Category: ମୁଖ୍ୟ ଖବର

  • ଆଜି ପବିତ୍ର ଗୁରୁ ଦିବସ

    ଆଜି ପବିତ୍ର ଗୁରୁ ଦିବସ

    ଆମ ଜୀବନରେ ଯାହାଙ୍କର ମହତ ଦାନ ଥାଏ ସେ ହେଉଛନ୍ତି ‘ଗୁରୁ’। ଅମୂଲ୍ୟ ସେ ଦାନ ଶିକ୍ଷାକୁ ଦାନ କରି ଜୀବନର ଅନ୍ଧକାରକୁ ଦୂର କରନ୍ତି। ପିଲାଟିର ଜୟ-ପରାଜୟକୁ ସେ ନିଜର ଜୟ-ପରାଜୟ ମଣନ୍ତି। ବାସ୍ ତାଙ୍କୁ ଦିଆଯାଇଥିବା ଆଖ୍ୟାରେ ହିଁ ସବୁକିଛି ଭରି ରହିଛି। ‘ଗୁ’ ର ଅର୍ଥ ଅନ୍ଧାର ଆଉ ‘ରୁ’ ଅର୍ଥ ଆଲୋକ। ଯିଏ ଅନ୍ଧାରରୁ ଆଣି ଆଲୋକର ପଥ ଦେଖାନ୍ତି ସେ ହେଉଛନ୍ତି ‘ଗୁରୁ’। ଏପରି ଏକ ମଣିଷଟିଏ ନାହିଁ ଯାହାଙ୍କ ଜୀବନରେ ଗୁରୁ ନଥିବେ। ଗୁରୁ ସର୍ବତ୍ର ବିଦ୍ୟମାନ। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ତାଙ୍କ ଜନ୍ମ ଜୟନ୍ତୀକୁ ଗୁରୁଙ୍କ ପାଇଁ ଉତ୍ସର୍ଗ କରି ଦେଇଥିଲେ। ପ୍ରତିଟି ମଣିଷର ଜୀବନରେ ଏକ ସ୍ଥାନ ଅଳଙ୍କୃତ କରିଥିବା ଗୁରୁଙ୍କ ପାଇଁ ଦିନଟିଏ ସମର୍ପି ଦେବାର ଆବଶ୍ୟକତା ଥିବା ହୃଦୟଙ୍ଗମ କରିଥିଲେ। ଆଉ ସେବେଠାରୁ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଜୟନ୍ତୀକୁ ଗୁରୁ ଦିବସ ରୂପେ ପାଳନ କରାଯାଉଛି। ୧୮୮୮ ମସିହା ତାମିଲନାଡୁର ତିରୁତନୀଠାରେ ଜନ୍ମ ଗ୍ରହଣ କରିଥିଲେ ସର୍ବପଲ୍ଲୀ। ସେ ଏକାଧାରରେ ଜଣେ ଉତ୍କୃଷ୍ଟ ବକ୍ତା ଓ ହିନ୍ଦୁ ବିଚାରକ ଥିଲେ। ଭାରତୀୟ ସଂସ୍କୃତିରେ ଜଣେ ମହାନ ଶିକ୍ଷକ ଭାବେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିଲେ। ତାଙ୍କ ମତରେ, ଯଦି ପିଲାଟିକୁ ଉତ୍ତମ ଶିକ୍ଷା ମିଳେ ତେବେ ସେ ନିଜର ଏବଂ ଦେଶର ଭବିଷ୍ୟତ ଉଜ୍ବଳ କରିପାରିବ। ସର୍ବପଲ୍ଲୀ ରାଧାକୃଷ୍ଣନ ବେଦ ଓ ଉପନିଷଦକୁ ଅତି ସୁନ୍ଦର ଭାବେ ବ୍ୟାଖ୍ୟା କରୁଥିଲେ। ବାପା-ମାଆ ପିଲାଟିକୁ ଗୁରୁଙ୍କ ଦାୟିତ୍ୱରେ ଛାଡି କହନ୍ତି, ‘ଆଖି ବୁଜି ବାଡେଇବେ। ତା’ ପରେ ଯାଇ ସେ ବାଟକୁ ଆସିବ।’ ଆଜ୍ଞା ହଁ ଯେଉଁ ବାପା-ମାଆ ପିଲାଟିର କଷ୍ଟ ଟିକେ ସହିପାରନ୍ତିନି, ସେମାନେ ଆକଟ କରିବାର ସବୁ ଅନୁମତି ଗୁରୁଙ୍କୁ ହିଁ ଦେଇଦିଅନ୍ତି। କାରଣ ସେମାନେ ହିଁ ଜାଣିଥାନ୍ତି ଗୁରୁଙ୍କ ଆକଟରେ, ତାଙ୍କ ଛାଟରେ ବାଟ ଅଛି। ସେ ହିଁ ଜଣେ ଲୋକ ଯିଏ ଜନ୍ମ ନ ଦେଲେ ମଧ୍ୟ ସବୁବେଳେ ପିଲାଟିର ବିଜୟ କାମନା କରନ୍ତି। ଏହି ଗୁରୁ-ଶିଷ୍ୟ ପରମ୍ପରା ଏବେର ନୁହେଁ। କେଉଁ ପୁରାତନ କାଳରୁ ଏହି ପ୍ରଥା ରହିଆସିଛି। ଗୁରୁ ଦ୍ରୋଣାଚାର୍ଯ୍ୟ, ପର୍ଶୁରାମ ଏପରି ଅନେକ ଗୁରୁଙ୍କ ଗାଥା ପୁରାଣରେ ବର୍ଣ୍ଣିତ ହୋଇଛି। ଆଗକୁ ଏହିପରି ପରମ୍ପାରାକୁ ଜୀବିତ ରଖିବା ଉଦ୍ଦେଶ୍ୟରେ ଗୁରୁଦିବସ ପାଳନ କରାଯାଉଛି।

