Category: ମୁଖ୍ୟ ଖବର

  • ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ନାକାମାମୁଡ଼ି ପଂଚାୟତର 19 ରୁ ଉର୍ଦ୍ଧ ଗାଁ

    ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ନାକାମାମୁଡ଼ି ପଂଚାୟତର 19 ରୁ ଉର୍ଦ୍ଧ ଗାଁ

    ମାଲକାନଗିରି ଜିଲ୍ଲାରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଲାଗିରହିଥିବା ବେଳେ ଜିଲ୍ଲା ର ଅଧିକାଂଶ ଅଂଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି । ଆଜି ପ୍ରବଳ ବର୍ଷା ଯୋଗୁଁ ନାକାମାମୁଡ଼ି ପଂଚାୟତ ର ବାୟାପଡା ଘାଟି ରେ ଭୁସ୍କଳନ ହୋଇଥିବାରୁ ମାଟି ଅତଡ଼ା ଧସିଯାଇଛି । ଯାହା ଫଳରେ କୋରୁକୋଣ୍ଡା ବ୍ଲକର ନାକାମାମୁଡ଼ି ପଂଚାୟତର 19 ଗୋଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ପ୍ରାୟ ୩ ହଜାର ଲୋକେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି।

    ବାୟାପଡା ଘାଟି ଅଞ୍ଚଳରେ ବସବାସ କରୁଥିବା ଏହି ଗାଁ ଗୁଡ଼ିକ ଘାଟି ରାସ୍ତା ଦେଇ ଯିବା ଆସିବା କରନ୍ତି। ୨ବର୍ଷ ତଳେ ପାହାଡ କଟାଯାଇ ଘାଟିରେ ଏହି ରାସ୍ତା ତିଆରି କରାଯାଇଥିଲା। ଭୁସ୍ଖଳନ ହେବା ଯୋଗୁ ପାହାଡରୁ ମାଟି ଓ ପଥର ଧସେଇ ଆସି ରାସ୍ତା ଉପରେ ପଡ଼ିଛି। ଯାହାଫଳରେ ଯୋଗାଯୋଗ ବିଚ୍ଛନ୍ନ ହୋଇଯାଇଛି। ବର୍ଷା ଲାଗି ରହିଥିବାରୁ ପ୍ରଶାସନ ପକ୍ଷରୁ ଏହାକୁ ସଫା କରାଯାଇ ପାରି ନାହିଁ। ଯାହାଫଳରେ ୧୯ଟି ଗାଁର ଲୋକେ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି।

  • ମହାରାଷ୍ଟ୍ରର ରାୟଗଡର ଏକ ଗାଁରେ ପାହାଡ ଭୁଶୁଡ଼ି, ୩୦-୪୦ ଘର ମାଟି ତଳେ , ୧୦୦ ରୁ ଅଧିକ ଲୋକ ନିଖୋଜ

    ମହାରାଷ୍ଟ୍ରର ରାୟଗଡର ଏକ ଗାଁରେ ପାହାଡ ଭୁଶୁଡ଼ି, ୩୦-୪୦ ଘର ମାଟି ତଳେ , ୧୦୦ ରୁ ଅଧିକ ଲୋକ ନିଖୋଜ

    ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ଏକ ଆଦିବାସୀ ଗ୍ରାମରେ ପାହାଡ ଭୁଶୁଡ଼ିବା କାରଣରୁ ପ୍ରାୟ ୪୦ ଟି ଘର ଆବର୍ଜନା ତଳେ ପୋତି ହୋଇଯାଇଥିବାବେଳେ ଅନ୍ୟୂନ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଘଟଣାସ୍ଥଳରେ ଫସି ରହିଥିବା କଥା ‘ଏନ୍‌ଡିଆର୍‌ଏଫ୍‌’ କହିଛି। ୧୦୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଲାଗି ରହିଛି । ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବୁଧବାର (ଜୁଲାଇ ୧୯) ବିଳମ୍ବିତ ରାତିରେ ଭୂସ୍ଖଳନ ଘଟିବା ପରେ ୩୦ ରୁ ଅଧିକ ପରିବାର ଫସି ରହିଥିବାର ଆଶଙ୍କା ରହିଛି, ଯେଉଁଠାରେ ପ୍ରାୟ ୪୬ ଟି ଆଦିବାସୀ ବସ୍ତି ଅବସ୍ଥିତ।

    ଗଣମାଧ୍ୟମକୁ ରାୟଗଡ଼ ପୁଲିସ କହିଛି, ଏପର୍ଯ୍ୟନ୍ତ ୨୨ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ଅନେକ ଲୋକ ପୋତି ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି। ବର୍ତ୍ତମା‌ନ ପୁଲିସ ଏବଂ ଜିଲ୍ଲା ପ୍ରଶାସନର ଶତାଧିକ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଆମେ ‘ଏନ୍‌ଡିଆର୍‌ଏଫ୍‌’, ସ୍ଥାନୀୟ ଜନସାଧାରଣ ଏବଂ କେତେକ ‘ଏନ୍‌ଜିଓ’ରୁ ସହାୟତା ପାଉଛୁ।

