Category: ମୁଖ୍ୟ ଖବର

  • ଭିଜିଲାନ୍ସ ଜାଲରେ ଅଧିକାରୀ, ପଡ଼ୋଶୀଙ୍କ ଛାତରୁ ମିଳିଲା କୋଟିକୋଟି ଟଙ୍କା

    ଭିଜିଲାନ୍ସ ଜାଲରେ ଅଧିକାରୀ, ପଡ଼ୋଶୀଙ୍କ ଛାତରୁ ମିଳିଲା କୋଟିକୋଟି ଟଙ୍କା

    ପଡ଼ୋଶୀଙ୍କ ଛାତରୁ ମିଳିଲା କୋଟି କୋଟି ଟଙ୍କା । ଭିଜିଲାନ୍ସ ଚଢ଼ାଉ ଦେଖି ଟଙ୍କା ବିଡ଼ା ପ୍ୟାକେଟ୍ ପଡ଼ୋଶୀଙ୍କ ଛାତକୁ ଫୋପାଡ଼ି ଦେଲେ ଅତିରିକ୍ତ ଜିଲ୍ଲାପାଳ ବାବୁ । ଆଉ ଟଙ୍କା ସବୁ ଗୋଟାଇ ଭିଜିଲାନ୍ସ ଗଣିବା ବେଳକୁ ଏହା ତିନି କୋଟି ପାର୍ ହୋଇସାରିଥିଲା । ସରକାରୀ ଅଧିକାରୀ କେତେ ମାତ୍ରାରେ ଦୁର୍ନୀତି କରିପାରନ୍ତି,ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ।

    ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଭୁବନେଶ୍ବର କାନନବିହାରସ୍ଥିତ ଦୁଇତାଲା ବଙ୍ଗଳା, ନବରଙ୍ଗପୁରସ୍ଥିତ ବାସଭବନ, ନବରଙ୍ଗପୁରସ୍ଥିତ ସରକାରୀ କାର୍ଯ୍ୟାଳୟ, ଭଦ୍ରକସ୍ଥିତ ପୈତୃକ ଗାଁ ଠାରେ ଏହି ଚଢ଼ାଉ କରାଯାଇଛି । ଏହାକୁ ଛାଡ଼ି ଅନ୍ୟ ୫ଟି ସ୍ଥାନରେ ବି ଚଢ଼ାଉ ହୋଇଛି । ତେବେ ଶ୍ରୀ ରାଉତ ଭୁବନେଶ୍ଵର କାନନବିହାରସ୍ଥିତ ନିଜ ଘରେ କାଗଜ ପେଟି ଭିତରେ ପାଞ୍ଚ ଶହ ଟଙ୍କିଆ ନୋଟ୍ ବିଡ଼ା ସବୁ ଲୁଚାଇ ରଖିଥିଲେ । ୬ଟି ପେଟିରେ ୨ କୋଟି ୨୫ ଲକ୍ଷ ଟଙ୍କା ରଖା ହୋଇଥିଲା ।

    ଭିଜିଲାନ୍ସ ଚଢ଼ାଉ ହେବା ଜାଣିବା ପରେ ଶ୍ରୀ ରାଉତ ଏହି ଟଙ୍କା ପେଟି ନିଜ ପଡ଼ୋଶୀଙ୍କ ଛାତକୁ ଫୋପାଡ଼ି ଦେଇଥିଲେ । ହେଲେ ତଳେ ଥିବା ଭିଜିଲାନ୍ସ ଅଧିକାରୀ ଓ ଟିମ୍ ଏହାକୁ ଦେଖି ନେଇଥିଲେ । ତୁରନ୍ତ ପଡ଼ୋଶୀଙ୍କ ଛାତକୁ ଯାଇ ଏହି ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଆବଶ୍ୟକସ୍ଥଳେ ପଡ଼ୋଶୀଙ୍କ ଘରେ ଆହୁରି ଯାଞ୍ଚ ହେବ ବୋଲି ଜଣାପଡ଼ିଛି । ସେହିପରି ଶ୍ରୀ ରାଉତଙ୍କ ନବରଙ୍ଗପୁରସ୍ଥିତ ଘରୁ ବି ନଗଦ ୭୭ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ସେଠାରେ ବି ରାଉତ ବାବୁ ନଗଦ ଟଙ୍କା ଲୁଚାଇ ରଖୁଥିଲେ । ଟଙ୍କାକୁ ଛାଡ଼ିଦେଲେ ଘରୁ ସୁନା ବିସ୍କୁଟ,ବିପୁଳ ପରିମାଣର ସୁନା ଅଳଙ୍କାର ଜବତ ହୋଇଛି ।

    WATCH VIDEO:

  • ଜମ୍ମୁକାଶ୍ମୀର: ଅନୁପ୍ରବେଶ ଉଦ୍ୟମ କରି ୪ ଆତଙ୍କବାଦୀ ସଫା

    ଜମ୍ମୁକାଶ୍ମୀର: ଅନୁପ୍ରବେଶ ଉଦ୍ୟମ କରି ୪ ଆତଙ୍କବାଦୀ ସଫା

    ପାକିସ୍ତାନ ଅଧିକୃତ କାଶ୍ମୀର ପଟୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଜମ୍ମୁ ଓ କଶ୍ମୀରର କୁପ୍‌ୱାଡ଼ା ଜିଲ୍ଲା ଅନ୍ତର୍ଗତ ମଚ୍ଛଲ୍‌ ସେକ୍ଟର୍‌ରେ ଏନକାଉଣ୍ଟର ହୋଇଥିବା ପୋଲିସ କହିଛି । ପୋଲିସ ଓ ଭାରତୀୟ ସେନାର ମିଳିତ ଅଭିଯାନରେ ଆତଙ୍କବାଦୀମାନଙ୍କୁ ନିପାତ କରାଯାଇଛି ।

    ଯବାନ ଏବଂ ପୋଲିସର ମିଳିତ ଅଭିଯାନ ଜାରି ଥିବାବେଳେ କୁପୱାଡାର ମଚ୍ଛଲ୍‌ ସେକ୍ଟର ଅନ୍ତର୍ଗତ କାଲା ଜଙ୍ଗଲରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଗୁଳି ବିନିମୟରେ ୪ ଆତଙ୍କବାଦୀଙ୍କ ଜୀବନ ଯାଇଛି । ସେମାନେ ପାକିସ୍ତାନ ଅଧିକୃତ କଶ୍ମୀର ପଟୁ ଭାରତୀୟ ସୀମାକୁ ଅନୁପ୍ରବେଶ ଲାଗି ଉଦ୍ୟମ କରୁଥିଲେ । ଘଟଣା ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କାଶ୍ମୀର ଜୋନ୍‌ ପୋଲିସ । ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ଭାରତୀୟ ସେନା ।

    ଗତ ସପ୍ତାହରେ ମଧ୍ୟ କୁପୱାଡା ଜିଲ୍ଲା ଅନ୍ତର୍ଗତ ଜୁମାଗୁଣ୍ଡ କେରାନ୍‌ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରିଥିଲେ । ହେଲେ ସେନା ଓ ପୋଲିସର ମିଳିତ ଅଭିଯାନ ସେମାନଙ୍କ ରାସ୍ତା ରୋକିଥିଲା । ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର କରିଥିଲେ ଭାରତୀୟ ସେନା । ସେମାନଙ୍କ ଗୁଳିରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

  • ଯାଜପୁର: ମହାବୀର ମଠଛନ୍ଦା ଘାଟରେ ବୁଡ଼ିଯାଇ ଯୁବକଙ୍କ ମୃତ୍ୟୁ

    ଯାଜପୁର: ମହାବୀର ମଠଛନ୍ଦା ଘାଟରେ ବୁଡ଼ିଯାଇ ଯୁବକଙ୍କ ମୃତ୍ୟୁ

    ଯାଜପୁର ସଦର ଥାନା ବୁଢ଼ାନଦୀର ମହାବୀର ମଠଛନ୍ଦା ଘାଟରେ ଅଘଟଣ । ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ଯୁବକ । ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତଦେହ ।

    ଘାଟରେ ଗାଧୋଇବା ହେଲା କାଳ । ଗାଧୋଇବାକୁ ଯାଇ ଜୀବନ ହାରିଲେ ରାଜେଶ ମିଶ୍ର । ଯାଜପୁର ବ୍ଳକ୍ ଜାହାନପୁର ପଞ୍ଚାୟତ ଶଙ୍ଖନାଳୀ ଗାଁର ରାଜେଶଙ୍କ ମୃତ୍ୟୁ । ମହାବୀର ମଠଛନ୍ଦା ଘାଟରେ ଅଧିକ ଗଭୀର ଥିବାରୁ ଗାଧୋଇବା ବେଳେ ଯୁବକଙ୍କ ଗୋଡ଼ ଖସିଯାଇଥିଲା । ଶେଷରେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଯାଜପୁର ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ପରେ ଉଦ୍ଧାର ହୋଇଛି ମୃତଦେହ । ସଦର ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

    ସେପଟେ,ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ନଦୀରୁ ବାରମ୍ବାର ବାଲି ଚାଲାଣ ହେଉଥିବାରୁ ଘାଟ ଅଞ୍ଚଳରେ ଗଭୀର ଅଧିକ ରହିଛି । ଲୋକେ ଗାଧୋଇବା ବେଳେ ସାମାନ୍ୟ ଗୋଡ଼ ଖସିଗଲେ ମୃତ୍ୟୁ ନିଶ୍ଚିତ ବୋଲି ଅଭିଯୋଗ ହୋଇଛି । ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ କୌଣସି ପଦକ୍ଷେପ ନିଆଯାଉନଥିବା କହିଛନ୍ତି ସ୍ଥାନୀୟ ଲୋକେ ।

