Category: ମୁଖ୍ୟ ଖବର

  • ୫ଦିନ କଲବଲ କରିବ ଖରା ସାଙ୍ଗକୁ ଗୁଳୁଗୁଳି

    ୫ଦିନ କଲବଲ କରିବ ଖରା ସାଙ୍ଗକୁ ଗୁଳୁଗୁଳି

    ଅସହ୍ୟ ତାତିରେ ସନ୍ତୁଳି ହେଉଛି ଜନଜୀବନ । ରାଜ୍ୟରେ ଆଉ ୫ଦିନ କଲବଲ କରିବ ଖରା ସାଙ୍ଗକୁ ଗୁଳୁଗୁଳି। ଆଗାମୀ ୫ ଦିନ ଯାଏଁ ପାଗର ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ପାଣିପାଗକେନ୍ଦ୍ରର ସୂଚନା ଅନୁଯାୟୀ , ରାଜ୍ୟରେ ୩ ରୁ ୪ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ। କିଛି କିଛି ସ୍ଥାନରେ ତାପମାତ୍ରା ସ୍ଵାଭାଵିକଠାରୁ ୩ ରୁ ୫ ଡ଼ିଗ୍ରୀ ଯାଏଁ ଅଧିକ ରହିବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ପାଇଁ ଝାରସୁଗୁଡା,ସମ୍ବଲପୁର, ବରଗଡ, ସୋନପୁର, ସୁନ୍ଦରଗଡ, ବଲାଙ୍ଗୀର, ବୌଦ୍ଧ, ମୟୁରଭଞ୍ଜ ଓ କେନ୍ଦୁଝର ଏହି ୯ଟି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଦିଆଯାଇଛି। ଏହି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ହେବାର ସମ୍ଭାବନା ରହିଛି। ଆଜି ସକାଳୁ ସକାଳୁ ମଧ୍ୟ ପ୍ରବଳ ଗୁଳୁଗୁଳି ଅନୁଭୂତି ହେଉଛି। ରାଜଧାନୀ ଭୁବନେଶ୍ୱରରେ ସକାଳ ସାଢ଼େ 9 ଟା ସୁଦ୍ଧା 32 ଡିଗ୍ରୀ ପାର କରିଛି ତାପମାତ୍ରା । ଗତକାଲି ୪୫ ଡିଗ୍ରୀ ଉପରେ ୨ଟି ସହରର ତାପମାତ୍ରା ରହିଥିଲା । ରାଜ୍ୟର ୨୨ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ପାର ହୋଇଥିଲା । ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୫.୬ ଡିଗ୍ରୀ ରେକର୍ଡ କରାଯାଇଥିଲା ।

  • ଇତିହାସ ରଚିବା ଅପେକ୍ଷାରେ ଜୋକୋଭିକ୍, ପ୍ରଥମ ଗ୍ରାଣ୍ଡସ୍ଲାମ୍ ଲକ୍ଷ୍ୟରେ ରୁଡ୍

    ଇତିହାସ ରଚିବା ଅପେକ୍ଷାରେ ଜୋକୋଭିକ୍, ପ୍ରଥମ ଗ୍ରାଣ୍ଡସ୍ଲାମ୍ ଲକ୍ଷ୍ୟରେ ରୁଡ୍

    ଫ୍ରେଞ୍ଚ ଓପନ ଫାଇନାଲରେ ଅଭିଜ୍ଞ ନୋଭାକ୍ ଜୋକୋଭିକ୍ ଓ କାସପର ରୁଡ୍ । ରବିବାର ଅର୍ଥାତ୍ ଆସନ୍ତାକାଲି ଟାଇଟଲ୍ ପାଇଁ ଲଢ଼ିବେ ଦୁଇ ଖେଳାଳି । ସେମିରେ ଦମଦାର ପ୍ରଦର୍ଶନ କରି ବିଜୟୀ ହେବା ପରେ ଏବେ ଚାମ୍ପିଅନ୍ ହେବାକୁ ପ୍ରୟାସ କରିବେ ଦୁଇ ଖେଳାଳି ।