    ଉଦ୍ଧାର କାର୍ଯ୍ୟ ସମୀକ୍ଷା କରିବା ଲାଗି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେହିପରି, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର୍‌ ମଧ୍ୟ ରାୟଗଡ଼ରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ସମୀକ୍ଷା ଲାଗି ଏମର୍ଜେନ୍‌ସି କଣ୍ଟ୍ରୋଲ୍‌ ରୁମ୍‌ରେ ପହଞ୍ଚିଛନ୍ତି।

    ଭୂସ୍ଖଳନ ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରତି ସମବେଦନା ବ୍ୟକ୍ତ କରି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ କହିଛନ୍ତି, ଗତରାତିରୁ ମୁଁ ସ୍ଥାନୀୟ ପ୍ରଶାସନ ସହିତ ଯୋଗାଯୋଗ ରଖି ଘଟଣା ସଂକ୍ରାନ୍ତରେ ସୂଚନା ପାଉଛି। ପ୍ରବଳ ବର୍ଷା ଓ ଅନ୍ଧାର ଯୋଗୁଁ ପ୍ରଥମେ ରିଲିଫ୍‌ କାର୍ଯ୍ୟାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। କିନ୍ତୁ, ଏବେ ଦ୍ରୁତ ବେଗରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତମାନଙ୍କ ଚିକିତ୍ସା ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯାଇଛି।

    ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣାରେ କେବଳ ଦୁଇ-ଚାରି ଘର ଉଦ୍ଧାର ହୋଇଛି ଏବଂ ଗାଁରେ ନିର୍ମିତ ବିଦ୍ୟାଳୟରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଏହି ଘଟଣା ରାୟଗଡର ଖାଲାପୁର ଅଞ୍ଚଳଠାରୁ ମାତ୍ର ୬ କିଲୋମିଟର ଦୂରରେ ଘଟିଛି। ଖାଲାପୁର ଅଞ୍ଚଳରେ ହିଁ ମୋର୍ବେ ଡ୍ୟାମ ନିର୍ମାଣ କରାଯାଇଛି ଯାହାକି ନବୀ ମୁମ୍ବାଇକୁ ଜଳ ଯୋଗାଇଥାଏ |

  • ଆଗାମୀ ଦୁଇ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା

    ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି | ଉତ୍ତର ପଶ୍ଚିମ ପାଶ୍ୱବର୍ତ୍ତୀ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଏହା ଆଗାମୀ ଦୁଇ ଦିନ ମଧ୍ୟରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଯାତ୍ରା କରିବ | ଏହାର ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ପାଣିପାଗ ବିଭାଗର ସୂଚନା ମୁତାବକ ଏହାର ପ୍ରଭାବରେ ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବା ବେଳେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ନୟାଗଡ଼, ବରଗଡ଼, ‌ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼, କଟକ, ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଜୁଲାଇ ୨୧ରେ ସୁବର୍ଣ୍ଣପୁର, ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ, ଅନୁଗୁଳ, କଟକ, ଜଗତ୍‌ସିଂହପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ବାକି ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ‌ହେବ।

    ଜୁଲାଇ ୨୨ ଓ ୨୩ରେ ମଧ୍ୟ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ। ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମି ରହିବାକୁ ଥିବାରୁ ସମସ୍ୟା ଉପୁଜିପାରେ। ଅତିପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳରେ ଠିକ୍‌ ଭାବେ ରାସ୍ତା ଦୃଶ୍ୟମାନ ହେବ ନାହିଁ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୂସ୍ଖଳନ ହୋଇପାରେ। ତେଣୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

