Category: ମୁଖ୍ୟ ଖବର

  • ପଛୁଆ ବ୍ଲକଗୁଡିକରେ ପ୍ରତିଷ୍ଠା ହେବ ବିଜ୍ଞାନ ଡିଗ୍ରୀ କଲେଜ

    ପଛୁଆ ବ୍ଲକଗୁଡିକରେ ପ୍ରତିଷ୍ଠା ହେବ ବିଜ୍ଞାନ ଡିଗ୍ରୀ କଲେଜ

    ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ବହୁ ବିକାଶ ହୋଇଛି। ଏହାର ବିବରଣୀ ଦେବାକୁ ଏକ ସାମ୍ୱାଦିକ ସମ୍ମିଳନୀର ଆୟୋଜନ କରିଥିଲା ଉଚ୍ଚଶିକ୍ଷା ବିଭାଗ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରୋହିତ ପୂଜାରୀ ରାଜ୍ୟର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆସିଥିବା ବୈପ୍ଲବିକ ପରିବର୍ତ୍ତନ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ ଓ ରାଜ୍ୟ ସରକାର ଆଗାମୀ ଦିନରେ ଏହି କ୍ଷେତ୍ରରେ ନେଇଥିବା ବିଭିନ୍ନ ନିଷ୍ପତ୍ତି ସମ୍ପର୍କରେ ସୂଚିତ କରିଥିଲେ। ମନ୍ତ୍ରୀ କହିଥିଲେ କି, ଆଗାମୀ ଦିନରେ ରାଜ୍ୟ ସରକାର ପ୍ରାୟ ସମସ୍ତ ପଛୁଆ ବ୍ଲକରେ ବିଜ୍ଞାନ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେହିପରି ରାଜ୍ୟରେ କେଲଜ ଓ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ବିଗତ ୨୩ ବର୍ଷରେ ବ୍ୟାପକ ପରିବର୍ତ୍ତନ ଆସିଛି।

    * ୨୦୦୦ ମସିହାରେ ମାତ୍ର ୫୪୮ ଯୁକ୍ତ ତିନି କଲେଜ ଥିଲା. ଯାହା ଏବେ ୧୦୧୪ ରେ ପହଁଚିଛି। ସେହିପରି ବିଶ୍ଵବିଦ୍ୟାଳୟ ୬ ରୁ ୨୫ରେ ପହଁଚିଛି। ଛାତ୍ରୀଙ୍କ ସଂଖ୍ୟା ୧.୬୯ ଲକ୍ଷରୁ ୩.୮୪ ଲକ୍ଷରେ ପହଁଚିଛି। ୨୦୦୦ ମସିହାରେ ୩.୨ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ତିନିରେ ନାଁ ଲେଖାଇଥିବା ବେଳେ ୨୦୨୩ ରେ ଏହା ୬.୫ ଲକ୍ଷ ହୋଇଛି।

    * ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖେଳୁଆଡ ମନବୃତ୍ତି ଆଣିବାକୁ ତଥା କ୍ରିଡା କ୍ଷେତ୍ରରେ କ୍ୟାରିୟର କରିବାକୁ ପ୍ରୋତ୍ସାହିତ କରିବା ପାଇଁ ଖୁବ ଶୀଘ୍ର ଷ୍ଟୁଡେଣ୍ଟ ସ୍ପୋର୍ଟ୍ସ ପଲିସୀ ଓ ଷ୍ଟୁଡେଣ୍ଟ ଷ୍ଟାର୍ଟ ଅପ ପଲିସୀ ଆରମ୍ଭ ହେବ।

    * ଏଥିସହ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି କି ଅନ୍ତର୍ଜାତୀୟ ୟୁଥ ଫେଷ୍ଟିଭାଲ ହେବ, ଯାହା ସବୁ କଲେଜରେ ଆୟୋଜନ ହେବ।

    * ଉତ୍କଳ ବିଶ୍ଵବିଦ୍ୟାଳୟର NAAC ଗ୍ରେଡ଼ A ପ୍ଲସ ରୁ A କୁ ଖସିବା ପ୍ରସଙ୍ଗର, NAAC ପାଖରେ ଆପତ୍ତି ଦାଖଲ କରାଯାଇଛି। ସେମାନେ ଏହାକୁ ବିଚାର କରୁଛନ୍ତି। କେଉଁ କେଉଁ କ୍ଷେତ୍ରରେ ମାର୍କିଂ କମିଲା, ସେ ଦିଗରେ ଆପତ୍ତି ଉଠାଇଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ।  ତେବେ ୩.୧୬ ରେଟିଂ ଏତେ ଖରାପ ନୁହେଁ। ହେଲେ ଏହା କମିବା ଯୋଗୁଁ ଆମେ ଖୁସି ନୁହନ୍ତି ବୋଲି କହିଛନ୍ତି   ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ,ଅଶୋକ ଦାସ।

    * ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ, ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ  ମିଳିବ ମାଗଣା ୱାଇଫାଇ ଓ ୧ଜିବି ଡାଟା । ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା ବୈଠକ ପରେ ଘୋଷଣା କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। ମାଗଣା ୧ଜିବି ଡାଟା ଯୋଗାଇଦେବା ପାଇଁ ଇଲୋକ୍ଟ୍ରୋନିକ୍ସ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ କାର୍ଯ୍ୟ କରିବ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି।

