Category: ମୁଖ୍ୟ ଖବର

  • ନୂଆ ବର୍ଷରେ ରାଜନୈତିକ ଦଳ ପାଇଁ ରହିବ ଚ୍ୟାଲେଞ୍ଜ

    ନୂଆ ବର୍ଷରେ ରାଜନୈତିକ ଦଳ ପାଇଁ ରହିବ ଚ୍ୟାଲେଞ୍ଜ

    ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅଂଟା ଭିଡ଼ିଛନ୍ତି ସବୁ ରାଜନୈତିକ ଦଳ । ତେବେ କେଉଁ ଦଳ ପାଇଁ କ’ଣ ରହିବ ଚ୍ୟାଲେଞ୍ଜ ଓ କ’ଣ ରହିବ ରଣନୀତି? ନୂଆବର୍ଷ ନିର୍ବାଚନୀ ବର୍ଷ ହୋଇଥିବାରୁ ସବୁ ଦଳ ପାଇଁ ରହିବ ବଡ଼ ଚ୍ୟାଲେଞ୍ଜ। ତେବେ ରାଜ୍ୟରେ କଂଗ୍ରେସର ସ୍ଥିତି ଦୁର୍ବଳ ଥିବାରୁ ଚଳିତ ଥର ନିର୍ବାଚନ ଦ୍ବିମୁଖୀ ହେବ ବୋଲି କୁହାଯାଉଛି। ସେଥିପାଇଁ ଦୁଇଦଳ ଫୁଲ ଦମ ଲଗାଇଛନ୍ତି ବହୁମତ ହାସଲ କରିବାକୁ। ବିଜଦି ୧.୫ କୋଟି ଭୋଟର ଟାର୍ଗେଟ ବା ମିଶନ ୧୩୦ ନେଇ ପ୍ରସ୍ତୁତି ଆରମ୍ଭ କରିଛି । ଅନ୍ୟପଟେ ଓଡ଼ିଶା ଦଖଲ ପାଇଁ ବିଜେପି ଚଳାଇଛି ଜୋରଦାର କସରତ। ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍ ଦିଆଯାଇଛି । ୨ ଦିନିଆ ବୈଠକରେ ମୋଦି ଶାହଙ୍କ ସରକାର ଗଠନ ପାଇଁ କରିଛନ୍ତି ମାନସମନ୍ଥନ । ସେପଟେ କଂଗ୍ରେସ ଉଭୟ ସରକାର ଲୋକଙ୍କୁ ଭଣ୍ଡାଉଥିବା ଅଭିଯୋଗ ବିଜୟ ମୁକୁଟ ପିନ୍ଧିବ ବୋଲି ଦମ୍ଭୋକ୍ତି ପ୍ରକାଶ କରୁଛି।

    ବିଜେପି କହିଛି, ୨୦୨୪ରେ ଦଳ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ସରକାରୀ କଳ । ବୁଥ ସ୍ତରରେ ସଂଗଠନକୁ ସୁଦୃଢ କରିବାକୁ ଏବଂ ୧ କୋଟି ଘର ସହ ପ୍ରତ୍ୟକ୍ଷ ସମ୍ପର୍କ ମାଧ୍ୟମରେ ସମସ୍ତ ଚ୍ୟାଲେଞ୍ଜକଚୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହେଉଛି ଦଳ । ଏହି କ୍ରମରେ ଜାନୁଆରୀ ୫ରୁ ବିଜେପି ଆନ୍ଦୋଳନ ଆରମ୍ଭ କରିବ ।

    ସେପଟେ ବିଜେଡି କହୁଛି ଦଳ ସବୁବେଳେ ସାଂଗଠନିକ କାର୍ଯ୍ୟକ୍ରମ କରିଥାଏ।ଯେତେ ବେଳେ ନିର୍ବାଚନ ଆସେ ତାକୁ ସମ୍ମୁଖୀନ ହୁଏ। ୨୦୨୨ ମସିହାରେ ସବୁ ସ୍ତରର ନିର୍ବାଚନରେ ଦଳ ଶତ ପ୍ରତିଶତ ସଫଳତା ହାସଲ କରିଛି। ଦଳ ପ୍ରତି ଲୋକଙ୍କ ଭରସାରୁ ରାଜ୍ୟରେ କେବଳ ଗୋଟିଏ ଦଳ ଥିବା ସ୍ପଷ୍ଟ ହୋଇଛି। ଅନ୍ୟପଟେ କଂଗ୍ରେସ ଉଭୟ ଦଳ କୁ କଟାକ୍ଷ କରି କହିଛି ଗତ ନିର୍ବାଚନରେ ମଧ୍ୟ ବିଜେପି ୧୨୦ ମିଶନ କହିଥିଲା ।ଫଳ ଲୋକେ ଦେଖିଲେ। ଆଉ ବିଜେଡି ସୁପ୍ରିମୋଙ୍କ ଲୋକପ୍ରିୟତା ହ୍ରାସ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ସେମାନେ ଓଡ଼ିଶା ବାସୀ ଙ୍କ ପାଇଁ କିଛି କରୁନାହାନ୍ତି। ସେଥିପାଇଁ ଓଡ଼ିଶାବାସୀ ଆଉ ସେମାନଙ୍କ ଉପରେ ଅସ୍ଥା ରଖୁନାହାନ୍ତି । ତେଣୁ ଆଗାମୀ ନିର୍ବାଚନ ହେବ କଂଗ୍ରେସର। ୧୧ ସାଂସଦ ଓ ୯୬ ବିଧାୟକର ଟାର୍ଗେଟ ଦୋହରାଇଛନ୍ତି ପିସିସି ସଭାପତି।

