Category: ଦେଶ-ବିଦେଶ

  • ବନ୍ଦେ ଭାରତ ଟ୍ରେନ୍‌ରେ ଅଗ୍ନିକାଣ୍ଡ, ସମସ୍ତ ଯାତ୍ରୀ ସୁରକ୍ଷିତ

    ବନ୍ଦେ ଭାରତ ଟ୍ରେନ୍‌ରେ ଅଗ୍ନିକାଣ୍ଡ, ସମସ୍ତ ଯାତ୍ରୀ ସୁରକ୍ଷିତ

    ମଧ୍ୟ ପ୍ରଦେଶର ଭୋପାଲରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ଏକ କୋଚ୍‌ର ବ୍ୟାଟେରୀ ବକ୍ସରେ ସୋମବାର ସକାଳେ ନିଆଁ ଲାଗିଯାଇଥିଲା। ତେବେ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି। କାହାରି କିଛି ହୋଇନାହିଁ। ଟ୍ରେନ୍‌ଟି ପୂର୍ବରୁ ହବିବଗଞ୍ଜ ଷ୍ଟେସନ ଭାବେ ଜଣା ଯାଉଥିବା ରାନୀ କମଲାପତି ଷ୍ଟେସନ୍‌ରୁ ଦିଲ୍ଳୀର ନିଜାମୁଦ୍ଦିନ ଆଡ଼େ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି।

    ବ୍ୟାଟେରି ସ୍ପାର୍କ କରିବାରୁ ଟ୍ରେନ୍‌ର ୧୪ ନମ୍ବର କୋଚ୍‌ରୁ ପ୍ରଥମେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା। ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ବିଭାଗର ଏକ ଦଳକୁ ତୁରନ୍ତ ଘଟଣାସ୍ଥଳକୁ ଡକା ଯାଇଥି‌ଲା। ଅଗ୍ନିଶମ କର୍ମଚାରୀ ଆସି ପହଞ୍ଚି କାର୍ଯ୍ୟ ଆରମ୍ଭ କରିବା ପରେ ନିଆଁକୁ ଆୟତ୍ତ କରିଛନ୍ତି। କୋଚ୍‌ଟିରୁ ତୁରନ୍ତ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇଥିଲା। ଅନ୍ୟ କୋଚଗୁଡ଼ିକରେ ବସିଥିବା ଯାତ୍ରୀମାନେ ମଧ୍ୟ ଓହ୍ଲାଇ ଆସିଥିଲେ। ତା’ପରେ ରେଳ କର୍ମଚାରୀମାନେ ସେଥିରେ ଆକଶ୍ୟକ ମରାମତି କାମ କରିଥିଲେ। ଉକ୍ତ କୋଚ୍‌ରେ ୨୦-୨୨ ଜଣ ପାସେଞ୍ଜର ଥିଲେ। ଏହି ଘଟଣା ପରେ ସେମାନଙ୍କୁ ଅନ୍ୟ କୋଚ୍‌କୁ ସ୍ଥାନାନ୍ତର କରାଯାଇଥିଲା।

    ଏହି ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଏପ୍ରିଲ ମାସରେ ଲୋକାର୍ପିତ କରିଥିଲେ। ଏହା ଭୋପାଲର ରାଣୀ କମଲାପତି ଷ୍ଟେସନରୁ ଦିଲ୍ଲୀର ହଜରତ ନିଜାମୁଦ୍ଦିନ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରୁଛି। ଏହା ମୋଟ ୭୦୧ କିମି ଯାତ୍ରା କରୁଥିବା ବେଳେ ଏଥିପାଇଁ ୭ ଘଣ୍ଟା ୩୦ ମିନିଟ ସମୟ ଲାଗୁଛି। ଶନିବାର ବ୍ୟତୀତ ଏହା ଅନ୍ୟ ସବୁଦିନେ ଯାତ୍ରା କରୁଛି।

  • ସେହୱାଗଙ୍କୁ ଟପିଲେ ବିରାଟ

    ସେହୱାଗଙ୍କୁ ଟପିଲେ ବିରାଟ

    ଭାରତୀୟ ଦଳ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ଥିବା ପ୍ରଥମ ଟେଷ୍ଟ ଜିତି ଯାଇଛି। ମାତ୍ର ତିନି ଦିନରେ ପ୍ରଥମ ଟେଷ୍ଟ ଶେଷ ହୋଇଛି। ୱେଷ୍ଟଇଣ୍ଡିଜ ଇନିଂସ ଓ ୧୪୧ ରନ୍‌ରେ ଏହି ମ୍ୟାଚ୍ ହାରି ଯାଇଛି। ଏହି ମ୍ୟାଚ୍‌ରେ ଡେବ୍ୟୁ କରିଥିବା ଯଶସ୍ୱୀ ଜୈସ୍ୱାଲ ଓ ଅଧିନାୟକ ରୋହିତ ଶର୍ମା ଶତକ ହାସଲ କରିଛନ୍ତି। ଯଶସ୍ୱୀ ୧୭୧ ରନ୍ କରିଥିବା ବେଳେ ରୋହିତ ୧୦୩ ରନ୍ କରିଥିଲେ। ବିରାଟ କୋହଲି ଶତକ ଅଭିମୁଖେ ଅଗ୍ରସର ହେଉଥିବା ବେଳେ ୭୬ ରନ୍‌ରେ ଆଉଟ୍ ହୋଇଯାଇଥିଲେ। ତେବେ ସେ ତାଙ୍କ ନାଁରେ ଆଉ ଏକ ରେକର୍ଡ ଯୋଡ଼ିବାରେ ସଫଳ ହୋଇଛନ୍ତି।

    ଟେଷ୍ଟରେ ଅଧିକ ରନ୍ ସଂଗ୍ରହ କରିଥିବା ଭାରତୀୟ ବ୍ୟାଟରଙ୍କ ତାଲିକାରେ ୫ ନମ୍ବରକୁ ଉନ୍ନୀତ ହୋଇଛନ୍ତି ବିରାଟ କୋହଲି। ପୂର୍ବରୁ ଏହି ତାଲିକାର ୫ମ ସ୍ଥାନରେ ବୀରେନ୍ଦ୍ର ସେହୱାଗ ଥିଲେ। ଗତକାଲି ବିରାଟ ତାଙ୍କୁ ଅତିକ୍ରମ କରି ୫ମ ସ୍ଥାନ ଦଖଲ କରିଛନ୍ତି।

