Category: ଦେଶ-ବିଦେଶ

  • ବୃଦ୍ଧାଙ୍କୁ ପଥରରେ ଛେଚି ହତ୍ୟା ପରେ କାମୁଡି ଖାଇଲା ଯୁବକ

    ବୃଦ୍ଧାଙ୍କୁ ପଥରରେ ଛେଚି ହତ୍ୟା ପରେ କାମୁଡି ଖାଇଲା ଯୁବକ

    ଧୀରେ ଧୀରେ ମଣିଷ ଭିତରେ ମରି ଯାଉଛି ମାନବିକତା। ସରିଯାଉଛି ସମ୍ୱେଦନା। ସେଥିପାଇଁ  ମଣିଷ ପାଲଟି ଯାଉଛି ପଶୁର ହିଂସ୍ରତା । ଏମିତି ଏକ ହିଂସ୍ରତାପୂର୍ଣ୍ଣ ଓ ହୃଦୟ ବିଦାରକ ଘଟଣା ରାଜସ୍ଥାନର ପାଲିରେ ଦେଖିବାକୁ ମିଳିଛି।

    ପାଲି ଜିଲ୍ଲାର ସେଣ୍ଡ୍ରା ଅନ୍ତର୍ଗତ ଏକ ଜଙ୍ଗଲରେ କିଛି ଲୋକ ଏମିତି ଦୃଶ୍ୟ ଦେଖିଥିଲେ କି ନିଜ ଆଖିକୁ ବିଶ୍ୱାସ କରିପାରି ନ ଥିଲେ। ଦେଖିଥିଲେ କି,  କେହି ଜଣେ ଫୁଙ୍ଗୁଳା ଦେହରେ ମାଟି ଉପରେ ଆଣ୍ଠେଇ କିଛି ଗୋଟିଏ କରୁଛି। ଏହା ଦେଖି ସେମାନେ ନିକଟକୁ ଯାଇଥିଲେ ଆଉ ଦେଖିଥିଲେ କି, ଅଳ୍ପ ବୟସର ଯୁବକଟିର ଦେହମୁଣ୍ଡ ରକ୍ତରେ ଜୁଡୁବୁଡ। ସେ ଆଣ୍ଠେଇ ପଡିଛି ଓ ତା ଆଗରେ ପଡିଥିବା ଜଣେ ବୃଦ୍ଧାଙ୍କୁ ଅତି ବିଭତ୍ସ ଭାବେ କାମୁଡି ମାଂସ ଖାଇ ଚାଲିଛି। ମାଟି ରକ୍ତରେ ଭିଜି ଯାଇଥିବା ବେଳେ ଯୁବକର ମୁହଁ ଓ ଦେହ ସବୁଠି ରକ୍ତ ଆଉ ରକ୍ତ। ଯୁବକ ଲୋକଙ୍କୁ ଦେଖି ସେଠାରୁ ଦୌଡି ପଳାଇବା ବେଳକୁ ଲୋକେ ପିଛା କରି କିଛି ବାଟରେ ତାକୁ ଧରି ସେଣ୍ଡ୍ରା ଥାନାକୁ ସୂଚନା ଦେଇଥିଲେ।

    ପୋଲିସ ଉକ୍ତ ଯୁବକକୁ ଗିରଫ କରିବା ସହ ପଚରା ଉଚରାରୁ ଜାଣିବାକୁ ପାଇଛି କି, ହତ୍ୟାକାରୀ ଯୁବକର ବୟସ ୨୪ ବର୍ଷ। ତାର ନାମ ସୁରେନ୍ଦ୍ର ଓ ମୁମ୍ବାରେ ରୁହେ।  ଆଉ ମୃତା ବୃଦ୍ଧା ସ୍ଥାନୀୟ ଅଞ୍ଚଳର ଶାନ୍ତିଦେବୀ। ତାଠାରୁ ପୁଲିସ ଜାଣିବାକୁ ପାଇଛି କି, ବୃଦ୍ଧା ଜଙ୍ଗଲରେ ଛେଳି ଚରାଉଥିବା ବେଳେ  ସୁରେନ୍ଦ୍ର ତାଙ୍କୁ ଏକାକୀ ଦେଖିଥିଲା। ସେ ଏକ ବଡ ପଥର ଆଣି ତାଙ୍କ ମୁଣ୍ଡକୁ ଛେଚି ଛେଚି ତାଙ୍କୁ ମାରିଦେଇଥିଲା। ଶାନ୍ତି ଦେବୀ ମରିଯାଇଥିଲେ। ହେଲେ ଏଥିରେ ବିଚଳିତ ହୋଇନଥିଲା ସୁରେନ୍ଦ୍ର କି ତାର ମନସାଦ ମେଣ୍ଟି ନ ଥିଲା। ସେ ଶାନ୍ତି ଦେବୀଙ୍କ ମୁହଁ ଓ ଦେହର ମାଂସ କାମୁଡି ଖାଇଥିଲା।  

    ତେବେ କାହିଁକି ସୁରେନ୍ଦ୍ର ମୁମ୍ବାଇରୁ ପାଲି ଆସିଥିଲା ଓ ଏମିତି ଏକ ଲୋମଟାଙ୍କୁରା କାର୍ଯ୍ୟ କଲା?  କଣ ସେ ଜଣେ ମାସିକ ବିକାରଗ୍ରସ୍ତ ନା ତା ପଛରେ ଆଉ କିଛି କାରଣ ରହିଛି ତାକୁ ନେଇ ପୋଲିସ ଖୋଳତାଡ ଜାରି ରଖିଥିବା ବେଳେ ପ୍ରଶ୍ନ ଉଠୁଛି, ଏ କି ପ୍ରକାରର ମାନସିକତା ମଣିଷ ଭିତରେ ବୃଦ୍ଧି ପାଉଛି?  

