Category: ଦେଶ-ବିଦେଶ

  • ଦାଦନ ଖଟିବାକୁ ଯାଇଥିଲା କେରଳ, ହତ୍ୟା କଲା ନିଜ ଭିଣୋଇ

    ଦାଦନ ଖଟିବାକୁ ଯାଇଥିଲା କେରଳ, ହତ୍ୟା କଲା ନିଜ ଭିଣୋଇ

    ଶଳାକୁ ପଥରରେ ଛେଚି ହତ୍ୟା କଲା ଭିଣୋଇ। ଦାଦନ ଖଟିବାକୁ କେରଳ ଯାଇଥିବା ଯୁବକଙ୍କୁ ନିଜ ଭଉଣୀର ସ୍ୱାମୀ ହତ୍ୟା କରିଥିବା ହୋଇଛି ଅଭିଯୋଗ। ମୃତକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଅଧୀନ ବିଜିପୁର ଗାଁର ଅଭୟ ବୀର। ଏନେଇ ଥାନାରେ ଅଭିଯୋଗ ହେବା ସହ ମୃତଦେହ ଗାଁକୁ ଫେରାଇ ଆଣିବାକୁ ହେଉଛି ଅନୁରୋଧ।
    ଖବର ଅନୁଯାୟୀ, ମୋହନା ଥାନା ବିଜିପୁର ଗାଁର ଅଭୟ ବୀର ଦୁଇ ମାସ ହେବ ଦାଦନ ଖଟିବାକୁ ଯାଇଥିଲେ କେରଳ। ସେଠାରେ ସେ କୋଲାମ ଜିଲ୍ଲା କଟରାକେରା ଅଞ୍ଚଳରେ ନିଜ ଭଉଣୀ ଓ ଭିଣୋଇଙ୍କ ସହ ରହୁଥିଲେ। ଭିଣୋଇ ମନୋଜ ବହୁ ଦିନରୁ ସେଠାରେ ଶ୍ରମିକ ଭାବେ କାମ କରି ଆସୁଥିଲେ। କିନ୍ତୁ ଶୁକ୍ରବାର ରାତିରେ ଭଉଣୀ ଓ ଭିଣୋଇଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଅଭୟ ହସ୍ତକ୍ଷେପ କରିବାରୁ ଭିଣୋଇ ମନୋଜ ଉତକ୍ଷିପ୍ତ ହୋଇ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରନ୍ତି ଅଭୟଙ୍କ ପତ୍ନୀ ଓ ଭାଇ।
    ଏହି ଘଟଣାରେ କଟରାକେରା ପୋଲିସ ଅଭିଯୁକ୍ତ ଭିଣୋଇକୁ ଗିରଫ କରି ପଚରା ଉଚରା କରୁଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ସରିଛି। ବର୍ତ୍ତମାନ ମୃତଦେହ ସେଠାରେ ପରିବାର ଲୋକଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। କିନ୍ତୁ ଅଭୟଙ୍କ ପରିବାର ଅତି ଗରିବ ହୋଇ ଥିବାରୁ ମୃତଦେହ ଗାଁକୁ ଆଣିବାକୁ ଅସମର୍ଥ। ତେଣୁ ପରିବାର ବର୍ଗ ଅଭୟଙ୍କ ମୃତଦେହ ଗାଁକୁ ଆଣିବାକୁ ସରକାର ନିକଟରେ ଅନୁରୋଧ କରିଛନ୍ତି।
    ସେପଟେ ଏହି ଘଟଣାକୁ ନେଇ ବିଜିପୁର ଗାଁରେ ଖେଳିଯାଇଛି ଶୋକର ଲହରୀ। ଅଭୟଙ୍କ ମୃତଦେହ ଗାଁକୁ ଆଣିବାକୁ କରିଛନ୍ତି ଅପେକ୍ଷା।

  • ୨୦୨୪ ନିର୍ବାଚନରେ କଡ଼ା ମୁକାବିଲା, NDA VS PDA

    ୨୦୨୪ ନିର୍ବାଚନରେ କଡ଼ା ମୁକାବିଲା, NDA VS PDA

    ଆଗକୁ ୨୦୨୪ ଲୋକସଭା ନିର୍ବାଚନ । ଏହାକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କଲେଣି । କେନ୍ଦ୍ର ବିଜେପି ସରକାରଙ୍କୁ ପରାସ୍ତ କରିବା ପାଇଁ ଏକାଠି ହେଲେଣି ବିରୋଧୀ ଗୋଷ୍ଠୀ । କଳେ ବଳେ କୌଶଳେ କେମିତି ହେଲେ ବି ଏନଡିଏ ସରକାରଙ୍କୁ ହରାଇବାକୁ ପଡ଼ିବ । ସେଥିପାଇଁ ହାତ ସହ ହାତ ମିଳାଇବାକୁ ଉଦ୍ୟମ ଆରମ୍ଭ ହୋଇଛି ।

