Category: ଦେଶ-ବିଦେଶ

  • ପାକିସ୍ତାନରେ ରେଳ ଦୁର୍ଘାଟଣା,୧୫ ମୃତ

    ପାକିସ୍ତାନରେ ରେଳ ଦୁର୍ଘାଟଣା,୧୫ ମୃତ

    ପାକିସ୍ତାନରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ରାୱଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସ ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ଆହତ ହୋଇଛନ୍ତି। ଟ୍ରେନର ୭ ରୁ ୮ଟି ବଗି ରେଳଧାରଣାରୁ ଖସିଯାଇଛି। ବଗି ଭିତରେ ବହୁ ଲୋକ ଫସି ରହିଥିବା ସୂଚନା ରହିଛି। ଟ୍ରେନଟି କରାଚିରୁ ରାୱଲପିଣ୍ଡି ଯାଉଥିବା ବେଳେ ନବାବଶା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶାହାଜାଦପୁର ଏବଂ ନବାବଶା ମଧ୍ୟରେ ସାହାରା ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ପ୍ରାଦେଶିକ ରେଳ ଅଧିକାରୀ ଇଜାଜ ଶାହା କହିଛନ୍ତି ଯେ ଏହି ଦୁର୍ଘଟଣାରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ।

    ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅନେକ ଲୋକ ଟ୍ରେନରେ ଫସି ରହିଛନ୍ତି। ଦୁର୍ଘଟଣା ପରେ ଯାତ୍ରୀମାନଙ୍କୁ ଟ୍ରେନରୁ ବାହାର କରିବା ପାଇଁ ଉଦ୍ୟମ ଜାରି ରହିଛି। ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବା ଆଶଙ୍କା କରାଯାଉଛି।

  • ‘ଆଇ ଲଭ୍ ୟୁ’ କହିବାରୁ ଚପଲରେ ପିଟାଖାଇଲେ ଯୁବକ

    ‘ଆଇ ଲଭ୍ ୟୁ’ କହିବାରୁ ଚପଲରେ ପିଟାଖାଇଲେ ଯୁବକ

    ପ୍ରେମକୁ ନେଇ ଆଜିକାଲିର ଯୁବକ, ଯୁବତୀଙ୍କ ମଧ୍ୟରେ ଅନେକ ସମୟରେ କିଛି ବିବାଦ ଦେଖିବାକୁ ମିଳିଥାଏ। କିଏ ପ୍ରେମରେ ଅନ୍ୟର ଜୀବନ ନେଉଛି ତ ଆଉ କିଏ ପାଗଳ ହୋଇ ଆତ୍ମହତ୍ୟା କରୁଛି।

    ତେବେ ଏହା ମଧ୍ୟରେ ଏକ ଘଟଣା ସାମ୍ନାକୁ ଆସିଛି, ଜଣେ ଯୁବକ ‘ଆଇ ଲଭ୍ ୟୁ’ କହିବା କାରଣରୁ ଜଣେ ଯୁବତୀ କ୍ରୋଧାନ୍ୱିତ ହୋଇ ଚପଲରେ ପିଟିଛନ୍ତି । ଏବେ ସୋସିଆଲ ମିଡ଼ିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

    ଉତ୍ତରପ୍ରଦେଶର ଆଗ୍ରାର ସଡ଼କ ମଝିରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ । ଜଣେ ଯୁବକ‘ଆଇ ଲଭ୍ ୟୁ’କହିବାରୁ ଯୁବତୀ ଓ ତାଙ୍କର ବାନ୍ଧବୀ ଯୁବକଙ୍କୁ ଚପଲରେ ପିଟିଥିଲେ ।

    କମଲା ନଗରରେ ଏହି ଘଟଣା ଘଟିଥିବାର ସୂଚନା ମିଳୁଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ଉଦ୍ଧାର କରିବା ସହିତ ମାମଲା ଦାୟର କରିଥିଲା ।

    ଘଟଣାଟି ସକାଳ ସମୟରେ ଘଟିଥିଲା । ଦୁଇଜଣ ଯୁବତୀ ପ୍ରଥମେ ଯୁବକଙ୍କୁ ରାସ୍ତା ମଝିରେ ଧରିଥିଲେ । ଏହାପରେ ଜଣେ ଯୁବତୀ ଗାଲକୁ ଚାପୁଡ଼ା ମାରିଥିଲେ ଓ ତା’ପରେ ଅନ୍ୟ ଯୁବତୀ ହାତରେ ଚପଲ ଧରି ଯୁବକଙ୍କୁ ପିଟିଥିଲେ ।

    ପିଟିବା ସମୟରେ ‘ଆଇ ଲଭ ୟୁ’ କହ ବୋଲି ଜଣେ ଯୁବତୀ କହୁଥିଲେ । ଏହି ଦୃଶ୍ୟ ଦେଖି ରାସ୍ତାରେ ଲୋକଙ୍କ ଭିଡ଼ ଜମିଥିଲା । ତେବେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଯୁବକଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

