Category: ଜିଲ୍ଲା

  • ମୟୂରଭଞ୍ଜ: ଲୁଟେରାଙ୍କ ପାଇଁ ଲୋକେ ଅସୁରକ୍ଷିତ, କାର୍ଯ୍ୟାନୁଷ୍ଠାନ ଦାବି

    ମୟୂରଭଞ୍ଜ: ଲୁଟେରାଙ୍କ ପାଇଁ ଲୋକେ ଅସୁରକ୍ଷିତ, କାର୍ଯ୍ୟାନୁଷ୍ଠାନ ଦାବି

    ଆଜିକାଲି ଚୋରି, ଡକାୟତି, ଲୁଟ୍ ଅବା ହତ୍ୟା ଘଟଣା ସାଧାରଣ ହୋଇଗଲାଣି । ଏଥିରେ ରୋକ୍ ଲାଗିବା କଷ୍ଟକର ହେଉଛି । ଲୋକେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି । ଦିନ ହେଉ ଅବା ରାତି, ଖରା ହେଉ ଅବା ବର୍ଷା ଅପରାଧିକ କାର୍ଯ୍ୟକଳାପ ଘଟିଚାଲିଛି । କେତେବେଳେ ଅପରାଧୀ ଧରାପଡୁଛି ତ ଆଉ କେତେବେଳେ ଚମ୍ପଟ ମାରିବାରେ ସକ୍ଷମ ହେଉଛି । ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଲକ୍ଷ୍ମୀପୋଷୀ ଅଞ୍ଚଳରେ ଏଭଳି ଘଟଣା ଏବେ ଲୋକଙ୍କ ପାଇଁ ଟେନସନର କାରଣ ହୋଇଛି ।

    ଲକ୍ଷ୍ମୀପୋଷୀ ଖେଳ ପଡ଼ିଆ ରାସ୍ତାରେ ଏବେ ଦୁର୍ବୃତ୍ତଙ୍କ ଆଡ୍ଡା ଜମିଛି । ସେମାନଙ୍କ ପାଇଁ ରାସ୍ତାରେ ଲୋକେ ଯାଆସ କରିବା ମୁସ୍କିଲ ହେଲାଣି । ଲୁଚିରହି ଲୋକଙ୍କୁ ମାରଣାସ୍ତ୍ର ଦେଖାଉଛନ୍ତି । କେତେବେଳେ ବନ୍ଧୁକ ତ ଆଉ କେତେବେଳେ ଖଣ୍ଡା ଦେଖାଇ ସର୍ବସ୍ୱ ଲୁଟି ନେଉଛନ୍ତି । ହତ୍ୟା ଧମକ ଦେଇ ଜିନିଷପତ୍ର ଏବଂ ଟଙ୍କା, ସୁନା ଅଳଙ୍କାର ଲୁଟି ନେଉଛନ୍ତି । ହାଟ ବସୁଥିବା ଦିନରେ ଅଧିକ ଲୁଟ୍ ହେଉଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଥାନା ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଛି ମାତ୍ର କୌଣସି ପଦକ୍ଷେପ ନେଉନଥିବାରୁ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି ।

    ଲୁଟେରାଙ୍କ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧରଣ ଜନତା । ଏବେ ଲୁଟେରା, ଚୋର, ଡକାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ଗାଁ ଲୋକେ । ପୋଲିସ ପାଟ୍ରୋଲିଂକୁ ଜୋରଦାର କରିବାକୁ ମଧ୍ୟ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

  • ଗଜପତି: ସ୍ତ୍ରୀ’ର ମୁଣ୍ଡ ଓ ଗଣ୍ଡି ଅଲଗା କଲା ଜହ୍ଲାଦ ସ୍ୱାମୀ

    ଗଜପତି: ସ୍ତ୍ରୀ’ର ମୁଣ୍ଡ ଓ ଗଣ୍ଡି ଅଲଗା କଲା ଜହ୍ଲାଦ ସ୍ୱାମୀ

    କ୍ରୋଧର ସୀମା ଟପିଲା ସ୍ୱାମୀ । ଉତକ୍ଷିପ୍ତ ହୋଇ ସାତ ଜନମର ସାଥୀ, ଅଗ୍ନିକୁ ସାକ୍ଷୀ ରଖି ଯାହାକୁ ନିଜର କରିଥିଲା, ତାକୁ ହିଁ ହତ୍ୟା କଲା ଜହ୍ଲାଦ ସ୍ୱାମୀ । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତର ସାରା ଗାଁରେ ।

