Category: ଦେଶ-ବିଦେଶ

  • ଆମେରିକା: ‘ଟାଇଟନିକ’ର ଅବଶେଷ ଦେଖିବାକୁ ଯାଇ ‘ଟାଇଟନ୍’ର ୫ ମୃତ

    ଆମେରିକା: ‘ଟାଇଟନିକ’ର ଅବଶେଷ ଦେଖିବାକୁ ଯାଇ ‘ଟାଇଟନ୍’ର ୫ ମୃତ

    ଶେଷରେ ବୁଡ଼ାଜାହାଜ ‘ଟାଇଟନ’ରେ ଯାତ୍ରା କରିଥିବା ୫ ଜଣଙ୍କ ମୃତ୍ୟୁ ଘଟିଛି । ୫ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ଆମେରିକା ତଟରକ୍ଷୀ ବାହିନୀ ।
    ଓସେନ୍‌ ଗେଟ୍‌ ଏକ୍ସପିଡିସନ୍‌ ଦ୍ବାରା ପରିଚାଳିତ ବୁଡ଼ାଜାହାଜ ଟାଇଟନ୍‌ ଆଟ୍‌ଲାଣ୍ଟିକ୍‌ ମହାସାଗରରେ ଭିତର ଆଡ଼କୁ ସଙ୍କୁଚିତ ହୋଇ ନଷ୍ଟ ହୋଇଯାଇଛି । ସେଥିରେ ଥିବା ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଦେଇଛି ଆମେରିକା ତଟରକ୍ଷୀ ବାହିନୀ ।

    https://twitter.com/i/status/1671997471415730176

    ଗତକାଲି ରିମୋଟ୍‌ ନିୟନ୍ତ୍ରିତ ଯାନରେ ପାଣି ଭିତରେ ଠାବ କରାଯାଇଥିବା ଉକ୍ତ ବୁଡ଼ାଜାହାଜର ଭଗ୍ନାବଶେଷକୁ ପରୀକ୍ଷା କରିବା ପରେ ଆମେରିକା ତଟରକ୍ଷୀ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି । ଗତକାଲି ସମସ୍ତଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି ।

    ୧୯୧୨ରେ ଆଟଲାଣ୍ଟିକ୍‌ ମହାସାଗରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯାଇଥିଲା ‘ଟାଇଟାନିକ୍‌’ ଜାହାଜ । ଏହାର ଅବଶେଷ ଦେଖିବା ପାଇଁ କ୍ଷୁଦ୍ର ବୁଡ଼ାଜାହାଜ ‘ଟାଇଟନ୍‌’ରେ ଯାଇଥିଲେ ୫ ଜଣ ।

    ସେମାନଙ୍କ ମଧ୍ୟରେ ଥିଲେ ଇଂଲଣ୍ଡ‌ର ୫୮ ବର୍ଷିୟ ହାମିସ୍‌ ହାର୍ଡିଂ, ଫ୍ରାନ୍ସର ୭୭ ବର୍ଷିୟ ପଲ୍‌-ହେନ୍‌ରି ନାର୍ଜିଓଲେଟ୍‌ । ଓସେନ୍‌ଗେଟ୍‌ ମାଲିକାନାରେ ଥିବା ଇଭ୍‌ରେଟ୍‌’ର ମୁଖ୍ୟ ୬୧ ବର୍ଷିୟ ଏକ୍‌ଜିକ୍ୟୁଟିଭ୍‌ ଅଫିସର ଷ୍ଟକ୍‌ଟନ୍‌ ରସ୍‌ ଏବଂ ପାକିସ୍ତାନର ୪୮ ବର୍ଷିୟ ଶାହଜାଦ୍‌ ଦାଉଦ୍ ଓ ତାଙ୍କର ୧୯ ବର୍ଷିୟ ପୁଅ ସୁଲେମାନ୍‌ ।

    ଜୁନ୍ ୧୮ରେ ଯାତ୍ରା ଆରମ୍ଭ କରିଥିଲା ଟାଇଟନ୍ । କାର୍ବନ୍‌ ଫାଇବର୍‌ ଓ ଟାଇଟନିୟମ୍‌ରେ ନିର୍ମିତ ୬.୭ ମିଟର୍‌ ଲମ୍ବ କ୍ଷୁଦ୍ର ବୁଡ଼ାଜାହାଜ ଟାଇଟନ୍‌ରେ ଜଣେ ଚାଳକଙ୍କ ସମେତ ୪ ଜଣ ଯାତ୍ରୀ ଯିବା ଭଳି ବ୍ୟବସ୍ଥା ଥିଲା ।

    ଏହି ବୁଡ଼ାଜାହାଜ ସମୁଦ୍ର ଗର୍ଭର ସର୍ବାଧିକ ୧୩ ହଜାର ୧୨୦ ଫୁଟ୍‌ ତଳକୁ ଯାଇପାରିବାର କ୍ଷମତା ରଖିଥିଲା । ୫ ଜଣଙ୍କ ପାଇଁ ଥିଲା ୪ ଦିନର ଅକ୍ସିଜେନ୍ । ଯାତ୍ରା ଆରମ୍ଭ କରିବାର ପ୍ରାୟ ୧ ଘଣ୍ଟା ୪୫ ମିନିଟ୍‌ ପରେ ଟାଇଟନ୍‌ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

  • ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରସ ସମର୍ଥନ ନକଲେ ବିରୋଧୀ ଏକତାରୁ ଅଲଗା ହେବ ଆପ୍ !

    ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରସ ସମର୍ଥନ ନକଲେ ବିରୋଧୀ ଏକତାରୁ ଅଲଗା ହେବ ଆପ୍ !

    କେନ୍ଦ୍ର ବିଜେପି ବିରୋଧରେ ନୀତିଶ କୁମାରଙ୍କ ଆନ୍ଦୋଳନ ଜାରି ରହିଛି । ବିରୋଧୀଙ୍କ ଏକାଠି କରି ମୋଦି ସରକାରଙ୍କୁ ହଟାଇବା ଲାଗି ଉଦ୍ୟମ ଜାରି ରଖିଛିନ୍ତି । ସେଥିପାଇଁ ଲୋକସଭା ନିର୍ବାଚନରେ ଏକଜୁଟ ହୋଇ ଲଢ଼ିବା ପାଇଁ କହିଛନ୍ତି ବିହାର ସିଏମ୍ । ଆସନ୍ତା ଶୁକ୍ରବାର ବିରୋଧୀ ଦଳ ଗୁଡ଼ିକୁ ନେଇ ପାଟନାରେ ବୈଠକ କରିବେ ନୀତିଶ । ହେଲେ ଏହା ପୂର୍ବରୁ ଆମ ଆଦମୀ ପାର୍ଟି ଆପ୍ ସର୍ତ୍ତ ରଖି ବହିଷ୍କାର ଧମକ ଦେଇଛି । ଆସନ୍ତାକାଲି ସୁଦ୍ଧା କଂଗ୍ରେସ, ଅଧ୍ୟାଦେଶ ପ୍ରସଙ୍ଗରେ ସମର୍ଥନ ଘୋଷଣା ନକଲେ ବୈଠକ ବହିଷ୍କାର କରିବ ଆପ୍ । ଆମ୍ ଆଦମୀ ପାର୍ଟି ନିଜ ଆଭିମୁଖ୍ୟ ବିରୋଧୀ ଦଳ ଗୁଡ଼ିକ ସାମ୍ନାରେ ସ୍ପଷ୍ଟ କରିଥିବା ସୂଚନା ମିଳିଛି ।

    ରାଜ୍ୟସଭାରେ କଂଗ୍ରେସ ଅଧ୍ୟାଦେଶ ଉପରେ ସମର୍ଥନ କରିବାର ଆଶ୍ୱାସନା ନଦେଲେ ବିରୋଧୀଙ୍କ ବୈଠକ ବହିଷ୍କାର କରାଯିବ । ସେପଟେ, ବିରୋଧୀଙ୍କ ବୈଠକରେ କେବଳ ବିଜେପିକୁ ହରାଇବା ଉପରେ ଚର୍ଚ୍ଚା ହେବ, ଅଧ୍ୟାଦେଶ ଉପରେ କୌଣସି ଆଲୋଚନା ହେବାର ନାହିଁ । ଏହାପୂର୍ବରୁ ଆପ୍ ସଂଯୋଜକ ଅରବିନ୍ଦ କେଜରିୱାଲ ବିରୋଧୀ ନେତାଙ୍କୁ ଚିଠି ଲେଖି ଦାବି ରଖିଥିଲେ ଯେ ସର୍ବପ୍ରଥମେ ଦିଲ୍ଲୀକୁ ନେଇ ଅଣାଯାଇଥିବା କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ଉପରେ ଚର୍ଚ୍ଚା ହେଉ । ଏଥିସହ ପାଟନା ବୈଠକରେ ସବୁ ଦଳ କଂଗ୍ରେସର ଆଭିମୁଖ୍ୟ ସ୍ପଷ୍ଟ ଚାହାଁନ୍ତି ବୋଲି କହିଛନ୍ତି କେଜ୍ରିୱାଲ ।

    କେଜରିୱାଲ ଅଧ୍ୟାଦେଶକୁ ଆଇନ୍ ରୂପ ଦେବା ପାଇଁ ଉଦ୍ୟମ କରିଛନ୍ତି । ତେଣୁ ମୌସୁମୀ ଅଧିବେଶନରେ ସମ୍ଭାବିତ ବିଲକୁ ରାଜ୍ୟସଭାରେ ରୋକିବାକୁ ସେ ଚାହୁଁଛନ୍ତି । ଏଥିପାଇଁ ସେ ବିରୋଧୀ ଦଳ ନେତାମାନଙ୍କୁ ଭେଟି ସମର୍ଥନ ଲୋଡ଼ିଛନ୍ତି । କେଜ୍ରିୱାଲ୍ ମେ ଶେଷ ଭାଗରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ସମୟ ମାଗିଥିଲେ ସୁଦ୍ଧା ଏଯାଏ ତାଙ୍କୁ ଭେଟଘାଟର ସମୟ ଦେଇନି ଦଳ । ତେଣୁ ଏଭଳି ସ୍ଥିତିରେ କଂଗ୍ରେସର ସମର୍ଥନ ନ ମିଳିଲେ ବିରୋଧୀ ଏକତାରୁ ଅଲଗା ହୋଇପାରେ ଆମ୍ ଆଦମୀ ପାର୍ଟି ।