    ବିହାର ପାଟନାରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ସରିଛି । ୩୦ରୁ ଅଧିକ ବିରୋଧୀ ଦଳ ଏଥିରେ ସାମିଲ ହୋଇ ନିଜର ମତାମତ ରଖିଛନ୍ତି । ବୈଠକରେ ବିଜେପି ବିରୋଧରେ ଏକଜୁଟ ହେବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ବିରୋଧୀ ଦଳର ମିଳିତ ମଞ୍ଚର ନାମ PDA ରଖିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ତେବେ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କୌଣସି ଘୋଷଣା ହୋଇନାହିଁ । PDA ଅର୍ଥାତ ପେଟରିଆଟିକ୍ ଡେମୋକ୍ରାଟିକ୍ ଆଲାଏନ୍ସ । ସେପଟେ, ଜୁଲାଇ ୧୨ରୁ ୧୪ ଯାଏ ବିରୋଧୀ ଦଳର ପରବର୍ତ୍ତୀ ବୈଠକ ଶିମଲାରେ ଅନୁଷ୍ଠିତ ହେବ । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ବୈଠକରେ ମଞ୍ଚର ନୂତନ ନାମ ଏବଂ ନୀତିଶ କୁମାରଙ୍କୁ ଦଳର ସଂଯୋଜକ ଭାବେ ଘୋଷଣା କରାଯିବ ।

    ଗତ ଶୁକ୍ରବାର ପାଟନାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହାକୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆୟୋଜନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ଏହି ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ପୂର୍ବତନ ସାଂସଦ ରାହୁଲ ଗାନ୍ଧି ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସାମିଲ ହୋଇଥିଲେ ।

    ସେହିପରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ,ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ,ଶିବସେନା ମୁଖ୍ୟ ଉଦ୍ଧବ ଠାକରେ,ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ସମେତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ନ୍ୟାସନାଲ କନ୍ଫରେନ୍ସ ନେତା ଓମାର ଅବଦୁଲ୍ଲା,ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ନେତ୍ରୀ ମେହବୁବା ମୁଫତି ମଧ୍ୟ ଯୋଗ ଦେଇଥିଲେ । କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ମାର୍କ୍ସବାଦୀ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ମଧ୍ୟ ବୈଠକରେ ସାମିଲ ହୋଇଥିଲେ ।

  • ମଣିପୁର: ଉତ୍ତ୍ୟକ୍ତ ଲୋକଙ୍କ ଦାବି ଯୋଗୁଁ ଗିରଫ ୧୨ ଉଗ୍ରବାଦୀ ମୁକ୍ତ

    ମଣିପୁର: ଉତ୍ତ୍ୟକ୍ତ ଲୋକଙ୍କ ଦାବି ଯୋଗୁଁ ଗିରଫ ୧୨ ଉଗ୍ରବାଦୀ ମୁକ୍ତ

    ମଣିପୁରରେ ହିଂସା ଥମିବା ବଦଳରେ ବଢ଼ିବାରେ ଲାଗିଛି । କେଉଁଠି ପୋଡ଼ାଜଳା ତ କେଉଁଠି ବିକ୍ଷୋଭ ପ୍ରଦର୍ଶନ । ସୁରକ୍ଷା ବାହିନୀ ଉପରକୁ ଆକ୍ରମଣ କରିବାକୁ ବି ପଛାଉ ନାହାଁନ୍ତି ଦୁର୍ବୃତ୍ତ । ଗତ କିଛି ଦିନ ହେଲା ଲାଗି ରହିଥିବା ହିଂସାକୁ ନେଇ ୧୨ ଜଣ ଉଗ୍ରବାଦୀଙ୍କୁ ଗିରଫ କରିଥିଲେ ସୁରକ୍ଷା ବାହିନୀ । ହେଲେ ପରିସ୍ଥିତି ଏମିତି ହେଲା ଶେଷରେ ସେମାନଙ୍କୁ ମୁକ୍ତ କରିବାକୁ ପଡ଼ିଲା ।

    ପୂର୍ବ ଇମ୍ଫାଲ୍‌ ଅନ୍ତର୍ଗତ ଇଥାମ୍‌ ଗାଁରେ ସୁରକ୍ଷାକର୍ମୀଙ୍କୁ ଘେରାଉ କରିଥିଲେ ମହିଳା । ସେମାନଙ୍କ ନେତୃତ୍ବରେ ପ୍ରାୟ ୧୫୦୦ ଉତ୍ତ୍ୟକ୍ତ ଲୋକେ ସୁରକ୍ଷାକର୍ମୀଙ୍କୁ ଛାଡ଼ି ନଥିଲେ । ଶେଷରେ ବାଧ୍ୟ ହୋଇ ‘କାଙ୍ଗ୍‌ଲେଇ ୟାୱଲ୍‌ କାନ୍ନା ଲୁପ୍‌’ (KYKL)ର ୧୨ ଜଣ ଉଗ୍ରବାଦୀଙ୍କୁ ମୁକ୍ତ କରିଥିଲେ ସୁରକ୍ଷାକର୍ମୀ । ଏ ନେଇ ସରକାରୀ ଅଧିକାରୀମାନେ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି । ସାଧାରଣ ନାଗରିକମାନଙ୍କ ଜୀବନ ବିପଦରେ ନ ପକାଇବା ଲାଗି ସେନା ଭାବିଚିନ୍ତି ଏଭଳି ନିଷ୍ପତ୍ତି ଗ୍ରହଣ କରିଛି । ମୁକ୍ତ ଉଗ୍ରବାଦୀମାନେ ଘଟଣାସ୍ଥଳରେ ଜବତ ଅସ୍ତ୍ରଶସ୍ତ୍ର ନେଇ ଚାଲି ଆସିଥିବା ସୁରକ୍ଷାବାହିନୀ ପକ୍ଷରୁ କୁହାଯାଇଛି ।

