Category: ମୁଖ୍ୟ ଖବର

  • ବେଆଇନ୍ ମାଟି ଖୋଳାକୁ ନେଇ ପର୍ଜଙ୍ଗ ତହସିଲଦାରଙ୍କୁ ଆକ୍ରମଣ ଅଭିଯୋଗ

    ବେଆଇନ୍ ମାଟି ଖୋଳାକୁ ନେଇ ପର୍ଜଙ୍ଗ ତହସିଲଦାରଙ୍କୁ ଆକ୍ରମଣ ଅଭିଯୋଗ

    ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ ଅଭିଯୋଗ ହୋଇଛି । ତହସିଲଦାରଙ୍କୁ ଜେସିବି ଚଢ଼ାଇ ଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

    ସୂଚନା ଅନୁସାରେ ପଥରଖମ୍ବ ଗାଁ ନିକଟରେ ବେଆଇନ୍ ମାଟି ଖୋଳା ଯାଉଥିଲା । ସରକାରୀ ଜମିରୁ ଜେସିବି ମାଧ୍ୟମରେ ମାଟି ଖୋଳା ଯାଉଥିବାକୁ ନେଇ ଚଢ଼ାଉ କରିଥିଲେ ତହସିଲଦାର ଶୁଭ୍ର ପଟେଲ । ଘଟଣାସ୍ଥଳରେ ପହଞ୍ଚି ମାଟି ଉଠାଉଥିବା ବେଳେ ନିଜ ମୋବାଇଲରେ ଫଟୋ ମଧ୍ୟ ଉଠାଇଥିଲେ । ମୋବାଇଲରେ ଫଟୋ ଉଠାଇବା ବେଳେ ସେଠାରେ ଉପସ୍ଥିତ ମାଫିଆମାନେ ତାଙ୍କୁ ଆକ୍ରମଣ କରିଥିଲେ। । ମାଡ଼ ମାରିବା ସହ ମରଣାନ୍ତ୍ରକ ଆକ୍ରମଣ କରିଥିଲେ ।

    ତେବେ ଆକ୍ରମଣ ପରେ ଗୁରୁତର ହୋଇଥିଲେ ତହସିଲଦାର । ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ରାଜସ୍ବ ନିରୀକ୍ଷକ ଆଲୋକ କୁମାର ଲେଙ୍କା ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଖବର ମିଳିଛି । ଗୁରୁତର ତହସିଲଦାରଙ୍କୁ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମାଫିଆ ଗ୍ୟାଙ୍ଗରେ ୮ରୁ ୧୦ ଜଣ ସାମିଲ ଥିବା ନେଇ ସୂଚନା ମିଳିଛି ।

    ଏହି ଘଟଣା ପରେ ଖବର ପାଇ ପର୍ଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ମେଡିକାଲ ଯାଇଥିଲେ । କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ମଧ୍ୟ ମେଡିକାଲରେ ପହଞ୍ଚି ଗୁରୁତର ତହସିଲଦାରଙ୍କ ସହ ଆଲୋଚନା କରିଛନ୍ତି । ସେମାନେ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଘଟଣାସ୍ଥଳ ଯାଇ ଗୋଟିଏ ଟ୍ରାକ୍ଟର ଜବତ କରିବା ସହ ତଦନ୍ତ ଜାରି ରଖିଛି ପୋଲିସ ।

  • ମୌସୁମୀ ରିଟର୍ଣ୍ଣସ: ଏବର୍ଷ ସ୍ୱାଭାବିକ ରହିବ ମୌସୁମୀ, କହିଲା IMD

    ମୌସୁମୀ ରିଟର୍ଣ୍ଣସ: ଏବର୍ଷ ସ୍ୱାଭାବିକ ରହିବ ମୌସୁମୀ, କହିଲା IMD

    ଚଳିତବର୍ଷ ଦେଶରେ ମୌସୁମୀଜନିତ ବର୍ଷା ସ୍ୱାଭାବିକ ରହିବାର ସମ୍ଭାବନା ରହିଛି । ଜୁନ୍ ୪ ତାରିଖ ବେଳକୁ ମୌସୁମୀ କେରଳ ଛୁଇଁବ । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି । ସେହିପରି ଉତ୍ତର ପଶ୍ଚିମ ଭାରତରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବାର ସମ୍ଭାବନା ରହିଛି ।

    ମୌସୁମୀକୁ ନେଇ IMD ବିଭିନ୍ନ ଆକଳନ କରିଛି । ଏଥର ସ୍ୱାଭାବିକ ବର୍ଷା ହେବାକୁ ଥିବାବେଳେ ଦକ୍ଷିଣ-ପଶ୍ଚିମ ମୌସୁମୀ ୯୬% ରହିବ ବୋଲି ଆକଳନ କରାଯାଇଛି । ଏହା ସ୍ୱାଭାବିକ ରହିବ ବୋଲି କହିଛି ବିଭାଗ । ଏଥର ଏଲ୍ ନିନୋର ପ୍ରଭାବ ନିଶ୍ଚୟ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ । ଭାରତୀୟ ଅର୍ଥନୀତି ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଉଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ ଜୁନ୍ ୧ରେ କେରଳ ଛୁଇଁଥାଏ । କିନ୍ତୁ ଚଳିତବର୍ଷ ୪ ଦିନ ବିଳମ୍ବରେ ଆସିବ । ସେହିପରି ଆସନ୍ତା ଜୁନ୍ ୧୨ ବେଳକୁ ଓଡ଼ିଶାକୁ ମୌସୁମୀ ଆସିବା ନେଇ ସମ୍ଭାବନା ରହିଛି ।

