Category: ରାଜନୀତି

  • ଓପିଏସ୍‌ସି ଦୁର୍ନୀତିର ଗନ୍ତାଘର ଏବଂ ବିଜେଡି ସରକାର ଏହାର ରିଙ୍ଗ୍ ମାଷ୍ଟର୍‌: ଇରାସିସ୍

    ଓପିଏସ୍‌ସି ଦୁର୍ନୀତିର ଗନ୍ତାଘର ଏବଂ ବିଜେଡି ସରକାର ଏହାର ରିଙ୍ଗ୍ ମାଷ୍ଟର୍‌: ଇରାସିସ୍

    ରାଜ୍ୟର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କ ଭବିଷ୍ୟତ ପାଇଁ ଆଦୈା ଚିନ୍ତିତ ନୁହଁନ୍ତି ବିଜେଡି ସରକାର । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତିକୁ ନେଇ ବହୁ ଦୁର୍ନୀତି ଓ ଅନିୟମିତତା ପଦାକୁ ଆସିଛି । ଅତୀତରେ ଆରଆଇ ଓ ଅମିନ ପରୀକ୍ଷାରେ ଦୁର୍ନୀତି ହୋଇଥିଲା। ରାଜ୍ୟରେ ଜାଲ୍ ସାର୍ଟିଫିକେଟ, ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଛି । ବିଜେଡି ସରକାରର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ସରକାରୀ ନିଯୁକ୍ତିରେ ଚଂଚକତା କରାଯାଇ ଯୁବକ ଯୁବତୀଙ୍କ ଭବିଷ୍ୟତକୁ ଅନ୍ଧକାରମୟ କରାଯାଉଥିବାବେଳେ ବର୍ତମାନ ଏଏସଓ ନିଯୁକ୍ତିରେ ଘୋଟାଲା ଛାତ୍ରଛାତ୍ରୀ ଓ ଯୁବକଯୁବତୀଙ୍କ ଭିତରେ ନିରାଶା ଓ ହତାସର ବାତାବରଣ ସୃଷ୍ଟି କରିଦେଇଛି । ଓଡ଼ିଶାର ଯୁବକଙ୍କ ଭବିଷ୍ୟତକୁ ନଷ୍ଟ କରିବାର ଅଧିକାର ରାଜ୍ୟ ସରକାରଙ୍କୁ କିଏ ଦେଲା ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।

    ସାମ୍ବାଦିକ ସମ୍ମିଳନୀ କରି ଆଚାର୍ଯ୍ୟ କହିଛନ୍ତି ଯେ, ଓପିଏସସି ଦ୍ୱାରା ଏଏସଓ ପରୀକ୍ଷା ସମ୍ପୂର୍ଣ୍ଣ ଅନୈତିକ । ୨୦୨୧-୨୨ରେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ୭୯୬ଟି ଆସିଷ୍ଟାଂଟ ସେକ୍ସନ ଅଫିସର (ଏଏସଓ) ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଓ ଦେଢ଼ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ମୂଳରୁ ବିବାଦ ଘେରରେ ଥିବା ଏହି ପରୀକ୍ଷାରେ ୧୧୦୪ଜଣଙ୍କ ମେରିଟଲିଷ୍ଟରେ ନାଁ ପ୍ରକାଶିତ ହୋଇଥିଲା । ଏହା ପରେ ପ୍ରକାଶ ପାଇଥିବା ଚୂଡାନ୍ତ ତାଲିକାଟି ସଂପୂର୍ଣ୍ଣ ଅନୈତିକ ଭାବେ ପ୍ରସ୍ତୁତ ହେବାକୁ ନେଇ ମାନ୍ୟବର ହାଇକୋର୍ଟ କ୍ଷୋଭ ପ୍ରକାଶ କରି ପ୍ରକାଶିତ ମେଧା ତାଲିକାକୁ ରଦ୍ଦ କରିବା ସହିତ କଡା ଭାଷାରେ ଓପିଏସିକୁ ମଧ୍ୟ ତାଗିଦ୍ କରିଛନ୍ତି । ଏଥି ସହ ଆଉ ଥରେ ନୂତନ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ମାନ୍ୟବର ହାଇକୋର୍ଟ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି । ଏଏସଓ ପଦବୀ ପାଇଁ ପରୀକ୍ଷା ଦେଇଥିବା ଯୁବକଯୁବତୀଙ୍କ ଭବିଷ୍ୟତ କଣ ହେବ ? କେବଳ ସେତିକି ନୁହେଁ ଯେଉଁ ପରୀକ୍ଷାର୍ଥୀମାନେ ଉତୀର୍ଣ୍ଣ ହୋଇଛନ୍ତି ତାଙ୍କୁ ମଧ୍ୟ ପ୍ରତାରଣା କରିଛି ରାଜ୍ୟ ସରକାର । କାରଣ ତାଙ୍କ ପରିବାର ଏବଂ ସେମାନେ ମଧ୍ୟ ଓପିଏସ୍‌ସିର ଭୁଲ ପଦ୍ଧତି, ସରକାରଙ୍କ ଖାମଖିଆଲ ମନୋଭାବ ଓ ଦୁର୍ନୀତି ଯୋଗୁଁ ତାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶାସକ ବିଜେଡିର ଇଙ୍ଗିତରେ ଓପିଏସସି ବର୍ତମାନ ଦୁର୍ନୀତିର ଗନ୍ତାଘର ସାଜିଛି ଏବଂ ରାଜ୍ୟ ସରକାର ଏହାର ରିଙ୍ଗ୍ ମାଷ୍ଟର ସାଜିଛନ୍ତି ବୋଲି ଆଚାର୍ଯ୍ୟ କହିଛନ୍ତି ।

    ମୁଖ୍ୟମନ୍ତ୍ରୀ ନବୀନ ବାବୁ ବିଶ୍ୱଦରବାରରେ ୧ନଂ ବୋଲି ତାଙ୍କ ଦଳର ନେତା, ମନ୍ତ୍ରୀମାନେ ଡିଣ୍ଡିମ ପିଟୁଛନ୍ତି କିନ୍ତୁ ରାଜ୍ୟ ସରକାର ଓଡିଶାର ଲକ୍ଷ ଲକ୍ଷ ମେଧାବୀ, ଶିକ୍ଷିତ ଯୁବକଯୁବତୀଙ୍କୁ ଭବିଷ୍ୟତକୁ ନେଇ ଖେଳୁଛନ୍ତି । ଏ କ’ଣ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଗୁଡ ଗଭର୍ଣ୍ଣେନ୍ସର ମଡେଲରେ କି? ଏହା ୫ଟି ସରକାରର କେଉଁ ପ୍ରକାର ଟ୍ରାନ୍ସପରେନ୍ସି ? ରାଜ୍ୟ ସରକାରଙ୍କ ‘କଥା ନୁହେଁ କଠିନ ପରିଶ୍ରମର’ ମଡେଲ କି ବୋଲି ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେବା ଉଚିତ୍ ବୋଲି  ଆଚାର୍ଯ୍ୟ ଦାବୀ କରିଛନ୍ତି ।