    ଗତକାଲି ଇଥାମ୍‌ ଗାଁରେ ସୁରକ୍ଷା ବାହିନୀ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଥିଲା । ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ କରିବା ସହ ମଣିପୁରୀ ଉଗ୍ରବାଦୀ ସଙ୍ଗଠନ KYKLର ୧୨ ଜଣ କ୍ୟାଡର୍‌ଙ୍କୁ ଗିରଫ କରଯାଇଥିଲା । ସେପଟେ କୋହିମା ଓ ଇମ୍ଫାଲ୍‌ର ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ କିଛି ମହିଳା ଓ ସ୍ଥାନୀୟ ନେତାଙ୍କ ନେତୃତ୍ବରେ ପ୍ରାୟ ୧୫୦୦ ଉତ୍ତ୍ୟକ୍ତ ଲୋକ ଘଟଣାସ୍ଥଳକୁ ଘେରି ଯାଇଥିଲେ ।

    ସୁରକ୍ଷା ବାହିନୀ ପକ୍ଷରୁ ଚାଲିଥିବା ଅଭିଯାନରେ ସେମାନେ ବାଧା ଦେଇଥିଲେ । ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ କୌଣସି ସୁଫଳ ମିଳିନଥିଲା । ଉତ୍ତ୍ୟକ୍ତ ଜନତାଙ୍କ ଉପରେ ଆକ୍ରମଣ ନକରି ଶେଷରେ ୧୨ ଜଣ କ୍ୟାଡର୍‌ଙ୍କୁ ସ୍ଥାନୀୟ ନେତାଙ୍କୁ ହସ୍ତାନ୍ତର କରାଯାଇଥିଲା । ଜନଜାତି ମାନ୍ୟତା ପାଇଁ ଦାବି କରୁଥିବା ମଣିପୁରୀ ସମ୍ପ୍ରଦାୟ ବିରୋଧରେ ମେ’ ୩ ତାରିଖରେ ଆୟୋଜିତ ଟ୍ରାଇବାଲ୍‌ ସଲିଡାରିଟି ମାର୍ଚ୍ଚରେ ହିଂସାକାଣ୍ଡ ଘଟିଥିଲା । ସେବେଠାରୁ ଏଯାବତ୍‌ ମଣିପୁର ରାଜ୍ୟରେ ଅସ୍ଥିରତା ଲାଗି ରହିଛି ।

  • ସୃଷ୍ଟ ଲଘୁଚାପ କାରଣରୁ ଆଗାମୀ ଦୁଇ ଦିନରେ ହୋଇପାରେ ପ୍ରବଳ ବର୍ଷା

    ସୃଷ୍ଟ ଲଘୁଚାପ କାରଣରୁ ଆଗାମୀ ଦୁଇ ଦିନରେ ହୋଇପାରେ ପ୍ରବଳ ବର୍ଷା

    ପୁଣି ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।

    ଗୋଟିଏ ପଟେ ରାଜ୍ୟକୁ ପ୍ରବେଶ କରିଛି ମୌସୁମୀ। ମୌସୁମୀ ଆଗମନରେ ଜାରି ରହିଛି ବର୍ଷା।  ଅନ୍ୟପଟେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାରୁ ଆଗକୁ ଆହୁରି ବର୍ଷା ଆଶଙ୍କ ସୃଷ୍ଟି ହୋଇଥିବା ସତର୍କ କରାଇ ଦେଇଛି ଭୁବନେଶ୍ବର ପାଣିପାଗ ବିଭାଗ। ଗତକାଲି ଜାରି ପାଣିପାଗ ବୁଲେଟିନ ଅନୁଯାୟୀ, ଆଜି ସକାଳ ସାଢ଼େ ୮ଟାରୁ ୨୬ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ସମ୍ବଲପୁର, ଅନୁଗୋଳ, ବୌଦ୍ଧ, ସୋନପୁର, ବରଗଡ଼, ଦେବଗଡ଼, ବଲାଙ୍ଗିର, ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ସମ୍ବଲପୁର, ସୋନପୁର ଓ ବୌଦ୍ଧର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ସବୁ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

    ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

    ପାଣିପାଗ ସୂଚନା ଅନୁଯାୟୀ, ୨୬ ତାରିଖ ସକାଳ ସାଢ଼େ ୮ଟାରୁ ୨୭ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା,ସମ୍ବଲପୁର, ସୋନପୁର, ବୌଦ୍ଧ ଓ ନବରଙ୍ଗପୁର ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବଲାଙ୍ଗିର, କଳାହାଣ୍ଡି ଓ ବରଗଡ଼ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲା ଗୁଡ଼ିକୁ ଓରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

    ସେହିପରି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

    ୨୭ ତାରିଖ ସକାଳ ସାଢ଼େ ୮ଟାରୁ ୨୮ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

