାଳନା କରିବା ପାଇଁ ମହାମନ୍ତ୍ରୀ ସାର୍ତ୍ତକିଙ୍କୁ ଦେଇଛନ୍ତି ଦାୟିତ୍ବ । ରାଜଦରବାରରେ ଜମିଥିଲା ନୃତ୍ୟ ଗୀତର ଆସର ।

    ଆଜି ମଥୁରା ନଗରୀରେ ଧନୁଯାତ୍ରା ମହୋତ୍ସବ ତୃତୀୟ ଦିନରେ କଂସ ମହାରାଜାଙ୍କ ଶ୍ୟାମେଶ୍ବର ମହାଦେବ ଦର୍ଶନ, କାରାଗୃହ ପ୍ରବେଶ, ବିଜୁଳି କନ୍ୟାକୁ ପ୍ରହାର, ଦୈବବାଣୀ, ରାଜଦରବାରରେ କଂସଙ୍କ ମନ୍ତ୍ରଣା ଓ ଗୋପପୁରରେ ନନ୍ଦ ଦରବାର ଉଦଘାଟନ, ନନ୍ଦୋତ୍ସବ, କୃଷ୍ଣଙ୍କ ଦୋଳି ଝୁଲା , ରାସନୃତ୍ୟ, ନଗର ସଂକୀର୍ତ୍ତନ ସହ କୃଷ୍ଣଙ୍କ ଗୋପପୁର ଭ୍ରମଣ ଆଦି ନାଟ୍ୟାଭିନୟ ଅନୁଷ୍ଠିତ ହେବ ।

  • ସିଡନୀରେ ଭାରତର ପରାଜୟର ୩ଟି ବଡ଼ କାରଣ, ଜାଣନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ କେଉଁ-କେଉଁଠାରେ କରିଥିଲା ଭୁଲ

    ସିଡନୀରେ ଭାରତର ପରାଜୟର ୩ଟି ବଡ଼ କାରଣ, ଜାଣନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ କେଉଁ-କେଉଁଠାରେ କରିଥିଲା ଭୁଲ

    ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡ଼ର-ଗାଭାସ୍କର ଟ୍ରଫି ୨୦୨୪-୨୫ ର ପଞ୍ଚମ ତଥା ଶେଷ ଟେଷ୍ଟ ସିଡନୀରେ ଖେଳାଯାଇଥିଲା | ଏହି ମ୍ୟାଚରେ କଙ୍ଗାରୁ ଦଳ ଭାରତକୁ ୬ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଆୟୋଜକ ଅଷ୍ଟ୍ରେଲିଆ ବର୍ଡ଼ର-ଗାଭାସ୍କର ଟ୍ରଫିକୁ ୩-୧ ରେ କବଜା କରି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ୨୦୨୫ ରେ ସ୍ଥାନ ବଜାୟ ରଖିଛି | ତେବେ ଆସନ୍ତୁ ଜାଣିବା ସିଡନୀରେ ଟିମ୍ ଇଣ୍ଡିଆର ପରାଜୟର ତିନୋଟି ବଡ଼ କାରଣ କ’ଣ ଥିଲା ?

