Category: ମୁଖ୍ୟ ଖବର

  • ରାଇରଙ୍ଗପୁର: ଦିନରେ ପରିବା ବେପାରୀ, ରାତିରେ ସାଜନ୍ତି ନକଲି ପୋଲିସ

    ରାଇରଙ୍ଗପୁର: ଦିନରେ ପରିବା ବେପାରୀ, ରାତିରେ ସାଜନ୍ତି ନକଲି ପୋଲିସ

    ଦିନରେ ପରିବା ବେପାରୀ ଆଉ ରାତିରେ ନକଲି ପୋଲିସ । ଜଣେ ମହିଳାଙ୍କ ଏପରି କାରନାମା ଧରାପଡ଼ିବା ପରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପୋଲିସର ଭୟ ଦେଖାଇ ଅର୍ଥ ଆଦାୟ କରି ଚାଲିଥିଲେ । ହେଲେ ଶେଷରେ ସେ ଗିରଫ ହେବା ଘଟଣା ବେଶ୍ ଚର୍ଚ୍ଚାକୁ ଆସିଛି ।

    ରାଇରଙ୍ଗପୁର ପୌରାଞ୍ଚଳ କୁଚେଇବୁଡ଼ି ଗାଁର ୨୮ ବର୍ଷୀୟା ପ୍ରଭାତି ମହାନ୍ତ । ରାଇରଙ୍ଗପୁର ଦୁର୍ଗା ମଣ୍ଡପ ଛକରେ ପରିବା ଦୋକାନ କରିଛନ୍ତି । ଏଥିସହ ବିଭିନ୍ନ ଅନୈତିକ ଓ ଅସାମାଜିକ କାର୍ଯ୍ୟରେ ସେ ସଂପୃକ୍ତ ଅଛନ୍ତି । କାରଣ ପୂର୍ବରୁ ତାଙ୍କ ନାଁରେ ଅଭିଯୋଗ ହୋଇଛି । ଦିନରେ ପରିବା ବିକାଳିର ଅଭିନୟ ତ ରାତିରେ ପୋଲିସ ବାବୁଙ୍କ ପରିଚୟ ଦେଇ ଚାନ୍ଦା ଆଦାୟ କରିବା ତାଙ୍କର ପେଷା ।

    ସୂଚନା ଅନୁସାରେ ସନ୍ଧ୍ୟା ସମୟରେ ଏକ ସ୍କୁଟିରେ ପୋଲିସ ପୋଷାକରେ ବାହାରିଥିଲେ ନକଲି ପୋଲିସ ପ୍ରଭାତି । ନୂରୁବାଦଡ଼ା ଗାଁର କାଳିପଦ ମହାନ୍ତଙ୍କ ଘରକୁ ଯାଇ ଧମକ ଦେଇଥିଲେ ମ୍ୟାଡମ । ଏକ ହତ୍ୟା ମାମଲାରେ ତାଙ୍କ ପୁଅର ସଂପୃକ୍ତି ନେଇ ୨୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ବିଳମ୍ବ ହେଲେ ରାଇରଙ୍ଗପୁର ଟାଉନ୍ ଥାନା ଯିବାକୁ ଧମକାଇଥିଲେ । ପାଟିତୁଣ୍ଡ ଶୁଣିବା ପରେ ଗାଁ ଲୋକେ ସେଠାରେ ପହଁଚିଥିଲେ । ଗାଁ ଲୋକେ ସନ୍ଦେହ କରି ଥାନା ଜଣାଇବା ପରେ ପୋଲିସ ପହଞ୍ଚି ତାଙ୍କୁ ଗିରଫ କରିଥିଲା ।

    ପ୍ରଭାତିଙ୍କ ନାଁରେ ମାମଲା ରୁଜୁ କରିବା ସହ ତାଙ୍କୁ କୋର୍ଟ ପଠାଯାଇଛି । ନକଲି ମହିଳା ପୋଲିସଙ୍କ ନିକଟରୁ ସ୍କୁଟି, ମୋବାଇଲ,ପୋଲିସ ପୋଷାକ, ଜେଲର ଆର୍ମଡ ବେଚ,ବେଲ୍ଟ,ଜୋତା ଜବତ କରାଯାଇଛି । ଏଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାକୁ ଆସିଛି ।

  • ଜୁନ୍ ୪ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ,ଓଡ଼ିଶାକୁ କେବେ?

    ଜୁନ୍ ୪ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ,ଓଡ଼ିଶାକୁ କେବେ?

    ମୌସୁମୀ ପାଇଁ ପାଗ ଅନୁକୂଳ । ଧୀରେ ଧୀରେ ଆଗକୁ ଅଗ୍ରସର ହେଉଛି ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ଏବେ ପାଗ ଅନୁକୂଳ ରହିଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କିଛି ଅଞ୍ଚଳ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର କିଛି ଅଂଶକୁ ଏବେ ଛୁଇଁଛି ମୌସୁମୀ । ସମ୍ପୂର୍ଣ୍ଣ ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜକୁ ଏହା ଛୁଇଁସାରିଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ମାଳଦୀପ, କୋମୋରିନ ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହେବ ।

    ସେହିପରି କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶ ତଥା ଉତ୍ତର-ପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳକୁ ଧୀରେ ଧୀରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେଉଛି । ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଭାବେ ଅନୁକୂଳ ରହିଛି । ଜୁନ୍ ୪ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି । ତେବେ ଓଡ଼ିଶାକୁ ମୌସୁମୀ କେବେ ଛୁଇଁବ, ସେ ନେଇ ଏଯାଏ କୌଣସି ଆକଳନ କରାଯାଇନଥିବା କହିଛି ଭାରତୀୟ ପାଣିପାଗ ବିଭାଗ ।

    କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଦୁଇରୁ ତିନି ଦିନ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ଏହା ପରେ ତାପମାତ୍ରା ବୃଦ୍ଧି ପାଇବା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଆଗକୁ ଆହୁରୀ ତାପମାତ୍ରା ବଢ଼ିବାର ଆଶଙ୍କା ରହିଛି ।

  • ଜାଣନ୍ତୁ ଏହି ମନ୍ଦିରକୁ ମୁକେଶ ଆମ୍ବାନୀ କାହିଁକି ଅଧିକ ଆସନ୍ତି, ଚଢାନ୍ତି ପ୍ରବଳ ଟଙ୍କା?