  • ଏଲୋନ ମସ୍କ-ମାର୍କ ଜୁକରବର୍ଗ ମୁହାଁମୁହିଁ, କେଜ୍ ଫାଇଟ୍ ପାଇଁ ପ୍ରସ୍ତୁତ

    ଏଲୋନ ମସ୍କ-ମାର୍କ ଜୁକରବର୍ଗ ମୁହାଁମୁହିଁ, କେଜ୍ ଫାଇଟ୍ ପାଇଁ ପ୍ରସ୍ତୁତ

    ଦୁନିଆର ସବୁଠାରୁ ବଡ଼ ଧନୀ ତଥା ଦୁଇ ହାଇ ପ୍ରୋଫାଇଲ୍ ଟେକ୍ନୋଲୋଜି ବିଲିୟନେୟାର ଏଲୋନ୍ ମସ୍କ ଏବଂ ମାର୍କ ଜୁକରବର୍ଗ । ଏବେ ସେମାନେ ଏକ କେଜ୍ ମ୍ୟାଚରେ ପରସ୍ପର ସହ ଲଢ଼ିବାକୁ ରାଜି ହୋଇଛନ୍ତି । ମସ୍କ, ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏ ନେଇ ଏକ ବାର୍ତ୍ତା ପୋଷ୍ଟ କରିଛନ୍ତି । ସେ କହିଛନ୍ତି ମାର୍କ ଜୁକରବର୍ଗଙ୍କ ସହ ଏକ କେଜ୍ ଫାଇଟ ବା ଯନ୍ତା ଯୁଦ୍ଧ ପାଇଁ ସେ ପ୍ରସ୍ତୁତ ଅଛନ୍ତି ।

    ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପ୍ୟାରେଣ୍ଟ କମ୍ପାନୀ ମେଟାର ମାଲିକ ଜୁକରବର୍ଗ ମସ୍କଙ୍କ ଟ୍ୱିଟର ସ୍କ୍ରିନସଟ୍ ପୋଷ୍ଟ କରିବା ସହ କ୍ୟାପସନ୍ ଲେଖି ଲୋକେସନ ପଠାଇବାକୁ ଲେଖିଛନ୍ତି । ଏ ନେଇ ମେଟା ମୁଖପାତ୍ର ବିବିସିକୁ ଜଣାଇଛନ୍ତି । ଏହା ପରେ ମସ୍କ, ଭେଗାସ୍ ଅକ୍ଟୋନ୍ ସହିତ ଜୁକରବର୍ଗଙ୍କ ପ୍ରତିକ୍ରିୟାରେ ଉତ୍ତର ଦେଇଥିଲେ । ଅକ୍ଟାଗନ୍ ହେଉଛି ଅଲ୍ଟିମେଟ୍ ଫାଇଟିଂ ଚାମ୍ପିଅନସିପ୍ (UFC) ବେଟିଂ ପାଇଁ ବ୍ୟବହୃତ ପ୍ରତିଯୋଗିତା ବା ମ୍ୟାଚ୍ ବା କେଜ ଫାଇଟ । UFC ନେଭାଡାର ଲାସ୍ ଭେଗାସରେ ଅବସ୍ଥିତ । ୫୨ ବର୍ଷୀୟ ମସ୍କ ମଧ୍ୟ ଟ୍ୱିଟ୍ କରିଛନ୍ତି ଯେ ମୋର ଏହି ମହାନ ପଦକ୍ଷେପ ଅଛି ଯାହାକୁ ମୁଁ ୱାଲସ ବୋଲି କହୁଛି, ଯେଉଁଠାରେ ମୁଁ କେବଳ ମୋର ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ପଡ଼ି ରହିଛି ଏବଂ କିଛି କରିପାରି ନାହିଁ ।

    ଏଥିସହ ସେ ଆହୁରି ଟ୍ୱିଟ୍ କରିଛନ୍ତି ଯେ ମୋର ପିଲାମାନଙ୍କୁ ନେବା ଆଣିବା ଏବଂ ତାକୁ ହାତରେ ଧରି ଆକାଶକୁ ଗେଲରେ ଫିଙ୍ଗିବା ବ୍ୟତୀତ ମୁଁ ପ୍ରାୟତଃ ଆଉ କୌଣସି କାମ କରେ ନାହିଁ । ସେପଟେ,୩୯ ବର୍ଷୀୟ ଜୁକରବର୍ଗ ମିଶ୍ରିତ ମାର୍ଶଲ ଆର୍ଟ ବା ମିସ୍କଡ ମାର୍ଶିଆଲ ଆର୍ଟରେ ତାଲିମ ନେଇସାରିଛନ୍ତି । ନିକଟରେ ଜିୟୁ-ଜିତୁ ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି । ଏ ସମ୍ପର୍କରେ ମନ୍ତବ୍ୟ ପାଇଁ ବିବିସି, ମସ୍କଙ୍କ ସହ ଯୋଗାଯୋଗ କରିଥିବା ବେଳେ ଟ୍ୱିଟରରେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି । ରିପ୍ଲାଇ ଚାଟିଂ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ନେଟ୍ ବ୍ୟବହାରକାରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ବେଟିଂରେ କିଏ ଜିତିବ ସେନେଇ ଚାଟିଂ ଭାଇରାଲ୍ ହୋଇଥିବାବେଳେ ଅନ୍ୟମାନେ ଯୁଦ୍ଧର ବିଜ୍ଞାପନକୁ ଉପହାସ କରିଥିବା ପୋଷ୍ଟର ସମେତ ମେମ୍ ପୋଷ୍ଟ କରିଛନ୍ତି ।

