Category: ଦେଶ-ବିଦେଶ

  • ବିପର୍ଯ୍ୟୟ ସମୟରେ ଜନ୍ମ ନେଲେ ୭୦୭ ଶିଶୁ

    ବିପର୍ଯ୍ୟୟ ସମୟରେ ଜନ୍ମ ନେଲେ ୭୦୭ ଶିଶୁ

    ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ପ୍ରକୋପରେ ଗୁଜରାଟ ଥରହର ହେଉଥିବା ବେଳେ ସେହି ରାତିରେ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ୭୦୭ ଶିଶୁ ଜନ୍ମ ଗ୍ରହଣ କରିଥିବା ସରକାରୀ ତଥ୍ୟରୁ ଜଣାପଡିଛି। ସାମୁଦ୍ରିକ ବାତ୍ୟା ଯୋଗୁଁ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବା ଅଞ୍ଚଳରୁ ସ୍ଥାନାନ୍ତରଣରେ ଆସିଥିବା ଆସନ୍ନପ୍ରସବାମାନେ ଏହି ଶିଶୁମାନଙ୍କୁ ଜନ୍ମ ଦେଇଛନ୍ତି।

    ସୂଚନାଯୋଗ୍ୟ, ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରୁ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା। ବାତ୍ୟା ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ଗଛବୃଚ୍ଛ ଓ ବିଜୁଳି ଖୁଣ୍ଟ ଉପୁଡ଼ି, ଘରଦ୍ବାର ଭାଙ୍ଗି ଅନେକ କ୍ଷୟକ୍ଷତି ହୋଇଥିଲା। ତେବେ ଆଶ୍ବସ୍ତିର ବିଷୟ କି ଏହି ବିପର୍ଯ୍ୟୟ ବାତ୍ୟାରେ କାହାରି ମୃତ୍ୟୁ ଘଟିନାହିଁ।

    ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ଦ୍ବାରା ବିଶେଷ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଥିବା ୮ଟି ଜିଲ୍ଲାରୁ ୧,୧୭୧ ଅନ୍ତଃସତ୍ତ୍ବା ମହିଳାଙ୍କ ମଧ୍ୟରୁ ପ୍ରଶାସନ ପ୍ରାୟ ୧,୧୫୨ଜଣଙ୍କୁ ସ୍ଥାନାନ୍ତରଣ କରିଥିଲା। ବାତ୍ୟା ଦିନ ସେମାନଙ୍କ ମଧ୍ୟରୁ ୭୦୭ଜଣ ମହିଳା  ପ୍ରସବ କରିଥିବା ସରକାରୀ ବିବୃତିରୁ ଜଣାପଡ଼ିଛି।

    ତେବେ ଏହି ଅନ୍ତସତ୍ତ୍ୱାଙ୍କ ମଧ୍ୟରୁ ସର୍ବାଧିକ ସ୍ଥାନାନ୍ତରିତ ହୋଇଥିଲେ କଚ୍‌ ଜିଲ୍ଲାରୁ। ସେମାନଙ୍କ ମଧ୍ୟରୁ ୩୪୮ଜଣ ସନ୍ତାନ ପ୍ରସବ କରିଛନ୍ତି। ସେହିପରି, ରାଜକୋଟ ଜିଲ୍ଲାର ୧୦୦ ଜଣ ଓ ଦେବଭୂମି ଦ୍ବାରକାର ୯୩ଜଣ ଅନ୍ତଃସତ୍ତ୍ବା ମହିଳା ମଧ୍ୟ ବାତ୍ୟା ସମୟରେ ସନ୍ତାନ ପ୍ରସବ କରିଛନ୍ତି।

    ଏହି ବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଗୁଜରାଟ ହସ୍ପିଟାଲ୍‌ ଓ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଉପରୋକ୍ତ ୭୦୭ ଜଣ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି। ଏହି ଆପତ୍ତକାଳରେ ରାଜ୍ୟ ସରକାରର ୩୦୨ଟି ସରକାରୀ ଗାଡ଼ି ଓ ୨୦୨ଟି ଆମ୍ବୁଲାନ୍‌ସ୍‌ ଦିନରାତି କାମରେ ଲାଗିଥି‌ଲା। ପ୍ରତି ଗାଡ଼ିରେ ଡାକ୍ତରଖାନା କର୍ମଚାରୀ ନିୟୋଜିତ ଥିଲେ।

    ବାତ୍ୟା ବିପର୍ଯ୍ୟୟରେ ଶତାଧିକ ବିଦ୍ୟୁତ ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୦୦୦ରୁ ଅଧିକ ଗାଁରେ ବିଜୁଳି ସରବରାହ ବ୍ୟାହତ ହୋଇଛି। ବାତ୍ୟାରେ କୌଣସି ଜୀବନ ହାନୀ ହୋଇନଥିବାରୁ ଏହାକୁ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଦିଗରେ ଏକ ବଡ ଉପଲବ୍ଧି ବୋଲି କୁହାଯାଉଛି।  କିନ୍ତୁ ବାତ୍ୟା ଯୋଗୁଁ ୨୩ ଜଣ ଲୋକ ଆହତ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଶହ ଶହ ଘର ଭାଙ୍ଗିଯାଇଛି ।

    ଗୁରୁବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରୁ ଆରମ୍ଭ ହୋଇ ଶୁକ୍ରବାର ରାତି ପ୍ରାୟ ସାଢ଼େ ୨ଟା ପର୍ଯ୍ୟନ୍ତ ଚାଲିଥିଲା ସାମୁଦ୍ରିକ ଝଡ଼। ଏହି ସମୟରେ ସମଗ୍ର କଚ୍ଛ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା। ବାତ୍ୟା ଯୋଗୁଁ ଘଣ୍ଟା ପ୍ରତି ୧୪୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଯୋଗୁଁ ବହୁ ସଂଖ୍ୟାରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବା ସହ ତଳିଆ ଗାଁଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ବି ଗୁଜରାଟର କେତେକ ସ୍ଥାନରେ ବର୍ଷା ଓ ପବନ ଜାରି ଥିବାବେଳେ ରାଜସ୍ଥାନରେ ବି ମୁଷଳ ବର୍ଷା ହେଉଛି ।

  • ହଜାର ଫୁଟ ଉଚ୍ଚରେ ଉଡୁଥିବା ବିମାନର ଫିଟିଗଲା ଜରୁରୀକାଳୀନ ଦ୍ୱାର

    ହଜାର ଫୁଟ ଉଚ୍ଚରେ ଉଡୁଥିବା ବିମାନର ଫିଟିଗଲା ଜରୁରୀକାଳୀନ ଦ୍ୱାର

    ବ୍ରାଜିଲର ଏକ ଯାତ୍ରୀବାହୀ ବିମାନ ହଜାର ଫୁଟ ଉଚ୍ଚରେ ଉଡ଼ିବା ସମୟରେ ତାର ଜରୁରୀକାଳୀନ କବାଟ ଖୋଲିଯାଇଥିଲା। ଫଳରେ ବିମାନ ଭିତରେ ଖେଳିଯାଇଥିଲା ଆତଙ୍କ।  ବିମାନଟି ସାଓ ଲୁଇସରୁ ସାଲଭାଡୋର ଅଭିମୁଖେ ଯାତ୍ରା ଆରମ୍ଭ କରିବାର ୩୦ ମିନିଟ ପରେ ସୋମବାର ଏହି ଘଟଣା ଘଟିଥିବା ବେଳେ ଶୁକ୍ରବାର ଦ ଡେଲି ମେଲରେ ରିପୋର୍ଟ ପ୍ରକାଶ ପାଇଛି।

    ସୋସିଆଲ ମିଡିଆରେ ଏହି ଘଟଣାର ଏକ ଫୁଟେଜ ସେୟାର ହେଉଛି। ଫୁଟେଜରେ ମଧ୍ୟବର୍ତ୍ତୀ ଦ୍ବାରଟି ଖୋଲିଯାଇଥିବାରୁ ବିମାନର ପଛପଟେ ଥିବା ଯାତ୍ରୀଙ୍କ ଲଗେଜ ସହ ବାଦ୍ୟ ଉପକରଣ ଦେଖିବାକୁ ମିଳିଥିଲା। ଜରିରୀକାଳୀନ ଦ୍ୱାର ଦେଇ ବିମାନ ମେଘ ଖଣ୍ଡ ଦେଇ ଗତିକରୁଥିବା ଦୃଶ୍ୟ ସହ ପବନ ଭିତରକୁ ପ୍ରବେଶ କରିବାରୁ ସମସ୍ତ ସାମଗ୍ରୀ ଯାତ୍ରୀଙ୍କ ଆଡକୁ ମାଡିଯାଇଥିବା ଦେଖିବାକୁ ମିଳିଥିଲା। ଏଥିସହ ସବୁଜିମାଭରା ଶସ୍ୟ କ୍ଷେତ।

    ଏହି ବିମାନରେ ଦକ୍ଷିଣ ଆମେରିକାର ବିଶିଷ୍ଟ ଗାୟକ ଟେରୀଙ୍କ ବ୍ୟାଣ୍ଡର ସଦସ୍ୟଗଣ ଯାତ୍ରା କରୁଥିଲେ। ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ଆରମ୍ଭରେ ବ୍ରାଜିଲରେ ଏକ ବିମାନରେ ହଠାତ୍ ବିଦ୍ୟୁତ୍ ସଂଯୋଗରେ ବ୍ୟାହତ ହୋଇଥିଲା। ଏହି ବିମାନରେ ଜଣେ ଶିଶୁ ଏବଂ ନବଜାତ ଶିଶୁ ସମେତ ୬ ଜଣ ଥିଲେ। ଏହା ପରେ ସେମାନଙ୍କୁ ଜରୁରୀକାଳୀନ ପାରାଚ୍ୟୁଟ୍ ସହାୟତାରେ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।

