Category: ଦେଶ-ବିଦେଶ

  • ଦେଶର ଦ୍ୱିତୀୟ ଲମ୍ବା ଅବଧିର ମୁଖ୍ୟମନ୍ତ୍ରୀ ହେଲେ

    ଦେଶର ଦ୍ୱିତୀୟ ଲମ୍ବା ଅବଧିର ମୁଖ୍ୟମନ୍ତ୍ରୀ ହେଲେ

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଆଉ ଏକ ବିରଳ ରେକର୍ଡ ଯୋଡ଼ି ହୋଇଛି । ଦେଶର ଦ୍ୱିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ନାଁ ସ୍ଥାନିତ ହୋଇଛି । ପୂର୍ବରୁ ଏହି ସ୍ଥାନରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଛନ୍ତି ନବୀନ । ସିକିମ୍ ର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ୍ କୁମାର ଚାମଲିଙ୍ଗଙ୍କ ପଛକୁ ନବୀନ ପଟ୍ଟନାୟକଙ୍କ ନାଁ ଆସିଛି । ସିପିଏମ୍ ନେତା ଜ୍ୟୋତି ବସୁ ଦୀର୍ଘ ୨୩ ବର୍ଷ ୧୩୮ ଦିନ ଧରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ । ୧୯୭୭ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ କ୍ରମାଗତ ୫ ଟି ଟର୍ମ ସେ ଥିଲେ ମୁଖ୍ୟମନ୍ତ୍ରୀ । ଜ୍ୟୋତି ବସୁଙ୍କ ଏହି ରେକର୍ଡ ଭାଙ୍ଗିଛନ୍ତି ନବୀନ ପଟ୍ଟନାୟକ ।

    ୨୦୦୦ ମସିହା ମେ ୫ ରେ ନବୀନ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କ୍ରମାଗତ ପଞ୍ଚମ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଆଜି ତାଙ୍କର ମୁଖ୍ୟମନ୍ତ୍ରୀତ୍ତ୍ୱକୁ ପୂରୁଛି ୨୩ ବର୍ଷ ୧୩୮ ଦିନ । ତେବେ ଦେଶରେ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ଥିଲେ ସିକିମ୍ ର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗଙ୍କ ନାଁରେ । ୧୯୯୪ ଡିସେମ୍ବର ୧୨ ରୁ ୨୦୧୯ ମେ ୨୭ ତାରିଖ ପର୍ଯ୍ୟନ୍ତ ସେ ଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କ କାର୍ଯ୍ୟକାଳର ସମୟ ଥିଲା ୨୪ ବର୍ଷ ୧୬୬ ଦିନ । ସୁତରାଂ ଦେଶର ସବୁଠାରୁ ଲମ୍ବା ସମୟଧାରୀ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ରେକର୍ଡ ଅଛି । ଓଡ଼ିଶାରେ ଷଷ୍ଠ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କଲେ ଚାମଲିଙ୍ଗଙ୍କ ରେକର୍ଡ ଭାଙ୍ଗିବେ ।

    ସୂଚନାଯୋଗ୍ୟ, ୧୯୯୭ ମସିହାରେ ରାଜନୀତିରେ ପ୍ରବେଶ କରିଥିବା ନବୀନ ପଟ୍ଟନାୟକ ୨୦୦୦ ମସିହାରୁ କ୍ରମାଗତ ପାଞ୍ଚ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ଏତେ ଲମ୍ବା ସମୟ ଧରି ଶାସନଗାଦିରେ ଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି ଦୁର୍ନୀତି କି ଅପବାଦ ନାହିଁ । ବରଂ ଜଣେ ସ୍ୱଚ୍ଛ ଭାବମୂର୍ତ୍ତ ସମ୍ପନ୍ନ ନେତା ଭାବେ ତାଙ୍କର ଲୋକପ୍ରିୟତା ବଢ଼ିଚାଲିଛି । ଦକ୍ଷ ଓ ଉତ୍ତମ ପ୍ରଶାସକ ଭାବେ ତାଙ୍କ ନାଁରେ ଅନେକ ରେକର୍ଡ ଯୋଡ଼ି ହୋଇଛି । ଏଭଳି ଭାଗ୍ୟବାନ ରାଜନେତା କ୍ୱଚିତ ଥାନ୍ତି ବୋଲି ତାଙ୍କ ସମ୍ପର୍କରେ କୁହାଯାଏ ।

  • ସୁପ୍ରସିଦ୍ଧ ହାସ୍ୟାଭିନେତା ଚାର୍ଲି ଚାପ୍‌ଲିନ୍‌ଙ୍କ ଝିଅଙ୍କ ପରଲୋକ

    ସୁପ୍ରସିଦ୍ଧ ହାସ୍ୟାଭିନେତା ଚାର୍ଲି ଚାପ୍‌ଲିନ୍‌ଙ୍କ ଝିଅଙ୍କ ପରଲୋକ

    ସୁପ୍ରସିଦ୍ଧ ହାସ୍ୟାଭିନେତା ଚାର୍ଲି ଚାପ୍‌ଲିନ୍‌ଙ୍କ ଝିଅ ତଥା ଅଭିନେତ୍ରୀ ଜୋସେଫାଇନ୍‌ ହାନ୍ନା ଚାପ୍‌ଲିନ୍‌ଙ୍କର ଦେହାନ୍ତ ହୋଇଯାଇଥିବା କଥା ତାଙ୍କ ପରିବାର ଲୋକେ କହିଛନ୍ତି। ମୃତ୍ୟୁର କାରଣ କୁହାଯାଇ ନ ଥିଲେ ବି ଜୁଲାଇ ୧୩ ତାରିଖ ଦିନ ଫ୍ରାନ୍‌ସ୍‌ର କାର୍ଣ୍ଣେଟ୍‌ ଡ୍ୟୁ ଜୋର୍‌ରେ ତାଙ୍କର ମୃତ୍ୟୁ ହୋଇଥିବା କଥା ସେମାନେ ସୁନିଶ୍ଚିତ କରି କହିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା।