    ସବୁ ଦଳର ଦୃଢୋକ୍ତି, ବୟାନ ବାଜି ଓ କାଦୁଅ ଫିଙ୍ଗା ଫୋପଡାକୁ ଦେଖି ସବୁ ଦଳ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ ରଖିଥିବା ସ୍ପଷ୍ଟ ହୋଇଛି। ଏବେ ଦେଖିବାକୁ ରହିଲା କାହା ମୁଣ୍ଡରେ ହାତୀ ସୁନା କଳସ ଢାଳୁଛି।

  • ଆଉ କିଛି ନଳକୂପ, ରାସ୍ତା ମରାମତି ପାଇଁ ପର୍ଯ୍ୟଟକଙ୍କ ଅନୁରୋଧ

    ଆଉ କିଛି ନଳକୂପ, ରାସ୍ତା ମରାମତି ପାଇଁ ପର୍ଯ୍ୟଟକଙ୍କ ଅନୁରୋଧ

    ଶୀତ ଋତୁ ଆସିଲେ ପିକନିକ୍ କଥା ମନକୁ ଆସେ । ସାଙ୍ଗ ସାଥୀ , ବନ୍ଧୁ ପରିଜନଙ୍କ ସହ ପିକନିକ୍ ବା ବଣ ଭୋଜୀର ମଜା କିଛି ନିଆରା । ତେବେ ଏହାର ମଜା ନେବା ପାଇଁ ପିକନିକ୍ ସ୍ଥଳରେ ପର୍ଯ୍ୟଟକଙ୍କ ଜମୁଛି ଭିଡ । ସେହିଭଳି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଶଙ୍ଖାଭଙ୍ଗା ନିକଟରେ ଥିବା ଖାଣ୍ଡିଆ ଜଳପ୍ରପାତରେ ପ୍ରବଳ ଭିଡ଼ ହେଉଥିବା ଦେଖିବାକୁ ମିଳୁଛି।ଜଳପ୍ରପାତ ସହିତ ଆକର୍ଷଣୀୟ ଶୁଷ୍କ ଶାନ୍ତ ବଣ ପାହାଡ ଘେରା ବାତାବରଣ, କୁଳୁକୁଳୁ ଶବ୍ଦ, ସୁନ୍ଦର ବଣଭୋଜି ସ୍ଥାନ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରୁଛି । ଯେଉଁଥି ପାଇଁ ଶୀତ ଋତୁ ଆସିଲେ ଏଠାରେ ଜମେ ଲୋକଙ୍କ ଭିଡ । ଏବଂ ଭୋଜୀ ଭାତର ଆସର । ତେବେ ଏଠାରେ ଗୋଟିଏ ନଳକୂପ ରହିଛି ଯେଉଁଥି ପାଇଁ ଅନେକ ସମୟରେ ପାଣିର ଅସୁବିଧ ଭୋଗୁଛନ୍ତି ଏଠାକୁ ଆସୁଥିବା ପର୍ଯଟକ । ଆଉ କିଛି ନଳକୂପ ପାଇଁ ଅନୁରୋଧ କରିବା ସହିତ ରାସ୍ତା ମରାମତି କଲେ ବହୁଳ ସଂଖ୍ୟାରେ ପର୍ଯ୍ୟଟକଙ୍କ ସମାଗମ ହେବା ସହ ସେମାନେ ମଧ୍ୟ ଏହି ଜଳପ୍ରପାତର ମଜା ଉଠାଇପାରିବା ନେଇ କହିଛନ୍ତି ପର୍ଯ୍ୟଟକଙ୍କ ସମେତ ଅଞ୍ଚଳବାସୀ ।

    ସେହିପରି ଆସୁଥିବା ପର୍ଯ୍ୟଟକ ବିପଦ ସଙ୍କୁଳ ଅବସ୍ଥାରେ ଜଳ ପ୍ରପାତକୁ ଲାଗିଥିବା ପାହାଡ଼ରେ ଚଢିବା ପାଇଁ ଲୋକଙ୍କ ପାଇଁ ସିଡି ସହିତ ଲୁହା ଗ୍ରିଲ୍ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ଲୋକେ ।

  • ପୋଖରୀରୁ ମିଳିଲା ମୃତ ଦେହ

    ପୋଖରୀରୁ ମିଳିଲା ମୃତ ଦେହ

    ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଚାରି ନମ୍ବର ୱାର୍ଡର ରାଇପୁର ଗାଁରେ ଗତକାଲି ଘର ସମ୍ମୁଖରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିବା ଅଢେଇ ବର୍ଷର ଶିଶୁପୁତ୍ରର ମୃତଦେହକୁ ଆଜି ପୋଖରୀରୁ ଉଦ୍ଧାର କରାଯାଇଛି। ଆଜି ସକାଳେ ଅଗ୍ନିଶମ ବାହିନୀ ଘର ପାଖରେ ଥିବା ଏକ ପରିତ୍ୟକ୍ତ ପୋଖରୀକୁ ପରିଷ୍କାର କରି ଖୋଜାଖୋଜି କରିବା ବେଳେ ଶିଶୁପୁତ୍ରର ମୃତଦେହ ପାଇଥିଲା। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି। ସୁଟନା ଅନୁଯୟାୀ ଗତକାଲି ରାଇପୁର ଗ୍ରାମର ମୋହନ ସାହୁ ଙ୍କ ଅଢେଇ ବର୍ଷ ର ପୁଅ ଶୁଭମ ସାହୁ ଘର ପାଖରେ ଖେଳୁ ଥିବା ବେଳେ ନିଖୋଜ ହୋଇଯାଇଥିଲା । ପରିବାର ଲୋକ ଓ ଗ୍ରାମର ବାସୀ ବିଭିନ୍ନସ୍ଥାନ ଖୋଜି ନିରାଶ ହୋଇଥିଲେ । ପରେ ସୋର ପୋଲିସ, ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ପହଂଚି ଘର ପାଖା ପାଖି ଥିବା ଗଢିଆ, ପୋଖରୀ ରେ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ପତା ମିଳିନଥିଲା । ତେବେ ଆଜି ସକାଳେ ଅଗ୍ନିଶମ ବାହିନୀ ସାହାର୍ଯ୍ୟରେ ପୋଖରୀରୁ ପାଣି ସୁଖା ଯାଉଥିବା ବେଳେ ଶିଶୁ ପୁତ୍ରଟି ର ମୃତ ଦେହ ଉଦ୍ଧାର କରାଯାଇଛି ।