  • ୫ ପାକ ଆତଙ୍କବାଦୀଙ୍କୁ ମାରି ଗଡାଇଲେ ସୁରକ୍ଷାବଳ

    ୫ ପାକ ଆତଙ୍କବାଦୀଙ୍କୁ ମାରି ଗଡାଇଲେ ସୁରକ୍ଷାବଳ

    ଜାମ୍ମୁ କାଶ୍ମୀରର ଏଲ ଓ ସି ନିକଟରେ ଥିବା କୁପୱାରା ଜିଲ୍ଲାରେ ୫ ଆତଙ୍କବାଦୀଙ୍କୁ ମାରି ଗଡାଇଛି ସେନା।  ଜାମ୍ମୁ କାଶ୍ମୀର ପୋଲିସ ଏବଂ ସେନାର ମିଳିତ ଅପରେସନରେ ମିଳିଛି ଏହି ବଡ ସଫଳତା। ଗୁଇନ୍ଦା ସୂଚନା ଆଧାରରେ ସେନା ଓ ପୋଲିସ ପକ୍ଷରୁ କୁପୱାରାରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ।  

    ଗୁରୁବାର ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ।  ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପସ୍ଥିତି ଜାଣି ଆଗ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହା ପରେ ସୁରକ୍ଷା ବଳଙ୍କ ପକ୍ଷରୁ ହୋଇଥିଲା ପାଲଟା ଗୁଳି ଚାଳଣା। ଉଭୟ ପକ୍ଷରୁ ହୋଇଥିବା ଗୁଳି ଚାଳଣା ପରେ ଜଣାପଡିଥି କି, ୫ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ନିହତ ସମସ୍ତ ଆତଙ୍କବାଦୀ ଥିଲେ ପାକିସ୍ତାନର। ସେନା ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରି ନିୟନ୍ତ୍ରଣ ଲାଇନ୍ ନିକଟରୁ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ଅଧିକାରୀ କହିଛନ୍ତି ଯେ କୃଷ୍ଣ ଘାଟି ସେକ୍ଟରରେ ସର୍ଚ୍ଚ ଅପରେସନ ବେଳେ ଏହି ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। ଏଥିରେ ପାକିସ୍ତାନରେ ନିର୍ମିତ ଷ୍ଟିଲ କୋର କାର୍ଟୁସ ଏବଂ ପାକିସ୍ତାନରେ ତିଆରି ହେଉଥିବା ଔଷଧ ମଧ୍ୟ ଜବତ କରାଯାଇଛି।

    ଜୁନ୍ ୧୪ ଏବଂ ୧୫ ମଧ୍ୟରାତ୍ରିରେ କୃଷ୍ଣ ଘାଟି ସେକ୍ଟରରେ ଭାରତୀୟ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଅପରେସନ ଘାଟିରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିବା ସୂଚନା ଦେଇଛନ୍ତି ଜାମ୍ମୁ ସେନାର ମୁଖପାତ୍ର ଲେଫ୍ଟନେଣ୍ଟ କର୍ଣ୍ଣଲ ଦେବେନ୍ଦ୍ର ଆନନ୍ଦ।

    ଆନନ୍ଦଙ୍କ ସୂଚନା ମୁତାବକ,  ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ଏବଂ ଏହି ସମୟରେ ଦୁଇଟି ବ୍ୟାଗ ମିଳିଥିଲା। ଯେଉଁଥିରେ ଏକେ-୪୭ ରାଇଫଲ, ନଅ ମାଗାଜିନ, ୪୩୮ କାର୍ଟୁସ , ଚାରୋଟି ମାଗାଜିନ ସହ ଦୁଇଟି ପିସ୍ତଲ ଏବଂ ଛଅ ଟି ଗ୍ରେନେଡ ସହ କିଛି ଔଷଧ ମିଳିଥିଲା। ଲେଫ୍ଟନାଣ୍ଟ କର୍ଣ୍ଣଲ ଆନନ୍ଦ କହିଛନ୍ତି ଯେ ଏହି କାର୍ଯ୍ୟାନୁଷ୍ଠାନ ଶୀଘ୍ର ଶୀଘ୍ର ହେବାରୁ ଅନୁପ୍ରବେଶକାରୀଙ୍କ ଆଉ ଏକ ବଡ଼ ଷଡ଼ଯନ୍ତ୍ର ଉଦ୍ୟମକୁ ପଣ୍ଡ କରାଯାଇଛି।