    ବିଶ୍ୱର ନମ୍ବର ୱାନ ଖେଳାଳି ତଥା ସ୍ପେନ୍ ତାରକା ଆଲକାରାଜ ଏବଂ ଅଭିଜ୍ଞ ତଥା ସର୍ବିୟା ତାରକା ଜୋକୋଭିକଙ୍କ ମଧ୍ୟରେ ପ୍ରଥମ ସେମି ଖେଳାଯାଇଥିଲା । ଆରମ୍ଭରୁ କଡ଼ା ମୁକାବିଲା ହୋଇଥିବା ବେଳେ ୬-୩ରେ ପ୍ରଥମ ସେଟ୍ ଜିତିଥିଲେ ଜୋକୋଭିକ୍ । ତେବେ ଲଢୁଆ ପ୍ରଦର୍ଶନ କରି ଦ୍ୱିତୀୟ ସେଟକୁ ୭-୫ରେ ଜିତି ନେଇଥିଲେ ଆଲକାରାଜ । ତୃତୀୟ ସେଟ୍ ଆରମ୍ଭରୁ ଆଲକାରାଜ ମାଂସପେଶୀଜନିତ ସମସ୍ୟାରେ ପଡ଼ିଥିଲେ । ତେଣୁ ଏହାର ଫାଇଦା ନେଇ ତୃତୀୟ ଓ ଚତୁର୍ଥ ସେଟ୍ ଜିତି ନେଇଥିଲେ ଜୋକୋଭିକ୍ । ୩-୧ରେ ଆଲକାରାଜଙ୍କୁ ପରାସ୍ତ କରି ଫ୍ରେଞ୍ଚ ଓପନ ଫାଇନାଲରେ ଏଣ୍ଟ୍ରି କରିଛନ୍ତି ଜୋକୋଭିକ୍ ।

    ସେପଟେ, ଦ୍ୱିତୀୟ ସେମିରେ ମୁହାଁମୁହିଁ ହୋଇଥିଲେ ଆଲେକଜାଣ୍ଡର ଜିଭେରେଭ ଏବଂ କାସପର ରୁଡ୍ । ଦମଦାର ପ୍ରଦର୍ଶନ କରି ମୁକାବିଲାକୁ ଏକତରଫା କରିଥିଲେ ରୁଡ୍ । ୩-୦ରେ ଜିଭେରେଭଙ୍କୁ ହରାଇ ଲଗାତାର ଦ୍ୱିତୀୟ ଥର ପାଇଁ ଫ୍ରେଞ୍ଚ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି ରୁଡ୍ ।

    ଏଯାଏ କ୍ୟାରିୟରରେ ୨୨ଟି ଗ୍ରାଣ୍ଡସ୍ଲାମ୍ ଜିତି ନାଡାଲଙ୍କ ସମକକ୍ଷ ଅଛନ୍ତି ଜୋକୋଭିକ । ଫ୍ରେଞ୍ଚ ଓପନ ଜିତି ଇତିହାସ ରଚିବା ଅପେକ୍ଷାରେ ସର୍ବିୟା ତାରକା । ସେପଟେ, ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ହାସଲ ଲକ୍ଷ୍ୟରେ ଲଢ଼ିବେ ରୁଡ୍ । ଗତବର୍ଷ ସେ ଫ୍ରେଞ୍ଚ ଓପନ ଏବଂ ୟୁଏସ ଓପନ୍ ରନର୍ସ ଅପ୍ ଥିଲେ ।

  • ଆହୁରି ଭୀଷଣ ହେବ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’,ତିଥଲ ବେଳାଭୂମିକୁ ବାରଣ

    ଆହୁରି ଭୀଷଣ ହେବ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’,ତିଥଲ ବେଳାଭୂମିକୁ ବାରଣ

    ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ତୀବ୍ରତର ହେବ । ଏ ନେଇ ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

    ବାତ୍ୟା ବିପର୍ଯ୍ୟୟ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଗତକାଲି ରାତି ୧୧.୩୦ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ଥିଲା । ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ତୀବ୍ରତର ହୋଇ ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତି କରିବ ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

    ବାତ୍ୟା ‘ବିପର୍ଯ୍ୟୟ’ର ପ୍ରଭାବ ଗୁଜରାଟର ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ବାଲ୍‌ସାଦ ଅନ୍ତର୍ଗତ ଆରବ ସାଗରର ତିଥଲ୍‌ ବେଳାଭୂମିରେ ଢେଉ ସୃଷ୍ଟି ହେଉଛି । ଜୁନ୍‌ ୧୪ ତାରିଖ ଯାଏ ତିଥଲ୍‌ ବେଳାଭୂମିକୁ ନଯିବା ପାଇଁ ପର୍ଯ୍ୟଟକମାନଙ୍କୁ ସତର୍କ କରିବା ସହ ଏହାକୁ ବନ୍ଦ ରଖାଯାଇଛି । ଏହି ବାତ୍ୟା ପ୍ରଭାବରେ ଦକ୍ଷିଣ ଗୁଜରାଟ ଏବଂ ସୌରାଷ୍ଟ୍ର ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ହୋଇପାରେ । ଆଜିଠାରୁ ଜୁନ୍‌ ୧୨ ଯାଏ ଧୀରେ ଧୀରେ ପବନର ବେଗ ବଢ଼ିବ । ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି ।

