Category: ମୁଖ୍ୟ ଖବର

  • ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ଫସି ରହିଛନ୍ତି ୫ଜଣ ଓଡ଼ିଆ ଶ୍ରମିକ

    ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ଫସି ରହିଛନ୍ତି ୫ଜଣ ଓଡ଼ିଆ ଶ୍ରମିକ

    ଉତ୍ତରାଖଣ୍ଡରେ ସୁଡଙ୍ଗ ଭୁଶୁଡିବା ଘଟଣାରେ ଫସିଥିବା ୪୦ ଶ୍ରମିକଙ୍କ ଭିତରେ ଫସି ରହିଛନ୍ତି ୫ ଓଡ଼ିଆ ଶ୍ରମିକ । ବର୍ତ୍ତମାନ ସମସ୍ତେ ସୁରକ୍ଷିତ ଥିବା ସୂଚନା । NDRF,SDRF ଏବଂ ପୁଲିସ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଅଛନ୍ତି। ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ, ଅମ୍ଳଜାନ ପଠାଯାଉଛି। ସୁଚନାଅନୁଯାୟୀ ଗତକାଲି ଭୋର ପ୍ରାୟ ୫ଟା ସମୟରେ ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାର ବ୍ରହ୍ମଖାଲ-ଯମୁନେତ୍ରୀ ରାଷ୍ଟ୍ରୀୟ ରାଜମାର୍ଗରେ ଏକ ନିର୍ମାଣାଧୀନ ସୁଡଙ୍ଗ ଭୁଶୁଡି ପଡିଛି । ଫଳରେ ୨୪ ଘଣ୍ଟାରୁ ଅଧିକ ସମୟ ଧରି ୪୦ ଜଣ ଶ୍ରମିକ ଭିତରେ ଫସି ରହିଛନ୍ତି । ଏହାରି ମଧ୍ୟରେ ୪୦ ମିଟର ରାସ୍ତା ସଫା ହୋଇ ପାରିଛି । ଆହୁରି ୩୦ରୁ ୩୫ ମିଟର ରାସ୍ତା ସଫା ହେଲା ପରେ ଶ୍ରମିକମାନେ ବାହାରକୁ ଆସିବା ସମ୍ଭବ ହେବ ।ତେବେ ଚାର୍ ଧାମ ରୋଡ୍ ପ୍ରକଳ୍ପ ଅଧୀନରେ ଏହି ନିର୍ମାଣ ଚାଲିଥିଲା।

  • ବହୁ ଦିନର ବ୍ୟବଧାନ ପରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର

    ବହୁ ଦିନର ବ୍ୟବଧାନ ପରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର

    ବହୁ ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଛନ୍ତି ମାଓବାଦି । ଦେଖିବାକୁ ମିଳିଛି ଲାଲ୍ ପୋଷ୍ଟର । ଗଞ୍ଜାମ କନ୍ଧମାଳ ଜିଲ୍ଲା ସୀମାନ୍ତ ଦୁର୍ଗାପ୍ରସାଦ ଉଲିଙ୍ଗିଆ ଠାରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର । ତେବେ ଉଲୁଙ୍ଗିଆ ରାସ୍ତା ନିର୍ମାଣକୁ ବିରୋଧ କରି ଲେଖାଯାଇଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଭଞ୍ଜନଗର ପୋଲିସ ପହଞ୍ଚି ମାଓବାଦୀଙ୍କ ଲାଲ ପୋଷ୍ଟର କୁ ଉଧାର କରିଛି ।କିଛି ଦିନର ବ୍ୟବଧାନରେ ପୁଣି ମାଓ ପୋଷ୍ଟରକୁ ନେଇ ବର୍ତ୍ତମାନ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ।

  • କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଯାତ୍ରାକୁ ବିରୋଧ

    କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଯାତ୍ରାକୁ ବିରୋଧ

    ପୁଣି କଳାକାରଙ୍କ କଳିରେ ବଳିପଡିଲା ଯାତ୍ରା। କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଯାତ୍ରାକୁ ବିରୋଧ । ବଲାଙ୍ଗୀର ସଇଁତଳା ଥାନା ତିଣ୍ଡାପାଲିରେ ଯାତ୍ରା ଚାଲିଥିବା ବେଳେ ଜୋରଦାର ବିରୋଧ କରାଯାଇଥିଲା ।ତିଣ୍ଡାପାଲିରେ ୪ ଦିନ ଧରି ଏହି ଯାତ୍ରା ଚାଲିବାକୁ ଥିବା ବେଳେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏହାକୁ ବିରୋଧ କରାଯାଇଛି ଯାତ୍ରାର ପ୍ରଥମ ଦିନରୁ କୋଶଳ ସେନା ବିରୋଧ କରିଥିଲା ।ଯାତ୍ରା ଚାଲୁଥିବା ବେଳେ କୋଶଳ ସେନା ପହଂଚି ବିରୋଧ କରିବା ସହିତ ଯାତ୍ରାକୁ ସମ୍ପୁୁର୍ଣ୍ଣ ରୂପେ ବନ୍ଦ କରିଦେଇଥିଲେ ।

    କୋଶଳ ସେନା ପକ୍ଷରୁ ପ୍ରଥମେ ପାଟଣାଗଡରେ ବିରୋଧ କରି ବନ୍ଦ କରାଯାଇଥିଲା । ଏବେ ଅନ୍ୟ ସ୍ଥାନ ଗୁଡିକରେ କୋଶଳ ପକ୍ଷରୁ ଯାତ୍ରା ବନ୍ଦ କରାଯାଉଛି । ଯାହାଦ୍ୱାରା ଯାତ୍ରାର କଳାକାର ମାନେ ବେଶ ପ୍ରଭାବିତ ହେବାରେ ଲାଗିଛନ୍ତି

  • ବାଘ ଗଣନା ସମୟରେ ଏକ ମହାବଳ ସହ କଲରାପତରିଆ ଠାବ

    ବାଘ ଗଣନା ସମୟରେ ଏକ ମହାବଳ ସହ କଲରାପତରିଆ ଠାବ

    କେନ୍ଦୁଝର ବନଖଣ୍ଡରେ ବାଘ ଗଣନା ସମୟରେ ଏକ ମହାବଳ ଓ ଏକ କଲରାପତରିଆ ବାଘ ଠାବ ହୋଇଛି । ଟ୍ରାପ କ୍ୟାମେରା ସହ ପାଦ ଚିହ୍ନ ଦ୍ୱାରା ଠାବ ହୋଇଥିବା ଜଣାପଡିଛି । ତେବେ ପ୍ରଥମ ପର୍ଯ୍ୟାୟରେ ସାଇନ ସର୍ଭେ ଓ ବର୍ତମାନ ନଭେମ୍ବର ୧ ତାରିଖରୁ ସାଇନ ସର୍ଭେ ସହ ଆରମ୍ଭ ହୋଇଛି କ୍ୟାମେରା ଟ୍ରାପ ସର୍ଭେ , ଯାହା ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । କେନ୍ଦୁଝର ବନଖଣ୍ଡର ୭ ଟି ରେଞ୍ଜ ର ୧୦୨ ଟି ବିଟ୍ ଅଞ୍ଚଳରେ ୧୦୨ ଟି ଟିମ୍ ଦ୍ବାରା ବ୍ୟାଘ୍ର ଗଣନା କାର୍ଯ୍ୟ ଚାଲିଛି । ମୁଖ୍ୟତଃ ଅଟେଇ , କଳାପାଟ , ଚମକପୁର ଓ ଜଙ୍ଘିରା ଅଞ୍ଚଳରେ ୯୮ ଟି ଟ୍ରାପ କ୍ୟାମେରା ଲଗାଯାଇଛି ।

    ଏଥିରେ ଜିଲ୍ଲାର ସମସ୍ତ ସ୍କ୍ବାର୍ଡ, ଗାର୍ଡ ଓ ଫରେଷ୍ଟର୍ ସାମିଲ୍ ହୋଇଛନ୍ତି । ଏମାନେ କିପରି ସୁରୁଖୁରୁରେ ବାଘର ପାଦ କୁ ଚିହ୍ନି ପାରିବେ ତାକୁ ନେଇ ପି ଆଇ ପି ରେ ଡେମୋ ଦେଇଥିଲେ ନିଜେ ଡିଏଫଓ । ବାଘ ଯାତାୟତ କରୁଥିବା ସ୍ଥାନରେ ବାଘର ପାଦଚିହ୍ନ ଜାଣିବା ପାଇଁ ୧୮୯୬ ଟି ପି ଆଇ ପି ସ୍ଥାପନ କରାଯାଇଛି । ତେବେ ବର୍ତ୍ତମାନ ଦୁଇଟି ବାଘ ଥିବା ଜଣା ପଡିଛି ଓ ଟ୍ରାପ୍ କ୍ୟାମେରାରେ ଦ୍ବିତୀୟ ପର୍ଯ୍ୟାୟ ଗଣନା ଶେଷ ହେବାପରେ ଆସନ୍ତା ଜାନୁଆରୀ ୩୧ ତାରିଖରେ ଜିଲ୍ଲାରେ କେତେ ସଂଖ୍ୟାରେ ବାଘ ଅଛନ୍ତି, ସେବିଷୟରେ ସ୍ପଷ୍ଟ ସୂଚନା ମିଳିବ ବୋଲି ବନ ବିଭାଗର ଏସିଏଫ ପ୍ରକାଶ କରିଛନ୍ତି ।