    ୧୯୪୯ ମସିହା ମାର୍ଚ ୨୮ ତାରିଖ ଦିନ ସାଣ୍ଟା ମୋନିକାରେ ଜନ୍ମିତା ଜୋସେଫାଇନ୍‌ ଥିଲେ ଚାର୍ଲି ଚାପ୍‌ଲିନ୍‌ଙ୍କ ୮ ସନ୍ତାନଙ୍କ ମଧ୍ୟରେ ତୃତୀୟ ତଥା ତାଙ୍କ ୪ର୍ଥ ପତ୍ନୀ ଉନା ଓ’ନିଲ୍‌ଙ୍କ ଝିଅ। ଶିଶୁ କଳାକାର ଭାବେ ସେ ପ୍ରଥମେ ୧୯୫୨ରେ ତାଙ୍କ ବାପାଙ୍କ ସହିତ ‘ଲାଇମ୍‌ଲାଇଟ୍‌’ ଚଳଚ୍ଚିତ୍ର ଓ ୧୯୬୭ରେ ‘ଏ କାଉଣ୍ଟେସ୍‌ ଫ୍ରମ୍‌ ହଂକଂ’ରେ ଅଭିନୟ କରିଥିଲେ। ତା’ପରେ ସେ ୧୯୭୨ରେ ନାଟକ ‘ଲ‌ୋଓଡେୟୁର୍‌ ଡେସ୍‌ ଫଭିସ୍‌’ରେ ଏଡିଥ୍‌ ଓ ୧୯୯୨ରେ ଡ୍ରାମା ଫିଲ୍ମ ‘ଏସ୍‌କେପ୍‌ ଟୁ ଦି ସନ୍‌’ରେ ନିନା ଭୂମିକାରେ ଅଭିନୟ କରିଥିଲେ। ସେହିପରି, ୧୯୭୨ରେ ସେ ‘ଏସ୍‌-ରେଟେଡ୍‌’ ଚଳଚ୍ଚିତ୍ର ‘ଦି କ୍ୟାଣ୍ଟର୍‌ବରି ଟେଲ୍ସ୍‌’ରେ ମେ’ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ। ପରବର୍ତ୍ତୀ ସମୟରେ ୧୯୮୪ରେ ସେ ‘ଦି ବେ ବୟ ଆଣ୍ଡ୍‌ ହେମିଙ୍ଗ୍‌ୱେ’ ଚଳଚ୍ଚିତ୍ରରେ ବି ଅଭିନୟ କରିଥିଲେ।

    ୧୯୬୯ରେ ସେ ଗ୍ରୀକ୍‌ ବ୍ୟବସାୟୀ ନିକ୍କି ସିସ୍ତୋବାରିସ୍‌ଙ୍କୁ ବିବାହ କରିଥିଲେ ଓ ୧୯୭୭ରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଥିଲା। ପରେ ସେ ଫରାସୀ ଅଭିନେତା ମୌରିସ୍‌ ରୋନେଟ୍‌ଙ୍କୁ ପ୍ରେମ କରି ତାଙ୍କ ସହିତ ବସବାସ କରୁଥିଲେ। କିନ୍ତୁ, ୧୯୮୩ରେ କର୍କଟ ରୋଗରେ ତାଙ୍କର ମୃତ୍ୟୁ ହୋଇଗଲା। ତା’ପରେ ଜୋସେଫାଇନ୍‌ ପ୍ରତ୍ନତତ୍ତ୍ବବିତ୍‌ ଜିନ୍‌-କ୍ଲାଉଡ଼ି ଗାର୍ଡିଙ୍କୁ ଦ୍ବିତୀୟ ବିବାହ କରିଥିଲେ। ୨୦୧୩ରେ ଗାର୍ଡିଙ୍କର ଦେହାନ୍ତ ହୋଇଗଲା। ଜୋସେଫାଇନ୍‌ଙ୍କର ୩ଟି ସନ୍ତାନ ଅଛନ୍ତି।

  • ମହାରାଷ୍ଟ୍ରର ରାୟଗଡର ଏକ ଗାଁରେ ପାହାଡ ଭୁଶୁଡ଼ି, ୩୦-୪୦ ଘର ମାଟି ତଳେ , ୧୦୦ ରୁ ଅଧିକ ଲୋକ ନିଖୋଜ

    ମହାରାଷ୍ଟ୍ରର ରାୟଗଡର ଏକ ଗାଁରେ ପାହାଡ ଭୁଶୁଡ଼ି, ୩୦-୪୦ ଘର ମାଟି ତଳେ , ୧୦୦ ରୁ ଅଧିକ ଲୋକ ନିଖୋଜ

    ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ଏକ ଆଦିବାସୀ ଗ୍ରାମରେ ପାହାଡ ଭୁଶୁଡ଼ିବା କାରଣରୁ ପ୍ରାୟ ୪୦ ଟି ଘର ଆବର୍ଜନା ତଳେ ପୋତି ହୋଇଯାଇଥିବାବେଳେ ଅନ୍ୟୂନ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଘଟଣାସ୍ଥଳରେ ଫସି ରହିଥିବା କଥା ‘ଏନ୍‌ଡିଆର୍‌ଏଫ୍‌’ କହିଛି। ୧୦୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଲାଗି ରହିଛି । ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବୁଧବାର (ଜୁଲାଇ ୧୯) ବିଳମ୍ବିତ ରାତିରେ ଭୂସ୍ଖଳନ ଘଟିବା ପରେ ୩୦ ରୁ ଅଧିକ ପରିବାର ଫସି ରହିଥିବାର ଆଶଙ୍କା ରହିଛି, ଯେଉଁଠାରେ ପ୍ରାୟ ୪୬ ଟି ଆଦିବାସୀ ବସ୍ତି ଅବସ୍ଥିତ।

