Category: ପୁରୀ

  • ରତ୍ନବେଦୀରେ ମହାବାହୁ, ପୁଣି ଲୀଳାଖେଳ ଆରମ୍ଭ, ଆଜି ବାହାରିବ ନୀଳାଚଳ ଅବଢ଼ା

    ରତ୍ନବେଦୀରେ ମହାବାହୁ, ପୁଣି ଲୀଳାଖେଳ ଆରମ୍ଭ, ଆଜି ବାହାରିବ ନୀଳାଚଳ ଅବଢ଼ା

    ଶେଷରେ ଶ୍ରୀମନ୍ଦିରରେ ବିଜେ କରିଛନ୍ତି ମହାବାହୁ । ନୀଳଦ୍ରି ବିଜେ ସହ ବିଶ୍ୱପ୍ରସିନ୍ଧ ରଥଯାତ୍ରା ଶେଷ ହୋଇଛି । ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିଜେ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର,ଦେବୀ ସୁଭଦ୍ରାଙ୍କ ସମେତ ଶ୍ରୀସୁଦର୍ଶନ ।

    ଗତକାଲି ଘୋଷଯାତ୍ରାର ଅନ୍ତିମ ଦିନରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ସେମାନଙ୍କ ଠାରୁ ରସଗୋଲା ଓ ଚୁଡ଼ାଘଷା ଭୋଗ ଖାଇବା ପରେ ସନ୍ଧ୍ୟାରେ ନୀଳକନ୍ଦରକୁ ବିଜେ କରିଥିଲେ ମହାପ୍ରଭୁ । ଶ୍ରୀସୁଦର୍ଶନ,ଦେବୀ ସୁଭଦ୍ରା,ମହାପ୍ରଭୁ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଜଣଙ୍କ ପରେ ଜଣେ ଶ୍ରୀମନ୍ଦିରକୁ ବିଜେ କରିଥିଲେ । ଏହି ଅପୂର୍ବ ଦୃଶ୍ୟ ଦେଖି ବିଭୋର ହୋଇଥିଲେ ଶ୍ରଦ୍ଧାଳୁ । ରଥରେ ଶ୍ରୀଜଗନ୍ନାଥଙ୍କ ବନ୍ଦାପନା ପରେ ମା’ଲକ୍ଷ୍ମୀଙ୍କ ବନ୍ଦାପନା ଭିତରଚ୍ଛ ମହାପାତ୍ର କରିଥିଲେ । ଏହାପରେ ଦେବୀ ଲକ୍ଷ୍ମୀ ସିଂହଦ୍ୱାର ହୋଇ ଭଣ୍ଡାର ଘରକୁ ବିଜେ କରିଥିଲେ । ମହାପ୍ରଭୁ ପହଞ୍ଚିବା ପରେ ସିଂହଦ୍ୱାରକୁ ଫିଟାଇ ଦିଆଯାଇଥିଲା। ମା’ଲକ୍ଷ୍ମୀଙ୍କ ସହ ଦେବଦାସୀ ଆସି ଦରଜା ବନ୍ଦ ଓ ଫିଟାଇବା କାର୍ଯ୍ୟ କରିଥିଲେ । ଦେବଦାସୀ ପରମ୍ପରା ଏବେ ପ୍ରଚଳନ ନଥିବାରୁ ପ୍ରତିହାରୀ ଓ ଗୋଚ୍ଛିକାର ସେବକମାନେ ଏହି ନୀତି ସମ୍ପନ୍ନ କରିଥିଲେ ।

    ଶ୍ରୀମନ୍ଦିର ଭିତରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ କରିବା ବେଳେ ଜୟବିଜୟ ଦ୍ୱାର ବନ୍ଦ ହୋଇଥିଲା । ପରେ ଦ୍ୱାର ଖୋଲାଯାଇ ଠାକୁର ଭଣ୍ଡାର ଅଭିମୁଖେ ନିଆଯାଇଥିଲା । ଭଣ୍ଡାର ଘରକୁ ମୁହଁ କରି ଭଣ୍ଡାର ଦ୍ୱାର ଠାରେ ବିଜେ କରିଥିବା ଦେବୀ ଲକ୍ଷ୍ମୀଙ୍କ ପାଖରେ ଠାକୁର ବିଜେ କରିଥିଲେ । ବନ୍ଦାପନା ଓ ରସଗୋଲା ଭୋଗ ଏହି ସମୟରେ ହୋଇଥିଲା । ଘସା ବିଡିଆ ମଣୋହି ପରେ ଠାକୁର ରତ୍ନ ସିଂହାସନକୁ ବିଜେ କରିଥିବା ବେଳେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ଼ ଜମିଥିଲା ।

    ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଣି ଲୀଳାଖେଳ ଆରମ୍ଭ ହୋଇଛି । ବିଳମ୍ବିତ ରାତିରେ ରୁନ୍ଧା କାର୍ଯ୍ୟ ଶେଷ କରାଯାଇଥିଲା । ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ଅବକାଶ,ଅନ୍ୟାନ୍ୟ ନୀତି ସମ୍ପାଦନ ହୋଇଥିବା ବେଳେ ଅନ୍ୟାନ୍ୟ ନୀତିକାନ୍ତି ଜାରି ରହିଛି । ଗୋପାଳବଲ୍ଲଭ ଭୋଗ ପରେ ଆଜି ନୀଳାଚଳ ଅବଢ଼ା ବାହାରିବ । ଶ୍ରୀମନ୍ଦିରରୁ ଏହି ମହାପ୍ରସାଦ ପାଇ ଭକ୍ତ ଓ ସେବାୟତମାନେ ନିଜକୁ ଧନ୍ୟ ମନେ କରିବେ ।

