ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜଳ ଯୋଗାଣ ବିଭାଗର କର୍ମଚାରୀ ମୃତ | କାମାକ୍ଷାନଗର ରେକୁଳା ରାମିଆଳ ନଦୀରେ ବୁଡି ଯାଇଥିବା ଜଳଯୋଗାଣ ବିଭାଗ କର୍ମଚାରୀଙ୍କ ମିଳିଲା ମୃତଦେହ। ମୃତ ଯୁବକ ହେଲେ ରେକୁଳା ଗ୍ରାମର ପ୍ରଦୀପ୍ତ ବେହେରା ।ସକାଳ ସମୟରେ ନଦୀକୂଳରେ ଥିବା ସମ୍ପ୍ ଗେଟ୍ ଖୋଲିବାକୁ ଯାଇଥିବା ବେଳେ ଗଭୀର ଜଳରେ ଫସି ଯାଇଥିଲେ ପ୍ରଦୀପ୍ତ । ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବିଭାଗ ଓ ଭୁବନ ଓଡ୍ରାପ୍ଟ ଟିମ୍ ପହଞ୍ଚି ବହୁ ଖୋଜ ଖୋଜି କରିଥିଲେ | ଦୀର୍ଘ ୫ ଘଣ୍ଟାର ଅପରେସନ ପରେ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି ।
Category: ଜିଲ୍ଲା
-

ଧାନମଣ୍ଡି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ
କୋରେଇ ବ୍ଲକ ଅନ୍ତର୍ଗତ ଜହ୍ନା କୃଷି ସମବାୟ ସମିତିର ଧାନମଣ୍ଡି କ୍ରୟ କେନ୍ଦ୍ରର ଭିଭିପ୍ରସ୍ତର ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଆକାଶ ଦାସନାୟକ ଯୋଗ ଦେଇ ଏହାର ଭିଭିପ୍ରସ୍ତର ସ୍ଥାପନ କରିଥିଲେ । ଜହ୍ନା ପଞ୍ଚାୟତ ପକ୍ଷରୁ କରାଯାଇଥିବା ଏହି ଧାନମଣ୍ଡି କ୍ରୟ କେନ୍ଦ୍ରର ବ୍ୟୟ ଅଟକଳ ୫୮ଲକ୍ଷ ୪ହଜାର ଟଙ୍କା ବୋଲି ଜଣାପଡ଼ିଛି । କାର୍ଯ୍ୟକ୍ରମରେ ଜହ୍ନା ସରପଞ୍ଚ ସଂଯୁକ୍ତା ସାହୁ, ସମିତିସଭ୍ୟା ହେମଲତା ପାଢ଼ୀ, ବରିଷ୍ଠ ବିଜେପି ନେତା ପିନାକୀ ରଞ୍ଜନ ଦାସଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହିଥିଲେ । କୃଷକ ମାନଙ୍କୁ ଫସଲ କରିବା ପାଇଁ ସୁବିଧା ସୁଯୋଗ ଯୋଗାଇଦେବା ସହିତ ଧାନ ବିକ୍ରୟ କରି କୃଷକ ମାନେ କିଭଳି ଲାଭବାନ ହୋଇପାରିବେ ସେଥିପାଇଁ ଏହି କେନ୍ଦ୍ର ଟି ଖୋଲା ଯାଇଥିବା ବିଧାୟକ କହିଛନ୍ତି । ଧାନମଣ୍ଡି କେନ୍ଦ୍ର ଟି ଖୋଲାଯାଇଥିବାରୁ ଜହ୍ନା ପଞ୍ଚାୟତ ର କୃଷକ ଭାଇ ମାନେ ବିଧାୟକ ଆକାଶ ଦାସ ନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
-

