Category: ଜିଲ୍ଲା

  • ଆଜିଠୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଲାଭାର୍ଥୀ ପାଇବେ ୬୦ ହଜାର

    ଆଜିଠୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଲାଭାର୍ଥୀ ପାଇବେ ୬୦ ହଜାର

    ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ କଲ୍ୟାଣମୂଳକ ଯୋଜନା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆଜିଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି | ଏହି ଯୋଜନାର ଶୁଭାରମ୍ଭ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା ତାରାତାରିଣୀଙ୍କ ପୀଠରୁ କରାଯିବ | ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଏହି ଯୋଜନାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଶୁଭାରମ୍ଭ କରିବେ |

    ମହିଳା ଓ ଶିଶୁକଲ୍ୟାଣ ବିଭାଗ ପକ୍ଷରୁ ପରିଚାଳିତ ଏହି ଯୋଜନାରେ ଆର୍ଥିକ ଭାବେ ଦୁର୍ବଳ ପରିବାରର କନ୍ୟାଙ୍କ ବିବାହ ପାଇଁ ସହାୟତା ଦିଆଯିବ | ଯୋଜନା ଅନୁସାରେ ୧୮ରୁ ୩୫ ବର୍ଷ ବୟସର କନ୍ୟା ଏବଂ ୨୧ରୁ ୩୫ ବର୍ଷ ବୟସର ପୁଅ ଏହାର ଲାଭ ନେଇପାରିବେ | ପ୍ରତ୍ୟେକ ଲାଭାର୍ଥୀଙ୍କୁ ୬୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ |

    ଖବର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଆଜି ଦିନ ସାଢେ ୧୧ଟା ସମୟରେ ମା’ ତାରାତାରିଣୀ ପୀଠରେ ଥିବା ଅସ୍ଥାୟୀ ହେଲିପ୍ୟାଡ଼ରେ ପହଞ୍ଚିବେ | ଏହି ଅବସରକୁ ନଜରରେ ରଖି ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ସହିତ ସମସ୍ତ ପ୍ରକାର ବ୍ୟାପକ ବନ୍ଦୋବସ୍ତ କରାଯାଇଛି | ଏହି ଯୋଜନା ମାଧ୍ୟମରେ ଗରିବ ଓ ମଧ୍ୟମ ବର୍ଗର ପରିବାରମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି |

  • ମା’ ବିରଜାଙ୍କ ଦର୍ଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    ମା’ ବିରଜାଙ୍କ ଦର୍ଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ ପାଇଁ ଆଜି ଯାଜପୁରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ଭୁବନେଶ୍ୱରରୁ ବିଶେଷ ବିମାନରେ ଯାଜପୁର ଆସି ପହଞ୍ଚିବା ପରେ ସେ ମା’ ବିରଜାଙ୍କୁ ଦର୍ଶନ କରି ନାଭିଗୟାରେ ପିତୃପୁରୁଷଙ୍କ ପାଇଁ ପିଣ୍ଡଦାନ କରିଛନ୍ତି | ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ମଧ୍ୟ ଉପସ୍ଥିତ ଥିଲେ |

    ମା’ ବିରଜାଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ପିଣ୍ଡଦାନ ନୀତି ସଂପାଦନ ପାଇଁ ୧୬ ଜଣ ବ୍ରାହ୍ମଣ ଏବଂ ୩୨ ଜଣ ସେବାୟତ ବିଶେଷ ଭାବେ ନିୟୋଜିତ ହୋଇଛନ୍ତି | ରାଷ୍ଟ୍ରପତିଙ୍କ ଆଗମନକୁ ଦୃଷ୍ଟିରେ ରଖି ମା’ ବିରଜାଙ୍କୁ ବିଶେଷ ବେଶରେ ସଜାଯାଇଛି | କୁସୁମାଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱକୁ ଭଲ ଭାବରେ ସଜାଯାଇଥିଲା | ତାହା ସହ ସାଂସ୍କୃତିକ ଦଳ, ଲୋକନୃତ୍ୟ, କୀର୍ତ୍ତନ ଓ ଆଧ୍ୟାତ୍ମିକ ପରିବେଷଣ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଅତ୍ୟନ୍ତ ଭବ୍ୟ ସ୍ୱାଗତ କରାଯାଇଛି | ନାଭିଗୟାକୁ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ପରିଷ୍କାର କରାଯାଇ ସୁନ୍ଦର ଭାବେ ସାଜସାଜି କରାଯିବ ସହ ସୁରକ୍ଷା ବ୍ୟବସ୍ଥା ଜୋରଦାର କରାଯାଇଛି | ୨୦ ପ୍ଲାଟୁନ ପୁଲିସ ଫୋର୍ସ, ୩ ଜଣ SP, ୩୦ ଜଣ ଇନ୍ସପେକ୍ଟର ସବ୍‌ଇନ୍ସପେକ୍ଟର ନିଯୁକ୍ତ କରିବା ସହ କେତେକ ସ୍ଥାନରେ କମଣ୍ଡ ରାଙ୍କ୍ ଅଫିସର ମୁତୟନ କରାଯାଇଛି | ବିରଜା ମନ୍ଦିର ପରିସର, ବ୍ରହ୍ମାକୁଣ୍ଡ ଓ ଆଖପାଖ ଅଞ୍ଚଳକୁ ଫୁଲ, ପ୍ରଦୀପ ଓ ବିଭିନ୍ନ ସଜାଣିରେ ଆକର୍ଷଣୀୟ ଭାବେ ସଜାଯାଇଛି |

    ମହାମହିମ ଯାଜପୁର କାର୍ଯ୍ୟକ୍ରମ ସାରିବା ପରେ ବାଲେଶ୍ୱର ଯିବେ |ବିରଜା ଦର୍ଶନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଲେଶ୍ୱରର ଫକୀରମୋହନ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ | ସେଠାରୁ ଅପରାହ୍ଣ ପ୍ରାୟ ୩.୫୦ରେ ପୁରୀ ଯିବା କାର୍ଯ୍ୟକ୍ରମ ରହିଛି | ରାଷ୍ଟ୍ରପତିଙ୍କ ଏହି ପ୍ରଥମ ଯାଜପୁର ଗସ୍ତକୁ ଐତିହାସିକ କରିବା ପାଇଁ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବିଶେଷ ପ୍ରସ୍ତୁତି ହୋଇଥିବା ଦେଖାଗଲା।

  • ଘନ କୁହୁଡିରେ କୋରାପୁଟ–ଖୋର୍ଦ୍ଧା ଆଚ୍ଛାଦିତ, ଯାତାୟାତ ବହୁତ ବାଧାପ୍ରାପ୍ତ

    ଘନ କୁହୁଡିରେ କୋରାପୁଟ–ଖୋର୍ଦ୍ଧା ଆଚ୍ଛାଦିତ, ଯାତାୟାତ ବହୁତ ବାଧାପ୍ରାପ୍ତ

    କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରେ ପୁଣି ଶୀତର ବଦଳ ବଢ଼ିବା ସହ ଘନ କୁହୁଡିର ପ୍ରଭାବ ବଢ଼ୁଛି | ରାତିରୁ ପାହାନ୍ତିଆ ପର୍ଯ୍ୟନ୍ତ ତିବ୍ର କୁହୁଡି ଛାଇ ରହିବାରୁ ସାଧାରଣ ଜୀବନ ସହ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଛି | କୋରାପୁଟରେ ଶୀତ ସ୍ପଷ୍ଟ ଭାବରେ ଅନୁଭବ ହେବାରୁ ସକାଳେ ଦୂର ପର୍ଯ୍ୟନ୍ତ କିଛି ଦେଖାଯାଉନଥିବା ପରିସ୍ଥିତି ସୃଷ୍ଟି ହେଉଛି |

    କୋରାପୁଟ ରୁ ରାୟଗଡାକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଘନ କୁହୁଡିର ଏତେ ଅଧିକ ଯେ ବହୁତ ଗାଡିକୁ ରାସ୍ତା କଡରେ ରହିବାକୁ ପଡ଼ୁଛି | ପରିବହନ ଗାଡିଗୁଡିକ ଧୀରେଚାଲିଥିବାରୁ ଯାତାୟାତ ସମୟରେ ବହୁତ ବିଳମ୍ବ ମଧ୍ୟ ହେଉଛି | ଲକ୍ଷ୍ମୀପୁର ସହ ଜିଲ୍ଲାର ବହୁ ସ୍ଥାନରେ କୁହୁଡି ଏତେ ଘନ ଯେ ସୂର୍ଯ୍ୟୋଦୟ ସମୟରେ ମଧ୍ୟ ଆଲୋକ ଠିକ ଭାବରେ ପଡ଼ୁନାହିଁ | ଗାଁ ମଝିଆଁରେ କୁହୁଡିର ଚାଦର ଛାଇ ରହିଥିବାରୁ ଲୋକମାନେ ଥାଣ୍ଡା ସହ ପ୍ରତିଦିନ ନିଜ କାମକରୁଥିବା ବା କାମକୁ ଯାଉଥିବା ଲୋକ ବହୁ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି |

    ଖୋର୍ଦ୍ଧାରେ ମଧ୍ୟ ଘନ କୁହୁଡି ଦେଖାଦେଇଛି | ସକାଳୁ ଘନ କୁହୁଡି ଛାଇ ରହିବାରୁ ରାସ୍ତା ପରି ହେବା ବହୁତ କଷ୍ଟକର ହେଉଛି | ଯାତାୟାତ ବ୍ୟବସ୍ଥା ଗୁରୁତର ଭାବରେ ପ୍ରଭାବିତ ହୋଇଛି ବେଳେବେଳେ ଦୁର୍ଘଟଣା ସଂଭାବନା ମଧ୍ୟ ବଢ଼ିବାକୁ ଲାଗିଛି | ମୌସମ ବିଭାଗ ପକ୍ଷରୁ ଆଗମନ ଅଛି ଯେ ଆଗାମୀ କିଛି ଦିନ ଏହି ପରିସ୍ଥିତି ଚାଲିଥିବାର ସମ୍ଭାବନା ରହିଛି |ସତର୍କ ରହିବା ଓ ଧୀରେ ଗାଡି ଚାଳନା କରିବାକୁ ଯାତ୍ରୀ ଓ ଚାଳକମାନଙ୍କୁ ପରାମର୍ଶ ଦିଆଯାଇଛି |

  • ଶ୍ରୀମନ୍ଦିରରେ ପବିତ୍ର ମାଘ ପୂର୍ଣ୍ଣିମା: ଶ୍ରୀଜଗନ୍ନାଥଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ

    ଶ୍ରୀମନ୍ଦିରରେ ପବିତ୍ର ମାଘ ପୂର୍ଣ୍ଣିମା: ଶ୍ରୀଜଗନ୍ନାଥଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ

    ଆଜି ପବିତ୍ର ମାଘ ପୂର୍ଣ୍ଣିମା | ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହେବ | ମଧ୍ୟାହ୍ନରେ ରତ୍ନସିଂହାସନ ଉପରେ ଶ୍ରୀମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ପ୍ରଦର୍ଶିତ ହୋଇବ | ସନ୍ଧ୍ୟାଧୂପରେ ଠାକୁରଙ୍କୁ ଖିରି ଓ ଅମାଲୁ ଭୋଗ ଦିଆଯିବ | ପୌରାଣିକ କଥାନୁସାରେ, ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ସମୟରେ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲେ | ଗଜରାଜ କ୍ଷତବିକ୍ଷତ ଅବସ୍ଥାରେ ଭଗବାନଙ୍କୁ ପ୍ରାର୍ଥନା କଲେ, ଯାହାର ପରିଣାମରେ ଭକ୍ତଙ୍କ ଡାକ ଶୁଣି କୁମ୍ଭୀରଙ୍କୁ ଠାକୁର ନିକଟରୁ ଗଜରାଜକୁ ଉଦ୍ଧାର କରିଥିଲେ |

    ଏହି ସ୍ମୃତିରେ ଶହଶହ ବର୍ଷ ଧରି ଶ୍ରୀମନ୍ଦିରରେ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହେଉଛି | ଏହି ବେଶରେ ଶ୍ରୀଜଗନ୍ନାଥ ଚତୁର୍ଭୁଜ ରୂପେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି | ଗରୁଡ଼ ଉପରେ ବସି ଲକ୍ଷ୍ମୀ ପ୍ରତିମା କୋଳରେ ଧାରଣ କରିଥାନ୍ତି, ଯେଉଁଥିରେ ବଳଭଦ୍ର ଚତୁଃହସ୍ତରେ ଶଙ୍ଖ, ଚକ୍ର, ହଳ ଓ ମୁଷଳ ଧାରଣ କରି ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସଦୃଶ ରୂପରେ ବିରାଜମାନ ହୋଇଥାନ୍ତି |ପର୍ଯ୍ୟଟକ, ଭକ୍ତ ଏବଂ ସାଧୁ-ସନ୍ୟାସୀମାନେ ଏହି ଦୃଶ୍ୟ ଦେଖି ଆନନ୍ଦିତ ହେଉଛନ୍ତି, ଏବଂ ମାଘ ପୂର୍ଣ୍ଣିମା ଅବସରକୁ ପବିତ୍ର ଭାବେ ଅନୁଭବ କରୁଛନ୍ତି।

  • ମହାନଦୀ ଗଣ୍ଡରେ କୁମ୍ଭୀର ସଂଖ୍ୟା ବୃଦ୍ଧି, ବିଲୁପ୍ତ ପ୍ରାୟ ଘଡ଼ିଆଳ ମଧ୍ୟ ଦେଖାଯାଇଛି

    ମହାନଦୀ ଗଣ୍ଡରେ କୁମ୍ଭୀର ସଂଖ୍ୟା ବୃଦ୍ଧି, ବିଲୁପ୍ତ ପ୍ରାୟ ଘଡ଼ିଆଳ ମଧ୍ୟ ଦେଖାଯାଇଛି

    ସାତକୋଶିଆର ମହାନଦୀ ଗଣ୍ଡରେ ଏବେ ୧୧୦ଟି କୁମ୍ଭୀର ଗଣନା କରାଯାଇଛି | ଏହି ଗଣନା ଚଳିତ ମାସ ୬ ତାରିଖରୁ ଆରମ୍ଭ ହୋଇଥିଲା | ସେଥିରେ ୮୮ଟି ମଗର ଏବଂ ୨୨ଟି ବିଲୁପ୍ତ ପ୍ରାୟ ଘଡ଼ିଆଳ ଦେଖାଯାଇଛି | ୧୪ଟି ଟିମ୍ ଏହି ଗଣନାରେ ନିଯୁକ୍ତ ଥିଲେ, ଯେଉଁଥିରେ ପ୍ରାୟ ୭୦ ଜଣ ବନ କର୍ମଚାରୀ ଏବଂ ଗବେଷକ ସାମିଲ ଥିଲେ | ଗତବର୍ଷ ସାତକୋଶିଆ ମହାନଦୀ ଗଣ୍ଡରେ ୭୫ଟି କୁମ୍ଭୀର ଥିଲେ, ଯେଉଁଥିରେ ୫୯ଟି ମଗର ଏବଂ ୧୬ଟି ଘଡ଼ିଆଳ ଥିଲେ। ତୁଳନା କଲେ, ଗତବର୍ଷ ତୁଳନାରେ ଏବେ ଉଭୟ ମଗର ଓ ଘଡ଼ିଆଳର ସଂଖ୍ୟା ବୃଦ୍ଧି ପାଇଛି | ବିଶେଷଜ୍ଞଙ୍କ ମତାନୁସାରେ, ମହାନଦୀ ଗଣ୍ଡରର ଉତ୍ତମ ପରିବେଶ ଏବଂ ପ୍ରକୃତି ସୁରକ୍ଷା ଯୋଗୁଁ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି।

  • ପୁଣି ବାଲେଶ୍ୱରରେ ଆଉ ଏକ ଲଜ୍ୟା ଜନକ ଘଟଣା, ଯୁକ୍ତ ୨ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ

    ପୁଣି ବାଲେଶ୍ୱରରେ ଆଉ ଏକ ଲଜ୍ୟା ଜନକ ଘଟଣା, ଯୁକ୍ତ ୨ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ

    କେବେ ନାରୀଙ୍କୁ ମିଳିବ ସୁରକ୍ଷା ? କେବେ ରାକ୍ଷସ ରୂପି ନରଙ୍କ ନଜରୁ ସୁରକ୍ଷିତ ଭାବେ ଜୀବନ ବଞ୍ଚିବେ ଝିଅ ଓ ମହିଳା ? ଥରେ ନୁହେଁ କି ଦୁଇ ଥର ନୁହେଁ, ସବୁବେଳେ ଗୋଟିଏ ନାରୀ ହିଁ କାହିଁକି ନିର୍ଯାତିତ ଓ ଦୁଷ୍କର୍ମର ଶିକାର ହେଉଛି ଏହାର ଉତ୍ତର ଦେଇପାରିବେ କି ସରକାର ? ଏହି ପ୍ରଶ୍ନ ଆଜି ସମଗ୍ର ସମାଜ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇ ଉଠିଛି । ପ୍ରତ୍ୟେକ ଦିନ ରାଜ୍ୟର କୌଣସି ନା କୌଣସି କୋଣରୁ ନାରୀ ଉପରେ ନିର୍ଯାତନା, ଦୁଷ୍କର୍ମ ଭଳି ଘଟଣା ସାମ୍ନାକୁ ଆସୁଛି, ଯାହା ନାରୀ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛି । ରାଜ୍ୟରେ ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନ ଦିନକୁ ଦିନ ଅଧିକ ଗଭୀର ହେଉଥିବା ବେଳେ, ପୁଣି ଏକ ଲୋମହର୍ଷକ ଘଟଣା ସମଗ୍ର ସମାଜକୁ ଲଜ୍ଜିତ କରିଛି । ଆଜ୍ଞା ହଁ ଆସିଛି ବଲେଶ୍ଵର୍ ଜିଲ୍ଲାର ସୋର ଥାନା ଅଞ୍ଚଳରୁ ।

    ଏକ ଯୁକ୍ତ ଦୁଇରେ ପଢ଼ୁଥିବା ଛାତ୍ରୀ ଜଣଙ୍କ ଶନିବାର ସଂଧ୍ୟାରେ ଟିଉସନ୍ ସାରି ଘରକୁ ଫେରୁଥିବା ବେଳେ, ଦୁଇଜଣ ଯୁବଙ୍କ ତାଙ୍କୁ ଗଣଦୁଷ୍କର୍ମ କରିଥିବା ସୂଚନା ମିଳିଛି । ସେହି ସମୟରେ ଛାତ୍ରୀ ଜଣଙ୍କ ଜୋରରେ ଚିତ୍କାର କରିବାରୁ ଦୁଇ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ପରେ ଛାତ୍ରୀ ଗୁରୁତର ମାନସିକ ଆଘାତରେ ଥିବା ବେଳେ,ପରିବାର ଲୋକେ ଘଟଣାସ୍ଥଳରୁ ଛାତ୍ରୀ ଜଣଙ୍କୁ ଉଦ୍ଧାର କରି ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ପରେ ଏନେଇ ଥାନାରେ ଏତଲା ଦାଖଲ କରିଛନ୍ତି । ଏତଲା ଆଧାରରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

  • ହେଲମେଟ ସଚେତନତାର ନିଆରା ପ୍ରୟାସ: ଦାନଗଦୀରେ ୩୭ତମ ସଡ଼କ ସୁରକ୍ଷା ଓ ଜୀବନ ରକ୍ଷା ଅଭିଯାନ

    ଯାଜପୁର ଜିଲ୍ଲା ଦାନଗଦୀ ଅଞ୍ଚଳ ଅନ୍ତର୍ଗତ ସୀଙ୍ଗାଡ଼ିଆ ଛକ ନିକଟରେ ୟୁନିକୋ ଏଣ୍ଟ୍ରପ୍ରାଇଜେସ (ନୀଳାଞ୍ଚଳ କମ୍ପାନୀ) ତରଫରୁ ଦାନଗଦୀ ପୋଲିସର ସହଯୋଗରେ ୩୭ତମ ସଡ଼କ ସୁରକ୍ଷା ଓ ଜୀବନ ରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୋଟରସାଇକେଲ ଆରୋହୀମାନେ କିପରି ହେଲମେଟ ପିନ୍ଧି ନିଜ ଜୀବନ ସୁରକ୍ଷା କରିପାରିବେ, ସେନେଇ ସଚେତନ କରାଯାଇଥିଲା। ଡବଲ ହେଲମେଟ ପିନ୍ଧି ଗାଡ଼ି ଚଳାଉଥିବା ବ୍ୟକ୍ତିମାନଙ୍କୁ ଗୋଲାପ ଫୁଲ ଓ ଚକୋଲେଟ୍ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।

    ରାତ୍ରି ସମୟରେ ସଡ଼କ ଦୁର୍ଘଟଣା ରୋକିବା ଉଦ୍ଦେଶ୍ୟରେ ବୁଲା ଗାଈ, ଗୋରୁ ଓ ଷଣ୍ଢମାନଙ୍କ ବେକରେ ରେଡିଅମ୍ ବେଲ୍ଟ ପିନ୍ଧାଯାଉଥିବାର ଦୃଶ୍ୟ ଲୋକଙ୍କ ଆକର୍ଷଣ କେନ୍ଦ୍ର ବନିଥିଲା। ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା, ଯାହାକୁ ୟୁନିକୋ ଏଣ୍ଟ୍ରପ୍ରାଇଜେସର ଏକ ନିଆରା ପ୍ରୟାସ ଭାବେ ଦେଖାଯାଉଛି। ଏହି ଅବସରରେ ଦାନଗଦୀ ଫାଣ୍ଡି ଅଧିକାରୀ ଅମୂଲ୍ୟ କୁମାର ମିଶ୍ର ଯୋଗଦେଇ କହିଥିଲେ, “ସମସ୍ତ ଜନସାଧାରଣ ଗାଡ଼ି ଚଳାଇବା ବେଳେ ସର୍ବଦା ହେଲମେଟ ବ୍ୟବହାର କଲେ ନିଜ ସୁରକ୍ଷା ସହ ପରିବାର ମଧ୍ୟ ସୁରକ୍ଷିତ ରହିପାରିବ।”

    ଏହି ସଚେତନତା ଅଭିଯାନରେ ନୀଳାଞ୍ଚଳ ଇସ୍ପାତ ନିଗମର RMHS & Logistic Operation ବିଭାଗର ରାକେଶ ମହାନ୍ତି, ଶୁଭେନ୍ଦୁ ଚନ୍ଦା ଓ କୁନାଲ ବିଶ୍ୱାସ ସାମିଲ ହୋଇଥିଲେ।

  • ପଦ୍ମଶ୍ରୀ ସମ୍ମାନରେ ଚାରି ଓଡ଼ିଆ, ସାନ୍ତାଳୀ ସାହିତ୍ୟକୁ ମିଳିଲା ସ୍ୱୀକୃତି

    ପଦ୍ମଶ୍ରୀ ସମ୍ମାନରେ ଚାରି ଓଡ଼ିଆ, ସାନ୍ତାଳୀ ସାହିତ୍ୟକୁ ମିଳିଲା ସ୍ୱୀକୃତି

    ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଭବନ ପକ୍ଷରୁ ପଦ୍ମ ପୁରସ୍କାର ପ୍ରାପ୍ତକାରୀଙ୍କ ତାଲିକା ଘୋଷଣା କରାଯାଇଛି | ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଏଥର ଓଡ଼ିଶାର ଚାରି ଜଣ ମହେନ୍ଦ୍ର କୁମାର ମିଶ୍ର, ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ସାନ୍ତାଳୀ ଲେଖକ ଚରଣ ହେମ୍ବ୍ରମ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ | ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଜୀବନବ୍ୟାପୀ ଅବଦାନ ପାଇଁ ଚରଣ ହେମ୍ବ୍ରମଙ୍କୁ ଏହି ଗରିମାମୟ ସମ୍ମାନ ମିଳିବାକୁ ଯାଉଛି | ସେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଅନ୍ତର୍ଗତ ପୁରୁଣାଘାଟି ନୂଆଗାଁ ଗ୍ରାମରେ ୯ ଫେବୃଆରୀ ୧୯୫୨ ମସିହାରେ ଜନ୍ମଗ୍ରହଣ କରିଥିଲେ |

    ଛୋଟବେଳୁ ଶିକ୍ଷା ପ୍ରତି ଗଭୀର ଆଗ୍ରହ ରଖୁଥିବା ଚରଣ ହେମ୍ବ୍ରମ ୧୯୭୧ ମସିହାରେ ମାଟ୍ରିକ ପାସ କରିବା ପରେ ଶିକ୍ଷକତା ପାଇଁ ତାଲିମ ଗ୍ରହଣ କରିଥିଲେ | ସେ ଏକାଧାରରେ ଜଣେ ସାହିତ୍ୟିକ, ସଙ୍ଗୀତ ନିର୍ଦ୍ଦେଶକ, ଆଦିବାସୀ ଡ୍ରାମା ଓ ନୃତ୍ୟ ନିର୍ଦ୍ଦେଶକ ଭାବେ ଖୁବ୍ ପରିଚିତ |


    ଚରଣ ହେମ୍ବ୍ରମ କହିଛନ୍ତି ଯେ , “୧୯୯୨ ମସିହାରୁ ମୁଁ ସାନ୍ତାଳୀ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାରରେ ଲାଗିଥିଲି। ବିଭିନ୍ନ ସ୍କୁଲରେ ନୃତ୍ୟ ଓ ସଙ୍ଗୀତ ଶିକ୍ଷା ଦେଉଥିଲି। ଲୋକଙ୍କ ସ୍ନେହ ଓ ସମ୍ମାନ ମୋତେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଛି।”
    ସାନ୍ତାଳୀ ଭାଷା, ଆଦିବାସୀ ସଂସ୍କୃତି ଏବଂ ଅଲଚିକି ଲିପିର ବିକାଶ ପାଇଁ ସେ ଅନେକ ପୁସ୍ତକ, ବହି ଓ ଜର୍ଣ୍ଣାଲ ରଚନା କରିଛନ୍ତି | ଆସେକା ସଂଗଠନର ଆଜୀବନ ସଦସ୍ୟ ଭାବେ ରହିବା ସହ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ସହ ସେ ସକ୍ରିୟ ଭାବେ ଜଡିତ ଥିଲେ |

    ପଦ୍ମଶ୍ରୀ ସମ୍ମାନ ଘୋଷଣା ପରେ ରାଇରଙ୍ଗପୁର ଉପଖଣ୍ଡରେ ଖୁସିର ମାହୋଲ ଦେଖାଦେଇଛି | ତାଙ୍କ ବାସଭବନରେ ଆଦିବାସୀ ପାରମ୍ପରିକ ନୃତ୍ୟ ଓ ବାଦ୍ୟଯନ୍ତ୍ର ମାଧ୍ୟମରେ ସ୍ଥାନୀୟ ଲୋକେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଛନ୍ତି | ସାନ୍ତାଳୀ ଭାଷା ଓ ଆଦିବାସୀ ସଂସ୍କୃତିକୁ ଜାତୀୟ ସ୍ତରରେ ପରିଚୟ ଦେଇଥିବା ଚରଣ ହେମ୍ବ୍ରମଙ୍କ ପଦ୍ମଶ୍ରୀ ସମ୍ମାନ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ସମ୍ମାନର କଥା|

  • ପୁରୀ ଶ୍ରୀମନ୍ଦିରରେ ଅଘଟଣ: ପୋଲିସ ମାଡ଼ରେ ନାବାଳକ ଗୁରୁତର

    ପୁରୀ ଶ୍ରୀମନ୍ଦିରରେ ଅଘଟଣ: ପୋଲିସ ମାଡ଼ରେ ନାବାଳକ ଗୁରୁତର

    ପୁରୀ ଶ୍ରୀମନ୍ଦିର ବାହାର କାଠ ନିକଟରେ ପୋଲିସ ମାଡ଼ରେ ଜଣେ ନାବାଳକ ଗୁରୁତର ଆହତ ହୋଇଥିବା ଅଭିଯୋଗ ଆସିଛି ସାମ୍ନାକୁ | ଆହତ ନାବାଳକକୁ ମନ୍ଦିର ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି | ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଆବଶ୍ୟକ ପଡିଲେ କଟକର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର କହିଛନ୍ତି।

    ଖବର ଅନୁଯାୟୀ, ଶୁକ୍ରବାର ରାତିରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଅଂଚଳର ଅଚ୍ୟୁତାନନ୍ଦ ବିଶ୍ୱାଳ ତାଙ୍କ ସ୍ତ୍ରୀ ଓ ନାବାଳକ ପୁଅ ସହ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ | ଦର୍ଶନ କରିବା ସମୟରେ ବାହାର କାଠ ପାଖ ଭିଡ଼ ମଧ୍ୟରେ ଜଣେ ପୋଲିସ ପୋଷାକଧାରୀ ତାଙ୍କ ନାବାଳକ ପୁଅକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି | ଏହାକୁ ନେଇ ପ୍ରତିବାଦ କରିବାରୁ ସମ୍ପୃକ୍ତ ପୋଲିସ କର୍ମଚାରୀ ପୁଣି ମାଡ଼ ମାରିଥିବା କୁହାଯାଉଛି |

    ଏହି ଘଟଣା ସମ୍ପର୍କରେ ପୁରୀ ଏସପିଙ୍କୁ ଜଣାଇବା ପରେ ସିଟି ଡିଏସପି, ସିଂହଦ୍ୱାର ଥାନା ଓ କୁମ୍ଭାରପଡ଼ା ଥାନାର ଅଧିକାରୀମାନେ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି | ତେବେ ଏହି ଘଟଣାକୁ ନେଇ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି ଆଧିକାରିକଙ୍କ ପ୍ରତିକ୍ରିୟା ମିଳିପାରିନି |

  • ଶ୍ରୀମନ୍ଦିରକୁ ଉଡ଼ାଇଦେବାର ଆସିଲା ଧମକ

    ଶ୍ରୀମନ୍ଦିରକୁ ଉଡ଼ାଇଦେବାର ଆସିଲା ଧମକ

    ପୁରୀ ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଫେସବୁକରେ ପୋଷ୍ଟ ଏକ ମାଧ୍ୟମରେ ଧମକ ଦିଆଯାଇଛି | ଏହି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି ହୋଇଯାଇଛି | ଏହି ଘଟଣାରେ ପୋଲିସ ଏକାଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି |

    ପୁରୀ ଏସପି ସୂଚନା ଦେଇଛନ୍ତି ଯେ , ସୁରକ୍ଷା ଦୃଷ୍ଟିକୋଣରୁ ଶ୍ରୀମନ୍ଦିର ସୁରକ୍ଷା ବାହିନୀ ସହ STU ଓ ସମସ୍ତ ସୁରକ୍ଷା ଫୋର୍ସଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି | ଶ୍ରୀମନ୍ଦିର ପରିସରରେ ବୋମା ନିଷ୍କ୍ରିୟକାରୀ ଦଳ ସଜାଗ ରହିଥିବାବେଳେ , ସିଟି ଡିଏସପିଙ୍କ ନେତୃତ୍ୱରେ ଏକ ବିଶେଷ ଟିମ୍ ଗଠନ କରାଯାଇଛି | ଯାହା ଦ୍ୱାରା ସମ୍ପୂର୍ଣ୍ଣ ଅଞ୍ଚଳରେ ତଲାଶି ଓ ଯାଞ୍ଚ ଚାଲି ରହିବ |

    ପୋଲିସ କହିଛି, ‘ଜୁଲି ରାଣୀ ପଣ୍ଡା’ ନାମରେ ଥିବା ଫେସବୁକ୍ ଆଇଡି କିଏ ଅପରେଟ୍ କରୁଥିଲେ ଓ କେଉଁ ସ୍ଥାନରୁ ଏହା ଚାଲୁହୋଇଥିଲା , ସେ ସମ୍ପର୍କରେ ତଦନ୍ତ ଜାରି ରହିଛି | ଫେସବୁକ୍ URL ମାଧ୍ୟମରେ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯାଉଛି |

    ପ୍ରଥମେ ସେହି ଫେସବୁକ୍ ଆଇଡିରୁ ଏକ ୱେବ୍ ଚ୍ୟାନେଲ ମାଲିକଙ୍କୁ ଧମକ ଦିଆଯାଇଥିଲା | ସେହି ଏତଲାକୁ ଭିତ୍ତି କରି ପୁରୀ ବାସେଳୀ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା | ସେହିପରି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଦିଆଯାଇଥିବା ଧମକକୁ ମଧ୍ୟ ହାଲକା ଭାବେ ନିଆଯାଇନାହିଁ ବୋଲି ପୁରୀ ଏସପି ସ୍ପଷ୍ଟ କରିଛନ୍ତି | ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଥିବା ବେଳେ, ପୋଲିସ ଓ ସୁରକ୍ଷା ଏଜେନ୍ସିମାନେ ସଜାଗ ଅଛନ୍ତି।