    ସେହୱାଗ ୧୦୩ଟି ଟେଷ୍ଟ ମ୍ୟାଚ୍‌ରୁ ୧୭୮ଟି ଇନିଂସ ଖେଳି ୮୫୦୩ ରନ୍ କରି ୫ମ ସ୍ଥାନରେ ରହିଥିଲେ। ବିରାଟ କୋହଲି ୧୧୦ଟି ମ୍ୟାଚରୁ ୧୮ଟି ଇନିଂସ ଖେଳି ୮୫୫୫ ରନ୍ କରି ତାଙ୍କୁ ଅତିକ୍ରମ କରିଯାଇଛନ୍ତି।

  • ସାଇବର ଠକଙ୍କ ଟାର୍ଗେଟ୍‌ରେ ଗ୍ରାମାଞ୍ଚଳର ଲୋକ

    ସାଇବର ଠକଙ୍କ ଟାର୍ଗେଟ୍‌ରେ ଗ୍ରାମାଞ୍ଚଳର ଲୋକ

    ସାଇବର ଠକଙ୍କ ଟାର୍ଗେଟ୍‌ରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକ। ବିଶେଷକରି ଗ୍ରାମାଞ୍ଚଳର ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଘରେ ବସି କିଭଳି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିହେବ, ରାତାରାତି କୋଟିପତି ବନିବେ, ଏଭଳି ସୁନେଲି ସ୍ବପ୍ନ ଦେଖାଇ ବିଭିନ୍ନ ସ୍କିମ୍‌ର ପ୍ରଲୋଭନରେ ସେମାନଙ୍କୁ ଠକ ଫସାଉଛନ୍ତି। ସିମ୍‌ ଓ ଆଧାର କାର୍ଡ ହାତେଇବା ପାଇଁ ଅଳ୍ପ କିଛି ଅର୍ଥ ଦେଇ ଭୁଆଁ ବୁଲାଉଛନ୍ତି। ଆଉ ସେହି ସିମ୍‌ ଓ ଆଧାରକାର୍ଡକୁ ବ୍ୟବହାର କରି ବିଭିନ୍ନ ପ୍ରକାର ସାଇବର ଠକେଇ ମାଧ୍ୟମରେ ଅପରାଧୀମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଖାଲି ଏତିକି ନୁହେଁ, ଗରିବ ଶ୍ରେଣୀର ଲୋକଙ୍କୁ ସରକାରୀ ଯୋଜନାର ଲାଭ ପାଇବା କଥା କହି ସେମାନଙ୍କ ନାମରେ ସେଭିଙ୍ଗ୍‌ସ ଓ କରେଣ୍ଟ୍‌ ଆକାଉଣ୍ଟ ଖୋଲୁଛନ୍ତି। ଆକାଉଣ୍ଟ ଖୋଲିବା ପାଇଁ ଲୋକଙ୍କୁ ହଜାରେ ଦୁଇ ହଜାର ଟଙ୍କା ଦେଇ ସମସ୍ତ ତଥ୍ୟ ନେଇଯାଉଛନ୍ତି। ଏମିତି କି ପାସ୍‌ୱାର୍ଡ ଏବଂ ଓଟିପି ହା‌ତେଇ ନେଉଛନ୍ତି। ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇ ମାଧ୍ୟମରେ ମଧ୍ୟ ସାଇବର ଠକେଇଠାରୁ ଆରମ୍ଭ କରି କମ୍‌ ସମୟରେ ଅଧିକ ଅର୍ଥ ରୋଜଗାର ସ୍କିମ୍‌ରେ ପୁଞ୍ଜିନିବେଶକାରୀଙ୍କ ଠାରୁ ଲୁଟୁଛନ୍ତି।sa

  • ବାଲ୍‌କୋନିରୁ ତଳକୁ ନଇଁ ମାଆଙ୍କୁ ଡାକୁଥିବା ବେଳେ ପଡ଼ିଯାଇ ସପ୍ତମ ଶ୍ରେଣୀ ବାଳକର ମୃତ୍ୟୁ

    ବାଲ୍‌କୋନିରୁ ତଳକୁ ନଇଁ ମାଆଙ୍କୁ ଡାକୁଥିବା ବେଳେ ପଡ଼ିଯାଇ ସପ୍ତମ ଶ୍ରେଣୀ ବାଳକର ମୃତ୍ୟୁ

    ୧୮ ମହଲା ଉପରେ ରହି ତଳେ ଥିବା ନିଜ ମାଆକୁ ଡାକୁଥିବା ବେଳେ ଜଣେ ୧୨ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି।ଘଟଣାଟି ଗ୍ରେଟର୍‌ ନୋଇଡ଼ାର। ବିସରଖ ଅଞ୍ଚଳର ଆଇସ୍‌ ଡିଭାଇନ୍‌ ସୋସାଇଟି‌ରେ ଗୁରୁବାର ରାତି ପ୍ରାୟ ୯ଟା ସମୟରେ ୧୮ ମହଲାର ବାଲ୍‌କୋନିରୁ ପଡ଼ିଯିବାରୁ ସପ୍ତମ ଶ୍ରେଣୀର ଜଣେ ବାଳକର ମୃତ୍ୟୁ ଘଟିଛି। ଜାଣିବାକୁ ମିଳିଛି ଯେ ମାଆ ତଳେ ଥିବା ହେତୁ ବାଲକୋନିରୁ ତଳକୁ ଓହଳି ଡାକ ପକାଇଥିଲା ବାଳକ। ଏତିକି ବେଳେ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ତଳେ ପଡ଼ି ଯାଇଥିଲା।

    ଜଣେ ସ୍ଥାନୀୟ ଲୋକଙ୍କ କହିବାନୁସାରେ ପିଲାଟି ବାଲ୍‌କୋନିରେ ଏକୁଟିଆ ଥିଲା। ତା’ର ମାଆବାପା ସେହି ସମୟରେ ଘରେ ନଥିଲେ। ବାଳକଟିର ବାପା କିଛି କାମରେ ବାହାରକୁ ଯାଇଥିବା ବେଳେ ମାଆ କୌଣସି ଏକ କାମରେ ତଳକୁ ଯାଇଥିଲେ। ଏହି ସମୟରେ ବାଳକ ଜଣକ ନିଜ ମାଆଙ୍କୁ ଉପରକୁ ଡାକିବା ସମୟରେ ଏପରି ଦୁର୍ଘଟଣା ଘଟିିଛି। ଘଟଣା ଘଟିବା ପରେ ବାଳକଟିକୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲା। ହେଲେ ବି ତା’ର ଜୀବନ ବଞ୍ଚାଇ ଯାଇପାରିନାହିଁ। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ବାଳକଟିର ବାସ୍ତବ ଘର ମଧ୍ୟପ୍ରଦେଶରେ। ତେବେ ପିଲାଟିର ବାପା ଏଠାରେ ଏକ ବେସରକାରୀ କମ୍ପାନିରେ କାର୍ଯ୍ୟରତ ଥିବାରୁ ସେମାନେ ଏଠାରେ ରହୁଥିଲେ।

