Category: ମୁଖ୍ୟ ଖବର

  • ବଢି ଚାଲିଛି ଝାଡାବାନ୍ତି ଭଣ୍ଡାରିପୋଖରୀ ପରେ ଧାମନଗରରେ ବ୍ୟାପିଲା

    ବଢି ଚାଲିଛି ଝାଡାବାନ୍ତି ଭଣ୍ଡାରିପୋଖରୀ ପରେ ଧାମନଗରରେ ବ୍ୟାପିଲା

    ରାଜ୍ୟରେ ଆତଙ୍କ ଖେଳାଇଛି ଝାଡାବାନ୍ତି । ଭଣ୍ଡାରିପୋଖରୀ ପରେ ଧାମନଗରକୁ ବ୍ୟାପିଲା ଝାଡ଼ାବାନ୍ତି। ଦୁଇ ଦିନରେ ୬୦ ଜଣ ଆକ୍ରାନ୍ତ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଚିକିତ୍ସିତ ହୋଇଥିବା ଜଣାପଡିଛି । ଶନିବାର ୪୬ ଆକ୍ରାନ୍ତ ଚିକିତ୍ସିତ ହୋଇଥିବାବେଳେ ରବିବାର ଦିନ ଅପରାହଣ ୩ଟା ସୁଦ୍ଧା ୧୪ ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଆସିଛନ୍ତି। ସେମାନଙ୍କୁ ସାଲାଇନ ଓ ଔଷଧ ଦିଆଯାଇ ଛଡ଼ାଯାଇଛି। ଏହାସହ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ଭଦ୍ରକ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ଏହାସହ ପରିସ୍ଥିତିର ମୁକାବିଲା ଲାଗି ସ୍ବତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଛି ବୋଲି ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରର ଅଧୀକ୍ଷକ ମନ୍ମୟ କୁମାର ସାମନ୍ତସିଂହାର କହିଛନ୍ତି।

    ଗତ ସପ୍ତାହେ ହେଲା ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲା। ଏବେ ବି ସ୍ଥିତିରେ ସୁଧାର ଆସିନି। ଅପରପକ୍ଷରେ ଯାଜପୁରକୁ ଲାଗିଥିବା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତର ତିଖିଲିଆ, ଦାଣ୍ଡକୂଳ ଓ ବିରୋଳିରେ ଆକ୍ରାନ୍ତଙ୍କ ସଂଖ୍ଯା ବଢ଼ିଥିଲା। ତିଖିଲିଆ ଅଞ୍ଚଳରୁ ୧୫ରୁ ଅଧିକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ଦେଖି ଭଦ୍ରକ ଜିଲ୍ଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଓ ଧାମନଗର ବ୍ଲକ ପ୍ରଶାସନ ପ୍ରସ୍ତୁତ ରହିଥିଲା।

    ବକରିଦ୍ ଓ ରଜ ଭଳି ଉତ୍ସବରେ ଘରେ ପିଠାପଣା ଖାଦ୍ୟ ସାଂଗକୁ ବର୍ଷା ସମୟରେ ପିଇବା ପାଣି ଦୂଷିତ ହେବା କାରଣରୁ ଧାମନଗର ଅଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ଯା ବଢୁଥିବା ଜଣେ ଆକ୍ରାନ୍ତ କହିଛନ୍ତି। ରାଧାବଲ୍ଲଭପୁରର ଗୋଟିଏ ପରିବାରର ୫ ଜଣ ଲୋକ କାଲିଠାରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ କହିବା ଅନୁସାରେ ପହିଲି ରଜରେ ପୋଡ଼ପିଠା, ଆମ୍ବ ଓ ପଣସ ଖାଇଥିଲେ। ତା ସାଂଗକୁ ଗାଁ ନଳକୂଅରୁ ପାଣି ପିଇଥିଲେ। ଏହାପରେ କାଲି ସକାଳୁ ଘରର ୩ ପିଲାଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଅପରାହଣକୁ ବାପା ମାଆଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇ ଯାଇଥିଲା। ସମସ୍ତଙ୍କୁ ପଡ଼ିଶା ଘର ଲୋକେ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସାଲାଇନ ଓ ଇଂଜେକସନ ନେବା ପରେ ସୁସ୍ଥ ହେବାରୁ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି।

    ଆଜି ସକାଳୁ ଧାମନଗର ସହର ଓ ଏହାର ଆଖପାଖ ଅଞ୍ଚଳରୁ ୧୪ ଜଣ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସିଥିଲେ। ସେମାନଙ୍କ ଭିତରୁ ୧୦ ଜଣ ସାଲାଇନ୍ ଓ ଇଂଜେକସନ ନେଇ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି। ସେମାନଙ୍କୁ ଚିକିତ୍ସା କରାଯାଉଛି ବୋଲି ଦାୟିତ୍ବରେ ଥିବା ଡାକ୍ତର କହିଛନ୍ତି। ଏହାସହ ପ୍ରତି ମୁହୂର୍ତ୍ତରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲାପାଳଙ୍କୁ ଅବଗତ କରାଯାଉଛି। ଏହାସହ ଡାକ୍ତରଖାନାରେ ଆବଶ୍ୟକ ପରିମାଣର ସାଲାଇନ ଓ ଇଂଜେକସନ ମହଜୁଦ୍ ରଖାଯାଇଛି। ସ୍ବାସ୍ଥ୍ୟକର୍ମୀଙ୍କୁ ମଧ୍ଯ ସଜାଗ ରଖାଯାଇଛି ବୋଲି ଅଧୀକ୍ଷକ କହିଛନ୍ତି।

  • ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା: ଦୋଷୀଙ୍କୁ ୪୮ ଘଂଟା ମଧ୍ୟରେ ଗିରଫ ନକଲେ ଆନ୍ଦୋଳନର ଚେତାବନୀ

    ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା: ଦୋଷୀଙ୍କୁ ୪୮ ଘଂଟା ମଧ୍ୟରେ ଗିରଫ ନକଲେ ଆନ୍ଦୋଳନର ଚେତାବନୀ

    ବନ କର୍ମଚାରୀଙ୍କୁ ଦୁଇଟି ପୃଥକ ପୃଥକ ଘଟଣାରେ ବନ କର୍ମଚାରୀଙ୍କ ସଂଘବଦ୍ଧ ଭାବେ ଆକ୍ରମଣ ଘଟଣାରେ ଆଜି ଓଡିଶା ନନ ଗେଜେଟେଡ ଫରେଷ୍ଟ ସର୍ଭିସ ଆସୋସିଏସନ, କେନ୍ଦୁଝର ଶାଖାର ଏକ ଜରୁରୀ ବୈଠକ କେନ୍ଦୁଝର ସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ପରେ ବନ କର୍ମଚାରୀମାନେ ସନ୍ଧ୍ୟାରେ କେନ୍ଦୁଝର ବନଖଣ୍ଡ କାର୍ଯ୍ୟାଳୟ ଆସି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଥିଲେ । ମୁଖ୍ୟ ଗେଟରେ ପୋଲିସ ବନ କର୍ମଚାରୀଙ୍କୁ ନ ଛାଡିବାରୁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ବନକର୍ମଚାରୀମାନେ ବନଖଣ୍ଡ କାର୍ଯ୍ୟାଳୟ ଭିତରକୁ ଯାଇ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଥିଲେ । ପରେ ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡି ଆନ୍ଦୋଳନ ସ୍ଥଳକୁ ଆସି ଓଡିଶା ନନ ଗେଜେଟେଡ ଫରେଷ୍ଟ ସର୍ଭିସ ଆସୋସିଏସନର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ।

    ଏହା ସହ କେନ୍ଦୁଝର ଶାଖାର ସଭାପତି ଦୀପକ ସ୍ୱାଇଁ, ସମ୍ପାଦକ ଭୂପତି କୁମାର ସେଠୀ, କାଳନ୍ଦି ସାମଲ, ଆଶୁତୋଷ ଚକ୍ରବର୍ତ୍ତୀ, ଜତିନ୍ଦ୍ର ସାହୁ, ମିତ୍ରଭାନୁ ନାୟକ ଏବଂ ବନ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ।

    ଅପରାଧିଙ୍କୁ ୪୮ ଘଂଟା ମଧ୍ୟରେ ଗିରଫ ଏବଂ ଅନ୍ୟ ଦାବୀ ଉପରେ ବନଖଣ୍ଡ ଅଧିକାରୀ ସଂଘର କର୍ମକର୍ତ୍ତାଙ୍କ ସହ ଆଳୋଚନା ପରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

    ସୂଚନା ଅନୁସାରେ, ବଡବିଲ ରେଞ୍ଜ ଗୁଆଲି ସେକ୍ସନ କାରୋ ସଂରକ୍ଷିତ ଜଙ୍ଗଲରେ ବନଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିବାବେଳେ ବଣୁଆ ହାତୀ ଆକ୍ରମଣରେ ରୀନା ମୁଣ୍ଡା ମୃତ୍ୟୁବରଣ କରିଥିବାବେଳେ ତାଙ୍କ ସ୍ୱାମୀ ରାଜୁ ମୁଣ୍ଡା ଗୁରୁତର ଆହତ ହୋଇଥିଲେ । ଘଟଣା ନେଇ ବନ ବିଭାଗ ସୂଚନା ପାଇବା ପରେ ଘଟଣାସ୍ଥଳକୁ ଯାଇ ସେମାନଙ୍କୁ ଆମ୍ବୁଲାନ୍ସ ଓ ଅଫିସ ଗାଡିରେ ଆଣିବା ବେଳେ କେନ୍ଦୁଡିହି ଗ୍ରାମ ନିକଟରେ ଗାଡି ଅଟକାଇ ବଡବିଲ ରେଞ୍ଜର ସଞ୍ଜିବ ରାଉତ,ଗୁଆଲି ଫରେଷ୍ଟର ଶରତ କୁମାର ପଟ୍ଟନାୟକ, ପ୍ରୋଟେକସନ ସ୍କ୍ୱାର୍ଡର କର୍ମଚାରୀ ମୂରଲୀଧର ନାୟକ,ବଚନ ମୁଣ୍ଡା, ଶିବ ନାଏକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଡୁ୍ୟଟିରେ ଥିବାବେଳେ ଫରେଷ୍ଟର ଶରତ କୁମାର ପଟ୍ଟନାୟକଙ୍କୁ ରୁଗୁଡି ଆଇଆଇସି ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ମହିଳା ଏବଂ ପୁରୁଷମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ଖାକି ପୋଷାକକୁ ଛିଣ୍ଡାଇ ପକେଟରୁ ଟଙ୍କା ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଯାଇଥିଲେ । ପରେ ଘଟଣା ନେଇ ସୂଚନା ପାଇବା ପରେ ଏକ ପ୍ଲାଟୁନ ପୋଲିସ ପହଁଚି ଫରେଷ୍ଟର ଶରତ କୁମାର ପଟ୍ଟନାୟକ ଏବଂ ଅନ୍ୟ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ବନପାଳ ଶରତ କୁମାର ପଟ୍ଟନାୟକଙ୍କୁ ବଡବିଲ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ଅଦ୍ୟାବଧି ରୁଗୁଡି ପୋଲିସ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