  • ଆନ୍ଧ୍ରପ୍ରଦେଶ: ଚିତ୍ତୂରରେ ଟ୍ରକ୍ ଧକ୍କାରେ ଜୀବନ ହାରିଲେ ୩ ହାତୀଛୁଆ

    ଆନ୍ଧ୍ରପ୍ରଦେଶ: ଚିତ୍ତୂରରେ ଟ୍ରକ୍ ଧକ୍କାରେ ଜୀବନ ହାରିଲେ ୩ ହାତୀଛୁଆ

    ଚିତ୍ତୂର ଜିଲ୍ଲା ପାଲାମାନେରୁ ମଣ୍ଡଳରେ ସଡ଼କ ଦୁର୍ଘଟଣା । ଏଥିରେ ମଣିଷ ନୁହଁ, ୩ଟି ହାତୀଛୁଆଙ୍କ ମୃତ୍ୟୁ ଘଟିଛି । ହାତୀର ମୃତ୍ୟୁ ଘଟିଥିବା ବନ ବିଭାଗ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ।

    ଚିତ୍ତୂର-ପାଲାମାନେରୁ ଜାତୀୟ ରାଜପଥ ଅନ୍ତର୍ଗତ ଜାଗମର୍ଲା ଛକ ନିକଟରେ ରାସ୍ତା ପାର୍ ହେଉଥିଲେ ହାତୀପଲ । ରାତିରେ ପାର୍ ହେଉଥିବା ବେଳେ ହାତୀମାନଙ୍କ ସହ ଟ୍ରକ୍‌ଟି ଧକ୍କା ଖାଇଥିଲା । ଶେଷରେ ହାତୀଛୁଆଙ୍କ ଜୀବନ ଚାଲିଗଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏହି ପଲରେ ଗୋଟିଏ ବୟସ୍କା ମାଈହାତୀ,ଦୁଇଟି କିଶୋର ଅଣ୍ଡିରା ହାତୀ ଓ ଗୋଟିଏ ଛୁଆ ମାଈହାତୀ ଥିଲେ । ସେମାନଙ୍କ ମଧ୍ୟରୁ କେବଳ ବଡ଼ ମାଈହାତୀଟି ବର୍ତ୍ତିଯାଇଥିବା ବେଳେ ଅନ୍ୟ ୩ଟି ହାତୀର ମୃତ୍ୟୁ ହୋଇଛି । ହାତୀଙ୍କୁ ଧକ୍କା ଦେଇଥିବା ଲରି ଟ୍ରକ୍‌ ସମ୍ମୁଖ ଅଂଶଟି ଭାଙ୍ଗି ଚୂର୍‌ମାର ହୋଇଯାଇଛି । ସେହି ଟ୍ରକଟିକୁ ଜବତ କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ବନ ବିଭାଗ ଅଧିକାରୀ । ରାଜପଥରୁ ମୃତ ହାତୀମାନଙ୍କୁ ଉଠାଇବାର ବ୍ୟବସ୍ଥା କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି ।

    ଟ୍ରକଟି ଅତି ଦ୍ରୁତ ବେଗରେ ଆସୁଥିଲା । ରାସ୍ତା ପାରି ହେଉଥିବା ହାତୀପଲକୁ ଲରି ଟ୍ରକ୍‌ ଧକ୍କା ଦେଇଥିଲା । ଟ୍ରକ୍ ଡ୍ରାଇଭର ନିଶାଗ୍ରସ୍ତ ଥିବା ସନ୍ଦେହ କରାଯାଉଛି । ସେ ନିଜ ଗାଡ଼ିକୁ ନିୟନ୍ତ୍ରଣ କରିପାରିନଥିଲେ । ଶେଷରେ ହାତୀପଲକୁ ଧକ୍କା ଦେବାରୁ ହାତୀଛୁଆଙ୍କ ମୃତ୍ୟୁ ଘଟିଛି ବୋଲି ଚିତ୍ତୂର ଡିଭିଜ୍‌ନାଲ୍‌ ଫରେଷ୍ଟ ଅଫିସର କହିଛନ୍ତି । ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର୍‌ ଫେରାର ଅଛି । ବେପରୁଆ ଭାବେ ଟ୍ରକ୍‌ ଚଳାଇବାରୁ ଏଭଳି ଦୁର୍ଘଟଣା ଘଟିଛି । ଡ୍ରାଇଭର୍‌କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି ବନ ବିଭାଗ ।

  • ବ୍ରିଜଭୂଷଣଙ୍କ ବିରୋଧରେ ଠୋସ୍ ପ୍ରମାଣ ଅଭାବ, ମାମଲା ଖାରଜ ପାଇଁ ରିପୋର୍ଟ ଦାଖଲ

    ବ୍ରିଜଭୂଷଣଙ୍କ ବିରୋଧରେ ଠୋସ୍ ପ୍ରମାଣ ଅଭାବ, ମାମଲା ଖାରଜ ପାଇଁ ରିପୋର୍ଟ ଦାଖଲ

    ନାବାଳିକା ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ବଳିଷ୍ଠ ପ୍ରମାଣ ନାହିଁ । ତେଣୁ WFI ମୁଖ୍ୟ ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ନାଁରେ ଲାଗୁ ‘ପୋକ୍‌ସୋ’ ମାମଲାକୁ ଖାରଜ କରିବା ଲାଗି ଦିଲ୍ଲୀ ପୋଲିସ ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଛି । ପଟିଆଲା ହାଉସ୍‌ କୋର୍ଟରେ ୫୦୦ ପୃଷ୍ଠା ବିଶିଷ୍ଟ ରିପୋର୍ଟ ଦାଖଲ କରିଛନ୍ତି ଦିଲ୍ଲୀ ପୋଲିସ ଅଧିକାରୀ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୪ ତାରିଖରେ କରାଯିବା ଲାଗି ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

