Category: ମୁଖ୍ୟ ଖବର

  • ଘୋଷଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି, ଟ୍ରାଫିକ ନିୟନ୍ତ୍ରଣ ପାଇଁ ସୁବ୍ୟବସ୍ଥା

    ଘୋଷଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି, ଟ୍ରାଫିକ ନିୟନ୍ତ୍ରଣ ପାଇଁ ସୁବ୍ୟବସ୍ଥା

    ଆସନ୍ତା ମଙ୍ଗଳବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ । ଭକ୍ତଙ୍କ ପ୍ରବଳ ଭିଡ଼ ଜମିବ । ସେମାନଙ୍କ ସୁରକ୍ଷା କେମିତି ହେବ ସେ ନେଇ ପୂର୍ବ ପ୍ରସ୍ତୁତି ହୋଇଛି । ପୁରୀରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସୁବ୍ୟବସ୍ଥା କରାଯାଇଛି । ଏଥିପାଇଁ ୪୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି । ୨୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ ପୁରୀବାସୀଙ୍କ ସହଯୋଗରେ ଟ୍ରାଫିକ ଭଲ ଭାବେ ନିୟନ୍ତ୍ରଣ ହେବ ବୋଲି ଆଶା ରହିଛି । ସ୍ଥାନୀୟ ଲୋକଙ୍କ ସହଯୋଗରେ ରଥଯାତ୍ରା ଭଲଭାବରେ ଶେଷ ହେବା ବୋଲି କହିଛି ପ୍ରଶାସନ । ଭଲ୍ୟୁଣ୍ଟିଅର ଭାବେ ପ୍ରତି ସାହିରେ ଜଣେ ସ୍ଥାନୀୟ ଲୋକଙ୍କୁ ମୁତୟନ କରାଯିବ । ସାତସାହିବାସୀଙ୍କ ପାଇଁ ସେମିତି କୌଣସି କଟକଣା ନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

    ପୁରୀ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ୍ ନିୟନ୍ତ୍ରଣକୁ ୩ ଭାଗରେ ବିଭକ୍ତ କରାଯାଇଛି । କୁମ୍ଭାରପଡ଼ା ଥାନାରେ ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି । ସେହିପରି ଟୁରିଷ୍ଟ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବାକୁ ଥିବାବେଳେ କୋଣାର୍କ ଆଡ଼ୁ ଆସୁଥିବା ଗାଡ଼ି ତାଳବଣିଆରେ ରହିବ । ତାଳବଣିଆର ୬ ପାର୍କିଂ ପ୍ଲେସରେ ରହିବ ୪ ଚକିଆ ଗାଡ଼ି । ବ୍ରହ୍ମଗିରି ଆଡ଼ୁ ଆସୁଥିବା ଗାଡ଼ି ଲୋକନାଥ ମନ୍ଦିର ପାଖେ ରହିବ ବୋଲି କହିଛି ପ୍ରଶାସନ ।

    ସେହିପରି ଆମ୍ବୁଲାନ୍ସ ପାଇଁ ଇ-କରିଡର ବ୍ୟବସ୍ଥା ଓ ଜରୁରୀ ସେବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ୟବସ୍ଥା ହୋଇଛି । ସ୍ବର୍ଗଦ୍ବାରକୁ ଆସୁଥିବା ଲୋକଙ୍କ ପାଇଁ ବ୍ୟବସ୍ଥା ହୋଇଛି । ସେହିପରି ଦୁଇ ଚକିଆ ଗାଡ଼ି ଜଗନ୍ନାଥବଲଭ ପାର୍କିଂରେ ରହିବାକୁ ନିଷ୍ପତ୍ତି ହୋଇଛି । ମାଟିତୋଟା କ୍ରିକେଟ୍ ଫିଲ୍ଡ, ମଶାଣି ଚଣ୍ଡୀରେ ରହିବ ସବୁ ବାଇକ୍ । ଭିନ୍ନକ୍ଷମ ଓ ବୟସ୍କଙ୍କ ପାଇଁ ମାଗଣା ଇ-ଯାନ ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ତଥା ସାହାଯ୍ୟ ଓ ସହଯୋଗ ପାଇଁ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛି ପୋଲିସ ।