  • ଦିଲ୍ଲୀ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାସ୍ଥାବସ୍ଥା ଗୁରୁତର

    ଦିଲ୍ଲୀ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାସ୍ଥାବସ୍ଥା ଗୁରୁତର

    ଜେଲରେ ଥିବା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଅସୁସ୍ଥ। ଗୁରୁବାର ଭୋର ସମୟରେ ଜେଲ୍‌ର ବାଥରୁମ୍‌ ଯାଇଥିବା ବେଳେ ସେଠାରେ ବେହୋସ ହୋଇ ପଡ଼ିଲେ ସତ୍ୟେନ୍ଦ୍ର। ତାଙ୍କୁ ତୁରନ୍ତ ଲୋକନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଛି।

    ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କଠାରେ ଗତ କିଛି ଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଛି । ଆଜି ସେ ଜେଲର ଶୌଚାଳୟକୁ ସକାଳୁ ଯାଇଥିବା ବେଳେ ସେଠାରେ ଅଚେତ ହୋଇ ପଡିଯାଇଥିଲେ।  ସେଠାରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଦିଲ୍ଲୀ ଦିନଦୟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଲୋକନାୟକ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ସେ ଅକ୍ସିଜେନ ସପୋର୍ଟରେ ଥିବା ବେଳେ ଡାକ୍ତର ତାଙ୍କ ଚିକିତ୍ସା କରୁଛନ୍ତି। ସେ ଗାଧୁଆ ଘର ପଡିଯିବାରୁ ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିବା ଆପ ପକ୍ଷରୁ ସୂଚନା ଦିଆଯାଇଛି।

    ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜୈନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। କେଜରିୱାଲ ଟୁଇଟ କରି ଲେଖିଛନ୍ତି କି, ଭଗବାନ ତାଙ୍କୁ ଏହି ଅପ୍ରିତିକର ପରିସ୍ଥିତି ସହ ଲଢିବାକୁ ଶକ୍ତି ଦିଅନ୍ତୁ। ସେ ଆହୁରି ଲେଖିଛନ୍ତି କି, ଜଣେ ଲୋକଙ୍କୁ ସୁସ୍ୱାସ୍ଥ୍ୟ ଓ ଭଲ ଚିକିତ୍ସା ସେବା ଯୋଗାଇଦେବାକୁ ଦିନରାତି କାମ କରୁଥିବା ବେଳେ ଜଣେ ଏକଛତ୍ରବାଦୀ ତାଙ୍କୁ ଦଣ୍ଡିତ କରିବାରେ ଲାଗିଛନ୍ତି।ଭଗବାନ ସବୁ ଦେଖୁଛନ୍ତି ଓ ସମସ୍ତଙ୍କୁ ନ୍ୟାୟ ଦେବେ ବୋଲି କହିଛନ୍ତି କେଜରିୱାଲ।

    ଜେଲ କର୍ତ୍ତୃପକ୍ଷଙ୍କ ସୂତ୍ରରୁ କୁହାଯାଇଛି କି, ଆଜି ସେ ସକାଳ ପ୍ରାୟ ୬ଟାରେ ଗାଧୁଆ ଘରେ ଖସିପଡିଥିଲେ। ସେ କିଛି ଦିନ ହେବ ଅସୁସ୍ଥତା କାରଣରୁ ଡାକ୍ତରଙ୍କ ନିରିକ୍ଷଣରେ ରହି ଆସୁଥିଲେ। ଏହା ପୂର୍ବରୁ ମଧ୍ୟ ସେ ଅସୁସ୍ଥ ଥିବା ଜଣାଇଥିଲେ। ୨ ଦିନ ତଳେ ଜୈନ୍ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଦିଲ୍ଲୀ ସଫଦର୍ଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଚିକିତ୍ସା ପରେ ଜେଲ୍‌ ଫେରିଥିବା ବେଳେ ଆଜି ପୁଣି ଅସୁସ୍ଥ ହୋଇ ପଡ଼ିଛନ୍ତି।

    ସତ୍ୟେନ୍ଦ୍ର ଜୈନ ନିଜର ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଗତ ଗୁରୁବାର ଦିନ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ କୋର୍ଟରେ ଜୈନଙ୍କ ପକ୍ଷରୁ କୋର୍ଟଙ୍କୁ ଜଣାଇଥିଲେ କି, ବର୍ତ୍ତମାନ ଜୈନ ଅସୁସ୍ଥ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖା ଦେଉଛି। ଏକ ବର୍ଷ ଭିତରେ ତାଙ୍କ ଓଜନ ୩୫ କେଜି କମି ସାରିଲାଣି। ସେ କଙ୍କାଳସାର ହୋଇଗଲେଣି।

    ଏହାକୁ ନେଇ ସୁପ୍ରିମକୋର୍ଟ ନୋଟିସ କରିବା ସହ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ଜୈନଙ୍କୁ ସର୍ବୋଚ୍ଚ ଅଦାଲତଙ୍କ ଅବକାଶକାଳୀନ ବେଞ୍ଚଙ୍କ ନିକଟରେ ଆବେଦନ କରିବାକୁ ଅନୁମତି ଦେଇଥିଲେ। କିନ୍ତୁ ଏହାରି ମଧ୍ୟରେ ଜୈନ ୨ ଥର ଅସୁସ୍ଥ ହୋଇ ହେଲେଣି।

    ସୂଚନାଯୋଗ୍ୟ, ଗତବର୍ଷ ମେ’ ୩୦ରେ ଇଡି ଦିଲ୍ଲୀର ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରି ଗିରଫ କରିଥିଲା। ସେବେଠାରୁ ସେ ତିହାର ଜେଲରେ ରହିଛନ୍ତି। ଦିଲ୍ଲୀର