    ଓଡ଼ିଶା ରାଜ୍ୟରେ ୮ଲକ୍ଷ ୮୦ହଜାର ୧୭୫ଜଣ ଏମ୍ପେ୍ଲଏମେଂଟ ଏକ୍ସଚେଞ୍ଜରେ ରେଜିଷ୍ଟେସନ କରିଛନ୍ତି । ରାଜ୍ୟ ସରକାର ବାରମ୍ବାର ଯୁବକମାନଙ୍କୁ ପ୍ରତାରଣା କରୁଛନ୍ତି । ୨୦୧୯ରେ ଓଡିଶା ପୋଲିସ ରିକ୍ର‌୍ୟୁଟମେଂଟ ବୋର୍ଡ (ଓପିଆରବି) ପରୀକ୍ଷାରେ ମଧ୍ୟ ବ୍ୟାପକ ଅନୀୟମିତତା କାରଣରୁ ଯୁବକଯୁବତୀମାନେ ଡିଜି ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ । ଓଏସଏସସି ବୋର୍ଡ ଚେୟାରମ୍ୟାନଙ୍କ ଘରୁ କୋଟି କୋଟି ଟଙ୍କା ସମ୍ପତି ଧରାପଡିଥିଲା । ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲା । କିନ୍ତୁ ଏହି କେସ୍ ତଦନ୍ତ ହେଲା କି ନାହିଁ ଓ କେଉଁ ଅଫିସର ଏଭଳି ଦୁର୍ନୀତିରେ ଲିପ୍ତ ଥିଲେ ତାହା ମଧ୍ୟ ପ୍ରକାଶ ପାଇଲା ନାହିଁ । ଓଡିଶାର ଶିକ୍ଷିତ ଯୁବକ ଯୁବତୀଙ୍କ ନିଯୁକ୍ତି କ୍ଷେତ୍ରରେ ହେଉଥିବା ଦୁର୍ନୀତି ଓ ଘୋଟାଲାର ତଦନ୍ତ ହେବ କି? ଯଦି ହେବ କେବେ ହେବ? ଦୋଷୀଙ୍କୁ ଦଣ୍ଡ ମିଳିବ ତ? ନିଯୁକ୍ତି ଦୁର୍ନୀତିର ଯେଉଁମାନେ ଲିପ୍ତ ଅଛନ୍ତି ସେମାନଙ୍କୁ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଅନ୍ତୁ ବୋଲି  ଆଚାର୍ଯ୍ୟ ଦାବୀ କରିଛନ୍ତି ।

  • କଳାହାଣ୍ଡିରେ ବିକାଶର ବିଗୁଲ ଫୁଙ୍କିଲେ ୫-ଟି ସଚିବ

    କଳାହାଣ୍ଡିରେ ବିକାଶର ବିଗୁଲ ଫୁଙ୍କିଲେ ୫-ଟି ସଚିବ

    • ୫-ଟି ସଚିବଙ୍କ କଳାହାଣ୍ଡି ଗସ୍ତର ଦ୍ବିତୀୟ ଦିନ
    • ପିପଳ ନଳା ଜଳସେଚନ ପ୍ରକଳ୍ପର ଉନ୍ନତି ଓ ପର୍ଯ୍ୟଟନର ବିକାଶ ପାଇଁ ଏକ ମାସ ମଧ୍ୟରେ ଡିପିଆର
    • ମା ଇନ୍ଦ୍ରାବତୀ ମନ୍ଦିର ଓ ମ୍ୟୁଜିଅମ କମ୍ଫଲେକ୍‌ସ ପାଇଁ ଆଉ ୧୪ କୋଟି
    • ମା ମାଣିକେଶ୍ବରୀଙ୍କ ମନ୍ଦିରର ପୁନର୍ବିକାଶ ପାଇଁ ଏକ ସପ୍ତାହ ମଧ୍ୟରେ ଖର୍ଚ୍ଚ ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ
    • ଥୁଆମୁଳ-ରାମପୁରରେ ହେବ ଯୁକ୍ତ ୩ ଡିଗ୍ରୀ କଲେଜ ।

    ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି କଳାହାଣ୍ଡି ଗସ୍ତର ଦ୍ବିତୀୟ ଦିନରେ ଅନେକ ପ୍ରକଳ୍ପ ପରିଦର୍ଶନ କରି ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି । ପ୍ରଥମେ ସେ ପିପଳ ନଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ସେଠାରେ ଏହାର ଉନ୍ନତି ପାଇଁ ସ୍ଥାନୀୟ ଲୋକ ଓ ବିଭାଗୀୟ ଇଂଜିନିଅର ମାନଙ୍କ ସହ ଆଲୋଚନା କରିଥିଲେ । ପିପଳ ନଳାର ଜଳସେଚନ କ୍ଷମତାର ବୃଦ୍ଧି ତଥା ଏଠାରେ ଏକ ପର୍ଯ୍ୟଟନ ବିକାଶ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସେ ନିଷ୍ପତ୍ତି ନେଇଥିଲେ । ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଏକ ମାସ ମଧ୍ୟରେ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

    ଏହାପରେ ସେ ଥୁଆମୁଳ-ରାମପୁର ଯାଇ ସେଠାରେ ସାଧାରଣ ଲୋକ ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ସେଠାରେ ଏକ ଯୁକ୍ତ-୩ ଡିଗ୍ରୀ କଲେଜ ସ୍ଥାପନ କରାଯିବ ବୋଲି ଘୋଷଣା କରିଥିଲେ । ଏହାଦ୍ବାରା ସ୍ଥାନୀୟ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାର ବିକାଶ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ । ଭଟଙ୍ଗପଦର ହାଇସ୍କୁଲ ପଡିଆରେ ସେ ସ୍ଥାନୀୟ ଛାତ୍ରଛାତ୍ରୀ ଓ ମିଶନ ଶକ୍ତି ଗୋଷ୍ଠୀର ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ବୁଝିଥିଲେ ଏବଂ ଏହାର ସମାଧାନ ପାଇଁ ସ୍ଥାନୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

    କଳାହାଣ୍ଡିର ଥୁଆମୁଳ-ରାମପୁର ଠାରେ ପ୍ରସିଦ୍ଧ ମା ମାଣିକେଶ୍ବରୀ ମନ୍ଦିର ପରିଦର୍ଶନ କରି ସେ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସ୍ଥାନୀୟ ଜନସାଧାରଣ ଓ ମନ୍ଦିର କମିଟି ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ଏହାର ପୁନର୍ବିକାଶ ଉପରେ ଗୁରୁତ୍ବ ଆରୋପ କରିଥିଲେ । ଏଥିପାଇଁ ଖର୍ଚ୍ଚ ଏକ ଆକଳନ କରି ଏକ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ ।

    କଲମପୁର ମିନି ଷ୍ଟାଡିଅମ ଠାରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଷ୍ଟାଡିଅମର ଅଧିକ ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

    ଏହାପରେ ଶ୍ରୀ ପାଣ୍ଡିଆନ ମଙ୍ଗଳପୁର ବ୍ୟାରେଜ ଠାରେ ଇନ୍ଦ୍ରାବତୀ ପାର୍କ ଓ ମ୍ୟୁଜିଅମ ପରିଦର୍ଶନ କରିଥିଲେ । ସେଠାରେ ମା ଇନ୍ଦ୍ରାବତୀଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ମଧ୍ୟ ଦେଖିଥିଲେ। ଏହି ମନ୍ଦିର ଓ ମ୍ୟୁଜିଅମ ପାଇଁ ଆହୁରି ଅତିରିକ୍ତ ୧୪ କୋଟି ଟଙ୍କା ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ ଥିଲେ । ଏହାପରେ ସେ ଇନ୍ଦ୍ରାବତୀ ଦକ୍ଷିଣ କେନାଲର ଲାଇନିଂ କାମ ବୁଲି ଦେଖିଥିଲେ। ଏହି କାମ ଠିକ୍‌ ସମୟରେ ଶେଷ କରିବାକୁ ସେ ବିଭାଗୀୟ ଇଂଜିନିଅର ମାନଙ୍କୁ ପରାମର୍ଶ ଦେଇଥିଲେ ।

    ଆମପାଣି ଠାରେ ପ୍ରସିଦ୍ଧ ବୁଢାରାଜା ମନ୍ଦିର ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ ପୂର୍ଜାର୍ଚ୍ଚନା କରିଥିଲେ ଏବଂ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ 15 ଦିନ ମଧ୍ୟରେ ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଡୋକ୍ରିଚାଞ୍ଚରା ଓ ଗୁଡହାଣ୍ଡି ଠାରେ ସ୍ଥାନୀୟ ଲୋକ ଓ ବନ କମିଟି ସଦସ୍ୟ ମାନଙ୍କ ସହ ଆଲୋଚନା କରି ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ପଦକ୍ଷପ ନେବାକୁ ଡିଏଫଓଙ୍କୁ ପରାମର୍ଶ ଦେଇଥିଲେ। ଏଥିପାଇଁ ଏକ ମାସ ମଧ୍ୟରେ DPR ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ ।