  • ରାୟଗଡ଼ା: ଅମ୍ବାଦଳା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

    ରାୟଗଡ଼ା: ଅମ୍ବାଦଳା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

    ବାହାନଗା ଦୁର୍ଘଟଣା ପର ଠାରୁ ରେଳ ବିଭାଗରେ ଅଘଟଣ ଘଟିବାରେ ଲାଗିଛି । କେଉଁଠି ନା କେଉଁଠି ରେଳ ବିଭାଗରେ ସମସ୍ୟା ଦେଖାଦେଉଛି । ଆଜି ପୁଣି ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଷ୍ଟେସନ ନିକଟରେ ବେଦାନ୍ତର ବକ୍ସାଇଟ୍ ବୋଝେଇ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଏହି ଟ୍ରେନ୍ ଲାଞ୍ଜିଗଡ଼ ବେଦାନ୍ତ ପ୍ଲାଣ୍ଟକୁ ଯାଉଥିବା ବେଳେ ତିନିଟି ବଗି ରେଳ ଧାରଣରୁ ଖସି ପଡ଼ିଛି ।

    ଷ୍ଟେସନ ନିକଟରେ ବଗି ଲାଇନଚ୍ୟୁତ୍ ଯୋଗୁଁ ରେଳ ଯାତାୟାତ ବ୍ୟାହତ ହୋଇଥିଲା । ଦୁର୍ଘଟଣାରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି । ତେବେ ପ୍ରତିଦିନ କିଛିନା କିଛି ଟ୍ରେନ୍ ଦୁର୍ଘଟଣା ଘଟୁଛି । କେଉଁଠି ବଗି ଲାଇନଚ୍ୟୁତ ତ ଆଉ କେଉଁଠି ଇଞ୍ଜିନ ଓ ବଗି ଅଲଗା ହେଉଛି । ଏଭଳି କ୍ରମାଗତ ଟ୍ରେନ୍ ଦୁର୍ଘଟଣା ଯାତ୍ରୀଙ୍କୁ ଅଡୁଆରେ ପକାଇଛି । ରେଳରେ ଯାତ୍ରା କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି ଯାତ୍ରୀ । ସେମାନଙ୍କ ଭୟ ଓ ଆତଙ୍କ ଦୂର କରିବା ପାଇଁ ରେଳ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ହୋଇଛି । ସେପଟେ, ଦୁର୍ଘଟଣାଗ୍ରସ୍ତ ମାଲବାହୀ ଟ୍ରେନକୁ ଖୁବଶୀଘ୍ର ଲାଇନ ଉପରକୁ ଆଣିବା ପାଇଁ ଉଦ୍ୟମ ଜାରି ରହିଛି ।

    ଜୁନ୍ ୨ ତାରିଖରେ ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣା ଘଟିଥିଲା । ଏସସିବିରେ ଚିକିତ୍ସିତ ଜଣେ ବାହିରୀ ଯାତ୍ରୀଙ୍କ ଆଜି ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୧ ଛୁଇଁଛି । ବିଭିନ୍ନ ମେଡିକାଲରେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ସେମାନଙ୍କ ମଧ୍ୟରୁ କେହି କେହି ଜୀବନ ହାରୁଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି ।

  • ବାରିପଦା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଅଡୁଆରେ ରାମଚନ୍ଦ୍ର

    ବାରିପଦା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଅଡୁଆରେ ରାମଚନ୍ଦ୍ର

    ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ୱ ସହାୟକ । ଅଡୁଆରେ ମୟୂରଭଞ୍ଜ ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ୱ ସହାୟକ ରାମଚନ୍ଦ୍ର ସେନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ । ଏକକାଳୀନ ବିଭିନ୍ନ ସ୍ଥାନରେ ଛାପା ମାରିଛି ବିଭାଗ ।