    ଜାଣନ୍ତୁ ଏହି ମନ୍ଦିରକୁ ମୁକେଶ ଆମ୍ବାନୀ କାହିଁକି ଅଧିକ ଆସନ୍ତି, ଚଢାନ୍ତି ପ୍ରବଳ ଟଙ୍କା?

    ଦେଶର ଅନ୍ୟତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ବିଷୟରେ ଲୋକମାନେ ଅନେକ କିଛି ଅଜଣା ଜାଣିବାକୁ ଚାହାଁନ୍ତି । ମୁକେଶ ଅମ୍ବାନୀଙ୍କ ବିଳାସପୂର୍ଣ୍ଣ ଜୀବନଶୈଳି ବିଷୟରେ ଆପଣ ତ ବହୁତ କିଛି ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ ଜାଣନ୍ତି କି ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ବହୁତ ଆଧ୍ୟାତ୍ମିକ ଅଟନ୍ତି । ଭାରତରେ ଏପରି ଅନେକ ମନ୍ଦିର ଅଛି, ଯେଉଁଠାକୁ ମୁକେଶ ଅମ୍ବାନୀ ପ୍ରାୟତଃ ପରିଦର୍ଶନ କରନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି ନାଥଦ୍ୱାରରେ ଅବସ୍ଥିତ ଶ୍ରୀନାଥ ଜୀଙ୍କ ମନ୍ଦିର । ମୁକେଶ ଅମ୍ବାନୀ ଦୀର୍ଘ ଦିନ ଧରି ରାଜସ୍ଥାନର ନାଥଦ୍ୱାରାରେ ଅବସ୍ଥିତ ମନ୍ଦିରର ପରିଦର୍ଶନ କରିଆସୁଛନ୍ତି ଏବଂ ତାଙ୍କ ପରିବାର ମଧ୍ୟ ତାଙ୍କ ସହ ରୁହନ୍ତ ।

    ମୁକେଶ ଅମ୍ବାନୀଙ୍କ ବ୍ୟତୀତ ଅମିତାଭ ବଚ୍ଚନଙ୍କ ପରି ତାରକା ମଧ୍ୟ ନାଥଦ୍ବାରା ପରିଦର୍ଶନ କରନ୍ତି । ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଙ୍କିମାରେ ଯେ, ଏହି ମନ୍ଦିରର କଣ ମାନ୍ୟତା ରହିଛି । ତେଣୁ ଏହି ମନ୍ଦିର ସହିତ ଜଡିତ ବିଶେଷ କଥାଗୁଡିକ ଜାଣିବା ଯେଉଁଠାରେ ମୁକେଶ ଅମ୍ବାନୀଙ୍କ ପରି ଅନେକ ସେଲିବ୍ରିଟି ଆସନ୍ତି ।

    ଯଦି ଆମେ ନାଥଦ୍ୱାରା ବିଷୟରେ କଥା ହେବା, ଏହା ରାଜସ୍ଥାନର ଉଦୟପୁର ନିକଟରେ ରହିଛି । ଯେଉଁଠାକୁ ଆପଣ ଟ୍ରେନ୍ କିମ୍ବା ବିମାନ ଯୋଗେ ଉଦୟପୁରକୁ ଯାଇପାରିବେ । ଏହି ମନ୍ଦିର ଭଗବାନ ଶ୍ରୀକୃଷ୍ଣଙ୍କ ଅବତାର ଶ୍ରୀନାଥଜୀଙ୍କୁ ଉତ୍ସର୍ଗ କରାଯାଇଛି ଏବଂ ରାଜସ୍ଥାନର ଅନେକ ଭକ୍ତଙ୍କ ଭିଡରେ ଏହା ଏକ ପ୍ରସିଦ୍ଧ ଧାର୍ମିକ ସ୍ଥାନ ଅଟେ । ଶ୍ରୀନଥଜୀ ମନ୍ଦିର ୧୭ ତମ ଶତାବ୍ଦୀରେ ନିର୍ମିତ ହୋଇଥିଲା ଏବଂ ମହାରାଜା ରାଜ ସିଂଙ୍କ ଦ୍ୱାରା ଏହା ନିର୍ମିତ ହୋଇଥିଲା । ମନ୍ଦିରର ଆଖପାଖରେ ଏକ ବିରାଟ କ୍ଷେତ୍ର ରହିଛି ଯେଉଁଥିରେ ପ୍ରବେଶ କରିବାକୁ ଚାରୋଟି ଦ୍ୱାର ଅଛି । ଶ୍ରୀନାଥଜୀଙ୍କ ପ୍ରତିମା ମନ୍ଦିର ଭିତରେ ସ୍ଥାପିତ ହୋଇଛି, ଯାହା ଦେଖିବାକୁ ଶ୍ୟାମଳ ରଙ୍ଗର । ହୋଲି ପରେ ଏଠାରେ ଏକ ବିଶେଷ ଅବସର ଆସେ, ଯେତେବେଳେ ଏଠାରେ ବହୁତ ଭିଡ଼ ଜମିଥାଏ ।

    ଏହି ମନ୍ଦିର ବିଷୟରେ ଅନେକ ବିଶ୍ୱାସ ରହିଛି ଏବଂ ଏଠାକୁ ଆସିବା ପରେ ଲୋକଙ୍କ ଇଚ୍ଛା ପୂରଣ ହୁଏ । ସେଥିପାଇଁ ଭକ୍ତମାନେ ଏଠାରେ ଅନେକ ଟଙ୍କା ଚଢାଇଥାନ୍ତି ।