    ଗଣମାଧ୍ୟମକୁ ରାୟଗଡ଼ ପୁଲିସ କହିଛି, ଏପର୍ଯ୍ୟନ୍ତ ୨୨ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ଅନେକ ଲୋକ ପୋତି ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି। ବର୍ତ୍ତମା‌ନ ପୁଲିସ ଏବଂ ଜିଲ୍ଲା ପ୍ରଶାସନର ଶତାଧିକ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଆମେ ‘ଏନ୍‌ଡିଆର୍‌ଏଫ୍‌’, ସ୍ଥାନୀୟ ଜନସାଧାରଣ ଏବଂ କେତେକ ‘ଏନ୍‌ଜିଓ’ରୁ ସହାୟତା ପାଉଛୁ।

    ଉଦ୍ଧାର କାର୍ଯ୍ୟ ସମୀକ୍ଷା କରିବା ଲାଗି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେହିପରି, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର୍‌ ମଧ୍ୟ ରାୟଗଡ଼ରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ସମୀକ୍ଷା ଲାଗି ଏମର୍ଜେନ୍‌ସି କଣ୍ଟ୍ରୋଲ୍‌ ରୁମ୍‌ରେ ପହଞ୍ଚିଛନ୍ତି।

    ଭୂସ୍ଖଳନ ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରତି ସମବେଦନା ବ୍ୟକ୍ତ କରି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ କହିଛନ୍ତି, ଗତରାତିରୁ ମୁଁ ସ୍ଥାନୀୟ ପ୍ରଶାସନ ସହିତ ଯୋଗାଯୋଗ ରଖି ଘଟଣା ସଂକ୍ରାନ୍ତରେ ସୂଚନା ପାଉଛି। ପ୍ରବଳ ବର୍ଷା ଓ ଅନ୍ଧାର ଯୋଗୁଁ ପ୍ରଥମେ ରିଲିଫ୍‌ କାର୍ଯ୍ୟାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। କିନ୍ତୁ, ଏବେ ଦ୍ରୁତ ବେଗରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତମାନଙ୍କ ଚିକିତ୍ସା ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯାଇଛି।

    ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣାରେ କେବଳ ଦୁଇ-ଚାରି ଘର ଉଦ୍ଧାର ହୋଇଛି ଏବଂ ଗାଁରେ ନିର୍ମିତ ବିଦ୍ୟାଳୟରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଏହି ଘଟଣା ରାୟଗଡର ଖାଲାପୁର ଅଞ୍ଚଳଠାରୁ ମାତ୍ର ୬ କିଲୋମିଟର ଦୂରରେ ଘଟିଛି। ଖାଲାପୁର ଅଞ୍ଚଳରେ ହିଁ ମୋର୍ବେ ଡ୍ୟାମ ନିର୍ମାଣ କରାଯାଇଛି ଯାହାକି ନବୀ ମୁମ୍ବାଇକୁ ଜଳ ଯୋଗାଇଥାଏ |

  • ଚମୋଲି: ଟ୍ରାନ୍ସଫର୍ମର ବିସ୍ଫୋରଣରେ ୪ ପୋଲିସଙ୍କ ସମେତ ୧୭ ମୃତ୍ୟୁ

    ଚମୋଲି: ଟ୍ରାନ୍ସଫର୍ମର ବିସ୍ଫୋରଣରେ ୪ ପୋଲିସଙ୍କ ସମେତ ୧୭ ମୃତ୍ୟୁ

    ଉତ୍ତରାଖଣ୍ଡରେ ଭୟଙ୍କର ବିଦ୍ୟୁତ ବିସ୍ଫୋରଣ। ଚମେଲି ଅଞ୍ଚଳରେ ସିଭର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିକଟରେ ଏକ ଟ୍ରାନ୍ସଫର୍ମର ବ୍ଳାଷ୍ଟ ହେବାରୁ ୧୭ ଜଣଙ୍କ ମୃତ୍ୟୁ । ମୃତକଙ୍କ ଭିତରେ ୪ ପୋଲିସ କର୍ମୀ ରହିଥିବା ସୂଚନା ଦେଇଛନ୍ତି ଚମୋଲି ଏସପି ପରମେନ୍ଦ୍ର ଡୋଭାଲ। ଚମୋଲିର ଅଳକାନନ୍ଦା ନଦୀ ନିକଟରେ ଏହି ଘଟଣା ଘଟିଛି। କୁହାଯାଉଛି ପ୍ରଥମେ ଟ୍ରାନ୍ସଫର୍ମରରେ ବିସ୍ଫୋରଣ ହୋଇଥିଲା। ଘଟଣା ପରେ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ୧୫ ଜଣଙ୍କର ମୃତ୍ୟୁ ଘଟଣାସ୍ଥଳରେ ହୋଇଥିବା ବେଳେ ପରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।
    ରାଜ୍ୟ ଏଡିଜିପି ଭି ମୁରୁଗେଶନ କହିଛନ୍ତି କି, ସେଠାରେ ନମାମୀ ଗଙ୍ଗେ ପ୍ରୋଜେକ୍ଟରେ କାମ ଚାଲିଛି। ସେଠାରେ ବିଦ୍ୟୁତ ଆଘତରେ ୧୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ଜଣେ ସବ ଇନସ୍ପେକ୍ଟର ଓ ୩ ହୋମଗାର୍ଡଙ୍କୁ ମିଶାଇ ୪ ପୁଲିସ କର୍ମୀ ଅଛନ୍ତି। ଦୁର୍ଘଟଣା ପରେ ଏହାର ଯାଞ୍ଚ ପାଇଁ ଆଦେଶ ଦିଆ ଯାଇଛି। ଏସପି ବରମେନ୍ଦ୍ର ଡୋଭାଲ ଆହୁରି କହିଛନ୍ତି କି, ଆହତଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
    ସେପଟେ ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ ଶକ୍ତି ନିଗମକୁ ଦାୟୀ କରିଛନ୍ତି। ନିଗମର ଦାୟିତ୍ୱହୀନତା ପାଇଁ ଏପରି ହୋଇଥିବା ଅଭିଯୋଗ କରିବା ସହ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଲୋକେ। ସେପଟେ ଏହି ଘଟଣା ପରେ
    ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଶୋକବ୍ୟକ୍ତ କରିଛନ୍ତି। ସେଠାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଧନ ସିଂହ ଯାଇ ଘଟଣାର ନ୍ୟାୟିକ ଯାଞ୍ଚର ଆଦେଶ ଦେଇଛନ୍ତି। ମନ୍ତ୍ରୀ ସିଂହ ଆହୁରି କହିଛନ୍ତି କି, ହେଲିକପ୍ଟରରେ ଆହତମାନଙ୍କୁ ଶ୍ରୀନଗର ହସ୍ପିଟାଲ ପଠାଯିବ। ଘଟଣାକୁ ନେଇ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ।