    କୁଳିଅଣା ବ୍ଲକ୍ ପଢ଼ିଆରୀପୁରସ୍ଥିତ ୪ ମହଲା କୋଠା, ରଘୁନାଥଗଞ୍ଜରେ ଥିବା ୩ ମହଲା କୋଠା, ଉପଜିଲ୍ଲାପାଳଙ୍କ ଅଫିସ, ରାମଚନ୍ଦ୍ରଙ୍କ ଶ୍ୱଶୁର ଘର ଏବଂ ଶାମାଖୁଣ୍ଟା ବ୍ଲକ ଅଧୀନ ଖଣ୍ଡିଆସ୍ଥିତ ବାସଭବନ ଓ ସମଖୁଣ୍ଟା ତହସିଲଦାରଙ୍କ କାର୍ଯ୍ୟାଳୟ ସମେତ ସେନଙ୍କ ପୁଅଙ୍କ ଅଫିସ୍ ରୁମରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ।

    ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିଲେ ରାମଚନ୍ଦ୍ର ସେନ । ତାଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିବା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା । ଶେଷରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ସର୍ଚ୍ଚ ୱାରେଣ୍ଟ ଜାରି କରିବା ପରେ ରେଡ୍ କରିଛି ଟିମ୍ । ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ୫ ଡିଏସପି, ୭ ଇନ୍ସପେକ୍ଟରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।

  • ପୁରୀ: ୨୦ ତାରିଖରେ ରଥଯାତ୍ରା, ଦର୍ପଦଳନ ରଥ ଅଖରେ ଫାଟ

    ପୁରୀ: ୨୦ ତାରିଖରେ ରଥଯାତ୍ରା, ଦର୍ପଦଳନ ରଥ ଅଖରେ ଫାଟ

    ଆସନ୍ତା ୨୦ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ରଥ କାମ ଶେଷ ପର୍ଯ୍ୟାୟରେ ଥିବାବେଳେ ରଥ ଅଖରେ ଫାଟ ଦେଖାଦେଲାଣି ।


    ଦେବଦଳନ ରଥ ଅଖରେ ଫାଟ ଦେଖାଦେବା ପରେ ଟେନସନ ବଢ଼ିଛି । ରଥ ଅଖରେ ଫାଟ ଅଧିକ ଦିଶୁଛି । ଫାଟ ଥିବାରୁ ଅଖଟି ଦୁର୍ବଳ ଥିବା ଜଣାପଡ଼ିଛି । ସେପଟେ, ଅଖରେ ଥିବା ବଟମ୍ ପ୍ୟାକିଂ ଓ କ୍ଲାମ୍ପ୍ ଫିଟିଂ କରାଯାଇଛି । ଖୁବଶୀଘ୍ର ଦେବଦଳନ ରଥ ମରାମତି କାମ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି ମହାରଣା ସେବକ ।

    ଏହା ଏକ ସାଧାରଣ ଘଟଣା ବୋଲି ସେମାନେ କହିଛନ୍ତି । ଏହାଦ୍ବାରା କୌଣସି ଅସୁବିଧା ହେବ ନାହିଁ ବୋଲି ଦଇତାପତି ସେବାୟତମାନେ କହିଛନ୍ତି । ରଥ ଯାଞ୍ଚ କମିଟି ତଦାରଖ କରିବା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କୁହାଯାଉଛି । ୨୦ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏହାପୂର୍ବରୁ ସୁଭଦ୍ରାଙ୍କ ରଥକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଲାଣି। ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସୁଧାରିବାକୁ ପଦକ୍ଷେପ ନେବା ଲାଗି ସାଧାରଣରେ ଦାବି ହୋଇଛି ।

    ସେପଟେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି । କଳା,ଧଳା,ନାଲି,ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଗତକାଲି ତ୍ରୟୋଦଶୀ ତିଥିରେ ଶ୍ରୀଜିଉଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହୋଇଥିଲା । ଏବେ ରଥ ଖଳାରେ ଚିତ୍ରକର ସେବକ ରଙ୍ଗ କାର୍ଯ୍ୟ ଜାରି ରଖିଥିବା ବେଳେ ଆଜି ପାର୍ଶ୍ବଦେବଦେବୀ ଲଗାଯିବା ସହ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।