    ଧରମଗଡରେ ମା ଭଣ୍ଡାରଘରଣୀ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ଏବଂ ଏହା ଅଧିକ ଉନ୍ନତି ପାଇଁ ପ୍ରସ୍ତାବ ଆହ୍ଵାନ ଦେଇଥିଲେ। ଗମ୍ଭାରୀଗୁଡା ଠାରେ ଯଶୋଦା ଅନନ୍ତ ଆଶ୍ରମ ପରିଦର୍ଶନ କରି ସେଠାରେ ଅନ୍ତେବାସୀଙ୍କ ସହ ଆଲୋଚନା କରି ଆଶ୍ରମର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଯଶୋଦା ଆଶ୍ରମ ରେ Dinning hall, computer room, library ,ଓ ପାର୍କ ର ବିକାଶ କରାଯିବ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ । ଏହାପରେ 5T ସଚିବ ଯଶୋଦା ଆଶ୍ରମ ଅନ୍ତେବାସୀଙ୍କ ସହିତ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ ।

    ଏହାପରେ ସେ ଧରମଗଡ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ, ପଞ୍ଚାୟତ କଲେଜ, କଲ୍ୟାଣ ମଣ୍ଡପ ଆଦି ପରିଦର୍ଶନ କରି ସ୍ଥାନୀୟ ଲୋକ, ମିଶନ ଶକ୍ତି ସଦସ୍ୟା ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରି ସେ ସବୁ ସ୍ଥାନର ଅଧିକ ବିକାଶ ପାଇଁ ସେମାନଙ୍କ ଠାରୁ ମତାମତ ଗ୍ରହଣ କରିଥିଲେ ।

  • କର୍ଣ୍ଣାଟକ ନାଟକ ଶେଷ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଧରମୈୟା

    କର୍ଣ୍ଣାଟକ ନାଟକ ଶେଷ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଧରମୈୟା

    ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । କର୍ଣ୍ଣାଟକର ଜନସାଧାରଣ ପାଇଛନ୍ତି ତାଙ୍କର ନୂଆ ମୁଖ୍ୟମନ୍ତ୍ରୀ । ଆଜି ଦ୍ବିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସିଦ୍ଧରମୈୟା । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡି.କେ ଶିବକୁମାର । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଆହୁରି ୮ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି ।

    କଂଗ୍ରେସର ଦୁଇଜଣ ଟାଣୁଆ ନେତା ହେଉଛନ୍ତି ଡିକେ ଶିବକୁମାର ଏବଂ ସିଦ୍ଧରମୈୟା । ଦୁହିଙ୍କୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ଟଣାଓଟରା ଶେଷ ହୋଇଛି । ଦୁଇ ଜଣ ହେଭିଓ୍ବେଟଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ମନ୍ତ୍ରିମଣ୍ଡଳ ଗଠନ ହୋପାରିଛି । ଏସସି ବର୍ଗରୁ ଜି. ପରମେଶ୍ବର ଓ କେଏଚ ମୁନିୟାପ୍ପାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିବା ବେଳେ ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ବର୍ଗର କେଜେ ଜର୍ଜ, ଲିଙ୍ଗାୟତ ସମ୍ପ୍ରଦାୟର ଏମବି ପାଟିଲ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି । ସେହିପରି ଏସଟି ବାଲ୍ମିକୀ ବର୍ଗର ସତୀଶ ଜାର୍କିଖୋଲି, ଏସସି ବର୍ଗର ତଥା ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ଖଡ଼ଗେ, ରେଡ୍ଡୀ ବର୍ଗର ରାମଲିଙ୍ଗା ରେଡ୍ଡୀ, ସଂଖ୍ୟାଲଘୁ ମୁସଲିମ ବର୍ଗର ବିଜେ ଜମିର ଅହମ୍ମଦ ଖାନ ମଧ୍ୟ ଶପଥ ନେଇଛନ୍ତି ।

    ଏହି ଭବ୍ୟ ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଏନସିପି ନେତା ଶରଦ ପାଓ୍ବାର ପ୍ରମୁଖ । ଏହି ଶପଥଗ୍ରହଣକୁ ଉତ୍ସକୁ ନେଇ ସେପଟେ ବିଜେପି କଟାକ୍ଷ କରିଛି ।

  • ଜଗଦୀଶ ଟାଇଟଲରଙ୍କ ପିଛା ଛାଡୁନି ୧୯୮୪ ଶିଖ ଦଙ୍ଗା, ପୁଣି ସିବିଆଇ ଦାଖଲ କଲା ଚାର୍ଜସିଟ

    ଜଗଦୀଶ ଟାଇଟଲରଙ୍କ ପିଛା ଛାଡୁନି ୧୯୮୪ ଶିଖ ଦଙ୍ଗା, ପୁଣି ସିବିଆଇ ଦାଖଲ କଲା ଚାର୍ଜସିଟ

    ସିବିଆଇ ଆଜି ୧୯୮୪ ଶିଖ ବିରୋଧୀ ଦଙ୍ଗାରେ ପୁଲ ବଙ୍ଗସ ଗୁରୁଦ୍ୱାର ଅଗ୍ନକାଣ୍ଡ ମାମଲାରେ କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ କରିଛି । ଅଭିଯୋଗ ଅନୁଯାୟୀ, ଜଗଦୀଶ ଟାଇଟଲର ଏକତ୍ରିତ ଲୋକଙ୍କୁ ଉସୁକାଇଥିଲେ, ଦଙ୍ଗା ସୃଷ୍ଟି କରିଥିଲେ, ଏହି ଲୋକମାନେ ପୁଲ ବଙ୍ଗଶ ଗୁରୁଦ୍ୱାରରେ ନିଆଁ ଲଗାଇ ଦେଇଥିଲେ ଯେଉଁଥିରେ ତିନି ଜଣ ଶିଖ ପୋଡି ଯାଇଥିଲେ । ସିବିଆଇ ସେକ୍ସନ ୧୪୭, ୧୪୮, ୧୪୯, ୧୫୩(ଏ), ୧୮୮ ଆଇପିସି ଏବଂ ୧୦୯, ୩୦୨, ୨୯୫, ଏବଂ ୪୩୬ ସହିତ ଅନ୍ୟକେତେକ ସେକ୍ସନ ଅଧୀନରେ ଚାର୍ଜସିଟ୍ ଦାଖଲ କରିଛି ।

    ଗତ ଏପ୍ରିଲରେ ଜଗଦୀଶ ଟାଇଟଲର ଦିଲ୍ଲୀରେ ସିବିଆଇ ସମ୍ମୁଖରେ ହାଜର ହୋଇଥିଲେ ଏବଂ ୧୯୮୪ ମସିହାରେ ଦିଲ୍ଲୀରେ ଶିଖ ବିରୋଧୀ ଦଙ୍ଗା ସହ ଜଡିତ ପୁଲ ବଙ୍ଗଶ ଗୁରୁଦ୍ୱାର ମାମଲାରେ ତାଙ୍କର ବୟାନ ରେକର୍ଡ କରାଯାଇଥିଲା । କେନ୍ଦ୍ରୀୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (CFSL) କଣ୍ଠ ନମୁନାର ପରୀକ୍ଷା କରିବ ।

    ଲାବୋରେଟୋରୀରୁ ବାହାରକୁ ଆସି ଟାଇଟଲର୍ କହିଥିଲେ ଯେ, ଯଦି ମୋ ବିରୁଦ୍ଧରେ ଗୋଟିଏ ବି ପ୍ରମାଣ ଅଛି, ତେବେ ମୁଁ ଫାଶୀ ପାଇବାକୁ ପ୍ରସ୍ତୁତ ଅଛି । ସିବିଆଇ ଏହି ମାମଲାରେ କଂଗ୍ରେସ ନେତାଙ୍କୁ ଏକ କ୍ଲିନ୍ ଚିଟ୍ ଦେଇଥିଲା କିନ୍ତୁ ଡିସେମ୍ବର ୪, ୨୦୧୫ରେ ପୁନଃ ଯାଞ୍ଚ ଆରମ୍ଭ କରିଥିଲା । ଜଗଦୀଶ ଟାଇଟଲର ୨୦୦୪ରେ ମନମୋହନ ସିଂ ସରକାରରେ ଜଣେ ମନ୍ତ୍ରୀ ଥିଲେ କିନ୍ତୁ ବିରୋଧ ପରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ବର୍ଷ ବର୍ଷ ଧରି ଶିଖ୍ ବିରୋଧୀ ଦଙ୍ଗା ସହ ଜଡିତ ଆଇନଗତ ଅସୁବିଧାର ସମ୍ମୁଖୀନ ହେଉଥିବାରୁ କଂଗ୍ରେସ ଦଳ ଟାଇଟଲରଙ୍କ ଠାରୁ ନିଜକୁ ଦୂରେଇ ରଖିଥିଲା ।