  • ମୋବାଇଲ ଦେଖାରେ ମସଗୁଲ ଝିଅ ସହି ପାରିଲାନି ବାପାମା’ଙ୍କ ଗାଳି

    ଆଜିକାଲି ଦୈନଦିନ ଜୀବନର ମୁଖ୍ୟ ହେଉଛି ମୋବାଇଲ,ବାଟରେ ଘରେ ବାହାରେ ଯିଏ ଯେଉଁଠି ପାଇଲା ମୋବାଇଲରେ ବ୍ୟସ୍ତ ରହିଲା ଏମିତିକି ସେଲ୍ଫି ନେବାବେଳେ କେଉଁଟା ସଠିକ ଜାଗା ତାହା ମଧ୍ୟ ଭୁଲି ଯାନ୍ତି ଯାହା ଫଳରେ ଅନେକଙ୍କ ଜୀବନ ମଧ୍ୟ ଏହି ମୋବାଇଲ ଯୋଗୁ ଯାଇଛି। ସେମିତି ଏକ ଏକ ଲୋମଟାଙ୍କୁରା ଘଟଣା ସାମାନାକୁ ଆସିଛି ଛତିଶଗଡ଼ରୁ ଆସିଛି ।

    ମୋବାଇଲ ଦେଖାରେ ମସଗୁଲ ଝିଅ ସହି ପାରିଲାନି ବାପାମା’ଙ୍କ ଗାଳି। ଏପରିକି ନିଜ ଭୁଲ୍‌ ସୁଧାରିବା ପରିବର୍ତ୍ତେ ଜୀବନ ହାରିବାକୁ ନିଷ୍ପତ୍ତି ନେଲେ। ଏଥିପାଇଁ ଗାଁ ନିକଟସ୍ଥ ଜଳ ପ୍ରପାତ ଉପରେ ଚଢ଼ି ତଳକୁ ଡେଇଁ ପଡ଼ିଲେ। ମାତ୍ର ସୌଭାଗ୍ୟବଶଃତ ପାଣି ମଝିରେ ତାଙ୍କର ବୁଦ୍ଧି ଉଦୟ ହୋଇଥିଲା। ଏହାପରେ ସେ ନିଜେ ଚେଷ୍ଟା କରି କୂଳକୁ ଆସି ନିଜ ଜୀବନ ରକ୍ଷା କରି ପାରିଛନ୍ତି। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଛତିଶଗଡ଼ରେ ଘଟିଛି।

    ଛତିଶଗଡ଼ର ଚିତ୍ରକୋଟ ୱାଟରଫଲରେ ଏପରି ଏକ ଲୋମଟାଙ୍କୁରା ଘଟଣା ସାମାନାକୁ ଆସିଛି। ଏହି ୱାଟରଫଲରେ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରିଥିବା ଯୁବତୀଜଣକଙ୍କ ନାମ ୨୧ ବର୍ଷୀୟା ସରସ୍ୱତୀ ମୌର୍ଯ୍ୟ ବୋଲି ଜଣାଯାଇଛି।

    ଚିତ୍ରକୋଟ ୱାଟରଫଲ ନିକଟସ୍ଥ ଏକ ଗାଁର ବାସିନ୍ଦା ହେଉଛନ୍ତି ସରସ୍ୱତୀଙ୍କ ପରିବାର। ସେ ଅଧିକାଂଶ ସମୟ ଫୋନ୍‌ରେ ବିତାଉଥିବାରୁ ପରିବାର ଲୋକେ ତାଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରୁଥିଲେ। ଏଥିରେ ଉତ୍‌କ୍ଷିପ୍ତ ସରସ୍ୱତୀ ଗାଁ ନିକଟସ୍ଥ ଚିତ୍ରକୋଟ ଜଳପ୍ରପାତକୁ ଚାଲିଯାଇଥିଲେ।

    ସେଠାରେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ ଉପସ୍ଥିତ ପର୍ଯ୍ୟଟକ ତାଙ୍କୁ ଏପରି କରିବାକୁ ବାରଣ କରିଥିଲେ। ମାତ୍ର ରାଗି ନିଜ ହିତାହିତା ଜ୍ଞାନ ହରାଇ ବସିଥିବା ସରସ୍ୱତୀ କାହା କଥା ନ ଶୁଣି ହଠାତ୍‌ ଜଳପ୍ରପାତରୁ ତଳକୁ ଡେଇଁ ପଡ଼ିଥିଲେ। ମାତ୍ର ପାଣିରେ ପଡ଼ିବା ପରେ ସେ ନିଜ ଭୁଲ୍‌ ବୁଝି ପାରିଥିଲେ। ଏହାପରେ ପହଁରି ପହଁରି କୂଳକୁ ଆସିବାକୁ ଚେଷ୍ଟା କରିଥିଲେ। ମାତ୍ର ପାଣିର ପ୍ରଖର ସ୍ରୋତରେ ତାଙ୍କୁ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଥିଲା।

  • ତ୍ରିପୁରା ସିପିଆଇ (ଏମ୍) ବିଧାୟକ ସାମସୁଲ ହକଙ୍କର ହୃଦଘାତରେ ଦେହାନ୍ତ

    ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ତ୍ରିପୁରାର ବକ୍ସନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ସାମସୁଲ ହକଙ୍କ ପରଲୋକ ଘଟିଛି । ସାମସୁଲ ସିପିଆଇଏମ ଟିକେଟରେ ନିର୍ବାଚନରେ ଜିତିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଜିବିବି ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