  • କେନ୍ଦୁଝର: ଚମ୍ପୁଆ ରେଞ୍ଜରେ ଏକର ଏକର ଧାନ ଫସଲ ନଷ୍ଟ କଲେ ହାତୀପଲ

    କେନ୍ଦୁଝର: ଚମ୍ପୁଆ ରେଞ୍ଜରେ ଏକର ଏକର ଧାନ ଫସଲ ନଷ୍ଟ କଲେ ହାତୀପଲ

    କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ବଢୁଛି ହାତୀପଲଙ୍କ ଉପଦ୍ରବ । କେତେବେଳେ ଫସଲ ତ ଆଉ କେତେବେଳେ ନଷ୍ଟ କରୁଛନ୍ତି ଘରଦ୍ୱାର । ବେଳେବେଳେ ହାତୀ ଆକ୍ରମଣରେ ଜୀବନ ହରାଉଛନ୍ତି ଲୋକେ । ଗାଁ ନିକଟ ଜଙ୍ଗଲରେ ହାତୀପଲ ଡେରା ପକାଇଥିବାରୁ ଭୟଭୀତ ଅଛନ୍ତି ସ୍ଥାନୀୟ ଲୋକେ ।

    କୁଗୁରୁବାର ଅଞ୍ଚଳରେ ବୁଲୁଛନ୍ତି ୨୨ଟି ହାତୀ । ଗାଁ ଲୋକେ ଖରାଟିଆ ଧାନ ଫସଲ କରି ଚିନ୍ତାରେ । କାରଣ ନଷ୍ଟ ହେଉଛି ଏକର ଏକର ଧାନଫସଲ । ବିଲରେ ଧାନ ଖାଇବା ସହ ଦଳ ଚକଟି ଏହାକୁ ସମ୍ପୂର୍ଣ୍ଣ ନଷ୍ଟ କରିଛନ୍ତି ହାତୀ । କେବଳ ଏତିକି ନୁହଁ, ଖରାଦିନ ଥିବାରୁ ଆମ୍ବ, ପଣସ ଖାଇବା ପାଇଁ ଗଛ ଭାଙ୍ଗି ଦେଉଛନ୍ତି । ଗାଁ ନିକଟ ଜଙ୍ଗଲରେ ଡେରା ପକାଇଛନ୍ତି ହାତୀ ପଲ । କେଉଁ ମୁହୂର୍ତ୍ତରେ ଗାଁ ଭିତରେ ପଶିବେ ସେ ନେଇ ଭୟଭୀତ ଅଛନ୍ତି ଲୋକେ ।

    ଗାଁ ନିକଟରେ ହାତୀ ପଲ ଥିବାରୁ ସେମାନଙ୍କ ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । ତୁରନ୍ତ ସେମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି ।

  • ଅସହ୍ୟ ତାତିରେ ଜଳୁଛି ଓଡ଼ିଶା,୨୩ରେ ଛୁଇଁପାରେ ମୌସୁମୀ

    ଅସହ୍ୟ ତାତିରେ ଜଳୁଛି ଓଡ଼ିଶା,୨୩ରେ ଛୁଇଁପାରେ ମୌସୁମୀ

    ରାଜ୍ୟରେ ତାତି ଥମିବାର ନାଁ ନେଉନି । ପଶ୍ଚିମ ଓଡ଼ିଶା ସମେତ ସମଗ୍ର ଓଡ଼ିଶା ଏବେ ଜଳୁଛି । ସମ୍ବଲପୁର, ଝାରସୁଗୁଡ଼ା ଓ ସୋନପୁର ଭଳି ସ୍ଥାନରେ ତାପମାତ୍ର ୪୫ ଡିଗ୍ରି ଟପିଲାଣି । ଉପକୂଳ ଓଡ଼ିଶାର ବହୁ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ରାଜଧାନୀ ଭୁବନେଶ୍ବରର ତାପମାତ୍ରା ବଢୁଥିବା ବେଳେ ଆହୁରି ୪ ଦିନ ଏପରି ପାଗ ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରଜ ପର୍ବ ସରିଥିବା ବେଳେ ମୌସୁମୀ ଓଡ଼ିଶା ଛୁଇଁବାରେ ବିଳମ୍ବ କରିଛି । ହେଲେ ଚଳିତବର୍ଷ ମୌସୁମୀ ଓଡ଼ିଶା ଛୁଇଁବାରେ ବିଳମ୍ବ ହୋଇଛି ।