  • ସରିଲା ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ଆଜି ମହାବାହୁଙ୍କ ନୀଳାଦ୍ରି ବିଜେ

    ସରିଲା ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ଆଜି ମହାବାହୁଙ୍କ ନୀଳାଦ୍ରି ବିଜେ

    ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ୧୨ ଦିନର ମାନବୀୟ ଲୀଳାଖେଳା ଶେଷ କରିଛନ୍ତି ମହାବାହୁ । ଆଜି ସିଂହଦ୍ୱାରରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରକୁ ବିଜେ କରିବେ । ରଥାରୂଢ଼ ଠାକୁର ଗୋଟି ପହଣ୍ଡିରେ ରତ୍ନସିଂହାସନକୁ ଫେରିବେ । ଏତେ ଦିନ ଧରି ଅଭିମାନ କରି ରହିଥିବା ମା’ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ମହାପ୍ରଭୁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

    ଗତକାଲି ବିଳମ୍ୱିତ ରାତିରେ ଅଧର ନୀତି ଶେଷ ହୋଇଥିଲା । ଆଜି ସକାଳୁ ସକାଳୁ ନୀତିକାନ୍ତି ଆରମ୍ଭ ହୋଇଛି । ଆଜି ଭୋର ୪ଟାରେ ତିନି ରଥରେ ମଙ୍ଗଳ ଆଳତି ପରେ ସାଢ଼େ ୪ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୫ଟାରେ ଅବକାଶ ନୀତି ପରେ ସକାଳ ସାଢ଼େ ୫ଟାରେ ବେଶ ଶେଷ ହୋଇଛି । ସେହିପରି ସାଢ଼େ ୬ଟାରେ ଗୋପାଳବଲ୍ଲଭ, ୭ଟାରୁ ୮ଟା ସକାଳଧୂପ ମଧ୍ୟ ଦିଆଯାଇଛି ।

    ଦିନ ୧୧ଟା ୪୫ରୁ ୧୨ଟା ଭିତରେ ମଇଲମ ଓ ବେଶ ଏବଂ ୧୨ଟା ୧୫ରେ ସଂଧ୍ୟା ଆଳତି ହେବ । ସେହିପରି ସାଢ଼େ ୧୨ଟାରୁ ସାଢ଼େ ଗୋଟାଏ ସଂଧ୍ୟାଧୂପ ନୀତି ଅନୁଷ୍ଠିତ ହେବ । ଅପରାହ୍ଣ ସାଢ଼େ ଗୋଟାଏରୁ ସାଢ଼େ ୩ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସାଢ଼େ ୩ଟାରେ ସିଂହାସନ ମାଜଣା କରାଯିବ ।

    ଅପରାହ୍ଣ ୩ଟା ୫୦ରେ ପୁଷ୍ପାଞ୍ଜଳି ପରେ ଅପରାହ୍ଣ ୪ଟାରେ ପହଣ୍ଡି ଆରମ୍ଭ ହେବ । ରାତି ୧୦ଟା ସୁଦ୍ଧା ପହଣ୍ଡି ଶେଷ ପରେ ରୁନ୍ଧା କାର୍ଯ୍ୟ ସମାପନ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି । ରାତି ସାଢ଼େ ୧୨ଟା ସୁଦ୍ଧା ରୁନ୍ଧା ସରିବା ପରେ ଗୋଟାଏରୁ ଦଇତାପତି ସର୍ବାଙ୍ଗ, ଶ୍ରୀମୁଖ ଖଣ୍ଡୁଆ, ଚାରମାଳ ଫିଟା ନୀତି ଅନୁଷ୍ଠିତ ହେବ । ରାତି ସାଢ଼େ ୨ଟାରେ ସୁଦର୍ଶନ ସିଂହାସନକୁ ବିଜେ କରିବେ ମହାବାହୁ । ୪ଟା ୪୫ରେ ବଡ଼ସିଂହାର ଭୋଗ ହୋଇ ସକାଳ ୫ଟାରେ ରାତ୍ର ପହୁଡ଼ ହେବ ।

  • ବଡ଼ ଏକାଦଶୀ ତିଥିରେ ବିଭିନ୍ନ ମଠ ପକ୍ଷରୁ ମହାପ୍ରଭୁଙ୍କୁ ଫଳ ଭୋଗ

    ବଡ଼ ଏକାଦଶୀ ତିଥିରେ ବିଭିନ୍ନ ମଠ ପକ୍ଷରୁ ମହାପ୍ରଭୁଙ୍କୁ ଫଳ ଭୋଗ

    ଆଜି ବଡ଼ ଏକାଦଶୀ ତିଥି । ଏହି ଅବସରରେ ରଥ ଉପରେ ବିରାଜମାନ ମହାପ୍ରଭୁଙ୍କୁ ବିଭିନ୍ନ ମଠ ପକ୍ଷରୁ ଫଳ ଭୋଗ କରାଯାଇଛି । ମହାପ୍ରଭୁଙ୍କ ପାଇଁ ଶ୍ରୀକ୍ଷେତ୍ରରେ ଥିବା ମଠ ଗୁଡ଼ିକର ବିଭିନ୍ନ ସେବା ରହିଛି । ବଡ଼ ଏକାଦଶୀ ଅବସରରେ ହରଚଣ୍ଡି ସାହିର ନାଗା ମଠ ପକ୍ଷରୁ ଏହି ଫଳ ଭୋଗ କରାଯାଇଛି । ପରେ ଏହି ଭୋଗକୁ ଭକ୍ତଙ୍କ ମଧ୍ୟରେ ବଣ୍ଟାଯାଇଛି । ମହାପ୍ରଭୁ ରଥ ଉପରେ ବିରାଜମାନ କରିଥିବା ବେଳେ କଣ ଭୋଗ ହୁଏ ଏବଂ କିଭଳି ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ସେ ନେଇ ଅନେକ ଭକ୍ତ ଭଲଭାବରେ ଜାଣିନଥିବେ ।

    ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଶ୍ରୀଗୁଣ୍ଡିଚାରୁ ନୀଳାଦ୍ରି ବିଜେ ଯାଏ ମହାପ୍ରଭୁ ରଥ ଉପରେ ବିରାଜମାନ କଲେ ଶ୍ରୀମନ୍ଦିରରେ ଯାହା ନୀତି ହୋଇଥାଏ, ରଥ ଉପରେ ମଧ୍ୟ ସେହି ସମାନ ନୀତି ହୋଇଥାଏ । ତେବେ ଭୋଗ କିନ୍ତୁ ଅଲଗା ପ୍ରକାର ଲାଗି ହୋଇଥାଏ । ମହାପ୍ରଭୁ ରତ୍ନ ସିଂହାସନରେ ଥିବାବେଳେ ଅନ୍ନ ଭୋଗ ସହ ଅନ୍ୟାନ୍ୟ ବ୍ୟଞ୍ଜନ ଭୋଗ ହୋଇଥାଏ କିନ୍ତୁ ରଥ ଉପରେ ଠାକୁରମାନେ ଥିଲେ ଅନ୍ନ ଭୋଗ ହୋଇନଥାଏ । ରଥ ଉପରେ ଠାକୁରମାନଙ୍କ ପାଇଁ ଶୁଖିଲି ଭୋଗ ହୋଇଥାଏ ।

    ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଉଲ୍ଲେଖ ରହିଛି ଯେ ରଥ ଉପରେ ପୂର୍ବରୁ ହେଉଥିବା ଭୋଗଗୁଡ଼ିକ ମଧ୍ୟରେ ରହିଛି ବଡ଼ ସାନ ମନୋହର, ପଶୁପାଳନ କାକର,ଗଜା,ଟାକୁଆ, ଫେଣି,କାକରା, ଡାଳିମ୍ବ ,ଟାକୁଆ ସାନ ସରା,ଗଜା, ସୁଆର ଲଡୁ ଓ କାକରା । ଏତଦବ୍ୟତୀତ ଶ୍ରୀଗୁଣ୍ଡିଚା ଦିନ ରଥ ଉପରେ କୋରା,ଖଇ,ବଡ଼ କାକରା,ଉଠା କାକରା, ମହାପ୍ରଶସ୍ତ ମନହର, ଝଡ଼େଇ ନେଦା, ଟାକୁଆ ବଡ଼ସେରା, ରଥ ମନହର, ମରିଚ ନଡୁ ଭୋଗ ହୋଇଥିବା ନେଇ ଉଲ୍ଲେଖ ରହିଛି ।

  • ପୁରୁଣା ଦ୍ୱାର ହଟାଇ ରୂପା ଜଡିତ ନୂଆ ଦ୍ୱାର ଲାଗିଲା ଶ୍ରୀମନ୍ଦିରରେ

    ପୁରୁଣା ଦ୍ୱାର ହଟାଇ ରୂପା ଜଡିତ ନୂଆ ଦ୍ୱାର ଲାଗିଲା ଶ୍ରୀମନ୍ଦିରରେ

    ରୂପାରେ ଝଲସିଲା ଶ୍ରୀମନ୍ଦିର ସିଂହଦ୍ୱାର । ଶ୍ରୀ ମନ୍ଦିର ସିଂହଦ୍ୱାର ରୂପା ଛାଉଣୀ କାମ ଶେଷ ହୋଇଛି । ଶାଗୁଆନ୍ କାଠରେ ନବନିର୍ମିତ କବାଟ ସିଂହଦ୍ୱାରରେ ଲାଗିବା ପରେ ମୁମ୍ବାଇରୁ ଆସିଥିବା କାରିଗରମାନେ ଏହା ଉପରେ ବିଭିନ୍ନ ଡିଜାଇନର ରୂପା ପ୍ଲେଟ ସବୁ ଲଗାଇଛନ୍ତି । ଧାର୍ଯ୍ୟ ସମୟର ବହୁ ଆଗରୁ ଏହି କାମ ଶେଷ ହୋଇଛି । ଶ୍ରୀମନ୍ଦିର ସିଂହ ଦ୍ୱାର ସମ୍ପୂର୍ଣ୍ଣ ଭାବେ ନୂଆ ତିଆରି କରାଯାଇଛି ।

    ପୁରୁଣା ଦ୍ୱାରକୁ ହଟାଇ ଶାଗୁଆନ୍ କାଠରେ ନୂଆ ଦ୍ୱାର ଲଗାଯାଇଛି । ମୁମ୍ବାଇରୁ ଆସିଥିବା ୧୩ ଜଣ କାରିଗର ଶାଗୁଆନ କାଠରେ ପୂର୍ବର ସିଂହଦ୍ୱାର ଭଳି ଅବିକଳ ଦ୍ୱାର ନିର୍ମାଣ କରିଛନ୍ତି । ଏହା ଉପରେ ରୂପାର କାରୁକାର୍ଯ୍ୟ ରହିଛି । କବାଟର ଚାରିକୋଣରେ ରୂପାର ପତଳା ପ୍ଲେଟ୍ ଲାଗିବା ପରେ ମଝିରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଡିଜାଇନର ବର୍ଗାକାର ରୂପା ପ୍ଲେଟ୍ ଲଗାଯାଇଛି । ସେହିପରି ଦୁଇ ପାଶ୍ୱର୍ରେ ଦୁଇଟି ସିଂହମୂର୍ତ୍ତି ଲଗାଯାଇଛି । ଏହି ଦ୍ୱାରରେ ମା’ ଲକ୍ଷ୍ମୀ ସାଆନ୍ତାଣୀ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ଭବ୍ୟ ସ୍ୱାଗତ କରିବେ । ସେପଟେ ନୀଳାଦ୍ରୀ ବିଜେ ପୂର୍ବରୁ ସିଂହଦ୍ୱାର ରଙ୍ଗକାମ ମଧ୍ଯ ଶେଷ ହୋଇଛି।