  • ଓଣ୍ଡା ଷ୍ଟେସନରେ ଦୁଇ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ

    ଓଣ୍ଡା ଷ୍ଟେସନରେ ଦୁଇ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ

    ପୁଣି ଦୁଇ ଟ୍ରେନ ଭିତରେ ଦୁର୍ଘଟଣା।  ରବିବାର ଭୋର ୪ଟାରେ ପଶ୍ଚିମବଙ୍ଗର ବାଙ୍କୁରାରେ ଦୁଇ ମାଲବାହୀ ଟ୍ରେନ ଭିତରେ ଦୁର୍ଘଟଣା ଘଟିଥିବା ବେଳେ ମାଲବାହୀ ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଯାଇଛି।

    ଓଣ୍ଡା ଷ୍ଟେସନରେ ଗୋଟିଏ ମାଲବାହୀ ଟ୍ରେନ ଅନ୍ୟ ଟ୍ରେନକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଦୁଇଟି ଯାକ ଟ୍ରେନ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ରେଳ ସେବା ପ୍ରଭାବିତ ହୋଇଛି। ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ସେମିତି କିଛି କ୍ଷୟକ୍ଷତି ହୋଇନାହିଁ। କେବଳ ଜଣେ ଟ୍ରେନ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ତେବେ ଏହି ଦୁର୍ଘଟଣାରେ ପ୍ଲାଟଫର୍ମ ଓ ସିଗ୍ନାଲ ରୁମ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। 

    ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି କି, ଦୁର୍ଘଟଣା ବେଳେ ଉଭୟ ମାଲବାହୀ ଟ୍ରେନ ଖାଲି ରହିଥିଲା। ତେବେ କେଉଁ କାରଣରୁ ଧକ୍କା ଘଟିଲା ତାହା ଜଣାପଡି ନ ଥିଲା ବେଳେ କାରଣ ଖୋଜା ଚାଲିଛି। ଘଟଣା ପରେ ଅଦ୍ରା ଡିଭିଜନରେ ଟ୍ରେନ ସେବା ପ୍ରଭାବିତ ହୋଇଛି।

    ଅଦ୍ରା ଡିଭିଜନ ଅଧୀନରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର, ବଙ୍କୁରା, ପୁରୁଲିଆ ଓ ବୃନ୍ଦାବନ ରହିଥିବା ବେଳେ ଝାରଖଣ୍ଡର ଧନବାନ, ବୋକାରୋ ଓ ସିଂହଭୂମୀ ରହିଛି। ଏହି ସବୁ ଜିଲ୍ଲାରେ ଟ୍ରେନ ସେବା ପ୍ରଭାବିତ ହୋଇଛି। ରେଳ ଅଧିକାରୀମାନେ ସ୍ଥିତିକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରୁଛନ୍ତି। ଖୁବଶୀଘ୍ର ଯାତାୟାତ ସ୍ୱାଭାବିକ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

  • ମସ୍କୋ: ବେଲାରୁଷର ଏଣ୍ଟ୍ରି,’ୱାଗନର’ର ୟୁ-ଟର୍ଣ୍ଣ, ଅଳ୍ପକେ ବର୍ତ୍ତିଲା ଋଷ

    ମସ୍କୋ: ବେଲାରୁଷର ଏଣ୍ଟ୍ରି,’ୱାଗନର’ର ୟୁ-ଟର୍ଣ୍ଣ, ଅଳ୍ପକେ ବର୍ତ୍ତିଲା ଋଷ

    ଋଷରେ ଗୃହଯୁଦ୍ଧ ପରିସ୍ଥିତି । କେତେବେଳେ ଦେଶ ଭିତରେ କ’ଣ ଘଟିବ କହିହେବନି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏବେ ଜୋରଦାର ବିରୋଧ ହେଉଛି । ଋଷରେ ରହୁଥିବା ଲୋକ, ଦେଶର ଖାଉଥିବା ଲୋକ ଏବେ ଋଷକୁ ହିଁ ନଷ୍ଟ କରିବାକୁ ବସିଛନ୍ତି । ପୁଟିନ ବିରୋଧରେ ଦଳେ ଥିବାବେଳେ ଅନ୍ୟ ଗୋଷ୍ଠୀ ସମର୍ଥନରେ ବାହାରିଛନ୍ତି । ମାନେ ପ୍ରାଇଭେଟ୍ ଆର୍ମି ‘ୱାଗନର’, ରାଷ୍ଟ୍ରପତି ପୁଟିନଙ୍କୁ ନିଜ ପଦରୁ ହଟାଇବାକୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛି । ଏପରିକି କିଛି ସହରକୁ ନିଜ କବଜାକୁ ନେଇଛି । ସେପଟେ ପ୍ରାଇଭେଟ୍ ଆର୍ମି ‘ୱାଗନର’ ଉପରେ କଡ଼ା ନଜର ରଖିଛନ୍ତି ଋଷ ସେନା । ଦୋଷୀକୁ ଦଣ୍ଡ ଦେବା ପାଇଁ ପୁଟିନ ସେନା ସଂକଳ୍ପ ନେଇଛନ୍ତି । ଦେଶଦ୍ରୋହୀ, ବିଶ୍ୱାସଘାତକମାନଙ୍କୁ କେବେ ବି କ୍ଷମା କରାଯିବନି ବୋଲି ପୁଟିନ୍ ରୋକଠୋକ୍ କହିଛନ୍ତି ।