    ଗତକାଲି ରାଜ୍ୟରେ କାଳବୈଶାଖୀଜନିତ ବର୍ଷା ଦେଖିବାକୁ ମିଳିଥିଲା । ଅପରାହ୍ଣରେ ପ୍ରାୟ ୩ ଘଣ୍ଟା ଯାଏ କଚାଡ଼ିଥିଲା । ଆଜି ମଧ୍ୟ କାଳବୈଶାଖୀ ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି । ସେଥିପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

  • ସରକାରଙ୍କ ୯ ବର୍ଷ ପୂର୍ତ୍ତିରେ ମୋଦୀ ସରକାରଙ୍କୁ କଂଗ୍ରେସର ୯ ପ୍ରଶ୍ନ

    ସରକାରଙ୍କ ୯ ବର୍ଷ ପୂର୍ତ୍ତିରେ ମୋଦୀ ସରକାରଙ୍କୁ କଂଗ୍ରେସର ୯ ପ୍ରଶ୍ନ

    ମୋଦୀ ସରକାରର ୯ ବର୍ଷ ପୂରଣ ଅବସରରେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ ପଚାରିଛି । କଂଗ୍ରେସ ପକ୍ଷରୁ ଆଦାନୀ, କୃଷକ ମାନଙ୍କ ଆୟକୁ ଦ୍ୱିଗୁଣିତ କରିବା, ଦରଦାମ୍ ବୃଦ୍ଧି ଏବଂ ବେକାରୀ ଭଳି ପ୍ରସଙ୍ଗ ଉପରେ ପ୍ରଶ୍ନ କରାଯାଇଛି । କଂଗ୍ରେସ ତରଫରୁ ‘୯ ବର୍ଷ, ୯ ପ୍ରଶ୍ନ’ ଉପରେ ଏକ ବୁକଲେଟ୍ ମଧ୍ୟ ଜାରି କରାଯାଇଛି । ଦଳର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ, ଶନିବାର ଦିନ ଦେଶର ୩୫ଟି ସହରରେ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରିବ ।

    କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୋଦୀ ସରକାରଙ୍କ ନଅ ବର୍ଷ ପୂରଣ ହେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନଅଟି ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି । ଆମେ ‘୯ ବର୍ଷ ୯ ପ୍ରଶ୍ନ’ ପାଇଁ ଆମେ ଏକ ଡକ୍ୟୁମେଣ୍ଟ୍ ମଧ୍ୟ ପ୍ରକାଶ କରୁଛୁ ବୋଲି ଜୟରାମ କହିଛନ୍ତି ।

    କଂଗ୍ରେସ ତରଫରୁ କୁହାଯାଇଥିଲା ଯେ, ରାହୁଲ ଗାନ୍ଧୀ ଏହି ୯ଟି ପ୍ରଶ୍ନକୁ ଭାରତ ଯୋଡା ଯାତ୍ରା ସମୟରେ ଏବଂ ପରେ କ୍ରମାଗତ ଭାବରେ ଉଠାଇଥିଲେ । କିନ୍ତୁ, ଆଜି ପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ । କଂଗ୍ରେସ ଦଳ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୯ ଟି ପ୍ରଶ୍ନ ପଚାରିଛନ୍ତି । ଆମେ ଚାହୁଁଛୁ ପିଏମ ମୋଦୀ ଏହି ପ୍ରଶ୍ନଗୁଡ଼ିକ ଉପରେ ନୀରବତା ଭାଙ୍ଗନ୍ତୁ ବୋଲି କଂଗ୍ରେସ କହିଛି ।

    ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଂଗ୍ରେସ ଏହି ୯ଟି ପ୍ରଶ୍ନ ପଚାରିଛି

    ୧. ଅର୍ଥନୀତି- ଦେଶରେ ଦରଦାମ ବୃଦ୍ଧି ଏବଂ ବେରୋଜଗାରୀ କାହିଁକି ଆକାଶ ଛୂଇଁଛି ? ଧନୀ ଲୋକମାନେ କାହିଁକି ଧନୀ ହେଉଛନ୍ତି ଏବଂ ଗରିବ ମାନେ କାହିଁକି ଗରିବ ହେଉଛନ୍ତି ? ସର୍ବସାଧାରଣ ସମ୍ପତ୍ତି ମୋଦୀଙ୍କ ସାଙ୍ଗ ମାନଙ୍କୁ କାହିଁକି ବିକ୍ରି ହେଉଛି ? ଅର୍ଥନୈତିକ ପାର୍ଥକ୍ୟ କାହିଁକି ବଛି?

    ୨. କୃଷି ଏବଂ କୃଷକ- ଗତ ୯ ବର୍ଷ ମଧ୍ୟରେ ମଧ୍ୟ କୃଷକଙ୍କ ଆୟ ଦ୍ୱିଗୁଣିତ ହୋଇନାହିଁ କାହିଁକି? କଳା କୃଷି ଆଇନକୁ ରଦ୍ଦ କରାଯାଇଥିବା ବେଳେ କୃଷକ ସଂଗଠନ ସହିତ ହୋଇଥିବା ଚୁକ୍ତିନାମା କାହିଁକି କାର୍ଯ୍ୟକାରୀ ହୋଇନାହିଁ? କାହିଁକି MSP ଗ୍ୟାରେଣ୍ଟି ଦିଆଗଲା ନାହିଁ?

    ୩. ଦୁର୍ନୀତି/ମିତ୍ରବାଦ- ଆଦାନୀକୁ ଲାଭ ପହଞ୍ଚାଇବା ପାଇଁ LIC ଏବଂ SBIରେ ଜମା ହୋଇଥିବା ଲୋକଙ୍କ କଷ୍ଟ ଉପାର୍ଜିତ ଟଙ୍କା କାହିଁକି ବିପଦରେ ପଡିଛି? ଦୁର୍ନୀତିର ସମାପ୍ତି ବିଷୟରେ ଆଲୋଚନା କରୁଥିବା ପ୍ରଧାନମନ୍ତ୍ରୀ କାହିଁକି ଉତ୍ତର ଦେଉନାହାନ୍ତି ଯେ, ଆଦାନୀଙ୍କ ନକଲି କମ୍ପାନୀରେ ରହିଥିବା ୨୦ ହଜାର କୋଟି ଟଙ୍କା କାହାର?