    ଗତ ବର୍ଷ ଦିଲ୍ଲୀ ପୌରପାଳିକା ନିର୍ବାଚନ ପାଇଁ ତାଙ୍କୁ କମିଟିରେ ଅନ୍ତର୍ଭୁକ୍ତ କରାଯାଇଥିଲା ଯେଉଁଥିରେ ବିରୋଧୀ ଦଳ ଗୁଡିକ କଂଗ୍ରେସକୁ ଘେରିପକାଇଥିଲେ । ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯତ୍ରା ଦିଲ୍ଲୀରେ ଚାଲିଥିବା ବେଳେ ଯୋଗ ଦେବାର ଥିଲା, କିନ୍ତୁ ପରେ ବିବାଦକୁ ଏଡାଇବା ପାଇଁ ସେ ଯାତ୍ରା ଠାରୁ ଦୂରରେ ରହିଥିଲେ ।

  • ସିବିଆଇ ବିରୁଦ୍ଧରେ ସୁପ୍ରିମକୋର୍ଟ ଯିବେ ଟିଏମସି ନେତା ଅଭିଷେକ ବାନାର୍ଜୀ

    ସିବିଆଇ ବିରୁଦ୍ଧରେ ସୁପ୍ରିମକୋର୍ଟ ଯିବେ ଟିଏମସି ନେତା ଅଭିଷେକ ବାନାର୍ଜୀ

    ଟିଏମସି ଜାତୀୟ ମହାସଚିବ ତଥା ସାଂସଦ ଅଭିଷେକ ବାନାର୍ଜୀ ଶନିବାର କୁନ୍ତଲ ମନିଫେଷ୍ଟୋ ମାମଲାରେ ପଚରାଉଚରା ପାଇଁ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ବାନାର୍ଜୀଙ୍କୁ ସିବିଆଇ ପକ୍ଷରୁ ସମନ ଜାରି କରାଯାଇଥିଲା, ଯେଉଁଥି ପାଇଁ ତାଙ୍କୁ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିବାକୁ ପଡିଥିଲା । ଏହି ସମୟରେ ଅଭିଷେକ ବାନାର୍ଜୀ କହିଛନ୍ତି ଯେ, କଲିକତା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟ ଯିବେ ଯେଉଁଥିରେ, କୁନ୍ତଲ ଘୋଷ ଚିଠି ମାମଲାରେ ଇଡି ଏବଂ ସିବିଆଇ ତାଙ୍କୁ ପଚରାଉଚରା କରିବାକୁ ଅନୁମତି ଦେଇଥିଲେ ।

    ସିବିଆଇ ଶିକ୍ଷକ ନିଯୁକ୍ତି ଦୁର୍ନୀତିର ତଦନ୍ତ ପାଇଁ ଅଭିଷେକ ବାନାର୍ଜୀଙ୍କୁ ପଚରାଉଚରା କରିବାକୁ ଚାହୁଁଛି । ସିବିଆଇର ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ ଦ୍ୱାରା ହରିଶ ମୁଖାର୍ଜୀ ସ୍ଥିତ ଅଭିଷେକଙ୍କ ବାସଭବନକୁ ସମନ ପଠାଯାଇଥିଲା । ସମନରେ ଅଭିଷେକଙ୍କୁ ଶନିବାର ଦିନ ୧୧ଟା ସୁଦ୍ଧା ସିବିଆଇ ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

    ସମନକୁ ସ୍ବିକାର କରି ଅଭିଷେକ ଟ୍ୱିଟ୍ କରିଛନ୍ତି ଯେ, ଏହି ଘଟଣାକୁ ଧାନ ନଦେଇ ମୁଁ ଲୋକଙ୍କ ସେବା ଜାରି ରଖିବାକୁ ଚେଷ୍ଟା କରିବି । ଶୁକ୍ରବାର ଦିନ ସିବିଆଇକୁ ଚ୍ୟାଲେଞ୍ଜ କରି ଅଭିଷେକ କହିଥିଲେ, ଯଦି ତାଙ୍କ ବିରୋଧରେ ଦୁର୍ନୀତି କିମ୍ବା ଅସଦାଚରଣର କୌଣସି ପ୍ରମାଣ ରହିଛି ତେବେ ତାଙ୍କୁ ଗିରଫ କରାଯାଉ ।

    ବାଂକୁଡା ଠାରେ ଆୟୋଜିତ ଏକ ରାଲିରେ ଅଭିଷେକ ବାନାର୍ଜୀ କହିଥିଲେ ଯେ, ମୁଁ ସିବିଆଇକୁ ଚ୍ୟାଲେଞ୍ଜ କରୁଛି ଯେ ସେମାନେ ଗତ କିଛି ବର୍ଷ ହେବ ବେଙ୍ଗଲରେ ଅନେକ ମାମଲାର ତଦନ୍ତ କରୁଛନ୍ତି । ଯଦି ମୋ ବିରୁଦ୍ଧରେ ଦୁର୍ନୀତିର କୌଣସି ପ୍ରମାଣ ଅଛି, ତେବେ ସେମାନେ ମୋତେ ଗିରଫ କରିବା ଉଚିତ୍ ।

    କଲିକତା ହାଇକୋର୍ଟର ଏକ ବେଞ୍ଚ ଶୁକ୍ରବାର ଦିନ ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଏକ ଆବେଦନର ତତ୍କାଳ ଶୁଣାଣୀ କରିବାକୁ ମନା କରିଦେଇଥିଲେ, ଯେଉଁଥିରେ ସେ ସିଙ୍ଗଲ ବେଞ୍ଚର ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ । ଏହାପରେ ସେ ସୁପ୍ରିମକୋର୍ଟକୁ ଯିବା ବିଷୟରେ କହିଥିଲେ । ଏହି ମାମଲାରେ ସିଙ୍ଗଲ୍ ବେଞ୍ଚ କହିଛି ଯେ, ଅଭିଷେକଙ୍କୁ ଦିଆଯାଇଥିବା ବିଜ୍ଞପ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିବିଆଇ ଉପରେ କୌଣସି ପ୍ରତିବନ୍ଧକ ନାହିଁ।

    ଏହି ଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ କୁନ୍ତଲ ଘୋଷଙ୍କ ଅଭିଯୋଗରେ ଅଭିଷେକଙ୍କ ନାମ ସାମ୍ନାକୁ ଆସିଥିଲା । ଏଥିସହିତ ଘୋଷ ଅଭିଯୋଗ କରିଛନ୍ତି ଯେ, ନିଯୁକ୍ତି ସ୍କାମରେ ଅଭିଷେକଙ୍କ ନାମ ରଖିବାକୁ କେନ୍ଦ୍ରୀୟ ଏଜେନ୍ସି ମାନେ ଚାପ ପକାଉଛନ୍ତି ।

  • ପଥରରେ ନୁହେଁ, ଲୋକଙ୍କ ହୃଦୟରେ ମୋ ବାପାଙ୍କ ବାସ

    ପଥରରେ ନୁହେଁ, ଲୋକଙ୍କ ହୃଦୟରେ ମୋ ବାପାଙ୍କ ବାସ

    ଆମେ ନିଷ୍ପତ୍ତି ନେଇଥାଉ। କିନ୍ତୁ ଶେଷରେ ଆମ ନିଷ୍ପତ୍ତି  ଆମକୁ ଗଢିଥାଏ। ଯିଏ ବ୍ୟକ୍ତିଗତ ସ୍ୱାର୍ଥ, ଭାବାବେଗ, ଭୟକୁ ପଛରେ ପକାଇ ସାମୂହିକ ସ୍ୱାର୍ଥ ଦିଗରେ ନିଷ୍ପତ୍ତି ନେଇଥାନ୍ତି ସେହି ନିଷ୍ପତ୍ତି ତାଙ୍କୁ ଚିରସ୍ମରଣୀୟ କରି ଗଢିତୋଳେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା 5-T ସଚିବ ଭିକେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତ କାଳରେ ମଙ୍ଗଳବାର ଦିନ ଓଡିଆ ସମୁଦାୟକୁ ସମ୍ୱୋଧିତ କରିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ କହିବାକୁ ଯାଇ ଏହା କହିଥିଲେ ପାଣ୍ଡିଆନ।

