Category: ମୁଖ୍ୟ ଖବର

  • ଅସହ୍ୟ ହେଉଛି ଗୁଳୁଗୁଳି

    ଅସହ୍ୟ ହେଉଛି ଗୁଳୁଗୁଳି

    ସକାଳୁ ସକାଳୁ ରାଜଧାନୀରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ତାତି ଅସହ୍ୟ ହେଲାଣି ରାଜଧାନୀବାସୀଙ୍କ ପାଇଁ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ସକାଳ ସାଢେ ୫ଟା  ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୦.୨ ଡିଗ୍ରି ରେକର୍ଡ କରାଯାଇଛି। ଏହାଛଡ଼ା ଏଠାରେ ୯୨% ଆର୍ଦ୍ରତା ଥିବା ସ୍ପଷ୍ଟ ହୋଇଛି। ଆହୁରି ମଧ୍ୟ କୁହାଯାଇଛି ଯେ, ଆଗାମୀ ୩ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏହାର ପ୍ରଭାବରେ ୧୮ ତାରିଖ ଯାଏ ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିବ। ୧୮ ଯାଏଁ କେତେକ ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକଠାକୁ ୫ ରୁ ୭ ଡିଗ୍ରି ଅଧିକ ରେକର୍ଡ ହେବା ସମ୍ଭାବନା ରହିଛି।

    ଉଲ୍ଲେଖଯୋଗ୍ୟ, ଗତକାଲି ରାଜଧାନୀରେ ତାପମାତ୍ରା ୪୨.୪ ଡିଗ୍ରି ରେକର୍ଡ ହୋଇଥିଲା। ଏହା ସ୍ବାଭାବିକ ତାପମାତ୍ରାଠାରୁ ୭.୫ ଡିଗ୍ରି ଅଧିକ ଥିଲା। ସେହିଭଳି କଟକର ତାପମାତ୍ରା ସ୍ବାଭାବିକଠାରୁ ୬.୮ ଡିଗ୍ରି ଅଧିକ (୪୧.୫ ଡିଗ୍ରି) ରହିଥିଲା। କେବଳ ସେତିକି ନୁହେଁ, ଗତକାଲି କେନ୍ଦ୍ରାପଡ଼ାରେ ୪୦ ଡିଗ୍ରି, ଢେଙ୍କାନାଳରେ ୪୨.୫ ଡିଗ୍ରି, ଭଦ୍ରକରେ ୪୧.୫ ଡିଗ୍ରି, ବାଲେଶ୍ବରରେ ୪୦.୬ ଡିଗ୍ରି ରେକର୍ଡ ହୋଇଥିଲା। ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାରେ ବି ନିଆଁବର୍ଷା ଜାରି ରହିଥିଲା। ପୁଣି ଝାରସୁଗୁଡ଼ା (୪୪.୮ଡିଗ୍ରି) ରାଜ୍ୟର ସବୁଠୁ ତତଲା ଅଞ୍ଚଳ ପାଲଟିଥିଲା। ସ୍ବାଭାବିକଠାରୁ ସେଠାରେ ୮.୭ ଡିଗ୍ରି ଅଧିକ ରହିଥିଲା। ହୀରାକୁଦରେ ୪୪.୧ ଡିଗ୍ରି (ସ୍ବାଭାବିକଠାରୁ ୭.୩ ଡିଗ୍ରି ଅଧିକ), ସୁନ୍ଦରଗଡ଼ଠାରେ ୪୪ ଡିଗ୍ରି (୭.୧ ଡିଗ୍ରି ଅଧିକ), ସମ୍ବଲପୁରଠାରେ ୪୩.୯ ଡିଗ୍ରି (୭.୩ ଡିଗ୍ରି ଅଧିକ) ରହିଥିଲା। ଅର୍ଥାତ୍ ରାଜ୍ୟର ମୋଟ୍‌ ୨୫ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ୪ ସହରର ତାପମାତ୍ରା ୪୪ ଡିଗ୍ରି ଓ ୪ ସହରର ତାପମାତ୍ରା ୪୩ ଡିଗ୍ରି ଉପରେ ରହିଥିଲା। ଏଥିସହ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୪ ଡିଗ୍ରିରୁ ଅଧିକ ରହିଥିଲା।

  • ବ୍ରହ୍ମପୁର: କେମିତି ମଲେ MKCG ଛାତ୍ରୀ ? ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

    ବ୍ରହ୍ମପୁର: କେମିତି ମଲେ MKCG ଛାତ୍ରୀ ? ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

    ବ୍ରହ୍ମପୁର MKCG ମେଡିକାଲ କଲେଜରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ତାଙ୍କ ନାଁ ସୁଭାନୀ ପଟ୍ଟନାୟକ । ସେ ପିଜି ପ୍ରଥମ ବର୍ଷ ଚର୍ମ ବିଭାଗର ଛାତ୍ରୀ ଥିଲେ । ତାଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ । ସେ ହଷ୍ଟେଲରେ ରହୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ତେଣୁ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଦେଖାଦେଇଛି ।

    ଆଜି ସକାଳେ ସାଙ୍ଗମାନେ ହସ୍ପିଟାଲ ଯିବା ପାଇଁ ବାହାରିବା ବେଳେ ତାଙ୍କ ରୁମ୍ ବନ୍ଦ ଥିବା ଦେଖିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଛାତ୍ରୀ ସୁଭାନୀଙ୍କ ବାପାଙ୍କ ବୟାନ ରେକର୍ଡ କରିଛି ପୋଲିସ । ବାପାଙ୍କ ସୂଚନା ଆଧାରରେ ସୁଭାନୀଙ୍କର ମାଇଗ୍ରେନ ସମସ୍ୟା ଥିବା କଥା କହିଛି ପୋଲିସ । ସେଥିପାଇଁ ଛାତ୍ରୀଜଣକ ଔଷଧ ଖାଉଥିଲେ । ଔଷଧର ଓଭରଡୋଜ ଯୋଗୁଁ ସମସ୍ୟା ହୋଇଥାଇପାରେ ବୋଲି ବାପା ଆଶଙ୍କା କରୁଛନ୍ତି । ତେବେ, ସୁଭାନୀ ଜଣେ ଡାକ୍ତରୀ ଛାତ୍ରୀ ହୋଇଥିବାରୁ ଓଭରଡୋଜ କେମିତି ନେଲେ, ସେ ନେଇ ପ୍ରଶ୍ନ ଉଠିଛି ।

    ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏଥିସହ ସୁଭାନୀଙ୍କ ହଷ୍ଟେଲ ରୁମ୍‌ ମଧ୍ୟ ଯାଞ୍ଚ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ସତ୍ୟାସତ୍ୟା ଜଣାପଡ଼ିବ ବୋଲି ପୋଲିସ କହିଛି ।

  • ଆନ୍ଧ୍ରପ୍ରଦେଶ: ଚିତ୍ତୂରରେ ଟ୍ରକ୍ ଧକ୍କାରେ ଜୀବନ ହାରିଲେ ୩ ହାତୀଛୁଆ

    ଆନ୍ଧ୍ରପ୍ରଦେଶ: ଚିତ୍ତୂରରେ ଟ୍ରକ୍ ଧକ୍କାରେ ଜୀବନ ହାରିଲେ ୩ ହାତୀଛୁଆ

    ଚିତ୍ତୂର ଜିଲ୍ଲା ପାଲାମାନେରୁ ମଣ୍ଡଳରେ ସଡ଼କ ଦୁର୍ଘଟଣା । ଏଥିରେ ମଣିଷ ନୁହଁ, ୩ଟି ହାତୀଛୁଆଙ୍କ ମୃତ୍ୟୁ ଘଟିଛି । ହାତୀର ମୃତ୍ୟୁ ଘଟିଥିବା ବନ ବିଭାଗ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ।

    ଚିତ୍ତୂର-ପାଲାମାନେରୁ ଜାତୀୟ ରାଜପଥ ଅନ୍ତର୍ଗତ ଜାଗମର୍ଲା ଛକ ନିକଟରେ ରାସ୍ତା ପାର୍ ହେଉଥିଲେ ହାତୀପଲ । ରାତିରେ ପାର୍ ହେଉଥିବା ବେଳେ ହାତୀମାନଙ୍କ ସହ ଟ୍ରକ୍‌ଟି ଧକ୍କା ଖାଇଥିଲା । ଶେଷରେ ହାତୀଛୁଆଙ୍କ ଜୀବନ ଚାଲିଗଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏହି ପଲରେ ଗୋଟିଏ ବୟସ୍କା ମାଈହାତୀ,ଦୁଇଟି କିଶୋର ଅଣ୍ଡିରା ହାତୀ ଓ ଗୋଟିଏ ଛୁଆ ମାଈହାତୀ ଥିଲେ । ସେମାନଙ୍କ ମଧ୍ୟରୁ କେବଳ ବଡ଼ ମାଈହାତୀଟି ବର୍ତ୍ତିଯାଇଥିବା ବେଳେ ଅନ୍ୟ ୩ଟି ହାତୀର ମୃତ୍ୟୁ ହୋଇଛି । ହାତୀଙ୍କୁ ଧକ୍କା ଦେଇଥିବା ଲରି ଟ୍ରକ୍‌ ସମ୍ମୁଖ ଅଂଶଟି ଭାଙ୍ଗି ଚୂର୍‌ମାର ହୋଇଯାଇଛି । ସେହି ଟ୍ରକଟିକୁ ଜବତ କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ବନ ବିଭାଗ ଅଧିକାରୀ । ରାଜପଥରୁ ମୃତ ହାତୀମାନଙ୍କୁ ଉଠାଇବାର ବ୍ୟବସ୍ଥା କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି ।