    ସିଂହଦ୍ଵାରର ପୁରୁଣା ପିତ୍ତଳଦ୍ୱାରକୁ ବାହାର କରାଯାଇ ହେରାପଞ୍ଚମୀ ଦିନ ରାତିରେ ଲୁହା ଫ୍ରେମ୍ ରେ ବର୍ମାଟିକ କାଠର କବାଟ ସଂଯୋଗ କରାଯାଇଥିଲା। ତା ଉପରେ ଉତ୍କଳୀୟ ଢାଞ୍ଚାରେ ପ୍ରସ୍ତୁତ ରୂପା ଚଦରକୁ ଛାଉଣୀ କରାଯାଇଥିଲା। ନିତିକାନ୍ତିକୁ ନେଇ ରୂପା ଦ୍ୱାର ସଂଯୋଗ ହେବା ପର୍ଯ୍ୟନ୍ତ ଏକ ଅସ୍ଥାୟୀ ଦ୍ୱାର ଲଗାଯାଇଥିଲା। ସେପଟେ ବର୍ମାଟିକ କାଠରେ ପ୍ରସ୍ତୁତ ଏହି ଦ୍ୱାର ଉପରେ ସମ୍ପୂର୍ଣ୍ଣ ରୂପାଛାଉଣୀ କରାଯାଇଛି। ଏହି ଦ୍ୱାରରେ ମଧ୍ୟ ଏକ ଚୋରା କବାଟ ରହିଛି। ଏହିପଟେ ମନ୍ଦିର ଭିତରେ ରହିଯାଇଥିବା ଭକ୍ତ ଓ ସେବକ ଆସିଥାନ୍ତି। 

    ସେପଟେ ପୂର୍ବରୁ ଶ୍ରୀମନ୍ଦିର ଭିତରେ ଆଠ ଗୋଟି ଦ୍ୱାର ରୂପା ଛାଉଣୀ ସରିଥିବା ବେଳେ ସିଂହଦ୍ୱାର ରୂପା ଛାଉଣୀ ମୁମ୍ବାଇର ଜଣେ ଦାତାଙ୍କ ଦାନରୁ ସମ୍ଭବ ହୋଇଛି। ଏହି ଦାତା ପୁରୀ ଶ୍ରୀମନ୍ଦିରକୁ ୫ କେଜିର ସୁନା ଦାନ କରିଥିଲେ। ସେହି ରୂପାରେ  ଚାଦର ତିଆରି କରି ପାରମ୍ପରିକ ଡିଜାଇନ କରାଯାଇଛି।  ନିଳାଦ୍ରୀ ଭକ୍ତ ନିବାସରେ ରୂପାଦ୍ୱାର ନିର୍ମାଣ କରାଯାଇଥିଲା। ଆବଶ୍ୟକୀୟ ଏନଓସି ଏଏସଆଇ ଠାରୁ ଅଣାଯିବା ପରେ ଦୁଆର କାର୍ଯ୍ୟ ହୋଇଚି।  ଏଥିସହ ୨୪ ଘଣ୍ଟିଆ ସଶସ୍ତ୍ର ପୋଲିସ ପ୍ରହରା ଓ ସିସିଟିଭି କ୍ୟାମେରା ଲଗାଯାଇ ଶ୍ରୀମନ୍ଦିର ସିଂହଦ୍ଵାର ରୂପା ଛାଉଣୀ କରାଯାଇଥିଲା।‌

     ସେହିପରି ମହାପ୍ରଭୁଙ୍କ ରତ୍ନ ପଲଙ୍କର ଆଉ ଏକ ନୂତନ ସେଟ୍ ନିର୍ମାଣ ହେବା ସହ ପୁରୁଣା ରତ୍ନ ପଲଙ୍କର ଆବଶ୍ୟକ ମରାମତି କରାଯିବା ନେଇ ପ୍ରସ୍ତାବ ରହିଛି। ପୁରୁଣା ରତ୍ନ ପଲଙ୍କ ପରି ନୂତନ ରତ୍ନ ପଲଙ୍କର ଓଜନ ସମାନ ରହିବ।   ବାହୁଡା ପୂର୍ବଦିନ  ରାତି ମଧ୍ୟରେ ହିଁ ସିଂହଦ୍ଵାର ରୂପା ଛାଉଣୀ କାର୍ଯ୍ୟ ଶେଷ କରିବାକୁ  ଶ୍ରୀମନ୍ଦିର କୋର କମିଟି ଓ ପରିଚାଳନା କମିଟି ସଦସ୍ୟ ମାନେ ସିଂହଦ୍ଵାର ଅନୁଧ୍ୟାନ କରି ନିସ୍ପତି ନେଇଥିଲେ। ତେବେ

