Category: ଦେଶ-ବିଦେଶ

  • ଆନ୍ଦୋଳନକୁ ପୂରିଲା ଏକ ମାସ, ତଥାପି ପ୍ରଶାସନର ନିଦ ଭାଙ୍ଗୁନି, ଦିଲ୍ଲୀରେ କୁସ୍ତିଯୋଦ୍ଧାଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା

    ଆନ୍ଦୋଳନକୁ ପୂରିଲା ଏକ ମାସ, ତଥାପି ପ୍ରଶାସନର ନିଦ ଭାଙ୍ଗୁନି, ଦିଲ୍ଲୀରେ କୁସ୍ତିଯୋଦ୍ଧାଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା

    ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଗିରଫ କରିବାକୁ ଦାବି କରି ମଙ୍ଗଳବାର ରେସଲର ମାନେ ଏକ ମହମବତୀ ପଦଯାତ୍ରା କରିଥିଲେ । ଏହି ମହମବତୀ ପଦଯାତ୍ରା ଜନ୍ତର ମନ୍ତ୍ରରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ କରାଯାଇଥିଲା । ଏହି ପଦଯାତ୍ରାରେ ଖାପ ପ୍ରତିନିଧି ମାନେ ମଧ୍ୟ ଭାଗ ନେଇଥିଲେ । କୁସ୍ତିଯୋଦ୍ଧା ମାନଙ୍କୁ ସମର୍ଥନ କରିବା ପାଇଁ ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ମଧ୍ୟ ଇଣ୍ଡିଆ ଗେଟରେ ପହଞ୍ଚିଥିଲେ ।

    ମହମବତୀ ପଦଯାତ୍ରାରେ କୃଷକ ନେତା ରାକେଶ ଟିକାୟତ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ରେସଲର ବଜରଙ୍ଗ ପୁନିଆ କହିଛନ୍ତି ଯେ, ଆମ ଭଉଣୀଙ୍କ ସମ୍ମାନ ଆମ ପାଇଁ ଜୀବନ ଠାରୁ ଅଧିକ । ଯେପର୍ଯ୍ୟନ୍ତ ଦେଶର ଝଅମାନେ ନ୍ୟାୟ ନପାଇଛନ୍ତି, ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ । ଅନେକ ଲୋକ ଏହି ଆନ୍ଦୋଳନକୁ ବଦନାମ କରିବାକୁ କାର୍ଯ୍ୟ କରୁଛନ୍ତି, ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହିପରି ଆମକୁ ସମର୍ଥନ କରନ୍ତୁ ।

    ସେ କହିଛନ୍ତି ଯେ, ଭାରତକୁ ଭଲ ପାଉଥିବା ସମସ୍ତ ଧର୍ମ ଏବଂ ଜାତିର ଲୋକମାନେ ସରକାରଙ୍କୁ ଏହି ପ୍ରଶ୍ନ ପଚାରିବା ଉଚିତ ଯେ, ଆମର ଚାମ୍ପିଅନ ମାନେ କାହିଁକି ଏକ ମାସ ହେଲାଣି ରାସ୍ତା ଉପରେ ବସିଛନ୍ତି । ସେମାନଙ୍କର ସ୍ଥାନ ରାସ୍ତା ନୁହେଁ ବରଂ ଅଭ୍ୟାସ ସ୍ଥାନ ହେବା ଦରକାର । ରେସଲର ସାକ୍ଷୀ ମଲିକ କହିଛନ୍ତି ଯେ, ଏହା ହେଉଛି ଦେଶର ଝିଅ ମାନଙ୍କର ଲଢେଇ ଯେଉଁଥିରେ ଆପଣ ସମସ୍ତଙ୍କୁ ଆମକୁ ସମର୍ଥନ କରିବାକୁ ପଡିବ । ଯାହା ଦ୍ବାରା ଆମେ ନ୍ୟାୟ ପାଇପାରିବା । ଜନ୍ତର ମନ୍ତରରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ହଜାର ହଜାର ଲୋକ ନ୍ୟାୟ ପାଇଁ ପଦଯାତ୍ରା ଆରମ୍ଭ କରିଥିଲେ । ଆଜି ଆମର ଏହି ଆନ୍ଦୋଳନକୁ ଏକ ମାସ ପୂରିଛି । କିନ୍ତୁ ଏପର୍ଯ୍ୟନ୍ତ ଆମକୁ କୌଣସି ନ୍ୟାୟ ମିଳିଲା ପରି ଲାଗୁନାହିଁ ।

  • ଧରିତ୍ରୀ ପୃଷ୍ଠକୁ ଜହ୍ନ ଆଣିବ ଦୁବାଇ

    ଧରିତ୍ରୀ ପୃଷ୍ଠକୁ ଜହ୍ନ ଆଣିବ ଦୁବାଇ

    ଏକବିଂଶ ଶତାବ୍ଦୀରେ ୨୦୨୧ ମସିହାଟି ବେଜିଂ ପାଇଁ ସବୁଠାରୁ ସଫଳ ବର୍ଷ ଭାବେ ପରିଗଣିତ ହୋଇଛି । ଏଥିସହିତ ଚୀନର ସ୍ପେସ୍ ପ୍ରୋଗ୍ରାମରେ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଚୀନ ବର୍ତ୍ତମାନ ଏକ କୃତ୍ରିମ ଚନ୍ଦ୍ର ନିର୍ମାଣ କରିଛି, ଯାହା ନୂତନ ଜ୍ଞାନକୌଶଳ ତଥା ଭବିଷ୍ୟତ ମିଶନର ପରୀକ୍ଷା ନିମନ୍ତେ ବୈଜ୍ଞାନିକଙ୍କ ପାଇଁ ଚନ୍ଦ୍ର ଅବସ୍ଥା ଏବଂ ପର୍ଯାବରଣକୁ ଅନୁକରଣ କରିବ ।