  • ଗଜପତି: ସ୍ତ୍ରୀ’ର ମୁଣ୍ଡ ଓ ଗଣ୍ଡି ଅଲଗା କଲା ଜହ୍ଲାଦ ସ୍ୱାମୀ

    ଗଜପତି: ସ୍ତ୍ରୀ’ର ମୁଣ୍ଡ ଓ ଗଣ୍ଡି ଅଲଗା କଲା ଜହ୍ଲାଦ ସ୍ୱାମୀ

    କ୍ରୋଧର ସୀମା ଟପିଲା ସ୍ୱାମୀ । ଉତକ୍ଷିପ୍ତ ହୋଇ ସାତ ଜନମର ସାଥୀ, ଅଗ୍ନିକୁ ସାକ୍ଷୀ ରଖି ଯାହାକୁ ନିଜର କରିଥିଲା, ତାକୁ ହିଁ ହତ୍ୟା କଲା ଜହ୍ଲାଦ ସ୍ୱାମୀ । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତର ସାରା ଗାଁରେ ।

    ପବିତ୍ର ସମ୍ପର୍କରେ ଦାଗ ଲଗାଇଲା ସ୍ୱାମୀ ଚନ୍ଦ୍ରଶେଖର କାର୍ଜି । ୩୦ ବର୍ଷୀୟା ସ୍ତ୍ରୀ ଉର୍ମିଳାଙ୍କୁ ଗଳାକାଟି ହତ୍ୟା କରିଛି ସ୍ବାମୀ ଚନ୍ଦ୍ରଶେଖର । ଟାଙ୍ଗିଆରେ ହାଣି ଗଣ୍ଡି ଓ ମୁଣ୍ଡ ଅଲଗା କରିଦେଇଛି । ଆଜି ସକାଳେ ଦୁହେଁ ବିଲକୁ କାମ କରିବାକୁ ଯାଇଥିଲେ । ଜମିବାଡ଼ି ଘଟଣାକୁ ନେଇ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଶେଷରେ ହତ୍ୟା କଲା ସୈତାନ ସ୍ୱାମୀ । ବିଲରେ ସ୍ତ୍ରୀର ମୃତଦେହ ପଡ଼ିଥିଲା । କାଶୀନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଚନ୍ଦ୍ରଶେଖରକୁ ଗିରଫ କରିଛି । ଘଟଣାର ତଦନ୍ତ ମଧ୍ୟ ଜାରି ରଖିଛି ପୋଲିସ ।

    ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମୃତ ଉର୍ମିଳା, ଅଭିଯୁକ୍ତ ଚନ୍ଦ୍ରଶେଖରଙ୍କ ଦ୍ବିତୀୟ ପତ୍ନୀ । ପ୍ରଥମ ପତ୍ନୀକୁ ପୂର୍ବରୁ ମରଣାନ୍ତକ ଆକ୍ରମଣ କରିଥିଲେ । ସେଥିପାଇଁ ପ୍ରଥମ ସ୍ତ୍ରୀ ତାକୁ ଛାଡ଼ି ଚାଲିଯାଇଛି । ଏବେ ଦ୍ୱିତୀୟ ପତ୍ନୀଙ୍କୁ ହତ୍ୟା କରି ଗିରଫ ହୋଇଛି ଅଭିଯୁକ୍ତ । ସେମାନଙ୍କ ଏକ ଦୁଇବର୍ଷୀୟ ଶିଶୁ ଥିବା ସୂଚନା ମିଳିଛି ।

    କୁହାଯାଏ ରାଗ ପରମ ଚଣ୍ଡାଳ । ସାତ ଜନମର ସାଥୀ ନିଜ ପତ୍ନୀର ମୁଣ୍ଡଗଣ୍ଡି ଅଲଗା କରିବା ପରେ ମୁଣ୍ଡକୁ ଆଣି ନିଜ ଘର ଦୁଆର ବନ୍ଧରେ ଥୋଇ ଦେଇଥିଲା ଅଭିଯୁକ୍ତ ସ୍ୱାମୀ । ଗାଁ ଲୋକେ ଏହାଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ପୋଲିସକୁ ଖବର ଦେଇଥିଲେ । ୪ ବର୍ଷ ପୂର୍ବ ବିବାହ କରିଥିଲେ ଉର୍ମିଳା । ବିବାହ ପରଠାରୁ ଅଧିକାଂଶ ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିବା ନେଇ ପଡ଼ୋଶୀ କହିଛନ୍ତି ।

  • ୩ଟି ବାଘ ଛାଲ ଜବତ, ଜଣକୁ ଧରିଲା କ୍ରାଇମବ୍ରାଞ୍ଚ STF

    ୩ଟି ବାଘ ଛାଲ ଜବତ, ଜଣକୁ ଧରିଲା କ୍ରାଇମବ୍ରାଞ୍ଚ STF

    ଏକା ସଙ୍ଗେ ତିନି ତିନିଟି ବାଘ ଛାଲ ଜବତ ହୋଇଛି । ରାୟଗଡ଼ା ଓ କୋରାପୁଟ ଜାତୀୟ ରାଜପଥ ଶିରିଗୁଡ଼ା ସ୍ଵର୍ଗ ଧାମ ଛକରୁ ୩ଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ବେଆଇନ ଭାବେ କଲରାପତରିଆ ବାଘ ଛାଲ ରଖିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF ।