    ଆଜି ଓଡିଶା ନନ ଗେଜେଟେଡ ଫରେଷ୍ଟ ସର୍ଭିସ ଆସୋସିଏସନ,କେନ୍ଦୁଝର ଶାଖା ପକ୍ଷରୁ କେନ୍ଦୁଝର ଡିଭିଜନର ୭ଟି ରେଞ୍ଜର ଫରେଷ୍ଟର,ଫରେଷ୍ଟ ଗାର୍ଡ ଏବଂ ଅନ୍ୟ ବନ କର୍ମଚାରୀମାନେ ୬ ଦଫା ଦାବୀ ନେଇ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ,ଡିଏଫଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।

  • କୁହୁଡ଼ି ରଜ ପଡିଆରେ ରଜ ମହୋତ୍ସବ

    କୁହୁଡ଼ି ରଜ ପଡିଆରେ ରଜ ମହୋତ୍ସବ

    ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅଧିନସ୍ଥ କୁହୁଡି ଗ୍ରାମର ମା’ ବ୍ୟାଘ୍ରଦେବୀ ସାଂସ୍କୃତିକ ପରିଷଦ ଓ ଅନ୍ନପୂର୍ଣ୍ଣା ଫାଇନାନ୍ସ ପକ୍ଷରୁ ଚତୁର୍ଥ ବାର୍ଷିକ ରଜ ମହୋତ୍ସବ ଅନୁଷ୍ଠାନିକା ଭାବେ ଉଦ୍ଘାଟିତ ହୋଇଛି । ଆଜି ଠାରୁ ୫ ଦିନ ପର୍ଯ୍ୟନ୍ତ ରଜ ମହୋତ୍ସବ ପାଳନ ହେବ । ଟାଙ୍ଗୀ ବ୍ଲକର ମହିଳାମାନେ ଏହି ରଜ ମହୋତ୍ସବରେ ବିଭିନ୍ନ ପ୍ରତିଯୋଗିତା ଅଂଶ ଗ୍ରହଣ କରିଛନ୍ତି । ଆଜି ପାରମ୍ପରିକ ପୁଚି ଖେଳ, ଝୋଟି, ଦଉଡି ଡିହା, ମ୍ୟୁଜିକ ଚେୟାର, ମେହେନ୍ଦି, ଲେମ୍ବୁ ଚମଚା ଓ ଖେଳକୁଦ ପ୍ରତିଯୋଗିତାରେ ମହିଳା ମାନେ ଭାଗ ନେଇଥିଲେ । ପୂର୍ବତନ ସରପଞ୍ଚ ଜୟଦେବ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହୋତ୍ସବରେ ଅତିଥି ଭାବେ ଅନ୍ନପୂର୍ଣ୍ଣା ଫାଇନାନ୍ସର ସିଇଓ ସଞ୍ଜୟ ପଟ୍ଟନାୟକ, ଅନୁଷ୍ଠାନର ସମ୍ପାଦକ ଲୁଲୁ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ଜେନା, ବରିଷ୍ଠ ଆଇନଜୀବୀ ମନୋଜ ମାନସିଂହ, ପୂର୍ବତନ ସରପଞ୍ଚ ପବିତ୍ର ହରିଚନ୍ଦନ, ପୂର୍ବତନ ସରପଞ୍ଚ ବିପିନ ଉଦୟସିଂହ ପ୍ରମୁଖ ଯୋଗ ଦେଇଥିଲେ । ଆସନ୍ତାକାଲି ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଓ ତା’ପର ଦିନ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇକ ଆଖଡ଼ା, ଓଡିଶୀ, ସମ୍ବଲପୁରୀ, ଛଉ, ୱେଷ୍ଟର୍ଣ୍ଣ ଡ୍ୟାନ୍ସ, ସଂଗୀତ, ଆଦିବାସୀ ନୃତ୍ୟ ଓ ଘୋଡା ନାଚ ଆଦି ପରିବେଷଣ କରାଯାଉଛି । ରାଜ୍ୟସ୍ତରୀୟ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ।

  • ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା

    ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା

    ଏନ୍‌ଟିଏ ନିଟ୍ (ୟୁଜି-ମେଡିକାଲ) ୨୦୨୫ ପରୀକ୍ଷାରେ ବରଗଡ଼ର କ୍ରୀଷ୍ଣା ବିକାଶ, ମୋଟ୍ ୧୫୦ ଜଣ ଛାତ୍ରଛାତ୍ରୀ ସଫଳ ହୋଇ ନୂତନ ରେକର୍ଡ୍ ସୃଷ୍ଟି କରିଛନ୍ତି । ମୋଟ୍ ୨୩ଜଣ ଛାତ୍ର ୫୦୦ରୁ ଉର୍ଦ୍ଧ ମାର୍କ, ୪୩ଜଣ ଛାତ୍ରଛାତ୍ରୀଙ୍କ ଦେଶର ଓ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜରେ ସିଟ୍ ପାଇବା ଆଶାୟୀ ବୋଲି କ୍ରୀଷ୍ଣା ବିକାଶ ଗ୍ରୁପ୍‌ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ବିବେକ ଦାଶରୀ ପ୍ରକାଶ କରିଛନ୍ତି । ବିକାଶ ଆବାସିକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ ଛାତ୍ର ପ୍ରତ୍ୟୁଷ କୁମାର ସାହୁ ( ସରଣ୍ଡାପାଲି, ବରପାଲି,) ୫୮୨ ମାର୍ଚ୍ଚ ସହ ସର୍ବଭାରତୀୟ ଓବିସି ବର୍ଗରେ (୧୧୭୮ଗ୍ୟାଙ୍କ୍), ବିକାଶ ସୁପର-୪୦ ବ୍ୟାଚ୍‌ର ରୀତିକା ଅଗ୍ରୱାଲ ୫୭୮ ମାର୍କ ସହିତ (୧୯୭୨ ଗ୍ୟାଙ୍କ୍) ଏବଂ କାନ୍ତିପୁଡି ରୁପାରଞ୍ଜିତା ୫୭୫ ମାର୍କ (୨୨୪୨ ଗ୍ୟାଙ୍କ୍) ସହ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ବୋଲି ବିକାଶ ଆବାସିକ ବିଦ୍ୟାଳୟ ସିନିୟର୍ ସେକେଣ୍ଡାରୀ ଅଧ୍ୟକ୍ଷ ଶ୍ରୀ ଚିତରଞ୍ଜନ ପତି ପ୍ରକାଶ କରିଛନ୍ତି । ଅନ୍ୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପିୟୁଷ ସାହୁ ୫୭୩ ମାର୍କ, ପିୟୁଷ ମିଶ୍ର ୫୬୭ ମାର୍କ, ରୋନକ୍ ସାହୁ ୫୬୫ ମାର୍କ, ମୁକେଶ ପୁରୋହିତ ୫୬୨ ମାର୍କ, ରାକେଶ ଚନ୍ଦ୍ର ପ୍ରଧାନ ୫୬୧ମାର୍କ, ଶୁଭମ ପଣ୍ଡା ୫୫୨ମାର୍କ, ହର୍ଷିତ ୫୪୬ ମାର୍କ, ଦିପଲ ୫୩୫ ମାର୍କ, ଅମରନାଥ ୫୩୪ ମାର୍କ, ନମିତା ୫୩୪ ମାର୍କ, ଅଶୁତୋଷ ୫୨୪ ମାର୍କ, ଆର୍ଯନ ୫୨୨ ମାର୍କ, ଅପର୍ଣା ୫୧୮ ମାର୍କ, ରଜତ ୫୧୮ ମାର୍କ, ନମ୍ରତା ୫୧୨ ମାର୍କ, ମଧୁସୁଦନ ୫୧୧ ମାର୍କ, ନିର୍ଲିପ୍ତା ୫୦୯ ମାର୍କ, ଜତିନ୍ଦ୍ର ୫୦୧ ମାର୍କ, ନବନୀତ ବିଶ୍ଵାଳ ୫୦୦ ମାର୍କ ସହ ସର୍ବଭାରତୀୟ ଏସ୍‌ଟି ବର୍ଗରେ ୨୯୨ ଗ୍ୟାଙ୍କ୍ ରଖିଥିବାବେଳେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରଗଡ଼ର +୨ ଦ୍ଵିତୀୟ ବର୍ଷ ଛାତ୍ରୀ ଲିସା ପ୍ରଧାନ ୫୨୧ ମାର୍କ ରଖିଥିବାବେଳେ ୨୦୨୩-୨୪ ବ୍ୟାଚ୍ ର ବିଭ୍ରାଂଶୁ ୫୬୦ ମାର୍କ, ଆୟୁଷ୍ମନ୍ତ ୫୪୦ ମାର୍କ, ସୁଧର ୫୩୯ ମାର୍କ, ରିଶିକେଷ ୫୩୫ ମାର୍କ, ବରୁଣ ୪୪୩ ରଖ୍ ଅନୁଷ୍ଠାନ ପାଇଁ ଗୌରବ ଆଣିଥିବାରୁ କ୍ରୀଷ୍ଣା ବିକାଶ ଗ୍ରୁପ୍ ର ଚେୟାର୍‌ମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ଖୁସି ବ୍ୟକ୍ତ କରିବା ସହିତ ଶିକ୍ଷାବର୍ଷ ୨୦୨୪-୨୫ ର ସମସ୍ତ ପରୀକ୍ଷା ର ଫଳାଫଳ ଉପରେ ବିଶେଷ ବିବରଣୀ ଦେଇ ପ୍ରକାଶ କରିଥିଲେ ଯେ, ଚଳିତ ବର୍ଷ ପ୍ରକାଶିତ ଆଇଆଇଟି-ଜେଇଇ (ମେନ୍) ସେସନ୍- ୨ ପ୍ରବେଶିକା ପରୀକ୍ଷାରେ ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ର ଛାତ୍ର ପ୍ରତ୍ୟୁଷ କୁମାର ସାହୁ ୯୯.୩୯ ପର୍ସେଣ୍ଟାଇଲ ରଖୁଥ‌ିବାବେଳ ୪ ଜଣ ଛାତ୍ରଛାତ୍ରୀ ୯୮ପର୍ସେଣ୍ଟାଇଲ ଉର୍ଦ୍ଧରେ, ୧୪ ଜଣ ଛାତ୍ରଛାତ୍ରୀ ୯୭ ପର୍ସେଣ୍ଟାଇଲ ଉର୍ଦ୍ଧରେ, ୨୧ ଜଣ ଛାତ୍ରଛାତ୍ରୀ ୯୫ ପର୍ସେଣ୍ଟାଇଲରୁ ଉର୍ଦ୍ଧ୍ବରେ ଏବଂ ୮୭ ଜଣ ଛାତ୍ରଛାତ୍ରୀ ଆଇଆଇଟି- ଜେଇଇ(ମେନ୍) ସେସନ୍-୨ରେ ଉତ୍‌ତୀର୍ଣ୍ଣ ହୋଇଥିବାବେଳେ ଆଇ.ଆଇ.ଟି. ଜେଇଇ (ଏଡଭାନ୍ସଡ୍) ପ୍ରବେଶିକା ପରୀକ୍ଷାରେ ୪ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ବେଳେ ହେମନିଲ ଭୁଏ ସର୍ବଭାରତୀୟ ୩୬୬ (ଏସ୍‌ଟି) ଗ୍ୟାଙ୍କ୍‌ରେ ଉତୀର୍ଥ ହୋଇଛନ୍ତି । ସିବିଏସ୍‌ସି ଦଶମ ଓ ଦ୍ବାଦଶ ଶ୍ରେଣୀରେ ୨୦୦ ରୁ ଅଧିକ ଛାତ୍ରଛାତ୍ରୀ ୯୦% ରୁ ଉର୍ଦ୍ଧ୍ବ ମାର୍କ ରଖ୍ ଉତୀର୍ଣ୍ଣ ହୋଇଥିବାବେଳେ +୨ ବିଜ୍ଞାନ ଓ ବାଣିଜ୍ୟରେ ୧୯ ଜଣ ୯୦% ଓ ୭୭ ଜଣ ୫୦୦ ରୁ ଉର୍ଦ୍ଧ୍ବ ମାର୍କ ରଖୁଥ‌ିବାର ପ୍ରକାଶ କରିଛନ୍ତି ।