  • ନବୀନ ଓଡିଶା କାର୍ଯ୍ୟକ୍ରମରେ ଅଣ୍ଡାମାଡ଼କୁ ନେଇ ତେଜିଲା ରାଜନୀତି

    ନବୀନ ଓଡିଶା କାର୍ଯ୍ୟକ୍ରମରେ ଅଣ୍ଡାମାଡ଼କୁ ନେଇ ତେଜିଲା ରାଜନୀତି

    କେନ୍ଦ୍ରାପଡା ପାଟକୁରା କୋରୁଆ ସ୍ଥିତ ଲୋକନାଥ ମହାବିଦ୍ୟାଳୟରେ ମଙ୍ଗଳବାର ନୂଆ ଓ “ମୋ ଓଡିଶା ନବୀନ ଓଡିଶା ” କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଘଟିଛି ବିରାଟ ବିଭ୍ରାଟ। ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲଙ୍କ ଉପସ୍ଥିତିରେ ହୋଇଛି ଅଣ୍ଡାମାଡ। ଏକାଧିକ ଅଣ୍ଡାମାଡର ଛାପ ଷ୍ଟେଜର ଚତୁର୍ପାର୍ଶ୍ବର ଓ କିଛି ଉପସ୍ଥିତ ବ୍ୟକ୍ତିଙ୍କ ଦେହରେଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ମୁଖ୍ୟ ଅତିଥି ଓ ଅଧ୍ୟକ୍ଷ। ସେପଟେ ଏହା ପଛରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ଅଣ୍ଡାମାଡର ଶିକାର ହୋଇଥିବା ସ୍ଥାନୀୟ ବୁଦ୍ଧିଜୀବୀ। ମଙ୍ଗଳବାର ଦିନ କଲେଜରେ ଚାଲିଥିଲା ଉଦଯାପନୀ ଉତ୍ସବ।

    ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଧାୟିକାଙ୍କ ପୁଅ ଓ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ। ମଞ୍ଚରେ ଅତିଥିଗଣ ନିଜ ନିଜର ଅଭିଭାଷଣ ଦେଉଥିବା ବେଳେ କେହି ଦୁର୍ବୃତ୍ତ କଲେଜ କ୍ୟାମ୍ପସରେ ପଶି ଦର୍ଶକ ଗ୍ୟାଲେରୀକୁ ଅଣ୍ଡା ମାଡ଼ କରିଥିଲେ। କିଛି ଅଣ୍ଡା ଏକାଧିକ ଛାତ୍ରୀଙ୍କ ଦେହରେ ବାଜିଥିଲା। କାର୍ଯ୍ୟକ୍ରମରେ ସମ୍ମାନିତ ହେବାକୁ ଆସିଥିବା ସ୍ଥାନୀୟ ଅଞ୍ଚଳର ପରିବେଶବିତ୍ ତଥା ସମାଜସେବୀ ଉଦୟ ନାଥ ଚୌଧୁରୀ ମଧ୍ୟ ଅଣ୍ଡା ମାଡର ଶିକାର ହୋଇଥିଲେ। ତାଙ୍କ ପିଠିରେ ହୋଇଥିଲା ଅଣ୍ଡାମାଡ। ହେଲେ କାର୍ଯ୍ୟକ୍ରମ ଆଗେଇ ଚାଲିଥିଲା। ଏଥିରେ କ୍ଷୁବ୍ଧ ହୋଇ ଏହି ଅଣ୍ଡାମାଡ ମନ୍ତ୍ରୀ ନାୟକଙ୍କ ଇଙ୍ଗିତରେ ହୋଇଥିବା କହିଥିଲେ ଉଦୟନାଥ

    ଅନ୍ୟପଟେ ଏହାକୁ ବିରୋଧୀଙ୍କ ଚକ୍ରାନ୍ତ ବା ଛାତ୍ର ଅସନ୍ତୋଷର ପ୍ରତିଫଳନ ବୋଲି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନକରିବାରୁ ମୁଖ୍ୟ ଅତିଥି ଓ ଅଧ୍ୟକ୍ଷ ଏହାକୁ ଖଣ୍ଡନ କରିଥିଲେ। ସଞ୍ଜୟ ଗଣମାଧ୍ୟମ ପ୍ରଶ୍ନରେ ଉତକ୍ଷିପ୍ତ ହୋଇ ପାଲଟା କେଉଁଠି ଅଣ୍ଡାମାଡ ହୋଇଥିଲା ବୋଲି ପ୍ରଶ୍ନ କରିଥିଲେ। ସେହିପରି ଖବର ପାଇ କୁଦାନଗରୀ ଥାନା ପୋଲିସ କିଛି ଜାଣି ନ ଥିବା କହିବା ସହ ତଦନ୍ତ ପରେ ଜଣାପଡିବ ବୋଲି କହିଥିଲେ।