    ସାମସୁଲ ଚଳିତ ବର୍ଷ ପ୍ରଥମ ଥର ପାଇଁ ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜୟ ଲାଭ କରି ବିଧାୟକ ହୋଇଥିଲେ । ହାର୍ଟ ଆଟାକ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ସାମସୁଲଙ୍କ ମୃତ୍ୟୁ ପରେ ଏବେ ତ୍ରିପୁରାର ସୋନାମୁରା ଉପମଣ୍ଡଳରେ ୪ଟି ବିଧାନସଭା ଆସନରୁ ୨ଟି ଖାଲି ରହିଛି । ଧନପୁର ଓ ବକ୍ସନଗର ଆସନରେ ଆଗାମୀ ଦିନରେ ନିର୍ବାଚନ କରାଯିବ ।

    ୨୦୨୩ ନିର୍ବାଚନରେ ସାମସୁଲ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବିଜେପିର ତଫଜଲ ହୋସୈନଙ୍କୁ ୪୮୪୯ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ସାମସୁଲଙ୍କ ଅଚାନକ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟୁ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ରାଜ୍ୟପାଳଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ ଓ ରାଜନୈତିକ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି । ଏହି ଅବସରରେ ଦଳୀୟ କର୍ମକର୍ତ୍ତା ଓ ତାଙ୍କର ପ୍ରଶଂସକ ତଥା ଶୁଭେଚ୍ଛୁମାନେ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସାମସୁଲଙ୍କ ଅଚାନକ ବିୟୋଗରେ ତାଙ୍କର ପରିବାରବର୍ଗ ମର୍ମାହତ ହୋଇପଡ଼ିଛନ୍ତି ।

  • ଦୁନିଆର ଅଦ୍ଭୁତ ନଦୀ,  ଦେଖିବାକୁ ଇନ୍ଦ୍ରଧନୁ ପରି

    ଦୁନିଆର ଅଦ୍ଭୁତ ନଦୀ, ଦେଖିବାକୁ ଇନ୍ଦ୍ରଧନୁ ପରି

    କଲମ୍ବିଆରେ ଥିବା କାନୋ କ୍ରିଷ୍ଟାଲେସ୍ ନଦୀ ଏକ ସୁନ୍ଦର ଏସ୍କେପ୍ । କାନୋ କ୍ରିଷ୍ଟାଲେସ୍ ନଦୀ ନେଚର ଲଭର ମାନଙ୍କ ପାଇଁ ଏକ ଫରଫେକ୍ଟ ହଲିଡେ ଡେଷ୍ଟିନେସନ୍ । ଏହି ନଦୀ ଏତେ ରଂଗୀନ ଯେ, ଏହାକୁ ଆକାଶ ମାର୍ଗରୁ ଦେଖିଲେ, ସତେ ଯେପରି ଇନ୍ଦ୍ରଧନୁର ଶଯ୍ଯା ପୃଥିବୀ ପୃଷ୍ଟରେ ପାରି ଦେବା ଭଳି ଅନୁଭବ ହୁଏ । ନଦୀର ଶଯ୍ଯାଟି ପରସ୍ତ ପରସ୍ତ ରଂଗୀନ ରଂଗରେ ସଜାଇ ହୋଇ ରହିବା ଭଳି ଲାଗେ । ତେବେ କ’ଣ ଏହାକୁ କଲେଡୋସ୍କୋପିକ୍ ବା କଲରଫୁଲ୍ କରିଥାଏ ?

    ନଦୀରେ ଥିବା ଜଳଜ ଉଦ୍ଭିଦର ପ୍ରଜନନ ପ୍ରକ୍ରିୟା ସମୟରେ ଏହି ରଙ୍ଗ ଉତ୍ପନ୍ନ ହୁଏ । ଏହାକୁ ମାକେର୍ନିଆ କ୍ଲେଭିଗେରା କୁହାଯାଏ । ଏହି ଉଦ୍ଭିଦ ପୋଡୋଷ୍ଟେମାସି ପରିବାରର ଏକ ପ୍ରଜାତିର । ଜୁଲାଇରୁ ନଭେମ୍ବର ମଧ୍ୟରେ,ଶୈବାଳ, ଜଳୀୟ ଉଦ୍ଭିଦ ଏବଂ ପ୍ରବାଳ ଏବଂ ନାଲି ରଙ୍ଗର ଉଦ୍ଭିଦ ଗୁଡିକ ନଦୀଗର୍ଭରେ ଥିବା ପଥର ସହିତ ଦ୍ରୁତ ଗତିରେ ବଢିଥାଏ । ତେଣୁ, ଜଳ ପୃଷ୍ଠ ତଳେ ଏହି ଉଦ୍ଭିଦ ରଙ୍ଗର ମିଶ୍ରଣ ସୃଷ୍ଟି କରେ । ନାଲି, ନୀଳ, ସବୁଜ, କଳା ଓ ହଳଦିଆ ରଙ୍ଗର ରଙ୍ଗ, ଏହି ନଦୀକୁ ‘ତରଳ ଇନ୍ଦ୍ରଧନୁ’ ଭଳି ଦୃଶ୍ୟମାନ କରାଇଥାଏ ।