  • ୨୬ ରାଫେଲ ଜେଟ୍‌ କିଣିବା ଉପରେ ମୋହର ଲଗାଇଲା ଭାରତ,ସମୁଦ୍ରରେ ବଢିବ ନୌସେନାର ଶକ୍ତି

    ୨୬ ରାଫେଲ ଜେଟ୍‌ କିଣିବା ଉପରେ ମୋହର ଲଗାଇଲା ଭାରତ,ସମୁଦ୍ରରେ ବଢିବ ନୌସେନାର ଶକ୍ତି

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ସମୟରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏକ ବଡ଼ ପ୍ରତିରକ୍ଷା ଚୁକ୍ତି ଉପରେ ମୋହର ଲାଗିଛି।। ଶନିବାର (ଜୁଲାଇ ୧୫) ରେ ଭାରତ ସରକାର ଏହା ଘୋଷଣା କରିଛନ୍ତି। ଏହା ଅଧୀନରେ ଭାରତୀୟ ନୈସେନା ଫ୍ରାନ୍ସର ଡାସଲ୍ଟ ଆଭିଏଶନରୁ ୨୬ଟି ନୂତନ ଆଡଭାନ୍ସ ରାଫେଲ ଫାଇଟର ଜେଟ୍‌ ହାସଲ ହେବ। ଯାହା ନୈସେନାର ଆବଶ୍ୟକତା ଅନୁଯାୟୀ ସ୍ବତନ୍ତ୍ର ଭାବରେ ଡିଜାଇନ ହେବ। ପ୍ରଧାନମନ୍ତ୍ରୀ ମୋଦି ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍‌ଙ୍କ ସହିତ ଏକ ସାକ୍ଷାତକାର ସମୟରେ ଏହି ଚୁକ୍ତି ହୋଇଥିଲା। ରାଫେଲର ନିର୍ମାତା ଡାସଲ୍ଟ ଆଭିଏସନ ଏ ବିଷୟରେ ସୂଚନା ଦେଇଛି।

    ଡାସଲ୍ଟ ଆଭିଏସନ ରିପୋର୍ଟ ଅନୁଯାୟୀ , “ଭାରତୀୟ ନୌସେନାକୁ ନୂତନ ପିଢ଼ିର ଯୁଦ୍ଧ ବିମାନ ସଜ୍ଜିତ ପାଇଁ ଭାରତ ସରକାର ନୌସେନା ରାଫେଲ ଚୟନ କରିବାକୁ ଘୋଷଣା କରିଛନ୍ତି। ଭାରତୀୟ ନୌସେନାର ୨୬ ରାଫେଲ ପୂର୍ବରୁ ସେବାରେ ଥିବା ୩୬ଟି ରାଫେଲରେ ସାମିଲ ହୋଇଯିବ ।” ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ଫ୍ରାନ୍ସରୁ ରାଫେଲ ଜେଟର ୨୬ ଟି ନୌସୈନିକ ସ୍ୱରୂପ କିଣିବା ଏବଂ ତିନୋଟି ଫ୍ରେଞ୍ଚ ଡିଜାଇନ୍ ହୋଇଥିବା ସ୍କର୍ପିନ୍ ଶ୍ରେଣୀ ବୁଡ଼ାଜାହାଜ କିଣିବା ପାଇଁ ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ ।

    ଡାସଲ୍ଟ ଆଭିଏସନ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ଚାଲିଥିବା ଏକ ସଫଳ ପରୀକ୍ଷଣ ଅଭିଯାନ ପରେ ଏହି ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ନୌସେନା ନୂତନ ରାଫେଲ ପ୍ରମାଣ କରିଛି ଯେ ଏହା ଭାରତୀୟ ନୌସେନାର ପରିଚାଳନା ଆବଶ୍ୟକତାକୁ ସମ୍ପୂର୍ଣ ଭାବରେ ପୂର୍ଣ୍ଣ କରୁଛି ଏବଂ ଏହା ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ।

    ଏହି ପ୍ରତିରକ୍ଷା ଚୁକ୍ତିରେ ଭାରତକୁ ୨୨ଟି ସିଙ୍ଗଲ ସିଟର ରାଫେଲ -ଏମ ସାମୁଦ୍ରିକ ଯୁଦ୍ଧ ବିମାନ ମିଳିବ। ଏହି ଯୁଦ୍ଧ ବିମାନଗୁଡ଼ିକ ସ୍ୱଦେଶୀ ନିର୍ମିତ ବିମାନ ପରିବହନକାରୀ ଆଇଏନଏସ ବିକ୍ରାନ୍ତ ଉପରେ ନିୟୋଜିତ ହେବ | ଏହି ସମୟରେ ୪ଟି ଟ୍ରେନର ରାଫେଲ ମେରାଇନ୍ ବିମାନ ଉପଲବ୍ଧ ହେବ | ରାଫେଲ -ଏମ୍ ହେଉଛି ଫ୍ରାନ୍ସର ରାଫେଲ ଯୁଦ୍ଧ ବିମାନର ନୌବାହିନୀ ସଂସ୍କରଣ | ପ୍ରତିରକ୍ଷା ଚୁକ୍ତି ପରେ ସମୁଦ୍ରରେ ଭାରତୀୟ ନୌସେନାର ଶକ୍ତିରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ।

