Category: ପୁରୀ

  • ଆଜି ଶ୍ରୀଜୀଉଙ୍କୁ ଲାଗିହେବ ଫୁଲୁରୀ ତେଲ

    ଆଜି ଶ୍ରୀଜୀଉଙ୍କୁ ଲାଗିହେବ ଫୁଲୁରୀ ତେଲ

    ଅଣସରରେ ତିନି ଠାକୁର। ୧୦୮ ଗରା ପାଣିରେ ଗାଧୋଇ ଜ୍ୱରରେ ପଡିଛନ୍ତି। ଏହି ଜ୍ୱରର ଉପଚାର ପାଇଁ ଆବଶ୍ୟକ ହୋଇଥାଏ “ଫୁଲୁରି ତେଲ’ ଓ “ଦଶମୂଳ ମୋଦକ’ । ଆଜି ଏହି ଫୁଲରି ତେଲ ଶ୍ରୀ ବିଗ୍ରହଙ୍କ ପାଦରେ ଘସାଯିବ । ଏହାଦ୍ୱାରା ମହାପ୍ରଭୁଙ୍କୁ ଜ୍ୱର ଛାଡି ଯାଏ ବୋଲି କୁହାଯାଏ । ଆଷାଢ଼ କୃଷ୍ଣ ପଞ୍ଚମୀ ବା “ଅଣସର ପଞ୍ଚମୀ’ ଦିନ ରୁ ଆଷାଢ଼ କୃଷ୍ଣ ସପ୍ତମୀ ମଧ୍ୟରେ ଏହି ନୀତି ହୋଇଥାଏ । ଆଜି ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି ହେବ । ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଓଡ଼ିଆ ଭାଗବତକାର ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ବଡ଼ଓଡ଼ିଆ ମଠ ଏହା ଯୋଗାଇ ଥାଆନ୍ତି । ବଡ଼ଓଡ଼ିଆ ମଠ ଏହି ତେଲକୁ ପ୍ରସ୍ତୁତ କରିଥିବାବେଳେ ପ୍ରଥମେ ଶୋଭାଯାତ୍ରା ସହକାରେ ଶ୍ରୀମନ୍ଦିରକୁ ଫୁଲୁରୀ ତେଲକୁ ବିଜେ କରା ଯାଇଥାଏ । ବୈଦ୍ୟଙ୍କ ପରାମର୍ଶକ୍ରମେ ଅଣସର ପିଣ୍ଡିରେ ଶ୍ରୀଜୀଉଙ୍କୁ ଏହି ଫୁଲୁରୀ ତେଲର ଚିକିତ୍ସା ସେବା ଯୋଗାଇ ଦିଆଯାଏ ।

    ପରମ୍ପରା କ୍ରମେ ଅସୁସ୍ଥ ଶ୍ରୀଜୀଊମାନେ ଏବେ ସୁସ୍ଥ ହେଉଛନ୍ତି। ଶୟନ ଅବସ୍ଥାରୁ ବିଗ୍ରହମାନଙ୍କୁ ବସାଇବା ଉପକ୍ରମ ଆରମ୍ଭ ହୋଇଛି। ଏଣେ ଲୌକିକ ମତରେ ଜ୍ୱରଗ୍ରସ୍ତ ଠାକୁରମାନଙ୍କ ଦେହରୁ ମଜରା ଛଡାଇବାକୁ କରାଯିବ ଉପଚାର। ଶ୍ରୀଅଙ୍ଗକୁ ସୁସ୍ଥ କରିବାକୁ ଆଜି ମାଲିସ୍‌ ହେବେ ଫୁଲୁରୀ ତେଲ। ବଡ଼ଓଡ଼ିଆ ମଠ ପ୍ରତିବର୍ଷ ଅଣସରରେ ୬ ସେର ଫୁଲୁରୀ ତେଲ ଯୋଗାଯାଇଥାଏ । କେବଳ ନବକଳେବର ବର୍ଷରେ ୯ ସେର ଫୁଲୁରୀ ତେଲ ଦିଆ ଯାଇଥାଏ । ଆଷାଢ଼ କୃଷ୍ଣ ପଞ୍ଚମୀରୁ ସପ୍ତମୀ ଫୁଲୁରୀ ତେଲ କୁ ଲାଗି କରାଜାଇଥାଏ । ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ହୋଇଥାଏ । ବର୍ଷେ ପୂର୍ବରୁ ହେରାପଞ୍ଚମୀ ତିଥିରେ ତିନୋଟି ତିନି ସେରିଆ ମାଟି ଘଡ଼ିର ଆବଶ୍ୟକତା ରହିଥାଏ । ତିନି ଘଡ଼ିରେ ଘଣା ପେଡ଼଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଆଦି ଫୁଲର ମିଶ୍ରଣ, ଶାଳ ପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣି ବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ୱାଗୋତି, ଦେଶୀ ଘିଅ, ମହୁ, ନବାତ, ଖୁଆସର ଅଦିକୁ ମିଶାଇ ଏକ ବର୍ଷ ପର୍ଯ୍ୟନ୍ତ ମାଟି ତଳେ ପୋତା ହୋଇ ରଖାଯାଇଥାଏ । ଯାହାକୁ ଫୁଲରୀ ତେଲ ବୋଲି କୁହାଯାଇଥାଏ । ଏହି ମିଶ୍ରଣକୁ ମାଟିତଳେ ଦୀର୍ଘ ଏକ ବର୍ଷ କାଳ ରଖିବା ପରେ ଦେବସ୍ନାନ ପୂର୍ଣ୍ଣିମା ଦିନ ମାଟିରୁ ବାହାର କରାଯାଇଥାଏ। ଏହି ଅବଧିରେ ଏହି ମିଶ୍ରିତ ତୈଳ ଔଷଧରେ ରୁପାନ୍ତରିତ ହୋଇଥାଏ। ଆୟୁର୍ବେଦ ଶାସ୍ତ୍ର ମୁତାବକ ଏ ସମ୍ପସ୍ତ ଫୁଲ ଓ ବେଣା ଚେରରେ ରହି ଦେହକୁ ଉଷ୍ମତା ପ୍ରଦାନ କରିବାର ଶକ୍ତି ଦେବ। ଏଣୁ ମହାପ୍ରଭୁମାନେ ପ୍ରବଳ ସ୍ନାନ ଯୋଗୁ ଅସୁସ୍ଥ ହୋଇପଡିଥିବା କଳ୍ପନା କରାଯାଇ ଶ୍ରୀଅଙ୍ଗରେ ଏହି ତୈଳ ମର୍ଦ୍ଦନ କରାଯାଇଥାଏ। ଏହି ଫୁଲରୀ ତେଲ ମାଲିସ ପରେ ଶ୍ରୀଜିଉ କିଛି ଅଂଶରେ ସୁସ୍ଥ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ଏହି ତେଲକୁ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି ପାଇଁ ପଠାଯାଏ ।

