Category: ମୁଖ୍ୟ ଖବର

  • ଚଳିତ ବର୍ଷ ଦୁଇ ଦିନ ଧରି ଚାଲିବ ରଥଯାତ୍ରା, ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା ବୈଠକ

    ଚଳିତ ବର୍ଷ ଦୁଇ ଦିନ ଧରି ଚାଲିବ ରଥଯାତ୍ରା, ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା ବୈଠକ

    ଚଳିତ ବର୍ଷ ଦୁଇ ଦିନ ଧରି ଚାଲିବ ରଥଯାତ୍ରା । ତେଣୁ ସେଥିପାଇଁ ମଧ୍ୟ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଆସନ୍ତା ୭ ତାରିଖରେ ଟଣାହେବ ରଥ । ଅନ୍ୟପଟେ ରାଜ୍ୟରେ ନୂତନ କରି ସରକାର ଗଢିଥିବା ବିଜେପି ରଥଯାତ୍ରା ଅବସରରେ ଏକ ନୂଆ ଘୋଷଣା କରିଛନ୍ତି । ଏଥର ୨ ଦିନ ରହିବ ଛୁଟି । ଆସନ୍ତା ୭ ଓ ୮ ତାରିଖରେ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ସବୁ ବନ୍ଦ ରହିବ । ତେବେ ଏହି ଛୁଟିକୁ ନେଇ ତୁରନ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

    ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରଥ ଯାତ୍ରା ସମୀକ୍ଷା ବୈଠକରେ ଯୋଗ ଦେବାକୁ ପୁରୀରେ ପହଞ୍ଚିଥିଲେ । ଟାଉନ୍ ହଲରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ହୋଇଥିଲା । ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରା ସଂପନ୍ନ ପାଇଁ ସମସ୍ତ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କ ସେବାକୁ ଜୀବନର ବ୍ରତ ଭାବେ ପାଳନ କରିବାକୁ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

    ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ, ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ସେବାୟତ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ମଧ୍ୟ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ। ତେବେ ଏବି ବୈଠକରେ ରଥଯାତ୍ରାର ସମସ୍ତ ଦିଗ ପ୍ରତି ଆଲୋଚନା ହୋଇଛି ।

  • କାଦୁଆ ଯୋଡ଼ାବନ୍ଧ ଗାଁରେ ଗୁପ୍ତାଙ୍ଗ କାଟି ଯୁବକଙ୍କୁ ହତ୍ୟା, ମୃତ ଦେହ କାଜୁ ଜଙ୍ଗଲରୁ ଉଦ୍ଧାର

    କାଦୁଆ ଯୋଡ଼ାବନ୍ଧ ଗାଁରେ ଗୁପ୍ତାଙ୍ଗ କାଟି ଯୁବକଙ୍କୁ ହତ୍ୟା, ମୃତ ଦେହ କାଜୁ ଜଙ୍ଗଲରୁ ଉଦ୍ଧାର

    ଗୁପ୍ତାଙ୍ଗ କାଟି ଯୁବକଙ୍କୁ ହତ୍ୟା । ଘଟଣା ଯେତିକି ବିଭତ୍ସ, ସେତିକି ଜଘନ୍ୟ, ସେତିକି ଭୟାନକ ମଧ୍ଯ । ଘଟଣାଟି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧିନ କାଦୁଆ ଯୋଡ଼ାବନ୍ଧ ଗାଁରେ ଘଟିଛି । ମୃତକଙ୍କ ନାଁ ଚିତ ରଞ୍ଜନ ସାହୁ ବୟସ ପାଖାପାଖି ୪୩ ବର୍ଷ । ଚିତରଞ୍ଜନ ଗତକାଲି ସଂଧ୍ୟାରୁ ଘରକୁ ଫେରି ନଥିଲେ , ତେଣୁ ରାତିରେ ତାଙ୍କ ବଡ଼ ଭାଇ ସୀମାଞ୍ଚଳ ସାହୁ ଓ ଜେଜେବାପା ଦଣ୍ଡପାଣି ସାହୁ ଖୋଜାଖୋଜା କରିଥିଲେ । ହେଲେ ଚିତରଞ୍ଜନଙ୍କ ପତ୍ତା ମିଳି ନଥିଲା ।

    ନିରାଶ ହୋଇ ସେମାନେ ଘରକୁ ଫେରି ଆସିଥିଲେ । ଆଜି ସକାଳେ ଚିତରଞ୍ଜନଙ୍କ ମୃତଦେହ ନିକଟରେ ଥିବା କାଜୁ ତୋଟାରେ ପଡ଼ିଥିବା କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏନେଇ ପୁଲିସକୁ ଖବର ଦିଆଯାଇଥିଲା । ତେବେ ଜଗନ୍ନାଥ ପ୍ରସାଦ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ପଠାଇଛି । ଅନ୍ୟପଟେ ଛତ୍ରପୁର ସାଇଣ୍ଟିଫିକ୍ ଟିମ୍ ସହ ସନ୍ଧାନି କୁକୁର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଛାନ୍ ଭିନ୍ ଆରମ୍ଭ କରିଛି ।ତେବେ କିଏ ଓ କାହିଁକି ଏହି ହତ୍ୟା କରିଛି ତାହାର କାରଣ ଏପର୍ଯ୍ଯନ୍ତ ଜଣାପଡିନାହିଁ…

