Category: ମୁଖ୍ୟ ଖବର

  • ମହାରାଷ୍ଟ୍ର: ଚକା ଫାଟି ଓଲଟିଲା ବସ୍, ଜଳିଗଲେ ୨୬ ଯାତ୍ରୀ

    ମହାରାଷ୍ଟ୍ର: ଚକା ଫାଟି ଓଲଟିଲା ବସ୍, ଜଳିଗଲେ ୨୬ ଯାତ୍ରୀ

    ମୁମ୍ବାଇର ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସ୍‌ୱେ’ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାରେ ଯାଉଥିବା ବସ୍‌ରେ ନିଆଁ ଲାଗିଯିବାରୁ ଅନେକ ଯାତ୍ରୀ ବସ୍ ଭିତରେ ହିଁ ଜଳିଯାଇଛନ୍ତି । ଅନେକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

    ସୂଚନା ଅନୁସାରେ ଗତକାଲି ଏକ ବସ୍ ଯବତମାଲ୍‌ରୁ ପୁନେ ଯାଉଥିବା ବେଳେ ରାତି ପ୍ରାୟ ୨ଟା ବେଳେ ବୁଲଢାଣା ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସ୍‌ରୁ ୨୫ଟି ଶବ ବାହାର କରାଯାଇଥିବା ବୁଲଢାଣା ଡେପୁଟି ପୋଲିସ କମିଶନର ବାବୁରାଓ ମହାମୁନି କହିଛନ୍ତି । ବସ୍‌ରେ ସମୁଦାୟ ୩୩ ଜଣ ଲୋକ ଥିବାବେଳେ ୮ ଜଣ ଗୁରୁତର ହୋଇ ବୁଲଢାଣା ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ସେଠାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି ।

    ଦୁର୍ଘଟଣାରୁ ବଞ୍ଚିଯାଇଥିବା ବସ୍ ଡ୍ରାଇଭରଙ୍କ କହିବାନୁସାରେ ବସର ଗୋଟାଏ ଟାୟାର୍‌ ଫାଟି ଓଲଟି ପଡ଼ିବାରୁ ସେଥିରେ ନିଆଁ ଲାଗିଯାଇଥିଲା । ଯାତ୍ରୀମାନେ ବସ୍ ଭିତରେ ହିଁ ଜଳିଗଲେ । ସେପଟେ ଟାୟାର୍‌ ଫାଟିଯିବାରୁ ଘରୋଇ ବସ୍‌ଟି ସିନ୍ଦଖେଡ଼ରାଜା ନିକଟରେ ରାସ୍ତା ଡିଭାଇଡର୍‌ ଆଡ଼କୁ ମାଡ଼ିଯାଇ ଓଲଟି ପଡ଼ିଥିଲା ବୋଲି ସ୍ଥାନୀୟ ପୋଲିସ ମଧ୍ୟ କହିଛି ।

    ଦୁର୍ଘଟଣାରେ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ମୃତ ବ୍ୟକ୍ତିମାନଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପାମୂଳକ ସହାୟତା ଘୋ‌ଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

    ଏଥିସହ ଘଟଣାର ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଘଟଣାସ୍ଥଳକୁ ଯିବେ ବୋଲି ସୂଚନା ମିଳିଛି । ସେପଟେ, ଏଭଳି ଘଟଣାକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • ୟୁପି: ମାଫିଆଙ୍କ ଜବତ ସମ୍ପତ୍ତିରେ ଗରିବଙ୍କ ପାଇଁ ଫ୍ଲାଟ୍ ନିର୍ମାଣ କଲେ ଯୋଗୀ

    ୟୁପି: ମାଫିଆଙ୍କ ଜବତ ସମ୍ପତ୍ତିରେ ଗରିବଙ୍କ ପାଇଁ ଫ୍ଲାଟ୍ ନିର୍ମାଣ କଲେ ଯୋଗୀ


    ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ ଅହମ୍ମଦର ହତ୍ୟା ପରେ ଏବେ ତାର ସମ୍ପତ୍ତି ଜବତ ହୋଇଛି । ତା ନାଁରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛନ୍ତି ରାଜ୍ୟ ସରକାର । ଜବରଦଖଲ ଜାଗାରେ କୋଠା ନିର୍ମାଣ କରି ଗରିବଙ୍କ ମଧ୍ୟରେ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

    ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଉ ଏକ ମହାନତା । ଗରିବଙ୍କୁ ଫ୍ଲାଟ ଯୋଗାଇ ବେଶ୍ ପ୍ରଶଂସିତ ହୋଇଛନ୍ତି ୟୁପି ସିଏମ୍ । ଏକ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କ ପାଇଁ ନିର୍ମିତ କୋଠା ଚାବି ପ୍ରଦାନ କରି ପ୍ରଶଂସା ସାଉଁଟିଛନ୍ତି ଯୋଗୀ । ହେଲେ ଆପଣ ଜାଣିଛନ୍ତି ଜମି କାହାର, ଆଉ ଘର ନିର୍ମାଣ କଲା କିଏ ।

    ଗରିବଙ୍କ ପାଇଁ ସାହାରା ବନିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ନିର୍ମିତ ହୋଇଛି ଆପାର୍ଟମେଣ୍ଟ । ୪୧ ସ୍କ୍ୱାର ମିଟର ବିଶିଷ୍ଟ ପ୍ରତି ଫ୍ଲାଟରେ ରହିଛି ୨ଟି ରୁମ୍, ଗୋଟିଏ ରୋଷେଇ ଗୃହ ସମେତ ଟଏଲଟ୍ ବ୍ୟବସ୍ଥା । ପ୍ରୟାଗରାଜ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ୬୦୦୦ ହିତାଧିକାରୀ ଆବେଦନ କରିଥିବା ବେଳେ ୧୫୯୦ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି ।

