Category: ଦେଶ-ବିଦେଶ

  • କେନ୍ଦ୍ର ସରକାର ଟ୍ରାନ୍ସଜେଣ୍ଡରଙ୍କ ଲାଗି ପୃଥକ ସଂରକ୍ଷଣ ବ୍ୟବସ୍ଥା ନେଇ ସୁପ୍ରିମକୋର୍ଟରେ ବଡ଼ ସୂଚନା ଦେଲେ

    କେନ୍ଦ୍ର ସରକାର ଟ୍ରାନ୍ସଜେଣ୍ଡରଙ୍କ ଲାଗି ପୃଥକ ସଂରକ୍ଷଣ ବ୍ୟବସ୍ଥା ନେଇ ସୁପ୍ରିମକୋର୍ଟରେ ବଡ଼ ସୂଚନା ଦେଲେ

    କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟରେ ଟ୍ରାନ୍ସଜେଣ୍ଡରଙ୍କ ସଂରକ୍ଷଣ ସମ୍ପର୍କରେ ତାଙ୍କର ପକ୍ଷ ସ୍ପଷ୍ଟ କରିଦେଇଛନ୍ତି । କେନ୍ଦ୍ର ସରକାର କହିଛନ୍ତି ଯେ ଟ୍ରାନ୍ସଜେଣ୍ଡରଙ୍କୁ ସଂରକ୍ଷଣର ଲାଭ ସେତେବେଳେ ମିଳିଥାନ୍ତା ଯେତେବେଳେ ସେମାନେ ବର୍ତ୍ତମାନର ସଂରକ୍ଷଣ ଅନ୍ତର୍ଗତ ଶ୍ରେଣୀରେ ଆସୁଥାନ୍ତେ । ତେବେ ସେମାନଙ୍କ ଲାଗି ପୃଥକ ସଂରକ୍ଷଣ ବ୍ୟବସ୍ଥା କରାଯାଇ ପାରିବନି ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି । କେନ୍ଦ୍ର ସରକାର ଏ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି । କେନ୍ଦ୍ର ସରକାର ଏହି ସତ୍ୟପାଠ ଜାତୀୟ ଆଇନ ସେବା ପ୍ରାଧିକରଣ (ଏନଏଲଏସ୍‌ଏ) ବନାମ ଭାରତ ସଂଘ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ପାଳନ ନ ହେବା ଯୋଗୁ କୋର୍ଟରେ ରୁଜୁ ଅବମାନନା ପିଟିସନ ଆଧାରରେ ଦିଆଯାଇଛି ।

    କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ କୁହାଯାଇଛି ଯେ ଶିକ୍ଷା ଅଥବା ରୋଜଗାର ମାମଲାରେ ଟ୍ରାନ୍ସଜେଣ୍ଡରଙ୍କ ଲାଗି ଅଲଗା କୌଣସି ପ୍ରକାରର ସଂରକ୍ଷଣ ପ୍ରଦାନ କରାଯାଉ ନାହିଁ । କେନ୍ଦ୍ର ସରକାର ଏହା ମଧ୍ୟ କହିଛନ୍ତି ଯେ ଯଦି ସେମାନେ ଅନୁସୂଚିତ ଜାତି(ଏସସି), ଅନୁସୂଚିତ ଜନଜାତି (ଏସଟି), ସାମାଜିକ ଓ ଆର୍ଥିକ ରୂପେ ପଛୁଆ ବର୍ଗ(ଏସଇବିସି) ଅଥବା ଆର୍ôଥକ ରୂପେ ଦୁର୍ବଳ ବର୍ଗ(ଇଡବ୍ଲୁଏସ୍‌) ଶ୍ରେଣୀରେ ଆସୁଥାନ୍ତି ଏଥିରେ ସେମାନଙ୍କୁ ସଂରକ୍ଷଣର ଲାଭ ମିଳିପାରିବ । ତେବେ ସେମାନଙ୍କ ଲାଗି ପୃଥକ କୌଣସି ସଂରକ୍ଷଣ ବ୍ୟବସ୍ଥା ନାହିଁ ।

  • ପ୍ରେମିକଙ୍କୁ ନିଜ ଜୀବନରେ ରଖିବା ପାଇଁ କଳାଯାଦୁର ସହାୟ ନେଉଥିଲେ ମହିଳା

    ପ୍ରେମିକଙ୍କୁ ନିଜ ଜୀବନରେ ରଖିବା ପାଇଁ କଳାଯାଦୁର ସହାୟ ନେଉଥିଲେ ମହିଳା

    ପ୍ରେମ ପାଇଁ ଲୋକ ବଡ଼ରୁ ବଡ଼ କାମ କରିବାକୁ ପଛାଇନଥାନ୍ତି। ପାକିସ୍ତାନୀ ସୀମା ହାଇଦର ଓ ଭାରତୀୟ ମହିଳା ଅଞ୍ଜୁ ଏକଥାର ବଡ଼ ଉଦାହରଣ। ସେମାନେ ତ ପ୍ରେମ ପାଇଁ ନିଜ ଦେଶ ପାର୍ କରି ପରଦେଶ ଯିବାକୁ ବି ପଛାଇ ନାହାନ୍ତି। ନିଜ ପ୍ରେମକୁ ମଜବୁତ୍ କରିବା ପାଇଁ ଜଣେ ଚୀନୀ ମହିଳାଙ୍କ କାରନାମା ଏବେ ସାମ୍ନାକୁ ଆସିଛି। ମହିଳା ଜଣକ ତାଙ୍କ ସାଥୀକୁ ଖୁସି ରଖିବା ପାଇଁ ନିଜ ଅଫିସରୁ ୭ କୋଟିରୁ ଅଧିକ ଟଙ୍କା ଚୋରି କରିଥିବା ପରି ମାମଲା ସାମ୍ନାକୁ ଆସିଛି। ସେହି ଚୋରି ଟଙ୍କାରେ ସେ ସାଥୀଙ୍କୁ ବିଭିନ୍ନ ଜିନିଷ ଦେଇ ଖୁସି କରାଉଥିଲେ।