  • ଚାନ୍ଦବାଲି ବ୍ଲକରେ ପୁଣି ଅଶାନ୍ତ ଭୂଇଁବୃତ୍ତି: ବିଜେଡ଼ି ବିଜେପି କର୍ମୀ ହାତାହାତି ନେତା ଆରମ୍ଭ କରିଦେଲେ ରାଜନୀତି!

    ଚାନ୍ଦବାଲି ବ୍ଲକରେ ପୁଣି ଅଶାନ୍ତ ଭୂଇଁବୃତ୍ତି: ବିଜେଡ଼ି ବିଜେପି କର୍ମୀ ହାତାହାତି ନେତା ଆରମ୍ଭ କରିଦେଲେ ରାଜନୀତି!


    ରାଜନୈତିକ ଦୃଷ୍ଟି କୋଣରୁ ରେଡଜୋନ ଭାବେ ପରିଚିତ ଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଭୂଇଁବୃତ୍ତି ପଞ୍ଚାୟତ କିଛି ଦିନର ବ୍ୟବଧାନ ପରେ ପୁଣିଥରେ ଅଶାନ୍ତ ହୋଇ ପଡ଼ିଛି । ଗତକାଲି ପୁର୍ବ ଶତୃତାକୁ କେନ୍ଦ୍ର କରି ଭୂଇଁବୃତ୍ତି ପଞ୍ଚାୟତ ଭୂଇଁବୃତ୍ତି ଗ୍ରାମର ବିଜେଡ଼ି କର୍ମୀ ଅଭୟ ବିଶ୍ଵାଳ ଏବଂ ବିଜେପି କର୍ମୀ ମଧୁସୁଦନ ନାୟକଙ୍କ ମଧ୍ୟରେ ହୋଇଥିଲା ହାତାହାତି । ଏହି ଆକ୍ରମଣ ପ୍ରତି ଆକ୍ରମଣରେ ଅଭୟ ଏବଂ ମଧୁସୁଦନ ଗୁରୁତର ହୋଇ ଚାନ୍ଦବାଲି ମେଡ଼ିକାଲର୍ ପହଞ୍ଚିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ବିଜେପି କର୍ମି ସଂଘବଧ ଭାବେ ଅଭୟଙ୍କୁ ଆକ୍ରମଣ କରିଥିବା ଅଭୟ କହିଥିବା ବେଳେ ଅଭୟ ମଧୁସୁଦନଙ୍କ ଘରେପଶି ଆକ୍ରମଣ କରିଥିବା ମଧୁସୁଦନଙ୍କ ପତ୍ନି ଅଭିଯୋଗ କରିଛନ୍ତି ।ଘଟଣା ଯାହା ହେଉନା କାହିଁକି, କିନ୍ତୁ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ପୋଲିସ୍ ସଠିକ୍ ତଦନ୍ତ କରି ଉଚିତ୍ ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନ ଜୋରଦାର ହେବବୋଲି ବିଜେଡି ନେତା ପ୍ରିନ୍ସ ନାୟକ ଧମକ ଦେଇଛନ୍ତି ସେହିପରି ବିଜେପି ନେତା ଚନ୍ଦନ ରାଉତ ବିଜେଡ଼ି କର୍ମୀ ଏବଂ ନେତାଙ୍କୁ ବୁଲ୍ଡୋଜର ଧମକ ଦେଇଛନ୍ତି । ଦେଖିବାକୁ ବାକି ରହିଲା ଆଇନ୍ ଆଇନ୍ ବାଟରେ ଯାଉଛି ନା ବୁଲ୍ଡୋଜର ଶାସନରେ ଶାସିତ ହେଉଛି ।

  • ଜଳେଶ୍ବରରେ ଗଡ଼ିଲା ‘ବିକାଶ ବାହନ’

    ଜଳେଶ୍ବରରେ ଗଡ଼ିଲା ‘ବିକାଶ ବାହନ’