  • ଚମୋଲି: ଟ୍ରାନ୍ସଫର୍ମର ବିସ୍ଫୋରଣରେ ୪ ପୋଲିସଙ୍କ ସମେତ ୧୭ ମୃତ୍ୟୁ

    ଚମୋଲି: ଟ୍ରାନ୍ସଫର୍ମର ବିସ୍ଫୋରଣରେ ୪ ପୋଲିସଙ୍କ ସମେତ ୧୭ ମୃତ୍ୟୁ

    ଉତ୍ତରାଖଣ୍ଡରେ ଭୟଙ୍କର ବିଦ୍ୟୁତ ବିସ୍ଫୋରଣ। ଚମେଲି ଅଞ୍ଚଳରେ ସିଭର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିକଟରେ ଏକ ଟ୍ରାନ୍ସଫର୍ମର ବ୍ଳାଷ୍ଟ ହେବାରୁ ୧୭ ଜଣଙ୍କ ମୃତ୍ୟୁ । ମୃତକଙ୍କ ଭିତରେ ୪ ପୋଲିସ କର୍ମୀ ରହିଥିବା ସୂଚନା ଦେଇଛନ୍ତି ଚମୋଲି ଏସପି ପରମେନ୍ଦ୍ର ଡୋଭାଲ। ଚମୋଲିର ଅଳକାନନ୍ଦା ନଦୀ ନିକଟରେ ଏହି ଘଟଣା ଘଟିଛି। କୁହାଯାଉଛି ପ୍ରଥମେ ଟ୍ରାନ୍ସଫର୍ମରରେ ବିସ୍ଫୋରଣ ହୋଇଥିଲା। ଘଟଣା ପରେ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ୧୫ ଜଣଙ୍କର ମୃତ୍ୟୁ ଘଟଣାସ୍ଥଳରେ ହୋଇଥିବା ବେଳେ ପରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।
    ରାଜ୍ୟ ଏଡିଜିପି ଭି ମୁରୁଗେଶନ କହିଛନ୍ତି କି, ସେଠାରେ ନମାମୀ ଗଙ୍ଗେ ପ୍ରୋଜେକ୍ଟରେ କାମ ଚାଲିଛି। ସେଠାରେ ବିଦ୍ୟୁତ ଆଘତରେ ୧୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ଜଣେ ସବ ଇନସ୍ପେକ୍ଟର ଓ ୩ ହୋମଗାର୍ଡଙ୍କୁ ମିଶାଇ ୪ ପୁଲିସ କର୍ମୀ ଅଛନ୍ତି। ଦୁର୍ଘଟଣା ପରେ ଏହାର ଯାଞ୍ଚ ପାଇଁ ଆଦେଶ ଦିଆ ଯାଇଛି। ଏସପି ବରମେନ୍ଦ୍ର ଡୋଭାଲ ଆହୁରି କହିଛନ୍ତି କି, ଆହତଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
    ସେପଟେ ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ ଶକ୍ତି ନିଗମକୁ ଦାୟୀ କରିଛନ୍ତି। ନିଗମର ଦାୟିତ୍ୱହୀନତା ପାଇଁ ଏପରି ହୋଇଥିବା ଅଭିଯୋଗ କରିବା ସହ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଲୋକେ। ସେପଟେ ଏହି ଘଟଣା ପରେ
    ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଶୋକବ୍ୟକ୍ତ କରିଛନ୍ତି। ସେଠାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଧନ ସିଂହ ଯାଇ ଘଟଣାର ନ୍ୟାୟିକ ଯାଞ୍ଚର ଆଦେଶ ଦେଇଛନ୍ତି। ମନ୍ତ୍ରୀ ସିଂହ ଆହୁରି କହିଛନ୍ତି କି, ହେଲିକପ୍ଟରରେ ଆହତମାନଙ୍କୁ ଶ୍ରୀନଗର ହସ୍ପିଟାଲ ପଠାଯିବ। ଘଟଣାକୁ ନେଇ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ।

  • ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା

    ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା

    ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୨୨ ଶସ୍ୟ ବର୍ଷର ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହା ଦ୍ୱାରା ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀ ଉପକୃତ
    ହେବେ । ରାଜ୍ୟର ୭ ଲକ୍ଷ ୭୫ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ୨୫ ପ୍ରତିଶତ ବୋନସ୍‌ ଓ ୪୦ ହଜାର କେନ୍ଦୁପତ୍ର ବନ୍ଧାଳି ଓ ସାମୟିକ କର୍ମଚାରୀଙ୍କୁ ୫ ପ୍ରତିଶତ ପ୍ରୋତ୍ସାହନ ରାଶି, ଏହିପରି ମୋଟ ୫୬.୨୩ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ ।

    ୨୦୨୨ ଶସ୍ୟ ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ କେନ୍ଦୁପତ୍ର ତୋଳାଳିଙ୍କୁ ଏକ ହଜାର ଟଙ୍କା ଏବଂ ବନ୍ଧାଳି ଓ ସାମୟିକ କର୍ମଚାରୀଙ୍କୁ ୧୫ ଶହ ଟଙ୍କା ଲେଖାଏଁ, ଏହିପରି ମୋଟ ୮୩.୩୪ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୭ ଲକ୍ଷ ୭୫ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ଏକ ହଜାର ଟଙ୍କା ଆର୍ଥିକ ସହାୟତା, ପାଣି ବୋତଲ ପାଇଁ ୨୦୦ ଟଙ୍କା ଏବଂ ଚପଲ ପାଇଁ ୧୬୦ ଟଙ୍କା, ଏହିପରି ଭାବେ ପ୍ରତ୍ୟେକ କେନ୍ଦୁପତ୍ର ତୋଳାଳିଙ୍କୁ ୧୩୬୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ପର୍ଯ୍ୟାୟରେ ମଧ୍ୟ ୪୦ ହଜାର କେନ୍ଦୁପତ୍ର ବନ୍ଧାଳି ଏବଂ ସାମୟିକ କର୍ମଚାରୀଙ୍କୁ ପ୍ରତ୍ୟେକ ୧୫୦୦ ଟଙ୍କାର ସହାୟତା ରାଶି, ଏହିପରି ମୋଟ ୧୧୧.୨୧ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା ।