    ବାଘ ଛାଲ ରଖି ଗିରଫ ହୋଇଛି ଅଭିଯୁକ୍ତ ଡମ୍ବରୁଧର ମାଝୀ । ଅଭିଯୁକ୍ତର ଘର ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ନାକଟିଗୁଡ଼ା ଗାଁରେ । ଜବତ ବାଘ ଛାଲ ବାୟୋଲୋଜିକାଲ୍ ଟେଷ୍ଟ ପାଇଁ ଡେରାଡୁନସ୍ଥିତ WII ଲ୍ୟାବକୁ ପଠାଯିବ । ଅଭିଯୁକ୍ତ ଡମ୍ବୁରୁଧର ମାଝୀକୁ କୋର୍ଟ ଚାଲଣ କରାଯାଇଛି । ବନ୍ୟଜନ୍ତୁ ଶିକାର କରି ଏହାର ଚମଡ଼ା, ଶିଙ୍ଗ ବିକ୍ରି କରୁଛନ୍ତି ଶିକାରୀ ।

    ଶରୀରର ଅନ୍ୟାନ୍ୟ ଅଂଶକୁ ବି ଏମାନେ ବିକ୍ରି କରି ବେଶ୍ ଦି ପଇସା ରୋଜଗାର କରୁଛନ୍ତି । ଜଙ୍ଗଲରୁ ବେଆଇନ୍ ଭାବେ ଏଭଳି ଶିକାର କରି ଚାଲିଛନ୍ତି । ତେବେ, ବନ ବିଭାଗ ଏବଂ ପୋଲିସ ପ୍ରଶାସନ ଏ ଦିଗରେ ସତର୍କ ଏବଂ ସଜାର ରହିବା ଦରକାର । ଅଭିଯୁକ୍ତମାନଙ୍କୁ ଉଚିତ ଦଣ୍ଡ ଦିଆଗଲେ ଆସନ୍ତା ଦିନରେ ଏଭଳି ଅପରାଧ କମିବ ନଚେତ୍ ବନ୍ତୁଜନ୍ତୁ ଶିକାର ବୃଦ୍ଧି ପାଇବ । ସରକାର, ଜିଲ୍ଲା ପ୍ରଶାସନ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।

  • କେନ୍ଦୁଝର: ଆମ୍ବ ଗୋଟାଇବା ହେଲା କାଳ, ହାତୀ ଆକ୍ରମଣରେ ଗଲା ଜୀବନ

    କେନ୍ଦୁଝର: ଆମ୍ବ ଗୋଟାଇବା ହେଲା କାଳ, ହାତୀ ଆକ୍ରମଣରେ ଗଲା ଜୀବନ

    କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ହାତୀ ଆତଙ୍କ । ବିମଳା ଫରେଷ୍ଟ ସେକ୍ସନ ବନବିହାରୀପୁର ଗାଁରେ ଜଣଙ୍କୁ ଦଳିଦେଇଛି ଦନ୍ତା । ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଲୋକେ ଭୟଭୀତ ହୋଇଛନ୍ତି ।

    ହାତୀ ଆତଙ୍କ ଥମିବାର ନାଁ ନେଉନି । କେଉଁଠି ଘର ଭାଙ୍ଗୁଛି ତ ଆଉ କେଉଁଠି ନଷ୍ଟ କରୁଛି ଫସଲ । ଲୋକଙ୍କୁ ଦଳୁଛି ତ ଆଉ କେଉଁଠି ଗୁରୁତର କରୁଛି । ଏଭଳି ଦୈନନ୍ଦିନ କିଛି ନା ଘଟଣା ଘଟାଉଛି ଦନ୍ତା । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ଏମିତି ଏକ ଘଟଣାକୁ ନେଇ ଲୋକେ ଭୟଭୀତ ହୋଇଛନ୍ତି । ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ହାତୀ ଆକ୍ରମଣରେ ବିମଳା ଫରେଷ୍ଟ ସେକ୍ସନ ବନବିହାରୀପୁର ଗାଁର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ଦ୍ରୌପଦୀ ନାୟକ । ସେ ଆକୁଳ ପଞ୍ଚାୟତ ୧୦ନଂ ୱାର୍ଡର ୱାର୍ଡମେମ୍ବର ।

    ସୂଚନା ଅନୁସାରେ ଗତକାଲି ରାତିରେ ଝଡ଼ତୋଫାନ ହୋଇଥିଲା । ତେଣୁ ଆଜି ଭୋରୁ ଘର ନିକଟରେ ଥିବା ଆମ୍ବ ତୋଟାକୁ ଯାଇଥିଲେ । ଆମ୍ବ ଗୋଟାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ ମହିଳା ୱାର୍ଡମେମ୍ବର । ତାଙ୍କୁ ଶୁଣ୍ଢରେ ଆକ୍ରମଣ କରି ଫୋପାଡ଼ି ଦେଇଥିଲା ହାତୀ । ମହିଳାଙ୍କୁ ଉଦ୍ଧାର କରି ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

    ୱାର୍ଡମେମ୍ବରଙ୍କ ମୃତ୍ୟୁ ପରେ ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ଟଙ୍କା ଦେଇଛି ବନ ବିଭାଗ । ସେପଟେ, ବନବିହାରୀପୁର ଅଞ୍ଚଳରେ ଏକ ହାତୀପଲ ବୁଲୁଛି । ସେଥିରେ ୧୫ଟି ହାତୀ ଥିବା ସୂଚନା ମିଳିଛି ।