  • ବିଶ୍ବର ବିରଳ ମହୁ, ଯାହା ମିଳେ ନେପାଳରେ

    ବିଶ୍ବର ବିରଳ ମହୁ, ଯାହା ମିଳେ ନେପାଳରେ

    ନେପାଳ ହନି ହନ୍ଟିଂ ବା ମହୁ ସଂଗ୍ରହ ହେଉଛି ବିଶ୍ବର ଅନ୍ୟତମ ଦୁଃସାହସିକ କାର୍ଯ୍ୟ ବା ପାରମ୍ପରିକ ବେଉସା, ଯାହା ନେପାଳ ପର୍ଯ୍ୟଟନର ଚମତ୍କାର ଏବଂ ଆଶ୍ଚର୍ୟ୍ୟଜନକ ଦୃଶ୍ୟକୁ ତୋଳି ଧରେ। ମହୁମାଛିଙ୍କ କ୍ଷେତ୍ରରେ ନେପାଳ, ବିଶ୍ୱର ଏକ ଧନୀ ଦେଶ ଏବଂ ପାଗଳ ମହୁମାଛି ବା ମ୍ୟାଡ୍ ହନି ସଂଗ୍ରହ ପାଇଁ ଏହା ଏକ ଶ୍ରେଷ୍ଠ ସ୍ଥାନ। ନେପାଳରେ ଅତିକମରେ ପାଞ୍ଚଟି ଭିନ୍ନ ଭିନ୍ନ ପ୍ରଜାତିର ମହୁମାଛି ଅଛନ୍ତି। ସବୁଠାରୁ ବଡ ଓ ଜଙ୍ଗଲୀ ମହୁମାଛିମାନେ ସୁଉଚ୍ଚ ପାହାଡ଼ର ଉପରେ ମହୁମାଛି ତିଆରି କରନ୍ତି ସେମାନଙ୍କର ବସା । ନେପାଳର ହିମାଳୟ ପାଦ ଦେଶରେ ବସବାସ କରୁଥିବା ଗୁରୁଙ୍ଗ ଜାତି ଲୋକେ ଏହି ମହୁ ସଂଗ୍ରହ କରିଥାନ୍ତି, ଏବଂ ସିଲ୍ ଧୁଙ୍ଗା ଗ୍ରାମର ବାସିନ୍ଦା ଏହି କାର୍ୟ୍ୟରେ ସିଦ୍ଧହସ୍ତ । ପାହାଡ ତୀଖରେ ଝୁଲୁଥିବା ମହୁଫେଣାରୁ ପାଗଳ ମହୁ ବା ମ୍ୟାଡ୍ ହନି ସଂଗ୍ରହ ବର୍ଷକୁ ଦୁଇଥର ବସନ୍ତ ଓ ଶରତ ଋତୁରେ କରାଯାଇଥାଏ ।


    ତେବେ ଏହି ମହୁକୁ କାହିଁକି କୁହାଯାଏ ପାଗଳ ମହୁ ବା ମ୍ୟାଡ୍ ହନି , ସ୍ବାସ୍ଥ୍ୟ ବିଜ୍ଞାନୀଙ୍କ ଗବେଷଣା ଅନୁସାରେ ଏହା ଶାରୀରିକ ପ୍ରଭାବ ପାଇଁ ବେଶ୍ ଜଣାଶୁଣା, ଏହାକୁ କମ୍ ମାତ୍ରାରେ ଖାଇଲେ ହାଲୁକା ମୁଣ୍ଡବିନ୍ଧା ସହ ଅନନ୍ୟ ଆନନ୍ଦର ଅନୁଭବ ହୁଏ, କିନ୍ତୁ ଯେତେବେଳେ ଅଧିକ ମାତ୍ରାରେ ଗ୍ରହଣ କରାଯାଏ, ଏହା ମତ୍ତିଭ୍ରମ,ବାନ୍ତି, ଚେତନା ହରାଇବା,ହାର୍ଟ ଆଟାର୍କ ଏବଂ ବିରଳ କ୍ଷେତ୍ରରେ ମୃତ୍ୟୁର କାରଣ ହୋଇପାରେ। ଏପରିକି ସାଇକେଡେଲିକ୍ ହାଲୁସିନୋଜେନ୍ ହୋଇଥାଏ ଏହି ମହୁ ଖାଇବା ଦ୍ବାରା । ଏହି ମହୁଫେଣା ବା ମହୁ ଶିକାରର ମଜା ନେବା ପାଇଁ ହଜାର ହଜାର ପର୍ୟ୍ୟଟକ ପ୍ରତିବର୍ଷ ନେପାଳ ବୁଲିବାକୁ ଆସନ୍ତି। କାରଣ ଏଠାରେ ବିଶ୍ୱର ସବୁଠାରୁ ବଡ ମହୁମାଛି ନିଜ ବସା ବା ଫେଣା ତିଆରି କରିଥାନ୍ତି ।


    ଏବେ ଆସନ୍ତୁ ଜାଣିବା ଏହି ମହୁ କଣ ପାଇଁ ଏତେ ବିରଳ କାହିଁକି, ଏହି ହିମାନଳୟନ୍ ନେପାଳ ମହୁ ସବୁଠାରୁ ଉତ୍କୃଷ୍ଟ ଓ ଔଷଧୀୟ ଗୁଣରେ ପରିପୂଣ୍ଣ । ଏହି ମହୁକୁ ସଂଗ୍ରହ କରିବା ପାଇଁ ନେପାଳର ହିମାଳୟ ପାଦଦେଶରେ ରହୁଥିବା ଗୁରୁଙ୍ଗ୍ ଜନଜାତି, ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ସବୁଠାରୁ ବିପଜ୍ଜନକ ମହୁମାଛିମାନଙ୍କ ଠାରୁ ମହୁ ଆଣିବା ପାଇଁ ନିଜ ଜୀବନକୁ ବିପଦରେ ପକାନ୍ତି। ଏହି ପେଶା ବା ପରମ୍ପରାକୁ ସ୍ଥାନୀୟ ଲୋକେ ଶହ ଶହ ବର୍ଷ ଧରି ପାଳନ କରିଆସୁଛନ୍ତି । ଏହି ମହୁ ସଂଗ୍ରହ ସ୍ଥାନୀୟ ଲୋକମାନଙ୍କ ପାଇଁ ବହୁତ ଧାର୍ମିକ ଏବଂ ସାଂସ୍କୃତିକ ଗୁରୁତ୍ୱ ବହନ କରେ। ଏହି ମହୁ ସଂଗ୍ରହ କରିବାକୁ ହେଲେ ଜୀବନକୁ ବାଜି ଲଗାଇବାକୁ ପଡେ । ପ୍ରଥମେ ନିଜ ଗ୍ରାମ ଦେବତୀଙ୍କ ପାଖରେ ମହୁ ସଂଗ୍ରହ ପୂର୍ବଦିନ ଏ ପାରମ୍ପରିକ ପୂଜା କରାଯାଏ । ଏହାକୁ ମାରୁନି ପର୍ବ କହୁଯାଏ । ଏହା ପର ଦିନ ଗ୍ରାମର ସବୁଠାରୁ ବରିଷ୍ଠ ବ୍ୟକ୍ତି ପାହାଡ ତଳେ ନିଆଁ ଲଗାଇ ଠାକୁରଙ୍କୁ ପୂଜା କରିଥାଏ । ଏହାପରେ ଆରମ୍ଭ ହୁଏ ସମୁଦ୍ର ପତନ ଠାରୁ ଉଚ୍ଚରେ ଥିବା 20 ହଜାର ଫୁଟ୍ ଉଚ୍ଚ ହିମାଳୟ ପାହାଡର ଚଢିବା ପ୍ରକ୍ରିୟା । ତୀଖ ଓ ସମାନ୍ତରାଳ ଚଟାଣ ଉପରେ ଝୁଲୁଥିବାମହୁ ଫେଣାକୁ ମାତ୍ର ଏକ ଦଉଡି ସାହାଯ୍ୟରେ ଝୁଲି ସଂଗ୍ରହ କରାଯାଇଥାଏ । ଏହା ପୂର୍ବରୁ 3ଟି ଟିମରେ ଭାଗ ହୋଇଥାଏ । ଗୋଟିଏ ଟିମ୍ ପାହାଡ ତଳେ, ଯିଏ କି ତଳେ ପଡିଥିବା ମହୁ ସଂଗହ କରେ । ଆଉ ଗୋଟିଏ ଟିମ୍ ପାହାଡ ଉପରେ ରହେ, ଆଉ ଗୋଟିଏ ଟିମ୍ ପାହାଡ ତଳକୁ ଝୁଲି ମହୁ ତୋଳିଥାଏ ।