  • ବାପା ହେଲେ ଷ୍ଟାର ବୋଲର ଜସପ୍ରୀତ ବୁମରା

    ବାପା ହେଲେ ଷ୍ଟାର ବୋଲର ଜସପ୍ରୀତ ବୁମରା

    ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଜସପ୍ରୀତ ବୁମରା ବାପା ହୋଇଛନ୍ତି । ବୁମରାଙ୍କ ପତ୍ନୀ ସଞ୍ଜନା ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଶ୍ରୀଲଙ୍କାରୁ ଏସିଆ କପ୍‌ ଛାଡି ମୁମ୍ବାଇ ଫେରିଥିଲେ ବୁମରା । ପୁତ୍ର ଜନ୍ମ ହେବା ନେଇ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି ବୁମରା ।ଫଟୋ ସେୟାର କରି ବୁମରା ଲେଖିଛନ୍ତି, ‘ଛୋଟ ପରିବାର ବଡ ହୋଇଯାଇଛି ’ । ଆଜି ସକାଳେ ଅଙ୍ଗଦ ଜସପ୍ରୀତ ବୁମରା ଜନ୍ମ ନେଇଛି । ଆମେ ବହୁତ ଖୁସି । ଆମ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ ।

    ଆଜି ଏସିଆ କପ୍‌ରେ ଭାରତ ଓ ନେପାଳ ମୁହାଁମୁହିଁ ହେବେ । ସୁପର ୪ରେ ପ୍ରବେଶ କରିବା ପାଇଁ ଆଜି ଭାରତକୁ ମ୍ୟାଚ୍‌ ଜିତିବାକୁ ହେବ । ଏପରି ସ୍ଥଳେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମରା ଏସିଆ କପ୍‌ ଛାଡି ମୁମ୍ବାଇ ଫେରିଆସିଥିଲେ । ୩ ଦିନ ପାଇଁ ବୁମରା ମୁମ୍ବାଇ ଫେରିଛନ୍ତି । ବୁମରାଙ୍କ ପତ୍ନୀ ସଞ୍ଜନା ଗର୍ଭବତୀ ରହିଥିଲେ । ତେଣୁ ଏସିଆ କପରୁ ନେପାଳ ବିପକ୍ଷ ମ୍ୟାଚ୍‌ ଛାଡି ବୁମରା ମୁମ୍ବାଇ ପତ୍ନୀଙ୍କ ପାଖକୁ ଫେରିଆସିଥିଲେ । ୩ ଦିନ ମୁମ୍ବାଇରେ ରହିବା ପରେ ପୁଣି ବୁମରା ଏସିଆ କପ୍‌ ସୁପର-୪ ମ୍ୟାଚ୍‌ରେ ଉପଲବ୍ଧ ରହିବେ ।ବୁମରା ୨୦୧୯ରେ ସଞ୍ଜନାଙ୍କ ସହିତ ଦେଖାହୋଇଥିଲେ । ଏହା ପରେ ୨୦୨୧ ମାର୍ଚ୍ଚ ୧୫ ତାରିଖରେ ବୁମରା ଏବଂ ସଞ୍ଜନାଙ୍କ ବିବାହ ହୋଇଥିଲା ।