    ଆଉ ଏବେ ଚୀନ ରାସ୍ତାରେ ପାଦ ଦେଇଛି ଦୁବାଇ । ଦୁବାଇ ଏବେ ଧରିତ୍ରୀ ପୃଷ୍ଠକୁ ଚାନ୍ଦକୁ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛି । ଦୁବାଇ ଆଣୁଥିବା ଚାନ୍ଦ ଅସଲି ନୁହେଁ, ପରନ୍ତୁ କୃତ୍ରିମ ମୁନ୍ ରିସର୍ଟ ପ୍ରୋଜେକ୍ଟ । ଏହି ଚାନ୍ଦ କୃତ୍ରିମ ହୋଇଥିଲେ ସୁଦ୍ଧା ଏହାକୁ ତିଆରି କରୁଥିବା ବ୍ୟକ୍ତି କହିଛନ୍ତି ଏହା ଦେଖିବାକୁ ଅବିକଳ ଚାନ୍ଦ ପରି ହେବ । ଏହି ନୂଆ ଚାନ୍ଦ ତିଆରି କରିବାର ଦାୟିତ୍ବ କାନାଡାର ଆର୍କିଟେକ୍ଟ ଆଣ୍ଡ କମ୍ପାନୀକୁ ଦିଆଯାଇଛି । ପାଞ୍ଚ ଆରବ ଡଲାର ବ୍ୟୟରେ ଏହା ନିର୍ମାଣ ହେବାର ରହିଛି । ଯଦିଓ ଦୁବାଇର ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କ ପାଇଁ ଏହି ଟଙ୍କା କିଛି ନୁହେଁ । କାନାଡାରର ମାଇକେଲ ହେଣ୍ଡରସନ ମୋଟ ୯୦୦ ଫୁଟର ଚାନ୍ଦକୁ ସମ୍ପୂର୍ଣ୍ଣ ରୀପ ଦେବେ ।

    ସମସ୍ତ ଉନ୍ନତ ସୁବିଧା ସହିତ ଏହି ଚନ୍ଦ୍ର ଆକୃତିର ମେଗା-ରିସର୍ଟରେ ଏକ ନାଇଟ୍ କ୍ଲବ୍ ଏବଂ ରିସଲାକ୍ସ ସେଣ୍ଟର ମଧ୍ୟ ନିର୍ମାଣ କରାଯିବ । ପ୍ରତିବର୍ଷ ଲକ୍ଷ ଲକ୍ଷ ବିଦେଶୀ ଅତିଥିଙ୍କୁ ଆକର୍ଷିତ କରିବାରେ ଚନ୍ଦ୍ର ରିସର୍ଟ ସଫଳ ହେବ ବୋଲି ଆଶା କରାଯାଉଛି । ଏଥିପାଇଁ ରିସୋର୍ଟର ଅଟ୍ଟାଳିକାକୁ ଏକ ବଡ଼ ଆକାର ଦିଆଯିବ । ଏହି ରିସୋର୍ଟରେ ଅତିଥି ମାନେ ଅତାରଣ କରି ଚନ୍ଦ୍ରର ପରିକ୍ରମଣା କରିବା ସହ ସମସ୍ତ ଦୃଶ୍ୟକୁ ଉପଭୋଗ କରିପାରିବେ । ଚନ୍ଦ୍ର ଶଟଲ ରିସର୍ଟ ଚାରିପାଖରେ ଥିବା ଏକ ଟ୍ରାକରେ ଲୋକଙ୍କୁ ବୁଲାଇବାରେ ସକ୍ଷମ ହେବ । ଏହାର ଟ୍ରାକ୍ ରିସର୍ଟ ଗଠନର ମଧ୍ୟଭାଗରେ ଏକ ବୃତ୍ତାକାର ଆକାରରେ ତିଆରି ହେବ ।

    ୧୦୦ ଫୁଟ ଉଚ୍ଚ କୋଠା ଉପରେ ଚନ୍ଦ୍ର ରିସର୍ଟ ନିର୍ମାଣ କରାଯିବ । ଉଲ୍ଲେଖନୀୟ ବିଷୟ ହେଉଛି, ଦୁବାଇ ଦୁନିଆର ଉଚ୍ଚତମ କୋଠା ଏବଂ ଅନ୍ୟାନ୍ୟ ସୁନ୍ଦର ସ୍ଥାପତ୍ୟ ଆଉ ଚମତ୍କାରିତା ପାଇଁ ଜଣାଶୁଣା । ବୁର୍ଜ ଖଲିଫା ପରି ଉଚ୍ଚ ଅଟ୍ଟାଳିକା ବର୍ଷ ବର୍ଷ ଧରି ଲୋକଙ୍କୁ ଆକର୍ଷିତ କରିଆସୁଛି । ଏହି ପ୍ରକଳ୍ପ ସମାପ୍ତ ହେବା ପରେ, ଲୋକମାନେ ଏହି ଚନ୍ଦ୍ରରେ ବସି ନିଜର ଇଚ୍ଛା ପୂରଣ କରିବାକୁ ସକ୍ଷମ ହେବେ, ଯାହା ପୂର୍ବରୁ ପରିକଳ୍ପନାର ବାହାରେ ଥିଲା।

  • ମୋଦୀଙ୍କୁ ବସ କହିବାକୁ ପଛାଇଲେନି ଅଷ୍ଟ୍ରେଲୀୟ ପ୍ରତିପକ୍ଷ

    ମୋଦୀଙ୍କୁ ବସ କହିବାକୁ ପଛାଇଲେନି ଅଷ୍ଟ୍ରେଲୀୟ ପ୍ରତିପକ୍ଷ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ପ୍ରତି  ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି।  ପ୍ରଧାନ ମନ୍ତ୍ରୀଙ୍କ ଗସ୍ତ କାଳରେ ସେଠାରେ ଏକ ବିରାଟ ମଞ୍ଚର ଆୟୋଜନ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବାକୁ ୨୦ ହଜାର ଭାରତୀୟ ଏକତ୍ରିତ ହୋଇଛନ୍ତି। ଏହି ବିରାଟ କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭୂୟଶୀ ପ୍ରଶଂସା କରିଛନ୍ତି। ଏଥିସହ ମୋଦୀଙ୍କ ସ୍ୱାଗତକୁ ସେ ନିଜର ସୌଭାଗ୍ୟ ବୋଲି ଅବିହିତ କରିବାକୁ ପଛେଇ ନାହାନ୍ତି।

    ଆଲବାନେ ମୋଦୀଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ କହିଛନ୍ତି କି,  ପିଏମ ମୋଦୀ ହେଉଛନ୍ତି ଦି ବସ୍। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ଏକ ସୌ ଭାଗ୍ୟର ବିଷୟ। ଅଷ୍ଟ୍ରେଲିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରି ମୁଁ ବହୁତ ଖୁସି। ପ୍ରଧାନମନ୍ତ୍ରୀ ଭାବେ ଏହା ମୋର ପ୍ରଥମ ବର୍ଷ, ଯାହାକୁ ମୁଁ ଆଜି ପାଳନ କରୁଛି | ମୁଁ ମୋର ବନ୍ଧୁ ପ୍ରଧାନମନ୍ତ୍ରୀଙ୍କୁ ୬ ଥର ଭେଟିଛି, କିନ୍ତୁ ତାଙ୍କ ସହ ମଞ୍ଚରେ ଠିଆ ହେବାର ଅନୁଭୂତି ଠାରୁ ଆଉ କିଛି ଭଲ ନାହିଁ। ଏହି କାର୍ଯ୍ୟକ୍ରମରେ ଅନୁଭୂତ ଶକ୍ତି, ଉଷ୍ଣତା ଓ ସୌହାର୍ଦ୍ଦ୍ୟ ଅତୁଳନୀୟ ବୋଲି କହିବାକୁ ପଛେଇ ନାହାନ୍ତି ଆଲବାନେ।

    ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ଥର ମୁଁ ଏହି ମଞ୍ଚରେ ବ୍ରୁସ୍ ସ୍ପ୍ରିଙ୍ଗଷ୍ଟେନ୍ଙଙ୍କୁ ଦେଖିଥିଲି। କିନ୍ତୁ ଏପ୍ରକାରର ସ୍ୱାଗତ ସମ୍ବର୍ଦ୍ଧନା ନ ଥିଲା। ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ବସ୍। ମାର୍ଚ୍ଚରେ ତାଙ୍କ ଭାରତ ଗସ୍ତକୁ ମନେ ପକାଇ ସେ ଆଗକୁ କହିଥିଲେ କି, ଗତ ମାର୍ଚ୍ଚରେ  ମୁଁ ଭାରତରେ ଥିଲି।  ସେତେବେଳର ଅନୁଭୂତି ମଧ୍ୟ ଏକ ସ୍ମରଣୀୟ ମୁହୂର୍ତ୍ତରେ ପରିପୂର୍ଣ୍ଣ ଥିଲା।  ଗୁଜୁରାଟରେ ହୋଲି ପାଳନ କରିବା, ଦିଲ୍ଲୀର ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସବୁ କିଛି ଥିଲା ନିଆରା।  ଭାରତରେ ମୁଁ ଯେଉଁଆଡେ ଯାଇଥିଲି, ଅଷ୍ଟ୍ରେଲିଆ ଏବଂ ଭାରତବାସୀଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କ ଅନୁଭବ କଲି  । ଏଥିସହ, ଭାରତକୁ ବୁଝିବାକୁ ଚାହୁଁଥାନ୍ତି ତେବେ ସେଠାର ଟ୍ରେନ୍ ଏବଂ ବସ୍ ଯୋଗେ ଯାତ୍ରା କରିବାକୁ ଅଷ୍ଟ୍ରେଲିଆ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଆଲବାନେ।

    ସିଡନୀ ଅଲିମ୍ପିକ୍ ପାର୍କ ଷ୍ଟାଡିୟମରେ ପିଏମ ମୋଦୀଙ୍କୁ ସ୍ୱାଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ମୋଦୀ ମୋଦୀର ନାରାରେ ପ୍ରକମ୍ପିତ ହୋଇଥିଲା ସାରା ଅଞ୍ଚଳ।  ସିଡନୀରେ ଭାରତୀୟ ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍ “ଲିଟିଲ୍ ଇଣ୍ଡିଆ” ଗେଟୱେର ମୂଳଦୁଆ ପକାଇଛନ୍ତି। ମୋଦୀ ଷ୍ଟାଡିୟମକୁ ପ୍ରବେଶ କରିବା ମାତ୍ରେ ସେଠାରେ ଉପସ୍ଥିତ ଲୋକମାନେ ଠିଆ ହୋଇ ତାଙ୍କୁ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମ ଆଷ୍ଟ୍ରେଲିଆରେ ମୋଦୀଙ୍କ ପ୍ରତି ଥିବା ଭଲପାଇବା ଓ ଲୋକପ୍ରିୟତାକୁ ଦର୍ଶାଇଥିଲା।

  • ରାସ୍ତାରେ ଚାର୍ଜ ହେବ ଗାଡି, ରାସ୍ତାରେ ଲାଗିଲା ହାଇ ଟେକ୍ନୋଲୋଜି

    ରାସ୍ତାରେ ଚାର୍ଜ ହେବ ଗାଡି, ରାସ୍ତାରେ ଲାଗିଲା ହାଇ ଟେକ୍ନୋଲୋଜି

    ବ୍ୟାଟେରୀ ଗାଡି ଚାଳକଙ୍କ ଟେନସନ ହେବ ଦୂର । ଏଣିକି ଆଉ ଗାଡିର ବ୍ୟାଟେରୀକୁ ଚାର୍ଚ୍ଚ କରିବାକୁ ପଡିବନି । ଗାଡି ଗଡିଲେ ଆପେଆପେ ଚାର୍ଜ ହୋଇଯିବ ବ୍ୟାଟେରୀ । ଆଉ କେଉଁଠାରେ ଘଣ୍ଟା ଘଣ୍ଟା ଠିଆ ହୋଇ ଗାଡି କରିବାକୁ ପଡିବନି ଚାର୍ଜ । ଆଉ ଏହା ମଧ୍ୟ ଅତ୍ୟନ୍ତ ସୁଲଭ ହେବ ।

    ଏହା ହେଉଛି ଦୁନିଆର ପ୍ରଥମ ବୈଦ୍ୟୁତିକ ରାସ୍ତା, ଯେଉଁଥିରେ ଚାଲୁଥିବା କାର ଏବଂ ଟ୍ରକର ବ୍ୟାଟେରୀକୁ ରିଚାର୍ଜ କରିପାରେ । ଏହି ରାସ୍ତା ସ୍ୱିଡେନରେ ନିର୍ମାଣ ହୋଇଛି ।

    ପ୍ରାୟ ୨ କିଲୋମିଟରର ଇଲେକ୍ଟ୍ରିକ ଲାଇନ୍ ଷ୍ଟକହୋମ ନିକଟ ଏକ ସର୍ବସାଧାରଣ ରାସ୍ତାରେ ତିଆରି କରାଯାଇଛି । କିନ୍ତୁ ସରକାରଙ୍କ ସଡକ ଏଜେନ୍ସି ଭବିଷ୍ୟତରେ ଏହାକୁ ସମ୍ପ୍ରସାରଣ ପାଇଁ ଏକ ରୋଡ ମ୍ୟାପ କରିଛି । ସ୍ବିଡେନ ସରକାର ପରିବହନ କ୍ଷେତ୍ରରେ ୨୦୩୦ ସୁଦ୍ଧା ଜୀବାଶ୍ମ ଇନ୍ଧନରୁ ୭୦ ପ୍ରତିଶତ ମୁକ୍ତି ପାଇବାର ଲକ୍ଷ୍ୟ ରଖିଛି ।

    ରାସ୍ତାରେ ଦୁଇଟି ଟ୍ରାକ କରାଯାଇଛି, ସେହିବାଟେ ଯାନବାହାନ ଚଳାଚଳ କଲେ, ଯାନର ତଳ ଭାଗରେ ଲାଗିଥିବା ଉପକରଣ ଦ୍ବାରା ଶକ୍ତି ସଂଚରିତ ହୋଇଥାଏ । ଟ୍ରାକରେ ଗାଡି ଯିବା ବେଳେ ଯଦି କେହି ତାକୁ ଅତିକ୍ରମ କରିବାକୁ ଚେଷ୍ଟା କରେ ତେବେ ଯାନରେ ଲାଗିଥିବା ଉପକରଣ ଇଲେକ୍ଚ୍ରିକ ଲାଇନରୁ ବିଚ୍ଛିନ୍ନ ହୋଇଯିବ ।