  • କରଞ୍ଜିଆ: ବ୍ଲାଙ୍କ ଚେକରେ ଲାଞ୍ଚ ନେଇ ତହସିଲଦାର ଗିରଫ

    କରଞ୍ଜିଆ: ବ୍ଲାଙ୍କ ଚେକରେ ଲାଞ୍ଚ ନେଇ ତହସିଲଦାର ଗିରଫ

    ଶେଷରେ ଗିରଫ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ । ବ୍ଲାଙ୍କ ଚେକ୍‌ରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ । ବ୍ଲାଙ୍କ ଚେକ୍‌ ଜରିଆରେ ଲାଞ୍ଚ ନେବା ରାଜ୍ୟରେ ପ୍ରଥମ ଘଟଣା ।

    ଚେକରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଧରିଥିଲା । ଜମି କ୍ଷତିପୂରଣ ବାବଦରେ ୫୧୭୫୮୧୦ ଟଙ୍କା ଦେବାକୁ ଲାଞ୍ଚ ନେଉଥିଲେ ଚାର୍ଲସ ନାୟକ । ଏକକାଳୀନ ୪ଟି ସ୍ଥାନ କରଞ୍ଜିଆ ତହସିଲ ଅଫିସ,କରଞ୍ଜିଆସ୍ଥିତ କ୍ବାର୍ଟର୍ସ,ଭଦ୍ରକ ହସ୍ପିଟାଲ ନିକଟରେ ଥିବା ପୈତୃକ ଘର ଏବଂ କରଞ୍ଜିଆର ଛଡ଼େଇ ଭୋଲରେ ଭିଜିଲାନ୍ସ ରେଡ୍ କରିଥିଲା । ତାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା । ବେଆଇନ୍ ଖଣି ଲିଜ୍ ଦେଇ ବିପୁଳ ଅର୍ଥ ରୋଜଗାର କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେବା ପରେ ଚଢ଼ାଉ ହୋଇଥିଲା ।

    ଚାର୍ଲସ ନାୟକ ପୂର୍ବରୁ ବାଲେଶ୍ବର ଜିଲ୍ଲା ସୋରରେ ତହସିଲଦାର ଥିଲେ । ସେଠାରେ ତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଥିଲା । ତେଣୁ ତାଙ୍କୁ ଦୂର ଜିଲ୍ଲାକୁ ବଦଳି କରାଯାଇଥିଲା । ଏବେ ପୁଣି କରଞ୍ଜିଆ ତହସିଲଦାର ଭାବେ ଦାୟିତ୍ୱ ନେବା ପରେ ଦୁର୍ନୀତି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଭଳି ଅଭିଯୋଗ ଆସିଥିଲା । ତେଣୁ ତାଙ୍କ ନାଁରେ ଥିବା ସମ୍ପତ୍ତି ଅନ୍ୟାନ୍ୟ ଲିଙ୍କ୍ ଖୋଜୁଛି ଟିମ୍ ।

  • ଶେଷ ଦିନରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ରାଜ୍ୟପାଳ

    ଶେଷ ଦିନରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ରାଜ୍ୟପାଳ

    ସେ ଥିଲେ ଜଣେ ଦକ୍ଷ ପ୍ରଶାସକ ଆଉ ସୁଯୋଗ୍ୟ ସମାଜ ସଂସ୍କାରକ । ସେ ଏକା ଧାରରେ ଜଣେ ସାହିତ୍ୟକ, ଜଣେ ସଂଗୀତ ପ୍ରେମୀ ତଥା ବିଶେଷ କରି ଜଣେ ଦକ୍ଷ ରାଜ୍ୟପାଳ । ତାଙ୍କୁ କ୍ଷମତାରେ ଥିବା ସରକାର ଆଉ ବିରୋଧୀଙ୍କୁ ସାଥିରେ ଧରି ରାଜ୍ୟର ବିକାଶ କରିବାର କଳା ବେଶ ଭାଲଭାବେ ଜଣା । ପୂର-ପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ନିଜର ବ୍ୟବହାର ଓ ବ୍ୟକ୍ତିତ୍ବ ବଳରେ ସେ ଛାଡିଯାଇଛନ୍ତି ସ୍ବତନ୍ତ୍ର ଛାପ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଉ କି ବିଛିନ୍ନାଞ୍ଚଳ, ସବୁଠି ତାଙ୍କ ଲୋକପ୍ରିୟତା ଆକାଶଛୂଆଁ । କାରଣ ସେ ଯେ କେବଳ ରାଜ୍ୟପାଳ ଥିଲେ ତାହା ନୁହେଁ ଜଣେ ପ୍ରକୃତିକୁ ଭଲପାଉଥିବା ଆଉ ସହୃଦୟ ମଣିଷଟେ ଥିଲେ । ଛୋଟଛୋଟ ପିଲାଙ୍କ ସହିତ ତାଙ୍କର ଥିଲା ଅହେତୁକ ଦୁର୍ବଳତା ।

    ଆଜ୍ଞା ହଁ ଆମେ ଆଜି ଯେଉଁ ବଳିଷ୍ଠ ବ୍ୟକ୍ତିତ୍ବଙ୍କ ବିଷୟରେ ଆଲୋଚନା କରୁଛୁ ସେ ହେଉଛନ୍ତି ଓଡିଶାରେ ଦୀର୍ଘ ୫ ବର୍ଷ ଧରି ଦାୟୀତ୍ବରେ ଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ତାଙ୍କ କାର୍ଯ୍ୟକାଳର ଆଜି ହେଉଛି ଶେଷ ଦିନ । ତାଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଥିବାରୁ ନୂଆ ରାଜ୍ୟପାଳ କିଏ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଷ୍ଟ୍ରପତି ଭବନ ପକ୍ଷରୁ ନୂଆ ରାଜ୍ୟପାଳ କିଏ ହେବେ ସେ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନଥିବା ବେଳେ ବିଧିବଦ୍ଧ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଗଣେଶୀ ଲାଲ ଏହି ଦାୟୀତ୍ବରେ ରହିବେ ବୋଲି ଅନିମାନ କରାଯାଉଛି।