     ପୂର୍ବରୁ ଶ୍ରୀମନ୍ଦିରର ଜୟବିଜୟ, ବେହେରଣ ଓ କଳାହାଟ ଦ୍ୱାର ସମେତ ମହାଲକ୍ଷ୍ମୀଙ୍କଗର୍ଭଦ୍ୱାର,ବିମଳା, ସାତପାହାଚ, ନୃସିଂହ ଏବଂ ପଶ୍ଚିମ ଭୋଗମଣ୍ଡପ ଦ୍ୱାରକୁ ମିଶାଇ ମୋଟ ଆଠ ଗୋଟି ଦ୍ଵାରକୁ ରୁପା ଛାଉଣୀ କରାଯାଇଛି। ତେବେ ଆଗାମୀ ଦିନ ରେ ଶ୍ରୀ ମନ୍ଦିର ର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ଵାର କୁ ମଧ୍ୟ ରୁପା ଛାଉଣି ପାଇଁ ଯୋଜନା ରହିଛି।

  • ସୁନାବେଶ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ସମୟ ଅନୁସାରେ ଚାଲିଛି ନୀତିକାନ୍ତି

    ସୁନାବେଶ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ସମୟ ଅନୁସାରେ ଚାଲିଛି ନୀତିକାନ୍ତି

    ଆଜି ସନ୍ଧ୍ୟା ୫ଟାରେ ମହାପ୍ରଭୁଙ୍କ ସୁନା ବେଶ ଆରମ୍ଭ ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଅନୁଯାୟୀ ଏହି ସମୟ ନିର୍ଦ୍ଧାରଣ କରଯାଇଛି । ରଥ ଉପରେ ବିରାଜମାନ କରିଥିବା ଶ୍ରୀଜିଉଙ୍କ ସମସ୍ତ ନୀତି ଅନୁଷ୍ଠିତ ହେଉଛି । ପରମ୍ପରା ଅନୁଯାୟୀ ରଥ ଉପରେ ଶ୍ରୀଜିଉଙ୍କୁ ଶୁଖିଲା ଭୋଗ ଅର୍ପଣ ହେଉଛି । ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଥିଲା । ରଥ ସମ୍ମୁଖରେ ଭକ୍ତମାନେ ଦୀପ ଜାଳି ନିଜର ମନ କଥା ମହାପ୍ରଭୁଙ୍କୁ ଜଣାଇଛନ୍ତି । ମହାପ୍ରଭୁଙ୍କ ଚିତାକର୍ଷକ ସୁନା ବେଶ ଦର୍ଶନ ପାଇଁ ରଥ ନିକଟରେ ଭକ୍ତଙ୍କ ଭିଡ଼ ଜମିଲାଣି ।

    ଆଜିର ନୀତି ନିର୍ଘଣ୍ଟ ଅନୁଯାୟୀ ସଠିକ୍ ଭାବେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଜାରି ରହିଛି । ଅପରାହ୍ମ ୩ଟା ସୁଦ୍ଧା ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ଶେଷ ହେବ । ଏହା ପରେ ମଇଲମ, ଶାଢ଼ି, ଖଣ୍ଡୁଷ ଲାଗି, ସନ୍ଧ୍ୟା ଆଳତୀ,ଏକାଦଶୀ ସର୍ବାଙ୍ଗ ନୀତି ଶେଷ ପରେ ସନ୍ଧ୍ୟା ୫ଟାରୁ ସୁନା ବେଶ ଆରମ୍ଭ ହେବ । ରାତି ୧୨ଟାରେ ବଡ଼ ସିଂହାର ବେଶ, ବଡ଼ ସିଂହାର ଭୋଗ ଓ ରାତି ଗୋଟାଏରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ପୁସ୍ତିକାରେ ସୂଚନା ଦିଆଯାଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ ବିଳମ୍ୱିତ ରାତି ଯାଏ ମହାପ୍ରଭୁଙ୍କ ସୁନା ବେଶ ଅନୁଷ୍ଠିତ ହେବ ।

    ସେପଟେ ଭକ୍ତଙ୍କ ସୁରକ୍ଷା ପାଇଁ ପୁରୀରେ ୯୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ସ୍ଵତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ କାର୍ଯ୍ୟକାରୀ କରାଯାଇଛି । ଭକ୍ତମାନେ ବଡ଼ ଦାଣ୍ଡ ମାର୍କେଟ ଛକରୁ ବାରିକେଡରେ ଆସି ଶ୍ରୀମନ୍ଦିର ସିଂହ ଦ୍ଵାରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

  • ବାହୁଡ଼ା’ରେ ତାଳଧ୍ୱଜ ରଥ ଦଉଡ଼ି ଛିଣ୍ଡି ଦଳାଚକଟା ପରିସ୍ଥିତି, ଏକାଧିକ ଗୁରୁତର

    ବାହୁଡ଼ା’ରେ ତାଳଧ୍ୱଜ ରଥ ଦଉଡ଼ି ଛିଣ୍ଡି ଦଳାଚକଟା ପରିସ୍ଥିତି, ଏକାଧିକ ଗୁରୁତର

    ବାହୁଡ଼ାଯାତ୍ରାରେ ରଥଟଣାବେଳେ ବିଶୃଙ୍ଖଳା ଦେଖିବାକୁ ମିଳିଛି । ତାଳଧ୍ବଜ ରଥ ଦଉଡ଼ି ଛିଣ୍ଡି ଜଣେ ଭୋଇ ସେବକଙ୍କ ସମେତ ୮ ଜଣ ଗୁରୁତର ହୋଇଛନ୍ତି । ଗତ କିଛି ବର୍ଷ ଧରି କୌଣସି ରଥର ଦଉଡ଼ି ଛିଣ୍ଡି ନଥିବା ବେଳେ ଏବର୍ଷ ଏହି ଦଉଡ଼ି ଛିଣ୍ଡିଯାଇଥିଲା । ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଳଧ୍ୱଜ ରଥ ଦଉଡ଼ିକୁ ଭୋଇ ସେବାୟତମାନେ ତାଣରେ ବାନ୍ଧିଥିଲେ ।