    ରାଜ୍ୟସାରା ତାତି ଯୋଗୁ ଜନଜୀବନ ଏକପ୍ରକାର ଠପ୍‌ ହୋଇଯାଇଛି । ରାତିର ତାପମାତ୍ରା ମଧ୍ୟ ଅସହ୍ୟ ହୋଇପଡ଼ିଛି । ତାତି ଏବେ କମିବାର ନାହିଁ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଆସନ୍ତା ୧୯ ତାରିଖ ଯାଏ ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ ବୋଲି ବିଭାଗ କହିଛି । ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନ ପାଇଁ ଅଂଶୁଘାତ ୱାର୍ଣ୍ଣିଂ ଜାରି କରାଯାଇଛି ।

    ଅନ୍ୟପଟେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ମଧ୍ୟ ରହିଛି । ଆସନ୍ତା ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ସ୍ବାଭାବିକ ଠାରୁ ୪ରୁ ୭ ଡିଗ୍ରୀ ଯାଏ ଅଧିକ ରହିବ । ଦିନରେ ତାପମାତ୍ରା ଅଧିକ ରହୁଥିବା ବେଳେ ରାତିରେ ମଧ୍ୟ ଏଥିରୁ ନିସ୍ତାର ମିଳିବ ନାହିଁ ବୋଲି ସୂଚନା ମିଳିଛି । ସେପଟେ ରାଜ୍ୟରେ ୨୩ ତାରିଖ ପୂର୍ବରୁ ‌ମୌସୁମୀ ଛୁଇଁବା ସମ୍ଭାବନା ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ଆଜି ରାଜଧାନୀ ସମେତ ଉପକୂଳ ଓଡ଼ିଶାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରିରହିବ । ଆସନ୍ତାକାଲି ତାତି କିଛି ମାତ୍ରାରେ କମିବ ଓ ୧୯ ତାରିଖ ସୁଦ୍ଧା ତାପମାତ୍ରା ୩୯ ଡିଗ୍ରୀ ତଳକୁ ଖସି ଆସିବ ବୋଲି ପାଣିପାଗ ବିଭାଗ କହିଛି ।

  • ଭିଜିଲାନ୍ସ ଜାଲରେ ନୟାଗଡ ସପ୍ଲାଇ ଅଧିକାରୀ

    ଭିଜିଲାନ୍ସ ଜାଲରେ ନୟାଗଡ ସପ୍ଲାଇ ଅଧିକାରୀ

    ସକାଳୁ ସକାଳୁ ମାଡ଼ି ବସିଲା ଭିଜିଲାନ୍ସ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ନୟାଗଡ଼ ଜିଲ୍ଲା ସରକାରୀ ଅତିରିକ୍ତ ସିଭିଲ୍ ସପ୍ଲାଇ ଅଫିସର ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ଦୁର୍ନୀତି ନିବାରଣ ଟିମ ଚଢ଼ାଉ କରିଛି । ଏକ କାଳୀନ ୫ ଟି ସ୍ଥାନରେ ଚଢ଼ାଉ କରାଯାଇଛି। ପୁରୀ ଓ ଭୁବନେଶ୍ଵରରେ ଥିବା ଏହି ୫ ଟି ସ୍ଥାନରେ ଏବେ ତଲାସି କରୁଛି ତଦନ୍ତକାରୀ ଟିମ।

    ଭୁବନେଶ୍ବର ର ଭିମଟାଙ୍ଗି ହାଉସିଂ ବୋର୍ଡ କଲୋନୀର AL55 ପ୍ଲଟ, ରାଜାରାଣୀ କଲୋନୀର ପ୍ଲଟ ନମ୍ବର 384,385 ଥିବା ୨ ଟି ଆବାସିକ ଘର, ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ସୁନୁଗରଡି ପୈତୃକ ଗ୍ରାମ ସହ, ସେହି ଗ୍ରାମରେ ଥିବା ଫାର୍ମ ହାଉସ୍ ରେ ଏହି ଚଢ଼ାଉ ହେଉଛି। ତେବେ ଶ୍ରୀ ସାହୁ ଏବେ ସରକାରୀ ନିଳମ୍ବନରେ ଅଛନ୍ତି।

