Category: ଜିଲ୍ଲା

  • ଦେଶର ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ଠାରୁ ଭୟଙ୍କର ବାହାନଗା ଦୁର୍ଘଟଣା

    ଦେଶର ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ଠାରୁ ଭୟଙ୍କର ବାହାନଗା ଦୁର୍ଘଟଣା

    ବାହାନଗା ରେଳ ଦୁର୍ଘଟଣାରେ ଅଦ୍ୟାବଧି ମୃତ୍ୟୁ ସଂଖ୍ୟା ୨୮୮ ଥିବାବେଳେ ବଗି ତଳେ କିଛି ଯାତ୍ରୀ ଦବି ରହିଥିବା ସନ୍ଦେହ ରହିଛି । ଏଥିସହ ଅନେକ ଯାତ୍ରୀଙ୍କ ସ୍ଥିତି ଗମ୍ଭୀର ରହିଛି । ତେଣୁ ଏହି ସଂଖ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ସଂଖ୍ୟା ୩୫୦ ଛୁଇଁବାର ଆଶଙ୍କା କରାଯାଉଛି । ଏହାକୁ ଚଳିତ ଦଶନ୍ଧିର ସବୁଠାରୁ ବଡ଼ ରେଳ ଦୁର୍ଘଟଣା କୁହାଯାଉଛି । ତେବେ ୪୨ ବର୍ଷ ତଳେ ବିହାରରେ ହୋଇଥିବା ରେଳ ଦୁର୍ଘଟଣା ଭାରତ ରେଳ ସେବା କ୍ଷେତ୍ରରେ ସବୁଠାରୁ ବଡ଼ ଦୁର୍ଘଟଣା ଥିଲା । ସେହିପରି ବିଭିନ୍ନ ସମୟରେ ବହୁ ରେଳ ଦୁର୍ଘଟଣା ଦେଖିବାକୁ ମିଳିଛି ।

    ୧୯୮୧ ଜୁନ ୬ରେ ବିହାରର ମାନସୀ-ସହରାସା ରେଳ ଦୁର୍ଘଟଣାକୁ ଦେଶର ସବୁଠାରୁ ବଡ଼ ଦୁର୍ଘଟଣା କୁହାଯାଏ। ମାନସୀ-ସହରାସା ରେଳ ଯାତ୍ରା ସମୟରେ ବାଗମତୀ ନଦୀକୁ ଖସିପଡିଥିଲା। ଟ୍ରେନର ୯ଟି ବଗି ପଡିଥିଲା ପାଣିରେ। ଏଥିରେ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ବାଗମତୀ ରେଳ ଦୁର୍ଘଟଣା ପରେ ଆସେ ୧୯୯୫ ଅଗଷ୍ଟ ୨୦ର ଦୁର୍ଘଟଣା।

    https://twitter.com/i/status/1664955553745887244

    ୟୁପିର ଫିରୋଜାବାଦ ନିକଟରେ ପୁରୁଷୋତ୍ତମ ଏକ୍ସପ୍ରେସ ରେଳ ଧାରଣାରେ ଠିଆ ହୋଇଥିବା କାଳିନ୍ଦୀ ଏକ୍ସପ୍ରେସ୍ ଉପରକୁ ମାଡ଼ଯାଇଥିଲା। ଏଥିରେ ୩୫୦ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୧୯୯୮ ନଭେମ୍ବର ୨୬ରେ ଜମ୍ମୁତବୀ ସିୟାଲଦହ ଏକ୍ସପ୍ରେସ ପଞ୍ଜାବ ଖତ୍ରାରେ ଫ୍ରଣ୍ଟିୟର ଗୋଲ୍ଡେନ ଟେମ୍ପୁଲ ମେଲ ଧାରଣାରୁ ୩ ବଗି ତଳକୁ ଖସିପଡିଥିଲା। ଏଥିରେ ୨୧୨ ମୃତ୍ୟୁ ହୋଇଥିଲା ।

    ୨ ଅଗଷ୍ଟ ୧୯୯୯ରେ ଗୈସଲ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବ୍ରହ୍ମପୁତ୍ର ମେଲ ଉତ୍ତର ସୀମାନ୍ତ ରେଳୱେର କାଟିହାର ଡିଭିଜନର ଗୈସଲ ଷ୍ଟେସନରେ ଠିଆ ହୋଇଥିବା ଅବଧ ଆସାମ ଏକ୍ସପ୍ରେସକୁ ଧକ୍କା ଦେବାରୁ ୨୮୫ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୬ରେ ପୁଖରିଆରେ ଇନ୍ଦୋର-ରାଜେନ୍ଦ୍ର ନଗର ଏକ୍ସପ୍ରେସର ୧୪ ବଗି ଟ୍ରାକରୁ ଖସିପଡିଥିଲା। ଫଳରେ ୧୫୨ ପ୍ରାଣହାନୀ ଘଟିଥିଲା। ୨୦୦୨ରେ ଗୟା, ବିହାରଠାରେ ଧାବା ନଦୀକୁ ହାୱାଡା-ରାଜଧାନୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଖସି ପଡ଼ିବାରୁ ୧୪୦ ଜଣଙ୍କ ମୃତ୍ୟୁ ହୋଇଥିଲା।