    ୪. ଚୀନ୍ ଏବଂ ଜାତୀୟ ସୁରକ୍ଷା- ଚୀନକୁ ନାଲି ଆଖି ଦେଖାଉଥିବା ପ୍ରଧାନମନ୍ତ୍ରୀ କାହିଁକି ଚୀନ ଆମ ଜମି ଦଖଲ କରି ବସିଥିବା ବେଳେ ୨୦୨୦ରେ ଏହାକୁ କ୍ଲିନଚିଟ ଦେଇଦେଲେ ?

    ୫. ସାମାଜିକ ସଦ୍ଭାବ- ନିର୍ବାଚନୀ ଫାଇଦା ପାଇଁ ବିଭାଜନକାରୀ ରାଜନୀତିକୁ ପ୍ରୋତ୍ସାହିତ କରାଯାଉଥିବା ବେଳେ ସମାଜରେ ଭୟର ବାତାବରଣ କାହିଁକି ସୃଷ୍ଟି କରାଯାଉଛି ?

    ୬. ସାମାଜିକ ନ୍ୟାୟ- ମହିଳା, ଦଳିତ, ଏସସି, ଏସଟି, ଓବିସି ଏବଂ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ପ୍ରଧାନମନ୍ତ୍ରୀ କାହିଁକି ଚୁପ୍ ରହିଛନ୍ତି? ଜାତି ଜନଗଣନା ପାଇଁ ସେ କାହିଁକି ଅବହେଳା କରୁଛନ୍ତି ?

    ୭. ଗଣତାନ୍ତ୍ରିକ ସଂସ୍ଥା- ପ୍ରତିଶୋଧର ଭାବନା ସହିତ ବିରୋଧୀ ଦଳ ଏବଂ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଉଛି? ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ବିରୋଧୀ ଦଳର ଅନେକ ସରକାରକୁ କାହିଁକି ଭାଙ୍ଗି ଦିଆଗଲା ? ଗତ ୯ ବର୍ଷରେ ସାମ୍ବିଧାନିକ ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡ଼ିକ କାହିଁକି ଦୁର୍ବଳ ହେଲା ?

    ୮. ଜନକଲ୍ୟାଣ ଯୋଜନା- ମନରେଗା ପରି ଜନ କଲ୍ୟାଣ ଯୋଜନା କାହିଁକି ବଜେଟରୁ କାଟି ଦୁର୍ବଳ କରାଗଲା? ଗରିବ, ଆଦିବାସୀ ଏବଂ ଅଭାବୀ ଲୋକମାନଙ୍କର ସ୍ୱପ୍ନ କାହିଁକି ଭାଙ୍ଗିଦିଆ ଯାଉଛି ?

    ୯. କରୋନା ମିସମ୍ୟାନେଜମେଣ୍ଟ – କାହିଁକି କରୋନା କାରଣରୁ ୪୦ ଲକ୍ଷ ଲୋକଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାରକୁ କ୍ଷତିପୂରଣ ପାଇଁ ମନା କରାଯାଇଥିଲା ? କାହିଁକି ଲକ୍ଷ ଲକ୍ଷ ଶ୍ରମିକ ହଠାତ୍ ତାଲା ପକାଇ ଘରକୁ ଯିବାକୁ ବାଧ୍ୟ ହେଲେ ଏବଂ ସେମାନଙ୍କୁ ନିଜ ଅବସ୍ଥାରେ ଛାଡି ଦିଆଗଲା ?

  • IPL: ଫାଇନାଲ୍ ପୂର୍ବରୁ ଆଜି ଲଢ଼ିବେ ଗୁଜରାଟ ଓ ମୁମ୍ବାଇ

    IPL: ଫାଇନାଲ୍ ପୂର୍ବରୁ ଆଜି ଲଢ଼ିବେ ଗୁଜରାଟ ଓ ମୁମ୍ବାଇ

    ଫଟାଫଟ୍ କ୍ରିକେଟ୍ IPLରେ ଆଉ ମାତ୍ର ୨ଟି ମ୍ୟାଚ୍ ଅଛି । ଆଜି ଦ୍ୱିତୀୟ କ୍ୱାଲିଫାଏରରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟନ୍ସ । ଅହମ୍ମଦାବାଦରେ ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍ ଖେଳାଯିବ । ଆଜିର ବିଜେତା ଚେନ୍ନାଇ ବିପକ୍ଷରେ ଟାଇଟଲ୍ ପାଇଁ ଲଢ଼ିବ ।

    ମେ’୨୮ରେ IPL ଫିନାଲେ ମାନେ ଟାଇଟଲ୍ ପାଇଁ ଲଢ଼େଇ । ଗୁଜରାଟକୁ ହରାଇ ପ୍ରଥମ ଟିମ୍ ଭାବେ ଫାଇନାଲରେ ଏଣ୍ଟ୍ରି କରିଛି ଚେନ୍ନାଇ । ଏବେ ଦ୍ୱିତୀୟ ଟିମ୍ ଅପେକ୍ଷାରେ ଦର୍ଶକ । ଆଜି ମୁମ୍ବାଇ ଓ ଗୁଜରାଟ ଖେଳାଳି ମୈଦାନରେ ନିଜ ଦମ୍ ଦେଖାଇବେ । କଳେବଳେ କୌଶଳେ ମ୍ୟାଚ୍ ଜିତିବାକୁ ସମସ୍ତେ ଉଦ୍ୟମ କରିବେ । ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଏବେ ପୁରା ଫର୍ମରେ ରହିଛି । ଗତଥର ପରି ଚଳିତଥର ମଧ୍ୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରୁଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳର ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ ରହିଛି । ଇନଫର୍ମ ଶୁବମନ୍ ଗିଲ୍, ବିଜୟ ଶଙ୍କର, ପାଣ୍ଡ୍ୟା, ମିଲରଙ୍କ ପରି ଖେଳାଳିଙ୍କ ଉପରେ ଦଳର ବ୍ୟାଟିଂ ନିର୍ଭର କରୁଛି । ଅଲରାଉଣ୍ଡର ରସିଦ ଖାନଙ୍କ ସମେତ ଅଭିଜ୍ଞ ସାମି ବୋଲିଂ ଡିପାର୍ଟମେଣ୍ଟ ସମ୍ଭାଳିବେ । ତେଣୁ ଦ୍ୱିତୀୟ ଟିମ୍ ଭାବେ ଫାଇନାଲ୍ ଯିବାକୁ ଲକ୍ଷ୍ୟ ରଖିଛି ଦଳ ।