  • କୁଲ୍‌ଗାମ୍‌ରେ ଆତଙ୍କବାଦୀଙ୍କ ସହିତ ଗୁଳି ବିନିମୟ କରି ସେନାର ୩ଜଣ ଯବାନ ସହିଦ

    କୁଲ୍‌ଗାମ୍‌ରେ ଆତଙ୍କବାଦୀଙ୍କ ସହିତ ଗୁଳି ବିନିମୟ କରି ସେନାର ୩ଜଣ ଯବାନ ସହିଦ

    ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର କୁଲ୍‌ଗାମ୍‌ ଜିଲ୍ଲାରେ ଆତଙ୍କବାଦୀମାନଙ୍କ ସହିତ ଗୁଳି ବିନିମୟ କରି ସେନାର ୩ଜଣ ଯବାନ ସହିଦ ହୋଇଥିବା କଥା ପୁଲିସ କହିଛି।

    ଜଣେ ପୁଲିସ ଅଧିକାରୀ କହିଛନ୍ତି, ଆତଙ୍କବାଦୀମାନଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ନିରାପତ୍ତା ବଳ ଦକ୍ଷିଣ କଶ୍ମୀରର କୁଲ୍‌ଗାମ୍‌ ଜିଲ୍ଲା ଅନ୍ତର୍ଗତ ହାଲାନ୍‌ ଅରଣ୍ୟାଞ୍ଚଳ ଉପର ପ୍ରାନ୍ତରେ ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅଭିଯାନ ଆରମ୍ଭ କରିଥିଲେ।

    କିନ୍ତୁ, ସେଠାରେ ଥିବା ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇବାରୁ ନିରାପତ୍ତା ବଳ ପାଲଟା ଗୁଳି ଚାଳନା କଲା। ଫଳରେ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହେଲା ବୋଲି ସେ କହିଛନ୍ତି।

    ସେ ଆହୁରି ମଧ୍ୟ କହିଛନ୍ତି, ଗୁଳି ବିନିମୟ ସମୟରେ ନିରାପତ୍ତା ବଳର ୩ଜଣ ଯବାନ ଆହତ ହୋଇଥିଲେ। କିନ୍ତୁ, ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଲା।

    ଟୁଇଟ୍‌ କରି ଶ୍ରୀନଗରସ୍ଥିତ ସେନାର ଚିନାର କର୍ପସ୍‌ ଲେଖିଛି: କୁଲ୍‌ଗାମ୍‌ରେ ‘ଅପରେସନ୍‌ ହାଲାନ୍‌’। କୁଲ୍‌ଗାମ୍‌ ଅନ୍ତର୍ଗତ ହାଲାନ୍‌ର ଉପର ପ୍ରାନ୍ତରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ବିଷୟରେ ସୁନିର୍ଦ୍ଦିଷ୍ଟ ସୂଚନା ପାଇ ୨୦୨୩ ଅଗଷ୍ଟ ୪ ତାରିଖରେ ନିରାପତ୍ତା ବଳ ଅଭିଯାନ ଆରମ୍ଭ କରିଥିଲା।

    ଆତଙ୍କବାଦୀମାନଙ୍କ ସହିତ ଗୁଳି ବିନିମୟ କରି ୩ଜଣ ଯବାନ ଆହତ ହୋଇଥିଲେ। ପରେ ସେମାନଙ୍କର ମୃତ୍ୟୁ ହୋଇଗଲା। ଘଟଣାସ୍ଥଳରେ ତଲାସ ଅଭିଯାନ ଜାରି ରହିଛି।

  • ମହାକାଶଚାରୀଙ୍କ ମହାକାଶରେ ମୃତ୍ୟୁ ପରେ ସେଠାରେ ଛାଡିଦିଆଯାଏ ମୃତଦେହ!

    ମହାକାଶଚାରୀଙ୍କ ମହାକାଶରେ ମୃତ୍ୟୁ ପରେ ସେଠାରେ ଛାଡିଦିଆଯାଏ ମୃତଦେହ!

    ପୃଥିବୀ ପୃଷ୍ଠରେ ମୃତ୍ୟୁ ହେଲେ ହୋଇଥାଏ ଅନ୍ତିମ ସଂସ୍କାର। ସ୍ଥାନ ଓ ଧର୍ମ ବିଶେଷରେ ଏହା ଥାଏ ଭିନ୍ନ। କାହାର ଶବ ଦାହ ହୋଇଥାଏ ତ ପୁଣି କାହାର ପୋତା ଯାଇଥାଏ। ହେଲେ ଭାବିଲେ ଦେଖି, ମହାକାଶକୁ ଯାଉଥିବା ମହାକାଶଚାରୀଙ୍କ ଯଦି ମୃତ୍ୟୁ ହୁଏ, ତେବେ କିପରି କରାଯାଏ ଅନ୍ତିମ ସଂସ୍କାର? ନା ସେହି ମୃତଦେହକୁ ସେଠାରେ ହିଁ ଛାଡିଆସନ୍ତି ଅନ୍ୟ ସଦସ୍ୟ? ମହାକାଶ ମୃତ୍ୟୁକୁ ନେଇ ଆସନ୍ତୁ ଜାଣିବା ଏହି ରିପୋର୍ଟରେ।