    ଏଥିସହ ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ନାଁରେ ମହିଳା କୁସ୍ତିଯୋଦ୍ଧାମାନେ ଫାଇଲ୍‌ କରିଥିବା ଯୌନ ନିର୍ଯାତନା ମାମଲାରେ ୧୦୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌ ଦାଖଲ କରିଛି ଦିଲ୍ଲୀ ପୋଲିସ । ସୂଚନା ଅନୁସାରେ ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ଜଣେ ନାବାଳିକା । ଏବେ ସେ ନିଜର ବୟାନ୍ ବଦଳାଇ ଦେଇଛନ୍ତି । ସେ କଠିନ ପରିଶ୍ରମ କରି ମନୋନୀତ ହୋଇନଥିଲେ । ଖୁବ୍‌ ହତାଶ ଲାଗିବାରୁ ସେ ରାଗି ଯାଇଥିଲେ । ମନୋନୀତ କରାଯାଇନଥିବାରୁ ରାଗରେ ସେ WFI ମୁଖ୍ୟଙ୍କ ନାଁରେ ଏତଲା ଦେଇଥିଲେ ।

    ପୋଲିସ ତଦନ୍ତ ଶେଷ କରି ୧୫ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବ ବୋଲି ପୂର୍ବରୁ କହିଥିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଆଜି ରିପୋର୍ଟ ଦାଖଲ ସହ ନିଜ ବୟାନ୍ ରଖିଛି ଦିଲ୍ଲୀ ପୋଲିସ । ରେସଲର ସଂଘ ଲାଗି ମୁକ୍ତ ଓ ଅବାଧ ନିର୍ବାଚନ, ବ୍ରିଜ ଭୂଷଣଙ୍କ ଗିରଫ ସମେତ ଆନ୍ଦୋଳନକାରୀମାନେ ଅନ୍ୟାନ୍ୟ ଦାବି ରଖିଥିଲେ । ପ୍ରମାଣ ଅଭାବରୁ ପୋକ୍ସୋ ମାମଲା ଖାରଜ କରିବା ଲାଗି ରିପୋର୍ଟ ଦାଖଲ ପରେ ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କୁ ଆଶ୍ୱସ୍ତି ମିଳିଛି ।

  • ଖୁବଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ, ୧୮ରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ବର୍ଷା !

    ଖୁବଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ, ୧୮ରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ବର୍ଷା !

    ମୌସୁମୀ ଓଡ଼ିଶା ଛୁଇଁବାରେ ବିଳମ୍ବ । କୁହାଯାଉଥିଲା ଜୁନ୍ ପ୍ରଥମ ସପ୍ତାହରେ ଏହା ଓଡ଼ିଶା ଛୁଇଁବ । ହେଲେ ଏଥିରେ ଏବେ ବିଳମ୍ବ ହେଲାଣି । ଆସନ୍ତା ୧୮ ତାରିଖରୁ ୨୧ ତାରିଖ ମଧ୍ୟରେ ରାଜ୍ୟକୁ ମୌସୁମୀ ଏଣ୍ଟ୍ରି କରିପାରେ ।

    ମୌସୁମୀ ଅଗ୍ରସର ନେଇ ଏବେ ପାଗ ପୁରା ଅନୁକୂଳ ରହିଛି । ଆସନ୍ତାକାଲି ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ସ୍ଥଳଭାଗ ଛୁଇଁବା ପରେ ସ୍ପଷ୍ଟ ସୂଚନା ମିଳିବ । ଓଡ଼ିଶାକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବ ଯାହାର ପ୍ରଭାବରେ ୧୮ରୁ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହେବ । ବର୍ଷା ଆରମ୍ଭ ପରେ ରାଜ୍ୟ ପାଣିପାଗରେ ଧୀରେ ଧୀରେ ପରିବର୍ତ୍ତନ ହେବ ।

    ସେପଟେ ୧୮ ତାରିଖ ଯାଏ ଯାଏ ପଶ୍ଚିମ ଓଡ଼ିଶାରେ ସିଭିୟର ହିଟୱେଭ ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସ୍ବାଭାବିକ ଠାରୁ ୬.୫ ଡିଗ୍ରୀ ଉପରେ ପାରଦ ରହିବା ନେଇ ପୂର୍ବାନୁମାନ କରିଛି ବିଭାଗ । ବୌଦ୍ଧ,ବଲାଙ୍ଗିର,ସୋନପୁର, ସମ୍ବଲପୁର,ବରଗଡ଼,ଝାରସୁଗୁଡ଼ାକୁ ସତର୍କତା ଜାରି କରାଯାଇଛି । ୧୬ ତାରିଖରୁ ଉପକୂଳରେ ବି ତାତି ବଢ଼ିବ । ତେଣୁ ପ୍ରବଳ ତାତି ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିବ । ଦିନ ସହ ରାତି ତାପମାତ୍ରାରେ ବୃଦ୍ଧି ଘଟିବ । ତାତି ବଢ଼ିବା ଆଶଙ୍କା ଥିବାରୁ ସମ୍ବଲପୁର,ବରଗଡ଼,ଝାରସୁଗୁଡ଼ା,ବଲାଙ୍ଗିର ଓ ବୌଦ୍ଧକୁ ଚେତାବନୀ ଦିଆଯାଇଛି । ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୪.୫ ଡିଗ୍ରୀ ଉପରେ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