  • CBI ନିର୍ଦ୍ଦେଶକ ସୁବୋଧଙ୍କ କାର୍ଯ୍ୟକାଳ ଶେଷ, ଦାୟିତ୍ୱ ନେବେ ପ୍ରବୀଣ

    CBI ନିର୍ଦ୍ଦେଶକ ସୁବୋଧଙ୍କ କାର୍ଯ୍ୟକାଳ ଶେଷ, ଦାୟିତ୍ୱ ନେବେ ପ୍ରବୀଣ

    CBI ନିର୍ଦ୍ଦେଶକ ସୁବୋଧ କୁମାର ଜୈଶଓ୍ବାଲଙ୍କ କାର୍ଯ୍ୟକାଳ ସରିଛି । ଆଜି ସେ ଅବସର ନେଉଛନ୍ତି । ଏହାପରେ CBI ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେବେ ପ୍ରବୀଣ ସୁଦ୍‌ । କର୍ଣ୍ଣାଟକର ପୂର୍ବତନ ଡିଜିପି ପ୍ରବୀଣ ସୁଦ, ଦୁଇ ବର୍ଷ ପାଇଁ ଏହି ଦାୟିତ୍ୱ ତୁଲାଇବେ ।

    ପ୍ରବୀଣ ସୁଦ ୧୯୮୬ ବ୍ୟାଚର ଆଇପିଏସ ଅଫିସର । ପ୍ରଥମ ଏସପି ଭାବେ ୧୯୮୯ରୁ କ୍ୟାରୟର ଆରମ୍ଭ କରିଥିଲେ । ମହୀଶୂରରେ ଏଏସପି ଭାବେ ଦାୟିତ୍ୱ ନେଇଥିଲେ । ନିଜର କର୍ତ୍ତବ୍ୟ ଏବଂ ଉଲ୍ଲେଖନୀୟ ସେବା ପାଇଁ ୨୦୧୧ରେ ତାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯାଇଥିଲା ।

    ଗତ ତିନି ବର୍ଷ ହେଲା କର୍ଣ୍ଣାଟକ ପୋଲିସ ଡିଜି ଭାବେ କାର୍ଯ୍ୟ କରୁଛନ୍ତି ଏହି IPS ଅଫିସର । ହେଲେ ନିଜ କ୍ୟାରିୟରରେ ଅନେକ ଥର ବିବାଦକୁ ଆସିଛନ୍ତି ପ୍ରବୀଣ ।

    ପ୍ରବୀଣ ସୁଦଙ୍କୁ CBI ନିର୍ଦ୍ଦେଶକ ଭାବେ ଦାୟିତ୍ୱ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ଲୋକସଭା ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ କମିଟି, ତାଙ୍କ ନାଁରେ ମୋହର ମାରିଛନ୍ତି । CBI ନିର୍ଦ୍ଦେଶକ ହେବା ନେଇ ସମ୍ଭାବ୍ୟ ତାଲିକାରେ ତାଙ୍କ ନାଁ ନଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ ନାଁ ଲିଷ୍ଟରେ ସାମିଲ କରାଯାଇଥିଲା । କର୍ଣ୍ଣାଟକ ନିର୍ବାଚନ ଫଳାଫଳ ବାହାରିବା ଦିନ ତାଙ୍କ ନାଁ ଲିଷ୍ଟରେ ସାମିଲ ହୋଇଥିଲା । ତେବେ ପ୍ରବୀରଙ୍କୁ CBI ନିର୍ଦ୍ଦେଶକ କରିବାକୁ ନାପସନ୍ଦ କରିଛି କଂଗ୍ରେସ । ବିଜେପିକୁ ନିଜ ଇସାରାରେ ନାଚିବା ଲୋକଙ୍କୁ ଏହି ପଦରେ ନିଯୁକ୍ତି ଦେଉଥିବା କଂଗ୍ରେସ ଅଭିଯୋଗ କରିଛି ।

  • ଘର ପାଖରେ ପ୍ରେମକରି ବାହା ହୋଇଥିଲା ଝିଅ, ଯୌତୁକ ପାଇଁ ସ୍ବାମୀ ମାରିଦେଇଥିବା ଅଭିଯୋଗ

    ଘର ପାଖରେ ପ୍ରେମକରି ବାହା ହୋଇଥିଲା ଝିଅ, ଯୌତୁକ ପାଇଁ ସ୍ବାମୀ ମାରିଦେଇଥିବା ଅଭିଯୋଗ

    ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭୁଟୁକାବାଦୀ ଗ୍ରାମର ତାପସ ନନ୍ଦଙ୍କ ପତ୍ନୀ ରେଖା ପରମାଣିକଙ୍କର ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଭୁଟୁକାବାଦୀ(ନାକି) ଗ୍ରାମର ମନୋଜ ନନ୍ଦଙ୍କ ପୁଅ ତାପସ ନନ୍ଦଙ୍କ ସହ ସେହି ଗ୍ରାମର ହିମାଂଶୁ ପରମାଣିକଙ୍କ ବଡ଼ ଝିଅ ରେଖା ପରମାଣିକଙ୍କୁ ପ୍ରେମ ବିବାହ କରିଥିଲେ । ଗତ ୨୦/୧/୨୦୨୧ରେ ପୁରୀର ଜଗନ୍ନାଥ ମନ୍ଦିରରେ ଉଭୟଙ୍କ ବାହାଘର ହୋଇଥିଲା । ପରେ ଅନୁଗୋଳ କୋର୍ଟରେ ୨୨/୧/୨୦୨୧ ରୋଟାରୀ ପାଖରେ ରେଜିଷ୍ଟ୍ରି ବିବାହ କରିଥିଲେ । ଦୁଇ ପରିବାରର ଘର ସେହି ଗାଁରେ ହୋଇଥିବା ବେଳେ ଉଭୟ ପରିବାର ମଧ୍ୟରେ ଦୂରତା ମାତ୍ର ୫୦ ମିଟର । କିନ୍ତୁ, ବିବାହ ପରେ ଯୌତୁକ ପାଇଁ ରେଖା ସହିତ ସ୍ବାମୀ ତାପସ ଏବଂ ଶାଶୁ ଓ ଶ୍ବଶୁରଙ୍କର ମନୋମାଳିନ୍ଯ ଲାଗି ରହୁଥିଲା । ସେମାନେ ବାରମ୍ବାର ରେଖା ଉପରେ ଶାରିରୀକ, ମାନସିକ ନିର୍ଯାତନା ଦେଉଥିଲେ । ପରେ ପାରିବାରିକ ହିଂସା ବଢିଥିଲା ବୋଲି ରେଖାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