    ପବିତ୍ର ସମ୍ପର୍କରେ ଦାଗ ଲଗାଇଲା ସ୍ୱାମୀ ଚନ୍ଦ୍ରଶେଖର କାର୍ଜି । ୩୦ ବର୍ଷୀୟା ସ୍ତ୍ରୀ ଉର୍ମିଳାଙ୍କୁ ଗଳାକାଟି ହତ୍ୟା କରିଛି ସ୍ବାମୀ ଚନ୍ଦ୍ରଶେଖର । ଟାଙ୍ଗିଆରେ ହାଣି ଗଣ୍ଡି ଓ ମୁଣ୍ଡ ଅଲଗା କରିଦେଇଛି । ଆଜି ସକାଳେ ଦୁହେଁ ବିଲକୁ କାମ କରିବାକୁ ଯାଇଥିଲେ । ଜମିବାଡ଼ି ଘଟଣାକୁ ନେଇ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଶେଷରେ ହତ୍ୟା କଲା ସୈତାନ ସ୍ୱାମୀ । ବିଲରେ ସ୍ତ୍ରୀର ମୃତଦେହ ପଡ଼ିଥିଲା । କାଶୀନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଚନ୍ଦ୍ରଶେଖରକୁ ଗିରଫ କରିଛି । ଘଟଣାର ତଦନ୍ତ ମଧ୍ୟ ଜାରି ରଖିଛି ପୋଲିସ ।

    ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମୃତ ଉର୍ମିଳା, ଅଭିଯୁକ୍ତ ଚନ୍ଦ୍ରଶେଖରଙ୍କ ଦ୍ବିତୀୟ ପତ୍ନୀ । ପ୍ରଥମ ପତ୍ନୀକୁ ପୂର୍ବରୁ ମରଣାନ୍ତକ ଆକ୍ରମଣ କରିଥିଲେ । ସେଥିପାଇଁ ପ୍ରଥମ ସ୍ତ୍ରୀ ତାକୁ ଛାଡ଼ି ଚାଲିଯାଇଛି । ଏବେ ଦ୍ୱିତୀୟ ପତ୍ନୀଙ୍କୁ ହତ୍ୟା କରି ଗିରଫ ହୋଇଛି ଅଭିଯୁକ୍ତ । ସେମାନଙ୍କ ଏକ ଦୁଇବର୍ଷୀୟ ଶିଶୁ ଥିବା ସୂଚନା ମିଳିଛି ।

    କୁହାଯାଏ ରାଗ ପରମ ଚଣ୍ଡାଳ । ସାତ ଜନମର ସାଥୀ ନିଜ ପତ୍ନୀର ମୁଣ୍ଡଗଣ୍ଡି ଅଲଗା କରିବା ପରେ ମୁଣ୍ଡକୁ ଆଣି ନିଜ ଘର ଦୁଆର ବନ୍ଧରେ ଥୋଇ ଦେଇଥିଲା ଅଭିଯୁକ୍ତ ସ୍ୱାମୀ । ଗାଁ ଲୋକେ ଏହାଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ପୋଲିସକୁ ଖବର ଦେଇଥିଲେ । ୪ ବର୍ଷ ପୂର୍ବ ବିବାହ କରିଥିଲେ ଉର୍ମିଳା । ବିବାହ ପରଠାରୁ ଅଧିକାଂଶ ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିବା ନେଇ ପଡ଼ୋଶୀ କହିଛନ୍ତି ।

  • ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆଶାବାଦୀ ଆଡ଼େଣିଗଡ଼ ପଞ୍ଚାୟତବାସୀ

    ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆଶାବାଦୀ ଆଡ଼େଣିଗଡ଼ ପଞ୍ଚାୟତବାସୀ

    ବୌଦ୍ଧ ଜିଲ୍ଲାର ଦୁର୍ଗମ ତଥା ଘାଟି ପାହାଡିଆ ଉପାନ୍ତ ଅଂଚଳ ଭାବେ ଜଣାଶୁଣା ଆଡ଼େଣିଗଡ଼ ଗ୍ରାମପଂଚାୟତରେ ଆଶାର ସଂଚାର । କାରଣ ପଞ୍ଚାୟତର କଣ୍ଡରା, କାଚପାଜୁ ଗ୍ରାମକୁ ପରିଦର୍ଶନ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ। ସମୁଦ୍ର ପତନ ଠାରୁ ବହୁ ଉଚରେ ଥିବା ଏହି ଆଦିମ ଜାତି ଜନଜାତି ସାମ୍ପ୍ରଦାୟର ଲୋକେ ବସବାସ କରୁଥିବା ଅଂଚଳରେ ଜିଲ୍ଲା ପ୍ରଶାସନ ପହଂଚିଥିବାରୁ ଗ୍ରାମବାସୀ ବେଶ ଖୁସି ବ୍ୟକ୍ତ କରିଛନ୍ତି।