  • ଆସୁଛି ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’, କାଲି ଜଖୌ ବନ୍ଦରରେ ଲ୍ୟାଣ୍ଡଫଲ୍‌ କରିବ !

    ଆସୁଛି ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’, କାଲି ଜଖୌ ବନ୍ଦରରେ ଲ୍ୟାଣ୍ଡଫଲ୍‌ କରିବ !

    ନିକଟତର ହେଉଛି ସାମୁଦ୍ରିକ ବାତ୍ୟା ବିପର୍ଯ୍ୟୟ । ଆରବସାଗର ଉପରେ କେନ୍ଦ୍ରୀଭୂତ ହୋଇ ଉତ୍ତରଆଡ଼କୁ ଗତି କରୁଛି । ଆସନ୍ତାକାଲି ସନ୍ଧ୍ୟା ବେଳେ ଗୁଜରାଟ ଉପୂକଳ ଜଖୌ ବନ୍ଦରରେ ସ୍ଥଳଭାଗ ଛୁଇଁପାରେ । ଏଭଳି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ତେଣୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଆରମ୍ଭ ହୋଇଛି । ଗୁଜରାଟର ସମୁଦ୍ର ତଟବର୍ତ୍ତୀ ୮ଟି ଜିଲ୍ଲାରୁ ପ୍ରାୟ ୩୮ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

    ଗିର,ସୋମନାଥ, ଦ୍ୱାରକା,କଚ୍‌, ପୋରବନ୍ଦର ଭଳି ଜିଲ୍ଲାରେ ଥିବା ସମସ୍ତ ସ୍କୁଲ୍‌ ୨ ଦିନ ଛୁଟି ଘୋଷଣା କରାଯାଇଛି । ବାତ୍ୟା ପ୍ରଭାବରେ ପୋରବନ୍ଦରରେ ପ୍ରବଳ ବର୍ଷା ଜାରି ରହିଛି । ମୁମ୍ବାଇ ଉପକୂଳରେ ବି ଉଚ୍ଚ ଜୁଆର ଆସିଥିବା ସୂଚନା ମିଳିଛି । ପବନର ବେଗ ବଢୁଥିବାରୁ ପୋରବନ୍ଦର ଅଞ୍ଚଳରେ ବଡ଼ବଡ଼ ଗଛ ଉପୁଡ଼ି ଯାଇଛି । ଯାନବାହନ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହୋଇଛି ।

    ଗୁଜରାଟର ଦ୍ୱାରକା,କଚ୍‌,ଦେବଭୂମି,ପୋରବନ୍ଦର,ଜାମନଗର,ମୋର୍‌ବି,ଜୁନାଗଡ଼ ଓ ରାଜକୋଟ ଜିଲ୍ଲାରେ କଚ୍ଚାଘର ଭାଙ୍ଗିରୁଜି ଯିବା ସହିତ ବିଜୁଳି ଓ ଟେଲିଫୋନ୍‌ ଖୁଣ୍ଟ ଉପୁଡ଼ିଯିବାର ସମ୍ଭାବନା ରହିଛି । ଏହାଛଡ଼ା, ବାଗବଗିଚା ଓ ଫସଲ ନଷ୍ଟ ହେବା ସମ୍ଭାବନା ଥିବା କଥା ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିପର୍ଯ୍ୟୟ ବାତ୍ୟା ଯୋଗୁଁ ମୌସୁମୀ ବାୟୁ ପ୍ରବାହ ଆଉ ପ୍ରଭାବିତ ହେବ ନାହିଁ । ଏଭଳି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । କାରଣ ଏହି ବାତ୍ୟା ଏବେ ସମ୍ପୂର୍ଣ୍ଣରୂପେ ମୌସୁମୀ ପ୍ରବାହ ମାର୍ଗରୁ ବିଚ୍ଛିନ୍ନ ହୋଇଯାଇଛି । ଏହା ମୌସୁମୀ ବାୟୁର ଅଗ୍ରଗତି ଓ ବୃଷ୍ଟିପାତକୁ ପ୍ରଭାବିତ କରିପାରିବ ନାହିଁ ବୋଲି IMD ପକ୍ଷରୁ କୁହାଯାଇଛି ।