    ତେବେ କଲେଜ କାର୍ଯ୍ୟକ୍ରମରେ ଅଣ୍ଡାମାଡ ଘଟଣାକୁ ନେଇ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। କିଛି ଦିନ ତଳେ ପୂର୍ବତନ ବିଧାୟକ ବେଦପ୍ରକାଶଙ୍କ ଜନ୍ମ ବାର୍ଷିକ ପାଳନ ଅବସରରେ ପୁଅ ଓ ଝିଅଙ୍କ କ୍ଷମତା ପାଇଁ କଳି ଦାଣ୍ଡରେ ପଡି ହାଟରେ ଗଡଗଡେଇଥିଲା। ତେଣୁ ଭଉଣୀଙ୍କ ହାତ ଅଣ୍ଡାମାଡ ଘଟଣା ପଛରେ ଥାଇପାରେ ବୋଲି ଅନେକ କହୁଛନ୍ତି। ସେହିପରି ମନ୍ତ୍ରୀ ନାୟକ ପାଟକୁରାରେ ନିଜ ଭାଇଙ୍କୁ ଆଗାମୀ ନିର୍ବାଚନରେ ମୈଦାନକୁ ଓହ୍ଲାଇବାକୁ ଲବି ଚଳାଇଥିବାରୁ ସଞ୍ଜୟଙ୍କ ଆଧିପତ୍ୟ ତାଙ୍କୁ ଅସହ୍ୟ ହେଉଛି ଓ ସେ ଏପରି କରାଇଥାଇ ପାରନ୍ତି ବୋଲି କୁହାଯାଉ। କାରଣ ଯାହା ହେଉନା କାହିଁକି, ଏହାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି

  • ଭୁବନେଶ୍ୱରରେ କୁଖ୍ୟାତ ଅପରାଧୀ ରଘୁ ବିଶ୍ଵାଳକୁ ଏନକାଉଣ୍ଟର, ପିସ୍ତଲ ଜବତ

    ଭୁବନେଶ୍ୱରରେ କୁଖ୍ୟାତ ଅପରାଧୀ ରଘୁ ବିଶ୍ଵାଳକୁ ଏନକାଉଣ୍ଟର, ପିସ୍ତଲ ଜବତ

    ନୂଆ ବର୍ଷ ପୂର୍ବରୁ ରାଜଧାନୀରେ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ରଘୁ ବିଶ୍ଵାଳକୁ ଏନକାଉଣ୍ଟର ହୋଇଥିବା ସୂଚନା । ମଞ୍ଚେଶ୍ୱର ଥାନା ପୋଲିସ ଏବଂ ସ୍ପେସିଆଲ ସ୍କ୍ୱାଡ଼ ମିଳିତ ଟିମ ଏହି ଏନକାଉଣ୍ଟର ହୋଇଛି । କୁଖ୍ୟାତ ରବି ରାଓ ଗ୍ୟାଙ୍ଗର ସଦସ୍ୟ ହେଉଛି ରଘୁ ।

    ରଘୁ ନାମରେ ବିଭିନ୍ନ ଥାନାରେ ୧୫ଟି ଥାନାରେ ଡକାୟତି ସହ ରାହାଜାନୀ ମାମଲା ରହିଛି । ସେଥି ମଧ୍ୟରୁ ବନ୍ଧୁକ ଜନିତ ମାମଲା ରହିଛି ୮ଟି । ବୁଧବାର ବିଳମ୍ବିତ ରାତିରେ ମଞ୍ଚେଶ୍ଵର୍ ଥାନା ପୋଲିସ ଓ ସ୍ପେସଲ୍ ସ୍କ୍ୱାର୍ଡ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ବେଳେ ରଘୁ ଓ ତାଙ୍କର ଜଣେ ବନ୍ଧୁ ଏକ କେଟିଏମ୍ ବାଇକରେ ଭୁବନେଶ୍ୱର ବାଲିଯାତ୍ରା ପଡିଆ ରାସ୍ତା ଦେଇ ଯାଉଥିଲେ ।

    ଏହି ସମୟରେ ଏମାନଙ୍କୁ ପୋଲିସ ଅଟକାଇବା ରୁ ହଠାତ୍ ରଘୁ ନିଜ ମାଉଜର ବାହାର କରି ପୋଲିସ ଉପରକୁ ଗୁଳି ଚଳାଇଥିଲା । ୩ ରାଉଣ୍ଡ ଗୁଳି ମାଡ କରିବା ପରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚଳାଇବା ବେଳେ ରଘୁର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ଘଟଣା ସ୍ଥଳରେ ପଡ଼ି ଯାଇଥିଲା । ପରେ ତାଙ୍କ ବନ୍ଧୁ ପୁନିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

    ପୋଲିସ ରଘୁକୁ କାବୁ କରିଥିବା ବେଳେ ତା ନିକଟରୁ ୭.୫ ମିଲି ମିଟର ର ଏକ ପିସ୍ତଲ ଜବତ କରିଛି । ଆହତ ଅବସ୍ଥାରେ ରଘୁକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି

  • ବାସୁଦେବପୁର ମନ୍ଦାରୀ ପୋଲ ନିକଟରେ ଆଇରନ ଟ୍ରଲରକୁ ପିଟିଲା ଚିପ୍ସ୍ ବୋଝେଇ ହାଇଓ୍ବା, ୧ ମୃତ

    ବାସୁଦେବପୁର ମନ୍ଦାରୀ ପୋଲ ନିକଟରେ ଆଇରନ ଟ୍ରଲରକୁ ପିଟିଲା ଚିପ୍ସ୍ ବୋଝେଇ ହାଇଓ୍ବା, ୧ ମୃତ

    ହେମନ୍ତ ମହାରଣା

    ବାସୁଦେବପୁର: ସୂଚନା ଅନୁଯାୟୀ, ରାତ୍ର ୨:୩୦ ସମୟରେ OD09AA6667 ଓ OD09AA7667 ନମ୍ବରର ଦୁଇଟି ଆଇରନ ଟ୍ରଲର ରାସ୍ତା ପାର୍ଶ୍ବରେ ଛିଡ଼ା କରାଇ ପଙ୍କଚର ଟାୟାର ସଜାଡୁଥିବା ସମୟରେ ପଛ ପଟରୁ ଅନ୍ୟ ଏକ ଚିପ୍ସ୍ ବୋଝେଇ ହାଇଓ୍ବା ଯାହାର ଗାଡି ନମ୍ବର OD04Q8366 ଧକ୍କା ଦେବା କାରଣରୁ ଘଟଣା ସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଡ୍ରାଇଭର ନିକଟସ୍ଥ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

