Category: ଦେଶ-ବିଦେଶ

  • ଦୁର୍ଘଟଣାର କାରଣ ନୁହେଁ ସିଗନାଲ ସମସ୍ୟା: ରେଳବାଇ ବୋର୍ଡ

    ଦୁର୍ଘଟଣାର କାରଣ ନୁହେଁ ସିଗନାଲ ସମସ୍ୟା: ରେଳବାଇ ବୋର୍ଡ

    ବାହାନଗା ରେଳ ଦୁର୍ଘଟଣାକୁ ନେଇ ରେଲୱେ ବୋର୍ଡ ପକ୍ଷରୁ ରବିବାର ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ସେଦିନ କେମିତି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଥିଲା, ତାହା କହିଥିଲେ ବୋର୍ଡ ସଦସ୍ୟ ଜୟା ବର୍ମା ସିହ୍ନା।

    ବୋର୍ଡ ପକ୍ଷରୁ କୁହାଯାଇଛି, ବାହାନଗା ବଜାର ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଷ୍ଟେସନ ଦେଇ ୪ଟି ଲାଇନ ଯାଇଛି। ସେଥିରୁ ଦୁଇଟି ମୁଖ୍ୟ ଲାଇନ ଥିବା ବେଳେ ସେ ଦୁଇଟି ମଝିରେ ରହିଛି। ଦୁଇ ମୁଖ୍ୟ ଲାଇନର କଡ଼ରେ ରହିଛି ଦୁଇଟି ଲୁପ୍ ଲାଇନ। ଦୁର୍ଘଟଣା ଘଟିବା ଦିନ ଉଭୟ ଲୁପ୍ ଲାଇନରେ ଦୁଇଟି ଲୁହା ପଥର ବୋଝେଇ ମାଲଗାଡ଼ି ଛିଡ଼ା ହୋଇଥିଲେ।

    ସେହି ସମୟରେ ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଚେନ୍ନାଇରୁ ହାୱଡା ଅଭିମୁଖେ ଯାଉଥିଲା ଓ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ହାୱଡା ପଟରୁ ଆସୁଥିଲା। ଉଭୟ ଟ୍ରେନ ପାଇଁ ଦୁଇଟି ଯାକ ମୁଖ୍ୟ ଲାଇନରେ ଗ୍ରୀନ୍ ସିଗ୍‌ନାଲ ଦିଆଯାଇଥିଲା। କରମଣ୍ଡଳ ଏକ୍ସପ୍ରେସ ଘଣ୍ଟାପ୍ରତି ୧୨୮ କିଲୋମିଟର ବେଗରେ ଯାଉଥିବା ବେଳେ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ଘଣ୍ଟାପ୍ରତି ୧୨୬ କିଲୋମିଟର ବେଗରେ ଯାଉଥିଲା। ଉଭୟ ଟ୍ରେନର ଘଣ୍ଟା ପ୍ରତି ବେଗ ୧୩୦ କିମି । ତେଣୁ କେହି ଅଧିକ ବେଗରେ ଯାଉ ନଥିଲେ ।

    ବୋର୍ଡ ସଦସ୍ୟ ଜୟା ବର୍ମା ସିହ୍ନା ଆହୁରି କହିଛନ୍ତି, କୌଣସି କାରଣରୁ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ଏହା ଏକ ଲୁପ୍‌ଲାଇନରେ ଥିବା ଲୁହା ପଥର ବୋଝେଇ ଟ୍ରେନ୍‌କୁ ଧକ୍କା ଦେଇଥିଲା। ହେଲେ ସେଥିରେ ଲୁହା ପଥର ଲୋଡ ହୋଇଥିବାରୁ ତାହା ହଲଚଲ ହୋଇନଥିଲା। କିନ୍ତୁ କରମଣ୍ଡଳର ବଗିଗୁଡ଼ିକ ଧକ୍କା ପରେ ଏଣେତେଣେ ପଡ଼ିଥିଲା। କରମଣ୍ଡଳର କିଛି ବଗି ଯାଇ ତୃତୀୟ ଲାଇନରେ ପଡ଼ିଥିଲା ଯେଉଁଥିରେ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ଆସୁଥିଲା। କରମଣ୍ଡଳର କିଛି ବଗି ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସର କିଛି ବଗିରେ ମାଡ଼ ହୋଇଥିଲା। ତେବେ କାବଳ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ଅନ୍ୟ ଟ୍ରେନଗୁଡ଼ିକ ଦୁର୍ଘଟଣାର ଶିକାର ହୋଇନାହାନ୍ତି।

    ସିହ୍ନା ଆହୁରି କହିଛନ୍ତି କି, ସିଗ୍‌ନାଲ ସମସ୍ୟା ଥିବା ଜଣାପଡ଼ିଛି। କିନ୍ତୁ ଏହାକୁ ସିଗନାଲ ଫେଲ୍ୟୁଅର ବୋଲି କହିବା ଠିକ୍ ନୁହେଁ।ସବିଶେଷ ତଥ୍ୟ ତଦନ୍ତ ପରେ ଜଣାପଡ଼ିବ। ତେବେ ଏସବୁ କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୂରା ତଦନ୍ତ ରିପୋର୍ଟ ନଆସିଲା ପର୍ଯ୍ୟନ୍ତ କିଛି କୁହାଯାଇପାରିବ ନାହିଁ।

    ଏଠାର ସୂଚନାଯୋଗ୍ୟ, ରେଳୱେ ବୋର୍ଡର ପ୍ରେସମିଟ ପୂର୍ବରୁ ବାହାନଗାରେ କ୍ୟାମ୍ପ କରି ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରୁଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଛି। ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ ପରିବର୍ତ୍ତନ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଆଉ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।

