Category: ମୁଖ୍ୟ ଖବର

  • ବାହାରେ ଫୋନ୍‌ ଚାର୍ଜ କରୁଛନ୍ତି କି,ସାବଧାନ !

    ବାହାରେ ଫୋନ୍‌ ଚାର୍ଜ କରୁଛନ୍ତି କି,ସାବଧାନ !

    ବର୍ତ୍ତମାନ ଚାଲିଛି ସ୍ମାର୍ଟ ଫୋନ୍‌ର ଯୁଗ । ପିଲାଠୁ ବୁଢ଼ା ଯାଏଁ ଏବେ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍‌ । ସମସ୍ତେ ସ୍ମାର୍ଟ ଫୋନ୍‌ ସହ ବିଜି । ସକାଳୁ ଆଖି ଖୋଲୁ ଖୋଲୁ ହାତ ଖୋଜେ ଫୋନ୍‌ । ଆଉ ସେହି ଫୋନ୍‌ରେ ସବୁବେଳେ ଅନ୍‌ ଥାଏ ଡାଟା ବା ଇଣ୍ଟରନେଟ୍‌ । ଏମିତିରେ ସମସ୍ତଙ୍କର ଅଭ୍ୟାସ ହୋଇଗଲାଣି ଫୋନ୍‌ । ପରିବାର ଲୋକ ତ ଦୂରର କଥା ପାଖ ପଡ଼ୋଶୀ କିମ୍ବା ସାଙ୍ଗ ସାଥୀ ବି ଆଉ ନାହାନ୍ତି । ଲୋକଙ୍କ ଅଧିକାଂଶ ସମୟ ଏବେ କେବଳ ସ୍ମାର୍ଟ ଫୋନ୍ ସହ ବିତୁଛି ।

    ତେବେ ଆପଣ ଭାବୁଥିବେ ଆମେ କାହିଁକି ଆଜି ଏକଥା କହୁଛୁ । ଆମେ ଏହି କଥା କହିବାର ମୂଳ ତାତ୍ପର୍ଯ୍ୟ ହେଲା, ସ୍ମାର୍ଟ ଫୋନ୍‌ ଧରି ଲୋକେ ଯେତିକି ସ୍ମାର୍ଟ ହେଉଛନ୍ତି ଚୋର ବି ସେତିକି ସ୍ମାର୍ଟ ହେଉଛନ୍ତି । ଏବେ ଯୁଆଡ଼େ ଦେଖିବ ଖାଲି ସାଇବର ଫ୍ରଡ୍‌ । ଭିନ୍ନ ଭିନ୍ନ ଉପାୟରେ ସାଇବର ଠକ ମାନେ ଲୋକଙ୍କୁ ଲୁଟି ଚାଲିଛନ୍ତି । ଲୋକେ ଯେତେ ସତର୍କ ହେଲେ ବି ସାଇବର ଠକ ନୂଆ ନୂଆ ଫଣ୍ଡା ଆପଣାଇ ଚୋରି କରୁଛନ୍ତି ।

    ଏବେ ଆମ ନଜରକୁ ଆସିଛି ସାଇବର ଠକଙ୍କ ଆଉ ଏକ ନୂଆ ଫଣ୍ଡା । ଯାହା ଶୁଣିଲେ ଆପଣ ବି ଚିନ୍ତାରେ ପଡ଼ିଯିବେ । ତାହା ହେଲା ମୋବାଇଲ ଚାର୍ଜିଂ ପଏଣ୍ଟ କରିବା ବାହାନାରେ ସାଇବର ଠକ କରୁଛନ୍ତି ଲୁଟ୍ । ଆପଣ କେବେ ପବ୍ଲିକ୍‌ ପ୍ଲେସ୍‌ରେ ଲାଗିଥିବା ଚାର୍ଜରରେ ମୋବାଇ ଚାର୍ଜ କରିଛନ୍ତି କି ? ଯଦି ହଁ, ତେବେ ଆଗକୁ ଆଉ ସେହିଭଳି ଭୁଲ କରନ୍ତୁ ନାହିଁ । କାରଣ ସାଇବର ଠକ ଏବେ ଏମିତି ଏକ ଟେକ୍ନୋଲୋଜିର ଉଦ୍‌ଭାବନ କରିଛନ୍ତି, ଯାହାକି ଲୁଟ୍‌ କରିବାର ଆଉ ଏକ ସହଜ ତରିକା । ଯେଉଁଥିରେ କାହାରିକୁ ବି ସନ୍ଦେହ ହେବ ନାହିଁ ।

    ସାଧାରଣତଃ ଯେଉଁମାନେ ଅଧିକାଂଶ ସମୟରେ ଘରୁ ବାହାରେ ରହୁଛନ୍ତି ବା ବିଭିନ୍ନ ସ୍ଥାନକୁ ଯାତ୍ରା କରୁଛନ୍ତି, ସେମାନଙ୍କ ମୋବାଇଲରୁ ଚାର୍ଜ ସରିବା ମାତ୍ରେ ସେମାନେ ବିଭିନ୍ନ ପବ୍ଲିକ୍‌ ପ୍ଲେସ୍‌ରେ ଲାଗିଥିବା ଚାର୍ଜିଂ ପଏଣ୍ଟରେ ମୋବାଇଲ ଚାର୍ଜ କରିଥାନ୍ତି । ଏହା ଅଧିକାଂଶ ସମୟରେ ସପିଂ ମଲ କିମ୍ବା ଏୟାରପୋର୍ଟରେ ଦେଖାଯାଏ । କିମ୍ବା କୌଣସି ପବ୍ଲିକ୍‌ ଟ୍ରାନ୍ସପୋର୍ଟରେ ଗଲା ବେଳେ ମଧ୍ୟ ଲୋକେ ମୋବାଇଲ ଚାର୍ଜ କରିଥାନ୍ତି । ଆଉ ଏହାର ଫାଇଦା ଉଠାଇଥାନ୍ତି ସାଇବର ଠକ ।