    ଜଣେ ରାଜ୍ୟପାଳ ହୋଇଥିଲେ ବି ସର୍ବଦା ଅତି ସାଧାରଣ ଲୋକଙ୍କ ପରି ଥିଲା ତାଙ୍କ ଜୀବନଚର୍ଯ୍ୟା । ସାଧାସିଧା ଜୀବନ…ଉଚ୍ଚ ବିଚାର ଥିଲା ତାଙ୍କ ଜୀବନର ମୂଳ ମନ୍ତ୍ର । ଅଗଷ୍ଟ ପନ୍ଦରରେ ଛୋଟ ପିଲାଙ୍କୁ ଚୋକଲେଟ ବାଣ୍ଟିବା ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସହିତ ମିଳାମିଶା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଥିଲା ଅତ୍ୟନ୍ତ ମାର୍ଜିତ ।

    ଗଣେଶୀ ଲାଲ ୨୦୧୮ ମସିହା ମେ’ ୨୯ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ । ସେ ଓଡ଼ିଶାବାସୀଙ୍କ ସଫଳତାର ଯାତ୍ରାରେ ଯାତ୍ରୀ ହେବା ସହ ବିଭିନ୍ନ ଜିଲ୍ଲାର ଅନେକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଛନ୍ତି । ନିଜର ସାଣିତ ବ୍ୟବହାର ଏବଂ ମାର୍ଜିତ ଆଚରଣ ଆଉ ସଂସ୍କାର ପାଇଁ ସେ ରାଜ୍ୟରେ ବୁଦ୍ଧିଜୀବୀଙ୍କ ନିକଟରେ ବେଶ ପରିଚିତ । ଦେଶର ବିଭିନ୍ନ ପ୍ରାନ୍ତରେ ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଟଣାଓଟରା ହୋଇଥିବା ବେଳେ ରାଜ୍ୟରେ ପ୍ରତ୍ୟକ ଦଳ ମଧ୍ୟରେ ସମନ୍ବୟ ରକ୍ଷା କରି ରାଜ୍ୟକୁ ଆଗକୁ ବଢାଇବାରେ ତାଙ୍କର ଯୋଗଦାନ ଅତୁଳନୀୟ ।

    ରାଜ୍ୟପାଳ ଗଣେଶୀ ଲାଲ ଏଥିପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କ ସଫଳତାର ଶ୍ରେୟ ଜନସାଧାରଣଙ୍କ ସମର୍ଥନ ଓ ଆଶୀର୍ବାଦକୁ ଦେଇଛନ୍ତି । ତାଙ୍କର ଏହି ବିଚକ୍ଷଣ ଯାତ୍ରାରେ ଓଡିଶା ପାଇଁ ଥିବା ଅବଦାନ ପାଇଁ ତାଙ୍କର ଦୀର୍ଘ ଜୀବନ କାମନା କରି ସମଗ୍ର ଓଡିଶା ଆଜି ଝୁରୁଛି ।

  • ମଣିପୁର ହିଂସା: କଂଗ୍ରେସ ରାଷ୍ଟ୍ରପତିଙ୍କୁ ଭେଟିଥିବା ବେଳେ ଇମ୍ଫାଲରେ ଶାହ

    ମଣିପୁର ହିଂସା: କଂଗ୍ରେସ ରାଷ୍ଟ୍ରପତିଙ୍କୁ ଭେଟିଥିବା ବେଳେ ଇମ୍ଫାଲରେ ଶାହ

    ମଣିପୁରରେ ହିଂସା ଥମିବାର ନାମ ନେଉ ନାହିଁ। ଆଜିଠାରୁ ୪ ଦିନ ପାଇଁ ଗୃହମନ୍ତ୍ରୀ ଅମିତ ଶାହ ମଣିପୁର ଗସ୍ତରେ ଥିବା ବେଳେ ସେଠାକାର ସ୍ଥିତିକୁ ନେଇ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇଛନ୍ତି  ବରିଷ୍ଠ ନେତା ଜୟରାମ ରମେଶ। ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟି ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ଦାବି କରିଛନ୍ତି।  

    ମଙ୍ଗଳବାର କଂଗ୍ରେସର ବରିଷ୍ଠ ନେତା ଜୟରାମଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳରେ ମଣିପୁର କଂଗ୍ରେସର ସମସ୍ତ ନେତାଙ୍କ ସହ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଥିଲେ।  ଏହି ପ୍ରତିନିଧି ରାଷ୍ଟ୍ରପତିଙ୍କ ନିକଟରେ ଏକ ଚାରି ପୃଷ୍ଠାର ରିପୋର୍ଟ ଦାଖଲ କରିବା ସହ ଅଭିଯୋଗ କରିଛି କି,  ବିଜେପିର ପୋଲାରାଇଜେସନ୍ ରାଜନୀତି ଯୋଗୁଁ ମଣିପୁର ଜଳୁଛି। ମେ ୩ ତାରିଖରୁ ମଣିପୁରରେ ହିଂସାର ସୂତ୍ରପାତ ହୋଇଥିବା ବେଳେ ବିଜେପିକୁ ଏଥିରୁ କିଛି ଫରକ ପଡିନି।  କାରଣ କର୍ଣ୍ଣାଟକ ନିର୍ବାଚନ ଉପରେ ​​ବିଜେପିର ସମସ୍ତ ଧ୍ୟାନ ଥିଲା। କଂଗ୍ରେସ ରାଷ୍ଟ୍ରପତିଙ୍କୁ ଦାଖଲ କିଥିବା ରିପୋର୍ଟରେ ୧୨ ସୂତ୍ରୀ  କାର୍ଯ୍ୟ ଯୋଜନା ଉପସ୍ଥାପନ କରି ଏହା ଦ୍ୱାରା ରାଜ୍ୟରେ ହିଂସା ବନ୍ଦ ହୋଇପାରିବ ବୋଲି କୁହାଯାଇଛି।