    ପ୍ରାଇଭେଟ୍ ଆର୍ମି ‘ୱାଗନର’ମୁଖ୍ୟ ପ୍ରିଗୋଝିନ୍‌, ପୁଟିନଙ୍କୁ ଗାଦିଚ୍ୟୁତ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି । ଏପରିକି ମସ୍କୋ ଅଭିମୁଖେ ପ୍ରାଇଭେଟ୍ ଆର୍ମି ଯାଉଥିବା ବେଳେ ଏଣ୍ଟ୍ରି ମାରିଛନ୍ତି ବେଲାରୁଷ ରାଷ୍ଟ୍ରପତି । ସେ ମଧ୍ୟସ୍ଥତା ପାଇଁ ‘ୱାଗନର’ମୁଖ୍ୟଙ୍କ ସହ ଆଲୋଚନା କରିବା ପରେ ପ୍ରିଗୋଝିନ୍‌ ସହମତି ପ୍ରକାଶ କରିଛନ୍ତି । ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ରାଜି ହେବାରୁ ୟୁ-ଟର୍ଣ୍ଣ ନେଇଛି ୱାଗନର ସେନା । ଶେଷରେ ଋଷରେ ବିଦ୍ରୋହର ଧ୍ୱନି ସାମାନ୍ୟ କମିଛି । ରକ୍ତାକ୍ତ ଯୁଦ୍ଧରୁ ଅଳ୍ପକେ ବର୍ତ୍ତିଛି ଦେଶ ତଥାପି ଆଲର୍ଟ ରହିଛନ୍ତି ଋଷ ସେନା ।

    ଋଷ ଏବଂ ୟୁକ୍ରେନ ଯୁଦ୍ଧକୁ ୧୬ ମାସ ପୁରିଲାଣି । ତଥାପି ଏହାର କୌଣସି ନିଷ୍କର୍ଷ ବାହାରୁନି । ସମାଧାନର ରାସ୍ତା କେହି ବି ବାହାର କରୁନାହାଁନ୍ତି । ୟୁକ୍ରେନ ପୁରାପୁରି ଭାବେ ଧ୍ୱସ୍ତବିଧ୍ୱସ୍ତ ହେଲାଣି । ଆମେରିକା ଏବଂ ୟୁରୋପ ମହାଦେଶର ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ଅସ୍ତ୍ରଶସ୍ତ୍ର ଯୋଗାଉଥିବାରୁ ୟୁକ୍ରେନ ଯୁଦ୍ଧ ଜାରି ରଖିଛି । ଋଷକୁ ମଧ୍ୟ ବହୁ କ୍ଷତି ସହିବାକୁ ପଡ଼ିଲାଣି ।

    ବାହ୍ୟ ବଳ ସହାୟତାରେ ୟୁକ୍ରେନ୍ ପଛକୁ ହଟୁନି କି ଯୁଦ୍ଧ ବନ୍ଦ କରୁନି । ଏଭଳି ସ୍ଥିତିରେ ଦେଶ ଭିତରେ ହିଁ ପୁଟିନଙ୍କୁ ବିରୋଧର ସାମ୍ନା କରିବାକୁ ପଡ଼ିଛି । ଋଷ ଗୃହଯୁଦ୍ଧ ଉପରେ କଡ଼ା ନଜର ରଖିଛନ୍ତି ଆମେରିକା, ୟୁକ୍ରେନ ପରି ବିରୋଧୀ ରାଷ୍ଟ୍ର । ସେପଟେ ଋଷ ସ୍ଥିତି ନେଇ ଭାରତ ଭଳି ମିତ୍ର ରାଷ୍ଟ୍ର ଗୁଡ଼ିକ ଟେନସନରେ ପଡ଼ିଛନ୍ତି । ଋଷ ସ୍ଥିତି ସମ୍ଭାଳିବା ପାଇଁ ମିତ୍ରରାଷ୍ଟ୍ର ବେଲାରୁଷ ଆଲୋଚନା କରିବାକୁ ପ୍ରସ୍ତାବ ରଖିଛନ୍ତି । ତେଣୁ ଗୃହଯୁଦ୍ଧ ଆଶଙ୍କା ଦୂର ହେବା ସହ ଦେଶରେ ଶାନ୍ତି ବଜାୟ ରହିବ ବୋଲି ଆଶା କରାଯାଉଛି ।