    ଲଟେରୀ ପ୍ରୋସେସରେ ଯୋଗ୍ୟ ଘୋଷଣା କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୭୬ଟି ଫ୍ଲାଟ୍ ଚାବି ପ୍ରଦାନ କରିଛନ୍ତି ଯୋଗୀ ଆଦିତ୍ୟନାଥ । ଗତ ଏପ୍ରିଲରେ ୟୁପି ଡନ୍ ଅତିକ ଅହମ୍ମଦର ହତ୍ୟା ହୋଇଥିଲା । ତା ନାଁରେ ଥିଲା ଅପର୍ଯ୍ୟାପ୍ତ ସମ୍ପତ୍ତି, ଅନେକ ଜବରଦଖଲ ଜମି ଆଉ କୋଠା । ଅତିକ’ର କୋଠା ଭାଙ୍ଗି ରାଜ୍ୟ ସରକାର ନିର୍ମାଣ କରିଛନ୍ତି ନୂଆ ଫ୍ଲାଟ୍ ଯାହା ଗରିବଙ୍କ ମଧ୍ୟରେ ବଣ୍ଟାଯାଇଛି ।

    ଉତ୍ତରପ୍ରଦେଶରେ ହିଂସାରେ ଲାଗିଛି ବ୍ରେକ୍, ରାଜ୍ୟକୁ ଫେରିଛି ଶାନ୍ତି । ସବୁଠି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୟଗାନ । ଧୀରେ ଧୀରେ ମାଫିଆଙ୍କ ମୂଳପୋଛ ହେଉଛି । ସରକାରଙ୍କ ଚାପ, ପୋଲିସର କାର୍ଯ୍ୟାନୁଷ୍ଠାନ ଆଗରେ ହାର୍ ମାନୁଛନ୍ତି ମାଫିଆ । ଉତ୍ତରପ୍ରଦେଶ ସେହି ରାଜ୍ୟ ଯେଉଁଠି ଚାଲିଥିଲା ଗୁଣ୍ଡାରାଜ । ୨୦୧୭ ପୂର୍ବରୁ ଚାଲିଥିଲା ମାଫିଆଙ୍କ ଦାଦାଗିରି । ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ ଅହମ୍ମଦର ରାଜ୍ ଚାଲିଥିଲା । କେଉଁଠି ଆକ୍ରମଣ ତ ଆଉ କେଉଁଠି ହତ୍ୟା । ଗରିବ, ଶିଳ୍ପପତି, ପୁଞ୍ଜିପତି ଏବଂ ସରକାରୀ ଜମି ଜବରଦଖଲ କରିଥିଲା ଅତିକ ।

    ଧମକ ଦେଇ ଅବା ହତ୍ୟା କରି ବେଆଇନ୍ ଭାବେ ସମସ୍ତଙ୍କ ଜମି ନିଜ ନାଁରେ କରିଥିଲା ଗ୍ୟାଙ୍ଗଷ୍ଟର ଅତିକ । ଅତିକ, ତାର ଭାଇ ଓ ପୁଅର ଜୀବନ ଗଲା, ଏବେ ସମ୍ପତ୍ତି ବି ରହିଲାନି । ଆଜି ଉତ୍ତରପ୍ରଦେଶ ସ୍ଥିତି ବଦଳିଛି । ମାଫିଆଙ୍କ ଜବରଦଖଲ ଜମି, ସମ୍ପତ୍ତି ଏବେ ସରକାରଙ୍କ କବଜାରେ । ଲୋକଙ୍କ ମନରୁ ଦୂର ହୋଇଛି କୋକୁଆ ଭୟ, କାହିଁକିନା ୟୁପିରେ ଚାଲିଛି ଯୋଗୀ ରାଜ୍ । ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫ୍ଲାଟ୍ ଚାବି ପ୍ରଦାନ କରିବା ସହ ଉତ୍ତରପ୍ରଦେଶକୁ ମାଫିଆ ମୁକ୍ତ ରାଜ୍ୟ କରିବାକୁ ସଂକଳ୍ପ ନେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

  • କଲମା ବ୍ୟାରେଜରୁ ମହାନଦୀକୁ ଆସୁଛି ୧ ଲକ୍ଷ ୧୮ ହଜାର କ୍ୟୁସେକ ଜଳ

    କଲମା ବ୍ୟାରେଜରୁ ମହାନଦୀକୁ ଆସୁଛି ୧ ଲକ୍ଷ ୧୮ ହଜାର କ୍ୟୁସେକ ଜଳ

    ଛତିଗଡର ମନମୁଖି କାର୍ଯ୍ୟ। ବର୍ଷା ଆରମ୍ଭରୁ କଲମା ବ୍ୟାରେଜର ୬୪ଟି ଗେଟ୍ ଖୋଲି ଦେଇଛି ଛତିଶଗଡ଼ ସରକାର। ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଛି। ତେଣୁ କଲମା ବ୍ୟାରେଜ ଖୋଲି ଦିଆ ଯାଇଛି।

    ବ୍ୟାରେଜର ଏତେ ସଂଖ୍ୟକ ଗେଟ ଖୋଲିବା ଦ୍ୱାରା ସକାଳ ୯ଟା ସୁଦ୍ଧା ହୀରାକୁଦକୁ ୭୨ ହଜାର କ୍ୟୁସେକ୍ ଜଳ ପ୍ରବେଶ କରିଥିଲା ଓ ମଧ୍ୟାହ୍ନ ୧୨ ଟା ସୁଦ୍ଧା ହୀରାକୁଦ ଡ୍ୟାମକୁ ପ୍ରବେଶ କରିଥିଲା ୭୯ ହଜାର କ୍ୟୁସେକ୍ ଜଳ । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୩.୫୦ ଫୁଟ୍ ରହିଛି। କଲମା ବ୍ୟାରେଜ ଦେଇ ମହାନଦୀକୁ ପଶୁଛି ୧ ଲକ୍ଷ ୧୮ ହଜାର କ୍ୟୁସେକ ଜଳ।