    ଖବର ପାଇ ଘଟଣାସ୍ଥଳରେ ଚୂଡ଼ାମଣି ମେରାଇନ ପୋଲିସ ପହଞ୍ଚିବା ପରେ ଗାଡ଼ି ଭିତରେ ଫସି ରହିଥିବା ହାଇଓ୍ବା ଡ୍ରାଇଭରକୁ ଦମକଳ ବାହିନୀ ସହାୟତାରେ ଉଧାର କରି ବାସୁଦେବପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

  • ଆସନ୍ତା ନିର୍ବାଚନରେ ବିଜେପିର ୫୧%କୁ ବିଜେଡିର ୧୩୦% ଟାର୍ଗେଟ

    ଆସନ୍ତା ନିର୍ବାଚନରେ ବିଜେପିର ୫୧%କୁ ବିଜେଡିର ୧୩୦% ଟାର୍ଗେଟ

    ନିର୍ବାଚନୀ ପଶାପାଲିରେ ଗୋଟିଚାଳନା ଆରମ୍ଭ । ନିର୍ବାଚନ ବୈତରଣୀ ପାର ହେବା ପାଇଁ ଭୋଟର ମୁହାଁ ସବୁ ଦଳ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଚାଲିଛି ତୃଣମୂଳସ୍ତରରୁ ରଣନୀତି । ହେଲେ ଏବେଠୁ ରାଜନୀତିକ ଦଳ କହି ସାରିଲେଣି କାହା ହାତରେ ପଡିବ କେତେ ଭୋଟ? କାହାର ଟାଗେର୍ଟ କେତେ ? ବିଜେପି ୫୧ ପ୍ରତିଶତ ଟାର୍ଗେଟ୍ ଲକ୍ଷ୍ଯ ରଖିଥିବା ବେଳେ ଶାସକ ଦଳ କହୁଛି ୧୩୦ ଆସନର ଟାର୍ଗେଟ ରଖିଛି।

    ଦିଲ୍ଲୀରୁ ଫେରିବା ପରେ ବିଜେପି ନେତାଙ୍କ ଭିତରେ ଜୋଶ୍ । ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ନିଷ୍ପତ୍ତି ଉପରେ ଓଡ଼ିଶାରେ ୫୧ ପ୍ରତିଶତ ଭୋଟ୍ ଟାର୍ଗେଟ ଉପରେ କାମ କରୁଛନ୍ତି ରାଜ୍ୟ ବିଜେପି। ସୂଚନା ଅନୁସାରେ ୨୨ ଜଣ ବିଧାୟକଙ୍କ ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନଡ୍ଡା ବୈଠକ କରିଥିଲେ । ସାମ୍ପ୍ରତିକ ଜାତୀୟ ରାଜନୈତିକ ପାଣିପାଗକୁ ନଜରରେ ରଖି ୨୦୨୪ ନିର୍ବାଚନରେ ଓଡିଶାରେ ରେକର୍ଡ ବିଜୟ ପାଇଁ ରଣନୀତି ହୋଇଛି । ଲୋକସଭା ଓ ବିଧାନସଭା ପାଇଁ ଭିନ୍ନ ଭିନ୍ନ ରଣନୀତି ହେବ ସେ ନେଇ ଆଲୋଚନା ମଧ୍ୟ ହୋଇଛି । ଖୁବ୍ ଶୀଘ୍ର କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟକୁ ଆସିବା ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

    ସେପଟେ ଶାସକଦଳ ବିଜେପିକୁ କଡା ସମାଲୋଚନା କରି କହିଛି ଯେ, କହିବାରେ କଷ୍ଟ କେଉଁଠି । ବିଜେପି ୧୪ ଓ ୧୯ ନିର୍ବାଚନ ବେଳେ ଭୋଟ ପ୍ରତିଶତକୁ ନେଇ ଏମିତି ସମାନ କଥା କହିଥିଲେ । ଗ୍ରାଉଣ୍ଡରେ ଲୋକଙ୍କର ମନୋଭାବ କଣ ଅଛି ତାକୁ ବୁଝିବାରେ ସେମାନେ ସମର୍ଥ ହୋଇ ପାରୁ ନାହାଁନ୍ତି । କିନ୍ତୁ ବିଜୁ ଜନତା ଦଳ ୧୩୦ରୁ ଅଧିକ ସିଟ ହାତେଇବ । ସଂଗଠନ ସମ୍ପାଦକ କର୍ମକର୍ତ୍ତା ଙ୍କୁ ସେ ନେଇ ଡାକରା ଦେଇଛନ୍ତି । ବିକାଶ ଆଧାରରେ ନବୀନ ପଟ୍ଟନାୟକଙ୍କୁ ଲୋକେ ଷଷ୍ଠ ଥର ଲାଗି ମୁଖ୍ୟମନ୍ତ୍ରୀ ଆସନରେ ବସେଇବା ପାଇଁ ମନସ୍ଥିର କରି ସାରିଛୁ । ବିରୋଧୀ ବ୍ଲକ ୱାରୀ, ନିର୍ବାଚନ ମଣ୍ଡଳୀ ୱାରୀ ଓ ସଂସଦୀୟ କ୍ଷେତ୍ର ୱାରୀ ରଣନୀତି କଲେ ବି ବିଜେଡି ଉପରେ ତାର କିଛି ପ୍ରଭାବ ପଡିବନି ବୋଲି କହିଛନ୍ତି ବିଜେଡି ବିଧାୟକ ସମୀର ଦାଶ ।