    ଏହି ବିପଦ ପୂର୍ଣ୍ଣ ମହୁ ତୋଳିବା ପରେ, ଯେତେବେଳେ ସୁରକ୍ଷିତ ତଳକୁ ଓହ୍ଲାଇ ଆସନ୍ତି ସେତେବେଳେ ସେମାନଙ୍କୁ ଶୋ ଶୋ ଗୀତରେ ସ୍ବାଗତ କରାଯାଏ । ସଂଗ୍ରହ ହୋଇଥିବା ମହୁକୁ ପ୍ରଥମେ ଗ୍ରାମବାସୀଙ୍କ ମଧ୍ଯରେ କିଛି ପରିମାଣରେ ବାଣ୍ଟି ଦିଆଯାଏ ଓ ବଳକା ବଜାରରେ ବିକ୍ରି କରାଯାଏ । ଗୋଟିଏ ଗୋଟିଏ ମହୁ ବୋତଲ ପିଛା 3 ଶହ ଡଲାରରେ ବିକ୍ରି ହୁଏ । ଆଉ ଆନ୍ତର୍ଜାତୀୟ ବଜାରରେ ଖୁବ୍ ଡିମାଣ୍ଡ । କିନ୍ତୁଏହି ମହୁ ସଂଗ୍ରହ ବେଳେ ଅନେକ ଲୋକ ପାହାଡ ଉପରୁ ପଡ଼ି ନିଜ ହରାଇଥିଲେ ବି ଗୁରୁଙ୍ଗ୍ ଜନଜାତି ଏହି ପରମ୍ପରା ଛାଡି ନାହାନ୍ତି । ଓଲଟି ଏହାର ବଜାର ଚାହିହା ଓ ବଢି ଚାଲିଥିବା ଦାମ୍ ପ୍ରତି ଆକର୍ଷିତ ହୋଇ ଚାକିରି ଛାଡି ମହୁ ସଂଗ୍ରହ କରୁଛନ୍ତି । ତେବେ ଦିନକୁ ଦିନ ଏହି ମହୁ ଓ ମହୁମାଛିଙ୍କ ସଂଖ୍ୟା କମିବାରେ ଲାଗିଛି । କାରଣ ବିଶ୍ବ ତାପମାତ୍ରା ବୃଦ୍ଧି, ପାଣିପାଗ ପରିବର୍ତ୍ତନ ଓ ଜଙ୍ଗଲ ନିଆଁ କାରଣରୁ ଏମାନଙ୍କ ସଂଖ୍ୟା କମିବାରେ ଲାଗିଛି ।

  • ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଲେ ମୁସଲିମ ଯୁବକ

    ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଲେ ମୁସଲିମ ଯୁବକ

    ପୁଣି ସମ୍ନାକୁ ଆସିଲା ଲଭ, ଜିହାଦ କଥା I ଯୁବତୀଙ୍କୁ ବିବାହ କରିବା ଓ ଲଭ, ଜିହାଦ ରୁ ବର୍ତ୍ତିବା ପାଇଁ ଆପଣାଇଛନ୍ତି ଏପରି ପନ୍ଥା I ତେବେ ଏପରି ଏକ ଘଟଣା ଉତ୍ତର ପ୍ରଦେଶର ମୋରଦାବାଦରେ ଦେଖିବାକୁ ମିଳିଛି । I ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଲେ ମୁସଲିମ ଯୁବକ । ସେ ସ୍ୱଇଚ୍ଛାରେ ହିନ୍ଦୁଧର୍ମ ଗ୍ରହଣ କରିବାକୁ ଚାହୁଁଥିବା ଦର୍ଶାଇ ଏକ ସତ୍ୟପାଠ ଦାଖଲ କରିଥିଲେ ।ଜଣାପଡିଲା ଯୁବକଜଣଙ୍କ ବିବାହିତ ଓ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । ପତ୍ନୀଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସ୍ୱାମୀଙ୍କର ଅନ୍ୟ ଜଣେ ହିନ୍ଦୁ ଯୁବତୀଙ୍କ ସହ ସମ୍ପର୍କ ଅଛି । 

    ସୂଚନା ଅନୁସାରେ, ମୋରାଦାବାଦର ସ୍ଥାନୀୟ ଅମୀର ଅଲ୍ଲୀ ନାମକ ଜଣେ ମୁସଲମାନ ଯୁବକ ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଇଥିଲେ । ସେ ନିଜକୁ ଅମୀର ଅଲ୍ଲୀରୁ ଅମିତ ମହେଶ୍ୱରୀ ଭାବେ ମଧ୍ୟ ସ୍ୱଘୋଷିତ ଭାବେ ନାମିତ ମଧ୍ୟ କରିଥିଲେ । ହେଲେ ଯୁବକଙ୍କ ପତ୍ନୀ ମେହକ ଓରଫ ଗୁଲାଫସା ସ୍ୱାମୀଙ୍କର ଏପରି କାରନାମା ସମ୍ପର୍କରେ ଜାଣିବା ପରେ ଗଣମାଧ୍ୟମରେ ଲଭ ଜିହାଦ ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ମେହକ କହିଛନ୍ତି, ସେ ଅମୀର ଅଲ୍ଲୀଙ୍କୁ ୨୦୨୨ ଫେବୃଆରୀ ୧୪ ତାରିଖରେ ବିବାହ କରିଥିଲେ । ଉଭୟଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । ଘଟଣା ସମ୍ପର୍କରେ ଖୁଲାସା ହେବା ପରେ ପ୍ରଶାସନ ଓ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ।