  • ମଣିପୁର: ସାନି ହିଂସାରେ ୯ ମୃତ, ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅପିଲ

    ମଣିପୁର: ସାନି ହିଂସାରେ ୯ ମୃତ, ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅପିଲ

    ମଣିପୁରରେ କେବେ ହିଂସା ଥମିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସମସ୍ତେ ଅପିଲ୍ କରିବା ସତ୍ତ୍ୱେ ହିଂସା କମୁନି । ପୂର୍ବ ଇମ୍ଫାଲ୍‌ ଏବଂ କାଙ୍ଗପୋକ୍‌ପି ଜିଲ୍ଲା ସୀମାନ୍ତରେ ଅବସ୍ଥିତ ଅଗିଜାନ୍ ଗାଁ’ରେ ସାନି ହିଂସାକାଣ୍ଡ ଘଟିଛି । ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାରେ ୧୦ରୁ ଅଧିକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

    ପୋଲିସର ସୂଚନା ଅନୁସାରେ ମଙ୍ଗଳବାର ରାତି ୧୦ଟାରୁ ୧୦.୩୦ ମଧ୍ୟରେ ସଶସ୍ତ୍ର ଆକ୍ରମଣକାରୀ ଗାଁ ଚାରିପଟେ ଘେରି ଯାଇଥିଲେ । ସେମାନେ ପ୍ରଥମେ ଆକ୍ରମଣ କରିଥିବା ନେଇ ପୋଲିସ କହିଛି । ସେମାନଙ୍କୁ ଅଟକାଇବା ପାଇଁ ସୁରକ୍ଷାବାହିନୀ ପହଞ୍ଚିଯିବା ପରେ ସେଠାରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଗୁଳି ବିନିମୟ ଆରମ୍ଭ ପରେ ୯ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଘଟଣାରେ ଆହତମାନଙ୍କୁ ଇମ୍ଫାଲ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣକ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କହିଛି ପୋଲିସ । ଦୁର୍ବୃତ୍ତମାନେ ଖାମେନ୍‌ଲୋକ ଗାଁ’ରେ କେତେଗୁଡ଼ିଏ ଘର ପ‌ୋଡ଼ି ଦେଇଛନ୍ତି । ଏବେ ସେ ଅଞ୍ଚଳର ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।

    ଏକ ମାସ ହେଲା ମଣିପୁରୀ ଓ କୁକି ଜନଜାତି ସମ୍ପ୍ରଦାୟ ମଧ୍ୟରେ ବିବାଦ ଦେଖାଦେଇଛି । ହିଂସା ବନ୍ଦ କରାଇ ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ଆହ୍ୱାନ କରାଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ସୁରକ୍ଷା ବାହିନୀ, ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ବଜାୟ ରଖିବାକୁ ବାରମ୍ବାର ଚେଷ୍ଟା କରାଯାଉଛି । ଏସବୁ ସତ୍ତ୍ୱେ ସ୍ଥିତିରେ କୌଣସି ସୁଧାର ଆସୁନି । ଗତକାଲି ରାତିରେ ପୁଣି ହିଂସା ଘଟି ଲୋକଙ୍କ ଜୀବନ ଯାଇଛି । ତେଣୁ ଇମ୍ଫାଲ୍‌ରେ କର୍ଫ୍ୟୁ କୋହଳ ସମୟ ସୀମା ପୁଣି କଠୋର କରାଯାଇଛି ।

  • ନାଇଜେରିଆ: ଓଭରଲୋଡିଂ ଯୋଗୁଁ ସମୁଦ୍ରରେ ବୁଡ଼ିଗଲା ନୌକା, ଶତାଧିକ ମୃତ

    ନାଇଜେରିଆ: ଓଭରଲୋଡିଂ ଯୋଗୁଁ ସମୁଦ୍ରରେ ବୁଡ଼ିଗଲା ନୌକା, ଶତାଧିକ ମୃତ

    ନାଇଜେରିଆରେ ବଡ଼ ଧରଣର ନୌକା ଦୁର୍ଘଟଣା ଘଟିଛି । ନାଇଜର ନଦୀରେ ନୌକା ବୁଡ଼ି ୧୦୦ ଜଣ ପ୍ରାଣ ହରାଇଛନ୍ତି । ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ରହିଛି । ଏକ ବିବାହ କାର୍ଯ୍ୟକ୍ରମ ସାରି ଫେରୁଥିବାବେଳେ ନୌକା ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ହିଁ ୧୦୦ ଜଣଙ୍କ ମୃତ୍ୟୁ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ୧୦୦ ଜଣଙ୍କୁ ଗଭୀର ସମୁଦ୍ରରୁ ଉଦ୍ଧାର କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି ସୂଚନା ମିଳିଛି । ଉତ୍ତର-କେନ୍ଦ୍ରୀୟ ନାଇଜେରିଆ ଅନ୍ତର୍ଗତ କ୍ବାରା ଷ୍ଟେଟରେ ଏଭଳି ଦୁର୍ଘଟଣା ଘଟିଛି ।