    ଆଜେଣିଗଡ ପଞ୍ଚାୟତର କଣ୍ଡରା, କାଚପାଜୁ ଗ୍ରାମ ବୌଦ୍ଧ ଜିଲ୍ଲାର ଦୁଇଟି ଦୁର୍ଗମ ଗ୍ରାମ। ପାହାଡ ଉପରେ ସ୍ଥାପିତ ଏହି ଗାଁରେ ରହିଛି ବହୁ ସମସ୍ୟା। ଗାଁକୁ ନାଁ ଅଛି ରାସ୍ତା ନାହିଁ ଅଛି ହାଟ ବଜାର। ତେଣୁ ଦୈନନ୍ଦିନ ଜୀବନରେ ଆବଶ୍ୟକ ହେଉଥିବା ସବୁ ସୁବିଧା ସୁଯୋଗ ପାଇଁ ଲୋକଙ୍କୁ ପାଖ ହାଟ ବଜାର ଉପରେ ନିର୍ଭର କରିବାକୁ ହୋଇଥାଏ। ଏହି ସବୁ ସମମ୍ୟା ଭିତରେ ଛନ୍ଦି ହୋଇପଡିଥିବା ଲୋକଙ୍କ ପାଇଁ ଆଶାର ସଞ୍ଚାର କରିଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ଏହି ଅଞ୍ଚଳକୁ ଗସ୍ତ କରିଛନ୍ତି। ଅଧିକାରୀଙ୍କ ଉପସ୍ଥିତିରେ ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟା ବାବଦରେ ପ୍ରଶାସନକୁ ଅବଗତ କରାଯାଇଛି।  

    ଏହା ସହିତ ଉପରେ ଥିବା ପ୍ରାୟ ୫ ଖଣ୍ଡ ଗ୍ରାମକୁ ଯାତାୟାତ କରିବା ପାଇଁ କିମ୍ବା ପଞ୍ଚାୟତ ସଦର ମହକୁମାକୁ ସଂଯୋଗ କରିବା ପାଇଁ ନିତିଦିନିଆ ରାସ୍ତା ନ ଥିବାରୁ ଅଂଚଳର ବିକାଶରେ ବାଧକ ସାଜିଥିବା କହିଛନ୍ତି ଜିଲ୍ଲାପାଳ। କିଭଳି ମନରେଗା ଯୋଜନାରେ ଅଞ୍ଚଳକୁ ରାସ୍ତା କରାଯିବ ସେ ସମ୍ପର୍କରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

    ସବୁଠାରୁ ବଡ଼ କଥା ହେଲା, ବିଭିନ୍ନ ସମୟରେ ଜିଲ୍ଲା ଦାୟିତ୍ୱରେ ଥିବା ଜିଲ୍ଲାପାଳମାନେ  ଦୁର୍ଗମ ଅଂଚଳକୁ ରାସ୍ତା ନିର୍ମାଣ ପାଇଁ କହି ଆସୁଥିଲେ ମଧ୍ୟ ତାହା ଏଯାବତ ସମାଧାନ ହୋଇପାରିନାହିଁ। ତେଣୁ ଜିଲ୍ଲାପାଳ ଦେଇଥିବା ପ୍ରତିଶ୍ରୁତି ପାଳନ କରିବେ ନା ଯଥା ପୂର୍ବଂ ତଥା ପରଂ ସ୍ଥିତିରେ ରହିବ, ତାହା ସମୟ କହିବ ବୋଲି ମତଦିଅନ୍ତି ଗ୍ରାମବାସୀ।

  • ୩ଟି ବାଘ ଛାଲ ଜବତ, ଜଣକୁ ଧରିଲା କ୍ରାଇମବ୍ରାଞ୍ଚ STF

    ୩ଟି ବାଘ ଛାଲ ଜବତ, ଜଣକୁ ଧରିଲା କ୍ରାଇମବ୍ରାଞ୍ଚ STF

    ଏକା ସଙ୍ଗେ ତିନି ତିନିଟି ବାଘ ଛାଲ ଜବତ ହୋଇଛି । ରାୟଗଡ଼ା ଓ କୋରାପୁଟ ଜାତୀୟ ରାଜପଥ ଶିରିଗୁଡ଼ା ସ୍ଵର୍ଗ ଧାମ ଛକରୁ ୩ଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ବେଆଇନ ଭାବେ କଲରାପତରିଆ ବାଘ ଛାଲ ରଖିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF ।