    ତୃତୀୟ ପର୍ଯ୍ୟାୟକୁ ମିଶାଇ ୨୦୨୨ ଶସ୍ୟବର୍ଷ ପାଇଁ କେନ୍ଦୁପତ୍ର ହିତାଧିକାରୀମାନଙ୍କୁ ବୋନସ, ପ୍ରୋତ୍ସାହନ ରାଶି ଓ ଆର୍ଥିକ ସହାୟତା ବାବଦକୁ ଦିଆଯାଇଥିବା ମୋଟ ସହାୟତା ପରିମାଣ ୨୫୦.୭୮ କୋଟି ଟଙ୍କା ହେବ । ଯାହା କି ଗୋଟିଏ ଫସଲ ବର୍ଷରେ ସର୍ବକାଳୀନ ରେକର୍ଡ ।

    ସୂଚନାଯୋଗ୍ୟ ଯେ, ୨୦୨୧ ମସିହା ପାଇଁ ୨୦୨୨ ମସିହାରେ କେନ୍ଦୁପତ୍ର ତୋଳାଳିଙ୍କୁ ୧୧୮. ୮୩ କୋଟି ଟଙ୍କାର ବୋନସ ଓ ସହାୟତା ପ୍ରଦାନ କରାଯାଇଥିଲା ।

  • ତ୍ରିପୁରା ସିପିଆଇ (ଏମ୍) ବିଧାୟକ ସାମସୁଲ ହକଙ୍କର ହୃଦଘାତରେ ଦେହାନ୍ତ

    ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ତ୍ରିପୁରାର ବକ୍ସନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ସାମସୁଲ ହକଙ୍କ ପରଲୋକ ଘଟିଛି । ସାମସୁଲ ସିପିଆଇଏମ ଟିକେଟରେ ନିର୍ବାଚନରେ ଜିତିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଜିବିବି ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

    ସାମସୁଲ ଚଳିତ ବର୍ଷ ପ୍ରଥମ ଥର ପାଇଁ ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜୟ ଲାଭ କରି ବିଧାୟକ ହୋଇଥିଲେ । ହାର୍ଟ ଆଟାକ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ସାମସୁଲଙ୍କ ମୃତ୍ୟୁ ପରେ ଏବେ ତ୍ରିପୁରାର ସୋନାମୁରା ଉପମଣ୍ଡଳରେ ୪ଟି ବିଧାନସଭା ଆସନରୁ ୨ଟି ଖାଲି ରହିଛି । ଧନପୁର ଓ ବକ୍ସନଗର ଆସନରେ ଆଗାମୀ ଦିନରେ ନିର୍ବାଚନ କରାଯିବ ।

    ୨୦୨୩ ନିର୍ବାଚନରେ ସାମସୁଲ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବିଜେପିର ତଫଜଲ ହୋସୈନଙ୍କୁ ୪୮୪୯ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ସାମସୁଲଙ୍କ ଅଚାନକ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟୁ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ରାଜ୍ୟପାଳଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ ଓ ରାଜନୈତିକ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି । ଏହି ଅବସରରେ ଦଳୀୟ କର୍ମକର୍ତ୍ତା ଓ ତାଙ୍କର ପ୍ରଶଂସକ ତଥା ଶୁଭେଚ୍ଛୁମାନେ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସାମସୁଲଙ୍କ ଅଚାନକ ବିୟୋଗରେ ତାଙ୍କର ପରିବାରବର୍ଗ ମର୍ମାହତ ହୋଇପଡ଼ିଛନ୍ତି ।

  • ପାଟ୍ରୋଲିଂରେ ଯାଇଥିବା ୪ ବନ କର୍ମଚାରୀଙ୍କୁ ଭାଲୁ ଆକ୍ରମଣ

    ପାଟ୍ରୋଲିଂରେ ଯାଇଥିବା ୪ ବନ କର୍ମଚାରୀଙ୍କୁ ଭାଲୁ ଆକ୍ରମଣ

    ଜଣେ ବନ କର୍ମଚାରୀଙ୍କୁ ଭାଲୁ ଆକ୍ରମଣ କରି ମାରିଦେବା ଘଟଣା ନୂଆପଡା ଜିଲ୍ଲା କୋମନା ରେଞ୍ଜରେ ଆତଙ୍କ ସୃଷ୍ଟି କରିଛି । ମୃତକ ହେଲେ ଫରେଷ୍ଟ ୱାଚର ସନ୍ତୋଷ କୁମାର ଦୁଣ୍ଡି।