  • ଇଣ୍ଟରକଣ୍ଟିନେଣ୍ଟାଲ କପ୍: ପ୍ରଥମ ଦିନରେ ଭାରତର ଦମଦାର ବିଜୟ, ମଙ୍ଗୋଲିଆ ପରାସ୍ତ

    ଇଣ୍ଟରକଣ୍ଟିନେଣ୍ଟାଲ କପ୍: ପ୍ରଥମ ଦିନରେ ଭାରତର ଦମଦାର ବିଜୟ, ମଙ୍ଗୋଲିଆ ପରାସ୍ତ

    ଭୁବନେଶ୍ୱରରେ ଚାଲିଥିବା ଇଣ୍ଟରକଣ୍ଟିନେଣ୍ଟାଲ କପରେ ଭାରତର ଚମତ୍କାର ପ୍ରଦର୍ଶନ । ପ୍ରଥମ ଦିନରେ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ ।
    ମଙ୍ଗୋଲିଆକୁ ମାତ୍ ଦେଇ ତାର ବିଜୟ ଅଭିଯାନ ଆରମ୍ଭ କରିଛି ଦଳ ।

    ପ୍ରଥମ ଦିନରେ ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ ରହିଛି । ମଙ୍ଗୋଲିଆ ବିପକ୍ଷରେ ଭାରତ ୨-୦ ଗୋଲରେ ବିଜୟୀ ହୋଇଛି । ମ୍ୟାଚ ଆରମ୍ଭର ୧ ମିନିଟ ୧୫ ସେକେଣ୍ଡରେ ପ୍ରଥମ ଗୋଲ୍ ଦେଇଥିଲା ଭାରତ । ୧୩ ମିନିଟ ୫୪ ସେକେଣ୍ଡରେ ଦ୍ଵିତୀୟ ଗୋଲ୍ ସ୍କୋର କରିବା ସହ ବିଜୟ ରାସ୍ତା ସଫା କରିଥିଲା । ପଡ଼ିଆରେ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ମ୍ୟାଚ ଆରମ୍ଭରୁ ହିଁ ଭାରତୀୟ ଦଳ, ମଙ୍ଗୋଲିଆ ବିପକ୍ଷରେ ଆକ୍ରାମଣାତ୍ମକ ଖେଳିଥିଲା । ମଙ୍ଗୋଲିଆ ଗୋଲ ପୋଷ୍ଟକୁ ଆକ୍ରମଣ କରିଥିଲେ ଭାରତୀୟ ଖେଳାଳି । ଶେଷରେ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ ।

    ଅନ୍ୟପଟେ ଭାରତ ବିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ମଙ୍ଗୋଲିଆ । ଗୋଟିଏ ବି ଗୋଲ୍ ଦେବାରେ ସକ୍ଷମ ହୋଇନି ଦଳ । କଳିଙ୍ଗ ଷ୍ଟାଡିଅମରେ ଇଣ୍ଟରକଣ୍ଟିନେଟାଲ କପ୍ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ 5T ସଚିବ ଭି.କେ.ପାଣ୍ଡ୍ୟାଆନ୍ ଉପସ୍ଥିତ ରହି ଖେଳାଳିଙ୍କୁ ପ୍ରୋତ୍ସାହିତ କରିଥିଲେ । ଉଦଘାଟନୀ ତଥା ପ୍ରଥମ ମ୍ୟାଚରେ ଭାନୁଆଟୁ ବିପକ୍ଷରେ ଲେବାନନ ୩-୧ ରେ ବିଜୟୀ ହାସଲ କରିଛି । ପ୍ରତିଯୋଗିତାରେ ଆୟୋଜକ ଭାରତ ସମେତ ଲେବାନାନ,ମଙ୍ଗୋଲିଆ, ଭାନୁଆଟୁ ଅଂଶଗ୍ରହଣ କରିଥିବା ବେଳେ ଟୁର୍ଣ୍ଣାମେଣ୍ଟ ଜୁନ୍ ୧୮ ତରିଖ ଯାଏ ଜାରି ରହିବ ।

  • ଶିଶୁ ଶ୍ରମିକଙ୍କ ଠିକାଦାର ସାଜିଛି ବନ ବିଭାଗ !

    ଶିଶୁ ଶ୍ରମିକଙ୍କ ଠିକାଦାର ସାଜିଛି ବନ ବିଭାଗ !