    ବାଘ ଛାଲ ରଖି ଗିରଫ ହୋଇଛି ଅଭିଯୁକ୍ତ ଡମ୍ବରୁଧର ମାଝୀ । ଅଭିଯୁକ୍ତର ଘର ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ନାକଟିଗୁଡ଼ା ଗାଁରେ । ଜବତ ବାଘ ଛାଲ ବାୟୋଲୋଜିକାଲ୍ ଟେଷ୍ଟ ପାଇଁ ଡେରାଡୁନସ୍ଥିତ WII ଲ୍ୟାବକୁ ପଠାଯିବ । ଅଭିଯୁକ୍ତ ଡମ୍ବୁରୁଧର ମାଝୀକୁ କୋର୍ଟ ଚାଲଣ କରାଯାଇଛି । ବନ୍ୟଜନ୍ତୁ ଶିକାର କରି ଏହାର ଚମଡ଼ା, ଶିଙ୍ଗ ବିକ୍ରି କରୁଛନ୍ତି ଶିକାରୀ ।

    ଶରୀରର ଅନ୍ୟାନ୍ୟ ଅଂଶକୁ ବି ଏମାନେ ବିକ୍ରି କରି ବେଶ୍ ଦି ପଇସା ରୋଜଗାର କରୁଛନ୍ତି । ଜଙ୍ଗଲରୁ ବେଆଇନ୍ ଭାବେ ଏଭଳି ଶିକାର କରି ଚାଲିଛନ୍ତି । ତେବେ, ବନ ବିଭାଗ ଏବଂ ପୋଲିସ ପ୍ରଶାସନ ଏ ଦିଗରେ ସତର୍କ ଏବଂ ସଜାର ରହିବା ଦରକାର । ଅଭିଯୁକ୍ତମାନଙ୍କୁ ଉଚିତ ଦଣ୍ଡ ଦିଆଗଲେ ଆସନ୍ତା ଦିନରେ ଏଭଳି ଅପରାଧ କମିବ ନଚେତ୍ ବନ୍ତୁଜନ୍ତୁ ଶିକାର ବୃଦ୍ଧି ପାଇବ । ସରକାର, ଜିଲ୍ଲା ପ୍ରଶାସନ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।

  • କେନ୍ଦୁଝର: ଆମ୍ବ ଗୋଟାଇବା ହେଲା କାଳ, ହାତୀ ଆକ୍ରମଣରେ ଗଲା ଜୀବନ

    କେନ୍ଦୁଝର: ଆମ୍ବ ଗୋଟାଇବା ହେଲା କାଳ, ହାତୀ ଆକ୍ରମଣରେ ଗଲା ଜୀବନ

    କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ହାତୀ ଆତଙ୍କ । ବିମଳା ଫରେଷ୍ଟ ସେକ୍ସନ ବନବିହାରୀପୁର ଗାଁରେ ଜଣଙ୍କୁ ଦଳିଦେଇଛି ଦନ୍ତା । ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଲୋକେ ଭୟଭୀତ ହୋଇଛନ୍ତି ।

    ହାତୀ ଆତଙ୍କ ଥମିବାର ନାଁ ନେଉନି । କେଉଁଠି ଘର ଭାଙ୍ଗୁଛି ତ ଆଉ କେଉଁଠି ନଷ୍ଟ କରୁଛି ଫସଲ । ଲୋକଙ୍କୁ ଦଳୁଛି ତ ଆଉ କେଉଁଠି ଗୁରୁତର କରୁଛି । ଏଭଳି ଦୈନନ୍ଦିନ କିଛି ନା ଘଟଣା ଘଟାଉଛି ଦନ୍ତା । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ଏମିତି ଏକ ଘଟଣାକୁ ନେଇ ଲୋକେ ଭୟଭୀତ ହୋଇଛନ୍ତି । ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ହାତୀ ଆକ୍ରମଣରେ ବିମଳା ଫରେଷ୍ଟ ସେକ୍ସନ ବନବିହାରୀପୁର ଗାଁର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ଦ୍ରୌପଦୀ ନାୟକ । ସେ ଆକୁଳ ପଞ୍ଚାୟତ ୧୦ନଂ ୱାର୍ଡର ୱାର୍ଡମେମ୍ବର ।

    ସୂଚନା ଅନୁସାରେ ଗତକାଲି ରାତିରେ ଝଡ଼ତୋଫାନ ହୋଇଥିଲା । ତେଣୁ ଆଜି ଭୋରୁ ଘର ନିକଟରେ ଥିବା ଆମ୍ବ ତୋଟାକୁ ଯାଇଥିଲେ । ଆମ୍ବ ଗୋଟାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ ମହିଳା ୱାର୍ଡମେମ୍ବର । ତାଙ୍କୁ ଶୁଣ୍ଢରେ ଆକ୍ରମଣ କରି ଫୋପାଡ଼ି ଦେଇଥିଲା ହାତୀ । ମହିଳାଙ୍କୁ ଉଦ୍ଧାର କରି ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