    ସାଉଥ୍ ଚାଇନା ମର୍ନିଂ ପୋଷ୍ଟ (ଏସ୍ସିଏମ୍ପି) ଅନୁଯାୟୀ, ଉତ୍ତର-ପୂର୍ବ ଚୀନ୍ର ଲିଆଓନିଂ ପ୍ରଦେଶର ୱାଙ୍ଗ ତାଙ୍କ ଅଫିସ୍ ମାଲିକଙ୍କ ଟଙ୍କା ଲୁଟି ନେଇଥିବାର ଜଣାପଡିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ତେବେ ଏହି ଦୋଷ ପାଇଁ ସେ କେଉଁ ଦଣ୍ଡର ସମ୍ମୁଖୀନ ହେବେ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ହେଲେ ଷ୍ଟାର ଭିଡିଓରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମହିଳା କୁହନ୍ତି ସେ ଯାହା କରିଛନ୍ତି ଭଲ କରିଛନ୍ତି। ଏପରି କରିବା ଦ୍ବାରା ତାଙ୍କୁ ଲାଭ ମିଳିଛି।

    ଘଟଣାର ତଦନ୍ତ ବେଳେ ଅଧିକାରୀମାନେ ଚୋରି ହୋଇଥିବା ଟଙ୍କା ସହିତ କିଣାଯାଇଥିବା ଅନେକ ଡିଜାଇନର୍ ବ୍ୟାଗ୍ ଏବଂ ପୋଷାକ ମଧ୍ୟ ଜବତ କରିଛନ୍ତି। ଏସ୍ସିଏମ୍ପି ଆହୁରି ବି ପ୍ରକାଶ କରିଛି ଯେ ୱାଙ୍ଗ ମାର୍ଚ୍ଚ ୨୦୧୮ ମସିହାରୁ କମ୍ପାନିର ଟଙ୍କା ହେର୍ଫେର୍ କରିବା ଆରମ୍ଭ କରିଦେଇଥିଲେ।

    ସେତେବେଳେ ସେ ନିଜ ପ୍ରେମିକଙ୍କୁ ତାଙ୍କ ଜୀବନରେ ରଖିବାକୁ ଚାହୁଁଥିବାରୁ ଏପରି କରିବା ଆରମ୍ଭ କରିଥିଲେ। କେବଳ ସେତିକି ନୁହେଁ, ମହିଳା କଳାଯାଦୁରେ ବି ବିଶ୍ବାସ କରୁଥିଲେ। ପ୍ରେମିକଙ୍କୁ ନିଜ ଜୀବନରେ ରଖିବା ପାଇଁ ସେ କଳାଯାଦୁର ବି ସହାୟ ନେଇଥିଲେ।

  • ଯୁବରାଜଙ୍କ ମା’ଙ୍କୁ ବ୍ଲାକମେଲ୍‌,୪୦ ଲକ୍ଷ ମାଗି ଫସିଲେ ମହିଳା

    ଯୁବରାଜଙ୍କ ମା’ଙ୍କୁ ବ୍ଲାକମେଲ୍‌,୪୦ ଲକ୍ଷ ମାଗି ଫସିଲେ ମହିଳା

    ଭାରତୀୟ ଟିମ୍‌ର ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂଙ୍କ ପରିବାରକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯୁବରାଜ ସିଂଙ୍କ ମା’ ଶବନମ ସିଂଙ୍କୁ ଧମକ ଦେଇ ୪୦ ଲକ୍ଷ ଟଙ୍କା ମାଗିଥିବା ଜଣେ ମହିଳାଙ୍କୁ ବାନ୍ଧିଛି ଦିଲ୍ଲୀ ପୁଲିସ୍‌। ଏକ ମିଥ୍ୟା କେସ୍‌ରେ ଫସାଇବାର ଧମକ ଦେଇ ମହିଳାଜଣକ ଶବନମଙ୍କୁ ମୋଟା ଅଙ୍କର ଅର୍ଥ ମାଗିଥିଲେ। ମାତ୍ର ଟଙ୍କା ଭର୍ତ୍ତି ବ୍ୟାଗ ସହ ପୁଲିସ୍‌ ତାଙ୍କୁ କାବୁ କରିବାରେ ସଫଳ ହୋଇଛି।

    ଅଭିଯୁକ୍ତ ମହିଳାଜଣକ ହେମା କୌଶିକ ଓରଫ ଡିମ୍ପି ବୋଲି ଜଣାଯାଇଛି। ଯୁବରାଜଙ୍କ ସାନ ଭାଇ ଜୋରାବର ସିଂ ମାନସିକ ଅବସାଦରେ ଆ ଆକ୍ରାନ୍ତ ଥିବାରୁ ତାଙ୍କ ଯତ୍ନ ନେବାକୁ ଡିମ୍ପିଙ୍କୁ ତାଙ୍କ ଘରେ ନିଯୁକ୍ତି ମିଳିଥିଲା। ମାତ୍ର ତାଙ୍କ ବ୍ୟବହାର ଠିକ୍‌ ନ ଲାଗିବାରୁ ପ୍ରାୟ ୧୫ ଦିନ ପରେ ଶବନମ ତାଙ୍କୁ ଚାକିରିରୁ ବାହାର କରି ଦେଇଥିଲେ।

    ଏହାପରେ ଡିମ୍ପି ଶବନମଙ୍କ ନିକଟକୁ ଫୋନ୍‌ କରି ୪୦ ଲକ୍ଷ ଟଙ୍କା ନ ଦେଲେ ତାଙ୍କ ପରିବାର ଉପରେ ମିଥ୍ୟା ଆରୋପ ଲଗାଇ ଥାନାରେ ଅଭିଯୋଗ କରିବାକୁ ଧମକ ଦେଇଥିଲେ। ମାତ୍ର ଏତେ ଟଙ୍କା ସଙ୍ଗେ ସଙ୍ଗେ ଯୋଗାଡ଼ କରିବା ସମ୍ଭବପର ନୁହେଁ କହି ପ୍ରଥମେ ୫ ଲକ୍ଷ ଦେବାକୁ ରାଜି ହୋଇଥିଲେ ଶବନମ ।