    ସେପଟେ, ଭାଗ୍ୟ ସାଥ୍ ଦେବାରୁ ଅଳ୍ପକେ କ୍ୱାଲିଫାଏ ରାଉଣ୍ଡରେ ଏଣ୍ଟ୍ରି କରିଛି ମୁମ୍ବାଇ । ଏଲିମିନେଟର ମୁକାବିଲାରେ ଲକ୍ଷ୍ନୌକୁ ମାତ୍ ଦେଇଥିଲା ମୁମ୍ବାଇ । ଆଜି ଗୁଜରାଟ ବିପକ୍ଷରେ ଉନ୍ନତ ପ୍ରଦର୍ଶନ ପାଇଁ ଲକ୍ଷ୍ୟ ରଖିଛି ଟିମ୍ । ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ କମାଲ କରି ଗୁଜରାଟକୁ ହରାଇବା ପାଇଁ ରଣନୀତି ପ୍ରସ୍ତୁତ କରିଛି ରୋହିତ ଆଣ୍ଡ କୋ । ଖାସ୍ କରି ଅଲାରାଉଣ୍ଡର ଗ୍ରୀନ୍ ଏବଂ ବିସ୍ଫୋରକ ସୂର୍ଯ୍ୟକୁମାରଙ୍କ ଉପରେ ଦଳର ବିଜୟ ନିର୍ଭର କରୁଛି । ତେଣୁ ଏ ଦୁଇ ପ୍ଲେୟାରଙ୍କୁ ସତର୍କତାର ସହ ଖେଳିବାକୁ ହେବ । ମେ’୨୮ରେ ଫାଇନାଲ୍ ମୁକାବିଲା । ଚେନ୍ନାଇ ଫାଇନାଲରେ ପ୍ରବେଶ କରିଥିବା ବେଳେ ଆଜି ମୁମ୍ବାଇ ନା ଗୁଜରାଟ ବିଜୟୀ ହେବ ତାକୁ ସମସ୍ତଙ୍କ ଅପେକ୍ଷା ।

  • ମନ୍ତ୍ରୀ ନବଦାସ ହତ୍ୟା ମାମଲା, JMFCରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ

    ମନ୍ତ୍ରୀ ନବଦାସ ହତ୍ୟା ମାମଲା, JMFCରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ

    ବହୁଚର୍ଚ୍ଚିତ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ଝାରସୁଗୁଡ଼ା JMFC କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି । କୋର୍ଟରେ କ୍ରାଇମବ୍ରାଞ୍ଚ ୫୪୩ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । ମୁଖ୍ୟ ଆସାମୀ ତଥା ଅଭିଯୁକ୍ତ ASI ଗୋପାଳ ଦାସ ଏବେ ଜେଲରେ ଅଛି ।

    JMFC କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରାଯାଇଛି । ପୂର୍ବ ଶତ୍ରୁତାରୁ ମନ୍ତ୍ରୀଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ଗୋପାଳ ଦାସ । ଏହାକୁ ନିଜେ ସ୍ୱୀକାର କରିଛି ଅଭିଯୁକ୍ତ ଯାହା ଉଲ୍ଲେଖ ରହିଛି । ଗୋପାଳଙ୍କ ବିରୋଧରେ 302,307,27(1)ଆର୍ମସ ଆକ୍ଟ ଦଫା ଲାଗିଛି । ହତ୍ୟା ଘଟଣାର ୧୧୮ ଦିନରେ କ୍ରାଇମବ୍ରାଞ୍ଚ ଏହି ଚାର୍ଜସିଟ୍ ଦାଖଲ କରିଛି । ତେବେ ଏହି ମାମଲାରେ କ୍ରାଇମବ୍ରାଞ୍ଚ କେବେ ପୂର୍ଣ୍ଣାଙ୍ଗ ଚାର୍ଜସିଟ୍ ଦାଖଲ କରିବ ସେ ନେଇ ଅସ୍ପଷ୍ଚ ରହିଛି । ଆଜି ମାମଲାର ତଦନ୍ତକାରୀ ଅଧିକାରୀ ଡିଏସପି ରମେଶ ଦୋରାଙ୍କ ସମେତ ୩ ଜଣ ପହଞ୍ଚି ଜେଏମଏଫସିଙ୍କ ନିକଟରେ ଚାର୍ଜସିଟ ଦାଖଲ କରିଛନ୍ତି ।

    ଗତ ଜାନୁଆରୀ ୨୯ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ଗୋପାଳ ଦାସ । ଘଟଣାସ୍ଥଳରୁ ପିସ୍ତଲ ସହ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଗୁଜରାଟ ଗାନ୍ଧିନଗରସ୍ଥିତ ଫରେନସିକ୍ ଲ୍ୟାବରେ ଅଭିଯୁକ୍ତ ଗୋପାଳର ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା । ଏସସିବି ମାନସିକ ଚିକିତ୍ସା ପ୍ରତିଷ୍ଠାନର ୫ ଜଣିଆ ବିଶେଷଜ୍ଞ ଟିମ ଯାଞ୍ଚ କରିବା ସହ ମାନସିକ ସ୍ଥିତିର ପରୀକ୍ଷା ମଧ୍ୟ କରିଥିଲେ।

  • ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ, ଆରମ୍ଭ ହେଲା ଫର୍ମ ଫିଲଅପ୍

    ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ, ଆରମ୍ଭ ହେଲା ଫର୍ମ ଫିଲଅପ୍

    ମାଟ୍ରିକ ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର । ଚଳିତଥର ଛାତ୍ରଛାତ୍ରୀମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ । ଡ୍ରପ୍ ଆଉଟ୍ ଏବଂ ଫେଲ୍ ହୋଇଥିବା ପିଲାଙ୍କ ପାଇଁ ଏହି ସୁଯୋଗ ଆଣିଛନ୍ତି ସରକାର ।

    ଜୁଲାଇ ୩ରୁ ୮ ତାରିଖ ଯାଏ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ଆଜିଠାରୁ ଆରମ୍ଭ ହୋଇଛି ଫର୍ମ ଫିଲଅପ୍ । ଜୁନ୍ ମାସ ୧ ତାରିଖ ଯାଏ ଫର୍ମ ଫିଲଅପ୍ କରିପାରିବେ ଛାତ୍ରଛାତ୍ରୀ । ଏ ନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି । ଯେଉଁମାନେ ସପ୍ଲିମେଣ୍ଟାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେମାନେ ଚଳିତ ଶିକ୍ଷାବର୍ଷରେ ଯୁକ୍ତ ଦୁଇରେ ନାମ ଲେଖାଇପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

    ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସଫଳତା ପ୍ରଶଂସନୀୟ ରହିଛି । ଖାସ୍ କରି ପୁଅଙ୍କ ତୁଳନାରେ ଝିଅଙ୍କ ରେଜଲ୍ଟ ଭଲ ଆସିଛି । ପାସ୍ ହାର ୯୬.୧୯ ପ୍ରତିଶତ ଥିବାବେଳେ ଖୁବ୍ କମ୍ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି । ସେପଟେ ଆସନ୍ତାବର୍ଷ ଠାରୁ ମାଟ୍ରିକ ପାଇଁ ଗୋଟିଏ ମାତ୍ର ଫାଇନାଲ ପରୀକ୍ଷା ଅନୁଷ୍ଠିତ ହେବ । ଦୁଇଟି ସମେଟିଭ୍ ପରୀକ୍ଷା ପରିବର୍ତ୍ତେ ଗୋଟିଏ ବୋର୍ଡ ପରୀକ୍ଷା ହେବ ବୋଲି ସୂଚନା ଦେଇଛି ବୋର୍ଡ । ଏଥିସହ ଚଳିତବର୍ଷ ଠାରୁ ପ୍ରତିବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ବୋଲି ମଧ୍ୟ ବୋର୍ଡ କହିଛି ।

  • କୁନୋ ପାର୍କ: ଅସହ୍ୟ ଉତ୍ତାପରେ ପୁଣି ଗଲା ୨ ଚିତା ଛୁଆଙ୍କ ଜୀବନ

    କୁନୋ ପାର୍କ: ଅସହ୍ୟ ଉତ୍ତାପରେ ପୁଣି ଗଲା ୨ ଚିତା ଛୁଆଙ୍କ ଜୀବନ

    ପୁଣି ଚିତାର ମୃତ୍ୟୁ । ପୁଣି ଦୁଇଟା ଚିତା ପ୍ରାଣ ହରାଇଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ୍ ପାର୍କରେ । ଗତ ୨୪ ଘଣ୍ଟାରେ ୨ଟି ଚିତା ଛୁଆ ପ୍ରାଣ ହରାଇଛନ୍ତି ।

    ଏବେ ମେ’ ମାସ ଚାଲିଥିବାରୁ ଦେଶର ସବୁଠି ପ୍ରବଳ ଗରମ ଓ ଗୁଳୁଗୁଳି । ତେଣୁ ପ୍ରବଳ ଉତ୍ତାପ ସହି ନପାରି ୨ ଚିତା ଛୁଆଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗୋଟିଏ ଚିତା ଛୁଆର ମୃତ୍ୟୁର ୨ ଦିନ ପରେ ଆଉ ଗୋଟିଏ ଛୁଆର ମୃତ୍ୟୁ ହୋଇଛି । ଗତ ୨୩ ତାରିଖରେ ପ୍ରଥମେ ଗୋଟିଏ ଛୁଆର ମୃତ୍ୟୁ ପରେ ୨୫ ତାରିଖରେ ଆଉ ଏକ ଛୁଆ ପ୍ରାଣ ହରାଇଲା ଯାହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଗତ ମାର୍ଚ୍ଚରେ ନାମିବ୍ୟାରୁ ଆସିଥିବା ଚିତାଙ୍କ ଠାରୁ ୪ଟି ଛୁଆ ଜନ୍ମ ନେଇଥିଲେ । ହେଲେ ଏଯାଏ ୩ଟି ଛୁଆଙ୍କ ମୃତ୍ୟୁ ଘଟିସାରିଲାଣି ।