    ତେବେ ନିର୍ବାଚନ ପୂର୍ବରୁ ରାଜନୀତିକ ଦଳମାନଙ୍କ ଅଙ୍କ କଷା ସାଧାରଣ ପ୍ରକ୍ରିୟା। ହେଲେ ଯଦି ଓଡ଼ିଶା ଭୋଟରଙ୍କୁ ନଜର ପକାଇବା ୨୦୧୯ ଇଲେକ୍ଟୋରାଲ୍ ଅନୁଯାୟୀ, ରାଜ୍ୟରେ ୩ କୋଟି ୨୪ଲକ୍ଷ ୬୮ହଜାର ୬3୬ ଭୋଟର ଥିଲେ, ଯେଉଁମାନଙ୍କ ମଧ୍ୟରୁ ୧ କୋଟି ୬୬ଲକ୍ଷ ୨୫ହଜାର ୫୫୫ ପୁରୁଷ, ୧କୋଟି ୫୮ଲକ୍ଷ ୪୦ ହଜାର ୧୩୮ ମହିଳା ଏବଂ ୨ ହଜାର ୯୪୩ ଟ୍ରାନ୍ସଜେଣ୍ଡର ରହିଥିଲେ। ସେହି ସମୟରେ ବିଜେପି ଚାଣକ୍ୟ ଅମିତ ସାହ ୧୨୦ ମିଶନ ପାଇଁ ଦୃଢୋକ୍ତି ପ୍ରକାଶ କରିଥିବା ବେଳେ କିନ୍ତୁ ଦଳ ୨୨ରେ ସୀମିତ ରହିଯାଇଥିଲା। ଏଥରକ ଦେଖିବାକୁ ରହିଲେ ଓଡିଶା ଭୋଟର ବିଜେପିକୁ କେତେ ଆସନରେ ବିଜୟ ଭେଟି ଦେଉଛି

  • ୧୩ ମାସ ୧୩ ଦିନର ସରକାର ଭାଙ୍ଗିବା ପରେ ବି ଭାଙ୍ଗିନଥିଲେ ଅଟଳ

    ୧୩ ମାସ ୧୩ ଦିନର ସରକାର ଭାଙ୍ଗିବା ପରେ ବି ଭାଙ୍ଗିନଥିଲେ ଅଟଳ

    ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଭାରତୀୟ ରାଜନୀତିରେ ତାଙ୍କର ଖ୍ୟାତିକୁ କେହି ଚାହିଁଲେ ମଧ୍ୟ ଅଣଦେଖା କରିପାରିବେ ନାହିଁ। ପ୍ରଖର ବକ୍ତା ଏବଂ ଜଣେ ଦକ୍ଷ ଶାସକ ଭାବେ ପରିଚିତ ବାଜପେୟୀଙ୍କ ଡରରେ କମ୍ପୁଥିଲା ପାକିସ୍ତାନ। ଯେତେବେଳେ ସେ ସଂସଦରେ ସେ କଥା ହେଉଥିଲେ ସାରା ବିଶ୍ୱ ତାଙ୍କୁ ଧ୍ୟାନରେ ଶୁଣୁଥିଲା । କବିତା ମାଧ୍ୟମରେ ବାର୍ତ୍ତା ଥିଲା ତାଙ୍କର ପ୍ରଧାନ ଅସ୍ତ୍ର । ଅନେକ ଥର ସେ ତାଙ୍କ କବିତା ଜରିଆରେ ଗୃହରେ ବିରୋଧୀଙ୍କୁ ଜବାବ ଦେଉଥିଲେ ।

    ୧୯୨୪ ମସିହା ଡିସେମ୍ବର ୨୫ ତାରିଖର କଥା । ଗୋଟିଏ ପଟେ ସମଗ୍ର ବିଶ୍ୱ ଖ୍ରୀଷ୍ଟମାସ ଉତ୍ସବରେ ଉଲ୍ଲସୀତ ଥିବା ବେଳେ ଧରାପୃଷ୍ଟରେ ଜନ୍ମ ନେଇଥିଲେ ପ୍ରଖ୍ୟାତ ରାଜନୀତିଜ୍ଞ ଅଟଳ ବିହାରୀ ବାଜପେୟୀ । ମଧ୍ୟପ୍ରଦେଶର ଗ୍ୱାଲିଅରରେ ଜନ୍ମିତ ଏହି ଶିଶୁଟି ଯେ ଦିନେ ରାଜନୀତିରେ ଏତେ ବଡ ପରିଚୟ ସୃଷ୍ଟି କରିବେ ତାହା କେହି କେବେ କଳ୍ପନା କରିନଥିଲେ । ତାଙ୍କ ପରିବାର ସଦସ୍ୟଙ୍କ କହିବା ମୁତାବକ, ପିଲାଦିନେ ବାଜପେୟୀଙ୍କ ସ୍ମୃତି ଅତ୍ୟନ୍ତ ପ୍ରଖର ଥିଲା । ସେ ପଢିବା ଏବଂ ଲେଖିବାରେ ବହୁତ ଦ୍ରୁତ ଥିଲେ । ଶିଶୁ ମନ୍ଦିରରୁ ପ୍ରାଥମିକ ଶିକ୍ଷା ଗ୍ରହଣ କରିବୀ ପରେ ସେ ଗ୍ୱାଲିଅରର ଭିକ୍ଟୋରିଆ କଲେଜରୁ ସ୍ନାତକ ହାସଲ କରିଥିଲେ । ଅଟଳ ବିହାରୀ ବାଜପେୟୀଙ୍କୁ ହିନ୍ଦୀ, ସଂସ୍କୃତ ଏବଂ ଇଂରାଜୀ ଭାଷାର ଏକ୍ସପୋର୍ଟ ଭାବେ ବିବିଚନା କରାଯାଉଥିଲା ।