    ଭଞ୍ଜନଗର, ଗଞ୍ଜାମରୁ ରାଜେଶ୍ ଆଲଟିଆଙ୍କ ରିପୋର୍ଟ, #Suchanatv24x7

  • ଆଜିଠାରୁ ଲାଗୁ ହେଲା ନୂଆ ତିନି ଆଇନ

    ଆଜିଠାରୁ ଲାଗୁ ହେଲା ନୂଆ ତିନି ଆଇନ

    ୨୦୨୪ ଜୁଲାଇ ୧, ସୋମବାର, ଭାରତୀୟ ଆଇନ ଇତିହାସରେ ଆସିଲା ବିରାଟ ପରିବର୍ତ୍ତନ। ଆଜିଠାରୁ ଦେଶରେ ଲାଗୁ କରାଯାଇଛି ୩ ନୂଆ ଅପରାଧିକ ଆଇନ। ବ୍ରିଟିଶ ଅମଳର ଇଣ୍ଡିଆନ ପେନାଲ କୋଡ (IPC) ହେଲା ଭାରତୀୟ ନ୍ୟାୟ ସଂହିତା (BNS)। କୋଡ ଅଫ କ୍ରିମିନାଲ ପ୍ରୋସିଜ୍ୟୁଅର ବା (CRPC) ଏବେ ହେଲା ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ (IEA) ହେଲା ଭାରତୀୟ ସାକ୍ଷ୍ୟ ଅଧିନିୟମ (BAS)। ଜୁଲାଇ ୧ ରାତି ୧୨ଟାରୁ ନୂଆ ତିନିଟି ଆଇନକୁ ଲାଗୁ କରିଛନ୍ତି କେନ୍ଦ୍ର ସରକାର। ଏଣିକି ଅନଲାଇନରେ ମଧ୍ୟ ଏଫଆଇଆର ଦାୟର କରାଯାଇ ପାରିବ। ଏହା ବ୍ୟତୀତ, ମହିଳାଙ୍କ ସହ ଜଡିତ ଅପରାଧ ମଧ୍ୟରୁ ଅଧିକାଂଶରେ ଅଧିକ ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଛି। ତେବେ ୩ଟି ନୂଆ ଆଇନରେ କଣ ବିଶେଷତା ରହିଛି ସେ ସମ୍ବନ୍ଧରେ ଆସନ୍ତୁ ଜାଣିବା।

    ୧ ଜୁଲାଇ ପୂର୍ବରୁ ଅର୍ଥାତ୍ ଜୁନ ୩୦, ୨୦୨୪ ପର୍ଯ୍ୟନ୍ତ ଦାୟର ହୋଇଥିବା ମାମଲା ପୂର୍ବ ନିୟମ ମୁତାବକ ଯାଞ୍ଚ ଓ ଟ୍ରାଏଲ ହେବ।
    ସିଆରପିସିରେ ୪୮୪ ଧାରା ଥିଲା, ଏବେ ବିଏନଏସଏସରେ ଏହାକୁ ବଢାଇ ୫୨୧ କରାଯାଇଛି। ସେହିପରି ଆଇପିସିରେ ପୂର୍ବରୁ ୩୫୭ ଧାରା ରହିଥିଲା, ଯାହା ଏବେ ୫୧୧ ହୋଇଛି। ଆଇଇଏରେ ୧୬୭ ଧାରା ଥିଲା, ତାକୁ ନୂଆ ବିଏସଏରେ ବଢାଇ ୧୭୦ ଧାରା କରାଯାଇଛି।
    ଏଥିରେ ଡିଜିଟାଲ ସାକ୍ଷ୍ୟକୁ ମଧ୍ୟ ଗ୍ରହଣ କରିବାର ବ୍ୟବସ୍ଥା ରହିଛି। ତେବେ ଏଥିପାଇଁ ଫରେନ୍ସିକ ଯାଞ୍ଚ ହେବ।
    କୌଣସି ଅପରାଧିକ ମାମଲାରେ କେହି ବି ନାଗରିକ କୌଣସି ସ୍ଥାନରୁ ଏଫଆଇଆର ଦାୟର କରିପାରିବେ। ଏହାକୁ ଯାଞ୍ଚ ପାଇଁ ସମ୍ପୃକ୍ତ ଥାନାକୁ ପଠାଇ ଦିଆଯିବ।

    ଶୁଣାଣି ଶେଷ ହେବାର ୪୫ ଦିନ ଭିତରେ ରାୟ ପ୍ରକାଶ
    ପ୍ରଥମ ଶୁଣାଣିର ୬୦ ଦିନ ଭିତରେ ଚାର୍ଜଫ୍ରେମ୍ ଦାଖଲ