    ଇତିମଧ୍ୟରେ କେନ୍ଦୁଝର ବନଖଣ୍ଡ ଅଧିନରେ ଥିବା ସଂରକ୍ଷିତ ଜଙ୍ଗଲରେ ବାଘର ପାଦଚିହ୍ନ , ଫଟୋ ସହ ବିଭିନ୍ନ ପ୍ରଜାତିର ବନ୍ୟ ଜନ୍ତୁ ସାଇନ ସର୍ଭେ ଓ କ୍ୟାମେରା ଟ୍ରାପ ରୁ ଜଣାପଡ଼ିଛି ।

  • ନୂଆଗାଁ ଖଣି ଗେଟ୍ ସମ୍ମୁଖରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିକ୍ଷୋଭ

    ନୂଆଗାଁ ଖଣି ଗେଟ୍ ସମ୍ମୁଖରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିକ୍ଷୋଭ

    କେନ୍ଦୁଝର ଜିଲ୍ଲା, ଯୋଡ଼ା ବ୍ଳକ ଅଧୀନ ଗୁଆଲୀଠାରେ ଥିବା ଜେ ଏସ୍ ଡବ୍ଲ୍ଯୁର ନୂଆଗାଁ ଖଣି ଗେଟ୍ ସମ୍ମୁଖରେ ଅଞ୍ଚଳବାସୀଙ୍କ ବିକ୍ଷୋଭ ଓ ଧାରଣା । ବିଭିନ୍ନ କ୍ଷେତ୍ରରେ ସ୍ଥାନୀୟ ବାସିନ୍ଦାଙ୍କୁ ଅବହେଳା ଓ ଅଣଦେଖା କରାଯାଉଥିବା ଅଭିଯୋଗ । ଏଥିସହ ଖଣିଜ ପରିବହନ, ନିଯୁକ୍ତି ଓ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଭାବିତ ଅଞ୍ଚଳବାସୀଙ୍କୁ ଅଗ୍ରାଧିକାର ଦେବା ଦାବିରେ ଶୁକ୍ରବାର ଦିନ ଲୋକେ ଧାରଣାରେ ବସିଥିଲେ। କେନ୍ଦୁଝର ଜିଲ୍ଲାରେ ଜେ ଏସ ଡବ୍ଲୁ ଖଣି ରହିଥିଲାବେଳେ, ଖଣିରୁ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ବିଭିନ୍ନ ରେଲୱେ ସାଇଡ଼ିଂକୁ ଯେଉଁ ଖଣିଜ ଦ୍ରବ୍ୟ ପରିବହନ କରାଯାଉଛି ତା’ର ପରିବହନ କାର୍ଯ୍ୟ ସ୍ଥାନୀୟ ଅଂଚଳର ପରିବହନକାରୀ ସଂସ୍ଥାକୁ ନଦେଇ ବାହାର ଟ୍ରାନ୍ସପୋର୍ଟରଙ୍କୁ ଦିଆଯାଉଛି, ବାହାର ଜିଲ୍ଲା ତଥା ଅନ୍ୟ ରାଜ୍ୟରୁ ଆସୁଥିବା ଟ୍ରେଲର ମାନଙ୍କରେ ଖଣିଜ ପରିବହନ କରାଯାଉଛି। ଫଳରେ ସ୍ଥାନୀୟ ଅଂଚଳର ଟ୍ରକ୍ ମାଲିକ କ୍ଷତି ସହୁଥିବା ଅଭିଯୋଗ ହେଉଛି। କମ୍ପାନୀର ଏପରି କାର୍ଯ୍ୟ ପାଇଁ ଅଞ୍ଚଳରେ ବେକାରୀ ସମସ୍ୟା ଉତ୍କଟ ହେଉଛି। ଖଣି ପ୍ରଭାବିତ ଅଞ୍ଚଳରେ ଧୂଳି ପ୍ରଦୂଷଣ ନିୟନ୍ତ୍ରଣ, ପାନୀୟ ଜଳ, ବିଦ୍ୟୁତ୍ ଓ ରାସ୍ତା ଘାଟର ଉନ୍ନତି ପାଇଁ କମ୍ପାନୀ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି।