    ଏ ଦୃଶ୍ୟ ଆଉ କିଛି ବୟାନ କରୁଛି । ଚିତ୍ର ଦେଖିଲେ ଆପଣ ଜାଣିପାରୁଥିବେ ଏମାନେ ଶିଶୁ ଶ୍ରମିକ । ଦିନ ମଜୁରିଆ ଭାବେ ଲୋକଙ୍କ ସହ କାମରେ ନିୟୋଜିତ ହୋଇଛନ୍ତି । ଏଠାରେ ଶିଶୁ ଶ୍ରମିକ ଉଚ୍ଛେଦ ଏବଂ ନିୟନ୍ତ୍ରଣ ଆଇନ୍ ଫେଲ୍ ମାରିଥିବା ଅଭିଯୋଗ ହୋଇଛି ।

    ବନ ବିଭାଗ କାର୍ଯ୍ୟରେ ନିୟୋଜିତ ହେଲେ ଶିଶୁ ଶ୍ରମିକ । ଏହା କୌଣସି ବେସରକାରୀ ସଂସ୍ଥା କିମ୍ବା ଠିକାଦାରୀ ସଂସ୍ଥା ନୁହେଁ, ଖୋଦ୍ ବନ ବିଭାଗ ଶିଶୁଙ୍କୁ ନିଜ କାମରେ ନିୟୋଜିତ କରିଥିବା ଅଭିଯୋଗ ଆସିଛି ।

    ବୃକ୍ଷରୋପଣ ପ୍ରକଳ୍ପ ପାଇଁ ସରକାର ଲକ୍ଷାଧିକ ଟଙ୍କା ଯୋଗାଇ ଦେଇଥିବା ବେଳେ ପ୍ରକଳ୍ପ ଗାତ ଖୋଳା କାମରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଛି । ତେବେ କାହା ପରାମର୍ଶରେ ବନ ବିଭାଗ ଏଭଳି ପଦକ୍ଷେପ ନେଇଛି ତାହା ଜଣାପଡ଼ିନି । ଖର୍ଚ୍ଚ କାଟ୍ କରିବା ପାଇଁ ବନ ବିଭାଗ କ’ଣ ସତରେ ଶିଶୁଙ୍କୁ କାର୍ଯ୍ୟରେ ନିୟୋଜିତ କରିଛି ।

    ସୂଚନା ଅନୁସାରେ ଗୋଟାଏ ଗାତ ଖୋଳିବାକୁ ଶିଶୁଙ୍କୁ ଦିଆଯାଉଛି ମାତ୍ର ଦଶ ଟଙ୍କା । ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଏକାଧିକ ଶିଶୁ ଶ୍ରମିକ । ଆଉ ସେମାନଙ୍କୁ ଜଗିଛନ୍ତି ଫରେଷ୍ଟ ଗାର୍ଡ । ବାଙ୍ଗିରିପୋଷି ରେଞ୍ଜ ଶୀର୍ଷା ବିଟ୍ ଉଚ୍ଚଗାଁ କୋଟିସଲ ଠାରେ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟର ଏଭଳି ଭିଡିଓ ଏବେ କ୍ୟାମେରାରେ କଏଦ ହୋଇଛି । ସେପଟେ ଘଟଣା ସମ୍ପର୍କରେ ବନ ବିଭାଗ ଅଧିକାରୀ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ।

  • ଉଚ୍ଚଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ, ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ

    ଉଚ୍ଚଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ, ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ

    ଉଚ୍ଚଶିକ୍ଷା ବିଭାଗରେ ଲଗାତର ଖରାପ ପ୍ରଦର୍ଶନ । ସେଥିପାଇଁ ଶେଷରେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସୁପାରିଶ ପରେ ରାଜ୍ୟପାଳ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛନ୍ତି ।

    ସୂଚନା ଅନୁସାରେ ଉଚ୍ଚଶିକ୍ଷା ବିଭାଗରେ ମନ୍ତ୍ରୀଙ୍କ ଖରାପ ପ୍ରଦର୍ଶନ ରହିଛି । ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛନ୍ତି । ଗତ ଜୁନରେ ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇଥିଲେ ରୋହିତ । ଏବେ ସେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ବିଧାୟକ ଅଛନ୍ତି । କଂଗ୍ରେସରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ରୋହିତ, ବିଜେଡିରେ ଯୋଗ ଦେବା ପରେ ଜୁନରେ ମନ୍ତ୍ରୀ ପଦ ପାଇଥିଲେ ।

