Category: ଶିକ୍ଷା ଓ ନିଯୁକ୍ତି

  • ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ସରକାରୀ ସ୍କୁଲ

    ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ସରକାରୀ ସ୍କୁଲ

    ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ । ଏଭଳି ନାରା ଦେଇ ଚାଲିଛି ଶିକ୍ଷା ବ୍ୟବସ୍ଥା । ହେଲେ ଏ କଣ ଏଠି ତ ତାର ଓଲଟା ଚିତ୍ର ଦେଖିବାକୁ ମିଳୁଛି । ସ୍କୁଲ ଘର ଭାଙ୍ଗି ସେଥିରୁ ପାଣି ଗଳୁଛି । ସେଥିପାଇଁ ପିଲା ମାନେ ସ୍କୁଲ ବାରଣ୍ଡାରେ ପାଠ ପଢୁଛନ୍ତି । ଉକ୍ତ ସରକାରୀ ସ୍କୁଲରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ପିଲା ଅଛନ୍ତି । ହେଲେ ପଢୁଛନ୍ତୁ ଗୋଟିଏ କୋଠରୀରେ । ଏତିକିରେ ସରିଜାଇନି ଏହି ସ୍କୁଲର ଅବସ୍ଥା ଏଠି ୨୬ ଜଣ ପିଲାଙ୍କୁ ପାଠ ପଢାଉଛନ୍ତି ୨ଜଣ ଶିକ୍ଷକ । ଏ ହେଉଛି ସରକାରୀ ସ୍କୁଲର ଅବସ୍ଥା । କିନ୍ତୁ ଏହାରି ଭିତରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବ ନିଶ୍ଚିତ । କାରଣ ସରକାର ସଭିଏଁ ପଢନ୍ତୁ ଓ ସଭିଏଁ ବଢନ୍ତୁ ନାରା ଦେଇ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ତାହା ହେଉଛି କଣ ?

    କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକର ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତ ର ମେଣ୍ଡିପାଙ୍ଗା ପ୍ରାଥମିକ ବିଦ୍ୟାଳୟ ର ଅବସ୍ଥା ଦେଖିବା ପରେ ଏ ପ୍ରଶ୍ନ ଆସିବା ସ୍ବଭାବିକ । ୧୯୮୦ ମସିହା ରେ ସ୍ଥାପିତ ହେଇଥିବା ବିଦ୍ୟାଳୟ ରେ ସର୍ବମୋଟ ୨୬ ଜଣ ଛାତ୍ର ଛାତ୍ରୀ ପାଠ ପଢନ୍ତି । ଶ୍ରେଣୀ ଗୃହର ଏଭଳି ଅବସ୍ଥା ପରେ ଏବେ ଖରା ବର୍ଷା ଶୀତ ସବୁଦିନ ଏବି ବାରଣ୍ଡାରେ ପିଲାମାନଙ୍କୁ ପାଛ ପଢେଇବାକୁ ପଡୁଥିବା କହିଛନ୍ତି ମେଣ୍ଡିପାଙ୍ଗା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହେରା ।

    କିଛିଦିନ ତଳେ ସେହି ଗ୍ରାମ ପଞ୍ଚାୟତର କିଲୁପଡ଼ା ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ୍ ଛାତ ଭୁଶୁଡ଼ି ଯିବାରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ ପଚାଶ ଛାତ୍ର ଛାତ୍ରୀ ତଥାପି ବ୍ଲକ୍ ପ୍ରଶାସନ ବିଭାଗୀୟ ଅଧିକାରୀ ଙ୍କ ଚେତା ପଶୁନି । କିଲୁପଡ଼ା ସ୍କୁଲ ଛାତ ଭୁଶୁଡ଼ିବା ଘଟଣା ପରେ ଭୟରେ ଅଭିଭାବକ ଫଳରେ ପିଲାଙ୍କୁ ସ୍କୁଲକୁ ଛାଡ଼ିବାକୁ ଡରୁଛନ୍ତି । ମରାମତି ଅଭାବରୁ ସ୍କୁଲ୍ ଛାତ କେତେବେଳେ ଯେ ଭୁସୁଡି ପଡ଼ିବ ତାହା କହିହେବ ନାହିଁ । ଏନେଇ ବିଦ୍ୟାଳୟ କତୃପକ୍ଷ ବିଭାଗୀୟ ଅଧିକାରୀ ବ୍ଲକ୍ ପ୍ରଶାସନ କୁ ବହୁବାର ଲିଖିତ ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳୁନାହିଁ । ସେହିଭଳି ପିଲାଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ ମଧ୍ୟ ଭଙ୍ଗା ଘରେ ଚାଲିଛି । ନଳ କୁପ ଅଚଳ ଅବସ୍ଥାରେ ରହିଛି ଫଳରେ ଚୁଆ ପାଣିରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ ପିଲାମାନେ ବାଧ୍ୟ ହୋଇ ଚୁଆ ପାଣିକୁ ପାନୀୟ ଜଳ ଭବେ ମଧ୍ୟ ବ୍ୟବହାର କରୁଛନ୍ତି ।ତେବେ ଏହାକୁ ନେଇ ପ୍ରଶାସନ କଣ ଆଉ ଏକ ଦୁର୍ଘଟଣା କୁ ଅପେକ୍ଷା କରିଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି କରିଛି । ତେବେ ଏହି ପରିତ୍ୟକ୍ତ ସ୍କୁଲ୍ ଘରର କେବେ ମରାମତି ହେଉଛି ତାକୁ ହିଁ ଅପେକ୍ଷା ।