  • କର୍ଣ୍ଣାଟକ: ରାଜ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ

    କର୍ଣ୍ଣାଟକ: ରାଜ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ

    କର୍ଣ୍ଣାଟକରେ ଆଜି ପ୍ରଥମ ରାଜ୍ୟ କ୍ୟାବିନେଟ୍ ସଂପ୍ରସାରଣ କରାଯାଇଛି । ୨୪ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବେଙ୍ଗାଲୁରୁସ୍ଥିତ ରାଜ ଭବନରେ ଆଜି ଦିନ ୧୧ଟା ୪୫ରେ ଶପଥ ସମାରୋହ ଆରମ୍ଭ ହୋଇଥିଲା । ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । କର୍ଣ୍ଣାଟକ ସରକାରରେ ୩୪ ଜଣ ମନ୍ତ୍ରୀ ରହିପାରିବାର ନିୟମ ଅଛି । ତେବେ ପୂର୍ବରୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି.କେ‌.ଶିବକୁମାରଙ୍କ ସମେତ ମୋଟ ୧୦ଜଣ ଶପଥ ନେଇସାରିଛନ୍ତି ।

    ଶପଥ ଗ୍ରହଣ କରିଥିବା ୨୪ ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ରହିମ୍‌ ଖାଁ,ସନ୍ତୋଷ ଲାଡ୍‌,କେ.ଏନ୍‌.ରାଜନ୍ନା, ଦୀନେଶ ଗୁଣ୍ଡୁ ରାଓ, କ୍ରିଷ୍ଣା ବୈରେ ଗୌଡ଼ା,ଈଶ୍ବର ଖାନ୍ଦ୍ରେ। ଅନ୍ୟାମାନଙ୍କ ମଧ୍ୟରେ ଚେଲୁବାରାୟ ସ୍ବାମୀ,ମନକୁଲ ବୈଦ୍ୟ ଏବଂ ଏମ୍‌.ସି.ସୁଧାକର, କେ.ଭେଙ୍କଟେଶ,ଏଚ୍‌.ସି.ମହାଦେବାପ୍ପା,ବୈରତି ସୁରେଶ,ଶିବରାଜ ତଙ୍ଗଡ଼ି, ଆର୍‌.ବି.ତିମ୍ମପୁର,ବି.ନଗେନ୍ଦ୍ର,ଲକ୍ଷ୍ମୀ ହେବ୍ବାଲକାର୍‌,ମଧୁ ବାଙ୍ଗରପ୍ପା ଏବଂ ଡି.ସୁଧାକର । ପ୍ରଥମ ଥର ବିଧାୟକ ହୋଇ ମନ୍ତ୍ରୀ ପଦ ପାଇଛନ୍ତି ୧୦ ଜଣ । ସେମାନଙ୍କ ମଧ୍ୟରେ ଜଣେ ମହିଳା ବି ଅଛନ୍ତି । ୬ ଜଣ ଭୋକ୍କାଲିଗା ଏବଂ ୮ ଜଣ ଲିଙ୍ଗାୟତ ନେତା ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ।

    ସେହିପରି,ଅନୁସୂଚିତ ଜାତିରୁ ୩ ଜଣଙ୍କୁ ସୁଯୋଗ ମିଳିଥିବା ବେଶେ ଅନୁସୂଚିତ ଜନଜାତିରୁ ୨ ଜଣ ଏବଂ ଅନ୍ୟାନ୍ୟ ପଛୁଆବର୍ଗରୁ ୫ଜଣ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇଛି । ଶପଥ ଗ୍ରହଣ ସମାରୋହ ପାଇଁ ରାଜଭବନ ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବହୁମତ ହାସଲ କରି ସରକାର ଗଠନ କରିଛି କଂଗ୍ରେସ ।

  • ସିଲାବସରୁ ହଟିବ ”ସାରେ ଜାହାଁ ସେ ଆଚ୍ଛା ହିନ୍ଦୁସ୍ତାନ ହାମାରା”

    ସିଲାବସରୁ ହଟିବ ”ସାରେ ଜାହାଁ ସେ ଆଚ୍ଛା ହିନ୍ଦୁସ୍ତାନ ହାମାରା”

    ସାରେ ଜାହାଁ ସେ ଆଚ୍ଛା ହିନ୍ଦୁସ୍ତାନ ହାମାରା… ଲେଖିଥିବା କବି ଆଲ୍ଲାମା ମହମ୍ମଦ ଇକବାଲଙ୍କ ଅଧ୍ୟାୟକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସିଲାବସରୁ ବାହାର କରିଦିଆ ଯାଇଛି । ବିଶ୍ୱବିଦ୍ୟାଳୟର ଏକାଡେମିକ୍ କାଉନସିଲ୍ (ଏସି) ଶୁକ୍ରବାର ଦିନ ସିଲାବସରୁ ବିଏ ରାଜନୀତି ବିଜ୍ଞାନକୁ ହଟାଇବା ସହିତ ଅନେକ ପରିବର୍ତ୍ତନକୁ ମଞ୍ଜୁରୀ ଦେଇଛନ୍ତି । ବିଭାଜନ ଅଧ୍ୟୟନ, ହିନ୍ଦୁ ଅଧ୍ୟୟନ ଏବଂ ଆଦିବାସୀ ଅଧ୍ୟୟନ ପାଇଁ ନୂତନ କେନ୍ଦ୍ର ସ୍ଥାପନ ପାଇଁ ପରିଷଦ ପ୍ରସ୍ତାବକୁ ଅନୁମୋଦନ କରିଛି ।

    ଆଲ୍ଲାମା ଇକବାଲ ପାକିସ୍ତାନର ଜାତୀୟ କବି ଥିଲେ । ସେ ତାଙ୍କ ସମୟରେ ଉର୍ଦ୍ଦୁ ଏବଂ ପାର୍ସୀ କବିମାନଙ୍କ ମଧ୍ୟରେ ଶୀର୍ଷରେ ଥିଲେ । ତାଙ୍କର ଚିନ୍ତାଧାରା ମଧ୍ୟ ପାକିସ୍ତାନ ଗଠନରେ ସହାୟକ ହୋଇଛି ବୋଲି ବିଶ୍ୱାସ କରାଯାଏ ।