    ସେପଟେ, ରାଜନୀତି କ୍ଷେତ୍ରରେ ଅବସର ନେବାର କୌଣସି ବୟସ ସୀମା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ବିଧାନସଭା ନିର୍ବାଚନ ନଲଢ଼ିବା ଉଚିତ ବୋଲି ଯୁକ୍ତି ରଖିଥିଲେ । ଏହି ଅବସର ନୀତି ଯୁକ୍ତି ପରେ ରେଢ଼ାଖୋଲ ଅଂଚଳରେ ସାଂଗଠନିକ ସ୍ଥିତି ପୂର୍ବାପେକ୍ଷା ଦୁର୍ବଳ ହୋଇଛି ।

    ବରିଷ୍ଠ ନେତାଙ୍କ ସକ୍ରିୟତାକୁ ନେଇ ବିଧାନସଭା ‌କ୍ଷେତ୍ର ହାତଛଡ଼ା ହେବା ଡର ମଧ୍ୟ ସରକାରଙ୍କୁ ଘାରିଛି । ଏହି ମନ୍ତବ୍ୟ ରୋହିତଙ୍କ ପାଇଁ ମହଙ୍ଗା ପଡ଼ିଲା ବୋଲି ସମ୍ବଲପୁର ଓ ରେଢ଼ାଖୋଲ ଅଞ୍ଚଳରେ ନେତା ଜୋରଦାର ଚର୍ଚ୍ଚା କରିଛନ୍ତି । ସେପଟେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ।

  • ବାହାନଗା ହାଇସ୍କୁଲ ବନିବ ନଂ-1, ଆଦର୍ଶ ସ୍କୁଲ ଭାବେ ଗଢ଼ିବାକୁ ନବୀନଙ୍କ ନିର୍ଦ୍ଦେଶ

    ବାହାନଗା ହାଇସ୍କୁଲ ବନିବ ନଂ-1, ଆଦର୍ଶ ସ୍କୁଲ ଭାବେ ଗଢ଼ିବାକୁ ନବୀନଙ୍କ ନିର୍ଦ୍ଦେଶ

    ଟ୍ରେନ୍ ଦୁର୍ଘଟଣା ପରେ ବାଲେଶ୍ୱର ଜିଲ୍ଲା ବାହାନଗା ହାଇସ୍କୁଲର ରୂପରେଖ ବଦଳିବ । ନୂଆ ରୂପରେ ପୁନଃନିର୍ମିତ ହେବ ଏହି ସ୍କୁଲ । ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଏବଂ ଏଲିମଣ୍ଟୋରି ସମ୍ପୂର୍ଣ୍ଣ ଭଙ୍ଗାଯାଇ ପୁଣି ଥରେ ଏହାକୁ ନିର୍ମାଣ କରାଯିବ । ଏହାକୁ ଏକ ଆଦର୍ଶ ସ୍କୁଲ ଭାବେ ଗଢ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

    ଗତ ୨ ତାରିଖରେ ବାହାନଗା ଷ୍ଟେସନ ଠାରେ ଭୟାବହ ରେଳ ଦୁର୍ଘଟଣା ଘଟିଥିଲା । ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା । ବାହାନଗା ହାଇସ୍କୁଲରେ ଶବ ରଖାଯାଇ ପରବର୍ତ୍ତୀ ସମୟରେ ସ୍କୁଲ ବିଶୋଧନ କରାଯାଇଥିଲା । ସ୍କୁଲରେ ଶବ ଥିବାରୁ ଛାତ୍ରଛାତ୍ରୀ,ଶିକ୍ଷକ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏବେ ଭୟ ରହିଛି । ତେଣୁ ସ୍କୁଲ କୋଠା ଭାଙ୍ଗି ପୁନଃନିର୍ମାଣ ସମ୍ପର୍କରେ ବିଭିନ୍ନ ମହଲରେ ଦାବି ହୋଇଥିଲା । ଶେଷରେ ନୂଆ ସ୍କୁଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

    ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆସିବା ପରେ 5T ସଚିବ ଭି.କେ. ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ସ୍କୁଲ ଗଣଶିକ୍ଷା ସଚିବ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି । ବାଲେଶ୍ୱର ଜିଲ୍ଲାପାଳ,ସ୍କୁଲ ପରିଚାଳନା କମିଟିର ସଦସ୍ୟବୃନ୍ଦ,ପଞ୍ଚାୟତ ପ୍ରତିନିଧି,ଶିକ୍ଷକଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ସମସ୍ତଙ୍କ ସହ ଆଲୋଚନା ପରେ ନୂଆ ସ୍କୁଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ମିଳିଛି ।