    ହଠାତ କଣ ହେଲା କେଜାଣି, ଗତ ୧୯/୫/୨୩ ତାରିଖ ରାତିରେ ରେଖାକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲକୁ ଆମ ଅଜଣାତରେ ନେଇ ଯାଇଥିଲେ ରେଖାଙ୍କ ପରିବାର ଲୋକେ କହିଛନ୍ତି । ପରେ ରେଖାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ନେବା ରାସ୍ତାରେ କୁଳିଅଣା ପାଖରେ ରେଖାର ମୃତ୍ୟୁ ହୋଇଥିଲା । ରେଖାର ମୃତଦେହକୁ ବାରିପଦା ପିଆରଏମ ହସ୍ପିଟାଲ ନିଆଯାଇଥିଲା । ରେଖାର ମୃତ୍ୟୁ ହୋଇଛି ବୋଲି ତାପସ ତାର ସମ୍ପର୍କୀୟଙ୍କ ଦ୍ବାରା ଅନ୍ୟ ଫୋନରେ ଶୁଶୁର ହିଂମାଶୁକୁ ଜଣାଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନିଯାୟୀ, ସେଠାରେ ତାଙ୍କ ଝିଅକୁ ସାପ କାମୁଡିଛି ବୋଲି କୁହାଯାଇଥିଲା । ହେଲେ ରେଖାର କାନ ଓ ନାକରୁ ରକ୍ତ ବାହାରିବା ସହିତ ବେକରେ ପାଖରେ ଆଘାତ ଲାଗିଥିବା ତାଙ୍କ ବାପା ଦେଖିଥିଲେ । ତେଣୁ ସେ ନିଶ୍ଚିତ ହୋଇଥିଲେ ଯେ, ତାଙ୍କ ଝିଅକୁ ଯୋଜନାବଦ୍ଧ ଭାବେ ମାରି ଦିଆଯାଇଛି ।

    ଘର ପାଖରେ ଘର ହୋଇଥିଲେ ସୁଦ୍ଧା ତାଙ୍କ ପରିବାରକୁ ନଜଣାଇ ରାତିରେ ଝିଅକୁ ରାଇରଙ୍ଗପୁର ହସ୍ପିଟାଲ ଆଣିବା ଏବଂ ପରେ ବାରିପଦା ନେବା ଅନେକ ସନ୍ଦେହ ସୃଷ୍ଟି କରିଛି । ରେଖାର ବାପା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଝିଅକୁ ହତ୍ୟା କରାଯାଇଥିବା ନେଇ ଜ୍ବାଇଁ ତାପସ, ସମୁଦି ମନୋଜ ନନ୍ଦ ଏବଂ ସମୁଦୁଣୀଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ଝିଅକୁ ହରାଇଵା କଷ୍ଟ ସହିତ ତାପସର ପରିବାର ଗଣ୍ଡଗୋଳ କରିବାର ଆଶଙ୍କା ନେଇ ଭୟଭୀତ ଅବସ୍ଥାରେ ହିମାଂଶୁଙ୍କ ପରିବାର ଅଛନ୍ତି ।

  • ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ମାରିବାକୁ ଷଡ଼ଯନ୍ତ୍ର, ସ୍ବୀକାର କଲା ଭାରତୀୟ ଯୁବକ

    ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ମାରିବାକୁ ଷଡ଼ଯନ୍ତ୍ର, ସ୍ବୀକାର କଲା ଭାରତୀୟ ଯୁବକ

    ଆମେରିକାର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ହ୍ବାଇଟ ହାଉସରେ ଏକ ଟ୍ରକକୁ ବ୍ୟାରିକେଡରେ ଚଢାଇ ଦେଇଥିବା ଜଣେ ୧୯ ବର୍ଷିୟ ଭାରତୀୟ ଯୁବକ ସେଠାକାର ଅଧିକାରୀଙ୍କୁ କହିଛି ଯେ, କ୍ଷମତା ହାସଲ ଏବଂ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହତ୍ୟା କରିବା ପାଇଁ ହ୍ବାଇଟ ହାଉସ ଭିତରକୁ ପ୍ରବେଶ କରିବାକୁ ଚାହୁଁଥିଲା । ହ୍ବାଇଟ ହାଉସର ଅଧିକାରୀ ମାନେ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି । ଏଥିସହିତ ଏହି ସୂଚନା ସରକାରୀ ଗଣମାଧ୍ୟମ ରିପୋର୍ଟରେ ସେୟାର କରାଯାଇଛି ।