  • ଆସାମ ବନ୍ୟାରେ ୧୯ ଜିଲ୍ଲା ପ୍ରଭାବିତ

    ଆସାମ ବନ୍ୟାରେ ୧୯ ଜିଲ୍ଲା ପ୍ରଭାବିତ

    ଆସାମରେ ବନ୍ୟା ବିତ୍ପାତ। ଚଳିତ ବନ୍ୟାରେ ଅଦ୍ୟାବଧି ୧୯ ଜିଲ୍ଲାର ୪.୮୮ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ହେଲାଣି ୨ ଜଣଙ୍କ ମୃତ୍ୟୁ। ଆସାମର ବିଭିନ୍ନ ପ୍ରାନ୍ତରେ ଜାରି ରହିଛି ପ୍ରବଳ ବର୍ଷା। ଚଳିତ ବର୍ଷ ହୋଇଥିବା ବର୍ଷାରେ ବ୍ରହ୍ମପୁତ୍ର ନଦୀ ବନ୍ଧରେ ନେମତିଘାଟ, ପୁଥିମାରୀଠାରେ ହୋଇଛି ଘଳିଆ । ଫଳରେ ବିଭିନ୍ନ ସ୍ଥାନରେ ଛୁଟୁଛି ନଦୀ ଜଳ। ଯୁଆଡେ ଦେଖିବ ସିଆଡେ ଖାଲି ପାଣି ପାଣି ଆଉ ପାଣି। ଘରେ ପାଣି, ବାହାରେ ପାଣି। ପାଣି ଘେରରେ ଲୋକେ। କେତେକ ସ୍ଥାନରେ ପାଣି ମାଡରେ ଘର ଭାଙ୍ଗି ଯାଇଛି ତ ପୁଣି କେଉଁଠି ପାଣି ଭିତରେ ବୁଡି ରହିଛି ଘର। ପଗଲାଦିୟା, କୁମାରିକାଟାର ତାମୁଲପୁରରେ ବନ୍ଧ ଭାଙ୍ଗିବାରୁ ଲୋକଙ୍କ ଘରେ ପଶିଛି ପାଣି।


    ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ବଜାଲି ଉପମଣ୍ଡଳ। ସେଠାରେ ୨.୬୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ନଲବାଡିରେ ୮୦ହଜାର ଲୋକ ଓ ବାରପେଟା ଜିଲ୍ଲାରେ ୭୩ ହଜାର ଲୋକ ଜଳବନ୍ଦୀ ଜୀବନ ବିତାଉଛନ୍ତି। ବନ୍ୟାର ଉଗ୍ରତାକୁ ଦେଖି ଏପର୍ଯ୍ୟନ୍ତ ବନ୍ୟା ପ୍ରଭାବିତ ଅଞ୍ଚଳରେ ୧୪୦ ଆଶ୍ରୟସ୍ଥଳୀ ଖୋଲାଯାଇ ୩୫ହଜାରରୁ ଅଧିକ ଲୋକଙ୍କୁ ଆଶ୍ରୟ ଦିଆଯାଇଛି। ଏହା ବ୍ୟତୀତ ୭୫ ରିଲିଫ କେନ୍ଦ୍ର କାର୍ଯ୍ୟରତ। ବନ୍ୟା ପ୍ରଭାବିତଙ୍କ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଏସଜିଆରଏଫ, ନାଗରିକ ସୁରକ୍ଷା, ଏନଜିଓ ଓ ଅଞ୍ଚଳବାସୀ ସହଯୋଗ କରୁଛନ୍ତି।


    ରାଜ୍ୟର ବିଭିନ୍ନ ଜିଲ୍ଲାର ବହୁ ସ୍ଥାନରେ ସଡକ, ପୋଲ, ପୁରାତନ ଢାଞ୍ଚା କ୍ଷତିଗ୍ରସ୍ତ ହୋଇଛି। ଭାରି ବର୍ଷା ଭିତରେ ବହୁ ସ୍ଥାନରେ ଭୂସ୍ଖଳନ ଘଟିଲାଣି। ଗତ ୨୪ ଘଣ୍ଟାରେ ଜଣେ ପାଣିରେ ଭାସିଯାଇ ମୃତ୍ୟୁବରଣ କରିଥିବା ବେଳେ ଏପର୍ଯ୍ୟନ୍ତ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଗୋଟିଏ ପଟେ ବନ୍ୟା, ଆରପଟେ ଅନବରତ ଚାଲିଛି ବର୍ଷା, ଯାହା ବନ୍ୟା ପ୍ରଭାବିତଙ୍କ ବଢାଇ ଦେଇଛି ସମସ୍ୟା।

  • ED ଓ CBIକୁ ଡରନ୍ତୁ ନାହିଁ, ସତ୍ୟର ସାମ୍ନା କରନ୍ତୁ: ସତ୍ୟପାଲ

    ED ଓ CBIକୁ ଡରନ୍ତୁ ନାହିଁ, ସତ୍ୟର ସାମ୍ନା କରନ୍ତୁ: ସତ୍ୟପାଲ

    ଏବେଠାରୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହେଲାଣି । ବିଭିନ୍ନ ଦଳ ପକ୍ଷରୁ ବୟାନବାଜି ଜାରି ରହିଛି । ବିରୋଧୀ ଦଳ ଏକତା ରାଜନୀତି ଜୋର ଧରିଛି । ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ପୁଣି ଥରେ ସେ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ED ଓ CBIକୁ ନ ଡରିବାକୁ ସେ ସବୁ ନେତାଙ୍କୁ କହିଛନ୍ତି । ସତ୍ୟକୁ ସାମ୍ନା କରନ୍ତୁ, ED ଓ CBI ଟେନସନ୍ ନିଅନ୍ତୁ ନାହିଁ ।