    ମହାକାଶକୁ ମଣିଷକୁ ପଠାଇବା ଏକ ଅସାଧାରଣ, କଠିନ ଓ ବିପଦଜ୍ଜନକ କାର୍ଯ୍ୟ। ୬୦ ବର୍ଷ ପୂର୍ବେ ଅନ୍ତରୀକ୍ଷକୁ ନେଇ ମଣିଷର ଅନ୍ୱେଷଣ ଆରମ୍ଭ ହୋଇଥିଲା। ଏହାରି ଭିତରେ ଅନେକ ମହାକାଶଚାରୀ ଯାଇଛନ୍ତି ଅନ୍ତରୀକ୍ଷକୁ ଓ କିଛି ମଧ୍ୟ ମହାକାଶରେ ମୃତ୍ୟୁବରଣ କରିଛନ୍ତି। ୧୯୮୬ରୁ ୨୦୧୩ ଭିତରେ ଅନ୍ତରୀକ୍ଷରେ ହେଲାଣି ୨୦ ମହାକାଶଚାରୀଙ୍କ ମୃତ୍ୟୁ। । ୧୯୭୧ରେ ନାସାର ସୋୟୁଜ ୧୧ ମିଶନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯୬୭ର ଆପୋଲୋ ୱାନ ଲଞ୍ଚ ପ୍ୟାଡ ନିଆଁରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ମହାକାଶ ସଟଲ ବିପର୍ଯ୍ୟୟରେ ନାସାର ୧୪ ବୈଜ୍ଞାନିକଙ୍କର ହୋଇଥିଲା ମୃତ୍ୟୁ।


    ତେବେ କୌଣସି ମହାକାଶଚାରୀଙ୍କ ମୃତ୍ୟୁ ଯଦି ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେଶନରରେ ବା ଲୋ ଆର୍ଥ ଅର୍ବିଟ ମିଶନରେ ହୁଏ କିଛି ଘଣ୍ଟା ଭିତରେ ଏକ କ୍ୟାପ୍ସୁଲ ଭିତରେ ମୃତଦେହ ଭରି ତାହାକୁ ପୃଥିବୀ ପୃଷ୍ଠକୁ ଅଣାଯାଇଥାଏ। ଯଦି ମୃତ୍ୟୁ ଚନ୍ଦ୍ର ପୃଷ୍ଠରେ ହୁଏ, ତେବେ ମହାକାଶଚାରୀ ଦଳ କିଛି ଦିନ ଭିତରେ ଶବକୁ ନେଇ ପୃଥିବୀ ପୃଷ୍ଠକୁ ଫେରି ଆସନ୍ତି। ଏପରି ଅତର୍କିତ ଓ ଅଚାନକ ଦେଖାଦେଉଥିବା ସ୍ଥିତିର ସାମ୍ନା କରିବାକୁ ପୂର୍ବରୁ ହିଁ ନାସା ପ୍ରସ୍ତୁତ କରିଛି ପ୍ରୋଟୋକଲ ।


    ଏଯାବତ୍ ମଙ୍ଗଳକୁ କୌଣସି ମାନବ ଯାତ୍ରା କରିନାହାନ୍ତି। ଆଗାମୀ ୨୦୨୫ରେ ନାସା ମଙ୍ଗଳକୁ ମାନବ ପଠାଇବାର ଯୋଜନା ରଖିଛି। ତେଣୁ ଏଥିପାଇଁ ପ୍ରସ୍ତୁତ ହୋଇଛି ପ୍ରୋଟୋକଲ। ମଙ୍ଗଳ ପୃଷ୍ଠରେ ମହାକାଶରେ ମରଶରୀରର ଦାହ, ସଂସ୍କାର ସମ୍ଭବ ନୁହେଁ। ଏଥିପାଇଁ ଆବଶ୍ୟକ ବହୁ ଅଧିକ ଶକ୍ତି, ଯାହା ଦଳର ଅନ୍ୟ ସଦସ୍ୟଙ୍କୁ ଜୀବିତ ରଖିବାକୁ ଅତ୍ୟନ୍ତ ଜରୁରୀ। ପୋତିବା ମଧ୍ୟ ସେଠାରେ ଅସମ୍ଭବ। କାରଣ ଏପରି କରିବା ଦ୍ୱାରା ଶରରୀରୁ ଉତ୍ପନ୍ନ ଜୀବାଣୁ ମଙ୍ଗଳ ପୃଷ୍ଠକୁ ନଷ୍ଟ କରିଦେଇପାରନ୍ତି।