    ରାଜ୍ୟରେ ବିଜେପି ସରକାରକୁ ଏକ ବର୍ଷ ପୂରଣ ହୋଇଛି । ଏହି ଅବସରରେ ‘ବିକାଶ ବାହନ’ର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରୁ ଏହାର ରାଜ୍ୟସ୍ତରୀୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜିଠୁ ଜୁନ୍ ୨୧ ଯାଏଁ ସାରା ରାଜ୍ୟରେ ଗଡ଼ିବ ବିକାଶ ବାହନ । ୩୧୪ଟି ବ୍ଲକ, ୧୧୫ ଟି ULB ଏବଂ ୫ଟି ପୌର ନିଗମରେ ବର୍ଷକ ଭିତରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ପ୍ରଚାର ପ୍ରସାର କରିବ ଏହି ସ୍ୱତନ୍ତ୍ର ଭ୍ୟାନ୍ ।

    ସରକାରଙ୍କ ବିକାଶ କଥା ନେଇ ପଂଚାୟତ ପଂଚାୟତ କୁ ବୁଲିବ ବିକାଶ ବାହାନ । ଏହି ବିକାଶ ବାହନ ଙ୍କୁ ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀ ଉଦଘାଟନ କଲା ପରେ ଜଳେଶ୍ୱର ବ୍ଲକରେ BDO, ଗୌରଙ୍ଗ ଚରଣ ଘୋଷ ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏହି ରଥ ଆଜି ଚାରୋଟି ପଂଚାୟତ ରେ ଲୋକଙ୍କ ପାଖକୁ ଯିବ । ବର୍ଷକ ଭିତରେ ରାଜ୍ୟ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବ ।

    ସରକାରଙ୍କ କେତେକ ପ୍ରମୁଖ ସଫଳତା ଏବଂ ପଦକ୍ଷେପ ଯେମିତି ‘ବିକାଶ ଗାଁ ବିକାଶିତ ଓଡିଶା’ ‘ସୁଭଦ୍ରା ଯୋଜନା’, ‘ଆଣ୍ଟୋଦୟ ଗ୍ରୁହା ଯୋଜନା’, ଆଦିବାସୀ ଏବଂ ଏସସି କଲ୍ୟାଣ, ଯୁବକମାନଙ୍କ ପାଇଁ ଦକ୍ଷତା ବିକାଶ ଏବଂ ବିଭିନ୍ନ କ୍ରୀଡ଼ାର ପ୍ରୋତ୍ସାହନ, କୃଷି ପାଇଁ ସବସିଡି, ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନୀତି -୨୦୨୦ , ଗୋଦାବରୀଶା ମିଶ୍ର ଆଦର୍ଶ ବିଦ୍ୟାଲୟ ଯୋଜନା, ଶିଶୁ ବାଟିକା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଜଣାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

  • ବାଲି ଚୋରିକୁ ନେଇ ପୋଲିସ-ଲଘୁ ଖଣିଜ ବିଭାଗରେ ଚାଲିଛି କଣ ?

    ବାଲି ଚୋରିକୁ ନେଇ ପୋଲିସ-ଲଘୁ ଖଣିଜ ବିଭାଗରେ ଚାଲିଛି କଣ ?

    କେନ୍ଦୁଝର ଜିଲ୍ଲା ଚମ୍ପୁଆ ତହସିଲର ଶସାଙ୍ଗ ଅରଡେଇ ବାଲିଘାଟରୁ ବେଆଇନ ବାଲି ଚୋରାଚାଲାଣ ନେଇ ଏଥିରେ ଅଂକୁଶ ଲଗାଇବାକୁ ଗ୍ରାମବାସୀମାନେ ଅଧିକାରିଣୀଙ୍କୁ ଫୋନ ଯୋଗେ ଅନୁରୋଧ କରୁଥିବାବେଳେ ଅଧିକାରିଣୀ କହୁଛନ୍ତି ଯେ, ଚୋରୀ ନେଇ ପୁଲିସକୁ କୁହନ୍ତୁ। ଆମର ଷ୍ଟାଫ ନାହାନ୍ତି। ଆମେ ଗାଡି ଅଟକାଇ ପାରୁନାହୁଁ। ପୋଲିସ ଉପସ୍ଥିତିରେ ମାଫିଆ ଗାଡି ଛଡାଇ ନେଉଛନ୍ତି। ଚମ୍ପୁଆ ଆଉ ଚମ୍ପୁଆ ହୋଇ ରହି ନାହିଁ। ଆପଣ ଆମ ପାଖରୁ କିଛି ଆଶା କରନ୍ତୁ ନାହିଁ। ପୋଲିସକୁ କୁହନ୍ତୁ । ପୋଲିସ ଚାହିଁଲେ ଯାହାକିଛି ହେବ ପୋଲିସ ଆମକୁ ସାହାଯ୍ୟ କରୁନାହାଁନ୍ତି। ଆପଣ ଯାହାକୁ କହିଲେ ମଧ୍ୟ କିଛି ଲାଭ ନାହିଁ । ଏଣୁ ବାଲି ଚୋରୀକୁ ନେଇ ଆମେ ଆପଣ ମାନଙ୍କୁ କିଛି ସାହାଯ୍ୟ କରିପାରିବୁ ନାହିଁ ଏପରି ଉତ୍ତର ଦେଉଛନ୍ତି ଖୋଦ ଚମ୍ପୁଆ ଲଘୁ ଖଣିଜ ବିଭାଗ ଅଧିକାରୀଣୀ ସୁପ୍ରଭା ନାଏକ । ଥରେ ଶୁଣନ୍ତୁ ସେ କଣ କହୁଛନ୍ତି