    ଦେଉଳ କରଣଙ୍କ ନେତୃତ୍ୱରେ ଏହାକୁ ଅଣସର ଗୃହକୁ ଆଣାଯିବା ପରେ ପତି ମହାପାତ୍ର ସେବକ ୩ଟି ରୂପା ପିଙ୍ଗଣରେ ଫୁଲୁରୀ ତେଲ ନେଇ ସଂସ୍କାର କରିବା ପରେ ଏହି ତେଲକୁ ଦଇତାପତି ସେବକ ମାନେ ଚତୁର୍ଦ୍ଦା ବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି କରାଇଥାନ୍ତି । ମହାପ୍ରଭୁଙ୍କ ଗୁପ୍ତନୀତି ମଧ୍ୟରେ ଫୁଲୁରୀ ତେଲ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି ତେଳ ପ୍ରସ୍ତୁତ ମହୌଷଧି ଲାଗି ହେବା ପରେ ମହାପ୍ରଭୁ ସୁସ୍ଥ ହେବେ ଏବଂ ନବଯୌବନ ପ୍ରାପ୍ତି ହେବ।

  • ତିନି ରଥର ଚକଅଖ ଡେରା ନୀତି ସମ୍ପନ୍ନ

    ତିନି ରଥର ଚକଅଖ ଡେରା ନୀତି ସମ୍ପନ୍ନ

    ପବିତ୍ର ଶ୍ରୀ କ୍ଷେତ୍ର ଭଉଁରୀ ଅବସରରେ ଶ୍ରୀକ୍ଷେତ୍ରରେ ସମ୍ପର୍ଣ୍ନ ହୋଇଛି ତିନି ରଥର ଚକଅଖ ଡେରା ନୀତି | ସକାଳ ଧୂପ ବଢିବା ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକ ମାନେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରାଇବା ପରେ ତିନି ରଥର ଦୁଇଟି ଲେଖାଏଁ ନାହାକା ଚକ ସହ ଗୋଟିଏ ଲେଖାଏଁ ନାହାକା ଅଖ ଡେରା ଯାଇଥିଲା | ଆଜିର ଏହି ଚକ ଅଖ ଡେରା ନିତୀ ସମ୍ପର୍ଣ୍ନ ପରେ ଏଵେ ରଥ ନିର୍ମାଣର ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହୋଇଛି | ସେପଟେ ଏହି ଅନନ୍ୟ ଦୃଶ୍ୟକୁ ଦେଖି ବେଶ୍ ଖୁସି ପ୍ରକଟ କରିଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ।

    ରଥ ସଂହିତା ମୁତାବକ ଆଜି ରଥଖଳାରେ ସମ୍ପାଦିତ ହୋଇଛି ଚକାଡେରା ନୀତି। ପରମ୍ପରା ଅନୁଯାଇ ଆଜି ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଏକ ପଟୁଆରରେ ଆଜ୍ଞାମାଳ, ଘଣ୍ଟ ଛତା, କାହାଳି ସହ ଶ୍ରୀନଅରକୁ ଅଣାଯାଇଥିଲା। ଏହାପରେ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶକ୍ରମେ ଭୋଇ ସେବାୟତମାନେ ୩ ରଥର ଅଖରେ ୨ଟି ଲେଖାଏଁ ଚକକୁ ସଂଯୋଗ କରି ପ୍ରଥମ ହରିବୋଲ ପକାଇଥିଲେ। ଏହାପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳକୁ ରଥ ଚକ ଉପରେ ରଖି ଚକଡେରା କାମକୁ ଅନୁକୂଳ କରିଥିଲେ। ପବିତ୍ର ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ଭଉଁରୀ ତିଥିରେ ପ୍ରଥମ ଚକଅଖ ସଂଯୋଗ କରାଯାଇଛି।

    ସେପଟେ ଭକ୍ତଙ୍କ ଭିଡ ଓ ଶୃଙ୍ଖଳିତ ନୀତିକାନ୍ତି ପାଇଁ ପୋଲିସ ତରଫରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ପୋଲିସ ଫୋର୍ସ ମୁତୟନ ସହ ଆଞ୍ୟାମାଳ ବିଜେ ସମୟରେ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଢଙ୍ଗରେ ସମାପନ କରାଯାଇଥିଲା। ସେପଟେ ଆଜି ସକାଳୁସକାଳୁ ଚକଅଖ ଡେରାଯିବା ପୂର୍ବରୁ ତିନିରଥର ଦୁଇଟି ଲେଖାଏଁ ଚକ ରଥଖଳାରୁ ଆସି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରହିବା ପରେ ସେଥିରେ ପାଣିଆଆପଟ ସେବକଙ୍କ ଦ୍ବାରା ପାଣି ଢଳାଯାଇ କମାର ସେବକଙ୍କ ଦ୍ବାରା ପନ୍ଧାରୀରେ ଯୋଖିଆ ବାଡିଆ ଅନୁକୂଳ ହୋଇଥିଲା।