    ୧- ବ୍ୟାଟିଂରେ ସମ୍ପୂର୍ଣ୍ଣ ବିଫଳତା

    ଟିମ୍ ଇଣ୍ଡିଆ କେବଳ ସିଡନୀ ଟେଷ୍ଟରେ ନୁହେଁ ବରଂ ବର୍ଡ଼ର-ଗାଭାସ୍କର ଟ୍ରଫିର ସମସ୍ତ ପାଞ୍ଚଟି ଟେଷ୍ଟରେ ମଧ୍ୟ ଖରାପ ବ୍ୟାଟିଂ ପ୍ରଦର୍ଶନ କରିଛି। ସିଡନୀ ଟେଷ୍ଟରେ ଟିମ୍ ଇଣ୍ଡିଆ ଉଭୟ ଇନିଂସରେ ୨୦୦ ରନ୍ ମାର୍କ ଅତିକ୍ରମ କରିପାରି ନାହିଁ। ପ୍ରଥମ ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ମାନେ ବୋର୍ଡରେ ୧୮୫/୧୦ ରନ୍ ରଖିଥିଲେ। ତା’ପରେ ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ ମାତ୍ର ୧୫୭/୧୦ ରନ୍କୁ ହ୍ରାସ ପାଇଥିଲା। ଖରାପ ବ୍ୟାଟିଂ ହେତୁ ଭାରତ ଅଷ୍ଟ୍ରେଲିଆ ପାଇଁ ମାତ୍ର ୧୬୨ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଯାହା କଙ୍ଗାରୁ ଦଳ ମାତ୍ର ୪ ୱିକେଟ୍ ହରାଇ ହାସଲ କରିଥିଲେ।

    ୨- ଜସପ୍ରୀତ ବୁମ୍ରାଙ୍କ ଆଘାତ

    ସିଡନୀ ଟେଷ୍ଟରେ ରୋହିତ ଶର୍ମାଙ୍କୁ ଛାଡି ଜସପ୍ରୀତ ବୁମ୍ରାଙ୍କୁ ଅଧିନାୟକ କରାଯାଇଥିଲା। ସିଡନୀ ଟେଷ୍ଟ ସମୟରେ ବୁମରା ଆହତ ହୋଇଥିଲେ। ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସମୟରେ ବୁମରା ବ୍ୟାକ ସ୍ପାମ୍ କାରଣରୁ ପଡ଼ିଆରୁ ବାହାରି ଯାଇଥିଲେ। ସେ ପ୍ରଥମ ଇନିଂସରେ ମାତ୍ର ୧୦ ଓଭର ବୋଲିଂ କରିଥିଲେ। ଏହା ପରେ ବୁମରା ବୋଲିଂ ପାଇଁ ପଡ଼ିଆକୁ ଫେରିପାରିନଥିଲେ। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆର ରନ୍ ସାଉଣ୍ଟିବା ଓ ବୁମରାଙ୍କଅନୁପସ୍ଥିତି ଟିମ୍ ଇଣ୍ଡିଆ ପାଇଁ ବହୁ କ୍ଷତି ହୋଇଥିଲା ।

    ୩- ଦଳରେ ଭୁଲ ଚୟନ

    ସିଡନୀ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ଭୁଲ ଦଳ ଚୟନ କରିଛି। ଯେଉଁଠାରେ ଅଷ୍ଟ୍ରେଲିଆରେ କେବଳ ଗୋଟିଏ ସ୍ପିନର ଖେଳିଥିଲା, ସେଠାରେ ଦୁଇ ସ୍ପିନରଙ୍କୁ ଟିମ୍ ଇଣ୍ଡିଆ ପ୍ଲେଇଂ ଇଲେଭେନ ଖେଳିବାରେ ସୁଯୋଗ ଦେଇଥିଲା | ପିଚ୍ ଅନୁଯାୟୀ ଦଳରେ ଚାରିଜଣ ଦ୍ରୁତ ବୋଲରଙ୍କ ପାଇଁ ଉପଯୁକ୍ତ ସ୍ଥାନ ଥିଲା, କିନ୍ତୁ ଟିମ୍ ଇଣ୍ଡିଆ କେବଳ ତିନୋଟି ମୁଖ୍ୟ ଦ୍ରୁତ ବୋଲରଙ୍କ ସହ ପଡ଼ିଆକୁ ଆସିଥିଲା। ସିଡନୀ ଟେଷ୍ଟରେ ରବିନ୍ଦ୍ର ଜାଡେଜାଙ୍କୁ ସ୍ପିନ୍ କରିବାକୁ ଭାରତ ସୁଯୋଗ ଦେଇଥିଲା। ଯଦି ମ୍ୟାଚରେ ଚାରିଜଣ ଦ୍ରୁତ ବୋଲର ଥାଆନ୍ତେ, ତେବେ ବୁମ୍ରା ଉପରେ ଅଧିକ ଭାର ପଡି ନଥାନ୍ତା ଏବଂ ସେ ଆହତରୁ ବଂଚିତ ଥାନ୍ତେ |

  • ଆଜିଠୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

    ଆଜିଠୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

    ଆଜିଠୁ ମଥୁରାରେ ଆରମ୍ଭ ହେବ କଂସ ରାଜୁତି । ଆଜିଠୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଆଜିଠୁ ଆରମ୍ଭ ହୋଇ ଏହା ଆସନ୍ତା ୧୩ ତାରିଖ ଯାଏଁ, ଅର୍ଥାତ୍ ୧୧ ଦିନ ଧରି ଚାଲିବ | ମହାରାଜା କଂସଙ୍କ ଅଟହାସ୍ୟରେ ପ୍ରକମ୍ପିତ ହେବ ମଥୁରା ନଗରୀ ପାଲଟିଥିବା ବରଗଡ଼ ସହର । ବରଗଡ଼ ଧନୁଯାତ୍ରା ଚଳିତଥର ୭୭ ବର୍ଷରେ ପଦାର୍ପଣ କରିଛି । ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆୟୋଜକ କମିଟି ଲାଗି ପଡିଥିବା ବେଳେ ମଥୁରାବାସୀ ଅପେକ୍ଷା କରି ରହିଛନ୍ତି ସେହି ଶୁଭମୁହୁର୍ତ୍ତକୁ । ଅମ୍ବାପାଲି ପଲଟିଯିବ ଗୋପପୁର ଓ ସହର ମଧ୍ୟରେ ବହି ଯାଉଥିବା ଜୀରା ନଦୀ ପାଲଟିଯିବ ଯମୁନା ନଦୀ । ଏଥିପାଇଁ ସଜେଇ ହୋଇଛି ପୁରା ବରଗଡ଼ ସହର । ବରଗଡ଼ ହାଟପଦା ଠାରେ ମହାରଜ କଂସଙ୍କ ପ୍ରାୟ ୬୦ ଫୁଟ ଉଚ୍ଚତା ଏବଂ ୧୨୦ ଫୁଟ ପ୍ରସ୍ଥର ରାଜଦରବାର ନିର୍ମାଣ ସରିଛି । ଚଳିତବର୍ଷ କଂସଙ୍କ ରାଜଦରବାର ଯେପରି ଅଧିକ ଆକର୍ଷଣୀୟ ହୋଇପାରିବ ସେନେଇ କମିଟି ଅଧିକ ଗୁରୁତ୍ୱ ଦେଉଛି । ସେହିପରି ସ୍ଥାନୀୟ ଲୋକ ମଣ୍ଡପ ପଡ଼ିଆରେ ମହାରାଜ କଂସଙ୍କ ରଙ୍ଗ ମହଲର ନିର୍ମାଣ ଚାଲିଛି । ସେପଟେ ଲୋକଙ୍କ ସୁରକ୍ଷା ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୫୦ ଜଣ ଅଫିସର ଧନୁଯାତ୍ରାରେ ନିୟୋଜିତ ହେବେ । ଲୋକମାନେ ଧନୁଯାତ୍ରାକୁ କିଭଳି ଭଲ ଭାବରେ ଉପଭୋଗ କରିପାରିବେ ସେଥିପାଇଁ ବରଗଡ଼ ପୋଲିସ୍ ସମସ୍ତ ପ୍ରସ୍ତୁତି କରିଛି ।