    ଏବେ ଏ ଅଡିଓ ଭାଇରାଲ ହେଉଛି । ବାଲି ଚୋରୀ ଉପରେ ଅଙ୍କୁଶ ଲଗାଇବା ଖୋଦ ବିଭାଗର କର୍ତ୍ତୃତ୍ଵରେ ରହୁ ନ ଥିବା ଓ ଚାହିଁ ମଧ୍ଯ ବିଭାଗ ବାଲିଚୋରୀକୁ ରୋକ ଲଗାଇବାକୁ ଅସମର୍ଥ ହେବା ଏବେ ଚମ୍ପୁଆ ତହସିଲରେ ବାଲିଚୋରା କାରକାରର ଭିତିରି ଗୁମରକୁ ସ୍ପଷ୍ଟ କରିଛି ।

    କହିରଖୁଛୁ କି, ଗତ ସପ୍ତାହରେ ଅଧିକାରିଣୀ ସୁପ୍ରଭା ନାଏକ ଚମ୍ପୁଆ ତହସିଲ ଜ୍ୟୋତିପୁର ଅଞ୍ଚଳରେ ଚୋରାମାଟି ଚାଲାଣ ବେଳେ ଚ଼ଢାଉ କରି ଗୋଟିଏ ଜେସିବି ମେସିନ ସହିତ କିଛି ଟ୍ରାକଟରକୁ ଅଟକ ରଖିଥିବାବେଳେ ଗାଡି ମାଲିକ ଆସି ତାଙ୍କୁ ଧମକ ଚମକ ଦେଇ ଗାଡି ନେଇଯିବା ଏହାକୁ ନେଇ ସେ ବାରିଆ ଥାନାରେ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ପରେ ସେ ଏହି ପରି ଉତ୍ତର ରଖିଥିବା ସ୍ପଷ୍ଟ କରୁଛି ।

  • ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା

    ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା

    ବରଗଡ କଲ୍ୟାଣ ମଣ୍ଡପ ଠାରେ ଆଜି ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସରକାର ଲୋପ ପାଇଥିବା ପାରମ୍ପାରିକ ପୁଷ୍ଟିକର ଖାଦ୍ୟକୁ କିପରି ପୁଣିଥରେ ଲୋକେ ଗ୍ରହଣ କରିବେ ସେଥିପାଇଁ ଦୃଷ୍ଟି ଦେଇଛନ୍ତି । ଏଠାରେ ବରଗଡ ଜିଲ୍ଲାର ୧୨ ଗୋଟି ବ୍ଲକ ରୁ ୧୩ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ମା ମାନେ ପାରମ୍ପାରିକ ପିଠାମଣ୍ଡା, ରାଶି ଲଡୁ, ଆରିସା ପିଠା, କାକରା ପିଠା, ବିଭିନ୍ନ ପ୍ରକାର ଘର ତିଆରି ମିଠା ସହିତ ପଖାଳ,ଚିଙ୍ଗୁଡ଼ି,ମାଛ,ଚୁନା ମାଛ,ଅନ୍ୟାନ୍ୟ ଜିନିଷ ତିଆରି କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡ ବିଧାୟକ ଅଷ୍ପିନୀ ଷଡ଼ଙ୍ଗୀ,ସମ୍ମାନିତ ଅତିଥି ଭାବେ ବିଜେପୁର ବିଧାୟକ ସନତ ଗଡତିଆ, ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍ ଯୋଗଦେଇଥିଲେ ।

    ଏହି ପ୍ରତିଯୋଗିତାରେ ବରଗଡ ଜିଲ୍ଲାର ବରଗଡ,ବରପାଲି ,ଓ ବିଜେପୁର ର ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ପ୍ରଥମ ଦୂତୀୟ,ତୃତୀୟ ହୋଇଥିଲେ। ଏହି ତିନି ସ୍ୱୟଂ ସହାୟକ ଗୋଷ୍ଠୀରାଜ୍ୟସ୍ତରୀୟ ଖାଦ୍ୟ ପ୍ରତିଯୋଗିତା କୁ ଯିବ।ପାଇଁ ବିବେଚିତ ହୋଇଛନ୍ତି।ଏବଂ ଏହି ତିନି ସ୍ୱୟଂ ସହାୟକ ଗୋଷ୍ଠୀ ଓ ଆଉ ୧୦ ଜଣସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ବରଗଡ ପି ଡି ଲଲାଟ କୁମାର ଲୁହା ପୁଷ୍ପ ଗୁଚ୍ଛ ଓ ମାନ ପତ୍ର ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ପ୍ରକଳ୍ପ ଅଧିକାରୀ,ସି ଡି,ଓ,ଫୁଟ ଇନ୍ସପେକ୍ଟର ଙ୍କ ସମେତ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

  • କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ହୃଦଘାତରେ ମୃତ୍ୟୁ

    କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ହୃଦଘାତରେ ମୃତ୍ୟୁ

    କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁର ୫୩ ବର୍ଷ ବୟସରେ ପୋଲୋ ଖେଳୁଥିବା ସମୟରେ ମୃତ୍ୟୁବରଣ କରିଥିଲେ। କରିସ୍ମା ୨୦୦୩ ମସିହାରେ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। ଏହି ବିବାହରୁ ଦମ୍ପତିଙ୍କ ଦୁଇଟି ସନ୍ତାନ ସମାଇରା ଏବଂ କିୟାନ୍ ଥିଲେ। କିନ୍ତୁ, ୧୧ ବର୍ଷ ବିବାହ ପରେ, ସେମାନଙ୍କ ବିବାହ ଭାଙ୍ଗିଗଲା ଏବଂ ଉଭୟ ଛାଡପତ୍ର ପାଇଁ ଆବେଦନ କରିଥିଲେ।