    ପ୍ରତିବର୍ଷ ମୌସୁମୀ ଆସିଲେ ଛତିଶଗଡ଼ ଓଡିଶା ସହ ବିନା ବିଚାର ବିମର୍ଷରେ ଏମିତି ମନଇଛା କଲମା ବ୍ୟାରେଜର ଗେଟ ସବୁ ଖୋଲିଦିଏ ଫଳରେ ରାଜ୍ୟରେ ଏକାଧିକ ଥର ବନ୍ୟା ଆସିଥାଏ। ସେପଟେ ଅଣ ମୌସୁମୀ ସମୟରେ ବ୍ୟାରେଜର ସବୁ ଗେଟ୍‌ ବନ୍ଦ କରିଦିଏ। କିନ୍ତୁ ଏଥର ଅଣ ମୌସୁମୀ ସମୟରେ କଲମା ବ୍ୟାରେଜର ୬୪ ଗେଟ୍‌ ଖୋଲି ଦେଇଛି ଛତିଶଗଡ। ମହାନଦୀ ଟ୍ରିବ୍ୟୁନାଲ ଟିମର ଯାଞ୍ଚ ବେଳେ ଚାଲାକି ଦେଖାଇ କିଛି ଗେଟ୍ ଖୋଲି ଦେଇଥିଲା। ପରବର୍ତ୍ତୀ ସ୍ଥରରେ ତାକୁ ବନ୍ଦ କରିଥିଲା।

  • ଧୋଇଗଲା ଧବଳେଶ୍ବରର ଅସ୍ଥାୟୀ ପୋଲ

    ଧୋଇଗଲା ଧବଳେଶ୍ବରର ଅସ୍ଥାୟୀ ପୋଲ

    ଧୋଇଗଲା ଧବଳେଶ୍ୱର ମନ୍ଦିରକୁ ସଂଯୋଗ କରୁଥିବା ଅସ୍ଥାୟୀ ରାସ୍ତା। ମୌସୁମୀ ଆଗମନ ହେଉ ନ ହେଉଣୁ ବର୍ଷାରେ ମହାନଦୀରେ ପାଣି ଆସିଛି ଓ ଧୋଇ ନେଇଛି ଆଠଗଡ଼ ଧବଳେଶ୍ୱର ପୀଠକୁ ଯିବାକୁ ଥିବା ଅସ୍ଥାୟୀ ରାସ୍ତା। ଫଳରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ। କାରଣ ପୂର୍ବରୁ ଝୁଲା ପୋଲରେ ଫାଟ ସୃଷ୍ଟି ହେବା ପରଠାରୁ ତାକୁ ବନ୍ଦ କରି ଦେଇଛି ପ୍ରଶାସନ।

    ସାଧାରଣତଃ ମଞ୍ଚେଶ୍ୱର ନଦୀ ଘାଟରୁ ପାଇକରାପୁର ପଠା ଏବଂ ସେଠାରୁ ଧବଳେଶ୍ୱର ପଠାକୁ ସଂଯୋଗ କରୁଥିଲା ଅସ୍ଥାୟୀ ରାସ୍ତା। ଶ୍ରଦ୍ଧାଳୁ ମାନେ ଏହି ରାସ୍ତାରେ ବାବା ଧବଳେଶ୍ୱରଙ୍କର ଦର୍ଶନ ପାଇଁ ଯାତାୟତ କରୁଥିଲେ। କିନ୍ତୁ ମହାନଦୀରେ ବର୍ଷା ପାଣି ଆସିବାରୁ ସେହି ରାସ୍ତାକୁ ଧୋଇଯାଇଛି। ରାସ୍ତା ଧୋଇଯିବା ପରେ ଲୋକଙ୍କ ଭିତରେ ଦେଖା ଦେଇଥି ଅସନ୍ତୋଷ। ସ୍ଥାନୀୟ ଲୋକେ ଧବଳେଶ୍ବରଙ୍କ ଦର୍ଶନରୁ ହେବେ ବଞ୍ଚିତ।

    ଅକ୍ଟୋବର ୩୧ ତାରିଖରେ ଗୁଜରାଟର ମୋର୍ବି ନଦୀରେ ଥିବା ଝୁଲା ପୋଲ ଝିଣ୍ଡି ପଡିଥିଲା। ଏଥିରେ ୧୩୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଧବଳେଶ୍ବର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲରେ ଫାଟକୁ ନେଇ ଉଠିଥିଲା ତମ୍ବି ତୁଫାନ।ପୋଲକୁ ଷ୍ଟେ’ ଦିଆଯାଇଥିବା ୧୨ଟି ଟଣକାରେ ମଧ୍ୟ ଫାଟ ଦେଖାଯାଇଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ତରବରିଆ ଭାବେ ନଭେମ୍ବର ୧ ତାରିଖରୁ ଝୁଲା ପୋଲରେ ସର୍ବସାଧାରଣ ଯାତାୟାତକୁ ବନ୍ଦ କରି ଦେଇଥିଲା। ପୋଲ ମରାମତି ପରେ ଯାତାୟାତ ସ୍ବଭାବିକ କରାଯିବ ବୋଲି କୁହାଯାଇଥିଲା। ଧବଳେଶ୍ବର ପୀଠରେ ଜାରି ହୋଇଥିଲା ୧୪୪ ଧାରା।