    ପରେ ଅଖରେ ପୋଲାଙ୍ଗ ତେଲ ବୋଳା ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟ ଅନୁଯାଇ ନୀତିକାନ୍ତି ସମାପନ ହୋଇଥିବାବେଳେ ଚକଅଖ ଡେରା ନୀତିରେ ସୁରୁଖୁରେ ସମ୍ପର୍ଣ୍ଣ ହୋଇଥିଲା । ଅନ୍ୟପଟେ ରଥଖଳାରେ ପ୍ରାୟତଃ ଟି ୨୦ରୁ ଉର୍ଦ୍ଧ ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥନିର୍ମାଣ କାର୍ଯ୍ୟ ଶେଷ ହେଵ ବୋଲି କହିଛନ୍ତି ମହାରଣା ସେବକ । ତେବେ ମହାପ୍ରଭୁଙ୍କ ଏହି ଚକଅଖ ଡେରା ନୀତି ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବା ବେଳେ ଏହାକୁ ଦେଖି ଭକ୍ତ ଶ୍ରଦ୍ଧାଳୁ ବେଶ୍ ଖୁସି ପ୍ରକଟ କରିଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ଭଉଁରୀ ଯାତ୍ରା ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଵା ବେଳେ ଟ୍ରାଫିକ ବ୍ୟବସ୍ଥା ଲାଗି ସ୍ୱତନ୍ତ୍ର ଆଡ଼ଭାଇଜରୀ ଜାରି କରିଛି ପୁରୀ ପୋଲିସ l ଆଗାମୀ ଶୀତଳଷଷ୍ଠୀ ସୁଦ୍ଧା ସମସ୍ତ ୪୨ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହେବାର ପରମ୍ପରା ରହିଥିବା ବେଳେ ଆସନ୍ତା ସ୍ନାନପୁର୍ଣିମା ତିଥିରେ ତିନି ରଥର ଚାରି ନାହାକା ଉଠିବାର ବିଧିବିଧାନ ରହିଛି। ସେପଟେ ଆଜି ସନ୍ଧ୍ୟା ରେ ନରେନ୍ଦ୍ର ପୁଷ୍କରିଣୀ ରେ ମହାପ୍ରଭୁ ଙ୍କ ଭଉଁରୀ ଯାତ୍ରା ଅନୁଷ୍ଠିତ ହେବ l

  • ରଥଯାତ୍ରା ପାଇଁ ପୁରୀ ଏସ୍‌ପିଙ୍କ ସାହି ଗସ୍ତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା

    ରଥଯାତ୍ରା ପାଇଁ ପୁରୀ ଏସ୍‌ପିଙ୍କ ସାହି ଗସ୍ତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା

    ରଥଯାତ୍ରାରେ ଶାନ୍ତିପୂର୍ଣ୍ଣ ଓ ସୁସଂଗଠିତ ଭାବରେ ଭକ୍ତମାନେ ଯାତ୍ରା କରିପାରିବେ ବୋଲି ନିଶ୍ଚିତ କରିବାକୁ, ପୁରୀ ଏସ୍‌ପି ବିନିତ ଅଗ୍ରୱାଲ, ଆଇପିଏସ ପୁରୀର ବିଭିନ୍ନ ସ୍ଥାନ ବୁଲି ଭକ୍ତ ଓ ସାହିରେ ରହୁଥିବା ସ୍ଥାନୀୟ ଲୋକ ମାନଙ୍କ ସୁବିଧା ଓ ଅସୁବିଧା ଅନୁଧ୍ୟାନ କରିଛନ୍ତି । ଏହି ଗସ୍ତ ସମୟରେ ସ୍ଥାନୀୟ ନିବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ଅଭିଯୋଗ ଗୁଡ଼ିକୁ ଗ୍ରହଣ କରିଛନ୍ତି । ମୁଖ୍ୟ ଅଭିଯୋଗ ଗୁଡିକ ହେଉଛି ସ୍ଥାନୀୟ ଯାନବାହନର ନିୟନ୍ତ୍ରିତ ଚଳାଚଳ, ଭକ୍ତମାନେ ନିର୍ଦ୍ଦିଷ୍ଟ ମାର୍ଗ ଜାଣିନଥିବାରୁ ହେଉଥିବା ସମସ୍ୟା ।

    ଏସ୍‌ପି ପୁରୀ ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ଗମ୍ଭୀରତା ସହିତ ଗ୍ରହଣ କରି କମ ସମୟ ମଧ୍ୟରେ ସମାଧାନ କରାଯିବ ବୋଲି ନିଶ୍ଚିତ ଆଶ୍ୱାସନ ଦେଇଛନ୍ତି । ଏହି ଗସ୍ତ ସମୟରେ ଏସ୍‌ପି ରଥଯାତ୍ରା, ବାହୁଡା ଯାତ୍ରା ଓ ସୁନାବେଶ ୨୦୨୫ ପାଇଁ ଭକ୍ତମାନଙ୍କ ଗୁଡିକୁ ଲେନ୍‌ ଭିତ୍ତିକ ଆଗମନ କେମିତି ବଡଦଣ୍ଡକୁ ପ୍ରବେଶ କରାଯିବ ତାହା ଆଲୋଚନା କରିଥିଲେ । ଏହି ଗ୍ରସ୍ତରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୀତ ଅଗ୍ରୱାଲଙ୍କ ସହ ଅତିରିକ୍ତ ଏସ୍‌ପି ସୌମ୍ୟ ରଞ୍ଜନ ମଲ୍ଲିକ, ଅତିରିକ୍ତ ଏସ୍‌ପି ସଚିନ ପଟେଲ, ସିଟି ଡିସିପି ପ୍ରଶାନ୍ତ କୁମାର ସାହୁ, ଟ୍ରାଫିକ ଡିସିପି ରାଜକୁମାର ପରିଡା, ମନ୍ଦିର ଏସି ଘନଶ୍ୟାମ ହେମ୍ବ୍ରମ, ପ୍ରମୁଖ ଉପସ୍ଥିତ ଥିଲେ ।

    ଏସ୍‌ପି ପୁରୀ ସମସ୍ତ ଅଧିକାରୀଙ୍କୁ ସମ୍ବେଦନଶୀଳ ଏବଂ ଭିଡ଼ ଅଞ୍ଚଳ ଚିହ୍ନଟ କରି ମାଇକ୍ରୋ ଯୋଜନା ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ ମନ୍ଦିର ପ୍ରଶାସନ, ପୋଲିସ ଓ ସେଠାକାର ଲୋକମାନଙ୍କ ସହ ସମନ୍ୱୟ ରଖି ଭକ୍ତମାନଙ୍କ ପାଇଁ ସୁରକ୍ଷିତ ଓ ଆଧ୍ୟାତ୍ମିକ ଅନୁଭବ ନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ପୁରୀ ପୋଲିସ ପକ୍ଷରୁ ଜନସାଧାରଣଙ୍କ ସୁବିଧା ଓ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ପ୍ରୟାସ ଜାରି ରହିଛି।