    ଏହି ସାକ୍ଷାତକାର ପରେ ଦଳ ପକ୍ଷରୁ ଦଳର ମୁଖ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରାଯାଇଥିଲା। କଂଗ୍ରେସ କହିଛି ଯେ ଯେତେବେଳେ ଇବୋବି ସିଂ ରାଜ୍ୟ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ମଣିପୁରରେ ଏହା ଘଟି ନଥିଲା। ଆଜି ମଣିପୁରର ପରିସ୍ଥିତି  ଆପଣଙ୍କ ଆଗରେ ରହିଛି। ଏହା ମଣିପୁର ଇତିହାସରେ ପ୍ରଥମ ଘଟଣା। ଏହା ପୂର୍ବରୁ ଏପରି ଘଟଣା କେବେ ହୋଇନାହିଁ | ଏହା ଏକ ଦୁର୍ଭାଗ୍ୟଜନକ ଘଟଣା | ଆଜି ବି ସେଠାରେ ହିଂସାରେ କିଛି ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଘଟଣାକୁ ନେଇ ବିଜେପିର କ’ଣ ଲୁକ୍କାୟିତ ଏଜେଣ୍ଡା ଆମକୁ ଜାଣେ ନାହିଁ ବୋଲି କହିଛି କଂଗ୍ରେସ।

    ସେପଟେ ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ଗସ୍ତରେ ଅଛନ୍ତି। ଆଗାମୀ କିଛି ଦିନ ଧରି ଗୃହମନ୍ତ୍ରୀ ଏଠାରେ ରହି ବରିଷ୍ଠ ସେନା ଅଧିକାରୀ ତଥା ବିଭିନ୍ନ ଦଳ ତଥା ନାଗରିକ ସମାଜ ସଂଗଠନର ଲୋକଙ୍କୁ ଭେଟିବା ଓ ବୈଠକର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ରାଜ୍ୟରେ ଚାଲିଥିବା ହିଂସାକୁ ରୋକିବା ଉପରେ ଆଲୋଚନା କରିଛନ୍ତି। ଏହି ସମୟରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ କିଛି ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିପାରନ୍ତି।

     ଗତକାଲି ସେ ମୁଖ୍ୟମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈ ଠକ ମଧ୍ୟ କରିଥିଲେ। ରବିବାର ଦିନ ହୋଇଥିବା ହିଂସା ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାରଜଣ ଆହତ ହୋଇଥିଲେ। ମଙ୍ଗଳବାର ସୁଦ୍ଧା ସେଠାର ହିଂସା ଘଟଣାରେ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୦ରେ ପହଞ୍ଚି ଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

  • ନନ୍ଦପୁର: ଗଞ୍ଜେଇ ଭର୍ତ୍ତି ଟାଟା ଇଣ୍ଡିଗୋକୁ ଧରିଲା ପୋଲିସ

    ନନ୍ଦପୁର: ଗଞ୍ଜେଇ ଭର୍ତ୍ତି ଟାଟା ଇଣ୍ଡିଗୋକୁ ଧରିଲା ପୋଲିସ

    କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ପାଡୁଆ ପୋଲିସ ଗଞ୍ଜେଇ ଚାଲାଣକାରୀ ଗାଡ଼ି ଏବଂ ଗଞ୍ଜେଇ ଜବତ କରିଛି । ଘଟଣାସ୍ଥଳରୁ ଚୋରାଚାଲାଣକାରୀ ଫେରାର ହୋଇଯାଇଛି । ଅଭିଯୁକ୍ତମାନେ ଚମ୍ପଟ ମାରିଥିବା ନେଇ ସୂଚନା ଦେଇଛନ୍ତି ଏସଡିପିଓ ସଞ୍ଜୟ ମହାପାତ୍ର ।

    ବିଶେଷ ସୂତ୍ରରୁ ଖବର ପାଇ ଗେମେଲାପୁଟ ଗାଁ ନିକଟରେ ଚଢ଼ାଉ କରିଥିଲା ପୋଲିସ । ପାଡୁଆ ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ହଠାତ୍ ରେଡ୍ କରିଥିଲେ । ଘଟଣାସ୍ଥଳରେ ଥିବା ଲାଲ ରଙ୍ଗର ଟାଟା ଇଣ୍ଡିଗୋ କାର୍ ଯାଞ୍ଚ କରିଥିଲେ ଥିଲେ । ପୋଲିସକୁ ଦେଖି ଚାଲାଣକାରୀମାନେ ସେଠାରୁ ଖସି ପଳାଇଥିଲେ । ଗାଡ଼ି ଯାଞ୍ଚବେଳେ ୫ ବସ୍ତା ଗଞ୍ଜେଇ ସହ ଗାଡ଼ି ଜବତ କରାଯାଇଥିଲା । ଜବତ ଗଞ୍ଜେଇର ଓଜନ ଥିଲା ୧୩୫ କେଜି । ଘଟଣାର ତଦନ୍ତ କରୁଛନ୍ତି ଏସଆଇ ଡି.କେ.ବାରିକ ।