    ସେବେ ଠାରୁ ଏହି ଝୁଲା ପୋଲ ଯାତାୟାତ ପାଇଁ ବନ୍ଦ ପଡିଛି। ତେଣୁ ଲୋକେ ଏହି ଅସ୍ଥାୟୀ ରାସ୍ତା ଦେଇ ବାବା ଧବଳେଶ୍ୱରଙ୍କ ଦର୍ଶନ କରୁଥିଲେ। ଏବେ ଏହି ରାସ୍ତା ବି ଧୋଇଗଲା। ଲୋକେ କିପରି ମନ୍ଦିର ଯିବେ ତାକୁ ନେଇ ଦେଖା ଦେଲାଣି ଅସନ୍ତୋଷ। ଆଗକୁ ପୁଣି ଆସୁଛି ଶ୍ରାବଣ ମାସ। ଲକ୍ଷ ଲକ୍ଷ ସଂଖ୍ୟାରେ କାଉଡିଆ ଧବଳେଶ୍ବର ମନ୍ଦିରକୁ ଆସିଥାନ୍ତି ଜଳ ଲାଗି ପାଇଁ। ଏବେ କିପରି ହେବ ଜଳ ଲାଗି ତାକୁ ନେଇ ଉଠିଛି ପ୍ରଶ୍ନବାଚୀ। ତେଣୁ ତୁରନ୍ତ ପ୍ରଶାସନ ଝୁଲା ପୋଲ ମରାମତି କରିବାକୁ ହେଉଛି ଦାବି।

  • ବାଲେଶ୍ୱର: ବଢୁଛି ପରିବା ଦର, କମୁଛି ଚାହିଦା, ଗ୍ରାହକ ଛାନିଆ

    ବାଲେଶ୍ୱର: ବଢୁଛି ପରିବା ଦର, କମୁଛି ଚାହିଦା, ଗ୍ରାହକ ଛାନିଆ

    ଏବେ ପରିବା ଦର ଆକାଶ ଛୁଆଁ । ଦରକୁ ନେଇ ଉଭୟ ଦୋକାନୀ ଓ ଗ୍ରାହକ ଚିନ୍ତାରେ ପଡ଼ିଛନ୍ତି । ଦର ଅଧିକ ଥିବାବେଳେ ଲୋକେ ଆବଶ୍ୟକତା ଠାରୁ କମ୍ ପରିବା କିଣିବାକୁ ବାଧ୍ୟ ହେଉଛନ୍ତି । ବାଲେଶ୍ୱର ସହର ନୂଆ ବଜାର ପରିବା ମାର୍କେଟ ଏବେ ଖାଁ ଖାଁ ଲାଗୁଛି ।

    ସାତ ଦିନ ପୂର୍ବରୁ ପରିବା ଦର ଠିକ୍ ଥିଲା । ଖାଉଟି ପରିବା କିଣିବାକୁ ନୂଆ ବଜାର ପରିବା ମାର୍କେଟରେ ଭିଡ଼ ଜମାଉଥିଲେ । ହେଲେ ଏବେ ମାର୍କେଟ ଏକପ୍ରକାର ଶୂନଶାନ୍ । ସପ୍ତାହକ ପରେ ବଦଳିଛି ମାର୍କେଟର ରୂପ । କାହିଁକି ନା ପରିବା ଦର ନ କହିବା ଭଲ । ପକେଟରୁ ଟଙ୍କା ସରୁଛି ମାତ୍ର ବ୍ୟାଗ୍ ଭରୁନି । ପୂର୍ବରୁ କେଜି କେଜି ଆଣୁଥିବା ଖାଉଟି ଏବେ ପରିବା କିଲେ ଆଣିବା ପାଇଁ ମୁହଁ ବୁଲାଉଛନ୍ତି ।

    ନୂଆ ବଜାର ପରିବା ମାର୍କେଟରେ ସବୁବେଳେ ଗ୍ରାହକଙ୍କ ଭିଡ ଜମିଥାଏ । ହେଲେ ଏବେ ଗ୍ରାହକଙ୍କୁ ଅପେକ୍ଷା କରି ବସୁଛନ୍ତି ଦୋକାନୀ । ହଠାତ୍ ପରିବା ଦର ହୁହୁ ହୋଇ ବଢ଼ିଯାଇଛି ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ବିଲାତି ବାଇଗଣ କେଜି ୯୦ ଟଙ୍କା, ବିନ୍ସ କିଲୋ ୨୦୦ ଟଙ୍କା, ଫୁଲ କୋବି ଗୋଟା ୬୦ ଟଙ୍କା ଥିବାବେଳେ ବନ୍ଧାକୋବି ଗୋଟାର ଦାମ୍ ରହିଛି ୨୫ ଟଙ୍କା । ପେପସିକମ୍ କିଲୋ ପିଛା ୨୦୦ ଟଙ୍କା ଥିବାବେଳେ ଅନ୍ୟାନ୍ୟ ପନିପରିବା ଦର ଶୁଣି ଗ୍ରାହକ ଛାନିଆ ।

    ନୂଆ ବଜାର ପରିବା ମାର୍କେଟରେ ସପ୍ତାହକ ପୂର୍ବରୁ ଦର ବହୁତ କମ୍ ରହିଥିଲା । ଗ୍ରାହକ ବି ପନିପରିବା କିଣିବାକୁ ଆଗ୍ରହୀ ଥିବାବେଳେ ଦୋକାନୀଙ୍କ ଭଲ ବ୍ୟବସାୟ ହେଉଥିଲା । ଏବେ କିନ୍ତୁ ପରିବା ଦର ୪ ଗୁଣା ବଢ଼ିଯାଇଥିବାରୁ ଦୋକାନୀଙ୍କ ଭୟ ବ୍ୟବସାୟ ହେଉନି । ତେଣୁ ସେମାନେ ଗ୍ରାହକଙ୍କୁ ଅନାଇ ବସିଛନ୍ତି ।