  • ଦୁନିଆ ଦେଖିବା ଆଗରୁ ଜୀବନ ହାରିଦେଲା

    ଦୁନିଆ ଦେଖିବା ଆଗରୁ ଜୀବନ ହାରିଦେଲା

    ନବଜାତ ଶିଶୁକୁ ଛାତ ଉପରୁ ଫିଙ୍ଗିଦେଲା ଜଙ୍ଗଲୀ ବିଲେଇ । ଦୁନିଆ ଦେଖିବା ଆଗରୁ ଜୀବନ ହାରିଦେଲା କଅଁଳା ଶିଶୁ । ଏମିତି ଭୟଙ୍କର ଘଟଣା ଉତ୍ତରପ୍ରଦେଶର ବୁଦାନ ଜିଲ୍ଲାରେ ଦେଖିବାକୁ ମିଳିଛି । ମାସରେ ଦ୍ୱିତୀୟ ଥର ପାଇଁ ଏହି ସମାନ ଘଟଣା ୟୁପିରେ ଘଟିଛି । ସୋମବାର ଏହି ଘଟଣା ଘଟିଥିବାର ପୋଲିସ ସୂଚନା ଦେଇଛି ।

    ରେଶମା ଓ ତାଙ୍କ ସ୍ୱାମୀ ମହମ୍ମଦ ହାସନ ୟୁପିର ବୁଦାନ ଜିଲ୍ଲାର ଗୌଟରାପଟ୍ଟିରେ ଏକ ଭଡ଼ା ଘରେ ରହୁଥିଲେ । ହାସନ ଜଣେ ଦିନ ମଜୁରିଆ । ବିବାହର ୬ ବର୍ଷ ପରେ ତାଙ୍କର ଜାଆଁଳା ସନ୍ତାନ ଜନ୍ମ ହୋଇଥିଲା । ରେଶମାଙ୍କ କହିବାନୁଯାୟୀ ମଙ୍ଗଳବାର ସଂଧ୍ୟାରେ ଛୁଆଙ୍କୁ କ୍ଷୀର ପିଆଇ ଛାତ ଉପରେ ଝୁଲଣାରେ ଶୁଆଇ ଦେଇଥିଲେ । ଏହାପରେ ସେ ନିଜ ଘର କାମରେ ଲାଗି ପଡ଼ିଲେ ।

    କିଛି ସମୟ ପରେ ରେଶମା ପୁଅ ରିହାନର କାନ୍ଦିବା ଶବ୍ଦ ଶୁଣିଥିଲେ । ସେ ଦୌଡ଼ି ଛାତକୁ ଗଲା ବେଳେ ଦେଖିଲେ ଯେ, ଗୋଟିଏ କଳା ରଙ୍ଗର ଜଙ୍ଗଲୀ ବିଲେଇଟି ରିହାନକୁ ପାଟିରେ ଜାବୁଡ଼ି ଧରିଛି । ରିହାନଙ୍କୁ ବଞ୍ଚାଇବା ପାଇଁ ସେ ଚିଲାଇବାରୁ ବିଲେଇଟି ଛାତରୁ ଡେଇଁ ପଡ଼ିଲା ଓ ଶିଶୁକୁ ଛାତ ତଳକୁ ଫିଙ୍ଗି ଦେଲା । ରେଶମା ତୁରନ୍ତ ରିହାନକୁ ମେଡିକାଲ ନେଇ ଯାଇଥିଲେ । ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରେଶମାଙ୍କ ସ୍ୱାମୀ ହାସନଙ୍କ କହିବାନୁଯାୟୀ ସେ ଗତ ୧୫ ଦିନ ହେବ ଏକ ଜଙ୍ଗଲୀ ବିଲେଇକୁ ଘର ପାଖରେ ବୁଲୁଥିବାର ଦେଖିଥିଲେ ।

    ପୋଲିସର କହିବାନୁଯାୟୀ ପରିବାରବର୍ଗ ଘଟଣା ସମ୍ପର୍କରେ ପୋଲିସକୁ ଅବଗତ ନ କରାଇ ଶିଶୁର ଅନ୍ତିମ ସଂସ୍କାର କରିଦେଇଥିଲେ । ଯଦି କୌଣସି ଜଙ୍ଗଲୀ ଜନ୍ତୁ ଅଞ୍ଚଳରେ ବୁଲୁଛି, ତେବେ ସ୍ଥାନୀୟ ଲୋକେ ବନବିଭାଗକୁ ତୁରନ୍ତ ଜଣାଇବା ଦରକାର । ପୂର୍ବରୁ ମଧ୍ୟ ଯୁପିର ଆଗ୍ରା ଜିଲ୍ଲାର ବରୱାର ଗ୍ରାମରେ ଗୋଟିଏ ଦେଢ଼ ମାସର ଶିଶୁକୁ ଜଙ୍ଗଲୀ ବିଲେଇ ମାରି ଦେଇଥିଲା ।