  • ଚକଖଡ଼ି ବଦଳରେ ଶିକ୍ଷକ-ଶିକ୍ଷୟିତ୍ରୀ ଧରିଲେ ପନିକି ଆଉ ଖଡିକା

    ଚକଖଡ଼ି ବଦଳରେ ଶିକ୍ଷକ-ଶିକ୍ଷୟିତ୍ରୀ ଧରିଲେ ପନିକି ଆଉ ଖଡିକା

    ଶୁଣିଲେ ତ…. ପାଚିକା ଅଛନ୍ତି ଲୋୟର ପିଏମଜିରେ ଆଉ ଏଠି ଶିକ୍ଷକ ପିଲାମାନଙ୍କ ପାଇଁ କରୁଛନ୍ତି ରୋଷେଇ । ସାର୍ ଚେକା ପକାଇ ପରିବା କାଟୁଛନ୍ତି ଆଉ ଦିଦି ସେପଟେ ରାନ୍ଧିବାରେ ବ୍ୟସ୍ତ । କରିବେ କଣ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଥିବା ପାଚକା ଗତ କିଛି ଦିନ ଧରି ନିଜ ନିଜର ଦାବି ନେଇ ଭୁବନେଶ୍ବର ଲୋୟର ପିଏମଜିରେ ପ୍ରତିବାଦ କରୁଛନ୍ତି । ସାର, ଦିଦିଙ୍କୁ ପିଲାଙ୍କ ପାଠ ପଢା ଠାରୁ ଅଧିକ ଚିନ୍ତା ଘାରିଛି ମଧ୍ୟାହ୍ନ ଭୋଜନକୁ ନେଇ । କାରଣ ଅନେକ ଗରିବ ଶ୍ରେଣୀର ପିଲା ବିଦ୍ୟାଳୟ ଆସୁଛନ୍ତି । ଯଦି ସେମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆନଯାଏ ତାହେଲେ ସେମାନେ ବିଦ୍ୟାଳୟରୁ ମୁହଁ ଫେରାଇ ନେବେ । ସ୍କୁଲରେ ପିଲା ସଂଖ୍ୟା କମିଯିବ ।

    ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଛେନାପଦି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟରେ ଆଜି ସାର ଚକଖଡ଼ି ଧରି କଳାପଟାରେ ଶିକ୍ଷାଦାନ କରିବା ପିବର୍ତ୍ତେ ହାତରେ ପନିକି ଏବଂ ଖଡିକା ଧରିବାକୁ ବାଧ୍ୟ ହୋଇଛନ୍ତି । ଯାହାଫଳରେ ପିଲାଙ୍କ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି କରୁଛି । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ମୋଟ ୧୪୯ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୪ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ନିଯୁକ୍ତି ଅଛନ୍ତି । କିନ୍ତୁ ଏବେ ୫ ଦିନ ହେଲା ପାଚିକା ସହାୟିକା ମାନେ ଆନ୍ଦୋଳନରେ ସାମିଲ ଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ରୋଷେଇରେ ବ୍ୟସ୍ତ ରହୁଛନ୍ତି ।

    ତେବେ ପାଚିକାଙ୍କ ଦାବି ସରକାର କେବେ ପୂରଣ କରୁଛନ୍ତି ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ କେବେ ରୋଷେଇ ପରିବର୍ତ୍ତେ ପିଲାଙ୍କ ଉଜ୍ଜ୍ବଳମ. ଭବିଷ୍ୟତ ପାଇଁ ହାତରେ ଚକ ଖଡି ଧରୁଛନ୍ତି, ତାହା ସମୟ କହିବ ।

  • ଵାଦାମବାଈ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

    ଵାଦାମବାଈ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

    ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ଅଁଳାଡୁବା ଗ୍ରାମର ଵାଦାମବାଈ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରଥ ପଟ୍ଟନାୟକ ଦୀର୍ଘ ବର୍ଷର ଶିକ୍ଷାଦାନ ପରେ ଅବସର ନେଇଛନ୍ତି। ଏହି ଅବସରରେ ବିଦ୍ୟାଳୟ ପରିସରରେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥି ମହାନ୍ତି , ମୁଖ୍ୟବକ୍ତା ସନ୍ତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କୁ ପୂଜାର୍ଚ୍ଚନା ଓ ବନ୍ଦନା କରି ଆଶୀର୍ବାଦ ନେଇଥିଲେ । ଅତିଥିଗଣ ପ୍ରଦୀପ ପ୍ରଜ୍ବଳନ କରି ସଭାର ଶୁଭାରମ୍ଭ କରାଯାଇଥିଲା। ପ୍ରଧାନ ଶିକ୍ଷକ ସୁରଥ ସାର ତାଙ୍କ କାର୍ଯ୍ୟକାଳ ଭିତରେ ଯେଉଁ ସ୍କୁଲକୁ ଯାଇଛନ୍ତି, ସେଠାରେ ସ୍କୁଲ, ଶିକ୍ଷକ, ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ କାର୍ଯ୍ୟ କରିଛନ୍ତି ବୋଲି ଉପସ୍ଥିତ ଅତିଥି କହିଥିଲେ। ଏହି ଅବସରରେ ସୁରଥ ସାର ତାଙ୍କୁ ମିଳିଥିବା ସମସ୍ତ ଶ୍ରେୟ ତାଙ୍କ ସହକର୍ମୀ, ଅଧିକାରୀମାନଙ୍କୁ ଦେଇଥିଲେ।