    ଜୁସ୍‌ ଜ୍ୟାକିଂ ନାମକ ଏକ ନୂଆ ଟେକ୍‌ନିକ୍‌ ବାହାର କରିଛନ୍ତି ସାଇବାର ଠକ । ଏହାକୁ ସେମାନେ ପବ୍ଲିକ୍‌ ପ୍ଲେସ୍‌ରେ ଲାଗିଥିବା ସେହି ସବୁ ଚାର୍ଜିଂ ପଏଣ୍ଟରେ ବ୍ୟବହାର କରୁଛନ୍ତି । ଆଉ ସେହିଠାରେ କୌଣସି ସାଧାରଣ ଲୋକ ମୋବାଇଲ୍‌ ଚାର୍ଜରେ ଲଗାଇବା ମାତ୍ରେ, ତାକୁ ସେମାନେ ହ୍ୟାକ୍‌ କରି ନେଉଛନ୍ତି । ତାପରେ ମୋବାଇଲ୍‌ରେ ଥିବା ସମସ୍ତ ତଥ୍ୟ ହ୍ୟାକର ହାତ ମୁଠାରେ ରହିଥାଏ । ଏଥିରୁ ସେମାନେ ବ୍ୟାଙ୍କ୍ ଡିଟେଲ୍ସ ଠାରୁ ଆରମ୍ଭ କରି ସବୁ ତଥ୍ୟ ପାଇପାରନ୍ତି । ଏମିତିକି ନିମିଷେକେ ଆକାଉଣ୍ଟ ମଧ୍ୟ ଖାଲି କରିପାରନ୍ତି ।

    ଖାଲି ସେତିକି ନୁହେଁ ହ୍ୟାକର ମାନେ ଏହି ଚାର୍ଜି ପୋର୍ଟ ଦ୍ୱାରା ଏମିତି ଏକ ଭାଇରସ୍‌ ମୋବାଇଲକୁ ଛାଡ଼ନ୍ତି ଯାହା ଦ୍ୱାରା ପର ମୁହୁର୍ତ୍ତରେ ମଧ୍ୟ ସେମାନେ ଉକ୍ତ ମୋବାଇଲକୁ ରିମୋଟ୍ ଦ୍ୱାରା ଚଳାଇ ପାରନ୍ତି । ତେବେ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଏବେ ଏହାକୁ ନେଇ ଚର୍ଚ୍ଚା ଚାଲିଛି ।

  • ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କେବଳ ଏକ ସଂଗଠନ ନୁହେଁ,ଏହା ମହିଳାଙ୍କ ଦ୍ୱାରା ପରିଚାଳିତ ଏକ ସାମାଜିକ ଓ ଆଧ୍ୟାତ୍ମିକ ଅଭିଯାନ

    ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କେବଳ ଏକ ସଂଗଠନ ନୁହେଁ,ଏହା ମହିଳାଙ୍କ ଦ୍ୱାରା ପରିଚାଳିତ ଏକ ସାମାଜିକ ଓ ଆଧ୍ୟାତ୍ମିକ ଅଭିଯାନ

    ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଦଶବାଟିଆ ଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ‘‘ଡିଭାଇନ୍ ଲାଇଟ୍ ହାଉସ’’ ବା ଦୈବିକ ଆଲୋକ ଭବନ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସେ ସେମିନାର ଓ ସମ୍ମିଳନୀ ଆୟୋଜନ କରିବା ଲାଗି ଚଳିତ ବର୍ଷର ବିଷୟବସ୍ତୁ ‘‘ସକାରାତ୍ମକ ପରିବର୍ତ୍ତନର ବର୍ଷ’’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ।

    ରାଷ୍ଟ୍ରପତି କାର୍ଯ୍ୟକ୍ରମ ଅବସରରେ ଉଦବୋଧନ ଦେଇ କହିଥିଲେ, ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କେବଳ ଏକ ସଂଗଠନ ନୁହେଁ ବରଂ ଏହା ମହିଳାଙ୍କ ଦ୍ୱାରା ପରିଚାଳିତ ଏକ ସାମାଜିକ ଓ ଆଧ୍ୟାତ୍ମିକ ଅଭିଯାନ। ମାନବ ଜଗତ ପାଇଁ ଉଭୟ ଭୌତିକ ଏବଂ ଆଧ୍ୟାତ୍ମିକ ବିକାଶ ଜରୁରୀ । ସେ ଆହୁରି କହିଥିଲେ ଯେ, ପ୍ରଯୁକ୍ତି ପରିବର୍ତ୍ତନର ବାହକ ଏବଂ ସେହି ପରିବର୍ତ୍ତନକୁ ଅଣଦେଖା କରାଯାଇପାରିବ ନାହିଁ, କାରଣ ବିକାଶ ପାଇଁ ଏହା ଜରୁରୀ । ଶ୍ରୀମତୀ ମୁର୍ମୁ କହିଥିଲେ ଯେ, ଭୌତିକ ପରିବର୍ତ୍ତନ ଆମକୁ ଖୁସି ଦେଇପାରେ କିନ୍ତୁ ଆଧ୍ୟାତ୍ମିକ ମାର୍ଗରେ ଚାଲିଲେ ମାନସିକ ଶାନ୍ତି ମିଳିଥାଏ। ଧ୍ୟାନ ଏବଂ ଏକ ଶୃଙ୍ଖଳିତ ଜୀବନଶୈଳୀ ଜରିଆରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆଧ୍ୟତ୍ମିକତାର ମାର୍ଗ ଦେଖାଉଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ।