  • ଏମିତି ଏକ ଗାଁ ଯେଉଁଠି ଜନ୍ମ ନିଅନ୍ତି କେବଳ ଯାଆଁଳା ଶିଶୁ

    ଏମିତି ଏକ ଗାଁ ଯେଉଁଠି ଜନ୍ମ ନିଅନ୍ତି କେବଳ ଯାଆଁଳା ଶିଶୁ

    କେରଳ, ଏହାର ପର୍ଯ୍ୟଟନ ପାଇଁ ସାରା ବିଶ୍ବରେ ବେଶ୍ ଜଣାଶୁଣା । ଭଗବାନଙ୍କ ନିଜ ପ୍ରଦେଶ ଭାବେ ବିଖ୍ଯାତ ଏହି ରାଜ୍ୟ ଏବେ ଆଉ ଏକ ଆଶ୍ଚର୍ଯ୍ୟ ପାଇଁ ସାରା ପୃଚିବୀରେ ର୍ଚ୍ଚାରେ । ଏହି ଆଶ୍ଚର୍ଯ୍ୟକର ଘଟଣା ପାଇଁ ପୃଥିବୀର ବିଭିନ୍ନ ଦେଶର ଗବେଷକ ଏବେ ଏଠାରେ ପହଞ୍ଚି ଗବେଷଣା କରିବାରେ ଲାଗିଛନ୍ତି । କିନ୍ତୁ ଏହାର ଉତ୍ତର ଏ ଯାଏଁ ପାଇବାରେ ବିଫଳ । ଏହି ଆଶ୍ଚର୍ଯ୍ୟକର ଘଟଣାଟି ହେଉଛି ‘ଯାଆଁଳା ଶିଶୁଙ୍କ ଗ୍ରାମ’ । ମାନେ ଗୋଟିଏ କିନ୍ତୁ ଏହି ଗାଁରେ ଅଛନ୍ତି 551 ଯୋଡା ଯାଆଁଳା ଶିଶୁ । କାନକୁ ବିଶ୍ବାସ ହେଉନି ନା ? ଏବେ ଆଖିରେ ଦେଖନ୍ତୁ । ……… ଏମିତି 551ରୁ ଅଧିକ ଯୋଡା ବା ଯାଆଁଳା ଶିଶୁ ଏହି ଗ୍ରାମରେ ଅଛନ୍ତି । ଯାହା ସାରା ବିଶ୍ବରେ ଏକ ନମ୍ବର ।


    ପ୍ରତ୍ୟକ ଗାଁକୁ ଆପଣ ଗଲେ, ଏହାର ମୁଖଶାଳାରେ ଲେଖାଥାଏ ଆମ ଗାଁକୁ ଆପଣଙ୍କୁ ସ୍ବାଗତ । କିନ୍ତୁ କେରଳର କୋଡିନି ଗାଁ ପ୍ରବେଶ ବାଟରେ ଲେଖା ଅଛି “ଯାଆଁଳା ଶିଶୁଙ୍କ ଗ୍ରାମକୁ ଆପଣଙ୍କୁ ସ୍ବାଗତ” । କୋଚିରୁ ପ୍ରାୟ 150 କିଲୋମିଟର ଦୁର, ଏହି ଗାଁରେ 2 ହଜାର ପରିବାର ବାସ କରନ୍ତି । ଜୀବନଶୈଳୀ ଅନ୍ୟମାନଙ୍କ ପରି ସାଧାରଣ । 2023 ଜାନୁଆରୀ ସୁଦ୍ଧା କେବଳ ଏହି ଗାଁରେ 551ଟି ଯମଜ ବା ଯାଆଁଳା ଶିଶୁ ଅଛନ୍ତି। ଯାହାକି ଏକ ବଡ ଆଶ୍ଚର୍ଯ୍ୟ । ଏମିତି ତ ପ୍ରତି ସହରରେ ଯାଆଁଳା ଶିଶୁ ଦେଖା ଯାଆନ୍ତି । ମେଡିକାଲ ସାଇନ୍ସର ଗବେଷଣା ଅନୁସାରେ ଭାରତରେ ପ୍ରତି 1ହଜାର ଶିଶୁଙ୍କ ମଧ୍ୟରେ 9ଟି ଯମଜ ସନ୍ତାନ ଦେଖାଯାଆନ୍ତି, କିନ୍ତୁ କୋଡିନି ଗାଁ ଏକ ବ୍ୟତିକ୍ରମ । ଯେଉଁଠି ଏହି ହାର, ପ୍ରତି ଏକ ହଜାର ଜନ୍ମରେ 45 ରହିଛି। ଏହା ବିଶ୍ୱର ଅନ୍ୟତମ ସର୍ବୋଚ୍ଚ। ଏପରିକି ଗୋଟିଏ ବାପାମାଙ୍କଠାରୁ ଦ୍ବିତୀୟ ବା ତୃତୀୟ ଥର ସନ୍ତାନ ଜନ୍ମରେ ବି ଯାଆଁଳା ଶିଶୁ ହୋଇଛନ୍ତି ।

    କିନ୍ତୁ ଏହାର ବୈଜ୍ଞାନିକ ବ୍ୟାଖ୍ୟା ରହିଛି କି? 2016 ଅକ୍ଟୋବରରେ, ସିଏସଆଇଆର- ସେଣ୍ଟର ଫର ସେଲୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜି ସମେତ ବିଭିନ୍ନ ଅନୁଷ୍ଠାନର ଗବେଷକ ଦଳ, କେରଳ ୟୁନିଭର୍ସିଟି ଅଫ୍ ଫିସରିଜ ଆଣ୍ଡ ଓସନ୍ ଷ୍ଟଡିଜ୍ ଏବଂ ୟୁନିଭର୍ସିଟି ଅଫ୍ ଲଣ୍ଡନ ଆଣ୍ଡ ଜର୍ମାନୀ ଏହି ଘଟଣାର ତଦନ୍ତ କରିବା ପାଇଁ କୋଡିନି ଗାଁକୁ ଯାଇଥିଲେ। ଗବେଷକମାନେ ସେମାନଙ୍କ ଅଧ୍ୟୟନର ଅଂଶ ବିଶେଷ ସ୍ୱରୂପ ଯାଆଁଳା ଶିଶୁଙ୍କ ଲାଳ ଓ କେଶର ନମୁନା ସଂଗ୍ରହ କରିଥିଲେ।