    ତେବେ ଜେ ଏସ ଡବ୍ଲୁର ୱେଲଫେୟାର୍ ଅଫିସର ଜିତେନ୍ଦ୍ର ନନ୍ଦ ଧାରଣାରତ ଗ୍ରାମବାସୀ ଓ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରି ସେମାନଙ୍କର ଦାବି ଗୁଡ଼ିକୁ ଶୁଣିଥିଲେ । ଏନେଇ ସେ କମ୍ପାନୀର ମ୍ୟାନେଜମେଣ୍ଟଙ୍କୁ ଅବଗତ କରାଇବେ ଏବଂ ଯାହା ନିଷ୍ପତ୍ତି ହେବ ତାହା ଜଣାଇଦିଆଯିବ ବୋଲି ସେ କହିଛନ୍ତି ।

    ତେବେ ଆଲୋଚନା ପରେ ଆଜି ଧାରଣାକୁ ସାମୟିକ ଭାବରେ ସ୍ଥଗିତ ରଖାଯାଇଛି । ଯଥା ଶୀଘ୍ର ଦାବିଗୁଡ଼ିକୁ ପୂରଣ କରା ନଗଲେ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଗୁଆଲୀ ପଂଚାୟତବାସୀ ଚେତାବନୀ ଦେଇଛନ୍ତି ।

  • ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ସମନ୍ଵୟ କମିଟି ବୈଠକ

    ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ସମନ୍ଵୟ କମିଟି ବୈଠକ

    ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥ କ୍ଷେତ୍ର ପରିଭ୍ରମଣ ବ୍ୟବସ୍ଥା ହୋଇଛି। ଏହି ଯୋଜନାରେ ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲାରୁ ୩୫୪ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସମନ୍ଵୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଫିସରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୬୦ ରୁ ୭୫ ବର୍ଷ ପର୍ଯ୍ୟନ୍ତ ନାଗରିକମାନଙ୍କୁ ଦୁଇଟି ପର୍ଯ୍ୟାୟରେ ତୀର୍ଥ କରିବାର ସୁଯୋଗ ମିଳିବ । ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୦୬ ତାରିଖ ରୁ ୧୧ତାରିଖ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଆଗାମୀ ଫେବୃଆରୀ ୧୯ ତାରିଖ ରୁ ୨୪ ତାରିଖ ଏହି ତୀର୍ଥ ଯାତ୍ରା ଆରମ୍ଭ ହେବ । ଜିଲ୍ଲାରୁ ପ୍ରତି ପର୍ଯ୍ୟାୟରେ ୧୭୭ ଜଣ ଲେଖାଏଁ ମୋଟ ୩୫୪ ଜଣଙ୍କୁ ଏହି ସୁଯୋଗ ମିଳିବ । ପ୍ରତ୍ୟକ ଯାତ୍ରୀଙ୍କ ପଛରେ ସରକାର ୧୬୮୦୦ ଟଙ୍କା ଲେଖାଏଁ ଖର୍ଚ୍ଚ କରିବେ । ତୀର୍ଥ ପୂର୍ବରୁ ମୁଖ୍ୟ ଚିକିତ୍ସାଧିକାରୀ ତତ୍ଵାବଧାନରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସ୍ୱାସ୍ଥ୍ୟ କିଟ ବଣ୍ଟାଯିବ । ତୀର୍ଥ ଯାତ୍ରୀଙ୍କୁ ପୋଲିସ ପକ୍ଷରୁ ଉପଯୁକ୍ତ ପାଟ୍ରୋଲିଂ କରେଇ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ନଭେମ୍ବର ୧୦ରେ ଏହାର ପଞ୍ଜୀକରଣ ସରୁଥିବା ବେଳେ ଉଭୟ ଅନଲାଇନ ଓ ଅଫଲାଇନରେ ବରିଷ୍ଠ ନାଗରିକ ମାନେ ନିଜ କୁ ପଞ୍ଜୀକୃତ କରାଇଛନ୍ତି । ବୈଠକରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଅଧିକାରୀ ଉପସ୍ଥିତ ରହି ତୀର୍ଥଯାତ୍ରାକୁ ସଫଳ କରିବାରେ ସେମାନଙ୍କ ମତ ଦେଇଥିଲେ।