    ରାଷ୍ଟ୍ରପତି କହିଥିଲେ ଯେ, ବିଭିନ୍ନ ସମୟରେ ଅନେକ ନକାରାତ୍ମକ ଚିନ୍ତାଧାରା ଆମ ମାନସିକତାକୁ ପ୍ରଭାବିତ କରିଥାଏ। କିନ୍ତୁ ଆତ୍ମସମୀକ୍ଷା ନକରିବା କାରଣରୁ, ଆମେ ନକାରାତ୍ମକ ବିଚାରର ଶିକାର ହୋଇଥାଉ ବୋଲି ସେ କହିଥିଲେ। ଶ୍ରୀମତୀ ମୁର୍ମୁ ଆହୁରି କହିଥିଲେ ଯେ, ଆମ ଭିତରେ ଈର୍ଷା ଓ ଘୃଣା ଭାବନା ବଢ଼ିଚାଲିଛି । ‘‘ଆଜି ଆମ ଆଗରେ ସବୁଠୁ ବଡ଼ ଆହ୍ୱାନ ହେଉଛି, ନକାରାତ୍ମକ ଚିନ୍ତାଧାରାର ମୁକାବିଲା କରିବା ଏବଂ ସକାରାତ୍ମକତା ଦିଗରେ ଅଗ୍ରସର ହେବା,’’ ରାଷ୍ଟ୍ରପତି କହିଥିଲେ । ମାନବ ଜାତିକୁ ସଚେତନ କରିବା ଏବଂ ସକାରାତ୍ମକ ଦିଗରେ ଅଗ୍ରସର ହେବା ଲାଗି ଲୋକମାନଙ୍କୁ ସହାୟତା କରିବା ଲାଗି ସେ ବ୍ରହ୍ମାକୁମାରୀ ସଂଗଠନର ପ୍ରୟାସକୁ ପ୍ରଶଂସା କରିଥିଲେ ।

  • ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ କୋଟି ଟଙ୍କାର ଲାଭାଂଶ

    ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ କୋଟି ଟଙ୍କାର ଲାଭାଂଶ

    ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି । ରାଜ୍ୟ ଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ, କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ ସାହୁ, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର ପ୍ରମୁଖ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ତିନି ବର୍ଷର ଲାଭାଂଶ ବାବଦରେ ୫ କୋଟି ୨ ଲକ୍ଷ ୬୬ ହଜାର ଟଙ୍କାର ଲାଭାଂଶ ପ୍ରଦାନ କରିଛନ୍ତି ।

    ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ଲିମିଟେଡ ଏକ ରୌପ୍ୟ ବର୍ଗର ସାର୍ବଜନୀକ କ୍ଷେତ୍ରର ରାଜ୍ୟ ସରକାରଙ୍କ ଉଦ୍ୟୋଗ, ଯାହାକି କ୍ଷୁଦ୍ରଶିଳ୍ପର ପ୍ରତିଷ୍ଠା, ପ୍ରଚାର ଏବଂ ପ୍ରସାର ନିମନ୍ତେ ଅଂଗୀକାରବଦ୍ଧ । ସରକାରଙ୍କ ନିମନ୍ତେ ବିଭିନ୍ନ ସାମଗ୍ରୀର କ୍ରୟ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏତଦ୍‌ବ୍ୟତୀତ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବିଦ୍ୟୁତିକରଣ ତଥା ନିର୍ମାଣ କାର୍ଯ୍ୟରେ ନିଜର ଅବଦାନ ମଧ୍ୟ ଦେଇଆସୁଅଛି।
    
    
    ଏତଦ୍ବ୍ୟତୀତ କମ୍ପାନୀ ମାନଙ୍କର ସାମାଜିକ ଦାୟିତ୍ବ ପାଣ୍ଠିର ସୁବିନିଯୋଗରେ ସ୍କୁଲ ନିର୍ମାଣ, ପଶୁଧନ କେନ୍ଦ୍ର ନିର୍ମାଣ, ସ୍କୁଲ ଉପକରଣ କ୍ରୟ, ଜଳ ବିଶୋଧନ ଉପକରଣ କମ୍ପ୍ୟୁଟର କ୍ରୟ, ଫ୍ରିଜ ତଥା ବିଭିନ୍ନ କ୍ରୟ ମୋ ସ୍କୁଲ ଅଭିଯାନ। ଆଜି ବିଭିନ୍ନ କଲ୍ୟାଣ ଓ ବିକାଶ କାର୍ଯ୍ୟକ୍ରମ ମଧ୍ୟ ନିଗମ ପକ୍ଷରୁ କରାଯାଉଅଛି ।
  • ପ୍ରଥମାଖଣ୍ଡି – ବନ୍ଧଡିହ ରାସ୍ତା କାମରେ ମହା ଘୋଟାଲା, ଠିକାଦାର ଦେଖାଉଛନ୍ତି ନାଲିଆଖି