    ଚଢାଉରେ ତଦନ୍ତକାରୀ ଦଳକୁ ମିଳିଛି ବିପୁଳ ସମ୍ପତ୍ତି। ଭିମଟାଙ୍ଗି ହାଉସିଂ ବୋର୍ଡ କଲୋନୀର AL55 ପ୍ଲଟ, ରାଜାରାଣୀ କଲୋନୀରେ ତିନି ମହଲାର ଦୁଇଟି ଆବାସିକ ଘର, ନିମାପଡାରେ ଥିବା ଫାର୍ମ ହାଉସ, ନିମାପଡା ମାର୍କେଟ କମ୍ପ୍ଲେକ୍ସରେ ଥିବା ୧୦ ଦୋକାନ ସହ ଏକ ହଲ, ଯାହାକୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କକୁ ଭଡାରେ ଦିଆଯାଇଛି।  ଭିଜିଲାନ୍ସ ଏହି ଘର ଓ ଦୋକାନ ଘରର ମୂଲ୍ୟାୟନ କରୁଛି।  ସେହିପରି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୬୦ ଲକ୍ଷ ଟଙ୍କା ଅଛି। ସେ ଗୋଟିଏ ହୋଣ୍ଡା ଆମେଜ କାର ଓ ୨ଟି ଦୁଇ ଚକିଆ ଗାଡିର ମାଲିକ ହୋଇଥିବା ରେଡରୁ ଜଣାପଡିଛି।  ରେଡ ଚାଲିଥିବାରୁ ଆଗକୁ ନାୟକଙ୍କ ସମ୍ପତ୍ତିକୁ ନେଇ ଆହୁରି ରୋଚକ ତଥ୍ୟ ଜଣାପଡିବ।

  • ଅସହ୍ୟ ହେଉଛି ଗୁଳୁଗୁଳି

    ଅସହ୍ୟ ହେଉଛି ଗୁଳୁଗୁଳି

    ସକାଳୁ ସକାଳୁ ରାଜଧାନୀରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ତାତି ଅସହ୍ୟ ହେଲାଣି ରାଜଧାନୀବାସୀଙ୍କ ପାଇଁ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ସକାଳ ସାଢେ ୫ଟା  ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୦.୨ ଡିଗ୍ରି ରେକର୍ଡ କରାଯାଇଛି। ଏହାଛଡ଼ା ଏଠାରେ ୯୨% ଆର୍ଦ୍ରତା ଥିବା ସ୍ପଷ୍ଟ ହୋଇଛି। ଆହୁରି ମଧ୍ୟ କୁହାଯାଇଛି ଯେ, ଆଗାମୀ ୩ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏହାର ପ୍ରଭାବରେ ୧୮ ତାରିଖ ଯାଏ ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିବ। ୧୮ ଯାଏଁ କେତେକ ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକଠାକୁ ୫ ରୁ ୭ ଡିଗ୍ରି ଅଧିକ ରେକର୍ଡ ହେବା ସମ୍ଭାବନା ରହିଛି।

    ଉଲ୍ଲେଖଯୋଗ୍ୟ, ଗତକାଲି ରାଜଧାନୀରେ ତାପମାତ୍ରା ୪୨.୪ ଡିଗ୍ରି ରେକର୍ଡ ହୋଇଥିଲା। ଏହା ସ୍ବାଭାବିକ ତାପମାତ୍ରାଠାରୁ ୭.୫ ଡିଗ୍ରି ଅଧିକ ଥିଲା। ସେହିଭଳି କଟକର ତାପମାତ୍ରା ସ୍ବାଭାବିକଠାରୁ ୬.୮ ଡିଗ୍ରି ଅଧିକ (୪୧.୫ ଡିଗ୍ରି) ରହିଥିଲା। କେବଳ ସେତିକି ନୁହେଁ, ଗତକାଲି କେନ୍ଦ୍ରାପଡ଼ାରେ ୪୦ ଡିଗ୍ରି, ଢେଙ୍କାନାଳରେ ୪୨.୫ ଡିଗ୍ରି, ଭଦ୍ରକରେ ୪୧.୫ ଡିଗ୍ରି, ବାଲେଶ୍ବରରେ ୪୦.୬ ଡିଗ୍ରି ରେକର୍ଡ ହୋଇଥିଲା। ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାରେ ବି ନିଆଁବର୍ଷା ଜାରି ରହିଥିଲା। ପୁଣି ଝାରସୁଗୁଡ଼ା (୪୪.୮ଡିଗ୍ରି) ରାଜ୍ୟର ସବୁଠୁ ତତଲା ଅଞ୍ଚଳ ପାଲଟିଥିଲା। ସ୍ବାଭାବିକଠାରୁ ସେଠାରେ ୮.୭ ଡିଗ୍ରି ଅଧିକ ରହିଥିଲା। ହୀରାକୁଦରେ ୪୪.୧ ଡିଗ୍ରି (ସ୍ବାଭାବିକଠାରୁ ୭.୩ ଡିଗ୍ରି ଅଧିକ), ସୁନ୍ଦରଗଡ଼ଠାରେ ୪୪ ଡିଗ୍ରି (୭.୧ ଡିଗ୍ରି ଅଧିକ), ସମ୍ବଲପୁରଠାରେ ୪୩.୯ ଡିଗ୍ରି (୭.୩ ଡିଗ୍ରି ଅଧିକ) ରହିଥିଲା। ଅର୍ଥାତ୍ ରାଜ୍ୟର ମୋଟ୍‌ ୨୫ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ୪ ସହରର ତାପମାତ୍ରା ୪୪ ଡିଗ୍ରି ଓ ୪ ସହରର ତାପମାତ୍ରା ୪୩ ଡିଗ୍ରି ଉପରେ ରହିଥିଲା। ଏଥିସହ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୪ ଡିଗ୍ରିରୁ ଅଧିକ ରହିଥିଲା।