    ୱାଶିଂଟନ୍‌ର ପୋଲିସ ଏବଂ ଆମେରିକାର ଗୁପ୍ତଚର ଏଜେନ୍ସି ମାନେ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି । ବରିଷ୍ଠ ଅଧିକାରୀ ମାନେ ଏହି ଘଟଣାର ଚେର ପର୍ଯ୍ୟନ୍ତ ଯିବାକୁ କହିଛନ୍ତି । ଏହି ଷଡଯନ୍ତ୍ର ପଛରେ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସଂଗଠନ ଅଛନ୍ତି କି ନାହିଁ ତାହା ମଧ୍ୟ ଜାଣିବାକୁ ଚେଷ୍ଟା କରାଯିବ । ଖବରକାଗଜ ‘ଦ ୱାଶିଂଟନ୍ ଟାଇମ୍ସ’ର ରିପୋର୍ଟ ଅନୁଯାୟୀ, ଲାଫାୟେଟ୍ ପାର୍କର ଉତ୍ତର ପାର୍ଶ୍ୱରେ ଥିବା ସୁରକ୍ଷା ବ୍ୟାରିକେଡକୁ ଟ୍ରକ୍ ଧକ୍କା ଦେବା ପରେ ଆମେରିକାର ପାର୍କ ପୋଲିସ, ସାଇ ବଶିଷ୍ଠ କଣ୍ଡୁଲାଙ୍କୁ ଗିରଫ କରିଥିଲା ।

    ଏହି ଘଟଣା ଗତ ସୋମବାର ରାତି ପ୍ରାୟ ୧୦ଟା (ସ୍ଥାନୀୟ ସମୟ)ରେ ଘଟିଥିଲା । ଘଟଣାସ୍ଥଳ ଏବଂ ହ୍ବାଇଟ ହାଉସର ଗେଟ୍ ମଧ୍ୟରେ ଯଥେଷ୍ଟ ଦୂରତା ରହିଥିଲା । ଏହା ସତ୍ତ୍ବେ ଏହି ଘଟଣା ପରେ ସେହି ରାସ୍ତାକୁ ବନ୍ଦ କରିଦିଆଯାଇଥିଲା । ଏହାସହିତ ନିକଟରେ ଥିବା ହେ ଆଡମ୍ସ ହୋଟେଲକୁ ମଧ୍ୟ ତୁରନ୍ତ ଖାଲି କରିଦିଆଯାଇଥିଲା । ଟ୍ରକ ଧକ୍କାରେ କେହି ଆହତ ହୋଇ ନାହାନ୍ତି ।

  • ପାଟଣାଗଡ଼: ସାଂସଦଙ୍କ ଗାଡ଼ି ଧକ୍କାରେ ଜୀବନ ହାରିଲେ ସ୍କୁଟି ଚାଳକ

    ପାଟଣାଗଡ଼: ସାଂସଦଙ୍କ ଗାଡ଼ି ଧକ୍କାରେ ଜୀବନ ହାରିଲେ ସ୍କୁଟି ଚାଳକ

    ପାଟଣାଗଡ଼ ଗାଇସିଲାଟ ମୁଖ୍ୟ ରାସ୍ତାରେ ଦୁର୍ଘଟଣା । ତମିଆଁ ଓ ସୁନାମୁଦି ଛକ ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ଜୀବନ ଯାଇଛି । ରାଜ୍ୟସଭା ସାଂସଦଙ୍କ ଚାରିଚକିଆ ଗାଡ଼ି ସ୍କୁଟିକୁ ଧକ୍କା ଦେବା ପରେ ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି ।

    ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଗାଡ଼ି ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ । ଘଟଣାସ୍ଥଳରେ ଜୀବନ ହାରିଛନ୍ତି ସ୍କୁଟି ଚାଳକ । ମୃତକ ଲରମ୍ଭା ଥାନା ଇନ୍ଦପୁର ଗାଁର ଟଙ୍କଧର ବିଶ୍ବାଳ । ପାଟଣାଗଡ଼ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନା ଆଣିଛି । କୌଣସି ଏକ କାର୍ଯରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ନିଜ ଗାଡ଼ିରେ ଯାଉଥିଲେ । ସେ ପାଟଣାଗଡ଼-ଗାଇସିଲାଟ ମୁଖ୍ୟ ରାସ୍ତାରେ ଯାଉଥିବା ବେଳେ ତମିଆଁ ଓ ସୁନାମୁଦି ଛକରେ ଦୁର୍ଘଟଣା ଘଟିଥିଲା ଗାଡ଼ି । ଭାରସାମ୍ୟ ହରାଇ ସ୍କୁଟିକୁ ଧକ୍କା ଦେଇଥିଲା ସାଂସଦଙ୍କ ଗାଡ଼ି । ଫଳରେ ସ୍କୁଟି ଚାଳକ ଛିଟିକି ପଡ଼ିବା ସହ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ

    ପରିବାର ଲୋକ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସେପଟେ, ଦୁର୍ଘଟଣା ପରେ ସାଂସଦଙ୍କ ଡ୍ରାଇଭର ଥାନାରେ ଆତ୍ମସମର୍ପଣ କରିଛି ।

  • ରାହୁଲ ଗାନ୍ଧୀଙ୍କ ବିଦେଶ ଯାତ୍ରାକୁ ନେଇ ଫସିଛି ପେଞ୍ଚ, ଏନଓସି ମିଳିବା ପରେ ମିଳିବ ପାସପୋର୍ଟ