    କିନ୍ତୁ ଗବେଷଣାରେ ସେମିତି କିଛି ଆଖି ଦୃଶିଆ ସଫଳତା ମିଳି ନ ଥିଲା । ଜେନେଟିକ୍ ବା ବଂଶଗତ କାରଣ ବ୍ୟତୀତ ଏହି ଗାଁର ପାଣିରେ ଏକ ନିର୍ଦ୍ଦିଷ୍ଟ ଉପାଦାନ ଥାଇପାରେ ବୋଲି କିଛି ଡାକ୍ତର କହିଥିଲେ। ଅନ୍ୟ ଏକ ଯୁକ୍ତିରେ ଗ୍ରାମବାସୀଙ୍କ ଖାଦ୍ୟପେୟ ପାଇଁ ଏପରି ହେଉଛି ବୋଲି କୁହାଯାଇଛି । ସାରା ବିଶ୍ୱରେ ଯୋଡ଼ା ଶିଶୁଙ୍କ ଜନ୍ମ ସଖ୍ୟା ବୃଦ୍ଧି ପାଇବାର ଅନ୍ୟତମ କାରଣ ହେଉଛି କୃତ୍ରିମ ଗର୍ଭାଧାନ ବା ଆଇଭିଆର, କିନ୍ତୁ କୋଡ଼ିନିବାସୀଙ୍କ କ୍ଷେତ୍ରରେ ତାହା ହୋଇ ନଥାଏ। ଏଠି ସବୁ କିଛି ପ୍ରାକୃତିକ ଉପାୟରେ ହୋଇଥାଏ । ଗାଁର ଯାଆଁଳା ଶିଶୁଙ୍କ ଉତ୍ତର ଖୋଜିବା ପାଇଁ ଗବେଷକମାନେ ଏବେ ବି ଜେନେଟିକ୍ ଅଧ୍ୟୟନ ଜାରି ରଖିଛନ୍ତି।

    କେମିତି ଜାଣିବାକୁ ମିଳିଲା ଗାଁର ଯୋଡ଼ା ଶିଶୁଙ୍କ ବିଷୟରେ। ଏହା ଦୁଇ ଯମଜ ଭଉଣୀଙ୍କ କୌତୁହଳ ଥିଲା, ଯେଉଁମାନେ ଅନୁଭବ କରିଥିଲେ ଯେ ସେମାନଙ୍କ ଶ୍ରେଣୀରେ ହିଁ ଆଠ ଯୋଡ଼ା ଯମଜ ଏବଂ ସେମାନଙ୍କ ବିଦ୍ୟାଳୟରେ 24 ଯୋଡ଼ା ଯୋଡ଼ା ଯମଜ ଅଛନ୍ତି। ଏହା ହିଁ ପ୍ରଥମ ଆବିଷ୍କାର ବୋଲି କୁହାୟାଉଛି। ଏହି ଖବର ପ୍ରଚାରିତ ହେବା ପରେ ସେମାନେ ଜାଣିବାକୁ ପାଇଲେ ଯେ କୋଡିନିରେ ପ୍ରାୟ 280 ଯୋଡ଼ା ଯମଜ ସନ୍ତାନ ଅଛନ୍ତି। ଏହା ଫଳରେ କୋଡିନି ଗାଁରେ ଜନ୍ମ ନେଇଛି ‘ଟାକା’ବା ‘ଟୁଇନ୍ସ ଆଣ୍ଡ୍ କିନ୍ ଆସୋସିଏସନ୍’, ଯାହା କୋଡ଼ିନିର ଯୋଡ଼ାଡ ଶିଶୁ ଓ ସେମାନଙ୍କ ପରିବାରକୁ ସହାୟତା ଯୋଗାଇ ଦେଉଛି।

    Twins Kehinde Adamolekun, left, and Taiwo Adamolekun, 28, attend the annual twins festival in Igbo-Ora South west Nigeria, Saturday, Oct. 8, 2022. The town holds the annual festival to celebrate the high number of twins and multiple births. (AP Photo/Sunday Alamba)

    ତେବେ କୋଡ଼ିନି ଦୁନିଆର ଏକ ମାତ୍ର ଗାଁ ନୁହେଁ, ଯେଉଁଠି ଯାଆଁଳା ଶିଶୁ ଜନ୍ମ ନେଉଛନ୍ତି । ଭିଏତନାମରେ ହଙ୍ଗଲୋକ କମ୍ୟୁନ, ନାଇଜେରିଆର ଇଗ୍ ବୋ-ଓରା ଏବଂ ବ୍ରାଜିଲରେ କାଣ୍ଡିନୋ ଗୋଡୋଇ ଅଂଚଳ ରହିଛି ଯେଉଁଠି ଯମଜ ଶିଶୁ ଜନ୍ମ ହୁଅନ୍ତି । ଇଗ୍ ବୋ-ଓରାର କେତେକ ପରିବାରରେ, ଯାହାକୁ “ବିଶ୍ୱର ଯୁଗ୍ମ ରାଜଧାନୀ” ମଧ୍ୟ କୁହାୟାଏ, ସେଠାରେ ତିନି କିମ୍ବା ତା’ଠାରୁ ଅଧିକ ଯୋଡ଼ା ଶିଶୁ ଥିବା ପରିବାର ରହିଛି। ବିବିସିର ଏକ ରିପୋର୍ଟ ଅନୁସାରେ, କ୍ୟାଣ୍ଡିନୋ ଗୋଡୋଇରେ ଡବଲ୍ ଦେଖିବା ଏକ ସାଧାରଣ କଥା। କିନ୍ତୁ କୋଡିନିରେ ବିଶ୍ବର ସର୍ବାଧିକ ଯାଆଁଳା ଶିଶୁ ଜନ୍ମ ହୋଇଛନ୍ତି ଏ ଯାଏଁ ।

  • କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    କଟକ ଚଣ୍ଡୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଡ଼କ ପଥରେ ଯାଇ କଟକରେ ପହଞ୍ଚିଲେ ସେ। ସ୍ୱତନ୍ତ୍ର କାରକେଡର ସହ ରାଷ୍ଟ୍ରପତି କଟକ ଆସିଥିବାବେଳେ ପ୍ରଥମେ କଟକ ଚଣ୍ଡୀମନ୍ଦିର ପହଞ୍ଚି ମା ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି। ପରେ ରାଷ୍ଟ୍ରପତି ଶୈଳଵାଳା ମହିଳା ମହାବିଦ୍ୟାଳୟରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ତାପରେ ନେତାଜୀ ସଂଗ୍ରହାଳୟରେ ନେତାଜୀଙ୍କୁ ମାଲ୍ୟାର୍ପଣ କରି ପରେ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ଚଣ୍ଡୀମନ୍ଦିର ନିକଟରେ କଟକବାସୀଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି। ଏପରିକି ଓଡ଼ିଆ ଝିଅ ଶ୍ରୀ ମୁର୍ମୁଙ୍କୁ ଭେଟିବା ପାଇ ବେଶ ଉତ୍ସାହିତ ରହିଛନ୍ତି କଟକବାସୀ।

    ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ପୋଲିସ ତତ୍ପର ରହିଥିବା ଦେଖିବାକୁ ମିଳିଛି । ତେବେ ଗସ୍ତରେ କୌଣସି ସମସ୍ୟା ସୃଷ୍ଟି ନ ହେଉ, ସେଥିପାଇଁ ଓଡ଼ିଶା ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କଟକରେ ପହଞ୍ଚି ମହାମହିମ କଟକ ଚଣ୍ଡୀ ଦର୍ଶନ କରିବା ସହିତ ନେତାଜୀ ସଂଗ୍ରହାଳୟ ପରିଦର୍ଶନ କରିବେ । ଏହାପରେ ଓଡ଼ିଆର ଗୌରବ ମଧୁସୂଦନ ଦାସ ଏବଂ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବେ ରାଷ୍ଟ୍ରପତି । ଏପରିକି ଛୋଟ ଠୁ ବଡ଼ ପର୍ଯ୍ୟନ୍ତ ସଭିଏଁ କିଛି ନା କିଛି ଉପହାର ସ୍ଵରୂପ ଭେଟି ନେଇ ଆସିଛନ୍ତି ରାଷ୍ଟ୍ରପତିଙ୍କ ପାଇଁ। କଟକର ପ୍ରଫୁଲ୍ଲ ମହଲ୍ଲ ଓ ଛାତ୍ରୀ ସୋନାକ୍ଷୀ ମହାପାତ୍ର ରାଷ୍ଟ୍ରପତିଙ୍କ ଅବିକଳ ଚିତ୍ର ଆଙ୍କି ଭେଟି ଦେବାର ଆଶା ରଖିଛନ୍ତି। କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

    ରାଷ୍ଟ୍ରପତି କଟକ ଉଚ୍ଚ ନ୍ୟାୟାଳୟର ୭୫ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ଉତ୍ସବ, ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ‌ମହାବିଦ୍ୟାଳୟ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ଯୋଗଦେବେ। ସଂଧ୍ୟାରେ ପୁଣି ରାଜଭବନକୁ ଫେରିବେ। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମୟରେ ଯେଭଳି କୌଣସି ତ୍ରୁଟି ନଦେଖାଯାଏ ସେ ନେଇ କମିସନରେଟ୍‌ ପୁଲିସ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

  • ଅଞ୍ଜୁ ହେଲେ ଫାତିମା,ବିବାହ ପାଇଁ କଲେ ଧର୍ମ ପରିବର୍ତ୍ତନ

    ଅଞ୍ଜୁ ହେଲେ ଫାତିମା,ବିବାହ ପାଇଁ କଲେ ଧର୍ମ ପରିବର୍ତ୍ତନ

    ପ୍ରେମ ମାନେନା ବନ୍ଧ ବାଡ଼, ଜାତି ଧର୍ମ ଏମିତିକି ସୀମା ସରହଦ I ସେଥିପାଇଁ କିଛିଦିନ ପୂର୍ବରୁ ସୀମା ହାଇଦର ନିଜ ପ୍ରେମିକ ସଚିନଙ୍କ ପାଖକୁ ପାକିସ୍ତାନରୁ ଭାରତ ଚାଲିଆସିଥିଲେ ଯାହା ଏବେ ଚର୍ଚାର ବିଷୟ ପାଲଟିଛି I ପୁଣି ଏବେ ସାମ୍ନାକୁ ଆସିଛି ଆଉ ଏକ ପ୍ରେମ କାହାଣୀ ହେଲେ ଏଥର ଝିଅ ଭାରତୀୟ ଏବଂ ପ୍ରେମିକ ପାକିସ୍ଥାନୀ I ଫେସବୁକରୁ ପରିଚୟ ଓ ତା’ପରେ ପ୍ରେମ। ଶେଷରେ ଫେସବୁକ୍ ପ୍ରେମୀ ନସରୁଲ୍ଲାଙ୍କୁ ଭେଟିବାକୁ ଭାରତରୁ ପାକିସ୍ତାନ ଚାଲିଗଲେ ଅଞ୍ଜୁ। ବର୍ତ୍ତମାନ ସେଠାରେ ନିଜ ପ୍ରେମିକଙ୍କୁ ବିବାହ କରିଛନ୍ତି ସେ। କିନ୍ତୁ ବିବାହ ପୂର୍ବରୁ ଅଞ୍ଜୁଙ୍କୁ ଧର୍ମ ପରିବର୍ତ୍ତନ କରି ଇସଲାମ ଗ୍ରହଣ କରିବାକୁ ପଡ଼ିଛି । ଧର୍ମ ପରିବର୍ତ୍ତନ ସହିତ ବଦଳି ଯାଇଛି ତାଙ୍କ ନାଁ। ନସରୁଲ୍ଲାଙ୍କୁ ବିବାହ କରି ଅଞ୍ଜୁ ପାଲଟିଛନ୍ତି ଫାତିମା।