    ଅଭିଭାବକଙ୍କ ଉପସ୍ଥିତିରେ ମହିଳା ପୋଲିସ ନେବେ ଦୁଷ୍କର୍ମ ପୀଡ଼ିତାଙ୍କ ବୟାନ
    ୭ ଦିନ ଭିତରେ ପୀଡ଼ିତାଙ୍କ ମେଡିକାଲ ରିପୋର୍ଟ ପ୍ରଦାନ
    ସାଙ୍ଗଠନିକ ଅପରାଧ ଓ ଆତଙ୍କବାଦର ସଂଜ୍ଞା ପରିବର୍ତ୍ତନ
    ‘ରାଜଦ୍ରୋହ’ ବଦଳରେ ‘ଦେଶଦ୍ରୋହ’ ଶବ୍ଦ ସାମିଲ

    ସମସ୍ତ ତଲାସୀ ଓ ଜବତ କ୍ଷେତ୍ରରେ ଭିଡ଼ିଓଗ୍ରାଫି ବାଧ୍ୟତାମୂଳକ
    ଗିରଫ ହେବା ପରେ ବ୍ୟକ୍ତି ପରିବାର ଓ ସମ୍ପର୍କୀୟଙ୍କୁ ଜଣାଇପାରିବେ
    ନିଜର ସ୍ଥିତି ସମ୍ପର୍କରେ ଜଣାଇବାକୁ ମିଳିଛି ଅଧିକାର
    ଗିରଫ ସମ୍ପର୍କିତ ସମସ୍ତ ତଥ୍ୟ ଥାନା କିମ୍ବା ପୋଲିସ ମୁଖ୍ୟାଳୟରେ ରଖାଯିବ
    ବ୍ୟକ୍ତିଗତ ନୁହେଁ; ଇଲେକ୍ଟ୍ରୋନିକ ମାଧ୍ୟମରେ କରିହେବ FIR

  • ମନୋଜ ଆହୁଜା ହେଲେ ନୂଆ ମୁଖ୍ୟ ଶାସନ ସଚିବ

    ମନୋଜ ଆହୁଜା ହେଲେ ନୂଆ ମୁଖ୍ୟ ଶାସନ ସଚିବ

    ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜାଙ୍କ ଦାୟିତ୍ୱ ଗ୍ରହଣ । ରବିବାର ଦିନ ୧୯୯୦ ବ୍ୟାଚର ଆଇଏଏସ୍ ଅଫିସର ଲୋକସେବା ଭବନ ଯାଇ ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ଯ ଶାସନ ସଚିବ ଭାବେ ଆହୁଜା ୬ ମାସ କାମ କରିବେ। ଆସନ୍ତା ଡିସେମ୍ବରରେ ସେ ଅବସର ନେବେ। ଆହୁଜା ନୂଆ ମୁଖ୍ଯ ଶାସନ ସଚିବ ହେବା ପରେ ତାଙ୍କୁ ଟ୍ୱିଟରରେ ଶୁଭେଚ୍ଛା ଜଣାଇଛନ୍ତି ବିଦାୟୀ ମୁଖ୍ଯ ଶାସନ ସଚିବ ପ୍ରଦୀପ ଜେନା। ଏହା ପୂର୍ବରୁ ମନୋଜ ଆହୁଜା କେନ୍ଦ୍ରୀୟ ଡେପୁଟେସନରେ ଥିଲେ। ସେ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ୨୦୦୯ରେ ଖାଦ୍ୟ ଯୋଗାଣ ସଚିବ, ୨୦୧୦ରେ ଖଣି ଇସ୍ପାତ ବିଭାଗ ସଚିବ, ୨୦୧୨ରେ କ୍ରୀଡ଼ା ଯୁବ ବ୍ୟାପାର ଓ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ବାଣିଜ୍ୟ କର କମିଶନର ଓ ୨୦୧୫ରେ ସମବାୟ ସଚିବ ଭାବେ କାର୍ଯ୍ୟ କରିଥିଲେ।

    ୨୦୧୭ରେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ସେ ଲାଲ ବାହାଦୂର ଶାସ୍ତ୍ରୀ ଏକାଡେମୀର ସ୍ଵତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରିଥିଲେ । ୨୦୨୦ରେ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟରେ ସିବିଏସଇ ଅଧ୍ୟକ୍ଷ ରହିଥଲେ ।ସେ କେନ୍ଦ୍ର କୃଷି ଓ କୃଷକ ସଶକ୍ତୀକରଣ ସଚିବ ଦାୟିତ୍ବ ତୁଲାଉଥିଲେ। ଓଡିଶାରେ ବିଜେପି ସରକାର କରିବା ପରେ ଆହୁଜାଙ୍କୁ ଓଡିଶା ଫେରାଇ ଦେଇଥିଲେ କେନ୍ଦ୍ର ସରକାର। ପି କେ ଜେନାଙ୍କ ପରେ ସେ ହିଁ ମୁଖ୍ୟ ଶାସନ ସଚିବ ହେବେ ବୋଲି ଚର୍ଚ୍ଚା ହେଉଥିଲା। ଆଜି ପୂର୍ବାହ୍ନରେ ସେ ଦାୟିତ୍ବ ଗ୍ରହଣ ପାଇଁ ଭୁବନେଶ୍ବରରେ ପହଞ୍ଚିଥିଲେ। ପି କେ ଜେନାଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି। ଏହା ପୂର୍ବରୁ ସେ ତାଙ୍କ ଏକ୍ସ ହ୍ୟାଣ୍ଡଲରେ ଲେଖିଥିଲେ କି, ଲୋକଙ୍କ ଭିତରେ ଗୋଟିଏ ଧାରଣା ରହିଛି କି, ମୁଖ୍ଯ ଶାସନ ସଚିବଙ୍କ ହାତରେ ସବୁ କିଛି ରହିଛି। ହେଲେ ତାହା ନୁହେଁ। ବ୍ୟବସ୍ଥା, ନିୟମ, କାର୍ଯ୍ୟାବଳୀ ଭିତରେ ମୋର ଏକ ସୀମା ରହିଥିଲା। ତଥାପି ମୁଁ ଅନେକ କ୍ଷେତ୍ରରେ ସମସ୍ୟା ଦୂର କରିବାକୁ ଚେଷ୍ଟା କରିଛି, ଅନେକରେ ନିରାଶ କରିଛି। ସେଥିପାଇଁ ଦୁଃଖିତ। ଏବେ ପ୍ରଶାସନିକ ସେବାରୁ ଅବସର ନେଇ ଲୋକଙ୍କ ସମସ୍ୟା ଦୂର କରିବା ଦିଗରେ କାର୍ଯ୍ୟ କରିବି ବୋଲି ଲେଖିଛନ୍ତି ପ୍ରଦୀପ ଜେନା।