  • ଆମେରିକା: ‘ଟାଇଟନିକ’ର ଅବଶେଷ ଦେଖିବାକୁ ଯାଇ ‘ଟାଇଟନ୍’ର ୫ ମୃତ

    ଆମେରିକା: ‘ଟାଇଟନିକ’ର ଅବଶେଷ ଦେଖିବାକୁ ଯାଇ ‘ଟାଇଟନ୍’ର ୫ ମୃତ

    ଶେଷରେ ବୁଡ଼ାଜାହାଜ ‘ଟାଇଟନ’ରେ ଯାତ୍ରା କରିଥିବା ୫ ଜଣଙ୍କ ମୃତ୍ୟୁ ଘଟିଛି । ୫ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ଆମେରିକା ତଟରକ୍ଷୀ ବାହିନୀ ।
    ଓସେନ୍‌ ଗେଟ୍‌ ଏକ୍ସପିଡିସନ୍‌ ଦ୍ବାରା ପରିଚାଳିତ ବୁଡ଼ାଜାହାଜ ଟାଇଟନ୍‌ ଆଟ୍‌ଲାଣ୍ଟିକ୍‌ ମହାସାଗରରେ ଭିତର ଆଡ଼କୁ ସଙ୍କୁଚିତ ହୋଇ ନଷ୍ଟ ହୋଇଯାଇଛି । ସେଥିରେ ଥିବା ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଦେଇଛି ଆମେରିକା ତଟରକ୍ଷୀ ବାହିନୀ ।

    https://twitter.com/i/status/1671997471415730176

    ଗତକାଲି ରିମୋଟ୍‌ ନିୟନ୍ତ୍ରିତ ଯାନରେ ପାଣି ଭିତରେ ଠାବ କରାଯାଇଥିବା ଉକ୍ତ ବୁଡ଼ାଜାହାଜର ଭଗ୍ନାବଶେଷକୁ ପରୀକ୍ଷା କରିବା ପରେ ଆମେରିକା ତଟରକ୍ଷୀ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି । ଗତକାଲି ସମସ୍ତଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି ।

    ୧୯୧୨ରେ ଆଟଲାଣ୍ଟିକ୍‌ ମହାସାଗରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯାଇଥିଲା ‘ଟାଇଟାନିକ୍‌’ ଜାହାଜ । ଏହାର ଅବଶେଷ ଦେଖିବା ପାଇଁ କ୍ଷୁଦ୍ର ବୁଡ଼ାଜାହାଜ ‘ଟାଇଟନ୍‌’ରେ ଯାଇଥିଲେ ୫ ଜଣ ।

    ସେମାନଙ୍କ ମଧ୍ୟରେ ଥିଲେ ଇଂଲଣ୍ଡ‌ର ୫୮ ବର୍ଷିୟ ହାମିସ୍‌ ହାର୍ଡିଂ, ଫ୍ରାନ୍ସର ୭୭ ବର୍ଷିୟ ପଲ୍‌-ହେନ୍‌ରି ନାର୍ଜିଓଲେଟ୍‌ । ଓସେନ୍‌ଗେଟ୍‌ ମାଲିକାନାରେ ଥିବା ଇଭ୍‌ରେଟ୍‌’ର ମୁଖ୍ୟ ୬୧ ବର୍ଷିୟ ଏକ୍‌ଜିକ୍ୟୁଟିଭ୍‌ ଅଫିସର ଷ୍ଟକ୍‌ଟନ୍‌ ରସ୍‌ ଏବଂ ପାକିସ୍ତାନର ୪୮ ବର୍ଷିୟ ଶାହଜାଦ୍‌ ଦାଉଦ୍ ଓ ତାଙ୍କର ୧୯ ବର୍ଷିୟ ପୁଅ ସୁଲେମାନ୍‌ ।

    ଜୁନ୍ ୧୮ରେ ଯାତ୍ରା ଆରମ୍ଭ କରିଥିଲା ଟାଇଟନ୍ । କାର୍ବନ୍‌ ଫାଇବର୍‌ ଓ ଟାଇଟନିୟମ୍‌ରେ ନିର୍ମିତ ୬.୭ ମିଟର୍‌ ଲମ୍ବ କ୍ଷୁଦ୍ର ବୁଡ଼ାଜାହାଜ ଟାଇଟନ୍‌ରେ ଜଣେ ଚାଳକଙ୍କ ସମେତ ୪ ଜଣ ଯାତ୍ରୀ ଯିବା ଭଳି ବ୍ୟବସ୍ଥା ଥିଲା ।

    ଏହି ବୁଡ଼ାଜାହାଜ ସମୁଦ୍ର ଗର୍ଭର ସର୍ବାଧିକ ୧୩ ହଜାର ୧୨୦ ଫୁଟ୍‌ ତଳକୁ ଯାଇପାରିବାର କ୍ଷମତା ରଖିଥିଲା । ୫ ଜଣଙ୍କ ପାଇଁ ଥିଲା ୪ ଦିନର ଅକ୍ସିଜେନ୍ । ଯାତ୍ରା ଆରମ୍ଭ କରିବାର ପ୍ରାୟ ୧ ଘଣ୍ଟା ୪୫ ମିନିଟ୍‌ ପରେ ଟାଇଟନ୍‌ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