    ଏହି ମାସ ଆରମ୍ଭରେ, ମେଟା ଟ୍ୱିଟର ସହିତ ପ୍ରତିଦ୍ୱନ୍ଦ୍ୱୀତା କରିବା ପାଇଁ ଡିଜାଇନ୍ ହୋଇଥିବା ଏକ ସୋସିଆଲ୍ ନେଟୱାର୍କ ପାଇଁ କର୍ମଚାରୀଙ୍କ ଯୋଜନା ଦେଖାଥିଲା ବୋଲି ସୂତ୍ରରୁ ପ୍ରକାଶ । ଇନଷ୍ଟାଗ୍ରାମ,ମେଟାର ଇମେଜ୍-ସେୟାରିଂ ଆପରେ ଅନୁସରଣ କରୁଥିବା ବୁକ୍ ଅନୁସରଣ କରିବାକୁ ଅନୁମତି ଦେଇପାରେ । ଏହା ସମ୍ଭବତଃ କମ୍ପାନୀକୁ ମସ୍ତୋଡନ୍ ପରି ବିକେନ୍ଦ୍ରୀକରଣ ପ୍ଲାଟଫର୍ମରୁ ଅନୁସରଣକାରୀଙ୍କୁ ଆଣିବାକୁ ଅନୁମତି ଦେଇପାରେ । ପ୍ଲାଟଫର୍ମ ବିକାଶରେ ଅଛି ବୋଲି ଜଣେ ମେଟା ମୁଖପାତ୍ର ବିବିସିକୁ କହିଛନ୍ତି । ପାଠ୍ୟ ଆଧାରିତ ନେଟୱାର୍କ ଯେଉଁଥିରେ P92ର ଏକ କାର୍ଯ୍ୟ ଶିରୋନାମା ଅଛି, ବ୍ଲୁସ୍କି କିମ୍ବା ମସ୍ତୋଡନ୍ ଅପେକ୍ଷା ଏଲୋନ ମସ୍କର ଟ୍ୱିଟରରେ ଅଧିକ ପ୍ରତିଦ୍ୱନ୍ଦ୍ୱୀ ହୋଇପାରେ ।

  • ମୀରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ପ୍ରସ୍ତାବରେ ଚୀନ ପ୍ରତିବନ୍ଧକ

    ମୀରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ପ୍ରସ୍ତାବରେ ଚୀନ ପ୍ରତିବନ୍ଧକ

    ସବୁଥର ଭଳି ଏଥର ମଧ୍ୟ ଭାରତ ରାସ୍ତାରେ ପ୍ରତିବନ୍ଧକ ସାଜିଲା ଚୀନ । ମିଳିତ ଜାତିସଂଘରେ ଲସ୍କର-ଇ-ତାଏବା ସଦସ୍ୟ ସାଜିଦ ମୀରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଭାରତ ଓ ଆମେରିକା ମିଳିତ ଭାବେ ପ୍ରସ୍ତାବ ରଖିଥିଲେ । ହେଲେ ଏହି ପ୍ରସ୍ତାବ ଉପରେ ରୋକ୍ ଲଗାଇଛି ଚୀନ ।

    ୨୬/୧୧ ମୁମ୍ବାଇ ହମଲାରେ ସାଜିଦ ମୀର ମଧ୍ୟ ସାମିଲ ଥିଲା । ତେଣୁ ତା ବିରୋଧରେ ଆସିଥିବା ପ୍ରସ୍ତାବକୁ ଭିଟୋ କ୍ଷମତା ବଳରେ ଅଟକାଇ ଦେଇଛି ଚୀନ । ମୀର ବିରୋଧରେ ପ୍ରଥମେ ଆମେରିକା ପ୍ରସ୍ତାବ ଆଣିଥିବା ବେଳେ ସହଯୋଗୀ ରାଷ୍ଟ୍ର ଭାବେ ଭାରତ ଏହାକୁ ସମର୍ଥନ କରିଥିଲା । ଏହାଦ୍ୱାରା ମୀରର ସମସ୍ତ ସମ୍ପତ୍ତି ଜବତ ହୋଇଥାନ୍ତି । ଏଥିସହ ତା’ର ଯାତାୟାତରେ କଟକଣା ଲାଗିଥାଆନ୍ତା କିନ୍ତୁ ସବୁଥର ଭଳି ଏଥର ମଧ୍ୟ ଭାରତ ରାସ୍ତାରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି ବେଜିଂ ।

    ମିଳିତ ଜାତିସଂଘରେ ଭାରତର ଅଧିକାଂଶ ପ୍ରସ୍ତାବକୁ ଚୀନ ଓ ପାକିସ୍ତାନ ସର୍ବଦା ବିରୋଧ କରି ଆସୁଛନ୍ତି । ଗତବର୍ଷ ସେପ୍ଟେମ୍ବରରେ ଚୀନ, ମୀର ବିରୋଧୀ ପ୍ରସ୍ତାବ ଉପରେ ସ୍ଥଗିତାଦେଶ ଜାରି କରିଥିବା ବେଳେ ଏବେ ସମ୍ପୂର୍ଣ୍ଣ ଭାବେ ରୋକ୍ ଲଗାଇଛି । ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତାଲିକାରେ ମୀର ନାଁ ରହିଛି । ୨୬/୧୧ ମୁମ୍ବାଇ ଆକ୍ରମଣରେ ସେ ସାମିଲ ଥିଲା ।