  • ଜୁଲାଇ ପହିଲାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଯୋଗ ଶୁଣାଣି

    ଜୁଲାଇ ପହିଲାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଯୋଗ ଶୁଣାଣି

    ଲୋକଙ୍କ ଭାବାବେଗକୁ ସମ୍ମାନ ଦେଇ ନୂଆ ମୁଖ୍ଯମନ୍ତ୍ରୀ ଖୁବ ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ଅଭିଯୋଗ ଶୁଣାଣି। ଆଉ ମଝିରେ ଗୋଟିଏ ଦିନ। ଜୁଲାଇ ପହିଲାରୁ ଜନତାଙ୍କ ଅଭିଯୋଗ ଶୁଣିବେ ମୁଖ୍ଯମନ୍ତ୍ରୀ। ୟୁନିଟ ୫ ସ୍ଥିତ ମୁଖ୍ଯମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ ଶୁଣିବେ ମୋହନ ମାଝୀ। ପୂର୍ବାହ୍ନ ୯ଟାରୁ ମଧ୍ଯାହ୍ନ ୧୨ଟା ମଧ୍ୟରେ ଅଭିଯୋଗକାରୀଙ୍କ ହେବ ପଞ୍ଜୀକରଣ। ମୁଖ୍ୟମନ୍ତ୍ରୀ ଦିନ ୧୧ଟାରୁ ଲୋକଙ୍କ ଅଭିଯୋଗ ଶୁଣିବେ। ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା।

    ଏହି ଅଭିଯୋଗ ଶୁଣାଣି ପାଇଁ ଆକ୍ଟିଭ ହୋଇଯାଇଛି ଜିଏ ଡିପାର୍ଟମେଣ୍ଟ। ଅଭିଯୋଗ ପ୍ରକୋଷ୍ଠର କରିଛି ମାଇନା। ୧୦ ହଜାର ବର୍ଗ ଫୁଟ ଅଞ୍ଚଳରେ ଯେମିତି ୧୨ ଶହ ଲୋକ ବସିପାରିବେ, ସେଥିପାଇଁ ହେଉଛି ବ୍ୟବସ୍ଥା। ୨୪ ବର୍ଷର ସରକାରରେ ଦୁର୍ନୀତିରେ ଅତିଷ୍ଠ ହୋଇଯାଇଥିବା ରାଜ୍ୟବାସୀ ଚଳିତ ନିର୍ବାଚନରେ ନିଜ ମତଦାନ ଅଧିକାର ବଳରେ ସରକାର ବଦଳାଇ ଦେଇଛନ୍ତି। ଲୋକେ ଚାତକ ପରି ଚାହିଁ ରହିଛନ୍ତି, ବିଗତ ଦିନରେ ହୋଇଥିବା ଦୁର୍ନୀତି ଉପରେ ନୂଆ ସରକାର କି ପଦକ୍ଷେପ ନେଉଛନ୍ତି ଦେଖିବାକୁ। ଲୋକଙ୍କ ପାଖରେ ରହିଛି ମାଳ ମାଳ ଅଭିଯୋଗ। ସେପଟେ, ପୂର୍ବ ସରକାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣାଣି କରିବାକୁ ବହୁ ବର୍ଷରୁ ଆସୁ ନ ଥିଲେ। ଲୋକେ ଯେଉଁ ଅଭିଯୋଗ କରୁଥିଲେ, ପ୍ରଶାସନିକ ଅଧିକାରୀ ତାକୁ ନାଲି ଫିତା ତଳେ ବାନ୍ଧି ରଖୁଥିଲେ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଅସନ୍ତୋଷ ଦେଖାଦେଇଥିଲା।

  • ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ୧୩ ଜଣ ରୋଗୀ ସଂକ୍ରମଣର ଶିକାର, ଘରୋଇ କ୍ଲିନିକ ସିଲ୍

    ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ୧୩ ଜଣ ରୋଗୀ ସଂକ୍ରମଣର ଶିକାର, ଘରୋଇ କ୍ଲିନିକ ସିଲ୍

    ମୋତିଆବିନ୍ଦୁ ଅସ୍ତ୍ରୋପଚାର ପଡିଲା ମହଙ୍ଗା । ଅସ୍ତ୍ରୋପଚାର ପରେ ହେଲେ ସଂକ୍ରମଣର ଶିକାର । ୧୩ ଜଣ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଭିଯୋଗ ପାଇବା ପରେ ପ୍ରଶାସନ ପକ୍ଷରୁ ଏକ ଘରୋଇ କ୍ଲିନିକକୁ ସିଲ କରାଯାଇଛି । ସୂଚନା ଅନୁଯାୟୀ ଅନୁଗୋଳ ଜିଲ୍ଲା ସଦର ମହକୁମାର ଅମଲାପଡା ଠାରେ ପ୍ରଧାନ ଆଇ କ୍ଲିନିକ ନାମକ ଏକ ଘରୋଇ ଚିକିତ୍ସାଳୟ ରହିଛି ।

    ଗତ ୨୦ ତାରିଖ ଦିନ ଏହି ଚିକିତ୍ସାଳୟରେ କିଛି ରୋଗୀଙ୍କର ମୋତିଆବିନ୍ଦୁ ଅପରେସନ ହୋଇଥିଲା । ତେବେ ଅପରେସନର ତିନିଦିନ ପରେ ୧୩ ଜଣ ରୋଗୀଙ୍କ ଆଖି ସଂକ୍ରମଣର ଶିକାର ହୋଇଥିଲା । ଭୀଷଣ ସଂକ୍ରମଣ ଆଉ ଯନ୍ତ୍ରଣା ସହ୍ଯ ନ ବେବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ଏବେ ସେମାନଙ୍କ ଅବସ୍ଥାରେ ସୁଧାର ଆସିଛି । ୩-୪ ଜଣ ରୋଗୀ ଭଲ ହୋଇ ଘରକୁ ଫେରିଛନ୍ତି ।

    ଅପର ପକ୍ଷରେ, ଆଜି ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ପ୍ରଧାନ ଆଇ କେୟାରକୁ ସିଲ କରାଯିବା ସହ ଘଟଣାର ତଦନ୍ତ ନିମନ୍ତେ CDMOଙ୍କୁ ନିର୍ଦେଶ ଦିଆଯାଇଛି । CDMO ଘଟଣାର ତଦନ୍ତ କରି ଖୁବଶୀଘ୍ର ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବା ନିମନ୍ତେ କୁହାଯାଇଛି ।

    ତେବେ, ବିଶେଷଜ୍ଞ ମାନେ ଅପରେସନ ପୂର୍ବରୁ ପଡ଼ୁଥ‌ିବା ତିନି ପ୍ରକାର ତରଳ ଔଷଧ, ଫାକୋ ଯନ୍ତ୍ର କିମ୍ବା ଓଟି ଏଥୁରୁ କୌଣସିଟିରେ ସଂକ୍ରମଣ ଯୋଗୁଁ ଏହି ସମସ୍ୟା ଉପୁଜିଥ‌ିବା ଆଶଙ୍କା କରୁଛନ୍ତି। ତରଳ ଔଷଧ ଗୁଡ଼ିକର ନମୁନା ଲାବରେଟରି ପରୀକ୍ଷା ପାଇଁ ପଠାଯାଇଛି।

    ଅଜିତ୍ କୁମାର ଭୋଇଙ୍କ ରିପୋର୍ଟ, Suchanatv24x7, ଅନୁଗୋଳ

  • ରାଜଧାନୀରେ ଅସରାଏ ବର୍ଷାରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି

    ରାଜଧାନୀରେ ଅସରାଏ ବର୍ଷାରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି

    ରାଜଧାନୀରେ ଅସରାଏ ବର୍ଷାରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି । ଗତକାଲି ଅପରାହ୍ନରେ ରାଜଧାନୀରେ ଆରମ୍ବ ହୋଇଥିଲା ବର୍ଷା । କେଇ ଘଣ୍ଟାର ବର୍ଷା ପରେ ଜଳିବନ୍ଦି ଚିତ୍ର ସାମ୍ନାକୁ ଆସିଛି । ତେବେ ଭୁବନେଶ୍ୱର ଅନ୍ତର୍ଗତ ବାଣୀବିହାର ୧୭ନଂ ୱାର୍ଡ ପଥରବନ୍ଧ ବସ୍ତିରେ ଡ୍ରେନ ପାଣି ପସିଯିବାରୁ ଘରେ ଅଣ୍ଟାଏ ଅଣ୍ଟାଏ ପାଣି ପସିଛି ,ଫଳରେ ଘରେ ଥିବା ଅନେକଗୁଡିଏ ଜିନିଷ ପତ୍ର ନଷ୍ଟ ହୋଇଛି । କିଛି ବସ୍ତି ବାସିନ୍ଦା ପାତ୍ର ସାହାଜ୍ଯରେ ପାଣିକାଢିବା ଆରମ୍ବ କରିଥିଲେ । ଲୋକଙ୍କ କହିବା କଥା ଅନେକ ଯାଗାରେ ମୁକୁଳା ଡ୍ରେନ ଏବେବି ରହିଛି ନିକଟରେ ଯେଉଁ ଭଳି ଜଣେ ଶିଷୁର ଜୀବନ ଗଲା ସେହିଭଳି ଆଉ କାହାର ଜୀବନ ନଯାଉ ସେଥିପ୍ରତି ପ୍ରଶାସନର ଦୃଷ୍ଟି ଦେବା ଆବଶ୍ୟକତା ରହିଛି …