    ଏହି ଅବସରରେ ସମସ୍ତ ଅତିଥି ସାରଙ୍କ ବାକି ଜୀବନ ସୁସ୍ଥ, ନିରାମୟ ହେଉ ଏହା କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ,ଅଭିଭାବକ ଓ ଗ୍ରାମବାସୀ ଯୋଗଦେଇ ଥିଲେ । ସମସ୍ତେ ସୁରଥ ସାରଙ୍କୁ ପ୍ରଶଂସା ଓ ଗୁଣଗାନ କରିଥିଲେ।

  • ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ୫ଟି ସ୍ମାର୍ଟ ସ୍କୁଲର ନଗ୍ନ ଚିତ୍ର

    ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ୫ଟି ସ୍ମାର୍ଟ ସ୍କୁଲର ନଗ୍ନ ଚିତ୍ର

    ଛାତ ଫାଟି ଆଁ କରିଛି । ଶୌଚାଳୟରୁ ଅନବରତ ପାଣି ବୋହୁଛି । ଏବେବି ଟିଣ ଘରେ ପିଲା ପାଠ ପାଢୁଛନ୍ତି । ନା ଅଛି ସ୍କୁଲ ପାଚେରୀ ନା ପିଲାଙ୍କ ପାଇଁ ଖେଳ ପଡିଆ । ଏ ସ୍କୁଲଟି ୫ଟି ସ୍କୁଲରେ ଅନ୍ତର୍ଭୁକ୍ତ । କିନ୍ତୁ ଏ ଦୃଶ୍ୟ ବଖାଣୁଛି ଏହାର ବିକଳ ଚିତ୍ର । ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଧିନସ୍ଥ ପଞ୍ଚୁପଲ୍ଲୀ ସୋମନାଥ ଉଚ୍ଚ ବିଦ୍ୟାଳୟ କଥା । ଉକ୍ତ ସ୍କୁଲଟିକି ୫ଟି ସ୍କୁଲ ଭାବେ ଘୋଷଣା ପରେ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଅନୁଦାନ ଆସିଛି । କିନ୍ତୁ କେତେ କାର୍ଯ୍ୟକାରୀ ହେଇଛି ତାହା ଶୁଣନ୍ତୁ ଏଠାରେ ପଢୁଥିବା ବିଦ୍ୟାର୍ଥିଙ୍କ କଥା ।

    ଉକ୍ତ ସ୍କୁଲକୁ ଆଖପାଖ ଅଞ୍ଚଳରୁ ପାଞ୍ଚ ଶହ ଛାତ୍ର ଛାତ୍ରୀ ଏଠାକୁ ପାଠ ପଢିବା ପାଇଁ ଆସିଥାନ୍ତି। ହେଲେ କିନ୍ତୁ ଅବ୍ୟବସ୍ଥାରେ ପଡିରହିଛି ଶ୍ରେଣି ଗୃହ ।ପୂର୍ବରୁ ଏକ ଆଜବେଷ୍ଟ ଖସି ଏକ ଛାତ୍ରୀ ଗୁରୁତର ହୋଇଥିବା ଅଭିଯୋଗ ହୋଇଥିଲା ।ପିଇବା ପାଣିଠାରୁ ଆରମ୍ଭ କରି ପରିଶ୍ରାଗାର ପର୍ଯ୍ୟନ୍ତ ସ୍କୁଲ ରେ ବିଶେଷ ସୁବିଧା ନଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଛାତ୍ରଛାତ୍ରୀଙ୍କୁ । ଏ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ୫ଟି ସଚ୍ଚିବଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ଦେଖିବାକୁ ମିଳୁନାହିଁ । ଫଳରେ ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା କହିଛନ୍ତି ପଞ୍ଚୁପଲ୍ଲୀ ସୋମନାଥ ଉଚ୍ଚ ବିଦ୍ୟାଳୟପ୍ରଧାନ ଶିକ୍ଷକ ।

    ତେବେ ସ୍କୁଲ ଛାତ୍ର ଛାତ୍ରୀ ମାନେ ସେମାନଙ୍କ ଅସୁବିଧା ଗଣମାଧ୍ୟମ ଜରିଆରେ ଖୋର୍ଦ୍ଧା ଜିଲ୍ଲାପାଳ ସମେତ ଓଡିଶା ସରକାର ଙ୍କୁ ନିବେଦନ କରିଛନ୍ତି । ତେବେ ଦେଖିବାକୁ ବାକିରହିଲା କେବେ ସୁଧୁରୁଛି ଏବି ସ୍କୁଲର ଅବସ୍ଥା ।