  • ପ୍ରେମ କମ୍ ପ୍ରତାରଣା ଅଧିକ, ପୁଣି ପ୍ରେମିକର ବାଟ ଚାହିଁ ବସିଲା ପ୍ରେମିକା

    ପ୍ରେମ କମ୍ ପ୍ରତାରଣା ଅଧିକ, ପୁଣି ପ୍ରେମିକର ବାଟ ଚାହିଁ ବସିଲା ପ୍ରେମିକା

    ପୁଣି ସାମ୍ନାକୁ ଆସିଲା ପ୍ରେମ ପ୍ରତାରଣାର ଚିତ୍ର । କେତେବେଳେ ଝିଅ ଟିଏ ଧୋକା ଦେଉଛି ବୋଲି ପୁଅଟିଏ ମୃତ୍ୟ ମୁଖକୁ ଚାଲିଯାଉଛି ତ ଆଉ କେତେବେଳେ ପୁଅ ଟିଏ ଧୋକ୍କା ଦେଉଛି ବୋଲି ଝିଅଟିଏ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଉଥିବା ଦେଖିବାକୁ ମିଳୁଛି । ଆଜି ପୁଣି ସେଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଧୀନ ଝାଡ଼ଭୂମୀ ଗ୍ରାମରେ ଦେଖିବାକୁ ମିଳିଛି । ଏଠି ଜଣେ ଜୈନିକ ମହିଳା ଗ୍ରାମର ଶିବାଜି ନନ୍ଦଙ୍କ ଘର ଆଗରେ ବସିରହିଥିଲେ । ଘରର ଲୋକ ପଚାରିବାରୁ ସେ କହିଲେ ମୁଁ ଆପଣଙ୍କ ପୁଅକୁ ବିବାହ କରିଛି ମୁଁ ଏଇ ଘରର ବୋହୂ । ଏକଥା ଶୁଣି ସିଧା ମନା କରିଥିଲେ ଶିବାଜୀଙ୍କ ପରିବାର ଲୋକେ । ଆଉ ଉକ୍ତ ମହିଳାଙ୍କୁ ବିବାହର ପ୍ରମାଣ ପତ୍ର ମାଗିବା ସହ ଘର ଆଗରୁ ବାହାରିଯିବାକୁ କହିଥିଲେ । ଆଉ ଯାହା ଫଳରେ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

    ଘଟଣା ଶୁଣିବା ପରେ ନିକଟସ୍ଥ ଜଗନ୍ନାଥ ପ୍ରସାଦ ଥାନା କର୍ମଚାରୀ ଗ୍ରାମରେ ପହଞ୍ଚି ଧାରଣାରେ ବସିଥିବା ମହିଳାଙ୍କୁ ବୁଝାସୁଝା କରିବା ସହ ଗ୍ରାମବାସୀଙ୍କୁ ବୁଝାଇଥିଲେ । ହେଲେ ମହିଳାଙ୍କ ଏକା ଜିଦ୍ ତାଙ୍କୁ ନ୍ୟାୟ ମିଳିବା ସହ ସ୍ବାମୀଙ୍କ ଅଧିକାର । ଅନ୍ୟପଟେ ସ୍ବାମୀ ଶିବାଜୀ ଙ୍କର କୌଣସି ପ୍ରକାର ଖବର ନାହିଁ ସେ କୋଉଠି ଅଛନ୍ତି ।

    ସୂଚନା ଅନୁସାରେ ଆରତୀ ଜଣେ ଯାତ୍ରା କଳାକାର ବିଭିନ୍ନ ନାଟକରେ ଅଭିନୟ କରିବା ସହ ବିଭିନ୍ନ ନାଟ୍ୟ ସଂସ୍ଥାରେ ସେ କାମ କରି ଆସୁଥିଲେ । କିଛି ଦିନ ପରେ ଶିବାଜୀଙ୍କ ସହ ଆରତିଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିଲା ପରେ ଦୁହେଁ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ରେ ରହି ଆସୁଥିଲେ । ଆଉ ସେଠାରେ ଏକ ମନ୍ଦିରରେ ବିବାହ ମଧ୍ୟ କରିଥିଲେ । ପରେ ନିଜର ମିଳାମିଶା ର ପ୍ରମାଣ ସବୁ ନଷ୍ଟ କରିବା ସହ କେଉଁଆଡେ ଚାଲିଯାଇଥିବା ଅଭିଯୋଗ କରି ଆଜି ସ୍ବାମୀଙ୍କ ଘର ଆଗରେ ନ୍ୟାୟ ପାଇବା ଆଶାରେ ଧାରଣାରେ ବସିରହିଛନ୍ତି ଆରତୀ ।