    ପ୍ରଥମାଖଣ୍ଡି – ବନ୍ଧଡିହ ରାସ୍ତା କାମରେ ମହା ଘୋଟାଲା, ଠିକାଦାର ଦେଖାଉଛନ୍ତି ନାଲିଆଖି

    ପ୍ରଥମାଖଣ୍ଡି – ବନ୍ଧଡିହ ରାସ୍ତା କାମରେ ମହା । କୁମ୍ଭକର୍ଣ୍ଣ ନିଦରେ ପ୍ରଶାସନ। କୋଟି କୋଟି ଟଙ୍କା ଗିଳି ଠିକାଦାର ମାଲେମାଲ। ସାଧାରଣ ଜନତା ହେଉଛନ୍ତି ହନ୍ତସନ୍ତ। ଆମେ କହୁଛୁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ମୂଳାପାଳ ଛକ ପ୍ରଥମାଖଣ୍ଡିରୁ ବନ୍ଧଡିହ ରାସ୍ତା କଥା। ଦଶମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସରୁନି କାମ। ସେପଟେ କୁମ୍ଭକର୍ଣ୍ଣକୁ ବଳିଯାଇଛି ସ୍ଥାନୀୟ ପ୍ରଶାସନ। ଠିକାଦାର ମନମୁଖୀ କାମ କରି ଚଳୁ କରୁଛନ୍ତି ଟଙ୍କା। ଫଳରେ ମୂଳାପାଳ ଛକ ପ୍ରଥମାଖଣ୍ଡିରୁ ବନ୍ଧଡିହ ରାସ୍ତା ପାଲଟିଛି ମରଣଯନ୍ତା। ଦଶରୁ ଅଧିକ ପଂଚାୟତର ହଜାର ହଜାର ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହାକୁ ନେଇ ଠିକାଦାରଙ୍କୁ ପଚାରିବାରୁ ଜନସାଧାରଣଙ୍କୁ ନାଲିଆଖି ଦେଖାଉଛନ୍ତି ଠିକାଦାର।

    ଏଠାରେ କହିରଖୁଛୁ କି, ରାସ୍ତାର ଉନ୍ନତି କରଣ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଏବଂ ବରୀ ବିଧାୟିକା ସୁନନ୍ଦା ଦାସ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ସୂଚନା ଫଳକ ଅନୁଯାୟୀ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ୯,୬୭,୧୭୦୦୦ ବ୍ୟୟ ଅଟକଳ ହୋଇଥିଲା। ଏହାରି ଭିତରେ କାର୍ଯ୍ୟ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସରୁନି କାମ। ଏନେଇ ଠିକାଦାରଙ୍କୁ କହିଲେ ସେ କର୍ଣ୍ଣପାତ କରୁନାହିଁ କୌଣସି କଥାକୁ। ଠିକାଦାରଙ୍କ ଏପରି ବପରୁଆ ରଙ୍ଗ ଢଙ୍ଗକୁ ଦେଖି ସ୍ପଷ୍ଟବାରି ହୁଏ ଯେ ଠିକାଦାର କୌଣସି ବାବୁ ଭାୟାଙ୍କ ଛତ୍ରଛାୟା ତଳେ ଅଛନ୍ତି, ତେଣୁ କାହାରିକୁ ନାହିଁ ଡର କି ଭୟ। ଯାହା ସାଧାରଣରେ ଅସନ୍ତୋଷର କାରଣ ହୋଇଛି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଧ୍ୟାନ ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଯୋଜନା କଲେଣି ସାଧାରଣ ଲୋକେ ।

  • ହୁଲକ୍ ଗିବନ ଓ ଲିଓପାର୍ଡ ନନ୍ଦନକାନନର ନୂଆ ଅତିଥି

    ହୁଲକ୍ ଗିବନ ଓ ଲିଓପାର୍ଡ ନନ୍ଦନକାନନର ନୂଆ ଅତିଥି

    ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି। ୨ଟି ହୁଲକ୍ ଗିବନ ଏବଂ ୨ଟି ଲିଓପାର୍ଡ କ୍ୟାଟଙ୍କୁ ସ୍ୱାଗତ କରିଛନ୍ତି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ। ଅରୁଣାଚଳ ପ୍ରଦେଶ ଇଟାନଗର ପ୍ରାଣୀ ଉଦ୍ୟାନରୁ ଅଦଳ ବଦଳ ପ୍ରକ୍ରିୟାରେ ଏହି ନୂଆ ଅତିଥିଙ୍କୁ ଅଣାଯାଇଛି।

    ନନ୍ଦନକାନନରୁ ବାଘ ରକି, ବାଘୁଣୀ ସୋହିନୀ ଏବଂ ଦୁଇଟି ଘଡ଼ିଆଳ କୁମ୍ଭୀର ବଦଳରେ ୨ଟି ହୁଲକ୍ ଗିବନ ଓ ଦୁଇଟି ଲିଓପାର୍ଡ କ୍ୟାଟ୍ ନନ୍ଦନକାନନ ଆସିଛନ୍ତି। ଏନେଇ ସେଣ୍ଟ୍ରାଲ୍ ଜୁ’ ଅଥୋରିଟି ପକ୍ଷରୁ ଅନୁମୋଦନ ମିଳିବା ପରେ ଇଟ୍ଟାନଗରରୁର ଏକ ଟିମ୍ ନନ୍ଦନକାନନ ଆସିଥିଲେ। ବାଘ ରକି ଓ ବାଘୁଣୀ ସୋହିନୀ ଏବଂ ଦୁଇଟି ଘଡ଼ିଆଳ କୁମ୍ଭୀରକୁ ନେଇ ଯାଇଥିଲେ। ସେହିପରି ନନ୍ଦନକାନନରୁ ଏକ ୬ଜଣିଆ ଟିମ୍ ଇଟ୍ଟାନଗର ଯାଇଥିଲେ।