    ଆହତଜନିତ ସମସ୍ୟା ପରେ ବୁମରା ଆୟରଲାଣ୍ଡ ବିପକ୍ଷ ମ୍ୟାଚରେ ଦଳକୁ ଫେରିଥିଲେ । ଏହି ସିରିଜରେ ବୁମରା ଟିର ଅଧିନାୟକ ରହିଥିଲେ । ଆହତଜିନତ କାରଣରୁ ଆଇପିଏଲ ୨୦୨୩ର ଖେଳିନଥିଲେ ବୁମରା । ଏସିଆ କପରେ ବୁମରାଙ୍କ କମ୍‌ବ୍ୟାକ୍‌ ନେଇ ତାଙ୍କ ଫ୍ୟାନ୍ସ ବେଶ ଉତ୍ସାହିତ ରହିଥିଲେ ।

  • ବାଲେଶ୍ୱର ଫକୀର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ

    ବାଲେଶ୍ୱର ଫକୀର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ

    ବାଲେଶ୍ୱର ଫକୀର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ । ଏସିରେ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ଯୋଗୁ କାହାର କିଛି କ୍ଷୟକ୍ଷତି ହୋଇନଥିବା ବେଳେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନି।

    ସୁଚନା ଅନୁଯାୟୀ ଆଜି ସକାଳେ ଫକୀର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲର ପ୍ରଥମ ମହଲା ଥିବା ମେଡିସିନ ୱାର୍ଡର ଷ୍ଟାଫ୍ ବସୁଥିବା ଏକ ରୁମ୍‌ର ଏସିରୁ ନିଆଁ ବାହାରିଥିଲା। ଏହାପରେ ମେଡିକାଲ ଧୂଆଁମୟ ହୋଇଯାଇଥିଲା। ରୋଗୀମାନେ ଧୂଆଁ ଦେଖି ଭୟଭୀତ ହୋଇପଡ଼ିଥିଲେ।

    ସଙ୍ଗେସଙ୍ଗେ ରୋଗୀ ଓ ସେମାନଙ୍କ ସହ ଥିବା ସମ୍ପର୍କୀୟ ବାହାରକୁ ପଳାଇ ଆସିଥିଲେ। ମେଡିକାଲ୍ ପକ୍ଷରୁ ଏନେଇ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ଓ ମେଡିକାଲ କର୍ମଚାରୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା। ACରେ ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।

  • ଇସ୍ରୋର ବୈଜ୍ଞାନିକ ଏନ ଭାଲାରମାଥୀ ଆଉ ନାହାଁନ୍ତି,ଚନ୍ଦ୍ରଯାନ-୩ ଥିଲା ତାଙ୍କର ଅନ୍ତିମ ‘କାଉଣ୍ଟ୍‌ଡାଉନ୍‌’ ଘୋଷଣା।

    ଇସ୍ରୋର ବୈଜ୍ଞାନିକ ଏନ ଭାଲାରମାଥୀ ଆଉ ନାହାଁନ୍ତି,ଚନ୍ଦ୍ରଯାନ-୩ ଥିଲା ତାଙ୍କର ଅନ୍ତିମ ‘କାଉଣ୍ଟ୍‌ଡାଉନ୍‌’ ଘୋଷଣା।