    ସେପଟେ ଦୁଇଦିନ ପୂର୍ବେ ଚିତ୍ରକୋଣ୍ଡା ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା । ଚିତ୍ରକୋଣ୍ଡା ବ୍ଲକ୍ ବଡ଼ପଦର ପଞ୍ଚାୟତ ଅଞ୍ଚଳରୁ ୮୫ଟି ବସ୍ତାରେ ଭର୍ତ୍ତି ଗଞ୍ଜେଇ ଜବତ ହୋଇଥିଲା । ଜଙ୍ଗଲରେ ରେଡ୍ କରି ଏତେ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା ଯାହାର ମୂଲ୍ୟ ୨ କୋଟି ୧୫ ଲକ୍ଷ ଥିଲା । ତେବେ ଘଟଣାରେ କୌଣସି ଅଭିଯୁକ୍ତ ଧରାପଡ଼ିନଥିଲେ । ପୋଲିସ ପହଞ୍ଚିବା ପୂର୍ବରୁ ଚୋରା ଚାଲାଣକାରୀ ଅନ୍ଧାର ଓ ଜଙ୍ଗଲର ସୁବିଧା ନେଇ ଫେରାର୍ ହୋଇଯାଇଛନ୍ତି । ଏତେ ପରିମାଣର ଗଞ୍ଜେଇ କେଉଁଠି ଆସିଲା, କାହାର ସଂପୃକ୍ତି ସେ ନେଇ ତଦନ୍ତ ଜାରି ରହିଛି । ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଧରିଯିବ ବୋଲି ପୋଲିସ କହିଛି ।

  • ସିସୋଦିଆଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ

    ସିସୋଦିଆଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ

    ଦିଲ୍ଲୀ  ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଛି ଏକ ବଡ ଝଟକା। ଦିଲ୍ଲୀ ହାଇକୋର୍ଟ ଆଜି ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। କେଜ୍ରିୱାଲ ସରକାରଙ୍କ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ହାଇକୋର୍ଟରେ ନିମ୍ନ ଅଦାଲତଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ନିମ୍ନ ଅଦାଲତ ମଧ୍ୟ ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ।

    କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଯାଞ୍ଚ କରାଯାଉଥିବା ଦିଲ୍ଲୀ ଲିକର ପଲିସି ସମ୍ପର୍କିତ ଏକ ମାମଲାରେ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି ହାଇକୋର୍ଟ। କୋର୍ଟ କହିଛନ୍ତି କି, ସିସୋଡିଆଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ଗମ୍ଭୀର ଏବଂ ଜାମିନ ପ୍ରଦାନ କରିବା ପରେ ସାକ୍ଷୀଙ୍କୁ ପ୍ରଭାବିତ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଏହି ଆଧାରରେ ହାଇକୋର୍ଟ ସିସୋଡିଆଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

    ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାର ଶୁଣାଣି ପୂର୍ବରୁ  ମନୀଷ ସିସୋଡିଆଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ନେଇ ଆପ ପକ୍ଷରୁ  ଅଭିଯୋଗ ହୋଇଥିଲା। ଆମ୍ ଆଦମୀ ପାର୍ଟି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ମନୀଷ ସିସୋଡିଆଙ୍କୁ ଜଣେ ପୋଲିସ୍ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲା। ଏହି ଅଭିଯୋଗର ଜବାବରେ ଦିଲ୍ଲୀ ପୋଲିସ କହିଛି ଯେ ସେମାନଙ୍କ ବିରୋଧରେ ଏକ ଭୁଲ ତଥ୍ୟ କୋର୍ଟଙ୍କ ସମ୍ମୁଖରେ ପ୍ରସ୍ତୁତ କରାଯାଉଛି। ଦିଲ୍ଲୀ ପୋଲିସ କହିଛି ଯେ ନ୍ୟାୟିକ ହେପାଜତରେ ଜଣେ ଅଭିଯୁକ୍ତ ଗଣମାଧ୍ୟମକୁ ବିବୃତ୍ତି ଦେବା ଆଇନ ବିରୁଦ୍ଧ ଅଟେ। ପୋଲିସ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି କି, ସୁରକ୍ଷା ଦୃଷ୍ଟିରୁ ଭିଡିଓରେ ପ୍ରକାଶିତ ପୋଲିସର ପ୍ରତିକ୍ରିୟା ଅନିବାର୍ଯ୍ୟ ଥିଲା। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିବା ପରେ ଆପ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପ୍ରସ୍ତୁତି କରୁଥିବା ଜଣାପଡିଛି।

    ସୂଚନା ଯୋଗ୍ୟ, ଦିଲ୍ଲୀର ଏହି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବିଭିନ୍ନ ଉପାୟରେ ୬୨୨,୬୭ କୋଟି ଟଙ୍କା ଆୟ କରିଥିବା ଅଭିଯୋଗ ହୋଇଛି। ଇଡି ସୂତ୍ରରୁ ପ୍ରକାଶ ଯେ କ୍ରେଡିଟ୍ ନୋଟ୍, ହାୱାଲା ଚ୍ୟାନେଲ ଏବଂ ସିଧାସଳଖ କିକବ୍ୟାକ୍ ମାଧ୍ୟମରେ ପିଓସି ସୃଷ୍ଟି କରାଯାଇଥିଲା। ଏହି ଅଭିଯୋଗ ଚାର୍ଜସିଟରେ ଉଲ୍ଲେଖ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ସାଉଥ ଗ୍ରୁପ ବିଜୟ ନାୟାରଙ୍କୁ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଥିଲା। ସିସୋଡିଆ ଏବଂ ନାୟାର ସହାୟତାରେ ଇଣ୍ଡୋସ୍ପିରିଟ୍ସ ଏଲଏ ଲାଇସେନ୍ସ ପାଇଥିଲା।  ଏଥିରୁ ୧୯୮.୮ କୋଟି ଟଙ୍କା ଲାଭ ହୋଇଥିଲା। ସାରଥ ରେଡ୍ଡୀ, ଟ୍ରାଇଡେଣ୍ଟ ଚାମ୍ଫର, ଆଭାଣ୍ଟିକା କଣ୍ଟ୍ରାକ୍ଟର ଏବଂ ଅର୍ଗାନୋମିକ୍ସ ଇକୋସିଷ୍ଟମ ଦ୍ୱାରା ନିୟନ୍ତ୍ରିତ ତିନୋଟି ସଂସ୍ଥା ଇଣ୍ଡୋସ୍ପିରିଟ୍ସ ପାଇଁ ୬୦ କୋଟି ଟଙ୍କା ଋଣ କରାଇଛନ୍ତି।