    ସୂଚନାଯୋଗ୍ୟ, ସୋହିନୀ ୨୦୨୧ ଏପ୍ରିଲ ୧୪ ତାରିଖରେ ଜନ୍ମଲାଭ କରିଥିଲା। ସାଧାରଣ ନାଲି ରଙ୍ଗର ବାଘୁଣୀ ଓ ମେଘା ଓ ମହାବଳ ନନ୍ଦନର ମିଳନରୁ ସୋହିନୀ ଜନ୍ମଲାଭ କରିଥିଲା। ସେହିଭଳି ରକି ୨୦୨୧୧ ମାର୍ଚ୍ଚ ୨୮ରେ ଧଳା ରଙ୍ଗର ବାଘୁଣୀ ବିଜୟା ଓ ସାଧାରଣ ନାଲି ରଙ୍ଗର ବାଘର ସେଫ୍‌ର ମିଳନରୁ ଜନ୍ମଲାଭ କରିଥିଲା।

  • କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    କଟକ ଚଣ୍ଡୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଡ଼କ ପଥରେ ଯାଇ କଟକରେ ପହଞ୍ଚିଲେ ସେ। ସ୍ୱତନ୍ତ୍ର କାରକେଡର ସହ ରାଷ୍ଟ୍ରପତି କଟକ ଆସିଥିବାବେଳେ ପ୍ରଥମେ କଟକ ଚଣ୍ଡୀମନ୍ଦିର ପହଞ୍ଚି ମା ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି। ପରେ ରାଷ୍ଟ୍ରପତି ଶୈଳଵାଳା ମହିଳା ମହାବିଦ୍ୟାଳୟରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ତାପରେ ନେତାଜୀ ସଂଗ୍ରହାଳୟରେ ନେତାଜୀଙ୍କୁ ମାଲ୍ୟାର୍ପଣ କରି ପରେ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ଚଣ୍ଡୀମନ୍ଦିର ନିକଟରେ କଟକବାସୀଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି। ଏପରିକି ଓଡ଼ିଆ ଝିଅ ଶ୍ରୀ ମୁର୍ମୁଙ୍କୁ ଭେଟିବା ପାଇ ବେଶ ଉତ୍ସାହିତ ରହିଛନ୍ତି କଟକବାସୀ।

    ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ପୋଲିସ ତତ୍ପର ରହିଥିବା ଦେଖିବାକୁ ମିଳିଛି । ତେବେ ଗସ୍ତରେ କୌଣସି ସମସ୍ୟା ସୃଷ୍ଟି ନ ହେଉ, ସେଥିପାଇଁ ଓଡ଼ିଶା ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କଟକରେ ପହଞ୍ଚି ମହାମହିମ କଟକ ଚଣ୍ଡୀ ଦର୍ଶନ କରିବା ସହିତ ନେତାଜୀ ସଂଗ୍ରହାଳୟ ପରିଦର୍ଶନ କରିବେ । ଏହାପରେ ଓଡ଼ିଆର ଗୌରବ ମଧୁସୂଦନ ଦାସ ଏବଂ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବେ ରାଷ୍ଟ୍ରପତି । ଏପରିକି ଛୋଟ ଠୁ ବଡ଼ ପର୍ଯ୍ୟନ୍ତ ସଭିଏଁ କିଛି ନା କିଛି ଉପହାର ସ୍ଵରୂପ ଭେଟି ନେଇ ଆସିଛନ୍ତି ରାଷ୍ଟ୍ରପତିଙ୍କ ପାଇଁ। କଟକର ପ୍ରଫୁଲ୍ଲ ମହଲ୍ଲ ଓ ଛାତ୍ରୀ ସୋନାକ୍ଷୀ ମହାପାତ୍ର ରାଷ୍ଟ୍ରପତିଙ୍କ ଅବିକଳ ଚିତ୍ର ଆଙ୍କି ଭେଟି ଦେବାର ଆଶା ରଖିଛନ୍ତି। କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

    ରାଷ୍ଟ୍ରପତି କଟକ ଉଚ୍ଚ ନ୍ୟାୟାଳୟର ୭୫ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ଉତ୍ସବ, ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ‌ମହାବିଦ୍ୟାଳୟ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ଯୋଗଦେବେ। ସଂଧ୍ୟାରେ ପୁଣି ରାଜଭବନକୁ ଫେରିବେ। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମୟରେ ଯେଭଳି କୌଣସି ତ୍ରୁଟି ନଦେଖାଯାଏ ସେ ନେଇ କମିସନରେଟ୍‌ ପୁଲିସ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