  • ଆଜି ଉତ୍‌କ୍ଷେପଣ ହେବ ଚନ୍ଦ୍ରୟାନ-୩

    ଆଜି ଉତ୍‌କ୍ଷେପଣ ହେବ ଚନ୍ଦ୍ରୟାନ-୩

    ଦେଶର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ -୩ ର ଶୁଭାରମ୍ଭ ପାଇଁ ଓଲଟା ଗଣନା ଆରମ୍ଭ ହୋଇଯାଇଛି। ଚନ୍ଦ୍ରୟାନ -୩ ଶୁକ୍ରବାର (ଜୁଲାଇ ୧୪) ଶ୍ରୀହରିକୋଟା କେନ୍ଦ୍ରରୁ ଉତକ୍ଷେପଣ କରାଯିବ । ଏହି ଚନ୍ଦ୍ର ମିଶନ ହେଉଛି ୨୦୧୯ ର ଚନ୍ଦ୍ରୟାନ -୨ ର ଅନୁସରଣ ମିଶନ | ଭାରତର ଏହି ତୃତୀୟ ଚନ୍ଦ୍ର ମିଶନରେ ବୈଜ୍ଞାନିକମାନେ ଚନ୍ଦ୍ର ପୃଷ୍ଠରେ ଅବତରଣ ପାଇଁ’ସପ୍ଟ ଲ୍ୟାଣ୍ଡିଙ୍ଗ’ କରିବାର ଲକ୍ଷ୍ୟ ରଖିଛନ୍ତି। ‘ଚନ୍ଦ୍ରୟାନ -୨’ ମିଶନ ସମୟରେ, ଶେଷ ମୁହୂର୍ତ୍ତରେ, ଲ୍ୟାଣ୍ଡର ‘ବିକ୍ରମ’ ପଥ ବିଭ୍ରାଟ ହେତୁ ‘ସପ୍ଟ ଲ୍ୟାଣ୍ଡିଙ୍ଗ’ କରିପାରି ନଥିଲେ।

    ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଜି ଯୋଡ଼ି ହେବ ଏକ ନୂଆ ଅଧ୍ୟାୟ। ଆଉ ଏକ ଇତିହାସ ରଚିବ ଭାରତ। ଆଜି ଶ୍ରୀହରିକୋଟା ସତୀଶଧାୱନ ସ୍ପେସ୍ ସେଣ୍ଟରରୁ ଉତ୍‌କ୍ଷେପଣ ହେବ ଚନ୍ଦ୍ରୟାନ-ଥ୍ରୀ। ଆଜି ଅପରାହ୍ନ ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରୟାନ-୩। ସ୍ପେଶ ସାଇଣ୍ଟିଷ୍ଟ ଋତୁ କରିଘାଲ ଶ୍ରୀବାସ୍ତବ ଚନ୍ଦ୍ରୟାନ-୩ ମିଶିନକୁ ଲିଡ୍‌ କରୁଥିବା ବେଳେ ସଆ ରକେଟ ୱିମେନ ନାମରେ ବେଶ୍‌ ଜଣାଶୁଣା। ଚନ୍ଦ୍ରୟାନ-୩ ମିଶିନର ଡାଇରେକ୍ଟର ରୂପେ ଏକ ଗୁରୁ ଦାୟିତ୍ୱ ଋତୁଙ୍କ କାନ୍ଧରେ ନ୍ୟସ୍ତ ଥିବା ବେଳେ ସେ ଏହାକୁ ବେଶ୍‌ ସୂଚାରୂ ରୂପେ ତୁଲାଉଥିବା କହିଛନ୍ତି ପ୍ରମୁଖ ବୈଜ୍ଞାନିକ ।

    ଯଦି ଏହି ମିଶନ ସଫଳ ହୁଏ, ତା’ହେଲେ ଭାରତ ଆମେରିକା, ଚୀନ୍ ଏବଂ ପୂର୍ବତନ ସୋଭିଏତ୍ ୟୁନିଅନ୍ ଭଳି ଦେଶର କ୍ଲବରେ ଯୋଡି ହୋଇଯିବ ଯେଉଁମାନେ ଏପରି ସଫଳତା ହାସଲ କରିଛନ୍ତି। ISRO ଗୁରୁବାର (ଜୁଲାଇ ୧୩) ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛି, ‘LVM3M4-ଚନ୍ଦ୍ରୟାନ -୩ ମିଶନ: ଆସନ୍ତାକାଲି (ଶୁକ୍ରବାର-ଜୁଲାଇ ୧୪) ୧୪.୩୫ ଘଣ୍ଟା ରେ ଆରମ୍ଭ ହେବ।

    ସ୍ପେସ୍ ଏଜେନ୍ସି କହିଛନ୍ତି ଯେ ‘ଚନ୍ଦ୍ରୟାନ -୩’ କାର୍ଯ୍ୟକ୍ରମ ଅଧୀନରେ ଆଇଏସଆରଓ ଚନ୍ଦ୍ର ପୃଷ୍ଠରେ ‘ସଫ୍ଟ-ଲ୍ୟାଣ୍ଡିଂ’ ପ୍ରଦର୍ଶନ କରି ଏହାର ଚନ୍ଦ୍ର ମଡ୍ୟୁଲ୍ ସାହାଯ୍ୟରେ ରୋଭରର ଘୂର୍ଣ୍ଣନ ପ୍ରଦର୍ଶନ କରି ନୂତନ ସୀମା ଅତିକ୍ରମ କରିବାକୁ ଯାଉଛି।