    କୁନୋ ନ୍ୟାସନାଲ ପାର୍କରେ ତାପମାତ୍ରା ୪୫ରୁ ୪୭ ଡିଗ୍ରୀ ରହୁଛି । ସେହି ଉତ୍ତାପ ସହିନପାରି ଛୁଆଙ୍କ ଜୀବନ ଯାଇଛି । ଅନ୍ୟ ଚିତାଙ୍କ ସୁରକ୍ଷା ଲାଗି ନାମିବ୍ୟା ଓ ଦକ୍ଷିଣ ଆଫ୍ରିକା ଚିତା ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି କୁନୋ ପାର୍କ କର୍ତ୍ତୃପକ୍ଷ । କୁନୋ ପାର୍କରେ ବାରମ୍ବାର ଚିତା ବାଘର ମୃତ୍ୟୁ ହେଉଛି । ଏହି ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ କିଛି ଦିନ ପୂର୍ବେ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ତେଣୁ ଚିତାଙ୍କୁ ରାଜସ୍ଥାନ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ ସୁପ୍ରିମକୋର୍ଟ ।

  • ୨୮ରେ ସଂସଦ ଭବନର ଉଦଘାଟନ, ସରକାରଙ୍କୁ ଘେରିଲେ ବିରୋଧୀ, ଉନ୍ମୋଚିତ ହେବ ୭୫ ଟଙ୍କିଆ ମୁଦ୍ରା

    ୨୮ରେ ସଂସଦ ଭବନର ଉଦଘାଟନ, ସରକାରଙ୍କୁ ଘେରିଲେ ବିରୋଧୀ, ଉନ୍ମୋଚିତ ହେବ ୭୫ ଟଙ୍କିଆ ମୁଦ୍ରା

    ଆସନ୍ତା ୨୮ ତାରିଖକୁ ସମସ୍ତଙ୍କ ଅପେକ୍ଷା । ନୂଆ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ସଂସଦ ଭବନର ୭୫ ବର୍ଷ ପୂର୍ତ୍ତି ଅବସରରେ ୭୫ ଟଙ୍କିଆ ମୁଦ୍ରାର ଉନ୍ମୋଚନ କରିବେ ପିଏମ୍ । ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ୭୫ ଟଙ୍କିଆ ମୁଦ୍ରିକା ପ୍ରଚଳନ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।

    ୨୮ ତାରିଖ ଉଦଘାଟନୀ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି । ହେଲେ ଉଦଘାଟନୀ ଉତ୍ସବକୁ ନେଇ ରାଜନୀତି ବି ଥମୁନି । କେନ୍ଦ୍ର ସରକାରଙ୍କୁ ବିଭିନ୍ନ ଦିଗରୁ ଘେରୁଛନ୍ତି ବିରୋଧୀ । ପୂର୍ବରୁ ଉତ୍ସବରେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନହେବା ନେଇ କଂଗ୍ରେସ ଅଧ୍ୟକ୍ଷ ପ୍ରଶ୍ନ ଉଠାଇଥିଲେ । ଏବେ ପୁଣି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଗୋଷ୍ଠୀ ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରୁଛନ୍ତି ।

    ଅଣବିଜେପି ସମେତ ୨୫ରୁ ଅଧିକ ରାଜନୈତିକ ଦଳ ଏଥିରେ ଯୋଗଦେବେ । ହେଲେ ମୁଖ୍ୟ ବିରୋଧୀ ଏଥିରେ ସାମିଲ ହେବେ ନାହିଁ । ପ୍ରଧାନମନ୍ତ୍ରୀ ମୋଦି କାର୍ଯ୍ୟକ୍ରମକୁ ଉଦଘାଟନ କରୁଥିବାରୁ ବିରୋଧ କରିବା ସହ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ।

    ପାର୍ଲାମେଣ୍ଟ ଭବନ ବେଶ୍ ଚମତ୍କାର ଏବଂ ଆକର୍ଷଣୀୟ ହୋଇଛି । ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ଏହି କୋଠା ଲୋକଙ୍କ ଟିକସ ଟଙ୍କାରେ ନିର୍ମିତ । ଏହା ଦେଶର ସମ୍ପତ୍ତି, ବିଜେପିର କିମ୍ବା ଆରଏସଏସର ନୁହଁ । ତେଣୁ ଏହି ଉତ୍ସବରେ ଯୋଗଦେବେ ବୋଲି କହିଛନ୍ତି ଜେଡିଏସ୍ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡ଼ା । ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସେ ଦିଲ୍ଲୀ ଗସ୍ତରେ ଅଛନ୍ତି ।

    ସବୁଠାରୁ ବଡ଼ କଥା ଏହି ଉତ୍ସବରେ ଲୋକସଭାରେ ସ୍ଥାପିତ ହେବ ସମ୍ମାନଜନକ ‘ସେଙ୍ଗୋଲ’। ଏହା ଭାରତର ଶକ୍ତିର ପ୍ରତୀକ । ୧୪ ଅଗଷ୍ଟ, ୧୯୪୭ରେ ବ୍ରିଟିଶମାନଙ୍କଠାରୁ ଭାରତକୁ ଶକ୍ତି ହସ୍ତାନ୍ତରର ପ୍ରତୀକ ଥିଲା ଏହି ସେଙ୍ଗୋଲ । ବ୍ରିଟିଶମାନଙ୍କ ଠାରୁ ପ୍ରଥମେ ଏହାକୁ ଗ୍ରହଣ କରିଥିଲେ ପଣ୍ଡିତ ଜବାହରଲାଲ ନେହେରୁ ।

    ମଦୁରାଇ ଅଧିନାମର ୨୯୩ତମ ପୁରୋହିତ ହରିହର ଦେସିକା, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସେଙ୍ଗୋଲ ହସ୍ତାନ୍ତର କରିବେ । ୨୮ ତାରିଖ ଭୋରୁ ନୂତନ ସଂସଦ ଭବନର ଆନୁଷ୍ଠାନିକ ଉଦଘାଟନ ପାଇଁ ବହୁ ଧର୍ମ ପ୍ରାର୍ଥନା ଆରମ୍ଭ ହେବ ।