    ଛାତ୍ରଛାତ୍ରୀମାନଙ୍କ ମାନସିକ ସ୍ଥିତି, ସେମାନଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ତେଣୁ ବାହାନଗା ହାଇସ୍କୁଲ ଓ ଏହାର ପରିସରରେ ଥିବା ପ୍ରାଥମିକ ଓ ଏଲିମଣ୍ଟୋରୀ ସ୍କୁଲ ଭାଙ୍ଗି ଏକ ଏହାର ପୁନଃନିର୍ମାଣ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଖୁବଶୀଘ୍ର ବାହାନଗା ହାଇସ୍କୁଲ ରାଜ୍ୟର ନମ୍ବର ୱାନ୍ ସ୍କୁଲ ବନିବ ବୋଲି କହିଛନ୍ତି ଅଧିକାରୀ ।

  • ଏବେଠୁ ୨୦୨୪ ଲୋକସଭା ନିର୍ବାଚନ ପ୍ରସ୍ତୁତି, ଭୋଟିଂ ମେସିନ୍‌ର ଯାଞ୍ଚ ଆରମ୍ଭ

    ଏବେଠୁ ୨୦୨୪ ଲୋକସଭା ନିର୍ବାଚନ ପ୍ରସ୍ତୁତି, ଭୋଟିଂ ମେସିନ୍‌ର ଯାଞ୍ଚ ଆରମ୍ଭ

    ଆଉ ମାତ୍ର କେଇଟା ମାସକୁ ଅପେକ୍ଷା । କାରଣ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ଏଥିପାଇଁ ଏବେଠୁ ଜୋରଦାର ପ୍ରସ୍ତତି ଆରମ୍ଭ ହେଲାଣି । ଦଳୀୟ ନେତା ଓ କର୍ମୀ ବିଭିନ୍ନ ପ୍ରସଙ୍ଗରେ ଭୋଟ୍ ହାତେଇବା ପାଇଁ ଉଦ୍ୟମ ଆରମ୍ଭ କଲେଣି । ସେପଟେ, ନିର୍ବାଚନ ସୁରୁଖୁରୁରେ ଏବଂ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଜାତୀୟ ନିର୍ବାଚନ କମିଶନ ।

    ୨୦୨୪ ଲୋକସଭା ନିର୍ବାଚନ ଏବଂ ଚଳିତବର୍ଷ ଶେଷ ସୁଦ୍ଧା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ଭୋଟିଂ ‌ମେସିନ୍‌ଗୁଡ଼ିକର ପ୍ରଥମ ପର୍ଯ୍ୟାୟ ଯାଞ୍ଚ ଆରମ୍ଭ କରିଛନ୍ତି ଜାତୀୟ ନିର୍ବାଚନ କମିଶନ । ନିର୍ବାଚନ କମିଶନଙ୍କ ଜଣେ କାର୍ଯ୍ୟକର୍ତ୍ତାଙ୍କ କହିବା ଅନୁସାରେ କେରଳର ସମସ୍ତ ନିର୍ବାଚନ ମଣ୍ଡଳୀ ସମେତ ସମଗ୍ର ଭାରତରେ ଏହି ଯାଞ୍ଚ ପ୍ରକ୍ରିୟା ପର୍ଯ୍ୟାୟ କ୍ରମେ ଚାଲିବ ।

    ଗତ ମାର୍ଚ୍ଚ ମାସରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧିଙ୍କୁ ଏକ ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଥିଲେ ସୁରତର ସେସନ୍ କୋର୍ଟ । ତେଣୁ ତାଙ୍କୁ ଲୋକସଭା ସଦସ୍ୟତା ପାଇଁ ଅଯୋଗ୍ୟ ଘୋ‌ଷଣା କରାଯାଇଥିଲା । ଫଳରେ ରାହୁଲ ପ୍ରତିନିଧିତ୍ୱ କରୁଥିବା କେରଳର ୱାୟାନାଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଏବେ ଖାଲି ପଡ଼ିଛି ।

    ସେଠାରେ ମକ୍‌ ପୋଲ୍ ଚାଲିଥିବା କହିଛନ୍ତି ନିର୍ବାଚନ କାର୍ଯ୍ୟକର୍ତ୍ତା । ପ୍ରତ୍ୟେକ ଯାଞ୍ଚ ପ୍ରକ୍ରିୟା ପାଇଁ କ୍ୟାଲେଣ୍ଡର୍‌ ଜାରି କରିଛନ୍ତି ନିର୍ବାଚନ କମିଶନ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଛି । ଆସନ୍ତା ଦିନରେ ହେବାକୁ ଥିବା ବିଧାନସଭା ଏବଂ ଲୋକସଭା ନିର୍ବାଚନ ଗୁଡ଼ିକ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ଏବେଠୁ ଉଦ୍ୟମ ଆରମ୍ଭ ହେଲାଣି ।