    ମୌସୁମୀ ସମୟରେ ଏହା ମନୋରମ ଦର୍ଶନୀୟ ସ୍ଥାନ ପାଲଟେ ଏହି ନଦୀ । ସ୍ଥାନୀୟ ଲୋକଙ୍କ ମତରେ ରଙ୍ଗବେରଙ୍ଗର ଜଳଚର ସୃଷ୍ଟିକୁ ଦେଖିବାର ଉପଯୁକ୍ତ ସମୟ ହେଉଛି, ବାତ୍ୟାର ଠିକ୍ ପରେ ଯେତେବେଳେ ସମସ୍ତ ରଙ୍ଗ ସ୍ପଷ୍ଟ ଦେଖାଯାଏ । ଏହି ନଦୀର ଭୂସଂସ୍ଥାନ ପଛପଟେ ରହିଛି ପଙ୍କ ଏବଂ ଏହା ତଳେ ରହିଛି ୧.୨ ବିଲିୟନ ବର୍ଷ ପୂରୁଣା ଚଟାଣ । ଯେତେବେଳେ ଏହି ସମସ୍ତ ଉପାଦାନ ନଦୀର ବିବିଧ ରଙ୍ଗର ଉଦ୍ଭିଦ ଜୀବନ ସହିତ ମିଶ୍ରିତ ହୁଏ, ଯାହା ଉତ୍ପନ୍ନ କରେ ତାହା ହେଉଛି ଏକ ବିଷ୍ମୟଜନକ ରଙ୍ଗର କ୍ଷେତ୍ର । ବର୍ଷର ଅବଶିଷ୍ଟ ସମୟ ପାଇଁ, ନଦୀଟି କେବଳ ଉଜ୍ଜ୍ୱଳ ଧୂସର ରଙ୍ଗ ଏବଂ ସେଠାରେ କେତେକ ସବୁଜ ରଙ୍ଗରେ ଅବଶୋଷିତ ହୋଇଥାଏ ।

    ୬୨.୧ ମାଇଲ୍ ଲମ୍ବ ଏହି ନଦୀ କଲମ୍ବିଆର ସେରାନିଆ-ଡି-ଲା-ମାକାରେନା ଜାତୀୟ ଉଦ୍ୟାନରେ ରହିଛି । ଏହା ମେଟା ପ୍ରଦେଶରେ ଅବସ୍ଥିତ । ଏହାକୁ ପାଞ୍ଚଟି ରଙ୍ଗର ନଦୀ ବୋଲି କୁହାଯାଏ । ଏହି ତରଳ ଇନ୍ଦ୍ରଧନୁ ବା ନଦୀର ଜୀବନ୍ତ ରଙ୍ଗ ପାଇଁ, ଦକ୍ଷିଣ ଆମେରିକୀୟ ଦେଶର ସବୁଠାରୁ ଦର୍ଶନୀୟ ପ୍ରାକୃତିକ ବିସ୍ମୟ ମଧ୍ୟରୁ ଅନ୍ୟତମ । ବର୍ଷା ଋତୁରେ ନଦୀ ଦ୍ରୁତ ଗତିରେ ଓ ଉଚ୍ଚରେ ପ୍ରବାହିତ ହୁଏ, ଅର୍ଥାତ୍ ସୂଯ୍ୟ ନଦୀ ଶୟ୍ୟାର ଉଦ୍ଭିଦକୁ କ୍ଷତି କରିପାରେ ନାହିଁ । ଏଭଳି ଘଟଣା ପୃଥିବୀରେ ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ । ଏହି ଅଞ୍ଚଳ ଜୈବ ବିବିଧତା ପାଇଁ ଏକ ହଟସ୍ପଟ୍, ଯେଉଁଠାରେ ଆଣ୍ଡିଜ୍ ପର୍ବତ, ଆମାଜନ ଏବଂ ଓରିନୋକୋ ଅବବାହିକା ଏକତ୍ରୀତ ହୋଇଥାଏ ।

    ମହାମାରୀ ପୂର୍ବରୁ ପ୍ରତିବର୍ଷ ଏହି ଦୃଶ୍ୟ ଦେଖିବା ପାଇଁ ହଜାର ହଜାର ପଯ୍ୟଟକଙ୍କ ସମାଗମ ହେଉଥିଲା । ତେବେ ଦେଶର ପଯ୍ୟଟନ ବୋର୍ଡର ସୂଚନା ଅନୁସାରେ, ଏହି ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ପ୍ରତିଦିନ ୨୦୦ ପଯ୍ୟଟକଙ୍କୁ ଅନୁମତି ଦେଇଛି । ଏହି ଅଞ୍ଚଳକୁ ଆସୁଥିବା ପଯ୍ୟଟକଙ୍କ ସଖ୍ୟା ଏତେ ଅଧିକ ଥିଲା ଯେ, କ୍ୟାପ୍ ପରିବେଶ କର୍ତ୍ତୃପକ୍ଷ ନଦୀ ସୁରକ୍ଷା ପାଇଁ ୨୦୧୯ ଡିସେମ୍ବରରେ ଗନ୍ତବ୍ୟ ସ୍ଥଳକୁ ବନ୍ଦ କରିଦେଇଥିଲେ ।

  • ଏଠାରେ ହୁଏ ସାପ ଚାଷ, ଯାହା ଦିଏ ଅନେକ ଫାଇଦା

    ଏଠାରେ ହୁଏ ସାପ ଚାଷ, ଯାହା ଦିଏ ଅନେକ ଫାଇଦା

    ଲୋକମାନେ ବଗିଚାରେ ବିଭିନ୍ନ ଫଳ ଚାଷ କରିବାକୁ ପସନ୍ଦ କରନ୍ତି । ଗ୍ରାମାଞ୍ଚଳରେ ଲୋକମାନେ ପ୍ରାୟତ ଆମ୍ବ, ଲିଚି ଏବଂ ଜାମୁନ୍ ବଗିଚାରେ ଲଗାଇଥାନ୍ତି । ଯେହେତୁ ସହରାଞ୍ଚଳଗୁଡିକ କୃଷି ଉଦ୍ୟାନ ଥାଏ ଲୋକମାନେ ନିଜ ନିଜ ଉଦ୍ୟାନରେ ତାଜା ଫଳ ଚାଷ କରିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ କେବେ ସାପ ବଗିଚା ବିଷୟରେ ଶୁଣିଛନ୍ତି କି? କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।ତେବେ ଏପରି ଏକ ଦେଶ ଅଛି ଯେଉଁଠାରେ ସାପର ଉଦ୍ୟାନ ରହିଛି । ଭିଏତନାମରେ ଏକ ନିଆରା ସାପ ବଗିଚା ଅଛି, ଯାହା ଟ୍ରାଇ ରନ୍ ଡୋଙ୍ଗ୍ ତାମ୍ ଭାବରେ ଜଣାଶୁଣା । ଏହି ଚାଷ ୧୨ ହେକ୍ଟର ଜମିରେ କରାଯାଇଛି ଏବଂ ସାପମାନଙ୍କର ପାଳିବା ଏବଂ ଔଷଧୀୟ ସାମଗ୍ରୀ ପାଇଁ ଏହି ଚାଷ କରାଯାଏ । ଏହି ଫର୍ମଟି ଅତ୍ୟନ୍ତ ସ୍ୱତନ୍ତ୍ର ଅଟେ । କାରଣ ଏହାର ଶାଖାଗୁଡ଼ିକରେ ଫଳ ବଦଳରେ ଗଛରେ ଓହଳି ଥାନ୍ତି ସାପ ।