    ତେଣୁ ମଙ୍ଗଳ ଅଭିମୁଖେ ଯାତ୍ରା କାଳରେ ବା ସେଠାରେ କୌଣସି ମହାକାଶଚାରୀଙ୍କ ମୃତ୍ୟୁହେଲେ ଅନ୍ୟ ମହାକାଶଚାରୀଙ୍କ ପାଇଁ ସମ୍ଭବ ହେବନାହିଁ ୩୦ କୋଟି ପଥ ଫେରିବା । ତେଣୁ ସେହି ଶବକୁ ଏକ ସ୍ୱତନ୍ତ୍ର ବ୍ୟାଗରେ ଭରି ମିଶନ ଶେଷ ହେବା ପର୍ଯ୍ୟନ୍ତ ଅନ୍ୟ ସଦସ୍ୟ ସଂରକ୍ଷିତ କରି ରଖିବେ ଓ ଯେତେବେଳେ ପୃଥିବୀ ପୃଷ୍ଠକୁ ଫେରିବେ, ସେହି ସମୟରେ ସେହି ମୃତଦେହର ବ୍ୟାଗ ସାଙ୍ଗରେ ନେଇ ଫେରିବେ। ଅନ୍ତରୀକ୍ଷ ଯାନ ଭିତରର ସ୍ଥିର ତାପମାତ୍ରା ଓ ଆର୍ଦ୍ରାତା ଶବକୁ ସଂରକ୍ଷିତ କରି ରଖିବାରେ ହେବ ସହାୟକ ।

  • ଗୋଟିଏ ପ୍ରକାର ମୁହଁ ବଦଳାଇ ଲୁକ ବଦଳାଉଛନ୍ତି ଯୁବକ

    ଗୋଟିଏ ପ୍ରକାର ମୁହଁ ବଦଳାଇ ଲୁକ ବଦଳାଉଛନ୍ତି ଯୁବକ

    ନିଜ ଚେହେରାକୁ ନେଇ ଆମେ ସମସ୍ତେ ଟିକେ ବେଶି ସଚେତନ। ନିଜକୁ ସୁନ୍ଦର ରଖିବାକୁ କିଏ କେତେ କଣ କରନ୍ତି। ହେଲେ ଆମେ ଯେଉଁ ବ୍ୟକ୍ତିଙ୍କ ସମ୍ପର୍କରେ କହିବାକୁ ଯାଉଛୁ ସେ ଅନ୍ୟମାନଙ୍କଠାରୁ ନିଆରା। ନିଜ ମୁହଁକୁ ଆକର୍ଷଣୀୟ ଓ ଭିନ୍ନ କରିବାକୁ ଗତ ୭ ବର୍ଷରେ କରାଇସାରିଲେଣି ୧୫ଟି ବ୍ୟୁଟି ଟ୍ରିଟମେଣ୍ଟ । ଏଥିପାଇଁ ତାଙ୍କର ଖର୍ଚ୍ଚ ହୋଇଛି ୫୦ହଜାର ପାଉଣ୍ଡ ବା ୫୨.୮୩ ଲକ୍ଷ ଟଙ୍କା। ଏହାକୁ ନେଇ ସେ କୁହନ୍ତି ନିଜର ଗୋଟିଏ ପ୍ରକାରର ଚେହେରା ଦେଖି ଦେଖି ସେ ବିରକ୍ତ ହୋଇଯାଆନ୍ତି। ତେଣୁ ନିଜ ଚେହେରା ଉପରେ କରିଥାନ୍ତି ପରୀକ୍ଷା ନିରୀକ୍ଷା। କେତେବେଳେ ମୁହଁର ମୋଟାପଣ କମାଇବାକୁ ସର୍ଜରୀ କରନ୍ତି ତ ପୁଣି କେତେବେଳେ ନାକ ପତଳା କରିବାକୁ ଆଉ କେତେବେଳେ ଓଠକୁ ମୋଟା କରିବା ପାଇ କରିଥାନ୍ତି ସର୍ଜରୀ।


    ଇଂଲଣ୍ଡର ମାଞ୍ଚେଷ୍ଟରରେ ରହୁଥିବା ଲେବି ଜେଡ ମର୍ଫି ନାମକ ୨୬ ବର୍ଷୀୟ ଯୁବକଙ୍କର ରହିଛି ଏମିତି ନିଆରା ନିଶା । ୧୯ ବର୍ଷ ବୟସରୁ ନିଜ ଚେହେରାକୁ ନେଇ ଚଳାଇଛନ୍ତି ଏକ୍ସପେରିମେଣ୍ଟ। ନିକଟରେ ଏକ ସର୍ଜରୀ କରିବା ପରେ ସୋସିଆଲ ମିଡିଆରେ ନିଜ ଭିଡିଓ ସେୟାର କରିଛନ୍ତି। ଏଥିରେ ତାଙ୍କ ମୁହଁ ଅତି ଭୟଙ୍କର ଦିଶୁଛି।