  • ତୀବ୍ର ହେଉଛି ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’, ଆଲର୍ଟ କଲା IMD

    ତୀବ୍ର ହେଉଛି ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’, ଆଲର୍ଟ କଲା IMD

    ଆସୁଛି ‘ବିପର୍ଯ୍ୟୟ’ । ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ‘ବିପର୍ଯ୍ୟୟ’ । ୩୬ ଘଣ୍ଟା ମଧ୍ୟରେ ତୀବ୍ର ହୋଇ ପରବର୍ତ୍ତୀ ୨ ଦିନରେ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ଉତ୍ତର ଏବଂ ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହେବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଏ ନେଇ ଗତିବିଧି ଉପରେ ନଜର ରଖିଛି ଭାରତୀୟ ପାଣିପାଗ ବିଭାଗ ।

    ଭାରତୀୟ ପାଣିପାଗ ବିଭାଗର ଟ୍ୱିଟ୍ ଅନୁସାରେ ଗତକାଲି ରାତି ୧୧.୩୦ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ଥିବା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଗୋଆର ପଶ୍ଚିମ ଓ ଦକ୍ଷିଣପଶ୍ଚିମକୁ ପ୍ରାୟ ୮୪୦ କିଲୋମିଟର ଦୂରରେ ରହିଛି । ଏହି ମୁମ୍ବାଇର ପଶ୍ଚିମ ଓ ଦକ୍ଷିଣପଶ୍ଚିମକୁ ପ୍ରାୟ ୮୭୦ କିଲୋମିଟର୍‌ ଦୂରରେ ଗତି କରୁଛି ।

    ଆଗାମୀ ୩୬ ଘଣ୍ଟା ମଧ୍ୟରେ ତୀବ୍ରତର ହେବା ସହ ପରବର୍ତ୍ତୀ ୨ ଦିନରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହେବ । ପୂର୍ବରୁ ଜାରି ବୁଲେଟିନ୍‌ରେ ପାଣିପାଗ ବିଭାଗ କହିଛି ଯେ ଜୁନ୍‌ ୮ ତାରିଖ ସନ୍ଧ୍ୟା ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’, ଗ‌ୋଆର ପଶ୍ଚିମ ଓ ଦକ୍ଷିଣପଶ୍ଚିମ ଏବଂ ମୁମ୍ବାଇର ପଶ୍ଚିମ ଓ ଦକ୍ଷିଣପଶ୍ଚିମରେ ରହିଥିଲା । ଏହା ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ କେନ୍ଦ୍ରୀଭୂତ ହୋଇଛି । ଏହା ଆହୁରି ତୀବ୍ର ହୋଇ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

    ଆରବ ସାଗରର ଏହି ବାତ୍ୟା ପାଇଁ ସତର୍କତା ଅବଲମ୍ବନ କରାଯାଇଥିବା ବେଳେ ଯେଉଁମାନେ ସମୁଦ୍ର ମଧ୍ୟରେ ଅଛନ୍ତି କୂଳକୁ ଫେରିଆସିବାକୁ ପାଣିପାଗ ବିଭାଗ କହିଛି । ସେପଟେ, ଗତକାଲି ମୌସୁମୀ କେରଳ ଛୁଇଁଛି ।

    ଦୁଇ ଦିନରେ ମୌସୁମୀ ସମ୍ପୂର୍ଣ୍ଣ କେରଳ ଛୁଇଁବ ବୋଲି ସମ୍ଭାବନା ରହିଛି । ମୌସୁମୀ ପାଇଁ ଏବେ ପାଗ ଅନୁକୂଳ ଥିବାବେଳେ କେରଳ ଏବଂ ତାମିଲନାଡୁରେ ବର୍ଷା ଜାରି ରହିଛି ।

  • ବିଜୁ ଏକ୍ସପ୍ରେସ୍‌ ୱେ ରାୟଗଡା ପ୍ରକଳ୍ପରେ ଖର୍ଚ୍ଚ ହେବ ୧୫୦୦ କୋଟି

    ବିଜୁ ଏକ୍ସପ୍ରେସ୍‌ ୱେ ରାୟଗଡା ପ୍ରକଳ୍ପରେ ଖର୍ଚ୍ଚ ହେବ ୧୫୦୦ କୋଟି

    ରାୟଗଡା ଜିଲ୍ଲା ଗସ୍ତର ଦ୍ୱୀତିୟ ଦିନରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି କାଶିପୁର, ପଦ୍ମପୁର, ବିଷମକଟକ ଓ ଗୁଣୁପୁର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିକାଶ କାମର ସମୀକ୍ଷା କରିବା ସହିତ ବିଭିନ୍ନ ଧାର୍ମିକ ପୀଠ ପରିଦର୍ଶନ କରିଥିଲେ ଏବଂ ସ୍ଥାନୀୟ ଲୋକଙ୍କ ସହିତ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