  • ଟ୍ରେନ ଦୁର୍ଘଟଣା: ମୃତକଙ୍କ ପିଛା ୧୦ ଲକ୍ଷ ଦେବ ଆନ୍ଧ୍ର

    ଟ୍ରେନ ଦୁର୍ଘଟଣା: ମୃତକଙ୍କ ପିଛା ୧୦ ଲକ୍ଷ ଦେବ ଆନ୍ଧ୍ର

    ବାହାନଗା ଟ୍ରେନ ଦୁର୍ଘଟଣା ଘଟଣା

    ଆନ୍ଧ୍ର ସରକାରର ଅନୁକମ୍ପା ରାଶି ଘୋଷଣା

    ମୃତକଙ୍କ ପିଛା ୧୦ ଲକ୍ଷ ଟଙ୍କା

    ଗୁରୁତର ଆହତଙ୍କୁ ୫ ଲକ୍ଷ

    ସାମାନ୍ୟ ଆହତଙ୍କୁ ମିଳିବ ୧ ଲକ୍ଷ ଟଙ୍କା

  • ସୁପ୍ରିମ କୋର୍ଟରେ ବାହାନଗା ରେଳ ଦୁର୍ଘଟଣା ମାମଲା

    ସୁପ୍ରିମ କୋର୍ଟରେ ବାହାନଗା ରେଳ ଦୁର୍ଘଟଣା ମାମଲା

    ବାଲେଶ୍ବର ବାହାନଗା ‌ରେଳ ଦୁର୍ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରି ସୁପ୍ରିମ୍‌ କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି।ସୁପ୍ରିମ୍‌ କୋର୍ଟରେ ଓକିଲାତି କରୁଥିବା ଆଡ୍‌ଭୋକେଟ୍‌ ବିଶାଳ ତିୱାରି ଏହି ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ନିଜ ଯାଚିକାରେ ସେ ଏକ କମିଶନ ଗଠନର ଦାବି କରିବା ସହ ଏହାର ଅଧ୍ୟକ୍ଷ ଦାୟିତ୍ୱ ଜଣେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତିଙ୍କୁ ଦେବାକୁ ଦାବି ଜଣାଇଛନ୍ତି।

    ଏଥିସହ ‘କବଚ’ ସୁରକ୍ଷା ବ୍ୟବସ୍ଥା ବା ‘ଅଟୋମେଟିକ୍‌ ଟ୍ରେନ୍‌ ପ୍ରୋଟେକ୍ସନ୍‌’ ଲଗାଇବା ପାଇଁ ଗାଇଡ୍‌ଲାଇନ୍‌ ଜାରି କରିବା ଲାଗି ମଧ୍ୟ ଏହି ଜନସ୍ବାର୍ଥ ମାମଲାରେ ଦାବି କରାଯାଇଛି। ଏହି ବ୍ୟବସ୍ଥା ପ୍ରଚଳନ କରାଗଲେ ଜନସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଘଟିବା ସହିତ ଦେଶରେ ରେଳ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବ ‌ବୋଲି ତିୱାରି ନିଜ ଯାଚିକାରେ କହିଛନ୍ତି।

    ସେ ତାଙ୍କ ଯାଚିକାରେ ଆହୁରି କହିଛନ୍ତି କି, ସୁପ୍ରିମ୍‌ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ବୈଷୟିକ ଜ୍ଞାନ ଥିବା ସଦସ୍ୟମାନଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିବା ପାଇଁ ସରକାର ନିର୍ଦେଶ ଦିଅନ୍ତୁ । ଏହି କମିଟି ବର୍ତ୍ତମାନର ରେଳବାଇ ବ୍ୟବସ୍ଥାରେ ଥିବା ମାନ ଓ ବିପଦର ସମୀକ୍ଷା କରିବ। ଏଥିସହ ରେଳବାଇ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଆବଶ୍ୟକ ପରିବର୍ତ୍ତନ ସଂକ୍ରାନ୍ତରେ ମଧ୍ୟ ପ୍ରସ୍ତାବ ଦେବ। ଏହାଛଡ଼ା, ଏହି କମିଟି ଅଦାଲତରେ ୨ ମାସରେ ତା’ର ରିପୋର୍ଟ ଦାଖଲ କରିବା ଦରକାର ‌ବୋଲି ଏଥିରେ ଉଲ୍ଲେଖ ରହିଛି।

  • ଛୋଟ ପୋଷାକ ପିନ୍ଧିଲେ ମନ୍ଦିରରେ ପ୍ରବେଶ ମନା, ମନ୍ଦିର କମିଟିର ନିଷ୍ପତ୍ତି

    ଛୋଟ ପୋଷାକ ପିନ୍ଧିଲେ ମନ୍ଦିରରେ ପ୍ରବେଶ ମନା, ମନ୍ଦିର କମିଟିର ନିଷ୍ପତ୍ତି

    ଏଣିକି ମଥୁରା ଓ ଆଗ୍ରାର ଅନେକ ମନ୍ଦିରରେ ଛୋଟ ପୋଷାକ ପିନ୍ଧିବା ଉପରେ କଟକଣା ଲଗାଯାଇଛି । ଏହା ସହିତ ଭକ୍ତମାନଙ୍କୁ ମନ୍ଦିରରେ ଭାରତୀୟ ପରମ୍ପରା ଅନୁଯାୟୀ ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗ୍ରାସ୍ଥିତ କୈଳାଶ ମହାଦେବ ମନ୍ଦିର ସମେତ ଅନେକ ମନ୍ଦିରରେ ଛୋଟ ପୋଷାକ ପିନ୍ଧି ମନ୍ଦିର ପରିଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆଗ୍ରା ପରି ମଥୁରାର ରାଧା ବଲ୍ଲଭଙ୍କ ସମେତ ଅନେକ ମନ୍ଦିରରେ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଛି ।