    ମାତ୍ର ତାଳଧ୍ୱଜ ରଥ ମାର୍କେଟ ଛକରେ ପହଞ୍ଚିବା ପରେ ଏହି ରଥ ଦଉଡ଼ିଟି ତାଣରୁ ଖସିଯାଇଥିଲା । ରଥ ଦଉଡ଼ି ଧରିଥିବା ଭୋଇ ସେବାୟତ ନକୁଳ ଭୋଇଙ୍କ ସମେତ ଆଉ କିଛି ଭକ୍ତ ତଳେ ପଡ଼ି ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ନକୁଳ ଗୁରୁତର ଆହତ ହୋଇଥିଲେ । ଏହାପୂର୍ବରୁ ବଳଗଣ୍ଡି ଛକରେ ତାଳଧ୍ୱଜ ରଥ ଦଉଡ଼ି ଛିଣ୍ଡି ଯାଇଥିଲା । ଏଥିରେ ୬ ଜଣ ମଧ୍ୟ ଗୁରୁତର ଆହତ ହୋଇଥିଲେ । ସଦର ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା ।

    ରଥଟଣା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସମ୍ମୁଖରେ ଦଳାଚକଟା ପରିସ୍ଥିତି ଦେଖିବାକୁ ମିଳିଥିଲା । ଝାରସୁଗୁଡ଼ାର ସସ୍ମିତା ନାମକ ଜଣେ ଯୁବତୀ ଗୁରୁତର ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସସ୍ମିତାଙ୍କ ସମ୍ମୁଖରେ ଥିବା ଜଣେ ଭକ୍ତ ପଡ଼ିଯିବାରୁ ସେ ମଧ୍ୟ ତାଙ୍କ ଉପରେ ଝୁଣ୍ଟି ବଡ଼ଦାଣ୍ଡରେ ପଡ଼ି ଯାଇଥିଲେ । ଫଳରେ ରଥ ଟାଣୁଥିବା ଭକ୍ତମାନେ ତାଙ୍କୁ ଦଳିଚକଟି ଆଗକୁ ମାଡ଼ି ଯାଇଥିଲେ । ସସ୍ମିତାଙ୍କ ମୁହଁ, ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା ।

    ବାହୁଡ଼ାଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହେବା ପରେ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ଥିବାରୁ ତାମଜାନ ଆସି କୁମ୍ଭକାର ନିଯୋଗ ସମ୍ମୁଖରେ ରଖାଯାଇଥିଲା । ଗଜପତିଙ୍କୁ ତାମଜାନରେ ବସାଇ ତିନି ରଥ ନିକଟକୁ ନିଆଯାଉଥିବା ବେଳେ ତାମଜାନର ରୂପା ଚକ୍ର ବାଜି ଶ୍ରୀନହର ସେବାୟତ ରଜନୀକାନ୍ତ ପରିଡ଼ା ଆହତ ହୋଇଥିଲେ । ତାଙ୍କ ମୁଣ୍ଡ ଫାଟି ଯାଇଥିବାରୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

    ଚଳିତଥର ବାହୁଡ଼ାଯାତ୍ରାରେ ଏଭଳି ଅଘଟଣକୁ ନେଇ ଭକ୍ତଙ୍କ ମନରେ ସାମାନ୍ୟ ଅସନ୍ତୋଷ ଦେଖାଦେଇଥିଲା । ଆଜି ମହାପ୍ରଭୁଙ୍କ ସୁନବେଶ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଜମିଛି ।

  • ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ୩ ଠାକୁର, ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

    ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ୩ ଠାକୁର, ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

    ଆଜି ବାହୁଡ଼ା ଯାତ୍ରାରେ ପୁରୀରେ ନାହିଁ ନଥିବା ଭିଡ଼ । ମହାପ୍ରଭୁଙ୍କ ଦର୍ଶନ କରି ଟିକିଏ ଆଶୀର୍ବାଦ ପାଇବା ପାଇଁ ଭିଡ଼ ଜମାଇଛନ୍ତି ଶ୍ରଦ୍ଧାଳୁ । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ମହାବାହୁ । ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ଅପେକ୍ଷାରେ ରହିଛି । ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି ।

    ଧାଡ଼ି ପହଣ୍ଡିରେ ରଥରେ ବିଜେ ହୋଇଛନ୍ତି ବଡ଼ ଠାକୁର ପ୍ରଭୁ ବଳଭଦ୍ର । ଘଣ୍ଟଘଣ୍ଟା,ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ଶରଧାବାଲି । ଟାହିଆ ହଲାଇ ଶରଧାବାଲିରେ ଝୁଲିଝୁଲି ଆସିଛନ୍ତି ବଡ଼ ଠାକୁର । ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଶେଷ ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼ ଜମିଛି । ଆଜି ବାହୁଡ଼ା ଯାତ୍ରା ସରିବା ପରେ ପୁଣି ଥରେ ଆସନ୍ତା ବର୍ଷକୁ ଅପେକ୍ଷା କରିବାକୁ ପଡ଼ିବ ।

    ଏହି ବାହୁଡ଼ା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଶ୍ରୀକ୍ଷେତ୍ରରେ ୧୮୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଟ୍ରାଫିକ ଓ ଶୃଙ୍ଖଳିତ ରଥଟଣା ଉପରେ ଫୋକସ କରିଛି ପ୍ରଶାସନ । ଜରୁରୀକାଳୀନ ସେବା ପାଇଁ ଗ୍ରୀନ୍ କରିଡର ବ୍ୟବସ୍ଥା ହୋଇଛି । ସୁନାବେଶରେ ମଧ୍ୟ ଭକ୍ତଙ୍କ ବେଶ୍ ସମାଗମ ହେବ । ଏହାକୁ ଲକ୍ଷ୍ୟ ରଖି ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ରଥଯାତ୍ରା ପରେ ବାହୁଡ଼ା ଯାତ୍ରା,ଆଉ ତାପରେ ସୁନାବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ ।