  • ରଥ ଖଳା ହାଲ୍ ଚାଲ୍  : ତିନିରଥର ପଇ ବିନ୍ଧ ଅନୁକୂଳ

    ରଥ ଖଳା ହାଲ୍ ଚାଲ୍ : ତିନିରଥର ପଇ ବିନ୍ଧ ଅନୁକୂଳ

    ଆଜି ତିନି ରଥର ନାହାକା ଚକ ପ୍ରସ୍ତୁତ ପାଇଁ ପଇ ବିନ୍ଧ ଅନୁକୂଳ ପୂଜା । ତିନି ରଥ ମୁଖ୍ୟ ମହାରଣାଙ୍କ ଦ୍ଵାରା ସମ୍ପନ୍ନ ପରେ ତିନି ରଥ ସାଥୀ ମହାରଣା ସେବକ ମାନେ ପଇ ବିନ୍ଧ କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିସହ ଆଜି ତିନି ରଥର ଦୁଇଟି ଲେଖାଏଁ ନାହାକା ଚକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି ରଥର ନାହାକା ତୁମ୍ବରେ ଅଖ ବିନ୍ଧ ପରେ ତିନି ରଥ ମହାରଣା ସେବକ ମାନେ ମାପ ପ୍ରକାରେ ତୁମ୍ବରେ ପନ୍ଦାରି ଗାଡ଼ ଖୋଦେଇ ଶେଷ କଲା ପରେ ମୁଖ୍ୟ ମହାରଣାଙ୍କ ଦ୍ଵାରା ପନ୍ଦାରି ବଳା ଅନୁକୂଳ ପୂଜା ପୂର୍ବକ ତୁମ୍ବରେ ପନ୍ଦାରି ବଳା ବସିବା ବିଧି ସମ୍ପନ୍ନ ହୋଇଥିଲା । ଆଜିର ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ତିନି ରଥର ଦୁଇ ଦୁଇଟି ଲେଖାଏଁ ତୁମ୍ବରେ ଅର ସଂଯୋଗ ହୋଇ ପଇ ପିନ୍ଧା ପରେ ପଇ କଳସା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିସହ ତିନି ରଥ ଆଉ ଦୁଇଟି ଲେଖାଏଁ ତୁମ୍ବ ରେ ସିଙ୍ଗଡ଼ା ବାଡିଆ ପରେ ତୁମ୍ବରେ ଅଖ ବିନ୍ଧ ସହ ପନ୍ଦାରି ବଳା ବସି, ଅର ସାଲ ଶେଷ ହୋଇଛି ।

    ଏଥିସହ ଆଜି ସମାନ୍ତରାଳ ଭାବେ ତିନି ରଥର ୧୧ ଟି ଗୁଜ ୯ ଟି ଜଳ ଯନ୍ତ୍ର, ୪ ଟି ଲେଖାଏଁ କୁଡୁକା ଚଉପଟ କାର୍ଯ୍ୟ ଶେଷ ହୋଇ ରିଖ ଗୁଜ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ତିନି ରଥର ଓଝା ମହାରଣା ସେବକ ମାନେ ନାହାକା ତୁମ୍ବ ଗୁଡ଼ିକର ପନ୍ଦାରି ଏବଂ ତୁମ୍ବ ବଳା ଶେଷ କରିବା ପରେ ବାକି ତୁମ୍ବ ଗୁଡ଼ିକ ନିର୍ମାଣ ପନ୍ଦାରିର ମାଠା କାର୍ଯ୍ୟ ସହ ପନ୍ଦାରି ଚାବି ଏବଂ ଅର କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି । ଦୋଳ ବେଦୀ ଠାରେ ମହାପ୍ରଭୁ ଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ରେ ମହାପ୍ରଭୁଙ୍କ ସେବା ପୂଜା ପାଇଁ ଆବଶ୍ୟକ କାଠ ନିର୍ମିତ ସରଞ୍ଜାମ, ଶ୍ରୀମନ୍ଦିର ବଢାଇ କର୍ମଚାରୀ ଶ୍ରୀ ବସନ୍ତ ମହାରଣାଙ୍କ ସହୋଜୋଗରେ ପାହି ମହାରଣା ନିର୍ମାଣ କରୁଛନ୍ତି ଆଜିସୁଦ୍ଧା ପାଟ ଦଉଡ଼ି ବୋଳିବା ପାଇଁ ବାଉଁଶ ନଳ, ବାଉଁଶ କାଠି, ପୂଜାପଣ୍ଡା ସେବକଙ୍କ ପାଇଁ କୁରୁମ୍ ପିଢ଼ା, ରନ୍ଧା କାର୍ଯ୍ୟ ପାଇଁ ଅଞ୍ଜନା କାଠି ନିର୍ମାଣ ଶେଷ କରିଛନ୍ତି ।

  • ପୁରୀ ଜିଲ୍ଲା ପରିଷଦର ୭ମ ବୈଠକ ଅନୁଷ୍ଠିତ

    ପୁରୀ ଜିଲ୍ଲା ପରିଷଦର ୭ମ ବୈଠକ ଅନୁଷ୍ଠିତ

    ପୁରୀ ଜିଲ୍ଲା ପରିଷଦର ୭ମ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲା ପରିଷଦର ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ ଜିଲ୍ଲା ପରିଷଦ ଗ୍ରାମର ସାଧାରଣ ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ଏକ ବଡ ଫୋରମ । ତେଣୁ ସଦସ୍ୟ ମାନଙ୍କ ମତାମତ କୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ସହ ପୁରୀ କୁ ଏକ ବିକଶିତ ଓ ସମୃଦ୍ଧ ଜିଲ୍ଲାରେ ପରିଣତ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ପୁରୀ ଜିଲ୍ଲାର ଅର୍ଥନୀତି କୃଷି ଉପରେ ନିର୍ଭର ଶୀଳ ଥିବା ବେଳେ ବନ୍ୟା ଓ ବାତ୍ୟା ସବୁଠାରୁ ବଡ ବିପର୍ଯ୍ୟୟ ।ସେହିପରି ପର୍ଯ୍ୟଟନ ଆମକୁ ଆଗକୁ ନେବ । ତେଣୁ ସମସ୍ତେ ଏକ ହୋଇ ତଳ ସ୍ତରରେ ଥିବା ସମସ୍ୟା କୁ ଦୂରେଇ ମୌଳିକ ସୁବିଧା ସୁଯୋଗ ଯୋଗାଇକୁ ପରାମର୍ଶ ଦେଇଥିଲେ । ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଜିଲ୍ଲା ପରିଷଦ ବୈଠକ କୁ ପ୍ରସ୍ତୁତ ହୋଇ ଆସିବା, ପୂର୍ବ ବୈଠକର ଆଲୋଚନା ଓ ପ୍ରସ୍ତାବ କୁ ରେ ସମାଧାନ ଅନୁସାରେ ବିବରଣୀ ରେ ସ୍ଥାନିତ କରିବା, ସମୟ ବଞ୍ଚାଇବା ପାଇଁ ପିପିଟି ମାଧ୍ୟମରେ ତଥ୍ୟ ରଖିବା ଓ ପାକିସ୍ତାନ ଉପରେ ସିନ୍ଦୂର ର ପରାକ୍ରମ ସମ୍ପର୍କରେ ତିନି ସେନାକୁ ସମସ୍ତ ସଦସ୍ୟ ଙ୍କ ସ୍ବାକ୍ଷର ସମ୍ବଳିତ ଧନ୍ୟବାଦ ପତ୍ର ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ ।

    ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ ଜନହିତ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କାର୍ଯ୍ୟସୂଚୀ ଅନୁସାରେ ବିଭିନ୍ନ ବିଭାଗର ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସମସ୍ତ ଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟସୂଚୀ ଅନୁସାରେ ବୈଠକ ପରିଚାଳନା କରିଥିଲେ । ଶିକ୍ଷା ବିଭାଗ ,କୃଷି ବିଭାଗ,ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ଗ୍ରାମ୍ୟ ନିର୍ମାଣ,ଗ୍ରାମୀଣ ପାନୀୟ ଜଳଯୋଗାଣ,ଜଳ ସେଚନ,ଜଳ ନିଷ୍କାସନ,ଯୋଗାଣ ବିଭାଗ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ, ବିଦ୍ୟୁତ ବିଭାଗ, ସମାଜ କଲ୍ୟାଣ ବିଭାଗ, ବିଭିନ୍ନ ଵିଭାଗର ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ସିନ୍ଦୂର ଅପରେସନ ପାଇଁ ସେନାକୁ ଧନ୍ୟବାଦ ଜଣାଇ ପ୍ରତ୍ୟେକ ଜାତୀୟ ପତାକା ପ୍ରଦର୍ଶନ କରିଥିଲେ ।

  • ପାର୍ଲିଆମେଣ୍ଟାରୀ  ଷ୍ଟାଣ୍ଡିଂ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ

    ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ

    କେନ୍ଦ୍ରୀୟ ଯୋଜନା ଗୁଡିକ ପ୍ରଣୟନ ଓ କାର୍ଯ୍ୟକାରିତା ସମୟରେ ସାଂସଦ ମାନଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ । ସାଂସଦ ମାନଙ୍କୁ ସମସ୍ତ ବିଷୟରେ ଅବଗତ କରାଇବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ପାର୍ଲିଆମେଣ୍ଟ ଗ୍ରାମ ଉନ୍ନୟନ ଓ ପଞ୍ଚାୟତି ରାଜ ସମ୍ବନ୍ଧୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ସପ୍ତଗିରୀ ଉଲ୍ଲକା । ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଉଲ୍ଲକା ସମସ୍ତ ଯୋଜନା ସାଧାରଣ ଲୋକ ମାନଙ୍କ ହିତ ଉଦ୍ଦେଶ୍ୟ ରେ ବ୍ୟବସ୍ଥା ହେଉ ଥିବାରୁ ଏହାର କାର୍ଯ୍ୟ କାରିତା ଓ ସଫଳତା ରେ ଲୋକ ପ୍ରତିନିଧି ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ କେନ୍ଦ୍ର ସରକାର ପ୍ରଦତ୍ତ ମାର୍ଗଦର୍ଶିକା ଅନୁସାରେ ଲୋକ ପ୍ରତିନିଧି ମାନଙ୍କୁ ସାମିଲ କରିବା, ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ । ଯେଉଁ ଠାରେ ଏହାର ଉଲ୍ଲଘଂନ ହେଉଛି ସେଠାରେ ସମ୍ପୃକ୍ତ ଅଧିକାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟ ମାନେ ପରାମର୍ଶ ଦେଇଥିଲେ।ପ୍ରକଳ୍ପ ପ୍ରସ୍ତୁତ ସମୟରେ ଲୋକ ପ୍ରତିନିଧି ମାନଙ୍କୁ ଅବଗତ କରାଇବା, ସେମାନଙ୍କ ପରାମର୍ଶ କୁ ପ୍ରକଳ୍ପ ଚୁଡାନ୍ତ ସମୟରେ ଗୁରୁତ୍ୱ ଦେଇ ସ୍ଥାନିତ କରିବା, ଶୁଭାରମ୍ଭ ଓ ଉଦଘାଟନ ସମୟରେ ଲୋକ ପ୍ରତିନିଧି ମାନଙ୍କୁ ସାମିଲ କରିବା, ନିୟମିତ ଭାବେ ଦିଶା ବୈଠକ ଆୟୋଜନ କରିବା ଉପରେ କମିଟି ଗୁରୁତ୍ୱ ଦେଇଥିଲେ ।ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ରେ ସିସି ରୋଡ ପାଇଁ କମିଟି ଅନୁମୋଦନ କରିଥିଲେ।ଗ୍ରାମର ଆର୍ଥିକ ଅବସ୍ଥା ରେ ଉନ୍ନତି ହିଁ ଦେଶର ବିକାଶ ।

    ୨୦୩୬ କୁ ବିକଶିତ ଓଡିଶାର ସ୍ବପ୍ନ କୁ ସାକାର ପାଇଁ ସମସ୍ତ ଯୋଜନା ର ସଫଳତା ପାଇଁ କମିଟି ଆହ୍ବାନ ଦେଇଥିଲେ।ଲିଡ ବ୍ୟାଙ୍କ ଭାବେ ୟୁକୋ ବ୍ୟାଙ୍କର ସମୀକ୍ଷା କରାଯାଇଥିଲା।ଗ୍ରାହକ ମାନଙ୍କ ପାଇଁ ଥିବା ବିଭିନ୍ନ ସେବା ସଠିକ ସମୟ ଓ ସଠିକ ଭାବେ ନିର୍ବାହ ପାଇଁ ପରାମର୍ଶ ଦେଇଥିଲେ।ସମୀକ୍ଷା ର ରିପୋର୍ଟ ୧୫ ଦିନ ମଧ୍ୟରେ ପାର୍ଲିଆମେଣ୍ଟକୁ ପ୍ରେରଣ ପାଇଁ ପରାମର୍ଶ ଦେଇଥିଲେ।ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଭଜନ ଲାଲ ଯାତବ, ବିଜୟ କୁମାର ଦୁବେ, ଗୀତା ଆଲିଆସ ଚନ୍ଦ୍ରପ୍ରଭା,ରାମ ଶଙ୍କର ରାଝେରା, ଡ.ମହମ୍ମଦ ଜାୱ୍ବେଦ,ନବ ଚରଣ ମାଝୀ, ଦେଶ ରାଜ ଶେଖର,ଏଲ ସିଂସନ, ସୁଶୀଲ କୁମାର, ମୃତ୍ୟୁଞ୍ଜୟ ସିଂ ଯାଦବ, ସୋନିଆ ୱ୍ବାଲିଆ ପ୍ରମୁଖ ଯୋଗ ଦେଇଥିଲେ ।

    ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ, ପଞ୍ଚାୟତିରାଜ କମିଶନର ତଥା ସଚିବ ଏସ ଏନ ଗିରିଶ,ସାମାଜିକ ସୁରକ୍ଷା ବିଭାଗ କମିଶନର ତଥା ସଚିବ ଆର ଏସ ଗୋପାଲନ,ପଞ୍ଚାୟତରାଜର ସ୍ବତନ୍ତ୍ର ପ୍ରୋଜେକ୍ଟ ର ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାସ,ରାଜ୍ୟ ମିଶନ ନିର୍ଦ୍ଦେଶକ ତଥା ଜୀବିକା ମିଶନ ସିଇଓ ମୋନିକା ପ୍ରିୟଦର୍ଶିନୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ସଚିବ ସୁରେନ୍ଦ୍ର କୁମାର ମିନା,ଯୋଜନା ଓ ପର୍ଯ୍ୟାଲୋଚନା ବିଭାଗର ମଧୁସ୍ମିତା ସାମଲ,ରାଜ୍ୟ ଅର୍ଥ କମିଶନ ର ସଦସ୍ୟ ସଚିବ ସତ୍ୟପ୍ରିୟ ରଥ,ୟୁକୋ ବ୍ୟାଙ୍କ ର ଏମଡି ତଥା ସିଇଓ ଅଶ୍ବିନୀ କୁମାର,ଜିଏମ ଗୌତମ ପାତ୍ର ପ୍ରମୁଖ ଯୋଗ ଦେଇ କମିଟି ଙ୍କୁ ବିଭିନ୍ନ ସୂଚନା ଓ ତଥ୍ୟ ପ୍ରଦାନ କରିଥିଲେ।ପରେ କମିଟି ସଦର ବ୍ଲକର ବେଲଦଳ ଅର୍ଣ୍ଣାମେଣ୍ଟାଲ ପ୍ଲାଣ୍ଟ ନର୍ସରୀ ବୁଲି ଦେଖିବା ସହ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ଙ୍କ ସହ ବାର୍ତ୍ତାଳାପ କରିଥିଲେ।ପରେ ଗୋପ ବ୍ଲକର ସୂତନ ପଞ୍ଚାୟତର ହାଟୁଆଦାଣ୍ଡ ଗ୍ରାମ ପରିଦର୍ଶନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଗୃହ ପରିଦର୍ଶନ କରି ହିତାଧିକାରୀଙ୍କ ସହ କଥା ହୋଇ ଥିଲେ।ସେହିପରି ଜାତୀୟ ପରିବାର ସହାୟତା ଯୋଜନା ହିତାଧିକାରୀଙ୍କ ସହ ମଧ୍ୟ କଥା ହୋଇଥିଲେ।କମିଟି ଅଧ୍ୟକ୍ଷ ଓ ସଦସ୍ୟ ମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଇଣ୍ଟରପ୍ରିଟେସନ ସେଣ୍ଟର ପରିଦର୍ଶନ କରିଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଓ ଅତିରିକ୍ତ ଉପ ଜିଲ୍ଲାପାଳ ନିଳମାଧବ ମାଝୀ ସମସ୍ତ କାର୍ଯ୍ୟ ର ତଦାରଖ ଓ ପରିଚାଳନା କରିଥିଲେ।

  • ମହାବିଶୁବ ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

    ମହାବିଶୁବ ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

    ଆଜି ପବିତ୍ର ପଣା ସଂକ୍ରାନ୍ତି । ଏହି ଅବସରରେ ପୁରାତନ ସ୍ବେଛାସେବୀ ଅନୁଷ୍ଠାନ ଶାନ୍ତି ପକ୍ଷରୁ ଶୀତଳ ବାମ୍ଫ ଚିକିତ୍ସା ଉଦଘାଟିତ ହୋଇଛି । ସମଗ୍ର ରାଜ୍ୟରେ ଏହା ଏକ ନିଆରା ପ୍ରୟାସ । ପ୍ରବଳ ଗ୍ରୀଷ୍ମ ଉତ୍ତାପରୁ ରକ୍ଷା ପାଇବାପାଇଁ ଏଠାକୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଶୀତଳ ବାମ୍ଫ ଦେବା ସଙ୍ଗେସଙ୍ଗେ ଟଙ୍କ ତୋରାଣି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ , ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବରାଳ, ରାଜ୍ୟ ସଦସ୍ୟ ସୁବାଶିଷ ଖୁଣ୍ଟିଆ, ଟାଉନ ଥାନା IIC ଗୋକୁଳାନନ୍ଦ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

    ଏହି ଅନୁଷ୍ଠାନ ଦୀର୍ଘ ୨୪ବର୍ଷ ହେଲା ଏହି ସେବା ଯୋଗାଇଦେଇ ଆସୁଛି । ଆସନ୍ତା ବାହୁଡା଼ ଯାତ୍ରା ଓ ସୁନାବେଶ ପର୍ଯ୍ୟନ୍ତ ଏହିସେବା ଯୋଗାଇଦିଆଯିବ ବୋଲି ଅନୁଷ୍ଠାନର ସମ୍ପାଦକ ପଦ୍ମନାଭ ତ୍ରିପାଠୀ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଅନୁଷ୍ଠାନର ସଭାନେତ୍ରୀ ସଂଘମିତ୍ରା ଦାସ, ପୁଷ୍ପଜିତ ମହାପାତ୍ର, ପରିଦର୍ଶନ ପଟ୍ଟନାୟକ, ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ, ପ୍ରମୁଖ ସହଯୋଗ କରିଥିଲେ ।

  • କୁକୁଡ଼ା ମଡ଼କକୁ ନେଇ ଚାଷୀ ମୁଣ୍ଡରେ ଚଡକ ! ପିପିଲିରେ ପ୍ରତିଦିନ ମରୁଛନ୍ତି ଶହ ଶହ କୁକୁଡ଼ା

    କୁକୁଡ଼ା ମଡ଼କକୁ ନେଇ ଚାଷୀ ମୁଣ୍ଡରେ ଚଡକ ! ପିପିଲିରେ ପ୍ରତିଦିନ ମରୁଛନ୍ତି ଶହ ଶହ କୁକୁଡ଼ା

    ସମ୍ପ୍ରତ୍ତି ପିପିଲିରେ ଦେଖାଦେଇଥିବା କୁକୁଡ଼ା ମଡ଼କକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଇଥିବାବେଳେ ପଶୁପାଳନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ କିଛି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଭେଟରନାରୀ ଅଫିସର ବିଭିନ୍ନ ଅଞ୍ଚଳକୁ ତୋଫାନି ଗସ୍ତ କରୁଥିଲେ ମଧ୍ୟ କାରଣ ଓ ନିରାକରଣ ସମ୍ପର୍କରେ କି ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ଏପଟେ, ମଲା କୁକୁଡ଼ାକୁ ନେଇ ଚିନ୍ତାରେ ଚାଷୀ । ଅଧିକାଂଶ କୁକୁଡ଼ା ଫାର୍ମ ଜନବସତି ମଧ୍ୟରେ ଅବସ୍ଥିତ ହୋଇଥିବାରୁ ଗ୍ରାମବାସୀଙ୍କ ଭିତରେ ବଢୁଛି ଅଜଣା ଭୟ । ଏଣୁ, କୁକୁଡ଼ା ମୃତ୍ୟୁ ଜନିତ କ୍ଷତି ସହିବାପରେ ମଧ୍ୟ ହାତରୁ ଟଙ୍କା ଖର୍ଚ୍ଚକରି ଟ୍ରାକ୍ଟର ଲଗାଇ ଜନବସତିଠାରୁ ଦୂରରେ ଚାଷୀ ପୋତୁଛନ୍ତି କୁଢ଼ କୁଢ଼ ମଲା କୁକୁଡ଼ା ।

    ଶୁକ୍ରବାର ଦିନ ସୂଚନାଟିଭି ଏ ଘଟଣାକୁ ଲୋକଲୋଚନ ତଥା ସରକାରଙ୍କ ନଜରକୁ ଆଣିବା ପାଇଁ ପିପିଲି ବ୍ଲକର ବରାଗଡ଼ ଓ ଗୋକନ ଗ୍ରାମ ଗସ୍ତ କରିଥିଲା । ‘ଗ୍ରାଉଣ୍ଡ ଜିରୋ’ରେ ପହଂଚିବା ପରେ ଆମେ ଜାଣିବାକୁ ପାଇଲୁ ସେହି ଅଂଚଳରେ ଦୁଇଟି କମ୍ପାନୀ — ଇଷ୍ଟର୍ନ ହାଚେରୀ ଓ ପଶୁପତି ତରଫରୁ ଫାର୍ମମାନଙ୍କୁ କୁକୁଡ଼ା ଚିଆଁ ଓ ଦାନା ଯୋଗାଇ ଦିଆଯାଉଛି । ଏ ଦୁଇଟି କମ୍ପାନୀ ମଧ୍ୟରୁ ଗୋଟିଏ ନିର୍ଦ୍ଧିଷ୍ଟ କମ୍ପାନୀର କୁକୁଡ଼ା ମରୁଥିବା କଥା ସାମ୍ନାକୁ ଆସୁଛି । ତେବେ, କାହିଁକି ଓ କେଉଁ ତ୍ରୁଟି ଯୋଗୁ କ୍ରମାଗତ ଭାବରେ କୁକୁଡ଼ା ମରୁଛନ୍ତି ତାହା ନିରପେକ୍ଷ ପରୀକ୍ଷା ହେଲେ ଜଣାପଡିବ । ତେବେ, କୁକୁଡ଼ା ମୃତ୍ୟୁଜନିତ କ୍ଷତି ଭରଣା କରିବାକୁ କ୍ଷତିଗ୍ରସ୍ତ ଚାଷୀ ସରକାରଙ୍କୁ ନିବେଦନ କରୁଥିବା ବେଳେ ଅନ୍ୟ କିଛି ଚାଷୀ ସେମାଙ୍କର କୌଣସି କ୍ଷତି ହୋଇନାହିଁ ଓ ସେମାନଙ୍କ ପାଇଁ କ୍ଷତି ପୁରଣର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।

    କୁହାଯାଉଛି, କ୍ଷତିପୂରଣ ଚାହୁଁଥିବା ଚାଷୀ ସରକାରଙ୍କଠାରୁ ଆର୍ଥିକ ସାହାଯ୍ୟ ନେଇ ପୁନର୍ବାର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବାବେଳେ, ଅନ୍ୟ ଚାଷୀମାନେ ସେମାନଙ୍କର ସେମାନଙ୍କ ବ୍ୟବସାୟ ହାନି ହେବା ଭୟରେ କ୍ଷତିପୂରଣ ଚାହୁଁନାହାନ୍ତି । କେହି କେହି ଚାଷୀ କମ୍ପନିଠାରୁ କ୍ଷତିପୂରଣ ପାଇବା ଆଶାରେ ସରକାରୀ ସହାୟତା ନେବାକୁ ସିଧା ମନା କରିଦେଇଛନ୍ତି ।

    ତେବେ, ପଶୁ ପାଳନ ବିଭାଗ ତରଫରୁ ସମୟୋଚିତ ପଦକ୍ଷେପ ଗ୍ରହଣ କରାଗଲେ କୁକୁଡ଼ା ମଡ଼କରେ ଅଙ୍କୁଶ ଲାଗିପାରନ୍ତା ଓ ଚାଷୀ ଆଶ୍ୱସ୍ତ ହୁଅନ୍ତେ । ଏଠାରେ ଉଲ୍ଲେଖ କରାଯାଇପାରେ କି, ମାତ୍ର ଆଠ ମାସ ତଳେ ଏହି ଅଂଚଳରେ କୁକୁଡ଼ା ମଡ଼କ ଦେଖାଦେଇଥିଲା ଓ କ୍ଷତିପୂରଣ ପ୍ରଦାନରେ ବ୍ୟାପକ ଅନିୟମିତତା ଦେଖାଦେଇଥିଲା ।

  • ପୁରୀ ପୋଲିସକୁ ସଫଳତା,ବର୍ଗଲାରି ଗ୍ୟାଙ୍ଗ ଗିରଫ

    ପୁରୀ ପୋଲିସକୁ ସଫଳତା,ବର୍ଗଲାରି ଗ୍ୟାଙ୍ଗ ଗିରଫ

    ପୁରୀ ପୋଲିସକୁ ବଡ଼ ସଫଳତା। ପୋଲିସର ନିଦ ହଜାଇ ଦେଇଥିବା ବରଗ୍ଲାରି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୁରୀ ପୋଲିସ। ଗ୍ୟାଙ୍ଗର ଚାରିଜଣ ଅଭିଯୁକ୍ତଙ୍କୁ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ନିମାପଡ଼ା ରୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ୩୦ଟି ସୁନା ମୁଦି, ୭ଟି ସୁନା ଚେନ୍, ଡିଜିଟାଲ କ୍ୟାମେରା, ପ୍ରିଣ୍ଟର, ମନିଟର, ସ୍କ୍ରୁ ଡାଇଭର, ସ୍କ୍ରୁ ବାର ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଉଛନ୍ତି କାଜଲ୍ ଦାସ, ଶ୍ରୀକାନ୍ତ ସ୍ବାଇଁ, ଆଶିଷ ମଲ୍ଲିକ ଓ ଚିରଞ୍ଜିବି ଦାସ। ପୁରୀ ଏସପିଙ୍କ କନଫରେନ୍ସ ହଲ୍ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୁଶିଲ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ଅତିରିକ୍ତ ଏସପିଙ୍କ ସୂଚନା ଅନୁଯାୟୀ କାଜଲ ଦାସ ଓ ଶ୍ରୀକାନ୍ତ ସ୍ବାଇଁ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଡକାୟତି କରୁଥିଲେ। ବିଶେଷ କରି ଘରେ କେହି ନଥିବା ସମୟରେ ଏହି ଦୁଇ ଅଭିଯୁକ୍ତ ସୁଯୋଗ ଦେଖି ଘରମାନଙ୍କରେ କଳା କନା ବୁଲାଉଥିଲେ। ପରବର୍ତ୍ତୀ ସମୟରେ ଗହଣା ଦୋକାନକୁ ଯାଇ ଅଭିଯୁକ୍ତ ମାନେ ଚୋରି ସାମଗ୍ରୀକୁ ବିକ୍ରି କରୁଥିଲେ। ତେବେ ଏନେଇ ବିଭିନ୍ନ ଥାନାରେ ଅଭିଯୋଗ ହେବା ପରେ ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା। ତେବେ ଦୀର୍ଘ ପାଞ୍ଚମାସ ପରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି ବୋଲି ଅତିରିକ୍ତ ଏସ ପି ସୁଶିଲ ମିଶ୍ର କହିଛନ୍ତି। ସମ୍ମିଳନୀ ରେ ତାଳବଣିଆ ଥାନାଧିକାରୀ ଗୀତାଞ୍ଜଳି ନାୟକ,ଟାଉନ ଥାନାଧିକାରୀ ଗୋକୁଳ ରଞ୍ଜନ ଦାସ ଉପସ୍ଥିତ ଥିଲେ।

  • ଶ୍ରୀକ୍ଷେତ୍ରରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ

    ଶ୍ରୀକ୍ଷେତ୍ରରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ

    ପୁରୀ: ଶ୍ରୀକ୍ଷେତ୍ର ପୁରୀର ଗୁଣ୍ଡିଚାବିହାରସ୍ଥିତ ଲଷ୍ମୀ ନାରାୟଣ ମନ୍ଦିର ପରିସର ମଧ୍ୟରେ ଦଶମତମ ବିଶ୍ୱ ଶାନ୍ତି ମହାଯଜ୍ଞ ପବିତ୍ର ଶ୍ରୀପଞ୍ଚମୀ ଅବସରରେ ଅନୁଷ୍ଠିତ ହୋଇଯାଇଛି | ଏହି ଯଜ୍ଞର ପୂର୍ଣ୍ଣାହୁତି ମାଘ ସପ୍ତମୀଦିନ ଅନୁଷ୍ଠିତ ହେବ |

    ପ୍ରଥମେ ଅଂଚଳର ବାସିନ୍ଦା କଳସୀରେ ଜଳ ଆଣି ମନ୍ଦିର ପରିସରରେ ଥିବା ଯଜ୍ଞ ସ୍ଥାନରେ ରଖିଥିଲେ | ତତ୍ ପରେ ଆଜି ଯଜ୍ଞ ଉପଯୋଗୀ ନୀତି ସମାପନ କରି ସୂର୍ଯ୍ୟ ପୂଜା ଵିଧିରୁ ଶୁଭ ଆରମ୍ଭ କରାଯାଇଥିଲା l

    ଏଥିରେ ମୁଖ୍ୟ କର୍ତ୍ତା ଅଶୋକ ଚନ୍ଦ୍ର ମହାପାତ୍ର, କର୍ତ୍ତୀ ସଂଯୁକ୍ତା ମହାପାତ୍ର ଶୁଦ୍ଧ ପୂତ ଭାବେ ସକଳ୍ପ କରି ଯଜ୍ଞର ଶୁଭ ଆରମ୍ଭ କରିଥିଲେ ଏବଂ ଉନ୍ନୟନ ପରିଷଦର ସଭାପତି ପ୍ରଦୀପ୍ତ ନାୟକ, ସମ୍ପାଦକ ସୁରେଶ ଦଳେଇ, ଉପସଭାପତି କୃପାସିନ୍ଧୁ ରାଉତରାଏ, କୋଷାଧ୍ୟକ୍ଷ ସ୍ୱମେନ୍ଦ୍ର ପାଇକରାଏଙ୍କ ସମେତ

    ସଂଗ୍ରାମ ମିଶ୍ର, ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ଜେନା, ଜୟନ୍ତ କୁମାର ମହାପାତ୍ର ଓ ଉନ୍ନୟନ ପରିଷଦର ସମସ୍ତ ସଦସ୍ୟବୃନ୍ଦ ଏବଂ ଗୁଣ୍ଡିଚା ବିହାରର ସମସ୍ତ ବାସିନ୍ଦା ଏହି ଯଜ୍ଞରେ ପୂର୍ଣ୍ଣ ସହଯୋଗ କରିଥିଲେ |