  • ବ୍ଲକ ସ୍ତରୀୟ ସାହିତ୍ୟ ସୃଜନୀ ପ୍ରଶିକ୍ଷଣ ଶିବିର

    ବ୍ଲକ ସ୍ତରୀୟ ସାହିତ୍ୟ ସୃଜନୀ ପ୍ରଶିକ୍ଷଣ ଶିବିର

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସାହିତ୍ୟ ସୃଜନୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ଟିକୁ ମତୋ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ ଶିବିର ଟି ଦୁଇଦିନ ଧରି ଚାଲିବ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି ।ଉକ୍ତ ଶିବିରରେ ପ୍ରଶିକ୍ଷକ ମନୋଜ କୁମାର ସାହୁ, ପ୍ରମୋଦ କୁମାର ମଲ୍ଲିକ,ମତୋ ସରକାରୀ ଉଚ୍ଚ ବିଦ୍ୟାଳୟ ସହିତ ବ୍ଲକ ର ସମସ୍ତ ୫ଟି ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇ କିପରି ପିଲା ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳିକୁ କିପରି ସଦ୍ଉପଯୋଗ କରିପାରିବେ ସେ ବିଷୟରେ ଉକ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ବୋଲି ଶ୍ରୀ ଯୁକ୍ତ ଦାସ ସୂଚନା ଦେଇଛନ୍ତି।

  • ୩ ଦଫା ଦାବି ନେଇ ଶିକ୍ଷକଙ୍କ, ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

    ୩ ଦଫା ଦାବି ନେଇ ଶିକ୍ଷକଙ୍କ, ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

    ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ନୂଆଗାଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଦଫା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ଏହି ଆନ୍ଦୋଳନ ଦ୍ବାରା ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି । କନିଷ୍ଠ ଶିକ୍ଷକଙ୍କୁ ୬ଟି ନ୍ୟାସନାଲ ଇନକ୍ରିମେଣ୍ଟ ପ୍ରଦାନ କରିବା ସହ ରେଗୁଲାର, ପିଇଟି ଶିକ୍ଷକ ଓ ଏକ୍ସ କ୍ୟାଡରଙ୍କୁ ରେଗୁଲାର ଶିକ୍ଷକର ମାନ୍ୟତା ପ୍ରଦାନ, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ଆଦି ତିନୋଟି ଦାବି ରହିଛି । ଏଥିସହିତ ନୂତନ ପେନ୍‌ସନ ଉଚ୍ଛେଦ କରି ପୁରାତନ ପେନସନ୍ ବ୍ୟବସ୍ଥାର ପୁନଃ ପ୍ରଚଳନ କରିବା ନେଇ ମଧ୍ୟ ଦାବି କରାଯାଇଛି । ଫଳରେ ନୂଆଗାଁ ବ୍ଲକରେ ୧୩୪ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ସାଙ୍ଗକୁ ଅଭିଭାବକ ମହଲରେ ସରକାରଙ୍କ ପ୍ରତି ତୀବ୍ର ଅସନ୍ତୋଷ ଦେଖାଦେଇଛି ।

    ପ୍ରତିବାଦ ଯୋଗୁଁ ପିଲାଙ୍କ ପାଠ ପଢା ସହିତ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଥିବା ସୂଚନା ମିଳିଛି । ଏହି ଆନ୍ଦୋଳନରେ ୪ ଶହରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇଥିବା ହେତୁ ଉକ୍ତ ବିଦ୍ୟାଳୟ ଗୁଡିକରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା ।

  • ଆଜି ହିନ୍ଦୀ ଦିବସ

    ଆଜି ହିନ୍ଦୀ ଦିବସ

    ଭାରତର ସମ୍ବିଧାନ ୧୪ସେପ୍ଟେମ୍ବର ୧୯୪୯ରେ ଦେବନାଗରୀ ଲିପିରେ ଲିଖିତ ହିନ୍ଦୀଭାଷାକୁ ଭାରତର ସରକାରୀ ଭାଷା ଭାବରେ ଗ୍ରହଣ କରିଥିଲା। ଅନେକ ଆଞ୍ଚଳିକ ଭାଷାର ଉପସ୍ଥିତି ହେତୁ ପ୍ରଶାସନ ପାଇଁ ହିନ୍ଦୀକୁ ସରକାରୀ ଭାଷା ଭାବରେ ବିବେଚନା କରାଯାଉଥିଲା। ଏହା ପରେ,୧୪ସେପ୍ଟେମ୍ବର ୧୯୫୩ରେ ପ୍ରଥମ ହିନ୍ଦୀ ଦିବସ ଆନୁଷ୍ଠାନିକ ଭାବରେ ପାଳନ କରାଯାଇଥିଲା।