    ହେଲେ ଏଠି ସାଧାରଣରେ ଗୋଟିଏ ପ୍ରସ୍ନ ଯଦି ଆରମ୍ଭରୁ ଏଭଳି ଅବସ୍ତା ତେବେ ବର୍ଷା ଦିନର ଶେଷ ଆଡକୁ ଅବସ୍ତା କଣ ହେବ । ସ୍ମାର୍ଟସିଟି ଭୁବନେଶ୍ୱରରେ ଜଦି ସାମାନ୍ୟ ବର୍ଷାରେ ଅସୁବିଧା ଭୋଗୁଛନ୍ତି ତଳିଆ ଅଞ୍ଚଳ ସ୍ଥିତି କଣ ହେବ ।

  • ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିଃ ଖଣି ଗେଟ୍ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ

    ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିଃ ଖଣି ଗେଟ୍ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ

    ଖଣି ଖାଦାନରେ ସମୃଦ୍ଧ କେନ୍ଦୁଝର ଜିଲ୍ଲା। କିନ୍ତୁ ଏଠାର ଲୋକଙ୍କୁ ମିଳୁନାହିଁ ନିଯୁକ୍ତି। ବାହାର ରାଜ୍ୟର କର୍ମଚାରୀ ସବୁ କାରଖାନାରେ ଖଣି ପଡିଛନ୍ତି। ଏହି ଅନିୟମିତତାରୁ ବାଦ ପଡିନି ବଡ଼ବିଲ ଥାନା ଅଧୀନ ଟଣ୍ଟୋ ସ୍ଥିତ ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିଃ । ଖଣିଜ ସମ୍ପଦ ଉତ୍ତୋଳନକାରୀ ଏହି କମ୍ପାନୀର ଜନ ମାରଣ ନୀତି ବିରୋଧରେ ତାତିଛନ୍ତି ଭଦ୍ରାସାହି ଏବଂ ସେରେଣ୍ଡା ପଞ୍ଚାୟତର ଜନତା। ବୁଧବାର ଦିନ ୫ ଦଫା ଦାବି ନେଇ କମ୍ପାନୀ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି ଏମାନେ। ସରକାର ପକ୍ଷରୁ ପ୍ରତ୍ୟେକ କମ୍ପାନୀକୁ ସ୍ଥାନୀୟ ଅଞ୍ଚଳର ବିକାଶ ସହ ସ୍ଥାନୀୟ ଯୁବକ, ଯୁବତୀଙ୍କୁ ନିଯୁକ୍ତି ଦେବାକୁ ନିୟମ ରହିଛି। କିନ୍ତୁ ଏହି କମ୍ପାନୀ ୭୦ ପ୍ରତିଶତ ପରି ନିଯୁକ୍ତି ବାହାର ରାଜ୍ୟକୁ ଦେଉଥିବା ଅଭିଯୋଗ ହୋଇଛି। ସେହିପରି ସ୍ଥାନୀୟ ଲୋକଙ୍କୁ ଲୁହାପଥର ପରିବହନ ଅନୁମତି ଦିଆଯାଉ ନାହିଁ। କମ୍ପାନୀର ଅଣଦେଖା ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଏବଂ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ଠପ ହୋଇ ପଡିଛି ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ

    ଅନ୍ୟପଟେ ଲୋକଙ୍କ ଧାରଣାକୁ ନେଇ ଫିଡିକି ଯାଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ। କହିଛନ୍ତି, ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ ଅସୁବିଧା ନାହିଁ। କିନ୍ତୁ ବୈଷୟିକ ରୂପେ ସେମାନେ ଅନଭିଜ୍ଞ। କମ୍ପାନୀ ୩ ତାରିଖରେ ଏହା ଉପରେ ଏକ ଆଲୋଚନା ପାଇଁ କହିଥିବା ବେଳେ ଏହା ପୂର୍ବରୁ ଧାରଣା ଦେବାକୁ ନାପସନ୍ଦ କରିଛନ୍ତି କମ୍ପାନୀ ଉପସଭାପତି

    ତେବେ ଅଧିକାରୀଙ୍କ ବୟାନ ଶୁଣିବା ପରେ ମନେ ହେଉଛି, ମୋହନ ସରକାରଙ୍କ ଖଣି ଦୁର୍ନୀତି ଉପରେ ହାତୁଡା ମାଡ ପାଇଁ ହୋଇଥିବା ଘୋଷଣାରେ କମ୍ପାନୀ କର୍ତ୍ତୃପକ୍ଷ ଛାନିଆ ହୋଇପଡିଛନ୍ତି।