    ଏହି କାର୍ଯ୍ୟକ୍ରମ ସଂସଦ ପରିସରରେ ପ୍ରାୟ ୭ଟା ସମୟରେ ଅନୁଷ୍ଠିତ ହେବ ଯେଉଁଠାରେ ଆନୁଷ୍ଠାନିକ ରାଜଦଣ୍ଡ ସେଙ୍ଗୋଲ, ମୋଦିଙ୍କୁ ହସ୍ତାନ୍ତର କରାଯିବ । ନୂଆ ସଂସଦ ଭବନରେ ସେଙ୍ଗୋଲର ପ୍ରତୀକ ପାଇଁ ଆଡେନମ୍ ପହଞ୍ଚିଛନ୍ତି । ମାଲାଇ ମାଣ୍ଡିର ପରିସର,ଆର.କେ ପୁରାମ ନୂଆଦିଲ୍ଲୀରେ ରହିବେ । ବୈଦିକ ରୀତିନୀତିରେ ଗଙ୍ଗାଜଳ ସ୍ନାନ ଏବଂ ତାମିଲ ଭଜନ ରୀତି ପରେ ସେମାନେ ସେଙ୍ଗୋଲକୁ ପିଏମ୍ ମୋଦିଙ୍କୁ ହସ୍ତାନ୍ତର କରିବେ ।

  • ପ୍ରବଳ ଖରାକୁ ଖାତିର ନକରି ତତଲା ପିଚୁରେ ରାଜସ୍ଥାନରୁ ଦଣ୍ଡ ପ୍ରଣାମ କରି ପୁରୀ ଆସୁଛନ୍ତି ଜଣେ ଭକ୍ତ, ଆଜି ସେ ବୌଦ୍ଧରେ ଯାତ୍ରା କରୁଛନ୍ତି

    ପ୍ରବଳ ଖରାକୁ ଖାତିର ନକରି ତତଲା ପିଚୁରେ ରାଜସ୍ଥାନରୁ ଦଣ୍ଡ ପ୍ରଣାମ କରି ପୁରୀ ଆସୁଛନ୍ତି ଜଣେ ଭକ୍ତ, ଆଜି ସେ ବୌଦ୍ଧରେ ଯାତ୍ରା କରୁଛନ୍ତି

    ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଲେ ବୌଦ୍ଧ ଜିଲ୍ଲାରେ ପ୍ରତିଦିନ ୪୩ ଡିଗ୍ରୀ ଉପରେ ରହୁଛି ତାପମାତ୍ରା । ଘରୁ ବାହାରକୁ ବାହାରିବ ମୁସ୍କିଲ ହୋଇପଡିଥିବା ବେଳେ କଳା ଚିକଚିକ ପିଚୁ ରାସ୍ତାରେ ବିନା ଚପଲରେ ପାଦ ଥୋଇବା ମୁସ୍କିଲ ବେପାର । ଏପରି ସ୍ଥିତିପେ ଜଗା ଡୋରିରେ ବନ୍ଧା ଜଣେ ଭକ୍ତ ଏପରି କିଛି କରିଛନ୍ତି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ରାଜସ୍ଥାନରୁ ପୁରୀକୁ ଦଣ୍ଡବତ ହୋଇ ଯାଉଛନ୍ତି ଜଣେ ଭକ୍ତ ।

    କଳିଯୁଗରେ ମଧ୍ୟ ଦେଖିବାକୁ ମିଳିଛି ଦାସିଆ ବାଉରୀଙ୍କ ଭଳି ଜଣେ ଭକ୍ତ । ରାଜସ୍ଥାନରୁ ପୁରୀ ଅଭିମୁଖେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଦଣ୍ଡ ପ୍ରଣାମ କରି ଆସିଥିବା ଭକ୍ତ ବୌଦ୍ଧ ଜିଲ୍ଲାକୁ ଅତିକ୍ରମ କରିଛନ୍ତି । ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ବାଉଁଶୁଣି, ବୌଦ୍ଧ ସହର, ପୁରୁଣାକଟକ, ଚାରିଛକ, ଆଡେଣିଗଡ଼ ଦେଇ ପ୍ରାୟ ୧୩୦ କି.ମି ବାଟ ଦଣ୍ଡ ପ୍ରଣାମ କରି ଅତିକ୍ରମ କରିଛନ୍ତି । ଏଥିପାଇଁ ଲାଗିଛି ତାଙ୍କୁ ୧୫ ଦିନ । ବୌଦ୍ଧ ଜିଲ୍ଲାରେ ପ୍ରବେଶ କରିବା ପରେ ଏଭଳି ଜଣେ ଭକ୍ତଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରିଛନ୍ତି ଲୋକେ । କାଳିଆ ଦର୍ଶନ କରିବାକୁ ଭକ୍ତ ମାନେ ଏତେ ବ୍ୟାକୁଳ ଯେ, ଧୁ..ଧୁ ଖରାକୁ ମଧ୍ୟ ଖାତିର ନାହିଁ । ସେଇଥି ଲାଗି ତ ଦିନ ଦ୍ୱିପ୍ରହରରେ ତତଲା ପିଚୁ ରାସ୍ତାରେ ଦଣ୍ଡ ପ୍ରଣାମ କରି କାଳିଆ ସାଆନ୍ତର ଶ୍ରୀମୁଖ ଦର୍ଶନ କରିବାକୁ ସୁଦୁର ରାଜସ୍ଥାନରୁ ପୁରୀକୁ ଚାଲିଛନ୍ତି ଭକ୍ତ ଜଣକ । ଏଇକଥା ପ୍ରଚାର ହେବା ପରେ ତାଙ୍କୁ ଦେଖିବାକୁ ରାସ୍ତାରେ ଜମୁଛି ଭିଡ ।