    ସମଗ୍ର ବିଶ୍ୱ ବିଷୟରେ କହିବାକୁ ଗଲେ, ପ୍ରାୟ ୪୨୫ନିୟୁତ ଲୋକ ହିନ୍ଦୀକୁ ସେମାନଙ୍କର ପ୍ରଥମ ଭାଷା ଭାବରେ କୁହନ୍ତି ଏବଂ ସେଠାରେ ପ୍ରାୟ ୧୨୦ନିୟୁତ ଲୋକ ଅଛନ୍ତି ଯେଉଁମାନେ ହିନ୍ଦୀକୁ ଦ୍ୱିତୀୟ ଭାଷା ଭାବରେ କୁହନ୍ତି। ହିନ୍ଦୀ ହେଉଛି ଭାରତର ମୁଖ୍ୟ ଏବଂ ସରକାରୀ ଭାଷା ଏବଂ ଇଂରାଜୀ ଦ୍ୱିତୀୟ ସରକାରୀ ଭାଷା ।

    ଭାରତରେ ଅନେକ ଆଞ୍ଚଳିକ ଭାଷା ଅଛି ଯେପରିକି ବଙ୍ଗାଳୀ, ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍, ଓଡିଆ, ଗୁଜୁରାଟୀ, ମରାଠୀ, ପଞ୍ଜାବୀ, କିନ୍ତୁ ଅଧିକାଂଶ ଲୋକ ଏମିତି ଯେଉଁମାନେ କଥାବାର୍ତାରେ ହିନ୍ଦୀ ଭାଷାର ବ୍ୟବହାର କରିଥାନ୍ତି। ଯଦି ଆମେ ହିନ୍ଦୀ ଭାଷାଭାଷୀ ରାଜ୍ୟଗୁଡ଼ିକ ବିଷୟରେ କହିବା, ସେଗୁଡ଼ିକ ହେଉଛି ଉତ୍ତରପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ, ଦିଲ୍ଲୀ, ବିହାର,ଝାଡଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଓ ଯଦି ଆମେ ଭାରତ ବ୍ୟତୀତ ବିଦେଶୀ ଦେଶ ବିଷୟରେ କଥା ହେବା, ତେବେ ମରିଶସ, ଫିଜୀ, ସୁରିନ୍।

    ଅନ୍ୟ ୟୁରୋପୀୟ ଭାଷାଗୁଡ଼ିକ ପରି ହିନ୍ଦୀ ମଧ୍ୟ ବାମରୁ ଡାହାଣକୁ ଲେଖାଯାଏ । ହିନ୍ଦୀକୁ ପଢିବା ସହଜ ଅଟେ । ହିନ୍ଦୀ ଦିବସ ପାଳନ କରିବା ପଛରେ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଦେଶରେ ଇଂରାଜୀ ଭାଷାର ବଢୁଥିବା ଧାରାକୁ ହ୍ରାସ କରିବା ଏବଂ ହିନ୍ଦୀକୁ ପ୍ରୋତ୍ସାହିତ କରିବା। ମହାତ୍ମା ଗାନ୍ଧୀ ହିନ୍ଦୀକୁ ଲୋକଙ୍କ ଭାଷା ବୋଲି କହିଥିଲେ।

    ହିନ୍ଦୀ ଦିବସ ଅବସରରେ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି, ଅନେକ ସ୍ଥାନରେ ହିନ୍ଦୀ ଫୋର୍ଟନାଇଟ୍ ଆୟୋଜିତ ହୋଇଛି । ଏହି ଦିନ ଦେଶରେ ଅନେକ ସାହିତ୍ୟିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ, ଯେଉଁଥିରେ ଲୋକମାନେ ହିନ୍ଦୀ ସାହିତ୍ୟର ମହାନ କାର୍ଯ୍ୟଗୁଡ଼ିକୁ ପାଳନ କରନ୍ତି । ସରକାରୀ ଭାଷା କୀର୍ତ୍ତୀ ପୁରସ୍କାର ଏବଂ ସରକାରୀ ଭାଷା ଗୌରବ ପୁରସ୍କାର ମଧ୍ୟ ହିନ୍ଦୀ ଦିବସରେ ମନ୍ତ୍ରଣାଳୟ, ବିଭିନ୍ନ ବିଭାଗ, ପବ୍ଲିକ ସେକ୍ଟର ୟୁନିଟ୍ (ପିଏସୟୁ), ଜାତୀୟକରଣ ବ୍ୟାଙ୍କ ଏବଂ ନାଗରିକମାନଙ୍କୁ ହିନ୍ଦୀର ଅବଦାନ ତଥା ପ୍ରୋତ୍ସାହନ ପାଇଁ ପ୍ରଦାନ କରାଯାଏ।