  • ବ୍ରହ୍ମପୁର: କେମିତି ମଲେ MKCG ଛାତ୍ରୀ ? ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

    ବ୍ରହ୍ମପୁର: କେମିତି ମଲେ MKCG ଛାତ୍ରୀ ? ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

    ବ୍ରହ୍ମପୁର MKCG ମେଡିକାଲ କଲେଜରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ତାଙ୍କ ନାଁ ସୁଭାନୀ ପଟ୍ଟନାୟକ । ସେ ପିଜି ପ୍ରଥମ ବର୍ଷ ଚର୍ମ ବିଭାଗର ଛାତ୍ରୀ ଥିଲେ । ତାଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ । ସେ ହଷ୍ଟେଲରେ ରହୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ତେଣୁ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଦେଖାଦେଇଛି ।

    ଆଜି ସକାଳେ ସାଙ୍ଗମାନେ ହସ୍ପିଟାଲ ଯିବା ପାଇଁ ବାହାରିବା ବେଳେ ତାଙ୍କ ରୁମ୍ ବନ୍ଦ ଥିବା ଦେଖିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଛାତ୍ରୀ ସୁଭାନୀଙ୍କ ବାପାଙ୍କ ବୟାନ ରେକର୍ଡ କରିଛି ପୋଲିସ । ବାପାଙ୍କ ସୂଚନା ଆଧାରରେ ସୁଭାନୀଙ୍କର ମାଇଗ୍ରେନ ସମସ୍ୟା ଥିବା କଥା କହିଛି ପୋଲିସ । ସେଥିପାଇଁ ଛାତ୍ରୀଜଣକ ଔଷଧ ଖାଉଥିଲେ । ଔଷଧର ଓଭରଡୋଜ ଯୋଗୁଁ ସମସ୍ୟା ହୋଇଥାଇପାରେ ବୋଲି ବାପା ଆଶଙ୍କା କରୁଛନ୍ତି । ତେବେ, ସୁଭାନୀ ଜଣେ ଡାକ୍ତରୀ ଛାତ୍ରୀ ହୋଇଥିବାରୁ ଓଭରଡୋଜ କେମିତି ନେଲେ, ସେ ନେଇ ପ୍ରଶ୍ନ ଉଠିଛି ।

    ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏଥିସହ ସୁଭାନୀଙ୍କ ହଷ୍ଟେଲ ରୁମ୍‌ ମଧ୍ୟ ଯାଞ୍ଚ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ସତ୍ୟାସତ୍ୟା ଜଣାପଡ଼ିବ ବୋଲି ପୋଲିସ କହିଛି ।