    ରାଜସ୍ତାନରୁ ଜଗନ୍ନାଥ ଧାମ ପୁରୀ, ସିଏ ପୁଣି ଦଣ୍ଡପ୍ରଣାମ କରି କରି । ମାସେ କି ୨ ମାସ ନୁହେଁ ବରଂ ଗତ ବର୍ଷରୁ ନିଜ ଘରୁ ଜଗାକୁ ଦର୍ଶନ କରିବାକୁ ବାହାରିଥିଲେ ବିଜୟ । ଇଚ୍ଛା ଥିଲା ଗାଡି କି ଟ୍ରେନ୍‌ରେ ନୁହେଁ ବରଂ ରାସ୍ତାରେ ଦଣ୍ଡ ପ୍ରଣାମ କରିକରି ଚକାନୟନର ଦର୍ଶନ କରିବେ । ସେଇଥି ପାଇଁ ତ ନିଜ ଇଚ୍ଛାକୁ ପୂରଣ କରିବା ଲାଗି ଏମିତି ପ୍ରଣାମ କରି କରି ଶ୍ରୀକ୍ଷେତ୍ର ଯାଉଛନ୍ତି ବିଜୟ । ବିଜୟଙ୍କ କହିବା ଅନୁସାରେ, ଜଗା ଦର୍ଶନ ଲାଗି ଗତ ବର୍ଷ ଅର୍ଥାତ୍‌ ଡିସେମ୍ବର ମାସରୁ ସେ ଘରୁ ବାହାରିଛନ୍ତି । ଜଗା ଦର୍ଶନ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ । ତେଣୁ, ଘରୁ ବାହାରିବା ଦିନ ଠାରୁ ଆଜଯାଏଁ ସେ ଥକି ନାହାନ୍ତି କି କୌଣସି ସ୍ଥାନରେ ଅଟକିଯାଇ ନାହାନ୍ତି । ବିଜୟଙ୍କ ଗାଁ ଠାରୁ ଶ୍ରୀକ୍ଷେତ୍ରର ଦୂରତା ପ୍ରାୟ ୧୫୧୨ କିଲୋମିଟର ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୨୫୦ କିଲୋମିଟର ଯାତ୍ରା କରି ବୌଦ୍ଧ ଜିଲ୍ଲା ଅତିକ୍ରମ କରିଛନ୍ତି ବିଜୟ । ଆଉ ମାତ୍ର ୨୬୨ କିଲୋମିଟର ଯାତ୍ରା ରହିଛି । ତେଣୁ, ରଥଯାତ୍ରା ବେଳକୁ ଶ୍ରୀକ୍ଷେତ୍ରରେ ପହଞ୍ଚିବାର ଆଶା ନେଇ ଆଗକୁ ବଢୁଛନ୍ତି ବିଜୟ । କଥାରେ ଅଛି ଭାବ ଯାହାର ଅଛି ସିଏ ଜଗାକୁ ପାଇଛି । ତେଣୁ, ନିଜ ମନରେ ଥିବା ଭକ୍ତି ପାଇଁ ଆଜି ମାଇଲ ମାଇଲ୍‌ ବାଟ ଏମିତି ରାସ୍ତାରେ ଦଣ୍ଡ ପ୍ରଣାମ କରି ଯାଉଛନ୍ତି ବିଜୟ । ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ଦେଖି ଅନେକ ଭକ୍ତ ମଧ୍ୟ ଗାଡି ଅଟକାଇ ଦେଉଛନ୍ତି । କେମିତି ଭଲରେ ଶ୍ରୀକ୍ଷେତ୍ରରେ ପହଞ୍ଚିବେ ସେନେଇ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ।

  • ରାଜଧାନୀ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା

    ରାଜଧାନୀ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା

    ରାଜଧାନୀରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଛି । ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପବନରେ ଭିଜିଛି ଭୁବନେଶ୍ୱର । ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ଦ୍ୱାରା କେତେକ ସ୍ଥାନରେ ଗଛ ମଧ୍ୟ ଭାଙ୍ଗିପଡ଼ିଛି । ଭୁବନେଶ୍ୱର ସମେତ ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି ।

    କିଛି ସ୍ଥାନରେ ଚାଳ, ଛପର ଉଡ଼ାଇ ନେଇଛି । ସେହିପରି ରାସ୍ତାରେ ଗଛ ମଧ୍ୟ ପଡ଼ିଛି । ଆଜି ଅପରାହ୍ଣ ସାଢ଼େ ୨ଟାରୁ ଘଡ଼ଘଡ଼ି ସହିତ ବର୍ଷା ହେବା ଫଳରେ ରାଜଧାନୀବାସୀଙ୍କୁ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ଲାଗି ରହିଥିଲା । ରାସ୍ତାରେ ପାଣି ପ୍ରବାହିତ ହୋଇଥିବା ବେଳେ ବର୍ଷା ଯୋଗୁଁ ଆଗାମୀ ଦୁଇ ତିନି ଦିନ ପ୍ରବଳ ଗରମରୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି ।

    ସେହିପରି ଢେଙ୍କାନାଳ, କଟକ, ଖୋର୍ଦ୍ଧା ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । କାଳବୈଶାଖୀ ବର୍ଷାର ପ୍ରଭାବ ରହିଲେ ମଧ୍ୟ ତାତିରେ ବ୍ରେକ୍ ଲାଗିବାର ସମ୍ଭାବନା ନାହିଁ । ବିଶେଷ କରି ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ସମ୍ବଲପୁର, ବୌଦ୍ଧ, ସୋନପୁର, ନୂଆପଡ଼ା ଜିଲ୍ଲାରେ ୪୦ରୁ ୪୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରହିବ ବୋଲି ଆକଳନ କରାଯାଇଛି । ଖୋର୍ଦ୍ଧା,ପୁରୀ,କଟକ,ଜଗତସିଂହପୁର ଭଳି ଜିଲ୍ଲା ଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେଲେ ମଧ୍ୟ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ତାପମାତ୍ରା ରହିବ । ଏହାର ପ୍ରଭାବରେ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେବ । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ଆକଳନ କରାଯାଇଛି ।