    ଡିୟୁ ରେଜିଷ୍ଟ୍ରାର ବିକାଶ ଗୁପ୍ତା କହିଛନ୍ତି ଯେ, ଶୁକ୍ରବାର ଦିନ ପରିଷଦ ବୈଠକରେ ପାଠ୍ୟକ୍ରମ ଏବଂ ବିଭିନ୍ନ କେନ୍ଦ୍ର ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି । ବିଭାଜନ, ହିନ୍ଦୁ ଏବଂ ଆଦିବାସୀ ଅଧ୍ୟୟନ ପାଇଁ କେନ୍ଦ୍ର ଗଠନ ପାଇଁ ସଂକଳ୍ପ ପାରିତ ହୋଇଛି । ମହମ୍ମଦ ଇକବାଲଙ୍କୁ ସିଲାବସରୁ ବାଦ ଦିଆଯାଇଛି । ଇକବାଲଙ୍କୁ ବିଏ ପଲିଟିକାଲ ସାଇନ୍ସ ପେପରର ମଡର୍ଣ୍ଣ ଇଣ୍ଡିଆ ପଲିଟିକାଲ ଥିଙ୍କ୍ ରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

    ଏହି ପ୍ରସ୍ତାବ ଗୁଡ଼ିକ ବିଶ୍ୱବିଦ୍ୟାଳୟର କାର୍ଯ୍ୟନିର୍ବାହୀ ପରିଷଦ (ଇସି)ରୁ ଅନୁମୋଦନ ମିଳିବା ବାକି ରହିଛି । ଏହି ବୈଠକ ଜୁନ୍ ୯ ତାରିଖରେ ଅନୁଷ୍ଠିତ ହେବ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଦିଲ୍ଲୀ ୟୁନିଟ୍ ଡିୟୁର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ।

    ଏବିଭିପି କହିଛି ଯେ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏକାଡେମିକ୍ ପରିଷଦ କଟ୍ଟର ମହମ୍ମଦ ଇକବାଲଙ୍କୁ ଡିୟୁ ରାଜନୈତିକ ବିଜ୍ଞାନ ପାଠ୍ୟକ୍ରମରୁ ବାହାର କରିବାକୁ ନିଷ୍ପତ୍ତି ନେଇଛି । ମହମ୍ମଦ ଇକବାଲଙ୍କୁ ପାକିସ୍ତାନର ଦାର୍ଶନିକ ପିତା କୁହାଯାଏ । ଜିନ୍ନାଙ୍କୁ ମୁସଲିମ ଲିଗର ନେତା କରିବା ପଛରେ ଇକବାଲଙ୍କ ହାତ ଥିଲା । ମହମ୍ମଦ ଅଲି ଜିନ୍ନାଙ୍କ ପରି ମହମ୍ମଦ ଇକବାଲ ମଧ୍ୟ ଭାରତର ବିଭାଜନ ପାଇଁ ଯେତିକି ଦାୟୀ ।

    ଏକାଡେମିକ୍ ପରିଷଦର ୧୦୦ ସଦସ୍ୟ ଅଛନ୍ତି । ସିଲାବସରୁ ଇକବାଲଙ୍କୁ ହଟାଇବା ଉପରେ ଦିନ ସାରା ଆଲୋଚନା ହୋଇଥିଲା । ବିଭାଗୀୟ ଅଧ୍ୟୟନ ଉପରେ ଏହି ପ୍ରସ୍ତାବକୁ ପାଞ୍ଚ ଜଣ ସଦସ୍ୟ ବିରୋଧ କରିଥିଲେ । ଏହାକୁ ବିଭାଜନକାରୀ ବୋଲି କହିଥିଲେ ।

  • ଯଦି ରାଷ୍ଟ୍ରପତିଙ୍କ ପ୍ରତି ଏତେ ଭଲପାଇବା ଥିଲା ତେବେ କାହିଁକି ତାଙ୍କ ବିରୋଧରେ ପ୍ରାର୍ଥୀ ଦେଲେ: ଆଜାଦ

    ଯଦି ରାଷ୍ଟ୍ରପତିଙ୍କ ପ୍ରତି ଏତେ ଭଲପାଇବା ଥିଲା ତେବେ କାହିଁକି ତାଙ୍କ ବିରୋଧରେ ପ୍ରାର୍ଥୀ ଦେଲେ: ଆଜାଦ

    ଆସନ୍ତା କାଲି ନୂତନ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିବେ । ଏହି ସମାରୋହକୁ କଂଗ୍ରେସ ଏବଂ ସମାନ ବିଚାରଧାରା ରଖୁଥିବା ଦଳ ବିରୋଧ କରୁଛନ୍ତି । ବିରୋଧିଙ୍କ ବିରୋଧ ଉପରେ ବର୍ତ୍ତମାନ କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦ ବିରୋଧୀ ଦଳର ଏହି ଷ୍ଟାଣ୍ଡକୁ ସମାଲୋଚନା କରିଛନ୍ତି ।

    ଗୁଲାମ ନବୀ ଆଜାଦ କହିଛନ୍ତି, ବିରୋଧୀ ଦଳ କାହିଁକି ପାଟିତୁଣ୍ଡ କରୁଛନ୍ତି ମୁଁ ବୁଝିପାରୁ ନାହିଁ । ଯେତେବେଳେ ଦେଶକୁ ଏକ ନୂତନ ସଂସଦ ମିଳୁଛି ସେମାନେ ଖୁସି ହେବା ଉଚିତ । ନବୀ କହିଛନ୍ତି, ଯଦି ମୁଁ ଦିଲ୍ଲୀରେ ଥାନ୍ତି ତେବେ ମୁଁ ନିଶ୍ଚିତ ଭାବରେ ନୂତନ ସଂସଦ ଭବନ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥା’ନ୍ତି । ଏପରି ସମୟରେ ଏକ ନୂତନ ସଂସଦ ନିର୍ମାଣ ପାଇଁ ବିରୋଧୀ ମାନେ ସରକାରଙ୍କୁ ପ୍ରଶଂସା କରିବା ଉଚିତ୍ । ହେଲେ ସେମାନେ ସରକାରଙ୍କୁ ସମାଲୋଚନା କରୁଛନ୍ତି । ବିରୋଧୀ ଏହାକୁ ବହିଷ୍କାର କରିବାକୁ ମୁଁ ଦୃଢ ବିରୋଧ କରୁଛି ବୋଲି ଆଜାଦ କହିଛନ୍ତି ।

    ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ଯେତେବେଳେ ସେ ନରସିହ୍ମା ରାଓଙ୍କ ସରକାରରେ କେନ୍ଦ୍ର ସଂସଦୀୟ ମନ୍ତ୍ରୀ ଥିଲେ, ସେତେବେଳେ ସେ ଏକ ନୂତନ ସଂସଦ ଗଠନ କରିବାର ସ୍ୱପ୍ନ ଦେଖିଥିଲେ । ସେ କହିଛନ୍ତି ମୁଁ ଏକ ନୂତନ ସଂସଦ ଗଠନ ବିଷୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିହ୍ମା ରାଓଙ୍କ ସହ ଆଲୋଚନା କରିଥିଲି । ଏକ ନକ୍ସା ମଧ୍ୟ ତିଆରି କରିଥିଲୁ କିନ୍ତୁ ସେତେବେଳେ ଆମେ ତାହା କରିପାରିଲୁ ନାହିଁ ।

    ସେ କହିଛନ୍ତି ଯେ, ଦେଶର ସ୍ବାଧୀନତା ପରେ ଦେଶର ଜନସଂଖ୍ୟା ୫ ଗୁଣା ବୃଦ୍ଧି ପାଇଛି ଏବଂ ସେହି ଅନୁଯାୟୀ ପ୍ରତିନିଧୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗୁଲାମ ନବୀ ଆଜାଦ କହିଛନ୍ତି, ସେଥିପାଇଁ ନୂତନ ସଂସଦ ଭବନ ନିର୍ମାଣ କରିବାର ଆବଶ୍ୟକତା ପଡ଼ିଲା ।

    ଆଜାଦ ଆହୁରି କହିଛନ୍ତି, ”ମୁଁ ନୂଆ ସଂସଦର ଉଦଘାଟନ ପାଇଁ ଅନାବଶ୍ୟକ ବିବାଦକୁ ବିରୋଧ କରୁଛି । ବିରୋଧୀଙ୍କ ପାଖେ ପ୍ରସଙ୍ଗ କିଛି କମ ନାହିଁ, ସେମାନେ ଭୁଲ ପ୍ରସଙ୍ଗ ଉଠାଉଛନ୍ତି ଏବଂ ଯଦି ବିରୋଧୀଙ୍କ ରାଷ୍ଟ୍ରପତିଙ୍କ ପ୍ରତି ଏତେ ଭଲପାଇବା ଥିଲା ତେବେ କାହିଁକି ତାଙ୍କ ବିରୋଧରେ ପ୍ରାର୍ଥୀ ଦେଇଥିଲେ ?”

  • ନୂଆଦିଲ୍ଲୀ: ଆଜି ନୀତି ଆୟୋଗ ବୈଠକ, ହକ୍ ମାଗିବେ ନବୀନ

    ନୂଆଦିଲ୍ଲୀ: ଆଜି ନୀତି ଆୟୋଗ ବୈଠକ, ହକ୍ ମାଗିବେ ନବୀନ

    ଆଜି ନୀତି ଆୟୋଗ ବୈଠକ । ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକ । ଆଜି ଅନୁଷ୍ଠିତ ଏହି ବୈଠକରେ ନିଜର ହକ୍ ମାଗିବ ଓଡ଼ିଶା ।

    ଓଡ଼ିଶାର ବିକାଶ ପାଇଁ ନୀତି ଆୟୋଗ ବୈଠକରେ ଦାବି ଉଠାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ବିକାଶରେ ଏକ ପ୍ରକାର ବାଧକ ସାଜିଛି କେନ୍ଦ୍ର । କେନ୍ଦ୍ର ବିଜେପି ସରକାରଙ୍କ ଅସହଯୋଗ ଯୋଗୁଁ ରାଜ୍ୟ ବିକାଶ ଆଡ଼କୁ ଯାଇପାରୁନାହିଁ । ଏଯାଏ ପୂରଣ ହେଉନାହିଁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି । ରାଜ୍ୟକୁ ସ୍ବତନ୍ତ୍ର ଆର୍ଥିକ ସହାୟତା ପ୍ୟାକେଜ ବି ମିଳୁନି । ବ୍ୟାଙ୍କିଙ୍ଗ, ରେଳବାଇ, ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ବିଶେଷ ଦୃଷ୍ଟି ଦେଉନାହାଁନ୍ତି କେନ୍ଦ୍ର ସରକାର । ପ୍ରତିବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ।

    ବନ୍ୟା,ବାତ୍ୟା,ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟର ଆର୍ଥିକ ସ୍ଥିତି ଭୁଷୁଡ଼ିପଡ଼ିଛି । ତଥାପି କେନ୍ଦ୍ର ସହାୟତା ପ୍ରଦାନ ଦିଗରେ ଅବହେଳା କରୁଥିବା ଅଭିଯୋଗ ହୋଇଛି । କେନ୍ଦ୍ର ବିଜେପି ସରକାର ଲଗାତାର ୨ ଥର ଶାସନରେ ବସିଛି । କିନ୍ତୁ ରାଜ୍ୟର ହକ୍ ପ୍ରଦାନ କ୍ଷେତ୍ରରେ ଅବହେଳା କରୁଛି । ଓଡ଼ିଶାର ଏହି ହକକୁ ଅଣଦେଖା କରି ଚାଲିଛି । ରାଜ୍ୟବାସୀଙ୍କ ଏସବୁ ଦାବି ନୀତି ଆୟୋଗ ବୈଠକରେ ଉଠାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏସବୁ ଉଠାଇବେ ।

  • ଟ୍ରାଫିକରେ ଫଶି ରାଗିଗଲେ କୈଳାଶ ଖେର, ଖେଲୋ ଇଣ୍ଡିଆ ଆଯୋଜକଙ୍କୁ ଠିଆ ଠିଆ ଶୁଣାଇଲେ

    ଟ୍ରାଫିକରେ ଫଶି ରାଗିଗଲେ କୈଳାଶ ଖେର, ଖେଲୋ ଇଣ୍ଡିଆ ଆଯୋଜକଙ୍କୁ ଠିଆ ଠିଆ ଶୁଣାଇଲେ

    ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଉଦଘାଟନ ସମାରୋହରେ କଣ୍ଠଶିଳ୍ପି କୈଳାଶ ଖେର ନିଜ କ୍ରୋଧକୁ ନିୟନ୍ତ୍ରଣ କରିପାରିନଥିଲେ । ସେ ଲକ୍ଷ୍ନୌର ବିବିଡି ଠାରେ ସମାରୋହ ଅବସରରେ ଆୟୋଜକଙ୍କୁ ଠିଆ ଠିଆ ଶୁଣାଇଛନ୍ତି ।

    ଭାଇରାଲ୍ ଭିଡିଓରେ ଖେର କ୍ରୋଧିତ ହୋଇଯାଇଛନ୍ତି କାରଣ ଆୟୋଜକ ତାଙ୍କୁ ଏକ ଘଣ୍ଟା କାଳ ଅପେକ୍ଷା କରିବାକୁ କହିଥିଲେ । ତେଣୁ ସେଠାରେ ଥିବା ଦର୍ଶକଙ୍କୁ ସେ ଭଦ୍ରାମୀ ଶିଖିବାକୁ କହିଥିଲେ । ସେ କହିଥିଲେ, ଏହା କେମିତି ଖେଲୋ ଇଣ୍ଡିଆ, ଏହା କଣ ଏମିତି ହୁଏ? ଏହା ଏମିତି କାମ କରେ ନାହିଁ । ସେ କହିଛନ୍ତି କଳ୍ପନା କରନ୍ତୁ ଯେ ଜଣେ ତାରକାଙ୍କୁ ଏତେ କଷ୍ଟ ସହିବାକୁ ପଡିଲା । ଖେଳାଳି ମାନଙ୍କୁ କେତେ କ୍ଷତି ସହିବାକୁ ପଡୁଥିବ । ଖବର ଅନୁଯାୟୀ, କୈଳାଶ ଖେର ପ୍ରାୟ ଏକ ଘଣ୍ଟା ଧରି ଟ୍ରାଫିକ ଜାମରେ ଅଟକି ରହିଥିଲେ ଯାହା ତାଙ୍କୁ କ୍ରୋଧିତ କରିଥିଲା ।

  • ‘ଦ ଡାଏରୀ ଅଫ୍ ବଙ୍ଗାଲ’… ପଶ୍ଚିମବଙ୍ଗରେ ଫଶୁଛି ପେଞ୍ଚ

    ‘ଦ ଡାଏରୀ ଅଫ୍ ବଙ୍ଗାଲ’… ପଶ୍ଚିମବଙ୍ଗରେ ଫଶୁଛି ପେଞ୍ଚ

    ‘ଦ କେରଳ ଷ୍ଟୋରୀ’ ପରେ ଏବେ ଆଉ ଏକ ଫିଲ୍ମ ଉପରେ ରାଜନୀତି ଆରମ୍ଭ ହୋଇଯାଇଛି । ଏହି ନାମ ହେଉଛି ‘ଦ ଡାଏରୀ ଅଫ ବଙ୍ଗାଲ’, ଯାହାର ଟ୍ରେଲର ଲଞ୍ଚ ହୋଇଯାଇଛି । ଏବେ ପଶ୍ଚିମବଙ୍ଗର ମମତା ସରକାର ଏହି ଫିଲ୍ମର ନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରି ମେ ୩୦ ତାରିଖ ପଚରାଉଚୁରା ପାଇଁ ଡାକିଛନ୍ତି ।
    ପଶ୍ଚିମବଙ୍ଗର ଡାଏରୀ ଚଳଚ୍ଚିତ୍ରର ଟ୍ରେଲର ଏକ ମାସ ପୂର୍ବରୁ ଆସିଥିଲା, କିନ୍ତୁ ବର୍ତ୍ତମାନ ପଶ୍ଚିମବଙ୍ଗରେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ସାନୋଜ ମିଶ୍ରଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି। ବେଙ୍ଗଲ ପୋଲିସ ନିର୍ଦ୍ଦେଶକ ସାନୋଜ ମିଶ୍ରଙ୍କୁ ମେ 30 ରେ ମଧ୍ୟାହ୍ନ 12 ଟା ସମୟରେ ଆମହର୍ସ ଷ୍ଟ୍ରିଟ୍ ପୋଲିସ ଷ୍ଟେସନରେ ହାଜର ହେବାକୁ କହିଛନ୍ତି। କିନ୍ତୁ ସାନୋଜ ମିଶ୍ର କହିଛନ୍ତି ଯେ ତାଙ୍କୁ ଗିରଫ କରାଯିବ ବୋଲି ସେ ଭୟ କରୁଛନ୍ତି।

    ଚଳଚ୍ଚିତ୍ର ନିର୍ଦ୍ଦେଶକ ସରୋଜ ମିଶ୍ରଙ୍କୁ ନୋଟିସ ପରେ ବିଜେପି ମମତା ସରକାର ଉପରେ ଆକ୍ରମଣ କରିଛି । ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଟ୍ୱିଟ୍ କରି କହିଛନ୍ତି ଯେ, କେରଳ କାହାଣୀକୁ ନିଷିଦ୍ଧ କରିବାର ବିଫଳ ଉଦ୍ୟମ ପରେ ମମତା ସରକାର ବର୍ତ୍ତମାନ ଚଳଚ୍ଚିତ୍ର ନିର୍ମାତାଙ୍କୁ ଧମକ ଦେଉଛନ୍ତି , ଯାହା ପ୍ରକୃତ ଘଟଣା ତଥା ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଧାରିତ । ଟ୍ରେଲରରେ ପ୍ରକୃତରେ କିଛି ଭୁଲ୍ ନଥିବାରୁ ଚଳଚ୍ଚିତ୍ର ନିର୍ମାତାଙ୍କୁ ନୋଟିସର କୌଣସି ଆବଶ୍ୟକତା ନଥିଲା । ମମତା ବାନାର୍ଜୀ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଚାପିବା ବନ୍ଦ କରିବା ଉଚିତ୍ ।

    ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ୱାସିମ୍ ରିଜଓ୍ବି ଅରଫ ଜିତେନ୍ଦ୍ର ନାରାୟଣ ସିଂ । ଗତ ମାସରେ ସେ ଲକ୍ଷ୍ନୌରେ ଫିଲ୍ମର ଟ୍ରେଲର ଲଞ୍ଚ କରିଥିଲେ । ଫିଲ୍ମ ଦେଖି ଏହା ସ୍ପଷ୍ଟ ଜଣାପଡୁଥିଲା ଯେ, ଏହି ଚଳଚ୍ଚିତ୍ରଟି ମମତା ସାରକାରଙ୍କୁ ସମ୍ପୂର୍ଣ୍ଣ ଧ୍ୟାନରେ ରଖି କରାଯାଇଛି । ଫିଲ୍ମର ଟ୍ରେଲର ଆରମ୍ଭରେ CAA ଏବଂ NRC ଚର୍ଚ୍ଚା କରାଯାଇଛି । ହିନ୍ଦୁମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟର କାହାଣୀ ମଧ୍ୟ ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି । ହିନ୍ଦୁମାନେ ପଳାୟନର ସମ୍ମୁଖୀନ ହେଉଛନ୍ତି । ଯଦି ସବୁକିଛି ଠିକଠାକ ଚାଲେ ତେବେ ଏହା ଅଗଷ୍ଟ ମାସରେ ମୁକ୍ତିଲାଭ କରିବାକୁ ଯାଉଛି ।

    ଚଲଚିତ୍ର ନିର୍ଦ୍ଦେଶକ ସନୋଜ ମିଶ୍ର ପଶ୍ଚିମବଙ୍ଗ ପୋଲିସର ନୋଟିସର ଉତ୍ତରରେ କହିଛନ୍ତି ଯେ, ମୋର ଉଦ୍ଦେଶ୍ୟ ବଙ୍ଗଳାକୁ ବଦନାମ କରିବା ନୁହେଁ । ଆମେ ଫିଲ୍ମରେ କେବଳ ସେହି ତଥ୍ୟ ଗୁଡିକୁ ଦେଖାଇଛୁ ଯାହା ଭଲ ଭାବରେ ଅନୁସନ୍ଧାନ କରାଯାଇଛି ।

  • ମୌସୁମୀ ରିଟର୍ଣ୍ଣସ: ଏବର୍ଷ ସ୍ୱାଭାବିକ ରହିବ ମୌସୁମୀ, କହିଲା IMD

    ମୌସୁମୀ ରିଟର୍ଣ୍ଣସ: ଏବର୍ଷ ସ୍ୱାଭାବିକ ରହିବ ମୌସୁମୀ, କହିଲା IMD

    ଚଳିତବର୍ଷ ଦେଶରେ ମୌସୁମୀଜନିତ ବର୍ଷା ସ୍ୱାଭାବିକ ରହିବାର ସମ୍ଭାବନା ରହିଛି । ଜୁନ୍ ୪ ତାରିଖ ବେଳକୁ ମୌସୁମୀ କେରଳ ଛୁଇଁବ । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି । ସେହିପରି ଉତ୍ତର ପଶ୍ଚିମ ଭାରତରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବାର ସମ୍ଭାବନା ରହିଛି ।

    ମୌସୁମୀକୁ ନେଇ IMD ବିଭିନ୍ନ ଆକଳନ କରିଛି । ଏଥର ସ୍ୱାଭାବିକ ବର୍ଷା ହେବାକୁ ଥିବାବେଳେ ଦକ୍ଷିଣ-ପଶ୍ଚିମ ମୌସୁମୀ ୯୬% ରହିବ ବୋଲି ଆକଳନ କରାଯାଇଛି । ଏହା ସ୍ୱାଭାବିକ ରହିବ ବୋଲି କହିଛି ବିଭାଗ । ଏଥର ଏଲ୍ ନିନୋର ପ୍ରଭାବ ନିଶ୍ଚୟ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ । ଭାରତୀୟ ଅର୍ଥନୀତି ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଉଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ ଜୁନ୍ ୧ରେ କେରଳ ଛୁଇଁଥାଏ । କିନ୍ତୁ ଚଳିତବର୍ଷ ୪ ଦିନ ବିଳମ୍ବରେ ଆସିବ । ସେହିପରି ଆସନ୍ତା ଜୁନ୍ ୧୨ ବେଳକୁ ଓଡ଼ିଶାକୁ ମୌସୁମୀ ଆସିବା ନେଇ ସମ୍ଭାବନା ରହିଛି ।

    ଗତକାଲି ରାଜ୍ୟରେ କାଳବୈଶାଖୀଜନିତ ବର୍ଷା ଦେଖିବାକୁ ମିଳିଥିଲା । ଅପରାହ୍ଣରେ ପ୍ରାୟ ୩ ଘଣ୍ଟା ଯାଏ କଚାଡ଼ିଥିଲା । ଆଜି ମଧ୍ୟ କାଳବୈଶାଖୀ ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି । ସେଥିପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

  • ସରକାରଙ୍କ ୯ ବର୍ଷ ପୂର୍ତ୍ତିରେ ମୋଦୀ ସରକାରଙ୍କୁ କଂଗ୍ରେସର ୯ ପ୍ରଶ୍ନ

    ସରକାରଙ୍କ ୯ ବର୍ଷ ପୂର୍ତ୍ତିରେ ମୋଦୀ ସରକାରଙ୍କୁ କଂଗ୍ରେସର ୯ ପ୍ରଶ୍ନ

    ମୋଦୀ ସରକାରର ୯ ବର୍ଷ ପୂରଣ ଅବସରରେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ ପଚାରିଛି । କଂଗ୍ରେସ ପକ୍ଷରୁ ଆଦାନୀ, କୃଷକ ମାନଙ୍କ ଆୟକୁ ଦ୍ୱିଗୁଣିତ କରିବା, ଦରଦାମ୍ ବୃଦ୍ଧି ଏବଂ ବେକାରୀ ଭଳି ପ୍ରସଙ୍ଗ ଉପରେ ପ୍ରଶ୍ନ କରାଯାଇଛି । କଂଗ୍ରେସ ତରଫରୁ ‘୯ ବର୍ଷ, ୯ ପ୍ରଶ୍ନ’ ଉପରେ ଏକ ବୁକଲେଟ୍ ମଧ୍ୟ ଜାରି କରାଯାଇଛି । ଦଳର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ, ଶନିବାର ଦିନ ଦେଶର ୩୫ଟି ସହରରେ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରିବ ।

    କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୋଦୀ ସରକାରଙ୍କ ନଅ ବର୍ଷ ପୂରଣ ହେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନଅଟି ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି । ଆମେ ‘୯ ବର୍ଷ ୯ ପ୍ରଶ୍ନ’ ପାଇଁ ଆମେ ଏକ ଡକ୍ୟୁମେଣ୍ଟ୍ ମଧ୍ୟ ପ୍ରକାଶ କରୁଛୁ ବୋଲି ଜୟରାମ କହିଛନ୍ତି ।