    ଭିକେ ପାଣ୍ଡିଆନ କହିଥିଲେ, ପୁରୀ ସ୍ୱର୍ଗଦ୍ୱାର ସହ ରାଜ୍ୟବାସୀଙ୍କର ଧର୍ମୀୟ ବିଶ୍ୱାସ ଜଡିତ ରହିଛି। ଓଡିଆଙ୍କ ବିଶ୍ୱାସ  କି, ଏହି ସ୍ଥାନରେ ଆତ୍ମୀୟ  ପରିଜନଙ୍କ ଅନ୍ତିମ ସଂସ୍କାର କରାଗଲେ ସେମାନଙ୍କୁ ମୋକ୍ଷ ମିଳିଥାଏ। ତେଣୁ ବହୁ ଲୋକ ସେମାନଙ୍କ ଆତ୍ମୀୟଙ୍କ ଶେଷକୃତ ପାଇଁ ସ୍ୱର୍ଗଦ୍ୱାରକୁ ଯାଇଥାନ୍ତି। କିନ୍ତୁ ସେଠାରେ ଜାଗାର ଅଭାବ ହେଉଥିଲା। ଏହାକୁ ଦେଖି ସ୍ୱର୍ଗଦ୍ୱାର ପ୍ରଶସ୍ତିକରଣ ଓ ସୌନ୍ଦର୍ଯ୍ୟକରଣ ନେଇ ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ଦେଖାଇଥିଲି ସେ ତତ୍କ୍ଷଣାତ୍ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଶୁଣି ନିଜ କାନକୁ ବିଶ୍ୱାସ କରି ପାରିନଥିଲେ ବ୍ୟକ୍ତିଗତ ସଚିବ। କାରଣ ପ୍ରତି ବର୍ଷ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷଙ୍କ ସମାଧିରେ ଶ୍ରଦ୍ଧାସୁମନ ଅର୍ପଣ କରିବାକୁ ଯାଇଥାନ୍ତି। ସେଠାରେ କିଛି କ୍ଷଣ ବିତାଇବାକୁ ଭଲପାଇଥାନ୍ତି। ଅଥଚ ବାପାଙ୍କ ସମାଧି ଭାଙ୍ଗିବା ପରି ଏକ କଠୋର ନିଷ୍ପତ୍ତି ନେବାକୁ କିପରି କ୍ଷଣଟିଏ ସମୟ ନେଇ ନ ଥିଲେ ମୁଖ୍ୟମନ୍ତ୍ରୀ ?

    ପରେ ପାଣ୍ଡିଆନ ବୁଝିଥିଲେ କି, ଯେଉଁ ରାଜ୍ୟବାସୀ ବିଜୁ ବାବୁଙ୍କୁ ଏତେ ଭଲ ପାଉଥିଲେ ସେମାନଙ୍କ ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେବାରେ କରିନଥିଲେ କାଳ ବିଳମ୍ବ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ସର୍ବୋପରେ ଥିଲା ଓଡିଶା ଓ ଓଡିଆଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ।  ସେଥିପାଇଁ ସେହି ଡେଙ୍ଗା ମଣିଷଙ୍କ ସମାଧି ଶ୍ମଶାନର ଗୋଟିଏ କୋଣକୁ ଅବରୋଧ କରି ରଖିଥିବାରୁ ତାକୁ ଭାଙ୍ଗି, ରାଜ୍ୟବାସୀଙ୍କୁ ସମ୍ପୂର୍ଣ୍ଣ ସ୍ୱର୍ଗଦ୍ୱାର ସମର୍ପିତ କରିଥିଲେ ନବୀନ। ତାଙ୍କ ଚିନ୍ତାଧାରାରେ, ବାଲି, ସିମେଟ ଓ ପଥରରେ ନିର୍ମିତ ସମାଧିରେ ବିଜୁ ପଟ୍ଟନାୟକ ବାସ ନୁହେଁ. ବରଂ ରାଜ୍ୟବାସୀଙ୍କ ହୃଦୟରେ।

    ଏଥିସହ ସମାଧିକୁ ଭୋରୁ ଭୋରୁ ଭାଙ୍ଗିବାକୁ କହିଥିଲେ ମୁଖ୍ୟମନ୍ତ୍ରୀ। ସେ ଜାଣିଥିଲେ, ବିଜୁ ବାବୁଙ୍କ ସମାଧି ସହ ରାଜ୍ୟବାସୀଙ୍କ ଭାବାବେଗ ଜଡିତ ରହିଛି। ସାଧାରଣ ଜନତା ସମାଧି ଭାଙ୍ଗିବାକୁ ଦେବେ ନାହିଁ। ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ। ତେଣୁ ନିର୍ଦ୍ଦେଶ ମୁତାବକ ତାହା ହିଁ କରାଯାଇଥିଲା। ରାତି ନ ପାହୁଣୁ ସେଠାରୁ ସମାଧିକୁ ଭାଙ୍ଗି ଦିଆଯାଇଥିଲା। ଏବେ ସେଠାରେ କେବଳ ଏକ ପ୍ରସ୍ତର ଫଳକ ରହିଛି। ଏହା ଓଡିଶା ପରିବର୍ତ୍ତନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କର ପ୍ରଥମ ପରିଯୋଜନା ଥିଲା  ବୋଲି ପାଣ୍ଡିଆନ କହିଥିଲେ। ଏଠାରେ କହିରଖୁଛୁ କି, ୧୯୯୭ ଏପ୍ରିଲ ୧୭ରେ ବିଜୁ ପଟ୍ଟନାୟକଙ୍କ ନିଧନ ପରେ ପୁରୀ ସ୍ୱର୍ଗଦ୍ୱାରରେ ପ୍ରବାଦ ପୁରୁଷଙ୍କ ସମାଧି ନିର୍ମାଣ ହୋଇଥିଲା।

    ସ୍ୱର୍ଗଦ୍ୱାର ପୁରୀର ଦକ୍ଷିଣ ପଶ୍ଚିମକୁ ବଙ୍ଗୋପସାଗର କୂଳରେ କାହିଁ କେଉଁ କାଳରୁ ରହି ଅସିଛି। ବର୍ତ୍ତମାନ ଏହା ଏକ ଏକର ପରିମିତ ସ୍ଥାନରେ ବ୍ୟାପ୍ତ ଥିବା ବେଳେ ଏହାର ଆଖପାଖର ପ୍ରାୟ ୧୫ ଏକର ଜମି ରହିଛି। ଏହା ହେଉଛି ଓଡିଆଙ୍କ ମୋକ୍ଷର ବାଟ ବୋଲି ବିଶ୍ୱାସ ରହିଛି। ଏହି ସ୍ଥାନକୁ ମା’ କାଳୀ ଜଗୁଥିବା କୁହାଯାଏ।

  • କିରଣଙ୍କ ବଦଳି ପରେ ବୟାନବାଜି ଜୋରଦାର

    କିରଣଙ୍କ ବଦଳି ପରେ ବୟାନବାଜି ଜୋରଦାର

    କିରଣ ରିଜିଜୁଙ୍କ ହାତରୁ କାଢିନିଆଗଲା ଆଇନ ମନ୍ତ୍ରଣାଳୟ। ଆଇନ ମନ୍ତ୍ରଣାଳୟ ଛଡାଇ ନେଇ ଦିଆଯାଇଛି ଭୂତତ୍ତ୍ୱ ବିଜ୍ଞାନ ବିଭାଗ।  ଗୁରୁବାର ହଠାତ୍ ଆଇନ ମନ୍ତ୍ରୀ ପଦରୁ କିରଣ ରିଜିଜୁଙ୍କୁ ବିଦା କରି ତାଙ୍କ ସ୍ଥାନରେ ବିକାନେର ସଂସଦୀୟ କ୍ଷେତ୍ରର ସାଂସଦ ଅର୍ଜୁନ ରାମ ମେଘ୍ୱାଲଙ୍କୁ ନିଯୁକ୍ତ କରାଯାଇଥିବା ନେଇ ବିଜ୍ଞପ୍ତି  ପ୍ରକାଶ ପାଇଲା। ଯାହା ଏକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାହିଁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଆଉ କାହିଁ ଭୂତତ୍ତ୍ୱ ବିଜ୍ଞାନ ମନ୍ତ୍ରଣାଳୟ । ଏହା ରିଜିଜୁଙ୍କ ପାଇଁ ପୁରସ୍କାର ନା ତିରଷ୍କାର, ତାକୁ ନେଇ ଅରମ୍ଭ ହୋଇଛି କଳ୍ପନା ଜଳ୍ପନା। ସେପଟେ ବିରୋଧୀ ଶିବିରରେ ଦେଖା ଦେଇଛି ବିଜୟ ପରି ମାହୋଲ। କିରଣଙ୍କୁ ଜଣଙ୍କ ପରେ ଜଣେ ବିରୋଧୀ ନେତା କରୁଛନ୍ତି ଟାର୍ଗେଟ।