    ତାଙ୍କର ରାଜନୈତିକ ଯାତ୍ରା କଲେଜ ସମୟରେ ଆରମ୍ଭ ହୋଇଥିଲା । ୧୯୪୨ ମସିହାରେ ସେ ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏହି ସମୟ ମଧ୍ୟରେ ସେ ଆରଏସଏସର ନିକଟତର ହୋଇଥିଲେ । ଇନ୍ଦିରା ସରକାରରେ ଅଟଳ ବିହାରୀ ବାଜପେୟୀ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରୁଥିଲେ ଏବଂ ଜରୁରୀକାଳୀନ ପରିସ୍ଥିତିରେ ବିରୋଧ କରୁଥିବା ନେତାଙ୍କ ମଧ୍ୟରେ ଅଟଳ ବିହାରୀ ବାଜପେୟୀଙ୍କ ନାମ ଆଗରେ ଥିଲା। ୧୯୯୧, ୧୯୯୬, ୧୯୯୮ ଏବଂ ୨୦୦୪ ମସିହାରେ ଲୋକସଭା ନିର୍ବାଚନ ଜିତିଥିଲେ । 1996ରେ ବିଜେପି ଲୋକସଭା ନିର୍ବାଚନରେ ଏକ ବୃହତ ବିଜୟ ହାସଲ କରିବା ସହ ମଜବୁତ ଦଳ ଭାବେ ଉଭା ହୋଇଥିଲା ।

    ସେହି ସମୟ ମଧ୍ୟରେ ବିଜେପି ୧୬୧ଟି ଆସନ ଜିତି ସରକାର ଗଠନ କରିବାକୁ ଦାବି କରିଥିଲା । ଏପରିକି ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିସାରିଥିଲେ । କିନ୍ତୁ, ଦୁର୍ଭାଗ୍ୟବଶତଃ ସଂଖ୍ୟା ଗରିଷ୍ଠତା ପ୍ରମାଣ ନକରିପାରିବାରୁ ସରକାର ମାତ୍ର ୧୩ ମାସ ୧୩ ଦିନରେ ଭାଙ୍ଗିଯାଇଥିଲା । ଭାରତୀୟ ଇତିହାସରେ କୌଣସି ପ୍ରଧାନମନ୍ତ୍ରୀଙ୍କ ପାଇଁ ତାହା ଥିଲା ସବୁଠୁ ଛୋଟ କାର୍ଯ୍ୟକାଳ । ତା’ପରେ ୧୯୯୮ ମସିହାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହେଲା । ପୁଣି ଥରେ ବିଜେପି ସର୍ବ ବୃହତ ଦଳ ହେଲା ଏବଂ ଗଠବନ୍ଧନ ଭାବେ ଏନଡିଏ ଜନ୍ମ ନେଲା । ପୁନଶ୍ଚ ଗୋଟିଏ ଟର୍ମ ପାଇଁ ପ୍ରଧାନମନ୍ତ୍ରୀ ହେଲେ ଅଟଳବିହାରୀ ବାଜପେୟୀ । ତାଙ୍କ କାର୍ଯ୍ୟକାଳରେ ଆରମ୍ଭ ହୋଇଥିବା ଅନେକ ଯୋଜନା ଆଜି ବି ଗରିବ ଲୋକଙ୍କ ମୁହଁରେ ହସ ଫୁଟାଉଛି ।

  • ମନ୍ତ୍ରୀ ବେଦପ୍ରକାଶଙ୍କ ଜନ୍ମଦିନ ଅଲଗା ପାଳନ କଲେ ପୁଅ-ଝିଅ, ଟିକେଟ ପାଇଁ ୨ ଫାଳ ମନ୍ତ୍ରୀଙ୍କ ପରିବାର!

    ମନ୍ତ୍ରୀ ବେଦପ୍ରକାଶଙ୍କ ଜନ୍ମଦିନ ଅଲଗା ପାଳନ କଲେ ପୁଅ-ଝିଅ, ଟିକେଟ ପାଇଁ ୨ ଫାଳ ମନ୍ତ୍ରୀଙ୍କ ପରିବାର!

    କେନ୍ଦ୍ରାପଡ଼ା ଓ ପାଟକୁରାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରିବାରରେ ରାଜନୈତିକ ଫାଟ ଦେଖିବାକୁ ମିଳିଛି । ବେଦପ୍ରକାଶଙ୍କ ଜୟନ୍ତୀକୁ ଅଲଗା ଅଲଗା ପାଳନ କରିଛନ୍ତି ତାଙ୍କ ପୁଅ ସଞ୍ଜୟ ଓ ଝିଅ ମଧୁମତି । ବେଦଙ୍କ ଏକାନ୍ତ ଅନୁଗତ ତଥା କେନ୍ଦ୍ରାପଡ଼ା ଯୁବ ବିଜେଡି ସଭାପତି ରାଜେଶ ଦାସ ଓ ବେଦପ୍ରକାଶଙ୍କ ଝିଅ ମଧୁମତି ଅଗ୍ରୱାଲ ମିଳିତ ଭାବେ “ବେଦ ପ୍ରକାଶ ଅଗ୍ରୱାଲ ସ୍ମୁତି ପରିଷଦ” କରି, ବେଦଙ୍କ ଜନ୍ମ ଜୟନ୍ତୀ ଦିନ କେନ୍ଦ୍ରାପଡ଼ା ସଂକୃତି ଭବନ ଠାରେ ଏକ ସ୍ମୁତି ସଭା ଆୟୋଜନ କରିଥିଲେ । ଯେଉଁଥିରେ କଟକ ମେୟର ସୁବାସ ସିଂଙ୍କ ସମେତ ଅନେକ ଉଚ୍ଚ ପଦବୀରେ ରହିଥିବା ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ସେହିଭଳି ବେଦପ୍ରକାଶଙ୍କ ପୁଅ ସଞ୍ଜୟ ଅଗ୍ରୱାଲ ନିଜ ଗୋଷ୍ଟି ସହ ଚାନ୍ଦୋଳ ଠାରେ ରକ୍ତ ଦାନ ଶିବିର ଆୟୋଜିନ କରିଥିଲେ । ଏପରି ଭାବେ ଭାଇ-ଭଉଣୀ ଅଲଗା ଅଲଗା ବାପାଙ୍କ ଜନ୍ମ ଦିନ ପାଲିଥିଲେ । ତେଣୁ ଏବେ ଲୋକେ କହିବା ଆରମ୍ଭ କଲେଣି ।