    ରାହୁଲ ଗାନ୍ଧୀଙ୍କ ବିଦେଶ ଯାତ୍ରାକୁ ନେଇ ଫସିଛି ପେଞ୍ଚ, ଏନଓସି ମିଳିବା ପରେ ମିଳିବ ପାସପୋର୍ଟ

    ସୁରତର ଏକ କୋର୍ଟରେ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଛଡ଼ାଇ ନିଆଯାଇଥିଲା । ଭାରତ ସରକାର ଦେଶର ସାଂସଦ ମାନଙ୍କୁ ରାଜନୈତିକ ପାସପୋର୍ଟ ଦିଅନ୍ତି, କିନ୍ତୁ ସଂସଦ ସଦସ୍ୟତା ହରାଇବା ପରେ ରାହୁଲ ଗାନ୍ଧୀ ତାଙ୍କର ରାଜନୈତିକ ପାସପୋର୍ଟ ସମର୍ପଣ କରି ଏକ ନୂତନ ପାସପୋର୍ଟ ପାଇଁ ଆବେଦନ କରିଥିଲେ । ବର୍ତ୍ତମାନ ଏନଓସି ଦେବା ମାମଲା ଏଥିରେ ଅଟକି ରହିଛି ।

    ଯେହେତୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦେଶର ବିଭିନ୍ନ ଅଦାଲତରେ ଅନେକ ରାଜନୈତିକ ମାମଲା ପଞ୍ଜୀକୃତ ହୋଇଛି । ନୂତନ ପାସପୋର୍ଟ ନିୟମ ଅନୁଯାୟୀ, ତାଙ୍କୁ ତାଙ୍କ ମାମଲାରେ ଏନଓସି ନେବାକୁ ପଡ଼ିବ । ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ଦୁଇଟି ପ୍ରମୁଖ ମାମଲାରେ ଜାମିନରେ ଅଛନ୍ତି । ପ୍ରଥମ ମାମଲା ନ୍ୟାସନାଲ ହେରାଲ୍ଡ ମାମଲା ସହ ଜଡିତ ଯେଉଁଥିରେ ସେ ଜାମିନରେ ଥିବାବେଳେ ଦ୍ୱିତୀୟ ମାମଲା ଅପରାଧିକ ମାନହାନୀ ସହ ଜଡିତ । ଏହି ମାମଲାରେ ସେ ଜାମିନରେ ଅଛନ୍ତି ।

    ବର୍ତ୍ତମାନ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ମଧ୍ୟ ଏହି ପ୍ରସଙ୍ଗରେ ଲମ୍ଫ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କୁ ପାସପୋର୍ଟ ପ୍ରଦାନ ପାଇଁ ଏନଓସି ନଦେଇଥିବାରୁ ସେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟକୁ ଏକ ଚିଠି ଲେଖିଛନ୍ତି । ସେ ତାଙ୍କ ଆବେଦନରେ ରାହୁଲଙ୍କୁ ଏନଓସି ପ୍ରଦାନକୁ ବିରୋଧ କରିଛନ୍ତି । ସେ କହିଛନ୍ତି ଯେ, ରାହୁଲ ବାରମ୍ବାର ବିଦେଶ ଯାଆନ୍ତି, ଏଭଳି ପରିସ୍ଥିତିରେ ତଦନ୍ତରେ ବାଧା ସୃଷ୍ଟି ହୋଇପାରେ ।

    କୋର୍ଟ କହିଛି ଯେ, ରାହୁଲ ଗତ ପାଞ୍ଚ ବର୍ଷ ଧରି ବିଦେଶ ଯାଉଛନ୍ତି ଏବଂ ପ୍ରତ୍ୟେକ ଶୁଣାଣିରେ ତାଙ୍କ ଓକିଲମାନେ କୋର୍ଟରେ ହାଜର ହେଉଛନ୍ତି । ଏଥି ସହିତ କୋର୍ଟ ସ୍ବାମୀଙ୍କୁ କହିଛନ୍ତି ଯେ, ଦେଶର ପ୍ରତ୍ୟେକ ନାଗରିକଙ୍କର ଭ୍ରମଣ କରିବାର ମୌଳିକ ଅଧିକାର ରହିଛି । ଅନ୍ୟପକ୍ଷରେ ରାହୁଲଙ୍କ ସପକ୍ଷରେ ହାଜର ହୋଇଥିବା ଓକିଲମାନେ ସେମାନଙ୍କ ଆବେଦନରେ କହିଛନ୍ତି ଯେ, ନ୍ୟାସନାଲ ହେରାଲ୍ଡ ମାମଲାରେ ଜାମିନ ପ୍ରଦାନ କରିଥିବା ବେଳେ କୋର୍ଟ ଦେଶ ବାହାରକୁ ଯିବାକୁ କୌଣସି ପ୍ରତିବନ୍ଧକ ଲଗାଇ ନାହାନ୍ତି ।

    ବର୍ତ୍ତମାନ ରାହୁଲଙ୍କ ଆବେଦନ ଉପରେ ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ବୈଭବ ମେହେଟ୍ଟାଙ୍କ କୋର୍ଟରେ ଆସନ୍ତା କାଲି ଶୁଣାଣି ହେବ, ଯେଉଁଠାରେ ରାହୁଲ ଗାନ୍ଧୀଙ୍କୁ ପାସପୋର୍ଟ ପ୍ରଦାନ ପାଇଁ ଏନଓସି ଦିଆଯିବା ଉଚିତ କି ନୁହେଁ ତାହା ସ୍ଥିର ହେବାର ସମ୍ଭାବନା ରହିଛି ।