    ଯେମିତି ହଠାତ୍ ଯୁବ ବ୍ୟାପାର ଓ କ୍ରିଡା ବିଭାଗ ପରି ସାମାନ୍ୟ ମନ୍ତ୍ରଣାଳୟରୁ ଆଇନ ମନ୍ତ୍ରଣାଳୟ ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ କିରଣ ରିଜିଜୁଙ୍କୁ ଦେଇ ମୋଦି ସରକାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା, ଆଜି ସମାନ ସ୍ଥିତି ସୃଷ୍ଚି କରିଛନ୍ତି। ତେବେ  ଏମିତି କଣ ହେଲା କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ କିଛି ସୁରାକ ନ ଦେଇ ରାଷ୍ଟ୍ରପତିଙ୍କୁ କହି ରିଜିଜୁଙ୍କୁ ଆଇନ ମନ୍ତ୍ରଣାଳୟରୁ ବିଦା କରି ଦେଲେ?

    ଏହି ପ୍ରଶ୍ନକୁ ନେଇ ପ୍ରଥମେ ମନକୁ ଆସୁଛି କି, ସୁପ୍ରିମ କୋର୍ଟଙ୍କୁ ବାରମ୍ୱାର ଟାର୍ଗେଟ କରିବା, କଲେଜିୟମ ସିଷ୍ଟମକୁ ନେଇ ମୁଖର ହେବା ହୁଏତ ରିଜିଜୁଙ୍କ ପାଇଁ ହୋଇଛି ବୁମେରାଂ। ବିଭିନ୍ନ ନ୍ୟାୟିକ ପ୍ରସଙ୍ଗରେ ଅଯଥାରେ ରିଜିଜୁ ବୟାନ ବାଜି କରିଆସୁଥିଲେ। ଯାହାକୁ ନେଇ ସରକାର ଓ ନ୍ୟାୟପାଳିକା ମଧ୍ୟରେ ଥିବା ବିବାଦ ପଦାକୁ ଆସିଥିଲା। କେତେବେଳେ ରିଜିଜୁ କଲେଜିୟମ ସିଷ୍ଟମକୁ ଅନାବଶ୍ୟକ, ଅସମ୍ବିଧାନିକ କହିଥିଲେ ତ କେତେବେଳ ଏହି ସିଷ୍ଟମର ଅନ୍ତରେ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ସଠିକ ଢଙ୍ଗରେ ହେବ ବୋଲି କହିଥିଲେ।

    ଆହୁରି ପୁଣି ବିଚାରପତିଙ୍କ ନିଯୁକ୍ତି କାର୍ଯ୍ୟପାଳିକାର କାର୍ଯ୍ୟ ବୋଲି କହି ବିବାଦକୁ ଟାଣି ହୋଇଆସିଥିଲେ ରିଜିଜୁ। ଏମିତିକି ରିଜିଜୁ ପୂର୍ବତନ ବିଚାରପତିମାନଙ୍କୁ ଦେଶଦ୍ରୋହୀଙ୍କ ସହ ମିଶିଥିବା ପରି ସଂଘାତିକ ବୟାନ ଦେଇଥିଲେ। ତେଣୁ ବାରମ୍ୱାର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କୁ ପରୋକ୍ଷ ବୟାନ ଦେବାକୁ ହୋଇଥିଲା। ବାରମ୍ୱାର ରିଜିଜୁଙ୍କ ବୟାନ ଓ ସୋସିଆଲ ମିଡିଆରେ ସିଜେଆଇଙ୍କୁ ଟାର୍ଗେଟ କରାଯିବାରୁ କଂଗ୍ରେସ ସମେତ ବହୁ ବିରୋଧୀ ଦଳ ସିଜେଆଇଙ୍କ ସୁରକ୍ଷା ଗୁହାର ଲଗାଇଥିଲେ ରାଷ୍ଟ୍ରପତିଙ୍କ ନିକଟରେ।

    ତେବେ ହଠାତ୍ ଏପରି ଲଜ୍ଜାଜନକ ଭାବେ ରିଜିଜୁ ବିଭାଗ ହରାଇବା ବେଳେ କଂଗ୍ରେସ ପକ୍ଷରୁ ବିଭିନ୍ନ ନେତାଙ୍କ ବୟାନ ସମ୍ନାକୁ ଆସିଛି। କଂଗ୍ରେସ ସାଂସଦ ମନିକମ ଟେଗୋର ରିଜିଜୁଙ୍କ ଉଦ୍ଦେଶ୍ୟରେ କହିଛନ୍ତି କି, ଯିଏ ନିୟମିତ ଭାବେ ବିଚାରପତିଙ୍କ ନିଯୁକ୍ତିକୁ ନେଇ କଲେଜିୟମ ସିଷ୍ଟମ ବିରୋଧରେ କହୁଥିଲେ ସେ ଜଣେ ବିଫଳ ଆଇନ ମନ୍ତ୍ରୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ଭୂତତ୍ତ୍ୱ ବିଭାଗକୁ ପଠାଇ ଦିଆଯାଇଛି। ସେହିପରି ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଇନ ମନ୍ତ୍ରୀ କପିଲ ସିବଲ କହିଛନ୍ତି, ଆଇନ ନୁହେଁ, ବର୍ତ୍ତମାନ ସେ ଭୁବିଜ୍ଞାନର ମନ୍ତ୍ରୀ। ଆଇନ ପଛରେ ଥିବା ବିଜ୍ଞାନ ବୁଝିବା ସହଜ ନୁହେଁ। ବର୍ତ୍ତମାନ ସେ ବିଜ୍ଞାନର ନିୟମ ବୁଝିବାକୁ ଚେଷ୍ଟା କରିବେ। ଶୁଭକାମନା  ମୋ ବନ୍ଧୁ ବୋଲି ତାତ୍ସଲ୍ୟ କରିଛନ୍ତି ସିବଲ। ସେହିପରି କଂଗ୍ରେସ ନେତା ଅଳକା ଲାମ୍ବା କହିଛନ୍ତି, ଗତ କିଛି ଦିନ ଧରି କିରଣ ରିଜିଜୁଙ୍କ ଟିପ୍ପଣୀ ମୋଦି ସରକାରଙ୍କୁ ଅଡ଼ୁଆରେ ପକାଉଥିଲା। ନିଜ ଛବିକୁ ଠିକ୍‌ ରଖିବା ପାଇଁ ଆଇନ ମନ୍ତ୍ରୀଙ୍କ ବଳି ଦେବାକୁ ପଛାଇ ନାହାନ୍ତି। ଶିବସେନା ଉଦ୍ଧବ ଗୋଷ୍ଠୀର ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ରୁଜିଜୁଙ୍କ ବଦଳି ପଛର କାରଣ ଖୋଜିବାକୁ ଯାଇ ଟ୍ୱିଇଟ କରି କହିଛନ୍ତି କି, ମହାରାଷ୍ଟ୍ରକୁ ନେଇ ଆସିଥିବା ରାୟର ଲଜ୍ଜାଜନକ ସ୍ଥିତି? ନା ମୋଦାନି-ସେବି ଯାଞ୍ଚ?ରୁ ଏପରି ହୋଇଛି।

  • ୪ ଦିନର କସରତ ପରେ ଲାଗିଲା ମୋହର, ସିଦ୍ଧରମୈୟା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

    ୪ ଦିନର କସରତ ପରେ ଲାଗିଲା ମୋହର, ସିଦ୍ଧରମୈୟା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