  • ୧୩ ବର୍ଷୀୟ ଝିଅକୁ ତଣ୍ଟି ଚିପି ମାରିଦେଲା ପିଶାଚ ବାପା

    ୧୩ ବର୍ଷୀୟ ଝିଅକୁ ତଣ୍ଟି ଚିପି ମାରିଦେଲା ପିଶାଚ ବାପା

    ବାଡ଼ ଯେବେ ଫସଲ ଖାଏ,ଗୁହାରି କାହାକୁ ଆଉ ଜଣାଇବା । ବର୍ତ୍ତମାନ ଆମ ସମାଜ କଳୁଷିତ ହେବାରେ ବସିଲାଣି ଦୟାମାୟା କ୍ଷମା ସବୁ ଭୁଗଲାଣି ଏହି ସମାଜରେ ବାସ କରୁଥିବା ମଣିଷ I ଏମିତିକି ଜୁଇରେ ପୋଡାହେଉଥିବା ନିଜ ଝିଆରୀର ପୋଡା ମାଂସ ମଧ୍ୟ ଖାଇବାରେ ପଛାଇନଥିଲା ନିଜ କାକା I ସେହିଭଳି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ I ପାରିବାରିକ କଳହର କରୁଣ ପରିଣତି । ପିଶାଚ ବାପାର ନାରକୀୟ କାଣ୍ଡ । ୧୩ ବର୍ଷୀୟ ଝିଅକୁ ତଣ୍ଟି ଚିପି ମାରିଦେଲା ପିଶାଚ ବାପା । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଝିଅର ମୃତଦେହକୁ ଜବତ କରିବା ସହ ପିଶାଚ ବାପାକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।

    ସୂଚନା ଅନୁସାରେ ଗତକାଲି ଅପରାହ୍ନରେ କେନ୍ଦୁବାହାରା ଗାଁର ଗଜାନନ୍ଦ ମାଝୀ ମଦ ପିଇ ଘରକୁ ଯାଇଥିଲେ । ଏହି ସମୟରେ ସ୍ତ୍ରୀ ଗୋପପୁରୀ ମାଝୀଙ୍କ ସହ ଯୁକ୍ତିତର୍କ ହୋଇଥିଲା । ପରେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ବଢ଼ି ଯାଇଥିଲା । ଏହାଦେଖି ଝଗଡ଼ା ବନ୍ଦ କରିବା ପାଇଁ ଆସିଥିଲା ଝିଅ । ଏଥିରେ ଉତକ୍ଷିପ୍ତ ହୋଇ ହିତାହିତ ଜ୍ଞାନ ହରାଇ ବସିଥିଲା ଅଭିଯୁକ୍ତ ।

    ନିଶାସକ୍ତ ବାପା ୧୩ ବର୍ଷର ନାବାଳିକା ଝିଅଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ଆଜି ସକାଳୁ ଧରମବନ୍ଧା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପିଶାଚ ବାପାଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଧରମବନ୍ଧା ଆଇଆଇସି ବିନୋଦ ବିହାରୀ ସେଠୀ ସୂଚନା ଦେଇଛନ୍ତି ।

  • ଇସ୍ରୋ ପକ୍ଷରୁ ୭ ଉପଗ୍ରହର ଉତ୍‌କ୍ଷେପଣ ଚଳିତମାସ ୩୦ରେ

    ଇସ୍ରୋ ପକ୍ଷରୁ ୭ ଉପଗ୍ରହର ଉତ୍‌କ୍ଷେପଣ ଚଳିତମାସ ୩୦ରେ

    ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଚଳିତମାସ ୩୦ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସେଣ୍ଟରରୁ ୭ଟି ଉପଗ୍ରହ ମହାକାଶକୁ ଉତ୍‌କ୍ଷେପଣ କରାଯିବ ବୋଲି ଜଣାପଡିଛି । ଏହି ଉପଗ୍ରହଗୁଡିକ ସିଙ୍ଗାପୁରର ହୋଇଥିବାବେଳେ ଉତ୍‌କ୍ଷେପଣ ପାଇଁ ପିଏସଏଲଭି-ସି୫୬ ରକେଟ ବ୍ୟବହାର କରାଯିବ । ସିଙ୍ଗାପୁରୀର ଡିଫେନ୍ସ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି ଏଜେନ୍ସିର ମିଳିତ ସହଯୋଗରେ ଇସ୍ରୋ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି । କକ୍ଷପଥରେ ଅବସ୍ଥାପିତ ହୋଇ କାର୍ଯ୍ୟକ୍ଷମ ହେବାପରେ ଏହି ଉପଗ୍ରହଗୁଡିକ ସିଙ୍ଗାପୁର ସରକାରଙ୍କ ବିଭିନ୍ନ ସଂସ୍ଥାର ଆବଶ୍ୟକତା ପୂରଣ କରିବ ବୋଲି କୁହାଯାଇଛି । ମହାକାଶରୁ ଏହି ଉପଗ୍ରହଗୁଡିକ ପାଣିପାଗ ସମ୍ପର୍କିତ ଚିତ୍ର ଓ ତଥ୍ୟ ପଠାଇବ ବୋଲି ଜଣାପଡିଛି । ଉପଗ୍ରହରେ ଖଞ୍ଜାଯାଇଥିବା ପେଲୋଡ୍‌କୁ ଇସ୍ରାଏଲ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ ନିର୍ମାଣ କରିଛି । ସିଙ୍ଗାପୁରର ଡିଏସ୍‌-ଏସଏଆର ଉପଗ୍ରହର ଓଜନ ୩୬୦ କିଗ୍ରା ।

  • ଆଜିଠୁ ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତ

    ଆଜିଠୁ ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତ

    ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୭ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ୱର ଓ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରୁ ସିଧାସଳଖ ରାଜଭବନ ଯିବେ । ୨୬ ତାରିଖରେ ରାଷ୍ଟ୍ରପତି ଦିନ ତମାମ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ରହିବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହା ପୂର୍ବରୁ କାର୍କେଡ୍ ରିହର୍ସଲ କରିଛି କଟକ କମିଶନରେଟ ପୋଲିସ ।