  • କୁଷ୍ଠ ରୋଗ ଚିହ୍ନଟ ଅଭିଯାନର ସମନ୍ଵୟ କମିଟି ବୈଠକ

    କୁଷ୍ଠ ରୋଗ ଚିହ୍ନଟ ଅଭିଯାନର ସମନ୍ଵୟ କମିଟି ବୈଠକ

    ବଲାଙ୍ଗିର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ବା ଏଲସିଡିସିର ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗିର ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡିସେମ୍ବର ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ହେବାକୁ ଥିବା କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ବିଷୟରେ ବିସ୍ତୁତ ଆଲୋଚନା ହୋଇଥିଲା । ଆଶା କର୍ମୀ ମାନେ ଏହି ଚିହ୍ନଟ ପ୍ରକ୍ରିୟାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ସେପ୍ଟେମ୍ବର ସୁଦ୍ଧା ଜିଲ୍ଲାରେ ୩୪୦ଜଣ ଚିହ୍ନଟ ହେଇଥିବାବେଳେ ଟେଷ୍ଟିଙ୍ଗ ଅଧିକ କରି ଏହାର ପ୍ରତିକାର କରିବାକୁ ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ଅଧିକ ଚିହ୍ନଟ ଜାଗାରେ ଡାକବାଜି ଯନ୍ତ୍ର ଦ୍ଵାରା ପ୍ରଚାର, ଘର ଘର ବୁଲି ସଚେତନ କରେଇବା ସହ , ଗ୍ରାମ ସଭା ମାଧ୍ୟମରେ ଚିହ୍ନଟଙ୍କୁ ତ୍ୱରାନ୍ୱିତ ଔଷଧ ଏବଂ ଚିକିତ୍ସା ଯୋଗେଇଦେବାକୁ ଆଲୋଚନା ହେଇଥିଲା । ଜିଲ୍ଲାର ୧୪ଟି ବ୍ଲକରୁ ପ୍ରାୟତଃ ୧୮ଲକ୍ଷ ଲୋକଙ୍କୁ ଏହି ଅଭିଯାନରେ ସାମିଲ କରାଯିବ । ଏଥିରେ ୨୧୫୦ ଟି ଚିହ୍ନଟ ଦଳ ୩୮୬ ସୁପରଭାଇଜରଙ୍କ ତତ୍ବାବଧାନରେ କାମ ହେବ । ସନ୍ଦିଗ୍ଧ ଙ୍କୁ ଡାକ୍ତର ୩ଦିନ ଭିତରେ ପରୀକ୍ଷା କରି ରିପୋର୍ଟ ଦେବାକୁ କୁହାଯାଇଛି । ଡିସେମ୍ବର ୧୭ରେ ସମସ୍ତ ପ୍ରକ୍ରିୟା ସାରିବା ସହ ଡିସେମ୍ବର ୨୦ରେ ସଂପୂର୍ଣ୍ଣ ରିପୋର୍ଟ ଦାଖଲ ପାଇଁ କୁହାଯାଇଛି । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତ, ଜିଲ୍ଲା ଉପମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦିବ୍ୟକିଶୋର ପତି ପ୍ରମୁଖ ଉପସ୍ଥିତ ଥିଲେ ।

  • ରେଳପଥ ସଂଯୋଗ ନେଇ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ବାର ଘଣ୍ଟିଆ ବନ୍ଦ

    ରେଳପଥ ସଂଯୋଗ ନେଇ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ବାର ଘଣ୍ଟିଆ ବନ୍ଦ