  • ଆହାର ପାଇଁ ୨୦ କୋଟି, ବାହାନଗା ହାଇସ୍କୁଲ ପାଇଁ ୨.୪୯ କୋଟି ମଞ୍ଜୁରୀ

    ଆହାର ପାଇଁ ୨୦ କୋଟି, ବାହାନଗା ହାଇସ୍କୁଲ ପାଇଁ ୨.୪୯ କୋଟି ମଞ୍ଜୁରୀ

    ରାଜ୍ୟ ଆହାର ସୋସାଇଟି ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ରାଜ୍ୟରେ ଥିବା ଆହାର କେନ୍ ଗୁଡ଼ିକର ପରିଚାଳନା ପାଇଁ ଗଠିତ ରାଜ୍ୟସ୍ତରୀୟ ଆହାର କମିଟି ପାଇଁ ଏହି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

    ଏହି ଅର୍ଥ ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର ହୋଇଛି । ୨୦୧୫-୧୬ରୁ ୨୦୨୧-୨୨ ଯାଏ ଆହାର କାର୍ଯ୍ୟକ୍ରମ ପାଇଁ ସିଏମଙ୍କ ରିଲିଫ ପାଣ୍ଠିରୁ ୨୨୮.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା ।

    ସହରରେ ଥିବା ବିଭିନ୍ନ ହସ୍ପିଟାଲ,ବସଷ୍ଟାଣ୍ଡ ଏବଂ ଅନ୍ୟାନ୍ୟ ଗହଳି ସ୍ଥାନରେ ଜରୁରୀ କାର୍ଯ୍ୟ ପାଇଁ ଯାଇଥିବା ଗରିବ ଲୋକେ ମାତ୍ର ୫ ଟଙ୍କାରେ ସୁଷମ ଓ ସ୍ଵାସ୍ଥ୍ୟପ୍ରଦ ଆହାର ପାଇପାରୁଛନ୍ତି । ତେଣୁ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଛି ।

    ସେପଟେ, 5T ଯୋଜନା ଅଧୀନରେ ବାହାନଗା ହାଇସ୍କୁଲର ପୁନଃନିର୍ମାଣ ହେବ । ଏଥିପାଇଁ ୨ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ୨ ତାରିଖରେ ବାହାନଗା ରେଳ ଷ୍ଟେସନରେ ଭୟାବହ ରେଳ ଦୁର୍ଘଟଣା ଘଟିଥିଲା ।

    ସ୍ଥାନୀୟ ଲୋକେ ଏବଂ ବାହାନଗା ହାଇସ୍କୁଲ ଶିକ୍ଷକଶିକ୍ଷୟତ୍ରୀମାନେ ଉଦ୍ଧାର ଏବଂ ସେବା କାର୍ଯ୍ୟରେ ସାହାଯ୍ୟ ସହଯୋଗର ହାତ ବଢ଼ାଇଥିଲେ ।ସେମାନଙ୍କ ମହତ୍ ଯୋଗଦାନକୁ ଉତ୍ସାହିତ କରିବା ପାଇଁ ବାହାନଗା ହାଇସ୍କୁଲକୁ 5T କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ନବୀନ । ତାଙ୍କ ନିର୍ଦ୍ଦେଶକ୍ରମେ 5T ସଚିବ ଭି.କେ.ପାଣ୍ଡିଆନ ବାହାନଗା ହାଇସ୍କୁଲର ଛାତ୍ରଛାତ୍ରୀ,ଶିକ୍ଷକଶିକ୍ଷୟିତ୍ରୀ, ଲୋକପ୍ରତିନିଧି,ସ୍କୁଲ ପରିଚାଳନା କମିଟି ତଥା ଜିଲ୍ଲାପାଳଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ ।

    ବାହାନଗା ହାଇସ୍କୁଲରେ ଶହଶହ ଶବ ରଖାଯାଇଥିଲା । ରେଳ ଦୁର୍ଘଟଣା ପରଠାରୁ ବାହାନଗାବାସୀ ସବୁ ପ୍ରକାର ସାହାଯ୍ୟର ହାତ ବଢ଼ାଇଛନ୍ତି । ତେଣୁ ହାଇସ୍କୁଲର ପୁନଃ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

  • ସମ୍ବଲପୁର: ଲାଞ୍ଚ ନେଇ ଧରାପଡ଼ିଲେ ମାନେଶ୍ୱର ବ୍ଲକ୍‌ କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁ

    ସମ୍ବଲପୁର: ଲାଞ୍ଚ ନେଇ ଧରାପଡ଼ିଲେ ମାନେଶ୍ୱର ବ୍ଲକ୍‌ କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁ

    ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଲାଞ୍ଚ ନେଇ ଗିରଫ ହୋଇଛନ୍ତି ସମ୍ବଲପୁର ମାନେଶ୍ବର ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁ । ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି ଜେଇ ।

    ସୂଚନା ଅନୁସାରେ କିଛି ଦିନ ହେଲା ବତେମୁରା ଓ ବରଗାଁ ପଞ୍ଚାୟତ ଦାୟିତ୍ବ ନେଇଛନ୍ତି କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁ । ଏହାପୂର୍ବରୁ ବଦୁଆପାଲି ପଞ୍ଚାୟତ ଦାୟିତ୍ବରେ ଥିଲେ ଜେଇ । ଅନ୍ତାପାଲିରୁ ବଦୁଆପାଲି ରାସ୍ତା ନିର୍ମାଣ ପାଇଁ ମଞ୍ଜୁର ହୋଇଥିଲା ୫ ଲକ୍ଷ ଟଙ୍କା । ବିଲ୍‌ ପାସ୍ କରିବାକୁ ଗାଁ ସାଥୀ ଦୟାନିଧି ଭୋଇ, ବାରମ୍ବାର କନିଷ୍ଠ ଯନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ସେପଟେ କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ ବିଲ୍‌ ପାସ୍ ନକରି ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଜେଇ । ଶେଷରେ ଅନ୍ୟ ଉପାୟ ନପାଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ଗାଁ ସାଥୀ ଦୟାନିଧି ।

    ଜେଇ ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାରେ ଥିବା ଘର ସମେତ ୩ଟି ଜାଗା‌ରେ ରେଜ୍ କରିଥିଲା ଟିମ୍ । ସମ୍ବଲପୁର କୁଲୁଥକାନିସ୍ଥିତ ବାସଭବନ,ଗୋବିନ୍ଦତୋଲାରେ ଥିବା ଭଡ଼ାଘର, ସପିଂ ମଲ୍ ଓ ଅନୁଗୁଳ ଜିଲ୍ଲା ଡେରେଙ୍ଗ ଥାନା ବୋଲଗଣ୍ଠିଆନାଳିରେ ଥିବା ଶ୍ୱଶୁର ଘରେ ଯାଞ୍ଚ କରିଥିଲା ଭିଜିଲାନ୍ସ ବିଭାଗ ।

  • ବାହାନଗା ରେଳ ଦୁର୍ଘଟଣା ପାଇଁ ଦାୟୀ କିଏ ? ଦୋଷୀକୁ ଧରିବାକୁ ଚାଲିଛି ଖୋଳତାଡ଼

    ବାହାନଗା ରେଳ ଦୁର୍ଘଟଣା ପାଇଁ ଦାୟୀ କିଏ ? ଦୋଷୀକୁ ଧରିବାକୁ ଚାଲିଛି ଖୋଳତାଡ଼

    ବାହାନଗା ରେଳ ଦୁର୍ଘଟଣାର ପ୍ରକୃତ ଦୋଷୀ କିଏ । ଘଟଣାର ଖୋଳତାଡ଼ ଜାରି ରଖିଛି CBI ଟିମ୍ । ଶହ ଶହ ଯାତ୍ରୀଙ୍କ ମୃତ୍ୟୁ ପରେ କାରଣ ଖୋଜୁଛି CBI ।

    ଜୁନ୍ ୨ ତାରିଖରେ ବାହାନଗା ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ । ତେବେ ଏଥିପାଇଁ ଦାୟୀ କିଏ । କିଏ ପ୍ରକୃତ ଦୋଷୀ । ପ୍ରକୃତ କାରଣ କଣ ସେ ନେଇ ତଦନ୍ତ ଜାରି ରଖିଛି CBI ଟିମ୍ । ସେ ଦିନ ବାହାନଗା ସିଗ୍ନାଲ ଦାୟିତ୍ୱରେ ଥିଲେ ରେଲୱେ ସେକ୍ସନ ଜେଇ ଅମିର ଖାନ । ସେଥିପାଇଁ ତାଙ୍କ ଘରେ ଖୋଳତାଡ଼ କରିଛି CBI ।

    ସୋର କମରପୁର ଠାରେ ଥିବା ଭଡ଼ା ଘରେ ଅମିର ଖାନଙ୍କୁ ୬ ଘଣ୍ଟା ପଚରାଉଚୁରା କରିଛି ଟିମ୍ । ଏଥିସହ ଘରେ ଥିବା କାଗଜପତ୍ର ଅନ୍ୟାନ୍ୟ ଦସ୍ତାବିଜ ମଧ୍ୟ ଯାଞ୍ଚ ହୋଇଛି । ଘର ସିଲ୍ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି CBI ଟିମ୍ । ତେବେ ତଦନ୍ତ ନେଇ କୌଣସି ତଥ୍ୟ ମିଡିଆ ଆଗରେ ପ୍ରକାଶ କରିନାହାଁନ୍ତି ଅଧିକାରୀ ।


    ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି । ଘଟଣାରେ ୧୨ ଶହରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଏବେ ବି କିଛି ଲୋକ ଚିକିତ୍ସିତ ହେଉଛନ୍ତି ।

  • ରାଜନଗର: ବାସନ ମାଜୁଥିବା ବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର

    ରାଜନଗର: ବାସନ ମାଜୁଥିବା ବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର

    ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ହାତିଆଗଡ଼ି ଗାଁରେ ଅଭାବନୀୟ ଘଟଣା । କୁମ୍ଭୀର ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ମୃତ ମହିଳା ୪୫ ବର୍ଷୀୟ ସୀତାରାଣୀ ଦାସ । ପୋଖରୀରେ ବାସନ ମାଜୁଥିବା ବେଳେ ତାଙ୍କୁ ଟାଣି ନେଇଥିଲା କୁମ୍ଭୀର । କେନାଲରେ ଥିବା ଦଳ ଭିତରୁ ମିଳିଲା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ।

    ଆଜି ଅପରାହ୍ଣ ୨ଟା ବେଳେ ଘର ପଛପଟରେ ଥିବା ପୋଖରୀରେ ବାସନ ମାଜୁଥିଲେ ସୀତାରାଣୀ ଦାସ । ହାଠତ୍ ଏକ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା । ସେ ଚିତ୍କାର କରିଥିଲେ ସୁଦ୍ଧା ଆକ୍ରମଣରୁ ବର୍ତ୍ତିପାରି ନଥିଲେ । ଚଡ଼ଦିଆ କେନାଲରେ ଥିବା ଦଳ ଭିତରେ ମହିଳାଙ୍କୁ ରଖିଥିଲା । ରାଜନଗର ବନବିଭାଗ ଓ ଅଗ୍ନିଶମ ବାହିନୀ ଜେସିବି ସାହାଯ୍ୟରେ କେନାଲ ଦଳ ସଫା କରିଥିଲେ । ଆଉ ଶେଷରେ ଉଦ୍ଧାର ହୋଇଥିଲା ମହିଳାଙ୍କ ମୃତଦେହ ।

    ଘଟଣାକୁ ନେଇ ରାଜନଗର ଭିତରକନିକା ରାସ୍ତା ହାତିଆଗଡ଼ି ନିକଟରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ଉତ୍ତ୍ୟକ୍ତ ଲୋକେ । କ୍ଷତିପୂରଣ ପ୍ରଦାନ ସହ ସମସ୍ୟାର ସମାଧାନ ପାଇଁ ସେମାନେ ଦାବି କରିଥିଲେ । ତହସିଲଦାର ପହଞ୍ଚି ବୁଝାସୁଝା କରିବା ପରେ ହଟିଥିଲା ରାସ୍ତାରୋକ । ଗତ ୧୪ ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକ୍ ନିମପୁର ଗାଁରୁ ଜଣେ ନାବାଳକକୁ କୁମ୍ଭୀର ଟାଣିନେଇ ମାରି ଦେଇଥିଲା । ରାଜନଗର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କୁମ୍ଭୀର ଆକ୍ରମଣ ଘଟଣା ବାରମ୍ବାର ଘଟୁଥିବା ବେଳେ ପ୍ରଶାସନର ନିରବତା ନେଇ ଉଠିଛି ପ୍ରଶ୍ନ ।

  • ମୁହଁ ଖୋଲିଲେ ରାମାୟଣର ‘ସୀତା’

    ମୁହଁ ଖୋଲିଲେ ରାମାୟଣର ‘ସୀତା’

    
    
    
    
    

    ବାହୁବଳୀ ପ୍ରଭାସଙ୍କ ଅଭିନିତ ଫିଲ୍ମ ‘ଆଦିପୁରୁଷ’ ରିଲିଜ ପରେ ବିଭିନ୍ନ ମହଲରେ ସମଲୋଚନା ହେବାକୁ ପଡିଛି । ଏହି ଫିଲ୍ମ କୁ ନେଇ ଭିନ୍ନ ଭନ୍ନ ମତ ସାମ୍ନାକୁ ଆସୁଛି ଏମିତିକି ତର୍କ ବିତର୍କ ମଧ୍ୟ ଚାଲିଛି । ଏଭଳି ପରିସ୍ଥିତିରେ ରାମାୟଣର ‘ସୀତା’ ଅର୍ଥାତ୍ ଦୀପିକା ଚିଖଲିଆ ବର୍ତ୍ତମାନ ଏହା ଉପରେ ନୀରବତା ଭାଙ୍ଗିଛନ୍ତି ଏବଂ କହିଛନ୍ତି ଯେ ଯଦି ହିନ୍ଦୁ ମହାକାବ୍ୟକୁ ସଠିକ ରୁପାନ୍ତରି କରଣ କରାନଯାଏ ତେବେ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିବ।ଦଶନ୍ଧି ପୂର୍ବରୁ ଦୀପିକା ଚିଖଲିଆ ରାମାନନ୍ଦ ସାଗରଙ୍କ ରାମାୟଣରେ ‘ସୀତା’ର ଭୂମିକାରେ ଅଭିନୟ କରି ପ୍ରତ୍ୟେକ ହୃଦୟରେ ସ୍ଥାନ ପାଇଥିଲେ। ଲୋକମାନେ ତାଙ୍କୁ ପ୍ରକୃତ ମାତା ସୀତା ଭାବରେ ପୂଜା କରିବା ଆରମ୍ଭ କରିଥିଲେ ।