  • ବାହାନଗୀ ଟ୍ରେନ୍ ଦୁର୍ଘଟଣା; ସବୁଠି ଶୋକ, ସମବେଦନା

    ବାହାନଗୀ ଟ୍ରେନ୍ ଦୁର୍ଘଟଣା; ସବୁଠି ଶୋକ, ସମବେଦନା

    ବାଲେଶ୍ୱର ବାହାନଗୀ ଟ୍ରେନ୍ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ନବୀନଙ୍କୁ ପ୍ରସ୍ତାବ ଦେଇଛନ୍ତି । ଦୁର୍ଘଟଣାରେ ମୃତାହତ ଲୋକଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଆହତ ଲୋକଙ୍କ ଉଦ୍ଧାର ଏବଂ ଚିକିତ୍ସା କ୍ଷେତ୍ରରେ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ପ୍ରସ୍ତାବ ଦେଇଥିଲେ । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଦେଇଛନ୍ତି ।

    ବାଲେଶ୍ୱର ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି । ବିଶ୍ୱନେତାଙ୍କ ଠାରୁ ଆରମ୍ଭ କରି କ୍ରୀଡ଼ାବିତ ଓ ଅଭିନେତା ଶୋକ ପ୍ରକାଶ କରିଛନ୍ତି । ଘଟଣାକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗଭୀର ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି । ଏ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବଗତ କରାଇଛନ୍ତି । ୟୁରୋପିଆନ ୟୁନିଅନ୍ ଅଧ୍ୟକ୍ଷ ଚାର୍ଲସ ମିସେଲ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ, ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ ୱେନ୍ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।

    ସେପଟେ ଅଭିନେତା ସଲମାନ ଖାନ୍,ବିବେକ ଅଗ୍ନିହୋତ୍ରୀ, ଜୁନିଅର ଏନଟିଆର, କ୍ରୀଡ଼ାବିତ୍ ବିରାଟ କୋହଲି ମଧ୍ୟ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।

  • ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୦ ଛୁଇଁଲା

    ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୦ ଛୁଇଁଲା

    ବାଲେଶ୍ୱରରେ ଶୁକ୍ରବାର ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୦ରେ ପହଞ୍ଚିଛିଥିବା ବେଳେ ୯ଶହରୁ ଅଧିକ ଗୁରୁତର ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା  ସୂଚନା ଦେଇଛନ୍ତି ଓଡ଼ିଶା ଅଗ୍ନିଶମ ଡିଜି ସୁଧାଂଶୁ  ଷଢଙ୍ଗୀ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଆଜି ସକାଳେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସେପଟେ ସବୁଠାରୁ ବଡ ଏହି ଦୁର୍ଘଟଣାର ମାଇନା କରିବାକୁ ପ୍ରଧାନମନ୍ତ୍ରୀ ଆଜି ବାଲେଶ୍ୱର ଆସିବାର ସୂଚନା ମିଳୁଛି।

    ଏହା ଏକ ତ୍ରିମୁଖୀ ରେଳ ଦୁର୍ଷଟଣା ଥିଲା। ପ୍ରଥମେ ବାହାନଗାଠାରେ ବେଙ୍ଗାଲୁରୁରୁ ହାୱଡା ଯାଉଥିବା ଯଶୋବନ୍ତପୁର ସୁପରଫାଷ୍ଟ ଟ୍ରେନର ୨ଟି ବଗି ଓଲଟିଥିଲା। ତାପ ଅଳ୍ପ ସମୟରେ ହାୱଜାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ସେହି ବଗିରେ ବାଡେଇ ହୋଇ ପାଖ ଧାରଣାରେ ଠିଆ ହୋଇଥିବା ମାଲ ଗାଜି ଉପରେ ଚଢିଯାଇଥିଲା। ଏଥିରେ ସିଗ୍ନାଲିଂ ପ୍ରୋବ୍ଲେମ ଥିଲା କି ନାହିଁ ତଦନ୍ତ ପରେ ଜଣାପଡିବ ବୋଲି ଅବସରପ୍ରାପ୍ତ ଜିଏମ ସୁଧାଂଶୁ ମଣି କହିଛନ୍ତି।

    ଗତକାଲି ରାତିରେ ଦୁର୍ଘଟଣା ଘଟିଥିବା ବେଳେ ଦୀର୍ଘ ୧୬ ଘଣ୍ଟା ପରେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବଗି ତଳେ କିଛି ଯାତ୍ରୀ ଫସିଥିବା ସନ୍ଦେହ କରାଯାଉଛି ଓ ସେମାନଙ୍କ ଉଦ୍ଧାର ପାଇଁ ପ୍ରୟାସ ଜାରି ଥିବା ବେଳେ ମୃତ୍ୟୁ ସଂଖ୍ୟା ଆଗକୁ ବଢିବା ସନ୍ଦେହ କରାଯାଉଛି।  ଓଡିଆରଏଫ, ଏନଡିଆରଏଫ, ଅଗ୍ନିଶମ ବିଭାଗ କର୍ମଚାରୀ ଓ ଆର୍ମି ଘଟଣାସ୍ଥଳରେ ମୁତୟନ ହୋଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି।

    ଏନଡିଆରଏଫ ତରଫରୁ ୬ଟି ଟିମ୍‌ ମୁତୟନ ହୋଇଥିବା ବେଳେ ଡଗ୍‌ ସ୍କ୍ୱାର୍ଡ ଓ ମେଡିକାଲ ଟିମ୍‌ ବି ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି। ଏଥିସହ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବଗି ତଳୁ ମୃତଦେହ ବାହାର କରିବା ପ୍ରକ୍ରିୟା ଚାଲୁ ରହିଛି ।  

    ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି। ମାତ୍ର ବହୁ ମୃତଦେହ ଚିହ୍ନଟ ହୋଇ ପାରୁନାହିଁ। ଫଳରେ ମୃତଦେହ କାହାକୁ ହସ୍ତାନ୍ତର କରାନଯାଇ ସେଠାରେ ପଡି ରହିଛି। କାହାର ହାତ ତ କାହାର ଗୋଡ଼ ଟ୍ରାକ୍‌ ଉପରେ ପଡ଼ି ରହିଛି।

    ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଆଜି ସକାଳେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପ୍ରଥମେ ଉଦ୍ଧାର କାର୍ଯ୍ୟ ସମେତ ଗୁରୁତରଙ୍କୁ ଚିକିତ୍ସା ଯୋଗାଇଦେବାକୁ ପ୍ରାଥମିକତା ଦିଆଯାଉଛି

    । ଏହି ଦୁର୍ଘଟଣାର କାରଣ ଜାଣିବାକୁ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୁର୍ଘଟଣାର କାରଣ ଖୋଜାଯିବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏହି ଦୁର୍ଘଟଣାର ମୃତକଙ୍କ ପ୍ରତି ସମବେଦନା ଜଣାଇବାକୁ ଆଜି ଓଡ଼ିଶା ଓ ତାମିଲନାଡ଼ୁରେ ଦିନିକିଆ ଶୋକ ପାଳନ କରାଯାଉଛି। 

    ପୁଲିସ୍‌ ଡିଜି ସୁନୀଲ ବଂଶଲ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପରିଦର୍ଶନ ପରେ ଏହି ଦୁର୍ଘଟଣାକୁ ସେ ଏକ ଭୟଙ୍କର ଦୁର୍ଘଟଣା ବୋଲି କହିଛନ୍ତି। ଗୋଟିଏ ମାଲବାହୀ ଟ୍ରେନ୍‌ ଓ ୨ଟି ଯାତ୍ରୀବାହୀ ଟ୍ରେନ୍‌ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ପ୍ରକାଶ କରିଛନ୍ତି ଡିଜିପି। ଘଟଣାସ୍ଥଳରେ  ୫ଟି ଓଡ୍ରାଫ ଟିମ୍‌ , ଓଡ଼ିଶା ଅଗ୍ନିଶମ ବିଭାଗର ବହୁ ଟିମ୍‌ ସମେତ ସେନା ବି ମୁତୟନ  ହୋଇଛନ୍ତି ।

    ଦୁର୍ଘଟଣାରେ  ମୃତ୍ୟୁବରଣ କରୁଥିବା ଯାତ୍ରୀମାନେ ବିଭିନ୍ନ ରାଜ୍ୟର ରହିଛନ୍ତି।  ତୁରନ୍ତ ସେମାନଙ୍କ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି ବୋଲି କହିଛନ୍ତି ଡିଜି।

    ଡିଜି ବଂଶଲ ଆହୁରି କହିଛନ୍ତି କି, ବହୁ ସଂଖ୍ୟାରେ ଟ୍ରେନ୍‌ ବଗି ଓଲଟି ପଡ଼ିଥିବାରୁ ଏହାକୁ ଟ୍ରାକ୍‌ରୁ ବାହାର କରିବାକୁ ଭାରୀ ଯନ୍ତ୍ରାଶଂର ଆବଶ୍ୟକତା ରହିଛି। କୋଲକତାରୁ ଉକ୍ତ ଯନ୍ତ୍ରାଶଂ ମଗା ଯାଇଛି। ସେସବୁ  ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହେବ । ଏଥିନିମନ୍ତେ କିଛି ସମୟ ଦରକାର ବୋଲି କହିଛନ୍ତି ପୁଲିସ୍‌ ଡିଜି। 

  • ଧର୍ମଶାଳା: ପାନୀୟ ଜଳ ସମସ୍ୟା ଦୂର ପାଇଁ ମହିଳାଙ୍କ ପ୍ରତିବାଦ

    ଧର୍ମଶାଳା: ପାନୀୟ ଜଳ ସମସ୍ୟା ଦୂର ପାଇଁ ମହିଳାଙ୍କ ପ୍ରତିବାଦ

    ଏ ଦୃଶ୍ୟ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର । ଏହା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଅଞ୍ଚଳ ଯେଉଁଠି ଲଗାତାର ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କ ସାନ ଭାଇ ଧର୍ମଶାଳା ଚେୟାରମ୍ୟାନ୍ ଭାବେ ଦାୟିତ୍ୱରେ ଅଛନ୍ତି । ଆଜି କିନ୍ତୁ ପଞ୍ଚାୟତବାସୀଙ୍କ ପାଇଁ କାଳ ହୋଇଛି ପାନୀୟ ଜଳ । ସରକାରଙ୍କ ତରଫରୁ ଜଳର ଅଭାବ ଦୂର ପାଇଁ ବିଭିନ୍ନ ପ୍ରକାର ଯୋଜନା ରହିଛି । ହେଲେ ଏ ଅଞ୍ଚଳବାସୀଙ୍କ ପାଇଁ ପାନୀୟ ଜଳ ସମସ୍ୟା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

    ମଧୁପୁର ଗଡ଼ ପଞ୍ଚାୟତର କିଛି ମହିଳା ସାଙ୍ଗରେ ଗରା ଆଉ ବାଲ୍ଟି ଧରି ମଧୁପୁର ଗଡ଼ ପଞ୍ଚୟତ ଅଫିସରେ ପହଞ୍ଚିଥିଲେ । ସରପଞ୍ଚଙ୍କ ପରେ ବିଡିଓଙ୍କୁ ମଧ୍ୟ ଫୋନ୍ କରି ନିରାଶ ହୋଇଥିଲେ । ଶେଷରେ ସେମାନେ ଧର୍ମଶାଳା ବ୍ଲକ୍ ଅଫିସରେ ପହଞ୍ଚି ନିଜର ଦାବି ଜଣାଇଛନ୍ତି । ଦୀର୍ଘଦିନ ହେଲା ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନଳକୂପ ଅଚଳ ହୋଇଥିବା ବେଳେ କୂଅରେ ପାଣି ଶୁଖିଯାଇଛି । ପୂର୍ବରୁ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନି ।

    ଖୁବଶୀଘ୍ର ଜଳ ସମସ୍ୟାର ସମାଧାନ କରିବାକୁ ମହିଳାମାନେ ଦାବି କରିଛନ୍ତି । ସରକାରୀ ଯନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର ଦେଇଛନ୍ତି ମହିଳା । ପାଣି ସମସ୍ୟା ନେଇ ଆଲୋଚନା ମଧ୍ୟ କରିଛନ୍ତି । ସେପଟେ, ଖୁବଶୀଘ୍ର ଜଳ ସମସ୍ୟା ଦୂର ହେବ ବୋଲି କହିଛନ୍ତି ଯନ୍ତ୍ରୀ ।

  • ନୀଳଗିରି: +2ରେ କମ୍ ନମ୍ବର ଆସିବାରୁ ଛାତରୁ ଡେଇଁଲେ ବିଜ୍ଞାନ ଛାତ୍ରୀ

    ନୀଳଗିରି: +2ରେ କମ୍ ନମ୍ବର ଆସିବାରୁ ଛାତରୁ ଡେଇଁଲେ ବିଜ୍ଞାନ ଛାତ୍ରୀ

    ଯୁକ୍ତ ଦୁଇ ପରୀକ୍ଷାରେ କମ୍ ନମ୍ବର ରହିବାରୁ ଛାତ୍ରୀ ଏମିତି କିଛି ନିଷ୍ପତ୍ତି ନେଲେ ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଲା । ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାର ଥିଲା କିନ୍ତୁ ଦ୍ୱିତୀୟ ଶ୍ରେଣୀରେ ପାସ୍ କଲେ ବିଜ୍ଞାନ ଛାତ୍ରୀ ।

    ନୀଳଗିରି ଏନଏସି ଅଧୀନ ସିମୁଳିଆ ଗାଁର ଲକ୍ଷ୍ମଣ ମହଲଙ୍କ ଝିଅ ଇତିଶ୍ରୀ ମହଲ । ସେ ନୀଳଗିରି ମହାବିଦ୍ୟାଳୟର ବିଜ୍ଞାନ ଛାତ୍ରୀ । ପ୍ରଥମ ଶ୍ରେଣୀରେ ପାସ୍ କରିବାକୁ ଆଶା ରଖିଥିଲେ । କିନ୍ତୁ ଦ୍ବିତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ଆଜି ରେଜଲ୍ଚ ଆସିବା ପରେ ଗଭୀର ଭାବେ ମାନସିକ ଆଘାତ ପାଇଥିଲେ । ଶେଷରେ ଛାତ୍ରୀ ଜଣକ ଛାତରୁ ଡେଇଁ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ସେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

    ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ବିଜ୍ଞାନ,ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଚଳିତଥର ବିଜ୍ଞାନରେ ପାସ୍ ହାର ୮୪.୯୩ ପ୍ରତିଶତ ଥିବାବେଳେ ବାଣିଜ୍ୟରେ ପାସ୍ ହାର ରହିଛି ୮୧.୧୨ ପ୍ରତିଶତ । ବିଜ୍ଞାନରେ ପରୀକ୍ଷା ଦେଇଥିଲେ ୯୩ ହଜାର ୭୩୪ ପରୀକ୍ଷାର୍ଥୀ । ସେମାନଙ୍କ ମଧ୍ୟରୁ ୭୮ ହଜାର ୯୩୮ଜଣ ପାସ୍ କରିଛନ୍ତି । ପ୍ରଥମ ଶ୍ରେଣୀରେ ୩୯ ହଜାର ୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି ୨୪ ହଜାର ୨୫୭ ଛାତ୍ରଛାତ୍ରୀ । ସେହିପରି ନୟାଗଡ଼ରେ ସର୍ବାଧିକ ପାସ୍ ହାର ୯୬.୪୧ ପ୍ରତିଶତ ଥିବାବେଳେ ଗଜପତିରେ ସର୍ବନିମ୍ନ ପାସ୍ ହାର ୬୧.୫୫ ପ୍ରତିଶତ ରହିଛି ।

  • ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ନୀତି, ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

    ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ନୀତି, ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

    ଆଜି ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଏକାଦଶୀ ନୀତି ଅନୁଷ୍ଠିତ ହେଉଛି । ମହାଲକ୍ଷ୍ମୀ ଋକ୍ମିଣୀଙ୍କୁ ହରଣ କରି ବିବାହ କରିବେ ମହାପ୍ରଭୁ । ଏ ନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହେବ । ତେଣୁ ଆଜି ମଧ୍ୟାହ୍ନ ଗୋଟାଏରୁ ଅପରାହ୍ଣ ୫ଟା, ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଗତକାଲି ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦଶମୀ ତିଥିରେ ସନ୍ଧ୍ୟା ଧୂପ ନୀତି ବଢ଼ିବା ପରେ ଶ୍ରୀମନ୍ଦିରରେ ଘଣ୍ଟ କାହାଳୀ,ମହୁରି ବାଜି ମହାପ୍ରଭୁଙ୍କ ଅଭିଷେକ ନୀତି ସମ୍ପନ୍ନ ହୋଇଥିଲା ।

    ସେପଟେ, ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ତିନି ରଥର ଦଣ୍ଡା ଉପରେ ଭୂଇଁ ବସିବା ପରେ ଚାରିନାହାକା ଡେରା ହୋଇଛି । ପ୍ରତି ରଥରେ ଚାରିଟି ଲେଖାଏଁ ନାହାକା ଠିଆ କରାଯାଇଛି । ରଥ ଉପରେ ଛନ୍ଦା ଓ ଗୟଳ ଭିଡ଼ା କାର୍ଯ୍ୟ ମଧ୍ୟ ଜାରି ରହିଛି । ମହାପ୍ରଭୁଙ୍କ ତିନିରଥର ଚାରିନାହାକା ସହିତ ଜୋଖା ଭିଡ଼ା ହୋଇଛି । ଭୂଇଁ ଯୋଡ଼ା କାର୍ଯ୍ୟ ସରିବା ପରେ ପ୍ରତି ରଥରେ ତିନିଟି ଭୂଇଁ ଉଠିବ । ପ୍ରତି ରଥରେ ତିନି ଥାକରେ ତିନିଟି ଭୂଇଁରେ ମୋଟ ୩୦ଟି କାଠ ଯୋଡ଼ାଯିବ।

    ଆଜି ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଏକାଦଶୀ ନୀତି ପାଇଁ ଦର୍ଶନରୁ ବଞ୍ଚିତ ହେବେ ସାଧାରଣ ଭକ୍ତ । ମହାଲକ୍ଷ୍ମୀଙ୍କ ସମସ୍ତ ନୀତିକାନ୍ତି ଶେଷ ପରେ ପୁଣି ଥରେ ଏହି ଦର୍ଶନ ସ୍ବାଭାବିକ ହେବ । ମହାପ୍ରଭୁ ଏବଂ ମହାଲକ୍ଷ୍ମୀଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ପ୍ରତିଦିନ ମହାବାହୁଙ୍କ ଆଶୀର୍ବାଦ ପାଇବା ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଛି । ଆଜିର ନୀତିକାନ୍ତି ଯୋଗୁଁ ଦର୍ଶନରେ ସାମାନ୍ୟ ବିଳମ୍ବ ହେବ ।

  • ରାଇରଙ୍ଗପୁର: ଦିନରେ ପରିବା ବେପାରୀ, ରାତିରେ ସାଜନ୍ତି ନକଲି ପୋଲିସ

    ରାଇରଙ୍ଗପୁର: ଦିନରେ ପରିବା ବେପାରୀ, ରାତିରେ ସାଜନ୍ତି ନକଲି ପୋଲିସ

    ଦିନରେ ପରିବା ବେପାରୀ ଆଉ ରାତିରେ ନକଲି ପୋଲିସ । ଜଣେ ମହିଳାଙ୍କ ଏପରି କାରନାମା ଧରାପଡ଼ିବା ପରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପୋଲିସର ଭୟ ଦେଖାଇ ଅର୍ଥ ଆଦାୟ କରି ଚାଲିଥିଲେ । ହେଲେ ଶେଷରେ ସେ ଗିରଫ ହେବା ଘଟଣା ବେଶ୍ ଚର୍ଚ୍ଚାକୁ ଆସିଛି ।

    ରାଇରଙ୍ଗପୁର ପୌରାଞ୍ଚଳ କୁଚେଇବୁଡ଼ି ଗାଁର ୨୮ ବର୍ଷୀୟା ପ୍ରଭାତି ମହାନ୍ତ । ରାଇରଙ୍ଗପୁର ଦୁର୍ଗା ମଣ୍ଡପ ଛକରେ ପରିବା ଦୋକାନ କରିଛନ୍ତି । ଏଥିସହ ବିଭିନ୍ନ ଅନୈତିକ ଓ ଅସାମାଜିକ କାର୍ଯ୍ୟରେ ସେ ସଂପୃକ୍ତ ଅଛନ୍ତି । କାରଣ ପୂର୍ବରୁ ତାଙ୍କ ନାଁରେ ଅଭିଯୋଗ ହୋଇଛି । ଦିନରେ ପରିବା ବିକାଳିର ଅଭିନୟ ତ ରାତିରେ ପୋଲିସ ବାବୁଙ୍କ ପରିଚୟ ଦେଇ ଚାନ୍ଦା ଆଦାୟ କରିବା ତାଙ୍କର ପେଷା ।

    ସୂଚନା ଅନୁସାରେ ସନ୍ଧ୍ୟା ସମୟରେ ଏକ ସ୍କୁଟିରେ ପୋଲିସ ପୋଷାକରେ ବାହାରିଥିଲେ ନକଲି ପୋଲିସ ପ୍ରଭାତି । ନୂରୁବାଦଡ଼ା ଗାଁର କାଳିପଦ ମହାନ୍ତଙ୍କ ଘରକୁ ଯାଇ ଧମକ ଦେଇଥିଲେ ମ୍ୟାଡମ । ଏକ ହତ୍ୟା ମାମଲାରେ ତାଙ୍କ ପୁଅର ସଂପୃକ୍ତି ନେଇ ୨୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ବିଳମ୍ବ ହେଲେ ରାଇରଙ୍ଗପୁର ଟାଉନ୍ ଥାନା ଯିବାକୁ ଧମକାଇଥିଲେ । ପାଟିତୁଣ୍ଡ ଶୁଣିବା ପରେ ଗାଁ ଲୋକେ ସେଠାରେ ପହଁଚିଥିଲେ । ଗାଁ ଲୋକେ ସନ୍ଦେହ କରି ଥାନା ଜଣାଇବା ପରେ ପୋଲିସ ପହଞ୍ଚି ତାଙ୍କୁ ଗିରଫ କରିଥିଲା ।

    ପ୍ରଭାତିଙ୍କ ନାଁରେ ମାମଲା ରୁଜୁ କରିବା ସହ ତାଙ୍କୁ କୋର୍ଟ ପଠାଯାଇଛି । ନକଲି ମହିଳା ପୋଲିସଙ୍କ ନିକଟରୁ ସ୍କୁଟି, ମୋବାଇଲ,ପୋଲିସ ପୋଷାକ, ଜେଲର ଆର୍ମଡ ବେଚ,ବେଲ୍ଟ,ଜୋତା ଜବତ କରାଯାଇଛି । ଏଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାକୁ ଆସିଛି ।

  • କରଞ୍ଜିଆ: ବ୍ଲାଙ୍କ ଚେକରେ ଲାଞ୍ଚ ନେଇ ତହସିଲଦାର ଗିରଫ

    କରଞ୍ଜିଆ: ବ୍ଲାଙ୍କ ଚେକରେ ଲାଞ୍ଚ ନେଇ ତହସିଲଦାର ଗିରଫ

    ଶେଷରେ ଗିରଫ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ । ବ୍ଲାଙ୍କ ଚେକ୍‌ରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ । ବ୍ଲାଙ୍କ ଚେକ୍‌ ଜରିଆରେ ଲାଞ୍ଚ ନେବା ରାଜ୍ୟରେ ପ୍ରଥମ ଘଟଣା ।

    ଚେକରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଧରିଥିଲା । ଜମି କ୍ଷତିପୂରଣ ବାବଦରେ ୫୧୭୫୮୧୦ ଟଙ୍କା ଦେବାକୁ ଲାଞ୍ଚ ନେଉଥିଲେ ଚାର୍ଲସ ନାୟକ । ଏକକାଳୀନ ୪ଟି ସ୍ଥାନ କରଞ୍ଜିଆ ତହସିଲ ଅଫିସ,କରଞ୍ଜିଆସ୍ଥିତ କ୍ବାର୍ଟର୍ସ,ଭଦ୍ରକ ହସ୍ପିଟାଲ ନିକଟରେ ଥିବା ପୈତୃକ ଘର ଏବଂ କରଞ୍ଜିଆର ଛଡ଼େଇ ଭୋଲରେ ଭିଜିଲାନ୍ସ ରେଡ୍ କରିଥିଲା । ତାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା । ବେଆଇନ୍ ଖଣି ଲିଜ୍ ଦେଇ ବିପୁଳ ଅର୍ଥ ରୋଜଗାର କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେବା ପରେ ଚଢ଼ାଉ ହୋଇଥିଲା ।

    ଚାର୍ଲସ ନାୟକ ପୂର୍ବରୁ ବାଲେଶ୍ବର ଜିଲ୍ଲା ସୋରରେ ତହସିଲଦାର ଥିଲେ । ସେଠାରେ ତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଥିଲା । ତେଣୁ ତାଙ୍କୁ ଦୂର ଜିଲ୍ଲାକୁ ବଦଳି କରାଯାଇଥିଲା । ଏବେ ପୁଣି କରଞ୍ଜିଆ ତହସିଲଦାର ଭାବେ ଦାୟିତ୍ୱ ନେବା ପରେ ଦୁର୍ନୀତି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଭଳି ଅଭିଯୋଗ ଆସିଥିଲା । ତେଣୁ ତାଙ୍କ ନାଁରେ ଥିବା ସମ୍ପତ୍ତି ଅନ୍ୟାନ୍ୟ ଲିଙ୍କ୍ ଖୋଜୁଛି ଟିମ୍ ।

  • ନନ୍ଦପୁର: ଗଞ୍ଜେଇ ଭର୍ତ୍ତି ଟାଟା ଇଣ୍ଡିଗୋକୁ ଧରିଲା ପୋଲିସ

    ନନ୍ଦପୁର: ଗଞ୍ଜେଇ ଭର୍ତ୍ତି ଟାଟା ଇଣ୍ଡିଗୋକୁ ଧରିଲା ପୋଲିସ

    କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ପାଡୁଆ ପୋଲିସ ଗଞ୍ଜେଇ ଚାଲାଣକାରୀ ଗାଡ଼ି ଏବଂ ଗଞ୍ଜେଇ ଜବତ କରିଛି । ଘଟଣାସ୍ଥଳରୁ ଚୋରାଚାଲାଣକାରୀ ଫେରାର ହୋଇଯାଇଛି । ଅଭିଯୁକ୍ତମାନେ ଚମ୍ପଟ ମାରିଥିବା ନେଇ ସୂଚନା ଦେଇଛନ୍ତି ଏସଡିପିଓ ସଞ୍ଜୟ ମହାପାତ୍ର ।

    ବିଶେଷ ସୂତ୍ରରୁ ଖବର ପାଇ ଗେମେଲାପୁଟ ଗାଁ ନିକଟରେ ଚଢ଼ାଉ କରିଥିଲା ପୋଲିସ । ପାଡୁଆ ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ହଠାତ୍ ରେଡ୍ କରିଥିଲେ । ଘଟଣାସ୍ଥଳରେ ଥିବା ଲାଲ ରଙ୍ଗର ଟାଟା ଇଣ୍ଡିଗୋ କାର୍ ଯାଞ୍ଚ କରିଥିଲେ ଥିଲେ । ପୋଲିସକୁ ଦେଖି ଚାଲାଣକାରୀମାନେ ସେଠାରୁ ଖସି ପଳାଇଥିଲେ । ଗାଡ଼ି ଯାଞ୍ଚବେଳେ ୫ ବସ୍ତା ଗଞ୍ଜେଇ ସହ ଗାଡ଼ି ଜବତ କରାଯାଇଥିଲା । ଜବତ ଗଞ୍ଜେଇର ଓଜନ ଥିଲା ୧୩୫ କେଜି । ଘଟଣାର ତଦନ୍ତ କରୁଛନ୍ତି ଏସଆଇ ଡି.କେ.ବାରିକ ।

    ସେପଟେ ଦୁଇଦିନ ପୂର୍ବେ ଚିତ୍ରକୋଣ୍ଡା ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା । ଚିତ୍ରକୋଣ୍ଡା ବ୍ଲକ୍ ବଡ଼ପଦର ପଞ୍ଚାୟତ ଅଞ୍ଚଳରୁ ୮୫ଟି ବସ୍ତାରେ ଭର୍ତ୍ତି ଗଞ୍ଜେଇ ଜବତ ହୋଇଥିଲା । ଜଙ୍ଗଲରେ ରେଡ୍ କରି ଏତେ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା ଯାହାର ମୂଲ୍ୟ ୨ କୋଟି ୧୫ ଲକ୍ଷ ଥିଲା । ତେବେ ଘଟଣାରେ କୌଣସି ଅଭିଯୁକ୍ତ ଧରାପଡ଼ିନଥିଲେ । ପୋଲିସ ପହଞ୍ଚିବା ପୂର୍ବରୁ ଚୋରା ଚାଲାଣକାରୀ ଅନ୍ଧାର ଓ ଜଙ୍ଗଲର ସୁବିଧା ନେଇ ଫେରାର୍ ହୋଇଯାଇଛନ୍ତି । ଏତେ ପରିମାଣର ଗଞ୍ଜେଇ କେଉଁଠି ଆସିଲା, କାହାର ସଂପୃକ୍ତି ସେ ନେଇ ତଦନ୍ତ ଜାରି ରହିଛି । ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଧରିଯିବ ବୋଲି ପୋଲିସ କହିଛି ।

  • ରାଇରଙ୍ଗପୁର ରଥଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

    ରାଇରଙ୍ଗପୁର ରଥଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

    ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରଥ ଯାତ୍ରାକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ନିମନ୍ତେ ପ୍ରସ୍ତୁତି ଚାଲିଛି । ପ୍ରଶାସନ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଦେବତ୍ତର ବିଭାଗ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ରଥଯାତ୍ରା ସମନ୍ୱୟ କମିଟିର ଏକ ବୈଠକ ହୋଇଯାଇଛି । ଏଥିରେ ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ ।

    ରାଇରଙ୍ଗପୁର ଦେବୋତ୍ତର ବିଭାଗ ତତ୍ତ୍ବାବଧାନରେ ଚଳିତ ବର୍ଷ ରଥଯାତ୍ରା ପାଳନ ସମ୍ପର୍କିତ ପ୍ରସ୍ତୁତ କାର୍ଯ୍ୟସୂଚୀର ବିଶଦ ବିବରଣୀ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଉପସ୍ଥାପନ କରିଥିଲେ । ରଥ ଟଣା ପାଇଁ ଆବଶ୍ୟକ ପଡୁଥିବା ଦଉଡି ଯୋଗାଇ ଦେବା ପାଇଁ ଟାଟା ପାୱାର କତୃପକ୍ଷ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ, ରାଇରଙ୍ଗପୁରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡୁଥିବା ଫୁଲ ଏବଂ ଫୁଲ ମାଳ ଯୋଗାଇ ଦେବା ନିମନ୍ତେ ରାଇରଙ୍ଗପୁର ଉଦ୍ୟାନ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

    ରଥଯାତ୍ରା ସମୟରେ ରଥଦାଣ୍ଡ ଏବଂ ସହରର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଆଲୋକ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକୀୟ ପୋଲିସ ମୂତୟନ ଓ ଟ୍ରାଫିକ ନିୟନ୍ତ୍ରଣ, ରଥ ଟଣା ସମୟରେ ଏନସିସି, ଏନଏସଏସ, ୟୁଥ ରେଡକ୍ରସ ତଥା ବିଭିନ୍ନ ସ୍ବେଛାସେବୀ ସଂଗଠନର ଯୁବ ସ୍ବେଛାସେବୀଙ୍କୁ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ନିୟୋଜିତ କରାଯିବା, ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟ ସେବା ଶିବିର ଓ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ସହ ହୋଟେଲ, ଅସ୍ଥାୟୀ ଜଳଖିଆ ଦୋକାନ ଗୁଡିକରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥର ମାନ, ଗୁଣବତ୍ତାକୁ ସ୍ୱାସ୍ଥ୍ୟ ବିଭାଗ ଓ ରାଇରଙ୍ଗପୁର ପୌରପାଳିକାଙ୍କ ମିଳିତ ତତ୍ତ୍ବାବଧାନରେ ନିୟମିତ ଯାଞ୍ଚ ଓ ତଦାରଖ କରାଯିବା । ପରମ୍ପରା ଅନୁଯାୟୀ ରଥ ଟଣା କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସ ଗୁଡ଼ିରେ କେବଳ ମହିଳା ମାନଙ୍କ ଦ୍ୱାରା ରଥ ଟଣାଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ଇନର କର୍ଡନରେ ଆବଶ୍ୟକ ସଂଖ୍ୟକ ମହିଳା ପୋଲିସ କର୍ମଚାରୀ ନିୟୋଜିତ କରାଯାଇ ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦନ ନିମନ୍ତେ ବିଭାଗୀୟ ଅଧିକାରୀ ତଥା ଦେବୋତ୍ତର ବିଭାଗର ସେବାୟତ ମାନଙ୍କ ସକ୍ରିୟ ସହଯୋଗ କାମନା କରାଯାଇଛି ।