    ଶାଖା ଉପରେ ଝୁଲୁଛନ୍ତି ସାପ , ଯାହା ପରିଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏହି ଉଦ୍ୟାନରେ ୪୦୦ ରୁ ଅଧିକ ପ୍ରଜାତିର ବିଷାକ୍ତ ସାପ ବାସ କରନ୍ତି । ଏହି ସାପଗୁଡିକୁ ସେମାନଙ୍କର ବିଷ ପାଇଁ ସଗୃହୀତ କରାଯାଇଛି,ଯାହା ଔଷଧୀୟ ଏବଂ ଆଣ୍ଟିଡୋଟ୍ ଉତ୍ପାଦନରେ ବ୍ୟବହୃତ ହୁଏ । ସାପ ଅନୁସନ୍ଧାନରେ ଏହି ଫାର୍ମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ସାପ କାମୁଡ଼ିବା ପାଇଁ ପ୍ରଭାବଶାଳୀ ଆଣ୍ଟିଡୋଟ୍ ବିକଶିତ କରିବା ପାଇଁ ପ୍ରତିଦିନ ପରୀକ୍ଷଣ କରାଯାଏ । ଫାର୍ମରେ ମିଳୁଥିବା ଅଧିକାଂଶ ସାପ ପ୍ରଜାତି ପାଇଁ ଆଣ୍ଟିଡୋଟ୍ ସଫଳତାର ସହିତ ପ୍ରସ୍ତୁତ ହୋଇଛି ।

    ଏଠାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଗଛ ଡାଳରେ ଝୁଲୁଥିବା ସାପମାନଙ୍କ ପରିଦର୍ଶନରେ ଡୋଙ୍ଗ ତାମ ସାପ ଫାର୍ମକୁ ଆସିଥାନ୍ତି । ଏହି ଫାର୍ମ ପରିଦର୍ଶକ ମାନଙ୍କ ରହିବା ପାଇଁ ଅନେକ ସୁବିଧା ଯୋଗାଇଛି, ଯାହା ବିଷାକ୍ତ ଜୀବମାନଙ୍କ ମଧ୍ୟରେ ଏକ ନିଆରା ଅନୁଭୂତି ପ୍ରଦାନ କରୁଛି । ପ୍ରତିବର୍ଷ ପ୍ରାୟ ୧,୫୦୦ ଲୋକ ସାପ ଆକ୍ରମଣର ଶିକାର ହେଉଛନ୍ତି । ଏହାପରେ ଡୋଙ୍ଗ ତାମ ସାପ ଫାର୍ମରେ ଚିକିତ୍ସା ପାଇଁ ଚେଷ୍ଟା କରନ୍ତି। ଏଠାରେ ସ୍ୱତନ୍ତ୍ର ଚିକିତ୍ସାର ଉପଲବ୍ଧତା ଏବଂ ଏହି କ୍ଷେତ୍ରରେ ଚାଲିଥିବା ଅନୁସନ୍ଧାନ ସାପକାମୁଡା ଘଟଣାର ମୁକାବିଲା କରିବାରେ ଏହାର ଭୂମିକା ରହିଛି ।

  • ସାଙ୍ଗ ସାଜିଲା ସୈତାନ, କଲା ଏମିତି କିଛି…..

    ସାଙ୍ଗ ସାଜିଲା ସୈତାନ, କଲା ଏମିତି କିଛି…..

    ଯିଏ ସୁରକ୍ଷା ଦେବା କଥା ସିଏ ହିଁ ଲୁଟି ନେଲେ ଇଜ୍ଜତ ।ଏପରି ଏକ ଅମାନବୀୟ କାଣ୍ଡ ଝାଡଖଣ୍ଡ ରାଜଧାନୀ ରାଞ୍ଚିରେ ଘଟିଥିବା ବେଳେ ପୁଲିସ୍‌ ଏହି ଘଟଣାରେ ୩ ଜଣଙ୍କୁ ବାନ୍ଧିଛି। ସାଙ୍ଗଙ୍କ ସହ ମେଳା ବୁଲି ଯାଇଥିଲେ ଜଣେ ନାବାଳିକା ଓ ଜଣେ ଯୁବତୀ । ମାତ୍ର ମେଳା ବୁଲି ଫେରିବା ବେଳେ ବାଟରେ ସାଙ୍ଗ ହିଁ ସାଜିଲେ ସଇତାନ । ଏପରିକି ଏକୁଟିଆ ପାଇ ଗଣବଳାତ୍କାର କରିବାକୁ ପଛାଇଲେ ନାହିଁ।