    କଂଗ୍ରେସ ତରଫରୁ କୁହାଯାଇଥିଲା ଯେ, ରାହୁଲ ଗାନ୍ଧୀ ଏହି ୯ଟି ପ୍ରଶ୍ନକୁ ଭାରତ ଯୋଡା ଯାତ୍ରା ସମୟରେ ଏବଂ ପରେ କ୍ରମାଗତ ଭାବରେ ଉଠାଇଥିଲେ । କିନ୍ତୁ, ଆଜି ପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ । କଂଗ୍ରେସ ଦଳ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୯ ଟି ପ୍ରଶ୍ନ ପଚାରିଛନ୍ତି । ଆମେ ଚାହୁଁଛୁ ପିଏମ ମୋଦୀ ଏହି ପ୍ରଶ୍ନଗୁଡ଼ିକ ଉପରେ ନୀରବତା ଭାଙ୍ଗନ୍ତୁ ବୋଲି କଂଗ୍ରେସ କହିଛି ।

    ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଂଗ୍ରେସ ଏହି ୯ଟି ପ୍ରଶ୍ନ ପଚାରିଛି

    ୧. ଅର୍ଥନୀତି- ଦେଶରେ ଦରଦାମ ବୃଦ୍ଧି ଏବଂ ବେରୋଜଗାରୀ କାହିଁକି ଆକାଶ ଛୂଇଁଛି ? ଧନୀ ଲୋକମାନେ କାହିଁକି ଧନୀ ହେଉଛନ୍ତି ଏବଂ ଗରିବ ମାନେ କାହିଁକି ଗରିବ ହେଉଛନ୍ତି ? ସର୍ବସାଧାରଣ ସମ୍ପତ୍ତି ମୋଦୀଙ୍କ ସାଙ୍ଗ ମାନଙ୍କୁ କାହିଁକି ବିକ୍ରି ହେଉଛି ? ଅର୍ଥନୈତିକ ପାର୍ଥକ୍ୟ କାହିଁକି ବଛି?

    ୨. କୃଷି ଏବଂ କୃଷକ- ଗତ ୯ ବର୍ଷ ମଧ୍ୟରେ ମଧ୍ୟ କୃଷକଙ୍କ ଆୟ ଦ୍ୱିଗୁଣିତ ହୋଇନାହିଁ କାହିଁକି? କଳା କୃଷି ଆଇନକୁ ରଦ୍ଦ କରାଯାଇଥିବା ବେଳେ କୃଷକ ସଂଗଠନ ସହିତ ହୋଇଥିବା ଚୁକ୍ତିନାମା କାହିଁକି କାର୍ଯ୍ୟକାରୀ ହୋଇନାହିଁ? କାହିଁକି MSP ଗ୍ୟାରେଣ୍ଟି ଦିଆଗଲା ନାହିଁ?

    ୩. ଦୁର୍ନୀତି/ମିତ୍ରବାଦ- ଆଦାନୀକୁ ଲାଭ ପହଞ୍ଚାଇବା ପାଇଁ LIC ଏବଂ SBIରେ ଜମା ହୋଇଥିବା ଲୋକଙ୍କ କଷ୍ଟ ଉପାର୍ଜିତ ଟଙ୍କା କାହିଁକି ବିପଦରେ ପଡିଛି? ଦୁର୍ନୀତିର ସମାପ୍ତି ବିଷୟରେ ଆଲୋଚନା କରୁଥିବା ପ୍ରଧାନମନ୍ତ୍ରୀ କାହିଁକି ଉତ୍ତର ଦେଉନାହାନ୍ତି ଯେ, ଆଦାନୀଙ୍କ ନକଲି କମ୍ପାନୀରେ ରହିଥିବା ୨୦ ହଜାର କୋଟି ଟଙ୍କା କାହାର?

    ୪. ଚୀନ୍ ଏବଂ ଜାତୀୟ ସୁରକ୍ଷା- ଚୀନକୁ ନାଲି ଆଖି ଦେଖାଉଥିବା ପ୍ରଧାନମନ୍ତ୍ରୀ କାହିଁକି ଚୀନ ଆମ ଜମି ଦଖଲ କରି ବସିଥିବା ବେଳେ ୨୦୨୦ରେ ଏହାକୁ କ୍ଲିନଚିଟ ଦେଇଦେଲେ ?

    ୫. ସାମାଜିକ ସଦ୍ଭାବ- ନିର୍ବାଚନୀ ଫାଇଦା ପାଇଁ ବିଭାଜନକାରୀ ରାଜନୀତିକୁ ପ୍ରୋତ୍ସାହିତ କରାଯାଉଥିବା ବେଳେ ସମାଜରେ ଭୟର ବାତାବରଣ କାହିଁକି ସୃଷ୍ଟି କରାଯାଉଛି ?

    ୬. ସାମାଜିକ ନ୍ୟାୟ- ମହିଳା, ଦଳିତ, ଏସସି, ଏସଟି, ଓବିସି ଏବଂ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ପ୍ରଧାନମନ୍ତ୍ରୀ କାହିଁକି ଚୁପ୍ ରହିଛନ୍ତି? ଜାତି ଜନଗଣନା ପାଇଁ ସେ କାହିଁକି ଅବହେଳା କରୁଛନ୍ତି ?

    ୭. ଗଣତାନ୍ତ୍ରିକ ସଂସ୍ଥା- ପ୍ରତିଶୋଧର ଭାବନା ସହିତ ବିରୋଧୀ ଦଳ ଏବଂ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଉଛି? ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ବିରୋଧୀ ଦଳର ଅନେକ ସରକାରକୁ କାହିଁକି ଭାଙ୍ଗି ଦିଆଗଲା ? ଗତ ୯ ବର୍ଷରେ ସାମ୍ବିଧାନିକ ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡ଼ିକ କାହିଁକି ଦୁର୍ବଳ ହେଲା ?