    ସର୍ଜରୀ ପାଇଁ ମୁହଁ ଫୁଲିଯାଇଛି। ସ୍ଥିତି ଏମିତି ହୋଇଛି କି ସେ ନିଜ ଆଖି ଖୋଲିପାରୁ ନାହାନ୍ତି। କିନ୍ତୁ ସର୍ଜରୀକୁ ନେଇ ଲେବିଙ୍କ ମତ ଭିନ୍ନ। ସେ କୁହନ୍ତି, ତାଙ୍କୁ ସର୍ଜରୀ କରିବାରେ ଆସିଥାଏ ମଜା। ଗୋଟିଏ ପ୍ରକାରର ଚେହେରା ଦେଖି ଦେଖି ସେ ବୋର ହୋଇଯାଆନ୍ତି। ତେଣୁ ସମୟ ସମୟରେ ଏଥିରେ ସର୍ଜରୀ କରି କିଛି ଭିନ୍ନ ଦେଖାଯିବାକୁ ଚେଷ୍ଟାକରିଥାନ୍ତି। ତେବେ ତାଙ୍କ ପାଇଁ ନିକଟରେ କରାଯାଇଥିବା ସର୍ଜରୀ ଥିଲା ଅତି କଷ୍ଟଦାୟକ । ତାଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା ଫେସଲିପ୍ଟ ବେଳେ । ସେ ଆହୁରି କହିଛନ୍ତି କି, ବେକ କାଟି ରକ୍ତ ବାହାର କରିବାକୁ ହୋଇଥିଲା ଏହି ପ୍ରଣାଳୀରେ। ଲାଗୁଥିଲା ହୁଏତ ମୋର ଚେହେରା ବିଗିଡି ଯିବ। ହେଲେ ଏବେ ଠିକ ଅଛି। ଆଗକୁ ମଧ୍ୟ ଆହୁରି ସର୍ଜରୀ କରିବେ ବୋଲି କହିଛନ୍ତି ଲେବି।

  • ଗୁପଚୁପ୍ ବିକୁଥିଲେ, ଏବେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର

    ଗୁପଚୁପ୍ ବିକୁଥିଲେ, ଏବେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର

    ଟିମ ଇଣ୍ଡିଆର ୟଙ୍ଗ୍ ଓପନର ବ୍ୟାଟର ତଥା ୟଙ୍ଗ୍ ସେନସେସନ ହେଉଛନ୍ତି ଜଶସ୍ୱୀ ଜୟସ୍ୱାଲ । ଏବେ ଚାଲିଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଥିବା ଜୟସ୍ୱାଲ ଶତକ ମାରି ଏବେ ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି । ଆଇପିଏଲରେ ଧମାକାଦାର ବ୍ୟାଟିଂ କରି ଫ୍ରାଞ୍ଚାଇଜି ଓ ଫ୍ଯାନଙ୍କ ମନ ଜିତିଥିବା ଜୟସ୍ୱାଲ ନିଜ ଟେଷ୍ଟ ଟାଲେଣ୍ଟ ଦେଖାଇଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ ମ୍ୟାଚରେ ଶତକ କରି ଏବେ ଦମଦାର ଫର୍ମରେ ଅଛନ୍ତି । ତେବେ ଗରିବରୁ କୋଟିପତି ହୋଇଥିବା ଜୟସ୍ୱାଲଙ୍କ ସଂଘର୍ଷ ସମ୍ପର୍କରେ ସମସ୍ତେ ଅଳ୍ପ ବହୁତ ଜାଣିଛେ । ନିଜ ବାପାଙ୍କ ସହ ରାସ୍ତା କଡ଼ରେ ଗୁପଚୁପ ବିକ୍ରି କରୁଥିବା ଜୟସ୍ୱାଲ ଏତେ ସଫଳ ଓ ରେକର୍ଡ କରିବେ, ତାହା କେହି କେବେ ଚିନ୍ତା କରି ନ ଥିଲେ । କିନ୍ତୁ ନିଜର କଠିନ ପରିଶ୍ରମ ଏବଂ ଦୃଢ଼ ଇଛାଶକ୍ତି ବଳରେ ଉତ୍ତର ପ୍ରଦେଶର ଏକ ଛୋଟିଆ ସହରରୁ ଆସି, ମୁମ୍ବାଇ ଭଳି ସ୍ୱପ୍ନର ସହରରେ କ୍ରିକେଟ କ୍ୟାରିୟର ଗଢ଼ିଛନ୍ତି । ପିଲାଟି ଦିନରୁ ଗରିବୀକୁ ସେ ଅତି ପାଖରୁ ଦେଖିଛନ୍ତି । ପଡ଼ିଆର ତମ୍ବୁ ତଳେ ରହୁଥିବା ଜୟସ୍ୱାଲ, ଏବେ କିନ୍ତୁ କୋଟି କୋଟି ଟଙ୍କାର ମାଲିକ । ହେଲେ ଆପଣ ଜାଣନ୍ତି କି, ଏବେ କେତେ କୋଟି ଟଙ୍କାର ମାଲିକ ଯଶସ୍ୱୀ ଜୟସ୍ୱାଲ ?