    ଗତକାଲି ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ୪ ବନ କର୍ମଚାରୀ ପାଟ୍ରୋଲିଂରେ ଯାଇଥିଲେ। ଭାଲୁଟି ସେମାନଙ୍କୁ ଆକ୍ରମଣ କରିଥିଲା। ପ୍ରଥମେ ଫରେଷ୍ଟର ଗୋପାଳ ମହାନନ୍ଦ ଓ ୱାଚର ସନ୍ତୋଷ କୁମାର ଡୁଣ୍ଡିଙ୍କୁ ଭାଲୁଟି ଜଙ୍ଗଲ ଭିତରକୁ ଟାଣି ନେଇଥିଲା। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଫରେଷ୍ଟ ଗାର୍ଡ଼ ଶଶଧର ସାଣୀ ଓ ସାଗର ଠେଲା ଗୁରୁତର ଆହତ ହୋଇଥିଲେ। ଗାଁ ଲୋକଙ୍କ ସହାୟତାରେ ବନ ଓ ଅଗ୍ନିଶମ କର୍ମଚାରୀମାନେ ପ୍ରଥମେ ଗୁରୁତ ଅବସ୍ଥାରେ ଶଶଧର ଓ ସାଗରଙ୍କୁ ଉଦ୍ଧାର କରିଥିଲେ। ପରେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ନୂଆପଡ଼ା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ସନ୍ତୋଷଙ୍କର ମୃତ୍ୟୁ ଘଟିଛି।

    ଗୁରୁତର ଥିବା ଫରେଷ୍ଟର ଗୋପାଳ ମହାନନ୍ଦ ଓ ଫରେଷ୍ଟ ଗାର୍ଡ ଶଶିଧର ଟାଣିଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି । ପ୍ରୋଟେକସନ୍ ଗାର୍ଡ ସାଗର ଠେଲାଙ୍କୁ ନୂଆପଡା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ସୁରକ୍ଷା ଦାବିରେ କୋମନା ମେଡିକାଲ ସମ୍ମୁଖରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ପରେ କୋମନା ବିଡିଓ, କୋମନା ତହସିଲଦାର ବୁଝାସୁଝା କଲା ପରେ ଆନ୍ଦୋଳନ ପ୍ରତ୍ୟାହୢତ ହୋଇଥିଲା। ତେବେ ଏନେଇ ବନବିଭାଗର ପ୍ରତିକ୍ରିୟା ମିଳିପାରିନି ।

  • ଦୁନିଆର ଅଦ୍ଭୁତ ନଦୀ,  ଦେଖିବାକୁ ଇନ୍ଦ୍ରଧନୁ ପରି

    ଦୁନିଆର ଅଦ୍ଭୁତ ନଦୀ, ଦେଖିବାକୁ ଇନ୍ଦ୍ରଧନୁ ପରି

    କଲମ୍ବିଆରେ ଥିବା କାନୋ କ୍ରିଷ୍ଟାଲେସ୍ ନଦୀ ଏକ ସୁନ୍ଦର ଏସ୍କେପ୍ । କାନୋ କ୍ରିଷ୍ଟାଲେସ୍ ନଦୀ ନେଚର ଲଭର ମାନଙ୍କ ପାଇଁ ଏକ ଫରଫେକ୍ଟ ହଲିଡେ ଡେଷ୍ଟିନେସନ୍ । ଏହି ନଦୀ ଏତେ ରଂଗୀନ ଯେ, ଏହାକୁ ଆକାଶ ମାର୍ଗରୁ ଦେଖିଲେ, ସତେ ଯେପରି ଇନ୍ଦ୍ରଧନୁର ଶଯ୍ଯା ପୃଥିବୀ ପୃଷ୍ଟରେ ପାରି ଦେବା ଭଳି ଅନୁଭବ ହୁଏ । ନଦୀର ଶଯ୍ଯାଟି ପରସ୍ତ ପରସ୍ତ ରଂଗୀନ ରଂଗରେ ସଜାଇ ହୋଇ ରହିବା ଭଳି ଲାଗେ । ତେବେ କ’ଣ ଏହାକୁ କଲେଡୋସ୍କୋପିକ୍ ବା କଲରଫୁଲ୍ କରିଥାଏ ?