    ମେ’ ୧୩ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବହୁମତ ହାସଲ କରି ସେଲିବ୍ରେସନ କରିଥିଲା । ହେଲେ ଦଳକୁ ଟେନସନ ଦେଇଥିଲା କିଏ ମୁଖ୍ୟମନ୍ତ୍ରୀ ହେବେ । ଡିକେ ଶିବକୁମାର ନା ସିଦ୍ଧରମୈୟା, କାହାକୁ ସିଏମ୍ ପଦବୀ ଦିଆଯିବ ସେ ନେଇ ଅଙ୍କକଷା ଚାଲିଥିଲା । ଦୀର୍ଘ ୪ ଦିନର କସରତ ପରେ ଶେଷରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।

    କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବେ ବରିଷ୍ଠ ନେତା ସିଦ୍ଧରମୈୟା । ଉପମୁଖ୍ୟମନ୍ତ୍ରୀ ଭାବେ ଶିବକୁମାରଙ୍କ ନାଁ ଘୋଷଣା ହୋଇଛି । ଚାରି ଦିନର ରାଜନୈତିକ କସରତ ପରେ କର୍ଣ୍ଣାଟକ ଅଚଳାବସ୍ଥାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଗତ ମଧ୍ୟରାତ୍ରିରେ ଏଭଳି ଘୋଷଣା କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ । ଏହି ପଦବୀ ଲାଗି ପ୍ରମୁଖ ଦାବିଦାର ଥିବା ଡି.କେ ଶିବକୁମାରଙ୍କୁ ଶେଷରେ ମନାଇଛି ଦଳ । ମେ’ ୨୦ରେ ବେଙ୍ଗାଳୁରୁରେ ନୂତନ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି ।

    ଗତକାଲି ଅର୍ଥାତ ବୁଧବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ, ପୂର୍ତତନ ସାଂସଦ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଏକାଧିକ ପର୍ଯ୍ୟାୟ ଆଲୋଚନା ହୋଇଥିଲା । ଶୀର୍ଷ ପଦବୀକୁ ନେଇ ନେତାଙ୍କ ସହ ଆଲୋଚନା ଜାରି ଥିଲା । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଜାରିଥିବା ଅଚଳାବସ୍ଥାରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

    ଗତ ୧୩ ତାରିଖରେ କର୍ଣ୍ଣାଟକ ରେଜଲ୍ଟ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସସ୍‌ପେନ୍ସ ଲାଗି ରହିଥିଲା । ନୂଆ ସରକାର ଗଠନ ହେବା କରିବାକୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଆଲୋଚାନ ବି ହୋଇଥିଲା । ମୁଖ୍ୟମନ୍ତ୍ରୀ ରେସରେ ଥିବା ୨ ପ୍ରତିଦ୍ବନ୍ଦ୍ବୀ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟି ଆଲୋଚନା କରିଥିଲେ । ପରେ ସେମାନେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ । ଶେଷରେ ରାହୁଲ ଗାନ୍ଧି ଓ ଖଡଗେଙ୍କ ସହ ଏକତ୍ର ବୈଠକ ପରେ ଶେଷରେ ସିଏମଙ୍କ ନାଁ ଘୋଷଣା ହୋଇଥିଲା ।

  • ବିହାରରେ ବାଗେଶ୍ୱର ରାଜନୀତି ଜୋରଦାର

    ବିହାରରେ ବାଗେଶ୍ୱର ରାଜନୀତି ଜୋରଦାର

    ପୁଣି ଚର୍ଚ୍ଚାରେ ବାଗେଶ୍ୱର ବାବା। ବାଗେଶ୍ୱର ବାବା ଓରଫ ଧୀରେନ୍ଦ୍ର ଶାସ୍ତ୍ରୀ। ବାବାଙ୍କର କଥା ପ୍ରବଚନ ଶିବିର ବିହାରର ପାଟନାରେ ଚାଲିଥିବା ବେଳେ ବାବାଙ୍କ ଦର୍ଶନ ପାଇଁ ସେଠାରେ ଦେଖିବାକୁ ମିଳିଛି ଅସମ୍ଭବ ଜନ ସମାଗମ। ସେପଟେ ପାଟନାର ଆୟକର ବିଭାଗ ଅଫିସ ନିକଟରେ ଥିବା ବାବାଙ୍କ ପୋଷ୍ଟରକୁ କେହି ରାତିରେ ଚିରି ଦେଇଥିବା ବେଳେ ଡାକ ବଙ୍ଗଳା ଛକ ନିକଟରେ ଥିବା ପୋଷ୍ଟରରେ କେହି ବୋଳିଦେଇଛି କାଳି । ଖାଲି ସେତିକି ନୁହେଁ ବାବାଙ୍କୁ ୪୨୦ ବୋଲି ମଧ୍ୟ ଲେଖି ଦେଇଛି। ଯାହାକୁ ନେଇ  ତେଜିଛି ରାଜନୀତି।

    ହିନ୍ଦୁ ରାଷ୍ଟ୍ର ଗଠନର ନାରା ଦେଇ ଚର୍ଚ୍ଚାକୁ ଆସିଥିବା ଆତ୍ମଘୋଷିତ ବାବା ବାଗେଶ୍ୱରଙ୍କୁ ନେଇ ବିହାରରେ ରାଜନୀତି ଜୋରଦାର। ବାବାଙ୍କ ପାଟନା ପ୍ରବଚନ  ଶିବିର ଓ ବାବାଙ୍କ ଦର୍ଶନ ପାଇଁ ଯେଉଁ ଭିଡ ବିହାର ତଥା ଦେଶ ଦେଖିଛି ତାହା ପୂର୍ବରୁ କେବେ କୌଣସି ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ୟ ଦେଖିବାକୁ ମିଳି ନ ଥିଲା। ସେପଟେ ରାତିର ଆନ୍ଧାରରେ ଗୋଟିଏ ପୋଷ୍ଟରରେ କଳା ବୋଳା ହୋଇଛି ତ ପୁଣି ଅନ୍ୟ ପୋଷ୍ଟରକୁ ଫାଡି ଦିଆଯାଇଛି। ଏପରି କାମକୁ ବିଜେପି ସରକାରୀ କଳ ଓ ବଳର କାମ କହିଥିବା ବେଳେ  ବାବା ଉପରେ ଟିକ୍କାଟିପଣୀ ଦେବାରୁ ପଛେଇନି ଜେଡିୟୁ ଓ ଆରଜେଡି  ମୁଖ୍ୟ।

    ବାବାଙ୍କ ହିନ୍ଦୁ ରାଷ୍ଟ୍ର ଗଠନକୁ ନେଇ ଆହ୍ୱାନକୁ ନୀତିଶ ନାପସନ୍ଦ କରିଥିବା ବେଳେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଧୀରେନ୍ଦ୍ର ଶାସ୍ତ୍ରୀ କଣ କେଉଁ  ବାବା କହି କରିଛନ୍ତି ପରିହାସ । ସେପଟେ ଆରଜେଡିର ନେତା ଶକ୍ତି ସିଂହ ଯାଦବ ବାବାଙ୍କ ଜନ ସମାବେଶକୁ ବିଜେପି ପ୍ରାୟୋଜିତ କହିଛନ୍ତି। ସେ ବାବାଙ୍କୁ ହିନ୍ଦୁ ଫାଶୀବାଦ ବା ହିନ୍ଦୁ ବିରୋଧୀ କହିବାକୁ ପଛେଇ ନାହାନ୍ତି। ସେହିପରି ଜେଡିୟୁ ନେତା ଜଗଦାନନ୍ଦ ସିଂହ ବାବାଙ୍କୁ ମଦାରୀ ବା ମାଙ୍କଡ ନଚାଳି ବୋଲି କହିଛନ୍ତି। ବାବାଙ୍କ ଦର୍ଶନ ପାଇଁ ଦେଖା ଦେଉଥିବା ଭିଡ ଉପରେ ଜଗଦାନନ୍ଦ ସିଂହ କହିଛନ୍ତି କି, ମଦାରୀ ମଧ୍ୟ ଲୋକଙ୍କୁ ଜୁଟାଇବାରେ ସକ୍ଷମ ହୋଇଥାଏ। ଏ ମଦାରୀ ଶିକ୍ଷିତ ଲୋକଙ୍କୁ ଭୁଆଁ ବୁଲାଉଛି।