    ୨୦୨୪ ଲୋକସଭା ନିର୍ବାଚନରେ ​​ଭାରତୀୟ ଜନତା ଦଳର ପରାଜୟ ନିଶ୍ଚିତ ବୋଲି ଟ୍ୱିଟରରେ ଲେଖିଛନ୍ତି ସତ୍ୟପାଲ । ଆଗାମୀ ନିର୍ବାଚନରେ ​​ବିଜେପିର ମୂଳପୋଛ । କେନ୍ଦ୍ର ବିଜେପି ପୁରାପୁରି ଲୋପ ପାଇବ ବୋଲି ସେ କହିଛନ୍ତି । ବିଜେପିର ପରାସ୍ତ ପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ସହଯୋଗୀମାନଙ୍କ ତଦନ୍ତ କରିବ । ତେଣୁ ଆପଣମାନେ ସାହସର ସହିତ କେନ୍ଦ୍ର ସରକାରଙ୍କ ଏହି ଏଜେନ୍ସିଗୁଡ଼ିକର ସାମ୍ନା କରିବା ଉଚିତ୍ ବୋଲି କହିଛନ୍ତି ସତ୍ୟପାଲ ମଲ୍ଲିକ । ମାତ୍ର ୬ ମାସ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ । ବିଜେପିର ପରାଜୟ ନିଶ୍ଚିତ । ଏହାପରେ ସବୁ ଅଧିକାରୀ ପଳାୟନ କରିବେ । ସେମାନେ ଭାବିବେ ଚାଲିଯିବାର ସମୟ ଆସିଗଲାଣି । ତେଣୁ କାର୍ଯ୍ୟରୁ ବିଦାୟ ନେବେ । ତେଣୁ ସେମାନଙ୍କ ବିରୋଧରେ କିଛି କରିବାର ଆବଶ୍ୟକତା ନାହିଁ । କେବଳ କ୍ଷମତାରେ ବସିଥିବା ବିଜେପି ଲୋକଙ୍କ ତଦନ୍ତ ହେବ ।

    ସମୟକୁ ଅପେକ୍ଷା କରିବାକୁ କହିଛନ୍ତି ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ । ଏହାର କିଛି ଦିନ ପୂର୍ବେ ସେ କହିଥିଲେ ଯେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ବେଳେ ସୈନିକମାନଙ୍କ ଶରୀର ଉପରେ ୨୦୧୯ ନିର୍ବାଚନ ଲଢ଼ାଯାଇଥିଲା । ଏଥିରେ ବାଜି ମାରିଥିଲା ବିଜେପି । ସେହି ଘଟଣାର ତଦନ୍ତ ହୋଇଥିଲେ ‌ତତ୍କାଳୀନ ଗୃହମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିଥାନ୍ତା । ଆକ୍ରମଣ ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ ପରେ ସେ ଚୁପ୍ ରହିବା ପାଇଁ କହିଥିଲେ । ସେପଟେ, ଏହି ଆକ୍ରମଣ ଘଟଣାର ଏଯାଏ କୌଣସି ତଦନ୍ତ ହୋଇନାହିଁ ।

  • ନୂଆଦିଲ୍ଲୀ: ଆମେରିକା ପରେ ଇଜିପ୍ଟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

    ନୂଆଦିଲ୍ଲୀ: ଆମେରିକା ପରେ ଇଜିପ୍ଟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

    ଯୁକ୍ତରାଷ୍ଟ୍ର ଆମେରିକା ପରେ ଏବେ ପ୍ରଧାନମନ୍ତ୍ରୀ ମୋଦି ଦୁଇଦିନିଆ ଷ୍ଟେଟ୍‌ ଭିଜିଟ୍‌ରେ ଇଜିପ୍ଟ ଗସ୍ତ କରିଛନ୍ତି । ଇଜିପ୍ଟକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ ଗସ୍ତ । ରା‌ଷ୍ଟ୍ରପତି ଅବ୍‌ଦେଲ୍‌ ଫତା ଏଲ୍‌-ସିସିଙ୍କ ଆମନ୍ତ୍ରଣ ପରେ ଇଜିପ୍ଟ ଗସ୍ତରେ ଯାଇଛନ୍ତି ପିଏମ୍ । ୧୯୯୭ ପରେ ସେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦ୍ୱିପାକ୍ଷିକ ଆଲୋଚନା ନିମନ୍ତେ ଇଜିପ୍ଟ ଯାଇଛନ୍ତି ।