    ଟ୍ରକଟି ଅତି ଦ୍ରୁତ ବେଗରେ ଆସୁଥିଲା । ରାସ୍ତା ପାରି ହେଉଥିବା ହାତୀପଲକୁ ଲରି ଟ୍ରକ୍‌ ଧକ୍କା ଦେଇଥିଲା । ଟ୍ରକ୍ ଡ୍ରାଇଭର ନିଶାଗ୍ରସ୍ତ ଥିବା ସନ୍ଦେହ କରାଯାଉଛି । ସେ ନିଜ ଗାଡ଼ିକୁ ନିୟନ୍ତ୍ରଣ କରିପାରିନଥିଲେ । ଶେଷରେ ହାତୀପଲକୁ ଧକ୍କା ଦେବାରୁ ହାତୀଛୁଆଙ୍କ ମୃତ୍ୟୁ ଘଟିଛି ବୋଲି ଚିତ୍ତୂର ଡିଭିଜ୍‌ନାଲ୍‌ ଫରେଷ୍ଟ ଅଫିସର କହିଛନ୍ତି । ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର୍‌ ଫେରାର ଅଛି । ବେପରୁଆ ଭାବେ ଟ୍ରକ୍‌ ଚଳାଇବାରୁ ଏଭଳି ଦୁର୍ଘଟଣା ଘଟିଛି । ଡ୍ରାଇଭର୍‌କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି ବନ ବିଭାଗ ।

  • ବ୍ରିଜଭୂଷଣଙ୍କ ବିରୋଧରେ ଠୋସ୍ ପ୍ରମାଣ ଅଭାବ, ମାମଲା ଖାରଜ ପାଇଁ ରିପୋର୍ଟ ଦାଖଲ

    ବ୍ରିଜଭୂଷଣଙ୍କ ବିରୋଧରେ ଠୋସ୍ ପ୍ରମାଣ ଅଭାବ, ମାମଲା ଖାରଜ ପାଇଁ ରିପୋର୍ଟ ଦାଖଲ

    ନାବାଳିକା ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ବଳିଷ୍ଠ ପ୍ରମାଣ ନାହିଁ । ତେଣୁ WFI ମୁଖ୍ୟ ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ନାଁରେ ଲାଗୁ ‘ପୋକ୍‌ସୋ’ ମାମଲାକୁ ଖାରଜ କରିବା ଲାଗି ଦିଲ୍ଲୀ ପୋଲିସ ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଛି । ପଟିଆଲା ହାଉସ୍‌ କୋର୍ଟରେ ୫୦୦ ପୃଷ୍ଠା ବିଶିଷ୍ଟ ରିପୋର୍ଟ ଦାଖଲ କରିଛନ୍ତି ଦିଲ୍ଲୀ ପୋଲିସ ଅଧିକାରୀ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୪ ତାରିଖରେ କରାଯିବା ଲାଗି ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

    ଏଥିସହ ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ନାଁରେ ମହିଳା କୁସ୍ତିଯୋଦ୍ଧାମାନେ ଫାଇଲ୍‌ କରିଥିବା ଯୌନ ନିର୍ଯାତନା ମାମଲାରେ ୧୦୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌ ଦାଖଲ କରିଛି ଦିଲ୍ଲୀ ପୋଲିସ । ସୂଚନା ଅନୁସାରେ ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ଜଣେ ନାବାଳିକା । ଏବେ ସେ ନିଜର ବୟାନ୍ ବଦଳାଇ ଦେଇଛନ୍ତି । ସେ କଠିନ ପରିଶ୍ରମ କରି ମନୋନୀତ ହୋଇନଥିଲେ । ଖୁବ୍‌ ହତାଶ ଲାଗିବାରୁ ସେ ରାଗି ଯାଇଥିଲେ । ମନୋନୀତ କରାଯାଇନଥିବାରୁ ରାଗରେ ସେ WFI ମୁଖ୍ୟଙ୍କ ନାଁରେ ଏତଲା ଦେଇଥିଲେ ।