  • ଆଜି ପବିତ୍ର ଗୁରୁ ଦିବସ

    ଆଜି ପବିତ୍ର ଗୁରୁ ଦିବସ

    ଆମ ଜୀବନରେ ଯାହାଙ୍କର ମହତ ଦାନ ଥାଏ ସେ ହେଉଛନ୍ତି ‘ଗୁରୁ’। ଅମୂଲ୍ୟ ସେ ଦାନ ଶିକ୍ଷାକୁ ଦାନ କରି ଜୀବନର ଅନ୍ଧକାରକୁ ଦୂର କରନ୍ତି। ପିଲାଟିର ଜୟ-ପରାଜୟକୁ ସେ ନିଜର ଜୟ-ପରାଜୟ ମଣନ୍ତି। ବାସ୍ ତାଙ୍କୁ ଦିଆଯାଇଥିବା ଆଖ୍ୟାରେ ହିଁ ସବୁକିଛି ଭରି ରହିଛି। ‘ଗୁ’ ର ଅର୍ଥ ଅନ୍ଧାର ଆଉ ‘ରୁ’ ଅର୍ଥ ଆଲୋକ। ଯିଏ ଅନ୍ଧାରରୁ ଆଣି ଆଲୋକର ପଥ ଦେଖାନ୍ତି ସେ ହେଉଛନ୍ତି ‘ଗୁରୁ’। ଏପରି ଏକ ମଣିଷଟିଏ ନାହିଁ ଯାହାଙ୍କ ଜୀବନରେ ଗୁରୁ ନଥିବେ। ଗୁରୁ ସର୍ବତ୍ର ବିଦ୍ୟମାନ। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ତାଙ୍କ ଜନ୍ମ ଜୟନ୍ତୀକୁ ଗୁରୁଙ୍କ ପାଇଁ ଉତ୍ସର୍ଗ କରି ଦେଇଥିଲେ। ପ୍ରତିଟି ମଣିଷର ଜୀବନରେ ଏକ ସ୍ଥାନ ଅଳଙ୍କୃତ କରିଥିବା ଗୁରୁଙ୍କ ପାଇଁ ଦିନଟିଏ ସମର୍ପି ଦେବାର ଆବଶ୍ୟକତା ଥିବା ହୃଦୟଙ୍ଗମ କରିଥିଲେ। ଆଉ ସେବେଠାରୁ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଜୟନ୍ତୀକୁ ଗୁରୁ ଦିବସ ରୂପେ ପାଳନ କରାଯାଉଛି। ୧୮୮୮ ମସିହା ତାମିଲନାଡୁର ତିରୁତନୀଠାରେ ଜନ୍ମ ଗ୍ରହଣ କରିଥିଲେ ସର୍ବପଲ୍ଲୀ। ସେ ଏକାଧାରରେ ଜଣେ ଉତ୍କୃଷ୍ଟ ବକ୍ତା ଓ ହିନ୍ଦୁ ବିଚାରକ ଥିଲେ। ଭାରତୀୟ ସଂସ୍କୃତିରେ ଜଣେ ମହାନ ଶିକ୍ଷକ ଭାବେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିଲେ। ତାଙ୍କ ମତରେ, ଯଦି ପିଲାଟିକୁ ଉତ୍ତମ ଶିକ୍ଷା ମିଳେ ତେବେ ସେ ନିଜର ଏବଂ ଦେଶର ଭବିଷ୍ୟତ ଉଜ୍ବଳ କରିପାରିବ। ସର୍ବପଲ୍ଲୀ ରାଧାକୃଷ୍ଣନ ବେଦ ଓ ଉପନିଷଦକୁ ଅତି ସୁନ୍ଦର ଭାବେ ବ୍ୟାଖ୍ୟା କରୁଥିଲେ। ବାପା-ମାଆ ପିଲାଟିକୁ ଗୁରୁଙ୍କ ଦାୟିତ୍ୱରେ ଛାଡି କହନ୍ତି, ‘ଆଖି ବୁଜି ବାଡେଇବେ। ତା’ ପରେ ଯାଇ ସେ ବାଟକୁ ଆସିବ।’ ଆଜ୍ଞା ହଁ ଯେଉଁ ବାପା-ମାଆ ପିଲାଟିର କଷ୍ଟ ଟିକେ ସହିପାରନ୍ତିନି, ସେମାନେ ଆକଟ କରିବାର ସବୁ ଅନୁମତି ଗୁରୁଙ୍କୁ ହିଁ ଦେଇଦିଅନ୍ତି। କାରଣ ସେମାନେ ହିଁ ଜାଣିଥାନ୍ତି ଗୁରୁଙ୍କ ଆକଟରେ, ତାଙ୍କ ଛାଟରେ ବାଟ ଅଛି। ସେ ହିଁ ଜଣେ ଲୋକ ଯିଏ ଜନ୍ମ ନ ଦେଲେ ମଧ୍ୟ ସବୁବେଳେ ପିଲାଟିର ବିଜୟ କାମନା କରନ୍ତି। ଏହି ଗୁରୁ-ଶିଷ୍ୟ ପରମ୍ପରା ଏବେର ନୁହେଁ। କେଉଁ ପୁରାତନ କାଳରୁ ଏହି ପ୍ରଥା ରହିଆସିଛି। ଗୁରୁ ଦ୍ରୋଣାଚାର୍ଯ୍ୟ, ପର୍ଶୁରାମ ଏପରି ଅନେକ ଗୁରୁଙ୍କ ଗାଥା ପୁରାଣରେ ବର୍ଣ୍ଣିତ ହୋଇଛି। ଆଗକୁ ଏହିପରି ପରମ୍ପାରାକୁ ଜୀବିତ ରଖିବା ଉଦ୍ଦେଶ୍ୟରେ ଗୁରୁଦିବସ ପାଳନ କରାଯାଉଛି।