  • ମଦ ମୁକ୍ତ ଓଡିଶା ଗଠନ ଦିଗରେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ

    ମଦ ମୁକ୍ତ ଓଡିଶା ଗଠନ ଦିଗରେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ

    ଓଡିଶା ହେବ ରାମ ରାଜ୍ୟ। ମୋହନ ସରକାର ରାଜ୍ୟକୁ ନିଶା ମୁକ୍ତ କରିବେ। ଏନେଇ ସରକାରଙ୍କ ପକ୍ଷରୁ ଚିନ୍ତନ ହୁଏତ ଚାଲିଛି। ରାଜସ୍ବ ଆଦାୟ କରିବାକୁ ରାଜ୍ୟବାସୀଙ୍କୁ ନିଶାସକ୍ତ ଓ ରୋଗରେ ଘାଣ୍ଟି ଚକଟିବାକୁ ପୂର୍ବ ସରକାର ଯେଉଁ କାର୍ଯ୍ୟଧାରା ପ୍ରସ୍ତୁତ କରିଥିଲେ ତାଉପରେ ଲାଗିବାକୁ ଯାଉଛି ବ୍ରେକ୍। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କ ଏକ ବୟାନ ପରେ ରାଜ୍ୟକୁ ମଦ ମୁକ୍ତ କରିବାକୁ ସରକାର କାର୍ଯ୍ୟ ଆରମ୍ଭ କରୁଥିବା ଅନୁଭୂତ ହେଉଛି। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଙ୍କ ଏକ ବୟାନରେ କହିଛନ୍ତି, ମଦ ପାଇଁ ସମାଜ କଳୁଷିତ ହେଉଛି। ପରିବାରରେ ଅଶାନ୍ତି ବଢୁଛି। ଅନ୍ୟ ରାଜ୍ୟରେ ମଦକୁ ବ୍ୟାନ କରାଯାଇଛି ତ ଓଡିଶାରେ କାହିଁକି ଏପରି କରାଯାଇ ପାରିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ। ଆଜି ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳନ ଅବସରରେ ମନ୍ତ୍ରୀ ମଦ ପ୍ରଚଳନ ବନ୍ଦ କରିବା ଦିଗରେ ସରକାର ବିଚାର ବିମର୍ଷ କରୁଥିବା କହିଛନ୍ତି। ସେ କହିଛନ୍ତି, ଏନେଇ ଅବକାରୀ ବିଭାଗ, ସରକାରୀସ୍ତରରେ ଆଲୋଚନା କରି ମଦ ବିକ୍ରି ଓ ଦୋକାନ ଖୋଲିବା ଉପରେ ପଦକ୍ଷେପ ନିଆଯିବ। ମଦ ଦୋକାନ ରହିବ ନାହିଁ ତ ଲୋକେ ପିଇବେ କୋଉଠୁ ବୋଲି କହିଚନ୍ତି ମନ୍ତ୍ରୀ। ଏହି ଅବସରରେ ବିଜେପି ବିଧାୟକ ବାବୁ ସିଂହ ମଧ୍ୟ ମଦ ବନ୍ଦ ଉପରେ ଗୁରୁତ୍ବ ଦେଇଛନ୍ତି। ଏମିତି କି ନିଶା ଦ୍ରବ୍ୟ ବିକିଲେ ଫାଶୀ ମିଳିବ ବୋଲି କହିଛନ୍ତି

  • ଥାନା ଆଗରେ ଦଳିତ ମହିଳାଙ୍କୁ ଅର୍ଦ୍ଧ ନଗ୍ନ କରି ନିସ୍ତୁକ ପିଟିଲା ଚାନ୍ଦବାଲି ପୋଲିସ, ଭିଡିଓ ଭାଇରାଲ

    ଥାନା ଆଗରେ ଦଳିତ ମହିଳାଙ୍କୁ ଅର୍ଦ୍ଧ ନଗ୍ନ କରି ନିସ୍ତୁକ ପିଟିଲା ଚାନ୍ଦବାଲି ପୋଲିସ, ଭିଡିଓ ଭାଇରାଲ

    ପୋଲିସର କାମ ସୁରକ୍ଷା ଦେବା। ମହିଳାଙ୍କ ଇଜ୍ଜତ ରକ୍ଷା କରିବା। ହେଲେ ଯେତେବେଳେ ଏହି ପୋଲିସ ମହିଳାଙ୍କ ଇଜ୍ଜତ ଲୁଟିବାକୁ ପଛେଇବ ନାହିଁ, ସେ କରିବ କଣ? କାହାକୁ କରିବ ଗୁହାରୀ? ଏମିତି ପ୍ରଶ୍ନ ଏବେ ଭଦ୍ରକ ଜିଲ୍ଲାର ସମସ୍ତଙ୍କ ମନରେ ଉଙ୍କି ମାରିଛି। ସ୍ବାମୀକୁ ପୋଲିସ ଗିରଫ କରିଥିବାରୁ ଦଳିତ ଗରିବ ମହିଳାଟି ଧାଇଁଯାଇଥିଲା ଥାନାକୁ। କିନ୍ତୁ ସେଠାରେ ପୁରୁଷ ପୋଲିସ କର୍ମଚାରୀ ତାର ଚିର ହରଣ କରିବାକୁ ଚେଷ୍ଟା କରିଥିଲେ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