    ତା’ମୁଣ୍ଡ ଉପରେ ୫ ମିଲିୟନ୍ ଡଲାରର ପୁରସ୍କାର ଘୋଷଣା ହୋଇଛି । ପୂର୍ବରୁ ଟେରର ଫଣ୍ଡିଂ ମାମଲାରେ ମୀରକୁ ୧୫ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ ପାକିସ୍ତାନର ଆତଙ୍କବାଦ ନିରୋଧ କୋର୍ଟ । ମୀର ପ୍ରାଣ ହରାଇଥିବା ନେଇ ପାକିସ୍ତାନ ଘୋଷଣା କରିବା ପରେ ପଶ୍ଚିମ ରାଷ୍ଟ୍ର ଗୁଡ଼ିକ ତାର ପ୍ରମାଣପତ୍ର ମାଗିଥିଲେ । ଯେଉଁଥିପାଇଁ ମିଛୁଆ ପାକିସ୍ତାନ ଅଡୁଆରେ ପଡ଼ିଥିଲା । ଏଥିରୁ ଖସିବା ପାଇଁ ଶେଷରେ ମୀର ଜେଲରେ ଥିବା ଖବର ପ୍ରକାଶ କରିଥିଲା ।

  • ଯୋଗ ବୈଶ୍ୱିକ ଆନ୍ଦୋଳନରେ ପରିଣତ, ସାରା ବିଶ୍ୱ ପାଳିଲା ନବମ ଯୋଗ ଦିବସ

    ଯୋଗ ବୈଶ୍ୱିକ ଆନ୍ଦୋଳନରେ ପରିଣତ, ସାରା ବିଶ୍ୱ ପାଳିଲା ନବମ ଯୋଗ ଦିବସ


    ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଦେଶ ବିଦେଶ ସବୁଠି ନବମ ଯୋଗ ଦିବସ ପାଳିତ ହୋଇଛି । ଯୋଗ ଦ୍ୱାରା ମନ ଶାନ୍ତ ରହେ । ଦେହ ସୁସ୍ଥ ଓ ସତେଜ ରଖିବା ପାଇଁ ଯୋଗ ଆବଶ୍ୟକତା ରହିଛି ।

    ଏହାର ଉପାଦେୟତା ଅଧିକ ଥିବାରୁ ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି ।

    ଯୋଗ ଦିବସ ଅବସରରେ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ଭାରତୀୟ ସମୟ ଅପରାହ୍ଣ ୫.୩୦ରେ ଜାତିସଂଘ ମୁଖ୍ୟାଳୟରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହେବ ଯେଉଁଥିରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ଏଥିରେ ଜାତିସଂଘର ବହୁ ପଦସ୍ଥ ଅଧିକାରୀ, ବହୁ ରାଷ୍ଟ୍ରର ରାଷ୍ଟ୍ରଦୂତ ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଅଂଶଗ୍ରହଣ କରିବେ । ଭାରତର ଆହ୍ୱାନରେ ୧୮୦ରୁ ଅଧିକ ଦେଶ ଏକତ୍ର ହେବା ନିହାତି ସ୍ମରଣୀୟ ଘଟଣା ବୋଲି ଭିଡିଓ ବାର୍ତ୍ତାରେ କହିଛନ୍ତି ପିଏମ୍ ।

    ଚଳିତଥର ଯୋଗ ଦିବସର ଥିମ୍ ରହିଛି ବସୁଧୈବ କୁଟୁମ୍ବକମ୍‌ । ଆଜି ସମଗ୍ର ବିଶ୍ୱରେ କୋଟି କୋଟି ଜନତା ଯୋଗ କରୁଛନ୍ତି । ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ବୈଶ୍ୱିକ ଆନ୍ଦୋଳନରେ ପରିଣତ ହୋଇଛି । ସେପଟେ, ଭାରତର ବିଭିନ୍ନ ପ୍ରାନ୍ତରେ ମଧ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦିବସରେ ଯୋଗଭ୍ୟାସ କରିଛନ୍ତି ।

    ଆଜି ଯୋଗ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ କରିଛନ୍ତି । ଯୋଗାଭ୍ୟାସ ଦ୍ୱାରା ମନ ସତେଜ ରହିବ, ଶରୀର ସୁସ୍ଥ ସବଳ ରହିଲେ ଜୀବନର ପ୍ରତିଟି ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ସକ୍ଷମ ହେବେ ବୋଲି ରାଷ୍ଟ୍ରପତି କହିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ମଧ୍ୟ ଯୋଗ କରିଛନ୍ତି । ସେହିପରି ଉତ୍ତରପ୍ରଦେଶର ଗୋରଖପୁରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

    ଓଡ଼ିଶାରେ ବି ନେତା, କର୍ମୀ, ଛାତ୍ରଛାତ୍ରୀ ଯୋଗ ଦିବସରେ ଯୋଗ କରିଛନ୍ତି ।

    ୨୦୧୪ରେ ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଯୋଗ ଦିବସ ପ୍ରସ୍ତାବକୁ ସମର୍ଥନ ମିଳିଥିଲା । ୨୦୧୫ରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇ ଆସୁଛି । ଏହାପରେ ଜୁନ୍ ୨୧କୁ ଭାରତ ସମେତ ବିଶ୍ୱର ୧୮୦ରୁ ଅଧିକ ଦେଶ ଯୋଗ ଦିବସ ପାଳନ କରୁଛନ୍ତି ।