    ୱାର୍ଡମେମ୍ବରଙ୍କ ମୃତ୍ୟୁ ପରେ ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ଟଙ୍କା ଦେଇଛି ବନ ବିଭାଗ । ସେପଟେ, ବନବିହାରୀପୁର ଅଞ୍ଚଳରେ ଏକ ହାତୀପଲ ବୁଲୁଛି । ସେଥିରେ ୧୫ଟି ହାତୀ ଥିବା ସୂଚନା ମିଳିଛି ।

  • ଘର ପାଖରେ ପ୍ରେମକରି ବାହା ହୋଇଥିଲା ଝିଅ, ଯୌତୁକ ପାଇଁ ସ୍ବାମୀ ମାରିଦେଇଥିବା ଅଭିଯୋଗ

    ଘର ପାଖରେ ପ୍ରେମକରି ବାହା ହୋଇଥିଲା ଝିଅ, ଯୌତୁକ ପାଇଁ ସ୍ବାମୀ ମାରିଦେଇଥିବା ଅଭିଯୋଗ

    ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭୁଟୁକାବାଦୀ ଗ୍ରାମର ତାପସ ନନ୍ଦଙ୍କ ପତ୍ନୀ ରେଖା ପରମାଣିକଙ୍କର ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଭୁଟୁକାବାଦୀ(ନାକି) ଗ୍ରାମର ମନୋଜ ନନ୍ଦଙ୍କ ପୁଅ ତାପସ ନନ୍ଦଙ୍କ ସହ ସେହି ଗ୍ରାମର ହିମାଂଶୁ ପରମାଣିକଙ୍କ ବଡ଼ ଝିଅ ରେଖା ପରମାଣିକଙ୍କୁ ପ୍ରେମ ବିବାହ କରିଥିଲେ । ଗତ ୨୦/୧/୨୦୨୧ରେ ପୁରୀର ଜଗନ୍ନାଥ ମନ୍ଦିରରେ ଉଭୟଙ୍କ ବାହାଘର ହୋଇଥିଲା । ପରେ ଅନୁଗୋଳ କୋର୍ଟରେ ୨୨/୧/୨୦୨୧ ରୋଟାରୀ ପାଖରେ ରେଜିଷ୍ଟ୍ରି ବିବାହ କରିଥିଲେ । ଦୁଇ ପରିବାରର ଘର ସେହି ଗାଁରେ ହୋଇଥିବା ବେଳେ ଉଭୟ ପରିବାର ମଧ୍ୟରେ ଦୂରତା ମାତ୍ର ୫୦ ମିଟର । କିନ୍ତୁ, ବିବାହ ପରେ ଯୌତୁକ ପାଇଁ ରେଖା ସହିତ ସ୍ବାମୀ ତାପସ ଏବଂ ଶାଶୁ ଓ ଶ୍ବଶୁରଙ୍କର ମନୋମାଳିନ୍ଯ ଲାଗି ରହୁଥିଲା । ସେମାନେ ବାରମ୍ବାର ରେଖା ଉପରେ ଶାରିରୀକ, ମାନସିକ ନିର୍ଯାତନା ଦେଉଥିଲେ । ପରେ ପାରିବାରିକ ହିଂସା ବଢିଥିଲା ବୋଲି ରେଖାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

    ହଠାତ କଣ ହେଲା କେଜାଣି, ଗତ ୧୯/୫/୨୩ ତାରିଖ ରାତିରେ ରେଖାକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲକୁ ଆମ ଅଜଣାତରେ ନେଇ ଯାଇଥିଲେ ରେଖାଙ୍କ ପରିବାର ଲୋକେ କହିଛନ୍ତି । ପରେ ରେଖାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ନେବା ରାସ୍ତାରେ କୁଳିଅଣା ପାଖରେ ରେଖାର ମୃତ୍ୟୁ ହୋଇଥିଲା । ରେଖାର ମୃତଦେହକୁ ବାରିପଦା ପିଆରଏମ ହସ୍ପିଟାଲ ନିଆଯାଇଥିଲା । ରେଖାର ମୃତ୍ୟୁ ହୋଇଛି ବୋଲି ତାପସ ତାର ସମ୍ପର୍କୀୟଙ୍କ ଦ୍ବାରା ଅନ୍ୟ ଫୋନରେ ଶୁଶୁର ହିଂମାଶୁକୁ ଜଣାଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନିଯାୟୀ, ସେଠାରେ ତାଙ୍କ ଝିଅକୁ ସାପ କାମୁଡିଛି ବୋଲି କୁହାଯାଇଥିଲା । ହେଲେ ରେଖାର କାନ ଓ ନାକରୁ ରକ୍ତ ବାହାରିବା ସହିତ ବେକରେ ପାଖରେ ଆଘାତ ଲାଗିଥିବା ତାଙ୍କ ବାପା ଦେଖିଥିଲେ । ତେଣୁ ସେ ନିଶ୍ଚିତ ହୋଇଥିଲେ ଯେ, ତାଙ୍କ ଝିଅକୁ ଯୋଜନାବଦ୍ଧ ଭାବେ ମାରି ଦିଆଯାଇଛି ।