    ତେବେ ଭିସା ନେଇ ପାକିସ୍ତାନ ଯାଇଥିବା ଅଞ୍ଜୁ ପୂର୍ବରୁ କହିଥିଲେ ଯେ ସେ ନିଜ ଫେସବୁକ ବନ୍ଧୁଙ୍କୁ ଭେଟିବା ପାଇଁ ସେଠାକୁ ଯାଇଛନ୍ତି ଏବଂ କିଛି ଦିନ ପରେ ଭାରତ ଫେରିବେ। ହେଲେ ଏବେ ପାକିସ୍ତାନରୁ ତାଙ୍କ ବିବାହ ହେବାର ଖବର ସାମ୍ନାକୁ ଆସିଛି। ଅଞ୍ଜୁ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ଧର୍ମ ପରିବର୍ତ୍ତନ କରିବା ପୂର୍ବରୁ ଅଞ୍ଜୁ ଜଣେ ଖ୍ରୀଷ୍ଟିଆନ ଥିଲେ।

    ତେବେ ଏଭଳି ଚର୍ଚ୍ଚା ମଧ୍ୟରେ ଅଞ୍ଜୁଙ୍କୁ ବିବାହ କରିଥିବା ଖବରକୁ ଅସ୍ବୀକାର କରିଛନ୍ତି ନସରୁଲ୍ଲା। ସେ କହିଛନ୍ତି, ମୁଁ ଅଞ୍ଜୁଙ୍କୁ ବିବାହ କରିନାହିଁ। ସେ ମୋର ଭଲ ବନ୍ଧୁ। ତାଙ୍କ ସହ ମୋର ପ୍ରେମ ସମ୍ପର୍କ ନାହିଁ।

    ନସରୁଲ୍ଲା ଏଭଳି ଦାବି କରୁଥିବା ବେଳେ କୋର୍ଟରେ ଦୁହେଁ ବିବାହ କରିଥିବାର ପ୍ରମାଣ ପତ୍ର ସାମ୍ନାକୁ ଆସିଛି। ଏହା ସହ ଦୁହିଁଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଲେଖାଯାଇଛି ଅଞ୍ଜୁ ୱେଡସ୍ ନସରୁଲ୍ଲା।

  • ଇସ୍ରୋ ପକ୍ଷରୁ ୭ ଉପଗ୍ରହର ଉତ୍‌କ୍ଷେପଣ ଚଳିତମାସ ୩୦ରେ

    ଇସ୍ରୋ ପକ୍ଷରୁ ୭ ଉପଗ୍ରହର ଉତ୍‌କ୍ଷେପଣ ଚଳିତମାସ ୩୦ରେ

    ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଚଳିତମାସ ୩୦ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସେଣ୍ଟରରୁ ୭ଟି ଉପଗ୍ରହ ମହାକାଶକୁ ଉତ୍‌କ୍ଷେପଣ କରାଯିବ ବୋଲି ଜଣାପଡିଛି । ଏହି ଉପଗ୍ରହଗୁଡିକ ସିଙ୍ଗାପୁରର ହୋଇଥିବାବେଳେ ଉତ୍‌କ୍ଷେପଣ ପାଇଁ ପିଏସଏଲଭି-ସି୫୬ ରକେଟ ବ୍ୟବହାର କରାଯିବ । ସିଙ୍ଗାପୁରୀର ଡିଫେନ୍ସ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି ଏଜେନ୍ସିର ମିଳିତ ସହଯୋଗରେ ଇସ୍ରୋ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି । କକ୍ଷପଥରେ ଅବସ୍ଥାପିତ ହୋଇ କାର୍ଯ୍ୟକ୍ଷମ ହେବାପରେ ଏହି ଉପଗ୍ରହଗୁଡିକ ସିଙ୍ଗାପୁର ସରକାରଙ୍କ ବିଭିନ୍ନ ସଂସ୍ଥାର ଆବଶ୍ୟକତା ପୂରଣ କରିବ ବୋଲି କୁହାଯାଇଛି । ମହାକାଶରୁ ଏହି ଉପଗ୍ରହଗୁଡିକ ପାଣିପାଗ ସମ୍ପର୍କିତ ଚିତ୍ର ଓ ତଥ୍ୟ ପଠାଇବ ବୋଲି ଜଣାପଡିଛି । ଉପଗ୍ରହରେ ଖଞ୍ଜାଯାଇଥିବା ପେଲୋଡ୍‌କୁ ଇସ୍ରାଏଲ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ ନିର୍ମାଣ କରିଛି । ସିଙ୍ଗାପୁରର ଡିଏସ୍‌-ଏସଏଆର ଉପଗ୍ରହର ଓଜନ ୩୬୦ କିଗ୍ରା ।

  • ଆଜିଠୁ ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତ

    ଆଜିଠୁ ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତ

    ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୭ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ୱର ଓ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରୁ ସିଧାସଳଖ ରାଜଭବନ ଯିବେ । ୨୬ ତାରିଖରେ ରାଷ୍ଟ୍ରପତି ଦିନ ତମାମ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ରହିବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହା ପୂର୍ବରୁ କାର୍କେଡ୍ ରିହର୍ସଲ କରିଛି କଟକ କମିଶନରେଟ ପୋଲିସ ।

    ଉକ୍ତଦିନ ରାଜଭବନଠାରେ ରାଜ୍ୟର ଆଦିମ ଜନଜାତି ସମୁଦାୟର ପ୍ରତିନିଧିମାନଙ୍କୁ ଭେଟିବେ ଓ ସେଠାରେ ରାତ୍ର ଯାପନ କରିବେ। ତା’ପର ଦିନ ଅଥବା ୨୬ତାରିଖରେ କଟକ ଚଣ୍ଡିମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ବାସଭବନ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ। ସେହିଦିନ କଟକରେ ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ, କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହେବେ।

    ୨୭ତାରିଖରେ ଭୁବନେଶ୍ୱରର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମକୁମାରୀ କେନ୍ଦ୍ର ଲାଇଟ୍ ହାଉସ୍ କମ୍ପେ୍ଲକ୍ସର ଶିଳାନ୍ୟାସ କରିବା ସହ ଭଦ୍ରକ ଯାଇ ଭଦ୍ରକ ସ୍ୱୟଂଶାସିତ କଲେଜର ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେଇ ନୂଆଦିଲ୍ଲୀ ଫେରିଯିବେ।