  • ଗାନ୍ଧୀ ଶାନ୍ତି ପୁରସ୍କାରର ଅର୍ଥରାଶି ଗ୍ରହଣ କରିବନି ଗୀତା ପ୍ରେସ

    ଗାନ୍ଧୀ ଶାନ୍ତି ପୁରସ୍କାରର ଅର୍ଥରାଶି ଗ୍ରହଣ କରିବନି ଗୀତା ପ୍ରେସ

    ସମ୍ମାନ ଓ ଧନରାଶି ପାଇବାକୁ ସବୁ ଅନୁଷ୍ଠାନ ଅନେଇ ରହିଥାନ୍ତି। କିନ୍ତୁ ଏହାକୁ ଅସ୍ୱୀକାର କରୁଛି ଗୀତା ପ୍ରେସ। କେନ୍ଦ୍ର ପକ୍ଷରୁ ମିଳିବାକୁ ଥିବା ଏକ କୋଟିର ଧନରାଶିକୁ ମନା  କରି ଦେଇଛି ପ୍ରେସ। ତେବେ ଧନରାଶିକୁ ମନା କରାଯାଇଥିବା ବେଳେ ସମ୍ମାନ ଗ୍ରହଣ କରାଯିବ ବୋଲି ଅନୁଷ୍ଠାନର କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

    ୨୦୨୧ ଗାନ୍ଧୀ ଶାନ୍ତି ପୁରସ୍କାର ପାଇଁ ମନୋନିତ ହୋଇଛି ପୁରାତନ ମୁଦ୍ରଣକାରୀ ସଂସ୍ଥା ଗୀତା ପ୍ରେସ। ଏନେଇ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ହୋଇଛି ଘୋଷଣା । ପୁରସ୍କାର ଘୋଷଣା ପରେ ପ୍ରେସର ଟ୍ରଷ୍ଟି ଏଥିନେଇ କେନ୍ଦ୍ର ସରକାରକୁ କୃତଜ୍ଞତା ଜଣାଇଛନ୍ତି। କିନ୍ତୁ ପୁରସ୍କାର ରାଶି ସହ ଦିଆଯିବାକୁ ଥିବା ୧ କୋଟି ଅର୍ଥରାଶି ଗ୍ରହଣ କରାଯିବ ନାହିଁ ବୋଲି କୁହାଯାଇଛି। ଏହି ନିଷ୍ପତ୍ତି ବୋର୍ଡ ମିଟିଂରେ ନିଆଯାଇଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ଗାନ୍ଧୀ ଶାନ୍ତି ପୁରସ୍କାରରେ ଏକ କୋଟି ଟଙ୍କା ଧନରାଶି ସହ ପ୍ରଶସ୍ତି ପତ୍ର, ପଟ୍ଟିକା, ହସ୍ତକଳା, ହ୍ୟାଣ୍ଡଲୁମ କଳାକୃତି  ଦିଆଯିବ। କିନ୍ତୁ ପ୍ରେସ କର୍ତ୍ତୃପକ୍ଷ ଧନରାଶିକୁ  ଛାଡି ବାକି ସବୁକୁ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରି ହେବା ଦ୍ୱାରା ଉଭୟ ସରକାର ଓ ଅନୁଷ୍ଠାନର ସମ୍ମାନରକ୍ଷା ହୋଇ ପାରିବ।  

    କମ ମୂଲ୍ୟରେ ଧାର୍ମିକ ପୁସ୍ତକ ପ୍ରକାଶନ ପାଇଁ ଗୀତା ପ୍ରେସ ବେଶ ଖ୍ୟାତି ଅର୍ଜନ କରିଛି। ଏହି ଅନୁଷ୍ଠାନ ଦୀର୍ଘ ୧୦୦ ବର୍ଷ ଧରି ସ୍ବଳ୍ପ ମୂଲ୍ୟରେ ଲୋକଙ୍କୁ ଯୋଗାଇ ଦେଉଛି ଧର୍ମୀୟ ପୁସ୍ତକ। ଏହି ପ୍ରସଟି ୧୯୨୩ରେ ପ୍ରତିଷ୍ଠା ହୋଇଥିଲା। ଏହା ବିଶ୍ୱର ସବୁଠାରୁ ବୃହତ୍ତ ପ୍ରକାଶନ ସଂସ୍ଥା। ଅଦ୍ୟାବଧି ସଂସ୍ଥା ଦ୍ୱାରା ୧୪ ଭାଷାରେ ୪୧.୭ କୋଟି ପୁସ୍ତକ ପ୍ରକାଶ ହୋଇ ସାରିଛି। ଏହି ସବୁ ପୁସ୍ତକ ମଧ୍ୟରେ ୧୬.୨୧ କୋଟିର କେବଳ ଶ୍ରୀମଦ୍ ଭଗବଦ ଗୀତା ରହିଛି। ସବୁଠାରୁ ବଡ କଥା, ଅନୁଷ୍ଠାନର ଜୀବନକାଳ ମଧ୍ୟରେ ଅର୍ଥ ଉପାର୍ଜନ ପାଇଁ କୌଣସି ପ୍ରକାରର ବିଜ୍ଞାପନ ଉପରେ ନିର୍ଭରଶୀଳ ନୁହେଁ। ନିଜର ପ୍ରକାଶନରୁ ଆସୁଥିବା ଅର୍ଥରେ ଏହା ପରିଚାଳିତ।

  • କୁମ୍ଭୀର ମୁହଁରେ ପଡିଲେ ପ୍ରେମି ଯୁଗଳ !

    କୁମ୍ଭୀର ମୁହଁରେ ପଡିଲେ ପ୍ରେମି ଯୁଗଳ !