    ଭକ୍ତମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ କୁହାଯାଇଛି ଯେ, ଯଦି ସେମାନେ ମନ୍ଦିରକୁ ଆସନ୍ତି ତେବେ ସେମାନେ ଭାରତୀୟ ପରମ୍ପରା ଅନୁଯାୟୀ ପୋଷାକ ପିନ୍ଧିବା ଉଚିତ୍, ନଚେତ୍ ସେମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଦିଆଯିବ ନାହିଁ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କଠୋର ନିୟମ କରାଯାଇଛି । ଏହା ସହିତ ମନ୍ଦିର ବାହାରେ ଏ ସମ୍ପର୍କିତ ଏକ ବୋର୍ଡ ମଧ୍ୟ ରଖାଯାଇଛି, ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଛୋଟ ପୋଷାକ ପିନ୍ଧି ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ।

    ଆଗ୍ରା କୈଳାଶ ମହାଦେବ ମନ୍ଦିରର ମହନ୍ତ ପଙ୍କଜ ଗିରି ଏହା ବିଷୟରେ କହିଛନ୍ତି ଯେ, ହିନ୍ଦୁ ସଂସ୍କୃତି ଅନୁଯାୟୀ ପୋଷାକ ପିନ୍ଧି ପାରମ୍ପାରିକ ମନ୍ଦିରକୁ ଆସିବା ଉଚିତ୍ । ଯାହାଦ୍ୱାରା କାହାର ଧାର୍ମିକ ବିଶ୍ୱାସ ଆଘାତ ହେବନାହିଁ । ଏହାକୁ ଦୃଷ୍ଟିରେ ରଖି ମନ୍ଦିରରେ ଛୋଟ ପୋଷାକ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଥିସହିତ ମଥୁରାର ମନକାମେଶ୍ୱର ମହାଦେବ ମନ୍ଦିରର ମହନ୍ତ ଯୋଗେଶ ପୁରୀ ମଧ୍ୟ ତାଙ୍କ କଥାକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ପୋଷାକ ମନ୍ଦିରରେ ପ୍ରବେଶ କରିବା ପାଇଁ ଆଦର୍ଶ ବୋଲି ବିବେଚନା କରାଯାଇଛି । ତେଣୁ ଭକ୍ତମାନେ କେବଳ ଭାରତୀୟ ପୋଷାକ ପିନ୍ଧି ମନ୍ଦିରରେ ପ୍ରବେଶ କରିବା ଆବଶ୍ୟକ ।

  • କରମଣ୍ଡଳ ଦୁର୍ଘଟଣା: ଦେଶ ବିଦେଶରୁ ଛୁଟିଛି ସମବେଦନା

    କରମଣ୍ଡଳ ଦୁର୍ଘଟଣା: ଦେଶ ବିଦେଶରୁ ଛୁଟିଛି ସମବେଦନା

    ଶୁକ୍ରବାର ରାତିରେ ବାଲେଶ୍ବରରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ବିଶ୍ୱରେ ଘଟିଥିବା ବିଭିନ୍ନ ରେଳ ଦୁର୍ଘଟଣା ମଧ୍ୟରେ ଏହି ଦୁର୍ଘଟଣାକୁ ସବୁଠାକରୁ ବଡ ଦୁର୍ଘଟଣା କୁହାଯାଉଛି। ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୨୮୦ ଟପିଯାଇଥିବା ବେଳେ ବିଭିନ୍ନ ଦେଶ ପକ୍ଷରୁ ଓ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଏହି ଘଟଣାକୁ ନେଇ ଶୋକ ବ୍ୟକ୍ତ କରାଯାଇଛି। କାନଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁ ଓ ତାଇୱାନ୍‌ର ‌ରାଷ୍ଟ୍ରପତି ସିଆ ଇଙ୍ଗ୍‌-ୱେନ୍‌ଆଜି ଶୋକବ୍ୟକ୍ତ କରିଛନ୍ତି।

    କାନଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁ ଟୁଇଟ୍‌ କରି ଲେଖିଛନ୍ତି କି, ଭାରତର ଓଡ଼ିଶାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାର ଫଟୋ ଓ ରିପୋର୍ଟ ମତେ ବ୍ୟଥିତ କରିଛି। ଆତ୍ମୀୟ ସ୍ୱଜନଙ୍କୁ ହରାଇଥିବା ବ୍ୟକ୍ତିମାନଙ୍କ ପ୍ରତି ମୋର ଅନ୍ତରତମ ସମବେଦନା ରହିଛି। ଆହତମାନଙ୍କ କଥା ବି ମୁଁ ଚିନ୍ତା କରୁଛି। ଏହି ଅସୁବିଧା ସମୟରେ କାନଡାବାସୀ ଭାରତବାସୀଙ୍କୁ ସହଯୋଗ କରିବାକୁ ପ୍ରସ୍ତୁତ ଥିବା କାନଡା ପ୍ରଧାନମନ୍ତ୍ରୀ କହିଛନ୍ତି।

    ସେହିପରି ତାଇୱାନ୍‌ର ରାଷ୍ଟ୍ରପତି ସିଆ ଇଙ୍ଗ୍‌-ୱେନ୍‌ ବାହାନଗା ରେଳ ଦୁର୍ଘଟଣା ପାଇଁ ଶୋକବ୍ୟକ୍ତ କରିଛନ୍ତି। ୱେନ ଟୁଇଟ୍‌ ‌କରି କହିଛନ୍ତିକି,  ଭାରତରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କ ପାଇଁ ପ୍ରାର୍ଥନା କରୁଛି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା। ଆଶା ଉଦ୍ଧାର ଅଭିଯାନ ସମସ୍ତଙ୍କର ଆବଶ୍ୟକ ପୂରଣ କରିବ।

    ନେପାଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଟୁଇଟ୍‌ କରାଯାଇଛି,  ଆଜି ଓଡ଼ିଶାରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାରେ ବହୁଯାତ୍ରୀଙ୍କ ଜୀବନହାନି ଘଟଣା ମୋତେ ମର୍ମାହତ କରିଛି। ଏହି ଦୁଃଖଦ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଓ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ରହିଛି।