    ଉକ୍ତଦିନ ରାଜଭବନଠାରେ ରାଜ୍ୟର ଆଦିମ ଜନଜାତି ସମୁଦାୟର ପ୍ରତିନିଧିମାନଙ୍କୁ ଭେଟିବେ ଓ ସେଠାରେ ରାତ୍ର ଯାପନ କରିବେ। ତା’ପର ଦିନ ଅଥବା ୨୬ତାରିଖରେ କଟକ ଚଣ୍ଡିମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ବାସଭବନ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ। ସେହିଦିନ କଟକରେ ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ, କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହେବେ।

    ୨୭ତାରିଖରେ ଭୁବନେଶ୍ୱରର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମକୁମାରୀ କେନ୍ଦ୍ର ଲାଇଟ୍ ହାଉସ୍ କମ୍ପେ୍ଲକ୍ସର ଶିଳାନ୍ୟାସ କରିବା ସହ ଭଦ୍ରକ ଯାଇ ଭଦ୍ରକ ସ୍ୱୟଂଶାସିତ କଲେଜର ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେଇ ନୂଆଦିଲ୍ଲୀ ଫେରିଯିବେ।

    ଅନ୍ୟପକ୍ଷରେ ଗସ୍ତ କାର୍ଯ୍ୟକ୍ରମର ତୃତୀୟ ତଥା ଶେଷ ଦିନରେ ରାଷ୍ଟ୍ରପତି ଓଡ଼ିଶା ରାଜଭବନରେ ରାଜ୍ୟର ବିରଳତମ ଜନଜାତି ସମ୍ପ୍ରଦାୟ(ପିଭିଟିଜି)ର ସଦସ୍ୟମାନଙ୍କ ସହ କିଛି ଜରୁରୀ ପ୍ରସଙ୍ଗରେ ଆଲୋଚନା କରିବେ । ସେହିଦିନ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର “ସକରାତ୍ମକ ପରିବର୍ତ୍ତନ ବର୍ଷ’ ବିଷୟବସ୍ତୁ ଶୀର୍ଷକ ସେମିନାର ଓ ଆଲୋଚନାଚକ୍ରକୁ ଦେଶବ୍ୟାପୀ ଆୟୋଜନ କରିବା ପାଇଁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଶୁଭାରମ୍ଭ କରିବେ । ଏହି ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱରସ୍ଥ ତମାଣ୍ଡୋ ଠାରେ ଏହାର “ଲାଇଟ୍‌ହାଉସ୍ କମ୍ପେ୍ଲକ୍ସ’ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଜଣାପଡ଼ିଛି । ତିନିଦିନିଆ ଓଡିଶା ଗସ୍ତ ପୂବର୍ରୁ ସୋମବାର ସକାଳେ କାରେକଡ୍ ରିହରସେଲ୍ କରାଯାଇଛି ।

  • ପିତାପଲ୍ଲୀରେ ଭେହିକିଲ ସ୍କ୍ରାପିଂ ୟୁନିଟ ଉଦଘାଟିତ

    ପିତାପଲ୍ଲୀରେ ଭେହିକିଲ ସ୍କ୍ରାପିଂ ୟୁନିଟ ଉଦଘାଟିତ

    ରାଜ୍ୟ ସରକାରଙ୍କ ସହଯୋଗରେ ଦେଶର ଅଗ୍ରଣୀ ଅଟୋମୋବାଇଲ ଉପ୍ତାଦନକାରୀ ସଂସ୍ଥା ଦ୍ୱାରା ରାଜ୍ୟ ରାଜଧାନୀରେ ଉଦଘାଟିତ ହେଲା ବିଶ୍ୱସ୍ତରୀୟ ପୁରୁଣା ଯାନ ସ୍କ୍ରାପିଂ ୟୁନିଟ। ବାର୍ଷିକ ୧୦ ହଜାର ଯାନ ସ୍କ୍ରାପିଂ କ୍ଷମତା ରଖିଛି ଏହି ୟୁନିଟ। ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ୟୁନିଟର ଶୁଭାରମ୍ଭ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ଚନ୍ଦ୍ର ରାଉତ ରାୟ, ଢେଙ୍କାନାଲ ବିଧାୟକ ସୁଧୀର ସାମଲ, ଟାଟା ମୋଟର୍ସର ବିଜିନେସ ମୁଖ୍ୟ ଟ୍ରକ ରାଜେଶ କୌଲ ପ୍ରମୁଖ ଉପସ୍ଥିତ ଥିଲେ। ଏହା ଦେଶର ଦ୍ୱିତୀୟ ଯାନ ସ୍କ୍ରାପିଂ ୟୁନିଟ ହୋଇଛି।