  • ବାହାନଗା ରେଲ ଦୁର୍ଘଟଣା: ଡିଏନଏ ରିପୋର୍ଟ ଆଧାରରେ ହେବ ମୃତଦେହ ହସ୍ତାନ୍ତର

    ବାହାନଗା ରେଲ ଦୁର୍ଘଟଣା: ଡିଏନଏ ରିପୋର୍ଟ ଆଧାରରେ ହେବ ମୃତଦେହ ହସ୍ତାନ୍ତର

    ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାରେ ପରିଚୟ ମିଳିନଥିବା ବ୍ୟକ୍ତିମାନଙ୍କ ଡିଏନଏ ଟେଷ୍ଟ ରିପୋର୍ଟ ଭିତରୁ ପ୍ରଥମ ପର୍ଯ୍ୟାୟରେ ୨୯ ରିପୋର୍ଟ ଭୁବନେଶ୍ୱର ଏମସକୁ ଆସିଛି। ମୋଟ ୭୮ଟି ସାମ୍ପୁଲ ପଠାଯାଇଥିଲା।। ରିପୋର୍ଟ ଆସିବା ପରେ ସେମାନଙ୍କ ସମ୍ପର୍କୀୟଙ୍କୁ ଏମସକୁ ଡକାଯାଇଥିଲା। ଆଜି ସକାଳେ ସେହି ସମ୍ପର୍କୀୟମାନେ ଭୁବନେଶ୍ୱର ଏମସରେ ପହଞ୍ଚିଛନ୍ତି।
    ଦୁର୍ଘଟଣା ପରେ ଚିହ୍ନଟ ହୋଇ ନ ଥିବା ମୃତଦେହ ସବୁକୁ ଭୁବନେଶ୍ୱର ଏମସରେ ସଂରକ୍ଷିତ ରଖାଯାଇଛି। ୨୯ ରିପୋର୍ଟ ପ୍ରଥମ ପର୍ଯ୍ୟାୟରେ ଆସିବା ପରେ ଆଜି ସେମାନଙ୍କ ପରିଜନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ଏଥିପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ କରାଯାଇଛି। ଯଦି କୌଣସି ବ୍ୟକ୍ତି ମୃତଦେହ ନ ନେଇ ଭୁବନେଶ୍ବରରେ ହିଁ ଶବ ସତ୍କାର କରିବାକୁ ଚାହିଁବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। ତେବେ ଚିହ୍ନଟ ୨୯ ମୃତଦେହ ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶାର ଥିବା ସୂଚନା ରହିଛି। ମୋଟ ୮୧ଟି ମୃତଦେହ ଚିହ୍ନଟ ନ ହୋଇ ଏମସରେ ରହିଥିଲା। ସେଥିମଧ୍ୟରୁ ୭୮ଟି ମୃତଦେହର ସାମ୍ପୁଲ ଟେଷ୍ଟ ପାଇଁ ପଠାଯାଇଥିଲା। ଦୁଇଟି ପର୍ଯ୍ୟାୟରେ ଅବଶିଷ୍ଟ ମୃତ ଦେହର ସାମ୍ପୁଲପଠାଯିବ ଟେଷ୍ଟ ପାଇଁ ବୋଲି ସୂଚନା ମିଳିଛି।

    ବାହାନଗା ଟ୍ରେନ ଦୁର୍ଘଟଣାରେ ଚିହ୍ନଟ ହୋଇ ନଥିବା ମୃତଦେହ ମଧ୍ୟରୁ କେତେକର ଏକାଧିକ ଦାବିଦାର ଥିଲେ। ଏଥିପାଇଁ ମୃତକ ଓ ଦାବିଦାରଙ୍କ ଡିଏନଏ ଟେଷ୍ଟ ପାଇଁ ନିଆଯାଇଥିଲା ନିଷ୍ପତ୍ତି। ମୃତକ ଓ ଦାବିଦାରଙ୍କ କେଶ, ଦାନ୍ତ, ହାଡ଼, ନଖ,ମାଂସ ନମୂନା ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଫୋରେନ୍ସିକ ସାଇନ୍ସ ଲ୍ୟାବକୁ ପଠାଯାଇଥିଲା। ସେଥିମଧ୍ୟରୁ ୨୯ ଜଣଙ୍କ ଡିଏନଏ ରିପୋର୍ଟ ଭୁବନେଶ୍ୱର ଏମସକୁ ଆସିଛି। ମାତ୍ର କିଛି ଶବର ହାଡ଼,ମାଂସ, ଦାନ୍ତ ଆଦି ନଷ୍ଟ ହୋଇଥିବାରୁ ସେମାନଙ୍କର ଡିଏନଏ ମେଳ କରିବାରେ ସମସ୍ୟା ଉପୁଜୁଥିବା କୁହାଯାଇଛି । ତେଣୁ ଡିଏନଏ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି ବୋଲି ଭୁବନେଶ୍ୱର ଏମସ ହସ୍ପିଟାଲ ପକ୍ଷରୁ ପ୍ରକାଶ।

    ସୂଚନା ଯୋଗ୍ୟ, ଜୁନ୍ ୨ତାରିଖରେ ବାହାନଗାଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୮୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସାରା ବିଶ୍ବରେ ଖେଳାଇଦେଇଥିଲା ଚହଳ। ଏହାକୁ ନେଇ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ। କିନ୍ତୁ ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବ ବାହାନଗାରେ କ୍ୟାମ୍ପ କରି ରହି ଟ୍ରେନ ଲାଇନ ମରାମତି କାମର ପ୍ରତ୍ୟକ୍ଷ ତତ୍ୱାବଧାନ କରିଥିଲେ।

  • ଭୁବନେଶ୍ୱର: ମନ୍ଦିର ପାଳି ଭୋଗ ଟଙ୍କା ଭାଗବଣ୍ଟାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ !

    ଭୁବନେଶ୍ୱର: ମନ୍ଦିର ପାଳି ଭୋଗ ଟଙ୍କା ଭାଗବଣ୍ଟାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ !

    ଭୁବନେଶ୍ୱର କଳାରାହାଙ୍ଗ ଜଳେଶ୍ୱର ମହାଦେବ ମନ୍ଦିରର ନୀତି ପାଳି ଭୋଗ ଅଧିକାର ଏବଂ ଟଙ୍କା ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ । ସଭାପତି ଜନକ ପଣ୍ଡା, ତାଙ୍କ ପୁଅଙ୍କ ସମେତ ୫ ଜଣ, ଅନ୍ୟ ଜଣେ ପୂଜାରୀ ଏବଂ ତାଙ୍କ ପରିବାରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

    ସୂଚନା ଅନୁସାରେ ଜଳେଶ୍ୱର ମହାଦେବ ମନ୍ଦିରରେ ୪ ଜଣ ପାଳି ଭୋଗ କରି ଶ୍ରଦ୍ଧାଳୁଙ୍କୁ ସେବା ଯୋଗାଇ ଆସୁଥିଲେ । ଶୀତଳଷଷ୍ଠୀ ଯାତ୍ରା ସରିଯାଇଥିବା ବେଳେ ଏବେ ଭୋଗ ଟଙ୍କା ଭାଗବଣ୍ଟାକୁ ନେଇ ବିବାଦ ଦେଖାଦେଇଛି । ପୂର୍ବ ସର୍ତ୍ତ ଅନୁସାରେ ସନ୍ତୋଷ ପଣ୍ଡାଙ୍କୁ ତାଙ୍କ ଭାଗ ଗତ ୧୭ ତାରିଖରେ ମିଳିବାର ଥିଲା କିନ୍ତୁ ଏହା ନ ମିଳିବା ପରେ ସଭାପତି ଜନକ ପଣ୍ଡାଙ୍କ ନିକଟରେ ଦାବି କରିଥିଲେ ।

    ତେବେ ଭାଗ ଟଙ୍କା ନଦେଇ ସନ୍ତୋଷଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଲୁହା ପାଇପ୍ ଏବଂ ରବର ପାଇପରେ ଆକ୍ରମଣ କରାଯିବାରୁ ସନ୍ତୋଷ, ତାଙ୍କ ପତ୍ନୀ ଏବଂ ବାପାଙ୍କୁ ଆଘାତ ଲାଗିଛି ।

    ସେମାନଙ୍କ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ଘରେ ପଶି ଜିନିଷପତ୍ର ଭଙ୍ଗାରୁଜା କରିଛନ୍ତି । ସଭାପତି, ତାଙ୍କ ପୁଅଙ୍କ ସମେତ ୫ ଜଣଙ୍କ ନାଁରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଏ ଦିଗରେ ତୁରନ୍ତ ପଦକ୍ଷେପ ନନେଇ ବିଳମ୍ବ କରୁଥିବା କହିଛନ୍ତି ଅଭିଯୋଗକାରୀ ।

  • ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

    ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

    ଶୌଚ ହେବାକୁ ଯାଇ କୁମ୍ଭୀର ମୁହଁରେ ପଡିଲେ ବୃଦ୍ଧ। ମାତ୍ର ୧୫ ଦିନ ଅନ୍ତରରେ ତୃତୀୟ କୁମ୍ଭୀର ଆକ୍ରମଣ ଘଟଣାରେ ହତବାକ ଜିଲ୍ଲାବାସୀ। କେତେବେଳେ କେଉଁଠି କୁମ୍ଭୀର ଟାଣିନେବ ସେ ଭୟରେ ନଦୀକୂଳରେ ବସବାସ କରୁଥିବା ଓ ନଦୀ ଉପରେ ନିର୍ଭର କରି ଜୀବନଯାପନ କରୁଥିବା ଲୋକେ। ଆଜି ଭୋର ସାଢ଼େ ଚାରିଟା ସମୟରେ କେନ୍ଦ୍ରାପଡା ନିକିରାଇ ଥାନା ଅଧୀନ ଘାଗରାଡିଆ ଗାଁର ୫୬ ବର୍ଷୀୟ ଗଙ୍ଗାଧର ତରାଇ ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳକୁ ଶୌଚ ହେବାକୁ ଯାଇଥିଲେ। ଶୌଚ ସାରି ଗାଧୋଇବା ସମୟରେ ଏକ କୁମ୍ଭୀର ତାଙ୍କୁ ଝାମ୍ପ ପକାଇ ନଦୀକୁ ଟାଣି ନେଇଥିଲା। ଗଙ୍ଗାଧର ଚିତ୍କାର କରି ଡାକ ପକାଇଥିଲେ। ତାଙ୍କ ଚିତ୍କାର ଶୁଣି ଶୌଚ ହେଉଥିବା ଦୁଇଜଣ ଲୋକ ଦୌଡ଼ି ଆସିଥିଲେ।  କିନ୍ତୁ କୁମ୍ଭୀରକୁ ଦେଖି ଭୟଭୀତ ହୋଇଯାଇଥିଲେ। ପାଟି କରି ଗାଁ ଲୋକଙ୍କୁ ଡାକଛାଡିଥିଲେ।  ଗାଁ ଲୋକେ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ସୂଚିତ କରିବା ସହ  ଡଙ୍ଗା ସହାୟତାରେ ଗଙ୍ଗାଧରଙ୍କୁ  ଖୋଜାଖୋଜି କରିଥିଲେ। ଉଦ୍ଧାର କାର୍ଯ୍ୟ ରେ ଅଗ୍ନିଶମ ବାହିନୀ, ବନବିଭାଗ ମଧ୍ୟ ସାମିଲ ହୋଇଥିଲା।  କିନ୍ତୁ ଗଙ୍ଗାଧର ମିଳିନଥିଲେ, ମିଳିଥିଲା  ତାଙ୍କ ମୃତଦେହ।  