    ଦିଲ୍ଲୀର ଏକ୍ସାଇଜ୍ ପଲିସି ସ୍କାମ ଯାଞ୍ଚ କରୁଥିବା ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ପ୍ରକାଶ କରିଛି କି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ବିଭିନ୍ନ ଉପାୟରେ ୬୨୨,୬୭ କୋଟି ଟଙ୍କା ଆୟ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଚାର୍ଜସିଟରେ ଉଲ୍ଲେଖ କରାଯାଇଛି।

  • ଜମ୍ମୁକାଶ୍ମୀର: ବସ୍ ଦୁର୍ଘଟଣାରେ ୧୦ ମୃତ, ଅନେକ ଆହତ ମେଡିକାଲରେ ଭର୍ତ୍ତି

    ଜମ୍ମୁକାଶ୍ମୀର: ବସ୍ ଦୁର୍ଘଟଣାରେ ୧୦ ମୃତ, ଅନେକ ଆହତ ମେଡିକାଲରେ ଭର୍ତ୍ତି

    ଜମ୍ମୁ-କାଶ୍ମୀରରେ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ଅମୃତସରରୁ କାତ୍ରା ଯାଉଥିବା ଲଗଜୁରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବ୍ରିଜ ଉପରୁ ଗଭୀର ଖାଇକୁ ଖସି ପଡ଼ିବାରୁ ସେଥିର ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ୫୫ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।

    ସୂଚନା ଅନୁସାରେ ବସରେ ଥିବା ସମସ୍ତ ଯାତ୍ରୀ ବିହାରର ବାସିନ୍ଦା । ଅମୃତସରରୁ କାତ୍ରା ଯାଉଥିଲା ବସ୍ । ରାସ୍ତା ଭୁଲିଯିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ବିଳମ୍ବିତ ରାତିରେ ସ୍ଲିପର ବସ୍ ଯାତ୍ରା କରୁଥିବାରୁ ଅସାବଧାନତାରୁ ଖାଇକୁ ଗଳି ପଡ଼ିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାସ୍ଥଳରେ ଡେପୁଟି କମିଶନର ପହଞ୍ଚି ତଦାରଖ କରୁଛନ୍ତି । ପୋଲିସ,ସିଆରପିଏଫ ଯବାନଙ୍କ ସମେତ ଉଦ୍ଧାରକାରୀ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ।

    ବସ୍‌ଟି ଶ୍ରଦ୍ଧାଳୁଙ୍କୁ ଧରି ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଡ୍ରାଇଭରଜଣକ ଭାରସାମ୍ୟ ହରାଇବାରୁ ବସ୍‌ଟି ଗଭୀର ଖାତକୁ ଖସି ପଡ଼ିଥିଲା । ଖବର ପାଇ ପ୍ରଥମେ ସ୍ଥାନୀୟ ଲୋକଙ୍କ ସମେତ ପୁଲିସ୍‌ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ ।

  • IPL: ଜାଡେଜା ହିରୋ, ରୋମାଞ୍ଚକ ମ୍ୟାଚରେ ଚେନ୍ନାଇର ବାଜିମାତ୍, ଗୁଜରାଟ ନିରାଶ

    IPL: ଜାଡେଜା ହିରୋ, ରୋମାଞ୍ଚକ ମ୍ୟାଚରେ ଚେନ୍ନାଇର ବାଜିମାତ୍, ଗୁଜରାଟ ନିରାଶ

    ଶେଷରେ IPL ଟ୍ରଫି ହାତେଇଛି ଚେନ୍ନାଇ ସୁପର କିଙ୍ଗସ । ବର୍ଷା ବାଧାପ୍ରାପ୍ତ ଏକ ରୋମାଞ୍ଚକ ମ୍ୟାଚରେ ଗୁଜରାଟକୁ ୫ ୱିକେଟରେ ପରାସ୍ତ କରି ଟାଇଟଲ୍ ଜିତିଛି ଧୋନି ବାହିନୀ । ଚଳିତଥରକୁ ମିଶାଇ ଏଯାଏ ୫ ଥର ଚାମ୍ପିଅନ୍ ହୋଇଛି ଚେନ୍ନାଇ ।

    ଅହମ୍ମଦାବାଦରେ ଚେନ୍ନାଇ ସୁପର କିଙ୍ଗସର ବାଜିମାତ୍ । ରିଜର୍ଭ ଡେ’ରେ ଖେଳାଗଲା ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ । ଏଥିରେ ବି ବର୍ଷା ବାଧକ ସାଜିଲା । ହେଲେ ବାଜି ମାରିଲା ଚେନ୍ନାଇ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଗୁଜରାଟ । ଆରମ୍ଭରୁ ଇନଫର୍ମ ଗିଲ୍ ଏବଂ ରିଦ୍ଧିମାନ ଶାହ ଧୂଆଁଧାର ବ୍ୟାଟିଂ କରିଥିଲେ । କିନ୍ତୁ ୩୯ ରନରେ ଗିଲ୍ ଆଉଟ୍ ପରେ ମୈଦାନକୁ ଆସିଥିବା ସାଇ ସୁଦର୍ଶନ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ୪୭ ବଲରୁ ୮ଟି ଚୌକା ଏବଂ ୬ଟି ଛକା ବଳରେ ୯୬ ରନର ବଢ଼ିଆ ଇନିଂସ ଖେଳିଥିଲେ । ତାଙ୍କୁ ସାଥ୍ ଦେଇଥିଲେ ରିଦ୍ଧିମାନ ଶାହ । ସେ ୫୪ ରନର ଇନିଂସ ଖେଳି ବିଦାୟ ନେଇଥିଲେ । ଶେଷ ଭାଗରେ ଅଧିନାୟକ ପାଣ୍ଡ୍ୟା ୧୨ ବଲରୁ ୨୧ ରନ୍ କରିଥିବା ବେଳେ ଗୁଜରାଟ ୪ ୱିକେଟରେ କରିଥିଲା ୨୧୪ ରନ୍ ।