  • କର୍ଣ୍ଣାଟକ ବାଚସ୍ପତି ପାଇଁ ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ୟୁଟି ଖାଦର

    କର୍ଣ୍ଣାଟକ ବାଚସ୍ପତି ପାଇଁ ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ୟୁଟି ଖାଦର

    ପୂର୍ବତନ ମନ୍ତ୍ରୀ ତଥା ପାଞ୍ଚ ଥର ବିଧାୟକ ୟୁଟି ଖାଦର ମଙ୍ଗଳବାର ଦିନ କର୍ଣ୍ଣାଟକ ବିଧାନସଭା ବାଚସ୍ପତି ପଦ ପାଇଁ କଂଗ୍ରେସ ପ୍ରାର୍ଥୀ ଭାବରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ମେଙ୍ଗଲୁରୁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଖାଦର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର, ମନ୍ତ୍ରୀ ବିଜେଡ ଜମିର ଅହମ୍ମଦ ଖାନ ଏବଂ ଅନ୍ୟ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ବିଧାନସଭା ସଚିବଙ୍କ କାର୍ଯ୍ୟାଳୟରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

    ବୁଧବାର ବିଧାନସଭାର ବାଚସ୍ପତିଙ୍କ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଖାଦରଙ୍କୁ ଅଭିନନ୍ଦନ ଜଣାଇ କଂଗ୍ରେସର କର୍ଣ୍ଣାଟକ ଦାୟିତ୍ୱରେ ଥିବା ରଣଦୀପ ସିଂ ସୁରଜେୱାଲା ଟୁଇଟ୍ କରି କହିଛନ୍ତି ଯେ, କର୍ଣ୍ଣାଟକ ବିଧାନସଭା ବାଚସ୍ପତି ପଦ ପାଇଁ ଏକମାତ୍ର ନାମାଙ୍କନ ଦାଖଲ କରିଥିବାରୁ ଆମର ଯୁବ ତଥା ପ୍ରଖର ନେତା ୟୁଟି ଖାଦରଙ୍କୁ ଅଭିନନ୍ଦନ । ସେ କେବଳ ବିଧାନସଭାର ସର୍ବ କନିଷ୍ଠ ବକ୍ତା ହେବେ ନାହିଁ ବରଂ ଦକ୍ଷିଣ କନ୍ନଡ଼ରୁ ପ୍ରଥମ ବକ୍ତା ମଧ୍ୟ ହେବେ । ଆଇନ୍ ବିଷୟରେ ତାଙ୍କର ପ୍ରଗାଢ ଜ୍ଞାନ, ଲମ୍ବା ଅଭିଜ୍ଞତା ଏବଂ କୌଶଳର ସହିତ ମୁକାବିଲା କରିବାର କ୍ଷମତା କର୍ଣ୍ଣାଟକର ବିଧାନ ସୌଧକୁ ସମୃଦ୍ଧ କରିବା ପାଇଁ ଲମ୍ବା ରାସ୍ତା ପ୍ରସ୍ତୁତ କରିବ ।

  • କର୍ଣ୍ଣାଟକ ସରକାରକୁ ଜାମିଆତ୍ ଉଲେମା-ଏ-ହିନ୍ଦର ଚେତାବନୀ

    କର୍ଣ୍ଣାଟକ ସରକାରକୁ ଜାମିଆତ୍ ଉଲେମା-ଏ-ହିନ୍ଦର ଚେତାବନୀ

    ମୁସଲମାନମାନଙ୍କର ସର୍ବବୃହତ ଧାର୍ମିକ ସଂଗଠନ ଜାମିଆତ୍ ଉଲେମା-ଏ-ହିନ୍ଦର  କର୍ଣ୍ଣାଟକରେ ସରକାର ଗଢିଥିବା  କଂଗ୍ରେସକୁ ଚେତାବନୀ। ସଂଗଠନର ମୁଖ୍ୟ ମୌଲାନା ଅର୍ଶଦ ମଦାନୀ  ବଜରଙ୍ଗ ଦଳ ପ୍ରସଙ୍ଗରେ କଂଗ୍ରେସକୁ ତାର ପ୍ରତିଶ୍ରୁତି ମନେ ପକାଇ ଦେଇଛନ୍ତି। ଏକ ଚ୍ୟାନେଲକୁ ସାକ୍ଷାତକାର ଦେଇ ମୌଲାନା କହିଛନ୍ତି କି, କର୍ଣ୍ଣାଟକରେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବାକୁ କଂଗ୍ରେସ ପ୍ରତିଶୃତି ଦେଇ ମୁସଲମାନଙ୍କ ସମର୍ଥନ ପାଇଛି। ଏବେ କଂଗ୍ରେସକୁ ତାର ପ୍ରତିଶ୍ରୁତି ପାଳନ କରିବାକୁ ହେବ। ନଚେତ୍ ଆଗାମୀ ନିର୍ବାଚନରେ ​​ କଂଗ୍ରେସ ମୁସଲମାନଙ୍କ  ବିଶ୍ୱାସ ହରାଇବସିବ।

    ମୌଲାନା ମଦାନୀ କହିଛନ୍ତି କି,  କର୍ଣ୍ଣାଟକରେ ବଜରଙ୍ଗ ଦଳକୁ କଂଗ୍ରେସ ନିଷିଦ୍ଧ କରିବା ଉଚିତ।  କାରଣ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା କି ଦଳ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ନିଷିଦ୍ଧ କରିଦେବ।  ସେଥିପାଇଁ ମୁସଲମାନମାନେ କର୍ଣ୍ଣାଟକରେ କଂଗ୍ରେସକୁ ଭୋଟ୍ ଦେଇଛନ୍ତି। ଯଦି ବଜରଙ୍ଗ ଦଳକୁ ବ୍ୟାନ କରା ନ ଯାଏ, ତେବେ ମୁସଲମାନମାନେ କଂଗ୍ରେସକୁ ଆଉ ବିଶ୍ୱାସକୁ ନେଇ ପାରିବେ ନାହିଁ।