    ଅଭିଯୋଗ ପାଇ ପଟ୍ଟାମୁଣ୍ଡାଇ ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିଲେ।  | ସେହିପରି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଘଟଣାସ୍ଥଳରେ ପହଞ୍ଚି ବନବିଭାଗର ଉଦାସୀନତା ପାଇଁ ମାତ୍ର ୧୫ ଦିନ ଅନ୍ତରରେ ତିନୋଟି ମୂଲ୍ୟବାନ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି। ଏଥିପାଇଁ ବନବିଭାଗ ଉତ୍ତରଦାୟୀ ବୋଲି ଅଭିଯୋଗ କରିଛନ୍ତି।ରାଜ୍ୟ ସରକାର ଏହି ଆକ୍ରମଣ ଯୋଗୁଁ ବନବିଭାଗ କର୍ତ୍ତୃପକ୍ଷଙ୍କୁ ଜବାବତଲବ କରିବା ସହ ନଦୀକୂଳ ଘାଟ ମାନଙ୍କରେ ବ୍ୟାରିକେଡ ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି। ସେପଟେ ପଟ୍ଟାମୁଣ୍ଡାଇ ତହସିଲଦାର ବନବିଭାଗକୁ ପୁର୍ବରୁ ସୂଚନା ଦିଆଯାଇଥିଲେ ସୁଦ୍ଧା ଏହାର ପ୍ରତିକାର ବ୍ୟବସ୍ଥା ନକରିବା କାରଣରୁ ଜୀବନ ହାନି ହେଉଥିବା ସ୍ୱୀକାର କରିଛନ୍ତି।  ପୁଣିଥରେ ବନବିଭାଗକୁ ନଦୀକୂଳ ଗାଁ ମାନଙ୍କରେ ମାଇକ ଜରିଆରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରାବା ଓ  ବ୍ୟାରିକେଡ ବ୍ୟବସ୍ଥା ଖୁବଶୀଘ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ତହସିଲଦାର ଦିଲ୍ଲୀପ ସେଠୀ।

    ଏଠାରେ ସୂଚନାଯୋଗ୍ୟ, ରଜର ପ୍ରଥମ ଦିନରେ ଜଣେ ନାବାଳକକୁ ବ୍ରାହ୍ମଣୀ ନଦୀରେ ମାରିଥିଲା କୁମ୍ଭୀର। ସେହିପରି ୨୧ ତାରିଖରେ ମଧ୍ୟ ରାଜନଗର ଚାନ୍ଦି ବାଉଁଶମୂଳ ହାତିଆଗଡ଼ି ଗାଁରେ ଜଣେ ମହିଳା କୁମ୍ଭୀର ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିଲେ। ଆଜି ପୁଣି ସମାନ ଘଟଣା ନଦୀକୂଳିଆ ଲୋକଙ୍କ ଭିତରେ ପୂରାଇଛି ଛନକା ।

  • ବାହୁଡ଼ା’ରେ ତାଳଧ୍ୱଜ ରଥ ଦଉଡ଼ି ଛିଣ୍ଡି ଦଳାଚକଟା ପରିସ୍ଥିତି, ଏକାଧିକ ଗୁରୁତର

    ବାହୁଡ଼ା’ରେ ତାଳଧ୍ୱଜ ରଥ ଦଉଡ଼ି ଛିଣ୍ଡି ଦଳାଚକଟା ପରିସ୍ଥିତି, ଏକାଧିକ ଗୁରୁତର

    ବାହୁଡ଼ାଯାତ୍ରାରେ ରଥଟଣାବେଳେ ବିଶୃଙ୍ଖଳା ଦେଖିବାକୁ ମିଳିଛି । ତାଳଧ୍ବଜ ରଥ ଦଉଡ଼ି ଛିଣ୍ଡି ଜଣେ ଭୋଇ ସେବକଙ୍କ ସମେତ ୮ ଜଣ ଗୁରୁତର ହୋଇଛନ୍ତି । ଗତ କିଛି ବର୍ଷ ଧରି କୌଣସି ରଥର ଦଉଡ଼ି ଛିଣ୍ଡି ନଥିବା ବେଳେ ଏବର୍ଷ ଏହି ଦଉଡ଼ି ଛିଣ୍ଡିଯାଇଥିଲା । ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଳଧ୍ୱଜ ରଥ ଦଉଡ଼ିକୁ ଭୋଇ ସେବାୟତମାନେ ତାଣରେ ବାନ୍ଧିଥିଲେ ।

    ମାତ୍ର ତାଳଧ୍ୱଜ ରଥ ମାର୍କେଟ ଛକରେ ପହଞ୍ଚିବା ପରେ ଏହି ରଥ ଦଉଡ଼ିଟି ତାଣରୁ ଖସିଯାଇଥିଲା । ରଥ ଦଉଡ଼ି ଧରିଥିବା ଭୋଇ ସେବାୟତ ନକୁଳ ଭୋଇଙ୍କ ସମେତ ଆଉ କିଛି ଭକ୍ତ ତଳେ ପଡ଼ି ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ନକୁଳ ଗୁରୁତର ଆହତ ହୋଇଥିଲେ । ଏହାପୂର୍ବରୁ ବଳଗଣ୍ଡି ଛକରେ ତାଳଧ୍ୱଜ ରଥ ଦଉଡ଼ି ଛିଣ୍ଡି ଯାଇଥିଲା । ଏଥିରେ ୬ ଜଣ ମଧ୍ୟ ଗୁରୁତର ଆହତ ହୋଇଥିଲେ । ସଦର ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା ।