    ଏହି ଘଟଣା ଗତ ସୋମବାରର ବୋଲି ଜଣାଯାଇଛି। ରାଞ୍ଚି ପୁଲିସ୍‌ ସୂଚନା ଅନୁଯାୟୀ, ଗତ ସୋମବାର ରାତିରେ ଜଣେ ନାବାଳିକା ଓ ଜଣେ ଯୁବତୀ ନିଜର ୩ ପୁରୁଷ ସାଙ୍ଗଙ୍କ ସହ ମେଳା ବୁଲି ଯାଇଥିଲେ। ସେଠାରୁ ହସଖୁସିରେ ଫେରିବା ବେଳେ ସେମାନଙ୍କ ସାଙ୍ଗମାନେ ସେମାନଙ୍କୁ ଧମକାଇ ଗଣବଳାତ୍କାର କରିଥିଲେ।

    ଘଟଣା ସମ୍ପର୍କରେ ପୀଡ଼ିତାଦ୍ୱୟ ଥାନରେ ଅଭିଯୋଗ କରିବା ପରେ ପୁଲିସ୍‌ ମାମଲା ରୁଜୁ କରି ସେମାନଙ୍କ ଡାକ୍ତରୀ ମାଇନା କରାଇଥିଲା। ଏହାପରେ ଘଟଣାର ତଦନ୍ତ ଆରମ୍ଭ କରି ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

    ଏହି ଘଟଣାରେ ରାଜ୍ୟ ବିଜେପି ଟାର୍ଗେଟ କରିଛି ଝାଡଖଣ୍ଡର ସରକାରଙ୍କୁ । ବିଜେପି ଅଭିଯୋଗ କରିଛି ନାବାଳିକା ଓ ଯୁବତୀ ହେମନ୍ତ ସୋରେନଙ୍କ ଶାସନ କାଳରେ ସୁରକ୍ଷିତ ନୁହନ୍ତି । ଏଥିସହ କହିଛନ୍ତି ରାଜ୍ୟରେ ଗତ ସାଢେ ୩ ବର୍ଷ ମଧ୍ୟରେ ୫,୫୦୦ ବଳାତ୍କାର ମାମଲା ଘଟି ସାରିଲାଣି। ହେଲେ ପୁଲିସ୍‌ ଆଖିରୁ ନିଦ ଭାଙ୍ଗୁନି ।

  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ଦେହାନ୍ତ

    କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ଦେହାନ୍ତ

    କଂଗ୍ରେସର ବରିଷ୍ଠ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ଦେହାନ୍ତ ହୋଇଛି। ମଙ୍ଗଳବାର ଦିନ ତାଙ୍କ ପରିବାର ତଥା କେରଳ କଂଗ୍ରେସ ସଭାପତି କେ ସୁଧାକରନ ଏ ସଂପର୍କରେ ଘୋଷଣା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।

    ଅସୁସ୍ଥତା ହେତୁ ଓମେନ ଚାଣ୍ଡି ଦୀର୍ଘଦିନ ଧରି ଚିକିତ୍ସାଧିନ ଥିଲେ । ୨୦୧୯ ପରଠାରୁ ଅସୁସ୍ଥତା କାରଣରୁ ଓମେନ ଚାଣ୍ଡି ଚିକିତ୍ସିତ ହେଉଥିବା ବେଳେ ରବିବାର ତାଙ୍କୁ ବେଙ୍ଗାଲୁରୁକୁ ଏୟାରଲିଫ୍ଟ କରାଯାଇଥିଲା । ମାତ୍ର ସେଠାରେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ବେଙ୍ଗାଲୁରୁରେ ତାଙ୍କର ପରଲୋକ ଘଟିଛି ।

    ଓମେନ ଚାଣ୍ଡି କଂଗ୍ରେସର ଜଣେ ବରିଷ୍ଠ ନେତା ହୋଇଥିବା ବେଳେ କେରଳରେ ଦୁଇଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି। । ସେ ୨୦୦୪ରୁ ୨୦୦୬ ମସିହା ପର୍ଯ୍ୟନ୍ତ ଓ ୨୦୧୧ରୁ ୨୦୧୬ ମସିହା ପର୍ଯ୍ୟନ୍ତ କେରଳ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ପ୍ରାୟ ୫ ଦଶନ୍ଧି ଧରି ରାଜନୀତିରେ ଚାଣ୍ଡିଙ୍କର ସକ୍ରିୟ ଭୂମିକା ଥିଲା ।

    ଓମେନ ଚାଣ୍ଡିଙ୍କ ବିୟୋଗରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏନେଇ ଟ୍ୱିଟ କରି ସେ କହିଛନ୍ତି, ଆମର ରାଜନୈତିକ କ୍ୟାରିଅର ଏକସାଙ୍ଗେ ଆରମ୍ଭ ହୋଇଥିଲା । ଓମେନ୍ ଚାଣ୍ଡି ଜଣେ ଦକ୍ଷ ପ୍ରଶାସକ ଏବଂ ଏଭଳି ବ୍ୟକ୍ତିତ୍ୱ ଯିଏ ଲୋକଙ୍କ ସହ ଘନିଷ୍ଠ ଭାବରେ ଜଡିତ ଥିଲେ ବୋଲି ସେ କହିଛନ୍ତି ।

    କେ ସୁଧାକରନ ଏକ ଟ୍ବିଟ୍‌ ପୋଷ୍ଟ୍‌ କରି ଲେଖିଛନ୍ତି, ‘ପ୍ରେମର ଶକ୍ତିରେ ସାରା ବିଶ୍ବକୁ ଜୟ କରିଥିବା ଜଣେ ରାଜାଙ୍କ କାହାଣୀର ଦୁଃଖଦ ଅନ୍ତଃ ଘଟିଛି। ସେଭଳି ଜଣେ କିମ୍ବଦନ୍ତୀଙ୍କୁ ହରାଇ ମୁଁ ଗଭୀର ଭାବେ ଦୁଃଖିତ। ସେ ଅସଂଖ୍ୟ ବ୍ୟକ୍ତିବିଶେଷଙ୍କ ଜୀବନକୁ ଛୁଇଁପାରିଛନ୍ତି। ସଦାବେଳେ ସେ ଆମ ଭିତରେ ରହିବେ। ତାଙ୍କ ଅମର ଆତ୍ମାକୁ ଶାନ୍ତି ମିଳୁ (ରିପ୍‌)।’