    ପୋଲିସ ତଦନ୍ତ ଶେଷ କରି ୧୫ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବ ବୋଲି ପୂର୍ବରୁ କହିଥିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଆଜି ରିପୋର୍ଟ ଦାଖଲ ସହ ନିଜ ବୟାନ୍ ରଖିଛି ଦିଲ୍ଲୀ ପୋଲିସ । ରେସଲର ସଂଘ ଲାଗି ମୁକ୍ତ ଓ ଅବାଧ ନିର୍ବାଚନ, ବ୍ରିଜ ଭୂଷଣଙ୍କ ଗିରଫ ସମେତ ଆନ୍ଦୋଳନକାରୀମାନେ ଅନ୍ୟାନ୍ୟ ଦାବି ରଖିଥିଲେ । ପ୍ରମାଣ ଅଭାବରୁ ପୋକ୍ସୋ ମାମଲା ଖାରଜ କରିବା ଲାଗି ରିପୋର୍ଟ ଦାଖଲ ପରେ ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କୁ ଆଶ୍ୱସ୍ତି ମିଳିଛି ।

  • ଯାଜପୁର: ବୁଣାକାରମାନଙ୍କୁ ପ୍ରଶଂସା, ହସ୍ତତନ୍ତ ଶିଳ୍ପର ବିକାଶ ନେଇ CSଙ୍କ ପ୍ରତିଶ୍ରୁତି

    ଯାଜପୁର: ବୁଣାକାରମାନଙ୍କୁ ପ୍ରଶଂସା, ହସ୍ତତନ୍ତ ଶିଳ୍ପର ବିକାଶ ନେଇ CSଙ୍କ ପ୍ରତିଶ୍ରୁତି

    ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଦିନିକିଆ ଯାଜପୁର ଜିଲ୍ଳା ଗସ୍ତ । ଗୋପାଳପୁର ଏବଂ ଚକଗୋପାଳପୁର ଗାଁରେ ଥିବା ବିରଜା ହସ୍ତତନ୍ତ ଉତ୍ପାଦକ କମ୍ପାନୀ ପରିଦର୍ଶନ କରିବା ସହ ସଦସ୍ୟମାନଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟ ସଚିବ ।

    ଯାଜପୁର ଜିଲ୍ଲା ଗସ୍ତ କରି ରସୁଲପୁର ବ୍ଲକ୍ ଅଧୀନ ଗୋପାଳପୁର ଓ ଚକଗୋପାଳପୁର ଗାଁ ଯାଇଥିଲେ ମୁଖ୍ୟ ଶାସନ ସଚିବ । ଜାତୀୟ କୃଷି ଓ ଗ୍ରାମ୍ୟ ଊନ୍ନୟନ ବ୍ୟାଙ୍କ ନାବାର୍ଡର ସହାୟତା, ସଦସ୍ୟସଦସ୍ୟାଙ୍କ ଅଂଶଧନ ରାଶି ବିନିଯୋଗରେ ନିର୍ମିତ ତଥା ନେତାଜୀ ଯୁବକ ସଂଘ ଦ୍ୱାରା ପରିଚାଳିତ ବିରଜା ହସ୍ତତନ୍ତ ଉତ୍ପାଦକ କମ୍ପାନୀ ବୁଲି ଦେଖିଥିଲେ ସିଏସ । ଉତ୍ପାଦକ କମ୍ପାନୀର ଆନୁସଙ୍ଗିକ ଭିତ୍ତିଭୂମି ସୁଦୃଢ଼ୀକରଣ ଦିଗରେ ବୁଣାକାର, ଜିଲ୍ଲାପାଳ ଏବଂ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

    ଗୋପାଳପୁରର ହସ୍ତତନ୍ତ କାରୁକାର୍ଯ୍ୟ ଅତି ପୁରାତନ । ପ୍ରାୟ ୨ ହଜାର ବୁଣାକାର ଘରେଘରେ ବିଭିନ୍ନ ପ୍ରକାର ବସ୍ତ୍ର ତିଆରି କରୁଛନ୍ତି । ଟସର ସୂତାରେ ନିର୍ମିତ ହେଉଛି ଶାଢ଼ୀ,ଷ୍ଟଲ,ଲୁଙ୍ଗି,ବେଡସିଟ୍‌,ଶାଲ,ଧୋତି ଏବଂ ବିଭିନ୍ନ ପ୍ରକାରର ବସ୍ତ୍ର ।

    ଖାଣ୍ଟି ଟସର ଓ ସୂତାରେ ତିଆରି ହେଉଛି ଆକର୍ଷଣୀୟ ବସ୍ତ୍ର । ବୁଣାକାରମାନଙ୍କ ଟସର ହସ୍ତତନ୍ତ ସାମୁହିକ କଳାର ବିକାଶ, କମ୍ ଖର୍ଚ୍ଚରେ କମ୍ ସମୟ ମଧ୍ୟରେ ଅଧିକ ଉତ୍ପାଦନ କରାଯାଇପାରୁଛି । ଏବେ ସୁକିନ୍ଦା ଟସର ଉତ୍ପାଦନ କେନ୍ଦ୍ରରୁ କିଭଳି ଟସର ଯୋଗାଇ ଦିଆଯାଇପାରିବ ସେ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି ।