  • ଆନ୍ଧ୍ରପ୍ରଦେଶ: ଚିତ୍ତୂରରେ ଟ୍ରକ୍ ଧକ୍କାରେ ଜୀବନ ହାରିଲେ ୩ ହାତୀଛୁଆ

    ଆନ୍ଧ୍ରପ୍ରଦେଶ: ଚିତ୍ତୂରରେ ଟ୍ରକ୍ ଧକ୍କାରେ ଜୀବନ ହାରିଲେ ୩ ହାତୀଛୁଆ

    ଚିତ୍ତୂର ଜିଲ୍ଲା ପାଲାମାନେରୁ ମଣ୍ଡଳରେ ସଡ଼କ ଦୁର୍ଘଟଣା । ଏଥିରେ ମଣିଷ ନୁହଁ, ୩ଟି ହାତୀଛୁଆଙ୍କ ମୃତ୍ୟୁ ଘଟିଛି । ହାତୀର ମୃତ୍ୟୁ ଘଟିଥିବା ବନ ବିଭାଗ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ।

    ଚିତ୍ତୂର-ପାଲାମାନେରୁ ଜାତୀୟ ରାଜପଥ ଅନ୍ତର୍ଗତ ଜାଗମର୍ଲା ଛକ ନିକଟରେ ରାସ୍ତା ପାର୍ ହେଉଥିଲେ ହାତୀପଲ । ରାତିରେ ପାର୍ ହେଉଥିବା ବେଳେ ହାତୀମାନଙ୍କ ସହ ଟ୍ରକ୍‌ଟି ଧକ୍କା ଖାଇଥିଲା । ଶେଷରେ ହାତୀଛୁଆଙ୍କ ଜୀବନ ଚାଲିଗଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏହି ପଲରେ ଗୋଟିଏ ବୟସ୍କା ମାଈହାତୀ,ଦୁଇଟି କିଶୋର ଅଣ୍ଡିରା ହାତୀ ଓ ଗୋଟିଏ ଛୁଆ ମାଈହାତୀ ଥିଲେ । ସେମାନଙ୍କ ମଧ୍ୟରୁ କେବଳ ବଡ଼ ମାଈହାତୀଟି ବର୍ତ୍ତିଯାଇଥିବା ବେଳେ ଅନ୍ୟ ୩ଟି ହାତୀର ମୃତ୍ୟୁ ହୋଇଛି । ହାତୀଙ୍କୁ ଧକ୍କା ଦେଇଥିବା ଲରି ଟ୍ରକ୍‌ ସମ୍ମୁଖ ଅଂଶଟି ଭାଙ୍ଗି ଚୂର୍‌ମାର ହୋଇଯାଇଛି । ସେହି ଟ୍ରକଟିକୁ ଜବତ କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ବନ ବିଭାଗ ଅଧିକାରୀ । ରାଜପଥରୁ ମୃତ ହାତୀମାନଙ୍କୁ ଉଠାଇବାର ବ୍ୟବସ୍ଥା କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି ।

    ଟ୍ରକଟି ଅତି ଦ୍ରୁତ ବେଗରେ ଆସୁଥିଲା । ରାସ୍ତା ପାରି ହେଉଥିବା ହାତୀପଲକୁ ଲରି ଟ୍ରକ୍‌ ଧକ୍କା ଦେଇଥିଲା । ଟ୍ରକ୍ ଡ୍ରାଇଭର ନିଶାଗ୍ରସ୍ତ ଥିବା ସନ୍ଦେହ କରାଯାଉଛି । ସେ ନିଜ ଗାଡ଼ିକୁ ନିୟନ୍ତ୍ରଣ କରିପାରିନଥିଲେ । ଶେଷରେ ହାତୀପଲକୁ ଧକ୍କା ଦେବାରୁ ହାତୀଛୁଆଙ୍କ ମୃତ୍ୟୁ ଘଟିଛି ବୋଲି ଚିତ୍ତୂର ଡିଭିଜ୍‌ନାଲ୍‌ ଫରେଷ୍ଟ ଅଫିସର କହିଛନ୍ତି । ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର୍‌ ଫେରାର ଅଛି । ବେପରୁଆ ଭାବେ ଟ୍ରକ୍‌ ଚଳାଇବାରୁ ଏଭଳି ଦୁର୍ଘଟଣା ଘଟିଛି । ଡ୍ରାଇଭର୍‌କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି ବନ ବିଭାଗ ।