    ନଦୀରେ ଥିବା ଜଳଜ ଉଦ୍ଭିଦର ପ୍ରଜନନ ପ୍ରକ୍ରିୟା ସମୟରେ ଏହି ରଙ୍ଗ ଉତ୍ପନ୍ନ ହୁଏ । ଏହାକୁ ମାକେର୍ନିଆ କ୍ଲେଭିଗେରା କୁହାଯାଏ । ଏହି ଉଦ୍ଭିଦ ପୋଡୋଷ୍ଟେମାସି ପରିବାରର ଏକ ପ୍ରଜାତିର । ଜୁଲାଇରୁ ନଭେମ୍ବର ମଧ୍ୟରେ,ଶୈବାଳ, ଜଳୀୟ ଉଦ୍ଭିଦ ଏବଂ ପ୍ରବାଳ ଏବଂ ନାଲି ରଙ୍ଗର ଉଦ୍ଭିଦ ଗୁଡିକ ନଦୀଗର୍ଭରେ ଥିବା ପଥର ସହିତ ଦ୍ରୁତ ଗତିରେ ବଢିଥାଏ । ତେଣୁ, ଜଳ ପୃଷ୍ଠ ତଳେ ଏହି ଉଦ୍ଭିଦ ରଙ୍ଗର ମିଶ୍ରଣ ସୃଷ୍ଟି କରେ । ନାଲି, ନୀଳ, ସବୁଜ, କଳା ଓ ହଳଦିଆ ରଙ୍ଗର ରଙ୍ଗ, ଏହି ନଦୀକୁ ‘ତରଳ ଇନ୍ଦ୍ରଧନୁ’ ଭଳି ଦୃଶ୍ୟମାନ କରାଇଥାଏ ।

    ମୌସୁମୀ ସମୟରେ ଏହା ମନୋରମ ଦର୍ଶନୀୟ ସ୍ଥାନ ପାଲଟେ ଏହି ନଦୀ । ସ୍ଥାନୀୟ ଲୋକଙ୍କ ମତରେ ରଙ୍ଗବେରଙ୍ଗର ଜଳଚର ସୃଷ୍ଟିକୁ ଦେଖିବାର ଉପଯୁକ୍ତ ସମୟ ହେଉଛି, ବାତ୍ୟାର ଠିକ୍ ପରେ ଯେତେବେଳେ ସମସ୍ତ ରଙ୍ଗ ସ୍ପଷ୍ଟ ଦେଖାଯାଏ । ଏହି ନଦୀର ଭୂସଂସ୍ଥାନ ପଛପଟେ ରହିଛି ପଙ୍କ ଏବଂ ଏହା ତଳେ ରହିଛି ୧.୨ ବିଲିୟନ ବର୍ଷ ପୂରୁଣା ଚଟାଣ । ଯେତେବେଳେ ଏହି ସମସ୍ତ ଉପାଦାନ ନଦୀର ବିବିଧ ରଙ୍ଗର ଉଦ୍ଭିଦ ଜୀବନ ସହିତ ମିଶ୍ରିତ ହୁଏ, ଯାହା ଉତ୍ପନ୍ନ କରେ ତାହା ହେଉଛି ଏକ ବିଷ୍ମୟଜନକ ରଙ୍ଗର କ୍ଷେତ୍ର । ବର୍ଷର ଅବଶିଷ୍ଟ ସମୟ ପାଇଁ, ନଦୀଟି କେବଳ ଉଜ୍ଜ୍ୱଳ ଧୂସର ରଙ୍ଗ ଏବଂ ସେଠାରେ କେତେକ ସବୁଜ ରଙ୍ଗରେ ଅବଶୋଷିତ ହୋଇଥାଏ ।

    ୬୨.୧ ମାଇଲ୍ ଲମ୍ବ ଏହି ନଦୀ କଲମ୍ବିଆର ସେରାନିଆ-ଡି-ଲା-ମାକାରେନା ଜାତୀୟ ଉଦ୍ୟାନରେ ରହିଛି । ଏହା ମେଟା ପ୍ରଦେଶରେ ଅବସ୍ଥିତ । ଏହାକୁ ପାଞ୍ଚଟି ରଙ୍ଗର ନଦୀ ବୋଲି କୁହାଯାଏ । ଏହି ତରଳ ଇନ୍ଦ୍ରଧନୁ ବା ନଦୀର ଜୀବନ୍ତ ରଙ୍ଗ ପାଇଁ, ଦକ୍ଷିଣ ଆମେରିକୀୟ ଦେଶର ସବୁଠାରୁ ଦର୍ଶନୀୟ ପ୍ରାକୃତିକ ବିସ୍ମୟ ମଧ୍ୟରୁ ଅନ୍ୟତମ । ବର୍ଷା ଋତୁରେ ନଦୀ ଦ୍ରୁତ ଗତିରେ ଓ ଉଚ୍ଚରେ ପ୍ରବାହିତ ହୁଏ, ଅର୍ଥାତ୍ ସୂଯ୍ୟ ନଦୀ ଶୟ୍ୟାର ଉଦ୍ଭିଦକୁ କ୍ଷତି କରିପାରେ ନାହିଁ । ଏଭଳି ଘଟଣା ପୃଥିବୀରେ ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ । ଏହି ଅଞ୍ଚଳ ଜୈବ ବିବିଧତା ପାଇଁ ଏକ ହଟସ୍ପଟ୍, ଯେଉଁଠାରେ ଆଣ୍ଡିଜ୍ ପର୍ବତ, ଆମାଜନ ଏବଂ ଓରିନୋକୋ ଅବବାହିକା ଏକତ୍ରୀତ ହୋଇଥାଏ ।