    ୨୦୧୬ ମସିହାରେ ସଞ୍ଜୟ କପୁର ଏବଂ କରିଶ୍ମାଙ୍କର ଛାଡପତ୍ର ହୋଇଥିଲା। କିନ୍ତୁ, ଏହି ଛାଡପତ୍ର ଏତେ ସହଜରେ ହୋଇନଥିଲା। ଏହି ସମୟ ମଧ୍ୟରେ କରିଶ୍ମା ଏବଂ ସଞ୍ଜୟ ପରସ୍ପର ବିରୁଦ୍ଧରେ ଅନେକ ଅଭିଯୋଗ ଆଣିଥିଲେ। ସଞ୍ଜୟ କପୁର ଏପରିକି କହିଥିଲେ ଯେ କରିଶ୍ମା ତାଙ୍କୁ ଟଙ୍କା ଲୋଭରେ ବିବାହ କରିଥିଲେ।

    ବଲିଉଡ ଇତିହାସରେ, ସେମାନଙ୍କ ଛାଡପତ୍ରକୁ ସବୁଠାରୁ ମହଙ୍ଗା ଛାଡପତ୍ର ମାମଲା ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ୨୦୧୪ରେ, ଯେତେବେଳେ କରିଶ୍ମା ଏବଂ ସଞ୍ଜୟ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆପଣଙ୍କୁ କହି ରଖୁଛୁ ଯେ କରିଶ୍ମା ଏବଂ ସଞ୍ଜୟ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ କୋର୍ଟରେ ପହଞ୍ଚିବା ମାତ୍ରେ ସବୁକିଛି ବ୍ୟର୍ଥ ହୋଇଗଲା।

    କରିସ୍ମା କପୁର ପୂର୍ବରୁ ସଞ୍ଜୟଙ୍କ ଉପରେ ଖର୍ଚ୍ଚ ପାଇଁ ଆବଶ୍ୟକୀୟ ଟଙ୍କା ଦେଉ ନଥିବା ଅଭିଯୋଗ କରିଥିଲେ। ଏହା ପରେ ସଞ୍ଜୟ ଦାବି କରିଥିଲେ ଯେ କରିସ୍ମା ଲୋଭୀ ଏବଂ ଅଭିନେତ୍ରୀ କେବଳ ଟଙ୍କା ପାଇଁ ତାଙ୍କୁ ବିବାହ କରିଥିଲେ। କେବଳ ଏତିକି ନୁହେଁ, ପିଲାମାନଙ୍କ ହେପାଜତକୁ ନେଇ ମଧ୍ୟ କରିସ୍ମା ଏବଂ ସଞ୍ଜୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

    ଛାଡପତ୍ର ପରେ, ସଞ୍ଜୟ କପୁରଙ୍କ ଓକିଲ କହିଥିଲେ ଯେ କରିଶ୍ମାଙ୍କୁ ଖାରରେ ଏକ ଘର ଦିଆଯାଇଛି। କେବଳ ଏତିକି ନୁହେଁ, ଓକିଲ ଏହା ମଧ୍ୟ କହିଛନ୍ତି ଯେ ସଞ୍ଜୟ ପିଲାମାନଙ୍କ ପାଇଁ ୧୪ କୋଟି ଟଙ୍କାର ଏକ ବଣ୍ଡ ମଧ୍ୟ କିଣିଛନ୍ତି। ଏହି ବଣ୍ଡରେ ପ୍ରତି ମାସରେ ୧୦ ଲକ୍ଷ ଟଙ୍କା ସୁଧ ପାଇବେ ।

  • ଓଲଟିଲା ଅମ୍ବୁଲାନ୍ସ, ୩ ଗୁରୁତର

    ଓଲଟିଲା ଅମ୍ବୁଲାନ୍ସ, ୩ ଗୁରୁତର

    ଘାଟିରେ ଖସିଲା ଆମ୍ବୁଲାନ୍ସ ୩ ଜଣ ଗୁରୁତର ହୋଇଥିବାର ଖବର ମିଳିଛି । ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଦାଗୁଡ଼ି ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରୋଗୀ ଛାଡ଼ି ଫେରିବା ବେଳେ ବୁଲାଣିରେ ଓଲଟି ପଡିଲା ଆମ୍ବୁଲାନ୍ସ । ଯେଉଁଥିରେ ତିନି ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ , ବ୍ରହ୍ମପୁରରୁ ରୋଗୀ ଛାଡ଼ି ଆମ୍ବୁଲାନ୍ସଟି ରାୟଗଡା ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ପଦ୍ମପୁର ଥାନା ଦାଗୁଡ଼ି ନିକଟ ଘାଟିରେ ଆମ୍ବଲାନ୍ସଟି ବୁଲାଣିରେ ବୁଲୁଥିବା ବେଳେ ଭାରସାମ୍ୟ ହରାଇ ବସିଥିଲା । ଯାହାଫଳରେ ଗାଡ଼ିଟି ରାସ୍ତାର ପ୍ରାୟ ୧୫ ଫୁଟ୍‌ ତଳକୁ ଖସିପଡିଥିବା ଜଣାପଡିଛି । ତେବେ ଆମ୍ବୁଲାନ୍ସରେ ଡ୍ରାଇଭର ସମେତ ତିନି ଜଣ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି । ସମସ୍ତଙ୍କୁ ସାମାନ୍ୟ ଆଘାତ ଲାଗିଥିବାରୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।