    ସୂଚନା ମୁତାବକ ଚାନ୍ଦବାଲି ଏନ ଏ ସି ଅଞ୍ଚଳର ମିତା ସେଠୀଙ୍କ ସ୍ୱାମୀକୁ କୌଣସି ଘଟଣାରେ ପୋଲିସ ଥାନାକୁ ଡକାଇ ଥିଲା । ମିତା ଏହା ଜାଣି ସ୍ୱାମୀକୁ ଦେଖାକରିବା ପାଇଁ ଥାନାକୁ ଯାଇଥିଲେ। କେଇ ମାସର ଛୋଟ ଛୁଆକୁ କାଖେଇ, ନଣନ୍ଦ ସହ ଥାନା ବାରେଣ୍ଡାରେ ବସିଥିଲେ। ଛୁଆଟି ମା କୋଳରୁ ଯାଇ ସେଠି ପଡିଥିବା ଚପଲ ଖୋଳରେ ଖେଳିବାରୁ ଖୋଳକୁ ମିତା ବାହାରକୁ ପକାଇ ଦେଇଥିଲେ। ଏହାକୁ ନେଇ ସେଠାରେ ଉପସ୍ଥିତ କନେଷ୍ଟବଳ ରବୀନ୍ଦ୍ର ସେଠୀଙ୍କ ସହ କଥା କଟାକଟି ହୋଇଥିଲା ମିତାଙ୍କର। ଜଣେ ସାଧାରଣ ମହିଳା ପୋଲିସକୁ ଉତ୍ତର ଦେବା ହଜମ କରି ପାରି ନ ଥିଲେ ରବୀନ୍ଦ୍ର। ସେ ରାଗିଯାଇ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ମିତା ଚିତ୍କାର କରୁଥାନ୍ତି। ହେଲେ ତାଙ୍କୁ ବଞ୍ଚାଇବାକୁ ଅନ୍ୟ କର୍ମଚାରୀ ଆସିନଥିଲେ। ଏହା ଦେଖି ମିତା ସେଠାରେ ପଡିଥିବା ଏକ ଗୋଡି ପକେଇ ଦେଲେ ରବୀନ୍ଦ୍ରଙ୍କ ଉପରକୁ। ତା ପରେ ପୋଲିସ ଦେଖାଇଦେଲା ତାର ପ୍ରକୃତ ରୂପ । ଏ ଏସ ଆଇ ନେପାଳ ସାହା ଓ ଅନ୍ୟ ଜଣେ କର୍ମଚାରୀ ମହିଳାଙ୍କୁ ଘେରିଯାଇ ଗୋଇଠି, ବିଧା ନାଦି ଦେଇଥିଲେ। ତା ସହ ତାଙ୍କ ଲୁଗାପଟା ଖୋଲି ଅର୍ଦ୍ଧନଗ୍ନ କରିଦେଇଥିଲେ ବୋଲି ମିତା ଅଭିଯୋଗ କରିଛନ୍ତି ଓ ସେହି ଭିଜୁଆଲ୍ ମଧ୍ୟ କୌଣସି ବ୍ୟକ୍ତିଙ୍କ ମୋବାଇଲେ କଏଦ ହୋଇଛି।

    ସେପଟେ ଏହି ଘଟଣାକୁ ନେଇ ଏସଡିପିଓଙ୍କୁ ପଚାରିବାରୁ ସେ କହିଛନ୍ତି, ମହିଳା ଜଣକ ଗାଳି-ଗୁଲଜ କରିବାରୁ ସେମାନେ ଟାଣି ଟାଣି ଆଣିଥିଲେ। ଘଟଣାକୁ ନେଇ ତଦନ୍ତ ହେବ

    ଶୁଣିଲେ ଏସଡିପିଓ ମହାଶୟଙ୍କ କଥା। ହେଲେ କେଉଁ ଆଇନରେ ଲେଖାହୋଇଛି, ମହିଳା କର୍ମଚାରୀ ପାରିବେ ନାହିଁ ବୋଲି ପୁରୁଷ ପୋଲିସ ଜଣେ ମହିଳାଙ୍କ ଦେହରେ ହାତ ଲଗାଇବେ? ଟଣା-ଘୋଷରାରେ ହାତ, ଗୋଡ ନ ଧରି ଶାଢୀ ଖୋଲିବାର କି ଆବଶ୍ୟକତା ରହିଛି? ଯଦିବି ମହିଳା କୁଭାଷା ପ୍ରୟୋଗ କରୁଥିଲେ, ତାଙ୍କ ସହ ପୋଲିସ ଏପରି କରିବା କେତେଦୂର ଯଥାର୍ଥ? ଅନ୍ୟପଟେ, ଜଣେ ମହିଳା ଓ ତା’ର ଛୋଟ ଛୁଆକୁ ପୋଲିସ ହାଜତରେ ରାତିରେ ରଖିବା ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

    ଭଦ୍ରକ ଚାନ୍ଦବାଲିରୁ ଦେବକାନ୍ତ ମହାନ୍ତିଙ୍କ ରିପୋର୍ଟ, Suchanatv24x7