    ଶ୍ରୀହରିକୋଟାରେ ରକେଟ୍‌ ଉତ୍‌କ୍ଷେପଣ କରାଯାଉଥିବା ବେଳେ ‘କାଉଣ୍ଟ୍‌ଡାଉନ୍‌’ ବା ‘ଓଲଟ ଗଣନା’ କରୁଥିବା ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ର ବୈଜ୍ଞାନିକ ଏନ ଭାଲାରମାଥୀ ଆଉ ନାହାଁନ୍ତି। ଶନିବାର ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି। ଇସ୍ରୋ ବୈଜ୍ଞାନିକ ଭାଲାରମାଥୀଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଛି। ଚନ୍ଦ୍ରୟାନ -୩ ମିଶନରେ ଭାଲାରମାଥୀ ମଧ୍ୟ ଜଡିତ ଥିଲେ। କାଉଣ୍ଟଡାଉନ ଘୋଷଣା ପଛରେ ତାଙ୍କରି ସ୍ବର ଥିଲା। ଚନ୍ଦ୍ରୟାନ-୩ ଲଞ୍ଚ ସମୟରେ ସେ ହିଁ କାଉଣ୍ଟଡାଉନ କରିଥିଲେ। ଏବଂ ଏହା ଥିଲା ତାଙ୍କର ଶେଷ ‘କାଉଣ୍ଟ୍‌ଡାଉନ୍‌’ ଘୋଷଣା। ସୂଚନା ଅନୁଯାୟୀ, ଭେଙ୍କଟାକ୍ରିଷ୍ଣା ଭାଲାରମାଥୀଙ୍କ ଦେହାନ୍ତ ବିଷୟରେ ‘ଏକ୍ସ’ରେ ପ୍ରସ୍ତୁତ ଏକ ପୋଷ୍ଟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଶ୍ରୀହରିକୋଟା ଠାରୁ ଇସ୍ରୋର ଆଗାମୀ ମିଶନରେ ଭାଲାରମାଥୀ ମ୍ୟାଡାମଙ୍କ ସ୍ବର ଆଉ ଶୁଣାଯିବ ନାହିଁ। ମିଶନ ଚନ୍ଦ୍ରୟାନ -୩ ତାଙ୍କର ଶେଷ ଗଣନା ଥିଲା। ତାଙ୍କ ଦେହାନ୍ତରେ ଇସ୍ରୋ ଦୁଃଖିତ। ୧୯୫୯ରେ ତାମିଲନାଡୁର ଅରିୟାଲୁରରେ ଜନ୍ମିତା ବାଲାର୍ମାତି ୧୯୮୪ ମସିହାରେ ‘ଇସ୍ରୋ’ରେ ଯୋଗ ଦେଇଥିଲେ। ‘କାଉଣ୍ଟ୍‌ଡାଉନ୍‌’ ଘୋଷଣା ସମୟରେ ତାଙ୍କର ନିଆରା କଣ୍ଠସ୍ବର ସମଗ୍ର ଭାରତବାସୀଙ୍କର ପ୍ରିୟଭାଜନ ହୋଇଥିଲା। ପୂର୍ବତନ ରାଷ୍ଟ୍ରପତି ଅବ୍‌ଦୁଲ୍‌ କଲାମ୍‌ଙ୍କ ନାମରେ ନାମିତ ପୁରସ୍କାର ସେ ୨୦୧୫ରେ ପ୍ରଥମ କରି ପାଇଥିଲେ। ସେ ଶେଷ ଥର ପାଇଁ ଜୁଲାଇ ୩୦ରେ ଘୋଷଣା କରିଥିଲେ, ଯେତେବେଳେ PSLV-C56 ରକେଟ ଏକ ବ୍ୟବସାୟିକ ମିଶନର ଅଂଶ ଭାବରେ ସାତୋଟି ସିଙ୍ଗାପୁର ଉପଗ୍ରହ ପରିବହନ କରି ଯାତ୍ରା ପଥରେ ବହାରିଥିଲା।

  • ପରଲୋକରେ ଜିମ୍ବାୱେ କ୍ରିକେଟର ହିଥ ଷ୍ଟ୍ରିକ

    ପରଲୋକରେ ଜିମ୍ବାୱେ କ୍ରିକେଟର ହିଥ ଷ୍ଟ୍ରିକ

    ଜିମ୍ବାୱେ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ପରଲୋକ ଘଟିଛି। ମାତ୍ର ୪୯ ବର୍ଷ ବୟସରେ ସେ ଏହି ଦୁନିଆରୁ ବିଦାୟ ନେଇଛନ୍ତି। ରବିବାର ସକାଳେ ମାଟାବେଲେଲାଣ୍ଡ ସ୍ଥିତ ନିଜ ଫାର୍ମରେ ହିଥ୍ ଷ୍ଟ୍ରିକଙ୍କ ଦେହାନ୍ତ ହୋଇଥିବା ନେଇ ଜିମ୍ବାୱେର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା ପରିବାର ମୁଖପାତ୍ର ଜନ୍ ରେନୀ ସୂଚନା ଦେଇଛନ୍ତି।