    ମହାମାରୀ ପୂର୍ବରୁ ପ୍ରତିବର୍ଷ ଏହି ଦୃଶ୍ୟ ଦେଖିବା ପାଇଁ ହଜାର ହଜାର ପଯ୍ୟଟକଙ୍କ ସମାଗମ ହେଉଥିଲା । ତେବେ ଦେଶର ପଯ୍ୟଟନ ବୋର୍ଡର ସୂଚନା ଅନୁସାରେ, ଏହି ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ପ୍ରତିଦିନ ୨୦୦ ପଯ୍ୟଟକଙ୍କୁ ଅନୁମତି ଦେଇଛି । ଏହି ଅଞ୍ଚଳକୁ ଆସୁଥିବା ପଯ୍ୟଟକଙ୍କ ସଖ୍ୟା ଏତେ ଅଧିକ ଥିଲା ଯେ, କ୍ୟାପ୍ ପରିବେଶ କର୍ତ୍ତୃପକ୍ଷ ନଦୀ ସୁରକ୍ଷା ପାଇଁ ୨୦୧୯ ଡିସେମ୍ବରରେ ଗନ୍ତବ୍ୟ ସ୍ଥଳକୁ ବନ୍ଦ କରିଦେଇଥିଲେ ।

  • ପୋଲକୁ ପୂରିନି ୧୫ ବର୍ଷ, ଭୁଷୁଡି ଧୂଳିସାତ

    ପୋଲକୁ ପୂରିନି ୧୫ ବର୍ଷ, ଭୁଷୁଡି ଧୂଳିସାତ

    ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ରସୁଲପୁର ବ୍ଲକ ନିକଟରେ ଏକ ପୋଲ ଭୁଷୁଡି ପଡିବା ଦ୍ବାରା ଯାତାୟତ ବାଧାପ୍ରାପ୍ତ ହୋଇଛି । ଜାତୀୟ ରାଜପଥର ଏହି ରାସ୍ତାରେ ଗାଡି ଚଳାଚଳ କରୁଥିବା ସମୟରେ ଆଜି ସକାଳୁ ଏକ ବଡ଼ ଶବ୍ଦ ହୋଇଥିଲା । ସ୍ଥାନୀୟ ଲୋକେ ଆସି ଦେଖିଲା ବେଳକୁ ପୋଲଟି ଧସି ଯାଇଛି । ତେବେ ସୌଭାଗ୍ୟବଶତଃ ଏହି ସମୟରେ ପୋଲ ଦେଇ କେହି ଯାତାୟାତ ବା କୌଣସି ଗାଡି ଯାଇନଥିବାରୁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି । ତେବେ ପୋଲ ଧସିବା ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ବ୍ରିଜ୍‌ ଭୁଷୁଡ଼ିବା ଯୋଗୁଁ ଗାଡ଼ି ଚଳାଚଳକୁ ବନ୍ଦ କରି ଦିଆଯାଇଛି ।

    ଅନ୍ୟ ଏକ ରାସ୍ତା ଦେଇ ଗାଡ଼ିମଟର ଯାତାୟତ କରୁଛି । ପ୍ରତିଦିନ ଶହଶହ ଲୋକ ଓ ଗାଡ଼ି ମଟର ବାଲେଶ୍ୱରରୁ ଭୁବନେଶ୍ୱର ଏହି ବ୍ରିଜ ଦେଇ ଯିବା ଆସିବା କରିଥାନ୍ତି । ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ୨୦୦୭-୦୮ରେ ଏହି ପୋଲଟି ତିଆରି ହୋଇଥିଲା । ପୋଲଟି ସେତିକି ମଜବୁତ ଭାବେ ତିଆରି ହୋଇନଥିବାରୁ ଆଜି ସକାଳେ ପୋଲଟି ଭୁଷୁଡୁ ପଡ଼ିଛି । ନିମ୍ନମାନର କାମ ଯୋଗୁଁ ପୋଲଟି ଭୁଷୁଡ଼ି ପଡ଼ିଥିବା ଜଣାପଡ଼ିଛି । ଏନଏଚଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ଜେପି ବର୍ମା କହିଛନ୍ତି, ନିର୍ମାଣଗତ ତ୍ରୁଟି ପାଇଁ ଯାଜପୁର ରସୁଲପୁର NH-୧୬ରେ ଥିବା ବ୍ରିଜ୍ ଭୁଷୁଡ଼ି ପଡ଼ିଛି । ନିର୍ମାଣଗତ ତ୍ରୁଟିର ଅନୁଧ୍ୟାନ ପାଇଁ ବିଶେଷଜ୍ଞ କମିଟି ଆସୁ ପହଞ୍ଚିଛି । ଏଥିପାଇଁ ବିଶେଷଜ୍ଞ କମିଟିର ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ । ୨୦୦୮ ମସିହାରେ ଏହି ବ୍ରିଜ୍ ନିର୍ମାଣ ହୋଇଥିଲା, ଏହା ୫୦ ବର୍ଷ ରହିବା କଥା । ହେଲେ ବ୍ରିଜଟି ଅଳ୍ପ ଦିନରେ ଭୁଶୁଡ଼ି ପଡ଼ିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ଦେହାନ୍ତ

    କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ଦେହାନ୍ତ

    କଂଗ୍ରେସର ବରିଷ୍ଠ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ଦେହାନ୍ତ ହୋଇଛି। ମଙ୍ଗଳବାର ଦିନ ତାଙ୍କ ପରିବାର ତଥା କେରଳ କଂଗ୍ରେସ ସଭାପତି କେ ସୁଧାକରନ ଏ ସଂପର୍କରେ ଘୋଷଣା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।

    ଅସୁସ୍ଥତା ହେତୁ ଓମେନ ଚାଣ୍ଡି ଦୀର୍ଘଦିନ ଧରି ଚିକିତ୍ସାଧିନ ଥିଲେ । ୨୦୧୯ ପରଠାରୁ ଅସୁସ୍ଥତା କାରଣରୁ ଓମେନ ଚାଣ୍ଡି ଚିକିତ୍ସିତ ହେଉଥିବା ବେଳେ ରବିବାର ତାଙ୍କୁ ବେଙ୍ଗାଲୁରୁକୁ ଏୟାରଲିଫ୍ଟ କରାଯାଇଥିଲା । ମାତ୍ର ସେଠାରେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ବେଙ୍ଗାଲୁରୁରେ ତାଙ୍କର ପରଲୋକ ଘଟିଛି ।

    ଓମେନ ଚାଣ୍ଡି କଂଗ୍ରେସର ଜଣେ ବରିଷ୍ଠ ନେତା ହୋଇଥିବା ବେଳେ କେରଳରେ ଦୁଇଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି। । ସେ ୨୦୦୪ରୁ ୨୦୦୬ ମସିହା ପର୍ଯ୍ୟନ୍ତ ଓ ୨୦୧୧ରୁ ୨୦୧୬ ମସିହା ପର୍ଯ୍ୟନ୍ତ କେରଳ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ପ୍ରାୟ ୫ ଦଶନ୍ଧି ଧରି ରାଜନୀତିରେ ଚାଣ୍ଡିଙ୍କର ସକ୍ରିୟ ଭୂମିକା ଥିଲା ।

    ଓମେନ ଚାଣ୍ଡିଙ୍କ ବିୟୋଗରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏନେଇ ଟ୍ୱିଟ କରି ସେ କହିଛନ୍ତି, ଆମର ରାଜନୈତିକ କ୍ୟାରିଅର ଏକସାଙ୍ଗେ ଆରମ୍ଭ ହୋଇଥିଲା । ଓମେନ୍ ଚାଣ୍ଡି ଜଣେ ଦକ୍ଷ ପ୍ରଶାସକ ଏବଂ ଏଭଳି ବ୍ୟକ୍ତିତ୍ୱ ଯିଏ ଲୋକଙ୍କ ସହ ଘନିଷ୍ଠ ଭାବରେ ଜଡିତ ଥିଲେ ବୋଲି ସେ କହିଛନ୍ତି ।

    କେ ସୁଧାକରନ ଏକ ଟ୍ବିଟ୍‌ ପୋଷ୍ଟ୍‌ କରି ଲେଖିଛନ୍ତି, ‘ପ୍ରେମର ଶକ୍ତିରେ ସାରା ବିଶ୍ବକୁ ଜୟ କରିଥିବା ଜଣେ ରାଜାଙ୍କ କାହାଣୀର ଦୁଃଖଦ ଅନ୍ତଃ ଘଟିଛି। ସେଭଳି ଜଣେ କିମ୍ବଦନ୍ତୀଙ୍କୁ ହରାଇ ମୁଁ ଗଭୀର ଭାବେ ଦୁଃଖିତ। ସେ ଅସଂଖ୍ୟ ବ୍ୟକ୍ତିବିଶେଷଙ୍କ ଜୀବନକୁ ଛୁଇଁପାରିଛନ୍ତି। ସଦାବେଳେ ସେ ଆମ ଭିତରେ ରହିବେ। ତାଙ୍କ ଅମର ଆତ୍ମାକୁ ଶାନ୍ତି ମିଳୁ (ରିପ୍‌)।’