    ଫୁଲବାଣୀକୁ ରେଳ ପଥ ସଂଯୋଗ ନେଇ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ବାର ଘଣ୍ଟିଆ ବନ୍ଦ। ଶୁକ୍ରବାର ଫୁଲବାଣୀ ବନ୍ଦ ପାଇଁ ଡାକରା ଦେଇଥିଲା ସଂଘ। ସକାଳ ଛଅଟାରୁ ସନ୍ଧ୍ୟା ଛଅଟା ଯାଏଁ ଯାନବାହାନ ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ବନ୍ଦ ରହିଛି। ଫୁଲବାଣୀ ,ଜି ଉଦୟଗିରି, ରାଇକିଆ, ଟିକାବାଲି , ବାଲିଗୁଡାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାରେ ସମୂର୍ଣ୍ଣ ଯାନ ବାହାନ ଚଳାଚଳ ବନ୍ଦ ରହିଥିବା ସହ ଦୋକାନ ବଜାର ବନ୍ଦ ରହିଛି। ବନ୍ଦକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଏହି ବନ୍ଦ ଭିତରେଆମ୍ବୁଲାନ୍ସ,ଅତ୍ୟାବଶ୍ୟକ ଯାନ ବାହାନ ଚଳାଚଳକୁ ଅନୁମତି ଦିଆଯାଉଛି। ଜି ଉଦୟଗିରି ରେ ଅଫିସ୍,ସ୍କୁଲ ,ବ୍ୟାଙ୍କ୍ ବର୍ତ୍ତମାନ ଖୋଲା ରହିଥିବା ବେଳେ କିନ୍ତୁ ଦୋକାନ ବଜାର ବନ୍ଦ ରହିଛି। ଦୀର୍ଘ ଦିନରୁ ରେଳପଥରେ କନ୍ଧମାଳକୁ ସଂଯୋଗ କରିବାକୁ ଦାବି ହୋଇଆସୁଛି। ପୂର୍ବରୁ କନ୍ଧମାଳ ବିକାଶ ପରିଷଦ ଫୁଲବାଣୀକୁ ରେଳ ପଥ ସଂଯୋଗ ନେଇ ଦାବି କରିଥିଲା। ଏନେଇ ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନକରାଯାଇଥିଲା। କିନ୍ତୁ ଏହାର କୌଣସି ସୁଫଳ ମିଳିନାହିଁ। ସେଥିପାଇଁ ଆଜି ଏହି ପଦକ୍ଷେପ ନେଇଛି ବିକାଶ ପରିଷଦ। ତୁରନ୍ତ ଏହି ଦିଗରେ ରେଳବାଇ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଭୟଙ୍କର ଆନ୍ଦୋଳନ କରିବାକୁ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି

  • ଦେଶୀ ମହୁଲ ମଦ ଚୋରା ଚାଲାଣ ବେଳେ ଅବକାରୀ ବିଭାଗର ଚଢ଼ାଉ

    ଦେଶୀ ମହୁଲ ମଦ ଚୋରା ଚାଲାଣ ବେଳେ ଅବକାରୀ ବିଭାଗର ଚଢ଼ାଉ

    କେନ୍ଦୁଝର ଜିଲ୍ଲାରେ ଥମୁନି ଚୋରା ମହୁଲି ମଦ କାରବାର। ପୁଣି ଚଢଉ କରି ଅବକାରୀ ପୋଲିସ ହଜାର ଲିଟର ମହୁଲ ପୋଚ ନଷ୍ଟ କରିବା ସହ ମଦ ତିଆରିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି। ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ବନ୍ଧୁଆବେଡାରେ ଦେଶୀ ମଦ କୁଟୀର ଶିଳ୍ପରେ ପରିଣତ ହୋଇଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ଏସ୍ ପି ଓ ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶରେ ବନ୍ଧୁଆବେଡ଼ା ଅଞ୍ଚଳରେ ଚୋରା ଦେଶୀ ମଦ ଭାଟି ଉପରେ ଚଢ଼ାଉ କରାଯାଇଥିଲା । ସେଠାରେ ଥିବା ୧୦୦୦ ଲିଟରରୁ ଅଧିକ ମହୁଲି ପୋଚ ନଷ୍ଟ କରିବା ସହିତ ୬୦ ଟି ୨ ଶହ ଲିଟରିଆ ଡ୍ରମ୍, ଗୁଡ଼ ପ୍ୟାକେଟ ଓ ଅନ୍ୟାନ୍ୟ ସରଞ୍ଜାମ ଜବତ କରିଥିଲା ଅବକାରୀ ବିଭାଗ । ଏହି ଚଢାଉରେ ଚମ୍ପୁଆ, ଯୋଡ଼ା ଏବଂ ବଡ଼ବିଲର ଅବକାରୀ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ । ଆଗାମୀ ଦିନରେ ଚୋରା ଦେଶୀ ମଦ ଭାଟିଗୁଡ଼ିକ ଉପରେ ଏହିଭଳି ଚଢ଼ଉ ଜାରି ରହିବ ବୋଲି ଅବକାରୀ ବିଭାଗ କହିଛି ।