  • ରାଜ ରାସ୍ତାରେ ପ୍ରାଥମିକ ଶିକ୍ଷକ

    ରାଜ ରାସ୍ତାରେ ପ୍ରାଥମିକ ଶିକ୍ଷକ

    ଦରମା ବୃଦ୍ଧି ସହ ବିଭିନ୍ନ କାରଣରୁ ବାଦ୍‌ ପଡ଼ିଥିବା ୩୦ ହଜାର ଗଣଶିକ୍ଷକଙ୍କୁ ନିୟମିତ କରାଯିବା ଆଦି ୫ଟି ଦାବି ନେଇ ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ମହାସଂଘ ଓହ୍ଲାଇଛି ରାଜରାସ୍ତାକୁ । ସଭାପତି ଶରତ ଚନ୍ଦ୍ର ନାୟକ (ରାଜ୍ୟ ମହାସଂଘ) ଙ୍କ ନେତୃତ୍ୱରେ ସହସ୍ରାଧିକ ଶିକ୍ଷକ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଲୋୟର ପିଏମ୍‌ଜିରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

    ଇଜିଏସ୍‌ ଯୋଜନା ବନ୍ଦ ହେବା ପରେ ଛଟେଇ ଶିକ୍ଷା ସ୍ବେଚ୍ଛାସେବୀମାନଙ୍କୁ ରାଜ୍ୟ ସରକାର ୨୦୦୮ ମସିହାରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଗଣଶିକ୍ଷକ ଭାବେ ନିୟୋଜିତ କରିଥିଲେ। ପରବର୍ତ୍ତୀ ସମୟରେ ଗଣଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ଯେଉଁମାନେ ୮ବର୍ଷ ପୂରଣ କରିଥିଲେ, ସେମାନେ ନିୟମିତ ଶିକ୍ଷକ ହେଲେ। ମାତ୍ର ବିଭିନ୍ନ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩୦ ହଜାର ଗଣଶିକ୍ଷକ ନିୟମିତ ହେବାରୁ ବାଦ୍‌ ପଡ଼ିଛନ୍ତି।

    ଗଣଶିକ୍ଷକ ନିୟୋଜିତ ବର୍ଷ ୨୦୦୮ରୁ ୮ବର୍ଷ ଅବଧି ଗଣନା କରାଯାଇଥିବାରୁ ୨୦୧୨ ମସିହାରୁ ଓଡ଼ିଶାରେ ଲାଗୁ କରାଯାଇଥିବା ଓଟିଇଟି ସେମାନଙ୍କ ପାଇଁ ଆବଶ୍ୟକ ନାହିଁ ବୋଲି ସଭାପତି ନାୟକ କହିଛନ୍ତି। ଏଣୁ ଓଟିଇଟି ଉଚ୍ଛେଦ କରି ଯୋଗ୍ୟ ଗଣଶିକ୍ଷକଙ୍କୁ ନିୟମିତ କରିବା ସହ ଅବଶିଷ୍ଟ ଗଣଶିକ୍ଷକମାନଙ୍କ ଦରମା ବୃଦ୍ଧି କରାଯିବାକୁ ସେ ଦାବି କରିଛନ୍ତି।

    ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ସମାଧାନ ନ କରିବା ପର୍ଯ୍ୟନ୍ତ ବିକ୍ଷୋଭ ଓ ପ୍ରତିବାଦ ଜାରି ରହିବ ବୋଲି ମହାସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଖମାରୀ ପ୍ରକାଶ କରିଛନ୍ତି।