    କ୍ରିକେଟରେ କ୍ୟାରିୟର ଗଢ଼ିବା ପାଇଁ ମାତ୍ର ୧୨ ବର୍ଷ ବୟସରେ ସେ ଉତ୍ତର ପ୍ରଦେଶରୁ ମୁମ୍ବାଇ ଆସିଥିଲେ । କ୍ୟାରିୟର ଗଢ଼ିବା ପାଇଁ ଗୁପଚୁପ ବିକିବା ସହ ଅନେକ ଦୁଃଖ ସହିଛନ୍ତି । ଏହି ବାମହାତୀ ବ୍ୟାଟର ୨୦୨୦ ମସିହା ଅଣ୍ଡର-୧୯ ବିଶ୍ୱକପରେ ଯେତେବେଳେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଂଟ ହୋଇଥିଲେ, ସେତେବେଳେ ସମସ୍ତଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା । ଆଇପିଏଲ ନିଲାମୀରେ ରାଜସ୍ଥାନ ରୟାଲ୍ସ ତାଙ୍କୁ କିଣିବା ସହ ଦଳରେ ସ୍ଥାନ ଦେଇଥିଲା । ଅଣ୍ଡର-୧୯ରେ ଦମଦାର ପ୍ରଦର୍ଶନ କରିଥିବା ଜୟସ୍ୱାଲଙ୍କୁ ୨ କୋଟି ୪୦ ଲକ୍ଷରେ କିଣିଥିଲା ରାଜସ୍ଥାନ ରୟାଲ୍ସର ଫ୍ରାଂଚାଇଜ୍ । ନିଜର ଖେଳ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ଜୟସ୍ୱାଲ । ଦଳ ତାଙ୍କୁ ରଖିଥିବା ବେଳେ ପ୍ରାଇସ୍ ମଧ୍ୟ ବଢ଼ାଇଛି । ଜୟସ୍ୱାଲ ଏବେ ୪ କୋଟି ଟଙ୍କା ନେଉଛନ୍ତି । ଏବେ ସେ ୨୩ କୋଟି ଟଙ୍କାର ମାଲିକ ଅଟନ୍ତି । କେବଳ ଆଇପିଏଲରୁ ୧୨ କୋଟି ୮୦ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ପ୍ରତି ବର୍ଷ ତାଙ୍କର ନେଟ୍ ୱର୍ଦ ବା ଆର୍ଥିକ ମୂଲ୍ୟ ୫୮ ପ୍ରତିଶତ ବୃଦ୍ଧି ପାଉଛି । ଚର୍ଚ୍ଚା ହେଉଛି, ଯଶସ୍ବୀ ଏବେ ଏକ ବଙ୍ଗଳା କିଣିଛନ୍ତି । ମୁମ୍ବାଇ ସହ ସେ ନିଜ ରାଜ୍ୟ ଉତ୍ତର ପ୍ରଦେଶରେ ବି ଘର କରିଛନ୍ତି । ଏକ ବାପା ଯିଏ ଗୁପଚୁପ୍ ବିକ୍ରି କରୁଥିଲା, ଏକ ପୁଅ ଯିଏ ବାପାଙ୍କୁ ଏହି ବେପାରରେ ସାହାଯ୍ୟ କରୁଥିଲା, ସେ ଏବେ ନିଜ କଠିନ ପରିଶ୍ରମ ଓ ଭାଗ୍ୟ ବଳରେ କୋଟିପତି । କ୍ରିକେଟ ପଡିଆର ଟେଣ୍ଟରେ ଶୋଉଥିବା ପିଲା, ଏବେ କୋଟିଏ ଟଙ୍କାର ଘରେ ନିଜ ବାପା ମାଙ୍କୁ ନେଇ ରହୁଛି । ଯାହାକି ଏକ ବଲିଉଡ୍ ସିନେମାର କାହାଣୀ ପରି ।

  • ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ,ଯିଏ ଯେଉଁଆଡେ ପାଇଲେ ନବଜାତକୁ ଧରି ଦୌଡ଼ିଲେ

    ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ,ଯିଏ ଯେଉଁଆଡେ ପାଇଲେ ନବଜାତକୁ ଧରି ଦୌଡ଼ିଲେ

    ବିହାରର ବୈଶାଳୀ ଜିଲ୍ଲାର ହାଜିପୁରନଗର ଥାନା ଅଧୀନରେ ଥିବା ସଦର ଡାକ୍ତରଖାନାର ପ୍ରସୂତି ବିଭାଗରେ ଗତ ବୁଧବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ ହେତୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

    ସଦର ଡାକ୍ତରଖାନାରେ ଅଗ୍ନିକାଣ୍ଡ ପରେ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିବା ପ୍ରସୂତି ଓ ତାଙ୍କ ପରିବାର ମଧ୍ୟରେ କୋକୁଆଭୟ ଖେଳି ଯାଇଥିଲା। ଯିଏ ଯେଉଁଆଡେ ପାଇଲେ ନବଜାତକୁ ଧରି ଦୌଡ଼ିଥିଲେ। ଏଥିସହିତ ପ୍ରସୂତିମାନେ ବି ଏହି ଅଗ୍ନିକାଣ୍ଡରେ ଜୀବନ ବଞ୍ଚାଇବା ପାଇଁ ହସ୍ପିଟାଲ ବିଛଣାରେ ସାଲାଏନ କାଢ଼ି ଅସ୍ତ୍ରୋପଚାର ପେଟ‌ରେ ନବଜାତକୁ ଧରି ଦୌଡ଼ିଥିଲେ ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କାହାକୁ କିଛି କ୍ଷତି ହୋଇ ନଥିବା ସୂଚନା ରହିଛି। କିନ୍ତୁ ଏଥିରେ ହସ୍ପିଟାଲର ଅନେକ ଜିନିଷ ନଷ୍ଟ ହୋଇଯାଇଛି।