    ଏଠାରେ କହି ରଖୁଛୁ କି, ଗତ ୫ ତାରିଖରେ ବାମେବାରୀ ଥାନା ଅଧୀନ ବନ୍ଧୁଆବେଡ଼ାରୁ ସ୍କୋର୍ପିଓରେ ଦେଶୀ ମହୁଲ ମଦ ଚୋରା ଚାଲାଣ ବେଳେ ଚଢାଉ କରି ସ୍କୋର୍ପିଓ ସହ ୨ଶହ ୪୦ ଲିଟର ମହୁଲ ମଦ ଜବତ୍ କରିଥିଲା। ଏଥିସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

  • ତିନି ମାସର ରାସନ ଚାଉଳ ନପାଇ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ଗ୍ରାମବାସୀ

    ତିନି ମାସର ରାସନ ଚାଉଳ ନପାଇ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ଗ୍ରାମବାସୀ

    ତିନି ମାସର ରାସନ ଚାଉଳ ଦେଉନାହାନ୍ତି ଡିଲର, ଲୋକେ ଚାଉଳ ପାଇଁ ବାରମ୍ବାର ଧାଇଁବାରୁ ଡିଲର ଗାଳି ଗୁଲଜ ଦେବା ସହ ମୁଁ ଚାଉଳ ଦେବିନି, କଣ କରିବ କର ଧମକ ଦେଉଛନ୍ତି। ତେଣୁ ଚାଉଳ ଗଣ୍ଡାକ ପାଇଁ ଲୋକେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ଏଭଳି ଖବର ଆସିଛି ଯାଜପୁର ଜିଲ୍ଲା, ବିଞ୍ଝାରପୁର ବ୍ଲକ ସିଂହପୁର ପଂଚାୟତରୁ। ଅଭିଯୋଗ ମୁତାବକ, ସିଂହପୁର ପଞ୍ଚାୟତର ୭, ୮, ୯ ଓ ୧୦ନମ୍ବର ୱାର୍ଡ଼ରେ ଡିଲର ଚଳାଇଛନ୍ତି ମନମାନୀ। ଲୋକଙ୍କୁ ସରକାରଙ୍କ ମାଗଣା ଚାଉଳ ଦେଉନାହାନ୍ତି। ତିନି ମାସ ଧରି ଚାଉଳ ନ ପାଇ ଅଞ୍ଚଳର ପ୍ରକୃତ ହିତାଧିକାରୀ ବହୁ ଅସୁବିଧା ଭୋଗୁଥିବା ଅଭିଯୋଗ ହେଉଛି। ଚାଉଳ ପାଇଁ ଡିଲରଙ୍କ ସରକାରୀ ସୁଲଭ ଖାଉଟି ଦୋକାନକୁ ଗଲେ ଗାଳିମନ୍ଦ ଦେଇ ଦୁର୍ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ ହେଉଛି। ମୁଁ ଚାଉଳ ଦେବିନି, ମୋର କଣ କରିବ କର ବୋଲି ଧମକ ଦେବାକୁ ପଛାଉ ନ ଥିବା କହୁଛନ୍ତି ହିତାଧିକାରୀ। ଏହାକୁ ନେଇ ବହୁ ସଂଖ୍ୟାରେ ହିତାଧିକାରୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।ଏକ ଲିଖିତ ଅଭଯୋଗ କରିଛନ୍ତି।

    ଏଠାରେ କହି ରଖୁଛୁ କି, ଦୁଇ ଦିନ ତଳେ ସୁଲଭ ଖାଉଟି ଦୋକାନରେ ଶତାଧିକ ହିତାଧିକାରୀ ପହଞ୍ଚି ଚାଉଳ ପାଇଁ ଭିଡ ଲଗାଇଥିବା ବେଳେ ଡିଲର ଚାଉଳ ଦେଇନଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମସ୍ୟାର ସମାଧାନ କରି ଚାଉଳ ଦେବା ପାଇଁ ହିତାଧିକାରୀ ମାନେ ଦାବି କରୁଛନ୍ତି।