    ସେହିପରି, କ୍ରିକେଟର ବିରାଟ କୋହଲି ଟୁଇଟ୍‌ କରି ଶୋକବ୍ୟକ୍ତ କରିଛନ୍ତି। ବିରାଟ କହିଛନ୍ତି କି, ଓଡ଼ିଶାରେ ଘଟିଥିବା ଭୟାବହ ଟ୍ରେନ୍‌ ଦୁର୍ଘଟଣା କଥା ଶୁଣି ଦୁଃଖିତ। ଆତ୍ମୀୟ ସ୍ୱଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ରହିଛି ଓ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି।

    ଅଭିନେତ୍ରୀ ପରିଣୀତି ଚୋପ୍ରା ମଧ୍ୟ ଏହି ଏହି ଟ୍ରେନ୍‌ ଦୁର୍ଘଟଣାରେ ଶୋକବ୍ୟକ୍ତ କରି ‌ଟୁଇଟ୍‌ କରିଛନ୍ତି। ସେ ଟୁଇଟରରେ ଉଲ୍ଲେଖ କରିଛନ୍ତି କି, ଓଡ଼ିଶାରେ ଘଟିଥିବା ଏହି ଭୟାଙ୍କର ରେଳ ଦୁର୍ଘଟଣାରେ ପ୍ରଭାବିତ ‌ହୋଇଥିବା ସମସ୍ତଙ୍କ ପାଇଁ ମୋର ପ୍ରାର୍ଥନା। ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଈଶ୍ବର ସମସ୍ତଙ୍କର ମଙ୍ଗଳ କରନ୍ତୁ।

    ସଲ୍‌ମାନ୍‌ ଖାଁ ଟୁଇଟ କରି ଲେଖିଛନ୍ତି କି, ଦୁର୍ଘଟଣା ବିଷୟରେ ଶୁଣି ଅତ୍ୟନ୍ତ ମର୍ମାହତ। ଏହି ଦୁଃଖଦ ଦୁର୍ଘଟଣାରେ ମୃତବ୍ୟକ୍ତିମାନଙ୍କ ଆତ୍ମାକୁ ଈଶ୍ବର ଶାନ୍ତି ପ୍ରଦାନ କରନ୍ତୁ। ସେମାନଙ୍କ ପରିବାରବର୍ଗଙ୍କୁ ରକ୍ଷା କରନ୍ତୁ ଓ ଦୁଃଖ ସହିବାକୁ ସାମର୍ଥ୍ୟ ପ୍ରଦାନ କରନ୍ତୁ।

    ସେହିପରି ଅଭିନେତା ଅକ୍ଷୟ କୁମାର ମଧ୍ୟ ଶୋକବ୍ୟକ୍ତ କରି ଟୁଇଟରରେ ଉଲ୍ଲେଖ କରିଛନ୍ତି କି, ଓଡ଼ିଶାରେ ଘଟିଥିବା ଭୟାବହ ଟ୍ରେନ୍‌ ଦୁର୍ଘଟଣାର ଫଟୋ/ଭିଡିଓ ଦେଖି ମର୍ମାହତ। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏହି ଦୁଃଖଦ ସମୟରେ ପ୍ରଭାବିତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି।

  • କରମଣ୍ଡଳ ଦୁର୍ଘଟଣା: ବହୁ ରେଳ ଚଳାଚଳ ବାତିଲ, ୯ର ରୁଟ ପରିବର୍ତ୍ତନ

    କରମଣ୍ଡଳ ଦୁର୍ଘଟଣା: ବହୁ ରେଳ ଚଳାଚଳ ବାତିଲ, ୯ର ରୁଟ ପରିବର୍ତ୍ତନ

    ବାହାନଗା ନିକଟରେ ହୋଇଥିବା ଭୟଙ୍କର  ରେଳ ଦୁର୍ଘଟଣା ଏହି ରୁଟରେ ରେଳ ଚଳାଚଳକୁ ପ୍ରଭାବିତ କରିଛି। ବାଲେଶ୍ୱର ରୁଟରେ ଶନିବାର ଏକାଧିକ ଏକ୍ସପ୍ରେସ ସହ ପାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି। ୯ ଟ୍ରେନର ଗତିପଥରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଆଉ ୬ଟି ଟ୍ରେନର ଆଂଶିକ ରୁଟ୍ ଡାଇଭର୍ଟ ହୋଇଛି ।

    ବାତିଲ ଟ୍ରେନରେ ରହିଛି  18044 ଭଦ୍ରକ-ହାୱଡା ଏକ୍ସପ୍ରେସ୍, 20890 ତିରୁପତି-ହାୱଡା ଏକ୍ସପ୍ରେସ୍, 12551 ବାଙ୍ଗାଲୋର-କାମାକ୍ଷା ସୁପରଫାଷ୍ଟ,12864 ବାଙ୍ଗାଲୋର-ହାୱଡ଼ା ଏକ୍ସପ୍ରେସ୍ ,12253 ବାଙ୍ଗାଲୋର-ଭାଗଲପୁର ଅଙ୍ଗ ଏକ୍ସପ୍ରେସ୍, 08411 ବାଲେଶ୍ୱର-ଭୁବନେଶ୍ୱର ସ୍ପେଶାଲ, 08415/08416 ଜେନାପୁର-ପୁରୀ-ଜେନାପୁର, 08439 ପୁରୀ-ପାଟନା ସ୍ପେଶାଲ ,12666 କନ୍ୟାକୁମାରୀ-ହାୱଡା ଏକ୍ସପ୍ରେସ୍ ,08031 ବାଲେଶ୍ୱର-ଭଦ୍ରକ ସ୍ପେଶାଲ, 08032 ଭଦ୍ରକ-ବାଲେଶ୍ୱର ସ୍ପେଶାଲ,08063 ଖଡଗପୁର-ଭଦ୍ରକ ସ୍ପେଶାଲ୍ ଟ୍ରେନ।