    ଘର ପାଖରେ ଘର ହୋଇଥିଲେ ସୁଦ୍ଧା ତାଙ୍କ ପରିବାରକୁ ନଜଣାଇ ରାତିରେ ଝିଅକୁ ରାଇରଙ୍ଗପୁର ହସ୍ପିଟାଲ ଆଣିବା ଏବଂ ପରେ ବାରିପଦା ନେବା ଅନେକ ସନ୍ଦେହ ସୃଷ୍ଟି କରିଛି । ରେଖାର ବାପା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଝିଅକୁ ହତ୍ୟା କରାଯାଇଥିବା ନେଇ ଜ୍ବାଇଁ ତାପସ, ସମୁଦି ମନୋଜ ନନ୍ଦ ଏବଂ ସମୁଦୁଣୀଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ଝିଅକୁ ହରାଇଵା କଷ୍ଟ ସହିତ ତାପସର ପରିବାର ଗଣ୍ଡଗୋଳ କରିବାର ଆଶଙ୍କା ନେଇ ଭୟଭୀତ ଅବସ୍ଥାରେ ହିମାଂଶୁଙ୍କ ପରିବାର ଅଛନ୍ତି ।

  • କେନ୍ଦୁଝର: ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର

    କେନ୍ଦୁଝର: ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର

    କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଡକାୟତି ଅଭିଯୋଗ ହୋଇଛି । ମାରଣାସ୍ତ୍ର ଦେଖାଇ କନ୍ତଲେଇ ଗାଁର ଦୁର୍ଯ୍ୟୋଧନ ବେହେରାଙ୍କ ଘରୁ ଡକାୟତି ହୋଇଛି । ଦୁର୍ଯ୍ୟୋଧନଙ୍କ ୯ ମାସର ଶିଶୁ ତଣ୍ଟିରେ ଭୁଜାଲି ଲଗାଇ ୫ ଡକାୟତ ଲୁଟିଛନ୍ତି ।

    ପ୍ରବଳ ଗରମ ଯୋଗୁଁ ଘରର କବାଟ ଝରକା ଖୋଲି ସମସ୍ତେ ଶୋଇ ପଡ଼ିଥିଲେ । ଦୁର୍ଯ୍ୟୋଧନଙ୍କ ସ୍ତ୍ରୀ ୯ ମାସର ଶିଶୁକୁ ଧରି ଶୋଇଥିବା ବେଳେ ଘରେ ପଶିଥିଲେ ଦୁର୍ବୃତ୍ତ । ଭୟଭୀତ କରାଇ ନେଇଗଲେ ୪ ଭରି ସୁନା ଓ ୨୫ ହଜାର ଟଙ୍କା । ବନ୍ଧୁକ ଓ ଭୂଜାଲି ଦେଖାଇଥିଲେ । ମା’କୋଳରୁ ଶିଶୁକୁ ଉଠାଇ ନେଇ ତଣ୍ଟିରେ ଭୁଜାଲି ଲଗାଇଥିଲେ । ସୁନା ଓ ଟଙ୍କା ଦେବାପାଇଁ ଧମକ ଦେଇ ଶେଷରେ ସର୍ବସ୍ୱ ଲୁଟିନେଲେ । ଦୁର୍ଯ୍ୟୋଧନଙ୍କ ସ୍ତ୍ରୀ ଆଲମାରୀ ଚାବି ଦେବା ପରେ ସୁନା ଅଳଙ୍କାର ଏବଂ ଟଙ୍କା ନେଇ ଚମ୍ପଟ ମାରିଲେ ଡକାୟତ ।

    ଦୁର୍ବୃତ୍ତଙ୍କ ସହ ଦୁର୍ଯ୍ୟୋଧନଙ୍କ ଧସ୍ତାଧସ୍ତି ହୋଇଥିଲା । ସେଥିରେ ସେ ସାମାନ୍ୟ ଆହତ ହୋଇଥିବା ବେଳେ ଭୁଜାଲି ମାଡ଼ ଚିହ୍ନ ରହିଛି । ଡକାୟତମାନେ ହଳେ ଚପଲ ଓ ଗୋଟିଏ ଶାବଳ ଛାଡ଼ି ପଳାଇଛନ୍ତି । ତେବେ ତେଲକୋଇ ଥାନା ଅଞ୍ଚଳରେ ବାରମ୍ବାର ଚୋରି, ଡକାୟତି, ହତ୍ୟାକାଣ୍ଡ ଘଟୁଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ସେଥିପାଇଁ ଅଞ୍ଚଳରେ ଏଭଳି ଘଟଣା ବୃଦ୍ଧି ପାଉଛି ।