    ଏହାପୂର୍ବରୁ, ମଙ୍ଗଳବାର (ଜୁଲାଇ ୧୧) ଦିନ, ଶ୍ରୀହାରିକୋଟା ଠାରେ ଏକ ‘ଉତକ୍ଷେପଣ ଡ୍ରିଲ’ ଅନୁଷ୍ଠିତ ହୋଇଥିଲା ଯାହାକି ୨୪ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ସମସ୍ତ ଉତକ୍ଷେପଣ ପ୍ରସ୍ତୁତି ଏବଂ ପ୍ରକ୍ରିୟା ଦେଖିବାକୁ ମିଳିଥିଲା। ପରଦିନ ବୈଜ୍ଞାନିକମାନେ ମିଶନ ପ୍ରସ୍ତୁତି ସମୀକ୍ଷା ସମାପ୍ତ କରିଥିଲେ।

  • ଟମାଟୋ ପାଇଁ ଉଜୁଡିଗଲା ସୁଖର ସଂସାର

    ଟମାଟୋ ପାଇଁ ଉଜୁଡିଗଲା ସୁଖର ସଂସାର

    ଏବେ ଆକାଶଛୁଆଁ ଦର ଟମାଟୋ I କିଛିଦିନ ତଳେ ଟମାଟୋ ଦରକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ଟମାଟୋ ଚୋରି ହୋଇଯିଵା ଭୟରେ ବାଉଁଶର ମାନଙ୍କୁ ଜଗାଇଥିଲେ I ଯାହା ଚର୍ଚ୍ଚାର ବିଷୟ ହୋଇଥିବାଳେ ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ମଧ୍ୟ ବିଶ୍ୱାସ କରି ନପାରନ୍ତି କିନ୍ତୁ କଥାଟା ନିରାଟ ସତ୍ୟ ଟମାଟୋ ଭାଙ୍ଗିଲା ଘର ଏବଂ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ାର କାରଣ ବି ପାଲଟିଲା ଯାହା ଫଳରେ ମହିଳା ଜଣଙ୍କ ନିଜ ଝିଅକୁ ଧରି ସ୍ୱାମୀଙ୍କୁ ଛାଡି ପଳାଇଛନ୍ତି I

    କଥା ହେଉଛି ଟମାଟୋ ଦର ଚଢା ଥିବାବେଳେ ସ୍ତ୍ରୀ’ଙ୍କୁ ନ ପଚାରି ୨ଟି ଟମାଟୋ ରାନ୍ଧି ଦେଇଥିବାରୁ ମଧ୍ୟପ୍ରଦେଶର ଶହଡ଼ୋଲ୍ ଜିଲ୍ଲାରେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ସହ କଳହ କରି ଘରଛାଡ଼ି ଚାଲିଯାଇଛନ୍ତି । ଏପରି ଏକ ଘଟଣା ମଧ୍ୟପ୍ରଦେଶର ସାହଡୋଲ ଜିଲ୍ଲାରେ ଘଟିଛି। ।

    ରିପୋର୍ଟ ଅନୁସାରେ, ‘ଟିଫିନ୍ ସର୍ଭିସ୍’ ଚଳାଉଥିବା ସଞ୍ଜୀବ ବର୍ମନ୍ ନାମରେ ଜଣେ ବ୍ୟକ୍ତି କେଇ ଦିନ ତଳେ ନିରାମିଷ ତରକାରି ରାନ୍ଧିବା ବେଳେ ସ୍ତ୍ରୀ’ଙ୍କୁ ନ ପଚାରି ୨ଟି ଟମାଟୋ ବ୍ୟବହାର କରିଥିଲେ। ଏ କଥା ଜାଣିବା ପରେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହେଲା। ନପଚାରି ଟମାଟୋ ରାନ୍ଧି ଦେବାରୁ ସ୍ତ୍ରୀ ଭୀଷଣ ରାଗିଗଲେ। ଏଇ କଥାରୁ ଯୁକ୍ତିତର୍କ ହୋଇଥିଲା । ଏଇ କଥାରୁ ସ୍ତ୍ରୀ ଝିଅକୁ ଧରି ଘରଛାଡ଼ି ଚାଲିଗଲେ। ତାଙ୍କୁ ଖୋଜାଖୋଜି କରି ନ ପାଇବାରୁ ସ୍ଥାନୀୟ ଥାନାରେ ଯାଇ ସହଯୋଗ ଲୋଡ଼ିଛନ୍ତି ସ୍ୱାମୀ । ସେ କୁଆଡ଼େ ଯାଇଛନ୍ତି ଜାଣି ପାରୁନି କି, ୩ ଦିନ ହେବ ତାଙ୍କ ସହିତ କଥାବାର୍ତ୍ତା କରିପାରିନାହିଁ ବୋଲି କାନ୍ଦି କାନ୍ଦି କହିଥିଲେ ସ୍ୱାମୀ ।

    ସୂଚନାଯୋଗ୍ୟ, ଟମାଟୋର ଆକାଶ ଛୁଆଁ ଦର ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କାରଣ ଟମାଟୋର ଦର ଶହେ ଟଙ୍କା ଉପରେ ରହୁଥିବା ବେଳେ ବହୁ ଲୋକେ ତାହାକୁ କିଣିବାକୁ ମନକୁ ଚାପି ଦେଉଛନ୍ତି। ଆଉ ଯିଏ କିଣୁଛନ୍ତି ସେମାନେ ବି ତାହାର ବ୍ୟବହାର ନେଇ ଟେନସନ୍‌ରେ ରହୁଛନ୍ତି।

  • ଦୈବୀ ଶକ୍ତି ଆଗରେ ମୁଣ୍ଡ ନୁଆଁଇଛି ଜଳ ପ୍ରଳୟ

    ଦୈବୀ ଶକ୍ତି ଆଗରେ ମୁଣ୍ଡ ନୁଆଁଇଛି ଜଳ ପ୍ରଳୟ

    ଦୈବୀ ଶକ୍ତି ଆଗରେ ମୁଣ୍ଡ ନୁଆଁଇଛି ଜଳ ତାଣ୍ଡବ। ହିମାଚଳ ପ୍ରଦେଶ ସମେତ ଜମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ, ଦିଲ୍ଲୀରୁ ଆସୁଛି ବନ୍ୟା ଜଳର ତାଣ୍ଡବ ଲୀଳା। ବାଦଳ ଫଟା ବର୍ଷାରେ ପାହାଡୀ ଜଳ ସ୍ରୋତ କୋଠା, ଗାଡି, ପୋଲ, ରାସ୍ତା, ପାହାଡ ସବୁକୁ ବୁହାଇ ନେଇ ହାହାକାର ମଚାଇଥିବା ବେଳେ କିନ୍ତୁ ମୁଣ୍ଡ ନୁଆଁଇଛି ଦେବ ଦେବ ମହାଦେବଙ୍କ ନିକଟରେ। ଶନିବାରରୁ ଉତ୍ତର ଭାରତରେ ହୋଇଥିଲା ଆକାଶୀ ପ୍ରଳୟରେ ସବୁଠାରୁ ଆଧିକ ପ୍ରଭାବିତ ହୋଇଛି ହିମାଚଳ ପ୍ରଦେଶ। ରାଜ୍ୟର ୧୧ ଜିଲ୍ଲାରେ ଖେଳିଯାଇଥିଲା ହାହାକାର। କେଦାରନାଥ ଟ୍ରାଜେଡିର ପୁନରାବୃତ୍ତି ଆଶଙ୍କାରେ ଆତଙ୍କିତ ହୋଇଉଠିଥିଲେ ରାଜ୍ୟବାସୀ।