    ନାବାର୍ଡ ପକ୍ଷରୁ କମ୍ପାନୀକୁ ୫୦ ଲକ୍ଷ ଟଙ୍କା ଅନୁଦାନ ରାଶି ଦିଆଯାଇଛି । କମ୍ପାନୀ ତରଫରୁ ବିଭିନ୍ନ ପ୍ରକାର ଟ୍ରେନିଂ ଯେପରିକି ରଙ୍ଗ ଦେବା, ଡିଜାଇନ କରିବା, ସିଲାଇ ନେଇ ୧୫୦ ଜଣଙ୍କୁ ତାଲିମ ଦିଆଯାଇଛି ।

    ସେମାନଙ୍କ ମଧ୍ୟରୁ ୯୦ ଜଣଙ୍କୁ କମ୍ପାନୀରେ ନିଯୁକ୍ତି ମିଳିଛି । ବିରଜା ହସ୍ତତନ୍ତ ଉତ୍ପାଦକ କମ୍ପାନୀକୁ ସୁଦୃଢ଼ୀକରଣ ପାଇଁ ଟସର ଅଭାବ ପୂରଣ,ବିପଣନ ବ୍ୟବସ୍ଥା, କାର୍ଯ୍ୟକ୍ଷେତ୍ରକୁ ବୃଦ୍ଧି କରାଇବା,ସାମୁହିକ ସହାୟକ କେନ୍ଦ୍ର କାର୍ଯ୍ୟକାରିତା କରିବା ଦିଗରେ ଜିଲ୍ଳାପାଳ ଗୁରୁତ୍ୱାରୋପ କରିଛନ୍ତି ।

    ଯାଜପୁର ଜିଲ୍ଲାରେ ହସ୍ତତନ୍ତ ଶିଳ୍ପର ବିକାଶ ହେଉଥିବାରୁ ବୁଣାକାରମାନଙ୍କୁ ବେଶ୍ ପ୍ରଶଂସା କରିଥିଲେ ମୁଖ୍ୟ ଶାସନ ସଚିବ । ଉଭୟ ଗାଁର ବୁଣାକାରମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାବଲମ୍ବୀ କରିବା ଦିଗରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବେ ବୋଲି ସିଏସ୍ କହିଛନ୍ତି ।

  • ଆଜି ରଜ ସଂକ୍ରାନ୍ତି, ଧୁମଧାମରେ ରଜ ପର୍ବ ପାଳିତ

    ଆଜି ରଜ ସଂକ୍ରାନ୍ତି, ଧୁମଧାମରେ ରଜ ପର୍ବ ପାଳିତ

    ଆଜି ରଜ ପର୍ବର ଦ୍ୱିତୀୟ ଦିନ ମାନେ ରଜ ସଂକ୍ରାନ୍ତି । ଓଡ଼ିଆ ପରମ୍ପରା ଅନୁସାରେ ସବୁଠି ଧୁମଧାମରେ ପାଳିତ ହେଉଛି ରଜ ମହୋତ୍ସବ । ଆଜି ଦ୍ୱିତୀୟ ଦିନରେ ଘରେ ପିଠାପଣାର ଆସର । ପ୍ରସ୍ତୁତ ହୋଇଛି ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ।

    ଯାଜପୁର ବ୍ଲକ୍ ସାହାସପୁର ପଞ୍ଚାୟତରେ ଏହି ପର୍ବର ଟିକେ ନିଆରା ଅନୁଭୂତି । ଗାଁର ମୁରବୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଛି ମଉଜ କାର୍ଯ୍ୟକ୍ରମ । ରଜ ଦୋଳି,ପୁଚି ଖେଳ,ଦୌଡ଼ି ଡିଆଁ,ହୁଳହୁଳି,କାନ୍ଦଣା ଗୀତ, କବାଡ଼ି, ଲୁଡୁ ଓ ତାସ୍ ଭଳି ଖେଳ ଆୟୋଜନ କରାଯାଇଛି ।

    ଖେଳ ମାଧ୍ୟମରେ ରଜ ପରମ୍ପରାକୁ ମନେ ପକାଇବା ଏବଂ ନୂତନ ପିଢ଼ିଙ୍କୁ ଓଡ଼ିଆ ପରମ୍ପରା ସମ୍ପର୍କରେ ଅବଗତ କରିବା ପାଇଁ ଏଭଳି ନିଆରା ଉଦ୍ୟମ କରିଛନ୍ତି ପଞ୍ଚାୟତବାସୀ ।

    ଉପକୂଳ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ଗଣପର୍ବ ରଜ । ଏଥିପାଇଁ ଘରେ ଘରେ ପିଠା,ମିଠାର ଆସର । ଏହା ସାଙ୍ଗକୁ ତାସ,ଲୁଡୁ, ଦୋଳି ଖେଳ ସହ ବିଭିନ୍ନ ପ୍ରକାର ପାନର ସ୍ୱାଦ । ରଜ ଦୋଳି ଖେଳି ବେଶ୍ ମଉଜ କରୁଛନ୍ତି କୁଆଁରୀ ।