    ଉଲ୍ଲେଖଯୋଗ୍ୟ କି, କିଛିଦିନ ତଳେ ହାଜିପୁରରେ ଥିବା ସଦର ହସ୍ପିଟାଲରରେ ବିଦ୍ୟୁତ ଟ୍ରାନ୍ସଫର୍ମରରେ ସର୍ଟ ସର୍କିଟ ହେତୁ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ କାହାରିକୁ କିଛି କ୍ଷତି ପହଞ୍ଚି ନଥିବା ବେଳେ ଘଟଣାକୁ ନେଇ କିନ୍ତୁ ବିଜୁଳି ବିଭାଗ ଓ ହସ୍ପିଟାଲ ପ୍ରଶାସନ ସଜାଗ ହୋଇ ନଥିଲେ। ଯେଉଁ କାରଣରୁ ପୁଣିଥରେ ହସ୍ପିଟାଲରେ ସର୍ଟ ସର୍କିଟ ହେତୁ ଏଭଳି ଅଗ୍ନିକାଣ୍ଡ ଘଟିଛି।

  • ଲୋକାଲ୍ ଟ୍ରେନରେ କୁକୁରର ଯାତ୍ରା

    ଲୋକାଲ୍ ଟ୍ରେନରେ କୁକୁରର ଯାତ୍ରା

    ଭିଡିଓରେ ଥିବା କୁକୁରଟି କୌଣସି ପୋଷା କୁକୁର କି ମାଲିକ ସଙ୍ଗେ ଟ୍ରେନରେ ଯାତ୍ରା କରୁନି, ବରଂ ଏହି କୁକରଟି ହେଉଛି ଏକ ବୁଲା କୁକୁର। ଖାଦ୍ୟ ଅନ୍ୱେଷଣରେ ମୁମ୍ବାଇର ଏକ ଟ୍ରେନ ମଧ୍ୟକୁ ଚଢ଼ି ଯାଇଥିଲା। ଏହା ପରେ ହଠାତ୍ ଟ୍ରେନଟି ଛାଡ଼ି ଦେଇଛି। କିନ୍ତୁ ସେ ଏଥିରେ ବ୍ୟତିବ୍ୟସ୍ତ ନହୋଇ କେତେ ସାବଧାନତାର ସହ ନିୟମିତ ଯାତ୍ରୀଙ୍କ ପରି ଟ୍ରେନ୍ ଯାତ୍ରା କରୁଛି ଦେଖନ୍ତୁ। ଏହି ସମୟର ଏକ ଭିଡିଓ ସୁଟ୍ କରି ଜଣେ ୟୁଜର୍ ଟ୍ୱିଟରରେ ପୋଷ୍ଟ କରିଛନ୍ତି।

  • ପରଲୋକରେ ଦେବଦାସ୍‌ ଫେମ୍‌ କଳା ନିର୍ଦ୍ଦେଶକ ନିତିନ ଦେଶାଇ

    ପରଲୋକରେ ଦେବଦାସ୍‌ ଫେମ୍‌ କଳା ନିର୍ଦ୍ଦେଶକ ନିତିନ ଦେଶାଇ

    ଯୋଦ୍ଧା ଆକବର ଏବଂ ଲଗାନ ପରି ଐତିହାସିକ ଚଳଚ୍ଚିତ୍ରର ସେଟ୍ ଡିଜାଇନ୍ କରିଥିବା କଳା ନିର୍ଦ୍ଦେଶକ ନିତିନ ଦେଶାଇ ୫୭ ବର୍ଷ ବୟସରେ ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି ।

    ଏନଡି ଷ୍ଟୁଡିଓର ମାଲିକ ନିତିନ ଦେଶାଇ ତାଙ୍କ ଷ୍ଟୁଡିଓରେ ଆତ୍ମହତ୍ୟା କରିଛନ୍ତି। ସେ ୨୫୦l ଟି ବିଜ୍ଞାପନ ଚଳଚ୍ଚିତ୍ର, ୧୮୦ଟି ଚଳଚ୍ଚିତ୍ର ଏବଂ ପ୍ରାୟ ୧୦୦ ଟିଭି ଶୋ’ରେ କଳା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ |

    ଆପଣ ନିତିନଙ୍କ ଦକ୍ଷତା ଅନୁମାନ କରିପାରିବେ ଯେ ତାଙ୍କ କାର୍ଯ୍ୟ ପାଇଁ ତାଙ୍କୁ ୪ ଟି ଜାତୀୟ ଏବଂ ୯ ଟି ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ କରାଯାଇଛି |

    ଏଥିସହ ନିତିନ ଦେଶାଇଙ୍କ ସେହି ଷ୍ଟୁଡିଓ ଯେଉଁଥିରେ ଭାରତର ସବୁଠୁ ବଡ ଥିମ୍ ପାର୍କ ନିର୍ମାଣ କରାଯାଇଥିଲା |

    ମେ ମାସରେ ଏକ ବିଜ୍ଞାପନ ଏଜେନ୍ସି ନିତିନଙ୍କୁ ୫୧ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ କରିଥିଲା ।