    ଅନ୍ୟପକ୍ଷରେ, ‘ରାମାୟଣ’ର’ ସୀତା ‘ବର୍ତ୍ତମାନ ଓମ ରାଉତଙ୍କ ନିର୍ଦ୍ଦେଶିତ’ ଆଦିପୁରୁଷ’ ବିବାଦକୁ ନେଇ ନୀରବତା ଭଙ୍ଗ କରିଛନ୍ତି । ଏବେ ଏବେ ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ନିକଟରେ ମୁକ୍ତିଲାଭ କରିଥିବା ପ୍ରଭାସ ଏବଂ କ୍ରିତି ସାନନ୍-ଷ୍ଟାରର୍ ଫିଲ୍ମ ‘ଆଦିପୁରୁଷ’ ହିନ୍ଦୁ ମହାକାବ୍ୟ ସହିତ କୌଣସି ପ୍ରକାର ଭୁଲ ତତ୍ୱ କୁ ପ୍ରଦର୍ଶନ କରାଯାଏ ତେବେ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିବ ।ଦୀପିକା ଏହା ମଧ୍ୟ କହିଛନ୍ତି ଯେ ହିନ୍ଦୁ ମହାକାବ୍ୟ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ନୁହେଁ ଏବଂ ଚଳଚ୍ଚିତ୍ର ନିର୍ମାତାମାନେ ପ୍ରତି ବର୍ଷରେ ନୂତନ ପରିବର୍ତ୍ତନ ଆଣିବା ଠାରୁ ଦୂରେଇ ରହିବା ଉଚିତ୍। ଆଦିପୁରୁଷ ହେଉଛି ରାମାୟଣର ଏକ ବହୁଭାଷୀ ରିଟେଲିଂ ।

    ଏହାର ସଂଳାପ, କଥାବାର୍ତ୍ତା ଭାଷା ଏବଂ ହିନ୍ଦୁ ମହାକାବ୍ୟର କିଛି ଚରିତ୍ରର ଭୁଲ ବ୍ୟାଖ୍ୟା ପାଇଁ ଏହାକୁ ସମାଲୋଚନା କରାଯାଇଛି । ଦୀପିକା ଚିଖଲିଆ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି, ଟିଭି କିମ୍ବା ଚଳଚ୍ଚିତ୍ର ହେଉ ପ୍ରତ୍ୟେକ ଥର ଏହା ପରଦାକୁ ଆସିବ, ଏଥିରେ କିଛି ଜିନିଷ ଆସିବ ଯାହା ଲୋକଙ୍କୁ ଆଘାତ ଦେବ କାରଣ ଆପଣ ରାମାୟଣର ପ୍ରତିକୃତି ତିଆରି କରିବାକୁ ଯାଉ ନାହାଁନ୍ତି ଯିଏ ଆମକୁ ଗଢ଼ିଥିଲା ମୋତେ ଅଧିକ ଦୁଃଖ ଏଥିପାଇଁ ହେଉଛି ଯେ କାହିଁକି ଆମେ ପ୍ରତିବର୍ଷ ରାମାୟଣ କରିବାକୁ ଚେଷ୍ଟା କରୁଛୁ? ରାମାୟଣ ମନୋରଞ୍ଜନ ପାଇଁ ନୁହେଁ । ଇଏ ଏପରି ଯାହା ଆପଣ କିଛି ଶିଖନ୍ତି । ଏହା ଏଭଳି ଏକ ପୁସ୍ତକ, ଯାହାକି ପିଢ଼ି ପିଢ଼ି ଧରି ଚାଲିଆସୁଛି ଏବଂ ଏ ହେଉଛି ଆମର ସଂସ୍କାର (ମୂଲ୍ୟ) । ଏଠି ଆମେ ଆପଣଙ୍କୁ କହିରଖୁ ଯେ ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଆଦିପୁରୁଷ’ ରାମାୟଣର ଏକ ବହୁଭାଷୀ ରିଟେଲିଂ ଅଟେ। ପ୍ରକାଶ ଥାଉକି, ପ୍ରଭାସ ଏବଂ କ୍ରିତି ସାନନଙ୍କ ଏହି ଚଳଚ୍ଚିତ୍ର ରିଲିଜ ହେବା ପରଠାରୁ ବିବାଦରେ ଛନ୍ଦି ହୋଇପଡ଼ିଛି । ଏହାର ସଂଳାପ, କଥାବାର୍ତ୍ତା ଭାଷା ଏବଂ ହିନ୍ଦୁ ମହାକାବ୍ୟର କିଛି ଚରିତ୍ରର ଭୁଲ ବ୍ୟାଖ୍ୟା ପାଇଁ ଏହା ସମାଲୋଚନାର ଶିକାର ହୋଇଛି । ଏପରିକି ଏହାକୁ ବ୍ୟାନ କରିବାକୁ ମଧ୍ୟ ଦାବି ଜୋର ଧରିଛି ।

  • ମୀରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ପ୍ରସ୍ତାବରେ ଚୀନ ପ୍ରତିବନ୍ଧକ

    ମୀରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ପ୍ରସ୍ତାବରେ ଚୀନ ପ୍ରତିବନ୍ଧକ

    ସବୁଥର ଭଳି ଏଥର ମଧ୍ୟ ଭାରତ ରାସ୍ତାରେ ପ୍ରତିବନ୍ଧକ ସାଜିଲା ଚୀନ । ମିଳିତ ଜାତିସଂଘରେ ଲସ୍କର-ଇ-ତାଏବା ସଦସ୍ୟ ସାଜିଦ ମୀରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଭାରତ ଓ ଆମେରିକା ମିଳିତ ଭାବେ ପ୍ରସ୍ତାବ ରଖିଥିଲେ । ହେଲେ ଏହି ପ୍ରସ୍ତାବ ଉପରେ ରୋକ୍ ଲଗାଇଛି ଚୀନ ।

    ୨୬/୧୧ ମୁମ୍ବାଇ ହମଲାରେ ସାଜିଦ ମୀର ମଧ୍ୟ ସାମିଲ ଥିଲା । ତେଣୁ ତା ବିରୋଧରେ ଆସିଥିବା ପ୍ରସ୍ତାବକୁ ଭିଟୋ କ୍ଷମତା ବଳରେ ଅଟକାଇ ଦେଇଛି ଚୀନ । ମୀର ବିରୋଧରେ ପ୍ରଥମେ ଆମେରିକା ପ୍ରସ୍ତାବ ଆଣିଥିବା ବେଳେ ସହଯୋଗୀ ରାଷ୍ଟ୍ର ଭାବେ ଭାରତ ଏହାକୁ ସମର୍ଥନ କରିଥିଲା । ଏହାଦ୍ୱାରା ମୀରର ସମସ୍ତ ସମ୍ପତ୍ତି ଜବତ ହୋଇଥାନ୍ତି । ଏଥିସହ ତା’ର ଯାତାୟାତରେ କଟକଣା ଲାଗିଥାଆନ୍ତା କିନ୍ତୁ ସବୁଥର ଭଳି ଏଥର ମଧ୍ୟ ଭାରତ ରାସ୍ତାରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି ବେଜିଂ ।

    ମିଳିତ ଜାତିସଂଘରେ ଭାରତର ଅଧିକାଂଶ ପ୍ରସ୍ତାବକୁ ଚୀନ ଓ ପାକିସ୍ତାନ ସର୍ବଦା ବିରୋଧ କରି ଆସୁଛନ୍ତି । ଗତବର୍ଷ ସେପ୍ଟେମ୍ବରରେ ଚୀନ, ମୀର ବିରୋଧୀ ପ୍ରସ୍ତାବ ଉପରେ ସ୍ଥଗିତାଦେଶ ଜାରି କରିଥିବା ବେଳେ ଏବେ ସମ୍ପୂର୍ଣ୍ଣ ଭାବେ ରୋକ୍ ଲଗାଇଛି । ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତାଲିକାରେ ମୀର ନାଁ ରହିଛି । ୨୬/୧୧ ମୁମ୍ବାଇ ଆକ୍ରମଣରେ ସେ ସାମିଲ ଥିଲା ।

    ତା’ମୁଣ୍ଡ ଉପରେ ୫ ମିଲିୟନ୍ ଡଲାରର ପୁରସ୍କାର ଘୋଷଣା ହୋଇଛି । ପୂର୍ବରୁ ଟେରର ଫଣ୍ଡିଂ ମାମଲାରେ ମୀରକୁ ୧୫ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ ପାକିସ୍ତାନର ଆତଙ୍କବାଦ ନିରୋଧ କୋର୍ଟ । ମୀର ପ୍ରାଣ ହରାଇଥିବା ନେଇ ପାକିସ୍ତାନ ଘୋଷଣା କରିବା ପରେ ପଶ୍ଚିମ ରାଷ୍ଟ୍ର ଗୁଡ଼ିକ ତାର ପ୍ରମାଣପତ୍ର ମାଗିଥିଲେ । ଯେଉଁଥିପାଇଁ ମିଛୁଆ ପାକିସ୍ତାନ ଅଡୁଆରେ ପଡ଼ିଥିଲା । ଏଥିରୁ ଖସିବା ପାଇଁ ଶେଷରେ ମୀର ଜେଲରେ ଥିବା ଖବର ପ୍ରକାଶ କରିଥିଲା ।