    ଆଜି ସନ୍ଧ୍ୟାରେ ଇଜିପ୍ଟର ରାଜଧାନୀ କାଇରୋରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି । ଇଜିପ୍ଟ ପ୍ରଧାନମନ୍ତ୍ରୀ ମୋସ୍ତାଫା ମଦବୌଲିଙ୍କ ସହିତ ତାଙ୍କର ଗୋଲ୍‌ ଟେବୁଲ୍‌ ବୈଠକ ବସିବ । ଏହାପରେ ଉପସ୍ଥିତ ଭାରତୀୟ ସମ୍ପ୍ରଦାୟଙ୍କ ସହିତ ଆଲୋଚନା କରିବେ ମୋଦି । ରାତି ପ୍ରାୟ ସାଢ଼େ ୧୦ଟାରେ ଇଜିପ୍ଟର ଗ୍ରାଣ୍ଡ ମୁଫ୍‌ତିଙ୍କୁ ଭେଟି ଇଜିପ୍ଟୀୟ ଚିନ୍ତାନାୟକମାନଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତାକାଲି ଦିନ ପ୍ରାୟ ୧ଟା ବେଳେ ପ୍ରଧାନମନ୍ତ୍ରୀ, ଦାଉଦି ବୋରା ସମ୍ପ୍ରଦାୟ ଦ୍ୱାରା ପୁନରୁଦ୍ଧାର ୧୧ଶ ଶତାବ୍ଦୀର ଅଲ୍‌ ହକିମ୍‌ ମସ୍‌ଜିଦ୍‌ ପରିଦର୍ଶନ କରିବେ ।

    ଅପରାହ୍ଣ ୨ଟାରେ ହେଲିଓପଲିସ୍‌ ୱାର୍‌ ସିମେଟେରିକୁ ଯିବେ ପିଏମ୍ । ସେଠାରେ ପ୍ରଥମ ବିଶ୍ୱଯୁଦ୍ଧରେ ଇଜିପ୍ଟ ପାଇଁ ସହିଦ ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ଏସବୁ କାର୍ଯ୍ୟ ଶେଷ ପରେ ରାଷ୍ଟ୍ରପତି ଭବନରେ ଇଜିପ୍ଟ ରାଷ୍ଟ୍ରପତି ଅବ୍‌ଦେଲ୍‌ ଫତା ଏଲ୍‌-ସିସିଙ୍କୁ ଭେଟିବେ ମୋଦି । ଦ୍ୱିପାକ୍ଷିକ ଆଲୋଚନା ହେବା ସହ ରାଜିନାମାରେ ସ୍ୱାକ୍ଷର କରିବେ ଦୁଇ ନେତା । ଏଥିସହ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ମିଳିତ ପ୍ରେସ୍ ବିବୃତିରେ ଉଦ୍‌ବୋଧନ ଦେବେ ପିଏମ୍ । ସନ୍ଧ୍ୟା ସାଢ଼େ ୬ଟାରେ ନୂଆଦିଲ୍ଲୀ ଫେରିବେ ପ୍ରଧାନମନ୍ତ୍ରୀ ମୋଦି ।

  • ଜମ୍ମୁକାଶ୍ମୀର: ଅନୁପ୍ରବେଶ ଉଦ୍ୟମ କରି ୪ ଆତଙ୍କବାଦୀ ସଫା

    ଜମ୍ମୁକାଶ୍ମୀର: ଅନୁପ୍ରବେଶ ଉଦ୍ୟମ କରି ୪ ଆତଙ୍କବାଦୀ ସଫା

    ପାକିସ୍ତାନ ଅଧିକୃତ କାଶ୍ମୀର ପଟୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଜମ୍ମୁ ଓ କଶ୍ମୀରର କୁପ୍‌ୱାଡ଼ା ଜିଲ୍ଲା ଅନ୍ତର୍ଗତ ମଚ୍ଛଲ୍‌ ସେକ୍ଟର୍‌ରେ ଏନକାଉଣ୍ଟର ହୋଇଥିବା ପୋଲିସ କହିଛି । ପୋଲିସ ଓ ଭାରତୀୟ ସେନାର ମିଳିତ ଅଭିଯାନରେ ଆତଙ୍କବାଦୀମାନଙ୍କୁ ନିପାତ କରାଯାଇଛି ।

    ଯବାନ ଏବଂ ପୋଲିସର ମିଳିତ ଅଭିଯାନ ଜାରି ଥିବାବେଳେ କୁପୱାଡାର ମଚ୍ଛଲ୍‌ ସେକ୍ଟର ଅନ୍ତର୍ଗତ କାଲା ଜଙ୍ଗଲରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଗୁଳି ବିନିମୟରେ ୪ ଆତଙ୍କବାଦୀଙ୍କ ଜୀବନ ଯାଇଛି । ସେମାନେ ପାକିସ୍ତାନ ଅଧିକୃତ କଶ୍ମୀର ପଟୁ ଭାରତୀୟ ସୀମାକୁ ଅନୁପ୍ରବେଶ ଲାଗି ଉଦ୍ୟମ କରୁଥିଲେ । ଘଟଣା ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କାଶ୍ମୀର ଜୋନ୍‌ ପୋଲିସ । ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ଭାରତୀୟ ସେନା ।

    ଗତ ସପ୍ତାହରେ ମଧ୍ୟ କୁପୱାଡା ଜିଲ୍ଲା ଅନ୍ତର୍ଗତ ଜୁମାଗୁଣ୍ଡ କେରାନ୍‌ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରିଥିଲେ । ହେଲେ ସେନା ଓ ପୋଲିସର ମିଳିତ ଅଭିଯାନ ସେମାନଙ୍କ ରାସ୍ତା ରୋକିଥିଲା । ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର କରିଥିଲେ ଭାରତୀୟ ସେନା । ସେମାନଙ୍କ ଗୁଳିରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।