    କାଶିପୁର ଠାରେ ୫-ଟି ସଚିବ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ତାକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରଶାସନକୁ ପରାମର୍ଶ ଦେଇଥିଲେ । ସେଠାରେ ଅବସ୍ଥାପିତ ଡାକ୍ତରମାନଙ୍କ ସହିତ ଆଲୋଚନା କରିବା ସହିତ ସେ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ସେମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ । ପରେ କାଶିପୁର ବ୍ଲକର ଖୁରିଗାଁ ସ୍ଥିତ ଆଦିଶକ୍ତି ମିଶନଶକ୍ତି ମା ମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ଦ୍ୱାରା ପରିଚାଳିତ ଛତୁ ବିହନ କେନ୍ଦ୍ର ବୁଲି ଦେଖିଥିଲେ । ସେମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ପାଣ୍ଡିଆନ ମିଶନ ଶକ୍ତି ମା ମାନଙ୍କୁ ଉଚ୍ଚ ମୂଲ୍ୟର ବଡ ବଡ ଉଦ୍ୟୋଗ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଏଥିପାଇଁ ସବୁ ପ୍ରକାର ସହାୟତା ସରକାର ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ ।

    ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶାକୁ ସଂଯୁକ୍ତ କରୁଥିବା ଗୁରୁତ୍ୱପୂର୍ଣ୍ଣ ବିଜୁ ଏକ୍ସପ୍ରେସ ୱେକୁ ଆର୍ଥିକ ବିକାଶର ଏକ ମାଧ୍ୟମ ଭାବରେ ବର୍ଣ୍ଣନା କରି ୫-ଟି ସଚିବ କହିଥିଲେ ଦକ୍ଷିଣ ଓଡିଶାରେ ଏହି ଗୁରୁତ୍ୱପୂର୍ଣ୍ଣ ରାଜପଥର ୩୩୫ କିଲୋମଟିର ମଧ୍ୟରୁ ୧୨୦ କିଲୋମିଟର କେବଳ ରାୟଗଡା ଜିଲ୍ଲା ଦେଇ ଯାଉଛି । ରାୟଗଡା ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟ ଆଗେଇନେବା ପାଇଁ ୧୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

    ବିଷମକଟକ ଅଞ୍ଚଳର ଚାଟିକୋଣା ଶିବ ମନ୍ଦିର ପରିଦର୍ଶନ କରି, ୫-ଟି ସଚିବ ପୂଜାର୍ଚ୍ଚନା କରିଥିଲେ ଏବଂ ମନ୍ଦିରର ବିକାଶ ସମ୍ପର୍କରେ ସେବାୟତ ଓ ଟ୍ରଷ୍ଟ ବୋର୍ଡର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ବିଷମକଟକର ଜଗନ୍ନାଥ ମନ୍ଦିର ଓ ନେଳିଆବନ୍ଧ ପରିଦର୍ଶନ କରିଥିଲେ । ଏ ଦୁଇ ସ୍ଥାନର ବିକାଶ ପାଇଁ ଏକ ମାସ ମଧ୍ୟରେ ଡିପିଆର୍ ପ୍ରସ୍ତୁତ ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ପଦ୍ମପୁର ବ୍ଲକର ଖିଲାମୁଣ୍ଡା ଗ୍ରାମପଞ୍ଚାୟତରେ ଥିବା ଆର୍‌ଏମ୍‌ସି ୟାର୍ଡରେ ଚାଷୀମାନଙ୍କୁ ଭେଟି ସେମାନଙ୍କର ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ । ସେମାନେ ବିଭିନ୍ନ ଫସଲ ଓ ଏହାର ବଜାର ବ୍ୟବସ୍ଥା ତଥା ସେ ଅଞ୍ଚଳର ଜଳସେଚନ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ପଦ୍ମପୁର ବ୍ଲକ ଅଞ୍ଚଳରେ ଜଳସେଚନ କ୍ଷମତାର ପୂର୍ଣ୍ଣ ଉପୋଯୋଗ ନିମନ୍ତେ ଜଳସେଚନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନା କରାଯିବ ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ।

    ଏହି ଗସ୍ତ ସମୟରେ କ୍ରୀଡା ସଚିବ ଆର୍‌.ଭିନିଲ୍‌ କ୍ରିଷ୍ଣା, ରାୟଗଡା ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।