    ଖୋର୍ଦ୍ଧା ପିତାପଲ୍ଲୀରେ ଦେଶର ଦ୍ୱିତୀୟ ଯାନବାହନ ସ୍କ୍ରାପିଂ ୟୁନିଟର ଉଦଘାଟନ କରିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ। ଏହି ୟୁନିଟ ଜରିଆରେ ପୁରୁଣା ଓ ଅବୈଧ ଗାଡିର ରିସାଇକେଲିଂ କରାଯିବ। ସମସ୍ତ ବ୍ରାଣ୍ଡର ଯାତ୍ରୀବାହୀ, ବାଣିଜ୍ୟିକ ଓ ଘରୋଇ ଗାଡି ସ୍କ୍ରାପ କରିବ ଟାଟାର ପାର୍ଟନର ଏମ୍ପ୍ରେଓ ପ୍ରିମିୟମ। ପୂର୍ବରୁ ରାଜସ୍ଥାନର ଜୟପୁରରେ ପ୍ରଥମ ସ୍କ୍ରାପିଂ ୟୁନିଟ ସ୍ଥାପିତ ହୋଇଥିଲା। ଏହାର ସଫଳତା ପରେ ପିତାପଲ୍ଲୀରେ ଦ୍ୱିତୀୟ ୟୁନିଟ ସ୍ଥାପନ ହୋଇଛି।

    ଟାଟାର ବିଜନେସ ହେଡ ଟ୍ରକ ରାଜେଶ କୌଲ ଉପସ୍ଥିତ ରହି ଗଣମାଧ୍ୟମକୁ କହିଥିଲେ କି, ଟାଟା ମୋଟର୍ସ ଇକୋ ଫ୍ରେଣ୍ଡଲି ମୋବିଲିଟି ସମାଧାନ, ସମ୍ପୂର୍ଣ୍ଣ ଜୀବନଚକ୍ର ପରିଚାଳନା ପାଇଁ ପ୍ରତିଶ୍ରୁତିବଦ୍ଧ। ସ୍କ୍ରାପ ସାମଗ୍ରୀର ସର୍ବାଧିକ ମୂଲ୍ୟ ଓ ଉଜ୍ଜଳ ଭବିଷ୍ୟତ ପାଇଁ ବର୍ଜ୍ୟବସ୍ତୁ ହ୍ରାସ କରାଯିବ। ଏହି ବିକେନ୍ଦ୍ରୀକରଣ ସୁବିଧା ଗ୍ରାହକଙ୍କ ପାଇଁ ଲାଭଦାୟକ ହେବ। ଏଥିସହ ଏହା ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ସୁଯୋଗ ଆଣିଦେବ ଓ ପରିବେଶ ଅନୁକୂଳ ଯାନ ସ୍କ୍ରାପିଂର ଆବଶ୍ୟକତା ପୂରଣ କରିବ।


    ଏହି ୟୁନିଟ ଅତ୍ୟାଧୁନିକ ସୁବିଧା, ରିୱିରି ପରିବେଶ ଅନୁକୂଳ ଅଭ୍ୟାସକୁ ନିୟୋଜିତ କରିବା ଉପରେ ଧ୍ୟାନ ଦେଇ ସମସ୍ତ ବ୍ରାଣ୍ଡର ଯାନ ଭାଙ୍ଗିବା ଉଦ୍ଦେଶ୍ୟ ନେଇ ସ୍ଥାପିତ ହୋଇଛି। ଏହା ସମ୍ପୂର୍ଣ୍ଣ ଡିଜିଟାଲ ସୁବିଧା, ସମସ୍ତ ଅପରେଶନ ବିହୀନ ଓ କାଗଜପତ୍ର ହୀନ। ଏହାବ୍ୟତୀତ ଟାୟାର, ବ୍ୟାଟେରୀ, ଇନ୍ଧନ, ତେଲ, ତରଳ ପଦାର୍ଥ ଓ ଗ୍ୟାସ ସହିତ ବିଭିନ୍ନ ଉପାଦାନର ନିରାପଦ ବିସର୍ଜନ ପାଇଁ ଉତ୍ସର୍ଗୀକୃତ ଷ୍ଟେଶନ ହେବ। ଏଥିପାଇଁ ଯାତ୍ରୀବାହୀ ଓ ବାଣିଜ୍ୟିକ ଯାନର ଆବଶ୍ୟକତା ପୂରଣ ପାଇଁ ନିର୍ଦ୍ଦିଷ୍ଟ ଭାବେ ପରିକଳ୍ପିତ ଉପଯୁକ୍ତ ଡକ୍ୟୁମେଣ୍ଟସନ ଓ ବିଲୋପ ପ୍ରକ୍ରିୟା ଗ୍ରହଣ କରିବ। ଏହା ଦ୍ୱାରା ବିଲୋପ ପ୍ରକ୍ରିୟା ସବିଶେଷ ଧ୍ୟାନକୁ ସୁନିଶ୍ଚିତ କରିବ। ସମସ୍ତ ଉପାଦାନଗୁଡିକର ନିରାପଦ ନିଷ୍କାସନକୁ ନିଶ୍ଚିତ କରିବ। ଏଥିସହ ଏହା ଅଟୋମୋବାଇଲ ଶିଳ୍ପରେ ସ୍ଥାୟୀ ଅଭ୍ୟାସ ପ୍ରତିପାଦନ କରିବାକୁ ସୁବିଧା ଯୋଗାଇବ।

    ଏହି ୟୁନିଟ ସ୍ଥାପନ ଦ୍ୱାରା ବହୁ ଓଡିଆ ଯୁବକ ଯୁବତୀ ନିଯୁକ୍ତି ପାଇବାରେ ସକ୍ଷମ ହେବ। ଏଥିସହ, ଯେଉଁ ଗାଡି ପଡି ପଡି ସ୍ଥାନ, ପରିବେଶ ଦୁଷିତ କରୁଥିଲା, ତାହାକୁ ନଷ୍ଟ କରାଯାଇ ପାରିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ପରିବହନ ସଚିବ, ବହୁ ସରକାରୀ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ।