Category: ପୁରୀ

  • ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଲେ ଜିଲ୍ଲାପାଳ

    ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଲେ ଜିଲ୍ଲାପାଳ

    ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଆଜି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ର ଶପଥ ପାଠ କରାଯାଇଥିଲା । ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଲୌହ ମାନବ ଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ ସହ ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କୁ ରାଷ୍ଟ୍ର ର ଏକତା, ଅଖଣ୍ଡତା ଏବଂ ସୁରକ୍ଷା କୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବା ନିମିତ୍ତ ଶପଥ ପାଠ କରାଇଥିଲେ ।

    ଏହି ଶପଥ ପାଠରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ଡ.ଶରତ ଚନ୍ଦ୍ର ମହାପାତ୍ର, ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ଜେନା, ଆଦ୍ୟାଶା ରଥ, ପ୍ରିୟଦର୍ଶିନୀ ମଲ୍ଲିକ,ଅନୁସ୍ରବ ଗନ୍ତାୟତ, ସହଦେଵ ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ,ଅନ୍ୟାନ୍ୟ ଅଧିକାରୀ,ଆବାସିକ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

  • ପୁରୀରେ ବାତ୍ୟାର ପ୍ରଭାବ

    ପୁରୀରେ ବାତ୍ୟାର ପ୍ରଭାବ

    ପୁରୀରେ ବାତ୍ୟାର ପ୍ରଭାବ । ଲଗାଣ ବର୍ଷା ଓ ପବନରେ ପୁରୀର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡି ଥିବା ବେଳେ ଏଵେ ରାସ୍ତା ଉପରେ ନଡିଆ ଗଛ ପଡିଥିବା ଦେଖିବାକୁ ମିଳିଛି ।

    ପୁରୀରେ ଆଜି ପବନର ବେଗ ବଢିଥିବାରୁ ଏହାର ପ୍ରଭାବରେ ବନମାଳୀପୁର ଅଞ୍ଚଳରେ ରାସ୍ତା ଉପରେ ଗୋଟିଏ ନଡିଆ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା । ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି କଟର୍ ମେସିନ୍ ସାହାଯ୍ୟରେ ଗଛକୁ କାଟି ରାସ୍ତା ସଫା କରିଥିଲେ । ତେବେ ବାତ୍ୟାର ପ୍ରତିଟି ପରିସ୍ଥିତିରେ ଅଗ୍ନିଶମ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଟେଲିଫୋନ ଯୋଗେ ଅଧିକାରୀ ପ୍ରଭାତ ରାଉତ କହିଛନ୍ତି ।

  • ଦେଉଳି ମଠ ଅଭିମୁଖେ ପୁରୀର ରଥ ଚକ

    ଦେଉଳି ମଠ ଅଭିମୁଖେ ପୁରୀର ରଥ ଚକ

    କାକଟପୁରର ଦେଉଳି ମଠ ଅଭିମୁଖେ ପୁରୀର ରଥ ଚକ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନନ୍ଦିଘୋଷ ରଥର ଚକଙ୍କୁ ବିନାମୂଲ୍ୟରେ କାକଟପୁର ଦେଉଳି ମଠକୁ ଦେବାପାଇଁ ସେଠାର ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଥିଲା ।

    ସେ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ଚକ ଦିଆଯିବା ପରେ ଭଜନ କୀର୍ତନ ଓ ସଂକୀର୍ତନ କରି ରଥ ଚକକୁ ପୁରୀରୁ ଦେଉଳି ମଠ ନିଆଯାଇଛି ।

    ନବକଳେବର ସମୟରେ ଦେଉଳି ମଠରେ ବନଯାଗ ଯାତ୍ରୀ ସେବାୟତ ରହି ଦାରୁ ସଂଗ୍ରହ ପାଇଁ ଯାଇଥାନ୍ତି । ସେହିଁ ପରମ୍ପରା ଆଧାରରେ ଆଜି ରଥ ଚକ ଦିଆଯାଇଛି l ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ମହାପ୍ରଭୁଙ୍କ ରଥ ଚକକୁ ଦେଉଳିମଠକୁ ନିଆଯାଇଥିଲା l

  • ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ

    ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ

    ପୁରୀ : ଚଳିତ ବର୍ଷ ଅକ୍ଟୋବର ୨୭ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡ଼. ଶରତ ଚନ୍ଦ୍ର ମହାପାତ୍ର ସମସ୍ତ ଙ୍କୁ ଶପଥ ପାଠ କରାଇଥିଲେ । ଦୁର୍ନୀତି ବିକାଶ ର ମୁଖ୍ୟ ବାଧକ । ତେଣୁ ସମ୍ମିଳିତ ଭାବେ ଜିଲ୍ଲା, ରାଜ୍ୟ ଓ ଦେଶର ଉନ୍ନତି ପାଇଁ ଦୁର୍ନୀତି ର ମୂଳୋତ୍ପାଟନ କରିବାକୁ ସମସ୍ତେ ଶପଥ ପାଠ କରିଥିଲେ । ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ବାଗତ କରିବା ସହ ଦୁର୍ନୀତି ବିକାଶ ର ପଥରୋଧ କରିଥାଏ ଓ ଏହାର ପ୍ରତିହତ ପାଇଁ ପ୍ରତ୍ୟେକ ପ୍ରତିଶ୍ରୁତିବଦ୍ଧ ହେବାକୁ ଅନୁରୋଧ କରି ଶପଥ ପାଠ ପରିଚାଳନା କରିଥିଲେ ।

    ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଆଦ୍ୟାଶା ରଥ, ପ୍ରିୟଦର୍ଶିନୀ ମଲ୍ଲିକ,ସହଦେବ ସାହୁ, ବିବେକାନନ୍ଦ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ରାଣୀ ପରିଡା,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଓ ସମସ୍ତ ବିଭାଗର ଅଧିକାରୀ,କର୍ମଚାରୀ ପ୍ରମୁଖ ଉପସ୍ଥିତ ହୋଇ ଶପଥ ପାଠ କରିଥିଲେ । ସେହିପରି ଜିଲ୍ଲା ପରିଷଦ କାର୍ଯ୍ୟାଳୟ,ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ,ଅନ୍ୟାନ୍ୟ ବିଭାଗ ,ଲାଇନ ଡିପାର୍ଟମେଣ୍ଟରେ,ସମସ୍ତ ବ୍ଲକ, ତହସିଲ କାର୍ଯ୍ୟାଳୟ ଓ ସମସ୍ତ ଶିକ୍ଷାନୁଷ୍ଠାନରେ ଏହି ଶପଥ ପାଠ କରାଯାଇଥିଲା।

  • ଜୁଆ ଆଡ୍ଡାରେ ଚଢାଉ,ଲକ୍ଷାଧିକ ଟଙ୍କା ଜବତ

    ଜୁଆ ଆଡ୍ଡାରେ ଚଢାଉ,ଲକ୍ଷାଧିକ ଟଙ୍କା ଜବତ

    ପୁରୀ ପୋଲିସ ପକ୍ଷରୁ ଅପରେସନ ଚକ୍ର ଜାରି ରହିଛି । ତେବେ ଏହି କ୍ରମରେ ପୋଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ଜବତ କରିଛି । ପୁରୀ ସଦର ଥାନା ଅନ୍ତର୍ଗତ ଖଡିପଦା ଗ୍ରାମରେ ଜୁଆଖେଳ ଚାଲିଥିବା ବେଳେ ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରିଛି । ମୁଖ୍ୟ ଅଭିଯୁକ୍ତ ତଥା ଦୁର୍ଦ୍ଧାନ୍ତ ଅପରାଧୀ ଜଟିଆ ଓରଫ ସୋମନାଥ ରାଉତ ସହିତ ୧୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତଙ୍କ ଠାରୁ ୭ ଲକ୍ଷ ୭୦ ହଜାର‌ ୬ ଶହ ଟଙ୍କା ପୋଲିସ ଜବତ କରିଛି ।‌ ଏଥିସହ ୧୨ ଟି ତାସ୍ ପ୍ୟାକେଟ ସହିତ ୬୦ ଟି ପ୍ଲାଷ୍ଟିକ ଟୋକେନ୍, ଦୁଇଟି କାର୍ ଏବଂ ୬ ଟି ବାଇକ୍ ଜବତ କରିଛି ପୋଲିସ ।

    ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପୁରୀ ଖଡିପଦା ଗ୍ରାମକୁ ଆସି ଅଭିଯୁକ୍ତ ମାନେ ଜୁଆ ଖେଳୁଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ପୁରୀ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ସଦର ଥାନା ପୋଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ସହିତ ୧୪ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।

    ଗିରଫ ଅଭିଯୁକ୍ତ ହେଉଛନ୍ତି ଖଡିପଦା ଗ୍ରାମର ମୁଖ୍ୟ ଅଭିଯୁକ୍ତ ସୋମନାଥ ରାଉତ ସହିତ ମାନସ ପ୍ରଧାନ, ଅମିତ କୁମାର ସାହୁ, ଧ୍ରୁବ ଲୋଚନ ବଳିଆର ସିଂହ, ପୁରୀ ମାର୍କଣ୍ଡେଶ୍ୱର ସାହିର ବିଜୟ କୁମାର ସ୍ବାଇଁ, ଚନ୍ଦନପୁର ଅଞ୍ଚଳର ପ୍ରମୋଦ କୁମାର ମହାନ୍ତି, ପୁରୀ ନବକଳେବର ରୋଡର ମଧୂସୁଦନ ପ୍ରଧାନ, ଗଞ୍ଜାମ ଅଞ୍ଚଳର ପ୍ରସନ୍ନ କୁମାର ନାୟକ, ଗୌଡବାଡ ସାହିର ପ୍ରମୋଦ ବରାଳ, ପବିତ୍ର ମଲ୍ଲିକ, ଟାଙ୍ଗି ଅଞ୍ଚଳର‌ ପିଣ୍ଟୁ ମାଝି, କଣାସ ଅଞ୍ଚଳର ରାଜେଶ ବେହେରା, ପୁରୀ ଲୋକନାଥ ରୋଡର ଲକ୍ଷ୍ମୀଧର ବାରିକ, ଜଗନ୍ନାଥ ସାହୁ, ପ୍ରଦୀପ୍ତ କୁମାର ଦାସକୁ ସଦର‌ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

    ପୁରୀ ସହରରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ସହିତ ଅପରାଧୀମାନଙ୍କୁ ଦୃଢ ହସ୍ତରେ ଦମନ କରାଯାଉଛି ବୋଲି ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।‌

  • ସୁନାମୀ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

    ସୁନାମୀ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

    ପୁରୀରେ ଜିଲ୍ଲା ସ୍ତରୀୟ ସୁନାମୀ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ।ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଓସଡାମା ଓ ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିବା ସହ ଅନେକ ବିପର୍ଯ୍ୟୟ ସମ୍ପର୍କରେ ଆମେ ବୈଷୟିକ ଜ୍ଞାନ ର ଉପଯୋଗ କରି ଆଗୁଆ ସୂଚନା ପାଉଥିବା ବେଳେ ଅନେକ ବିପର୍ଯ୍ୟୟ ର କୌଣସି ସୂଚନା ବିନା ଅତର୍କିତ ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ପୂର୍ବ ପ୍ରସ୍ତୁତି ଧନ ଜୀବନ ର କ୍ଷୟକ୍ଷତି କୁ ହ୍ରାସ କରିବାରେ ସହାୟକ ହୋଇଥାଏ । ତେଣୁ ଆମେ ଉପଯୁକ୍ତ ପ୍ରଶିକ୍ଷିତ ହେବା ସହ ଅନ୍ୟ ମାନଙ୍କୁ ସଚେତନ କରିବାକୁ ଶ୍ରୀ ବେହେରା ଆହ୍ୱାନ ଦେଇଥିଲେ । ପୁରୀ ଜିଲ୍ଲା ର ୪ ଟି ବ୍ଲକ ଅସ୍ତରଙ୍ଗ, କାକଟପୁର, ଗୋପ ଓ ବ୍ରହ୍ମଗିରି ର ୮୬ ଟି ଗ୍ରାମ ଓ ୨୩ ଟି ୱ୍ବାର୍ଡ ସୁନାମୀ ଦ୍ଵାରା କ୍ଷତିଗ୍ରସ୍ତ ଜୋନରେ ଆସୁଥିବାରୁ ସେହି ଅଞ୍ଚଳର ଲୋକ ମାନଙ୍କୁ ଅଧିକ ସତର୍କ ଓ ସଚେତନ ର ଆବଶ୍ୟକତା ସମ୍ପର୍କରେ ଶ୍ରୀ ବେହେରା ମତ ବ୍ୟକ୍ତ କରିଥିଲେ ।

    ମାଷ୍ଟର ଟ୍ରେନର ଭାବେ ଓସଡାମା ର ଡିଜିଏମ ଅମ୍ବିକା ମିଶ୍ର ସୁନାମୀ ର ଅର୍ଥ, ସୁନାମୀ ହେବାର କାରଣ, ନିରାକରଣ, ଉଦ୍ଧାର, ଥଇଥାନ ଓ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ ।

    ସଚେତନ, ସତର୍କତା ଓ ଅନ୍ୟ ମାନଙ୍କୁ ସଚେତନ ସମସ୍ତ ବିପର୍ଯ୍ୟୟ କମେଇବାରେ ସାହାଯ୍ୟ କରିଥାଏ ବୋଉ ସେ କହିଥିଲେ । ପ୍ରାରମ୍ଭରେ ଜିଲ୍ଲା ଜରୁରୀ ଅଧିକାରୀ ମନୀଷା ଷଡ଼ଙ୍ଗୀ ସମସ୍ତଙ୍କୁ ସ୍ବାଗତ ସହ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।

    କାର୍ଯ୍ୟକ୍ରମ ରେ କ୍ଷତି ଗ୍ରସ୍ତ ଆଶଙ୍କା ଥିବା ୪ ଟି ବ୍ଲକ ର କର୍ମକର୍ତ୍ତା, ପଞ୍ଚାୟତ ଲୋକ ପ୍ରତିନିଧି, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ସ୍ବେଛାସେବୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ଜରୁରୀ ବିଭାଗ ର ଡିପିଓ ସୁକାନ୍ତ କୁମାର ଦାଶ ଓ ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ ।

  • ଆସନ୍ତା ମାସରୁ ସାମୁଦ୍ରିକ ମତ୍ସ୍ୟଜୀବି ଜନଗଣନା

    ଆସନ୍ତା ମାସରୁ ସାମୁଦ୍ରିକ ମତ୍ସ୍ୟଜୀବି ଜନଗଣନା

    ନଭେମ୍ବର ୩ ତାରିଖ ରୁ ଆରମ୍ଭ ହେବ ସାମୁଦ୍ରିକ ମତ୍ସ୍ୟଜୀବି ଜନଗଣନା । ଆସନ୍ତା ଡ଼ିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଏହି ଜନଗଣନା କୁ ସଫଳ କରିବା ନିମନ୍ତେ ଭାରତୀୟ କୃଷି ଗବେଷଣା ପରିଷଦ ଓ ସେଣ୍ଟ୍ରାଲ ମେରାଇନ ଫିସରିଜ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ୩ ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି । ପୁରୀ ସ୍ଥିତ ସେଣ୍ଟ୍ରାଲ ମେରାଇନ ଫିସରିଜ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ର କାର୍ଯ୍ୟାଳୟ ରେ ଏହି ତାଲିମ ଦିଆଯାଉଛି । ଅନୁଷ୍ଠାନ ର ବୈଜ୍ଞାନିକ ମାନେ କୋଚି ରେ ତାଲିମ ନେବା ପରେ ମତ୍ସ୍ୟଜୀବୀ ଜନଗଣନା ରେ ସାମିଲ ହେବାକୁ ଥିବା ୨୯ ଜଣ ସୁପର ଭାଇଜର ଙ୍କୁ ତାଲିମ ଦେଉଛନ୍ତି ।