    ()ମଧ୍ୟପ୍ରଦେଶରେ ହତ୍ୟା ମାମଲାରେ ଜଣେ ୧୮ ବର୍ଷ ବୟସ୍କା ମହିଳା ଏବଂ ତାଙ୍କର ୨୧ ବର୍ଷିୟା ପ୍ରେମିକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା, ସେମାନଙ୍କ ଶରୀରକୁ ଭାରୀ ପଥରରେ ବାନ୍ଧି କୁମ୍ଭୀର ଥିବା ନଦୀରେ ଫିଙ୍ଗି ଦିଆଯାଇଥିଲା।ମୋରେନା ଜିଲ୍ଲାର ରତନବାସାଇ ଗ୍ରାମରେ ଶିବାନୀ ତୋମାର ଏବଂ ରାଧେଶ୍ୟାମ ଟୋମରଙ୍କୁ ତାଙ୍କ ପରିବାର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପଡୋଶୀ ଗାଁ ବାଲୁପୁରାର ରାଧେଶ୍ୟାମଙ୍କ ସହ ଶିବାନୀଙ୍କ ସମ୍ପର୍କକୁ ପରିବାର ଦୃଢ  ବିରୋଧ କରିଥିଲେ ବୋଲି ପୋଲିସ କହିଛି।ରାଧେଶ୍ୟାମଙ୍କ ବାପା ପୋଲିସ ନିକଟରେ ଅଭିଯୋଗ କରିବା ପରେ ତାଙ୍କ ପୁଅ ଏବଂ ମହିଳା କିଛି ଦିନ ହେବ ନିଖୋଜ ଥିବା ଏବଂ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯିବା ପରେ ଏହି ହତ୍ୟାକାଣ୍ଡ ପ୍ରକାଶ ପାଇଥିଲା। ପ୍ରଥମେ ଉଭୟେ ପଳାଇ ଯାଇଥିବା ପୋଲିସ ସନ୍ଦେହ କରିଥିଲା। ତେବେ ଗାଁର କେହି ଦୁହେଁ ଚାଲିଯିବାର ଦେଖି ନଥିଲେ।ପରେ ପୋଲିସ ମହିଳାଙ୍କ ବାପା ଏବଂ ସମ୍ପର୍କୀୟଙ୍କୁ ପଚରାଉଚରା କରିଥିଲା। ଘଣ୍ଟା ଘଣ୍ଟା ଧରି ପଚରାଉଚରା ପରେ ସେମାନେ ଅପରାଧ ସ୍ୱୀକାର କରିଥିଲେ ବୋଲି ପୋଲିସ ଦାବି କରିଛି।ମହିଳାଙ୍କ ପରିବାର ପୋଲିସକୁ କହିଛି ଯେ ଶିବନୀ ଏବଂ ରାଧେଶାମଙ୍କୁ ଜୁନ୍ ୩ ରେ ଗୁଳି କରି ହତ୍ୟା କରାଯାଇଥିଲା ଏବଂ ସେମାନଙ୍କ ମୃତଦେହକୁ ଭାରୀ ପଥରରେ ବାନ୍ଧି ଚାମ୍ବଲ ନଦୀରେ ଫିଙ୍ଗି ଦିଆଯାଇଥିଲା। ଯେଉଁଠାରେ ୫୦୦ ରୁ ଅଦିକ କୁମ୍ଭୀର ଅଛନ୍ତି ।

  • ଲେବାନନକୁ ହରାଇ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଜିତିଲା ଭାରତ

    ଲେବାନନକୁ ହରାଇ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଜିତିଲା ଭାରତ

    ଶେଷରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଜିତିଲା ଭାରତ । ଦ୍ବିତୀୟ ଥର ଲାଗି ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ହାତେଇଛି ଟିମ୍ ଇଣ୍ଡିଆ । ଭୁବନେଶ୍ବର କଳିଙ୍ଗ ‌ଷ୍ଟାଡିୟମରେ ଚତୁଃରାଷ୍ଟ୍ରୀୟ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ବାଜି ମାରିଛି ଭାରତ । ଭାରତ ୨-୦ ଗୋଲ୍‌ରେ ନିଜଠୁ ଉଚ୍ଚମାନ୍ୟତାପ୍ରାପ୍ତ ଲେବାନନ୍‌କୁ ପରାସ୍ତ କରିଛି । ଲିଗ୍‌ ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରି ଶେଷରେ ଫାଇନାଲରେ ଏଣ୍ଟ୍ରି କରିଥିଲା ଦଳ ।

    ଅଧିନାୟକ ସୁନିଲ ଛେତ୍ରୀ ଓ ଲାଲଲିଆଞ୍ଜୁଆଲା ଚାଙ୍ଗ୍‌ଟେ ଦମଦାର ଗୋଲରେ ଘାଇଲା ହୋଇଥିଲା ଲେବାନନ୍ । ଏହି ମ୍ୟାଚରେ ଅଧିନାୟକ ଛେତ୍ରୀ ତାଙ୍କ କ୍ୟାରିୟରର ୮୬ତମ ଅନ୍ତର୍ଜାତୀୟ ଗୋଲ୍‌ ଦେଇଥିଲେ । କଡ଼ା ସଂଘର୍ଷରେ ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା । ଭାରତ ଆକ୍ରମଣାତ୍ମକ ଖେଳ ଖେଳି ଅନେକ ଥର ଲେବାନନ୍‌ର ଗୋଲ୍‌ପୋଷ୍ଟର ନିକଟତର ହୋଇଥିଲେ ସୁଦ୍ଧା ଗୋଲ୍ କରିପାରିନଥିଲା ।

    ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ହିଁ ଭାରତ ଆଟାକିଂ ମୋଡରେ ଆସିଥିଲେ । ୪୬ ମିନିଟ୍ ବେଳକୁ ଅଧିନାୟକ ସୁନିଲ ଛେତ୍ରୀ ଦଳ ପାଇଁ ପ୍ରଥମ ଗୋଲ ଆଣିଥିଲେ । ଏହା ପରେ ଚାଙ୍ଗ୍‌ଟେ ୬୫ ମିନିଟରେ ଦଳ ପାଇଁ ଦ୍ୱିତୀୟ ଗୋଲ୍‌ ଆଣିଥିଲେ । ଲେବାନନ୍‌ ପ୍ରତି ଆକ୍ରମଣ କରି ଶେଷରେ ପରାସ୍ତ ହେଲା । ଭାରତ ବିରୋଧରେ ଗୋଟିଏ ବି ଗୋଲ୍ କରିପାରିଲାନି ଲେବାନନ୍ । ଚାଙ୍ଗଟେ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ହୋଇଥିବା ବେଳେ ସନ୍ଦେଶ ଝିଙ୍ଗାନ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ଯୋଗଦେଇ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏଥିସହ ଭାରତୀୟ ଦଳ ପାଇଁ ଏକ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ନବୀନ ।

  • ଲୁ ପ୍ରବାହ କାରଣରୁ ୩ ଦିନରେ ୫୪ ମୃତ୍ୟୁ

    ଲୁ ପ୍ରବାହ କାରଣରୁ ୩ ଦିନରେ ୫୪ ମୃତ୍ୟୁ

    ଗ୍ରୀଷ୍ମ ପ୍ରବାହରେ ଜଳୁଛି ଦେଶ। ୟୁପିର ବଲିଆରେ ପ୍ରବାହିତ ଲୁରେ ଗତ ୩ ଦିନରେ ଗଲାଣି ୫୪ ଜୀବନ। ଏହା ପରେ ପ୍ରଶାସନ ଆଲର୍ଟ ମୋଡକୁ ଆସିଛି। ମୃତ୍ୟୁର କାରଣ ଖୋଜିବାକୁ ଗଠନ ହୋଇଛି ଯାଞ୍ଚ ଟିମ।

    ଭୀଷଣ ଗ୍ରୀଷ୍ମ ପ୍ରବାହରେ ଉତ୍ତର ପ୍ରଦେଶର ସବୁ ଜିଲ୍ଲା ଜଳୁଛି। ସ୍ଥିତି ଏମିତି ହୋଇଛି କି, ଲୋକେ ଘରୁ ବାହାରିବା ବନ୍ଦ କରି ଦେଇଛନ୍ତି। ସେଠାରେ ପ୍ରବାହିତ ଲୁ କାରଣରୁ ଶହ ଶହ ସଂଖ୍ୟାରେ ଲୋକ ଅସୁସ୍ଥ ହୋଇପଡୁଛନ୍ତି।  ଏହା ମୁଖ୍ୟତଃ ବୟସ୍କ ଓ ଶିଶୁଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି। ଯେଉଁମାନେ ଗରମ ସହି ପାରୁ ନାହାନ୍ତି, ସେମାନଙ୍କ ଜୀବନ ପାଇଁ ବହୁ ସମସ୍ୟା ସୃଷ୍ଟି କରୁଛି। ତେବେ ସବୁଠାରୁ ଅଧିକ ପ୍ରଭାବ ରାଜ୍ୟର ବଲିଆରେ ଦେଖିବାକୁ ମିଳିଛି।

    ବଲିଆରେ ଭୀଷଣ ଗରମରୁ ରୋଗୀ ଓ ମୃତ୍ୟୁ ସଂଖ୍ୟାରେ ଅଚାନକ ବୃଦ୍ଧି ଘଟିଛି। ଗତ ୧୫, ୧୬ ଓ ୧୭ ଜୁନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ବହୁ ଲୋକଙ୍କ ଶ୍ୱାସ କ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥିଲା। ଏହା ବ୍ୟତୀତ ଅନ୍ୟାନ୍ୟ ରୋଗରେ ପୀଡିତ ପ୍ରାୟ ୪୦୦ ରୋଗୀ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୧୫ ଜୁନରେ ୨୩, ୧୬ ଜୁନରେ ୨୦ ଓ ୧୭ ଜୁନ ସନ୍ଧ୍ୟା ସୁଦ୍ଧା୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ସଂଖ୍ୟା ଖାଲି ଜିଲ୍ଲା ହସ୍ପିଟାଲର କେବଳ।

    ଏପରି ସ୍ଥିତିରେ ସମସ୍ତ ଜିଲ୍ଲାର ସ୍ଥିତି କଣ ହୋଇଥିବା ଏହା ଅନୁମାନ କରାଯାଇପାରେ। ଜିଲ୍ଲା ହସ୍ପିଟାରକୁ ଲୁ ପ୍ରବାହରୁ ଏତେ ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି କି, ସେମାନଙ୍କୁ ନେବାକୁ ଷ୍ଟ୍ରଚର ମିଳୁନାହିଁ। ତେଣୁ ରୋଗୀଙ୍କୁ କାନ୍ଧରେ ବୋହି ନେଉଛନ୍ତି ପରିଜନ ବର୍ଗ।