    ଖାଲି ସେତିକି ନୁହେଁ, ଏହି ପ୍ରସଙ୍ଗରେ ମୌଲାନା ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିବା ମଧ୍ୟ ସାକ୍ଷାତକାରରେ କହିଛନ୍ତି।  ଏଥିସହ ସେ କଂଗ୍ରେସକୁ  ପୁନର୍ବାର ନେହେରୁଙ୍କ ଦଳ ହେବାକୁ ଆହ୍ୱାନ ଦେଇଛନ୍ତି। ଆଗକୁ ସେ କହିଛନ୍ତି କି, କର୍ଣ୍ଣାଟକ ଫଳାଫଳ ସାମ୍ପ୍ରଦାୟିକ ଶକ୍ତି ପାଇଁ ଶିକ୍ଷା ଅଟେ। କଂଗ୍ରେସର  ନିର୍ବାଚନୀ ଇସ୍ତାହାରରେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବାକୁ  ପ୍ରତିଶ୍ରୁତିକୁ ମୁସଲମାନ ପଣ୍ଡିତ ସମର୍ଥନ କରିଛନ୍ତି। ଯାହାର ଫଳ ସ୍ୱରୂପ କଂଗ୍ରେସ ବିଜୟ ଲାଭ କରିଛି। ଏହି ପଦକ୍ଷେପ ୭୦ ବର୍ଷ ପୂର୍ବେ ଆଦର୍ଶ ଭାବରେ ନିଆଯାଇଥିଲା।

    ଆପଣଙ୍କୁ କହିରଖୁଛୁ ଯେ କର୍ଣ୍ଣାଟକରେ ଭାରତୀୟ ଜନତା ପାର୍ଟି (ବିଜେପି) କୁ କ୍ଷମତାରୁ ହଟାଇ କଂଗ୍ରେସ ରାଜ୍ୟରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଦଳ ଏହାର ନିର୍ବାଚନୀ ଇସ୍ତାହାରରେ କହିଥିଲା କି, ସାମ୍ପ୍ରଦାୟିକ ସୌ ହାର୍ଦ୍ଦ୍ୟକୁ ନଷ୍ଟ କରୁଥିବା ବଜରଙ୍ଗ ଦଳ ଏବଂ ପିଏଫଆଇ (ପିପୁଲ୍ସ ଫ୍ରଣ୍ଟ ଅଫ୍ ଇଣ୍ଡିଆ) ଭଳି ସଂଗଠନ ବିରୋଧରେ ଦଳ କ୍ଷମତାକୁ ଆସିଲେ ପ୍ରଥମ ପଦକ୍ଷେପ ଭାବେ ଉଭୟ ଦଳକୁ ବ୍ୟାନ କରିବାକୁ ପଛଘୁଞ୍ଚା ଦେବ ନାହିଁ।

  • ଅଳଙ୍କାର ବଜାରକୁ ବେଲଗାମ କରୁଛି ୨୦୦୦ ନୋଟ!

    ଅଳଙ୍କାର ବଜାରକୁ ବେଲଗାମ କରୁଛି ୨୦୦୦ ନୋଟ!

    ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇର ୨୦୦୦ ଟଙ୍କା ପ୍ରତ୍ୟାହାର ନିଷ୍ପତ୍ତି ପରେ ଅଳଙ୍କାର ବଜାରରେ ନିଆଁ ଲାଗିଯାଇଛି। ଦେଶର ସୁନା, ରୁପା କିଣା ସମ୍ୱନ୍ଧିତ ଇନକ୍ୱାରୀ ବଢିଯାଇଛି। ଅଳଙ୍କାର କାରବାର ସଂସ୍ଥା ଅଲ ଇଣ୍ଡିଆ ଜେମ୍ସ ଆଣ୍ଡ ଜୁଏଲାରୀ ଡୋମେଷ୍ଟିକ କାଉନସିଲ ବା ଜେଜେସି କହିଛି କି, ୨୦୧୬ର ନୋଟବନ୍ଦୀ ସମୟରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଥିଲା, ତାର ବିପରିତ ରହିଛି ସାମ୍ପ୍ରତିକ ସ୍ଥିତି। ବର୍ତ୍ତମାନ ଲୋକଙ୍କ ଭିତରେ ସେହି ଆତଙ୍କର ସ୍ଥିତି ନାହିଁ।

    ଅନ୍ୟ ପଟରେ କିଛି ଅଳଙ୍କାର ନିର୍ମାତା ସୁନା  କିଣିବା ଉପରେ ୫-୧୦ ପ୍ରତିଶତ ପ୍ରିମିୟମ ନେବା ଆରମ୍ଭ କରିଦେଇଛନ୍ତି। ଫଳରେ ଏହି ହଳଦିଆ ଧାତୁର ଦର ୧୦ ଗ୍ରାମ ପ୍ରତି ୬୬ହଜାର  ହୋଇଯାଇଛି। ବର୍ତ୍ତମାନ ଦେଶରେ ୧୦ ଗ୍ରାମ ସୁନା ଦର ୬୦,୨୦୦ ଟଙ୍କା ରହଛି। ତେବେ ଲୋକଙ୍କ ଉତ୍ସୁକତାକୁ ଦେଖି ସୁନା ଦର ବୃଦ୍ଧି ପାଇବା ସମ୍ଭାବନା ଦେଖାଦେଇଛି। ତେବେ ଏହା ସ୍ୱଳ୍ପ ଦିନ ପାଇଁ ରହିବ ବୋଲି ଜେଜେସି ଅଧ୍ୟକ୍ଷ ସଞ୍ଜମ ମେହରା କହିଛନ୍ତି।

    ୨୦୦୦ ନୋଟ ବଦଳରେ ସୁନା କିଣିବାକୁ ନେଇ ଲୋକଙ୍କ ଯାଞ୍ଚ ବୃଦ୍ଧିପାଇଥିଲା ବେଳେ ଶନିବାର ଏହା ରେକର୍ଡ ସୃଷ୍ଟି କରିଛି। ଦୋକାନରେ ଗ୍ରାହକଙ୍କ ଭିଡ ଅଧିକ ରହିଛି, କିନ୍ତୁ କଠୋର କେୱାଇସି ନିୟମ ପାଇଁ ବାସ୍ତବ କ୍ରୟ ହ୍ରାସ ପାଇଛି।  ସୁନାର ଚାହିଦା ବୃଦ୍ଧି ସହ ଦର ବୃଦ୍ଧିର ଖବର  ଆସୁଛି ବୋଲି ମେହରା କହିଛନ୍ତି। ମୁମ୍ବାଇ ବଜାରରେ ସୁନା ଦାମ ଜିଏସଟି ସମେତ ପ୍ରାୟ ୬୩,୮୦୦ ଟଙ୍କା ପ୍ରତି ୧୦ ଗ୍ରାମ ଥିବା ବେଳେ ୨୦୦୦ ଟଙ୍କିଆ ନୋଟରେ କିଣିବା କ୍ଷତ୍ରରେ ୬୭,୦୦୦ ଟଙ୍କା ୧୦ ଗ୍ରାମ ପାଇଁ ଆଦାୟ ହେଉଛି।