    ଅନ୍ୟପକ୍ଷରେ ଗସ୍ତ କାର୍ଯ୍ୟକ୍ରମର ତୃତୀୟ ତଥା ଶେଷ ଦିନରେ ରାଷ୍ଟ୍ରପତି ଓଡ଼ିଶା ରାଜଭବନରେ ରାଜ୍ୟର ବିରଳତମ ଜନଜାତି ସମ୍ପ୍ରଦାୟ(ପିଭିଟିଜି)ର ସଦସ୍ୟମାନଙ୍କ ସହ କିଛି ଜରୁରୀ ପ୍ରସଙ୍ଗରେ ଆଲୋଚନା କରିବେ । ସେହିଦିନ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର “ସକରାତ୍ମକ ପରିବର୍ତ୍ତନ ବର୍ଷ’ ବିଷୟବସ୍ତୁ ଶୀର୍ଷକ ସେମିନାର ଓ ଆଲୋଚନାଚକ୍ରକୁ ଦେଶବ୍ୟାପୀ ଆୟୋଜନ କରିବା ପାଇଁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଶୁଭାରମ୍ଭ କରିବେ । ଏହି ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱରସ୍ଥ ତମାଣ୍ଡୋ ଠାରେ ଏହାର “ଲାଇଟ୍‌ହାଉସ୍ କମ୍ପେ୍ଲକ୍ସ’ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଜଣାପଡ଼ିଛି । ତିନିଦିନିଆ ଓଡିଶା ଗସ୍ତ ପୂବର୍ରୁ ସୋମବାର ସକାଳେ କାରେକଡ୍ ରିହରସେଲ୍ କରାଯାଇଛି ।

  • ଦେଶର ଦ୍ୱିତୀୟ ଲମ୍ବା ଅବଧିର ମୁଖ୍ୟମନ୍ତ୍ରୀ ହେଲେ

    ଦେଶର ଦ୍ୱିତୀୟ ଲମ୍ବା ଅବଧିର ମୁଖ୍ୟମନ୍ତ୍ରୀ ହେଲେ

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଆଉ ଏକ ବିରଳ ରେକର୍ଡ ଯୋଡ଼ି ହୋଇଛି । ଦେଶର ଦ୍ୱିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ନାଁ ସ୍ଥାନିତ ହୋଇଛି । ପୂର୍ବରୁ ଏହି ସ୍ଥାନରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଛନ୍ତି ନବୀନ । ସିକିମ୍ ର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ୍ କୁମାର ଚାମଲିଙ୍ଗଙ୍କ ପଛକୁ ନବୀନ ପଟ୍ଟନାୟକଙ୍କ ନାଁ ଆସିଛି । ସିପିଏମ୍ ନେତା ଜ୍ୟୋତି ବସୁ ଦୀର୍ଘ ୨୩ ବର୍ଷ ୧୩୮ ଦିନ ଧରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ । ୧୯୭୭ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ କ୍ରମାଗତ ୫ ଟି ଟର୍ମ ସେ ଥିଲେ ମୁଖ୍ୟମନ୍ତ୍ରୀ । ଜ୍ୟୋତି ବସୁଙ୍କ ଏହି ରେକର୍ଡ ଭାଙ୍ଗିଛନ୍ତି ନବୀନ ପଟ୍ଟନାୟକ ।

    ୨୦୦୦ ମସିହା ମେ ୫ ରେ ନବୀନ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କ୍ରମାଗତ ପଞ୍ଚମ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଆଜି ତାଙ୍କର ମୁଖ୍ୟମନ୍ତ୍ରୀତ୍ତ୍ୱକୁ ପୂରୁଛି ୨୩ ବର୍ଷ ୧୩୮ ଦିନ । ତେବେ ଦେଶରେ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ଥିଲେ ସିକିମ୍ ର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗଙ୍କ ନାଁରେ । ୧୯୯୪ ଡିସେମ୍ବର ୧୨ ରୁ ୨୦୧୯ ମେ ୨୭ ତାରିଖ ପର୍ଯ୍ୟନ୍ତ ସେ ଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କ କାର୍ଯ୍ୟକାଳର ସମୟ ଥିଲା ୨୪ ବର୍ଷ ୧୬୬ ଦିନ । ସୁତରାଂ ଦେଶର ସବୁଠାରୁ ଲମ୍ବା ସମୟଧାରୀ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ରେକର୍ଡ ଅଛି । ଓଡ଼ିଶାରେ ଷଷ୍ଠ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କଲେ ଚାମଲିଙ୍ଗଙ୍କ ରେକର୍ଡ ଭାଙ୍ଗିବେ ।

    ସୂଚନାଯୋଗ୍ୟ, ୧୯୯୭ ମସିହାରେ ରାଜନୀତିରେ ପ୍ରବେଶ କରିଥିବା ନବୀନ ପଟ୍ଟନାୟକ ୨୦୦୦ ମସିହାରୁ କ୍ରମାଗତ ପାଞ୍ଚ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ଏତେ ଲମ୍ବା ସମୟ ଧରି ଶାସନଗାଦିରେ ଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି ଦୁର୍ନୀତି କି ଅପବାଦ ନାହିଁ । ବରଂ ଜଣେ ସ୍ୱଚ୍ଛ ଭାବମୂର୍ତ୍ତ ସମ୍ପନ୍ନ ନେତା ଭାବେ ତାଙ୍କର ଲୋକପ୍ରିୟତା ବଢ଼ିଚାଲିଛି । ଦକ୍ଷ ଓ ଉତ୍ତମ ପ୍ରଶାସକ ଭାବେ ତାଙ୍କ ନାଁରେ ଅନେକ ରେକର୍ଡ ଯୋଡ଼ି ହୋଇଛି । ଏଭଳି ଭାଗ୍ୟବାନ ରାଜନେତା କ୍ୱଚିତ ଥାନ୍ତି ବୋଲି ତାଙ୍କ ସମ୍ପର୍କରେ କୁହାଯାଏ ।