  • ସରିଲା ଜନ୍ମବେଦୀରେ ଲୀଳାଖେଳା

    ସରିଲା ଜନ୍ମବେଦୀରେ ଲୀଳାଖେଳା

    ସରିଲା ଜନ୍ମବେଦୀରେ ଲୀଳାଖେଳା । ଆଜି ପୁଣି ରତ୍ନବେଦି ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଶ୍ରୀଜିଉମାନଙ୍କ ଅପେକ୍ଷାରେ ଦଣ୍ଡାୟମାନ ହୋଇଛନ୍ତି ତିନି ରଥ। ବାହୁଡ଼ା ଯାତ୍ରା ପାଇଁ ହୋଇଛି ନୀତିନିର୍ଘଣ୍ଟ । ଭୋର ୪ଟାରୁ ମଙ୍ଗଳ ଆଳତି କରାଯାଇଥିବାବେଳେ ୫ଟା୪୫ରୁ ୬ଟା ୪୫ ମଧ୍ୟରେ ହୋଇଛି ଗୋପାଳ ବଲ୍ଲଭ ଓ ସକାଳ ଧୂପ । ମଧ୍ୟାହ୍ନ ୧୨ଟାରୁ ସାଢେ ୨ଟା ମଧ୍ୟରେ ହେବ ବାହୁଡା ପହଣ୍ଡି । ଦିନ ଗୋଟାଏରୁ ସାଢେ ୨ଟା ମଧ୍ୟରେ ଶେଷ ହେବ ବେଶ । ପରେ ଅପରାହ୍ନ ସାଢେ ୨.୩୦ଟାରୁ ୩ଟା ୩୦ମଧ୍ୟରେ ଛେରା ପହଁରା କରାଯାଇ ଅପରାହ୍ନ ୪ଟାରୁ ଆରମ୍ଭ ହେବ ରଥଟଣା ।ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ବାହୁଡ଼ାଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତିକୁ ଶ୍ରୀମନ୍ଦିର ପ୍ରଶାସନ ଅଧିକ ଗୁରୁତ୍ୱ ଦେଇଛି। ସେହିପରି ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା କୁ ଆଖିଆଗରେ ରଖି ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଏବଂ ଜରୁରୀକାଳୀନ ସେବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା ହୋଇଛି ।

  • ଆଜି ୩ ରଥର ଦକ୍ଷିଣ ମୋଡ଼, ଅପେକ୍ଷା କରିଛି ଶରଧାବାଲି

    ଆଜି ୩ ରଥର ଦକ୍ଷିଣ ମୋଡ଼, ଅପେକ୍ଷା କରିଛି ଶରଧାବାଲି

    କେଇଟା ଦିନ ପରେ ବାହୁଡ଼ା ଯାତ୍ରା । ରତ୍ନବେଦୀରୁ ଜନ୍ମବେଦୀକୁ ଫେରିବେ କାଳିଆ ଠାକୁର । ଏଥିପାଇଁ ସେବାୟତଙ୍କ ପକ୍ଷରୁ ପ୍ରତିଦିନ ନୀତିକାନ୍ତି ଜାରି ରହିଛି । ଆଜି ୩ ରଥର ଦକ୍ଷିଣମୋଡ଼ ହେବ । ରଥଯାତ୍ରା ପରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅଟକି ରହିଛନ୍ତି ତିନି ରଥ । ଆଜି ଏହି ରଥ ଦକ୍ଷିଣମୋଡ଼ ନେବେ । ନାକଚଣା ଦ୍ୱାରସ୍ଥିତ ଶରଧାବାଲିରେ ବିଜେ କରିବେ । ଏଥିପାଇଁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ପୁରାପୁରି ସଫାସୁତରା କରାଯାଇଛି । ଆସନ୍ତାକାଲି ସେବାୟତ ଓ ପୋଲିସ ସହଯୋଗରେ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବ ।

    ବାହୁଡ଼ାଯାତ୍ରା ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି । ରଥଯାତ୍ରା ପରଠାରୁ ୩ ରଥ ଉତ୍ତରମୁହାଁ ହୋଇ ରହିଥିବା ବେଳେ ଆଜି ୩ ରଥକୁ ଦକ୍ଷିଣ ମୋଡ଼ କରି ରଖାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି ହୋଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ଼ ନେବେ । ଶରଧାବାଲିରେ ବାହୁଡ଼ା ଯାତ୍ରା ପାଇଁ ରଥ ଗୁଡ଼ିକୁ ପ୍ରସ୍ତୁତ କରି ରଖାଯିବ । ପରମ୍ପରା ଅନୁଯାୟୀ, ଦକ୍ଷିଣ ମୋଡ଼ ପାଇଁ ପ୍ରଥମେ ଶରଧାବାଲିକୁ ଯିବ ମା’ସୁଭଦ୍ରାଙ୍କ ଦର୍ପଦଳନ ରଥ । ପରେ ବଡ଼ ଠାକୁରଙ୍କ ତାଳଧ୍ୱଜ ଓ ଶେଷରେ ଯିବ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ।