    ସେପଟେ ପାଟକୁରାର ରାଜନୈତିକ ସ୍ଥିତି ଦେଖିଲେ ଉଭୟ ମଧୁମତି ଓ ସଂଜୟ ଅଗ୍ରୱାଲ ପାଟକୁରା ବିଜେଡି ବିଧାୟକ ଟିକେଟ ପାଇଁ ଆଶାୟୀ । ସଂଜୟ ଏବେ ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ଥିବା ବେଳେ ମଧୁମତି ମଧ୍ୟ ବିଜେଡି ଦଳର ବିଭିନ୍ନ ପଦବୀରେ ପୂର୍ବରୁ ରହିଆସିଛନ୍ତି । ହେଲେ ଭାଇ ଭଉଣୀଙ୍କୁ କୌଣସି କାର୍ଯ୍ୟକ୍ରମର ଏକତ୍ର ଦେଖିବାକୁ ମିଳୁନାହିଁ । ଦଳୀୟ କାର୍ଯ୍ୟକ୍ରମ କଥା ଛାଡ଼ନ୍ତୁ, କୌଣସି ପାରିବାରିକ କିମ୍ବା ନିର୍ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଦୁହିଙ୍କୁ ଅଲଗା ଅଲଗା ଦେଖିବାକୁ ମିଳେ । ଏଭଳି କି ବେଦପ୍ରକାଶ ଅଗ୍ରୱାଲଙ୍କ ୮୮ ତମ ଜନ୍ମ ଜୟନ୍ତୀରେ ମଧ୍ୟ ଦୁହେଁ ଅଲଗା ଅଲଗା ପାଳିବା ଘଟଣା ସବୁଆଡେ ଚର୍ଚ୍ଚା ସାଉଁଟିଛି ।

    ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ୨ଟି କାର୍ଯ୍ୟକ୍ରମରେ ସଂଜୟ ଅଗ୍ରୱାଲଙ୍କ ସମର୍ଥନରେ ଡେରାବିଶ ବ୍ଲକ ଉପାଧ୍ୟକ୍ଷ ହୋଇଥିବା ଦେବାଶିଷ ଆଚାର୍ଯ୍ୟ, ଉଭୟ ସଞ୍ଜୟ ଓ ମଧୁମତିଙ୍କ କାର୍ଯକ୍ରମରେ ଉପସ୍ଥିତ ଥିଲେ । ଦେବାଶିଷଙ୍କ ଅନେକ ସମର୍ଥକ ମଧ୍ୟ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେଇ ନିରପେକ୍ଷତା ଅବଲମ୍ବନ କରିଥଲେ । ହେଲେ ବେଦଙ୍କ ସ୍ତ୍ରୀ ତଥା ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଉଭୟ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ । ଏବେ ରାଜନୈତିକ ପରିବାରର ଏହି ରାଜନୈତିକ ଦ୍ୱନ୍ଦ ପରେ ଏହା ଅଗ୍ରୱାଲ ପରିବାରର ରାଜନୈତିକ ଫାଟ ନା ବ୍ୟକ୍ତିଗତ ଫାଟ ତାହା କହିବା ମୁସ୍କିଲ । ଅନ୍ୟପଟେ ଟିକେଟ ଆଶାୟୀ ଭାଇ-ଭଉଣୀଙ୍କ ଭିତରେ ଏହା ଶୀତଳ ଯୁଦ୍ଧ ବୋଲି ବୁଦ୍ଧିଯିବି ମାନେ ମତ ଦେଇଛନ୍ତି । ହେଲେ ବେଦଙ୍କ ପରିବାରରେ ରାଜନୈତିକ ଉତ୍ତରାଧିକାରୀ କିଏ ତାହା ଆଗାମୀ ସମୟ ସ୍ପଷ୍ଟ କରିବ ।

  • ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

    ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

    ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ରର ବିଜେପି ସରକାର ମନମାନୀ, ଏକଛତ୍ରବାଦ ଶାସନ ଚଳାଇଥିବା, ପୂର୍ବରୁ କଂଗ୍ରେସ ଅଭିଯୋଗ କରି ଆସୁଥିଲା। ଗତ ଅଧିବେଶନରେ ୧୪୨ ଜଣ ବିରୋଧୀଦଳ ସାଂସଦଙ୍କୁ ନିଲମ୍ବନ କରାଯିବାକୁ କଂଗ୍ରେସ ଅଗଣତାନ୍ତ୍ରିକ କହିବା ସହ ଏହାକୁ ଘୋର ବିରୋଧ କରିଛି। ଏଥିପାଇଁ ଏକ କ୍ୟାମ୍ପେନ ଆରମ୍ଭ କରିଛି କଂଗ୍ରେସ । ଦେଶବ୍ୟାପୀ ମୋଦି ସରାକର ବିରୋଧରେ ଆନ୍ଦୋଳନ କରାଯିବା ସହ ପ୍ରତି ଜିଲ୍ଲାରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଉଛି। ଯାଜପୁର କଂଗ୍ରେସ ସାଂସଦଙ୍କ ନିଲମ୍ବନକୁ ବିରୋଧ କରିବା ସହ ଏହାକୁ ଅଗଣତାନ୍ତ୍ରିକ, ଆକ୍ରୋଶ ମୂଳ ଓ ପକ୍ଷପାତପୂର୍ଣ୍ଣ ବୋଲି କଂଗ୍ରେସ ଅଭିଯୋଗ କରିଛି।

    ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ନେତା ସନ୍ତୋଷ ନନ୍ଦଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।