  • ବଢୁଛି ଶୀତ, ମାଇନସ ଡିଗ୍ରୀରେ ସାରା ଓଡିଶା

    ବଢୁଛି ଶୀତ, ମାଇନସ ଡିଗ୍ରୀରେ ସାରା ଓଡିଶା

    ସାରା ରାଜ୍ୟରେ ବଢ଼ିଛି ଥଣ୍ଡା । ଅସହ୍ଯ ଜାଡରେ ଥରୁଛି ଓଡିଶା । ସବୁଠି କମିଛି ରାତି ତାପମାତ୍ରା । ଉତ୍ତର-ଉତ୍ତର ପୂର୍ବ ଦିଗରୁ ରାଜ୍ୟକୁ ବାୟୁ ପ୍ରବାହ ଯୋଗୁ ଶୀତ ବଢିଛି । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ଶୀତ ଲହରୀ ଜାରି ରହିଛି । ୫ ଡିଗ୍ରୀ ତଳକୁ ଖସିଲା ପାରଦ । ଧୀରେ ଧୀରେ ଶୀତ ପ୍ରକୋପ ବଡିବା ସହ ପାରଦ ଖସିବାରେ ଲାଗିଛି । ଗୁରୁବାର ଭଳି ଶୁକ୍ରବାର ମଧ୍ୟ ରାଉରକେଲା ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି । ୭.୨ ଡିଗ୍ରୀ ତାପମାତ୍ରା ସହ ରାଉରକେଲା ସବୁଠାରୁ ଥଣ୍ଡା ସହର । ଝାରସୁଗୁଡା ୭.୮, କେନ୍ଦୁଝର ୧୦.୬, ଚାନ୍ଦବାଲି ୧୩.୫, ବାଲେଶ୍ୱର, ସମ୍ବଲପୁର ଓ ହୀରାକୁଦ ୧୨ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱର ୧୪, ପୁରୀ ୧୬.୪, ପାରାଦୀପ ୧୪.୭, ଗୋପାଳପୁର ୧୫.୮ ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ , ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ । ଏହାସହ ଆହୁରି ଶୀତର ପ୍ରକୋପ ବଢିବାର ମଧ୍ୟ ସମ୍ଭାବନା ରହିଛି।

  • ଭାରତର ୧୮୫ ର ଜବାବରେ ଅଷ୍ଟ୍ରେଲିଆ ଆରମ୍ଭରୁ ଦୁର୍ବଳ

    ଭାରତର ୧୮୫ ର ଜବାବରେ ଅଷ୍ଟ୍ରେଲିଆ ଆରମ୍ଭରୁ ଦୁର୍ବଳ

    ବର୍ଡ଼ର-ଗାଭାସ୍କର ସିରିଜର ଅନ୍ତିମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ୧୮୫ ରନ୍ ରେ ଅଲଆଉଟ୍ ହୋଇଯାଇଛି। ବର୍ତ୍ତମାନ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଦେଇଛି ​​ଏବଂ ବୁମ୍ରା ଉସମାନ ଖାୱାଜାଙ୍କୁ ପାଭିଲିୟନକୁ ପଠାଇ ଦିନିକିଆ ଖେଳ ଶେଷ ହେବା ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟକା ଦେଇଛନ୍ତି । ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଭାରତୀୟ ଦଳ ପାଇଁ ପ୍ରଥମ ଇନିଂସରେ ସର୍ବାଧିକ ସ୍କୋର କରିଥିଲେ। ଦଳ ପାଇଁ ପଞ୍ଚମ ସ୍ଥାନରେ ବ୍ୟାଟିଂ କରୁଥିବା ପନ୍ତ ମୋଟ ୯୮ ବଲ୍ ର ସମ୍ନା କରିଥିଲେ। ଏହି ସମୟରେ ସେ ତିନି ଚାରି ଏବଂ ଗୋଟିଏ ଛଅ ସହାୟତାରେ ୪୦ ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ।