    ଆଜି ମଧ୍ୟାହ୍ନ ସାଢ଼େ ୧୨ଟାରେ ରଥ ଆଜ୍ଞାମାଳ ବିଜେ ହେବ । ଅପରାହ୍ଣ ଗୋଟାଏ ସୁଦ୍ଧା ପ୍ରଥମ ଭୋଗମଣ୍ଡପ ଉଠିବା ପରେ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ ସର୍ବାଙ୍ଗ ନୀତି ସାଢ଼େ ୨ଟା ଭିତରେ ଶେଷ ହେବ । ଅପରାହ୍ଣ ୩ଟାରେ ମହାପ୍ରଭୁଙ୍କୁ ନୂଆ ଲୁଗା ଲାଗି ଓ ବେଶ ହେବ । ସନ୍ଧ୍ୟା ୬ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ମଇଲମ,ବେଶ, ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ ନୀତି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଆଜି ଦକ୍ଷିଣ ମୋଡ଼, ଆଗକୁ ବାହୁଡ଼ା ଯାତ୍ରା । ସେଥିପାଇଁ ଭକ୍ତଙ୍କ ଭିଡ଼ ବି ଜମୁଛି । ପ୍ରଭୁଙ୍କ ଲୀଳା ଦେଖିବା ପାଇଁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ବେଶ୍ ସମାଗମ ହେଉଛି ।

  • ଅନଲାଇନରେ ଜଗନ୍ନାଥଙ୍କୁ ନେଇ ଚାଲିଛି ବେପାର, ହଜାର ହଜାର ଭକ୍ତ ଠକାମିର ଶିକାର

    ଅନଲାଇନରେ ଜଗନ୍ନାଥଙ୍କୁ ନେଇ ଚାଲିଛି ବେପାର, ହଜାର ହଜାର ଭକ୍ତ ଠକାମିର ଶିକାର

    ମହାପ୍ରଭୁଙ୍କ ନାମରେ ଭକ୍ତଙ୍କୁ ଠକେଇ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ  ଭୋଗ ଲଗେଇବାକୁ କହି ଭକ୍ତଙ୍କୁ ଲଗାଯାଉଛି ଚୂନ। ଅନ୍‌ଲାଇନ  ବିଜ୍ଞାପନରେ ଚାଲିଛି ଏହି କେଳେଙ୍କାରୀ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସାରା ବିଶ୍ବରେ ରହିଛନ୍ତି ଭକ୍ତ। ଭକ୍ତ ନିଜ ଭକ୍ତି ଅର୍ଘ୍ୟ ପ୍ରଭୁଙ୍କ ନିକଟରେ ଅର୍ପଣ କରିବାକୁ ବ୍ୟାକୁଳ। ଏହାର ସୁଯୋଗ ନେଇ ଅନଲାଇନ ଠକ, ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ‘ଉତ୍ସବ’ ନାମକ ଏକ ଆପ୍‌ ଦ୍ୱାରା ପଶ୍ଚିମବଙ୍ଗରର ଜଣେ ବ୍ୟକ୍ତି ହଜାର ହଜାର ଭକ୍ତଙ୍କୁ ଠକିବାର ହେଉଛନ୍ତି ଅଭିଯୋଗ।

    ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାର ପୂଜା ଓ ଭୋଗ ଲାଗି ପାଇଁ ପୃଥକପୃଥକ ରେଟ୍ ଚାର୍ଟ ରହିଛି ଆପରେ । ଶ୍ରୀବିଗ୍ରହଙ୍କ  ମାସିକିଆ ପୂଜା ପାଇଁ ୮,୧୦୦ ଟଙ୍କା,  ରଥଯାତ୍ରାରେ ସ୍ବତନ୍ତ୍ର ଭୋଗ ପାଇଁ ୪, ୫୦୧ ଟଙ୍କା,  ଶ୍ରୀମନ୍ଦିରରେ ଧ୍ଵଜା ବାନ୍ଧିବାକୁ ୨,୧୫୧ ଟଙ୍କା ପରି ବିଭିନ୍ନ ପୂଜା ବିଧି ପାଇଁ ରହିଛି ଭିନ୍ନ ଭିନ୍ନ ରେଟ। ବର୍ତ୍ତମାନ ସୁଦ୍ଧା ଏହି ଆପ୍ ମାଧ୍ୟମରେ ଅନ୍‌ଲାଇନ ଭୋଗ ଲଗାଇବାକୁ ୩,୭୦୦ରୁ ଅଧ‌ିକ ଭକ୍ତ ନାମ ପଞ୍ଜିକରଣ କରିଥିବା ଆପରୁ ଜଣାପଡିଛି। କାଳିଆ ନାମରେ ଏପରି ମହା ଠକେଇର ଖୁଲାସା ହେବା ପରେ ଆରମ୍ଭ ହୋଇଛି ତମ୍ବିତୁଫାନ। ଶ୍ରୀମନ୍ଦିରର ଛାମୁ ଖୁଣ୍ଟିଆ ସେବାୟତ, ଶମ୍ଭୁନାଥ ଖୁଣ୍ଟିଆ ଏନେଇ ଆପତ୍ତି ଉଠାଇବା ସହ ସିଂହଦ୍ଵାର ଥାନାରେ କରିଛନ୍ତି ଅଭିଯୋଗ । ଆପର ମୁଖ୍ୟ   ସୌରଜିତ ବାସୁ,  ପ୍ରଜତ ସାମନ୍ତ ଏବଂ  ଅଙ୍କିତା ଦେଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେଉଛି ଦାବି। 

    ତେବେ  ଏହି ଏତଲା ପରେ ଦେଖିବାକୁ ବାକି ରହିଲା ପୋଲିସ ପ୍ରଶାସନ ଓଡିଆଙ୍କ ଭାବାବେଗ ସହ ଜଡିତ ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ କରାଯାଇଥିବା ପାପ ପାଇଁ କି ପଦକ୍ଷେପ ନେଉଛି ? କେବେ ଏହି ମହାଠକଙ୍କୁ ନିଆଯାଉଛି କାଠଗଡାକୁ?