    ସେହିପରି ସୁରତରେ ସୁନା ଅଳଙ୍କାର ବ୍ୟବସାୟୀ ୨୦୦୦ ଟଙ୍କା ପଇଠ କରିବାକୁ ଥିଲେ ୧୦ ପ୍ରତିଶତ ପ୍ରିମିୟମ ଆଦାୟ କରୁଛନ୍ତି। ଦିଲ୍ଲୀରେ ମଧ୍ୟ ବହୁ ଅଳଙ୍କାର ବ୍ୟବସାୟୀଠାରୁ ଏହି ଶ୍ରେଣୀର ନୋଟ ବଦଳରେ ବିପୁଳ ଅଳଙ୍କାର କିଣା ହେଉଥିବାର ଖବର ରହିଛି। ଇଣ୍ଡିଆନ ବୁଲିୟନ ଆଣ୍ଡ ଜୁଏଲାରୀ ଆସୋସିଏସନ ମୁତାବକ ବର୍ତ୍ତମାନ ୨୪ କ୍ୟାରେଟ ସୁନା ଦାମ ୬୦,୨୪୮ ଟଙ୍କା ରହିଛି, ଯେତେବେଳେ କି ୨୨ କ୍ୟାରେଟ ସୁନାର ଦାମ ୫୮,୮୩୦ ଟଙ୍କା ରହିଛି। ଏଥିରେ ତିନି ପ୍ରତିଶତ ଜିଏସଟି ଓ ମେକିଂ ଚାର୍ଜ ସାମିଲ ନାହିଁ।

    ମେ ୧୯ ରେ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୨୦୦୦ ଟଙ୍କା ନୋଟ୍ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା। ତେବେ ୨୦୦୦ ଟଙ୍କା ଆକାଉଣ୍ଟରେ ଜମା କରିବାକୁ  କିମ୍ବା ବଦଳାଇବାକୁ  ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ତେଣୁ ଲୋକଙ୍କୁ ବ୍ୟତିବ୍ୟସ୍ତ  ନହୋଇ ୪୦ ଦିନ  ଭିତରେ ନିକଟରେ ଥିବାରୁ ସାମଗ୍ରୀ ଏବଂ ସେବା ଟିକସ ଏବଂ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡର ହଲମାର୍କ ଥିବା ଗହଣା ଉତ୍ପାଦନକାରୀଙ୍କୁ ସଂଗଠିତ ହେବାକୁ ତଥା ଆନୁଷ୍ଠାନିକ ବ୍ୟବସାୟ କରିବାକୁ ଉତ୍ସାହିତ କରିଛନ୍ତି ଜେଜେସି ଅଧ୍ୟକ୍ଷ।

  • ଗୁଏନା: ସ୍କୁଲ ଡର୍ମିଟୋରୀରେ ଅଗ୍ନିକାଣ୍ଡ, ୧୯ ଜୀବନ୍ତ ଦଗ୍ଧ

    ଗୁଏନା: ସ୍କୁଲ ଡର୍ମିଟୋରୀରେ ଅଗ୍ନିକାଣ୍ଡ, ୧୯ ଜୀବନ୍ତ ଦଗ୍ଧ

    ଦକ୍ଷିଣ ଆମେରିକାର ଛୋଟ ଦେଶ ଗୁଏନାର ଏକ ସ୍କୁଲ ଡର୍ମିଟୋରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ଯୋଗୁଁ ୧୯ ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଗୁଏନା ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

    ରବିବାର କେନ୍ଦ୍ରୀୟ ଗୁଏନାର ମେହଦିଆ ସେକେଣ୍ଡାରୀ ସ୍କୁଲରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଘଟଣାରେ ୧୯ ଜଣ ଜୀବନ୍ତ ଦଗ୍ଧ ଦଗ୍ଧ ହୋଇଛନ୍ତି । ବହୁ ଛାତ୍ରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ୯ ଜଣ ଗୁରୁତର ଥିବା ସୂଚନା ମିଳିଛି । ଆହତମାନଙ୍କୁ ଦୁଇଟି ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଘରୋଇ ଓ ଜର୍ଜଟାଉନ ନିକଟବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ କିଛି ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

    ରବିବାର ମେହଦିଆ ସେକେଣ୍ଡାରୀ ସ୍କୁଲରେ ଅଗ୍ନିକାଣ୍ଡ ଘଟିଥିଲା । ଗେଟ୍ ତାଲା ଏବଂ ଡୋର ପଡ଼ିଥିବାରୁ ପିଲାମାନେ ବାହାରି ନପାରି ଜୀବନ୍ତ ଦଗ୍ଧ ହୋଇଥିଲେ । ଉକ୍ତ ଅଞ୍ଚଳରେ ଏବେ ପ୍ରବଳ ବର୍ଷା ବି ହୋଇଛି ।

    ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବିରୋଧୀ ଦଳ ଦାବି କରିଛନ୍ତି । ସେପଟେ, ଏହାର ପ୍ରତିବାଦରେ କିଛି ସ୍ଥାନରେ ବିକ୍ଷୋଭ କରିଛନ୍ତି ଅଭିଭାବକ ଏବଂ ସମ୍ପର୍କୀୟମାନେ । ପିଲାଙ୍କ ସୁରକ୍ଷା, ନିରାପତ୍ତା ନେଇ ଅବ୍ୟବସ୍ଥାକୁ ସେମାନେ ଦାୟୀ କରିଛନ୍ତି । ତୁରନ୍ତ ତଦନ୍ତ ସହ ପଦକ୍ଷେପ ନେବାକୁ ବିକ୍ଷୋଭକାରୀ ଦାବି କରିଛନ୍ତି ।

    ଗୁଏନା ହେଉଛି ଏକ ଛୋଟ ରାଷ୍ଟ୍ର । ଏଠାରେ ପ୍ରାୟ ୮ ଲକ୍ଷ ଲୋକ ବାସ କରନ୍ତି । ଏହା ଇଂରାଜୀ ଭାଷୀ ଦେଶ । ପୂର୍ବରୁ ଏଠାରେ ଓଲନ୍ଦାଜ ଓ ବ୍ରିଟିସମାନେ ଉପନିବେଶ ସ୍ଥାପନ କରିଥିଲେ । ଗୁଏନାରେ ବହୁତ ତେଲଖଣି ରହିଛି । ଏହା ଦୁଃଖଦ ଘଟଣା, ବଡ଼ ବିପର୍ଯ୍ୟୟ ବୋଲି ଗୁଏନା ରାଷ୍ଟ୍ରପତି ଇରଫାନ ଅଲି କହିଛନ୍ତି ।