    ସେହିପରି 08064 ଭଦ୍ରକ-ଖଡଗପୁର ସ୍ପେଶାଲ୍,18045 ଶାଲିମାର-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ,20889 ହାୱଡା-ତିରୁପତି ଏକ୍ସପ୍ରେସ,12245 ହାୱଡା-ବାଙ୍ଗାଲୋର ଦୁରୋନ୍ତୋ ଏକ୍ସପ୍ରେସ,12703 ହାୱଡା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ,22895 ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ,2896 ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍,18038 ଯାଜପୁର କେନ୍ଦୁଝର ରୋଡ-ଖଗଡପୁର ଏକ୍ସପ୍ରେସ, 12891 ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ୍, 22890 ପୁରୀ-ଦୀଘା ଏକ୍ସପ୍ରେସ୍ ଓ 22889ଦୀଘା-ପୁରୀ ଏକ୍ସପ୍ରେସ୍।

    ଅନ୍ୟପଟେ ଗତିପଥ ବଦଳା ହୋଇଥିବା ଟ୍ରେନ ଗୁଡ଼ିକ ହେଲା- ଜୟନଗର-ପୁରୀ ଏକ୍ସପ୍ରେସ୍ 18420 ଜଖପୁରା ଦେଇ ଯିବ। ସେହିପରି ସିଲଘଟ ଟାଉନ-ତମ୍ବାମ୍ବର ଏକ୍ସପ୍ରେସ 15630 ରାଉରକେଲା ଦେଇ ଯିବ। ପାଟନା ଏର୍ଣ୍ଣାକୁଲମ ଏକ୍ସପ୍ରେସ 22644 ରାଉରକେଲା ଦେଇ ଯିବ।

    ଟ୍ରେନ ଦୁର୍ଘଟଣା ହେବା ପର ଗତକାଲି ରାତି ଠାରୁ ଏବେ ଯାଏଁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମବାହିନୀ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।  ସନ୍ଧାନୀ କୁକୁର ସହାୟତାରେ ଦୁର୍ଘଟଣାଗ୍ରସ୍ତ ଟ୍ରେନରୁ ମୃତାହତମାନଙ୍କୁ ବାହାର କରିବାକୁ ଚେଷ୍ଟା କରାଯାଉଛି। ଉଦ୍ଧାର କାର୍ଯ୍ୟ ସରିବାପରେ ଟ୍ରାକ୍ ମରାମତି କରାଯିବ। ଟ୍ରାକ୍ ମରାମତି ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ରେଳ ମନ୍ତ୍ରୀ ଅଶ୍ୱି ବୈଷ୍ଣବ ସୂଚନା ଦେଇଛଦନ୍ତି।   

     ଆଜି ସାରା ତାମିଲନାଡୁରେ ଦିନିକିଆ ଶୋକ ପାଳନ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ସୂଚନା ଦେଇଛନ୍ତି। ସେହିପରି ଆଜି ଓଡ଼ିଶାରେ ମଧ୍ୟ ଦିନିକିଆ ଶୋକ ପାଳନ କରାଯିବ। ଆଜି ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଛନ୍ତି।

    ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ସ୍ଥିତି ସମୀକ୍ଷା ପରେ ରେଳ ମନ୍ତ୍ରୀ କହିଛନ୍ତି, ଦୁର୍ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ବର୍ତ୍ତମାନ ସମୟରେ ଉଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି। ଆହତ ଯାତ୍ରୀଙ୍କୁ ଉତ୍ତମ ଚିକତ୍ସା ଯୋଗାଇଦେବାକୁ ପ୍ରୟାସ କରାଯାଉଛି। ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବ। ରେଲ୍ ସେଫ୍ଟି କମିଶନ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବ। ଦୁର୍ଘଟଣାର ମୂଳ କାରଣ ଖୋଜାଯିବ। ଉଦ୍ଧାର କାର୍ଯ୍ୟ ଶୀଘ୍ର ସାରି ରେଳ ଚଳାଚଳ ସ୍ୱାଭାବିକ କରାଯିବ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାଲେଶ୍ୱର ଦୁର୍ଘଟଣାସ୍ଥଳୀ ପରିଦର୍ଶନା କରିବା ସହ କଟକ ମେଡିକାଲରେ ପହଞ୍ଚି ସ୍ଥିତି ପରଖିବାର ସୂଚନା ଥିବା ବେଳେ ଆଜି ପୂର୍ବାହ୍ନରେ ଗୃହମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ସହ ଭର୍ଚୁଆଲମୋଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି।

  • ବାଜିଲା ମୋହର, ପୂରଣ ହେବ କର୍ଣ୍ଣାଟକ ସରକରାଙ୍କ ୫ ଗ୍ୟାରେଣ୍ଟି

    ବାଜିଲା ମୋହର, ପୂରଣ ହେବ କର୍ଣ୍ଣାଟକ ସରକରାଙ୍କ ୫ ଗ୍ୟାରେଣ୍ଟି

    କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା ଶୁକ୍ରବାର ଦିନ ସମସ୍ତ ପାଞ୍ଚଟି ଗ୍ୟାରେଣ୍ଟି କାର୍ଯ୍ୟକାରୀ କରିବାକୁ ଅନୁମୋଦନ କରିଛନ୍ତି । ଏହାପୂର୍ବରୁ ସମସ୍ତ ପାଞ୍ଚଟି ଯୋଜନାକୁ କ୍ୟାବିନେଟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଚଳିତ ଆର୍ଥିକ ବର୍ଷରେ ସମସ୍ତ ପାଞ୍ଚଟି ଗ୍ୟାରେଣ୍ଟି କାର୍ଯ୍ୟକାରୀ ହେବ ବୋଲି ସିଦ୍ଧାରମୈୟା କହିଛନ୍ତି । କୌଣସି ଜାତି କିମ୍ବା ଧର୍ମର କୌଣସି ଭେଦଭାବ ହେବ ନାହିଁ । ଏଥିସହ ଡେପୁଟି ସିଏମ ଡି.କେ ଶିବକୁମାର କହିଛନ୍ତି ଯେ ଆମେ ୫ଟି ଗ୍ୟାରେଣ୍ଟି କାର୍ଯ୍ୟକାରୀ କରିବାକୁ ଯାଉଛୁ । ଆମେ ସମୟସୀମା ଦେଇଛୁ । ଆମେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସାମ୍ନାରେ ସାଇନ୍ କରିଛୁ, ଆମେ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଯାଉଛୁ ।