  • ପାଟଣାଗଡ଼: ସାଂସଦଙ୍କ ଗାଡ଼ି ଧକ୍କାରେ ଜୀବନ ହାରିଲେ ସ୍କୁଟି ଚାଳକ

    ପାଟଣାଗଡ଼: ସାଂସଦଙ୍କ ଗାଡ଼ି ଧକ୍କାରେ ଜୀବନ ହାରିଲେ ସ୍କୁଟି ଚାଳକ

    ପାଟଣାଗଡ଼ ଗାଇସିଲାଟ ମୁଖ୍ୟ ରାସ୍ତାରେ ଦୁର୍ଘଟଣା । ତମିଆଁ ଓ ସୁନାମୁଦି ଛକ ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ଜୀବନ ଯାଇଛି । ରାଜ୍ୟସଭା ସାଂସଦଙ୍କ ଚାରିଚକିଆ ଗାଡ଼ି ସ୍କୁଟିକୁ ଧକ୍କା ଦେବା ପରେ ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି ।

    ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଗାଡ଼ି ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ । ଘଟଣାସ୍ଥଳରେ ଜୀବନ ହାରିଛନ୍ତି ସ୍କୁଟି ଚାଳକ । ମୃତକ ଲରମ୍ଭା ଥାନା ଇନ୍ଦପୁର ଗାଁର ଟଙ୍କଧର ବିଶ୍ବାଳ । ପାଟଣାଗଡ଼ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନା ଆଣିଛି । କୌଣସି ଏକ କାର୍ଯରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ନିଜ ଗାଡ଼ିରେ ଯାଉଥିଲେ । ସେ ପାଟଣାଗଡ଼-ଗାଇସିଲାଟ ମୁଖ୍ୟ ରାସ୍ତାରେ ଯାଉଥିବା ବେଳେ ତମିଆଁ ଓ ସୁନାମୁଦି ଛକରେ ଦୁର୍ଘଟଣା ଘଟିଥିଲା ଗାଡ଼ି । ଭାରସାମ୍ୟ ହରାଇ ସ୍କୁଟିକୁ ଧକ୍କା ଦେଇଥିଲା ସାଂସଦଙ୍କ ଗାଡ଼ି । ଫଳରେ ସ୍କୁଟି ଚାଳକ ଛିଟିକି ପଡ଼ିବା ସହ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ

    ପରିବାର ଲୋକ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସେପଟେ, ଦୁର୍ଘଟଣା ପରେ ସାଂସଦଙ୍କ ଡ୍ରାଇଭର ଥାନାରେ ଆତ୍ମସମର୍ପଣ କରିଛି ।

  • ଗେଟ୍ ଫିସକୁ ନେଇ ଛତିଶଗଡ ପର୍ଯ୍ୟଟକ ଏବଂ ମୁଣ୍ଡୁଳି ଗେଟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମାରପିଟ, ୧୪ ଜଣ ଆହତ

    ଗେଟ୍ ଫିସକୁ ନେଇ ଛତିଶଗଡ ପର୍ଯ୍ୟଟକ ଏବଂ ମୁଣ୍ଡୁଳି ଗେଟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମାରପିଟ, ୧୪ ଜଣ ଆହତ

    କଟକ ମୁଣ୍ଡୁଳୀ ଗେଟ ଠାରେ ଗେଟ କର୍ମଚାରୀ ଓ ଛତିଶଗଡ ପର୍ଯ୍ୟଟକଙ୍କ ଭିତରେ ଧସ୍ତାଧସ୍ତି । ଟୁରିଷ୍ଟ ବସରେ ଥିବା ଯାତ୍ରୀ ମାନେ ମୁହାଁମୁହିଁ ହୋଇଥିଲେ । ବସରେ ଥିବା ଛତିଶଗଡର ଟୁରିଷ୍ଟ ମାନେ ସ୍ଥାନୀୟ ଥାନାରେ ଏକ ଏତଲା ଦେଇଥିବା ବେଳେ ସେପଟେ ମୁଣ୍ଡୁଳୀ ଗେଟ୍ କର୍ତ୍ତୃପକ୍ଷ ମଧ୍ୟ ଏକ ଏତଲା ଦେଇଛନ୍ତି । ଏହି ଏତଲା ଆଧାରରେ ଆଠଗଡ଼ ଥାନାରେ ୪ ଜଣ ଗେଟ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଗତକାଲି ରାତିରୁ ଛତିଶଗଡର ଟୁରିଷ୍ଟ ମାନଙ୍କୁ ଆଠଗଡ଼ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଦିଆଯିବା ସହ ଆଠଗଡ଼ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ରହିବାର ସମସ୍ତ ବନ୍ଦୋବସ୍ତ କରାଯାଇଛି ।