    ରଥଟଣା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସମ୍ମୁଖରେ ଦଳାଚକଟା ପରିସ୍ଥିତି ଦେଖିବାକୁ ମିଳିଥିଲା । ଝାରସୁଗୁଡ଼ାର ସସ୍ମିତା ନାମକ ଜଣେ ଯୁବତୀ ଗୁରୁତର ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସସ୍ମିତାଙ୍କ ସମ୍ମୁଖରେ ଥିବା ଜଣେ ଭକ୍ତ ପଡ଼ିଯିବାରୁ ସେ ମଧ୍ୟ ତାଙ୍କ ଉପରେ ଝୁଣ୍ଟି ବଡ଼ଦାଣ୍ଡରେ ପଡ଼ି ଯାଇଥିଲେ । ଫଳରେ ରଥ ଟାଣୁଥିବା ଭକ୍ତମାନେ ତାଙ୍କୁ ଦଳିଚକଟି ଆଗକୁ ମାଡ଼ି ଯାଇଥିଲେ । ସସ୍ମିତାଙ୍କ ମୁହଁ, ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା ।

    ବାହୁଡ଼ାଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହେବା ପରେ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ଥିବାରୁ ତାମଜାନ ଆସି କୁମ୍ଭକାର ନିଯୋଗ ସମ୍ମୁଖରେ ରଖାଯାଇଥିଲା । ଗଜପତିଙ୍କୁ ତାମଜାନରେ ବସାଇ ତିନି ରଥ ନିକଟକୁ ନିଆଯାଉଥିବା ବେଳେ ତାମଜାନର ରୂପା ଚକ୍ର ବାଜି ଶ୍ରୀନହର ସେବାୟତ ରଜନୀକାନ୍ତ ପରିଡ଼ା ଆହତ ହୋଇଥିଲେ । ତାଙ୍କ ମୁଣ୍ଡ ଫାଟି ଯାଇଥିବାରୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

    ଚଳିତଥର ବାହୁଡ଼ାଯାତ୍ରାରେ ଏଭଳି ଅଘଟଣକୁ ନେଇ ଭକ୍ତଙ୍କ ମନରେ ସାମାନ୍ୟ ଅସନ୍ତୋଷ ଦେଖାଦେଇଥିଲା । ଆଜି ମହାପ୍ରଭୁଙ୍କ ସୁନବେଶ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଜମିଛି ।

  • ଝାରପଡ଼ା: ଗୁଳିକାଣ୍ଡ ଘଟଣାରେ ୨ ଗିରଫ, ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଟିମ୍ ଗଠନ

    ଝାରପଡ଼ା: ଗୁଳିକାଣ୍ଡ ଘଟଣାରେ ୨ ଗିରଫ, ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଟିମ୍ ଗଠନ

    ଭୁବନେଶ୍ୱର ଝାରପଡ଼ା ଗୁଳିକାଣ୍ଡ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଟକ ଅଭିଯୁକ୍ତମାନଙ୍କୁ ପଚରାଉଚୁରା କରିବା ପରେ ପୋଲିସ ସେମାନଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି ବୋଲି ପ୍ରେସମିଟରେ କହିଛନ୍ତି ଡିସିପି ।

    ପୋଲିସର ସୂଚନା ଅନୁସାରେ ସାମାନ୍ୟ ବଚସାରୁ ରାଜଧାନୀର ଝାରପଡ଼ାରେ ଗୁଳିକାଣ୍ଡ ଘଟିଥିଲା । ଗତକାଲି ଝାରପଡ଼ା ଜଗନ୍ନାଥନଗର ଲେନ୍ ୱାନ ପ୍ରଜାପତି ମଣ୍ଡପରେ ବିବାହ ଭୋଜିର ଆୟୋଜନ ହୋଇଥିଲା । ସେଠାରେ ଭୋଜି ଖାଇ ରିଙ୍କୁ ଜେନା ଏକ କାରରେ ଫେରୁଥିଲେ । ଅନ୍ୟ ଏକ କାରରେ ଥିଲେ ପ୍ରଭାତ ମାର୍ଥା ନାମକ ଯୁବକ । ଗାଡ଼ି ସାଇଡ୍ କରିବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

    ଯୁକ୍ତିତର୍କ ପରେ ପ୍ରଭାତ ଏବଂ ତାଙ୍କର ଅନ୍ୟ ୩ ସହଯୋଗୀ ଗୁଳିମାଡ଼ କରିଥିଲେ । ୨ଟି ବନ୍ଧୁକରୁ ୧୨ ରାଉଣ୍ଡ ଫାୟାରିଂ ପରେ ଗୁରୁତର ହୋଇଥିଲେ ରିଙ୍କୁ ଏବଂ ତାଙ୍କ ବାପା ଶିଖର ଜେନା । ଶିଖରଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ପୁଅ ରିଙ୍କୁଙ୍କ ଡାହାଣ ଗୋଡ଼ରେ ଲାଗିଥିଲା ଆଘାତ । ଚିକିତ୍ସା ପାଇଁ ବାପାପୁଅ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

    ଘଟଣାରେ ପୋଲିସ ରାଜା ସାହୁ ଓ ଦିବାକର କଳସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଦିବାକର ସେନାରୁ ଅବସର ନେଇ ପ୍ରଭାତର ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରୁଥିବା କହିଛି ପୋଲିସ । ହେଲେ ଚମ୍ପଟ ମାରିଥିଲେ ମୁଖ୍ୟ ଅଭିଯୁକ୍ତ ପ୍ରଭାତ ଓ ଅନ୍ୟ ଜଣେ ସହଯୋଗୀ ।

    ସେମାନଙ୍କୁ ଧରିବା ପାଇଁ ଜଣେ ଏସିପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି । ଏଥିସହ ଘଟଣାସ୍ଥଳରୁ ୨ଟି ବନ୍ଧୁକ ଓ ୯ଟି ଖୋକା ଜବତ କରାଯାଇଥିବା କହିଛନ୍ତି ଡିସିପି ।