    ସେପଟେ ବାବାଙ୍କ ଶିବିରର ୪ର୍ଥ ଦିନରେ ତେଜପ୍ରତାପ ନିଜ ନିରବତା ଭାଙ୍ଗି ବାବା କିଏ ବୋଲି ପ୍ରଶ୍ନ କରିବା ସହ ବିହାର କୃଷ୍ଣ ରାଜ୍ୟ ବୋଲି କହିଛନ୍ତି। କାରଣ ବାବା ବାଗେଶ୍ୱର ଭାରତକୁ ରାମଙ୍କ ରାଜ୍ୟ କହିଥାନ୍ତି। ଆହୁରି ତେଜପ୍ରତାପ କହିଛନ୍ତି କି ବିଜେପି ଧର୍ମ ନାମରେ ଦେଶ ଭାଙ୍ଗିବାକୁ ଚେଷ୍ଟା କରୁଛି। ସେହିପରି କଂଗ୍ରେସ ନେତା ଇରଫାନ ଅଂସାରୀ ବାବାଙ୍କୁ ତାଙ୍କ ଦରବାରରେ ଆଲ୍ଲା ହୋ ଆକବର  କି ୟା ଅଲ୍ଲୀ କହିବାକୁ ଦେଇଛନ୍ତି ପରାମର୍ଶ ।

    ତେବେ ବିହାରରେ ବାବା ବାଗେଶ୍ୱରଙ୍କୁ ବିରୋଧ କରି ଦରବାର ଲଗାଇ ନ ଦେବାକୁ ସରକାରର ସବୁ କଳ କୌଶଳ ଫେଲ ମାରିଛି। ଖାଲି ସେତିକି ନୁହେଁ ବିହାରରେ  ପ୍ରବଳ ତାତି ଓ ପ୍ରଖର ରୌଦ୍ର ତାପ ସତ୍ତ୍ୱେ ବାବାଙ୍କ ଦରବାରକୁ ଛୁଟିଛି ଲୋକଙ୍କ ସୁଅ। ଏସବୁ ଭିତରେ ଦେଖିବାକୁ ରହିଲା ବାସ୍ତବରେ ଆତ୍ମଘୋଷିତ ବାବା ବାଗେଶ୍ୱରଙ୍କର କୌଣସି ଐଶ୍ୱରିକ ଶକ୍ତି ରହିଛି ନା ବିଭିନ୍ନ କୌଶଳ ପ୍ରୟୋଗ କରି ସେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି।

  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରେସର ଆଗରେ ସିଦ୍ଧରମୈୟା, ଅଧ୍ୟକ୍ଷଙ୍କ ଘୋଷଣାକୁ ଅପେକ୍ଷା

    କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରେସର ଆଗରେ ସିଦ୍ଧରମୈୟା, ଅଧ୍ୟକ୍ଷଙ୍କ ଘୋଷଣାକୁ ଅପେକ୍ଷା

    କର୍ଣ୍ଣାଟକ ଦଖଲ ପରେ ଏଯାଏ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଙ୍କ ଛିଡୁନି । କିଏ ହେବେ କର୍ଣ୍ଣାଟକ ସିଏମ୍ ସିଦ୍ଧରମୈୟା ନା ଶିବକୁମାର । ଏହା ଭିତରେ ପୁଣି ସୁନି ୱାକଫ୍ ବୋର୍ଡର ଦାବି । ଏବେ କଂଗ୍ରେସ ଅଧ୍ୟକ୍ଷଙ୍କ ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା ।

    କର୍ଣ୍ଣାଟକ ସିଏମ୍ ପଦ ରାଜନୀତି ଜୋର୍ ଧରିଛି । କର୍ଣ୍ଣାଟକ ରାଜନୀତି ଉପରେ ଏବେ ସମସ୍ତଙ୍କ ନଜର । କାରଣ କିଛି ରାଜ୍ୟରେ କଂଗ୍ରେସ ଶାସନକୁ ଆସିବା ମାତ୍ରେ କେଁ ପଶୁଛି । ଅଡୁଆ ପରିସ୍ଥିତିର ସାମ୍ନା କରୁଛି ଦଳ । ତେଣୁ ଏଥର ବି ଦଳୀୟ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।

    କର୍ଣ୍ଣାଟକରୁ ଦିଲ୍ଲୀ ଦରବାର । ସେଠି ବି ହୋଇପାରୁନି କୌଣସି ନିଷ୍ପତ୍ତି । ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ହାଇକମାଣ୍ଡ ଚାହୁଁଛନ୍ତି । କାରଣ ସିଦ୍ଧରମୈୟା ବରିଷ୍ଠ ଏବଂ ଶେଷ ନିର୍ବାଚନ ଲଢ଼ିଥିବା ପୂର୍ବରୁ ଜଣାଇଛନ୍ତି । ତାଙ୍କର ଲୋକପ୍ରିୟତା ବି ରହିଛି । ହେଲେ ଶିବକୁମାରଙ୍କ ପ୍ରତି ଏବେ ସମର୍ଥନ ବଢ଼ିବାରେ ଲାଗିଛି । କର୍ଣ୍ଣାଟକ ପିସିସି ସଭାପତି ଶିବକୁମାର, ବିଦ୍ରୋହ ନକରି ଶାନ୍ତିରେ ସମାଧାନ ପାଇଁ ଚାହୁଁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ପଦ ନ ମିଳିଲେ ବି ସେ ଜଣେ ସାଧାରଣ ବିଧାୟକ ଭାବେ ଦଳରେ ରହିବେ ବୋଲି ଜଣାଇଛନ୍ତି ।

    ଡିକେ ଶିବକୁମାର ଓ ସିଦ୍ଧରମୈୟା, ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ହେଲେ କ୍ଷମତା ଭାଗବଣ୍ଟା ଫର୍ମୁଲାକୁ ଅଗ୍ରାହ୍ୟ କରିଛନ୍ତି ଶିବକୁମାର । ସିଦ୍ଧରମୈୟା କେତେବେଳେ ବିରୋଧୀ ଦଳ ନେତା ହୋଇଛନ୍ତି ତ ଆଉ କେତେବେଳେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେଣୁ ଏବେ ହାଇକମାଣ୍ଡ ସବୁ ପ୍ରକାରର ନିଷ୍ପତ୍ତି ନେଇପାରିବେ ବୋଲି ରୋକଠୋକ୍ କହିଛନ୍ତି ଶିବକୁମାର ।

    ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ପରଦା ହଟିପାରୁନି । ରେସରେ କିନ୍ତୁ ସିଦ୍ଧରମୈୟା ଆଗରେ ଅଛନ୍ତି । ତେଣୁ ଖୁବଶୀଘ୍ର ଖଡଗେ କର୍ଣ୍ଣାଟକ ଯାଇ ବିଧାୟକ ଏବଂ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବେ । ସେମାନଙ୍କ ଠାରୁ ମତାମତ ଆଣିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବେ, ସେ ନେଇ ଘୋଷଣା କରିବେ ଅଧ୍ୟକ୍ଷ ।

    ସେପଟେ, ସୁନ୍ନି ୱାକଫ୍ ବୋର୍ଡ ଅଧ୍ୟକ୍ଷ ସଫି ସାଦିଙ୍କ ଦାବି ଏବେ କଂଗ୍ରେସକୁ ଅଡୁଆରେ ପକାଇଛି । ସୁନ୍ନି ଉଲମା ବୋର୍ଡ ନେତାମାନେ ଦାବି କରିଛନ୍ତି ଯେ କଂଗ୍ରେସ ଜଣେ ମୁସଲମାନଙ୍କୁ କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ କରିବା ସହ ଆଉ ୫ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଯେପରିକି ସ୍ୱାସ୍ଥ୍ୟ,ରାଜସ୍ୱ ଏବଂ ଗୃହ ବିଭାଗ ଇତ୍ୟାଦି ମୁସଲମାନ ବିଧାୟକଙ୍କ ଅଧୀନରେ ରଖାଯାଉ । ସ୍ଥିତି ଜଟିଳ ହେବାକୁ ଯାଉଥିବା ବେଳେ ଖୁବଶୀଘ୍ର ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି ମଲ୍ଲିକାର୍ଜ୍ଜୁନ ଖଡଗେ ।