    ବିପକ୍ଷ ଟିମ ପକ୍ଷରୁ ପ୍ରଥମ ଇନିଂସରେ ସ୍କଟ୍ ବୋଲାଣ୍ଡ ସର୍ବାଧିକ ଚାରିଟି ୱିକେଟ୍ ନେବାରେ ସଫଳ ହୋଇଥିଲେ। ତାଙ୍କ ବ୍ୟତୀତ ମିଚେଲ ଷ୍ଟାର୍କ ତିନୋଟି ୱିକେଟ୍ ନେଇଥିଲେ, କ୍ୟାପଟେନ୍ ପ୍ୟାଟ୍ କମିନ୍ସ ଦୁଇଟି ଏବଂ ନାଥନ୍ ଲିଅନ୍ ଗୋଟିଏ ୱିକେଟ୍ ନେଇଥିଲେ।

  • 6G କୁ ନେଇ କ’ଣ ରହିଛି ଭାରତର ପ୍ରସ୍ତୁତି?

    6G କୁ ନେଇ କ’ଣ ରହିଛି ଭାରତର ପ୍ରସ୍ତୁତି?

    5G ସେବା ଆରମ୍ଭ ହେବାର ଦୁଇ ବର୍ଷ ପରେ ଭାରତରେ 6G ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି | ଏହି ଟେକ୍ନୋଲୋଜି ବେତାର ଯୋଗାଯୋଗ ପାଇଁ ଏକ ବରଦାନ ବୋଲି ପ୍ରମାଣ ହୋଇପାରେ | ଆସନ୍ତୁ ଏହି ବିଷୟରେ ବିସ୍ତୃତ ଭାବରେ ଜାଣିବା…

    ଭାରତରେ ବର୍ତ୍ତମାନ 5G ନେଟୱାର୍କର ପ୍ରଭାବ ଜୋରଶରରେ ଚାଲିଛି। ଜିଓ ଏବଂ ଏୟାରଟେଲ ରେକର୍ଡ ଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟକୁ 5G ନେଟୱାର୍କ ଯୋଗାଇ ଦେଇଛନ୍ତି। ଏଥି ସହିତ ଭୋଡାଫୋନ୍-ଆଇଡିଆ ଏବଂ ବିଏସ୍ଏନ୍ଏଲ୍ ମଧ୍ୟ ପାନ୍ ଇଣ୍ଡିଆ ସ୍ତରରେ ସେମାନଙ୍କର 5G ନେଟୱାର୍କ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। 5G ରେ, ଉପଭୋକ୍ତାମାନେ 1Gbps ପର୍ଯ୍ୟନ୍ତ ଇଣ୍ଟରନେଟ୍ ସ୍ପିଡ୍ ପାଆନ୍ତି, ଯାହା ପୂର୍ବ ପିଢ଼ି ତୁଳନାରେ ୧୦ ଗୁଣା ଅଧିକ ଦ୍ରୁତ ଅଟେ | 5G ଲଞ୍ଚ ହେବା ପରେ ସମଗ୍ର ବିଶ୍ୱରେ ଇଣ୍ଟରନେଟର ଏକ ବିପ୍ଳବ ହୋଇଥିଲା | ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ମେସିନ୍ ଲର୍ନିଂ (ML) ଇତ୍ୟାଦିର ଏକ ନୂତନ ଯୁଗ ଆରମ୍ଭ ହୋଇଛି | 5G ର ଉନ୍ନତ ସଂସ୍କରଣ ଆଗାମୀ ସମୟରେ ଲଞ୍ଚ ହେବ, ଯାହା ପରେ ସଂଯୋଗ ଆହୁରି ଉନ୍ନତ ହୋଇଯିବ |