  • ଅନାଥ ଗାଈଆଳ ପିଲାକୁ ନିଜ ଖର୍ଚ୍ଚରେ ପାଠ ପଢାଇଲେ ଶିକ୍ଷକ

    ଅନାଥ ଗାଈଆଳ ପିଲାକୁ ନିଜ ଖର୍ଚ୍ଚରେ ପାଠ ପଢାଇଲେ ଶିକ୍ଷକ

    ଛୁଆଟି ଦିନରୁ ସେ ବାପ-ମା’ଙ୍କୁ ହରାଇ ହୋଇଥିଲା ଅନାଥ। ପେଟ ଚାଖଣ୍ଡକ ପାଇଁ କୁନି ହାତରେ ଧରିଥିଲା ଠେଙ୍ଗା ଓ ପାଲଟି ଯାଇଥିଲା ଗାଈଆଳ। ତେବେ ତାର ସୌଭାଗ୍ୟରୁ ତା ଉପରେ ପଡିଥିଲା ଜଣେ ଦେବଦୂତ ସମ ବ୍ୟକ୍ତିଙ୍କ ସୁଦୃଷ୍ଟି ଓ ସେ କୋଳେଇ ନେଇଥିଲେ ଏହି ବାପ ମା ଛେଉଣ୍ଡ ଅନାଥ ଶିଶୁଟିକୁ। ଆଜି ସେହି ଶିକ୍ଷକଙ୍କ ସହାୟତାରୁ ୯ମ ଶ୍ରେଣୀରେ ଅଧ୍ୟୟନ କରୁଛି ଅତୀତର ସେହି ଗାଈଆଳ ପିଲାଟି । ଆମେ କହୁଛୁ ମୟୂରଭଂଜ ଜିଲ୍ଲା ରରୁଆଁ ବ୍ଳକ ଅନ୍ତର୍ଗତ ଟିଲୁ ସାହିର ରାମଚନ୍ଦ୍ର ବାନରା କଥା। ସେ ୬-୭ ବର୍ଷର ହୋଇଥିଲେ, ବାପା ଓ ମା ଆଗ ପଛ ହୋଇ ଆରପାରିକୁ ଚାଲିଗଲେ ତାକୁ ଏକା କରି। ଘରେ ଆଉ କେହି ନ ଥିଲେ। ଅନାଥ ହୋଇଯାଇଥିଲା ରାମ। କେହି ଆଗେଇ ଆସିନଥିଲେ ଛୋଟ ଛୁଆଟିକୁ କୋଳେଇ ନେବାକୁ। ସେପଟେ ଭୋକର ଜ୍ୱାଳାରେ କୁନି ପିଲାଟି ଆଉଟୁ ପାଉଟୁ ହୋଇ ଉଠିଥିଲା। ତେଣୁ କୁନି କୁନି ପାଦରେ ସ୍ଥାନୀୟ ସ୍ଥିତିବାନ ଲୋକଙ୍କ ଗୋରୁ ଚରାଇବାକୁ ବାହାରିଥିଲା। ଏମିତି ଏମିତି ବିତୁଥିଲା ତାର ଜୀବନ। ଏଥିରେ କାହାରିକୁ କିଛି ଫରକ ବି ପଡି ନ ଥିଲା। କିନ୍ତୁ ଛୋଟ ଛୁଆଟିର ଏହି ସଂଘର୍ଷମୟ ଜୀବନ ବିଷୟରେ ଜାଣିବାକୁ ପାଇଥିଲେ ଶୁକ୍ରୁଳି ବ୍ଲକ ଅନ୍ତର୍ଗତ ମନୋହରପୁରର ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ଆରୁକ। କାଳ ବିଳମ୍ବ ନ କରି ରାମଚନ୍ଦ୍ରକୁ ଜିଲ୍ଲାପାଳଙ୍କ ‘ମୁଁ ବି ପଢିବି’ ଅଭିଯାନରେ ପରିଚାଳିତ ନିଜ ସ୍କୁଲରେ ନାମ ଲେଖାଇ ଦେଲେ। ସେ ରାମଚନ୍ଦ୍ରର ସବୁ ଦାୟିତ୍ୱ ନେଇଥିଲେ। ଅରୁଣ ସାରଙ୍କ ତତ୍ୱାବଧାନରେ ସେ ପାଠରେ ଭଲ ପ୍ରଦର୍ଶନ କରିଛି। ୭ମ ଶ୍ରେଣୀ ବିଜ୍ଞାନ ମେଳାରେ ପ୍ରଥମ ସ୍ଥାନ ହାସଲ କରିଛି। ଯାହାକୁ ନେଇ ରାମଚନ୍ଦ୍ର ଶିକ୍ଷକଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ଶିକ୍ଷକ ରାମର ପାରଦର୍ଶିତାକୁ ନେଇ ଖୁସି ବ୍ୟକ୍ତ କରି ତାର ଶୁଭକାମନା କରିଛନ୍ତି।

    ତେବେ ପ୍ରଧାନ ଶିକ୍ଷକଙ୍କ ଏହି ମହାନ କାର୍ଯ୍ୟକୁ ନେଇ ତାଙ୍କୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି। ସେ ସର୍ବଦା ଏହିପରି କାର୍ଯ୍ୟ କରିଆସୁଥିବାରୁ ତାଙ୍କୁ ଦେବଦୂତ କହିବାକୁ ପଛେଇ ନାହାନ୍ତି ସ୍ଥାନୀୟ ବାସିନ୍ଦା।

    ଅନ୍ୟପଟେ ଏବେ ରାମଚନ୍ଦ୍ର ୮ମ ଶ୍ରେଣୀ ପାସ କରିସାରିଛି। ପ୍ରଧାନ ଶିକ୍ଷକ ତାକୁ ନିକଟସ୍ଥ ନୂଆବେଡ଼ା ପଞ୍ଚାୟତ ହାଇସ୍କୁଲରେ ନାମ ଲେଖାଇ ଦେଇଛନ୍ତି। ସେ ତାର ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି। ଅନ୍ୟପଟରେ ରାମଚନ୍ଦ୍ର ବହୁତ ଭଲ ପଢି ବଡ ମଣିଷ ହେବାକୁ ଇଚ୍ଛା ରଖିଥିବା ବେଳେ ତାଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଗଲେ ସେ ଉପକୃତ ହୋଇପାନ୍ତା ବୋଲି ଆଶାବାଦୀ ଅଛି।