  • କର୍ଣ୍ଣାଟକ ବିଧାନସଭା ଶୁଦ୍ଧିକରଣ କଲା କଂଗ୍ରେସ

    କର୍ଣ୍ଣାଟକ ବିଧାନସଭା ଶୁଦ୍ଧିକରଣ କଲା କଂଗ୍ରେସ

    କର୍ଣ୍ଣାଟକ କଂଗ୍ରେସର କାର୍ଯ୍ୟକୁ ନେଇ ଜୋରଦାର ଚର୍ଚ୍ଚା ସାରା ଦେଶରେ।  ଯୋଗୀଙ୍କ ବାଟରେ ସିଦ୍ଧରମେୟା। ବିଧାନସଭା ଭିତରକୁ ପ୍ରବେଶ କରିବା ଆଗରୁ ବିଧାନସଭାକୁ ରାଜ୍ୟ କଂଗ୍ରେସ କରି ଶୁଦ୍ଧ। ଯେମିତି ଯୋଗୀ ଆଦିତ୍ୟନାଥ ତାଙ୍କ ବିଧାନସଭାକୁ ଗଙ୍ଗା ଜଳରେ ଶୁଦ୍ଧ କରିଥିଲେ। କିନ୍ତୁ ଆଜି କର୍ଣ୍ଣାଟକ କଂଗ୍ରେସ କର୍ମୀମାନେ ଗୋମୂତ୍ର ସିଞ୍ଚନ କରି ରାଜ୍ୟ ବିଧାନସୌଧ ପରିସର ଶୁଦ୍ଧିକରଣ କରିଛନ୍ତି। ଏହି ବିଧାନସଭା ଶୁଦ୍ଧିକରଣର ଖବର ଓ ଭିଡିଓ ଏଏନ୍ଆଇ ଦେଇଛି। ରିପୋର୍ଟ ସହିତ ‘ଏଏନ୍‌ଆଇ’ ଏହି ଦୃଶ୍ୟର ଏକ ଭିଡିଓ ମଧ୍ୟ ସେୟାର୍‌ କରିଛି।

    ରାଜ୍ୟରେ କଂଗ୍ରେସ ସରକାର ଗଠନ କରିଛି। ସୋମବାର ଠାରୁ  କର୍ଣ୍ଣାଟକ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟ କଂଗ୍ରେସ ବିଧାନସଭା ଭିତରକୁ ପ୍ରବେଶ କରିବା ପୂର୍ବରୁ ରିଷ୍ଠ ଖଣ୍ଡନ କରିବାକୁ ବୋଧେ ଗୋମୂତ୍ରରେ ଶୁଦ୍ଧିକରଣ କରିଥିଲା ଓ ଏହା ପରେ ଭିତରକୁ ପ୍ରବେଶ କରିଥିଲା। କର୍ଣ୍ଣାଟକର ପ୍ରଥମ  ଅଧିବେଶନ ଆଜିଠାରୁ ଆରମ୍ଭ ହୋଇ ମେ ୨୪ ପର୍ଯ୍ୟନ୍ତ ଅର୍ଥାତ୍ ମାତ୍ର ୩ ଦିନ ପାଇଁ ଚାଲିବ।  ବରିଷ୍ଠ କଂଗ୍ରେସ ନେତା ଆର୍‌. ଭି. ଦେଶପାଣ୍ଡେ ଏହି ଅଧିବେଶନର କାମଚଳା ବାଚସ୍ପତି ହେବେ।

    ଏହି ଅଧିବେଶନରେ ସମସ୍ତ ୨୨୪ ନବନିର୍ବାଚିତ ବିଧାୟକଙ୍କ ଶପଥପାଠ କାର୍ଯ୍ୟକ୍ରମ ରହିଛି। ଆଜି ଆରଭି ଦେଶପାଣ୍ଡେ ବିଧାୟକମାନଙ୍କୁ ଶପଥପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଧ ରମେୟା, ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର, ମନ୍ତ୍ରୀଙ୍କ ମଧ୍ୟରେ ଜି ରାମେଶ୍ବର, କେ ଏଚ ମୁନ୍ନିୟାପ୍ପା, ଏମ ବି ପାଟିଲ, କେ ଜେ ଜର୍ଜ, ସତିଶ ଜାରକିହୋଲି, ପ୍ରିୟଙ୍କା ଖର୍ଗେ ପ୍ରଥମ ପର୍ଯ୍ୟାୟରେ ଶପଥପାଠ କରିଛନ୍ତି।

    ଉଲ୍ଲେଖଯୋଗ୍ୟ, ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା କର୍ଣ୍ଣାଟକ କଂ‌ଗ୍ରେସ ସଭାପତି ଡି. କେ. ଶିବକୁମାର ଚଳିତ ବର୍ଷ ଜାନୁଆରି ମାସରେ କହିଥିଲେ ଯେ, ଗୋମୂତ୍ରରେ ବିଧାନସୌଧ ଶୁଦ୍ଧ କରିବାର ସମୟ ଉପସ୍ଥିତ ହୋଇଛି। ବିଧାନସୌଧକୁ ପବିତ୍ର କରିବା ଲାଗି ଆମେ କେତେକ ବିସ୍ତୃତ ବିବରଣୀ ନେଇ ଆସିବୁ। ପବିତ୍ରୀକରଣ ଲାଗି ମୋ ପାଖରେ ବି କିଛି ଗଙ୍ଗାଜଳ ଅଛି। ‘ବିଜେପି’ ଶାସନ କାଳର ଦୁର୍ନୀତି ଯୋଗୁଁ ବିଧାନସଭା ଦୂଷିତ ହୋଇଯାଇଛି ବୋଲି ଶିବକୁମାର ଅଭିଯୋଗ କରିଥିଲେ।

    ଅଧିବେଶନ ଆରମ୍ଭରେ ଦେଶପାଣ୍ଡେ କହିଛନ୍ତି, “ଆମେ ସମସ୍ତେ ନିର୍ବାଚିତ ହୋଇ କର୍ଣ୍ଣାଟକର ଲୋକଙ୍କ ଆଶୀର୍ବାଦ ନେଇ ଏଠାକୁ ଆସିଛୁ। କିଛି ବରିଷ୍ଠ ନେତା ଅଛନ୍ତି ଏବଂ ମୁଁ ମଧ୍ୟ କିଛି ନୂଆ ଚେହେରା ଦେଖିପାରୁଛି। ରାଜ୍ୟର ସର୍ବାଙ୍ଗିନ ବିକାଶ ପାଇଁ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡିବ।  ରାଜନୈତିକ  ମତଭେଦ ସତ୍ତ୍ୱେ, ରାଜ୍ୟର ବିକାଶ ଏବଂ ପ୍ରଗତି ପାଇଁ, ଆମ ସମସ୍ତଙ୍କୁ ମିଳିତ ଭାବେ କାମ କରିବାକୁ ପଡ଼ିବ, ଏକ କନ୍ନଡ ରାଜ୍ୟ, ଯାହାକି ସମୃଦ୍ଧ, ଏବଂ ସମସ୍ତ ବର୍ଗର ଲୋକମାନେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନଯାପନ କରୁଛନ୍ତି ବୋଲି ସେ କହିଛନ୍ତି।

    ଶନିବାର ଦିନ ସିଦ୍ଧରମେୟା ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ଡି ଶିବକୁମାର ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହା ବ୍ୟତୀତ ଆଉ ୮ ଜଣଙ୍କ ଶପଥପାଠ ହୋଇଥିଲା।

  • ଜିରୋ ଟ୍ରାଫିକ ନିୟମକୁ ପ୍ରତ୍ୟାଖ୍ୟାନ କଲେ ସିଦ୍ଧରମେୟା

    ଜିରୋ ଟ୍ରାଫିକ ନିୟମକୁ ପ୍ରତ୍ୟାଖ୍ୟାନ କଲେ ସିଦ୍ଧରମେୟା

    ସାଧାରଣତଃ କୌଣସି ବିଶିଷ୍ଠ ବ୍ୟକ୍ତି, ରାଜନେତାଙ୍କୁ ଉପହାର ଦେବାର ଆମର ଚଳଣି ରହିଛି। ଏହି ଉପହାରରେ କିଏ ଫୁଲ ତୋଡା ଦେଇଥାନ୍ତି ତ ପୁଣି କିଏ ଦେଇଥାନ୍ତି ସାଲ, ଅବା କୌଣସି ଦାମୀ ଜିନିଷ। କିନ୍ତୁ ଏମିତି ଉପହାରକୁ ମନା କରିଦେଇଛନ୍ତି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବା ସିଦ୍ଧରମେୟା। ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ହେବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ଓ ନିଜ ନିଷ୍ପତ୍ତି ସମ୍ପର୍କରେ ଟୁଇଟ କରି ସମସ୍ତଙ୍କୁ ଜଣାଇଦେଇଛନ୍ତି।

    ସିଦ୍ଧରମେୟା ଟୁଇଟରେ ଉଲ୍ଳେଖ କରିଛନ୍ତି କି, ସମ୍ମାନ ଜଣାଇବାକୁ ଲୋକଙ୍କ ଦ୍ୱାରା ଦିଆଯାଉଥିବା ଫୁଳ ଓ ସାଲ ଆଉ ଗ୍ରହଣ କରିବି ନାହିଁ।  ଲୋକେ ଶ୍ରଦ୍ଧା ଓ ସମ୍ମାନ ଜଣାଇବାକୁ ଚାହୁଁଥିଲେ ମୋତେ ଫୁଳ ତୋଡା ଓ ସାଲ ବଦଳରେ ପୁସ୍ତକ ଉପହାର ଦିଅନ୍ତୁ। ଆପଣଙ୍କ ସ୍ନେହ ସମ୍ମାନ ମୋ ପ୍ରତି ରହିଥାଉ, କିନ୍ତୁ ଏସବୁ ଜିନିଷ ନେବି ନାହିଁ। ଏହା ବ୍ୟକ୍ତି ବିଶେଷ ଓ ସାଧାରଣ କାର୍ଯ୍ୟକ୍ରମ ପାଇଁ ଲାଗୁ ହେଉଛି।  ଖାଲି ଏତିକି ନୁହେଁ, ସେ ଆଉ ଏକ ବଡ ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ତାଙ୍କ ଯାତ୍ରା ପାଇଁ ସାଧାରଣ ଜନତା ଯେମିତି ଅସୁବିଧାରେ ନ ପଡିବେ ସେ ନେଇ ସେ ବେଙ୍ଗାଲୁରୁ ପୋଲିସକୁ ଏକ ନିର୍ଦ୍ଦେଶ ଦେଇଛନ୍ତି।

    ଟୁଇଟ କରି ସିଦ୍ଧରମେୟା କହିଛନ୍ତି, ତାଙ୍କ ପାଇଁ ଥିବା ଜିରୋ ଟ୍ରାଫିକ ନିୟମ ସେ ପ୍ରତ୍ୟାହାର କରି ନେଇଛନ୍ତି। ଏନେଇ ସେ ବେଙ୍ଗାଲୁରୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। କାରଣ ସେ ଚାହଁନ୍ତି ନି କି ତାଙ୍କ ପାଇଁ ସାଧାରଣ ଜନତା ଅସୁବିଧାରେ ପଡନ୍ତୁ, ସେମାନଙ୍କର ଯାତାୟାତା ବାଧାପ୍ରାପ୍ତ ହେଉ।  ସିଦ୍ଧରମେୟାଙ୍କା ଏହି ଦୁଇଟି ନିଷ୍ପତ୍ତି ନିଶ୍ଚିତ ପକ୍ଷେ ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ। ତେବେ ଏହାକୁ କେବଳ ଲୋକଙ୍କ ନିକଟରେ ନିଜ ମହାନତା ଦେଖାଇବା ଭିତରେ ସୀମିତ ନ ରଖି ଆଗକୁ ନେଲେ ନିଶ୍ଚିତ ରୂପେ ଅନେକଙ୍କ ପାଇଁ ଉଦାହରଣ ହେବ।

    ସୂଚନାଯୋଗ୍ୟ, ଦ୍ବିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ମେ ୨୦ ତାରିଖରେ ଶପଥ ନେଇଥିଲେ ସିଦ୍ଧରମୈୟା । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ  ଡି.କେ ଶିବକୁମାର ଓ ଆହୁରି ୮ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ। ଏହି ଭବ୍ୟ ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଏନସିପି ନେତା ଶରଦ ପାଓ୍ବାର ପ୍ରମୁଖ ।

    ଚଳିତ ନିର୍ବାଚନରେ ବିଜେପିକୁ ମାତ ଦେବାରେ ସିଦ୍ଧରମେୟାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ରାଜ୍ୟ କଂଗ୍ରେସର ଜଣେ ପୁରୁଖା ଓ ଅଭିଜ୍ଞ ନେତା। ତେବେ ଡିକେ ଶିବକୁମାର ଏବଂ ସିଦ୍ଧରମୈୟାଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିଲା ଟଣାଓଟରା । ତେବେ ଶିବକୁମାର ସୋନିଆଙ୍କ ଚାପରେ ଆସି ନିଜ ଜିଦିରୁ ଓହରିବାକୁ ବାଧ୍ୟ ହୋଇଥିଲେ ଓ  ଦୁଇ ହେଭିଓ୍ବେଟଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ମନ୍ତ୍ରିମଣ୍ଡଳ ଗଠନ ହେଲା ।