    ଯାଜପୁର ଦଶରଥପୁର ବ୍ଲକ୍ ମଙ୍ଗଳପୁରରେ କେବିକେ ଗ୍ରୁପ କଳାକାରଙ୍କ ପକ୍ଷରୁ ମହା ଆଡ଼ମ୍ବରରେ ପାଳିତ ହୋଇଛି ରଜ ମଉଜ । ଏହି ଅବସରରେ ନାଚଗୀତ ସହ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇବାର ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି । ଆଜି ରଜ ପର୍ବର ଦ୍ୱିତୀୟ ଦିନ ।

    ଘରେ ଘରେ ପାଳିତ ହେଉଛି ରଜ ସଂକ୍ରାନ୍ତି । ଆସନ୍ତାକାଲି ରଜ ଉତ୍ସବ ବିଦାୟ ନେବ । ଗାଁଠୁ ସହର ସବୁଠି ରଜ ମହୋତ୍ସବର ମାହୋଲ ।

  • ବିଜେଡି ନେତାଙ୍କୁ ଗୁଳିମାଡ଼, କଟକରେ ଚିକିତ୍ସିତ

    ବିଜେଡି ନେତାଙ୍କୁ ଗୁଳିମାଡ଼, କଟକରେ ଚିକିତ୍ସିତ

    ବିଜେଡି ନେତାଙ୍କ ଉପରେ ଗୁଳିମାଡ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବିଜେଡି ନେତା କାହ୍ନୁଚରଣ ସାହୁଙ୍କୁ ହୋଇଛି ଗୁଳିମାଡ଼। ଗୁଳି ତାଙ୍କ ହାତ ଓ ଜଙ୍ଘରେ ବାଜିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି। ଏହି ଗୁଳିକାଣ୍ଡ ବୁଧବାର ରାତିରେ ଘଟିଛି।

    ଗତକାଲି ରାତି ପ୍ରାୟ ୧୧ଟାରେ କାହ୍ନୁଚରଣ କାରରେ ଘରକୁ ଫେରୁଥିଲେ। ସେ କାମାକ୍ଷାନଗର ମେନ୍‌ରୋଡ୍ ସ୍ଥିତ ମା’ ତାରିଣୀ ଅଳଙ୍କାର ନିକଟରେ ପହଞ୍ଚିବା ବେଳକୁ କିଛି ଦୁର୍ବୃତ୍ତ ତାଙ୍କ ଗାଡି ଅଟକାଇଥିଲେ। ସେ ଗାଡି ଅଟକାଇବାରୁ ଦୁର୍ବୃତ୍ତମାନେ  ତାଙ୍କ କାରର କାଚକୁ ଭାଙ୍ଗିଦେଇଥିଲେ ଓ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଦୁଇଟି ଗୁଳି ତାଙ୍କ ଗୋଡ ଓ ଜଙ୍ଘରେ ବାଜିଥିଲା।

    କାହ୍ନୁଙ୍କୁ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକର ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କେଉଁ ଘଟଣାକୁ ନେଇ ଏପରି ଗୁଳିମାଡ ହୋଇଥି ତାହା ଜଣାପଡିନାହିଁ। ତେବେ ସେ ଜଣେ ଠିକାଦାର ଓ ରାଜନେତା ହୋଇଥିବାରୁ ଗୁଳିମାଡ ପଛରେ ରାଜନୈତିକ ଶତ୍ରୁତା ତା ଠିକାଦାରୀ ଶତ୍ରୁତା ରହିଥିଲା ତାର କାରଣ ଖୋଜାଚାଲିଛି।

    ପୁଲିସ ଘଟଣାର ତଦନ୍ତ ଚଳାଇଛି। ସେଠାରେ ଥିବା ସିସିଟିଭି ଫୁଟେଜକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏହା ପୂର୍ବରୁ ମଧ୍ୟ କାହ୍ନୁଚରଣଙ୍କ ଉପରେ ଏକ ଗୁଳିମାଡ କରାଯାଇଥିଲା।

  • ଖୁବଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ, ୧୮ରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ବର୍ଷା !

    ଖୁବଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ, ୧୮ରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ବର୍ଷା !