    ବାଦଲ ଫଟା ବର୍ଷାରେ ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟାରେ ୫୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୯୨ ଜଣ ଆହତ ହୋଇଛନ୍ତି। ପାହାଡରୁ ପ୍ରଖର ଗତିରେ ଆଗେଇ ଆସୁଥିବା ଜଳ ସ୍ରୋତରେ କୋଠା ବାଡି ସବୁ ଧୋଇ ଯାଇଛି। ରାଜ୍ୟର ଅନେକ ସ୍ଥାନରେ ପୋଲ, ରାଜପଥ ଧୋଇଯାଇଛି ବନ୍ୟା ଜଳରେ। ଏଥିରେ ମଣ୍ଡି, ଉନା, ବିଳାଶପୁର, ହମିରପୁର, କୁଲ୍ଲୁ, ମନାଲି ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି। ବହୁ ଘର ପାଣିରେ ସମ୍ପୂର୍ଣ୍ଣ ବୁଡି ଧସେଇ ପଡିଥିବା ବେଳେ ପୁଣି କେଉଁଠି ସୁଅରେ ଭାସି ଯାଇଛି।

    ରାଜ୍ୟବ୍ୟାପୀ ସବୁଠି ଜଳ ତାଣ୍ଡବ ନୂଆ ପୁରୁଣା ବହୁ କୋଠାକୁ ଧୋଇନେଇଥିବା ବେଳେ କିନ୍ତୁ ମଣ୍ଡିର ପଞ୍ଚବକ୍ତ୍ର ମହାଦେବ ମନ୍ଦିରର କୌଣସି କ୍ଷତି କରି ପାରିନାହିଁ। ବ୍ୟାସର ବନ୍ୟା ସୁଅ ପ୍ରାରମ୍ଭିକ ଅବସ୍ଥାରେ ଯେତେବେଳେ କୋଠା ବାଡିକୁ ଧୋଇନେଉଥିଲା ସେତେବେଳେ ଲୋକେ ଭ୍ବାବିଥିଲେ ଏହି ସୁଅରୁ ରକ୍ଷା ପାଇବେନି ପଞ୍ଚବକ୍ତ୍ରେଶ୍ବର। ମନ୍ଦିରର ମୁଖଶାଳା ସମ୍ପୂର୍ଣ୍ଣ ବୁଡି ଯାଇଥିବା ବେଳେ ଗର୍ଭ ଗୃହରେ ବନ୍ୟା ଜଳ ଖେଳେଇଥିଲା ଭଉଁରୀ। କିନ୍ତୁ ବର୍ଷା ଥମିବା ସହ ଯେତେବେଳେ ହ୍ରାସ ପାଇଥିଲା ବନ୍ୟା ଜଳ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ରହିଯାଇଥିଲେ। କାରଣ ମନ୍ଦିର ପୂର୍ବବତ ଠିଆହୋଇଥିଲା ତା ଜାଗାରେ।

    ମନ୍ଦିର ପରିସରରେ ନିର୍ମିତ ସିମେଣ୍ଟ ବେଞ୍ଚକୁ ପାଣି ସୁଅ କ୍ଷତି ପହଞ୍ଚାଇ ଥିବା ବେଳେ କିନ୍ତୁ ମନ୍ଦିର, ଗର୍ଭଗୃହ, ମନ୍ଦିରର ମୂର୍ତ୍ତି ରାଜି ସବୁ କିଛି ସୁରକ୍ଷିତ ରହିଥିଲା। ଠିକ ୧୦ ବର୍ଷ ତଳ କେଦାରନାଥ ମନ୍ଦିର ପରି। ମନ୍ଦାକିନୀର ଜଳପ୍ରଳୟ ଗାଁ ଗଣ୍ଡା, ସହର, ବଜାର ସବୁ ସଫା କରିଦେଇଥିବା ବେଳେ ଯେମିତି କେଦାରନାଥ ମନ୍ଦିରର କୌଣିସ କ୍ଷତି କରି ପାରି ନ ଥିଲା ସେମିତି ମଣ୍ଡିରେ ପ୍ରଳୟ ଖେଳାଇଥିବା ବ୍ୟାସ ନଦୀର ପ୍ରଳୟଙ୍କାରୀ ସୁଅ ହାର ମାନିଲା ପଞ୍ଚବକ୍ତ୍ରେଶ୍ବର ମହାଦେବଙ୍କ ନିକଟରେ। କେବଳ ପଞ୍ଚବକ୍ତ୍ରେଶ୍ୱର ମନ୍ଦିର ନୁହେଁ, ରାଜ୍ୟର ବାବା ବଢୋଲିୟା ମନ୍ଦିର, ରେଣୁକାଜୀ ସିରମୌର ମନ୍ଦିରର ମଧ୍ୟ ଏହି ଜଳ ତାଣ୍ଡବ କୌଣସି କ୍ଷତି କରିପାରି ନାହିଁ। ପୁଣି ଥରେ ପ୍ମମାଣିତ କରିଦେଲା- ଆସୁରିକ ଶକ୍ତିଠାରୁ ବହୁ ଊର୍ଦ୍ଧ୍ୱରେ ଦୈବୀ ଶକ୍ତି। ସେପଟେ ବ୍ୟାସ, ପାର୍ବତୀ, ସତଲେଜ ଆଦି ନଦୀ ଜଳ ତାଣ୍ଡବରେ ରାଜ୍ୟର ୪ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ ପ୍ରାରମ୍ଭିକ ରିପୋର୍ଚ ଆଧାରରେ କହିଛନ୍ତି।