    ସୂଚନାଯୋଗ୍ୟ, ଷ୍ଟ୍ରିକ୍‌ ‘କଲୋନ୍’ ଓ ‘ଲିଭର୍‌’ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ।

    ଉଲ୍ଲେଖଯୋଗ୍ୟ, ଜିମ୍ବାୱେର ପୂର୍ବତନ ପ୍ରଖ୍ୟାତ କ୍ରିକେଟ୍‌ ଅଲ୍‌ରାଉଣ୍ଡର୍‌ ହିଥ୍‌ ‌ଷ୍ଟ୍ରିକ୍‌ଙ୍କର ଦେହାନ୍ତ ହୋଇଯାଇଥିବା କଥା ତାଙ୍କର ବୋଲିଙ୍ଗ୍‌ ପାର୍ଟନର୍‌ ହେନ୍‌ରି ଓଲଙ୍ଗ୍‌ ‘ଏକ୍ସ୍‌’ କରି ଅଗଷ୍ଟ ୨୩ ତାରିଖ ଦିନ ସୂଚନା ଦେଇଥିଲେ। କିନ୍ତୁ, ଷ୍ଟ୍ରିକ୍‌ଙ୍କ ମୃତ୍ୟୁ ସଂକ୍ରାନ୍ତରେ କୌଣସି ଔପଚାରିକ ଘୋଷଣା କରାଯାଇ ନ ଥିଲା। କିଛି ଦିନ ପୂର୍ବେ ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁକୁ ନେଇ ମିଛ ଖବର ପ୍ରଚାରିତ ହୋଇଥିଲା। ହିଥ୍‌ ‌ଷ୍ଟ୍ରିକ୍‌ଙ୍କ ଦେହାନ୍ତ ହୋଇଯାଇଥିବା ନେଇ ତାଙ୍କର ବୋଲିଙ୍ଗ୍‌ ପାର୍ଟନର୍‌ ହେନ୍‌ରୀ ଓଲଙ୍ଗ୍‌ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଥିଲେ। ବିଶ୍ବବ୍ୟାପୀ ମୃତ୍ୟୁ ସମ୍ବାଦ ପ୍ରଚାରିତ ହେବା ପରେ ହିଥ୍‌ ଷ୍ଟ୍ରିକ୍‌ ଜୀବିତ ଥିବା ହେନ୍‌ରୀ ଓଲଙ୍ଗ୍‌ ପୁଣି ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଥିଲେ।

  • ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ସମୟରେ ଚନ୍ଦ୍ରାୟଣ ୩ ର ସଫଳତା ପାଇଁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ। ସେଠାରେ ରାଷ୍ଟ୍ରପତି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ସଂସଦର ସ୍ୱତନ୍ତ୍ର ଅଧିବେଶନ ଏବଂ ଜି -୨୦ ବୈଠକ ପୂର୍ବରୁ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏହି ସମୟରେ ଉଭୟଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ରାଷ୍ଟ୍ରପତି କାର୍ଯ୍ୟାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ବୈଠକର ପଟୋ ସେୟାର କରି କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପ୍ରତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତି ତାଙ୍କୁ ଏକ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ଏବଂ ଭାରତର ଚନ୍ଦ୍ରଯାନ- ୩ମିଶନର ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେପ୍ଟେମ୍ବର ୧୮ ରେ କେନ୍ଦ୍ର ସରକାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ଅଧିବେଶନ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଧ୍ୟରେ ହୋଇଥିବା ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ ।

  • ପୂର୍ବତନ ବାଚସ୍ପତି ସୂର୍ୟ୍ୟ ପାତ୍ରଙ୍କ ବିୟୋଗରେ ଶୋକ

    ପୂର୍ବତନ ବାଚସ୍ପତି ସୂର୍ୟ୍ୟ ପାତ୍ରଙ୍କ ବିୟୋଗରେ ଶୋକ

    ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଶନିବାର ପରଲୋକ ଘଟିଛି। ସେ ଅସୁସ୍ଥ ଥିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