    ୮. ଜନକଲ୍ୟାଣ ଯୋଜନା- ମନରେଗା ପରି ଜନ କଲ୍ୟାଣ ଯୋଜନା କାହିଁକି ବଜେଟରୁ କାଟି ଦୁର୍ବଳ କରାଗଲା? ଗରିବ, ଆଦିବାସୀ ଏବଂ ଅଭାବୀ ଲୋକମାନଙ୍କର ସ୍ୱପ୍ନ କାହିଁକି ଭାଙ୍ଗିଦିଆ ଯାଉଛି ?

    ୯. କରୋନା ମିସମ୍ୟାନେଜମେଣ୍ଟ – କାହିଁକି କରୋନା କାରଣରୁ ୪୦ ଲକ୍ଷ ଲୋକଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାରକୁ କ୍ଷତିପୂରଣ ପାଇଁ ମନା କରାଯାଇଥିଲା ? କାହିଁକି ଲକ୍ଷ ଲକ୍ଷ ଶ୍ରମିକ ହଠାତ୍ ତାଲା ପକାଇ ଘରକୁ ଯିବାକୁ ବାଧ୍ୟ ହେଲେ ଏବଂ ସେମାନଙ୍କୁ ନିଜ ଅବସ୍ଥାରେ ଛାଡି ଦିଆଗଲା ?

  • ଭାରତୀୟ ପରମ୍ପରା ପ୍ରତି କଂଗ୍ରେସର ଏତେ ଘୃଣା କାହିଁକି: ଅମିତ ଶାହା

    ଭାରତୀୟ ପରମ୍ପରା ପ୍ରତି କଂଗ୍ରେସର ଏତେ ଘୃଣା କାହିଁକି: ଅମିତ ଶାହା

    ନୂତନ ସଂସଦ ଭବନ ଉଦଘାଟନୀ ସମାରୋହକୁ ନେଇ ଗତ କିଛି ଦିନ ହେବ ଉତ୍ତେଜନା ଜାରି ରହିଛି ।
    ସମସ୍ତ ବିରୋଧୀ ଦଳ ଏହାକୁ ଉଦଘାଟନ କରିବାକୁ ରାଷ୍ଟ୍ରପତିଙ୍କୁ ଦାବି କରିବା ସହ ବୟକଟ ଘୋଷଣା କରିଛନ୍ତି । ଏହି ବିବାଦ ମଧ୍ୟରେ ଏବେ ଆଉ ଏକ ବିବାଦ ଆରମ୍ଭ ହୋଇଛି । ଏଥର ସେଙ୍ଗୋଲ ଅର୍ଥାତ୍ ନୂତନ ସଂସଦ ଗୃହରେ ରଖାଯିବାକୁ ଥିବା ରାଜଦଣ୍ଡ ବିଷୟରେ ବିତର୍କ ଆରମ୍ଭ ହୋଇଛି । ଗୃହମନ୍ତ୍ରୀ ଅମିତ ଶାହା ଦେଶକୁ କହିଥିଲେ ଯେ, ସ୍ୱାଧୀନତାର ପ୍ରତୀକ ଭାବରେ ୧୯୪୭ ମସିହାରେ ଜବାହରଲାଲ ନେହେରୁଙ୍କୁ ଦିଆଯାଇଥିବା ସେଙ୍ଗୋଲକୁ ନୂତନ ସଂସଦରେ ରଖାଯିବ । ଏ ବିଷୟରେ ଅନେକ ପ୍ରଚାର ମଧ୍ୟ କରାଯାଇଥିଲା । କିନ୍ତୁ କଂଗ୍ରେସ ନେତା ଜୟରାମ ରମେଶ ସେଙ୍ଗୋଲ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ସେଙ୍ଗୋଲ ବିଷୟରେ ବିଭ୍ରାନ୍ତିକର ତଥ୍ୟ ବିସ୍ତାର କରାଯାଉଛି । ଏବେ ଅମିତ ଶାହା ନିଜେ ଜୟରାମ ରମେଶଙ୍କୁ ଟୁଇଟ୍ କରି ପ୍ରତିଉତ୍ତର ଦେଇଛନ୍ତି ।

    ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ୍ କରି ଲେଖିଛନ୍ତି ଯେ କଂଗ୍ରେସ ଇତିହାସକୁ ମିଥ୍ୟା କରିବାକୁ ପ୍ରୟାସ କରୁଛି । ଅମିତ ଶାହା ଟ୍ୱିଟରରେ ଲେଖିଛନ୍ତି, “ବର୍ତ୍ତମାନ କଂଗ୍ରେସ ଆଉ ଏକ ଲଜ୍ଜାଜନକ ଅପମାନ କରିଛି । ଏକ ପବିତ୍ର ଶୈବ ମଠ, ଥିରୁବଦୁଥୁରାଇ ଅଧିନମ ନିଜେ ଭାରତର ସ୍ବାଧୀନତା ସମୟରେ ସେଙ୍ଗୋଲର ମହତ୍ତ୍ବ ବିଷୟରେ କହିଥିଲେ । କଂଗ୍ରେସ ଅଧିନମଙ୍କ ଇତିହାସକୁ ମିଥ୍ୟା ବୋଲି କହୁଛି । କଂଗ୍ରେସ ନିଜର ଆଚରଣକୁ ବିଚାର କରିବା ଆବଶ୍ୟକ। “

    ଅମିତ ଶାହା ତାଙ୍କର ଦ୍ୱିତୀୟ ଟୁଇଟରେ ଲେଖିଛନ୍ତି, “କଂଗ୍ରେସ ଦଳ ଭାରତୀୟ ପରମ୍ପରା ଓ ସଂସ୍କୃତିକୁ ଏତେ ଘୃଣା କରେ କାହିଁକି ? ତାମିଲନାଡୁର ଏକ ପବିତ୍ର ଶୈବ ମଠ ଦ୍ୱାରା ପଣ୍ଡିତ ନେହେରୁଙ୍କୁ ଏକ ପବିତ୍ର ସେଙ୍ଗୋଲ ଭାରତର ସ୍ୱାଧୀନତାର ପ୍ରତୀକ ରୂପେ ଦିଆଯାଇଥିଲା । କିନ୍ତୁ ଏହାକୁ ଏକ ‘ଚାଲିବା ବାଡ଼ି’ ଭାବି ଏକ ସଂଗ୍ରହାଳୟକୁ ପଠାଇ ଦିଆଯାଇଥିଲା ।