    ସୂଚନା ମୁତାବକ, ଛତିଶଗଡରୁ ୨ଟି ବସରେ କିଛି ପର୍ଯ୍ୟଟକ ଓଡିଶାର ବିଭିନ୍ନ ସ୍ଥାନ ପରିଭ୍ରମଣ କରୁଥିଲେ । ଏହି ସମୟରେ ସେମାନେ ଗେଟରେ ପାର ହେବା ପାଇଁ ଦିଆଯାଉଥିବା ଟଙ୍କାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ, ମାଡପିଟ୍ ସହିତ ବସ ଭଙ୍ଗାରୁଜା ହୋଇଥିଲା । ଏହି ଗଣ୍ଡୋଗଳରେ ବସରେ ଥିବା ୧୧ ଜଣ ଯାତ୍ରୀଙ୍କ ସମେତ ଗେଟର ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନେ ଆଠଗଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଗେଟରେ ଥିବା ଜଣେ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଗେଟର ଥିବା କର୍ମଚାରୀ ଅଧିକ ଟଙ୍କା ମାଗିବାରୁ ପ୍ରତିବାଦ କରିଥିଲେ ବସର ଡ୍ରାଇଭର । ଯେଉଁଥି ପାଇଁ ଉଭୟଙ୍କ ଭିତରେ ବଚସା ଆରମ୍ଭ ହୋଇ ତୁମୁଳକାଣ୍ଡର ରୂପ ନେଇଥିଲା ।

  • ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ, ପୋଷ୍ଟ ଅଫିସ ଘେରିଲେ ମହିଳା

    ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ, ପୋଷ୍ଟ ଅଫିସ ଘେରିଲେ ମହିଳା

    କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ମହିଳା ଜମାକାରୀଙ୍କ ଆନ୍ଦୋଳନ । କଣ୍ଟିଆପଡ଼ା ପୋଷ୍ଟ ଅଫିସ ଘେରିଲେ ଶତାଧିକ ମହିଳା । ୩୦୦ରୁ ଅଧିକ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି ।

    ପୋଷ୍ଟ ମାଷ୍ଟର ଭୈରବ ଚନ୍ଦ୍ର ନାଏକଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ମହିଳା ଜମାକାରୀ । ସୂଚନା ଅନୁସାରେ କଣ୍ଟିଆପଡ଼ା,ପୁରୁଣିଆ ଓ ବଲାଣିପଶି ଗାଁର ଶତାଧିକ ମହିଳା ପୋଷ୍ଟ ଅଫିସରେ ଫିକ୍ସ,ପିଏଲଆଇ, ଆରଡି ସହ ସୁକନ୍ୟା ଯୋଜନାରେ ଟଙ୍କା ଜମା କରିଥିଲେ ।

    ହେଲେ ପୋଷ୍ଟ ମାଷ୍ଟର ତାଙ୍କ ଖାତାରେ ଟଙ୍କା ଜମା କରିନାହାଁନ୍ତି । ପାସବୁକ୍ ନଦେଇ ନିରୀହ ଲୋକଙ୍କ ଟଙ୍କା ହଡ଼ପ କରିଛନ୍ତି । ପାସବୁକ୍ ମାଗିଲେ ପୋଷ୍ଟମାଷ୍ଟର ଗାଳିଗୁଲଜ କରୁଛନ୍ତି । ଏନେଇ ଜମାକାରୀମାନେ ପ୍ରଥମେ କେନ୍ଦୁଝର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ କୌଣସି ପଦକ୍ଷେପ ନନେବାରୁ ପୋଷ୍ଟାଲ ସୁପେରିଣ୍ଟେଣ୍ଡଣ୍ଟ ଓ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

    ଏଥିରେ ବିଳମ୍ବ ହେବାରୁ ଜମାକାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଡିପୋଜିଟ୍ କରିଥିବା ଟଙ୍କା ଫେରସ୍ତ ପାଇଁ ସେମାନେ ବିକ୍ଷୋଭ କରିଛନ୍ତି । ପୋଷ୍ଟ ଅଫିସ ଘେରାଉ କରିବା ସହ ତୁରନ୍ତ ଟଙ୍କା ଫେରସ୍ତ ପାଇଁ ଦାବି କରିଛନ୍ତି । ତଦନ୍ତ ସହ ପୋଷ୍ଟ ମାଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି ଜମାକାରୀ ।