    ଆସନ୍ତାକାଲି ପୂର୍ବାହ୍ନରେ ତାଙ୍କ ପାର୍ଥିବ ଶରୀରକୁ ବିଧାନସଭା, ଲୋକସେବା ଭବନକୁ ନିଆଯିବ। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ତାଙ୍କ ବିୟୋଗ ଗଞ୍ଜାମ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

    ସୂର୍ଯ୍ୟ ଜଣେ ଦକ୍ଷ ରାଜନୀତିଜ୍ଞ ଥିଲେ। ପ୍ରଥମେ ଜନତା ଦଳ ଓ ପରେ ବିଜେଡିର ଆଗଧାଡ଼ିରେ ନେତା ଭାବେ ସୂର୍ଯ୍ୟ ପାତ୍ର ଜଣାଶୁଣା ଥିଲେ। ୧୯୪୮ ଡିସେମ୍ବର ୨୪ରେ ଜନ୍ମଗ୍ରହଣ କରିଥିଲେ। ରାଜ୍ୟ ରାଜନୀତିରେ ଗଞ୍ଜାମ ଜିଲ୍ଲାର ଅନ୍ୟତମ ଟାଣୁଆ ନେତା ସ୍ବର୍ଗତ ପାତ୍ରଙ୍କ ଏକ ସ୍ବତନ୍ତ୍ର ସ୍ଥାନ ରହିଥିଲା। ସେ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ତଥା ୧୬ତମ ଓଡ଼ିଶା ବିଧାନସଭାର ବାଚସ୍ପତି ଥିଲେ। ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ମୋହନା ଓ ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୧ତମ, ୧୨ତମ, ୧୩ତମ, ୧୪ତମ, ୧୫ତମ ଓ ୧୬ତମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

    ସୂର୍ଯ୍ୟ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର ରାଜନେତା ଭାବରେ କାର୍ଯ୍ୟ କରୁଥିଲେ । ସେ ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିଲେ। ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା।

  • ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

    ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

    ଆଜି ସନ୍ଧ୍ୟାରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ହୋଇଯାଇଛି । ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସନ୍ଧ୍ୟା ୭ଟା ୩୧ ସମୟରେ ତାଙ୍କର ପରଲୋକ ଘଟିଛି । ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିଲେ। ସେ ୭ ଥର ବିଧାନସଭାକୁ ନିର୍ବାଚିତ ହେବା ସହିତ ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ କାର୍ଯ୍ୟ କରି ସେ ତାଙ୍କ ଦକ୍ଷତା ପ୍ରତିପାଦନ କରିଛନ୍ତି ।

  • ୨ ଘଣ୍ଟା କାଳ ଗର୍ଜିଲା ଓ କାଚିଲା, ବେହାଲ ଟ୍ୱିନସିଟି

    ୨ ଘଣ୍ଟା କାଳ ଗର୍ଜିଲା ଓ କାଚିଲା, ବେହାଲ ଟ୍ୱିନସିଟି

    ମାତ୍ର ଦେଢ଼ ଘଣ୍ଟାରେ କଟକ ଓ ଭୁବନେଶ୍ୱରରେ ଅତି ପ୍ରବଳ ବର୍ଷା, କେବଳ ଭୁବନେଶ୍ୱରରେ ୭୧ ମିମି ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ସେପଟେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଅତି ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ଫଳରେ ଟୁଇନ୍‌ ସିଟିରେ ଟ୍ରାଫିକ୍‌ ସମସ୍ୟା ଦେଖା ଦେଇଛି । ପ୍ରାୟ ୨ ଘଣ୍ଟା କାଳ ଭୁବନେଶ୍ୱରରେ ଅତି ପ୍ରବଳ ବର୍ଷା ହୋଇଛି। ସ୍କୁଲ ଓ ଅଫିସ ଛୁଟି ସମୟ ହୋଇଥିବାରୁ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଯାଇଥିଲେ । ଭୁବନେଶ୍ୱରର ବିଭିନ୍ନ ରାସ୍ତାରେ ଆଣ୍ଠୁଏରୁ ଅଣ୍ଟାଏ ପାଣି ଜମି ରହିଛି । ଅନେକ ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଛି। କଟକ ସହରର ପଟାପୋଲ, ବକ୍ସି ବଜାର, ରାଉସାପାଟଣା, ଫ୍ରେଣ୍ଡସ କଲୋନୀ ଓ ମହାନଦୀ ବିହାର ଆଦି ଅନେକ ସ୍ଥାନରେ ପାଣି ଜମି ରହିଥିବାବେଳେ ବାଦାମବାଡି ସମେତ ଅନେକ ସ୍ଥାନରେ ପାଣି ଜମି ରହିଛି ।

  • ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ

    ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ

    ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍ । କେନ୍ଦ୍ର ସରକାର ଏହି ପରିବାକୁ ଜିଆଇ ଟ୍ୟାଗ ଦେବାକୁ ଅନୁମତି ଦେଇଛନ୍ତି । ଏହି ଦେଶୀ ବାଇଗଣ ବିଶେଷ ଭାବେ କଣ୍ଟିଲୋର ମହାନଦୀ ଅବବାହିକାରେ ଚାଷ କରାଯାଇଥାଏ । ଏହା ଆକାରରେ ଛୋଟ ଓ ଏହାର ମୁଣ୍ଡରେ ଛୋଟ ଛୋଟ କଣ୍ଟା ଥାଏ । ଏହା ଅନ୍ଯ ବାଇଗଣ ଅପେକ୍ଷା ମିଠା । ଏହି ବାଇଗଣ କେବଳ ନୟାଗଡ ଜିଲ୍ଲାରେ ଏବଂ କଣ୍ଟିଲୋ ମହାନଦୀ ଅବବାହିକା ଜମିରେ ହିଁ ହୋଇଥାଏ । ସ୍ଥାନୀୟ ଚାଷୀ ଏହାକୁ ବହୁଳ ମାତ୍ରାରେ ଚାଷ କରିଥାନ୍ତି । ଏବି ବିଶେଷ ବାଇଗଣକୁ ଜିଆଇ ଟ୍ୟାଗ ଦେବାକୁ ରାଜ୍ୟ ପ୍ରଶାସନ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲା । ଏହାର ସ୍ବତନ୍ତ୍ରତା ଏବଂ ଚାଷ ବିଶେଷତାକୁ ଅନୁଧ୍ଯାନ କରିବା ପରେ କେନ୍ଦ୍ର ସରକାର ଏହ ଜିଆଇ ମାନ୍ଯତା ବା ଜିଓଲୋଜିକାଲ ଆଇଡିଏଣ୍ଟିଫିକେସନ୍ ପ୍ରଦାନ କରିଛନ୍ତି । କଣ୍ଟେଇମୁଣ୍ଡି ବାଇଗଣ ହେଉଛି ଅନ୍ୟ ପ୍ରଜାତିର ବାଇଗଣ ତୁଳନାରେ ଆକାରରେ ବହୁତ ଛୋଟ । ଏହାସହ ଅନ୍ୟ ବାଇଗଣ ତୁଳନାରେ ଏହି ପ୍ରଜାତିର ବାଇଗଣରେ ମଞ୍ଚି ଅଧିକ ଥାଏ । ଗଛର ଉଚ୍ଚତା ବିଶେଷ ନ ଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଅତି ଲାଭଦାୟକ । ଏହା ବିଶେଷ ଭାବେ ବାଲିଆ ଅଞ୍ଚଳରେ ଚାଷ କରାଯାଇଥାଏ । ଏହି ବାଇଗଣ ଖାସ୍ କରି କଳାପଥର,ଧଳାପଥର, ସାରୁଅ ବାଘମାରି ଏବଂ ଖୋର୍ଦ୍ଦା ବଜାରରେ ପ୍ରଚୁର ମାତ୍ରାରେ ମିଳେ । କିଲୋ ଅତି କମରେ ୬୦ ଟଙ୍କା ରୁହେ । କଟକ ଭୁବନେଶ୍ବର ବଜାର ଆସିବା ବେଳକୁ ଏହା ସରିଯାଏ । ତେଣୁ ଭୁବନେଶ୍ବରବାସୀ ବି ଏହାକୁ ଖାଇବାକୁ ପାଆନ୍ତି ନାହିଁ ।