    ମୌସୁମୀ ଓଡ଼ିଶା ଛୁଇଁବାରେ ବିଳମ୍ବ । କୁହାଯାଉଥିଲା ଜୁନ୍ ପ୍ରଥମ ସପ୍ତାହରେ ଏହା ଓଡ଼ିଶା ଛୁଇଁବ । ହେଲେ ଏଥିରେ ଏବେ ବିଳମ୍ବ ହେଲାଣି । ଆସନ୍ତା ୧୮ ତାରିଖରୁ ୨୧ ତାରିଖ ମଧ୍ୟରେ ରାଜ୍ୟକୁ ମୌସୁମୀ ଏଣ୍ଟ୍ରି କରିପାରେ ।

    ମୌସୁମୀ ଅଗ୍ରସର ନେଇ ଏବେ ପାଗ ପୁରା ଅନୁକୂଳ ରହିଛି । ଆସନ୍ତାକାଲି ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ସ୍ଥଳଭାଗ ଛୁଇଁବା ପରେ ସ୍ପଷ୍ଟ ସୂଚନା ମିଳିବ । ଓଡ଼ିଶାକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବ ଯାହାର ପ୍ରଭାବରେ ୧୮ରୁ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହେବ । ବର୍ଷା ଆରମ୍ଭ ପରେ ରାଜ୍ୟ ପାଣିପାଗରେ ଧୀରେ ଧୀରେ ପରିବର୍ତ୍ତନ ହେବ ।

    ସେପଟେ ୧୮ ତାରିଖ ଯାଏ ଯାଏ ପଶ୍ଚିମ ଓଡ଼ିଶାରେ ସିଭିୟର ହିଟୱେଭ ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସ୍ବାଭାବିକ ଠାରୁ ୬.୫ ଡିଗ୍ରୀ ଉପରେ ପାରଦ ରହିବା ନେଇ ପୂର୍ବାନୁମାନ କରିଛି ବିଭାଗ । ବୌଦ୍ଧ,ବଲାଙ୍ଗିର,ସୋନପୁର, ସମ୍ବଲପୁର,ବରଗଡ଼,ଝାରସୁଗୁଡ଼ାକୁ ସତର୍କତା ଜାରି କରାଯାଇଛି । ୧୬ ତାରିଖରୁ ଉପକୂଳରେ ବି ତାତି ବଢ଼ିବ । ତେଣୁ ପ୍ରବଳ ତାତି ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିବ । ଦିନ ସହ ରାତି ତାପମାତ୍ରାରେ ବୃଦ୍ଧି ଘଟିବ । ତାତି ବଢ଼ିବା ଆଶଙ୍କା ଥିବାରୁ ସମ୍ବଲପୁର,ବରଗଡ଼,ଝାରସୁଗୁଡ଼ା,ବଲାଙ୍ଗିର ଓ ବୌଦ୍ଧକୁ ଚେତାବନୀ ଦିଆଯାଇଛି । ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୪.୫ ଡିଗ୍ରୀ ଉପରେ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

  • ପହିଲି ରଜ ପୂର୍ବରୁ ସମ୍ବଲପୁରରେ ଦନ୍ତା’ର ଗଲା ଜୀବନ, ବନ ବିଭାଗର ତଦନ୍ତ

    ପହିଲି ରଜ ପୂର୍ବରୁ ସମ୍ବଲପୁରରେ ଦନ୍ତା’ର ଗଲା ଜୀବନ, ବନ ବିଭାଗର ତଦନ୍ତ

    ଆସନ୍ତାକାଲି ରାଜ୍ୟର ଏକ ବଡ଼ ପର୍ବ ମାନେ ରାତି ପାହିଲେ ପହିଲି ରଜ । ଧୁମଧାମରେ ପାଳନ କରିବା ପାଇଁ ସବୁଠି ଜୋରଦାର ପ୍ରସ୍ତୁତି । ସେପଟେ ରଜ ପୂର୍ବରୁ ହାତୀ ମୃତ୍ୟୁ ଖବର ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

    ଦିନକୁ ଦିନ ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ସେମାନେ ଅସୁରକ୍ଷିତ ଯୋଗୁଁ ଘଞ୍ଚ ଜଙ୍ଗଲରୁ ବାହାରି ଆସୁଛନ୍ତି । ପରିବେଶର ପ୍ରଭାବ ହେଉ ଅବା ମନୁଷ୍ୟକୃତ ହାତୀଙ୍କ ମୃତ୍ୟୁ ସଂଖ୍ୟା କିନ୍ତୁ ବଢ଼ୁଛି । ସମ୍ବଲପୁର ଜିଲ୍ଲାରେ ପୁଣି ଏକ ଦନ୍ତାର ମୃତ୍ୟୁ ଘଟିଛି । ଏହାର କାରଣ ଅସ୍ପଷ୍ଟ ଥିବାବେଳେ ଶବ ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

    ସମ୍ବଲପୁର ବନଖଣ୍ଡ ବସିଆପଡ଼ା ସେକ୍ସନ ବସିଆପଡ଼ା ବିଟ୍ ଅଧୀନ ରପ୍ଟା ନିକଟରେ ଦନ୍ତାର ମୃତ୍ୟୁ ଘଟିଛି । ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ବନ ବିଭାଗ । ଏସିଏଫ୍ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସମ୍ବଲପୁର ଜିଲ୍ଲାରେ ଏଭଳି ହାତୀ ମୃତ୍ୟୁ ଘଟଣା ନୂଆଁ ନୁହେଁ । ପୂର୍ବରୁ ବିଭିନ୍ନ ସମୟରେ ଏକାଧିକ ହାତୀର ମୃତ୍ୟୁ ଘଟିଲାଣି । ବାରମ୍ବାର ହାତୀ ମୃତ୍ୟୁ ହେଉଥିବାରୁ ପରିବେଶବିତ୍ ଏବଂ ବନ୍ୟଜନ୍ତୁପ୍ରେମୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏ ଦିଗରେ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବା ଜରୁରୀ ।

  • ୧୫ ତାରିଖରେ ସ୍ଥଳଭାଗ ଛୁଇଁବ ‘ବିପର୍ଯ୍ୟୟ’, ସତର୍କ କଲା IMD

    ୧୫ ତାରିଖରେ ସ୍ଥଳଭାଗ ଛୁଇଁବ ‘ବିପର୍ଯ୍ୟୟ’, ସତର୍କ କଲା IMD

    ଆରବ ସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ବିପର୍ଯ୍ୟୟ’ । ଆସନ୍ତା ଗୁରୁବାର ଅର୍ଥାତ ୧୫ ତାରିଖରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ଜାତୀୟ ପାଣିପାଗ ବିଭାଗ । ଗୁଜରାଟର କଚ୍ଛ ଏବଂ ପାକିସ୍ତାନର କରାଚି ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି କହିଛି ପାଣିପାଗ ବିଭାଗ । ବାତ୍ୟା ବିପର୍ଯ୍ୟୟ ଉପକୂଳରେ ପହଞ୍ଚିବାକୁ ଆହୁରି ୨ ଦିନ ବାକି ଥିବାବେଳେ ଏବେ କିନ୍ତୁ ଏହାର ରୂପ ଦେଖାଇବା ଆରମ୍ଭ କଲାଣି ।

    ତେବେ ଭାରତୀୟ ପାଣିପାଗ ବିଭାଗ IMDର କହିବାନୁସାରେ ‘ବିପର୍ଯ୍ୟୟ’କୁ ଅତି ଭୀଷଣ ବାତ୍ୟା ନ ହୋଇ ଭୀଷଣ ବାତ୍ୟା ହେବ । ‘ବିପର୍ଯ୍ୟୟ’ ବର୍ତ୍ତମାନ ପୋରବନ୍ଦରଠାରୁ ୨୯୦ କିଲୋମିଟର ଦୂରତାରେ ଥିବାବେଳେ ୧୫ ତାରିଖ ମଧ୍ୟାହ୍ନ ବେଳକୁ ବାତ୍ୟା ଜାଖାଉ ପୋର୍ଟ ଦେଇ ଅତିକ୍ରମ କରିବା ନେଇ ସୂଚନା ମିଳିଛି । ବାତ୍ୟା ଆସୁଥିବାରୁ ଗୁଜରାଟର ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳ ପାଇଁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

    ଆସନ୍ତାକାଲି ଯାଏ ସୌରାଷ୍ଟ୍ର ଏବଂ କଚ୍ଛରେ ସମୁଦ୍ର ଅଶାନ୍ତ ରହିବ । ଗୁରୁବାର ଅତି ଉଚ୍ଚ ଜୁଆର ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି । ବିପର୍ଯ୍ୟୟ ଯୋଗୁଁ କଚ୍ଛ ସମେତ ଜାମନଗର, ମୋର୍ବି, ଗିର, ସୋମନାଥ, ପୋରବନ୍ଦର ଏବଂ ଦେବଭୂମି ଦ୍ବାରକା ପ୍ରଭାବିତ ହେବ । ଆଜିଠାରୁ ୧୫ ତାରିଖ ଯାଏ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ । ଘଣ୍ଟାପ୍ରତି ୧୨୫ରୁ ୧୪୫ କିଲୋମିଟର ବେଗରେ ପବନ ବହିବ ବୋଲି କହିଛି ପାଣିପାଗ ବିଭାଗ । ବର୍ତ୍ତମାନ ଏନଡିଆରଏଫର ୧୨ଟି ଟିମ୍ ନିୟୋଜିତ ହୋଇଥିବାବେଳେ ଆଉ ୧୫ଟି ଟିମ୍ ମୁକାବିଲା ପାଇଁ ପ୍ରସ୍ତୁତ ଥିବା କେନ୍ଦ୍ର ସରକାର କହିଛନ୍ତି ।