    6G କ’ଣ?
    6G କୁ ଷଷ୍ଠ ପିଢ଼ି ର ବେତାର ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା କୁହାଯାଉଛି | ଯେଉଁଠି 5G ର ମୁଖ୍ୟ ଆକର୍ଷଣ ମୋବାଇଲ୍ ବ୍ରଡବ୍ୟାଣ୍ଡ ଏବଂ IoT ଉପକରଣଗୁଡ଼ିକର ଉନ୍ନତି ଉପରେ ଅଛି | ଏହି ସମୟରେ, 6G ଏହାକୁ ଅନ୍ୟ ସ୍ତରକୁ ନେଇଯିବ | ଏଥିରେ, ମୋବାଇଲ୍ ଇଣ୍ଟରନେଟ୍ ଡାଟାର ଗତି 1Tbps ପର୍ଯ୍ୟନ୍ତ ପହଞ୍ଚିଯିବ ଏବଂ ଲେଟେନ୍ସି ୧୦୦ ମାଇକ୍ରୋ ସେକେଣ୍ଡ ପର୍ଯ୍ୟନ୍ତ ହୋଇଯିବ, ଅର୍ଥାତ୍ ଆପଣ ରିୟଲ ସମୟରେ ବିନା ଲଗରେ ବିଶ୍ୱ ସହିତ ଭରଚୁଆଲି କନେକଟ ହୋଇଯିବେ |

  • ଏଣିକି ଓଡ଼ିଶାରେ ଗଡିବ ଡବଲ ବସ

    ଏଣିକି ଓଡ଼ିଶାରେ ଗଡିବ ଡବଲ ବସ

    ଓଡିଶା ଆସୁଛି ଡବଲ ଡେକର ବସ୍ । ଆଜି ମହାରାଷ୍ଟ୍ରରୁ ୫ଟି ଇଲେକ୍ଟ୍ରିକ୍ ବସ୍ ଓଡିଶା ଆସୁଥିବା ସୂଚନା ମିଳିଛି। ଏ ନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। ଆସିବା ମାତ୍ରେ ଏହା ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ହେବନାହିଁ। ଏହା ପ୍ରଥମେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବାକୁ ଆସିଥିବା ଅତିଥି ମାନଙ୍କ ପାଇଁ ବ୍ୟବହାର ହେବ ।

    ଡବଲ ଡେ଼କରେ ୬୪ ଜଣ ଯାତ୍ରୀ ବସିପାରିବେ ଏବଂ ଏଥିରେ ୨୪୦ କିଲୋୱାଟ ବ୍ୟାଟେରୀ ର କ୍ଷମତା ରହିଛି, ଥରେ ଚାର୍ଜ ହେଲେ ୧୫୦ କିଲୋମିଟର ଏହି ଡବଲ ଡେ଼କ ବସ ଚାଲିପାରିବ ।

    ଗେରୁଆ ରଙ୍ଗରେ ତିଆରି ହୋଇଥିବା ଏହି ବସରେ ଓଡିଶାର କଳା ସଂସ୍କୃତିର ଛାପ ରହିଛି। ବସ୍‌ରେ କୋଣାର୍କ ଚକ , ଶାନ୍ତିସ୍ତୁପ, ଗୋଟିପୁଅ ନୃତ୍ୟ ଏବଂ ଅନ୍ୟାନ୍ୟ କଳାକୃତୀର ଛାପ ଦେଖିବାକୁ ମିଳିବ। ଏହି ବସ୍ କଟକ-ଭୁବନେଶ୍ଵର-ପୁରୀରେ ଚଳାଚଳ କରିବ। ମୁମ୍ବାଇର ଏକ ସଂସ୍ଥ୍ୟ ଏହି ବସ୍‌ ତିଆରି କରୁଛି। ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ରାଜଧାନୀ ଭୁବନେଶ୍ଵରରେ ଡବଲ ଡେକର୍ ବସ୍ ପହଞ୍ଚିବ।