    କର୍ଣ୍ଣାଟକ ସରକାର ଆକଳନ କରିଛନ୍ତି ଯେ, ଏହି ଯୋଜନା କାର୍ଯ୍ୟକାରୀ ହେଲେ ପ୍ରତିବର୍ଷ ପ୍ରାୟ ୫୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ । ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଜନସାଧାରଣଙ୍କୁ ପାଞ୍ଚଟି ଗ୍ୟାରେଣ୍ଟି ଦେଇଥିଲା ।

    • କଂଗ୍ରେସ ଦେଇଥିବା ସେହି ପାଞ୍ଚୋଟି ଗ୍ୟାରେଣ୍ଟି

    ୧. ଗୃହଲକ୍ଷ୍ମୀ ଯୋଜନା ଅଧୀନରେ ୨୦୦ ୟୁନିଟ ଫ୍ରି ବିଜୁଳି

    ୨. ପ୍ରତ୍ୟେକ ପରିବାରର ମହିଳା ମୁଖ୍ୟଙ୍କୁ ଗୃହଲକ୍ଷ୍ମୀ ଯୋଜନା ଅଧୀନରେ ମାସିକ ୨ ହଜାର ଟଙ୍କାର ସହାୟତା ।

    ୩. ଆନ୍ନ ଭାଗିଆ ଯୋଜନା ଅଧୀନରେ ବିପିଏଲ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ୧୦ କିଲୋଗ୍ରାମ ଚାଉଳ ମାଗଣା ।

    ୪. ଯୁବା ନିଧି ଯୋଜନା ଅଧୀନରେ ୧୮ରୁ ୨୫ ବର୍ଷର ବେରୋଜଗାର ସ୍ନାତକ ଯୁବକ ମାନେ ମାସକୁ ତିନି ହଜାର ଟଙ୍କା ପାଇବେ । ବେକାର ଡିପ୍ଲୋମାଧାରୀଙ୍କ ପାଇଁ ୧୫୦୦ ଟଙ୍କା ।

    ୫. ଶକ୍ତି ଯୋଜନା ଅଧୀନରେ ସର୍ବସାଧାରଣ ପରିବହନ ବସରେ ମହିଳା ମାନଙ୍କ ପାଇଁ ମାଗଣା ଯାତ୍ରା ।

    • ହିତାଧିକାରୀ ମାନେ ଗୃହଲକ୍ଷ୍ମୀ ଯୋଜନା ପାଇଁ ସେମାନଙ୍କର ଆଧାର ବିବରଣୀ ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଅନଲାଇନରେ ଦାଖଲ କରିବା ଆବଶ୍ୟକ । ଜୁନ୍ ୧୫ରୁ ଜୁଲାଇ ୧୫ ପର୍ଯ୍ୟନ୍ତ ଆବେଦନ କରିବାକୁ ପଡିବ । ଏହି ରାଶି ଅଗଷ୍ଟ ୧୫ରେ ମହିଳାଙ୍କ ଆକାଉଣ୍ଟରେ ଜମା ହେବ ।
    • ଅନ୍ନ ଭାଗିଆ ଯୋଜନା ଅଧୀନରେ ଜୁଲାଇ ୧ରୁ ସମସ୍ତ ବିପିଏଲ୍ ଏବଂ ଆନ୍ତୋଦୟ କାର୍ଡଧାରୀ ମାନଙ୍କୁ ୧୦ କିଲୋଗ୍ରାମ ଖାଦ୍ୟ ଶସ୍ୟ ପାଇବେ ।
    • ଗୃହ ଶକ୍ତି ଯୋଜନା ଜୁନ୍ ୧୧ରେ ଆରମ୍ଭ ହେବ, ଯେଉଁଥିରେ ଏସି ବସ୍ ଏବଂ ଏସି ନଥିବା ସ୍ଲିପର ବସ୍ ବ୍ୟତୀତ ସମସ୍ତ ମହିଳା ରାଜ୍ୟର ସମସ୍ତ ସରକାରୀ ବସରେ ମାଗଣା ଯାତ୍ରା କରିପାରିବେ ।
    • ଯୁବାନିଧି ଯୋଜନା ଅନୁଯାୟୀ, ୨୦୨୨-୨୩ରେ ସ୍ନାତକୋତ୍ତର ସମାପ୍ତ କରିଥିବା ବ୍ୟକ୍ତିଙ୍କୁ ମାସିକ ୩୦୦୦ ଟଙ୍କା ଏବଂ ବେକାର ଡିପ୍ଲୋମାଧାରୀଙ୍କୁ ମାସକୁ ୧୫୦୦ ଟଙ୍କା ବଣ୍ଟନ କରାଯିବ ।
  • ରାଜସ୍ଥାନ: ଉପଭୋକ୍ତାଙ୍କୁ ମାସକୁ ଶହେ ୟୁନିଟ୍ ମାଗଣା ବିଜୁଳି !

    ରାଜସ୍ଥାନ: ଉପଭୋକ୍ତାଙ୍କୁ ମାସକୁ ଶହେ ୟୁନିଟ୍ ମାଗଣା ବିଜୁଳି !