    ତାଙ୍କ ଉପରେ ଏହି ଅଭିଯୋଗ ଥିଲା ଯେ ନିତିନ କାମ କରିବା ପରେ ଟଙ୍କା ଦିଅନ୍ତିନାହାଁ, ଯଦିଓ ନିତିନ ଏହି ସବୁ କଥାକୁ ଅସ୍ୱୀକାର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ଆତ୍ମହତ୍ୟା କରିବାର କାରଣ ଜଣାପଡିନାହିଁ।

    ତାଙ୍କର ଏହି ପଦକ୍ଷେପକୁ ନେଇ ତାଙ୍କ ପ୍ରଶଂସକମାନେ ଅତ୍ୟନ୍ତ ନିରାଶ ହେବା ସହିତ ତାଙ୍କ ମୃତ୍ୟୁ ସମଗ୍ର ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି କୁ ଚକିତ କରିଦେଇଛି ।

  • ପୋଲିସ୍ କୁ ଆକ୍ରମଣ ପଡିଲା ମହଙ୍ଗା

    ପୋଲିସ୍ କୁ ଆକ୍ରମଣ ପଡିଲା ମହଙ୍ଗା

    ଗାଡି ଚେକିଂ ସମୟରେ ପୁଲିସକୁ ଆକ୍ରମଣ କଲେ ଦୁଇ ବାଇକ ଆରୋହୀ | ଆଉ ପୁଲିସର କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି | ତାମିଲନାଡୁର ଚେନ୍ନାଇରେ ଆଜି ଏହି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଆଜି ସକାଳେ ଚେନ୍ନାଇ ଉପକଣ୍ଠରେ ପୁଲିସ ଗାଡି ଯାଞ୍ଚ କରୁଥିଲା ବେଳେ ଦୁଇଜଣ ବାଇକ ଆରୋହୀ ଡିଉଟିରେ ଥିବା ପୁଲିସ ସବ-ଇନ୍ସପେକ୍ଟର (ଏସଆଇ)ଙ୍କ ଉପରେ ଆକ୍ରମଣ କରିଥିଲେ, ଯାହା ପରେ ପୁଲିସ ମଧ୍ୟ ଏହାର ଜବାବ ଦେବାକୁ ଯାଇ ଗୁଳି ଚଳାଇଥିଲା |

    ଏହି ଘଟଣାରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି | ପୁଲିସ କହିଛି ଯେ ଉଭୟଙ୍କର ଅପରାଧିକ ରେକର୍ଡ ରହିଛି। ଏହି ମାମଲା ସମ୍ପର୍କରେ ସୂଚନା ଦେଇ ପୁଲିସ କହିଛି ଯେ ଉଭୟ ପେସାଦାର ଅପରାଧୀ ହୋଇଥିବାବେଳେ ଏମାନଙ୍କ ନିକଟରେ ଛୁରୀ ଓ ଭୁଜାଲି ଥିଲା | ଆଜି ଭୋର ପ୍ରାୟ ୩ଟା ୩୦ ସମୟରେ ଗୁଦୁଭାନଚେରୀ ନିକଟରେ ଗାଡି ଚେକିଂ ଚାଲିଥିବାବେଳେ ଏମାନଙ୍କୁ ପୁଲିସ ଅଟକାଇଥିଲା |
    ତେବେ ଏହି ଦୁଇ ଅପରାଧୀ ପୁଲିସ ଏସଆଇଙ୍କୁ ଆକ୍ରମଣ କରି ଖସି ପଳାଇଯିବାକୁ ଚେଷ୍ଟା କରୁଥିଲେ | ଏହି ଦୁଇଜଣ କେବଳ ଆକ୍ରମଣ କରିନଥିଲେ ବରଂ ପୁଲିସ ଏସଆଇଙ୍କୁ ହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ | ନିଜ ଜୀବନ ବଞ୍ଚାଇବାକୁ ପୁଲିସ ଏସଆଇ ଜଣକ ଜଣେ ଅପରାଧୀଙ୍କ ଉପରକୁ ଗୁଳି ଚଳାଇଥିଲେ |

    ଏହା ପରେ ଅନ୍ୟ ଅପରାଧୀ ଆକ୍ରମଣ କରିବାକୁ ଉଦ୍ୟତ ହେଉଥିବାବେଳେ ପୁଲିସ ଏନକାଉଣ୍ଟର କରିଥିଲା | ଏହାପରେ ପୁଲିସ ଆହତ ଏସଆଇଙ୍କ ସହ ଦୁଇ ଅପରାଧୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା | ଯେଉଁଠାରେ ଡାକ୍ତରମାନେ ଦୁଇ ଯୁବକଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପୁଲିସର ସୂଚନାନୁସାରେ ମୃତ ବ୍ୟକ୍ତିଙ୍କ ନାମ ଛୋଟା ବିନୋଦ (୩୫) ଏବଂ ଏସ ରମେଶ (୩୨) ବୋଲି ଜଣାପଡିଛି। ଉଭୟ ଛୋଟା ବିନୋଦ ଏବଂ ଏସ ରମେଶ ଅଭ୍ୟାସଗତ ଅପରାଧୀ ଏବଂ ସେମାନଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଭଳି ୨୦ରୁ ଅଧିକ ମାମଲା ରହିଛି |