    ମୃତକଙ୍କ ମଧ୍ୟରେ ଅଧିକ ଲୋକ ସମ୍ପର୍କୀୟ ରହିଛନ୍ତି । ପଡ଼ୋଶୀ ନାଇଜର ଷ୍ଟେଟରୁ ବିବାହ ଉତ୍ସବ ସାରି ସମସ୍ତେ ଫେରୁଥିଲେ । କ୍ବାରା ଷ୍ଟେଟକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ନୌକାରେ ଅଧିକ ଲୋକ ଫେରୁଥିବାବେଳେ ଗଭୀର ସମୁଦ୍ରରେ ବିରାଟ କାଠଗଣ୍ଡି ସହ ପିଟି ହୋଇଥିଲା । ନୌକା ଦି’ଖଣ୍ଡ ହେବା ସହ ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା ।

    ଘଟଣାସ୍ଥଳରେ ହିଁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଅଧିକ ମୃତଦେହ ଭାସିଯାଇଥିବା ଅନୁମାନ କରାଯାଉଛି । ତେଣୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତ ମେ’ ମାସରେ ସୋକୋତରେ ବି ଏଭଳି ଏକ ନୌକା ଦୁର୍ଘଟଣା ଘଟି ୧୫ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ଏବେ ପୁଣି ଥରେ ଲଗାତାର ଦ୍ୱିତୀୟ ମାସରେ ଏଭଳି ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି ।

  • ନିଜ ମାଆର ଗଳା କାଟି ହତ୍ୟା କଲା ଝିଅ

    ନିଜ ମାଆର ଗଳା କାଟି ହତ୍ୟା କଲା ଝିଅ

    ସୋମବାର ଅପରାହ୍ନରେ ବେଙ୍ଗାଲୁରୁର ଜଣେ ମହିଳା ନିଜ  ମା’ଙ୍କ ମୃତଦେହ ଭର୍ତ୍ତି ଏକ ସୁଟକେସ ନେଇ ପୋଲିସ ଷ୍ଟେସନକୁ ଯାଇଥିଲେ। ପୋଲିସ କହିଛି ଯେ ବିଲାକାଲ୍ଲୀ ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ରହୁଥିବା ସେନାଲି ସେନ୍ ନାମକ ଅଭିଯୁକ୍ତ ରାଗରେ ତାଙ୍କ 70 ବର୍ଷ ବୟସ୍କା ମା ବେଭା ପାଲଙ୍କୁ ହତ୍ୟା କରିଛି। ପଶ୍ଚିମବଙ୍ଗର ଜଣେ ଫିଜିଓଥେରାପିଷ୍ଟ ମହିଳା ଗତକାଲି ରାତି ପ୍ରାୟ 1 ଟା ବେଳେ ପୋଲିସ ଷ୍ଟେସନ ଭିତରକୁ ଯାଇ ତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ।ହତ୍ୟା କରାଯାଇଥିବା ମହିଳାଙ୍କ ସ୍ୱାମୀଙ୍କ ଏକ ଫ୍ରେମ୍ ହୋଇଥିବା ଚିତ୍ର ମଧ୍ୟ ଶରୀର ସହିତ ସୁଟକେସ୍ ଭିତରେ ଦେଖିବାକୁ ମିଳିଥିଲା ​​| ଏହି ଘଟଣା ମାଇକୋ ଲେଆଉଟ୍ ପୋଲିସ୍ ଷ୍ଟେସନରୁ ଆସିଛି ଏବଂ 39 ବର୍ଷ ବୟସ୍କା ମହିଳା ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ  ଗିରଫ କରିଛି । ସେ ତାଙ୍କ ସ୍ୱାମୀଙ୍କ ସହ ରୁହନ୍ତି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ସେନାଲି ତାଙ୍କ ମାଙ୍କ ସହ ବାରମ୍ବାର ଝଗଡା କରୁଥିଲେ। ଏଥର ଝଗଡା ବେଳେ ତାଙ୍କ ମା ଶୋଇବା ବଟିକା ଖାଇ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ, ରାଗରେ ସୋନାଲି ତାଙ୍କ ମାଙ୍କୁ 20 ଟି ଶୋଇବା ବଟିକା ଖାଇବାକୁ ଦେଇଥିଲେ। କିଛି ସମୟ ପରେ, ଯେତେବେଳେ ତାଙ୍କ ପେଟରେ ଯନ୍ତ୍ରଣା ହେତୁ ତାଙ୍କ ମା ଚିତ୍କାର କରିବାକୁ ଲାଗିଲେ, ସେତେବେଳେ ସେନାଲି ରାଗରେ  ତାଙ୍କ ମା’ଙ୍କ ଗଳା କାଟି ହତ୍ୟା କରିଥିଲେ, ଯାହାଫଳରେ ତାଙ୍କ ମୃତ୍ୟୁ ଘଟିଥିଲା। ସେନାଲିଙ୍କୁ ଗିରଫ କରାଯାଇଛି, ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।