    ଦିଲ୍ଲୀ,କର୍ଣ୍ଣାଟକ ପରେ ଏବେ ରାଜସ୍ଥାନରେ ସେହି ଫର୍ମୁଲା । ମାନେ ଲୋକଙ୍କୁ ମାଗଣା ବିଜୁଳି ପ୍ରଦାନ କରିବା । ଆସନ୍ତାବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅଛି । ତେଣୁ ଏହାକୁ ଆଖି ଆଗରେ ରଖି ଏବେଠୁ ଅଣ୍ଟା ଭିଡିଲେଣି କଂଗ୍ରେସ ସରକାର । ଜୁନ୍ ୧ ତାରିଖରୁ ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ପ୍ରତି ମାସରେ ଘର ପିଛା ଶହେ ୟୁନିଟ୍ ଲେଖାଏଁ ମାଗଣା ବିଜୁଳି ଦିଆଯିବ ।

    ପୂର୍ବରୁ ଆପ୍‌ ଏବଂ କଂଗ୍ରେସ୍‌, ଦିଲ୍ଲୀ ଏବଂ କର୍ଣ୍ଣାଟକରେ ଏଭଳି ଘୋଷଣା କରି ବହୁମତ ହାସଲ କରିଥିଲେ । ତେଣୁ ଗେହଲଟ ସରକାର ଏବେ ଭାଗ୍ୟ ଉପରେ ନିର୍ଭର କରିଛନ୍ତି । ଲୋକେ ମାଗଣା ବିଜୁଳି ନେଇ କଂଗ୍ରେସକୁ ଭୋଟ୍ ଦେବେ । ପୁଣି ଥରେ ଅଶୋକ ଗେହଲଟ ଏହି ଶାସନରେ ବସିବେ, ତେଣୁ ଏଭଳି ଫର୍ମୁଲାକୁ ଆପଣେଇଛନ୍ତି ରାଜସ୍ଥାନ ସରକାର । ଏହାଦ୍ୱାରା ପ୍ରାୟ କୋଟିଏ ଘରୋଇ ବିଦ୍ୟୁତ୍‌ ଉପଭୋକ୍ତା ଉପକୃତ ହେବେ ବୋଲି ରାଜ୍ୟ ସରକାର କହିଛନ୍ତି ।

    ଏହି ବିଲ୍‌ ଏବେ ରାଜ୍ୟ ବଜେଟରେ ପାସ୍‌ ହେବା ପରେ ଆଇନରେ ପରିଣତ ହେବ । ତେଣୁ ସ୍କିମ୍ ଲାଗୁହେଲେ ଗେହଲଟ ସରକାରଙ୍କୁ ପ୍ରାୟ ୫,୨୦୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଉଠାଇବାକୁ ପଡ଼ିବ । ରାଜ୍ୟରେ ସମୁଦାୟ ଘରୋଇ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସଂଖ୍ୟା ରହିଛି ୧.୨୪ କୋଟି । ଜଣେ ବ୍ୟକ୍ତି ଏକାଧିକ ବିଦ୍ୟୁତ୍‌ ସଂଯୋଗ ନେବାକୁ ଅନୁମତି ପାଇଥିଲେ ସେମାନଙ୍କ ଆଧାର କାର୍ଡ ଯାଞ୍ଚ କରାଯିବ । ଯଦି ଏକ ପରିବାରର ଏକାଧିକ ବ୍ୟକ୍ତି ନିଜ ଆଧାର କାର୍ଡ ହିସାବରେ ଅଧିକ ସଂଯୋଗ ମାଗନ୍ତି, ତେବେ ତାହା ମିଳିପାରିବ ବୋଲି ସୂଚନା ମିଳିଛି । ନିଜ ନିଜ ନାଁ ପଞ୍ଜିକୃତ କରି ଉପଭୋକ୍ତା ଏଭଳି ଯୋଜନାର ଫାଇଦା ନେଇପାରିବେ ।

    ଏହି ଯୋଜନାର ଲାଭ ଉଠାଇବା ପାଇଁ ଏଯାବତ ୭୬ ଲକ୍ଷ ଉପଭୋକ୍ତା ନିଜ ନାମ ପଞ୍ଜିକରଣ କରିସାରିଲେଣି । ଶହେ ୟୁନିଟରୁ ଅଧିକ ବିଦ୍ୟୁତ୍‌ ବ୍ୟବହାର କରିବାକୁ ଚାହୁଁଥିଲେ ଏକ ନିର୍ଦ୍ଦିଷ୍ଟ ପରିମାଣର ସବସିଡି ପାଇପାରିବେ । ସେପଟେ, ଯୋଜନାର ଅପବ୍ୟବହାର ଏବଂ ବିଦ୍ୟୁତ୍‌ ଚୋରି ଉପରେ ନଜର ରଖିବାକୁ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି ।

  • ମଧ୍ୟପ୍ରଦେଶ: ଗଛକୁ ପିଟି ଜଳିଗଲା କାର୍, ୪ ଜୀବନ୍ତ ଦଗ୍ଧ

    ମଧ୍ୟପ୍ରଦେଶ: ଗଛକୁ ପିଟି ଜଳିଗଲା କାର୍, ୪ ଜୀବନ୍ତ ଦଗ୍ଧ

    ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ କାର୍‌ ଗଛରେ ପିଟି ହେବା ପରେ ଘଟଣାସ୍ଥଳରେ ହିଁ ଜଳିଯାଇଥିଲା । କାର୍‌ରେ ଥିବା ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

    ଆଜି ସକାଳେ କାର୍‌ଟି ହରଦା ଜିଲ୍ଲା ଦେଇ ଯାଉଥିଲା । ନୌସର ଗାଁ ଅତିକ୍ରମ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଡ୍ରାଇଭରଜଣକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ତେଣୁ ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ଖୁବ୍‌ ଜୋରରେ ପିଟି ହୋଇଥିଲା । ସଙ୍ଗେ ସଙ୍ଗେ କାର୍‌ଟି ହୁତୁହୁତୁ ହୋଇ ଜଳିଗଲା । ଦୁର୍ଘଟଣା ପରେ ଆଖି ପିଛୁଳାକେ କାରଟି ଜଳିଯାଇଥିଲା । ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା । ସ୍ଥାନୀୟ ଲୋକେ ବହୁ ଚେଷ୍ଟା କରି ବି କାର୍‌ ଭିତରୁ କାହାରିକୁ ଉଦ୍ଧାର କରିପାରିନଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚିଥିଲେ । ଶେଷରେ ନିଆଁକୁ ଆୟତ୍ତ କରିଥିଲେ । କାର୍‌ରେ ଥିବା ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

    ମୃତକମାନେ ହେଲେ ଅଖିଳେଶ କୁଶୱାହା, ଗୋଲୁ ଚୌଧୁରୀ, ରାକେଶ କୁଶୱାହା ଏବଂ ତାଙ୍କ ପତ୍ନୀ ଶିବାନୀ । ସେମାନେ ସମସ୍ତେ ବରକଳା ଚରଖେଡ଼ା ଗାଁ ବାସିନ୍ଦା । ସମସ୍ତଙ୍କ ବୟସ ୨୫ରୁ ୩୦ ବର୍ଷ ହେବ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କମ୍ୟୁନିଟି ସେଣ୍ଟର ପଠାଇଛି । ମୃତକଙ୍କ ସମ୍ପର୍କୀୟମାନଙ୍କୁ ମଧ୍ୟ ସୂଚନା ଦିଆଯାଇଥିବା ପୋଲିସ କହିଛି ।

  • ହୋଟେଲରେ ଗୋଟେ ଦିନ ରହିଲେ ଦେବାକୁ ପଡିବ ୧୦ ଲକ୍ଷ ଟଙ୍କା !

    ହୋଟେଲରେ ଗୋଟେ ଦିନ ରହିଲେ ଦେବାକୁ ପଡିବ ୧୦ ଲକ୍ଷ ଟଙ୍କା !

    ଟ୍ରାଭେଲ ୱେବସାଇଟ୍ ଟ୍ରିପ ଆଡଭାଇଜର ଦ୍ୱାରା ପ୍ରକାଶିତ ସଦ୍ୟତମ ତାଲିକା ଅନୁଯାୟୀ ଜୟପୁରର ଉତ୍କୃଷ୍ଟ ରାମବାଗ ପ୍ୟାଲେସକୁ ବିଶ୍ୱର ସର୍ବୋତ୍ତମ ହୋଟେଲ ଭାବରେ ସମ୍ମାନିତ କରାଯାଇଛି। ଜୟପୁରର ରାମବାଗ ପ୍ୟାଲେସ୍, ଟାଟା ଗ୍ରୁପ୍ ମାଲିକାନା, ଟ୍ରାଭେଲ୍ ପ୍ଲାଟଫର୍ମ ତାଲିକାରେ ଟ୍ରାଭେଲର୍ ଚଏସ୍ ବେଷ୍ଟ ଅଫ୍ ହୋଟେଲ 2023 ର ଶୀର୍ଷ ସ୍ଥାନ ପାଇଲା । କିନ୍ତୁ ରାମବାଗ ପ୍ୟାଲେସ୍ ଭଳି ଏକ ବାସଗୃହରେ ରହିବା । ମୂଲ୍ୟ ଏହି ଶୀର୍ଷ ମାନ୍ୟତା ପ୍ରାପ୍ତ ଏୈତିହ୍ୟ ହୋଟେଲ ଏକ ରହଣି ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିଥାନ୍ତି । ଯାତ୍ରୀଙ୍କ ପାଇଁ ଶ୍ରେଷ୍ଠ ହୋଟେଲର ଦଶଟିକିଆ ତାଲିକାରେ ‘ଜୟପୁରର ରତ୍ନ’ ଭାବେ ପରିଚିତ ରାମବାଗ ପ୍ୟାଲେସ ଭାରତର ଏକମାତ୍ର ହୋଟେଲ ଭାବେ ସ୍ଥାନ ପାଇ ଦେଶ ପାଇଁ ଗର୍ବର ବିଷୟ ହୋଇଛି। ରାମବାଗ ପ୍ୟାଲେସ୍‌ର ସବୁଠାରୁ ରାଜକୀୟ ଢଙ୍ଗରେ ରହିବାକୁ ଚାହୁଁଥିଲେ ଆପଣଙ୍କୁ ଦିନକୁ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଅବଶ୍ୟ ଅନ୍ୟ କୋଠରିରେ ରହିବା ପାଇଁ ଦିନକର ଭଡ଼ା ହେଉଛି ୩୦ ହଜାରରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ। ଉକ୍ତ ତାଲିକାର ଦ୍ବିତୀୟ ସ୍ଥାନରେ ମାଳଦ୍ବୀପର ବୋଲୁଫୁସି ସ୍ଥିତ ‘ଓଜନ ରିଜର୍ଭ’ ଓ ତୃତୀୟରେ ବ୍ରାଜିଲର ଗ୍ରାମାଡୋ ସ୍ଥିତ ‘କଲିନ୍‌ ଡି ଫ୍ରାନ୍‌ସ’ ରହିଛି। ତାହା ପଛକୁ ପଛ ଲଣ୍ଡନ ସ୍ଥିତ ‘ସଂଗ୍ରିଲା ଦି ସାର୍ଦ’, ହଂକଂ ସ୍ଥିତ ‘ଦି ରିଜ୍‌-କାର୍ଲଟନ୍‌’, ଦୁବାଇ ସ୍ଥିତ ‘ଜେଡବଲ୍ୟୁ ମାରିଅଟ୍‌ ମାର୍କ୍ବିସ’, ତୁର୍କୀର ଇସ୍ତାନବୁଲ ସ୍ଥିତ ‘ରୋମାନ୍‌ସ ଇସ୍ତାନବୁଲ’, ଗ୍ରିସ୍‌ର ଡାଜିଆ ସ୍ଥିତ ‘ଆଇକସ ଡାଜିଆ’, ସ୍ପେନ୍‌ର ଇଷ୍ଟେପୋନା ସ୍ଥିତ ‘ଆଇକସ ଆଣ୍ଡାଲୁସିଆ’ ଓ ଇଣ୍ଡୋନେସିଆର ପୁହୁ ସ୍ଥିତ ‘ପଦ୍ମା ରିସର୍ଟ ଉବୁଦ’ ହୋଟେଲ ରହିଛନ୍ତି।