    ଏହି ତାଲିମ ଶିବିର ରେ ପଶ୍ଚିମବଙ୍ଗ ଓ ଓଡ଼ିଶା ର ସୁପରଭାଇଜର ଓ ବୈଜ୍ଞାନିକ ମାନେ ଯୋଗ ଦେଇଛନ୍ତି । ଜନଗଣନା କୁ ତ୍ରୁଟି ମୁକ୍ତ ଓ ସୁବିଧା ପାଇଁ ‘ବ୍ୟାସ ଭାରତ’ ମୋବାଇଲ ଆପ ପ୍ରସ୍ତୁତ କରାଯାଇଛି । ଆମ ରାଜ୍ୟର ୬ ଟି ସମୁଦ୍ର କୂଳବର୍ତ୍ତି ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ବାସ କରୁଥିବା ତଥା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ରେ ନିର୍ଭରଶୀଳ ଥିବା ମତ୍ସ୍ୟଜୀବି ପରିବାରଙ୍କୁ ସର୍ଭେ କରାଯିବ ।

    CMFRI ପୁରୀ କ୍ଷେତ୍ର କାର୍ଯ୍ୟାଳୟ ର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଜ୍ଞାନ ରଞ୍ଜନ ଦାଶ କହିଛନ୍ତି, ଗତ ୨୦୧୬ ମସିହାରେ ସାମୁଦ୍ରିକ ମତ୍ସ୍ୟଜୀବି ଜନଗଣନା ହୋଇଥିଲା । ପ୍ରତି ୫ ବର୍ଷ ରେ ଥରେ ଏହି ଗଣନା କରାଯାଇ ସାମୁଦ୍ରିକ ମତ୍ସ୍ୟଜୀବି ଙ୍କ ସ୍ଥିତି ଅନୁଧ୍ୟାନ କରାଯାଏ । ଏହା ଦ୍ଵାରା ସେମାନଙ୍କ ପାରିବାରିକ ସ୍ଥିତି ସମ୍ପର୍କରେ ସରକାର ଜାଣିବା ସହ ଆବଶ୍ୟକତା ପୁରଣ ନିମନ୍ତେ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

    ତେଣୁ ଚଳିତବର୍ଷ ସର୍ଭେରେ ବାସ୍ତବ ସ୍ଥିତି ଜଣାପଡ଼ିବ। ଏହି ତଥ୍ୟ କୁ ଆଧାର କରି କେନ୍ଦ୍ର ସରକାର ସାମୁଦ୍ରିକ ମତ୍ସ୍ୟଜୀବି ଙ୍କ ଜୀବନ ଜୀବିକା ଉନ୍ନତି ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନେବେ। ଏହାଦ୍ଵାରା ସାମୁଦ୍ରିକ ମତ୍ସ୍ୟଜୀବି ମାନେ ଉପକୃତ ହେବେ। ପୁରୀ ଜିଲ୍ଲା ପାରମ୍ପରିକ ସାମୁଦ୍ରିକ ମତ୍ସ୍ୟଜୀବି ସଂଘ ସଭାପତି ବାବୁଲା ପ୍ରସାଦ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସାମୁଦ୍ରିକ ମତ୍ସ୍ୟଜୀବି ଙ୍କ ପ୍ରକୃତ ସ୍ଥିତି ଜାଣିବା ପାଇଁ କେନ୍ଦ୍ର ସରକାର ଯେଉଁ ଜନଗଣନା ଆରମ୍ଭ କରିବାକୁ ଯାଉଛନ୍ତି ତାହା ସ୍ବାଗତ ଯୋଗ୍ୟ । ଏହି ସର୍ଭେ ହେଲେ ସାମୁଦ୍ରିକ ମତ୍ସ୍ୟଜୀବି ଙ୍କ ପ୍ରକୃତ ସମସ୍ୟା ଲୋକ ଲୋଚନ କୁ ଆସିପାରିବ ।

  • ପୋଷଣ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଶ୍ରେଷ୍ଠ ବିବେଚିତ

    ପୋଷଣ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଶ୍ରେଷ୍ଠ ବିବେଚିତ

    ପୁରୀ : ଉପଯୁକ୍ତ ପୋଷଣ ଶିଶୁ କୁ ସୁସ୍ଥ ଓ ନିରୋଗ ରଖିବା ସହ ତାହାର ମାନସିକ ସୁସ୍ଥତା ପାଇଁ ସହାୟକ ହୋଇଥାଏ । ସେଥିପାଇଁ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ରୁ ଅକ୍ଟୋବର ମାସ ମଧ୍ୟରେ ପୋଷଣ ମାହ ବା ମାସର ଆୟୋଜନ କରାଯାଇଥାଏ । ଏହାଦ୍ଵାରା ଉପଯୁକ୍ତ ପୋଷଣ ସମ୍ପର୍କରେ ସଚେତନତା ସୃଷ୍ଟି ସହ ଏହାକୁ ଯେପରି ଲୋକାଭିମୁଖୀ କରାଯିବ ସେଥିପ୍ରତି ବ୍ୟବସ୍ଥା କରାଯାଇଥାଏ । ବ୍ଲକ ସ୍ତରରୁ ଜିଲ୍ଲା ସ୍ତର ଓ ରାଜ୍ୟ ସ୍ତର ପର୍ଯ୍ୟନ୍ତ ପୋଷଣର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । କନଭରଜେଣ୍ଟ ଆକ୍ସନ ଓ ଡିଜିଟାଇଜେସନ,ଏର୍ଲି ଚାଇଲ୍ଡହୁଡ କେଆର ଓ ଏଡୁକେସନ, ଇନଫାନଟ୍ ଓ ୟଙ୍ଗ ଚାଇଲ୍ଡ ଫିଡ ପ୍ରାକ୍ଟିସ୍, ମେନ ଷ୍ଟ୍ରିମିଂ, ଆଡ୍ରେସ ଓବେସିଟି ଓ ଭୋକାଲ ଫର ଲୋକାଲ ଏହିଭଳି ୬ଟି ବିନ୍ଦୁ କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ରାଜ୍ୟସ୍ତରୀୟ ୮ମ ରାଷ୍ଟ୍ରୀୟ ପୋଷଣ ମାହ ବା ମାସ ୨୦୨୫ କାର୍ଯ୍ୟକ୍ରମରେ ବିଭିନ୍ନ ପୋଷଣ କାର୍ଯ୍ୟକଳାପରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପୁରୀ ଜିଲ୍ଲାକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି |

    ଏବଂ ରାଜ୍ୟ ମଧ୍ୟରେ ପୋଷଣର ମୁଖ ଚିହ୍ନନ ପ୍ରଣାଳୀରେ ମଧ୍ୟ ପୁରୀ ଜିଲ୍ଲା ପ୍ରଥମ ସ୍ଥାନ ହାସଲ କରିଛି । ଭୁବନେଶ୍ୱର ଲୋକସଭା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବ ରେ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ଓ ନିର୍ଦ୍ଦେଶକ ମନୀଷା ବାନାର୍ଜୀ ଙ୍କ ଠାରୁ
    ଏହି ପୁରସ୍କାର କୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଓ ପୋଷଣର ଜିଲ୍ଲା ସଂଯୋଜକ ସସ୍ମିତା କର୍ମକାର ଗ୍ରହଣ କରିଥିଲେ । ଏହି ସଫଳତା ପାଇଁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସମାଜ କଲ୍ୟାଣ ଅଧିକାରୀ ଓ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ଏହି ସଫଳତା କୁ ପାଥେୟ କରି ଆଗକୁ ଆହୁରି ଅଧିକ କାର୍ଯ୍ୟ କରି ଜିଲ୍ଲାର ସୁନାମ ବୃଦ୍ଧି କରିବାକୁ ସେ ଆହ୍ବାନ ଦେଇଛନ୍ତି ।

  • ପର୍ଯ୍ୟଟନ ପ୍ରେମୀଙ୍କ ପାଇଁ ଖୁସି ଖବର

    ପର୍ଯ୍ୟଟନ ପ୍ରେମୀଙ୍କ ପାଇଁ ଖୁସି ଖବର

    କୋଣାର୍କ ମେରାଇନ ଡ୍ରାଇଭରେ ଇକୋ ରିଟ୍ରିଟ୍ ଚଳିତ ବର୍ଷ ଡିସେମ୍ବର ୧୩ ତାରିଖରୁ ଆରମ୍ଭ ହେବ । ତେବେ ସମସ୍ତ ବିଭାଗ ସେମାନଙ୍କୁ ନ୍ୟସ୍ତ ଦାୟିତ୍ୱ କୁ ତ୍ୱରାନ୍ୱିତ କରି ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଭିତ୍ତିଭୂମି ପ୍ରସ୍ତୁତ ପାଇଁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଶ୍ରୀ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

    ପୂର୍ବବର୍ଷ ର ଅଭିଜ୍ଞତା ଓ ଅନୁଭବକୁ ଆଧାର କରି ଚଳିତ ବର୍ଷ ର ଇକୋ ରିଟ୍ରିଟକୁ ଅଧିକ ଆକର୍ଷଣୀୟ ଭାବେ ଆୟୋଜନ କରିବା ଏବଂ ଯେଉଁ ବିଭାଗ ର ଯାହା ଦାୟିତ୍ୱ ତାହାକୁ ନିଷ୍ଠାପର ଓ ଧାର୍ଯ୍ୟ ସମୟ ପୂର୍ବରୁ ସାରିବାକୁ ସେ ପରାମର୍ଶ ଦେଇଛନ୍ତି ।

    ପ୍ରତ୍ୟେକ ବିଭାଗ ପ୍ରତ୍ୟେକ ଙ୍କ ସହ ସମନ୍ବୟ ରଖି କାମ କରି ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ପର୍ଯ୍ୟଟନ ବିଭାଗ ଜିଲ୍ଲା ପ୍ରଶାସନ ଓ ଇଫାକ୍ଟର ଏଜେନ୍ସି ର ମିଳିତ ସହଯୋଗ ରେ ଇକୋ ରିଟ୍ରିଟ୍ ଚଳିତ ବର୍ଷ ଡିସେମ୍ବର ୧୩ ରୁ ୯୦ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ଲକଜରି ଟେଣ୍ଟ ବ୍ୟବସ୍ଥା କରାଯିବ ଯେଉଁଥିରେ ତାରକା ହୋଟେଲ ଅନୁରୂପ ସୁବିଧା ଯୋଗାଇ ଦିଆଯିବ। ଇକୋ ରିଟ୍ରିଟ୍ ସମୟରେ ଜଳକ୍ରିଡା,ବିଚ ସ୍ପୋର୍ଟସ, ଇଣ୍ଡୋର ଗେମ ଇତ୍ୟାଦି ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ ।

    ନିରବଛିନ୍ନ ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ରାସ୍ତା ଆଲୋକୀକରଣ, ମୋବାଇଲ ନେଟୱାର୍କ ସହ ସ୍ୱାସ୍ଥ୍ୟ ଚିକିତ୍ସା ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା,ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା,୨୪ ଘଣ୍ଟିଆ ଲାଇଫ ଗାର୍ଡ ବ୍ୟବସ୍ଥା କରାଯିବ । ପର୍ଯ୍ୟଟକ ମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ ବୋଲି ସ୍ଥିର ହୋଇଛି ।

    ସମସ୍ତ କାର୍ଯ୍ୟ କୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ଆସୁଥିବା ପର୍ଯ୍ୟଟକ ମାନେ ଯେପରି ଏକ ସୁଖଦ ଅନୁଭବ ନେଇ ଫେରିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି ।

  • ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

    ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

    ଓଡିଶାର ଅଗ୍ରଣୀ ମହାବିଦ୍ୟାଳୟ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟ ୧୯୯୧-୯୪ ବ୍ୟାଚ ର ବାଣିଜ୍ୟ ସ୍ନାତକ ଛାତ୍ର ଓ ଛାତ୍ରୀ ବୃନ୍ଦଙ୍କ ପ୍ରୟାସରେ ଆଜି କଲେଜ ପରିସରରେ ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଗୋପବନ୍ଧୁଙ୍କର ଏକ ଆବଦ୍ଧ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି ।

    ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଚିତ୍ତରଞ୍ଜନ ଦ୍ୱିବେଦୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ସାମନ୍ତ ଚନ୍ଦ୍ରଶେଖର ଙ୍କ ପାଖରେ ଦୀପଦାନ ଓ ବୃକ୍ଷ୍ୟରୋପଣ ପରେ ଏକ ସାଧାରଣ ସଭା ଓ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

    ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ଦ୍ୱିବେଦୀ ଏବଂ ସମ୍ମାନିତ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ତଥା ବରିଷ୍ଠ କବି ଡ଼ଃ ଦିଲ୍ଲୀପ ସ୍ୱାଇଁ ଯୋଗ ଦେଇଥିଲେ ।

    ଉକ୍ତ ଉତ୍ସବରେ ବାଣିଜ୍ୟ ବିଭାଗର ପ୍ରାକ୍ତନ ଅଧ୍ୟାପକ ପ୍ରଫେସର ଡ଼ଃ ବିମଲ ପ୍ରସାଦ ମହାପାତ୍ର, ପ୍ରଫେସର ଶ୍ରୀଯୁକ୍ତ ନିମାଇଁ ଚରଣ ଜେନା, ପ୍ରଫେସର ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଏବଂ ପ୍ରଫେସର ଡ଼ଃ ଭଗବାନ ଦାସଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସନମାନିତ କରାଯାଇଥିଲା ।

    ପୁରାତନ ଛାତ୍ର ଓ ଛାତ୍ରୀ ମାନେ ଗୁରୁମାନଙ୍କର ସ୍ମୃତି ଚାରଣ କରିଥିଲେ ଓ ନିଜର ଅନୁଭୂତି ବଖାଣି ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡ଼ଃ ଭଗବାନ ଦାସ ଏହି ମହାବିଦ୍ୟାଳୟକୁ ଏକ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବାପାଇଁ ପ୍ରସ୍ତାବ ଦେଇଥିଲେ ।

    କାର୍ଯ୍ୟକ୍ରମକୁ ୧୯୯୧-୯୪ ର ବାଣିଜ୍ୟ ସ୍ନାତକ ଛାତ୍ର ଶ୍ରୀ ସଞ୍ଜୀବ କୁମାର ରଥଶର୍ମା ପରିଚାଳନା କରିଥିଲେ । ଶତାଧିକ ପୁରୁଣା ଛାତ୍ର ଓ ଛାତ୍ରୀ, କଲେଜର ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

    ଆଲୁମିନି ମାନଙ୍କର ଏହିପରି ଉଦ୍ୟମ କୁ ସଭାରେ ଉପସ୍ଥିତ ଅତିଥମାନେ ଭୂୟସୀ ପ୍ରଶଂସା କରିଥିଲେ ।