ପୋଖରୀରେ ବୁଡ଼ି ଯୁବକ ମୃତ
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ଗ୍ରାମରେ ଦୁଃଖଦ ଘଟଣା ଘଟିଛି I ପୋଖରୀରେ ଗାଧେଇବା ସମୟରେ ପୋଖରୀରେ ବୁଡ଼ି ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି I ମୃତ ଯୁବକ ଜଣକ ହେଲେ ସିମନବାଡ଼ି ଗ୍ରାମ କୁମ୍ଭାରସାହି ର ଯସବନ୍ତ ନାୟକ l ସୂଚନା ମୁତାବକ, ଯସବନ୍ତ ସକାଳୁ ଘରୁ ବାହାରି ବଜାର କୁ ଆସି ଦିନ ମଜୁରିଆ ଭାବେ କାମ କରୁଥିଲେ | କିନ୍ତୁ ସେ ଗତକାଲି ରାତିରେ ଘରକୁ ମଧ୍ୟ ଫେରିନଥିଲେ l ପରିବାର ଲୋକେ ବହୁ ଖୋଜାଖୋଜି ପରେ କୌଣସି ସନ୍ଧାନ ପାଇ ନଥିଲେ |

ପରେ କିଛି ଲୋକ ଗାଁ ରେ ଥିବା ପୋଖରୀ ହୁଡ଼ାରେ ତାଙ୍କ ଚପଲ ପଡିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ | ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଏନେଇ ଖବର ଦେଇଥିଲେ | ବିଳମ୍ବିତ ରାତିରେ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ପୋଖରୀରେ ସନ୍ଧାନ କରିଥିଲେ ମଧ୍ୟ ପୋଖରୀରେ ୧୨ରୁ ୧୫ଫୁଟ ପାଣି ଥିବାରୁ ଓ ଅନ୍ଧାର ଯୋଗୁଁ କିଛି ଖୋଜ ଖବର ମିଳିନଥିଲା | ଆଜି ସକାଳୁ ପୋଖରୀ କୁଳରେ ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖି ପୁଣି ଅଗ୍ନିଶମ ବିଭାଗ କୁ ଖବର ଦେବାରୁ ଦାରିଙ୍ଗବାଡ଼ି ଥାନା ପୋଲିସ ଙ୍କ ଉପସ୍ଥିତିରେ ମୃତଦେହକୁ ପୋଖରୀ ରୁ ଉଦ୍ଧାର କରାଯାଇଛି l
-

ହର ହର ମହାଦେବ …

ଆଜି ଶ୍ରାବଣ ମାସର ଦ୍ଵିତୀୟ ସୋମବାର ଓ ଏକାଦଶୀ ତିଥିରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଚଣ୍ଡେଶ୍ଵର ସ୍ଥିତ କେଶରୀ କ୍ଷେତ୍ର ଭାବେ ପରିଚିତ ଶ୍ରୀ ଶ୍ରୀ ଚଣ୍ଡିହର ଦେବଙ୍କ ପୀଠରେ ହଜାର ହଜାର ବୋଲବମ୍ ଭକ୍ତଙ୍କ ଗହଳିରେ ଚଳଚଞ୍ଚଳ ହୋଇ ଉଠିଥିଲା। ରବିବାର ସନ୍ଧ୍ୟା ସୁଦ୍ଧା ଶହ ଶହ କାଉଡ଼ିଆ ଚଣ୍ଡିହର ଦେବଙ୍କ ପୀଠରେ ପହଞ୍ଚି ସାରିଥିଲେ।ରାତି ୨ ଟାରୁ ଠାକୁର ଙ୍କ ପହଡ ଖୋଲାଯାଇ ଅବକାଶ ଓ ମଙ୍ଗଳ ଆଳତି ନୀତିକାନ୍ତି ପରେ ରାତି ୩ ଟାରୁ ଜଳ ଲାଗି ଆରମ୍ଭ ହୋଇଥିଲା। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
-

ଦେଢ଼ଶୁର ସାଜିଲା ଅସୁର

ଦେଢ଼ଶୁରଙ୍କ କୋଦାଳ ଚୋଟରେ ANM ଥିବା ଭାଇବୋହୂଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲା କଲ୍ୟାଣିସଂପୁର ଥାନା ଅନ୍ତର୍ଗତ ଡେପାଗୁଡ଼ା ଗାଁରେ ଘଟିଛି ଏହି ଘଟଣା । ତେବେ ମୃତ ଭାଇବୋହୂ ହେଉଛନ୍ତି ସୁରେନ୍ଦ୍ରୀ ସାରକା ବୋଲି ଜଣା ପଡିଛି ।

ସୂଚନାନୁସାରେ, ପୂର୍ବ ଜମିଜମାକୁ ନେଇ ଉଭୟ ପରିବାର ମଧ୍ୟରେ କଳହ ଲାଗି ରହିଥିଲା । କଳହକୁ ନେଇ ଶୁକ୍ରବାର ସକାଳେ ସୁରେନ୍ଦ୍ରୀ ସାରକା ରୋଷେଇ କରୁଥିବା ସମୟରେ ତାଙ୍କୁ ଏକ କୋଦାଳ ସାହାଯ୍ୟରେ ମୁଣ୍ଡକୁ ଆକ୍ରମଣ କରିଥିଲେ ଦେଢ଼ଶୁର ପ୍ରେପାକା ଲତରା । ଏନେଇ ଖବର ପାଇ ସୁରେନ୍ଦ୍ରୀଙ୍କ ସ୍ବାମୀ ପ୍ରେପାକା ବୋଇ ମାଝୀ ତାଙ୍କୁ କଲ୍ୟାଣସିଂପୁର ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ସେଠାରୁ ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପହଂଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେ କଲ୍ୟାଣସିଂପୁର ଚିକିତ୍ସାଳୟରେ ଦୀର୍ଘ ୮ବର୍ଷ ହେବ ଏଏନ୍ଏମ୍ ଭାବେ କାର୍ଯ୍ୟ କରୁଥିଲେ । ଅନ୍ୟପଟେ ଅଭିଯୁକ୍ତ ପ୍ରେପାକା ଲତରା କଲ୍ୟାଣସିଂପୁର ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଗାଁରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।
-

କେସିଙ୍ଗାର ମାର୍କେଟ ପିଣ୍ଡି ଉଦଘାଟନ, କଲେ ପଞ୍ଚାୟତରାଜ ମନ୍ତ୍ରୀ

କଳାହାଣ୍ଡି ଗସ୍ତରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ। ସେହି ଅବସରରେ କେସିଙ୍ଗା ଗସ୍ତରେ ଆସି କିକିଆ ପଞ୍ଚାୟତ ଭେଜି ପଦର ଗାଁ ର ବସୁଧା ପାଣିଟାଙ୍କି ଏବଂ ଗାଈଗାଁ ପଞ୍ଚାୟତ କେରୋକୁଡା ଗାଁ ର ମାର୍କେଟ ପିଣ୍ଡି ଉଦଘାଟନ କରିଥିଲେ। ସେହିପରି ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କୁ ଉପସ୍ଥିତ ଥିବା ଜନସାଧାରଣ ଙ୍କୁ ଅବଗତ କରାଇଥିଲେ।
-

ବଳଙ୍ଗା ପୀଡ଼ିତାଙ୍କୁ ନିଆଗଲା ଦିଲ୍ଲୀ ଏମ୍ସ ହସ୍ପିଟାଲ

ପୁଣି ବୀଭତ୍ସ… ଭୟଙ୍କର… ଚାଞ୍ଚଲ୍ୟ। ସେଦିନ ବାଲେଶ୍ୱରରେ ଜଳିଥିଲେ କଲେଜ୍ ଛାତ୍ରୀ.. ବଳଙ୍ଗାରେ ଜଳିଛି ନାବାଳିକା । ଯାହାର ଦୃଶ୍ୟ ଦେଖାଇବା ସମ୍ଭବ ନୁହେଁ। FM କଲେଜ୍ ଭଳି ଅଧ୍ୟାପକଙ୍କ ଫେଭର୍ ନିର୍ଯାତନାର ନିଆଁ ନୁହେଁ, ବରଂ ଏଠି ନିଆଁ ଲଗାଇଛନ୍ତି ତିନି ଜଣ ଅଜଣା ଦୁର୍ବୃତ୍ତ। ଏଠି ଯୁବତୀ ନୁହେଁ, ଜଳିଛି ଜଣେ ୧୫ ବର୍ଷର ନାବାଳିକା। କିଏ କହୁଛନ୍ତି ହତ୍ୟା ଉଦ୍ଦେଶ୍ୟରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦିଆଯାଇଛି ତ ଆଉ କେହି କହୁଛନ୍ତି କିରୋସିନି ପକାଇ ଜାଳି ଦିଆଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ସକାଳ ପ୍ରାୟ ସାଢ଼େ ୮ଟା ବେଳେ ସଂପୃକ୍ତ ନାବାଳିକା, ଜଣଙ୍କ ଘରକୁ ଯାଇ ଫେରୁଥିବାବେଳେ ଘଟିଛି ଏହି ଅଘଟଣ। ନାବାଳିକାଟିକୁ ତିନି ଜଣ ଯୁବକ ଗାଁ ପାଖ ନଦୀବନ୍ଧକୁ ପ୍ରଥମେ ଟେକିନେଇଥିଲେ। ସେଠାରେ ହଠାତ୍ କ’ଣ ଘଟିଲା କେଜାଣି, ପୀଡ଼ିତା ଜଣକ ସେମାନଙ୍କ କବଳରୁ ଖସି ପଳାଇ ଆସୁଥିବାବେଳେ ତାଙ୍କ ଦେହରେ ନିଆଁ ଲଗାଇଥିଲେ। ଦରପୋଡ଼ା ଅବସ୍ଥାରେ ପୀଡ଼ିତା ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରି ଗାଁ ଭିତରକୁ ଦୌଡ଼ି ଆସିଥିଲେ। ଏତିକି ବେଳେ ଦୁଃଖୀଶ୍ୟାମ ନାମକ ଜଣେ ବ୍ୟକ୍ତି ପୀଡ଼ିତା ଦେହରେ ପାଣି ଢାଳିବା ସହ ବଡ଼ କଷ୍ଟରେ ଉଦ୍ଧାର କରିଥିଲେ ବୋଲି କହିଛନ୍ତି।

ଗୁରୁତର ଥିବା ନାବାଳିକାଙ୍କ ଶରୀର ପ୍ରାୟ ୭୦ରୁ ୭୫ ଭାଗ ପୋଡ଼ିଯାଇଛି। ତାଙ୍କୁ ଭୁବନେଶ୍ବର ଏମ୍ସ ଟ୍ରମା କେୟାରରୁ ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଚାଲିଛି। ତା’ସହ ଚିକିତ୍ସା ପାଇଁ ଗଠନ କରାଯାଇଛି ଏକ ୧୪ ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଟିମ୍। ଏମ୍ସ ନିର୍ଦ୍ଦେଶକ କହିଛନ୍ତି, ଆସନ୍ତା ୭୨ ଘଣ୍ଟା ଗୁରୁତ୍ବପୂର୍ଣ୍ଣ, ୪୮ ଘଣ୍ଟା ଅବଜରଭେସନରେ ରହିବେ। ତାଙ୍କୁ ଭେଣ୍ଟିଲେଟରରେ ନୁହେଁ, ICUରେ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଛି। ପୀଡ଼ିତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। AIIMSକୁ ଯାଇ ଗୁରୁତର ଥିବା ଝିଅକୁ ଭେଟିଛନ୍ତି ପରିବାର ଲୋକେ।

ଏପଟେ ଏମ୍ସରୁ ଆସିଛି ଏକ ବଡ ଖବର …ଏୟାରଲିପ୍ଟ ହୋଇ ପାରନ୍ତି ପୀଡିତା .. ତାଙ୍କୁ ଦିଲ୍ଲୀ AIIMSକୁ ନେବା ପାଇଁ ସୂଚନା ମିଳିଥିବା ବେଳେ .. ଭେଣ୍ଟିଲେଟରରେ ନୁହଁ .. icuରେ ଅକ୍ସିଜେନ ସପୋର୍ଟରେ ଅଛନ୍ତି ମହିଳା … ଚିକିସ୍ରା କରୁଛନ୍ତି ଡାକ୍ତରଙ୍କ ୧୪ ଜଣିଆ ଟିମ ….

ସେପଟେ ଘଟଣାସ୍ଥଳରୁ ଜବତ ହୋଇଛି କିରୋସିନି ଥିବା ପ୍ଲାଷ୍ଟିକ ବୋତଲ୍। ଏପରିକି ଚପଲ ଏବଂ ଚୁଡ଼ି ବି ମିଳିଛି। ବଡ଼ ପ୍ରଶ୍ନ, କିଏ ସେହି ଦୁର୍ବୃତ୍ତମାନେ? କାହିଁକି ସଂଘବଦ୍ଧ ହୋଇ ଝିଅଟିକୁ ଜାଳିଦେବାକୁ ଯୋଜନା କରିଥିଲେ? ଘଟଣା ପୂର୍ବରୁ ଯାହାଙ୍କ ଘରକୁ ଯାଇଥିଲେ ପୀଡ଼ିତା, ତା’ ପଛର ଅସଲ କାରଣ କ’ଣ? ଘଟଣାକ୍ରମ ଓ ଦୃଶ୍ୟପଟ୍ଟକୁ ଦେଖିଲେ ଲାଗୁଛି ସଂପୃକ୍ତ ନାବାଳିକାକୁ ହତ୍ୟା ପାଇଁ ପ୍ରି-ପ୍ଲାନ୍ କରାଯାଇଥିଲା। ଦୁର୍ବୃତ୍ତମାନଙ୍କୁ ପୂର୍ବରୁ ଚିହ୍ନିଥିଲେ କି ପୀଡ଼ିତା? ଏଭଳି ନାନା ପ୍ରଶ୍ନ ଭିତରେ ଘଟଣାସ୍ଥଳରେ ନମୁନା ସଂଗ୍ରହ କରି ସାଇଣ୍ଟିଫିକ୍ ଟିମ୍ ଏବଂ ୨ଟି ସ୍ପେଶାଲ ସ୍କ୍ବାଡ୍ ତଦନ୍ତ କରୁଛନ୍ତି। ସେହିପରି ସିସିଟିଭି ଫୁଟେଜକୁ ନେଇ ବି ତଦନ୍ତ କରାଯାଉଥିବା କହିଛି ପୋଲିସ। କେବଳ ଏତିକି ନୁହେଁ, ଏହି ସମ୍ବେଦନଶୀଳ ମାମଲାର ଅନୁଧ୍ୟାନ ପାଇଁ ବଳଙ୍ଗାରେ ପହଞ୍ଚିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର। ସେପଟେ ଡିଜିପି କହିଛନ୍ତି, ଯିଏ ବି ଅଭିଯୁକ୍ତ ଥାଆନ୍ତୁ, ଯଥାଶୀଘ୍ର ଧରାଯିବା ସହିତ ଦୃଢ଼ ଆକ୍ସନ ନିଆଯିବ।
-

ମିଟର ଚେକିଙ୍ଗ ଆଳରେ ବିଦ୍ୟୁତ କର୍ମଚାରୀଙ୍କ ବଳାତ୍କାର ଉଦ୍ୟମ, ମାଡ ଖାଇ ବନ୍ଧା ହେଲେ

ମିଟର ଦେଖିବ କହି ଘରେ ପଶିଲା, ମହିଳାଙ୍କୁ ଏକୁଟିଆ ଦେଖି ବଳାତ୍କାର ଉଦ୍ୟମ କଲା, ମହିଳାଙ୍କ ପାଟି ଶୁଣି ଗାଁ ଓ ପରିବାର ଲୋକେ ଦୌଡ଼ି ଆସିଲେ, ବିଦ୍ୟୁତ କର୍ମଚାରୀକୁ ବାନ୍ଧିବା ସହ ଉତ୍ତମ ମଧ୍ୟମ ମଧ୍ୟ୍ୟ ଦେଲେ, ଏ କଥା ଆମେ କହୁନୁ, ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଅଭିଯୋଗ କାରିଣୀ ମହିଳା।
ଖବର ପାଇ ଘଟଣା ସ୍ଥଳରେ ତିର୍ତୋଲ ପୋଲିସ ପହଂଚି ବିଦ୍ୟୁତ କର୍ମଚାରୀକୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଅଭିଯୋଗ କାରିଣୀ ମଧ୍ୟ ଥାନାରେ ପହଞ୍ଚିଥିଲେ, ଅଭିଯୋଗ କାରିଣୀ ଓ ତାଙ୍କ ସ୍ୱାମୀ ଅଭିଯୋଗ ପାଇଁ ଥାନାର ଦ୍ୱାରସ୍ତ ହୋଇଥିବା ବେଳେ ଥାନାରେ ତାଙ୍କୁ ସାଧା ପୋଷାକ ରେ ଥିବା ଜଣେ ଥାନା ବାବୁ ନାଲି ଆଖି ଦେଖାଇ କହିଲେ ହେ ତୁ କୁଆଡେ ଆସିଛୁ, ୟାକୁ ଭିତରେ ପୁରାଇ ଦିଅ,କହି ଧମକାଇ ଦୁର୍ବ୍ୟବହାର କରିଥିଲେ। ପୀଡିତା ମହିଳା ଜଣକ ନ୍ୟାୟ ପାଇଁ ଥାନାରେ ଦ୍ଵାରସ୍ତ ହୋଇଥିବା ବେଳେ ଥାନା କର୍ମଚାରୀ ଙ୍କ ଦୁର୍ବ୍ୟବହାର କେତେ ଦୂର ଯଥାର୍ଥ, ଏଠି ପ୍ରଶ୍ନ ଉଠୁଛି ଯଦି ମହିଳା ମାନେ ନ୍ୟାୟ ପାଇଁ ଥାନାକୁ ଆସି ଦୁର୍ବ୍ୟବହାର ର ଶିକାର ହେବେ ତେବେ ସେମାନେ ପ୍ରାଥମିକ ଅଭିଯୋଗ ଫର୍ଦ କାହାକୁ ଦେଵେ ?
ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ପୋତା ନଈ ପଞ୍ଚାୟତ ପୋତା ନଈ ପଡା ଗ୍ରାମ କୋଠିଆ ସାହିରେ। ସୂଚନା ଅନୁଯାୟୀ, ତିର୍ତୋଲ ବ୍ଲକ ଅଧୀନ ଓଳଗଦା ଗ୍ରାମର ପ୍ରଶାନ୍ତ ମଲ୍ଲିକ ଆଖଣ୍ଡଳମଣି ଠିକା ସଂସ୍ଥାର ରାହାମା ବିଦ୍ୟୁତ ଉପଖଣ୍ଡ ଅଧୀନରେ ଥିବା ବାଇଳୋ କାର୍ଯ୍ୟାଳୟରେ ବିଦ୍ୟୁତ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ମଧ୍ୟାହ୍ନ ସମୟରେ ମହିଳାଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ମିଟର ଦେଖିବା ଆଳରେ ବିଦ୍ୟୁତ କର୍ମଚାରୀ ଜଣକ ଘରେ ପଶି ବଳାତ୍କାର ଉଦ୍ୟମ କରୁଥିବା ବେଳେ ପାଟି ଶୁଣି ଗାଁ ଓ ପରିବାର ଲୋକେ ପହଂଚି ବିଦ୍ୟୁତ କର୍ମଚାରିକୁ ଅଟକ ରଖିବା ସହ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଉଭୟଙ୍କୁ ଥାନାକୁ ଡକାଇ ଡାକ୍ତରୀ ପରୀକ୍ଷା କରାଇ ତଦନ୍ତ ଜାରି ରଖିଛି।

ଅନ୍ୟ ପକ୍ଷରେ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ସହ କର୍ମଚାରୀ ମାନେ ଥାନାରେ ପହଂଚି ଅଭିଯୋଗ କାରିଣୀ ମହିଳା ଓ ତାଙ୍କ ସ୍ୱାମୀଙ୍କ ନାଁରେ ପ୍ରଥମେ ଅଭିଯୋଗ କରିଥିବା ଜଣା ପଡିଛି। ବିଦ୍ୟୁତ ବିଭାଗ ଅଧିକାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିବା ବେଳେ ଶୁଣିବାକୁ ମିଳୁଛି କି ମିଟର ଟ୍ୟାମ୍ପରିଂ ଯୋଗୁଁ ପୂର୍ଵରୁ ଫାଇନ କରାଯାଇଥିଲା, ପୂର୍ବ ଆକ୍ରୋଶ ରଖି ମହିଳା ଜଣକ ଘରକୁ ଡକାଇ ମିଥ୍ୟା ଆରୋପ ଲଗାଇ ବାନ୍ଧି ମାଡ ମାରିଛନ୍ତି। ଦେଖିବାକୁ ବାକି ରହିଲା ଘଟଣାକୁ ବାଟବଣା ନ କରି ପୋଲିସ କି ନ୍ୟାୟ ଦେଉଛି।
-

ଜମି ହିଡ ସାଜିଛି ଲୋକଙ୍କ ରାସ୍ତା, ଅଵ୍ୟଵସ୍ଥିତ ବ୍ୟବସ୍ଥାରେ ଝାପିଗୁଡା ଗାଁ

ସ୍ଵାଧୀନତାର ଅନେକ ବର୍ଷ ବିତିସାରିଛି ହେଲେ ନାହିଁ ଗାଁ କୁ ରାସ୍ତା ଖଣ୍ଡିଏ ହୋଇ ପାରିଲା, ନାହିଁ ଗାଁ ଲୋକେ ଆମ୍ବୁଲାନ୍ସର ସୁବିଧା ପାଇ ପାରିଲେ। ଅଂଚଳରେ ରାସ୍ତାର ପ୍ରମୁଖ ସମସ୍ୟା ଥିବା ବେଳେ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବାରେ ଗାଁକୁ ଆମ୍ବୁଲାନ୍ସ ଆସି ପାରୁ ନାହିଁ। ଲୋକେ ବାଧ୍ୟ ହୋଇ ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଦୁଇ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବହି ଆମ୍ବୁଲାନ୍ସ ପାଖକୁ ନେଉଛନ୍ତି ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ରାସ୍ତା ନଥିବାରୁ ଜମି ହିଡରେ ଦୈନନ୍ଦିନ ଯାତାୟତ କରୁଛନ୍ତି ଲୋକେ ଏଭଳି ଦୁର୍ଦ୍ଦଶା ର ଚିତ୍ର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ତଲଝାପି ପଞ୍ଚାୟତ ଝାପିଗୁଡା ଗାଁରୁ।
ସେହିପରି ଗାଁ ରେ ପାନୀୟ ଜଳ ର ମଧ୍ୟ ଅଭାବ ଦେଖିବାକୁ ମିଳିଥିବା ବେଳେ ବିଶେଷ ଭାବରେ ଗାଁ ଲୋକେ ନଦୀର ପାଣି ଉପରେ ନିର୍ଭର କରୁଥିବା ଚିତ୍ର ସାମ୍ନାକୁ ଆସିଛି। ଗାଁର ପ୍ରମୁଖ ସମସ୍ୟା କୁ ନେଇ ଜିଲାପାଳ, ସାଂସଦ, ବିଧାୟକ, ବିଡ଼ିଓ ଏବଂ ସ୍ଥାନୀୟ ନେତା ଙ୍କୁ ଜଣାଇ ମଧ୍ୟ ଏହାର କୌଣସି ସୁଫଳ ମିଳୁନଥିବା ଲୋକେ ଅଶାନ୍ତି ପ୍ରକାଶ କରିଛନ୍ତି।