    ସେପଟେ, ଚେନ୍ନାଇ ପାଇଁ ୨୧୫ ରନର ଟାର୍ଗେଟ୍ ରଖିଥିଲା ଗୁଜରାଟ । କିନ୍ତୁ ବାରମ୍ବାର ବର୍ଷା ପରେ ୧୫ ଓଭରରେ ୧୭୧ ରନ୍ ଚେଜ୍ କରିବାକୁ ପଡ଼ିଲା । ଆରମ୍ଭରୁ ଦାୟିତ୍ୱର ସହ ବ୍ୟାଟିଂ ଆରମ୍ଭ କରିଥିଲେ ଗାଏକୱାଡ ଏବଂ କନୱର । ତେବେ ଦଳକୁ ପ୍ରଥମ ଧକ୍କା ଦେଇଥିଲେ ନୁର ଅହମ୍ମଦ । ସେ ୨୬ ରନରେ ଗାଏକୱାଡକୁ ପ୍ୟାଭିଲିଅନ୍ ପଠାଇଥିଲେ । ପରେ ପରେ ୪୭ ରନରେ ଆଉଟ୍ ହୋଇଥିଲେ କନୱର । ଗୋଟିଏ ପଟେ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ ଡୁବେ । ରାହାଣେ ଏବେ ରାୟୁଡୁ କମ୍ ବଲରେ ଦ୍ରୁତ ରନ୍ ସଂଗ୍ରହ କରି ବିଦାୟ ନେଇଥିଲେ । ସେପଟେ, ଅଧିନାୟକ ଧୋନି କିନ୍ତୁ ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ପରେ ଦର୍ଶକ ନିରାଶ ହୋଇଥିଲା । ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲା ଚେନ୍ନାଇ । ରାହାଣେ, ରାୟୁଡୁ ଏବଂ ଧୋନିଙ୍କୁ ଆଉଟ୍ କରି ମୋହିତ ଶର୍ମା ଚେନ୍ନାଇ ପାଇଁ ଘାତକ ସାଜିଥିଲେ ।

    ଶେଷ ଓଭର କିନ୍ତୁ ବେଶ୍ ରୋମାଞ୍ଚକ ଥିଲା । ମୈଦାନରେ ଡୁବେ ଏବଂ ଜାଡେଜା ଥିବାବେଳେ ଦଳକୁ ବିଜୟ ପାଇଁ ୧୩ ରନ୍ ଆବଶ୍ୟକ ଥିଲା । ଇନଫର୍ମ ମୋହିତ ଶର୍ମା ବୋଲିଂ ଜାରି ରଖିଥିଲେ । ପ୍ରଥମ ୪ ବଲରେ ମାତ୍ର ୩ ରନ୍ ଦେଇ ଗୁଜରାଟକୁ ବିଜୟର ନିକଟତର କରାଇଥିଲେ ମୋହିତ । ଗୁଜରାଟ ସମର୍ଥକ, ଖେଳାଳି ସମସ୍ତେ ଖୁସିଥିଲେ । ହେଲେ ବାଧକ ସାଜିଲେ ଜାଡେଜା । ପଞ୍ଚମ ବଲରେ ବିଶାଳ ଛକା ମାରି ଗୁଜରାଟକୁ ଟେନସନରେ ପକାଇଥିଲେ । ପରବର୍ତ୍ତୀ ବଲ୍ କଣ ହେବ । ବିଜୟ ପାଇଁ ୪ ରନ୍ ଆବଶ୍ୟକ । ଆଉ ଶେଷରେ ଅନ୍ତିମ ବଲରେ ଚୌକା ମାରି ଏକ ଅବିଶ୍ୱାସନୀୟ ବିଜୟ ଭେଟି ଦେଲେ ଅଲରାଉଣ୍ଡର ଜାଡେଜା । ଗୁଜରାଟର ଦ୍ୱିତୀୟ ଥର ଟ୍ରଫି ନେବା ଆଶାକୁ ସେ ଧୂଳିସାତ୍ କଲେ । ଦଳକୁ ଏକ ରୋମାଞ୍ଚକ ବିଜୟ ଦେଲେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଜାଡେଜା ।

    ଶେଷରେ IPLର ଷୋଡ଼ଶ ସଂସ୍କରଣ ଟାଇଟଲ୍ ନିଜ ନାଁରେ କରିଛି ଚେନ୍ନାଇ । ଚଳିତଥରକୁ ମିଶାଇ ଏଯାଏ ଦଳ ୫ ଥର ଚାମ୍ପିଅନ ହୋଇଛି । ପୂର୍ବରୁ ୨୦୧୦, ୨୦୧୧, ୨୦୧୮ ଏବଂ ୨୦୨୧ରେ ଆଇପିଏଲ୍ ଟ୍ରଫି ଜିତିଥିଲା ଚେନ୍ନାଇ ସୁପର କିଙ୍ଗସ । ପୂର୍ବରୁ କେବଳ ମୁମ୍ବାଇ ୫ ଥର ଆଇପିଏଲ୍ ଟ୍ରଫି ଜିତିଛି । ସେପଟେ, ଗୁଜରାଟ ଲଗାତାର ଦ୍ୱିତୀୟ ଥର ଚାମ୍ପିଅନ୍ ହେବାରୁ ବଞ୍ଚିତ ହୋଇଛି । ଶେଷ ଦୁଇ ବଲରେ ଛକା ଓ ଚୌକା ଯୋଗୁଁ ଦଳ ପରାସ୍ତ ହେଲା । ଗୁଜରାଟ ସମର୍ଥକ, ଖେଳାଳି ନିରାଶ ହୋଇଥିବା ବେଳେ ଧୋନିପ୍ରେମୀ ଖୁସି ମନାଇଛନ୍ତି । ସେପଟେ, ଧୋନିଙ୍କ ଆଇପିଏଲ୍ ଅବସର ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି ।